ଏକାଦଶ ସ୍କନ୍ଧ
ଚତୁର୍ଥ ଅଧ୍ୟାୟ
ନିମି ଉବାଚ
ବୋଲନ୍ତି ନିମି ପୁଣ୍ୟଦେହା। ଜଗମୋହିନୀ ବିଷ୍ଣୁମାୟା॥ ୧
କି ରୂପେ ସଂସାର ପ୍ରଚରେ। ପ୍ରାଣୀ ତା' କେମନ୍ତେ ନିସ୍ତରେ॥ ୨
ତାହା ଜାଣିତେ ମୋର ଇଚ୍ଛା। କହି ପୂରାଅ ମନ ବାଞ୍ଛା ॥ ୩
ଗୋବିନ୍ଦ କଥା ସୁଧାପାନ। ଶୁଣି ସନ୍ତୋଷ ନୋହେ ମନ ॥ ୪
ବିଷ୍ଣୁମାୟାରେ ମୁହିଁ ଭ୍ରମି। ଜନ୍ମମରଣ ପଥଶ୍ରମୀ ॥ ୫
ସେ ତାପେ ତାପିତ ମୋ’ ଦେହ। ଅମୃତପାନ ମୋତେ ଦିଅ ॥ ୬
ହରିକଥନେ ମୋତେ ରଖ। ତା' ଶୁଣି ବୋଲେ ଅନ୍ତରୀକ୍ଷ ॥ ୭
ଅନ୍ତରୀକ୍ଷ ଉବାଚ
ଶୁଣ ରାଜନ ଶୁଦ୍ଧଚେତା। ଏ ବିଷ୍ଣୁମାୟାର ବ୍ୟବସ୍ଥା ॥ ୮
କେ ଜାଣିପାରେ ତା’ ସଂସାରେ। ଶୁଣ କହିବା କିଛି ତୋରେ ॥ ୯
ଅନାଦି ପୁରୁଷ ଅନନ୍ତ। ଯେମନ୍ତେ ସର୍ଜିଲେ ଜଗତ ॥ ୧୦
ନିର୍ଲେପ ପ୍ରଭୁ ଭଗବାନ । ମାୟାର ପରମ କାରଣ ॥ ୧୧
ସଂସାର କ୍ରୀଡ଼ା ଇଚ୍ଛା କରି। ଭାବେ ଈଶ୍ୱର ରୂପ ଧରି ॥ ୧୨
ଈଶ୍ୱର ତେଜେ ଅନ୍ତରାଳ। ତକ୍ଷଣେ ଉପୁଜିଲା କାଳ ॥ ୧୩
କାଳ ଶରୀରୁ ଆତ୍ମା ଜାତ। ସେ ନୋହେ ବିଷ୍ଣୁମାୟା ଗ୍ରସ୍ତ ॥ ୧୪
ଆତ୍ମା ସମୀପେ ଆଶ୍ରା କରି। ଜୀବ ଉପୁଜେ ମାୟା ଧରି ॥ ୧୫
ସେ ଜୀବ ଈଶ୍ୱର ଆୟତ୍ତ। ତ୍ରିଗୁଣ ମାୟାରେ ଯନ୍ତ୍ରିତ ॥ ୧୬
ସେ ମାୟା ଜୀବ ଦେହେ ଥାଇ। ପ୍ରକୃତି ରୂପେ ସମ୍ଭବଇ ॥ ୧୭
ସେ ମାୟା ପୁଣ ମହଦାଦି। ଜଗତ କାରଣ ପ୍ରସିଦ୍ଧି ॥ ୧୮
ସେ ମାୟା ଜୀବକୁ ଅନାଇ। ଈଶ୍ୱର ବଶେ କ୍ଷୋଭ ପାଇ ॥ ୧୯
ଯେସନେ ଜଳବିମ୍ବ ଜଳେ । ରୂପ ପ୍ରକାଶେ ବାୟୁବଳେ ॥ ୨୦
ସେ ରୂପେ ବିରାଟ ପୁରୁଷ। ଈଶ୍ୱର ମାୟାରେ ପ୍ରବେଶ ॥ ୨୧
ତାହାର ମଧ୍ୟେ ଆତ୍ମା ରୂପେ। ଜୀବ ଭ୍ରମଇ ମାୟାକଳ୍ପେ ॥ ୨୨
ଜୀବ ବିଷୟଭୋଗ ଅର୍ଥେ। ନାନା ପ୍ରପଞ୍ଚ ଏ ଜଗତେ ॥ ୨୩
ଯେ ଉଚ୍ଚନୀଚ୍ଚ ଦେହଧାରୀ। ଏ ପଞ୍ଚ ମହାଭୂତେ କରି ॥ ୨୪
ସୃଷ୍ଟି କରଇ ଭଗବାନ। ସେ ମାୟା ପ୍ରକାଶେ ପ୍ରଧାନ ॥ ୨୫
ଜୀବର ଭୋଗା ଭୋଗ ପାଇଁ। ଦଶଇନ୍ଦ୍ରିୟ ମନ ହୋଇ ॥ ୨୬
ପ୍ରବେଶ କରେ ତା'ର ମଧ୍ୟେ। ବିବିଧ ବିଷୟଙ୍କ ସଧେ ॥ ୨୭
ବସଇ ଜୀବର ସମୀପେ । ନିର୍ଲେପ ନିରଞ୍ଜନ ରୂପେ ॥ ୨୮
ଜୀବକୁ ଭୁଞ୍ଜାଇ ଭୁଞ୍ଜଇ। ଅନ୍ତରେ ସାକ୍ଷୀରୂପେ ଥାଇ ॥ ୨୯
ଜୀବ ମଣଇ ମୋର ଦେହ। ତେଣୁ ପଶଇ ମାୟା ମୋହ ॥ ୩୦
କରେ କରାଏ ସର୍ବକର୍ମ। ଯେ ବେଦବିଧି ନିଜ ଧର୍ମ ॥ ୩୧
ସଙ୍ଗ ନୁହଇ କର୍ମଫଳେ। ନଳିନୀଦଳ ଯେହ୍ନେ ଜଳେ ॥ ୩୨
ଜୀବ ଈଶ୍ୱର ବଶ ହୋଇ। ଇନ୍ଦ୍ରିୟ ଅର୍ଥେ ଭୋଗ ପାଇଁ ॥ ୩୩
ଦେହରେ କରେ ଅହଙ୍କାର। ବୋଲଇ ସର୍ବକର୍ମ ମୋର ॥ ୩୪
ଏଣୁ ସେ କର୍ମର ଅଧୀନେ। ପଡ଼ଇ ଶରୀର ବନ୍ଧନେ ॥ ୩୫
ବୋଲଇ କରୁଅଛି ମୁହିଁ। ମୋ ତହୁଁ କର୍ତ୍ତା ଭିନ୍ନ ନାହିଁ ॥ ୩୬
ଦେହ ବନ୍ଧନେ ହୋଇ ଭ୍ରମ। କରଇ ନାନାମତେ କର୍ମ ॥ ୩୭
ଭବବନ୍ଧନେ ଏହି ମତେ। ଭ୍ରମଇଁ ଦୁଃଖସୁଖ ପଥେ ॥ ୩୮
ଦେହ ବିଯୋଗେ କର୍ମ ଘେନି। ଜନ୍ମ ଲଭଇ ନାନା ଯୋନି ॥ ୩୯
ଅଶେଷ ଦେହେ କର୍ମ ଭୁଞ୍ଜେ। ଦୁର୍ଗମ ଦୁଃଖସୁଖ ବୁଝେ ॥ ୪୦
ଯାବତ ମାୟା ନୋହେ ହତ। ତାବତ ସୁଖଦୁଃଖେ ଗ୍ରସ୍ତ ॥ ୪୧
ଭବସଙ୍କଟେ ଏହି ମତେ। ଭ୍ରମଇଁ ଦୁଃଖ ସୁଖ ପଥେ॥ ୪୨
ଏ ବିଷ୍ଣୁମାୟାର ବିଧାନ। ଶୁଣ ହେ ବିଦେହ ରାଜନ॥ ୪୩
ଯେ ନିରାକାର ଆଦିକନ୍ଦ। ନିର୍ଗୁଣ ନିତ୍ୟ ସୁଖାନନ୍ଦ॥ ୪୪
ଅନାଦି ନିଧନ ସେ ହରି। ସୃଷ୍ଟି ପ୍ରଳୟ ଅଧିକାରୀ॥ ୪୫
ଏ ସୃଷ୍ଟି ତା'ର ଦେହଗତେ। ପ୍ରବେଶ ହେବା ଯେବେ ଚିନ୍ତେ॥ ୪୬
ପ୍ରଳୟକାଳେ ତେଜରାଶି। ବେଗେ ବ୍ରହ୍ମାଣ୍ଡ ମଧ୍ୟେ ପଶି॥ ୪୭
ଶତେବରଷ ଦେବମତେ। ଜଳ ନ ବରଷେ ଜଗତେ॥ ୪୮
ଦ୍ୱାଦଶସୂର୍ଯ୍ୟ ଶୂନ୍ୟେ ରହେ। ତିନିଭୁବନ ତେଜେ ଦହେ॥ ୪୯
ଅନନ୍ତ ମୁଖୁଁ ଅଗ୍ନି ଜାତ। ଦହଇ ପାତାଳ ସମସ୍ତ॥ ୫୦
ଦହନ ଅନ୍ତେ ମେଘମାଳେ। ମିଳନ୍ତି ଗଗନମଣ୍ଡଳେ॥ ୫୧
ସମ୍ବର୍ତ୍ତ ନାମ ସେ ବହନ୍ତି। ଶତେ ବରଷ ବରଷନ୍ତି॥ ୫୨
ଧାରା ବରଷେ ଘୋରବାୟେ। ପ୍ରମାଣ ହସ୍ତୀଶୁଣ୍ଢ ପ୍ରାୟେ॥ ୫୩
ଜଳ ବହୁଳେ ସୃଷ୍ଟି ନାଶ। ତା' ଦେଖି ବିରାଟ ପୁରୁଷ॥ ୫୪
ତକ୍ଷଣେ ତେଜି ତ୍ରିଭୁବନ। ବ୍ରହ୍ମଶରୀରେ ହୋଏ ଲୀନ॥ ୫୫
ଭୂତ ବିକାରେ ପଞ୍ଚଗୁଣ। ତ୍ରିଗୁଣ ଅହଙ୍କାର ପୁଣ॥ ୫୬
ମହତ ଦେହେ ବିଶ୍ରାମଇ। ପ୍ରଳୟ ନ ପାରଇ ସହି॥ ୫୭
ସେ ପୁଣି ମାୟା ଅବସାନେ। ପ୍ରକୃତି ତହିଁ ହୋଏ ଲୀନେ॥ ୫୮
ପ୍ରକୃତି ପ୍ରଳୟର ତ୍ରାସେ। ମିଳେ ପରମଆତ୍ମା ପାଶେ॥ ୫୯
ଏ ମାୟା ଜଗତମୋହିନୀ। ଖେଳଇ ଜୀବ ଆତ୍ମା ଘେନି॥ ୬୦
ଏ ବିଷ୍ଣୁ ମାୟାର କାରଣ। ସୃଷ୍ଟି ପାଳନ ସଂହରଣ॥ ୬୧
ଏମନ୍ତ ଅନ୍ତରୀକ୍ଷ ବାଣୀ। ଜନକ ବୋଲେ ତାହା ଶୁଣି॥ ୬୨
ରାଜା ଉବାଚ
ଦୁର୍ବୋଧ୍ୟ ଈଶ୍ୱରର ମାୟା। ମୂଢ କେମନ୍ତେ ଜାଣେ ତାହା॥ ୬୩
ସେ ମାୟା ନିସ୍ତରି କେମନ୍ତେ। ଉପାୟ ଥିଲେ କହ ମୋତେ॥ ୬୪
ପ୍ରବୁଦ୍ଧ ଉବାଚ
ପ୍ରବୁଦ୍ଧ ବୋଲେ ଶୁଣ ରାୟ। କହିବା ତହିଁର ଉପାୟ॥ ୬୫
ଦୁଃଖ ବିନାଶି ସୁଖ ପାଇ। ଅଖଣ୍ଡ ଭୋଗ ଭୁଞ୍ଜିବଇଁ॥ ୬୬
ଏମନ୍ତ ଚିନ୍ତି ଗୃହବାସେ। କର୍ମ କରଇ ଫଳ ଆଶେ॥ ୬୭
କାମିନୀ ସଙ୍ଗେ କରେ ଭାବ। କେବଳ ଦୁଃଖମାତ୍ର ଲାଭ॥ ୬୮
ମରଣ-ପଥ-ହେତୁ ଧନ। ତା'ର ଅର୍ଜନେ ନିତ୍ୟେ ମନ॥ ୬୯
ଅନେକ ଦୁଃଖେ ତା’ ସଞ୍ଚଇ। ନିଶି ଦିବସେ ମନ ଦେଇ॥ ୭୦
ନିରତେ ହୃଦୟ ନିର୍ଦ୍ଦୟ। ଏଣୁଟି ଧନ ଦୁଃଖମୟ॥ ୭୧
ଦୁଃଖେ ସଞ୍ଚିତ ଯେତେ ଧନ। ସେ ନୋହେ ସୁଖେ ପ୍ରୟୋଜନ॥ ୭୨
ପଶୁ ତନୟ ଦାରା ଦାସ। ଏ ସର୍ବ ବିଜୁଳି ପ୍ରକାଶ॥ ୭୩
ଏହାଙ୍କ ସ୍ନେହେ ବନ୍ଦୀ ହୋଇ। ପୋଷଇ ଦୁଃଖଭାର ବହି॥ ୭୪
ସେ ପୁଣି ଯା'ନ୍ତି ଯେଝା ପଥେ। ଶୋକ ସନ୍ତାପ ଦେଇ ଚିତ୍ତେ॥ ୭୫
ଏହାଙ୍କ ସଙ୍ଗଫଳ ଏହି। ଏ ଭାବ ମୂଢ ନ ଜାଣଇ॥ ୭୬
ଉଭୟଲୋକ କରେ ନାଶ। ଏହି କାରଣେ ଗୃହବାସ॥ ୭୭
ଭୁଞ୍ଜଇ ନିଜ କର୍ମଫଳ। ସେ ପୁଣି ନୁହଁଇ ନିଶ୍ଚଳ॥ ୭୮
ଗୃହୀ ସ୍ୱଭାବେ ପୁଣ୍ୟ କରି । ସ୍ୱର୍ଗେ ବସଇ ଦେହ ଧରି ॥ ୭୯
କ୍ରମେ ସେ ଭୋଗ କ୍ଷୀଣ ହୋଇ। କର୍ମ ସରିଲେ ଭୋଗ କାହିଁ॥ ୮୦
ପୁଣି ପଡ଼ଇ ଘୋରତମେ। ଗତ ଆଗତ ପଥ ଶ୍ରମେ॥ ୮୧
ଏ କଥା ବୁଝି ଗୁରୁପାଦେ। ଆଶ୍ରେ କରିବ ଅପ୍ରମାଦେ॥ ୮୨
ଉତ୍ତମଗୁରୁ ଆଶ୍ରେ କରି। ତା'ଙ୍କ ବଚନ ଶିରେ ଧରି॥ ୮୩
ଯେ ଗୁରୁ ଜାଣେ ବେଦତତ୍ତ୍ୱ। ନିର୍ଗୁଣ ଆତ୍ମଜ୍ଞାନେ ରତ॥ ୮୪
ସମଦରଶୀ ନିଷ୍ଠାପର। ତପ କଷଣ ସହେ ଧୀର॥ ୮୫
ନିରତେ ଥାଇ ପରହିତେ। ଈଶ୍ୱର ମାୟା ଜାଣି ଚିତ୍ତେ॥ ୮୬
ଏମନ୍ତ ଗୁରୁପାଦ ଭଜି। ହିଂସା କପଟ ଦୂରେ ତେଜି॥ ୮୭
ସେବା କରିବ ଦୃଢଚିତ୍ତେ। ଯେ ଗୁରୁଶିଷ୍ୟ ଭାବମତେ॥ ୮୮
ଏଣେ ପ୍ରସନ୍ନ ନାରାୟଣ। କରନ୍ତି ଆତ୍ମଜ୍ଞାନ ଦାନ॥ ୮୯
ପ୍ରଥମେ ବିଷୟ ଅସଙ୍ଗୀ। ପ୍ରେମ ପୁଲକ ତନୁ ଭଙ୍ଗୀ॥ ୯୦
ମନ ନ ଥିବ ଅନ୍ୟସଙ୍ଗେ। ଚିତ୍ତ ନିବେଶି ଗୁରୁଅଙ୍ଗେ॥ ୯୧
ସାଧୁସଙ୍ଗତେ ଥିବ ନିତ୍ୟେ। ଜନ୍ତୁକୁ ଦୟା ହୃଦଗତେ॥ ୯୨
ନିରତେ ପ୍ରେମ ମିତ୍ରଭାବ। ଏ ଆଦି ଯତନେ ସାଧିବ॥ ୯୩
ଶଉଚ ତପ ଦୟାଗୁଣ। ମଉନ ବେଦ ଅଧ୍ୟୟନ॥ ୯୪
ଅହିଂସା ସୁଖ-ଦୁଃଖେ ସମ। ଯେ ବ୍ରହ୍ମଚର୍ଯ୍ୟ ଆଦି କର୍ମ॥ ୯୫
ଏ ଆଦି ଧର୍ମମାନ ଯେତେ। ଶିକ୍ଷା କରିବ ଯଥୋଚିତ୍ତେ॥ ୯୬
ଜଗତ ବିଷ୍ଣୁଭାବେ ଚାହିଁ। ଉଦାସମତେ ଦେହ ବହି॥ ୯୭
ନିର୍ଲେପେ ସର୍ବସଙ୍ଗେ ଥିବ। ସ୍ୱଭାବ କର୍ମ ହିଁ କରିବ॥ ୯୮
ଗୃହଆରମ୍ଭୀ ଗୃହୀ ମେଳେ। ନ ପଶି ରହିବ ନିରୋଳେ॥ ୯୯
କର୍ମେ ଈଶ୍ୱର ଯାହା ଦେବ। ସନ୍ତୋଷେ ଉଦର ପୋଷିବ॥ ୧୦୦
ପରମଶାସ୍ତ୍ର ଭାଗବତ। ଅଭ୍ୟାସ କରୁଥିବ ନିତ୍ୟ ॥ ୧୦୧
ଅନ୍ୟଶାସ୍ତ୍ରର ଗୁଣ ଦୋଷ । ମୁଖେ ନ କରିବ ପ୍ରକାଶ ॥ ୧୦୨
ମନ ବଚନ ଯେଣେ ଦମି । ସେ ଶାସ୍ତ୍ରେ ହେଉଥିବ ଶ୍ରମୀ ॥ ୧୦୩
ସତ୍ୟ କହିବ ନିତ୍ୟେ ତୁଣ୍ଡେ । କେବେହେଁ ନ ଥିବ ପାଷଣ୍ଡେ ॥ ୧୦୪
କୃଷ୍ଣର ଜନ୍ମକର୍ମ ଗୁଣ । ନିରତେ ପଠନ ଶ୍ରବଣ ॥ ୧୦୫
ଦେହ ସ୍ୱଭାବେ କରି କର୍ମ । ବେଦ ବଚନେ କୁଳଧର୍ମ ॥ ୧୦୬
ସକଳ କୃଷ୍ଣେ ସମର୍ପିବ । ନିଷ୍କାମ ଚିତ୍ତେ ନିତ୍ୟେ ଥିବ ॥ ୧୦୭
ସ୍ୱଧର୍ମ ତପ ଜପ ଦାନ । ଯେ ଆତ୍ମପ୍ରିୟ ବସ୍ତୁମାନ ॥ ୧୦୮
ଯେ ଦାରା ସୁତ ଗୃହ ପ୍ରାଣ । କୃଷ୍ଣେ କରିବ ସମର୍ପଣ ॥ ୧୦୯
ସର୍ବ ସମ୍ପଦ କୃଷ୍ଣେ ଦେଇ । ଉଦାସ ମତେ ଦେହ ବହି ॥ ୧୧୦
ଯତ୍ନ କରିବ ଦୃଢଚିତ୍ତେ । କୃଷ୍ଣ ସନ୍ତୋଷ ଭାବ ମତେ ॥ ୧୧୧
ଗୁରୁବଚନ ଶିରେ ଧରି । ସୁସାଧୁସନ୍ଥ ସେବା କରି ॥ ୧୧୨
ସେବିବ ଜଙ୍ଗମ ସ୍ଥାବରେ । ପୁଣି ମହାତ୍ମା ସାଧନରେ ॥ ୧୧୩
କୃଷ୍ଣର କଥା ଅନ୍ୟୋଅନ୍ୟେ । ନିରତେ ଶ୍ରବଣ କୀର୍ତ୍ତନେ ॥ ୧୧୪
ସେବା କରିବ ବିଷ୍ଣୁଜନେ । ପବିତ୍ର ବିନୟ ବଚନେ ॥ ୧୧୫
କୃଷ୍ଣଚରିତ ସାଧୁଜନେ। ସ୍ମରଣ ଶ୍ରବଣ ପ୍ରସନ୍ନେ ॥ ୧୧୬
ନିର୍ମଳ କୃଷ୍ଣର ଚରିତ । ଯେ ନାମେ ଜଗତ ପବିତ୍ର ॥ ୧୧୭
ଆନନ୍ଦେ ଦୁଃଖ ଛାଡ଼ି ମନେ । ଗୋଷ୍ଠୀ କରିବ ବିଷ୍ଣୁଜନେ ॥ ୧୧୮
ଦିନ ବଞ୍ଚିବ ଭକ୍ତିସଧେ । ବିଷ୍ଣୁଭକତଜନ ମଧ୍ୟେ ॥ ୧୧୯
କଣ୍ଠ କୁଣ୍ଠିତ ଜଡ଼ମତି । ପୁଲକ ଦେହ ରୋମପନ୍ତି ॥ ୧୨୦
ଚିତ୍ତେ ଗୋବିନ୍ଦ ନାମ ସ୍ମରେ । ରୋଦନ କରେ ଉଚ୍ଚସ୍ୱରେ ॥ ୧୨୧
କ୍ଷଣେ ହସଇ କ୍ଷଣେ ନାଚେ । ଘୋର ଗର୍ଜନ କରେ ଉଚ୍ଚେ ॥ ୧୨୨
କ୍ଷଣକେ ଗାଏ ଗୁଣଗାଥା । କହଇ ଅଲୌକିକ କଥା ॥ ୧୨୩
କ୍ଷଣକେ କୃଷ୍ଣଗୁଣ ଗୁଣି । ଚକ୍ଷୁ ବୁଜଇ ହୋଇ ତୁନି ॥ ୧୨୪
ଏ ଭାଗବତ ଧର୍ମ ଦୀକ୍ଷା । ଗୁରୁବଚନେ ପାଇ ଶିକ୍ଷା ॥ ୧୨୫
ନିଶ୍ଚଳ ଚିତ୍ତେ କୃଷ୍ଣପାଦେ । ଭକତି ଲଭେ ଅପ୍ରମାଦେ ॥ ୧୨୬
ସେ ନାରାୟଣ ପରାୟଣ । ଏମନ୍ତେ ଅବିଦ୍ୟାହରଣ ॥ ୧୨୭
ଏ ଭାବେ ଶୁଣି କୃଷ୍ଣରସ । ରାଜନ ହୋଇ ମନେ ତୋଷ ॥ ୧୨୮
ଆନନ୍ଦେ ଶିରେ କର ଦେଇ । ବୋଲଇ ମୁନିଗଣ ଚାହିଁ ॥ ୧୨୯
ରାଜାଉବାଚ
ଅନାଦି ପ୍ରଭୁ ନାରାୟଣ । ସଂସାର ପରମ କାରଣ ॥ ୧୩୦
ଏକ ଅନେକ ରୂପ ଧରି । ସଂସାରେ ଖେଳେ ନରହରି ॥ ୧୩୧
ତୁମ୍ଭେ ଯେ ମୋତେ ଦୟା ବହ । ସେ ନାରାୟଣ ରୂପ କହ ॥ ୧୩୨
ଦେଖି ରାଜାର ସାଧୁପଣ । ପିପ୍ପଳାୟନ ବୋଲେ ଶୁଣ ॥ ୧୩୩
ପିପ୍ପଳାୟନ ଉବାଚ
ସେ ନାରାୟଣ ବର୍ଣ୍ଣ ଚିହ୍ନ । କେ ମୁଖେ କହିତେ ଭାଜନ ॥ ୧୩୪
ଯା ମାୟା ସଂସାର କାରଣ । ସୃଷ୍ଟି ପାଳନ-ସଂହରଣ ॥ ୧୩୫
ସ୍ୱୟଂ ଅହେତୁ ଯେ ବୋଲାଇ । ସେ ନାରାୟଣ ଜାଣ ତୁହି ॥ ୧୩୬
ସ୍ୱପ୍ନ ଜାଗ୍ରତ ସୁଷୁପ୍ତିରେ । କି ଅବା ସମାଧିକାଳରେ ॥ ୧୩୭
ବାହ୍ୟ ଅନ୍ତରେ ଯେ ଅଛଇ । ତାହାକୁ ବ୍ରହ୍ମ ବୋଲି କହି ॥ ୧୩୮
ଦେହ ଇନ୍ଦ୍ରିୟ ପଞ୍ଚପ୍ରାଣ । ଯେ ଅବା ଅନ୍ତର କାରଣ ॥ ୧୩୯
ଯାହାର ଆଶ୍ରେୟ ଜୀଅଁନ୍ତି । ଯେଣେ ବିଷୟେ ସଞ୍ଚରନ୍ତି ॥ ୧୪୦
ତା'ଙ୍କୁ ପରମଆତ୍ମା ଜାଣି । ଅପରେ ଶୁଣ ନୃପମଣି ॥ ୧୪୧
ବ୍ରହ୍ମାଣ୍ଡ କୋଟିକୋଟି ମାତ୍ରେ । ଘଟଣ କରେ ନିଜ ଗାତ୍ରେ ॥ ୧୪୨
ଭୂତ ଭବିଷ୍ୟ ବର୍ତ୍ତମାନେ । ଯାହାର ଶକ୍ତି ଅନୁମାନେ ॥ ୧୪୩
ସମ୍ପୂର୍ଣ୍ଣେ ସର୍ବଜୀବେ ବସେ । କାହାରି ସଙ୍ଗେ ସେ ନ ମିଶେ ॥ ୧୪୪
ମନ ବଚନ ଯା'ର ଦେହେ । ପଶି ନ ପାରନ୍ତି ଉପାୟେ ॥ ୧୪୫
ନୟନ ଯାହା ନ ଦେଖଇ । ଇନ୍ଦ୍ରିୟଗଣେ ଭେଦ କାହିଁ ॥ ୧୪୬
ଜୀବର ମନ ବୁଦ୍ଧି ପ୍ରାଣ । ଯାହାର ତହୁଁ ହୋନ୍ତି ଜାଣ ॥ ୧୪୭
ସେ କାହୁଁ ପାରିବ ତା’ ଚିନ୍ତି । ଅନେକ ଦୂରେ ସେ ରହନ୍ତି ॥ ୧୪୮
ଅଗ୍ନିକଣିକା ବାୟୁବଳେ । ଯେହ୍ନେ ଉଡ଼ନ୍ତି ଅନ୍ତରାଳେ ॥ ୧୪୯
ପବନେ ଦଶଦିଗେ ଯା’ନ୍ତି । ପୁଣି ଅନଳେ ନ ମିଶନ୍ତି ॥ ୧୫୦
କୋଟି ବ୍ରହ୍ମାଣ୍ଡ ଏହି ମତେ । ଯାହାର ଦେହୁ ହୋନ୍ତି ନିତ୍ୟେ ॥ ୧୫୧
ଏମନ୍ତ ମହିମା ଯାହାର । ତା'କୁ କେ କରିବ ଗୋଚର ॥ ୧୫୨
ଶବଦବ୍ରହ୍ମ ଥାଇ ଦୂରେ । ସେ ପୁଣି ବେଦ ଅନୁସାରେ ॥ ୧୫୩
ନାନା ପ୍ରପଞ୍ଚ ଏ ଜଗତେ । ବିଧି ନିଷେଧ ବେନିପଥେ ॥ ୧୫୪
ଜଗତ ଭ୍ରମାଇଁ ଭ୍ରମଇଁ । ସେ ତା'କୁ ତତ୍ତ୍ୱେ ନ ଜାଣଇ ॥ ୧୫୫
ପ୍ରଥମେ ଏକ ବ୍ରହ୍ମ ଥିଲା । ଦ୍ୱିତୀୟେ ପ୍ରକୃତି ହୋଇଲା ॥ ୧୫୬
ପ୍ରକୃତି ତହୁଁ ସୂତ୍ର ଜାତ । ତାହାକୁ ବୋଲି ମହତତ୍ତ୍ୱ ॥ ୧୫୭
ତାହାର ତହୁଁ ଅହଙ୍କାର । ଯେ ଜୀବ ଆତ୍ମାର ଆଧାର ॥ ୧୫୮
ତା'ର ସମୀପେ ଜୀବ ଜାତ । ସେ ଜୀବ କର୍ମର ଆୟତ୍ତ ॥ ୧୫୯
ଇନ୍ଦ୍ରିୟ ଅର୍ଥ ଦେବଗଣ । ଫଳେ ଏ ସର୍ବ ନାରାୟଣ ॥ ୧୬୦
ତୁ ଯେବେ ବୋଲୁ ବ୍ରହ୍ମ ଏକ । ସେ ପୁଣି ପ୍ରକାଶେ ଅନେକ ॥ ୧୬୧
ଏକଇ ଆତ୍ମା ନରହରି । ମାୟାରେ ନାନାଶକ୍ତି ଧରି ॥ ୧୬୨
ଖେଳଇ ନାନାରୂପ ଧରି । ସ୍ଥୂଳ ସୂକ୍ଷ୍ମରେ ମୋଦ ଭରି ॥ ୧୬୩
କ୍ରୀଡ଼ାର ଅନ୍ତେ ସର୍ବନାଶେ । କି ରୂପେ ରହେ ଅବଶେଷେ ॥ ୧୬୪
କିପାଁ ନୁହଇ ବ୍ରହ୍ମବଧ । ଆଗମ ନିଗମେ ପ୍ରସିଦ୍ଧ ॥ ୧୬୫
ଏମନ୍ତ କରୁ ଯେବେ ମନେ । ଶୁଣ କହିବା ସାବଧାନେ ॥ ୧୬୬
ନିତ୍ୟ ନିର୍ଗୁଣ ନାରାୟଣ । ସେ ନୋହେ ଆଦି ଅବସାନ ॥ ୧୬୭
ଯାହାର କ୍ଷୟ ବୃଦ୍ଧି ନାହିଁ । ଅଳପ ବହୁତ ନୁହଇ ॥ ୧୬୮
ଯେ ନିତ୍ୟେ ଏକରୂପେ ଥାଇ । ଆଧି ଉପାଧି ଯା'ର ନାହିଁ ॥ ୧୬୯
ନିତ୍ୟ ଆନନ୍ଦମୟୀ ସାକ୍ଷୀ । ଯାହାକୁ ଚିତ୍ତେ ମାତ୍ର ଲକ୍ଷ୍ୟି ॥ ୧୭୦
ମନର କଳ୍ପନା ଜଗତ । ଏଣୁ ସେ ଦିଶେ ନାନାମତ ॥ ୧୭୧
କୀଟ ପତଙ୍ଗ ତରୁ ତୃଣେ । ବସଇ ଶରୀର ପ୍ରମାଣେ ॥ ୧୭୨
ସମେ ବସଇ ସର୍ବଦେହେ । ସ୍ଥୂଳ ନୟନେ ଭେଦ ନୋହେ ॥ ୧୭୩
ଏ ରୂପେ ବ୍ରହ୍ମ ପରିମାଣି । ଯାହା ନୟନେ ଦେଖି ଶୁଣି ॥ ୧୭୪
ମନ ଗୋଚରେ କରି ଯେତେ । ସତ୍ୟ ନୁହଁନ୍ତି ଏ ସମସ୍ତେ ॥ ୧୭୫
ଏଣୁ ଏ ଆତ୍ମା ନିର୍ବିକାର । ଉପାଧି ଗୁଣେ ସେ ବିକାର ॥ ୧୭୬
ଆଧି ଉପାଧି ଯେବେ ଯାଇ । ସେ ନିତ୍ୟେ ଏକରୂପ ହୋଇ ॥ ୧୭୭
ନିତ୍ୟ ଆନନ୍ଦମୟ ସାକ୍ଷୀ । ସୁଷୁପ୍ତି ବୋଧେ ମାତ୍ର ଲକ୍ଷ୍ୟି ॥ ୧୭୮
ଏମନ୍ତ ରୂପ ନାରାୟଣ । ତୁ ଅବା ବିଚାରୁ ଏସନ ॥ ୧୭୯
ପୁଣ ସଂସାର କିପାଁ ହୋଇ । ମାୟା ସଂସ୍କାର ଯେଣୁ ଥାଇ ॥ ୧୮୦
ସେ ମାୟା ନାଶ ଯାଇ ଯେଣେ । ଶୁଣ କହିବା ଏକମନେ ॥ ୧୮୧
ସେ ନାରାୟଣ ପଦ୍ମପାଦ । ହରଇ ବିଷୟ ବିଷାଦ ॥ ୧୮୨
ସକଳ ଛାଡ଼ି ସେ ଚରଣ । ଯେ ଭଜେ ଏକତ୍ୱ କରିଣ ॥ ୧୮୩
ସେ ପାଦ ଯା'ରେ ଦୟା କରେ । ଭକ୍ତି ଜନ୍ମଇ ତା’ ହୃଦରେ ॥ ୧୮୪
ଘୋର କଳୁଷ ହେଳେ ନାଶେ । ନିର୍ମଳ ହୃଦୟ ପ୍ରକାଶେ ॥ ୧୮୫
ଦର୍ପଣେ ରବିବିମ୍ବ ଯେହ୍ନେ । ବ୍ରହ୍ମ ପ୍ରକାଶ ତା'ର ମନେ ॥ ୧୮୬
ଏମନ୍ତ ରୂପ ନାରାୟଣ । ତୁ ଏବେ ଶୁଦ୍ଧମନେ ଶୁଣ ॥ ୧୮୭
ନାରଦ ଉବାଚ
ଶୁଣ ଯାଦବ ଚୁଡ଼ାମଣି । ଏକଥା ଶୁଦ୍ଧମନେ ଶୁଣି ॥ ୧୮୮
ନରକୁ ତରିଯାନ୍ତି ନର । ହୃଦେ ସାନନ୍ଦ ନୃପବର ॥ ୧୮୯
ଜନକ ଶୋକ ଗଦଗଦେ । ମନ ସାନନ୍ଦେ ଋଷିପାଦେ ॥ ୧୯୦
ବୋଲଇ ଶିରେ ଦେଇ କର । କୋମଳ ବଚନ ଗଭୀର ॥ ୧୯୧
ରାଜା ଉବାଚ
ଭୋ ମୁନି କହ କର୍ମଯୋଗ । ଯେଣେ ଖଣ୍ଡଇ ଭବରୋଗ ॥ ୧୯୨
ଯେ କର୍ମ ସର୍ବକର୍ମ ନାଶେ । ପରମବ୍ରହ୍ମ ପରକାଶେ ॥ ୧୯୩
ଜୀବ ନିସ୍ତରେ ଯାହା କରି । ଅନ୍ତେ ଲଭଇ ନରହରି ॥ ୧୯୪
ସେ ଯୋଗ କହ ମୁନିଗଣ । ନମଇଁ ତୁମ୍ଭର ଚରଣ ॥ ୧୯୫
ଏ କଥା ପିତାଙ୍କୁ ମୁଁ ପୂର୍ବେ । ସ୍ନେହେ ପୁଚ୍ଛିଲି ପୁତ୍ରଭାବେ ॥ ୧୯୬
ସେ ମୋତେ ନ ଦେଲେ ଉତ୍ତର । ଏବେ ସୁଦୟା ତୁମ୍ଭେ କର ॥ ୧୯୭
ଆବିରହୋତ୍ର ତାହା ଶୁଣି । ବୋଲନ୍ତି ଶୁଣ ନୃପମଣି ॥ ୧୯୮
ଆବିର୍ହୋତ୍ର ଉବାଚ
ଯେ କର୍ମ ଅକର୍ମ ବିକର୍ମ । ଏ ତିନି କହନ୍ତି ନିଗମ ॥ ୧୯୯
ଈଶ୍ୱର ବାକ୍ୟ ତିନିବେଦ । ବ୍ରହ୍ମାଶଙ୍କର ନୋହେ ଭେଦ ॥ ୨୦୦
ଏଣେ ମୋହିତ ସର୍ବଜନ । ନ ବୁଝି ବେଦର ବଚନ ॥ ୨୦୧
ପରୋକ୍ଷ ଧର୍ମ ବେଦ କହେ । ପୁତ୍ରକୁ ଯେହ୍ନେ ବାପମାଏ ॥ ୨୦୨
ଔଷଧ କଟୁ ତିକ୍ତ ଆଣି । କହନ୍ତି ନାନା ଚାଟୁବାଣୀ ॥ ୨୦୩
ମଧୁର ବସ୍ତୁ ଥୋଇ ତଳେ । ଲୋଭେ ଭୁଞ୍ଜାନ୍ତି ତା'କୁ ବଳେ ॥ ୨୦୪
ସେ ଯେହ୍ନେ ହରେ ତା'ର ରୋଗ । ଆନନ୍ଦେ କରେ ସୁଖଭୋଗ ॥ ୨୦୫
ବେଦ ବଚନ ଏହିମତେ । କରାନ୍ତି କର୍ମ ମୋକ୍ଷଅର୍ଥେ ॥ ୨୦୬
କହନ୍ତି ନାନାମତେ ବାଣୀ । କର୍ମର ଫଳ ପରିମାଣି ॥ ୨୦୭
ଯେ ଫଳ ଲୋଭେ କରେ କର୍ମ । କର୍ମେ ତା ହୁଏ ମତିଭ୍ରମ ॥ ୨୦୮
ଏହାକୁ କର୍ମ ବୋଲି ଜାଣ । ଯେ ଧର୍ମ ନିଗମ ପ୍ରମାଣ ॥ ୨୦୯
ଅଜିତଇନ୍ଦ୍ରିୟ ଯେ ପ୍ରାଣୀ । ସେ ନ କରଇ ବେଦବାଣୀ ॥ ୨୧୦
କରନ୍ତି ମୂର୍ଖଙ୍କର ରୀତି । ବିକର୍ମେ ଜନ୍ମ ମୃତ୍ୟୁ ପାନ୍ତି ॥ ୨୧୧
ଏହା ବିକର୍ମ ବୋଲି ଜାଣି । ଅକର୍ମ ଶୁଣ ନୃପମଣି ॥ ୨୧୨
ନାନାପ୍ରକାର ଧର୍ମ ଶୁଣି । ବେଦ ବଚନ ନ ପ୍ରମାଣି ॥ ୨୧୩
ଭେଦ କରନ୍ତି ବେଦପଥେ । ପାଷଣ୍ଡ ଗୁରୁବାକ୍ୟ ମତେ ॥ ୨୧୪
ନିନ୍ଦନ୍ତି ବେଦବାକ୍ୟ ନିତ୍ୟେ । ପାଷଣ୍ଡବାଦ ଅନୁମତେ ॥ ୨୧୫
ଉଭୟଲୋକ ତା'ଙ୍କ ନାହିଁ । ନିରାଶେ ଥା'ନ୍ତି ଦୁଃଖ ସହି ॥ ୨୧୬
ଅକର୍ମ ମତ ଏ ବିଚାର । ଏବେ ହୋ ଶୁଣ ନୃପବର ॥ ୨୧୭
ଯେ ଧର୍ମ କହେ ବେଦମତେ ॥ ଆନନ୍ଦେ ଧରି ତାହା ଚିତ୍ତେ ॥ ୨୧୮
କର୍ମ ସମ୍ପାଦି କର୍ମଫଳ । ଯେ ଭାବେ ହୃଦୟ ନିର୍ମଳ ॥ ୨୧୯
ସେ ଫଳ କୃଷ୍ଣପାଦେ ଦେଇ । ଚିତ୍ତେ ଭକତିଭାବ ବହି ॥ ୨୨୦
ତାହାଙ୍କୁ ବୋଲି ମହାମତି । ଦୁର୍ଲ୍ଲଭମୁକ୍ତି ସେ ଲଭନ୍ତି ॥ ୨୨୧
ଏ ବେଦ ଈଶ୍ୱରର ବାଣୀ । ବ୍ରହ୍ମାର ବଚନେ ପ୍ରମାଣି ॥ ୨୨୨
ବେଦେ ଧରନ୍ତି ଶ୍ରୁତିଫଳ । ସେ ଆଦିଧର୍ମ ବୃକ୍ଷମୂଳ ॥ ୨୨୩
ଏଣୁ ଏ ବେଦମାର୍ଗେ ତରି । ଏ ଜ୍ଞାନେ ବିଷ୍ଣୁଆଶ୍ରେ କରି ॥ ୨୨୪
ଗୁରୁଭକତି ପରିମାଣେ । ବିଷ୍ଣୁଭକତି ତୀକ୍ଷ୍ଣବାଣେ ॥ ୨୨୫
ଏଣେ ଯେ ମାୟାଜାଲ ଛେଦି । ଚିତ୍ତୁ ସଂଶୟଗ୍ରନ୍ଥି ଭେଦି ॥ ୨୨୬
ନିର୍ଭୟେ ସଂସାରେ ଭ୍ରମନ୍ତି । ବିଷ୍ଣୁମାୟାରୁ ସେ ତରନ୍ତି ॥ ୨୨୭
ଏବେ ହୋ ଶୁଣ ନରନାଥ । ଭକ୍ତିଲକ୍ଷଣ ପରମାର୍ଥ ॥ ୨୨୮
ଗୁରୁବଚନ ଧରି ଶିରେ । ଈଶ୍ୱରରୂପ ଅନୁସାରେ ॥ ୨୨୯
ପ୍ରତିମା କରି ନାନାମତେ । ଯେ ବିଧିବିଧାନ ଭକତେ ॥ ୨୩୦
ଦାରୁ ପାଷାଣ ଧାତୁମୟୀ । ଲେପ ଲେଖନ ଯେତେ ହୋଇ ॥ ୨୩୧
ଏ ଆଦି ଦୀକ୍ଷା ଅନୁମାନେ । ଆଗମ ନିଗମ ବିଧାନେ ॥ ୨୩୨
ଏମନ୍ତ ପ୍ରତିମା କରାଇ । ଉତ୍ତମ ଶୁଭସ୍ଥାନେ ଥୋଇ ॥ ୨୩୩
ନିର୍ମଳଜଳ ନଦୀକୂଳେ । ନିରୁପଦ୍ରବ ଭୂମିସ୍ଥଳେ ॥ ୨୩୪
ନିର୍ମଳ କଳ୍ପିତ ଆସନେ । ସ୍ଥାପି ବସିବ ଶୁଦ୍ଧମନେ ॥ ୨୩୫
ନିଶ୍ଚଳ କରି ନିଜାସନ । କୁଶ ପୀଠକ ବସ୍ତ୍ର ଚର୍ମ ॥ ୨୩୬
ଏ ଆଦି ନିଗମ ବଚନେ । ଯେବା ମିଳିବ ବର୍ତ୍ତମାନେ ॥ ୨୩୭
ପ୍ରଥମେ ପବନ ନିରୋଧି । ଯେ ବିଧିମତେ ଭୂତଶୁଦ୍ଧି ॥ ୨୩୮
ପଞ୍ଚାଶବର୍ଣ୍ଣେ ଦେହନ୍ୟାସ । ଶ୍ରୀଗୁରୁ ବଚନେ ପ୍ରକାଶ ॥ ୨୩୯
ବାମ ପାରୁଶେ ଗୁରୁଧ୍ୟାୟି । ଦକ୍ଷିଣେ ଆଚାର୍ଯ୍ୟ ବସାଇ ॥ ୨୪୦
ପୂର୍ବେ ଦୁର୍ଗାଙ୍କୁ ନମସ୍କାର । ଗଙ୍ଗା ଯମୁନା ଗଣେଶ୍ୱର ॥ ୨୪୧
ଏହାଙ୍କୁ ନମସ୍କାର ମାଥେ । ଦୂର୍ବା ଅକ୍ଷତ ଘେନି ହସ୍ତେ ॥ ୨୪୨
କରିବ ଦଶଦିଗ ରକ୍ଷା । ଦିଗ ବନ୍ଧନ ମନ୍ତ୍ରଦୀକ୍ଷା ॥ ୨୪୩
ପୂଜାର ଉପହାର ଭାବେ । ଯେବା ମିଳିବ ଯଥାଲାଭେ ॥ ୨୪୪
ପ୍ରଣବେ ଅର୍ଘ୍ୟଜଳ କରି । ଶଙ୍ଖେ ଅକ୍ଷତ ପୁଷ୍ପ ଭରି ॥ ୨୪୫
ଅଙ୍ଗ ମେଦିନୀ ଦ୍ରବ୍ୟମାନ । ସେ ଜଳେ କରିବ ପ୍ରୋକ୍ଷଣ ॥ ୨୪୬
ଆଧାର ଶକ୍ତି ଆଦି ଧ୍ୟାନେ । ପୂଜିବ ନିଶ୍ଚଳ ଆସନେ ॥ ୨୪୭
ହୃଦୟ ପଦ୍ମ ଅଧିଷ୍ଠାନେ । ପୁଷ୍ପେ ପୂଜିବ ମନ୍ତ୍ରଧ୍ୟାନେ ॥ ୨୪୮
ଧର୍ମାଦି ଚତୁର ଚରଣେ । ପୂଜିବ ପାରିଷଦଗଣେ ॥ ୨୪୯
ମଧ୍ୟେ କମଳଦଳ ଯେତେ । କର୍ଣ୍ଣିକା କେଶର ସହିତେ ॥ ୨୫୦
ସ୍ୱମନ୍ତ୍ରେ ରବି ସୋମାନଳ । ପୂଜିବ ତୃତୀୟ ମଣ୍ଡଳ ॥ ୨୫୧
ସତ୍ତ୍ୱାଦିଗୁଣେ ନ୍ୟାସ କରି । ଭାବେ ପୂଜିବ ଆତ୍ମା ଚାରି ॥ ୨୫୨
ଚତୁର ଆତ୍ମା ଶକ୍ତିନବ । ପୂର୍ବାଦି ଦିଗେ ତା’ ପୂଜିବ ॥ ୨୫୩
କେଶରେ ମୂଳମନ୍ତ୍ର ସ୍ମରି । ଧ୍ୟାନେ ପୂଜିବ ମୁଦ୍ରା ଧରି ॥ ୨୫୪
ପ୍ରତିମା ଦେହେ ନିଜଅଙ୍ଗେ । ନ୍ୟାସ କରିବ ମନ୍ତ୍ରଭାଗେ ॥ ୨୫୫
ହୃଦୟେ ମନ୍ତ୍ରନ୍ୟାସ କରି । ଧ୍ୟାନେ ନିରୋପି ନରହରି ॥ ୨୫୬
ପାଦାର୍ଘ୍ୟ ଆଚମନ ଆଦି । ସ୍ନାନ ଭୂଷଣ ବାସ ବିଧି ॥ ୨୫୭
ଧୂପ ଦୀପ ପୁଷ୍ପ ଚନ୍ଦନ । ଭୋଜନ ଦ୍ରବ୍ୟ ସମର୍ପଣ ॥ ୨୫୮
ଅଙ୍ଗ ଉପାଙ୍ଗ ଆଦି ଯେତେ । ପୂଜିବ ପାରିଷଦ ମତେ ॥ ୨୫୯
ବସ୍ତ୍ର ଭୂଷଣ ଆଦି ଯେତେ । ମନ୍ତ୍ରେ ସମର୍ପି ଶୁଦ୍ଧଚିତ୍ତେ ॥ ୨୬୦
ଏମନ୍ତେ ପୂଜି ନରହରି । ପ୍ରଣାମ ଦଣ୍ଡବତ କରି ॥ ୨୬୧
କୃଷ୍ଣଙ୍କୁ ଈଶ୍ୱର ପ୍ରତ୍ୟକ୍ଷେ । ମଣି ନମିବ ପୁଣ ପଛେ ॥ ୨୬୨
ଧ୍ୟାନେ କୃଷ୍ଣଙ୍କୁ ଶିରେ ଧରି । ମନ୍ତ୍ରେ ହୃଦୟପଦ୍ମେ ଭରି ॥ ୨୬୩
ଏମନ୍ତେ ନିତ୍ୟେ ପୂଜା କରି । ଶେଷ ନିର୍ମାଲ୍ୟ ଶିରେ ଧରି ॥ ୨୬୪
ପ୍ରତିମା ନ ପାରିବ ଯେବେ । ଶୁଣ କହିବା ପୂଜା ଭାବେ ॥ ୨୬୫
ସୂର୍ଯ୍ୟ ଅନଳ କିବା ଜଳେ । ଅଥବା ହୃଦୟ କମଳେ ॥ ୨୬୬
ଯେବେ ନ ପାରି ଏତେ ମତ । ଗୃହେ ଯେ ଅତିଥି ଆଗତ ॥ ୨୬୭
ତାହାଙ୍କୁ ବିଷ୍ଣୁଭାବେ ମଣି । ପୂଜିବ ଦେଇ ଅନ୍ନପାଣି ॥ ୨୬୮
ଏମନ୍ତେ ବିଷ୍ଣୁପୂଜା କରି । ଏ ଭବଜଳୁଁ ଯା'ନ୍ତି ତରି ॥ ୨୬୯
କୃଷ୍ଣର ଭାବେ ଦୃଢବୁଦ୍ଧି । କରି ଲଭନ୍ତି ସର୍ବସିଦ୍ଧି ॥ ୨୭୦
ଏଭାବେ ଈଶ୍ୱରର ବାଣୀ । ଯେ ଏହା ଏକାଦଶେ ଶୁଣି ॥ ୨୭୧
କୃଷ୍ଣେ କରନ୍ତି ଦୃଢଚିତ୍ତ । ନୁହଁନ୍ତି ମାୟାରେ ମୋହିତ ॥ ୨୭୨
ଖଣ୍ଡଇ ଭବଭୟ ତ୍ରାସ । କହଇ ଜଗନ୍ନାଥ ଦାସ ॥ ୨୭୩
ନିର୍ମଳ ଭାଗବତ ବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥ ୨୭୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଏକାଦଶସ୍କନ୍ଧେ ଚତୁର୍ଥୋଧ୍ୟାୟଃ ॥
* * *