ଏକାଦଶ ସ୍କନ୍ଧ

ଅଷ୍ଟମ ଅଧ୍ୟାୟ

ଭଗବାନ ଉବାଚ

ହସି ବୋଲନ୍ତି ବାସୁଦେବ । ଶୁଣ ହେ ଭକତ ଉଦ୍ଧବ ॥

ହେତୁ କାରଣ ତୁହି ଜାଣି । ଯେତେ କହିଲୁ ପରିମାଣି ॥

ବ୍ରହ୍ମା ଶଙ୍କର ଆଦି ଦେବେ । ମୋର ନିକଟେ ଆସି ଏବେ ॥

ଅନେକ ସ୍ତୁତି କଲେ ପାଶେ । ବୈକୁଣ୍ଠ-ଗମନ-ବିଶ୍ୱାସୋ ॥

ମୁଁ ଏବେ ଦେବକାର୍ଯ୍ୟ ସାରି । ଅବନୀଭାର ପରିହରି ॥

ଏବେ ତ ପ୍ରୟୋଜନ ନାହିଁ । ନିଜ ଭୁବନେ ଯିବି ମୁହିଁ ॥

ବ୍ରହ୍ମାବଚନ ଇଷ୍ଟ ମୋର । ଏଣୁ ମନୁଷ୍ୟେ ଅବତାର ॥

ଏବେ ତୁ ଶୁଣ ମୋ’ ବିଶ୍ୱାସେ । ଆଜହୁଁ ସପତ ଦିବସେ ॥

ଏ ଯେତେ ମୋର ଯଦୁବଂଶ । ଘୋର କନ୍ଦଳେ ଯିବେ ନାଶ ॥

ସପ୍ତମଦିନ ରାତ୍ରକାଳେ । ପ୍ରଚଣ୍ଡ ସମୁଦ୍ର ଉଲ୍ଲୋଳେ ॥ ୧୦

ଏ ଯଦୁପୂରୀ ସିନ୍ଧୁଜଳେ । ବୁଡ଼ି ପଡ଼ିବ ରସାତଳେ ॥ ୧୧

ମୋର ନିବାସ ମାତ୍ର ଥିବା ଜଳେ ଦ୍ୱାରକା ନାଶ ଯିବ ॥ ୧୨

ମୁଁ ପୁଣି ଯିବି ନିଜପୁରୀ । ଭୂମି ଦିଶିବ ହତଶିରୀ ॥ ୧୩

ଲୋକେ ହୋଇବେ ଖଳବଳ । ନାଶିବେ ଭୁବନମଣ୍ଡଳ ॥ ୧୪

ଶୁଣି ମୋହର ତନୁତ୍ୟାଗ । ଘୋର ଗହନ କଳିଯୁଗ ॥ ୧୫

ବ୍ରହ୍ମାଣ୍ଡ ମଧ୍ୟେ ବଳେ ପଶି । ଭୂମି ଜଗତଜନ ନାଶି ॥ ୧୬

ହରିବ ସର୍ବଜନ୍ତୁ ମନ । ତୁ ଏବେ ଶୁଣ ମୋ’ ବଚନ ॥ ୧୭

ଦଣ୍ଡେ ନ ରହ ମୋର ସଙ୍ଗେ । ଅରଣ୍ୟେ ପଶ ଯାଇ ବେଗେ ॥ ୧୮

ଏ ଘୋର କଳିଯୁଗ ଗତି । ଲୋକେ ହୋଇବେ ଦୁଷ୍ଟମତି ॥ ୧୯

ହିଂସା ବହିବେ ଏକେ ଏକେ । ସର୍ବେ ମଜ୍ଜିବେ ଦୁଃଖଶୋକେ ॥ ୨୦

ଅଗମ୍ୟେ କରିବେ ଗମନ । ନିନ୍ଦିବେ ନିଗମ ବଚନ ॥ ୨୧

ଏଣୁ ହୋଇବେ ଅଳ୍ପାୟୁଷ । ପାପେ ସକଳ ଯିବେ ନାଶ ॥ ୨୨

ତୁ ଏବେ ଛାଡ଼ି ସୁତ ବିତ୍ତ । ଦାରା ସେବକେ ପ୍ରେମଚିତ୍ତ ॥ ୨୩

ସକଳ କର୍ମ ଦୂର କରି । ମୋହର ପାଦେ ଚିତ୍ତ ଧରି ॥ ୨୪

ପୃଥିବୀ କରି ପର୍ଯ୍ୟଟନ । ଅସତ୍ୟ ଦେଖ ତି୍ରଭୁବନ ॥ ୨୫

ଦୃଷ୍ଟି ଶ୍ରବଣ ବାକ୍ୟ ମନେ । ଯେତେ ବିଚାରୁ ଅନୁମାନେ ॥ ୨୬

ଏ ସର୍ବ ମାୟାର ସଂଚାର । ଏଣେ ତୁ ବିଶ୍ୱାସ ନ କର ॥ ୨୭

ବିବିଧ କର୍ମେ ଚିତ୍ତ ଭ୍ରମେ । ଅନ୍ଧ ଯେସନେ ଘୋରତମେ ॥ ୨୮

ସଂସାରେ ଭେଦବୁଦ୍ଧି କରେ । ଦୋଷ ଆଦୋଷ ନ ବିଚାରେ ॥ ୨୯

ଅକର୍ମ କର୍ମ ବୋଲି ମଣେ । ବିକର୍ମ ବୁଦ୍ଧି ବିଚାରଣ ॥ ୩୦

ଏଣୁ ମଣଇଁ ଗୁଣ ଦୋଷ । ଭେଦ ବେଭାରେ ବୁଦ୍ଧିଭ୍ରଂଶ ॥ ୩୧

ବେଦ ବଚନେ ଏହିମତେ । କର୍ମାନୁସାରେ ନିଜ ପଥେ ॥ ୩୨

ନିୟତ କର୍ମ ନ କରଇ । ବିକର୍ମେ ଦୋଷ ଗୁଣ ବହି ॥ ୩୩

ନିଷେଧ କର୍ମ ବୋଲି ତା’ରେ । ତେଣୁ ପଡ଼ଇ ଏ ସଂସାରେ ॥ ୩୪

ଏହା ତୁ ସୁମନେ ବିଚରି । ଚଞ୍ଚଳ ଚିତ୍ତ ସ୍ଥିର କରି ॥ ୩୫

ସର୍ବ ଇନ୍ଦି୍ରୟ ମନ ରୁନ୍ଧି । ନିୟତକର୍ମେ ଦେଇ ବୁଦ୍ଧି ॥ ୩୬

ଆତ୍ମାକୁ ଦେଖ ସର୍ବମୟେ । ବିବେକ ସୁଜ୍ଞାନ ଉଦୟେ ॥ ୩୭

ସମାଧି ବସି ଯୋଗଧ୍ୟାନେ । ଆତ୍ମାକୁ ଦେଖ ଆତ୍ମଜ୍ଞାନେ ॥ ୩୮

ଏଣେ ସନ୍ତୋଷମନେ ରହ । ଖଣ୍ଡିବୁ ସକଳ ସଂଶୟ ॥ ୩୯

ଯା'ର ହୃଦରେ ଦୋଷଗୁଣ । ଭେଦ ନ କରେ ବିଚାରଣ ॥ ୪୦

ସକଳ କର୍ମ ସେ କରଇ । ବିଧି ନିଷେଧ ତା'ର କାହିଁ ॥ ୪୧

ବାଳକ ବାଳିକା ସଙ୍ଗତେ । ଅଜ୍ଞାନେ ଖେଳନ୍ତି ଯେମନ୍ତେ ॥ ୪୨

ବାଳ ସ୍ୱଭାବେ ଗୁଣ ବହି । ସଙ୍ଗ ଅସଙ୍ଗ ନ ଜାଣଇ ॥ ୪୩

ବିତର୍କ ଜ୍ଞାନୀ ଏହିମତେ । କର୍ମ କରନ୍ତି ଏ ଜଗତେ ॥ ୪୪

ସକଳ ଦେଖନ୍ତି ସମାନ । ଏଣୁ ନ ରହେ ବସ୍ତୁଜ୍ଞାନ ॥ ୪୫

ତୁ ଏବେ ସର୍ବପ୍ରାଣୀ ହିତେ । ନିରତେ ରହି ଶାନ୍ତଚିତ୍ତେ ॥ ୪୬

ଜ୍ଞାନ ବିଜ୍ଞାନେ ମନ ଦେଇ । ଚିତ୍ତ ନିଶ୍ଚଳେ ରଖ ତୁହି ॥ ୪୭

ସଂସାର ଦେଖ ମୋ’ ସ୍ୱରୂପେ । ଗଞ୍ଜି ନୋହିବୁ ଭବକୂପେ ॥ ୪୮

ଶୁକ ଉବାଚ

ଏମନ୍ତେ କୃଷ୍ଣର ବଚନେ । ଶୁଣି ଉଦ୍ଧବ ଖେଦମନେ ॥ ୪୯

ପ୍ରଣାମ କରି କୃଷ୍ଣପାଦେ । ବୋଲଇ ଶୋକ ଗଦଗଦେ ॥ ୫୦

ଉଦ୍ଧବ ଉବାଚ

ହେ ମହାଯୋଗୀ ଯୋଗେଶ୍ୱର । ଦୁର୍ଲ୍ଲଭ ବଚନ ତୋହର ॥ ୫୧

ନ ପଶେ ମୋହର ହୃଦୟେ । ନଳିନୀଦଳେ ଜଳ ପ୍ରାୟେ ॥ ୫୨

ତୁମ୍ଭେ କହିଲ ତ୍ୟାଗ ଗୁଣ । ଯେ ଧର୍ମ ସନ୍ୟାସ ଲକ୍ଷଣ ॥ ୫୩

କାମେ ଜଡ଼ିତ ମୋ'ର ମନ । ବିଷମ ବିଷୟା ଗହନ ॥ ୫୪

ତୋ'ର ଭକତି ନାହିଁ ଚିତ୍ତେ । ମନକୁ ଜିଣିବି କେମନ୍ତେ ॥ ୫୫

ତୋ'ର ସ୍ମରଣ ଯା'ର ଦୂରେ । କି ରୂପେ ତ୍ୟାଗ ତା ସଂସାରେ ॥ ୫୬

ଯେ କିଛି ତୋହର ଚରଣେ । ମୁହିଁ ପୁଚ୍ଛଇ ଦାସପଣେ ॥ ୫୭

ମୁଁ ମୂଢ ମାୟା ଜଡ଼ମତି । ଭୋ ନାଥ ଶୁଣ ଯଦୁପତି ॥ ୫୮

ମୁହିଁ ମୋହର ଏ ଶରୀର । ସକଳ ସଂସାର ଗୋଚର ॥ ୫୯

ମୋହେ ଜଡ଼ିତ ମୋର ଚିତ୍ତ । ଏଣୁ ମୁଁ କୈବଲ୍ୟ ବଞ୍ଚିତ ॥ ୬୦

ଅସତ୍ୟ ସୁତ ଦାରା ଧନ । ମୋ' ମନ କରେ ନିତ୍ୟେ ଧ୍ୟାନ ॥ ୬୧

ମାୟା ସଙ୍କଟ ଘୋରେ ଜଡ଼ି । ଭବବନ୍ଧନେ ଅଛି ପଡ଼ି ॥ ୬୨

ଏ ମୋର ମୋହ ଜଡ଼ ପାଶ । କିଞ୍ଚିତେ ଛେଦ ହୃଷୀକେଶ ॥ ୬୩

ନିଶ୍ଚୟ କରି ନିଜ ଦାସ । କହ ତୋ ମାର୍ଗ ଉପଦେଶ ॥ ୬୪

ତୁ ଆତ୍ମା ସତ୍ୟ ନିତ୍ୟନିଧି । ଚଉଦଭୁବନେ ପ୍ରସିଦ୍ଧି ॥ ୬୫

ତୁ ବ୍ରହ୍ମଜ୍ଞାନଗୁରୁ ଦାତା । ତୋ ବିନୁ ନାହିଁ ନା ବକତା ॥ ୬୬

ନାନା ପ୍ରପଞ୍ଚ ବେଦବାଦେ । କେ ଅଛି ସୁରସଭା ମଧ୍ୟେ ॥ ୬୭

ବ୍ରହ୍ମାଦି ଯେତେ ଦେହବନ୍ତ । ତୋହର ମାୟାରେ ମୋହିତ ॥ ୬୮

ବିଷୟ ଧ୍ୟାନ ଅବିରତ । ଏଣୁ ସେ ତୋ' ମାର୍ଗେ ବଞ୍ଚିତ ॥ ୬୯

ସେ କେବେ ତତ୍ତ୍ୱ ଅବଧାରୀ । ତୋ ମାୟା ନ ପାରିଲେ ତରି ॥ ୭୦

ଯେଣୁ ତୁ ଅଷ୍ଟନିଧିଧାରୀ । ତେଣୁ ତୁ ସର୍ବଅଧିକାରୀ ॥ ୭୧

ଅଶେଷ ମହିମା ତୋହର । ସର୍ବଜ୍ଞ ଜଗତୀଶ୍ୱର ॥ ୭୨

ଅକୁଣ୍ଠ ବିକୁଣ୍ଠ ମହିମା । ବେଦ ନ ଜାଣେ ତୋ'ର ସୀମା ॥ ୭୩

ହେ ଜଗନ୍ନାଥ ନାରାୟଣ । ତୋ ପାଦେ ପଶିଲି ଶରଣ ॥ ୭୪

ତୋ ନାମ ଦୁରିତ ଦହନ । ତାପ ମୋ କର ବିମୋଚନ ॥ ୭୫

ଉଦ୍ଧବ ବାକ୍ୟେ ଯଦୁମଣି । ମନ ସଂଶୟ ତାର ଜାଣି ॥ ୭୬

ଭଗବାନ ଉବାଚ

ବୋଲନ୍ତି କମଳଲୋଚନ । ଉଦ୍ଧବ ଶୁଣ ମୋ’ ବଚନ ॥ ୭୭

ଯେ ପ୍ରାଣୀ ଲୋକତତ୍ତ୍ୱ ଜାଣେ । ମୋ'ର ମହିମା ପରିମାଣେ ॥ ୭୮

ବିଷୟା ଭ୍ରମରୁ ସଂସାରେ । ଆତ୍ମାକୁ ଆପଣେ ଉଦ୍ଧରେ ॥ ୭୯

ସୁମତି ଆତ୍ମା ଗୁରୁପଣେ । ଆତ୍ମାକୁ ବୁଝାଇ ଆପଣେ ॥ ୮୦

ଆତ୍ମାରେ କରେ ଆତ୍ମଜ୍ଞାନ । କି ଅବା କରେ ଅନୁମାନ ॥ ୮୧

ଜ୍ଞାନ ବୁଝଇ ଧୀରପଣେ । ଆତ୍ମା ସମାଧି ଆଚରଣେ ॥ ୮୨

ଆତ୍ମା କୁଶଳେ ସର୍ବସିଦ୍ଧି । ତରଇ ସଂସାର ଜଳଧି ॥ ୮୩

ପଣ୍ଡିତ ସାଂଖ୍ୟଯୋଗ ମତେ । ଧୀର ବିବେକ ପଣେ ମୋତେ ॥ ୮୪

ଆତ୍ମାକୁ ଦେଖେ ସର୍ବଭୂତେ । ନିର୍ଲେପ ସର୍ବଶକ୍ତିଯୁତେ ॥ ୮୫

ଏକ ବା ଦୁଇ ତିନିପଦ । କେ ଚାରିପଦ କେ ଅପଦ ॥ ୮୬

କେ ବହୁପଦ ଆଦି ଯେତେ । ଏମନ୍ତେ ଦେହୀଛନ୍ତି ଯେତେ ॥ ୮୭

ତା ମଧ୍ୟେ ମନୁଷ୍ୟ ଶରୀର । ଜାଣ ଅତ୍ୟନ୍ତ ପ୍ରିୟ ମୋର ॥ ୮୮

ଯେଣୁ ବିବେକ ବଳେ ପୁଣି । ଏ ଦେହେ ମୋତେ ପରିମାଣି ॥ ୮୯

ଈଶ୍ୱର ଅଛି ସର୍ବଭୂତେ । ଏ ଅନୁମାନ କରେ ଚିତ୍ତେ ॥ ୯୦

ଏବେ ହୋ କହିବା ବିଶ୍ୱାସେ । ଯେ ପୁରାତନ ଇତିହାସେ ॥ ୯୧

ଯଦୁରାଜନ ଅବଧୂତ । ଏ ବେନିଜନଙ୍କ ଚରିତ ॥ ୯୨

ବ୍ରାହ୍ମଣ ଅବଧୂତ ରୂପେ । ମିଳିଲେ ନୃପତି ସମୀପେ ॥ ୯୩

ସେ ସର୍ବଭୂତେ ଦୟାପର । ନିର୍ଭୟ ନିର୍ମଳ ଶରୀର ॥ ୯୪

ଦେଖି ତାହାଙ୍କ ଦିବ୍ୟଗତି । ବିଶ୍ୱାସେ ପୁଚ୍ଛଇ ନୃପତି ॥ ୯୫

ଯଦୁ ଉବାଚ

ଭୋ ମୁନି ନମୁଁ ତୋ ଚରଣେ । ଏକାନ୍ତେ ଭ୍ରମୁ କି କାରଣେ ॥ ୯୬

ଏ ନରଲୋକେ ତୋ ଭ୍ରମଣ । ବାଳକ ପ୍ରାୟ ଆଚରଣ ॥ ୯୭

ପ୍ରାଣୀଏ ଧର୍ମ ଅର୍ଥ କାମ । ନିମନ୍ତେ ହୋଇଣ ବିଭ୍ରମ ॥ ୯୮

କର୍ମ କରନ୍ତି ଏ ଜଗତେ । ଆୟୁଷ ଶ୍ରେୟ ଯଶ ଅର୍ଥେ ॥ ୯୯

ତୁ ତ ଚତୁର ବଳବନ୍ତ । ପଣ୍ଡିତକୁଳକୁ ମଣ୍ଡିତ ॥ ୧୦୦

ସୁନ୍ଦର ଅଳପ ଭାଷିତ । ତୋ'ର ଚରିତ ବିପରୀତ ॥ ୧୦୧

ଦୃଷ୍ଟି ଶ୍ରବଣ ଦେହେ ବହି । ନ ଦେଖି ନ ଶୁଣୁ କିପାଇଁ ॥ ୧୦୨

ନ କରୁ ନ ଇଚ୍ଛୁ କିଞ୍ଚିତ୍ । ମତ୍ତ ପିଶାଚ ଜଡ଼ବତ ॥ ୧୦୩

ଏ ସର୍ବଲୋକ ଭବକୂପେ । ନିତ୍ୟେ ଦଗଧ ନାନା ତାପେ ॥ ୧୦୪

ଏହାଙ୍କ ମଧ୍ୟେ ତୁମ୍ଭେ ଥାଇ । ସାଧୁ ସୁନ୍ଦର ଦେହ ବହି ॥ ୧୦୫

ସଂସାର ତାପ କିପାଁ ତୋତେ । ନ ବାଧେ ସଂଶୟ ମୋ ଚିତ୍ତେ ॥ ୧୦୬

ଯେସନେ ଗଙ୍ଗାଜଳେ ହସ୍ତୀ । ଅଙ୍ଗକୁ ନ ଲାଗେ ତପତି ॥ ୧୦୭

ସେହି ପ୍ରକାରେ ତୋ’ ଶରୀର । ମୋର ମନକୁ ଅଗୋଚର ॥ ୧୦୮

ବିଷୟ ଭୋଗ ଯେବେ ନାହିଁ । ଆନନ୍ଦ ହେଉ କାହିଁପାଇଁ ॥ ୧୦୯

କହ କେବଣ ପ୍ରୟୋଜନ । ଶୁଣି ସାନନ୍ଦ ହେଉ ମନ ॥ ୧୧୦

ଭଗବାନ ଉବାଚ

ରାଜା ବଚନେ ଅବଧୂତ । କ୍ଷଣେ ହୋଇଲେ ସ୍ତମ୍ଭୀଭୂତ ॥ ୧୧୧

ରାଜାର ମୁଖ ଚାହିଁ ଧୀରେ । ବୋଲନ୍ତି ବଚନ ଗମ୍ଭୀରେ ॥ ୧୧୨

ଅବଧୂତ ଉବାଚ

ଶୁଣ ହେ ଯଦୁ ନୃପବର । ଅନେକ ଗୁରୁ ଛନ୍ତି ମୋର ॥ ୧୧୩

ଶୁଣିତେ ଯେବେ ତୋର ଇଚ୍ଛା । ଯାହାର ତ‌ହୁଁ ଯେବା ଦୀକ୍ଷା ॥ ୧୧୪

ଘେନି ମୁଁ ବୁଲଇ ସଂସାରେ । କ‌ହିବି ଶୁଣ ମନସ୍ଥିରେ ॥ ୧୧୫

ପୃଥିବୀ ପବନ ଅନଳ । ଊର୍ଦ୍ଧ୍ୱେ ଯେ ଆକାଶ ମଣ୍ତଳ ॥ ୧୧୬

ରବି ଶଶାଙ୍କ ଆପ ସିନ୍ଧୁ । ଭ୍ରମର ସର୍ବପୁଷ୍ପବନ୍ଧୁ ॥ ୧୧୭

କପୋତପକ୍ଷୀ ଗୁରୁ ମୋର । ପ‌ତଙ୍ଗ ସର୍ପ ଅଜଗର ॥ ୧୧୮

ମୀନ ପିଙ୍ଗଳା ବେଶ୍ୟା ନାରୀ । କୁରର କୁମର କୁମାରୀ ॥ ୧୧୯

ହରିଣ ଉର୍ଣ୍ଣନାଭ କରୀ । ଶରକାରକ ମଧୁହାରୀ ॥ ୧୨୦

ଆବର କୀଟ ପେଶସ୍କାରୀ । ମୁଁ ଏତେ ଗୁରୁ ସେବା କରି ॥ ୧୨୧

ଚବିଶ ଗୁରୁ ମୋର ଏତେ । ଶୁଣ ହେ ରାଜା ଏକଚିତ୍ତେ ॥ ୧୨୨

ଯାହାର ତ‌ହୁଁ ଯେବା ଦୀକ୍ଷା । ମୁହିଁ ପାଇଲି ଗୁରୁଶିକ୍ଷା ॥ ୧୨୩

ତାହା ମୁଁ ତୋହର ସମ୍ମୁଖେ । ଶୁଣ କ‌ହିବି ଏକେ ଏକେ ॥ ୧୨୪

ଏ ଜୀବ ଆତ୍ମା ପରବଶ । ଅଦୃଷ୍ଟ କାରଣ ବିଶ୍ୱାସ ॥ ୧୨୫

ଦୁଃଖ ପୀଡ଼ିତ କର୍ମଫଳେ । ସଂସାରେ ଜନ୍ମି ଅବ‌ହେଳେ ॥ ୧୨୬

ଅର୍ମ ଆଦରି ସ‌ହେ ଦୁଃଖ । କେବେହେଁ ନୋହଇ ବିମୁଖ ॥ ୧୨୭

ଦୁଃଖେ ନ ଛାଡ଼ି ନିଜ ପ‌ଥ । ଚଞ୍ଚଳ ନ କରଇ ଚିତ୍ତ ॥ ୧୨୮

ଏଣୁ ମୁଁ ଦୁଃଖ ସୁଖ ସ‌ହି । ଏହା ଶିଖିଲି ଭୂମି ତ‌ହିଁ ॥ ୧୨୯

କର୍ମ-କଷଣ ସ‌ହି ଧୀରେ । ଭ୍ରମଇଁ ସଂସାର ସାଗରେ ॥ ୧୩୦

ଧନ୍ୟ ଜୀବନ ଏ ଜଗତେ । ଯେ ପ୍ରାଣ ଧରେ ପ୍ରାଣୀହିତେ ॥ ୧୩୧

ଧନ୍ୟ ଜୀବନ ଧନ୍ୟ ତାର । ଦୁର୍ଲ୍ଲଭ କର୍ମ ଏ ବେଭାର ॥ ୧୩୨

ଏହା ମୁଁ ବୃକ୍ଷଙ୍କର ସ୍ଥାନୁ । ଶିଖିଲି ପର୍ବତ ଗ‌ହ‌ନୁ ॥ ୧୩୩

କେବଳ ଦେହ ମାତ୍ର ଧରି । ଇନ୍ଦ୍ରିୟ ପ୍ରବଳ ନ କରି ॥ ୧୩୪

ଜ୍ଞାନ ଉଦ୍ଦେଶ୍ୟେ ଶୁଦ୍ଧମନ । ନ କରି ମାୟାଜଡ଼େ ଛନ୍ନ ॥ ୧୩୫

ନ ଘେନି ପର ଗୁଣ ଦୋଷ । ଇନ୍ଦ୍ରିୟ ଭୋଗ ସୁଖ ଲେଶ ॥ ୧୩୬

ଅସ‌ତ୍ୟ ଭୋଗ ଯେବେ ଥିବ । ସର୍ବଥା ତାହା ନ କରିବ ॥ ୧୩୭

ଦେଖ ପବନ ଏ ଶରୀରେ । ବ‌ହଇ ଅନ୍ତର ବା‌ହାରେ ॥ ୧୩୮

ସର୍ବତ୍ର ବ‌ହଇ ସଂସାରେ । ଅଦେହ ସର୍ବ ଗନ୍ଧ‌ହରେ ॥ ୧୩୯

ଏ ରୂପେ ସର୍ବଦେହେ ଥାଇ‌ । ଉଦାସୀ ଜନ ପ୍ରାୟ ହୋଇ ॥ ୧୪୦

କା‌ହାରି ସଙ୍ଗେ ସଙ୍ଗ ନୋହେ । ସମେ ବସଇ ସର୍ବଦେହେ ॥ ୧୪୧

ମୁଁ ଏହା ପବନେ ବିଚାରି । ଶିଖିଲି ଗୁରୁଶିକ୍ଷା କରି ॥ ୧୪୨

ଏଣୁ ପବନ ପ୍ରାୟ ହୋଇ । ସଙ୍ଗତେ ଥାଇ ନ ମିଶଇ ॥ ୧୪୩

ଆକାଶ ପ୍ରାୟ ସର୍ବଠାରେ । ବ୍ୟାପିଛି ଆତ୍ମ ନିର୍ବିକାରେ ॥ ୧୪୪

ଦେହରେ ଥାଇ ସଙ୍ଗ ନୋହେ । ଘଟ ଆକାଶ ପ୍ରାୟ ରହେ ॥ ୧୪୫

ମେଘ ଯେ ଶୂନ୍ୟେ ଜନ୍ମ ହୋଇ । ଶରୀରେ ଆକାଶ ଢ଼ାଙ୍କଇ ॥ ୧୪୬

ଭୂମି ଲୋକଙ୍କୁ ଛାୟା ଦିଶେ । ସେ ଯେହ୍ନେ ଆକାଶେ ନ ମିଶେ ॥ ୧୪୭

ଏଣୁ ଆକାଶେ ଗୁରୁ କରି । ଅବନୀ ମଧ୍ୟେ ଦେହ ଧରି ॥ ୧୪୮

ଆନନ୍ଦେ ଭ୍ରମଇଁ ସଂସାରେ । ସ୍ପରଶ ନ କରି କାହାରେ ॥ ୧୪୯

ଏଣୁ ଆକାଶ ଗୁରୁ ମୋର । ଏବେ ହୋ ଶୁଣ ନୃପବର ॥ ୧୫୦

ଜଳ ଯେସନେ ସୁନିର୍ମଳ । ସ୍ୱଭାବେ ସ୍ନିଗ୍ଧ ସୁମଧୁର ॥ ୧୫୧

ମଧୁର ସୁରୁଚି ବଚନ । ଶୁଣି ହରଷ ସର୍ବଜନ ॥ ୧୫୨

ତୀର୍ଥର ପ୍ରାୟେ ଭବ‌ବନେ । ଭ୍ରମଇଁ ଜନ ପରିତ୍ରାଣେ ॥ ୧୫୩

ତୀର୍ଥ ସ୍ପରଶେ ଲୋକବୃନ୍ଦ । ଯେସନେ ଲଭନ୍ତି ଆନନ୍ଦ ॥ ୧୫୪

ସ୍ନାହାନ ତର୍ପଣ ମାର୍ଜନେ । ପବିତ୍ର ହୋନ୍ତି ପ୍ରାଣୀମାନେ ॥ ୧୫୫

ଏ ଅନୁଭବେ ମୋର ଶିକ୍ଷା । ଜଳୁଁ ଶିଖିଲି ଗୁରୁଦୀକ୍ଷା ॥ ୧୫୬

ତୀର୍ଥର ପ୍ରାୟେ ଭବ‌ବଣେ । ଭ୍ରମଇଁ ଜନ ପରିତ୍ରାଣେ ॥ ୧୫୭

ଦେଖ ତୁ ମୋର କଳେବର । ସୁଦୀପ୍ତ ତେଜ ବଳୀୟାର ॥ ୧୫୮

କେବଳ ପାତ୍ର ମୋ' ଉଦର । ଏଣୁ ମୁଁ ଲୋକେ ଭୟଙ୍କର ॥ ୧୫୯

ତେଣୁ ମୁଁ ଧ୍ୟାନ‌ଯୋଗବଳେ । ଭୋଜନ କରେ ସର୍ବଠାରେ ॥ ୧୬୦

ଅଗ୍ନି ଯେସନେ ସର୍ବଖାଇ । ବିଚାରେ ଗୁଣ ଦୋଷ ନାହିଁ ॥ ୧୬୧

କେବେ ପ୍ରକାଶେ ଅପ୍ରକାଶେ । ଭୋଜନ କରେ ସର୍ବବାସେ ॥ ୧୬୨

ଶ୍ରେୟ ଇଚ୍ଛନ୍ତା ଦାତାଙ୍କର । ପାପ ନାଶଇ ପୂର୍ବାପର ॥ ୧୬୩

ଆପଣା ମାୟାରେ ସୃଜନ । ଯେ ସ‌ତ ଅସ‌ତ ଲକ୍ଷଣ ॥ ୧୬୪

ତ‌ହିଁ ପ୍ରବେଶ ହୋଇ ତା'ର । ସ୍ୱରୂପ ପ୍ରକାଶେ ଈଶ୍ୱର ॥ ୧୬୫

ଅଗ୍ନି ଯେମନ୍ତ କାଷ୍ଠ ପାଇଁ । ତେମନ୍ତ ରୂପ ପ୍ରକାଶଇ ॥ ୧୬୬

ଏଣୁ ମୁଁ ଅଗ୍ନି ଗୁରୁ କରି । ଭ୍ରମଇଁ ଲୋକେ ଦେହଧରି ॥ ୧୬୭

ଜନ୍ମ ଯୌବନ ଜରା ମୃତ୍ୟୁ । ଶୁଭ ଅଶୁଭ ଦୁଃଖ ହେତୁ ॥ ୧୬୮

ଏ ସର୍ବଗୁଣ ବ‌ହେ ଦେହ । ଜୀବର ନୋହେ ପରିଗ୍ରହ ॥ ୧୬୯

ଚନ୍ଦ୍ରର କ୍ଷୟ ବୃଦ୍ଧି ଯେହ୍ନେ । କୃଷ୍ଣ ଶୁକଳ ପକ୍ଷମାନେ ॥ ୧୭୦

ଲୋଲୋଚନ ଭ୍ରାନ୍ତି ଦିଶେ । ଅକ୍ଷୟ ଏକ‌କଳା ଶେଷେ ॥ ୧୭୧

ଜୀବର ଏମନ୍ତ ବେଭାର । ସ୍ୱଭାବେ ଅଜର ଅମର ॥ ୧୭୨

ଏ ଅନୁଭବେ ଚନ୍ଦ୍ର କାହିଁ । ଭ୍ରମଇଁ ଗୁରୁଶିକ୍ଷା ପାଇ ॥ ୧୭୩

ଇନ୍ଦ୍ରିୟଗୁଣ ଏ ଶରୀରେ । ଭ୍ରମନ୍ତି ବିଷୟ ଗୋଚରେ ॥ ୧୭୪

ଯେଝା ବିଷୟ ଅନୁଦିନେ । ଭୋଗ କରନ୍ତି ନିଜସ୍ଥାନେ ॥ ୧୭୫

ଆତ୍ମାର ସଙ୍ଗ ନାହିଁ ତେଣେ । ଆଦିତ୍ୟ ଯେସନେ କିରଣେ ॥ ୧୭୬

ସକଳ ସ୍ଥାନୁ ରସ ହରେ । ନିର୍ଦ୍ଦୋଷ ନିର୍ଲେପ ବିଚାରେ ॥ ୧୭୭

କାଳରେ ସମସ୍ତ ତେଜଇ । ସଞ୍ଚିତ ଦାନେ କ୍ଷୋଭ ନୋହି ॥ ୧୭୮

ଏ ଜୀବ ଆତ୍ମା ସର୍ବ ଦେହେ । ଇନ୍ଦ୍ରିୟ ରସେ ବଶ ନୋହେ ॥ ୧୭୯

ଯେମନ୍ତେ ରବିବିମ୍ବ ନୀରେ । ତେମନ୍ତ ସ୍ଥୂଳ ବୁଦ୍ଧି ନରେ ॥ ୧୮୦

ଆତ୍ମାର ଭେଦବୁଦ୍ଧି କରେ । ଉପାଧି ଗୁଣର ବିକାରେ ॥ ୧୮୧

ଏ ଭାବେ ଯେତେ ଜନ ଥା'ନ୍ତି । ତାହାଙ୍କୁ ବୋଲି ମୂଢ଼ମତି ॥ ୧୮୨

ଏ ଅନୁମାନେ ମୋ' ବିଚାର । ଏଣୁ ମୋ' ଗୁରୁ ଦିବାକର ॥ ୧୮୩

ଅଧିକେ ସଂସାର ସଙ୍ଗତେ । ପୀରତି ନ କରିବ ଚିତ୍ତେ ॥ ୧୮୪

ଯେବେ କରିବ ସ୍ନେହ ଆଶ । କପୋତ ପ୍ରାୟ ଯିବ ନାଶ ॥ ୧୮୫

ଶୁଣ ରାଜନ ସାବଧାନେ । କପୋତପକ୍ଷୀ ଘୋରବନେ ॥ ୧୮୬

କପୋତୀ ସଙ୍ଗେ ସ୍ନେହଭରେ । ଅରଣ୍ୟେ ଗୃହବାସ କରେ ॥ ୧୮୭

କପୋତୀ ସଙ୍ଗେ ଭୋଗ ଆଶେ । ଦୃଢ଼େ ଜଡ଼ିତ ମୋହପାଶେ ॥ ୧୮୮

ନିତ୍ୟେ କରନ୍ତି କ୍ରୀଡ଼ାରଙ୍ଗ । ନିମିଷେ ନ ଛାଡ଼ନ୍ତି ସଙ୍ଗ ॥ ୧୮୯

ସ୍ନେହ ବନ୍ଧନ ସଙ୍ଗମେଳେ । କାଳ ବଞ୍ଚନ୍ତି କୁତୁହଳେ ॥ ୧୯୦

ସଙ୍ଗ ବିଚ୍ଛେଦ ତିଳେ ମାତ୍ରେ । କେବେହେଁ ନ ଦେଖନ୍ତି ନେତ୍ରେ ॥ ୧୯୧

ଏକ‌ତ୍ର ଭୋଜନ ଶୟନେ । ଏ ରୂପେ ବିହରନ୍ତି ବନେ ॥ ୧୯୨

କପୋତୀ ଚିତ୍ତେ ଯା' ବିଚାରେ । କପୋତ ଆଣେ ତ‌ତପରେ ॥ ୧୯୩

ସେବକ ପ୍ରାୟ ଦିଏ ଆଣି । ଯାହା ମାଗଇ ତା' ଘରଣୀ ॥ ୧୯୪

ଏମନ୍ତେ କେତେଦିନ ଗଲା । କପୋତୀ ଗର୍ଭ ଉପୁଜିଲା ॥ ୧୯୫

କେତେହେଁ ଦିନ ଗର୍ଭେ ଥାଇ । ଜନ୍ମ ହୋଇଲେ ଡ଼ିମ୍ବ ଦୁଇ ॥ ୧୯୬

ପକ୍ଷୀପକ୍ଷିଣୀ ସ୍ନେହ ବଶେ । ଡ଼ିମ୍ବ ତାପନ୍ତି ପୁତ୍ର ଆଶେ ॥ ୧୯୭

ପୁଣି କେତେହେଁ ଦିନ ଗଲା । ଫୁଟି ବାଳକ ଉପୁଜିଲା ॥ ୧୯୮

ଅତି କୋମଳ ବେନିକାୟେ । ଦେଖି ସାନନ୍ଦ ବାପମାଏ ॥ ୧୯୯

ସମ୍ଭ୍ରମେ କପୋତ କପୋତୀ । ନିରତେ ବାଳକ ପୋଷନ୍ତି ॥ ୨୦୦

ପୁତ୍ରଙ୍କ କୋମଳ ବଚନ । ଶୁଣନ୍ତେ ମୁଦ୍ରିତ ଲୋଚନ ॥ ୨୦୧

ପ‌ତଙ୍ଗ ଉଚିତ ଆହାରେ । ପାଳନ୍ତି ଅତି ସ୍ନେହଭରେ ॥ ୨୦୨

ଏମନ୍ତେ ବେନିଶିଶୁ ପାଳି । ପକ୍ଷୀ ସ୍ୱଭାବେ ରୋମାବଳୀ ॥ ୨୦୩

ଉଠନ୍ତେ ବେନିପୁତ୍ର ଦେହେ । ଦେଖି ସାନନ୍ଦ ବାପମାଏ ॥ ୨୦୪

ପାଳନ୍ତି ଅତି ସ୍ନେହଭରେ । ବାଳକ କୋମଳ ଆହାରେ ॥ ୨୦୫

ବିଷ୍ଣୁ ମାୟାରେ ମୂଢ଼ମତି । ପାଳନ୍ତି କପୋତ କପୋତୀ ॥ ୨୦୬

ଆହାର ଅର୍ଥେ ଏକଦିନେ । ବନେ ପଶିଲେ ବେନିଜନେ ॥ ୨୦୭

ଖୋଜନ୍ତି କୋମଳ ଆହାର । ଏମନ୍ତେ ଶୁଣ ନୃପବର ॥ ୨୦୮

ପକ୍ଷୀବାଳକ ନିଜ ସ୍ଥାନେ । ବ୍ୟାଧ ମିଳିଲା ଘୋରବନେ ॥ ୨୦୯

ବୃକ୍ଷରୁ ଉଡ଼ି ବେନିବାଳେ । ବନେ ଚରନ୍ତି କୁତୁହଳେ ॥ ୨୧୦

ଶବର ଦେଖି ତାହା ବେଗେ । ଜାଲ ପାତିଲା ଚଉଦିଗେ ॥ ୨୧୧

ଉପରେ ବାନ୍ଧିଲା ଦଉଡ଼ି । ପକ୍ଷୀଙ୍କି ଆଣିଲା ଘଉଡ଼ି ॥ ୨୧୨

ଆହାର ଦେଇ ଜାଲତଳେ । ଅନ୍ତରେ ବସିଲା ନିଶ୍ଚଳେ ॥ ୨୧୩

ପକ୍ଷୀବାଳକ ଭୟ ପାଇ । ବେଗେ ପଡ଼ିଲେ ଜାଲେ ଯାଇ ॥ ୨୧୪

ଆହାର ଦେଖିଲେ ନୟନେ । ପଡ଼ିଲେ ଲୁବ୍ଧକ ବନ୍ଧନେ ॥ ୨୧୫

ତକ୍ଷଣେ କପୋତ କପୋତୀ । ଆସି ମିଳିଲେ ବୃକ୍ଷ କ‌ତି ॥ ୨୧୬

ଥଣ୍ଟେ ଆହାର ଦୃଢ଼େ ଧରି । ବୃକ୍ଷେ ଲୋଡ଼ନ୍ତି ଅନୁସରି ॥ ୨୧୭

ନ ଦେଖି ଚାହିଁ ଦଶଦିଗେ । ପୁଣି ଦେଖନ୍ତି ଭୂମିଭାଗେ ॥ ୨୧୮

ବନ୍ଧନ ଜାଲ ମଧ୍ୟ ଦୃଢେ । ବେନି ବାଳକ ଧଡ଼ପଡ଼େ ॥ ୨୧୯

ଉଡ଼ନ୍ତି ପ୍ରାଣର ବିକଳେ । ନାଦ ସେ କରନ୍ତି ଆକୁଳେ ॥ ୨୨୦

ଦେଖି କପୋତୀ ଦୁଃଖଚିତ୍ତେ । ଭ୍ରମି ପଡ଼ିଲା ମୋହଗତେ ॥ ୨୨୧

ବାଳକ ଦେଖି ଜାଲତଳେ । କାନ୍ଦଇ ଜୀବନ ବିକଳେ ॥ ୨୨୨

ମୂର୍ଚ୍ଛି ନ ପାରି ସ୍ନେହ ବଶେ । ଡ଼େଇଁ ପଡ଼ିଲା ଜାଲପାଶେ ॥ ୨୨୩

ପୁତ୍ରଙ୍କ ମୁଖେ ମୁଖ ଦେଇ । ଦେଖି କପୋତ ବିଚାରଇ ॥ ୨୨୪

ଏବେ ମୁଁ ଏକା ବୃକ୍ଷେ ଥାଇ । କେମନ୍ତେ ଧରିବିଟି ଦେହୀ ॥ ୨୨୫

ଏମନ୍ତେ କ‌ରଇ ରୋଦନ । କ୍ଷଣକ୍ଷଣକେ ଅଚେତନ ॥ ୨୨୬

ପଡ଼ଇ ପୁଣପୁଣ ତଳେ । ପୁଣି ବ‌ସଇ ବୃକ୍ଷଡ଼ାଳେ ॥ ୨୨୭

ପ୍ରାଣୁ ଅଧିକେ ମୋର ସୁତେ । ପଡ଼ିଲେ ଶବର ଆୟତ୍ତେ ॥ ୨୨୮

ପ‌ତ୍ନୀ ପଡ଼ିଲା ଜାଲ ମଧ୍ୟେ । ପ୍ରାଣ ଧରିବି କେଉଁ ସଧେ ॥ ୨୨୯

ପ‌ତ୍ନୀ ମୋହର ପ୍ରାଣସଖା । ସେ ମୋତେ କରିଗଲା ଏକା ॥ ୨୩୦

ତାହାର ଗୁଣ ଅଛି ଯେତେ । ଚିତ୍ତେ ମୁଁ ଧରିବି କେମନ୍ତେ ॥ ୨୩୧

ସେ ମୋର ଜୀବନ ଯୁବତୀ । ତା ବିନୁ କେ ବା ମୋର ଗତି ॥ ୨୩୨

ବି‌ହି ହୋଇଲା ବାମ ମୋର । ଆପଦେ ବୁଡ଼ିଲା ମୋ' ଘର ॥ ୨୩୩

ଏ ଘୋର ବନେ ଗୃହୀପଣେ । ମୋ' ଜନ୍ମଗଲା ଅକାରଣେ ॥ ୨୩୪

ଗୃହ ଆଶ୍ରମେ ମୋ ପୀରତି । କାମେ ମୋ ନ ପୁରିଲା ମତି ॥ ୨୩୫

ବିଧାତା ମୋତେ ବାମ ହୋଏ । ବନ୍ଧନେ ପଡ଼ିଲେ ମୋ' ପୋଏ ॥ ୨୩୬

ଏ ପ‌ତିବ୍ରତା ଶିରୋମଣି । ମୋହର ପ୍ରାଣର ଘରଣୀ ॥ ୨୩୭

ଆହାର ପାଣି ଯେତେବେଳେ । ମୁହିଁ ଭୁଞ୍ଜଇ ବୃକ୍ଷଡ଼ାଳେ ॥ ୨୩୮

ତେବେ ସେ ଭୁଞ୍ଜେ ମୋ' ଘରଣୀ । ମୋ' ବିନୁ ନ ଛୁଅଁଇ ପାଣି ॥ ୨୩୯

ସେ ମୋତେ ଥୋଇ ଶୂନ୍ୟଗୃହେ । ପ୍ରାଣ ମୂର୍ଚ୍ଛିଲା ପୁତ୍ରସ୍ନେହେ ॥ ୨୪୦

ସକଳ ସୁଖ ମୋର ଗଲା । ପୁତ୍ର ସଙ୍ଗତେ ପ‌ତ୍ନୀ ମଲା ॥ ୨୪୧

ଏତେ କଷଣେ ବନେ ରହି । ମୋ' ପ୍ରାଣ ଥିବା ନ ଯୋଗାଇ ॥ ୨୪୨

ଏମନ୍ତେ କ‌ରଇ ବିଳାପ । କାନ୍ଦଇ ପାଇ ମନସ୍ତାପ ॥ ୨୪୩

ଜୀବନ ନ ପାରିଲା ଧରି । ଜାଲେ ପଡ଼ିଲା ହା ହା କରି ॥ ୨୪୪

ଦେଖି ଶବର ତୋଷମନ । ପିଞ୍ଜରେ ଥୋଇଲା ବ‌ହ‌ନ ॥ ୨୪୫

କପୋତ କପୋତୀ ବାଳକ । ଘେନିଣ ଚଳିଲା ଲୁବ୍ଧକ ॥ ୨୪୬

ଏମନ୍ତେ ଗଲା ନିଜପୁରେ । ଶୁଣ ରାଜନ ମନସ୍ଥିରେ ॥ ୨୪୭

ଏ ରୂପେ ସ୍ନେହ ଅବଲମ୍ବି । ସଂସାରେ ବନ୍ଦୀ ଯେ କୁଟୁମ୍ବୀ ॥ ୨୪୮

ଦୁଃଖ ସେ ସ‌ହଇ ଶରୀରେ । ନିତ୍ୟେ କୁଟୁମ୍ବ ପୋଷିବାରେ ॥ ୨୪୯

ନିରତେ ଆକୁଳ ହୃଦୟ । ଏଣୁ ବୋଲାଇ ଦୁଃଖମୟ ॥ ୨୫୦

ଧର୍ମ-ବଞ୍ଚିତ କଳେବରେ । ମଜ୍ଜଇ ଏ ଘୋର ସଂସାରେ ॥ ୨୫୧

ତୁ ଏବେ ବୁଝ ମୋ' ବଚନ । ହେ ରାଜା ସ୍ଥିର କରି ମନ ॥ ୨୫୨

ଦେଖ ମନୁଷ୍ୟ କଳେବର । କେବଳ ମୁକ‌ତିର ଦ୍ୱାର ॥ ୨୫୩

ଏ ଦେହ ପାଇ ମହୀତଳେ । ହେଳେ ତରନ୍ତି ଭବଜଳେ ॥ ୨୫୪

ଦୁର୍ଲ୍ଲଭେ ପାଇ ଏ ଶରୀର । କୁଟୁମ୍ବେ ଦୃଢମତି ଯା'ର ॥ ୨୫୫

ଦିନ ବଞ୍ଚଇ ଦୁଃଖସୁଖେ । ଅନ୍ତେ ପଡ଼ଇ କୁମ୍ଭୀପାକେ ॥ ୨୫୬

ଏ ଭାବେ ବୁଝିଲି ସଂସାର । ଏଣୁ କପୋତ ଗୁରୁମୋର ॥ ୨୫୭

ଏବେ ତୁ ଶୁଣ ଏକଚିତ୍ତେ । ଭାବେ କ‌ହିଲି ମୁହିଁ ଯେତେ ॥ ୨୫୮

ଏ ଭାବେ ତୁଟଇ ସଂସାର । ବୋଲଇ ନିଗତ ବିଚାର ॥ ୨୫୯

ଏଣୁ ସଂସାର ପ୍ରାଣୀହିତେ । ଶ୍ରୀ ଏକାଦଶ ଭାଗବତେ ॥ ୨୬୦

କ‌ହଇ ଦାସ ଜଗନ୍ନାଥ । କୃଷ୍ଣଚରଣେ ଦେଇ ଚିତ୍ତ ॥ ୨୬୧

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ

ସଂହିତାୟାଂ ଏକାଦଶସ୍କନ୍ଧେ ଅଷ୍ଟମୋଦ୍ଧଧ୍ୟାୟଃ ॥

* * *