ଏକାଦଶ ସ୍କନ୍ଧ

ପଞ୍ଚମ ଅଧ୍ୟାୟ

ଏମନ୍ତେ କର୍ମଯୋଗ ଶୁଣି । ରାଜା ବୋଲଇ ମନେ ଗୁଣି ॥

ନିର୍ଗୁଣ ନିରଞ୍ଜନ ହରି । ଧରଣୀ ତଳେ ଦେହ ଧରି ॥

ଯେ କର୍ମ କଲେ ତି୍ରଭୁବନେ । ଯେ ଅବତାର ଯେଉଁ ସ୍ଥାନେ ॥

ସେ କଥା କହ ମୁନିଗଣ । ସନ୍ତୋଷ ନୋହେ ମୋର ମନ ॥

ଏମନ୍ତ ରାଜା ସାଧୁକଥା । ଶୁଣି ଦ୍ରୁମିଳ ଶୁଦ୍ଧଚେତା ॥

ରୋମପୁଲକ କଲା ତନୁ । ଅଶ୍ରୁ ଗଳଇ ତା ନୟନୁ ॥

ଦ୍ରୁମିଳ ଉବାଚ

ବୋଲଇ ଶୁଣ ନରନାଥ । ଅଶେଷ କୃଷ୍ଣର ଚରିତ ॥

କେ ତାହା ଅନୁମାନ କରି । ମୁଖେ କହିବ ଚିତ୍ତେ ଧରି ॥

ବାଳକ ସମ ବୁଦ୍ଧିହୀନ । ଜଗତେ ଅଛି କେବା ଜନ ॥

ପଣ୍ଡିତପଣେ ଗର୍ବ କରି । ହୃଦରେ ଅହଙ୍କାର ଭରି ॥ ୧୦

କଥନେ କୃଷ୍ଣଗୁଣ ବଳେ । କେ ଅଛି ଭୁବନମଣ୍ଡଳେ ॥ ୧୧

ମୃତ୍ତିକା ଖଣ୍ଡ ଚୂର୍ଣ୍ଣ କରି । କେ ଗଣିପାରେ ମନେ ଧରି ॥ ୧୨

ସେ କାହିଁ କୃଷ୍ଣର ମହିମା । ମୁଖେ କହିବ ଗୁଣସୀମା ॥ ୧୩

ବ୍ରହ୍ମାଣ୍ଡ ରଚି ପଞ୍ଚଭୂତେ । ଅଂଶେ ତାହାର ମଧ୍ୟଗତେ ॥ ୧୪

ଆଦି ଅନନ୍ତ ନରହରି । ପଶେ ବିରାଟ ରୂପ ଧରି ॥ ୧୫

ତିନିଭୁବନ ଦେହେ ଧରେ । ସୃଷ୍ଟି ପାଳନ ଅନ୍ତ କରେ ॥ ୧୬

ଇନ୍ଦି୍ରୟମାନଙ୍କର ଅର୍ଥ ॥ ଯାହାର ଜ୍ଞାନେ ଆତଯାତ ॥ ୧୭

ଦେହ ଇନ୍ଦି୍ରୟ କି୍ରୟା ଶକ୍ତି । ଯା'ର ନିଃଶ୍ୱାସୁ ପ୍ରକାଶନ୍ତି ॥ ୧୮

ପ୍ରଥମେ ରଜୋଗୁଣ ଧରି । ବିଧାତା ରୂପେ ଅବତରି ॥ ୧୯

ସୃଷ୍ଟି କରଇ ନାନାମତେ । ବିଧି ବିଧାନ ଦେବତତ୍ତେ୍ୱ ॥ ୨୦

ପାଳଇ ଯଜ୍ଞପତି ରୂପେ । ଜୀବ ଖେଳଇ ମୋହକଳ୍ପେ ॥ ୨୧

ଈଶ୍ୱର ରୂପେ ତମୋଗୁଣେ । ଦହଇ ସୃଷ୍ଟି ସଂହାରଣେ ॥ ୨୨

ଏ ଗୁଣମୟ ନିରାକାର । ଏଣୁ ତୃତୀୟ ରୂପ ତା’ର ॥ ୨୩

ପୂର୍ବେ ଯେ ଦକ୍ଷପ୍ରଜାପତି । ତା'ର କୁମାରୀ ନାମ ମୂର୍ତ୍ତି ॥ ୨୪

ଧର୍ମର ପତ୍ନୀ ସେ ଯୁକତେ । ବିଷ୍ଣୁ ତାହାର ଗର୍ଭେଗତେ ॥ ୨୫

ଅରୂପ ହୋଇ ରୂପ ରାଶି । ସେ ନର ନାରାୟଣ ଋଷି ॥ ୨୬

ତପ ଆରାଧି ଘୋର ବନେ । ବସିଲେ ବଦରିକାଶ୍ରମେ ॥ ୨୭

କଳ୍ପେ ପର୍ଯ୍ୟନ୍ତ ତପ କରି । ମନ ପବନ ହୃଦେ ଧରି ॥ ୨୮

ଦେଖି ତାହାଙ୍କ ତପ ଘୋର । ସ୍ୱର୍ଗେ କମ୍ପିଲା ସୁନାସୀର ॥ ୨୯

କରଇ ମନରେ ବିଚାର । ନିଶ୍ଚେ ଘେନିବ ମୋର ପୁର ॥ ୩୦

ମୋ' ପଦ ହରିବ ଏ ବଳେ । ଏମନ୍ତ ଭାଳି ସେ ବିକଳେ ॥ ୩୧

ବିଚାରି ଦେବଙ୍କ ସଙ୍ଗତେ । ତପ ସମାଧି ବିଘ୍ନ ଅର୍ଥେ ॥ ୩୨

ଉପାୟ କଲା ଶଚୀପତି । ଯେଣୁ ସ୍ୱଭାବେ ମନ୍ଦମତି ॥ ୩୩

କନ୍ଦର୍ପେ ରାଇ ପୁରନ୍ଦର । ବୋଇଲେ ଚଳ ମଞ୍ଚପୁର ॥ ୩୪

ବସନ୍ତ ପବନକୁ ଚାହିଁ । ବୋଲଇ ସଙ୍ଗେ ଚଳ ତୁହି ॥ ୩୫

ତୁ ତ ସ୍ୱଭାବେ ଶୀତ ମନ୍ଦ । ଘେନିଣ ଅପସରା ବୃନ୍ଦ ॥ ୩୬

କୋକିଳ ଧ୍ୱନି ଗୀତସ୍ୱନେ । ନୃତ୍ୟ କରିବ ବିଦ୍ୟମାନେ ॥ ୩୭

ନାନାପ୍ରକାରେ ମନ ହରି । ତପ ସମାଧି ଭଗ୍ନ କରି ॥ ୩୮

ବହନ ଆସ ସ୍ୱର୍ଗସ୍ଥାନେ । ଏମନ୍ତ ଇନ୍ଦ୍ରର ବଚନେ ॥ ୩୯

ମଧୁର ଧ୍ୱନି ଗୀତସ୍ୱନେ । ମିଳିଲେ ବଦରିକା ସ୍ଥାନେ ॥ ୪୦

ବସନ୍ତେ ପୁଷ୍ପିତ କାନନ । ଦେଖନ୍ତେ ହରେ ପ୍ରାଣୀ ମନ ॥ ୪୧

କନ୍ଦର୍ପ ନାରାୟଣେ ଚାହିଁ ପୁଷ୍ପକୋଦଣ୍ଡେ ଗୁଣ ଦେଇ ॥ ୪୨

ପଞ୍ଚନାରାଚ ଅତି ତମେ । ବିନ୍ଧିଲା ବିଷ୍ଣୁର ମରମେ ॥ ୪୩

ଲଳିତ ବହଇ ବସନ୍ତ । ଗାନ୍ଧାର ରାଗେ ଶୁଭେ ଗୀତ ॥ ୪୪

ଦେଖିଣ ତାହାଙ୍କ ଉପାୟ । ଧ୍ୟାନେ ଜାଣିଲେ ଦେବାରାୟ ॥ ୪୫

ଇନ୍ଦ୍ର ଯେ ଭୟକରି ଚିତ୍ତେ । ମୋର ସମାଧି ବିଘ୍ନ ଅର୍ଥେ ॥ ୪୬

ଏହାଙ୍କୁ ପେଷି ଉଦ୍ବେଗେ । ମନ ବିଷାଦେ ଅଛି ସ୍ୱର୍ଗେ ॥ ୪୭

ଏତେ ବିଚାରି ନାରାୟଣ । ବୋଇଲେ ଇନ୍ଦ୍ରଗଣେ ଶୁଣ ॥ ୪୮

ରଙ୍ଗ ଅଧରେ ମନ୍ଦ ହସି । ତାହାଙ୍କୁ ବୋଲନ୍ତି ଆଶ୍ୱାସି ॥ ୪୯

ଭୟ ନ କର ତୁମ୍ଭେ ଚିତ୍ତେ । ଉପାୟ କର ନାନାମତେ ॥ ୫୦

ମୋହର ତପ ଭଗ୍ନକର । ଇନ୍ଦ୍ରକୁ ଯେବେ ତୁମ୍ଭ ଡ଼ର ॥ ୫୧

ଆଜ ତୁମ୍ଭର ଆଗମନ । ଧନ୍ୟ ମଙ୍ଗଳ ମୋର ସ୍ଥାନ ॥ ୫୨

ଏମନ୍ତେ କହି ଭଗବାନ । ତକ୍ଷଣେ ହୋଇଲେ ମଉନ ॥ ୫୩

ତା' ଶୁଣି ଇନ୍ଦ୍ରଗଣ ଡ଼ରେ । ନମିଲେ ବିଷ୍ଣୁର ପ୍ରୟରେ ॥ ୫୪

ଭୟେ କମ୍ପନ୍ତି ମୁଖ ଚାହିଁ । ବୋଲନ୍ତି ଶୁଣ ଭାବଗ୍ରାହୀ ॥ ୫୫

ଏ ଯେ ବିଚିତ୍ର ନୋହେ ତୋ’ର । ତୁ ଧର୍ମଦେବ ନିରାକାର ॥ ୫୬

ନିର୍ଗୁଣ ନିର୍ବିକଳ୍ପ ଦେହୀ । ପ୍ରକୃତି ତୋତେ ନ ଜାଣଇ ॥ ୫୭

ତୋହର ଅଭୟ ଚରଣେ । ସେବନ୍ତି ଆତ୍ମଜ୍ଞାନୀ ଜନେ ॥ ୫୮

ଯୋଗୀଙ୍କ ହୃଦୟ କମଳେ । ତୋହର ଆସନ ନିଶ୍ଚଳେ ॥ ୫୯

ତୋ'ର ଚରଣେ ଯେ ସେବନ୍ତି । ଦେବେ ତାହାଙ୍କୁ ବିଘ୍ନ ଚିନ୍ତି ॥ ୬୦

ବୋଲନ୍ତି ଯଜ୍ଞ ତପ ତ୍ୟାଗୀ । ଏ କିମ୍ପା ହେବ ମୋକ୍ଷଭାଗୀ ॥ ୬୧

ଏଣୁ ଡ଼ରନ୍ତି ଦେବଗଣ । କରନ୍ତି ବିଘ୍ନ ଆଚରଣ ॥ ୬୨

ଯେ ଅନ୍ୟ ଦେବତା ଭଜନ୍ତି । ସେ ତାଙ୍କ ବିଘ୍ନ ନ କରନ୍ତି ॥ ୬୩

ସମସ୍ତେ ମିଳି ଅଗ୍ନିକୁଣ୍ଡେ । ଘୃତ ସମିଧ ଖାଇ ତୁଣ୍ଡେ ॥ ୬୪

ଯଜ୍ଞ ଭୋଜନେ ସୁଖ ପା’ନ୍ତି । ତେଣୁ ସେ ବିଘ୍ନ ନ କରନ୍ତି ॥ ୬୫

ଯେ ତୁମ୍ଭ ଚରଣେ ସେବନ୍ତି । ସକଳ ଧର୍ମ ସେ ଜାଣନ୍ତି ॥ ୬୬

ଏକାନ୍ତ ଚିତ୍ତେ ସୁଖେ ଥାଇ । ଅନ୍ୟ ଦେବଙ୍କୁ ନ ଗଣଇ ॥ ୬୭

ତେଣୁ ସେ ଦେବେ କୋପଭରେ । ବିଘ୍ନ ଆଚରନ୍ତି ତାହାରେ ॥ ୬୮

ଯେ ତୁମ୍ଭ ଚରଣେ କିଙ୍କର । ତାହାଙ୍କୁ ତୁମ୍ଭେ ଦୟାକର ॥ ୬୯

ବିଘ୍ନ ତାହାଙ୍କ ପାଦ ନମେ । ଅନ୍ୟ ସଂସାରେ ଯାଇ ଭ୍ରମେ ॥ ୭୦

କ୍ଷୁଧା ପିପାସା ଶୀତ ଜ୍ୱର । ଦୁର୍ଜୟ ଶୋକ ଭୟଙ୍କର ॥ ୭୧

ମନ୍ଦପବନ କାମ ଭୋଗେ । ଥାଉଁ ନିରତେ ପ୍ରାଣୀ ସଙ୍ଗେ ॥ ୭୨

ବିଘ୍ନ ଆଚରୁ ଶତ୍ରୁପଣେ । ଯେ ଧର୍ମ କରେ ଅନୁକ୍ଷଣେ ॥ ୭୩

ଯେ ଘୋର ତପ ଆଚରନ୍ତି । ତାହାଙ୍କୁ ଆମ୍ଭେ ବିଘ୍ନ ଚିନ୍ତି ॥ ୭୪

କଠୋର ତପ କରୁ ନାଶ । ସେ ହୋନ୍ତି କାମ କ୍ରୋଧେ ବଶ ॥ ୭୫

ଛାଡ଼ନ୍ତି ତପ-ଧର୍ମ-ଲୟେ । ପଡ଼ନ୍ତି ବିଷ୍ଣୁମାୟା ମୋହେ ॥ ୭୬

ଆମ୍ଭର ମହିମା ଏମନ୍ତ । ଯେ ପ୍ରାଣୀ ତୁମ୍ଭର ଭକତ ॥ ୭୭

ତାହାଙ୍କୁ ଦେଖି ଆମ୍ଭେ ଡ଼ରୁ । ସେ ପ୍ରାଣୀ ତରନ୍ତି ସଂସାରୁ ॥ ୭୮

ବାଛୁରୀ ଖୋଜେ ଜଳ ଥିଲେ । ତାହା ଯେସନେ ଲଂଘି ହେଳେ ॥ ୭୯

ଏମନ୍ତ କହୁ ଇନ୍ଦ୍ରଗଣେ । ବିଷ୍ଣୁ ସମୀପେ ତତକ୍ଷଣେ ॥ ୮୦

ଅଦ୍ଭୂତ ନାରୀ ରୂପରାଶି । ବିଜୁଳି ଯେହ୍ନେ ମେଘୁ ଖସି ॥ ୮୧

ସେବନ୍ତି ନାରାୟଣ ପାଶେ । ତା' ଦେଖି ଇନ୍ଦ୍ରଗଣ ତ୍ରାସେ ॥ ୮୨

କମ୍ପନ୍ତି ଜୀବନ ବିକଳେ । ନୟନ ବୁଜି ବେନି କରେ ॥ ୮୩

ସେ ରୂପରାଶି ଦେହଗନ୍ଧେ । ଆଘ୍ରାଣ କରି ନାସାରନ୍ଧ୍ରେ ॥ ୮୪

ହରିଲା ତାହାଙ୍କର ମନ । ରୂପକୁ ଚାହିଁ ହତଜ୍ଞାନ ॥ ୮୫

ମୋହେ ପଡ଼ିଲେ ମହୀତଳେ । କନ୍ୟାଙ୍କ ରୂପଗନ୍ଧ ବଳେ ॥ ୮୬

ତା' ଦେଖି ପ୍ରଭୁ ବ୍ରହ୍ମରାଶି । ରଙ୍ଗ ଅଧରେ ମନ୍ଦ ହସି ॥ ୮୭

ବୋଲନ୍ତି ଦେବଗଣ ଚାହିଁ । ଭୟ ନ କର ତୁମ୍ଭେ କେହି ॥ ୮୮

ମୋର ନିକଟେ କନ୍ୟା ଯେତେ । ଅଛନ୍ତି ସେବା ଅନୁମତେ ॥ ୮୯

ତାହାଙ୍କ ପାଦେ ସେବାକର । କନ୍ୟା ଗୋଟିଏ ମାଗ ବର ॥ ୯୦

ସେ ଯେବେ ଦେବେ ଏକନାରୀ । ତା' ଘେନି ଚଳ ସ୍ୱର୍ଗପୁରୀ ॥ ୯୧

ସେ ହେଉ ସ୍ୱର୍ଗେ ଅଳଙ୍କାର । ରୂପେଣ ମୋହୁ ସୁନାସୀର ॥ ୯୨

ତକ୍ଷଣେ ଆଜ୍ଞା ଶିରେ ଧରି । କନ୍ୟାଙ୍କ ପାଦେ ସେବା କରି ॥ ୯୩

କନ୍ୟାଏ ଲଭି ତା'ଙ୍କ ମଧ୍ୟେ । ସ୍ୱର୍ଗେ ଚଳିଲେ ଅପ୍ରମାଦେ ॥ ୯୪

ଉର୍ବଶୀ ନାମ ସେ ବୋଲାଇ । ଅପ୍ସରା ମଧ୍ୟେ ଶ୍ରେଷ୍ଠ ସେହି ॥ ୯୫

ଇନ୍ଦ୍ର ସମୀପେ ଦେଲେ ନେଇ । ନମିଲେ ଶିରେ କର ଦେଇ ॥ ୯୬

ଦେଖି ସାନନ୍ଦ ପୁରନ୍ଦର । ରୂପେ ମୋହିଲା ସ୍ୱର୍ଗପୁର ॥ ୯୭

ସଭାରେ ଦେବଙ୍କ ଅଗ୍ରତ । କହିଲେ ସକଳ ବୃତ୍ତାନ୍ତ ॥ ୯୮

ଇନ୍ଦ୍ର ସଭୟେ ତାହା ଶୁଣି । ଜାଣିଲେ ନିଶ୍ଚେ ଚକ୍ରପାଣି ॥ ୯୯

ବିସ୍ମୟ ହୋଇ ଇନ୍ଦ୍ର ମନେ । ବୋଧିଲା ହୃଦୟ ଯତନେ ॥ ୧୦୦

ଏବେ ହୋ ଶୁଣ ନୃପବର । ବିଷ୍ଣୁର କଳା ଅବତାର ॥ ୧୦୧

ପରମହଂସ ରୂପ ହୋଇ । ଅଶେଷ ଜ୍ଞାନମୟ ଦେହୀ ॥ ୧୦୨

ଜଗତ ମଙ୍ଗଳ ନିମିତ୍ତେ । କହିଲେ ଆତ୍ମଜ୍ଞାନ ଯେତେ ॥ ୧୦୩

ଯେ ଅବା କଲେ ଏ ଜଗତେ । ଏବେ ହୋ ଶୁଣ ଏକଚିତ୍ତେ ॥ ୧୦୪

ତୃତୀୟେ ଦତ୍ତାତ୍ରେୟ ହୋଇ । ଜ୍ଞାନ ମଙ୍ଗଳ ପୁଣ୍ୟଦେହୀ ॥ ୧୦୫

ବ୍ରହ୍ମା ମନରୁ ଅବତରି । ଚତୁଃସନଙ୍କ ରୂପଧରି ॥ ୧୦୬

ପୁଣି ଋଷଭ ଅବତାର । ଆମ୍ଭେ ହୋ ତାହାଙ୍କ କୁମର ॥ ୧୦୭

ସେ ପୁଣି ହୟଗ୍ରୀବ ହେଲେ । ସେ ରୂପେ ବେଦ ଉଦ୍ଧରିଲେ ॥ ୧୦୮

ମଧୁ କୈଟଭ ସଂହାରିଲେ । ବ୍ରହ୍ମାଙ୍କୁ ସଙ୍କଟୁ ତାରିଲେ ॥ ୧୦୯

ପଞ୍ଚମେ ମୀନରୂପ ହୋଇ । ଧରଣୀ ନାବ-ଶୃଙ୍ଗେ ବହି ॥ ୧୧୦

ପ୍ରଳୟ ଜଳେ ଶଙ୍ଖା ମାରି । ସେ ରୂପେ ନିଗମ ଉଦ୍ଧାରି ॥ ୧୧୧

ପ୍ରଳୟ ବୃଷ୍ଟିଜଳେ ଭାସି । ଭୂମି ପାତାଳେ ଥିଲା ପଶି ॥ ୧୧୨

ଶୂକର ରୂପ ଧରି ହରି । ଭୂମି ତୋଳିଲେ ଦନ୍ତୋପରି ॥ ୧୧୩

ଆଦି ଅସୁର ହିରଣ୍ୟାକ୍ଷ । ତାହାକୁ ନାଶିଲେ ପ୍ରତ୍ୟକ୍ଷ ॥ ୧୧୪

ଇନ୍ଦ୍ର ସମ୍ପଦ ଲାଭ ଅର୍ଥେ । ଦେବ ଦାନବ ଅନୁମତେ ॥ ୧୧୫

ଗଭୀର କ୍ଷୀରସିନ୍ଧୁ ମଧ୍ୟେ । ମନ୍ଦର ଆଣି ସୁର-ସିଦ୍ଧେ ॥ ୧୧୬

ଜଳେ ପକାନ୍ତେ ମହାଗିରି । ହରି ତା କୂର୍ମରୂପେ ଧରି ॥ ୧୧୭

ଅମୃତ ଆଦି ନାନା ଦ୍ରବ୍ୟ । ଇନ୍ଦ୍ରଙ୍କୁ ଦେଲେ ହରି ସର୍ବ ॥ ୧୧୮

ଗଜ କୁମ୍ଭୀର ଯୁଦ୍ଧ କାଳେ । ସେ ହରି ରୂପ ଅନ୍ତରାଳେ ॥ ୧୧୯

ଚକ୍ରେ କୁମ୍ଭୀର ମୁଣ୍ଡ ହାଣି । ଗଜ ଉଦ୍ଧରି ଚକ୍ରପାଣି ॥ ୧୨୦

କଶ୍ୟପ ଯଜ୍ଞେ ଋଷିମେଳା । ଷାଠିସହସ୍ର ବାଳଖିଲ୍ୟା ॥ ୧୨୧

ନିତ୍ୟେ ଚାଲନ୍ତି ବନଦାଣ୍ଡେ । କାଷ୍ଟ ବହନ୍ତି କନ୍ଧେ ମୁଣ୍ଡେ ॥ ୧୨୨

ଦିନେକ ଘେନି ଏକଡ଼ାଳେ । ଷାଠିସହସ୍ର ଏକମେଳେ ॥ ୧୨୩

ବହି ଆଣନ୍ତେ ବାହୁବଳେ । ପଡ଼ିଲେ ଗୋଷ୍ପଦସଲିଳେ ॥ ୧୨୪

ସମସ୍ତେ ହୋଇ ଏକମୁଖ । ଡ଼ାକନ୍ତି ନାରାୟଣ ରଖ ॥ ୧୨୫

ଦେଖିଣ ତାହାଙ୍କ ବିକଳ । ଦୟାସାଗର ଆଦିମୂଳ ॥ ୧୨୬

ତକ୍ଷଣେ ଦିବ୍ୟରୂପ ଧରି । ବିପ୍ରଙ୍କୁ ସଙ୍କଟୁ ଉଦ୍ଧରି ॥ ୧୨୭

ଦେବ ଅସୁର ଯୁଦ୍ଧକାଳେ । ବାସବ ନିଜ ଭୁଜବଳେ ॥ ୧୨୮

ବଜ୍ରେ ଛେଦିଲା ବୃତ୍ରକନ୍ଧ । ତେଣୁ ଲଭିଲା ବ୍ରହ୍ମବଧ ॥ ୧୨୯

ବିଚାରି କଲା ମନେ ଦୁଃଖ । ଡ଼ାକିଲା ନାରାୟଣ ରଖ ॥ ୧୩୦

ତକ୍ଷଣେ ଧର୍ମରୂପ ଧରି । ଇନ୍ଦ୍ରକୁ ସଂଙ୍କଟୁ ଉଦ୍ଧରି ॥ ୧୩୧

ଆଦିଅସୁର ପଦ୍ମକଳ୍ପେ । ନାଶିଲେ ନରସିଂହ ରୂପେ ॥ ୧୩୨

ଦୟାସାଗର ଦାମୋଦର । ଆନନ୍ଦ କଲେ ତିନିପୁର ॥ ୧୩୩

ଦେବଙ୍କ ଛଳେ ଦୈତ୍ୟ ମାରି । ପୃଥ୍ୱୀ ପାଳଇ ନରହରି ॥ ୧୩୪

ଅଦ୍ଭୂତ ବାମନ ଶରୀରେ । ମିଳିଲେ ବଳି ଯଜ୍ଞଘରେ ॥ ୧୩୫

ସେ ରୂପେ ମୋହି ତା'ର ମନ । ଦାନେ ହରିଲେ ତି୍ରଭୁବନ ॥ ୧୩୬

ପାଦେ ତାହାର ଶିର ଚାପି । ପାତାଳପୁରେ ନେଇ ସ୍ଥାପି ॥ ୧୩୭

ଇନ୍ଦ୍ରର ମନ କଲେ ଶୁଭ । ସୁଖେ ସେ ଭୁଞ୍ଜଇ ଦୁର୍ଲ୍ଲଭ ॥ ୧୩୮

ସେ ପୁଣି ଭୃଗୁବଂଶେ ହରି । ପରଶୁରାମ ରୂପ ଧରି ॥ ୧୩୯

ଏକବିଂଶତି ବାର କୋପେ । ଅବନୀ ଭ୍ରମି ବିଶ୍ୱରୂପେ ॥ ୧୪୦

କ୍ଷତି୍ରୟକୁଳ ସଂହରଣ । କଲେ ଅନାଦି ନାରାୟଣ ॥ ୧୪୧

ରାବଣ ରାମ ରୂପେ ମାରି । ଜାନକୀ ସଙ୍କଟୁ ଉଦ୍ଧରି ॥ ୧୪୨

ଧରଣୀ ମଧ୍ୟେ ଯଶ ଥୋଇ । ସଂସାର ତରେ ଯାହା ଗାଇ ॥ ୧୪୩

ପୁଣି ଅନନ୍ତ ଅବତାରେ । ହଳ-ମୂଷଳ ଧରି କରେ ॥ ୧୪୪

ଘୋର-ଦାନବ ଦର୍ପ ହରି । ସୁଖେ ସ୍ଥାପିଲେ ବସୁନ୍ଧରୀ ॥ ୧୪୫

ପ୍ରବୋଧ-ବୁଦ୍ଧ ଅବତାରେ । ଜ୍ଞାନ ବିସ୍ତାରେ ଏ ସଂସାରେ ॥ ୧୪୬

ଅଶ୍ୱ ଆରୋହି କଳ୍ପୀ ରୂପେ । ମ୍ଳେଛ ସଂହାରେ ମହାକୋପେ ॥ ୧୪୭

ଏମନ୍ତେ ନାନାରୂପ ଧରେ । ସେ ହରି ସଂସାରେ ବିହରେ ॥ ୧୪୮

କେ ତା'ର ଗୁଣ କର୍ମ ସୁଖେ । ସଂଖ୍ୟା କରିବ ସପ୍ତଲୋକେ ॥ ୧୪୯

ଯେ ଅବା କହିଲି ସଂକ୍ଷେପେ । ଭୋ ରାଜା ତୋହର ସମୀପେ ॥ ୧୫୦

ନାରଦ ବସୁଦେବ ମେଳେ । ଶୁକ-ପରୀକ୍ଷ ଗଙ୍ଗାକୂଳେ ॥ ୧୫୧

ଏମନ୍ତ ପ୍ରଶ୍ନ ଏକାଦଶ । କହିଲା ଜଗନ୍ନାଥ ଦାସ ॥ ୧୫୨

ଶ୍ରୀଭାଗବତ ଧର୍ମକଥା । ଶୁଣି ଛାଡ଼ିବ ମନୁବ୍ୟଥା ॥ ୧୫୩

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ

ସଂହିତାୟାଂ ଏକାଦଶସ୍କନ୍ଦେ ପଞ୍ଚମୋଦ୍ଧଧ୍ୟାୟଃ ॥

* * *