ଏକାଦଶ ସ୍କନ୍ଧ
ତୃତୀୟ ଅଧ୍ୟାୟ
ଶୁକ ଉବାଚ
ଏମନ୍ତେ ବିଦେହ ରାଜନ । ମନେ ବିଚାରି ତତ୍ତ୍ୱଜ୍ଞାନ ॥ ୧
ଆନନ୍ଦେ ଶିରେ କର ଦେଇ । ବୋଲଇ ନିସ୍ତରିଲି ମୁହିଁ ॥ ୨
ତୁମ୍ଭେ ନିର୍ମଳ ଯୋଗୀଗଣ । କହିବା ଭକତ ଲକ୍ଷଣ ॥ ୩
କି ରୂପେ ଭ୍ରମନ୍ତି ଜଗତ । କୃଷ୍ଣଭଜନ ଅନୁମତେ ॥ ୪
କିବା କହନ୍ତି ବାକ୍ୟସାର । କି ଧର୍ମ କରନ୍ତି ଆଚାର ॥ ୫
ତାହାଙ୍କୁ ଜାଣିବା କେମନ୍ତ । କହ ସଂଶୟ ମୋର ଚିତ୍ତେ ॥ ୬
ହରି ଉବାଚ
ହରି ବୋଲନ୍ତି ତାହା ଶୁଣି । ଶୁଣ ବିଦେହ ନୃପମଣି ॥ ୭
କୃଷ୍ଣଭକତ ଏ ସଂସାରେ । ପ୍ରଚରେ ତ୍ରିବିଧ ପ୍ରକାରେ ॥ ୮
ଉତ୍ତମ ମଧ୍ୟମ ପ୍ରାକୃତ । ଯାହାର ଲକ୍ଷଣ ଯେମନ୍ତ ॥ ୯
ତାହା କହିବା ଶୁଣ ଏବେ । ରାଜନ ପଚାରିଲୁ ଯେବେ ॥ ୧୦
ସକଳ ଦେହେ ନାରାୟଣ । ବସନ୍ତି ଅନାଦି କାରଣ ॥ ୧୧
ସେ ନାରାୟଣ ଦେହଗତେ । ବସନ୍ତି ଭାବ ଅନୁମତେ ॥ ୧୨
ଏ ଭାବେ ଦୃଢ ଯା'ର ମନ । ସେ ପ୍ରାଣୀ ଭକତ ଉତ୍ତମ ॥ ୧୩
ଈଶ୍ୱରଠାରେ ପ୍ରେମ କରେ । ମିତ୍ରଭାବନା ସାଧୁଠାରେ ॥ ୧୪
କରୁଣା ଅଜ୍ଞାନ ଲୋକର । କରେ ଉପେକ୍ଷା ଶତ୍ରୁଠାରେ ॥ ୧୫
ସେ ଭକ୍ତ ମଧ୍ୟମ ଅଟଇ । ଯେଣୁ ସେ ଭେଦକୁ ଦେଖଇ ॥ ୧୬
ପ୍ରତିମାଠାରେ ଶ୍ରଦ୍ଧା ବହି । ହରିପୂଜାକୁ ଯେ କରଇ ॥ ୧୭
ନ ସେବେ ବିଷ୍ଣୁର ସେବକ । ଇତର ମଣେ ଅନ୍ୟଲୋକ ॥ ୧୮
ତା'କୁ ପ୍ରାକୃତ ବୋଲି କହି । ତଥାପି ଭକ୍ତ ସେ ବୋଲାଇ ॥ ୧୯
ଇନ୍ଦ୍ରିୟ ଦ୍ୱାରେ ଅର୍ଥମାନ । ଗ୍ରହଣ କଲେ ହେଁ ଯେ ଜନ ॥ ୨୦
କାହାକୁ ଦ୍ୱେଷ ନ କରଇ । କିଛି ହିଁ ହରଷ ନୁହଇ ॥ ୨୧
ସକଳ ବିଷ୍ଣୁମାୟା ମଣି । ଉତ୍ତମଭକ୍ତେ ତାକୁ ଗଣି ॥ ୨୨
ଦେହର ଜନ୍ମ ମୃତ୍ୟୁ ଦୁଇ । ସଂସାର ଧର୍ମ ଏ ବୋଲାଇ ॥ ୨୩
ଇନ୍ଦ୍ରିୟମାନଙ୍କର ଶ୍ରମ । ପ୍ରାଣର କ୍ଷୁଧା ତୃଷା ଧର୍ମ ॥ ୨୪
ମନର ଭୟ ବୁଦ୍ଧି ଧର୍ମ । ତୃଷ୍ଣା ଏଣେ ଯେ ନୋହି ଭ୍ରମ ॥ ୨୫
ହରିଙ୍କୁ ସ୍ମରଣ କରଇ । ଉତ୍ତମ ଭାଗବତ ସେହି ॥ ୨୬
ଯାହାର କାମ କର୍ମ ବେନି । ବାସନା ମିଶି ହୁଏ ତିନି ॥ ୨୭
ଚିତ୍ତରେ ନୁହଇ ସମ୍ଭବ । ଆଶ୍ରୟ ଏକା ବାସୁଦେବ ॥ ୨୮
ଉତ୍ତମ ଭକ୍ତ ସେ ବୋଲାଇ । ଶୁଣ ରାଜନ ମନ ଦେଇ ॥ ୨୯
ଜନ୍ମ କରମେ ଯା'ର ମନ । ଏ ଘେନେ ଦେହେ ଅଭିମାନ ॥ ୩୦
ସ୍ୱଜାତି କୁଳ ଧର୍ମ ବର୍ଣ୍ଣ । ଏ ଅହଙ୍କାରେ ନୋହେ ଛନ୍ନ ॥ ୩୧
ଉତ୍ତମ ଲକ୍ଷଣ ଏ ଜାଣି । ଭକତ ମଧ୍ୟେ ପରିମାଣି ॥ ୩୨
ଯାହାର ସୁତ ବିତ୍ତ ଦେହେ । ପର ଆପଣା ବୁଦ୍ଧି ନୋହେ ॥ ୩୩
ସକଳ ଜୀବେ ସମବୁଦ୍ଧି । ଉତ୍ତମଭାବ ଏ ପ୍ରସିଦ୍ଧି ॥ ୩୪
ସିଦ୍ଧ ଯୋଗୀନ୍ଦ୍ର ମୁନିଗଣ । ସେବନ୍ତି ଯେ ହରିଚରଣ ॥ ୩୫
ଭବ ବିରଞ୍ଚି ଯା'ର ପାଦେ ॥ ଧ୍ୟାନେ ଚିନ୍ତନ୍ତି ଅପ୍ରମାଦେ ॥ ୩୬
ସେ ପ୍ରଭୁପାଦ ନିତ୍ୟେ ଚିନ୍ତି । ଲବ ନିମିଷ ନ ଛାଡ଼ନ୍ତି ॥ ୩୭
ଏ ତିନିଭୁବନ ସମ୍ପତ୍ତି । ହେଲେ ହେଁ ତହୁଁ ନ ଚଳନ୍ତି ॥ ୩୮
ନୁହଁନ୍ତି ମାୟାରେ ମୋହିତ ॥ ସେ ପ୍ରାଣୀ ମହାଭାଗ୍ୟବନ୍ତ ॥ ୩୯
ବିଷ୍ଣୁ ଭକତେ ସେ ପ୍ରଧାନ । ନିସ୍ତରେ ତା'କୁ ଦେଖି ଜନ ॥ ୪୦
କେବେହେଁ ନୋହେ ମତିଭ୍ରମ । ସେ ପ୍ରାଣୀ ନାରାୟଣ ସମ । ୪୧
କୃଷ୍ଣର ପାଦ-ନଖପନ୍ତି । ଚନ୍ଦ୍ରକିରଣ ପ୍ରାୟ ଜ୍ୟୋତି ॥ ୪୨
ସେ ଯାର ହୃଦରେ ପ୍ରକାଶେ । ଅଶେଷ ଘୋରତମ ନାଶେ ॥ ୪୩
ସେ ଭକ୍ତ ଉତ୍ତମ ଲକ୍ଷଣ । ମଧ୍ୟମ ଭାବ କହୁଁ ଶୁଣ ॥ ୪୪
ଈଶ୍ୱର ପାଦେ ଆଶ୍ରେ କରି । ଭକତେ ସମବୁଦ୍ଧି କରି ॥ ୪୫
ସଂସାର ମଧ୍ୟେ ଯେତେ ଜନ । ସମସ୍ତ ହୃଦେ ଭଗବାନ ॥ ୪୬
ସଦ ଅସଦେ କ୍ରୀଡ଼ା କରି । ଭାବ ଅଭାବ ନ ବିଚାରି ॥ ୪୭
ସେ ପ୍ରାଣୀଭାବେ ଦୟାକରେ । ଅହଂ ପଣ୍ଡିତ ହେତୁ ଧରେ ॥ ୪୮
ସେ ପ୍ରିୟାପ୍ରିୟ ଶତ୍ରୁମିତ୍ର । ଏ ସର୍ବ କୃଷ୍ଣର ଚରିତ ॥ ୪୯
ଏଣେ ନ ହୋଇ ଅହଙ୍କାରୀ । ମନରେ ଗୁଣ ଦୋଷ ଧରି ॥ ୫୦
ମିତ୍ରେ ନ ଧରେ ଗୁଣ ଦୋଷ । ଘେନି ଆପଣା ଶ୍ରେଷ୍ଠ ଅଂଶ ॥ ୫୧
କର୍ମ କରଇ ବିଧିମତେ । ଫଳ ଆକାଙ୍କ୍ଷା କରି ଚିତ୍ତେ ॥ ୫୨
ବସ୍ତୁ ଭେଦରେ କରେ ଶ୍ରମ । ଏଣୁ ସେ ବୋଲାଇ ମଧ୍ୟମ ॥ ୫୩
ପ୍ରାକୃତଭାବ ଏବେ ଶୁଣ । ଯେବେ ସେବଇ ନାରାୟଣ । ୫୪
କେବଳ ଲଉକିକ ମତେ । ଶ୍ରଦ୍ଧା ନ ଥାଇ ଅନ୍ତର୍ଗତେ ॥ ୫୫
ନ ସେବେ ବିଷ୍ଣୁର ସେବକ । ଇତର ଦେଖେ ଅନ୍ୟଲୋକ ॥ ୫୬
ମନରେ ଅହଙ୍କାର ଭରି । ଦଣ୍ଡେ ବିଚାରେ ଭକ୍ତି କରି ॥ ୫୭
ଏହା ପ୍ରାକୃତ ବୋଲି କହି । ତଥାପି ଭକ୍ତ ସେ ବୋଲାଇ ॥ ୫୮
ଏଣୁ ଯେ ଚିତ୍ତେ ଭାବେ ଭଜେ । ହରି ତା ହୃଦୟ ନ ତେଜେ ॥ ୫୯
ସେହି ରଜ୍ଜୁରେ ତା’ ଚରଣ । ହୃଦରେ କରଇ ବନ୍ଧନ ॥ ୬୦
ଚିତ୍ତେ ଚିନ୍ତିଲେ କ୍ଷଣମାତ୍ର । ହରଇ ଅଶେଷ ଦୁରିତ ॥ ୬୧
ସେ ହରିପାଦ ହୃଦେ ଧରି । ଭକତ ଦୁସ୍ତରୁ ନିସ୍ତରି ॥ ୬୨
ଶୁଣ ବିଦେହ ନରପତି । ତ୍ରିବିଧ ବଇଷ୍ଣବ ଗତି ॥ ୬୩
ଏକାଦଶରେ କୃଷ୍ଣରସ । କହଇ ଦାସ ଜଗନ୍ନାଥ ॥ ୬୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଏକାଦଶସ୍କନ୍ଧେ
ତୃତୀୟୋଧ୍ୟାୟ ॥
* * *