ଏକାଦଶ ସ୍କନ୍ଧ
ଅଷ୍ଟମ ଅଧ୍ୟାୟ
ଭଗବାନ ଉବାଚ
ହସି ବୋଲନ୍ତି ବାସୁଦେବ । ଶୁଣ ହେ ଭକତ ଉଦ୍ଧବ ॥ ୧
ହେତୁ କାରଣ ତୁହି ଜାଣି । ଯେତେ କହିଲୁ ପରିମାଣି ॥ ୨
ବ୍ରହ୍ମା ଶଙ୍କର ଆଦି ଦେବେ । ମୋର ନିକଟେ ଆସି ଏବେ ॥ ୩
ଅନେକ ସ୍ତୁତି କଲେ ପାଶେ । ବୈକୁଣ୍ଠ-ଗମନ-ବିଶ୍ୱାସୋ ॥ ୪
ମୁଁ ଏବେ ଦେବକାର୍ଯ୍ୟ ସାରି । ଅବନୀଭାର ପରିହରି ॥ ୫
ଏବେ ତ ପ୍ରୟୋଜନ ନାହିଁ । ନିଜ ଭୁବନେ ଯିବି ମୁହିଁ ॥ ୬
ବ୍ରହ୍ମାବଚନ ଇଷ୍ଟ ମୋର । ଏଣୁ ମନୁଷ୍ୟେ ଅବତାର ॥ ୭
ଏବେ ତୁ ଶୁଣ ମୋ’ ବିଶ୍ୱାସେ । ଆଜହୁଁ ସପତ ଦିବସେ ॥ ୮
ଏ ଯେତେ ମୋର ଯଦୁବଂଶ । ଘୋର କନ୍ଦଳେ ଯିବେ ନାଶ ॥ ୯
ସପ୍ତମଦିନ ରାତ୍ରକାଳେ । ପ୍ରଚଣ୍ଡ ସମୁଦ୍ର ଉଲ୍ଲୋଳେ ॥ ୧୦
ଏ ଯଦୁପୂରୀ ସିନ୍ଧୁଜଳେ । ବୁଡ଼ି ପଡ଼ିବ ରସାତଳେ ॥ ୧୧
ମୋର ନିବାସ ମାତ୍ର ଥିବା ଜଳେ ଦ୍ୱାରକା ନାଶ ଯିବ ॥ ୧୨
ମୁଁ ପୁଣି ଯିବି ନିଜପୁରୀ । ଭୂମି ଦିଶିବ ହତଶିରୀ ॥ ୧୩
ଲୋକେ ହୋଇବେ ଖଳବଳ । ନାଶିବେ ଭୁବନମଣ୍ଡଳ ॥ ୧୪
ଶୁଣି ମୋହର ତନୁତ୍ୟାଗ । ଘୋର ଗହନ କଳିଯୁଗ ॥ ୧୫
ବ୍ରହ୍ମାଣ୍ଡ ମଧ୍ୟେ ବଳେ ପଶି । ଭୂମି ଜଗତଜନ ନାଶି ॥ ୧୬
ହରିବ ସର୍ବଜନ୍ତୁ ମନ । ତୁ ଏବେ ଶୁଣ ମୋ’ ବଚନ ॥ ୧୭
ଦଣ୍ଡେ ନ ରହ ମୋର ସଙ୍ଗେ । ଅରଣ୍ୟେ ପଶ ଯାଇ ବେଗେ ॥ ୧୮
ଏ ଘୋର କଳିଯୁଗ ଗତି । ଲୋକେ ହୋଇବେ ଦୁଷ୍ଟମତି ॥ ୧୯
ହିଂସା ବହିବେ ଏକେ ଏକେ । ସର୍ବେ ମଜ୍ଜିବେ ଦୁଃଖଶୋକେ ॥ ୨୦
ଅଗମ୍ୟେ କରିବେ ଗମନ । ନିନ୍ଦିବେ ନିଗମ ବଚନ ॥ ୨୧
ଏଣୁ ହୋଇବେ ଅଳ୍ପାୟୁଷ । ପାପେ ସକଳ ଯିବେ ନାଶ ॥ ୨୨
ତୁ ଏବେ ଛାଡ଼ି ସୁତ ବିତ୍ତ । ଦାରା ସେବକେ ପ୍ରେମଚିତ୍ତ ॥ ୨୩
ସକଳ କର୍ମ ଦୂର କରି । ମୋହର ପାଦେ ଚିତ୍ତ ଧରି ॥ ୨୪
ପୃଥିବୀ କରି ପର୍ଯ୍ୟଟନ । ଅସତ୍ୟ ଦେଖ ତି୍ରଭୁବନ ॥ ୨୫
ଦୃଷ୍ଟି ଶ୍ରବଣ ବାକ୍ୟ ମନେ । ଯେତେ ବିଚାରୁ ଅନୁମାନେ ॥ ୨୬
ଏ ସର୍ବ ମାୟାର ସଂଚାର । ଏଣେ ତୁ ବିଶ୍ୱାସ ନ କର ॥ ୨୭
ବିବିଧ କର୍ମେ ଚିତ୍ତ ଭ୍ରମେ । ଅନ୍ଧ ଯେସନେ ଘୋରତମେ ॥ ୨୮
ସଂସାରେ ଭେଦବୁଦ୍ଧି କରେ । ଦୋଷ ଆଦୋଷ ନ ବିଚାରେ ॥ ୨୯
ଅକର୍ମ କର୍ମ ବୋଲି ମଣେ । ବିକର୍ମ ବୁଦ୍ଧି ବିଚାରଣ ॥ ୩୦
ଏଣୁ ମଣଇଁ ଗୁଣ ଦୋଷ । ଭେଦ ବେଭାରେ ବୁଦ୍ଧିଭ୍ରଂଶ ॥ ୩୧
ବେଦ ବଚନେ ଏହିମତେ । କର୍ମାନୁସାରେ ନିଜ ପଥେ ॥ ୩୨
ନିୟତ କର୍ମ ନ କରଇ । ବିକର୍ମେ ଦୋଷ ଗୁଣ ବହି ॥ ୩୩
ନିଷେଧ କର୍ମ ବୋଲି ତା’ରେ । ତେଣୁ ପଡ଼ଇ ଏ ସଂସାରେ ॥ ୩୪
ଏହା ତୁ ସୁମନେ ବିଚରି । ଚଞ୍ଚଳ ଚିତ୍ତ ସ୍ଥିର କରି ॥ ୩୫
ସର୍ବ ଇନ୍ଦି୍ରୟ ମନ ରୁନ୍ଧି । ନିୟତକର୍ମେ ଦେଇ ବୁଦ୍ଧି ॥ ୩୬
ଆତ୍ମାକୁ ଦେଖ ସର୍ବମୟେ । ବିବେକ ସୁଜ୍ଞାନ ଉଦୟେ ॥ ୩୭
ସମାଧି ବସି ଯୋଗଧ୍ୟାନେ । ଆତ୍ମାକୁ ଦେଖ ଆତ୍ମଜ୍ଞାନେ ॥ ୩୮
ଏଣେ ସନ୍ତୋଷମନେ ରହ । ଖଣ୍ଡିବୁ ସକଳ ସଂଶୟ ॥ ୩୯
ଯା'ର ହୃଦରେ ଦୋଷଗୁଣ । ଭେଦ ନ କରେ ବିଚାରଣ ॥ ୪୦
ସକଳ କର୍ମ ସେ କରଇ । ବିଧି ନିଷେଧ ତା'ର କାହିଁ ॥ ୪୧
ବାଳକ ବାଳିକା ସଙ୍ଗତେ । ଅଜ୍ଞାନେ ଖେଳନ୍ତି ଯେମନ୍ତେ ॥ ୪୨
ବାଳ ସ୍ୱଭାବେ ଗୁଣ ବହି । ସଙ୍ଗ ଅସଙ୍ଗ ନ ଜାଣଇ ॥ ୪୩
ବିତର୍କ ଜ୍ଞାନୀ ଏହିମତେ । କର୍ମ କରନ୍ତି ଏ ଜଗତେ ॥ ୪୪
ସକଳ ଦେଖନ୍ତି ସମାନ । ଏଣୁ ନ ରହେ ବସ୍ତୁଜ୍ଞାନ ॥ ୪୫
ତୁ ଏବେ ସର୍ବପ୍ରାଣୀ ହିତେ । ନିରତେ ରହି ଶାନ୍ତଚିତ୍ତେ ॥ ୪୬
ଜ୍ଞାନ ବିଜ୍ଞାନେ ମନ ଦେଇ । ଚିତ୍ତ ନିଶ୍ଚଳେ ରଖ ତୁହି ॥ ୪୭
ସଂସାର ଦେଖ ମୋ’ ସ୍ୱରୂପେ । ଗଞ୍ଜି ନୋହିବୁ ଭବକୂପେ ॥ ୪୮
ଶୁକ ଉବାଚ
ଏମନ୍ତେ କୃଷ୍ଣର ବଚନେ । ଶୁଣି ଉଦ୍ଧବ ଖେଦମନେ ॥ ୪୯
ପ୍ରଣାମ କରି କୃଷ୍ଣପାଦେ । ବୋଲଇ ଶୋକ ଗଦଗଦେ ॥ ୫୦
ଉଦ୍ଧବ ଉବାଚ
ହେ ମହାଯୋଗୀ ଯୋଗେଶ୍ୱର । ଦୁର୍ଲ୍ଲଭ ବଚନ ତୋହର ॥ ୫୧
ନ ପଶେ ମୋହର ହୃଦୟେ । ନଳିନୀଦଳେ ଜଳ ପ୍ରାୟେ ॥ ୫୨
ତୁମ୍ଭେ କହିଲ ତ୍ୟାଗ ଗୁଣ । ଯେ ଧର୍ମ ସନ୍ୟାସ ଲକ୍ଷଣ ॥ ୫୩
କାମେ ଜଡ଼ିତ ମୋ'ର ମନ । ବିଷମ ବିଷୟା ଗହନ ॥ ୫୪
ତୋ'ର ଭକତି ନାହିଁ ଚିତ୍ତେ । ମନକୁ ଜିଣିବି କେମନ୍ତେ ॥ ୫୫
ତୋ'ର ସ୍ମରଣ ଯା'ର ଦୂରେ । କି ରୂପେ ତ୍ୟାଗ ତା ସଂସାରେ ॥ ୫୬
ଯେ କିଛି ତୋହର ଚରଣେ । ମୁହିଁ ପୁଚ୍ଛଇ ଦାସପଣେ ॥ ୫୭
ମୁଁ ମୂଢ ମାୟା ଜଡ଼ମତି । ଭୋ ନାଥ ଶୁଣ ଯଦୁପତି ॥ ୫୮
ମୁହିଁ ମୋହର ଏ ଶରୀର । ସକଳ ସଂସାର ଗୋଚର ॥ ୫୯
ମୋହେ ଜଡ଼ିତ ମୋର ଚିତ୍ତ । ଏଣୁ ମୁଁ କୈବଲ୍ୟ ବଞ୍ଚିତ ॥ ୬୦
ଅସତ୍ୟ ସୁତ ଦାରା ଧନ । ମୋ' ମନ କରେ ନିତ୍ୟେ ଧ୍ୟାନ ॥ ୬୧
ମାୟା ସଙ୍କଟ ଘୋରେ ଜଡ଼ି । ଭବବନ୍ଧନେ ଅଛି ପଡ଼ି ॥ ୬୨
ଏ ମୋର ମୋହ ଜଡ଼ ପାଶ । କିଞ୍ଚିତେ ଛେଦ ହୃଷୀକେଶ ॥ ୬୩
ନିଶ୍ଚୟ କରି ନିଜ ଦାସ । କହ ତୋ ମାର୍ଗ ଉପଦେଶ ॥ ୬୪
ତୁ ଆତ୍ମା ସତ୍ୟ ନିତ୍ୟନିଧି । ଚଉଦଭୁବନେ ପ୍ରସିଦ୍ଧି ॥ ୬୫
ତୁ ବ୍ରହ୍ମଜ୍ଞାନଗୁରୁ ଦାତା । ତୋ ବିନୁ ନାହିଁ ନା ବକତା ॥ ୬୬
ନାନା ପ୍ରପଞ୍ଚ ବେଦବାଦେ । କେ ଅଛି ସୁରସଭା ମଧ୍ୟେ ॥ ୬୭
ବ୍ରହ୍ମାଦି ଯେତେ ଦେହବନ୍ତ । ତୋହର ମାୟାରେ ମୋହିତ ॥ ୬୮
ବିଷୟ ଧ୍ୟାନ ଅବିରତ । ଏଣୁ ସେ ତୋ' ମାର୍ଗେ ବଞ୍ଚିତ ॥ ୬୯
ସେ କେବେ ତତ୍ତ୍ୱ ଅବଧାରୀ । ତୋ ମାୟା ନ ପାରିଲେ ତରି ॥ ୭୦
ଯେଣୁ ତୁ ଅଷ୍ଟନିଧିଧାରୀ । ତେଣୁ ତୁ ସର୍ବଅଧିକାରୀ ॥ ୭୧
ଅଶେଷ ମହିମା ତୋହର । ସର୍ବଜ୍ଞ ଜଗତୀଶ୍ୱର ॥ ୭୨
ଅକୁଣ୍ଠ ବିକୁଣ୍ଠ ମହିମା । ବେଦ ନ ଜାଣେ ତୋ'ର ସୀମା ॥ ୭୩
ହେ ଜଗନ୍ନାଥ ନାରାୟଣ । ତୋ ପାଦେ ପଶିଲି ଶରଣ ॥ ୭୪
ତୋ ନାମ ଦୁରିତ ଦହନ । ତାପ ମୋ କର ବିମୋଚନ ॥ ୭୫
ଉଦ୍ଧବ ବାକ୍ୟେ ଯଦୁମଣି । ମନ ସଂଶୟ ତାର ଜାଣି ॥ ୭୬
ଭଗବାନ ଉବାଚ
ବୋଲନ୍ତି କମଳଲୋଚନ । ଉଦ୍ଧବ ଶୁଣ ମୋ’ ବଚନ ॥ ୭୭
ଯେ ପ୍ରାଣୀ ଲୋକତତ୍ତ୍ୱ ଜାଣେ । ମୋ'ର ମହିମା ପରିମାଣେ ॥ ୭୮
ବିଷୟା ଭ୍ରମରୁ ସଂସାରେ । ଆତ୍ମାକୁ ଆପଣେ ଉଦ୍ଧରେ ॥ ୭୯
ସୁମତି ଆତ୍ମା ଗୁରୁପଣେ । ଆତ୍ମାକୁ ବୁଝାଇ ଆପଣେ ॥ ୮୦
ଆତ୍ମାରେ କରେ ଆତ୍ମଜ୍ଞାନ । କି ଅବା କରେ ଅନୁମାନ ॥ ୮୧
ଜ୍ଞାନ ବୁଝଇ ଧୀରପଣେ । ଆତ୍ମା ସମାଧି ଆଚରଣେ ॥ ୮୨
ଆତ୍ମା କୁଶଳେ ସର୍ବସିଦ୍ଧି । ତରଇ ସଂସାର ଜଳଧି ॥ ୮୩
ପଣ୍ଡିତ ସାଂଖ୍ୟଯୋଗ ମତେ । ଧୀର ବିବେକ ପଣେ ମୋତେ ॥ ୮୪
ଆତ୍ମାକୁ ଦେଖେ ସର୍ବଭୂତେ । ନିର୍ଲେପ ସର୍ବଶକ୍ତିଯୁତେ ॥ ୮୫
ଏକ ବା ଦୁଇ ତିନିପଦ । କେ ଚାରିପଦ କେ ଅପଦ ॥ ୮୬
କେ ବହୁପଦ ଆଦି ଯେତେ । ଏମନ୍ତେ ଦେହୀଛନ୍ତି ଯେତେ ॥ ୮୭
ତା ମଧ୍ୟେ ମନୁଷ୍ୟ ଶରୀର । ଜାଣ ଅତ୍ୟନ୍ତ ପ୍ରିୟ ମୋର ॥ ୮୮
ଯେଣୁ ବିବେକ ବଳେ ପୁଣି । ଏ ଦେହେ ମୋତେ ପରିମାଣି ॥ ୮୯
ଈଶ୍ୱର ଅଛି ସର୍ବଭୂତେ । ଏ ଅନୁମାନ କରେ ଚିତ୍ତେ ॥ ୯୦
ଏବେ ହୋ କହିବା ବିଶ୍ୱାସେ । ଯେ ପୁରାତନ ଇତିହାସେ ॥ ୯୧
ଯଦୁରାଜନ ଅବଧୂତ । ଏ ବେନିଜନଙ୍କ ଚରିତ ॥ ୯୨
ବ୍ରାହ୍ମଣ ଅବଧୂତ ରୂପେ । ମିଳିଲେ ନୃପତି ସମୀପେ ॥ ୯୩
ସେ ସର୍ବଭୂତେ ଦୟାପର । ନିର୍ଭୟ ନିର୍ମଳ ଶରୀର ॥ ୯୪
ଦେଖି ତାହାଙ୍କ ଦିବ୍ୟଗତି । ବିଶ୍ୱାସେ ପୁଚ୍ଛଇ ନୃପତି ॥ ୯୫
ଯଦୁ ଉବାଚ
ଭୋ ମୁନି ନମୁଁ ତୋ ଚରଣେ । ଏକାନ୍ତେ ଭ୍ରମୁ କି କାରଣେ ॥ ୯୬
ଏ ନରଲୋକେ ତୋ ଭ୍ରମଣ । ବାଳକ ପ୍ରାୟ ଆଚରଣ ॥ ୯୭
ପ୍ରାଣୀଏ ଧର୍ମ ଅର୍ଥ କାମ । ନିମନ୍ତେ ହୋଇଣ ବିଭ୍ରମ ॥ ୯୮
କର୍ମ କରନ୍ତି ଏ ଜଗତେ । ଆୟୁଷ ଶ୍ରେୟ ଯଶ ଅର୍ଥେ ॥ ୯୯
ତୁ ତ ଚତୁର ବଳବନ୍ତ । ପଣ୍ଡିତକୁଳକୁ ମଣ୍ଡିତ ॥ ୧୦୦
ସୁନ୍ଦର ଅଳପ ଭାଷିତ । ତୋ'ର ଚରିତ ବିପରୀତ ॥ ୧୦୧
ଦୃଷ୍ଟି ଶ୍ରବଣ ଦେହେ ବହି । ନ ଦେଖି ନ ଶୁଣୁ କିପାଇଁ ॥ ୧୦୨
ନ କରୁ ନ ଇଚ୍ଛୁ କିଞ୍ଚିତ୍ । ମତ୍ତ ପିଶାଚ ଜଡ଼ବତ ॥ ୧୦୩
ଏ ସର୍ବଲୋକ ଭବକୂପେ । ନିତ୍ୟେ ଦଗଧ ନାନା ତାପେ ॥ ୧୦୪
ଏହାଙ୍କ ମଧ୍ୟେ ତୁମ୍ଭେ ଥାଇ । ସାଧୁ ସୁନ୍ଦର ଦେହ ବହି ॥ ୧୦୫
ସଂସାର ତାପ କିପାଁ ତୋତେ । ନ ବାଧେ ସଂଶୟ ମୋ ଚିତ୍ତେ ॥ ୧୦୬
ଯେସନେ ଗଙ୍ଗାଜଳେ ହସ୍ତୀ । ଅଙ୍ଗକୁ ନ ଲାଗେ ତପତି ॥ ୧୦୭
ସେହି ପ୍ରକାରେ ତୋ’ ଶରୀର । ମୋର ମନକୁ ଅଗୋଚର ॥ ୧୦୮
ବିଷୟ ଭୋଗ ଯେବେ ନାହିଁ । ଆନନ୍ଦ ହେଉ କାହିଁପାଇଁ ॥ ୧୦୯
କହ କେବଣ ପ୍ରୟୋଜନ । ଶୁଣି ସାନନ୍ଦ ହେଉ ମନ ॥ ୧୧୦
ଭଗବାନ ଉବାଚ
ରାଜା ବଚନେ ଅବଧୂତ । କ୍ଷଣେ ହୋଇଲେ ସ୍ତମ୍ଭୀଭୂତ ॥ ୧୧୧
ରାଜାର ମୁଖ ଚାହିଁ ଧୀରେ । ବୋଲନ୍ତି ବଚନ ଗମ୍ଭୀରେ ॥ ୧୧୨
ଅବଧୂତ ଉବାଚ
ଶୁଣ ହେ ଯଦୁ ନୃପବର । ଅନେକ ଗୁରୁ ଛନ୍ତି ମୋର ॥ ୧୧୩
ଶୁଣିତେ ଯେବେ ତୋର ଇଚ୍ଛା । ଯାହାର ତହୁଁ ଯେବା ଦୀକ୍ଷା ॥ ୧୧୪
ଘେନି ମୁଁ ବୁଲଇ ସଂସାରେ । କହିବି ଶୁଣ ମନସ୍ଥିରେ ॥ ୧୧୫
ପୃଥିବୀ ପବନ ଅନଳ । ଊର୍ଦ୍ଧ୍ୱେ ଯେ ଆକାଶ ମଣ୍ତଳ ॥ ୧୧୬
ରବି ଶଶାଙ୍କ ଆପ ସିନ୍ଧୁ । ଭ୍ରମର ସର୍ବପୁଷ୍ପବନ୍ଧୁ ॥ ୧୧୭
କପୋତପକ୍ଷୀ ଗୁରୁ ମୋର । ପତଙ୍ଗ ସର୍ପ ଅଜଗର ॥ ୧୧୮
ମୀନ ପିଙ୍ଗଳା ବେଶ୍ୟା ନାରୀ । କୁରର କୁମର କୁମାରୀ ॥ ୧୧୯
ହରିଣ ଉର୍ଣ୍ଣନାଭ କରୀ । ଶରକାରକ ମଧୁହାରୀ ॥ ୧୨୦
ଆବର କୀଟ ପେଶସ୍କାରୀ । ମୁଁ ଏତେ ଗୁରୁ ସେବା କରି ॥ ୧୨୧
ଚବିଶ ଗୁରୁ ମୋର ଏତେ । ଶୁଣ ହେ ରାଜା ଏକଚିତ୍ତେ ॥ ୧୨୨
ଯାହାର ତହୁଁ ଯେବା ଦୀକ୍ଷା । ମୁହିଁ ପାଇଲି ଗୁରୁଶିକ୍ଷା ॥ ୧୨୩
ତାହା ମୁଁ ତୋହର ସମ୍ମୁଖେ । ଶୁଣ କହିବି ଏକେ ଏକେ ॥ ୧୨୪
ଏ ଜୀବ ଆତ୍ମା ପରବଶ । ଅଦୃଷ୍ଟ କାରଣ ବିଶ୍ୱାସ ॥ ୧୨୫
ଦୁଃଖ ପୀଡ଼ିତ କର୍ମଫଳେ । ସଂସାରେ ଜନ୍ମି ଅବହେଳେ ॥ ୧୨୬
ଅର୍ମ ଆଦରି ସହେ ଦୁଃଖ । କେବେହେଁ ନୋହଇ ବିମୁଖ ॥ ୧୨୭
ଦୁଃଖେ ନ ଛାଡ଼ି ନିଜ ପଥ । ଚଞ୍ଚଳ ନ କରଇ ଚିତ୍ତ ॥ ୧୨୮
ଏଣୁ ମୁଁ ଦୁଃଖ ସୁଖ ସହି । ଏହା ଶିଖିଲି ଭୂମି ତହିଁ ॥ ୧୨୯
କର୍ମ-କଷଣ ସହି ଧୀରେ । ଭ୍ରମଇଁ ସଂସାର ସାଗରେ ॥ ୧୩୦
ଧନ୍ୟ ଜୀବନ ଏ ଜଗତେ । ଯେ ପ୍ରାଣ ଧରେ ପ୍ରାଣୀହିତେ ॥ ୧୩୧
ଧନ୍ୟ ଜୀବନ ଧନ୍ୟ ତାର । ଦୁର୍ଲ୍ଲଭ କର୍ମ ଏ ବେଭାର ॥ ୧୩୨
ଏହା ମୁଁ ବୃକ୍ଷଙ୍କର ସ୍ଥାନୁ । ଶିଖିଲି ପର୍ବତ ଗହନୁ ॥ ୧୩୩
କେବଳ ଦେହ ମାତ୍ର ଧରି । ଇନ୍ଦ୍ରିୟ ପ୍ରବଳ ନ କରି ॥ ୧୩୪
ଜ୍ଞାନ ଉଦ୍ଦେଶ୍ୟେ ଶୁଦ୍ଧମନ । ନ କରି ମାୟାଜଡ଼େ ଛନ୍ନ ॥ ୧୩୫
ନ ଘେନି ପର ଗୁଣ ଦୋଷ । ଇନ୍ଦ୍ରିୟ ଭୋଗ ସୁଖ ଲେଶ ॥ ୧୩୬
ଅସତ୍ୟ ଭୋଗ ଯେବେ ଥିବ । ସର୍ବଥା ତାହା ନ କରିବ ॥ ୧୩୭
ଦେଖ ପବନ ଏ ଶରୀରେ । ବହଇ ଅନ୍ତର ବାହାରେ ॥ ୧୩୮
ସର୍ବତ୍ର ବହଇ ସଂସାରେ । ଅଦେହ ସର୍ବ ଗନ୍ଧହରେ ॥ ୧୩୯
ଏ ରୂପେ ସର୍ବଦେହେ ଥାଇ । ଉଦାସୀ ଜନ ପ୍ରାୟ ହୋଇ ॥ ୧୪୦
କାହାରି ସଙ୍ଗେ ସଙ୍ଗ ନୋହେ । ସମେ ବସଇ ସର୍ବଦେହେ ॥ ୧୪୧
ମୁଁ ଏହା ପବନେ ବିଚାରି । ଶିଖିଲି ଗୁରୁଶିକ୍ଷା କରି ॥ ୧୪୨
ଏଣୁ ପବନ ପ୍ରାୟ ହୋଇ । ସଙ୍ଗତେ ଥାଇ ନ ମିଶଇ ॥ ୧୪୩
ଆକାଶ ପ୍ରାୟ ସର୍ବଠାରେ । ବ୍ୟାପିଛି ଆତ୍ମ ନିର୍ବିକାରେ ॥ ୧୪୪
ଦେହରେ ଥାଇ ସଙ୍ଗ ନୋହେ । ଘଟ ଆକାଶ ପ୍ରାୟ ରହେ ॥ ୧୪୫
ମେଘ ଯେ ଶୂନ୍ୟେ ଜନ୍ମ ହୋଇ । ଶରୀରେ ଆକାଶ ଢ଼ାଙ୍କଇ ॥ ୧୪୬
ଭୂମି ଲୋକଙ୍କୁ ଛାୟା ଦିଶେ । ସେ ଯେହ୍ନେ ଆକାଶେ ନ ମିଶେ ॥ ୧୪୭
ଏଣୁ ଆକାଶେ ଗୁରୁ କରି । ଅବନୀ ମଧ୍ୟେ ଦେହ ଧରି ॥ ୧୪୮
ଆନନ୍ଦେ ଭ୍ରମଇଁ ସଂସାରେ । ସ୍ପରଶ ନ କରି କାହାରେ ॥ ୧୪୯
ଏଣୁ ଆକାଶ ଗୁରୁ ମୋର । ଏବେ ହୋ ଶୁଣ ନୃପବର ॥ ୧୫୦
ଜଳ ଯେସନେ ସୁନିର୍ମଳ । ସ୍ୱଭାବେ ସ୍ନିଗ୍ଧ ସୁମଧୁର ॥ ୧୫୧
ମଧୁର ସୁରୁଚି ବଚନ । ଶୁଣି ହରଷ ସର୍ବଜନ ॥ ୧୫୨
ତୀର୍ଥର ପ୍ରାୟେ ଭବବନେ । ଭ୍ରମଇଁ ଜନ ପରିତ୍ରାଣେ ॥ ୧୫୩
ତୀର୍ଥ ସ୍ପରଶେ ଲୋକବୃନ୍ଦ । ଯେସନେ ଲଭନ୍ତି ଆନନ୍ଦ ॥ ୧୫୪
ସ୍ନାହାନ ତର୍ପଣ ମାର୍ଜନେ । ପବିତ୍ର ହୋନ୍ତି ପ୍ରାଣୀମାନେ ॥ ୧୫୫
ଏ ଅନୁଭବେ ମୋର ଶିକ୍ଷା । ଜଳୁଁ ଶିଖିଲି ଗୁରୁଦୀକ୍ଷା ॥ ୧୫୬
ତୀର୍ଥର ପ୍ରାୟେ ଭବବଣେ । ଭ୍ରମଇଁ ଜନ ପରିତ୍ରାଣେ ॥ ୧୫୭
ଦେଖ ତୁ ମୋର କଳେବର । ସୁଦୀପ୍ତ ତେଜ ବଳୀୟାର ॥ ୧୫୮
କେବଳ ପାତ୍ର ମୋ' ଉଦର । ଏଣୁ ମୁଁ ଲୋକେ ଭୟଙ୍କର ॥ ୧୫୯
ତେଣୁ ମୁଁ ଧ୍ୟାନଯୋଗବଳେ । ଭୋଜନ କରେ ସର୍ବଠାରେ ॥ ୧୬୦
ଅଗ୍ନି ଯେସନେ ସର୍ବଖାଇ । ବିଚାରେ ଗୁଣ ଦୋଷ ନାହିଁ ॥ ୧୬୧
କେବେ ପ୍ରକାଶେ ଅପ୍ରକାଶେ । ଭୋଜନ କରେ ସର୍ବବାସେ ॥ ୧୬୨
ଶ୍ରେୟ ଇଚ୍ଛନ୍ତା ଦାତାଙ୍କର । ପାପ ନାଶଇ ପୂର୍ବାପର ॥ ୧୬୩
ଆପଣା ମାୟାରେ ସୃଜନ । ଯେ ସତ ଅସତ ଲକ୍ଷଣ ॥ ୧୬୪
ତହିଁ ପ୍ରବେଶ ହୋଇ ତା'ର । ସ୍ୱରୂପ ପ୍ରକାଶେ ଈଶ୍ୱର ॥ ୧୬୫
ଅଗ୍ନି ଯେମନ୍ତ କାଷ୍ଠ ପାଇଁ । ତେମନ୍ତ ରୂପ ପ୍ରକାଶଇ ॥ ୧୬୬
ଏଣୁ ମୁଁ ଅଗ୍ନି ଗୁରୁ କରି । ଭ୍ରମଇଁ ଲୋକେ ଦେହଧରି ॥ ୧୬୭
ଜନ୍ମ ଯୌବନ ଜରା ମୃତ୍ୟୁ । ଶୁଭ ଅଶୁଭ ଦୁଃଖ ହେତୁ ॥ ୧୬୮
ଏ ସର୍ବଗୁଣ ବହେ ଦେହ । ଜୀବର ନୋହେ ପରିଗ୍ରହ ॥ ୧୬୯
ଚନ୍ଦ୍ରର କ୍ଷୟ ବୃଦ୍ଧି ଯେହ୍ନେ । କୃଷ୍ଣ ଶୁକଳ ପକ୍ଷମାନେ ॥ ୧୭୦
ଲୋଲୋଚନ ଭ୍ରାନ୍ତି ଦିଶେ । ଅକ୍ଷୟ ଏକକଳା ଶେଷେ ॥ ୧୭୧
ଜୀବର ଏମନ୍ତ ବେଭାର । ସ୍ୱଭାବେ ଅଜର ଅମର ॥ ୧୭୨
ଏ ଅନୁଭବେ ଚନ୍ଦ୍ର କାହିଁ । ଭ୍ରମଇଁ ଗୁରୁଶିକ୍ଷା ପାଇ ॥ ୧୭୩
ଇନ୍ଦ୍ରିୟଗୁଣ ଏ ଶରୀରେ । ଭ୍ରମନ୍ତି ବିଷୟ ଗୋଚରେ ॥ ୧୭୪
ଯେଝା ବିଷୟ ଅନୁଦିନେ । ଭୋଗ କରନ୍ତି ନିଜସ୍ଥାନେ ॥ ୧୭୫
ଆତ୍ମାର ସଙ୍ଗ ନାହିଁ ତେଣେ । ଆଦିତ୍ୟ ଯେସନେ କିରଣେ ॥ ୧୭୬
ସକଳ ସ୍ଥାନୁ ରସ ହରେ । ନିର୍ଦ୍ଦୋଷ ନିର୍ଲେପ ବିଚାରେ ॥ ୧୭୭
କାଳରେ ସମସ୍ତ ତେଜଇ । ସଞ୍ଚିତ ଦାନେ କ୍ଷୋଭ ନୋହି ॥ ୧୭୮
ଏ ଜୀବ ଆତ୍ମା ସର୍ବ ଦେହେ । ଇନ୍ଦ୍ରିୟ ରସେ ବଶ ନୋହେ ॥ ୧୭୯
ଯେମନ୍ତେ ରବିବିମ୍ବ ନୀରେ । ତେମନ୍ତ ସ୍ଥୂଳ ବୁଦ୍ଧି ନରେ ॥ ୧୮୦
ଆତ୍ମାର ଭେଦବୁଦ୍ଧି କରେ । ଉପାଧି ଗୁଣର ବିକାରେ ॥ ୧୮୧
ଏ ଭାବେ ଯେତେ ଜନ ଥା'ନ୍ତି । ତାହାଙ୍କୁ ବୋଲି ମୂଢ଼ମତି ॥ ୧୮୨
ଏ ଅନୁମାନେ ମୋ' ବିଚାର । ଏଣୁ ମୋ' ଗୁରୁ ଦିବାକର ॥ ୧୮୩
ଅଧିକେ ସଂସାର ସଙ୍ଗତେ । ପୀରତି ନ କରିବ ଚିତ୍ତେ ॥ ୧୮୪
ଯେବେ କରିବ ସ୍ନେହ ଆଶ । କପୋତ ପ୍ରାୟ ଯିବ ନାଶ ॥ ୧୮୫
ଶୁଣ ରାଜନ ସାବଧାନେ । କପୋତପକ୍ଷୀ ଘୋରବନେ ॥ ୧୮୬
କପୋତୀ ସଙ୍ଗେ ସ୍ନେହଭରେ । ଅରଣ୍ୟେ ଗୃହବାସ କରେ ॥ ୧୮୭
କପୋତୀ ସଙ୍ଗେ ଭୋଗ ଆଶେ । ଦୃଢ଼େ ଜଡ଼ିତ ମୋହପାଶେ ॥ ୧୮୮
ନିତ୍ୟେ କରନ୍ତି କ୍ରୀଡ଼ାରଙ୍ଗ । ନିମିଷେ ନ ଛାଡ଼ନ୍ତି ସଙ୍ଗ ॥ ୧୮୯
ସ୍ନେହ ବନ୍ଧନ ସଙ୍ଗମେଳେ । କାଳ ବଞ୍ଚନ୍ତି କୁତୁହଳେ ॥ ୧୯୦
ସଙ୍ଗ ବିଚ୍ଛେଦ ତିଳେ ମାତ୍ରେ । କେବେହେଁ ନ ଦେଖନ୍ତି ନେତ୍ରେ ॥ ୧୯୧
ଏକତ୍ର ଭୋଜନ ଶୟନେ । ଏ ରୂପେ ବିହରନ୍ତି ବନେ ॥ ୧୯୨
କପୋତୀ ଚିତ୍ତେ ଯା' ବିଚାରେ । କପୋତ ଆଣେ ତତପରେ ॥ ୧୯୩
ସେବକ ପ୍ରାୟ ଦିଏ ଆଣି । ଯାହା ମାଗଇ ତା' ଘରଣୀ ॥ ୧୯୪
ଏମନ୍ତେ କେତେଦିନ ଗଲା । କପୋତୀ ଗର୍ଭ ଉପୁଜିଲା ॥ ୧୯୫
କେତେହେଁ ଦିନ ଗର୍ଭେ ଥାଇ । ଜନ୍ମ ହୋଇଲେ ଡ଼ିମ୍ବ ଦୁଇ ॥ ୧୯୬
ପକ୍ଷୀପକ୍ଷିଣୀ ସ୍ନେହ ବଶେ । ଡ଼ିମ୍ବ ତାପନ୍ତି ପୁତ୍ର ଆଶେ ॥ ୧୯୭
ପୁଣି କେତେହେଁ ଦିନ ଗଲା । ଫୁଟି ବାଳକ ଉପୁଜିଲା ॥ ୧୯୮
ଅତି କୋମଳ ବେନିକାୟେ । ଦେଖି ସାନନ୍ଦ ବାପମାଏ ॥ ୧୯୯
ସମ୍ଭ୍ରମେ କପୋତ କପୋତୀ । ନିରତେ ବାଳକ ପୋଷନ୍ତି ॥ ୨୦୦
ପୁତ୍ରଙ୍କ କୋମଳ ବଚନ । ଶୁଣନ୍ତେ ମୁଦ୍ରିତ ଲୋଚନ ॥ ୨୦୧
ପତଙ୍ଗ ଉଚିତ ଆହାରେ । ପାଳନ୍ତି ଅତି ସ୍ନେହଭରେ ॥ ୨୦୨
ଏମନ୍ତେ ବେନିଶିଶୁ ପାଳି । ପକ୍ଷୀ ସ୍ୱଭାବେ ରୋମାବଳୀ ॥ ୨୦୩
ଉଠନ୍ତେ ବେନିପୁତ୍ର ଦେହେ । ଦେଖି ସାନନ୍ଦ ବାପମାଏ ॥ ୨୦୪
ପାଳନ୍ତି ଅତି ସ୍ନେହଭରେ । ବାଳକ କୋମଳ ଆହାରେ ॥ ୨୦୫
ବିଷ୍ଣୁ ମାୟାରେ ମୂଢ଼ମତି । ପାଳନ୍ତି କପୋତ କପୋତୀ ॥ ୨୦୬
ଆହାର ଅର୍ଥେ ଏକଦିନେ । ବନେ ପଶିଲେ ବେନିଜନେ ॥ ୨୦୭
ଖୋଜନ୍ତି କୋମଳ ଆହାର । ଏମନ୍ତେ ଶୁଣ ନୃପବର ॥ ୨୦୮
ପକ୍ଷୀବାଳକ ନିଜ ସ୍ଥାନେ । ବ୍ୟାଧ ମିଳିଲା ଘୋରବନେ ॥ ୨୦୯
ବୃକ୍ଷରୁ ଉଡ଼ି ବେନିବାଳେ । ବନେ ଚରନ୍ତି କୁତୁହଳେ ॥ ୨୧୦
ଶବର ଦେଖି ତାହା ବେଗେ । ଜାଲ ପାତିଲା ଚଉଦିଗେ ॥ ୨୧୧
ଉପରେ ବାନ୍ଧିଲା ଦଉଡ଼ି । ପକ୍ଷୀଙ୍କି ଆଣିଲା ଘଉଡ଼ି ॥ ୨୧୨
ଆହାର ଦେଇ ଜାଲତଳେ । ଅନ୍ତରେ ବସିଲା ନିଶ୍ଚଳେ ॥ ୨୧୩
ପକ୍ଷୀବାଳକ ଭୟ ପାଇ । ବେଗେ ପଡ଼ିଲେ ଜାଲେ ଯାଇ ॥ ୨୧୪
ଆହାର ଦେଖିଲେ ନୟନେ । ପଡ଼ିଲେ ଲୁବ୍ଧକ ବନ୍ଧନେ ॥ ୨୧୫
ତକ୍ଷଣେ କପୋତ କପୋତୀ । ଆସି ମିଳିଲେ ବୃକ୍ଷ କତି ॥ ୨୧୬
ଥଣ୍ଟେ ଆହାର ଦୃଢ଼େ ଧରି । ବୃକ୍ଷେ ଲୋଡ଼ନ୍ତି ଅନୁସରି ॥ ୨୧୭
ନ ଦେଖି ଚାହିଁ ଦଶଦିଗେ । ପୁଣି ଦେଖନ୍ତି ଭୂମିଭାଗେ ॥ ୨୧୮
ବନ୍ଧନ ଜାଲ ମଧ୍ୟ ଦୃଢେ । ବେନି ବାଳକ ଧଡ଼ପଡ଼େ ॥ ୨୧୯
ଉଡ଼ନ୍ତି ପ୍ରାଣର ବିକଳେ । ନାଦ ସେ କରନ୍ତି ଆକୁଳେ ॥ ୨୨୦
ଦେଖି କପୋତୀ ଦୁଃଖଚିତ୍ତେ । ଭ୍ରମି ପଡ଼ିଲା ମୋହଗତେ ॥ ୨୨୧
ବାଳକ ଦେଖି ଜାଲତଳେ । କାନ୍ଦଇ ଜୀବନ ବିକଳେ ॥ ୨୨୨
ମୂର୍ଚ୍ଛି ନ ପାରି ସ୍ନେହ ବଶେ । ଡ଼େଇଁ ପଡ଼ିଲା ଜାଲପାଶେ ॥ ୨୨୩
ପୁତ୍ରଙ୍କ ମୁଖେ ମୁଖ ଦେଇ । ଦେଖି କପୋତ ବିଚାରଇ ॥ ୨୨୪
ଏବେ ମୁଁ ଏକା ବୃକ୍ଷେ ଥାଇ । କେମନ୍ତେ ଧରିବିଟି ଦେହୀ ॥ ୨୨୫
ଏମନ୍ତେ କରଇ ରୋଦନ । କ୍ଷଣକ୍ଷଣକେ ଅଚେତନ ॥ ୨୨୬
ପଡ଼ଇ ପୁଣପୁଣ ତଳେ । ପୁଣି ବସଇ ବୃକ୍ଷଡ଼ାଳେ ॥ ୨୨୭
ପ୍ରାଣୁ ଅଧିକେ ମୋର ସୁତେ । ପଡ଼ିଲେ ଶବର ଆୟତ୍ତେ ॥ ୨୨୮
ପତ୍ନୀ ପଡ଼ିଲା ଜାଲ ମଧ୍ୟେ । ପ୍ରାଣ ଧରିବି କେଉଁ ସଧେ ॥ ୨୨୯
ପତ୍ନୀ ମୋହର ପ୍ରାଣସଖା । ସେ ମୋତେ କରିଗଲା ଏକା ॥ ୨୩୦
ତାହାର ଗୁଣ ଅଛି ଯେତେ । ଚିତ୍ତେ ମୁଁ ଧରିବି କେମନ୍ତେ ॥ ୨୩୧
ସେ ମୋର ଜୀବନ ଯୁବତୀ । ତା ବିନୁ କେ ବା ମୋର ଗତି ॥ ୨୩୨
ବିହି ହୋଇଲା ବାମ ମୋର । ଆପଦେ ବୁଡ଼ିଲା ମୋ' ଘର ॥ ୨୩୩
ଏ ଘୋର ବନେ ଗୃହୀପଣେ । ମୋ' ଜନ୍ମଗଲା ଅକାରଣେ ॥ ୨୩୪
ଗୃହ ଆଶ୍ରମେ ମୋ ପୀରତି । କାମେ ମୋ ନ ପୁରିଲା ମତି ॥ ୨୩୫
ବିଧାତା ମୋତେ ବାମ ହୋଏ । ବନ୍ଧନେ ପଡ଼ିଲେ ମୋ' ପୋଏ ॥ ୨୩୬
ଏ ପତିବ୍ରତା ଶିରୋମଣି । ମୋହର ପ୍ରାଣର ଘରଣୀ ॥ ୨୩୭
ଆହାର ପାଣି ଯେତେବେଳେ । ମୁହିଁ ଭୁଞ୍ଜଇ ବୃକ୍ଷଡ଼ାଳେ ॥ ୨୩୮
ତେବେ ସେ ଭୁଞ୍ଜେ ମୋ' ଘରଣୀ । ମୋ' ବିନୁ ନ ଛୁଅଁଇ ପାଣି ॥ ୨୩୯
ସେ ମୋତେ ଥୋଇ ଶୂନ୍ୟଗୃହେ । ପ୍ରାଣ ମୂର୍ଚ୍ଛିଲା ପୁତ୍ରସ୍ନେହେ ॥ ୨୪୦
ସକଳ ସୁଖ ମୋର ଗଲା । ପୁତ୍ର ସଙ୍ଗତେ ପତ୍ନୀ ମଲା ॥ ୨୪୧
ଏତେ କଷଣେ ବନେ ରହି । ମୋ' ପ୍ରାଣ ଥିବା ନ ଯୋଗାଇ ॥ ୨୪୨
ଏମନ୍ତେ କରଇ ବିଳାପ । କାନ୍ଦଇ ପାଇ ମନସ୍ତାପ ॥ ୨୪୩
ଜୀବନ ନ ପାରିଲା ଧରି । ଜାଲେ ପଡ଼ିଲା ହା ହା କରି ॥ ୨୪୪
ଦେଖି ଶବର ତୋଷମନ । ପିଞ୍ଜରେ ଥୋଇଲା ବହନ ॥ ୨୪୫
କପୋତ କପୋତୀ ବାଳକ । ଘେନିଣ ଚଳିଲା ଲୁବ୍ଧକ ॥ ୨୪୬
ଏମନ୍ତେ ଗଲା ନିଜପୁରେ । ଶୁଣ ରାଜନ ମନସ୍ଥିରେ ॥ ୨୪୭
ଏ ରୂପେ ସ୍ନେହ ଅବଲମ୍ବି । ସଂସାରେ ବନ୍ଦୀ ଯେ କୁଟୁମ୍ବୀ ॥ ୨୪୮
ଦୁଃଖ ସେ ସହଇ ଶରୀରେ । ନିତ୍ୟେ କୁଟୁମ୍ବ ପୋଷିବାରେ ॥ ୨୪୯
ନିରତେ ଆକୁଳ ହୃଦୟ । ଏଣୁ ବୋଲାଇ ଦୁଃଖମୟ ॥ ୨୫୦
ଧର୍ମ-ବଞ୍ଚିତ କଳେବରେ । ମଜ୍ଜଇ ଏ ଘୋର ସଂସାରେ ॥ ୨୫୧
ତୁ ଏବେ ବୁଝ ମୋ' ବଚନ । ହେ ରାଜା ସ୍ଥିର କରି ମନ ॥ ୨୫୨
ଦେଖ ମନୁଷ୍ୟ କଳେବର । କେବଳ ମୁକତିର ଦ୍ୱାର ॥ ୨୫୩
ଏ ଦେହ ପାଇ ମହୀତଳେ । ହେଳେ ତରନ୍ତି ଭବଜଳେ ॥ ୨୫୪
ଦୁର୍ଲ୍ଲଭେ ପାଇ ଏ ଶରୀର । କୁଟୁମ୍ବେ ଦୃଢମତି ଯା'ର ॥ ୨୫୫
ଦିନ ବଞ୍ଚଇ ଦୁଃଖସୁଖେ । ଅନ୍ତେ ପଡ଼ଇ କୁମ୍ଭୀପାକେ ॥ ୨୫୬
ଏ ଭାବେ ବୁଝିଲି ସଂସାର । ଏଣୁ କପୋତ ଗୁରୁମୋର ॥ ୨୫୭
ଏବେ ତୁ ଶୁଣ ଏକଚିତ୍ତେ । ଭାବେ କହିଲି ମୁହିଁ ଯେତେ ॥ ୨୫୮
ଏ ଭାବେ ତୁଟଇ ସଂସାର । ବୋଲଇ ନିଗତ ବିଚାର ॥ ୨୫୯
ଏଣୁ ସଂସାର ପ୍ରାଣୀହିତେ । ଶ୍ରୀ ଏକାଦଶ ଭାଗବତେ ॥ ୨୬୦
କହଇ ଦାସ ଜଗନ୍ନାଥ । କୃଷ୍ଣଚରଣେ ଦେଇ ଚିତ୍ତ ॥ ୨୬୧
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଏକାଦଶସ୍କନ୍ଧେ ଅଷ୍ଟମୋଦ୍ଧଧ୍ୟାୟଃ ॥
* * *