ଏକାଦଶ ସ୍କନ୍ଧ
ଦ୍ୱିତୀୟ ଅଧ୍ୟାୟ
ଶୁକ ଉବାଚ
ଶୁଣ ପରିକ୍ଷ ମନସ୍ଥିରେ । ଅଦ୍ଭୂତ ଦ୍ୱାରକା ନଗରେ ॥ ୧
ଗୋବିନ୍ଦ ଭୂଜଦଣ୍ଡବଳେ । ଯାଦବେ ଥା'ନ୍ତି ସୁଖଭୋଳେ ॥ ୨
ଯହିଁ ନାରଦ ଥା'ନ୍ତି ନିତି । କୃଷ୍ଣଭକତି ହୃଦେ ଚିନ୍ତି ॥ ୩
ମର୍ତ୍ତ୍ୟେ ମନୁଷ୍ୟ ଦେହ ଧରି । କେ କୃଷ୍ଣଭାବ ପରିହରି ॥ ୪
ବାସବ ଆଦି ଦେବଗଣ । ଯା'କୁ ସେବନ୍ତି ଅନୁକ୍ଷଣ ॥ ୫
ଭବ ବିରଞ୍ଚି ଯା'ର ପାଦେ । ସେବନ୍ତି ନିତ୍ୟେ ଅପ୍ରମାଦେ ॥ ୬
ନାରଦମୁନି ଏକଦିନେ । ଗଲେ ବସୁଦେବ ଭୁବନେ ॥ ୭
ନାରଦ ଆଗମନ ଭାବ । ଦେଖି ମିଳିଲେ ବସୁଦେବ ॥ ୮
ପବିତ୍ର ଜଳେ ପାଦଧୋଇ । ଆସନେ ବସାଇଲେ ନେଇ ॥ ୯
ଚରଣେ କରି ନମସ୍କାର । ଭାବେ ବୋଇଲେ ଯଦୁବୀର ॥ ୧୦
ବସୁଦେବ ଉବାଚ
ଧନ୍ୟ ଜୀବନ ଆଜ ମୋର । ଦେଖିଲି ଚରଣ ତୁମ୍ଭର ॥ ୧୧
ତୁମ୍ଭେ ଯେ ଲୋକ-ପରିତ୍ରାଣେ । ବ୍ରହ୍ମାଣ୍ଡେ ବୁଲ ଅନୁକ୍ଷଣେ ॥ ୧୨
ପିତାମାତାଙ୍କ ଆଗମନ । ପୁତ୍ରଙ୍କୁ କଲ୍ୟାଣ ଯେସନ ॥ ୧୩
ବିଷ୍ଣୁ-ଭକତଜନ ଦେଖି । ନିର୍ମଳ ହୋଏ ଚର୍ମ ଆଖି ॥ ୧୪
ଜନ୍ତୁଙ୍କୁ ଦେବଙ୍କ ଚରିତ । ସାଧଇ ଦୁଃଖ ସୁଖ ଅର୍ଥ ॥ ୧୫
ତୁମ୍ଭର ପ୍ରାୟ ସାଧୁ ଯେତେ । କେବଳ ପ୍ରାଣୀ ସୁଖ ଅର୍ଥେ ॥ ୧୬
ସାଧବେ ବିଷ୍ଣୁଭାବେ ଥା'ନ୍ତି । ଏଣୁ ପ୍ରାଣୀଙ୍କ ହିତ ଚିନ୍ତି ॥ ୧୭
ଦେବଙ୍କ ଚରିତ ପ୍ରମାଦ । କରଇ ହରଷ ବିଷାଦ ॥ ୧୮
ମନୁଷ୍ୟେ ସୁଖଭୋଗ ଚିନ୍ତି । କେ ଅବା ଦେବଙ୍କୁ ପୂଜନ୍ତି ॥ ୧୯
ଦେବେ ତାହାଙ୍କ ଉପକାରେ । ଭଜନ୍ତି ଭକ୍ତି ଅନୁସାରେ ॥ ୨୦
ସ୍ୱଭାବେ ଦେବେ ଛାୟାବତ । ବସନ୍ତି କର୍ମର ଆୟତ୍ତ ॥ ୨୧
ତେଣୁ ସେ କର୍ମ ଅନୁସାରେ । ପ୍ରାଣୀଙ୍କି ତୋଷୁଥା'ନ୍ତି ବରେ ॥ ୨୨
ସେ କର୍ମଫଳ ଅନୁମତେ । ପ୍ରାଣୀ ଭୁଞ୍ଜନ୍ତି ଏ ଜଗତେ ॥ ୨୩
ବିଷ୍ଣୁ ଭକତ ପ୍ରାଣୀଙ୍କର । ଜଗତେ ନାହିଁ ଆତ୍ମାପର ॥ ୨୪
ଦୟା କରନ୍ତି ସର୍ବଲୋକେ । ଦିନ ହରନ୍ତି ଦୁଃଖସୁଖେ ॥ ୨୫
ଆଜ ମୁଁ ଦେଖି ତୁମ୍ଭପଦ । ଲଭିଲି ସକଳ ସମ୍ପଦ ॥ ୨୬
ତଥାପି ବୈଷ୍ଣବର ଧର୍ମ । ବିଷ୍ଣୁ ପ୍ରସନ୍ନେ ଯେତେ କର୍ମ ॥ ୨୭
ତାହା ଶୁଣିତେ ମୋର ଇଚ୍ଛା । ପୁଚ୍ଛଇ କହ ଧର୍ମଦୀକ୍ଷା ॥ ୨୮
ଯେ ଧର୍ମ କଥନ ଶ୍ରବଣ । ସକଳ ଭୟ ନିବାରଣ ॥ ୨୯
ପୂର୍ବେ ମୁଂ ତପଯୋଗବଳେ । ସେବିଲି ବିଷ୍ଣୁ ପାଦ ମୂଳେ ॥ ୩୦
ବିଷ୍ଣୁ ଯାଚିଲେ ମୋତେ ବର । ମୋର ଅଦୃଷ୍ଟ ବଳୀୟାର ॥ ୩୧
ମୋକ୍ଷ ନ ମାଗି ପୁତ୍ରକାମେ । ପଡ଼ିଲି ମାୟା ମୋହ ଭ୍ରମେ ॥ ୩୨
ଏବେ ଉପାୟ ତୁମ୍ଭେ କର । ଯେମନ୍ତେ ତୁଟେ ଭ୍ରମ ମୋର ॥ ୩୩
ବସୁଦେବର ବାକ୍ୟ ଶୁଣି । ମନଆନନ୍ଦେ ବ୍ରହ୍ମମୁନି ॥ ୩୪
ନାରଦ ଉବାଚ
ବୋଲନ୍ତି ଶୁଣ ଯଦୁବୀର । ଧନ୍ୟ ବଚନ ଏ ତୋହର ॥ ୩୫
ତୋ ଚିତ୍ତ ଭାଗବତଧର୍ମେ । କଳ୍ପିଲା ପୂର୍ବ ପୁଣ୍ୟକର୍ମେ ॥ ୩୬
ଶୁଣ ସେ ଧର୍ମର ମହିମା । କେ କହିପାରେ ଗୁଣ ସୀମା ॥ ୩୭
ଯେବେ ଶ୍ରବଣେ ଏହା ଶୁଣି । ମନ ବଚନେ ପରିମାଣି ॥ ୩୮
ଯଦ୍ୟପି ଦେବ-ବିଶ୍ୱଦ୍ରୋହୀ । ଅନ୍ୟ ପତିତ ଯେବେ ହୋଇ ॥ ୩୯
ସେ ଧର୍ମେ ଯେବେ ମନ ପଶେ । ସର୍ବ କଳୁଷ ବେଗେ ନାଶେ ॥ ୪୦
ଧନ୍ୟ ଯାଦବ ତୋ' ଜୀବନ । କୃଷ୍ଣରେ ନିବେଶିଲୁ ମନ ॥ ୪୧
କୃଷ୍ଣର ଶ୍ରବଣ କୀର୍ତ୍ତନ । ଅଶେଷ ଦୁରିତ ଦହନ ॥ ୪୨
କହିବା ଶୁଣ ସାବଧାନେ । ଯେ ଇତିହାସ ପୁରାତନେ ॥ ୪୩
ପୂର୍ବେ ଯେ ବିଦେହମଣ୍ଡଳେ । ନିମି ରାଜାର ଯଜ୍ଞକାଳେ ॥ ୪୪
ଦିବ୍ୟ ପୁରୁଷ ନବଋଷି । ମିଳିଲେ ଯଜ୍ଞଶାଳେ ଆସି ॥ ୪୫
ସେ ନବଋଷି ମହାଜନ । ଶୁଣ ହେ ତାହାଙ୍କ ବିଧାନ ॥ ୪୬
ବ୍ରହ୍ମାର ଶରୀରୁ ସମ୍ଭବ । ଯେ ମନୁ ନାମ ସ୍ୱାୟମ୍ଭୁବ ॥ ୪୭
ତା'ର ତନୟ ପ୍ରିୟବ୍ରତ । ସୁଗୁଣ ସାଧୁ ଶୁଚିବନ୍ତ ॥ ୪୮
ପ୍ରିୟବ୍ରତର ସୁତ ଯେହି । ଆଗ୍ନୀଧ୍ର ବୋଲି ନାମ ହୋଇ ॥ ୪୯
ଆଗ୍ନୀଧ୍ରସୁତ ନାଭି ନାମ । ସୁନ୍ଦର ସର୍ବଗୁଣଧାମ ॥ ୫୦
ଋଷଭ ତାହାର କୁମର । ସେ ବିଷ୍ଣୁଅଂଶେ ଅବତାର ॥ ୫୧
ତା'ର ମହିମା ଗୁଣ ଯେତେ । ଅନ୍ତ କେ କରୁ ତ୍ରିଜଗତେ ॥ ୫୨
ଅଶେଷ ମହିମା ଯାହାର । ଭରତ ତାହାର କୁମର ॥ ୫୩
ଶତେକ ପୁତ୍ରେ ଶ୍ରେଷ୍ଠ ସେହି । ଅପରେ ଊନଶତ ଭାଇ ॥ ୫୪
ସକଳେ ବେଦବିଦ୍ୟା ସାର । ପବିତ୍ରମୟ କଳେବର ॥ ୫୫
ଭରତ ଥାଇ ପୁଣ୍ୟକର୍ମେ । ଭାରତ ଭୂମି ଯା'ର ନାମେ ॥ ୫୬
ଭୁବନେ ରାଜଭୋଗ ଭୁଞ୍ଜି । ବନେ ପଶିଲା ରାଜ୍ୟ ତେଜି ॥ ୫୭
ତପେ ତୋଷିଲା ଭାବଗ୍ରାହୀ । ଜାତିସ୍ମର ସେ ଜନ୍ମୁ ହୋଇ ॥ ୫୮
ଏମନ୍ତେ ତିନିଜନ୍ମ ଅନ୍ତେ । ପଶିଲା ବିଷ୍ଣୁପାଦଗତେ ॥ ୫୯
ଅଶେଷଦୁଃଖ ନାଶ ଗଲା । ଜନ୍ମ ମରଣୁଁ ନିସ୍ତରିଲା ॥ ୬୦
ଆର ଯେ ଊନଶତ ଭାଇ । ତା'ଙ୍କ ମହିମା ଶୁଣ ତୁହି ॥ ୬୧
ତାହାଙ୍କ ମଧ୍ୟେ ନବସୁତ । ସାଧୁ ସୁଗୁଣ ବଳବନ୍ତ ॥ ୬୨
ହୋଇଲେ ନବଦ୍ୱୀପେ ରାଜା । ସୁଖେ ପାଳିଲେ ଜନପ୍ରଜା ॥ ୬୩
ଏକ ଅଧିକେ ଅଶୀ ସୁତେ । ବେଦ ଅଭ୍ୟାସି ଦୃଢଚିତ୍ତେ ॥ ୬୪
ତପେ ଆରାଧି ନାରାୟଣ । ଜଗତେ ହୋଇଲେ ବ୍ରାହ୍ମଣ ॥ ୬୫
ଶେଷ ଯେ ନବସୁତ ଥିଲେ । ନିର୍ଗୁଣ ଯୋଗ ଅଭ୍ୟାସିଲେ ॥ ୬୬
ସେ ଆତ୍ମାଜ୍ଞାନୀ ସାଧୁ ଧୀର । ଜଟା ବିଭୂତି ଦିଗମ୍ବର ॥ ୬୭
ମିତ୍ର ଅଇରି ପକ୍ଷ ସମ । ଶୁଣ ହେ ତାହାଙ୍କର ନାମ ॥ ୬୮
ସେ କବି ହରି ଅନ୍ତରୀକ୍ଷ । ଏ ତିନି ଜ୍ଞାନେ ଧ୍ୟାନେ ଦକ୍ଷ ॥ ୬୯
ପ୍ରବୁଦ୍ଧ ଯେ ପିପ୍ପଳାୟନ । ଷଷ୍ଠରେ ଆବିର୍ହୋତ୍ର ନାମ ॥ ୭୦
ଦ୍ରୁମିଳ ଚମସ ଏ ଦୁଇ । କରଭାଜନ ନବଭାଇ ॥ ୭୧
ଏମନ୍ତେ ନବ ସହୋଦରେ । ଆନନ୍ଦେ ଭ୍ରମନ୍ତି ସଂସାରେ ॥ ୭୨
ତାହାଙ୍କ ମନ କୃଷ୍ଣଦେହେ । କପଟ ତେଜି ଏକସ୍ନେହେ ॥ ୭୩
ଦେଖନ୍ତି ସର୍ବଜୀବ ଦେହେ । ଏକା ଗୋବିନ୍ଦ ଆନ ନୋହେ ॥ ୭୪
ପରମଆତ୍ମା ଭାବେ ମଜ୍ଜି । ଏକା ଗୋବିନ୍ଦ ପାଦେ ଭଜି ॥ ୭୫
ସେ ଅବ୍ୟାହତ ଇଷ୍ଟଗତି । ଏମନ୍ତେ ନବବିପ୍ରେ ଥା'ନ୍ତି ॥ ୭୬
ସିଦ୍ଧ ଗନ୍ଧର୍ବ ସୁରମେଳେ । ଯକ୍ଷକିନ୍ନର ରସାତଳେ ॥ ୭୭
ଶିବ ସୁରଭିପୁରେ ଥା'ନ୍ତି । ବ୍ରହ୍ମାର ଭୁବନେ ମିଳନ୍ତି ॥ ୭୮
ଏ ଆଦି ନାନା ଦେଶ ପୁରେ । ଭ୍ରମନ୍ତି ନବସହୋଦରେ ॥ ୭୯
ସେ ନବମୁନି ଏକଦିନେ । ମିଳିଲେ ନିମି ଯଜ୍ଞସ୍ଥାନେ ॥ ୮୦
ତାହାଙ୍କୁ ଯଜ୍ଞଶାଳେ ଦେଖି । ଜନକ ଆସନ ଉପେକ୍ଷି ॥ ୮୧
ଦେଖିଲେ ଦିବ୍ୟତେଜୋମୟେ । ରବିଶଶାଙ୍କ ସମ ନୋହେ ॥ ୮୨
ଅଗ୍ନି ଯେ କୁଣ୍ଡମଧ୍ୟେ ଥିଲେ । ବିପ୍ରଙ୍କ ସଙ୍ଗତେ ଉଠିଲେ ॥ ୮୩
ଜାଣିଲେ ବିଦେହରାଜନ । ଏ ସର୍ବେ କୃଷ୍ଣପରାୟଣ ॥ ୮୪
ଆନନ୍ଦମନେ ନୃପବର । ପୂଜିଲେ ମୁନିଙ୍କ ପୟର ॥ ୮୫
ପ୍ରଣାମ କରି ତା'ଙ୍କ ପାଦେ । ଆସନେ ବସାଇ ଆନନ୍ଦେ ॥ ୮୬
ଦେଖଇ ରୂପ ତାହାଙ୍କର । ଯେସନେ ବ୍ରହ୍ମାଙ୍କ କୁମର ॥ ୮୭
କରଯୁଗଳ ଶିରେ ଦେଇ । ବୋଲଇ ନିସ୍ତରିଲି ମୁହିଁ ॥ ୮୮
ତୁମ୍ଭ ଚରଣଯୁଗ ଦେଖି । ନିର୍ମଳ କଲି ଚର୍ମଆଖି ॥ ୮୯
ତୁମ୍ଭେ ଯେ ନବ ବିପ୍ରବର । ନିଶ୍ଚୟେ କୃଷ୍ଣ ଅନୁଚର ॥ ୯୦
ସଂସାରେ ତୁମ୍ଭର ଭ୍ରମଣ । ଅଶେଷ ଲୋକ ପରିତ୍ରାଣ ॥ ୯୧
ଏ ଯେ ମନୁଷ୍ୟ କଳେବର । ଦୁର୍ଲ୍ଲଭ କ୍ଷଣିକ ଭଙ୍ଗୁର ॥ ୯୨
ତଥାପି ମନୁଷ୍ୟ ଶରୀରେ । ଯେ ଭଜେ ଗୋବିନ୍ଦ ପୟରେ ॥ ୯୩
ତାହାଙ୍କୁ ଦେଖନ୍ତି ଯେ ପ୍ରାଣୀ । ତରନ୍ତି ଭବତରଙ୍ଗିଣୀ ॥ ୯୪
କ୍ଷଣେ ନିମିଷେ ଲବେ ଲେଶେ । ଯେବେ ସେ ସାଧୁଜନ ପାଶେ ॥ ୯୫
ଚିତ୍ତେ ଚିନ୍ତଇ କୃଷ୍ଣଭାବ । ତାହାକୁ ବୋଲି ନିଧିଲାଭ ॥ ୯୬
ସେ ଲାଭ ତୁମ୍ଭର ବଚନ । ମୁଁ ଯେବେ ଶୁଣିତେ ଭାଜନ ॥ ୯୭
ଯେ ଧର୍ମ ଆଚରଣେ ପ୍ରାଣୀ । ନିଶ୍ଚେ ଲଭନ୍ତି ଚକ୍ରପାଣି ॥ ୯୮
ସେ ହରି ତା'ଙ୍କ ବଶେ ଥାଇ । ଏ ମାୟା ତା'ଙ୍କୁ ନ ଲାଗଇ ॥ ୯୯
ଏମନ୍ତେ ନିମିବାକ୍ୟ ଶୁଣି । ବୋଲନ୍ତି ନବମହାମୁନି ॥ ୧୦୦
ଶୁଣ ହେ ରାଜା ଏକ ଚିତ୍ତେ । ଯାହା କହିଲେ ଭାଗବତେ ॥ ୧୦୧
କବି ଉବାଚ
କବି ବୋଲନ୍ତି ରାୟେ ଶୁଣ । ଯେ ଭାଗବତ ଧର୍ମ ଗୁଣ ॥ ୧୦୨
ନାନା ପ୍ରକାରେ ହରିପାଦେ । ଯାହାର ଚିତ୍ତ ଅପ୍ରମାଦେ ॥ ୧୦୩
ଭଜଇ ଜାଣି ବିଷ୍ଣୁମାୟା । ସେ ହରି ତା'ରେ କରେ ଦୟା ॥ ୧୦୪
ବିଷ୍ଣୁର ଅଭୟ ଚରଣ । ମଙ୍ଗଳ କୁଶଳ କାରଣ ॥ ୧୦୫
ଅଶେଷ ଦୁଃଖ ନାଶକରେ । ଯେ ନିତ୍ୟେ କୃଷ୍ଣନାମ ଧରେ ॥ ୧୦୬
ଦେହ ସମ୍ପଦ ଦାରା ସୁତ । ଏଣେ ମୋହିତ ଯା'ର ଚିତ୍ତ ॥ ୧୦୭
କାମ ସଙ୍କଳ୍ପ ଦିନେ ଦିନେ । ବଢ଼ଇ ବିଷୟ-ଚିନ୍ତନେ ॥ ୧୦୮
ମାୟାରେ ମନ ଆଗୋଚରେ । ଭ୍ରମଇ ଅଶେଷ ପ୍ରକାରେ ॥ ୧୦୯
କୃଷ୍ଣର ଅଭୟ ଚରଣ । ଅଶେଷ ଦୁଃଖ ନିବାରଣ ॥ ୧୧୦
ହରି ଚରଣ ଲାଭ ଅର୍ଥେ । ନାନା ଉପାୟ ଶାସ୍ତ୍ରଗତେ ॥ ୧୧୧
ଯାହା କହିଲେ ଚକ୍ରଧର । ସେ ଭାଗବତ ଧର୍ମସାର ॥ ୧୧୨
ଭାବେ ଅଭାବେ ମନେ ଗୁଣି । ମୂର୍ଖ ହିଁ ତରେ ଯାହା ଶୁଣି ॥ ୧୧୩
ଏଣେ ଯେ ଚିନ୍ତେ କୃଷ୍ଣପାଦ । ତାହାକୁ ନ ଲାଗେ ପ୍ରମାଦ ॥ ୧୧୪
ହୃଦେ ଗୋବିନ୍ଦପାଦ ଧ୍ୟାୟି । ନୟନ ବୁଜି ଯେବେ ଧାଇଁ ॥ ୧୧୫
ପଥ ନ ଜାଣି ଯେବେ ହୁଡ଼େ । ସେ ପ୍ରାଣୀ କେବେହେଁ ନ ପଡ଼େ ॥ ୧୧୬
ବେଦବଚନ ଧର୍ମଶାସ୍ତ୍ର । ଏ ବେନି ବିପ୍ରଙ୍କର ନେତ୍ର ॥ ୧୧୭
ଏକ ନ ଥିଲେ କାଣ ହୋଇ । ଦୁଇ ଆଭାବେ ଅନ୍ଧ ସେହି ॥ ୧୧୮
ଏମନ୍ତ ବିପ୍ର ଯେବେ ଚିତ୍ତେ । କୃଷ୍ଣଙ୍କୁ ଭଜେ ଅବିରତେ ॥ ୧୧୯
ତାହାର ଅମଙ୍ଗଳ ନାହିଁ । ସକଳ ପାପୁ ସେ ତରଇ ॥ ୧୨୦
ଏ ଧର୍ମ ଭାଗବତ ମତ । ଈଶ୍ବର ବଚନ ନିର୍ମିତ ॥ ୧୨୧
ଏହା ଯେ ନ କରନ୍ତି ପ୍ରାଣୀ । ଧର୍ମ-ସଂଶୟ ମନେ ଗୁଣି ॥ ୧୨୨
କେବେ ହେଁ ନାହିଁ ସୁଖଲେଶ । ଉଭୟ ଲୋକେ ସେ ନିରାଶ ॥ ୧୨୩
ମନ ବଚନ ଦେହ ଚିତ୍ତ । ଅବା ଇନ୍ଦ୍ରିୟ ବୁଦ୍ଧିକୃତ ॥ ୧୨୪
କିବା ସ୍ୱଭାବ ଅନୁସାରେ । ଯେ କର୍ମ କରି ଏ ସଂସାରେ ॥ ୧୨୫
ତା' ନାରାୟଣେ ସମର୍ପିବ । ଜୀବର ସ୍ୱଧର୍ମ ଏ ଭାବ ॥ ୧୨୬
ଏ ଭାଗବତ ଧର୍ମ ଗୁଣ । ଈଶ୍ୱର ବଚନ ପ୍ରମାଣ ॥ ୧୨୭
ଏଣେ ସକଳ ଜ୍ଞାନ ପାଇ । ଅଜ୍ଞାନତମ ନାଶ ଯାଇ ॥ ୧୨୮
ଶୁଣ ବିଦେହ ମହୀପତି । ଯେ ହରିଭାବ ନ ଜାଣନ୍ତି ॥ ୧୨୯
ନାନା ପ୍ରକାରେ ତପ କରେ । ସେ ପ୍ରାଣୀ ସଂସାରୁ ନ ତରେ ॥ ୧୩୦
ହରି ବିମୁଖ ପ୍ରାଣୀ ଯେତେ । ସେ ଥା'ନ୍ତି ପଶୁଙ୍କ ସଙ୍ଗତେ ॥ ୧୩୧
ତାହାଙ୍କ ମୋହେ ବିଷ୍ଣୁମାୟା । ବିଷୟା ରସେ ବଢ଼େ ସ୍ପୃହା ॥ ୧୩୨
ଦେହକୁ ବସ୍ତୁପ୍ରାୟ ମଣେ । ବଇରୀ ମିତ୍ର ପରିମାଣେ ॥ ୧୩୩
ଭ୍ରମଇଁ ଶୋକ ମୋହ ପଥେ । ଅଜ୍ଞାନ ବୁଦ୍ଧି ଭ୍ରମ ଗ୍ରସ୍ତେ ॥ ୧୩୪
ତେଣୁ ସଂସାର ମୋହେ ଜଡି । ଦୁଃଖ ସଙ୍କଟେ ଥା'ନ୍ତି ପଡ଼ି ॥ ୧୩୫
ଯା'ର ମାୟାରେ ଏତେ ଗତି । ତା' ଭାବ ବୁଧଜନେ ଚିନ୍ତି ॥ ୧୩୬
କୃଷ୍ଣ ଭଜନ୍ତି ଏକମନେ । ନିର୍ମଳ ଧ୍ୟାନେ ଆତ୍ମାଜ୍ଞାନେ ॥ ୧୩୭
ଗୁରୁଙ୍କୁ ଇଷ୍ଟଦେବ ଭାବେ । ମନେ ଚିନ୍ତନ୍ତି ଜ୍ଞାନଲାଭେ ॥ ୧୩୮
ଜୀବ ଅଜ୍ଞାନଭାବ ଦେଖ । ଦୁଃଖକୁ ମଣେ ମହାସୁଖ ॥ ୧୩୯
ଯେସନେ ସ୍ୱପ୍ନ ମନୋରଥେ । ଭ୍ରମଇଁ ନିଦ୍ରାର ଆୟତ୍ତେ ॥ ୧୪୦
ମଣଇଁ ସତ୍ୟପ୍ରାୟ ତାହା । ମନ ବିଳାସ ମାତ୍ର ମାୟା ॥ ୧୪୧
ଏ ମନ କୃଷ୍ଣପାଦେ ଦେଲେ । ଏ ମାୟା ନ ଲାଗଇ ଭଲେ ॥ ୧୪୨
ଦୁର୍ଗମ ପଥ ଏ ଭଜନ । ଭୟେ ଭାଜିଲେ ଯୋଗୀଜନ ॥ ୧୪୩
ଏବେ କହିବା ଶୁଣ ରାୟ । ସେ ହରି ଭଜନ ଉପାୟ ॥ ୧୪୪
କୃଷ୍ଣର ଜନ୍ମକର୍ମ ଯେତେ । ନାନା ଚରିତ ଏ ଜଗତେ ॥ ୧୪୫
ଶ୍ରବଣ ସ୍ମରଣ କୀର୍ତ୍ତନ । ତାରଇ ଅଶେଷ ଭୁବନ ॥ ୧୪୬
ସେ ନାମଭାବେ ଚିତ୍ତ ଜଡି । ହୃଦରୁ ଲାଜଭୟ ଏଡି ॥ ୧୪୭
କାମାଦି ସଙ୍ଗ ଦୂର କରି । ଏ ଘୋର ସଂସାରେ ବିହରି ॥ ୧୪୮
ଉଚ୍ଚେ ଡ଼ାକିବ କୃଷ୍ଣ ନାମ । ଶୁଭିବ ସକଳ ଶ୍ରବଣ ॥ ୧୪୯
ଆନନ୍ଦେ ତୋଳି ବେନିକର । କଷ୍ଠ ଗର୍ଜନ ଉଚ୍ଚସ୍ୱର ॥ ୧୫୦
ଉନ୍ମତ୍ତ ପ୍ରାୟ ନୃତ୍ୟ କରେ । ଲୋଭ ବେଭାର ପରିହାରେ ॥ ୧୫୧
ଗଗନ ସମୀରଣ ଜ୍ୟୋତି । ଯେ ଅବା ସଲିଳ ଧରିତ୍ରୀ ॥ ୧୫୨
ନଦୀ ସାଗର ତରୁଗଣ । ପର୍ବତ ସ୍ଥାବର ଜଙ୍ଗମ ॥ ୧୫୩
ଜନ୍ତୁଙ୍କ ବାହ୍ୟ ଅଭ୍ୟନ୍ତର । ଏ ସର୍ବ କୃଷ୍ଣର ଶରୀର ॥ ୧୫୪
ନିଶ୍ଚୟ ଜାଣି ଏକଚିତ୍ତେ । ପ୍ରଣାମ କରୁଥିବ ନିତ୍ୟେ ॥ ୧୫୫
ଅମୃତ ବିନୟ ବଚନ । କହି ତୋଷିବ ପ୍ରାଣୀମନ ॥ ୧୫୬
ଏ ଭାବେ ଲଭି କୃଷ୍ଣପାଦ । ହରିବ ବିଷୟା ବିଷାଦ ॥ ୧୫୭
ଶୁଣ ରାଜନ ପୁଣ୍ୟଦେହା । ତୁ ଅବା ପଚାରିବୁ ଏହା ॥ ୧୫୮
ଯୋଗୀଏ ଯୋଗତପବଳେ । ଭ୍ରମନ୍ତି ଭାରତ ମଣ୍ଡଳେ ॥ ୧୫୯
ନିର୍ମଳ ଜ୍ଞାନେ ହୃଦଗତେ । ଯାହା ଚିନ୍ତନ୍ତି ଏକଚିତ୍ତେ ॥ ୧୬୦
ଅନେକ ଜନେ ଯାହା ସାଧି । ବହୁ ଦୁର୍ଲ୍ଲଭ ଯେଉଁ ସିଦ୍ଧି ॥ ୧୬୧
ଶ୍ରୀକୃଷ୍ଣ ନାମର କୀର୍ତ୍ତନେ । କେମନ୍ତେ ଲଭେ ଏକ ଜନ୍ମେ ॥ ୧୬୨
ଶୁଣ ହେ ରାଜା ମନ ଦେଇ । ଉତ୍ତମ ଶିଷ୍ୟେ ଏହା କହି ॥ ୧୬୩
ଯେ ଭକ୍ତିଯୋଗ ପ୍ରାଣୀଙ୍କର । ଶ୍ରବଣ କୀର୍ତ୍ତନ ଗୋଚର ॥ ୧୬୪
ଏଣୁ ସେ ତତ୍ତ୍ୱଜ୍ଞାନ ସ୍ପୁରେ । ବିଷୟ ରସ ନ ସୁମରେ ॥ ୧୬୫
ଏ ତିନି ଏକକାଳେ ହୋଇ । ପରମ ପ୍ରେମକୁ ଲଭଇ ॥ ୧୬୬
ବଢଇ ଦିନେ ଦିନେ ଜ୍ଞାନ । ଜନ୍ତୁଙ୍କୁ ଭୋଜନ ଯେସନ ॥ ୧୬୭
ଅନ୍ନ ଭୋଜନେ ପ୍ରତିଗ୍ରାସ । କ୍ଷୁଧା ପିପାସା କରେ ନାଶ ॥ ୧୬୮
ସନ୍ତୋଷେ ତୁଷ୍ଟି ପୁଷ୍ଟି ଲଭେ । ସୁଖ ଉଦୟ ହୁଏ ତେବେ ॥ ୧୬୯
କୃଷ୍ଣ ଭଜନ ଏହିମତେ । ଜ୍ଞାନୀ ସାଧନ୍ତି ଏ ଜଗତେ ॥ ୧୭୦
ଜନ୍ମଇଁ ବିଷୟ ବୈରାଗ୍ୟ । ମାୟା ଜଡ଼ିତ ସୁଖ ତ୍ୟାଗ ॥ ୧୭୧
ଅଜ୍ଞାନ ହରେ ଦିବ୍ୟଜ୍ଞାନ । ଏ ଅନୁଭବ ଅଭ୍ୟାସନେ ॥ ୧୭୨
ଆନନ୍ଦ ରସ ପାଇ ନିତି । ଚିତ୍ତେ ପ୍ରବେଶ ହୋଏ ଶାନ୍ତି ॥ ୧୭୩
ଶାନ୍ତି ଭଜଇ ସୁଖଭରେ । ତ୍ରିଗୁଣ ତାପୁଁ ସେ ନିସ୍ତରେ ॥ ୧୭୪
ଏମନ୍ତେ କବିର ବଚନ । ଜନକ ଶୁଣି ତୋଷମନ ॥ ୧୭୫
ସୁଖ ସଙ୍କଳ୍ପେ କୃତକୃତ୍ୟ । ବୋଲଇ ଦାସ ଜଗନ୍ନାଥ ॥ ୧୭୬
ପୁରାଣ କହିଲଇଁ ଗୀତେ । ସୁଜନ ଜନଙ୍କର ହିତେ ॥ ୧୭୭
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଏକାଦଶସ୍କନ୍ଧେ ଦ୍ୱିତୀୟୋଦ୍ଧଧ୍ୟାୟଃ
* * *