ଏକାଦଶ ସ୍କନ୍ଧ
ସପ୍ତମ ଅଧ୍ୟାୟ
ଆନନ୍ଦେ ପରୀକ୍ଷିତ ଆଗେ । ଶୁକ କହନ୍ତି ଅନୁରାଗେ ॥ ୧
ଶୁକ ଉବାଚ
ବ୍ରହ୍ମା ଶଙ୍କର ପୁରନ୍ଦର । ସଙ୍ଗତେ ଚନ୍ଦ୍ର ଦିବାକର ॥ ୨
ଗନ୍ଧର୍ବ କିନ୍ନର ଚାରଣ । ସାଧ୍ୟ ଯେ ସିଦ୍ଧ ଦେବଗଣ ॥ ୩
କୁବେର ସମୀର ବରୁଣ । ଦ୍ୱାଦଶ ବିଶ୍ୱଦେବା ପୁଣ ॥ ୪
ପିତୃଗୁହ୍ୟକ ଋଷି ଆଦି । ଯକ୍ଷ ରାକ୍ଷସ ସେ ପ୍ରସିଦ୍ଧି ॥ ୫
ନାଗ ଅପ୍ସରା ବିଦ୍ୟାଧରେ । ଏ ଆଦି ଯେତେ ଅନୁଚରେ ॥ ୬
ଚଳିଲେ ଚଢି ନିଜାସନେ । ଦ୍ୱାରକା କୃଷ୍ଣଦରଶନେ ॥ ୭
ମନୁଷ୍ୟ ରୂପେ ନରହରି । ଦେବକୀ ଗର୍ଭେ ଅବତରି ॥ ୮
ନିର୍ଗୁଣ ବ୍ରହ୍ମ ଜନହିତୋ ଯଶ ବିସ୍ତାରି ଏ ଜଗତେ ॥ ୯
ଯା' ଯଶ କଳମଷ ହରେ । ଯା'ର ଶ୍ରବଣେ ପ୍ରାଣୀ ତରେ ॥ ୧୦
ତାହାର ଦରଶନ ଅର୍ଥେ । ରାତ୍ରେ ମିଳିଲେ ଶୂନ୍ୟପଥେ ॥ ୧୧
ଦେଖିଲେ ଦ୍ୱାରକା ମଣ୍ଡଳ । ଯହିଁ ବିଜୟ ଆଦିମୂଳ ॥ ୧୨
ଭୁବନମଙ୍ଗଳ ଶ୍ରୀମୁଖ । ଦେଖିଲେ ଖଣ୍ଡେ ଭବଦୁଃଖ ॥ ୧୩
ଦ୍ୱାରକାପୁରେ ସର୍ବସିଦ୍ଧି । ଯହିଁ ସେବନ୍ତି ଅଷ୍ଟନିଧି ॥ ୧୪
ସର୍ବ ସମ୍ପଦ ମୂଳ ସ୍ଥାନ । ଦେଖିଲେ ମୋହେ ପ୍ରାଣୀ ମନ ॥ ୧୫
ସକଳ ଭୁବନ ଉପମା । କେ ମୁଖେ କହୁ ଗୁଣ ସୀମା ॥ ୧୬
ଆକାଶେ ଦେବେ ରଥେ ଥାଇ । ଜୟଶବଦ ତୁଣ୍ଡେ ଗାଇ ॥ ୧୭
ନନ୍ଦନବନୁ ପୁଷ୍ପ ଆଣି । ପ୍ରୋକ୍ଷଣ କରି ଗଙ୍ଗାପାଣି ॥ ୧୮
ମଲ୍ଲିକା ଜାତି ପାରିଜାତ । ବିଚିତ୍ରମାଳା ଅପ୍ରମିତ ॥ ୧୯
ବୃଷ୍ଟି କରନ୍ତି କୃଷ୍ଣଦେହେ । ସୁଗନ୍ଧ ଜଳଧାରା ପ୍ରାୟେ ॥ ୨୦
ପୁଷ୍ପେ ଆଚ୍ଛାଦି ଯଦୁବୀର । ଯେସନେ ସମୁଦ୍ର ଉଲ୍ଳୋଳ ॥ ୨୧
ସକଳ ଦେବେ ଏକମେଳେ । ଜୟ ଶବଦ ମୁଖଗୋଳେ ॥ ୨୨
କପୋଳେ ବେନିକର ଦେଇ । ବୋଲନ୍ତି କୃଷ୍ଣମୁଖ ଚାହିଁ ॥ ୨୩
ଦେବଗଣ ଉବାଚ
ନମୋ ନମସ୍ତେ ଆଦିମୂଳ । ଶରଣ ତୋ ପାଦକମଳ ॥ ୨୪
ନମୋ ଗୋବିନ୍ଦ ହେ ଅଚ୍ୟୁତ । ତୁ ନାଥ ପ୍ରାଣୀ ପଞ୍ଚଭୂତ ॥ ୨୫
ତୋହର ଅଭୟ ଚରଣ । ଅଶେଷ ଜନ୍ତୁଙ୍କ ଶରଣ ॥ ୨୬
ସର୍ବ ଇନ୍ଦ୍ରିୟ ବୁଦ୍ଧି ମନ । ପ୍ରାଣାଦି ଏ ଦଶପବନ ॥ ୨୭
ଏ ଆଦି ବିଷୟ ସକଳେ । ଶରଣ ତୋର ପାଦମୂଳେ ॥ ୨୮
ସେ ପାଦପଦ୍ମ ସୁଖେ ହେଜି । ମୁନିଏ ଭକ୍ତିଭାବେ ଭଜି ॥ ୨୯
ଆରୂଢ ଯୋଗୀ ଯୋଗବଳେ । ନିଶ୍ଚଳେ ହୃଦୟ କମଳେ ॥ ୩୦
ଆରୋପି ଅଭୟ ଚରଣ । ନିଶ୍ଚିନ୍ତେ ପଶନ୍ତି ଶରଣ ॥ ୩୧
ଅଶେଷ ଜନ୍ତୁହୃଦଗତେ । କର୍ମ-ବାସନା-ରଜ୍ଜୁ ଯେତେ ॥ ୩୨
ନିମିଷେ ଧ୍ୟାନେ ତା’ ସଂହାରେ । ରବି ଯେସନେ ଅନ୍ଧକାରେ ॥ ୩୩
ଭବ-ଜଳଧି ସୁଖ-ନାବ । ତୋ'ର ଚରଣ ପଦ୍ମନାଭ ॥ ୩୪
ଆମ୍ଭେ ସକଳ ଦେବଗଣ । ତୋ' ପାଦେ ପଶିଲୁ ଶରଣ ॥ ୩୫
ତୁ ନାଥ ଜଗତ ଜୀବନ । ଅଶେଷ ଭୁବନ ପାବନ ॥ ୩୬
ତୁ ନାଥ ରଜଗୁଣ ଧରି । ବିଧାତା ରୂପେ ସୃଷ୍ଟି କରି ॥ ୩୭
ସାତ୍ତ୍ୱିକେ ବିଷ୍ଣୁରୂପ ହୋଇ । ପାଳନ କରୁ ନାଥ ତୁହି ॥ ୩୮
ତମେ ସଂହାରୁ ଅନ୍ତଃକାଳେ । ତୋ ମାୟା ଲୀଳା ଯୋଗବଳେ ॥ ୩୯
ସୃଷ୍ଟି ପାଳନ ସଂହାରଣ । କ୍ରମେ ସେ ସଂସାର କାରଣ ॥ ୪୦
ସ୍ୱଭାବେ ତୁ ଯେ ସର୍ବଦେହୀ । ତୁ ଭୁଞ୍ଜୁ ପ୍ରାଣୀଙ୍କି ଭୁଞ୍ଜାଇ ॥ ୪୧
ସେ ଦୋଷ ନ ଲାଗଇ ତୋରେ । ନଳିନୀଦଳ ଯେହ୍ନେ ନୀରେ ॥ ୪୨
ତୁ ପୂର୍ଣ୍ଣ ସମସ୍ତ ଠାବରେ । ଶରଣ ଗଲୁ ତୋ’ ପୟରେ ॥ ୪୩
ତୁ ନାଥ ସର୍ବତ୍ର ସମାନ । ନିଶ୍ଚିନ୍ତସୁଖ ତୋ'ର ସ୍ଥାନ ॥ ୪୪
ଯେଣୁ ନ ଲାଗେ ଶୁଭାଶୁଭ । ତେଣୁ ତୁ ସଂସାରେ ଦୁର୍ଲ୍ଲଭ ॥ ୪୫
ବିବିଧ ତପ ବ୍ରତ ଦାନ । ଯୋଗ ସମାଧି ଆତ୍ମଜ୍ଞାନ ॥ ୪୬
ଏ ଆଦି ସକଳ ସାଧନ । ସାଧି ପବିତ୍ର ନୋହେ ଜନ ॥ ୪୭
ତୋହର ନାମ ଯଶଗୁଣ । ଯେ କରେ ଶ୍ରବଣ କୀର୍ତ୍ତନ ॥ ୪୮
ଶ୍ରଦ୍ଧା ଭକତି ଶୁଦ୍ଧଚିତ୍ତେ । ତୋ' ରୂପେ ଦେଖେ ହୃଦଗତେ ॥ ୪୯
ସର୍ବ ମୁନିଙ୍କ ମୋକ୍ଷଧ୍ୟାନ । କରେ ସମାନଭୂତି ଦାନ ॥ ୫୦
ତୋ'ର ଚରିତ ସୁଧା ପାନ । ନିରତେ କରେ ଯା'ର ମନ ॥ ୫୧
ସେ ପ୍ରାଣୀ ଭବୁ ଯା'ନ୍ତି ତରି । ବିପ୍ର ନ ତରେ କର୍ମ କରି ॥ ୫୨
ଭକ୍ତିରେ ପ୍ରୀତି ନାହିଁ ଯା’ର । ସେ କାହିଁ ଜାଣେ ତୋ’ ପୟର ॥ ୫୩
ବେଦ ଉକତେ କର୍ମ କରେ । ଇନ୍ଦ୍ରାଦି ଦେବରୂପେ ତୋରେ ॥ ୫୪
ଭଜନ୍ତି ବିପ୍ରେ ଯେ ପୟର । ଯଜ୍ଞରେ ଦେଇ ଘୃତଧାର ॥ ୫୫
ତୋ' ମାୟା ଜାଣି ଆତ୍ମଯୋଗୀ । ଯେ ପାଦେ ସେବେ ସର୍ବତ୍ୟାଗୀ ॥ ୫୬
ସେ ପାଦେ ପଶିଲୁ ଶରଣ । ଆମ୍ଭ ଅଶୁଭ ପରିତ୍ରାଣ ॥ ୫୭
ତୁ ନାଥ ଦେବକୀର ବଳା । ତୋ'ର ହୃଦରେ ବନମାଳା ॥ ୫୮
ଲମ୍ବଇ ପର୍ଯୁ୍ୟଷିତ ହୋଇ । ଦେଖି କମଳା ନ ସହଇ ॥ ୫୯
ମଣଇ ସପତଣୀ ପ୍ରାୟେ । ଯେଣୁ ଶୋଭଇ ତୋର ଦେହେ ॥ ୬୦
ତଥାପି ଦେଖି ତୋ’ ବଦନ । ସପତ୍ନୀଭାବ ଛାଡ଼ି ମନ ॥ ୬୧
ନିବେଶି ତୋହର ପୟରେ । କମଳମାଳେ ପୂଜା କରେ ॥ ୬୨
ତୋ'ର ଅଭୟ-ପଦ୍ମପାଦ । ହରଇ ବିଷୟ-ବିଷାଦ ॥ ୬୩
ତୋହର ତ୍ରିବିକ୍ରମ ରୂପ । ଆମ୍ଭେ ଯେ ଦେଖିଲୁ ସମୀପ ॥ ୬୪
ତୋ' ନାଭିକମଳୁଁ ପ୍ରତ୍ୟକ୍ଷେ । ଚରଣ ଗଲା ଅନ୍ତରୀକ୍ଷେ ॥ ୬୫
କେ କରିପାରେ ତାହା ହେତୁ । ଅଦ୍ଭୂତ ଯେହ୍ନେ ଧୂମକେତୁ ॥ ୬୬
ବ୍ରହ୍ମାଣ୍ଡେ ଚରଣ ବାଜିଲା । ଶବଦେ ପ୍ରକୃତି କମ୍ପିଲା ॥ ୬୭
ବ୍ରହ୍ମାଣ୍ଡ ଫୁଟି ପାଦବଳେ । ଗଙ୍ଗା ପଡ଼ିଲା ଅନ୍ତରାଳେ ॥ ୬୮
ତିନି ଭୁବନେ ଜଳରାଶି । ଧ୍ୱଜ ପତାକା ପ୍ରାୟ ଦିଶି ॥ ୬୯
ଅସୁରକୁଳ ଭୟଙ୍କର । ଆମ୍ଭ ନିର୍ଭୟ ସୁଖଘର ॥ ୭୦
ସୁଜନ ସୁଖ ଭୋଗ ଅର୍ଥ । ଖଳକୁ ବୃଜିନ ପ୍ରାପତ ॥ ୭୧
ସେ ପାଦପଦ୍ମେ ଭଗବାନ । ପବିତ୍ର କର ଆମ୍ଭ ମନା ॥ ୭୨
ଯେ ପାଦ ଭବସିନ୍ଧୁ-ସେତୁ । ଅଶୁଭଗଣ ଧୂମକେତୁ ॥ ୭୩
ଅଶେଷ ଲୋକ ଜ୍ଞାନଗୁରୁ । ଆମ୍ଭର ମଙ୍ଗଳ ବିସ୍ତାରୁ ॥ ୭୪
ଭୋ ନାଥ ତୋହର ମହିମା । କେ କହିପାରେ ଗୁଣସୀମା ॥ ୭୫
ନାସିକା ରନ୍ଧ୍ରେ ରଜ୍ଜୁ ଭେଦି । ଦୃଢେ ବୃଷଭ ଯେହ୍ନେ ବାନ୍ଧି ॥ ୭୬
ସେ ପୁଣି ବନ୍ଦୀଶାଳେ ଥା’ନ୍ତି । ଅନ୍ୟୋନ୍ୟେ ହିଂସା ଆଚରନ୍ତି ॥ ୭୭
ବ୍ରହ୍ମାଦି ଦେବେ ସେହିମତେ । ଯନ୍ତ୍ରିତ ତୋହର ଆୟତ୍ତେ ॥ ୭୮
ତୁ କାଳରୂପୀ ଦାମୋଦର । ପ୍ରକୃତି ପୁରୁଷ ହିଁ ପର ॥ ୭୯
ଏଣୁ ତୁ ପୁରୁଷ ପୁରାଣ । ତୋହର ଅଭୟ ଚରଣ ॥ ୮୦
ଅଭୟବର ଦୀକ୍ଷାଗୁରୁ । ଆମ୍ଭର ଦୁଃଖ ତାପ ହରୁ ॥ ୮୧
ସୃଷ୍ଟି ପାଳନ ସଂହାରଣ । ତୁ ନାଥ ଜଗତକାରଣ ॥ ୮୨
ତୁହି ସେ କାଳରୂପ ଧରୁ । ପ୍ରକୃତି ପୁରୁଷ ସଂହାରୁ ॥ ୮୩
ସେ ବେନି ତୋର ତହୁଁ ଜାତ । ପ୍ରଥମେ କରନ୍ତି ଜଗତ ॥ ୮୪
ପ୍ରକୃତି ପୁରୁଷ ବିକାରେ । ବିଶ୍ୱ ଅଙ୍କୁର ଗର୍ଭେ ଧରେ ॥ ୮୫
ତହୁଁ ମହତ ହେମମୟ । ବ୍ରହ୍ମାଣ୍ଡ କରୁ ତୁ ଉଦୟ ॥ ୮୬
ପୃଥିବୀ ଆଦି ପଞ୍ଚଭୂତ । ମନ ଅହଙ୍କାର ଏ ସାତ ॥ ୮୭
ଏ ରୂପେ ସପ୍ତଆବରଣ । ବ୍ରହ୍ମାଣ୍ଡ କରୁ ତୁ ଭିଆଣ ॥ ୮୮
ତୋର ଭିତରେ ଏ ସଂସାର । ରଚନା ଚତୁର୍ଦ୍ଦଶପୁର ॥ ୮୯
ସ୍ଥାବର ଆଦି ଚାରିବର୍ଣ୍ଣ । ମଧ୍ୟେ ବିରାଜେ ତି୍ରଭୁବନ ॥ ୯୦
ଭୋ ନାଥ ତୋ'ର ମାୟାବଳେ । ତି୍ରଗୁଣ ଘଟଣ ଶୟଳେ ॥ ୯୧
ଜୀବନ ରୂପ ତୁମ୍ଭେ ଧର । ସର୍ବ ବିଷୟ ଭୋଗକର ॥ ୯୨
ନିତ୍ୟ ପ୍ରକାଶ ତୁମ୍ଭ ଦେହୀ । ବିଷୟ ବାଧା ନ ଲାଗଇ ॥ ୯୩
ଷୋଳସହସ୍ର ତୋ’ ରମଣୀ । ତୋ ମନ ନ ପାରିଲେ ଜାଣି ॥ ୯୪
ବିବିଧ କାମ ପୁଷ୍ପଶରେ । କଟାକ୍ଷ ଭ୍ରୂଭଙ୍ଗୀ ବିକାରେ ॥ ୯୫
ଏଣୁ ଅଚୁ୍ୟତ ତୋର ନାମ । ନିର୍ଲେପ ନିତ୍ୟ ସୁଖଧାମ ॥ ୯୬
ତୋ'ର ଅମୃତ କଥାମୟେ । ସଂସାର ନଦୀରୂପେ ବହେ ॥ ୯୭
ତୋ' ପାଦନୀର ସୁରନଦୀ । ବହେ ବ୍ରହ୍ମାଣ୍ଡ ମଧ୍ୟେ ଭେଦି ॥ ୯୮
ଜଳେ ତ୍ରିଲୋକପାପ ହରେ । ଯେ ମୁଖେ ଗଙ୍ଗାନାମ ଧରେ ॥ ୯୯
ଏ ବେନିନଦୀ ମଧ୍ୟେ ସ୍ନାନ । ଯେ କରେ ଧନ୍ୟ ତା’ ଜୀବନ ॥ ୧୦୦
ନିଜ ଭୁବନେ ଥାଇ ପ୍ରାଣୀ । ଯେ ନିତ୍ୟେ କୃଷ୍ଣକଥା ଶୁଣି ॥ ୧୦୧
ନିର୍ମଳ କରି ବୁଦ୍ଧି ମନ । ଯେ କରେ କଥାମୃତେ ସ୍ନାନ ॥ ୧୦୨
ଯେ ଅବା ପଶି ଗଙ୍ଗାଜଳେ । ସ୍ନାନ କରନ୍ତି ସୁଖଭୋଳେ ॥ ୧୦୩
ତୋଷେ କରନ୍ତି ଜଳ ପାନ । ତୁଣ୍ଡେ ଉଚ୍ଚାରି ତୋ'ର ନାମ ॥ ୧୦୪
ଏମନ୍ତେ ବେନିନଦୀ ମଧ୍ୟେ । ଯେ ସ୍ନାନ କରନ୍ତି ଆନନ୍ଦେ ॥ ୧୦୫
ଧରନ୍ତି ଦୁଃଖ ସୁଖେ ଦେହୀ । ତୋ' ମାୟା ତାକୁ ନ ଲାଗଇ ॥ ୧୦୬
ଏମନ୍ତେ ନାନାସ୍ତୁତି ଭଣି । ଦେବେ ନମିଲେ ଚକ୍ରପାଣି ॥ ୧୦୭
ଶୂନ୍ୟ ମଣ୍ଡଳେ ରଥେ ଥାଇ । କପୋଳେ ବେନିକର ଦେଇ ॥ ୧୦୮
କୃଷ୍ଣଙ୍କୁ ବନ୍ଦି ପ୍ରଜାପତି । ବୋଲନ୍ତି ଶୁଣ ଦାଶରଥି ॥ ୧୦୯
ବାସବ ଆଦି ଦିଗପାଳେ । ନମିଲେ ତୋ'ର ପାଦତଳେ ॥ ୧୧୦
ତାହାଙ୍କ ବୋଲ ତୁମ୍ଭେ ଧରି । ଦେବକୀ ଗର୍ଭେ ଅବତରି ॥ ୧୧୧
ବିନାଶି ଅନେକ ଅସୁର । ହରିଲ ଅବନୀର ଭାର ॥ ୧୧୨
ହେ ଦେବଦେବ ଜଗନ୍ନାଥ । ହେ ହୃଷୀକେଶ ପରମାର୍ଥ ॥ ୧୧୩
ଗୋବିନ୍ଦ କୃଷ୍ଣ ଦାମୋଦର । ଆମ୍ଭର କଷ୍ଟ ଗଲା ଦୂର ॥ ୧୧୪
ଦେବଙ୍କ ବାକ୍ୟ ଉପଦେଶେ । ଆଉ ତ ଭାରା ନାହିଁ ଶେଷେ ॥ ୧୧୫
ଦୁଷ୍ଟ ସଂହାରି ସାଧୁକୁଳେ । ଧର୍ମ ଆରୋପିଲ ନିଶ୍ଚଳେ ॥ ୧୧୬
ଧରଣୀ ସଙ୍କଟୁ ଉଦ୍ଧରି । ତୋ' ଯଶ ସର୍ବଦିଗେ ପୂରି ॥ ୧୧୭
ଯାଦବ ବଂଶେ ଦେହ ଧରି । ମର୍ତ୍ତେ୍ୟ ଅଦ୍ଭୂତ କର୍ମ କରି ॥ ୧୧୮
ସମ୍ଭବି ଭୁବନମଣ୍ଡଳେ । ଯେ ଅବା କଲ କ୍ଷିତିତଳେ ॥ ୧୧୯
ସେ କଳିମଳ-ବିନାଶନ । ଯେ ମୁଖେ କରିବେ କୀର୍ତ୍ତନ ॥ ୧୨୦
ସେ ଜନମଧ୍ୟେ ପୁଣ୍ୟଦେହା । ତାକୁ ନ ଲାଗେ ତୁମ୍ଭ ମାୟା ॥ ୧୨୧
ତୁ ଦେବ ବସୁଦେବ ଘରେ । ଜନ୍ମିଲୁ ଦେବକୀ ଉଦରେ ॥ ୧୨୨
ଶତୁଁ ଅଧିକ ପଞ୍ଚବିଂଶ । ତୁମ୍ଭର ପୂରିଲା ବୟସ ॥ ୧୨୩
ମନୁଷ୍ୟଭୋଗ ପୂର୍ଣ୍ଣ ହୋଇ । ଆଉ ତ ପ୍ରୟୋଜନ ନାହିଁ ॥ ୧୨୪
ଦେବଙ୍କ କାର୍ଯ୍ୟ ଶେଷ ହୋଇ । ନିଜ ଭୁବନେ ଚଳ ତୁହି ॥ ୧୨୫
ଯାଦବବଂଶ ମହୀତଳେ । ମରିବେ ବିପ୍ରଶାପବଳେ ॥ ୧୨୬
ତୁ ନାଥ ଜ୍ଞାନ ଧ୍ୟାନ ଦୀକ୍ଷା । ଯେବେ ତୁମ୍ଭର ହୋଏ ଇଚ୍ଛା ॥ ୧୨୭
ଆମ୍ଭର ବାକ୍ୟ ଅନୁସରି । ଭୋ ନାଥ ଚଳ ନିଜପୁରୀ ॥ ୧୨୮
ତୁ ନାଥ ଜୀବନ ଆମ୍ଭର । ଆମ୍ଭେ ଯେ ତୋହର କିଙ୍କର ॥ ୧୨୯
ତୁମ୍ଭ ଗୋଚରେ ଜ୍ଞାନଦୀକ୍ଷା । ଶରଣ ଗଲୁ କର ରକ୍ଷା ॥ ୧୩୦
ବ୍ରହ୍ମା ବଚନେ ଅବଧାନ । ବୋଲନ୍ତି ଦେବକୀନନ୍ଦନ ॥ ୧୩୧
ଭଗବାନ ଉବାଚ
ଗଭୀର ନାଦେ ଦାମୋଦର । ବୋଇଲେ ଶୁଣ ଦେବବର ॥ ୧୩୨
ତୁମ୍ଭ ବଚନ ଅନୁସରି । ମଞ୍ଚେ ମାନବ ଦେହଧରି ॥ ୧୩୩
ଅବନୀଭାରା କଲି ନାଶ । କେବଳ ନୋହିଲା ଉଶ୍ୱାସ ॥ ୧୩୪
ଏ ଯଦୁବଂଶ ବାହୁବଳେ । ବ୍ରହ୍ମାଣ୍ଡ ଆଚ୍ଛାଦିବେ ହେଳେ ॥ ୧୩୫
ଯେସନେ ସମୁଦ୍ର ଉଲ୍ଳୋଳ । ଲଂଘିଲେ ନ ରହଇ କୂଳ ॥ ୧୩୬
ଏହାଙ୍କୁ ସଂହାର ନ କରି । ଯେବେ ମୁଁ ଯିବି ନିଜପୁରୀ ॥ ୧୩୭
ତେବେ ଯାଦବଦଳ ତ୍ରାସେ । ଲୋକେ ନଶିବେ ଦଶଦିଶେ ॥ ୧୩୮
ମୁହିଁ ବିନାଶି ଦୁଷ୍ଟବଳ । ଧରଣୀ ନ କଲି କୁଶଳ ॥ ୧୩୯
ଏବେ ମୁଁ ନିଜ ବଂଶ ମାରି । ଧରଣୀ ସଙ୍କଟୁ ଉଦ୍ଧରି ॥ ୧୪୦
ତେବେ ସେ ଯିବି ନିଜସ୍ଥାନେ । ଏମନ୍ତ କୃଷ୍ଣର ବଚନେ ॥ ୧୪୧
ବ୍ରହ୍ମାଦି ସର୍ବଦେବଗଣେ । ନମିଲେ କୃଷ୍ଣର ଚରଣେ ॥ ୧୪୨
କୃଷ୍ଣବଚନ ଶିରେ ଧରି । ଗଲେ ସେ ଯେ ଯାହାର ପୂରୀ ॥ ୧୪୩
ଏବେ ହୋ ଶୁଣ ମହୀପତି । ଅଦ୍ଭୂତ ଗୋବିନ୍ଦର ଗତି ॥ ୧୪୪
ଭୂମି ଗଗନ ଅଷ୍ଟଦିଶେ । ଘୋର ଅଦ୍ଭୂତ ଯଦୁବଂଶେ ॥ ୧୪୫
ଉତ୍ପାତ ଦିଶେ ନିରନ୍ତରେ । ଦ୍ୱାରକା ବାହ୍ୟ ଅଭ୍ୟନ୍ତରେ ॥ ୧୪୬
ଦେଖି ଚକିତ ଚକ୍ରପାଣି । ପୁଚ୍ଛନ୍ତି ବୁଧଜନେ ଆଣି ॥ ୧୪୭
ଦେଖ ଉତ୍ପାତ ଘୋରନାଦ । କି ଅବା ପଡ଼ିବ ପ୍ରମାଦ ॥ ୧୪୮
ବ୍ରାହ୍ମଣ ଶାପ କୋପାନଳ । ନିଶ୍ଚେ ଦହିବ ଯଦୁକୁଳ ॥ ୧୪୯
ସେ ବିପ୍ରଶାପ କ୍ଷୟ ଅର୍ଥେ । ଉପାୟ ନ ଦିଶଇ ଏଥେ ॥ ୧୫୦
ଏଣୁ ଦ୍ୱାରକାପୁରେ ବାସ । ଆମ୍ଭର ନୁହଇ ବିଶ୍ୱାସ ॥ ୧୫୧
ପ୍ରଭାସତୀର୍ଥେ ଚାଲ ଯିବ । ଯହିଁ ସକଳ ତୀର୍ଥସେବା ॥ ୧୫୨
ଦଣ୍ଡେ ହେଁ ବିଳମ୍ବ ନ କର । ଦେଖ ଉତ୍ପାତ ଭୟଙ୍କର ॥ ୧୫୩
ପୁଣି ବୋଲନ୍ତି ଚକ୍ରପାଣି । ଆମ୍ଭେ ପୁରାଣେ ଅଛୁଁ ଶୁଣି ॥ ୧୫୪
ଦକ୍ଷର ଶାପେ ଚନ୍ଦ୍ର ଅଙ୍ଗେ । ବାଧିଲା ରାଜଯକ୍ଷ୍ମା ରୋଗେ ॥ ୧୫୫
ସେ ପୁଣି ବ୍ରହ୍ମାବାକ୍ୟେ ଗଲା । ପ୍ରଭାସତୀର୍ଥେ ସ୍ନାନ କଲା ॥ ୧୫୬
ତକ୍ଷଣେ ହୋଇଲା ନୀରୁଜ । ଅଧିକେ ବିରାଜିଲା ତେଜ ॥ ୧୫୭
ଆମ୍ଭେ ସେ ତୀର୍ଥେ କରି ସ୍ନାନ । ବ୍ରାହ୍ମଣେ ଦେବା ମହାଦାନ ॥ ୧୫୮
ପିତୃତୋଷିବା ପିଣ୍ଡଦାନେ । ବିପ୍ରେ ଭୁଞ୍ଜାଇ ମିଷ୍ଟଅନ୍ନେ ॥ ୧୫୯
ଅମୂଲ୍ୟ ରତ୍ନ ବିପ୍ରେ ଦେଇ । ବାକ୍ୟ କହିବା ଚାଟୁଆଇ ॥ ୧୬୦
ମନ ସନ୍ତୋଷେ ଦାନ ଦେବା । ନିରତେ ଚରଣେ ସେବିବା ॥ ୧୬୧
ଧନ କାର୍ପଣ୍ୟ ସେବାଫଳେ । କିବା ଅସାଧ୍ୟ ମହୀତଳେ ॥ ୧୬୨
ବିପ୍ରଙ୍କୁ ଦାନେ ତୋଷ କରି । ଆମ୍ଭେ ବା ବ୍ରହ୍ମଶାପୁଁ ତରି ॥ ୧୬୩
ଦାନେ ସକଳ ପାପ ହରି । ନାବେ ଯେସନେ ସିନ୍ଧୁ ତରି ॥ ୧୬୪
ଶୁକ ଉବାଚ
ଏମନ୍ତ କୃଷ୍ଣବାକ୍ୟ ଶୁଣି । ସକଳ ବୁଧେ ମନେ ଗୁଣି ॥ ୧୬୫
କୃଷ୍ଣର ବାକ୍ୟ ସତ୍ୟ କରି । ତୀର୍ଥଗମନ ମନେ ଧରି ॥ ୧୬୬
ରଥ ଶକଟ ଗଜବାଜି । ଯେ ଯାହା ଅନୁରୂପେ ସାଜି ॥ ୧୬୭
ଧନୁ ଖଡ଼ଗ ଆଦି କରି । ସକଳ ଅସ୍ତ୍ରଶସ୍ତ୍ର ଧରି ॥ ୧୬୮
ସଜ ହୋଇଲେ ତୋଷମନେ । ଗୋବିନ୍ଦ ତୀର୍ଥ ଅନୁଯାନେ ॥ ୧୬୯
ଉଦ୍ଧବ ଶୁଣି ତାହା ମନୋ ଜାଣିଲା କୃଷ୍ଣର ବଚନେ ॥ ୧୭୦
ଅଦ୍ଭୁତ ଭୟଙ୍କର ଚାହିଁ । ଚକିତେ ଚିତ୍ତେ ବିଚାରଇ ॥ ୧୭୧
ବ୍ରାହ୍ମଶ ଶାପେ ଯଦୁବଂଶ । ଘୋର କନ୍ଦଳେ ଯିବ ନାଶ ॥ ୧୭୨
ମାୟାର ଯୋଗେ କୃଷ୍ଣରାମ । ନିଶ୍ଚୟେ ଯିବେ ନିଜଧାମ ॥ ୧୭୩
ଉଦ୍ଧବ ଏମନ୍ତ ବିଚାରି । ବେନି ନୟନୁ ବହେବାରି ॥ ୧୭୪
କାନ୍ଦି କୃଷ୍ଣର ସନ୍ନିଧାନେ । ଗୁପତେ ଆତ୍ମବିଦ୍ୟମାନେ ॥ ୧୭୫
କୃଷ୍ଣ ଚରଣ ଧରି କରେ । ଉଦ୍ଧବ କହେ ଶୋକଭରେ ॥ ୧୭୬
ଉଦ୍ଧବ ଉବାଚ
ହେ ଦେବ ଦେବ ନିରଞ୍ଜନ । ସୁପୁଣ୍ୟ ଶ୍ରବଣ କୀର୍ତ୍ତନ ॥ ୧୭୭
କୁଳ କି ସଂହାରିବୁ ତୁହି । ଏମନ୍ତ ପ୍ରାୟ ମୁଁ ମଣଇଁ ॥ ୧୭୮
ତୁ ଯେ ବୋଲାଉ ଭଗବାନ । ନ କରୁ ବ୍ରହ୍ମଶାପ ଆନ ॥ ୧୭୯
ତୁ କାଳରୂପୀ ମାୟାଧର । ଏ ରୂପ କରିବୁ ଅନ୍ତର ॥ ୧୮୦
ଏ ନରଲୋକ ଛାଡ଼ି ହରି । ନିଶ୍ଚୟ ଯିବୁ ନିଜପୁରୀ ॥ ୧୮୧
ତୋହର ଅଭୟ ଚରଣ । ପରମ ମଙ୍ଗଳ କାରଣ ॥ ୧୮୨
ସେ ପାଦେ ମୋର ମନ ଜଡ଼ି । ତିଳେ ମୁଁ ନ ପାରଇ ଛାଡ଼ି ॥ ୧୮୩
ତୋ ପାଦେ ପଶିଲି ଶରଣ । ମୋତେ ନ ଛାଡ଼ ନାରାୟଣ ॥ ୧୮୪
ତୋର ଚରିତ ସୁଧାପାନ । ଯେ କରେ ଶ୍ରବଣ କୀର୍ତ୍ତନ ॥ ୧୮୫
ଭାବେ ଅମୃତ ପାନ କରେ । ସକଳ କର୍ମ ସେ ପାସୋରେ ॥ ୧୮୬
ମାର୍ଜନ ସୁଗନ୍ଧ ଲେପନେ । ଆସନ ଭୋଜନ ଶୟନେ ॥ ୧୮୭
କ୍ଷଣେ ନ ଛାଡ଼ୁ ପ୍ରଭୁ ମୋତେ । ମୁଁ ଏବେ ନ ଦେଖିଲେ ତୋତେ ॥ ୧୮୮
କେମନ୍ତେ ଧରିବି ଜୀବନ । ହୋଇବ ଦଶଦିଗ ଶୂନ୍ୟ ॥ ୧୮୯
ତୋହର ଅଙ୍ଗ ଉପହାର । ଶରୀରେ ଭୂଷଣ ମୋହର ॥ ୧୯୦
ଗନ୍ଧ ବସନ ମାଳା ଯେତେ । ଭୁଞ୍ଜଇ ତୋ'ର ଭୋଗ ଅନ୍ତେ ॥ ୧୯୧
ତୋ'ର ନିର୍ମାଲ୍ୟ ନିତ୍ୟେ ଖାଇ । ତୋ' ରୂପ ନୟନେ ଦେଖଇ ॥ ୧୯୨
ତୁ ଯେ ମୋହର ପ୍ରାଣବନ୍ଧୁ । ଉଦ୍ଧର ତୋ'ର ମାୟାଛନ୍ଦୁ ॥ ୧୯୩
ତୁ ନାଥ ଶରଣସୋଦର । ତୋ'ର ସଙ୍ଗତେ ମୋତେ କର ॥ ୧୯୪
ଯେ ପ୍ରାଣୀ ଦିଗମ୍ବର ହୋଇ । ଭ୍ରମେ ସନ୍ୟାସରୂପ ବହି ॥ ୧୯୫
ଇନ୍ଦି୍ରୟଗଣ ଦୃଢେ ଛନ୍ଦି । ମନ ପବନ ହୃଦେ ରୁନ୍ଧି ॥ ୧୯୬
ବ୍ରହ୍ମ ଚିନ୍ତଇ ଅବିରତେ । ନିରହଙ୍କାର ଶୁଦ୍ଧଚିତ୍ତେ ॥ ୧୯୭
ତପ-କଷଣ ସହେ ନିତ୍ୟା ନିର୍ମଳମତି ଉ ର୍ରେତ ॥ ୧୯୮
ଅଷ୍ଟାଙ୍ଗଯୋଗ ଭାବେ ଚିନ୍ତି । ଲଭନ୍ତି ବ୍ରହ୍ମଜ୍ଞାନ ଗତି ॥ ୧୯୯
ତୋ'ର ଅମୃତରସ ବାଣୀ । ନିରତେ ଶ୍ରବଣେ ଯେ ଶୁଣି ॥ ୨୦୦
ତୋ'ର ସେବକ ଯା'ର ବନ୍ଧୁ । ହେଳେ ସେ ତରେ ଭବ ସିନ୍ଧୁ ॥ ୨୦୧
ତୋହର ପାଦେ ଯା'ର ମନ । ସେ ପ୍ରାଣୀ ଭକତ ଉତ୍ତମ ॥ ୨୦୨
ଶୁକ ଉବାଚ
ଏମନ୍ତେ ଉଦ୍ଧବ ବଚନ । ନିବେଦି କୃଷ୍ଣ ସନ୍ନିଧାନ ॥ ୨୦୩
ଉଦ୍ଧବ କହେ ପୁଣ ପୁଣ । ସ୍ୱାମୀର ଯେତେ ଭାବଗୁଣ ॥ ୨୦୪
ନିବେଶି କୃଷ୍ଣର ଚରଣେ । ରହିଲା ଭାବିତ ବଦନେ ॥ ୨୦୫
ଶ୍ରୀଏକାଦଶେ ଭାଗବତ । ଶୁକ କହନ୍ତି ଜ୍ଞାନତତ୍ତ୍ୱ ॥ ୨୦୬
ଅମୃତ ରସମୟ ବାଣୀ । ଶୁଣି ତରିବେ ସର୍ବପ୍ରାଣୀ ॥ ୨୦୭
ଶ୍ରୀଏକାଦଶେ କୃଷ୍ଣରସ । କହଇ ଜଗନ୍ନାଥ ଦାସା ॥ ୨୦୮
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଏକାଦଶସ୍କନ୍ଧେ ସପ୍ତମୋଦ୍ଧଧ୍ୟାୟଃ ॥
* * *