ଏକାଦଶ ସ୍କନ୍ଧ

ସପ୍ତମ ଅଧ୍ୟାୟ

ଆନନ୍ଦେ ପରୀକ୍ଷିତ ଆଗେ । ଶୁକ କହନ୍ତି ଅନୁରାଗେ ॥

ଶୁକ ଉବାଚ

ବ୍ରହ୍ମା ଶଙ୍କର ପୁରନ୍ଦର । ସଙ୍ଗତେ ଚନ୍ଦ୍ର ଦିବାକର ॥

ଗନ୍ଧର୍ବ କିନ୍ନର ଚାରଣ । ସାଧ୍ୟ ଯେ ସିଦ୍ଧ ଦେବଗଣ ॥

କୁବେର ସମୀର ବରୁଣ । ଦ୍ୱାଦଶ ବିଶ୍ୱଦେବା ପୁଣ ॥

ପିତୃଗୁହ୍ୟକ ଋଷି ଆଦି । ଯକ୍ଷ ରାକ୍ଷସ ସେ ପ୍ରସିଦ୍ଧି ॥

ନାଗ ଅପ୍ସରା ବିଦ୍ୟାଧରେ । ଏ ଆଦି ଯେତେ ଅନୁଚରେ ॥

ଚଳିଲେ ଚଢି ନିଜାସନେ । ଦ୍ୱାରକା କୃଷ୍ଣଦରଶନେ ॥

ମନୁଷ୍ୟ ରୂପେ ନରହରି । ଦେବକୀ ଗର୍ଭେ ଅବତରି ॥

ନିର୍ଗୁଣ ବ୍ରହ୍ମ ଜନହିତୋ ଯଶ ବିସ୍ତାରି ଏ ଜଗତେ ॥

ଯା' ଯଶ କଳମଷ ହରେ । ଯା'ର ଶ୍ରବଣେ ପ୍ରାଣୀ ତରେ ॥ ୧୦

ତାହାର ଦରଶନ ଅର୍ଥେ । ରାତ୍ରେ ମିଳିଲେ ଶୂନ୍ୟପଥେ ॥ ୧୧

ଦେଖିଲେ ଦ୍ୱାରକା ମଣ୍ଡଳ । ଯହିଁ ବିଜୟ ଆଦିମୂଳ ॥ ୧୨

ଭୁବନମଙ୍ଗଳ ଶ୍ରୀମୁଖ । ଦେଖିଲେ ଖଣ୍ଡେ ଭବଦୁଃଖ ॥ ୧୩

ଦ୍ୱାରକାପୁରେ ସର୍ବସିଦ୍ଧି । ଯହିଁ ସେବନ୍ତି ଅଷ୍ଟନିଧି ॥ ୧୪

ସର୍ବ ସମ୍ପଦ ମୂଳ ସ୍ଥାନ । ଦେଖିଲେ ମୋହେ ପ୍ରାଣୀ ମନ ॥ ୧୫

ସକଳ ଭୁବନ ଉପମା । କେ ମୁଖେ କହୁ ଗୁଣ ସୀମା ॥ ୧୬

ଆକାଶେ ଦେବେ ରଥେ ଥାଇ । ଜୟଶବଦ ତୁଣ୍ଡେ ଗାଇ ॥ ୧୭

ନନ୍ଦନବନୁ ପୁଷ୍ପ ଆଣି । ପ୍ରୋକ୍ଷଣ କରି ଗଙ୍ଗାପାଣି ॥ ୧୮

ମଲ୍ଲିକା ଜାତି ପାରିଜାତ । ବିଚିତ୍ରମାଳା ଅପ୍ରମିତ ॥ ୧୯

ବୃଷ୍ଟି କରନ୍ତି କୃଷ୍ଣଦେହେ । ସୁଗନ୍ଧ ଜଳଧାରା ପ୍ରାୟେ ॥ ୨୦

ପୁଷ୍ପେ ଆଚ୍ଛାଦି ଯଦୁବୀର । ଯେସନେ ସମୁଦ୍ର ଉଲ୍ଳୋଳ ॥ ୨୧

ସକଳ ଦେବେ ଏକମେଳେ । ଜୟ ଶବଦ ମୁଖଗୋଳେ ॥ ୨୨

କପୋଳେ ବେନିକର ଦେଇ । ବୋଲନ୍ତି କୃଷ୍ଣମୁଖ ଚାହିଁ ॥ ୨୩

ଦେବଗଣ ଉବାଚ

ନମୋ ନମସ୍ତେ ଆଦିମୂଳ । ଶରଣ ତୋ ପାଦକମଳ ॥ ୨୪

ନମୋ ଗୋବିନ୍ଦ ହେ ଅଚ୍ୟୁତ । ତୁ ନାଥ ପ୍ରାଣୀ ପଞ୍ଚଭୂତ ॥ ୨୫

ତୋହର ଅଭୟ ଚରଣ । ଅଶେଷ ଜନ୍ତୁଙ୍କ ଶରଣ ॥ ୨୬

ସର୍ବ ଇନ୍ଦ୍ରିୟ ବୁଦ୍ଧି ମନ । ପ୍ରାଣାଦି ଏ ଦଶପବନ ॥ ୨୭

ଏ ଆଦି ବିଷୟ ସକଳେ । ଶରଣ ତୋର ପାଦମୂଳେ ॥ ୨୮

ସେ ପାଦପଦ୍ମ ସୁଖେ ହେଜି । ମୁନିଏ ଭକ୍ତିଭାବେ ଭଜି ॥ ୨୯

ଆରୂଢ ଯୋଗୀ ଯୋଗବଳେ । ନିଶ୍ଚଳେ ହୃଦୟ କମଳେ ॥ ୩୦

ଆରୋପି ଅଭୟ ଚରଣ । ନିଶ୍ଚିନ୍ତେ ପଶନ୍ତି ଶରଣ ॥ ୩୧

ଅଶେଷ ଜନ୍ତୁହୃଦଗତେ । କର୍ମ-ବାସନା-ରଜ୍ଜୁ ଯେତେ ॥ ୩୨

ନିମିଷେ ଧ୍ୟାନେ ତା’ ସଂହାରେ । ରବି ଯେସନେ ଅନ୍ଧକାରେ ॥ ୩୩

ଭବ-ଜଳଧି ସୁଖ-ନାବ । ତୋ'ର ଚରଣ ପଦ୍ମନାଭ ॥ ୩୪

ଆମ୍ଭେ ସକଳ ଦେବଗଣ । ତୋ' ପାଦେ ପଶିଲୁ ଶରଣ ॥ ୩୫

ତୁ ନାଥ ଜଗତ ଜୀବନ । ଅଶେଷ ଭୁବନ ପାବନ ॥ ୩୬

ତୁ ନାଥ ରଜଗୁଣ ଧରି । ବିଧାତା ରୂପେ ସୃଷ୍ଟି କରି ॥ ୩୭

ସାତ୍ତ୍ୱିକେ ବିଷ୍ଣୁରୂପ ହୋଇ । ପାଳନ କରୁ ନାଥ ତୁହି ॥ ୩୮

ତମେ ସଂହାରୁ ଅନ୍ତଃକାଳେ । ତୋ ମାୟା ଲୀଳା ଯୋଗବଳେ ॥ ୩୯

ସୃଷ୍ଟି ପାଳନ ସଂହାରଣ । କ୍ରମେ ସେ ସଂସାର କାରଣ ॥ ୪୦

ସ୍ୱଭାବେ ତୁ ଯେ ସର୍ବଦେହୀ । ତୁ ଭୁଞ୍ଜୁ ପ୍ରାଣୀଙ୍କି ଭୁଞ୍ଜାଇ ॥ ୪୧

ସେ ଦୋଷ ନ ଲାଗଇ ତୋରେ । ନଳିନୀଦଳ ଯେହ୍ନେ ନୀରେ ॥ ୪୨

ତୁ ପୂର୍ଣ୍ଣ ସମସ୍ତ ଠାବରେ । ଶରଣ ଗଲୁ ତୋ’ ପୟରେ ॥ ୪୩

ତୁ ନାଥ ସର୍ବତ୍ର ସମାନ । ନିଶ୍ଚିନ୍ତସୁଖ ତୋ'ର ସ୍ଥାନ ॥ ୪୪

ଯେଣୁ ନ ଲାଗେ ଶୁଭାଶୁଭ । ତେଣୁ ତୁ ସଂସାରେ ଦୁର୍ଲ୍ଲଭ ॥ ୪୫

ବିବିଧ ତପ ବ୍ରତ ଦାନ । ଯୋଗ ସମାଧି ଆତ୍ମଜ୍ଞାନ ॥ ୪୬

ଏ ଆଦି ସକଳ ସାଧନ । ସାଧି ପବିତ୍ର ନୋହେ ଜନ ॥ ୪୭

ତୋହର ନାମ ଯଶଗୁଣ । ଯେ କରେ ଶ୍ରବଣ କୀର୍ତ୍ତନ ॥ ୪୮

ଶ୍ରଦ୍ଧା ଭକତି ଶୁଦ୍ଧଚିତ୍ତେ । ତୋ' ରୂପେ ଦେଖେ ହୃଦଗତେ ॥ ୪୯

ସର୍ବ ମୁନିଙ୍କ ମୋକ୍ଷଧ୍ୟାନ । କରେ ସମାନଭୂତି ଦାନ ॥ ୫୦

ତୋ'ର ଚରିତ ସୁଧା ପାନ । ନିରତେ କରେ ଯା'ର ମନ ॥ ୫୧

ସେ ପ୍ରାଣୀ ଭବୁ ଯା'ନ୍ତି ତରି । ବିପ୍ର ନ ତରେ କର୍ମ କରି ॥ ୫୨

ଭକ୍ତିରେ ପ୍ରୀତି ନାହିଁ ଯା’ର । ସେ କାହିଁ ଜାଣେ ତୋ’ ପୟର ॥ ୫୩

ବେଦ ଉକତେ କର୍ମ କରେ । ଇନ୍ଦ୍ରାଦି ଦେବରୂପେ ତୋରେ ॥ ୫୪

ଭଜନ୍ତି ବିପ୍ରେ ଯେ ପୟର । ଯଜ୍ଞରେ ଦେଇ ଘୃତଧାର ॥ ୫୫

ତୋ' ମାୟା ଜାଣି ଆତ୍ମଯୋଗୀ । ଯେ ପାଦେ ସେବେ ସର୍ବତ୍ୟାଗୀ ॥ ୫୬

ସେ ପାଦେ ପଶିଲୁ ଶରଣ । ଆମ୍ଭ ଅଶୁଭ ପରିତ୍ରାଣ ॥ ୫୭

ତୁ ନାଥ ଦେବକୀର ବଳା । ତୋ'ର ହୃଦରେ ବନମାଳା ॥ ୫୮

ଲମ୍ବଇ ପର୍ଯୁ୍ୟଷିତ ହୋଇ । ଦେଖି କମଳା ନ ସହଇ ॥ ୫୯

ମଣଇ ସପତଣୀ ପ୍ରାୟେ । ଯେଣୁ ଶୋଭଇ ତୋର ଦେହେ ॥ ୬୦

ତଥାପି ଦେଖି ତୋ’ ବଦନ । ସପତ୍ନୀଭାବ ଛାଡ଼ି ମନ ॥ ୬୧

ନିବେଶି ତୋହର ପୟରେ । କମଳମାଳେ ପୂଜା କରେ ॥ ୬୨

ତୋ'ର ଅଭୟ-ପଦ୍ମପାଦ । ହରଇ ବିଷୟ-ବିଷାଦ ॥ ୬୩

ତୋହର ତ୍ରିବିକ୍ରମ ରୂପ । ଆମ୍ଭେ ଯେ ଦେଖିଲୁ ସମୀପ ॥ ୬୪

ତୋ' ନାଭିକମଳୁଁ ପ୍ରତ୍ୟକ୍ଷେ । ଚରଣ ଗଲା ଅନ୍ତରୀକ୍ଷେ ॥ ୬୫

କେ କରିପାରେ ତାହା ହେତୁ । ଅଦ୍ଭୂତ ଯେହ୍ନେ ଧୂମକେତୁ ॥ ୬୬

ବ୍ରହ୍ମାଣ୍ଡେ ଚରଣ ବାଜିଲା । ଶବଦେ ପ୍ରକୃତି କମ୍ପିଲା ॥ ୬୭

ବ୍ରହ୍ମାଣ୍ଡ ଫୁଟି ପାଦବଳେ । ଗଙ୍ଗା ପଡ଼ିଲା ଅନ୍ତରାଳେ ॥ ୬୮

ତିନି ଭୁବନେ ଜଳରାଶି । ଧ୍ୱଜ ପତାକା ପ୍ରାୟ ଦିଶି ॥ ୬୯

ଅସୁରକୁଳ ଭୟଙ୍କର । ଆମ୍ଭ ନିର୍ଭୟ ସୁଖଘର ॥ ୭୦

ସୁଜନ ସୁଖ ଭୋଗ ଅର୍ଥ । ଖଳକୁ ବୃଜିନ ପ୍ରାପତ ॥ ୭୧

ସେ ପାଦପଦ୍ମେ ଭଗବାନ । ପବିତ୍ର କର ଆମ୍ଭ ମନା ॥ ୭୨

ଯେ ପାଦ ଭବସିନ୍ଧୁ-ସେତୁ । ଅଶୁଭଗଣ ଧୂମକେତୁ ॥ ୭୩

ଅଶେଷ ଲୋକ ଜ୍ଞାନଗୁରୁ । ଆମ୍ଭର ମଙ୍ଗଳ ବିସ୍ତାରୁ ॥ ୭୪

ଭୋ ନାଥ ତୋହର ମହିମା । କେ କହିପାରେ ଗୁଣସୀମା ॥ ୭୫

ନାସିକା ରନ୍ଧ୍ରେ ରଜ୍ଜୁ ଭେଦି । ଦୃଢେ ବୃଷଭ ଯେହ୍ନେ ବାନ୍ଧି ॥ ୭୬

ସେ ପୁଣି ବନ୍ଦୀଶାଳେ ଥା’ନ୍ତି । ଅନ୍ୟୋନ୍ୟେ ହିଂସା ଆଚରନ୍ତି ॥ ୭୭

ବ୍ରହ୍ମାଦି ଦେବେ ସେହିମତେ । ଯନ୍ତ୍ରିତ ତୋହର ଆୟତ୍ତେ ॥ ୭୮

ତୁ କାଳରୂପୀ ଦାମୋଦର । ପ୍ରକୃତି ପୁରୁଷ ହିଁ ପର ॥ ୭୯

ଏଣୁ ତୁ ପୁରୁଷ ପୁରାଣ । ତୋହର ଅଭୟ ଚରଣ ॥ ୮୦

ଅଭୟବର ଦୀକ୍ଷାଗୁରୁ । ଆମ୍ଭର ଦୁଃଖ ତାପ ହରୁ ॥ ୮୧

ସୃଷ୍ଟି ପାଳନ ସଂହାରଣ । ତୁ ନାଥ ଜଗତକାରଣ ॥ ୮୨

ତୁହି ସେ କାଳରୂପ ଧରୁ । ପ୍ରକୃତି ପୁରୁଷ ସଂହାରୁ ॥ ୮୩

ସେ ବେନି ତୋର ତହୁଁ ଜାତ । ପ୍ରଥମେ କରନ୍ତି ଜଗତ ॥ ୮୪

ପ୍ରକୃତି ପୁରୁଷ ବିକାରେ । ବିଶ୍ୱ ଅଙ୍କୁର ଗର୍ଭେ ଧରେ ॥ ୮୫

ତହୁଁ ମହତ ହେମମୟ । ବ୍ରହ୍ମାଣ୍ଡ କରୁ ତୁ ଉଦୟ ॥ ୮୬

ପୃଥିବୀ ଆଦି ପଞ୍ଚଭୂତ । ମନ ଅହଙ୍କାର ଏ ସାତ ॥ ୮୭

ଏ ରୂପେ ସପ୍ତଆବରଣ । ବ୍ରହ୍ମାଣ୍ଡ କରୁ ତୁ ଭିଆଣ ॥ ୮୮

ତୋର ଭିତରେ ଏ ସଂସାର । ରଚନା ଚତୁର୍ଦ୍ଦଶପୁର ॥ ୮୯

ସ୍ଥାବର ଆଦି ଚାରିବର୍ଣ୍ଣ । ମଧ୍ୟେ ବିରାଜେ ତି୍ରଭୁବନ ॥ ୯୦

ଭୋ ନାଥ ତୋ'ର ମାୟାବଳେ । ତି୍ରଗୁଣ ଘଟଣ ଶୟଳେ ॥ ୯୧

ଜୀବନ ରୂପ ତୁମ୍ଭେ ଧର । ସର୍ବ ବିଷୟ ଭୋଗକର ॥ ୯୨

ନିତ୍ୟ ପ୍ରକାଶ ତୁମ୍ଭ ଦେହୀ । ବିଷୟ ବାଧା ନ ଲାଗଇ ॥ ୯୩

ଷୋଳସହସ୍ର ତୋ’ ରମଣୀ । ତୋ ମନ ନ ପାରିଲେ ଜାଣି ॥ ୯୪

ବିବିଧ କାମ ପୁଷ୍ପଶରେ । କଟାକ୍ଷ ଭ୍ରୂଭଙ୍ଗୀ ବିକାରେ ॥ ୯୫

ଏଣୁ ଅଚୁ୍ୟତ ତୋର ନାମ । ନିର୍ଲେପ ନିତ୍ୟ ସୁଖଧାମ ॥ ୯୬

ତୋ'ର ଅମୃତ କଥାମୟେ । ସଂସାର ନଦୀରୂପେ ବହେ ॥ ୯୭

ତୋ' ପାଦନୀର ସୁରନଦୀ । ବହେ ବ୍ରହ୍ମାଣ୍ଡ ମଧ୍ୟେ ଭେଦି ॥ ୯୮

ଜଳେ ତ୍ରିଲୋକପାପ ହରେ । ଯେ ମୁଖେ ଗଙ୍ଗାନାମ ଧରେ ॥ ୯୯

ଏ ବେନିନଦୀ ମଧ୍ୟେ ସ୍ନାନ । ଯେ କରେ ଧନ୍ୟ ତା’ ଜୀବନ ॥ ୧୦୦

ନିଜ ଭୁବନେ ଥାଇ ପ୍ରାଣୀ । ଯେ ନିତ୍ୟେ କୃଷ୍ଣକଥା ଶୁଣି ॥ ୧୦୧

ନିର୍ମଳ କରି ବୁଦ୍ଧି ମନ । ଯେ କରେ କଥାମୃତେ ସ୍ନାନ ॥ ୧୦୨

ଯେ ଅବା ପଶି ଗଙ୍ଗାଜଳେ । ସ୍ନାନ କରନ୍ତି ସୁଖଭୋଳେ ॥ ୧୦୩

ତୋଷେ କରନ୍ତି ଜଳ ପାନ । ତୁଣ୍ଡେ ଉଚ୍ଚାରି ତୋ'ର ନାମ ॥ ୧୦୪

ଏମନ୍ତେ ବେନିନଦୀ ମଧ୍ୟେ । ଯେ ସ୍ନାନ କରନ୍ତି ଆନନ୍ଦେ ॥ ୧୦୫

ଧରନ୍ତି ଦୁଃଖ ସୁଖେ ଦେହୀ । ତୋ' ମାୟା ତାକୁ ନ ଲାଗଇ ॥ ୧୦୬

ଏମନ୍ତେ ନାନାସ୍ତୁତି ଭଣି । ଦେବେ ନମିଲେ ଚକ୍ରପାଣି ॥ ୧୦୭

ଶୂନ୍ୟ ମଣ୍ଡଳେ ରଥେ ଥାଇ । କପୋଳେ ବେନିକର ଦେଇ ॥ ୧୦୮

କୃଷ୍ଣଙ୍କୁ ବନ୍ଦି ପ୍ରଜାପତି । ବୋଲନ୍ତି ଶୁଣ ଦାଶରଥି ॥ ୧୦୯

ବାସବ ଆଦି ଦିଗପାଳେ । ନମିଲେ ତୋ'ର ପାଦତଳେ ॥ ୧୧୦

ତାହାଙ୍କ ବୋଲ ତୁମ୍ଭେ ଧରି । ଦେବକୀ ଗର୍ଭେ ଅବତରି ॥ ୧୧୧

ବିନାଶି ଅନେକ ଅସୁର । ହରିଲ ଅବନୀର ଭାର ॥ ୧୧୨

ହେ ଦେବଦେବ ଜଗନ୍ନାଥ । ହେ ହୃଷୀକେଶ ପରମାର୍ଥ ॥ ୧୧୩

ଗୋବିନ୍ଦ କୃଷ୍ଣ ଦାମୋଦର । ଆମ୍ଭର କଷ୍ଟ ଗଲା ଦୂର ॥ ୧୧୪

ଦେବଙ୍କ ବାକ୍ୟ ଉପଦେଶେ । ଆଉ ତ ଭାରା ନାହିଁ ଶେଷେ ॥ ୧୧୫

ଦୁଷ୍ଟ ସଂହାରି ସାଧୁକୁଳେ । ଧର୍ମ ଆରୋପିଲ ନିଶ୍ଚଳେ ॥ ୧୧୬

ଧରଣୀ ସଙ୍କଟୁ ଉଦ୍ଧରି । ତୋ' ଯଶ ସର୍ବଦିଗେ ପୂରି ॥ ୧୧୭

ଯାଦବ ବଂଶେ ଦେହ ଧରି । ମର୍ତ୍ତେ୍ୟ ଅଦ୍ଭୂତ କର୍ମ କରି ॥ ୧୧୮

ସମ୍ଭବି ଭୁବନମଣ୍ଡଳେ । ଯେ ଅବା କଲ କ୍ଷିତିତଳେ ॥ ୧୧୯

ସେ କଳିମଳ-ବିନାଶନ । ଯେ ମୁଖେ କରିବେ କୀର୍ତ୍ତନ ॥ ୧୨୦

ସେ ଜନମଧ୍ୟେ ପୁଣ୍ୟଦେହା । ତାକୁ ନ ଲାଗେ ତୁମ୍ଭ ମାୟା ॥ ୧୨୧

ତୁ ଦେବ ବସୁଦେବ ଘରେ । ଜନ୍ମିଲୁ ଦେବକୀ ଉଦରେ ॥ ୧୨୨

ଶତୁଁ ଅଧିକ ପଞ୍ଚବିଂଶ । ତୁମ୍ଭର ପୂରିଲା ବୟସ ॥ ୧୨୩

ମନୁଷ୍ୟଭୋଗ ପୂର୍ଣ୍ଣ ହୋଇ । ଆଉ ତ ପ୍ରୟୋଜନ ନାହିଁ ॥ ୧୨୪

ଦେବଙ୍କ କାର୍ଯ୍ୟ ଶେଷ ହୋଇ । ନିଜ ଭୁବନେ ଚଳ ତୁହି ॥ ୧୨୫

ଯାଦବବଂଶ ମହୀତଳେ । ମରିବେ ବିପ୍ରଶାପବଳେ ॥ ୧୨୬

ତୁ ନାଥ ଜ୍ଞାନ ଧ୍ୟାନ ଦୀକ୍ଷା । ଯେବେ ତୁମ୍ଭର ହୋଏ ଇଚ୍ଛା ॥ ୧୨୭

ଆମ୍ଭର ବାକ୍ୟ ଅନୁସରି । ଭୋ ନାଥ ଚଳ ନିଜପୁରୀ ॥ ୧୨୮

ତୁ ନାଥ ଜୀବନ ଆମ୍ଭର । ଆମ୍ଭେ ଯେ ତୋହର କିଙ୍କର ॥ ୧୨୯

ତୁମ୍ଭ ଗୋଚରେ ଜ୍ଞାନଦୀକ୍ଷା । ଶରଣ ଗଲୁ କର ରକ୍ଷା ॥ ୧୩୦

ବ୍ରହ୍ମା ବଚନେ ଅବଧାନ । ବୋଲନ୍ତି ଦେବକୀନନ୍ଦନ ॥ ୧୩୧

ଭଗବାନ ଉବାଚ

ଗଭୀର ନାଦେ ଦାମୋଦର । ବୋଇଲେ ଶୁଣ ଦେବବର ॥ ୧୩୨

ତୁମ୍ଭ ବଚନ ଅନୁସରି । ମଞ୍ଚେ ମାନବ ଦେହଧରି ॥ ୧୩୩

ଅବନୀଭାରା କଲି ନାଶ । କେବଳ ନୋହିଲା ଉଶ୍ୱାସ ॥ ୧୩୪

ଏ ଯଦୁବଂଶ ବାହୁବଳେ । ବ୍ରହ୍ମାଣ୍ଡ ଆଚ୍ଛାଦିବେ ହେଳେ ॥ ୧୩୫

ଯେସନେ ସମୁଦ୍ର ଉଲ୍ଳୋଳ । ଲଂଘିଲେ ନ ରହଇ କୂଳ ॥ ୧୩୬

ଏହାଙ୍କୁ ସଂହାର ନ କରି । ଯେବେ ମୁଁ ଯିବି ନିଜପୁରୀ ॥ ୧୩୭

ତେବେ ଯାଦବଦଳ ତ୍ରାସେ । ଲୋକେ ନଶିବେ ଦଶଦିଶେ ॥ ୧୩୮

ମୁହିଁ ବିନାଶି ଦୁଷ୍ଟବଳ । ଧରଣୀ ନ କଲି କୁଶଳ ॥ ୧୩୯

ଏବେ ମୁଁ ନିଜ ବଂଶ ମାରି । ଧରଣୀ ସଙ୍କଟୁ ଉଦ୍ଧରି ॥ ୧୪୦

ତେବେ ସେ ଯିବି ନିଜସ୍ଥାନେ । ଏମନ୍ତ କୃଷ୍ଣର ବଚନେ ॥ ୧୪୧

ବ୍ରହ୍ମାଦି ସର୍ବଦେବଗଣେ । ନମିଲେ କୃଷ୍ଣର ଚରଣେ ॥ ୧୪୨

କୃଷ୍ଣବଚନ ଶିରେ ଧରି । ଗଲେ ସେ ଯେ ଯାହାର ପୂରୀ ॥ ୧୪୩

ଏବେ ହୋ ଶୁଣ ମହୀପତି । ଅଦ୍ଭୂତ ଗୋବିନ୍ଦର ଗତି ॥ ୧୪୪

ଭୂମି ଗଗନ ଅଷ୍ଟଦିଶେ । ଘୋର ଅଦ୍ଭୂତ ଯଦୁବଂଶେ ॥ ୧୪୫

ଉତ୍ପାତ ଦିଶେ ନିରନ୍ତରେ । ଦ୍ୱାରକା ବାହ୍ୟ ଅଭ୍ୟନ୍ତରେ ॥ ୧୪୬

ଦେଖି ଚକିତ ଚକ୍ରପାଣି । ପୁଚ୍ଛନ୍ତି ବୁଧଜନେ ଆଣି ॥ ୧୪୭

ଦେଖ ଉତ୍ପାତ ଘୋରନାଦ । କି ଅବା ପଡ଼ିବ ପ୍ରମାଦ ॥ ୧୪୮

ବ୍ରାହ୍ମଣ ଶାପ କୋପାନଳ । ନିଶ୍ଚେ ଦହିବ ଯଦୁକୁଳ ॥ ୧୪୯

ସେ ବିପ୍ରଶାପ କ୍ଷୟ ଅର୍ଥେ । ଉପାୟ ନ ଦିଶଇ ଏଥେ ॥ ୧୫୦

ଏଣୁ ଦ୍ୱାରକାପୁରେ ବାସ । ଆମ୍ଭର ନୁହଇ ବିଶ୍ୱାସ ॥ ୧୫୧

ପ୍ରଭାସତୀର୍ଥେ ଚାଲ ଯିବ । ଯହିଁ ସକଳ ତୀର୍ଥସେବା ॥ ୧୫୨

ଦଣ୍ଡେ ହେଁ ବିଳମ୍ବ ନ କର । ଦେଖ ଉତ୍ପାତ ଭୟଙ୍କର ॥ ୧୫୩

ପୁଣି ବୋଲନ୍ତି ଚକ୍ରପାଣି । ଆମ୍ଭେ ପୁରାଣେ ଅଛୁଁ ଶୁଣି ॥ ୧୫୪

ଦକ୍ଷର ଶାପେ ଚନ୍ଦ୍ର ଅଙ୍ଗେ । ବାଧିଲା ରାଜଯକ୍ଷ୍ମା ରୋଗେ ॥ ୧୫୫

ସେ ପୁଣି ବ୍ରହ୍ମାବାକ୍ୟେ ଗଲା । ପ୍ରଭାସତୀର୍ଥେ ସ୍ନାନ କଲା ॥ ୧୫୬

ତକ୍ଷଣେ ହୋଇଲା ନୀରୁଜ । ଅଧିକେ ବିରାଜିଲା ତେଜ ॥ ୧୫୭

ଆମ୍ଭେ ସେ ତୀର୍ଥେ କରି ସ୍ନାନ । ବ୍ରାହ୍ମଣେ ଦେବା ମହାଦାନ ॥ ୧୫୮

ପିତୃତୋଷିବା ପିଣ୍ଡଦାନେ । ବିପ୍ରେ ଭୁଞ୍ଜାଇ ମିଷ୍ଟଅନ୍ନେ ॥ ୧୫୯

ଅମୂଲ୍ୟ ରତ୍ନ ବିପ୍ରେ ଦେଇ । ବାକ୍ୟ କହିବା ଚାଟୁଆଇ ॥ ୧୬୦

ମନ ସନ୍ତୋଷେ ଦାନ ଦେବା । ନିରତେ ଚରଣେ ସେବିବା ॥ ୧୬୧

ଧନ କାର୍ପଣ୍ୟ ସେବାଫଳେ । କିବା ଅସାଧ୍ୟ ମହୀତଳେ ॥ ୧୬୨

ବିପ୍ରଙ୍କୁ ଦାନେ ତୋଷ କରି । ଆମ୍ଭେ ବା ବ୍ରହ୍ମଶାପୁଁ ତରି ॥ ୧୬୩

ଦାନେ ସକଳ ପାପ ହରି । ନାବେ ଯେସନେ ସିନ୍ଧୁ ତରି ॥ ୧୬୪

ଶୁକ ଉବାଚ

ଏମନ୍ତ କୃଷ୍ଣବାକ୍ୟ ଶୁଣି । ସକଳ ବୁଧେ ମନେ ଗୁଣି ॥ ୧୬୫

କୃଷ୍ଣର ବାକ୍ୟ ସତ୍ୟ କରି । ତୀର୍ଥଗମନ ମନେ ଧରି ॥ ୧୬୬

ରଥ ଶକଟ ଗଜବାଜି । ଯେ ଯାହା ଅନୁରୂପେ ସାଜି ॥ ୧୬୭

ଧନୁ ଖଡ଼ଗ ଆଦି କରି । ସକଳ ଅସ୍ତ୍ରଶସ୍ତ୍ର ଧରି ॥ ୧୬୮

ସଜ ହୋଇଲେ ତୋଷମନେ । ଗୋବିନ୍ଦ ତୀର୍ଥ ଅନୁଯାନେ ॥ ୧୬୯

ଉଦ୍ଧବ ଶୁଣି ତାହା ମନୋ ଜାଣିଲା କୃଷ୍ଣର ବଚନେ ॥ ୧୭୦

ଅଦ୍ଭୁତ ଭୟଙ୍କର ଚାହିଁ । ଚକିତେ ଚିତ୍ତେ ବିଚାରଇ ॥ ୧୭୧

ବ୍ରାହ୍ମଶ ଶାପେ ଯଦୁବଂଶ । ଘୋର କନ୍ଦଳେ ଯିବ ନାଶ ॥ ୧୭୨

ମାୟାର ଯୋଗେ କୃଷ୍ଣରାମ । ନିଶ୍ଚୟେ ଯିବେ ନିଜଧାମ ॥ ୧୭୩

ଉଦ୍ଧବ ଏମନ୍ତ ବିଚାରି । ବେନି ନୟନୁ ବହେବାରି ॥ ୧୭୪

କାନ୍ଦି କୃଷ୍ଣର ସନ୍ନିଧାନେ । ଗୁପତେ ଆତ୍ମବିଦ୍ୟମାନେ ॥ ୧୭୫

କୃଷ୍ଣ ଚରଣ ଧରି କରେ । ଉଦ୍ଧବ କହେ ଶୋକଭରେ ॥ ୧୭୬

ଉଦ୍ଧବ ଉବାଚ

ହେ ଦେବ ଦେବ ନିରଞ୍ଜନ । ସୁପୁଣ୍ୟ ଶ୍ରବଣ କୀର୍ତ୍ତନ ॥ ୧୭୭

କୁଳ କି ସଂହାରିବୁ ତୁହି । ଏମନ୍ତ ପ୍ରାୟ ମୁଁ ମଣଇଁ ॥ ୧୭୮

ତୁ ଯେ ବୋଲାଉ ଭଗବାନ । ନ କରୁ ବ୍ରହ୍ମଶାପ ଆନ ॥ ୧୭୯

ତୁ କାଳରୂପୀ ମାୟାଧର । ଏ ରୂପ କରିବୁ ଅନ୍ତର ॥ ୧୮୦

ଏ ନରଲୋକ ଛାଡ଼ି ହରି । ନିଶ୍ଚୟ ଯିବୁ ନିଜପୁରୀ ॥ ୧୮୧

ତୋହର ଅଭୟ ଚରଣ । ପରମ ମଙ୍ଗଳ କାରଣ ॥ ୧୮୨

ସେ ପାଦେ ମୋର ମନ ଜଡ଼ି । ତିଳେ ମୁଁ ନ ପାରଇ ଛାଡ଼ି ॥ ୧୮୩

ତୋ ପାଦେ ପଶିଲି ଶରଣ । ମୋତେ ନ ଛାଡ଼ ନାରାୟଣ ॥ ୧୮୪

ତୋର ଚରିତ ସୁଧାପାନ । ଯେ କରେ ଶ୍ରବଣ କୀର୍ତ୍ତନ ॥ ୧୮୫

ଭାବେ ଅମୃତ ପାନ କରେ । ସକଳ କର୍ମ ସେ ପାସୋରେ ॥ ୧୮୬

ମାର୍ଜନ ସୁଗନ୍ଧ ଲେପନେ । ଆସନ ଭୋଜନ ଶୟନେ ॥ ୧୮୭

କ୍ଷଣେ ନ ଛାଡ଼ୁ ପ୍ରଭୁ ମୋତେ । ମୁଁ ଏବେ ନ ଦେଖିଲେ ତୋତେ ॥ ୧୮୮

କେମନ୍ତେ ଧରିବି ଜୀବନ । ହୋଇବ ଦଶଦିଗ ଶୂନ୍ୟ ॥ ୧୮୯

ତୋହର ଅଙ୍ଗ ଉପହାର । ଶରୀରେ ଭୂଷଣ ମୋହର ॥ ୧୯୦

ଗନ୍ଧ ବସନ ମାଳା ଯେତେ । ଭୁଞ୍ଜଇ ତୋ'ର ଭୋଗ ଅନ୍ତେ ॥ ୧୯୧

ତୋ'ର ନିର୍ମାଲ୍ୟ ନିତ୍ୟେ ଖାଇ । ତୋ' ରୂପ ନୟନେ ଦେଖଇ ॥ ୧୯୨

ତୁ ଯେ ମୋହର ପ୍ରାଣବନ୍ଧୁ । ଉଦ୍ଧର ତୋ'ର ମାୟାଛନ୍ଦୁ ॥ ୧୯୩

ତୁ ନାଥ ଶରଣସୋଦର । ତୋ'ର ସଙ୍ଗତେ ମୋତେ କର ॥ ୧୯୪

ଯେ ପ୍ରାଣୀ ଦିଗମ୍ବର ହୋଇ । ଭ୍ରମେ ସନ୍ୟାସରୂପ ବହି ॥ ୧୯୫

ଇନ୍ଦି୍ରୟଗଣ ଦୃଢେ ଛନ୍ଦି । ମନ ପବନ ହୃଦେ ରୁନ୍ଧି ॥ ୧୯୬

ବ୍ରହ୍ମ ଚିନ୍ତଇ ଅବିରତେ । ନିରହଙ୍କାର ଶୁଦ୍ଧଚିତ୍ତେ ॥ ୧୯୭

ତପ-କଷଣ ସହେ ନିତ୍ୟା ନିର୍ମଳମତି ଉ ର୍ରେତ ॥ ୧୯୮

ଅଷ୍ଟାଙ୍ଗଯୋଗ ଭାବେ ଚିନ୍ତି । ଲଭନ୍ତି ବ୍ରହ୍ମଜ୍ଞାନ ଗତି ॥ ୧୯୯

ତୋ'ର ଅମୃତରସ ବାଣୀ । ନିରତେ ଶ୍ରବଣେ ଯେ ଶୁଣି ॥ ୨୦୦

ତୋ'ର ସେବକ ଯା'ର ବନ୍ଧୁ । ହେଳେ ସେ ତରେ ଭବ ସିନ୍ଧୁ ॥ ୨୦୧

ତୋହର ପାଦେ ଯା'ର ମନ । ସେ ପ୍ରାଣୀ ଭକତ ଉତ୍ତମ ॥ ୨୦୨

ଶୁକ ଉବାଚ

ଏମନ୍ତେ ଉଦ୍ଧବ ବଚନ । ନିବେଦି କୃଷ୍ଣ ସନ୍ନିଧାନ ॥ ୨୦୩

ଉଦ୍ଧବ କହେ ପୁଣ ପୁଣ । ସ୍ୱାମୀର ଯେତେ ଭାବଗୁଣ ॥ ୨୦୪

ନିବେଶି କୃଷ୍ଣର ଚରଣେ । ରହିଲା ଭାବିତ ବଦନେ ॥ ୨୦୫

ଶ୍ରୀଏକାଦଶେ ଭାଗବତ । ଶୁକ କହନ୍ତି ଜ୍ଞାନତତ୍ତ୍ୱ ॥ ୨୦୬

ଅମୃତ ରସମୟ ବାଣୀ । ଶୁଣି ତରିବେ ସର୍ବପ୍ରାଣୀ ॥ ୨୦୭

ଶ୍ରୀଏକାଦଶେ କୃଷ୍ଣରସ । କହଇ ଜଗନ୍ନାଥ ଦାସା ॥ ୨୦୮

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ

ସଂହିତାୟାଂ ଏକାଦଶସ୍କନ୍ଧେ ସପ୍ତମୋଦ୍ଧଧ୍ୟାୟଃ ॥

* * *