ଏକାଦଶ ସ୍କନ୍ଧ
ପଞ୍ଚମ ଅଧ୍ୟାୟ
ଏମନ୍ତେ କର୍ମଯୋଗ ଶୁଣି । ରାଜା ବୋଲଇ ମନେ ଗୁଣି ॥ ୧
ନିର୍ଗୁଣ ନିରଞ୍ଜନ ହରି । ଧରଣୀ ତଳେ ଦେହ ଧରି ॥ ୨
ଯେ କର୍ମ କଲେ ତି୍ରଭୁବନେ । ଯେ ଅବତାର ଯେଉଁ ସ୍ଥାନେ ॥ ୩
ସେ କଥା କହ ମୁନିଗଣ । ସନ୍ତୋଷ ନୋହେ ମୋର ମନ ॥ ୪
ଏମନ୍ତ ରାଜା ସାଧୁକଥା । ଶୁଣି ଦ୍ରୁମିଳ ଶୁଦ୍ଧଚେତା ॥ ୫
ରୋମପୁଲକ କଲା ତନୁ । ଅଶ୍ରୁ ଗଳଇ ତା ନୟନୁ ॥ ୬
ଦ୍ରୁମିଳ ଉବାଚ
ବୋଲଇ ଶୁଣ ନରନାଥ । ଅଶେଷ କୃଷ୍ଣର ଚରିତ ॥ ୭
କେ ତାହା ଅନୁମାନ କରି । ମୁଖେ କହିବ ଚିତ୍ତେ ଧରି ॥ ୮
ବାଳକ ସମ ବୁଦ୍ଧିହୀନ । ଜଗତେ ଅଛି କେବା ଜନ ॥ ୯
ପଣ୍ଡିତପଣେ ଗର୍ବ କରି । ହୃଦରେ ଅହଙ୍କାର ଭରି ॥ ୧୦
କଥନେ କୃଷ୍ଣଗୁଣ ବଳେ । କେ ଅଛି ଭୁବନମଣ୍ଡଳେ ॥ ୧୧
ମୃତ୍ତିକା ଖଣ୍ଡ ଚୂର୍ଣ୍ଣ କରି । କେ ଗଣିପାରେ ମନେ ଧରି ॥ ୧୨
ସେ କାହିଁ କୃଷ୍ଣର ମହିମା । ମୁଖେ କହିବ ଗୁଣସୀମା ॥ ୧୩
ବ୍ରହ୍ମାଣ୍ଡ ରଚି ପଞ୍ଚଭୂତେ । ଅଂଶେ ତାହାର ମଧ୍ୟଗତେ ॥ ୧୪
ଆଦି ଅନନ୍ତ ନରହରି । ପଶେ ବିରାଟ ରୂପ ଧରି ॥ ୧୫
ତିନିଭୁବନ ଦେହେ ଧରେ । ସୃଷ୍ଟି ପାଳନ ଅନ୍ତ କରେ ॥ ୧୬
ଇନ୍ଦି୍ରୟମାନଙ୍କର ଅର୍ଥ ॥ ଯାହାର ଜ୍ଞାନେ ଆତଯାତ ॥ ୧୭
ଦେହ ଇନ୍ଦି୍ରୟ କି୍ରୟା ଶକ୍ତି । ଯା'ର ନିଃଶ୍ୱାସୁ ପ୍ରକାଶନ୍ତି ॥ ୧୮
ପ୍ରଥମେ ରଜୋଗୁଣ ଧରି । ବିଧାତା ରୂପେ ଅବତରି ॥ ୧୯
ସୃଷ୍ଟି କରଇ ନାନାମତେ । ବିଧି ବିଧାନ ଦେବତତ୍ତେ୍ୱ ॥ ୨୦
ପାଳଇ ଯଜ୍ଞପତି ରୂପେ । ଜୀବ ଖେଳଇ ମୋହକଳ୍ପେ ॥ ୨୧
ଈଶ୍ୱର ରୂପେ ତମୋଗୁଣେ । ଦହଇ ସୃଷ୍ଟି ସଂହାରଣେ ॥ ୨୨
ଏ ଗୁଣମୟ ନିରାକାର । ଏଣୁ ତୃତୀୟ ରୂପ ତା’ର ॥ ୨୩
ପୂର୍ବେ ଯେ ଦକ୍ଷପ୍ରଜାପତି । ତା'ର କୁମାରୀ ନାମ ମୂର୍ତ୍ତି ॥ ୨୪
ଧର୍ମର ପତ୍ନୀ ସେ ଯୁକତେ । ବିଷ୍ଣୁ ତାହାର ଗର୍ଭେଗତେ ॥ ୨୫
ଅରୂପ ହୋଇ ରୂପ ରାଶି । ସେ ନର ନାରାୟଣ ଋଷି ॥ ୨୬
ତପ ଆରାଧି ଘୋର ବନେ । ବସିଲେ ବଦରିକାଶ୍ରମେ ॥ ୨୭
କଳ୍ପେ ପର୍ଯ୍ୟନ୍ତ ତପ କରି । ମନ ପବନ ହୃଦେ ଧରି ॥ ୨୮
ଦେଖି ତାହାଙ୍କ ତପ ଘୋର । ସ୍ୱର୍ଗେ କମ୍ପିଲା ସୁନାସୀର ॥ ୨୯
କରଇ ମନରେ ବିଚାର । ନିଶ୍ଚେ ଘେନିବ ମୋର ପୁର ॥ ୩୦
ମୋ' ପଦ ହରିବ ଏ ବଳେ । ଏମନ୍ତ ଭାଳି ସେ ବିକଳେ ॥ ୩୧
ବିଚାରି ଦେବଙ୍କ ସଙ୍ଗତେ । ତପ ସମାଧି ବିଘ୍ନ ଅର୍ଥେ ॥ ୩୨
ଉପାୟ କଲା ଶଚୀପତି । ଯେଣୁ ସ୍ୱଭାବେ ମନ୍ଦମତି ॥ ୩୩
କନ୍ଦର୍ପେ ରାଇ ପୁରନ୍ଦର । ବୋଇଲେ ଚଳ ମଞ୍ଚପୁର ॥ ୩୪
ବସନ୍ତ ପବନକୁ ଚାହିଁ । ବୋଲଇ ସଙ୍ଗେ ଚଳ ତୁହି ॥ ୩୫
ତୁ ତ ସ୍ୱଭାବେ ଶୀତ ମନ୍ଦ । ଘେନିଣ ଅପସରା ବୃନ୍ଦ ॥ ୩୬
କୋକିଳ ଧ୍ୱନି ଗୀତସ୍ୱନେ । ନୃତ୍ୟ କରିବ ବିଦ୍ୟମାନେ ॥ ୩୭
ନାନାପ୍ରକାରେ ମନ ହରି । ତପ ସମାଧି ଭଗ୍ନ କରି ॥ ୩୮
ବହନ ଆସ ସ୍ୱର୍ଗସ୍ଥାନେ । ଏମନ୍ତ ଇନ୍ଦ୍ରର ବଚନେ ॥ ୩୯
ମଧୁର ଧ୍ୱନି ଗୀତସ୍ୱନେ । ମିଳିଲେ ବଦରିକା ସ୍ଥାନେ ॥ ୪୦
ବସନ୍ତେ ପୁଷ୍ପିତ କାନନ । ଦେଖନ୍ତେ ହରେ ପ୍ରାଣୀ ମନ ॥ ୪୧
କନ୍ଦର୍ପ ନାରାୟଣେ ଚାହିଁ ପୁଷ୍ପକୋଦଣ୍ଡେ ଗୁଣ ଦେଇ ॥ ୪୨
ପଞ୍ଚନାରାଚ ଅତି ତମେ । ବିନ୍ଧିଲା ବିଷ୍ଣୁର ମରମେ ॥ ୪୩
ଲଳିତ ବହଇ ବସନ୍ତ । ଗାନ୍ଧାର ରାଗେ ଶୁଭେ ଗୀତ ॥ ୪୪
ଦେଖିଣ ତାହାଙ୍କ ଉପାୟ । ଧ୍ୟାନେ ଜାଣିଲେ ଦେବାରାୟ ॥ ୪୫
ଇନ୍ଦ୍ର ଯେ ଭୟକରି ଚିତ୍ତେ । ମୋର ସମାଧି ବିଘ୍ନ ଅର୍ଥେ ॥ ୪୬
ଏହାଙ୍କୁ ପେଷି ଉଦ୍ବେଗେ । ମନ ବିଷାଦେ ଅଛି ସ୍ୱର୍ଗେ ॥ ୪୭
ଏତେ ବିଚାରି ନାରାୟଣ । ବୋଇଲେ ଇନ୍ଦ୍ରଗଣେ ଶୁଣ ॥ ୪୮
ରଙ୍ଗ ଅଧରେ ମନ୍ଦ ହସି । ତାହାଙ୍କୁ ବୋଲନ୍ତି ଆଶ୍ୱାସି ॥ ୪୯
ଭୟ ନ କର ତୁମ୍ଭେ ଚିତ୍ତେ । ଉପାୟ କର ନାନାମତେ ॥ ୫୦
ମୋହର ତପ ଭଗ୍ନକର । ଇନ୍ଦ୍ରକୁ ଯେବେ ତୁମ୍ଭ ଡ଼ର ॥ ୫୧
ଆଜ ତୁମ୍ଭର ଆଗମନ । ଧନ୍ୟ ମଙ୍ଗଳ ମୋର ସ୍ଥାନ ॥ ୫୨
ଏମନ୍ତେ କହି ଭଗବାନ । ତକ୍ଷଣେ ହୋଇଲେ ମଉନ ॥ ୫୩
ତା' ଶୁଣି ଇନ୍ଦ୍ରଗଣ ଡ଼ରେ । ନମିଲେ ବିଷ୍ଣୁର ପ୍ରୟରେ ॥ ୫୪
ଭୟେ କମ୍ପନ୍ତି ମୁଖ ଚାହିଁ । ବୋଲନ୍ତି ଶୁଣ ଭାବଗ୍ରାହୀ ॥ ୫୫
ଏ ଯେ ବିଚିତ୍ର ନୋହେ ତୋ’ର । ତୁ ଧର୍ମଦେବ ନିରାକାର ॥ ୫୬
ନିର୍ଗୁଣ ନିର୍ବିକଳ୍ପ ଦେହୀ । ପ୍ରକୃତି ତୋତେ ନ ଜାଣଇ ॥ ୫୭
ତୋହର ଅଭୟ ଚରଣେ । ସେବନ୍ତି ଆତ୍ମଜ୍ଞାନୀ ଜନେ ॥ ୫୮
ଯୋଗୀଙ୍କ ହୃଦୟ କମଳେ । ତୋହର ଆସନ ନିଶ୍ଚଳେ ॥ ୫୯
ତୋ'ର ଚରଣେ ଯେ ସେବନ୍ତି । ଦେବେ ତାହାଙ୍କୁ ବିଘ୍ନ ଚିନ୍ତି ॥ ୬୦
ବୋଲନ୍ତି ଯଜ୍ଞ ତପ ତ୍ୟାଗୀ । ଏ କିମ୍ପା ହେବ ମୋକ୍ଷଭାଗୀ ॥ ୬୧
ଏଣୁ ଡ଼ରନ୍ତି ଦେବଗଣ । କରନ୍ତି ବିଘ୍ନ ଆଚରଣ ॥ ୬୨
ଯେ ଅନ୍ୟ ଦେବତା ଭଜନ୍ତି । ସେ ତାଙ୍କ ବିଘ୍ନ ନ କରନ୍ତି ॥ ୬୩
ସମସ୍ତେ ମିଳି ଅଗ୍ନିକୁଣ୍ଡେ । ଘୃତ ସମିଧ ଖାଇ ତୁଣ୍ଡେ ॥ ୬୪
ଯଜ୍ଞ ଭୋଜନେ ସୁଖ ପା’ନ୍ତି । ତେଣୁ ସେ ବିଘ୍ନ ନ କରନ୍ତି ॥ ୬୫
ଯେ ତୁମ୍ଭ ଚରଣେ ସେବନ୍ତି । ସକଳ ଧର୍ମ ସେ ଜାଣନ୍ତି ॥ ୬୬
ଏକାନ୍ତ ଚିତ୍ତେ ସୁଖେ ଥାଇ । ଅନ୍ୟ ଦେବଙ୍କୁ ନ ଗଣଇ ॥ ୬୭
ତେଣୁ ସେ ଦେବେ କୋପଭରେ । ବିଘ୍ନ ଆଚରନ୍ତି ତାହାରେ ॥ ୬୮
ଯେ ତୁମ୍ଭ ଚରଣେ କିଙ୍କର । ତାହାଙ୍କୁ ତୁମ୍ଭେ ଦୟାକର ॥ ୬୯
ବିଘ୍ନ ତାହାଙ୍କ ପାଦ ନମେ । ଅନ୍ୟ ସଂସାରେ ଯାଇ ଭ୍ରମେ ॥ ୭୦
କ୍ଷୁଧା ପିପାସା ଶୀତ ଜ୍ୱର । ଦୁର୍ଜୟ ଶୋକ ଭୟଙ୍କର ॥ ୭୧
ମନ୍ଦପବନ କାମ ଭୋଗେ । ଥାଉଁ ନିରତେ ପ୍ରାଣୀ ସଙ୍ଗେ ॥ ୭୨
ବିଘ୍ନ ଆଚରୁ ଶତ୍ରୁପଣେ । ଯେ ଧର୍ମ କରେ ଅନୁକ୍ଷଣେ ॥ ୭୩
ଯେ ଘୋର ତପ ଆଚରନ୍ତି । ତାହାଙ୍କୁ ଆମ୍ଭେ ବିଘ୍ନ ଚିନ୍ତି ॥ ୭୪
କଠୋର ତପ କରୁ ନାଶ । ସେ ହୋନ୍ତି କାମ କ୍ରୋଧେ ବଶ ॥ ୭୫
ଛାଡ଼ନ୍ତି ତପ-ଧର୍ମ-ଲୟେ । ପଡ଼ନ୍ତି ବିଷ୍ଣୁମାୟା ମୋହେ ॥ ୭୬
ଆମ୍ଭର ମହିମା ଏମନ୍ତ । ଯେ ପ୍ରାଣୀ ତୁମ୍ଭର ଭକତ ॥ ୭୭
ତାହାଙ୍କୁ ଦେଖି ଆମ୍ଭେ ଡ଼ରୁ । ସେ ପ୍ରାଣୀ ତରନ୍ତି ସଂସାରୁ ॥ ୭୮
ବାଛୁରୀ ଖୋଜେ ଜଳ ଥିଲେ । ତାହା ଯେସନେ ଲଂଘି ହେଳେ ॥ ୭୯
ଏମନ୍ତ କହୁ ଇନ୍ଦ୍ରଗଣେ । ବିଷ୍ଣୁ ସମୀପେ ତତକ୍ଷଣେ ॥ ୮୦
ଅଦ୍ଭୂତ ନାରୀ ରୂପରାଶି । ବିଜୁଳି ଯେହ୍ନେ ମେଘୁ ଖସି ॥ ୮୧
ସେବନ୍ତି ନାରାୟଣ ପାଶେ । ତା' ଦେଖି ଇନ୍ଦ୍ରଗଣ ତ୍ରାସେ ॥ ୮୨
କମ୍ପନ୍ତି ଜୀବନ ବିକଳେ । ନୟନ ବୁଜି ବେନି କରେ ॥ ୮୩
ସେ ରୂପରାଶି ଦେହଗନ୍ଧେ । ଆଘ୍ରାଣ କରି ନାସାରନ୍ଧ୍ରେ ॥ ୮୪
ହରିଲା ତାହାଙ୍କର ମନ । ରୂପକୁ ଚାହିଁ ହତଜ୍ଞାନ ॥ ୮୫
ମୋହେ ପଡ଼ିଲେ ମହୀତଳେ । କନ୍ୟାଙ୍କ ରୂପଗନ୍ଧ ବଳେ ॥ ୮୬
ତା' ଦେଖି ପ୍ରଭୁ ବ୍ରହ୍ମରାଶି । ରଙ୍ଗ ଅଧରେ ମନ୍ଦ ହସି ॥ ୮୭
ବୋଲନ୍ତି ଦେବଗଣ ଚାହିଁ । ଭୟ ନ କର ତୁମ୍ଭେ କେହି ॥ ୮୮
ମୋର ନିକଟେ କନ୍ୟା ଯେତେ । ଅଛନ୍ତି ସେବା ଅନୁମତେ ॥ ୮୯
ତାହାଙ୍କ ପାଦେ ସେବାକର । କନ୍ୟା ଗୋଟିଏ ମାଗ ବର ॥ ୯୦
ସେ ଯେବେ ଦେବେ ଏକନାରୀ । ତା' ଘେନି ଚଳ ସ୍ୱର୍ଗପୁରୀ ॥ ୯୧
ସେ ହେଉ ସ୍ୱର୍ଗେ ଅଳଙ୍କାର । ରୂପେଣ ମୋହୁ ସୁନାସୀର ॥ ୯୨
ତକ୍ଷଣେ ଆଜ୍ଞା ଶିରେ ଧରି । କନ୍ୟାଙ୍କ ପାଦେ ସେବା କରି ॥ ୯୩
କନ୍ୟାଏ ଲଭି ତା'ଙ୍କ ମଧ୍ୟେ । ସ୍ୱର୍ଗେ ଚଳିଲେ ଅପ୍ରମାଦେ ॥ ୯୪
ଉର୍ବଶୀ ନାମ ସେ ବୋଲାଇ । ଅପ୍ସରା ମଧ୍ୟେ ଶ୍ରେଷ୍ଠ ସେହି ॥ ୯୫
ଇନ୍ଦ୍ର ସମୀପେ ଦେଲେ ନେଇ । ନମିଲେ ଶିରେ କର ଦେଇ ॥ ୯୬
ଦେଖି ସାନନ୍ଦ ପୁରନ୍ଦର । ରୂପେ ମୋହିଲା ସ୍ୱର୍ଗପୁର ॥ ୯୭
ସଭାରେ ଦେବଙ୍କ ଅଗ୍ରତ । କହିଲେ ସକଳ ବୃତ୍ତାନ୍ତ ॥ ୯୮
ଇନ୍ଦ୍ର ସଭୟେ ତାହା ଶୁଣି । ଜାଣିଲେ ନିଶ୍ଚେ ଚକ୍ରପାଣି ॥ ୯୯
ବିସ୍ମୟ ହୋଇ ଇନ୍ଦ୍ର ମନେ । ବୋଧିଲା ହୃଦୟ ଯତନେ ॥ ୧୦୦
ଏବେ ହୋ ଶୁଣ ନୃପବର । ବିଷ୍ଣୁର କଳା ଅବତାର ॥ ୧୦୧
ପରମହଂସ ରୂପ ହୋଇ । ଅଶେଷ ଜ୍ଞାନମୟ ଦେହୀ ॥ ୧୦୨
ଜଗତ ମଙ୍ଗଳ ନିମିତ୍ତେ । କହିଲେ ଆତ୍ମଜ୍ଞାନ ଯେତେ ॥ ୧୦୩
ଯେ ଅବା କଲେ ଏ ଜଗତେ । ଏବେ ହୋ ଶୁଣ ଏକଚିତ୍ତେ ॥ ୧୦୪
ତୃତୀୟେ ଦତ୍ତାତ୍ରେୟ ହୋଇ । ଜ୍ଞାନ ମଙ୍ଗଳ ପୁଣ୍ୟଦେହୀ ॥ ୧୦୫
ବ୍ରହ୍ମା ମନରୁ ଅବତରି । ଚତୁଃସନଙ୍କ ରୂପଧରି ॥ ୧୦୬
ପୁଣି ଋଷଭ ଅବତାର । ଆମ୍ଭେ ହୋ ତାହାଙ୍କ କୁମର ॥ ୧୦୭
ସେ ପୁଣି ହୟଗ୍ରୀବ ହେଲେ । ସେ ରୂପେ ବେଦ ଉଦ୍ଧରିଲେ ॥ ୧୦୮
ମଧୁ କୈଟଭ ସଂହାରିଲେ । ବ୍ରହ୍ମାଙ୍କୁ ସଙ୍କଟୁ ତାରିଲେ ॥ ୧୦୯
ପଞ୍ଚମେ ମୀନରୂପ ହୋଇ । ଧରଣୀ ନାବ-ଶୃଙ୍ଗେ ବହି ॥ ୧୧୦
ପ୍ରଳୟ ଜଳେ ଶଙ୍ଖା ମାରି । ସେ ରୂପେ ନିଗମ ଉଦ୍ଧାରି ॥ ୧୧୧
ପ୍ରଳୟ ବୃଷ୍ଟିଜଳେ ଭାସି । ଭୂମି ପାତାଳେ ଥିଲା ପଶି ॥ ୧୧୨
ଶୂକର ରୂପ ଧରି ହରି । ଭୂମି ତୋଳିଲେ ଦନ୍ତୋପରି ॥ ୧୧୩
ଆଦି ଅସୁର ହିରଣ୍ୟାକ୍ଷ । ତାହାକୁ ନାଶିଲେ ପ୍ରତ୍ୟକ୍ଷ ॥ ୧୧୪
ଇନ୍ଦ୍ର ସମ୍ପଦ ଲାଭ ଅର୍ଥେ । ଦେବ ଦାନବ ଅନୁମତେ ॥ ୧୧୫
ଗଭୀର କ୍ଷୀରସିନ୍ଧୁ ମଧ୍ୟେ । ମନ୍ଦର ଆଣି ସୁର-ସିଦ୍ଧେ ॥ ୧୧୬
ଜଳେ ପକାନ୍ତେ ମହାଗିରି । ହରି ତା କୂର୍ମରୂପେ ଧରି ॥ ୧୧୭
ଅମୃତ ଆଦି ନାନା ଦ୍ରବ୍ୟ । ଇନ୍ଦ୍ରଙ୍କୁ ଦେଲେ ହରି ସର୍ବ ॥ ୧୧୮
ଗଜ କୁମ୍ଭୀର ଯୁଦ୍ଧ କାଳେ । ସେ ହରି ରୂପ ଅନ୍ତରାଳେ ॥ ୧୧୯
ଚକ୍ରେ କୁମ୍ଭୀର ମୁଣ୍ଡ ହାଣି । ଗଜ ଉଦ୍ଧରି ଚକ୍ରପାଣି ॥ ୧୨୦
କଶ୍ୟପ ଯଜ୍ଞେ ଋଷିମେଳା । ଷାଠିସହସ୍ର ବାଳଖିଲ୍ୟା ॥ ୧୨୧
ନିତ୍ୟେ ଚାଲନ୍ତି ବନଦାଣ୍ଡେ । କାଷ୍ଟ ବହନ୍ତି କନ୍ଧେ ମୁଣ୍ଡେ ॥ ୧୨୨
ଦିନେକ ଘେନି ଏକଡ଼ାଳେ । ଷାଠିସହସ୍ର ଏକମେଳେ ॥ ୧୨୩
ବହି ଆଣନ୍ତେ ବାହୁବଳେ । ପଡ଼ିଲେ ଗୋଷ୍ପଦସଲିଳେ ॥ ୧୨୪
ସମସ୍ତେ ହୋଇ ଏକମୁଖ । ଡ଼ାକନ୍ତି ନାରାୟଣ ରଖ ॥ ୧୨୫
ଦେଖିଣ ତାହାଙ୍କ ବିକଳ । ଦୟାସାଗର ଆଦିମୂଳ ॥ ୧୨୬
ତକ୍ଷଣେ ଦିବ୍ୟରୂପ ଧରି । ବିପ୍ରଙ୍କୁ ସଙ୍କଟୁ ଉଦ୍ଧରି ॥ ୧୨୭
ଦେବ ଅସୁର ଯୁଦ୍ଧକାଳେ । ବାସବ ନିଜ ଭୁଜବଳେ ॥ ୧୨୮
ବଜ୍ରେ ଛେଦିଲା ବୃତ୍ରକନ୍ଧ । ତେଣୁ ଲଭିଲା ବ୍ରହ୍ମବଧ ॥ ୧୨୯
ବିଚାରି କଲା ମନେ ଦୁଃଖ । ଡ଼ାକିଲା ନାରାୟଣ ରଖ ॥ ୧୩୦
ତକ୍ଷଣେ ଧର୍ମରୂପ ଧରି । ଇନ୍ଦ୍ରକୁ ସଂଙ୍କଟୁ ଉଦ୍ଧରି ॥ ୧୩୧
ଆଦିଅସୁର ପଦ୍ମକଳ୍ପେ । ନାଶିଲେ ନରସିଂହ ରୂପେ ॥ ୧୩୨
ଦୟାସାଗର ଦାମୋଦର । ଆନନ୍ଦ କଲେ ତିନିପୁର ॥ ୧୩୩
ଦେବଙ୍କ ଛଳେ ଦୈତ୍ୟ ମାରି । ପୃଥ୍ୱୀ ପାଳଇ ନରହରି ॥ ୧୩୪
ଅଦ୍ଭୂତ ବାମନ ଶରୀରେ । ମିଳିଲେ ବଳି ଯଜ୍ଞଘରେ ॥ ୧୩୫
ସେ ରୂପେ ମୋହି ତା'ର ମନ । ଦାନେ ହରିଲେ ତି୍ରଭୁବନ ॥ ୧୩୬
ପାଦେ ତାହାର ଶିର ଚାପି । ପାତାଳପୁରେ ନେଇ ସ୍ଥାପି ॥ ୧୩୭
ଇନ୍ଦ୍ରର ମନ କଲେ ଶୁଭ । ସୁଖେ ସେ ଭୁଞ୍ଜଇ ଦୁର୍ଲ୍ଲଭ ॥ ୧୩୮
ସେ ପୁଣି ଭୃଗୁବଂଶେ ହରି । ପରଶୁରାମ ରୂପ ଧରି ॥ ୧୩୯
ଏକବିଂଶତି ବାର କୋପେ । ଅବନୀ ଭ୍ରମି ବିଶ୍ୱରୂପେ ॥ ୧୪୦
କ୍ଷତି୍ରୟକୁଳ ସଂହରଣ । କଲେ ଅନାଦି ନାରାୟଣ ॥ ୧୪୧
ରାବଣ ରାମ ରୂପେ ମାରି । ଜାନକୀ ସଙ୍କଟୁ ଉଦ୍ଧରି ॥ ୧୪୨
ଧରଣୀ ମଧ୍ୟେ ଯଶ ଥୋଇ । ସଂସାର ତରେ ଯାହା ଗାଇ ॥ ୧୪୩
ପୁଣି ଅନନ୍ତ ଅବତାରେ । ହଳ-ମୂଷଳ ଧରି କରେ ॥ ୧୪୪
ଘୋର-ଦାନବ ଦର୍ପ ହରି । ସୁଖେ ସ୍ଥାପିଲେ ବସୁନ୍ଧରୀ ॥ ୧୪୫
ପ୍ରବୋଧ-ବୁଦ୍ଧ ଅବତାରେ । ଜ୍ଞାନ ବିସ୍ତାରେ ଏ ସଂସାରେ ॥ ୧୪୬
ଅଶ୍ୱ ଆରୋହି କଳ୍ପୀ ରୂପେ । ମ୍ଳେଛ ସଂହାରେ ମହାକୋପେ ॥ ୧୪୭
ଏମନ୍ତେ ନାନାରୂପ ଧରେ । ସେ ହରି ସଂସାରେ ବିହରେ ॥ ୧୪୮
କେ ତା'ର ଗୁଣ କର୍ମ ସୁଖେ । ସଂଖ୍ୟା କରିବ ସପ୍ତଲୋକେ ॥ ୧୪୯
ଯେ ଅବା କହିଲି ସଂକ୍ଷେପେ । ଭୋ ରାଜା ତୋହର ସମୀପେ ॥ ୧୫୦
ନାରଦ ବସୁଦେବ ମେଳେ । ଶୁକ-ପରୀକ୍ଷ ଗଙ୍ଗାକୂଳେ ॥ ୧୫୧
ଏମନ୍ତ ପ୍ରଶ୍ନ ଏକାଦଶ । କହିଲା ଜଗନ୍ନାଥ ଦାସ ॥ ୧୫୨
ଶ୍ରୀଭାଗବତ ଧର୍ମକଥା । ଶୁଣି ଛାଡ଼ିବ ମନୁବ୍ୟଥା ॥ ୧୫୩
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଏକାଦଶସ୍କନ୍ଦେ ପଞ୍ଚମୋଦ୍ଧଧ୍ୟାୟଃ ॥
* * *