ଏକାଦଶ ସ୍କନ୍ଧ

ଦ୍ୱିତୀୟ ଅଧ୍ୟାୟ

ଶୁକ ଉବାଚ

ଶୁଣ ପରିକ୍ଷ ମନସ୍ଥିରେ । ଅଦ୍ଭୂତ ଦ୍ୱାରକା ନଗରେ ॥

ଗୋବିନ୍ଦ ଭୂଜଦଣ୍ଡବଳେ । ଯାଦବେ ଥା'ନ୍ତି ସୁଖଭୋଳେ ॥

ଯହିଁ ନାରଦ ଥା'ନ୍ତି ନିତି । କୃଷ୍ଣଭକତି ହୃଦେ ଚିନ୍ତି ॥

ମର୍ତ୍ତ୍ୟେ ମନୁଷ୍ୟ ଦେହ ଧରି । କେ କୃଷ୍ଣଭାବ ପରିହରି ॥

ବାସବ ଆଦି ଦେବଗଣ । ଯା'କୁ ସେବନ୍ତି ଅନୁକ୍ଷଣ ॥

ଭବ ବିରଞ୍ଚି ଯା'ର ପାଦେ । ସେବନ୍ତି ନିତ୍ୟେ ଅପ୍ରମାଦେ ॥

ନାରଦମୁନି ଏକଦିନେ । ଗଲେ ବସୁଦେବ ଭୁବନେ ॥

ନାରଦ ଆଗମନ ଭାବ । ଦେଖି ମିଳିଲେ ବସୁଦେବ ॥

ପବିତ୍ର ଜଳେ ପାଦଧୋଇ । ଆସନେ ବସାଇଲେ ନେଇ ॥

ଚରଣେ କରି ନମସ୍କାର । ଭାବେ ବୋଇଲେ ଯଦୁବୀର ॥ ୧୦

ବସୁଦେବ ଉବାଚ

ଧନ୍ୟ ଜୀବନ ଆଜ ମୋର । ଦେଖିଲି ଚରଣ ତୁମ୍ଭର ॥ ୧୧

ତୁମ୍ଭେ ଯେ ଲୋକ-ପରିତ୍ରାଣେ । ବ୍ରହ୍ମାଣ୍ଡେ ବୁଲ ଅନୁକ୍ଷଣେ ॥ ୧୨

ପିତାମାତାଙ୍କ ଆଗମନ । ପୁତ୍ରଙ୍କୁ କଲ୍ୟାଣ ଯେସନ ॥ ୧୩

ବିଷ୍ଣୁ-ଭକତଜନ ଦେଖି । ନିର୍ମଳ ହୋଏ ଚର୍ମ ଆଖି ॥ ୧୪

ଜନ୍ତୁଙ୍କୁ ଦେବଙ୍କ ଚରିତ । ସାଧଇ ଦୁଃଖ ସୁଖ ଅର୍ଥ ॥ ୧୫

ତୁମ୍ଭର ପ୍ରାୟ ସାଧୁ ଯେତେ । କେବଳ ପ୍ରାଣୀ ସୁଖ ଅର୍ଥେ ॥ ୧୬

ସାଧବେ ବିଷ୍ଣୁଭାବେ ଥା'ନ୍ତି । ଏଣୁ ପ୍ରାଣୀଙ୍କ ହିତ ଚିନ୍ତି ॥ ୧୭

ଦେବଙ୍କ ଚରିତ ପ୍ରମାଦ । କରଇ ହରଷ ବିଷାଦ ॥ ୧୮

ମନୁଷ୍ୟେ ସୁଖଭୋଗ ଚିନ୍ତି । କେ ଅବା ଦେବଙ୍କୁ ପୂଜନ୍ତି ॥ ୧୯

ଦେବେ ତାହାଙ୍କ ଉପକାରେ । ଭଜନ୍ତି ଭକ୍ତି ଅନୁସାରେ ॥ ୨୦

ସ୍ୱଭାବେ ଦେବେ ଛାୟାବତ । ବସନ୍ତି କର୍ମର ଆୟତ୍ତ ॥ ୨୧

ତେଣୁ ସେ କର୍ମ ଅନୁସାରେ । ପ୍ରାଣୀଙ୍କି ତୋଷୁଥା'ନ୍ତି ବରେ ॥ ୨୨

ସେ କର୍ମଫଳ ଅନୁମତେ । ପ୍ରାଣୀ ଭୁଞ୍ଜନ୍ତି ଏ ଜଗତେ ॥ ୨୩

ବିଷ୍ଣୁ ଭକତ ପ୍ରାଣୀଙ୍କର । ଜଗତେ ନାହିଁ ଆତ୍ମାପର ॥ ୨୪

ଦୟା କରନ୍ତି ସର୍ବଲୋକେ । ଦିନ ହରନ୍ତି ଦୁଃଖସୁଖେ ॥ ୨୫

ଆଜ ମୁଁ ଦେଖି ତୁମ୍ଭପଦ । ଲଭିଲି ସକଳ ସମ୍ପଦ ॥ ୨୬

ତଥାପି ବୈଷ୍ଣବର ଧର୍ମ । ବିଷ୍ଣୁ ପ୍ରସନ୍ନେ ଯେତେ କର୍ମ ॥ ୨୭

ତାହା ଶୁଣିତେ ମୋର ଇଚ୍ଛା । ପୁଚ୍ଛଇ କହ ଧର୍ମଦୀକ୍ଷା ॥ ୨୮

ଯେ ଧର୍ମ କଥନ ଶ୍ରବଣ । ସକଳ ଭୟ ନିବାରଣ ॥ ୨୯

ପୂର୍ବେ ମୁଂ ତପଯୋଗବଳେ । ସେବିଲି ବିଷ୍ଣୁ ପାଦ ମୂଳେ ॥ ୩୦

ବିଷ୍ଣୁ ଯାଚିଲେ ମୋତେ ବର । ମୋର ଅଦୃଷ୍ଟ ବଳୀୟାର ॥ ୩୧

ମୋକ୍ଷ ନ ମାଗି ପୁତ୍ରକାମେ । ପଡ଼ିଲି ମାୟା ମୋହ ଭ୍ରମେ ॥ ୩୨

ଏବେ ଉପାୟ ତୁମ୍ଭେ କର । ଯେମନ୍ତେ ତୁଟେ ଭ୍ରମ ମୋର ॥ ୩୩

ବସୁଦେବର ବାକ୍ୟ ଶୁଣି । ମନଆନନ୍ଦେ ବ୍ରହ୍ମମୁନି ॥ ୩୪

ନାରଦ ଉବାଚ

ବୋଲନ୍ତି ଶୁଣ ଯଦୁବୀର । ଧନ୍ୟ ବଚନ ଏ ତୋହର ॥ ୩୫

ତୋ ଚିତ୍ତ ଭାଗବତଧର୍ମେ । କଳ୍ପିଲା ପୂର୍ବ ପୁଣ୍ୟକର୍ମେ ॥ ୩୬

ଶୁଣ ସେ ଧର୍ମର ମହିମା । କେ କହିପାରେ ଗୁଣ ସୀମା ॥ ୩୭

ଯେବେ ଶ୍ରବଣେ ଏହା ଶୁଣି । ମନ ବଚନେ ପରିମାଣି ॥ ୩୮

ଯଦ୍ୟପି ଦେବ-ବିଶ୍ୱଦ୍ରୋହୀ । ଅନ୍ୟ ପତିତ ଯେବେ ହୋଇ ॥ ୩୯

ସେ ଧର୍ମେ ଯେବେ ମନ ପଶେ । ସର୍ବ କଳୁଷ ବେଗେ ନାଶେ ॥ ୪୦

ଧନ୍ୟ ଯାଦବ ତୋ' ଜୀବନ । କୃଷ୍ଣରେ ନିବେଶିଲୁ ମନ ॥ ୪୧

କୃଷ୍ଣର ଶ୍ରବଣ କୀର୍ତ୍ତନ । ଅଶେଷ ଦୁରିତ ଦହନ ॥ ୪୨

କହିବା ଶୁଣ ସାବଧାନେ । ଯେ ଇତିହାସ ପୁରାତନେ ॥ ୪୩

ପୂର୍ବେ ଯେ ବିଦେହମଣ୍ଡଳେ । ନିମି ରାଜାର ଯଜ୍ଞକାଳେ ॥ ୪୪

ଦିବ୍ୟ ପୁରୁଷ ନବଋଷି । ମିଳିଲେ ଯଜ୍ଞଶାଳେ ଆସି ॥ ୪୫

ସେ ନବଋଷି ମହାଜନ । ଶୁଣ ହେ ତାହାଙ୍କ ବିଧାନ ॥ ୪୬

ବ୍ରହ୍ମାର ଶରୀରୁ ସମ୍ଭବ । ଯେ ମନୁ ନାମ ସ୍ୱାୟମ୍ଭୁବ ॥ ୪୭

ତା'ର ତନୟ ପ୍ରିୟବ୍ରତ । ସୁଗୁଣ ସାଧୁ ଶୁଚିବନ୍ତ ॥ ୪୮

ପ୍ରିୟବ୍ରତର ସୁତ ଯେହି । ଆଗ୍ନୀଧ୍ର ବୋଲି ନାମ ହୋଇ ॥ ୪୯

ଆଗ୍ନୀଧ୍ରସୁତ ନାଭି ନାମ । ସୁନ୍ଦର ସର୍ବଗୁଣଧାମ ॥ ୫୦

ଋଷଭ ତାହାର କୁମର । ସେ ବିଷ୍ଣୁଅଂଶେ ଅବତାର ॥ ୫୧

ତା'ର ମହିମା ଗୁଣ ଯେତେ । ଅନ୍ତ କେ କରୁ ତ୍ରିଜଗତେ ॥ ୫୨

ଅଶେଷ ମହିମା ଯାହାର । ଭରତ ତାହାର କୁମର ॥ ୫୩

ଶତେକ ପୁତ୍ରେ ଶ୍ରେଷ୍ଠ ସେହି । ଅପରେ ଊନଶତ ଭାଇ ॥ ୫୪

ସକଳେ ବେଦବିଦ୍ୟା ସାର । ପବିତ୍ରମୟ କଳେବର ॥ ୫୫

ଭରତ ଥାଇ ପୁଣ୍ୟକର୍ମେ । ଭାରତ ଭୂମି ଯା'ର ନାମେ ॥ ୫୬

ଭୁବନେ ରାଜଭୋଗ ଭୁଞ୍ଜି । ବନେ ପଶିଲା ରାଜ୍ୟ ତେଜି ॥ ୫୭

ତପେ ତୋଷିଲା ଭାବଗ୍ରାହୀ । ଜାତିସ୍ମର ସେ ଜନ୍ମୁ ହୋଇ ॥ ୫୮

ଏମନ୍ତେ ତିନିଜନ୍ମ ଅନ୍ତେ । ପଶିଲା ବିଷ୍ଣୁପାଦଗତେ ॥ ୫୯

ଅଶେଷଦୁଃଖ ନାଶ ଗଲା । ଜନ୍ମ ମରଣୁଁ ନିସ୍ତରିଲା ॥ ୬୦

ଆର ଯେ ଊନଶତ ଭାଇ । ତା'ଙ୍କ ମହିମା ଶୁଣ ତୁହି ॥ ୬୧

ତାହାଙ୍କ ମଧ୍ୟେ ନବସୁତ । ସାଧୁ ସୁଗୁଣ ବଳବନ୍ତ ॥ ୬୨

ହୋଇଲେ ନବଦ୍ୱୀପେ ରାଜା । ସୁଖେ ପାଳିଲେ ଜନପ୍ରଜା ॥ ୬୩

ଏକ ଅଧିକେ ଅଶୀ ସୁତେ । ବେଦ ଅଭ୍ୟାସି ଦୃଢଚିତ୍ତେ ॥ ୬୪

ତପେ ଆରାଧି ନାରାୟଣ । ଜଗତେ ହୋଇଲେ ବ୍ରାହ୍ମଣ ॥ ୬୫

ଶେଷ ଯେ ନବସୁତ ଥିଲେ । ନିର୍ଗୁଣ ଯୋଗ ଅଭ୍ୟାସିଲେ ॥ ୬୬

ସେ ଆତ୍ମାଜ୍ଞାନୀ ସାଧୁ ଧୀର । ଜଟା ବିଭୂତି ଦିଗମ୍ବର ॥ ୬୭

ମିତ୍ର ଅଇରି ପକ୍ଷ ସମ । ଶୁଣ ହେ ତାହାଙ୍କର ନାମ ॥ ୬୮

ସେ କବି ହରି ଅନ୍ତରୀକ୍ଷ । ଏ ତିନି ଜ୍ଞାନେ ଧ୍ୟାନେ ଦକ୍ଷ ॥ ୬୯

ପ୍ରବୁଦ୍ଧ ଯେ ପି‌ପ୍ପଳାୟନ । ଷଷ୍ଠରେ ଆବିର୍ହୋତ୍ର ନାମ ॥ ୭୦

ଦ୍ରୁମିଳ ଚମସ ଏ ଦୁଇ । କରଭାଜନ ନବଭାଇ ॥ ୭୧

ଏମନ୍ତେ ନବ ସହୋଦରେ । ଆନନ୍ଦେ ଭ୍ରମନ୍ତି ସଂସାରେ ॥ ୭୨

ତାହାଙ୍କ ମନ କୃଷ୍ଣଦେହେ । କପଟ ତେଜି ଏକସ୍ନେହେ ॥ ୭୩

ଦେଖନ୍ତି ସର୍ବଜୀବ ଦେହେ । ଏକା ଗୋବିନ୍ଦ ଆନ ନୋହେ ॥ ୭୪

ପରମଆତ୍ମା ଭାବେ ମଜ୍ଜି । ଏକା ଗୋବିନ୍ଦ ପାଦେ ଭଜି ॥ ୭୫

ସେ ଅବ୍ୟାହତ ଇଷ୍ଟଗତି । ଏମନ୍ତେ ନବବିପ୍ରେ ଥା'ନ୍ତି ॥ ୭୬

ସିଦ୍ଧ ଗନ୍ଧର୍ବ ସୁରମେଳେ । ଯକ୍ଷକିନ୍ନର ରସାତଳେ ॥ ୭୭

ଶିବ ସୁରଭିପୁରେ ଥା'ନ୍ତି । ବ୍ରହ୍ମାର ଭୁବନେ ମିଳନ୍ତି ॥ ୭୮

ଏ ଆଦି ନାନା ଦେଶ ପୁରେ । ଭ୍ରମନ୍ତି ନବସହୋଦରେ ॥ ୭୯

ସେ ନବମୁନି ଏକଦିନେ । ମିଳିଲେ ନିମି ଯଜ୍ଞସ୍ଥାନେ ॥ ୮୦

ତାହାଙ୍କୁ ଯଜ୍ଞଶାଳେ ଦେଖି । ଜନକ ଆସନ ଉପେକ୍ଷି ॥ ୮୧

ଦେଖିଲେ ଦିବ୍ୟତେଜୋମୟେ । ରବିଶଶାଙ୍କ ସମ ନୋହେ ॥ ୮୨

ଅଗ୍ନି ଯେ କୁଣ୍ଡମଧ୍ୟେ ଥିଲେ । ବିପ୍ରଙ୍କ ସଙ୍ଗତେ ଉଠିଲେ ॥ ୮୩

ଜାଣିଲେ ବିଦେହରାଜନ । ଏ ସର୍ବେ କୃଷ୍ଣପରାୟଣ ॥ ୮୪

ଆନନ୍ଦମନେ ନୃପବର । ପୂଜିଲେ ମୁନିଙ୍କ ପୟର ॥ ୮୫

ପ୍ରଣାମ କରି ତା'ଙ୍କ ପାଦେ । ଆସନେ ବସାଇ ଆନନ୍ଦେ ॥ ୮୬

ଦେଖଇ ରୂପ ତାହାଙ୍କର । ଯେସନେ ବ୍ରହ୍ମାଙ୍କ କୁମର ॥ ୮୭

କରଯୁଗଳ ଶିରେ ଦେଇ । ବୋଲଇ ନିସ୍ତରିଲି ମୁହିଁ ॥ ୮୮

ତୁମ୍ଭ ଚରଣଯୁଗ ଦେଖି । ନିର୍ମଳ କଲି ଚର୍ମଆଖି ॥ ୮୯

ତୁମ୍ଭେ ଯେ ନବ ବିପ୍ରବର । ନିଶ୍ଚୟେ କୃଷ୍ଣ ଅନୁଚର ॥ ୯୦

ସଂସାରେ ତୁମ୍ଭର ଭ୍ରମଣ । ଅଶେଷ ଲୋକ ପରିତ୍ରାଣ ॥ ୯୧

ଏ ଯେ ମନୁଷ୍ୟ କଳେବର । ଦୁର୍ଲ୍ଲଭ କ୍ଷଣିକ ଭଙ୍ଗୁର ॥ ୯୨

ତଥାପି ମନୁଷ୍ୟ ଶରୀରେ । ଯେ ଭଜେ ଗୋବିନ୍ଦ ପୟରେ ॥ ୯୩

ତାହାଙ୍କୁ ଦେଖନ୍ତି ଯେ ପ୍ରାଣୀ । ତରନ୍ତି ଭବତରଙ୍ଗିଣୀ ॥ ୯୪

କ୍ଷଣେ ନିମିଷେ ଲବେ ଲେଶେ । ଯେବେ ସେ ସାଧୁଜନ ପାଶେ ॥ ୯୫

ଚିତ୍ତେ ଚିନ୍ତଇ କୃଷ୍ଣଭାବ । ତାହାକୁ ବୋଲି ନିଧିଲାଭ ॥ ୯୬

ସେ ଲାଭ ତୁମ୍ଭର ବଚନ । ମୁଁ ଯେବେ ଶୁଣିତେ ଭାଜନ ॥ ୯୭

ଯେ ଧର୍ମ ଆଚରଣେ ପ୍ରାଣୀ । ନିଶ୍ଚେ ଲଭନ୍ତି ଚକ୍ରପାଣି ॥ ୯୮

ସେ ହରି ତା'ଙ୍କ ବଶେ ଥାଇ । ଏ ମାୟା ତା'ଙ୍କୁ ନ ଲାଗଇ ॥ ୯୯

ଏମନ୍ତେ ନିମିବାକ୍ୟ ଶୁଣି । ବୋଲନ୍ତି ନବମହାମୁନି ॥ ୧୦୦

ଶୁଣ ହେ ରାଜା ଏକ ଚିତ୍ତେ । ଯାହା କହିଲେ ଭାଗବତେ ॥ ୧୦୧

କବି ଉବାଚ

କବି ବୋଲନ୍ତି ରାୟେ ଶୁଣ । ଯେ ଭାଗବତ ଧର୍ମ ଗୁଣ ॥ ୧୦୨

ନାନା ପ୍ରକାରେ ହରିପାଦେ । ଯାହାର ଚିତ୍ତ ଅପ୍ରମାଦେ ॥ ୧୦୩

ଭଜଇ ଜାଣି ବିଷ୍ଣୁମାୟା । ସେ ହରି ତା'ରେ କରେ ଦୟା ॥ ୧୦୪

ବିଷ୍ଣୁର ଅଭୟ ଚରଣ । ମଙ୍ଗଳ କୁଶଳ କାରଣ ॥ ୧୦୫

ଅଶେଷ ଦୁଃଖ ନାଶକରେ । ଯେ ନିତ୍ୟେ କୃଷ୍ଣନାମ ଧରେ ॥ ୧୦୬

ଦେହ ସମ୍ପଦ ଦାରା ସୁତ । ଏଣେ ମୋହିତ ଯା'ର ଚିତ୍ତ ॥ ୧୦୭

କାମ ସଙ୍କଳ୍ପ ଦିନେ ଦିନେ । ବଢ଼ଇ ବିଷୟ-ଚିନ୍ତନେ ॥ ୧୦୮

ମାୟାରେ ମନ ଆଗୋଚରେ । ଭ୍ରମଇ ଅଶେଷ ପ୍ରକାରେ ॥ ୧୦୯

କୃଷ୍ଣର ଅଭୟ ଚରଣ । ଅଶେଷ ଦୁଃଖ ନିବାରଣ ॥ ୧୧୦

ହରି ଚରଣ ଲାଭ ଅର୍ଥେ । ନାନା ଉପାୟ ଶାସ୍ତ୍ରଗତେ ॥ ୧୧୧

ଯାହା କହିଲେ ଚକ୍ରଧର । ସେ ଭାଗବତ ଧର୍ମସାର ॥ ୧୧୨

ଭାବେ ଅଭାବେ ମନେ ଗୁଣି । ମୂର୍ଖ ହିଁ ତରେ ଯାହା ଶୁଣି ॥ ୧୧୩

ଏଣେ ଯେ ଚିନ୍ତେ କୃଷ୍ଣପାଦ । ତାହାକୁ ନ ଲାଗେ ପ୍ରମାଦ ॥ ୧୧୪

ହୃଦେ ଗୋବିନ୍ଦପାଦ ଧ୍ୟାୟି । ନୟନ ବୁଜି ଯେବେ ଧାଇଁ ॥ ୧୧୫

ପଥ ନ ଜାଣି ଯେବେ ହୁଡ଼େ । ସେ ପ୍ରାଣୀ କେବେହେଁ ନ ପଡ଼େ ॥ ୧୧୬

ବେଦବଚନ ଧର୍ମଶାସ୍ତ୍ର । ଏ ବେନି ବିପ୍ରଙ୍କର ନେତ୍ର ॥ ୧୧୭

ଏକ ନ ଥିଲେ କାଣ ହୋଇ । ଦୁଇ ଆଭାବେ ଅନ୍ଧ ସେହି ॥ ୧୧୮

ଏମନ୍ତ ବିପ୍ର ଯେବେ ଚିତ୍ତେ । କୃଷ୍ଣଙ୍କୁ ଭଜେ ଅବିରତେ ॥ ୧୧୯

ତାହାର ଅମଙ୍ଗଳ ନାହିଁ । ସକଳ ପାପୁ ସେ ତରଇ ॥ ୧୨୦

ଏ ଧର୍ମ ଭାଗବତ ମତ । ଈଶ୍ବର ବଚନ ନିର୍ମିତ ॥ ୧୨୧

ଏହା ଯେ ନ କରନ୍ତି ପ୍ରାଣୀ । ଧର୍ମ-ସଂଶୟ ମନେ ଗୁଣି ॥ ୧୨୨

କେବେ ହେଁ ନାହିଁ ସୁଖଲେଶ । ଉଭୟ ଲୋକେ ସେ ନିରାଶ ॥ ୧୨୩

ମନ ବଚନ ଦେହ ଚିତ୍ତ । ଅବା ଇନ୍ଦ୍ରିୟ ବୁଦ୍ଧିକୃତ ॥ ୧୨୪

କିବା ସ୍ୱଭାବ ଅନୁସାରେ । ଯେ କର୍ମ କରି ଏ ସଂସାରେ ॥ ୧୨୫

ତା' ନାରାୟଣେ ସମର୍ପିବ । ଜୀବର ସ୍ୱଧର୍ମ ଏ ଭାବ ॥ ୧୨୬

ଏ ଭାଗବତ ଧର୍ମ ଗୁଣ । ଈଶ୍ୱର ବଚନ ପ୍ରମାଣ ॥ ୧୨୭

ଏଣେ ସକଳ ଜ୍ଞାନ ପାଇ । ଅଜ୍ଞାନତମ ନାଶ ଯାଇ ॥ ୧୨୮

ଶୁଣ ବିଦେହ ମହୀପତି । ଯେ ହରିଭାବ ନ ଜାଣନ୍ତି ॥ ୧୨୯

ନାନା ପ୍ରକାରେ ତପ କରେ । ସେ ପ୍ରାଣୀ ସଂସାରୁ ନ ତରେ ॥ ୧୩୦

ହରି ବିମୁଖ ପ୍ରାଣୀ ଯେତେ । ସେ ଥା'ନ୍ତି ପଶୁଙ୍କ ସଙ୍ଗତେ ॥ ୧୩୧

ତାହାଙ୍କ ମୋହେ ବିଷ୍ଣୁମାୟା । ବିଷୟା ରସେ ବଢ଼େ ସ୍ପୃହା ॥ ୧୩୨

ଦେହକୁ ବସ୍ତୁପ୍ରାୟ ମଣେ । ବଇରୀ ମିତ୍ର ପରିମାଣେ ॥ ୧୩୩

ଭ୍ରମଇଁ ଶୋକ ମୋହ ପଥେ । ଅଜ୍ଞାନ ବୁଦ୍ଧି ଭ୍ରମ ଗ୍ରସ୍ତେ ॥ ୧୩୪

ତେଣୁ ସଂସାର ମୋହେ ଜଡି । ଦୁଃଖ ସଙ୍କଟେ ଥା'ନ୍ତି ପଡ଼ି ॥ ୧୩୫

ଯା'ର ମାୟାରେ ଏତେ ଗତି । ତା' ଭାବ ବୁଧଜନେ ଚିନ୍ତି ॥ ୧୩୬

କୃଷ୍ଣ ଭଜନ୍ତି ଏକମନେ । ନିର୍ମଳ ଧ୍ୟାନେ ଆତ୍ମାଜ୍ଞାନେ ॥ ୧୩୭

ଗୁରୁଙ୍କୁ ଇଷ୍ଟଦେବ ଭାବେ । ମନେ ଚିନ୍ତନ୍ତି ଜ୍ଞାନଲାଭେ ॥ ୧୩୮

ଜୀବ ଅଜ୍ଞାନଭାବ ଦେଖ । ଦୁଃଖକୁ ମଣେ ମହାସୁଖ ॥ ୧୩୯

ଯେସନେ ସ୍ୱପ୍ନ ମନୋରଥେ । ଭ୍ରମଇଁ ନିଦ୍ରାର ଆୟତ୍ତେ ॥ ୧୪୦

ମଣଇଁ ସତ୍ୟପ୍ରାୟ ତାହା । ମନ ବିଳାସ ମାତ୍ର ମାୟା ॥ ୧୪୧

ଏ ମନ କୃଷ୍ଣପାଦେ ଦେଲେ । ଏ ମାୟା ନ ଲାଗଇ ଭଲେ ॥ ୧୪୨

ଦୁର୍ଗମ ପଥ ଏ ଭଜନ । ଭୟେ ଭାଜିଲେ ଯୋଗୀଜନ ॥ ୧୪୩

ଏବେ କହିବା ଶୁଣ ରାୟ । ସେ ହରି ଭଜନ ଉପାୟ ॥ ୧୪୪

କୃଷ୍ଣର ଜନ୍ମକର୍ମ ଯେତେ । ନାନା ଚରିତ ଏ ଜଗତେ ॥ ୧୪୫

ଶ୍ରବଣ ସ୍ମରଣ କୀର୍ତ୍ତନ । ତାରଇ ଅଶେଷ ଭୁବନ ॥ ୧୪୬

ସେ ନାମଭାବେ ଚିତ୍ତ ଜଡି । ହୃଦରୁ ଲାଜଭୟ ଏଡି ॥ ୧୪୭

କାମାଦି ସଙ୍ଗ ଦୂର କରି । ଏ ଘୋର ସଂସାରେ ବିହରି ॥ ୧୪୮

ଉଚ୍ଚେ ଡ଼ାକିବ କୃଷ୍ଣ ନାମ । ଶୁଭିବ ସକଳ ଶ୍ରବଣ ॥ ୧୪୯

ଆନନ୍ଦେ ତୋଳି ବେନିକର । କଷ୍ଠ ଗର୍ଜନ ଉଚ୍ଚସ୍ୱର ॥ ୧୫୦

ଉନ୍ମତ୍ତ ପ୍ରାୟ ନୃତ୍ୟ କରେ । ଲୋଭ ବେଭାର ପରିହାରେ ॥ ୧୫୧

ଗଗନ ସମୀରଣ ଜ୍ୟୋତି । ଯେ ଅବା ସଲିଳ ଧରିତ୍ରୀ ॥ ୧୫୨

ନଦୀ ସାଗର ତରୁଗଣ । ପର୍ବତ ସ୍ଥାବର ଜଙ୍ଗମ ॥ ୧୫୩

ଜନ୍ତୁଙ୍କ ବାହ୍ୟ ଅଭ୍ୟନ୍ତର । ଏ ସର୍ବ କୃଷ୍ଣର ଶରୀର ॥ ୧୫୪

ନିଶ୍ଚୟ ଜାଣି ଏକଚିତ୍ତେ । ପ୍ରଣାମ କରୁଥିବ ନିତ୍ୟେ ॥ ୧୫୫

ଅମୃତ ବିନୟ ବଚନ । କହି ତୋଷିବ ପ୍ରାଣୀମନ ॥ ୧୫୬

ଏ ଭାବେ ଲଭି କୃଷ୍ଣପାଦ । ହରିବ ବିଷୟା ବିଷାଦ ॥ ୧୫୭

ଶୁଣ ରାଜନ ପୁଣ୍ୟଦେହା । ତୁ ଅବା ପଚାରିବୁ ଏହା ॥ ୧୫୮

ଯୋଗୀଏ ଯୋଗତପବଳେ । ଭ୍ରମନ୍ତି ଭାରତ ମଣ୍ଡଳେ ॥ ୧୫୯

ନିର୍ମଳ ଜ୍ଞାନେ ହୃଦଗତେ । ଯାହା ଚିନ୍ତନ୍ତି ଏକଚିତ୍ତେ ॥ ୧୬୦

ଅନେକ ଜନେ ଯାହା ସାଧି । ବହୁ ଦୁର୍ଲ୍ଲଭ ଯେଉଁ ସିଦ୍ଧି ॥ ୧୬୧

ଶ୍ରୀକୃଷ୍ଣ ନାମର କୀର୍ତ୍ତନେ । କେମନ୍ତେ ଲଭେ ଏକ ଜନ୍ମେ ॥ ୧୬୨

ଶୁଣ ହେ ରାଜା ମନ ଦେଇ । ଉତ୍ତମ ଶିଷ୍ୟେ ଏହା କହି ॥ ୧୬୩

ଯେ ଭକ୍ତିଯୋଗ ପ୍ରାଣୀଙ୍କର । ଶ୍ରବଣ କୀର୍ତ୍ତନ ଗୋଚର ॥ ୧୬୪

ଏଣୁ ସେ ତତ୍ତ୍ୱଜ୍ଞାନ ସ୍ପୁରେ । ବିଷୟ ରସ ନ ସୁମରେ ॥ ୧୬୫

ଏ ତିନି ଏକକାଳେ ହୋଇ । ପରମ ପ୍ରେମକୁ ଲଭଇ ॥ ୧୬୬

ବଢଇ ଦିନେ ଦିନେ ଜ୍ଞାନ । ଜନ୍ତୁଙ୍କୁ ଭୋଜନ ଯେସନ ॥ ୧୬୭

ଅନ୍ନ ଭୋଜନେ ପ୍ରତିଗ୍ରାସ । କ୍ଷୁଧା ପିପାସା କରେ ନାଶ ॥ ୧୬୮

ସନ୍ତୋଷେ ତୁଷ୍ଟି ପୁଷ୍ଟି ଲଭେ । ସୁଖ ଉଦୟ ହୁଏ ତେବେ ॥ ୧୬୯

କୃଷ୍ଣ ଭଜନ ଏହିମତେ । ଜ୍ଞାନୀ ସାଧନ୍ତି ଏ ଜଗତେ ॥ ୧୭୦

ଜନ୍ମଇଁ ବିଷୟ ବୈରାଗ୍ୟ । ମାୟା ଜଡ଼ିତ ସୁଖ ତ୍ୟାଗ ॥ ୧୭୧

ଅଜ୍ଞାନ ହରେ ଦିବ୍ୟଜ୍ଞାନ । ଏ ଅନୁଭବ ଅଭ୍ୟାସନେ ॥ ୧୭୨

ଆନନ୍ଦ ରସ ପାଇ ନିତି । ଚିତ୍ତେ ପ୍ରବେଶ ହୋଏ ଶାନ୍ତି ॥ ୧୭୩

ଶାନ୍ତି ଭଜଇ ସୁଖଭରେ । ତ୍ରିଗୁଣ ତାପୁଁ ସେ ନିସ୍ତରେ ॥ ୧୭୪

ଏମନ୍ତେ କବିର ବଚନ । ଜନକ ଶୁଣି ତୋଷମନ ॥ ୧୭୫

ସୁଖ ସଙ୍କଳ୍ପେ କୃତକୃତ୍ୟ । ବୋଲଇ ଦାସ ଜଗନ୍ନାଥ ॥ ୧୭୬

ପୁରାଣ କହିଲଇଁ ଗୀତେ । ସୁଜନ ଜନଙ୍କର ହିତେ ॥ ୧୭୭

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ

ସଂହିତାୟାଂ ଏକାଦଶସ୍କନ୍ଧେ ଦ୍ୱିତୀୟୋଦ୍ଧଧ୍ୟାୟଃ

* * *