ଏକାଦଶ ସ୍କନ୍ଧ

ଷଷ୍ଠ ଅଧ୍ୟାୟ

ରାଜା ଉବାଚ

ବୋଲନ୍ତି ବିଦେହରାଜନ । ଭୋ ମୁନି ଶୁଣ ମୋ’ ବଚନ ॥

ଏ ଭୂମି ମଧ୍ୟେ ଦୁଷ୍ଟଲୋକେ । କୃଷ୍ଣଙ୍କୁ ନ ଭଜନ୍ତି ଥୋକେ ॥

କାମ ସଙ୍କଳ୍ପ ଲୋଭେ ଜଡ଼ି । ଅଜ୍ଞାନ ମୋହେ ଥା'ନ୍ତି ପଡ଼ି ॥

ଧର୍ମ ଅଧର୍ମ ନ ଜାଣନ୍ତି । ଅନ୍ତେ ସେ ଲଭନ୍ତି କି ଗତି ॥

ଏ ବଡ଼ ସଂଶୟ ମୋ’ ହୃଦେ । ଛେଦ କୁଶଳ-ଧର୍ମ-ବାଦେ ॥

ଚମସ ଶୁଣି ତା ବଚନ । ବୋଲନ୍ତି ସଭା-ବିଦ୍ୟମାନ ॥

ଚମସ ଉବାଚ

କୃଷ୍ଣର ମୁଖ ଭୁଜ ଉରୁ । ଅଭୟ ପାଦପଙ୍କଜରୁ ॥

ବ୍ରାହ୍ମଣ ଆଦି ଚାରିବର୍ଣ୍ଣେ। ଜନ୍ମିଲେ ସ୍ୱଭାବେ ତି୍ରଗୁଣେ ॥

ଏଣୁ ଏ ବିଷ୍ଣୁ ପିତାମାତା । ଗୁରୁ ବାନ୍ଧବ ଇଷ୍ଟଦାତା ॥

ଏମନ୍ତ ସ୍ୱାମୀ ସେବା ତେଜି । ଲୋଭେ ଯେ ଅନ୍ୟଦେବ ଭଜି ॥ ୧୦

ସେ ପ୍ରାଣୀ ପତିତ ପାମର । ଅନ୍ତେ ପଡ଼ଇ ତମ ଘୋର ॥ ୧୧

ବଦନ ଥାଉଁ ହରିବାଣୀ । ମୁଖେ ଯେ ନ ବୋଲନ୍ତି ପ୍ରାଣୀ ॥ ୧୨

ନାମ ନ ଶୁଣନ୍ତି ଶ୍ରବଣେ । ଯେ ଥା'ନ୍ତି ପାପ ଆଚରଣେ ॥ ୧୩

ସ୍ତ୍ରୀ ଶୂଦ୍ର ଆଦି ଯେତେ ନରେ । ଯେ ଥା'ନ୍ତି ନିନ୍ଦିତ ଆଚାରେ ॥ ୧୪

ସେ ଯେବେ ସାଧୁଙ୍କୁ ଦେଖନ୍ତି । କଳୁଷ-ପଙ୍କୁ ନିସ୍ତରନ୍ତି ॥ ୧୫

ବ୍ରାହ୍ମଣ କ୍ଷତି୍ର ବୈଶ୍ୟଜନ । ସ୍ୱଭାବେ ଧନ୍ୟ ତିନିବର୍ଣ୍ଣ ॥ ୧୬

ବିଷ୍ଣୁ ସ୍ମରଣେ ଶାନ୍ତି ମନେ । ଏ ଥା'ନ୍ତି ନିଗମ ବଚନେ ॥ ୧୭

ବ୍ରାହ୍ମଣ ବେଦବିଦ୍ୟା ବଳେ । କୁଳ ସମ୍ପଦ ଧନ ଛଳେ ॥ ୧୮

ମଜ୍ଜଇ କରି ଅହଙ୍କାର । କନ୍ଧେ ବହଇ ବେଦଭାର ॥ ୧୯

ଧର୍ମ ଅଧର୍ମ ମାର୍ଗ କହି । ଆତ୍ମାକୁ ପଣ୍ଡିତ ବୋଲାଇ ॥ ୨୦

ସଭାର ମଧ୍ୟେ ଚାଟୁ କହି । ହସି ହସାଇ ଜନମୋହି ॥ ୨୧

ସ୍ୱଭାବେ ରଜୋଗୁଣ ଚାଣ୍ଡେ । ସଙ୍କଳ୍ପ କରେ କର୍ମକାଣ୍ଡେ ॥ ୨୨

ଧନ ତନୟ ସୁଖ ଆଶେ ॥ ଶରୀର ଅନ୍ତେ ନର୍କେ ପଶେ ॥ ୨୩

ଅଳପ କାର୍ଯେ୍ୟ କ୍ରୋଧ ବହି । କାଳଭୁଜଙ୍ଗ ପ୍ରାୟ ହୋଇ ॥ ୨୪

ସ୍ୱଭାବେ କାମ କ୍ରୋଧ ବଳେ । ନିତ୍ୟେ ଅସାଧୁ ସଙ୍ଗେ ମିଳେ ॥ ୨୫

ଏଣୁ ଏ ବିପ୍ର ଆଦି ବର୍ଣ୍ଣେ । ପାପୀ ଦୁର୍ଜନ ମତିହୀନେ ॥ ୨୬

ବିଷ୍ଣୁଜନଙ୍କୁ ଦେଖି ପାଶେ । ନିନ୍ଦା କରନ୍ତି ଉପହାସେ ॥ ୨୭

ହସି ବୋଲନ୍ତି ହାସ୍ୟ ବାଣୀ । ନିକଟେ କୃଷ୍ଣକଥା ଶୁଣି ॥ ୨୮

ଗୃହେ ଗୃହିଣୀ ଅଙ୍ଗସଙ୍ଗେ । ଚିତ୍ତ ବୁଡ଼ାଇ କାମଭୋଗେ ॥ ୨୯

ଆଶା ବନ୍ଧନେ ଧନ ସଞ୍ଚେ । ମାୟା ସଙ୍କଳ୍ପେ କାଳ ବଞ୍ଚେ ॥ ୩୦

ପିଣ୍ଡ ପରାଣ ତୁଷ୍ଟି ଅର୍ଥେ । ପଶୁ ହିଂସନ୍ତି ତର୍କଶାସ୍ତ୍ରେ ॥ ୩୧

ଦେବ ଉେ”ଶ୍ୟେ ଜନ୍ତୁ ମାରି । ପୂଜନ୍ତି ନାନା ଯଜ୍ଞ କରି ॥ ୩୨

ଦାନ ଦକ୍ଷିଣା ବିଧିହୀନେ । କୁକର୍ମ କରନ୍ତି ଅଜ୍ଞାନେ ॥ ୩୩

ପଶୁ ମାରଣେ ପାପ ଯେତେ । ଦେଖି ନ ଦେଖନ୍ତି ଅଗ୍ରତେ ॥ ୩୪

ଶ୍ରୀମଦକୁଳ ଅଭିମାନ । ଐଶ୍ଚର୍ଯ୍ୟ ମଦିରାରେ ମନ ॥ ୩୫

ଦାନ ପଠନ କର୍ମ ବଳେ । ସମ୍ପଦ ଦେଖନ୍ତି ନିଶ୍ଚଳେ ॥ ୩୬

ସମ୍ପଦ ମଦେ ଅନ୍ଧ ହୋନ୍ତି । ସାଧୁ ଅସାଧୁ ନ ଗଣନ୍ତି ॥ ୩୭

ବିଷ୍ଣୁ-ବୈଷ୍ଣବ ଜନ ଚାହିଁ । ନିନ୍ଦା କରନ୍ତି ଗର୍ବ ବହି ॥ ୩୮

ଏ ଭାବେ ସର୍ବନାଶ କରେ । ନରକେ ପଡ଼ନ୍ତି ନିର୍ଭରେ ॥ ୩୯

ସକଳ ଜୀବେ ନରହରି । ବସେ ଅନନ୍ତ ରୂପ ଧରି ॥ ୪୦

ବିଷ୍ଣୁର ମାୟା ମୋହ ଭ୍ରାନ୍ତି । ଏହା ପାମରେ ନ ବୁଝନ୍ତି ॥ ୪୧

ଯା'ର ମହିମା ବେଦ ଭଣେ । ଯୋଗୀନ୍ଦ୍ର ଯେ ହରି ଚରଣେ ॥ ୪୨

ନିତ୍ୟେ ନିର୍ମଳ ଚିତ୍ତେ ଚିନ୍ତି । ଧ୍ୟାନ ଧାରଣେ ନ ଦେଖନ୍ତି ॥ ୪୩

ସେ ହରି ନ ଭଜନ୍ତି ଚିତ୍ତେ । କୁବୁଦ୍ଧିଭାବ ଅବିରତେ ॥ ୪୪

କୁତ୍ସିତ କଥା ରତ ନିତ୍ୟେ । ନାନାକୁପଥ ମନୋରଥେ ॥ ୪୫

ମନ ଭ୍ରମାଇଁ ଭ୍ରମୁଥା’ନ୍ତି । ଦୁର୍ଗମ ପଥ ନ ଚିହ୍ନନ୍ତି ॥ ୪୬

ନାରୀ ସେବନ ମାଂସ ମଦ୍ୟେ । ଲୋଭ ବେଭାର ଅନୁବାଦେ ॥ ୪୭

ବେଦ ନ କହେ ଯାହା ମୁଖେ । ପ୍ରାଣୀ ତା କରେ ଆତ୍ମସୁଖେ ॥ ୪୮

ଧର୍ମ ଅଧର୍ମ ବେନିପଥେ । ବେଦ କହଇ ଯାହା ନିତ୍ୟେ ॥ ୪୯

ଆଦି ଈଶ୍ୱର ଆଜ୍ଞା ଏହୁ । ଏଥୁଁ ଅଧିକ କେବା କହୁ ॥ ୫୦

ସେ ବେଦପଥ ଛାଡ଼ି ବଳେ । କର୍ମ କରନ୍ତି ଆତ୍ମଭୋଳେ ॥ ୫୧

ନାରୀ ନ ସେବି କାମ ସଧେ । ସେବ ବିବାହ ଅନୁବନ୍ଧେ ॥ ୫୨

ଛାଡ଼ି ନ ପାରି ହୀନ ଚିତ୍ତେ । ସେବନ୍ତି ମଦ ମାଂସ ନିତ୍ୟ ॥ ୫୩

ପଶୁ ମାରନ୍ତି ଯଜ୍ଞ ଲକ୍ଷ୍ୟେ । ଯେ ବେଦବିଧି ପିତୃପକ୍ଷେ ॥ ୫୪

ଏ ନୋହେ ବେଦବିଧି ବାଣୀ । ନିତ୍ୟେ ଅସତ୍ୟ ପରିମାଣି ॥ ୫୫

କଲେ କରିବ ଧର୍ମମତେ । ଯେ ବେଦବିଧି ଅନୁମତେ ॥ ୫୬

ବିଧି ନିଷେଧ ଏ ପ୍ରସିଦ୍ଧି । ଏହା ନ ଜାଣେ ପଶୁବୁଦ୍ଧି ॥ ୫୭

ଧନ ଅର୍ଜନେ ଧର୍ମ କରି । ଧର୍ମେ ପ୍ରାପତ ନରହରି ॥ ୫୮

ଧନ ଅର୍ଜନେ ଦେହ ଧରେ । ମରଣ ସଙ୍କଟେ ନ ଡ଼ରେ ॥ ୫୯

ସେ ଧନେ ପୋଷେ ନିଜ ଦେହୀ । ମୃତୁ୍ୟ ଭାବନା ନ ଡ଼ରଇ ॥ ୬୦

ଯଦ୍ୟପି ଯଜ୍ଞର ବିଧାନ । ମାଂସ ଭକ୍ଷଣ ସୁରାପାନ ॥ ୬୧

ତଥାପି ଯଜ୍ଞବିଧିମତେ । ଆଘ୍ରାଣ କରି ନାସାଗ୍ରତେ ॥ ୬୨

କେବେହେଁ ନ କରିବ ପାନ । ଏ ବିଧି ବେଦର ବିଧାନ ॥ ୬୩

କେବଳ ଯଜ୍ଞେ ପଶୁବଧ । ଅନ୍ୟତ୍ର ବଧଟି ପ୍ରମାଦ ॥ ୬୪

ନାରୀ ସଙ୍ଗମ ଋତୁମତେ । କେବଳ ପୁତ୍ରଜନ୍ମ ଅର୍ଥେ ॥ ୬୫

ଅନ୍ୟଥା ରତିସୁଖ ଅର୍ଥେ । ସଙ୍ଗ ନ କରି କଦାଚିତେ ॥ ୬୬

ଜୀବର ସ୍ୱଧର୍ମ ଯେ ବାଣୀ । ସକଳ ବେଦେ ପରିମାଣି ॥ ୬୭

ଏହା ନ ବୁଝି ମୂଢପ୍ରାଣୀ । ଦୁଃଖକୁ ସୁଖ ପ୍ରାୟ ମଣି ॥ ୬୮

କରନ୍ତି ଜ୍ଞାନହୀନେ କର୍ମ । ଏଣୁ ସଂସାରେ ହୋନ୍ତି ଭ୍ରମ ॥ ୬୯

ମୂର୍ଖ ସ୍ୱଭାବେ ମୂଢପ୍ରାଣୀ । ଆତ୍ମାକୁ ପଣ୍ଡିତ ବଖାଣି ॥ ୭୦

କେବଳ ଦେବତା ବିଶ୍ୱାସୋ । ନ ଜାଣି ଯଜ୍ଞେ ପଶୁ ହିଂସେ ॥ ୭୧

ପଶୁଏ ଥା'ନ୍ତି ପ୍ରେତମେଳେ । ତା'ର ଜୀବନ ଅନ୍ତଃକାଳେ ॥ ୭୨

ଧରି ଭକ୍ଷନ୍ତି ତା'ର ମାଂସ । କେବଳ ଅସ୍ଥି ରହେ ଶେଷ ॥ ୭୩

ଯେ ଯାକୁ ମାରେ ସୁଖଭୋଳେ । ସେ ତାକୁ ହିଂସେ ଅନ୍ତଃକାଳେ ॥ ୭୪

ଏ ବାଣୀ ପଣ୍ଡିତଙ୍କ ମଧ୍ୟେ । ପାପ ଲଭନ୍ତି ପଶୁବଧେ ॥ ୭୫

ସକଳ ଦେହେ ନରହରି । ବସଇ ଆତ୍ମାରୂପ ଧରି ॥ ୭୬

ସମେ ବସଇ ସର୍ବଦେହେ । ମୂଢ ନ ଜାଣେ ମାୟାମୋହେ ॥ ୭୭

ପୁତ୍ରକଳତ୍ର କଳେବରେ । ମୋହର ବୋଲି ସ୍ନେହ କରେ ॥ ୭୮

ସୁଖାନୁଭବେ ଜୀବ ମାରେ । କେବଳ ବିଷ୍ଣୁଦ୍ରୋହ କରେ ॥ ୭୯

ଦୁଷ୍ଟ ପତିତ ବୋଲି ତା’ରେ । ପଡ଼େ ନରକ ଅନ୍ଧକାରେ ॥ ୮୦

ପଣ୍ଡିତ ପଣେ ବାଦ ଚିନ୍ତି । ଦମ୍ଭେ ନ ବୁଝେ ମୋକ୍ଷଗତି ॥ ୮୧

ବଞ୍ଚିତ ହୋଇ କୃଷ୍ଣନାମେ । ସଞ୍ଚଇ ଧର୍ମ ଅର୍ଥ କାମେ ॥ ୮୨

କରଇ ନାନା କର୍ମ ନିତ୍ୟେ । କ୍ଷଣେ ନ ରହେ ସ୍ଥିର ଚିତ୍ତେ ॥ ୮୩

କର୍ମ ହରଇ ପ୍ରାଣୀ ପ୍ରାଣ । ତାହାର କାହିଁ ପରିତ୍ରାଣ ॥ ୮୪

ଚିତ୍ତେ ନ ବହେ ଦୟା ଶାନ୍ତି । ତାହାକୁ ବୋଲି ଆତ୍ମଘାତୀ ॥ ୮୫

ପାଷଣ୍ଡ ଭାବେ ଅନୁମାନି । ଆତ୍ମାକୁ ମଣେ ତତ୍ତ୍ୱଜ୍ଞାନୀ ॥ ୮୬

ମନ କଳ୍ପଇ ଯେତେ ଫଳେ । ଦଇବ ହରଇ ତା’ ବଳେ ॥ ୮୭

ବଞ୍ଚିତ ଇହ ପରଲୋକେ । ନିତ୍ୟେ ବଞ୍ଚଇ ଦୁଃଖଶୋକେ ॥ ୮୮

ଦୁଃଖେ ସଞ୍ଚିତ ଯେତେ ଧନ । ସେ ନୋହେ ସୁଖେ ପ୍ରୟୋଜନ ॥ ୮୯

ଦୁଃଖରେ ପୋଷି ଦାରାସୁତ । ସର୍ବ ସମ୍ପଦ ପଶୁଭୃତ୍ୟ ॥ ୯୦

ଏ ସର୍ବ ଛାଡ଼ି ଅନ୍ତଃକାଳେ । ଚଳଇ ପାପପୁଣ୍ୟବଳେ ॥ ୯୧

ନରକେ ପଡ଼ି ଦୁଃଖ ଭୁଞ୍ଜେ । ଯମଯାତନା ଘୋର ପୁଞ୍ଜେ ॥ ୯୨

ହରି ବିମୁଖ ଯେହୁ ପ୍ରାଣୀ । ନ ତରେ ଭବତରଙ୍ଗିଣୀ ॥ ୯୩

ଏମନ୍ତେ ମୁନିବାକ୍ୟ ଶୁଣି । ରାଜା ବୋଲାଇ ମନେ ଗୁଣି ॥ ୯୪

ରାଜା ଉବାଚ

ଭୋ ମୁନି ପ୍ରଭୁ ଭଗବାନ । କେବଣ ଯୁଗେ କେଉଁ ବର୍ଣ୍ଣ ॥ ୯୫

କି ନାମ ରୂପ ଅନୁସାରେ । ଭକତ ଭଜେ କି ପ୍ରକାରେ ॥ ୯୬

କେବଣ ଯୁଗେ କେଉଁ ରୂପେ । ଶରୀର ଧରେ ମାୟାକଳ୍ପେ ॥ ୯୭

ଏହା ଶୁଣିତେ ମୋର ଇଚ୍ଛା । କହି ପୂରାଅ ମନୋବାଞ୍ଛା ॥ ୯୮

ଜୀବ ଉଦ୍ଧାର ଏହୁ ବାଣୀ । କରଭାଜନ ତାହା ଶୁଣି ॥ ୯୯

କରଭାଜନ ଉବାଚ

ବୋଲନ୍ତି ଶୁଣ ନରନାଥ । ଅଶେଷ କୃଷ୍ଣର ଚରିତ ॥ ୧୦୦

କଳି କଳୁଷ ନିବାରଣ । ଯେ କରେ ଶ୍ରବଣ କୀର୍ତ୍ତନ ॥ ୧୦୧

ଯେ ରୂପ ବହେ ସତ୍ୟଯୁଗେ । ତ୍ରେତା ଦ୍ୱାପର କଳିଯୁଗ ॥ ୧୦୨

ଇଚ୍ଛା ବିହାରେ ଅବତରେ । ସ୍ୱଭାବେ ନାନାରୂପ ଧରେ ॥ ୧୦୩

ବିଧି-ବିଧାନେ ନାନାମତେ । ଯେ ରୂପ ପୂଜନ୍ତି ଜଗତେ ॥ ୧୦୪

ଯେ ଯୁଗେ ଯେବା ଅବତାର । ଯେ ବର୍ଣ୍ଣ ନାମ ଦାମୋଦର ॥ ୧୦୫

ସୁଖେ ବିହରେ ନରଲୋକେ । ଶୁଣ କହିବା ଏକେ ଏକେ ॥ ୧୦୬

ପ୍ରଥମେ ଶୁକ୍ଳବର୍ଣ୍ଣ ଦେହେ । ଜଟାକଳାପ ମୁଣ୍ଡେ ବହେ ॥ ୧୦୭

ହୃଦେ ଉତ୍ତରୀ ଅକ୍ଷମାଳ । ପିନ୍ଧନ୍ତି ବୃକ୍ଷର ବକଳ ॥ ୧୦୮

ଆଜାନୁ ଲମ୍ବେ ଭୁଜ ଚାରି । ତି୍ରଦଣ୍ଡ କମଣ୍ଡଳୁଧାରୀ ॥ ୧୦୯

ଏମନ୍ତ ରୂପ ଭଗବାନ । ଦେଖି ପୂଜନ୍ତି ସାଧୁଜନ ॥ ୧୧୦

ଯେ ରୂପ ସର୍ବଜନ ହିତ । ଶୁଚି ପବିତ୍ର ଶାନ୍ତ ଦାନ୍ତ ॥ ୧୧୧

ତପ ଆଚରି ଶମ ଦମେ । ପ୍ରାଣ ସଂଯମୀ ମହାଶ୍ରମେ ॥ ୧୧୨

ଭଜନ୍ତି ସେ ରୂପ ଚରଣେ । ନିଗମ ଧର୍ମ ଆଚରଣେ ॥ ୧୧୩

ବୈକୁଣ୍ଠ ସୁପର୍ଣ୍ଣ ଲକ୍ଷଣ । ଶ୍ରୀବତ୍ସ କୌସ୍ତୁଭ ଭୂଷଣ ॥ ୧୧୪

ହଂସପୁରୁଷ ଭଗବାନ । ପରମଆତ୍ମା ଦିବ୍ୟଜ୍ଞାନ ॥ ୧୧୫

ଏ ରୂପେ ବହେ ସତ୍ୟଯୁଗେ । ଭକତଜନ ଅନୁରାଗେ ॥ ୧୧୬

ଶୋଣିତ ବର୍ଣ୍ଣ ତ୍ରେତାଯୁଗେ । ବିଷ୍ଣୁ ସମ୍ଭୂତ ଭୂମିଭାଗେ ॥ ୧୧୭

ସୁନ୍ଦର ଚତୁର୍ଭୁଜ ଧରେ । ସୁବର୍ଣ୍ଣ-ବର୍ଣ୍ଣ କେଶ ଶିରେ ॥ ୧୧୮

ତି୍ରଗୁଣ ମେଖଳା ଉତ୍ତରୀ । ସୁନ୍ଦର ଶ୍ରୁବ ଶ୍ରୁଚ ଧରି ॥ ୧୧୯

ଯଜ୍ଞପୁରୁଷ ଦାମୋଦର । ସର୍ବଦେବଙ୍କ କଳେବର ॥ ୧୨୦

ଅଶେଷ ଭୁବନ ଈଶ୍ୱର । ଅଜ୍ଞାନୀ ଜନେ ଅଗୋଚର ॥ ୧୨୧

ସେ ରୂପ ଦେଖି ବିପ୍ରଗଣେ । ନିଗମ ପଥ ଆଚରଣେ ॥ ୧୨୨

ଯଜ୍ଞେ ପୂଜିଲେ ଭଗବାନ । ଯେ ଯଜ୍ଞେ ବିଷ୍ଣୁ ଦରଶନ ॥ ୧୨୩

ସେ ବିଷ୍ଣୁ ଯଜ୍ଞ ପୃଶ୍ନିଗର୍ଭ । ଜୟନ୍ତ ପୁଣି ସର୍ବଦେବ ॥ ୧୨୪

ଯେ ଊରୁକ୍ରମ ବୃଷାକପି । ଊରୁଗାୟ ଏ ନାମ ଜପି ॥ ୧୨୫

ଦ୍ୱାପର ଯୁଗେ ଶ୍ୟାମ ବର୍ଣ୍ଣ । ପୀତବସନ ପରିଧାନ ॥ ୧୨୬

ନିଜ ଆୟୁଧ ଧରି କରେ । ଶ୍ରୀବତ୍ସ କଉସ୍ତୁଭ ଊରେ ॥ ୧୨୭

ଏ ଆଦି ଲକ୍ଷଣେ ଲକ୍ଷିତ । ଅଶେଷଭୁବନେ ପୂଜିତ ॥ ୧୨୮

କାମକୁ ନିନ୍ଦେ କଳେବର । ସମ୍ପଦ ରାଜରାଜେଶ୍ୱର ॥ ୧୨୯

ସେ ରୂପ ଦେଖି ମୁନିଜନେ । ପୂଜନ୍ତି ମନ୍ତ୍ରଯନ୍ତ୍ର ଧ୍ୟାନେ ॥ ୧୩୦

ସେ ସର୍ବଦେବମୟ ହରି । ଏମନ୍ତ ନାମେ ସ୍ତୁତି କରି ॥ ୧୩୧

ଶ୍ରୀବାସୁଦେବ ନମୋସ୍ତୁତେ । ସଙ୍କରଷଣ ବୋଲି ତତେ ॥ ୧୩୨

ପ୍ରଦୁ୍ୟମ୍ନ ଅନିରୁଦ୍ଧ ତୁହି । ଏ ଚାରିରୂପେ ଏକଦେହୀ ॥ ୧୩୩

ନମସ୍ତେ ପ୍ରଭୁ ଜଗନ୍ନାଥ । ଯା'ର ଶରୀରୁ ଏ ଜଗତ ॥ ୧୩୪

ତୁ ବିଶ୍ୱମୟ ବିଶ୍ୱପତି । ମହାପୁରୁଷ ସର୍ବଗତି ॥ ୧୩୫

ଦ୍ୱାପର ଯୁଗେ ଏହି ମତେ । କୃଷ୍ଣଙ୍କୁ ପୂଜନ୍ତି ଜଗତେ ॥ ୧୩୬

ଯେ ଅବା ଯେମନ୍ତ ଭାବଇ । ତା'କୁ ତେମନ୍ତ ସୁଖ ଦେଇ ॥ ୧୩୭

ଦ୍ୱାପରଯୁଗ ଶେଷ କାଳେ । କଳି ଆଗମ ଅନ୍ତରାଳେ ॥ ୧୩୮

ରୂପ ପ୍ରକାଶେ ଚକ୍ରପାଣି । ଯେସନ ଇନ୍ଦ୍ର ନୀଳମଣି ॥ ୧୩୯

କୃଷ୍ଣମୂରତି ଭଗବାନ । କେବଳ ନାମ-ସଙ୍କୀର୍ତ୍ତନ ॥ ୧୪୦

କୃଷ୍ଣର ରୂପ ଗୁଣ ଯେତେ । ଧ୍ୟାନେ ନିରୋପି ଶୁଦ୍ଧଚିତ୍ତେ ॥ ୧୪୧

ପ୍ରତିମା କରି ନାନାରୂପେ । କୃଷ୍ଣପୂଜନ୍ତି ଯଜ୍ଞକଳ୍ପେ ॥ ୧୪୨

ଅଙ୍ଗ ଉପାଙ୍ଗ ଅସ୍ତ୍ର ଯେତେ । ବିଷ୍ଣୁର ପାର୍ଷଦ ସହିତେ ॥ ୧୪୩

ସକଳ ପୂଜି ସାବଧାନେ । ସ୍ତୁତି କରନ୍ତି ଏ ବଚନେ ॥ ୧୪୪

ହେ ମହାପୁରୁଷ ମୁକୁନ୍ଦ । ବନ୍ଦୁଁ ତୋ’ ଚରଣାରବିନ୍ଦ ॥ ୧୪୫

ମୁନି କରନ୍ତି ଯା'ରେ ଧ୍ୟାନ । ହରଇ ପରାଭବମାନ ॥ ୧୪୬

ଅଭୀଷ୍ଟଫଳ କାମଧେନୁ । ତୀର୍ଥନିବାସ ଯା’ ଚରଣୁ ॥ ୧୪୭

ଭବ-ବିରଞ୍ଚି ଯା'କୁ ନିତ୍ୟେ । ସ୍ତୁତି କରନ୍ତି ଅବିରତେ ॥ ୧୪୮

ଶରଣଜନଙ୍କ ରକ୍ଷଣ । ଭୃତ୍ୟ ଆରତ ନିବାରଣ ॥ ୧୪୯

ପ୍ରଣତଜନ ଯେ ପାଳଇ । ଏ ଭବଜଳେ ନାବ ହୋଇ ॥ ୧୫୦

ଯେ ରାଜଲକ୍ଷ୍ମୀ ଦେବଗଣେ । ଧ୍ୟାନେ ବାଞ୍ଛନ୍ତି ଯା ଚରଣେ ॥ ୧୫୧

ମର୍ତ୍ତେ୍ୟ ମନୁଷ୍ୟ ଦେହ ଧରି । କେ ତାହା ପାରେ ଦୂର କରି ॥ ୧୫୨

ପିତୃବଚନ ଶିରେ ଧରି । ସ୍ୱରାଜ୍ୟ ଦୂରେ ପରିହରି ॥ ୧୫୩

ଧାର୍ମିକ ପଣେ ଗମି ବନେ । ଯନ୍ତ୍ରିତ ପି୍ରୟାର ବଚନେ ॥ ୧୫୪

ଧାଇଁଲେ ମାୟାମୃଗ ଅର୍ଥେ । ବନଗହନ ଘୋରପଥେ ॥ ୧୫୫

ସେ ପାଦେ ମୋର ନମସ୍କାର । ଧ୍ୟାନେ ଖଣ୍ଡଇ ତମ ଘୋର ॥ ୧୫୬

ଯୁଗକୁ ଯୁଗ ଏହିମତେ । ପରମାନନ୍ଦ ଏ ଜଗତେ ॥ ୧୫୭

ଧରଣୀ ମଧ୍ୟେ ଅବତରି । ଭ୍ରମଇଁ ନାନାରୂପ ଧରି ॥ ୧୫୮

ସେ ରୂପ ପୂଜି ନରନାରୀ । ମାୟାସଂସାରୁ ଯା'ନ୍ତି ତରି ॥ ୧୫୯

ସେ ପୁଣି ପଣ୍ଡିତ ବୋଲାଇ । ଗୁଣଜ୍ଞ ସର୍ବ ସାରଗ୍ରାହୀ ॥ ୧୬୦

ସକଳ ଶାସ୍ତ୍ର ଅନୁମାନେ । ନିର୍ମଳ-ଚିତ୍ତେ ମହାଜନୋ ॥ ୧୬୧

ବେଦ ବିଚାରି ବ୍ରହ୍ମଭାଗ । ବୋଲନ୍ତି ଧନ୍ୟ କଳିଯୁଗ ॥ ୧୬୨

ବ୍ରାହ୍ମଣ ଆଦି ଚାରିବର୍ଣ୍ଣେ । କୃଷ୍ଣର ନାମ ସଂକୀର୍ତ୍ତନେ ॥ ୧୬୩

ମୁଖେ ଉଚ୍ଚାରି ନିତି ନିତି । ଅଶେଷ ପାପୁଁ ନିସ୍ତରନ୍ତି ॥ ୧୬୪

କଳି-କଳୁଷ ଦୁଷ୍ଟଚିତ୍ତେ । ଗୃହ କଷଣ ଅବିରତେ ॥ ୧୬୫

ନାମ-କୀର୍ତ୍ତନେ ଯେବେ ଥା’ନ୍ତି । ସଂସାରେ ନାହିଁ ତାଙ୍କ ଭ୍ରାନ୍ତି ॥ ୧୬୬

ପରମ ଲାଭ ଏଥି ନାହିଁ । କୃଷ୍ଣ ଭକତି ହୃଦେ ଲଇଁ ॥ ୧୬୭

ପ୍ରଜାଏ ସତ୍ୟଯୁଗ ଆଦି । ଭବିଷ୍ୟ କଥାକୁ ସମ୍ପାଦି ॥ ୧୬୮

ଚିତ୍ତେ କଳ୍ପନ୍ତି ଅନୁରାଗେ । ଆମ୍ଭେ ଜନ୍ମିବୁ କଳିଯୁଗେ ॥ ୧୬୯

ସେ ଯୁଗେ ନାମ ସଂକୀର୍ତ୍ତନ । କରି ତରିବେ ସର୍ବଜନ ॥ ୧୭୦

ତାହାଙ୍କ ମଧ୍ୟେ ଆମ୍ଭେ ଥାଇ । ତୁଣ୍ଡେ ଗୋବିନ୍ଦ ନାମ ଗାଇ ॥ ୧୭୧

ଭକତ ମୁଖୁଁ କୃଷ୍ଣ ଶୁଣି । ତରିବୁ ଭବତରଙ୍ଗିଣୀ ॥ ୧୭୨

ଗୋବିନ୍ଦ-ଚରଣାରବିନ୍ଦ । ସ୍ୱାଦୁ-ସୁଗନ୍ଧ-ମକରନ୍ଦ ॥ ୧୭୩

ମନ-ଭ୍ରମରେ କରି ପାନ । ଯେ ଅବା ଥିବେ ସାଧୁଜନ ॥ ୧୭୪

ତାହାଙ୍କ ସଙ୍ଗେ ମିତ୍ରପଣେ । ସେବିବୁଁ କୃଷ୍ଣର ଚରଣେ ॥ ୧୭୫

ଏମନ୍ତ ଚିତ୍ତେ କରି ଆଶା । କଳିକି କରନ୍ତି ପ୍ରଶଂସା ॥ ୧୭୬

କଳିରେ ବିଷ୍ଣୁ-ପରାୟଣ । ହୋଇ କରିବେ ନାମମାନ ॥ ୧୭୭

ଦ୍ରାବିଡ଼ ଦେଶରେ ଅନେକ । ଜନ୍ମିବେ ହରିଭକ୍ତ ଲୋକ ॥ ୧୭୮

ଯେ ଦେଶେ ନଦୀ ତାମ୍ରପର୍ଣ୍ଣୀ । ଯେ କୃତମାଳା ପୟସ୍ୱିନୀ ॥ ୧୭୯

କାବେରୀ ପୁଣ୍ୟା ମହାନଦୀ । ପ୍ରାଚୀ ତୀର୍ଥାଦି ଛନ୍ତି ଭେଦି ॥ ୧୮୦

ତାହାଙ୍କ ଜଳ କରି ପାନ । ନିର୍ମଳ ହେବ ତା'ଙ୍କ ମନା ॥ ୧୮୧

ଲବେ ନିମିଷେ କ୍ଷଣେ ଲେଶେ । ଯେ ଅବା ଥିବେ ଯେଉଁ ଦେଶେ ॥ ୧୮୨

କୃଷ୍ଣର ନାମ ଉଚ୍ଚେ ଗାଇ । ରୋମ-ପୁଲକ ତନୁ ବହି ॥ ୧୮୩

ନୟନୁ ବହେ ଅଶ୍ରୁଜଳ । ଲଭିବେ କୋଟିତୀର୍ଥଫଳ ॥ ୧୮୪

ଏ ବଡ଼ ଲାଭ ଏ ଜଗତେ । କୃଷ୍ଣ-ଭଜନ ନାନାମତେ ॥ ୧୮୫

ନିରତେ ସୁଖେ ଉଚ୍ଚାରିବେ । ଅଶେଷ ପାପୁଁ ନିସ୍ତରିବେ ॥ ୧୮୬

ମୁଖେ ଗୁଣିବେ କୃଷ୍ଣନାମ । ଶ୍ରବଣ ମାତ୍ରେ ଅଭିରାମ ॥ ୧୮୭

ସ୍ମରଣ କରି ହୃଦମଧ୍ୟେ । ଜନ୍ମ ମରଣ ବନ୍ଧ ଛେଦେ ॥ ୧୮୮

ଦେବତା ଋଷି ପିତୃଭୂତ । ଯେ ଅବା ଅଛନ୍ତି ଆଗତ ॥ ୧୮୯

ସେମାନଙ୍କର କର୍ମମାନ । ନ କଲେ ଋଣୀ ହୋନ୍ତି ଜନ ॥ ୧୯୦

ଯେ ସର୍ବଭାବେ କୃଷ୍ଣପାଦେ । ଶରଣ ଗଲେ ଅପ୍ରମାଦେ ॥ ୧୯୧

ସେ ଋଣୀ ନୋହେ ଏହାଙ୍କର । ଆବର ନୁହଇ କିଙ୍କର ॥ ୧୯୨

ଯେ ଅନ୍ୟଭାବ ପରିହରି । କୃଷ୍ଣଚରଣେ ଆଶ୍ରେ କରି ॥ ୧୯୩

ହରି ତା’ ହୃଦୟକମଳେ । ପ୍ରକାଶ ହୋଇ ସର୍ବକାଳେ ॥ ୧୯୪

ତା'ର ବିକର୍ମ ଯେତେ ଥା’ନ୍ତି । ହେଳେ ସମସ୍ତ ବିନାଶକ୍ତି ॥ ୧୯୫

ଏ ଭାବେ କୃଷ୍ଣଭକ୍ତଜନ । ଶୁଣ ହେ ବିଦେହରାଜନ ॥ ୧୯୬

ନାରଦ ଉବାଚ

ଏମନ୍ତେ ନବମୁନିଗଣେ । ରାଜାଙ୍କୁ ଚାହିଁ ଜଣେ ଜଣେ ॥ ୧୯୭

କହିଲେ ଭାଗବତ ଧର୍ମ । ଯେ ରୂପେ କୃଷ୍ଣସେବାକର୍ମ ॥ ୧୯୮

ଶୁଣି ସାନନ୍ଦ ଦଣ୍ଡଧାରୀ । ରୋମ-ପୁଲକେ ତନୁ ଘାରି ॥ ୧୯୯

ନୟନୁଁ ଅଶ୍ରୁଜଳ ଝରେ । ନିର୍ମଳ ବାହ୍ୟ ଅଭ୍ୟନ୍ତରେ ॥ ୨୦୦

ମୁନିଙ୍କ ଚରଣେ ପୂଜିଲା । ଆନନ୍ଦେ ନୟନ ବୁଜିଲା ॥ ୨୦୧

ତକ୍ଷଣେ ସଭା-ବିଦ୍ୟମାନେ । ମୁନି ଚଳିଲେ ଅନ୍ତର୍ଦ୍ଧାନେ ॥ ୨୦୨

ଯେ ଧର୍ମ କହିଗଲେ ମୁନି । ନିମି ତା ହୃଦୟରେ ଘେନି ॥ ୨୦୩

ଭାବି ହୋଇଲେ ଭବୁଁ ପାର । ଏବେ ହୋ ଶୁଣ ଯଦୁବୀର ॥ ୨୦୪

ତୁ ଏବେ ଏହି ଧର୍ମ କରି । ଅନ୍ତେ ଲଭିବୁ ନରହରି ॥ ୨୦୫

ଧନ୍ୟ ଯାଦବ ତୋ ଜୀବନ । ଯାହାର ପୁତ୍ର ଭଗବାନ ॥ ୨୦୬

ଲଭିଁଲୁ ପୂର୍ବ-ତପଫଳେ । ଏଣୁ ତୋ ଯଶ ମହୀତଳେ ॥ ୨୦୭

ବିଖ୍ୟାତ ତିନିଭୁବନରେ । ଯେ ଯଶ ଗାଇ ପ୍ରାଣୀ ତରେ ॥ ୨୦୮

ଆସନ ଭୋଜନ ଶୟନେ । ନିରତେ ଦେଖୁ ତୁ ନୟନେ ॥ ୨୦୯

ଏ ମୋର ପୁତ୍ର ବୋଲି ଭୋଳେ । ଚୁମ୍ବନ ଦେଇ ଧରୁ କୋଳେ ॥ ୨୧୦

ବ୍ରହ୍ମଙ୍କୁ କରୁ ଆଲିଙ୍ଗନ । ଏଣୁ ତୁ ତି୍ରଭୁବନେ ଧନ୍ୟ ॥ ୨୧୧

ଦନ୍ତବିକଟ ବିଦୁରଥ । ଶାଲ୍ୱ ପୌଣ୍ଡ୍ରକ ଚେଦିନାଥ ॥ ୨୧୨

କଂସ ମାଗଧ ଆଦି ଯେତେ । ଦୁଷ୍ଟେ ଯେ ଥିଲେ ଭୂମିଗତେ ॥ ୨୧୩

କୃଷ୍ଣେ ବଇରୀଭାବ ବହି । ପଶିଲେ ତା'ଙ୍କ ଦେହେ ଯାଇ ॥ ୨୧୪

ସେ ହରି ଚରଣ କମଳେ । ଯେ ଭଜେ ପ୍ରେମଭାବେ ଭୋଳେ ॥ ୨୧୫

ତାହାଙ୍କ ଗତି କେବା ଜାଣି । ବ୍ରହ୍ମାଶଙ୍କର ନ ପ୍ରମାଣି ॥ ୨୧୬

କୃଷ୍ଣଙ୍କୁ ପୁତ୍ର ତୁ ନ ମଣ । ସେ ଟି ଅନାଦି ନାରାୟଣ ॥ ୨୧୭

ଆଦିପୁରୁଷ ତୋ'ର ଘରେ । ମାୟା ମନୁଷ୍ୟ ଅବତାରେ ॥ ୨୧୮

ହେଳେ ଅସୁରବଳ ମାରି । ଆପଦୁଁ ଅବନୀ ଉଦ୍ଧାରି ॥ ୨୧୯

ସ୍ୱଭାବେ ଜନ୍ମ ଯା'ର ନାହିଁ । ମନ ବଚନେ ଭେଦ କାହିଁ ॥ ୨୨୦

ସେ ହରି ଦେବକୀ ଉଦରେ । ଜନ୍ମ ଲଭିଲେ ତୋ'ର ପୁରେ ॥ ୨୨୧

ତୋ ଯଶ ଜଗତେ ବିସ୍ତାରି । ପୁଣି ସେ ଯିବେ ନିଜପୁରୀ ॥ ୨୨୨

ଶୁକ ଉବାଚ

ଏମନ୍ତେ ନାରଦର ବାଣୀ । ଦେବକୀ ବସୁଦେବ ଶୁଣି ॥ ୨୨୩

ତନୁ ପୁଲକେ ରୋମରାଜି । ଅଶ୍ରୁଚଞ୍ଚଳେ ଚକ୍ଷୁ ବୁଜି ॥ ୨୨୪

କୃଷ୍ଣଙ୍କୁ ପୁତ୍ରଭାବେ ମଣି । କିଛି ନ ବୋଲି ହେଲେ ତୁନି ॥ ୨୨୫

ବୋଲନ୍ତି ଶୁକମୁନିବର ॥ ସେ ନବ ଋଷଭକୁମର ॥ ୨୨୬

ନିମିର ଯଜ୍ଞଶାଳେ ଥାଇ । ଯେ ଇତିହାସ ଗଲେ କହି ॥ ୨୨୭

ସେ ଧ୍ୟାନଯୋଗ ପୁରାତନ । ବିଶେଷେ ନାରଦ ବଚନ ॥ ୨୨୮

ଯେ ଏହା ଶ୍ରବଣେ ଶୁଣନ୍ତି । କି ଅବା ବଦନେ ଗୁଣନ୍ତି ॥ ୨୨୯

ସକଳ ପାପୁଁ ଯାନ୍ତି ତରି । ଅନ୍ତେ ଲଭନ୍ତି ନରହରି ॥ ୨୩୦

କହିଲା ଦାସ ଜଗନ୍ନାଥ । ସଂସାର ହିତେ ଭାଗବତ ॥ ୨୩୧

ହରିଚରିତ ଗୀତବନ୍ଧେ । ସଂକ୍ଷେପେ ଏକାଦଶସ୍କନ୍ଧେ ॥ ୨୩୨

ଅମୃତ ରସମୟ ଗୀତ । ଶୁଣନ୍ତେ ଜଗତ ପବିତ୍ର ॥ ୨୩୩

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଏକାଦଶସ୍କନ୍ଧେ

ଷଷ୍ଠୋଦ୍ଧଧ୍ୟାୟଃ ॥

* * *