ଏକାଦଶ ସ୍କନ୍ଧ

ତୃତୀୟ ଅଧ୍ୟାୟ

ଶୁକ ଉବାଚ

ଏମନ୍ତେ ବିଦେହ ରାଜନ । ମନେ ବିଚାରି ତତ୍ତ୍ୱଜ୍ଞାନ ॥

ଆନନ୍ଦେ ଶିରେ କର ଦେଇ । ବୋଲଇ ନିସ୍ତରିଲି ମୁହିଁ ॥

ତୁମ୍ଭେ ନିର୍ମଳ ଯୋଗୀଗଣ । କହିବା ଭକତ ଲକ୍ଷଣ ॥

କି ରୂପେ ଭ୍ରମନ୍ତି ଜଗତ । କୃଷ୍ଣଭଜନ ଅନୁମତେ ॥

କିବା କହନ୍ତି ବାକ୍ୟସାର । କି ଧର୍ମ କରନ୍ତି ଆଚାର ॥

ତାହାଙ୍କୁ ଜାଣିବା କେମନ୍ତ । କହ ସଂଶୟ ମୋର ଚିତ୍ତେ ॥

ହରି ଉବାଚ

ହରି ବୋଲନ୍ତି ତାହା ଶୁଣି । ଶୁଣ ବିଦେହ ନୃପମଣି ॥

କୃଷ୍ଣଭକତ ଏ ସଂସାରେ । ପ୍ରଚରେ ତ୍ରିବିଧ ପ୍ରକାରେ ॥

ଉତ୍ତମ ମଧ୍ୟମ ପ୍ରାକୃତ । ଯାହାର ଲକ୍ଷଣ ଯେମନ୍ତ ॥

ତାହା କହିବା ଶୁଣ ଏବେ । ରାଜନ ପଚାରିଲୁ ଯେବେ ॥ ୧୦

ସକଳ ଦେହେ ନାରାୟଣ । ବସନ୍ତି ଅନାଦି କାରଣ ॥ ୧୧

ସେ ନାରାୟଣ ଦେହଗତେ । ବସନ୍ତି ଭାବ ଅନୁମତେ ॥ ୧୨

ଏ ଭାବେ ଦୃଢ ଯା'ର ମନ । ସେ ପ୍ରାଣୀ ଭକତ ଉତ୍ତମ ॥ ୧୩

ଈଶ୍ୱରଠାରେ ପ୍ରେମ କରେ । ମିତ୍ରଭାବନା ସାଧୁଠାରେ ॥ ୧୪

କରୁଣା ଅଜ୍ଞାନ ଲୋକର । କରେ ଉପେକ୍ଷା ଶତ୍ରୁଠାରେ ॥ ୧୫

ସେ ଭକ୍ତ ମଧ୍ୟମ ଅଟଇ । ଯେଣୁ ସେ ଭେଦକୁ ଦେଖଇ ॥ ୧୬

ପ୍ରତିମାଠାରେ ଶ୍ରଦ୍ଧା ବହି । ହରିପୂଜାକୁ ଯେ କରଇ ॥ ୧୭

ନ ସେବେ ବିଷ୍ଣୁର ସେବକ । ଇତର ମଣେ ଅନ୍ୟଲୋକ ॥ ୧୮

ତା'କୁ ପ୍ରାକୃତ ବୋଲି କହି । ତଥାପି ଭକ୍ତ ସେ ବୋଲାଇ ॥ ୧୯

ଇନ୍ଦ୍ରିୟ ଦ୍ୱାରେ ଅର୍ଥମାନ । ଗ୍ରହଣ କଲେ ହେଁ ଯେ ଜନ ॥ ୨୦

କାହାକୁ ଦ୍ୱେଷ ନ କରଇ । କିଛି ହିଁ ହରଷ ନୁହଇ ॥ ୨୧

ସକଳ ବିଷ୍ଣୁମାୟା ମଣି । ଉତ୍ତମଭକ୍ତେ ତାକୁ ଗଣି ॥ ୨୨

ଦେହର ଜନ୍ମ ମୃତ୍ୟୁ ଦୁଇ । ସଂସାର ଧର୍ମ ଏ ବୋଲାଇ ॥ ୨୩

ଇନ୍ଦ୍ରିୟମାନଙ୍କର ଶ୍ରମ । ପ୍ରାଣର କ୍ଷୁଧା ତୃଷା ଧର୍ମ ॥ ୨୪

ମନର ଭୟ ବୁଦ୍ଧି ଧର୍ମ । ତୃଷ୍ଣା ଏଣେ ଯେ ନୋହି ଭ୍ରମ ॥ ୨୫

ହରିଙ୍କୁ ସ୍ମରଣ କରଇ । ଉତ୍ତମ ଭାଗବତ ସେହି ॥ ୨୬

ଯାହାର କାମ କର୍ମ ବେନି । ବାସନା ମିଶି ହୁଏ ତିନି ॥ ୨୭

ଚିତ୍ତରେ ନୁହଇ ସମ୍ଭବ । ଆଶ୍ରୟ ଏକା ବାସୁଦେବ ॥ ୨୮

ଉତ୍ତମ ଭକ୍ତ ସେ ବୋଲାଇ । ଶୁଣ ରାଜନ ମନ ଦେଇ ॥ ୨୯

ଜନ୍ମ କରମେ ଯା'ର ମନ । ଏ ଘେନେ ଦେହେ ଅଭିମାନ ॥ ୩୦

ସ୍ୱଜାତି କୁଳ ଧର୍ମ ବର୍ଣ୍ଣ । ଏ ଅହଙ୍କାରେ ନୋହେ ଛନ୍ନ ॥ ୩୧

ଉତ୍ତମ ଲକ୍ଷଣ ଏ ଜାଣି । ଭକତ ମଧ୍ୟେ ପରିମାଣି ॥ ୩୨

ଯାହାର ସୁତ ବିତ୍ତ ଦେହେ । ପର ଆପଣା ବୁଦ୍ଧି ନୋହେ ॥ ୩୩

ସକଳ ଜୀବେ ସମବୁଦ୍ଧି । ଉତ୍ତମଭାବ ଏ ପ୍ରସିଦ୍ଧି ॥ ୩୪

ସିଦ୍ଧ ଯୋଗୀନ୍ଦ୍ର ମୁନିଗଣ । ସେବନ୍ତି ଯେ ହରିଚରଣ ॥ ୩୫

ଭବ ବିରଞ୍ଚି ଯା'ର ପାଦେ ॥ ଧ୍ୟାନେ ଚିନ୍ତନ୍ତି ଅପ୍ରମାଦେ ॥ ୩୬

ସେ ପ୍ରଭୁପାଦ ନିତ୍ୟେ ଚିନ୍ତି । ଲବ ନିମିଷ ନ ଛାଡ଼ନ୍ତି ॥ ୩୭

ଏ ତିନିଭୁବନ ସମ୍ପତ୍ତି । ହେଲେ ହେଁ ତହୁଁ ନ ଚଳନ୍ତି ॥ ୩୮

ନୁହଁନ୍ତି ମାୟାରେ ମୋହିତ ॥ ସେ ପ୍ରାଣୀ ମହାଭାଗ୍ୟବନ୍ତ ॥ ୩୯

ବିଷ୍ଣୁ ଭକତେ ସେ ପ୍ରଧାନ । ନିସ୍ତରେ ତା'କୁ ଦେଖି ଜନ ॥ ୪୦

କେବେହେଁ ନୋହେ ମତିଭ୍ରମ । ସେ ପ୍ରାଣୀ ନାରାୟଣ ସମ । ୪୧

କୃଷ୍ଣର ପାଦ-ନଖପନ୍ତି । ଚନ୍ଦ୍ରକିରଣ ପ୍ରାୟ ଜ୍ୟୋତି ॥ ୪୨

ସେ ଯାର ହୃଦରେ ପ୍ରକାଶେ । ଅଶେଷ ଘୋରତମ ନାଶେ ॥ ୪୩

ସେ ଭକ୍ତ ଉତ୍ତମ ଲକ୍ଷଣ । ମଧ୍ୟମ ଭାବ କହୁଁ ଶୁଣ ॥ ୪୪

ଈଶ୍ୱର ପାଦେ ଆଶ୍ରେ କରି । ଭକତେ ସମବୁଦ୍ଧି କରି ॥ ୪୫

ସଂସାର ମଧ୍ୟେ ଯେତେ ଜନ । ସମସ୍ତ ହୃଦେ ଭଗବାନ ॥ ୪୬

ସଦ ଅସଦେ କ୍ରୀଡ଼ା କରି । ଭାବ ଅଭାବ ନ ବିଚାରି ॥ ୪୭

ସେ ପ୍ରାଣୀଭାବେ ଦୟାକରେ । ଅହଂ ପଣ୍ଡିତ ହେତୁ ଧରେ ॥ ୪୮

ସେ ପ୍ରିୟାପ୍ରିୟ ଶତ୍ରୁମିତ୍ର । ଏ ସର୍ବ କୃଷ୍ଣର ଚରିତ ॥ ୪୯

ଏଣେ ନ ହୋଇ ଅହଙ୍କାରୀ । ମନରେ ଗୁଣ ଦୋଷ ଧରି ॥ ୫୦

ମିତ୍ରେ ନ ଧରେ ଗୁଣ ଦୋଷ । ଘେନି ଆପଣା ଶ୍ରେଷ୍ଠ ଅଂଶ ॥ ୫୧

କର୍ମ କରଇ ବିଧିମତେ । ଫଳ ଆକାଙ୍‌କ୍ଷା କରି ଚିତ୍ତେ ॥ ୫୨

ବସ୍ତୁ ଭେଦରେ କରେ ଶ୍ରମ । ଏଣୁ ସେ ବୋଲାଇ ମଧ୍ୟମ ॥ ୫୩

ପ୍ରାକୃତଭାବ ଏବେ ଶୁଣ । ଯେବେ ସେବଇ ନାରାୟଣ । ୫୪

କେବଳ ଲଉକିକ ମତେ । ଶ୍ରଦ୍ଧା ନ ଥାଇ ଅନ୍ତର୍ଗତେ ॥ ୫୫

ନ ସେବେ ବିଷ୍ଣୁର ସେବକ । ଇତର ଦେଖେ ଅନ୍ୟଲୋକ ॥ ୫୬

ମନରେ ଅହଙ୍କାର ଭରି । ଦଣ୍ଡେ ବିଚାରେ ଭକ୍ତି କରି ॥ ୫୭

ଏହା ପ୍ରାକୃତ ବୋଲି କହି । ତଥାପି ଭକ୍ତ ସେ ବୋଲାଇ ॥ ୫୮

ଏଣୁ ଯେ ଚିତ୍ତେ ଭାବେ ଭଜେ । ହରି ତା ହୃଦୟ ନ ତେଜେ ॥ ୫୯

ସେହି ରଜ୍ଜୁରେ ତା’ ଚରଣ । ହୃଦରେ କରଇ ବନ୍ଧନ ॥ ୬୦

ଚିତ୍ତେ ଚିନ୍ତିଲେ କ୍ଷଣମାତ୍ର । ହରଇ ଅଶେଷ ଦୁରିତ ॥ ୬୧

ସେ ହରିପାଦ ହୃଦେ ଧରି । ଭକତ ଦୁସ୍ତରୁ ନିସ୍ତରି ॥ ୬୨

ଶୁଣ ବିଦେହ ନରପତି । ତ୍ରିବିଧ ବଇଷ୍ଣବ ଗତି ॥ ୬୩

ଏକାଦଶରେ କୃଷ୍ଣରସ । କହଇ ଦାସ ଜଗନ୍ନାଥ ॥ ୬୪

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଏକାଦଶସ୍କନ୍ଧେ

ତୃତୀୟୋଧ୍ୟାୟ ॥

* * *