ଏକାଦଶ ସ୍କନ୍ଧ
ପ୍ରଥମ ଅଧ୍ୟାୟ
ନମଇଁ ନୃସିଂହ ଚରଣ । ଅନାଦି ପରମ କାରଣ ॥ ୧
ନୀଳଜୀମୂତ କଳେବର । ଦେବମାନବେ ଅଗୋଚର ॥ ୨
ମାୟା ସଂସାରେ ଯାର ଖେଳା । ଯା' ନାମ ଭବଜଳେ ଭେଳା ॥ ୩
କରୁଣା କଟାକ୍ଷ ପ୍ରକାଶେ । ଭକତଜନ ଦୁଃଖ ନାଶେ ॥ ୪
ସେ ପାଦେ ଶରଣ ମୋହର । ହେଳେ ତରିବି ତମଘୋର ॥ ୫
ସେ ହରି ଚରିତ ପ୍ରକାଶ । ମୁକ୍ତି ଲକ୍ଷଣ ଏକାଦଶ ॥ ୬
ଏ ଭାଗବତ ଧର୍ମ କଥା । ହେଳେ ଖଣ୍ଡଇ ଭବବ୍ୟଥା ॥ ୭
ନାରଦ ବସୁଦେବ ବାଣୀ । ନିମି ରାଜନେ ନବମୁନି ॥ ୮
ଉଦ୍ଧବ ନିସ୍ତାରଣ ବାଣୀ । ଯାହା କହିଲେ ଚକ୍ରପାଣି ॥ ୯
ସେ କଥା ପ୍ରାକୃତେ ପ୍ରକାଶ । ଆରମ୍ଭେ ଜଗନ୍ନାଥ ଦାସ ॥ ୧୦
ବ୍ୟାସନନ୍ଦନ ମୁଖୁଁ ଶୁଣି । ନିର୍ମଳ ଭାଗବତ ବାଣୀ ॥ ୧୧
ସାଧୁସଙ୍ଗମେ ଗଙ୍ଗାତୀରେ । ଶୁକ ଚରଣ ଧରି କରେ ॥ ୧୨
ଆନନ୍ଦେ କରି ଅଶ୍ରୁପାତ ॥ ବୋଇଲେ ଅଭିମନ୍ୟୁ ସୁତ ॥ ୧୩
ପରୀକ୍ଷିତ ଉବାଚ
ଭୋ ମୁନି ନମେ ତୋ' ପୟରେ । ମୋତେ ଉଦ୍ଧର ଏ ସଂସାରେ ॥ ୧୪
କହ ଶ୍ରୀକୃଷ୍ଣ ଗୁଣମାନ । ପୁଣି କି କଲେ ଭଗବାନ ॥ ୧୫
ଶୁକ ଉବାଚ
କହନ୍ତି ବ୍ୟାସଙ୍କ ତନୁଜ । ଶୁଣ ପରୀକ୍ଷ ମହାରାଜ ॥ ୧୬
ଦେବଙ୍କ ବ୍ୟାକୁଳେ ମୁରାରି । ଅବନୀ ତଳେ ଅବତରି ॥ ୧୭
ଅଂଶେ ମନ୍ୟୁଷରୂପ ଧରି । ଯାଦବ ତୁଲେ ରାମହରି ॥ ୧୮
ଦୁଷ୍ଟ ଦନୁଜଗଣ ମାରି । ଅବନୀଭାରା ହେଳେ ହରି ॥ ୧୯
କୁରୁ ପାଣ୍ଡବ ମଧ୍ୟେ ହରି । ମାୟା କନ୍ଦଳେ ଭେଦ କରି ॥ ୨୦
କପଟ ପଶା ବନବାସ । ଆକର୍ଷି ଦ୍ରୌପଦୀର କେଶ ॥ ୨୧
ଭୀମକୁ ବିଷଲଡୁ ଦେଇ । ଜତୁର ଘରେ ଅଗ୍ନି ଦାହି ॥ ୨୨
ଏ ଆଦି ଯେତେ କଷ୍ଟମାନ । ପାଣ୍ଡବେ ଦେଲା ଦୁର୍ଯ୍ୟୋଧନ ॥ ୨୩
ସେ ଅପମାନେ କ୍ରୋଧ ବହି । ସଙ୍ଗତେ ଘେନି ପାଞ୍ଚଭାଇ ॥ ୨୪
ନିମିତ୍ତ କରି ତା'ଙ୍କୁ ହରି । ଅନେକ ଅକ୍ଷୌହିଣ ମାରି ॥ ୨୫
ଭାରା ନିବାରି ଭଗବାନ । ଅନ୍ତେ ଚଳିଲେ ନିଜ ସ୍ଥାନ ॥ ୨୬
ଯାଦବେ କୃଷ୍ଣ ଭୁଜବଳେ । ଅଜେୟ ଏ ମହୀମଣ୍ଡଳେ ॥ ୨୭
ତାହାଙ୍କୁ ସଙ୍ଗେ ଘେନି କରି । ଦୁଷ୍ଟରାଜାଙ୍କ ପ୍ରାଣ ହରି ॥ ୨୮
ମନରେ କରନ୍ତି ବିଚାର । ଯାବତ ଛନ୍ତି ଯଦୁବୀର ॥ ୨୯
ତାବତ ପୃଥିବୀର ଭାର । ଉଶ୍ୱାସ କାହିଁ ଅଛି ଆର ॥ ୩୦
ଦେବତା ଆଦି ନାଗ ନର । ଏଣେ ଏ ନୁହଁନ୍ତି ସଂହାର ॥ ୩୧
ମୋର ବିଭବ ମୋର ହସ୍ତେ । ନାଶିବା ନୁହଇ ଉଚିତେ ॥ ୩୨
କଳି ଭିଆଇ ନିଜବଂଶେ । ସଂହାରି ବିଶ୍ରମିବି ଶେଷେ ॥ ୩୩
ବନୁ ଅନଳ ଜାତ ହୋଇ । ଯେହ୍ନେ ଲିଭଇ ବନ ଦହି ॥ ୩୪
ଶୁଣ ରାଜନ ପରିକ୍ଷିତ । ଏମନ୍ତ ବିଚାରି ଅଚ୍ୟୁତ ॥ ୩୫
ନିମିତ୍ତ ବିପ୍ରଶାପ କରି । କନ୍ଦଳେ ନିଜବଂଶ ମାରି ॥ ୩୬
ଲାବଣ୍ୟରୂପେ ଜନ ମୋହି । ପ୍ରାଣୀ ନୟନେ ସୁଖ ଦେଇ ॥ ୩୭
ସେ ରୂପ କରି ଅନ୍ତର୍ଦ୍ଧାନ । ହରିଲେ ପ୍ରାଣୀଙ୍କର ମନ ॥ ୩୮
କୃଷ୍ଣ କୋମଳ ମଞ୍ଜୁବାଣୀ । ଯେ ଅବା କର୍ଣ୍ଣେ ଥିଲେ ଶୁଣି ॥ ୩୯
ତେଣେ ତାହାଙ୍କ ମନ ହରି । ଅନ୍ତର ହୋଇଲେ ମୁରାରି ॥ ୪୦
କୃଷ୍ଣର ପାଦପଦ୍ମ ଚିହ୍ନ । ସୁନ୍ଦର ମନ୍ଥର ଗମନ ॥ ୪୧
ସେ ପାଦପଦ୍ମେ ଦେଇ ମନ । ଯେ ଅବା ଦେଖିଥିଲେ ଜନ ॥ ୪୨
ସେ ରୂପେ ତା'ଙ୍କ ମନ ହରି । ନିଜ ଭୁବନେ ବିଜେ କରି ॥ ୪୩
କୃଷ୍ଣର ଯଶ ଗୁଣ ଯେତେ । ସଂସାରେ ଶୁଣି ଗୁଣି ଚିତ୍ତେ ॥ ୪୪
ପ୍ରାଣୀ ହୋଇବେ ଭବୁ ପାର । ଏମନ୍ତ ମହିମା ଯାହାର ॥ ୪୫
ସେ ରୂପ କଲେ ଅନ୍ତର୍ଦ୍ଧାନ । ହରି ଚଳିଲେ ନିଜ ସ୍ଥାନ ॥ ୪୬
ଶୁକ ଚରଣତଳେ ପଡି । କହେ ପରୀକ୍ଷ କରଯୋଡି ॥ ୪୭
ପରୀକ୍ଷିତ ଉବାଚ
ଅଖଣ୍ଡ ନିଜବଂଶ କୋପେ । କିମ୍ବା ହରିଲେ ବିପ୍ରଶାପେ ॥ ୪୮
ଯେ ଯଦୁବଂଶ ମହୀତଳେ । କ୍ଷୟ ନୁହଁନ୍ତି ରିପୁବଳେ ॥ ୪୯
ଯାହାର ସ୍ନେହ ଅନୁବନ୍ଧେ । ଈଶ୍ୱର ଖେଳଇ ଆନନ୍ଦେ ॥ ୫୦
ଯାଦବେ ବିପ୍ର ଗୁରୁପାଦେ । ସେବନ୍ତି ବେଦବିଧି ବାଦେ ॥ ୫୧
ସେ ବ୍ରହ୍ମଶାପ ନରହରି । ହେଳେ ପାରଇ ଆନ କରି ॥ ୫୨
ସର୍ବ ସମ୍ପଦ ନିଜପୁରୀ । ମାୟାର ବଳେ ଭେଦ କରି ॥ ୫୩
କିମ୍ପା ଗୋବିନ୍ଦ ସଂହାରିଲେ । ନିଜ ଭୁବନେ ବିଜେ କଲେ ॥ ୫୪
ଯାଦବେ ଏକଆତ୍ମା ହୋଇ । କିପାଁ କନ୍ଦଳ କଲେ ସେହି ॥ ୫୫
କି ଶାପ କି ଅବା କାରଣ । ଏ ସର୍ବ ମୋହର ପ୍ରଶନ ॥ ୫୬
ଭୋ ମୁନି କହ ତୋଷମନେ । ଏମନ୍ତ ରାଜାର ବଚନେ ॥ ୫୭
ଶୁକ ଉବାଚ
ବୋଲନ୍ତି ବ୍ୟାସମୁନି ସୁତ । ଶୁଣ ହୋ କୃଷ୍ଣର ଚରିତ ॥ ୫୮
ଜନମୋହନ ମାୟାଧର । ପ୍ରକାଶି ନର କଳେବର ॥ ୫୯
ନାନା ବିଚିତ୍ରକର୍ମ କରି । କନ୍ଦଳେ ନିଜବଂଶ ମାରି ॥ ୬୦
କାହାର ସାଧ୍ୟ ଏ ବେଭାର । ଶୁଣ ସୁମନେ ନୃପବର ॥ ୬୧
କଳି କଳୁଷ ନିବାରଣ । ସଂସାରେ ସ୍ଥାପି ଯଶଗୁଣ ॥ ୬୨
ଏବେ ଗୋବିନ୍ଦ କଲେ ଯେତେ । କହିବା ଶୁଣ ଏକଚିତ୍ତେ ॥ ୬୩
ଯାଦବବଂଶ ନାଶ ଅର୍ଥେ । ଗୋବିନ୍ଦ ବିଚାରିଲେ ଚିତ୍ତେ ॥ ୬୪
ବିପ୍ରେ ଯେ ଥିଲେ ନିଜ ଦେଶେ । କୃଷ୍ଣର ଦରଶନ ଆଶେ ॥ ୬୫
ବିଶ୍ୱାମିତ୍ରଙ୍କୁ ଆଗ କରି । ଅସିତ କଣ୍ୱ ବ୍ରହ୍ମଚାରୀ ॥ ୬୬
ବଶିଷ୍ଠ ନାରଦ ବିଶେଷି । ଭୃଗୁ ଅଙ୍ଗିରା ଅତ୍ରିଋଷି ॥ ୬୭
ଦୁର୍ବାସା କଶ୍ୟପଙ୍କୁ ଘେନି । ଶ୍ରୀବାମଦେବ ମହାମୁନି ॥ ୬୮
ଶ୍ରମେ ଚାଲନ୍ତି ବନପଥେ । ମିଳିଲେ ପିଣ୍ଡାରକ ତୀର୍ଥେ ॥ ୬୯
ଏଣେ ଯେ କୃଷ୍ଣର କୁମରେ । ଆନନ୍ଦେ ସମୁଦ୍ରର ତୀରେ ॥ ୭୦
ସକଳେ ଏକସ୍ଥାନେ ମିଳି । ରଙ୍ଗେ କରନ୍ତି ନାନାକେଳି ॥ ୭୧
ଶାମ୍ବକୁ ନାରୀବେଶ କରି । ଅନେକ ଅଳଙ୍କାର ଭରି ॥ ୭୨
ପ୍ରସବ ଗର୍ଭ ପ୍ରାୟ କରି । ଉଦରେ ଲୌହପାତ୍ର ଭରି ॥ ୭୩
ଚାଲଇ ଚରଣ ମନ୍ଥରେ । ଶ୍ରମେ ଘୂମିତ କଳେବରେ ॥ ୭୪
ମୁନିଙ୍କି ଦେଖି ଲଜ୍ଜା ପାଇ । ଅନ୍ତରେ ଅଧୋମୁଖ ହୋଇ ॥ ୭୫
ରହିଲା ଲତା ଅଭ୍ୟନ୍ତରେ । ଏମନ୍ତେ କୃଷ୍ଣର କୁମରେ ॥ ୭୬
ମୁନିଙ୍କ ପାଶେ ଯାଇ ଧୀରେ । କର ଅଞ୍ଜଳି ଦେଇ ଶିରେ ॥ ୭୭
କୋମଳ ମଧୁର ବଚନେ । ବୋଲନ୍ତି ଶୁଣ ବିପ୍ରଜନେ ॥ ୭୮
ଯାଦବ କୁଳବଧୂ ଏହି । ଅନେକ ଦିନୁ ଗର୍ଭ ବହି ॥ ୭୯
ପ୍ରସବ ନୋହେ କି କାରଣେ । ପୁଛିଲୁ ତୁମ୍ଭର ଚରଣେ ॥ ୮୦
ଚଳି ନ ପାରେ ଶ୍ରମଭାଗେ । ଲାଜେ ନ କହେ ତୁମ୍ଭ ଆଗେ ॥ ୮୧
ତୁମ୍ଭେ ସର୍ବଜ୍ଞ ମୁନିବର । କି ଅଛି ଗର୍ଭରେ ଏହାର ॥ ୮୨
ପୁତ୍ର ଦୁହିତା କିବା ଜାତ । ମାୟା ନ କରି କହ ସତ ॥ ୮୩
ଶୁଣି ସେ କପଟ ବଚନ । କୋପେ ବୋଲନ୍ତି ମୁନିଜନ ॥ ୮୪
ଏ ନାରୀ ଗର୍ଭବାସ ବାଣୀ । ଆମ୍ଭେ ଜାଣିଲୁ ପରିମାଣି ॥ ୮୫
ଏହାର ଗର୍ଭ ହେବ କାଳ । ନିଷ୍ଠୁର ଲୌହର ମୂଷଳ ॥ ୮୬
ଆଜ ଏ ଗର୍ଭ ପ୍ରସବିବ । ତୁମ୍ଭର ବଂଶ ବିନାଶିବ ॥ ୮୭
କୁଳ ସମୂଳେ କରି ନାଶ । ଭୂମିରେ ଯେତେ ଯଦୁବଂଶ ॥ ୮୮
ଏମନ୍ତ କହି ଗଲେ ମୁନି । କୃଷ୍ଣ କୁମରେ ତାହା ଶୁଣି ॥ ୮୯
ବଜ୍ର ପଡ଼ିଲା ଯେହ୍ନେ ମୁଣ୍ଡେ । ଶାମ୍ବକୁ ଘେନି ରାଜଦାଣ୍ଡେ ॥ ୯୦
ତକ୍ଷଣେ ଲୌହପାତ୍ର ଫେଇ । ପେଟ ଖୋଜନ୍ତି ହସ୍ତ ଦେଇ ॥ ୯୧
କର୍କଶ ପିଙ୍ଗଳ ପିଚ୍ଛିଳ । ଦେଖିଲେ ଲୌହର ମୂଷଳ ॥ ୯୨
ଗର୍ଭୁ ପଡ଼ିଲା ବଜ୍ର ପ୍ରାୟେ । ଦେଖି କମ୍ପିଲେ କୃଷ୍ଣପୋଏ ॥ ୯୩
ଲୌହମୂଷଳ ତେଜଭରେ । ଚକ୍ଷୁ ବୁଜିଲେ ବେନିକରେ ॥ ୯୪
ବୋଲନ୍ତି କଲୁ ମନ୍ଦକର୍ମ । କିବା ବୋଲିବେ କୃଷ୍ଣରାମ ॥ ୯୫
ଏମନ୍ତେ ଶ୍ରୀକୃଷ୍ଣର ସୁତେ । ଲୌହମୂଷକ ଘେନି ହସ୍ତେ ॥ ୯୬
ଉଗ୍ରସେନର ସଭାତଳେ । ମିଳିଲେ ହୃଦୟ ବ୍ୟାକୁଳେ ॥ ୯୭
ଲୌହମୂଷଳ ତଳେ ଥୋଇ । ବୋଲନ୍ତି ସଭାମୁଖ ଚାହିଁ ॥ ୯୮
ଆମ୍ଭେ ଯେ କ୍ରୀଡ଼ା କଉତୁକେ । ଖେଳନ୍ତେ ତୀର୍ଥ ପିଣ୍ଡାରକେ ॥ ୯୯
ଶାମ୍ବକୁ ନାରୀବେଶ କରି । ଉଦରେ ଲୌହପାତ୍ର ଭରି ॥ ୧୦୦
ମୁନିଙ୍କି ପଚାରିଲୁ ଭାବେ । ଏ ଗର୍ଭ ପ୍ରସବ ପ୍ରସ୍ତାବେ ॥ ୧୦୧
ଶୁଣି କୋପିଲେ ମୁନିଜନେ । ବନ-ଗହନ-ପଥ ଶ୍ରମେ ॥ ୧୦୨
ବୋଇଲେ ଗର୍ଭେ ଅଛି କାଳ । ନିଷ୍ଠୁର ଲୌହର ମୂଷଳ ॥ ୧୦୩
ଭୂମିରେ ଯଦୁବଂଶ ଯେତେ । ଏ ଲୌହେ ମରିବେ ସମସ୍ତେ ॥ ୧୦୪
ନିର୍ମୂଳ କରି ଯଦୁକୁଳ । ଏ ଜାତ ଲୌହର ମୂଷଳ ॥ ୧୦୫
ତକ୍ଷଣେ ଗର୍ଭ ଫେଇ ଦେଖି । ଭୟେ ବୁଜିଲୁ ବେନିଆଖି ॥ ୧୦୬
ଏମନ୍ତେ କହି ସଭାମଧ୍ୟେ । କୁମରେ ବସିଲେ ବିଷାଦେ ॥ ୧୦୭
ଶୁଣି ସକଳ ଗୁରୁଜନେ । କହଇ ଦୁଃଖଦ ବଦନେ ॥ ୧୦୮
ନିଷ୍ଠୁର ବ୍ରହ୍ମ କୋପାନଳ । ଦହଇ ଭୂବନମଣ୍ଡଳ ॥ ୧୦୯
ଅନ୍ୟଥା କେ ତାହା କରିବ । ବ୍ରହ୍ମାଶଙ୍କର ବାସୁଦେବ ॥ ୧୧୦
ଶୁଣି ବିଷାଦ ସଭାଜନ । ବଦନୁ ନ ସ୍ପୁରେ ବଚନ ॥ ୧୧୧
ତା' ଦେଖି ରାଜା ଉଗ୍ରସେନ । ଭୃତ୍ୟଙ୍କୁ ବୋଲନ୍ତି ବଚନ ॥ ୧୧୨
ଏ ଲୌହ ଗିରିଶିଖେ ନେଇ । ଘଷ ସମୁଦ୍ରଜଳ ଦେଇ ॥ ୧୧୩
ନିଃଶେଷ କରି ଲୌହ ଘଷ । ଯେମନ୍ତେ ନ ରହଇ ଶେଷ ॥ ୧୧୪
ତକ୍ଷଣେ ରାଜା ଆଜ୍ଞା ପାଇ । ମୂଷଳ ଘେନି ବେଗେ ଯାଇ ॥ ୧୧୫
ପର୍ବତେ ସମୁଦ୍ରର ଜଳେ । ଲୌହ ଘଷିଲେ ଭୁଜବଳେ ॥ ୧୧୬
ଘଷନ୍ତେ ଲୌହଚୂର୍ଣ୍ଣ ଶିଳେ । ପଡ଼ଇ ସମୁଦ୍ର ଉଲ୍ଲୋଳେ ॥ ୧୧୭
ଅନେକ ଦିନ ଘଷି ରୋଷେ । ଅଳପ ରହେ ଅବଶେଷେ ॥ ୧୧୮
ଅଙ୍ଗୁଳି ଛିଡ଼ି ଘରଷଣେ । ନିଷ୍ଠୁରେ ନିଃଶେଷ କରଣେ ॥ ୧୧୯
ନ ପାରି ପକାଇଲେ ଜଳେ । ଘୋର ଗଭୀର ମୀନମେଳେ ॥ ୧୨୦
ଲୌହ ପଡ଼ନ୍ତେ ଘୋର ପାଣି । ଆହାର ପ୍ରାୟ ତାହା ମଣି ॥ ୧୨୧
ମୀନ ଗିଳିଲା ଅତି ବେଗେ । ସେ ମୀନ ମତ୍ସ୍ୟଗଣ ସଙ୍ଗେ ॥ ୧୨୨
ଚରନ୍ତେ ସମୁଦ୍ରର ଜଳେ । ଜାଲେ ପଡ଼ିଲା ରାତ୍ରକାଳେ ॥ ୧୨୩
ଧୀବରେ ମୀନ ନେଇ ଏକା । ଜାରାଶବରେ ଦେଲା ଦେଖା ॥ ୧୨୪
ମୀନ କାଟନ୍ତେ ତା'ର ଘରେ । ଲୌହ ଦେଖିଲା ତା' ଉଦରେ ॥ ୧୨୫
କର୍କଶ ପିଙ୍ଗଳ ପ୍ରଚଣ୍ଡ । ଜଳଇ ଯେହ୍ନେ ମାରତଣ୍ଡ ॥ ୧୨୬
ଦେଖି ଶବର ତୋଷ ହୋଇ । ନାରାଚଫଳ କଲା ନେଇ ॥ ୧୨୭
ବାଣର ମୁନେ ତୀକ୍ଷ୍ଣଫଳ । ତେଜେ କି ଗଞ୍ଜଇ ଅନଳ ॥ ୧୨୮
ଯେ ଲୌହଚୂର୍ଣ୍ଣ ପଡ଼ିଜଳେ । ଭାସିଲା ସମୁଦ୍ର ଉଲ୍ଲୋଳେ ॥ ୧୨୯
ତୀରେ ଲାଗନ୍ତେ ଲୌହଚୂର୍ଣ୍ଣ । ଜନ୍ମିଲା ଏରକାର ବନ ॥ ୧୩୦
ତୀକ୍ଷ୍ଣ ତ୍ରିଶିର ସେ ସ୍ୱଭାବେ । ଯେଣେ ଯାଦବେ ନାଶଯିବେ ॥ ୧୩୧
ସେ କାଳରୂପୀ ଭଗବାନ । ଜାଣଇଁ ସକଳ ବିଧାନ ॥ ୧୩୨
ଖେଳଇ ମାୟାମୟ କଳ୍ପେ । ସେ ପ୍ରଭୁ ଡ଼ରେ ବ୍ରହ୍ମଶାପେ ॥ ୧୩୩
କୁଳବିନାଶ ହେତୁ କରି । ଅବନୀଭାରା ହେଳେ ହରି ॥ ୧୩୪
ନିଜ ଭୁବନେ ଅବଧାନ । ନିର୍ଲେପ ପ୍ରଭୁ ଭଗବାନ ॥ ୧୩୫
ବୋଲଇ ଦାସ ଜଗନ୍ନାଥ । ଶ୍ରୀଏକାଦଶ ଭାଗବତ ॥ ୧୩୬
ଜାହ୍ନବୀତୀରେ ରାଜା ଆଗେ । ଶୁକ କହିଲେ ସାଧୁସଙ୍ଗେ ॥ ୧୩୭
ପୁରାଣ ଭାଗବତ ବାଣୀ । ସୁଜନେ ତର ଏହା ଶୁଣି ॥ ୧୩୮
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଏକାଦଶସ୍କନ୍ଧେ ପ୍ରଥମୋଧ୍ୟାୟଃ ॥
* * *