ଏକାଦଶ ସ୍କନ୍ଧ

ପ୍ରଥମ ଅଧ୍ୟାୟ

ନମଇଁ ନୃସିଂହ ଚରଣ । ଅନାଦି ପରମ କାରଣ ॥

ନୀଳଜୀମୂତ କଳେବର । ଦେବମାନବେ ଅଗୋଚର ॥

ମାୟା ସଂସାରେ ଯାର ଖେଳା । ଯା' ନାମ ଭବଜଳେ ଭେଳା ॥

କରୁଣା କଟାକ୍ଷ ପ୍ରକାଶେ । ଭକତଜନ ଦୁଃଖ ନାଶେ ॥

ସେ ପାଦେ ଶରଣ ମୋହର । ହେଳେ ତରିବି ତମଘୋର ॥

ସେ ହରି ଚରିତ ପ୍ରକାଶ । ମୁକ୍ତି ଲକ୍ଷଣ ଏକାଦଶ ॥

ଏ ଭାଗବତ ଧର୍ମ କଥା । ହେଳେ ଖଣ୍ଡଇ ଭବବ୍ୟଥା ॥

ନାରଦ ବସୁଦେବ ବାଣୀ । ନିମି ରାଜନେ ନବମୁନି ॥

ଉଦ୍ଧବ ନିସ୍ତାରଣ ବାଣୀ । ଯାହା କହିଲେ ଚକ୍ରପାଣି ॥

ସେ କଥା ପ୍ରାକୃତେ ପ୍ରକାଶ । ଆରମ୍ଭେ ଜଗନ୍ନାଥ ଦାସ ॥ ୧୦

ବ୍ୟାସନନ୍ଦନ ମୁଖୁଁ ଶୁଣି । ନିର୍ମଳ ଭାଗବତ ବାଣୀ ॥ ୧୧

ସାଧୁସଙ୍ଗମେ ଗଙ୍ଗାତୀରେ । ଶୁକ ଚରଣ ଧରି କରେ ॥ ୧୨

ଆନନ୍ଦେ କରି ଅଶ୍ରୁପାତ ॥ ବୋଇଲେ ଅଭିମନ୍ୟୁ ସୁତ ॥ ୧୩

ପରୀକ୍ଷିତ ଉବାଚ

ଭୋ ମୁନି ନମେ ତୋ' ପୟରେ । ମୋତେ ଉଦ୍ଧର ଏ ସଂସାରେ ॥ ୧୪

କହ ଶ୍ରୀକୃଷ୍ଣ ଗୁଣମାନ । ପୁଣି କି କଲେ ଭଗବାନ ॥ ୧୫

ଶୁକ ଉବାଚ

କହନ୍ତି ବ୍ୟାସଙ୍କ ତନୁଜ । ଶୁଣ ପରୀକ୍ଷ ମହାରାଜ ॥ ୧୬

ଦେବଙ୍କ ବ୍ୟାକୁଳେ ମୁରାରି । ଅବନୀ ତଳେ ଅବତରି ॥ ୧୭

ଅଂଶେ ମନ୍ୟୁଷରୂପ ଧରି । ଯାଦବ ତୁଲେ ରାମହରି ॥ ୧୮

ଦୁଷ୍ଟ ଦନୁଜଗଣ ମାରି । ଅବନୀଭାରା ହେଳେ ହରି ॥ ୧୯

କୁରୁ ପାଣ୍ଡବ ମଧ୍ୟେ ହରି । ମାୟା କନ୍ଦଳେ ଭେଦ କରି ॥ ୨୦

କପଟ ପଶା ବନବାସ । ଆକର୍ଷି ଦ୍ରୌପଦୀର କେଶ ॥ ୨୧

ଭୀମକୁ ବିଷଲଡୁ ଦେଇ । ଜତୁର ଘରେ ଅଗ୍ନି ଦାହି ॥ ୨୨

ଏ ଆଦି ଯେତେ କଷ୍ଟମାନ । ପାଣ୍ଡବେ ଦେଲା ଦୁର୍ଯ୍ୟୋଧନ ॥ ୨୩

ସେ ଅପମାନେ କ୍ରୋଧ ବହି । ସଙ୍ଗତେ ଘେନି ପାଞ୍ଚଭାଇ ॥ ୨୪

ନିମିତ୍ତ କରି ତା'ଙ୍କୁ ହରି । ଅନେକ ଅକ୍ଷୌହିଣ ମାରି ॥ ୨୫

ଭାରା ନିବାରି ଭଗବାନ । ଅନ୍ତେ ଚଳିଲେ ନିଜ ସ୍ଥାନ ॥ ୨୬

ଯାଦବେ କୃଷ୍ଣ ଭୁଜବଳେ । ଅଜେୟ ଏ ମହୀମଣ୍ଡଳେ ॥ ୨୭

ତାହାଙ୍କୁ ସଙ୍ଗେ ଘେନି କରି । ଦୁଷ୍ଟରାଜାଙ୍କ ପ୍ରାଣ ହରି ॥ ୨୮

ମନରେ କରନ୍ତି ବିଚାର । ଯାବତ ଛନ୍ତି ଯଦୁବୀର ॥ ୨୯

ତାବତ ପୃଥିବୀର ଭାର । ଉଶ୍ୱାସ କାହିଁ ଅଛି ଆର ॥ ୩୦

ଦେବତା ଆଦି ନାଗ ନର । ଏଣେ ଏ ନୁହଁନ୍ତି ସଂହାର ॥ ୩୧

ମୋର ବିଭବ ମୋର ହସ୍ତେ । ନାଶିବା ନୁହଇ ଉଚିତେ ॥ ୩୨

କଳି ଭିଆଇ ନିଜବଂଶେ । ସଂହାରି ବିଶ୍ରମିବି ଶେଷେ ॥ ୩୩

ବନୁ ଅନଳ ଜାତ ହୋଇ । ଯେହ୍ନେ ଲିଭଇ ବନ ଦହି ॥ ୩୪

ଶୁଣ ରାଜନ ପରିକ୍ଷିତ । ଏମନ୍ତ ବିଚାରି ଅଚ୍ୟୁତ ॥ ୩୫

ନିମିତ୍ତ ବିପ୍ରଶାପ କରି । କନ୍ଦଳେ ନିଜବଂଶ ମାରି ॥ ୩୬

ଲାବଣ୍ୟରୂପେ ଜନ ମୋହି । ପ୍ରାଣୀ ନୟନେ ସୁଖ ଦେଇ ॥ ୩୭

ସେ ରୂପ କରି ଅନ୍ତର୍ଦ୍ଧାନ । ହରିଲେ ପ୍ରାଣୀଙ୍କର ମନ ॥ ୩୮

କୃଷ୍ଣ କୋମଳ ମଞ୍ଜୁବାଣୀ । ଯେ ଅବା କର୍ଣ୍ଣେ ଥିଲେ ଶୁଣି ॥ ୩୯

ତେଣେ ତାହାଙ୍କ ମନ ହରି । ଅନ୍ତର ହୋଇଲେ ମୁରାରି ॥ ୪୦

କୃଷ୍ଣର ପାଦପଦ୍ମ ଚିହ୍ନ । ସୁନ୍ଦର ମନ୍ଥର ଗମନ ॥ ୪୧

ସେ ପାଦପଦ୍ମେ ଦେଇ ମନ । ଯେ ଅବା ଦେଖିଥିଲେ ଜନ ॥ ୪୨

ସେ ରୂପେ ତା'ଙ୍କ ମନ ହରି । ନିଜ ଭୁବନେ ବିଜେ କରି ॥ ୪୩

କୃଷ୍ଣର ଯଶ ଗୁଣ ଯେତେ । ସଂସାରେ ଶୁଣି ଗୁଣି ଚିତ୍ତେ ॥ ୪୪

ପ୍ରାଣୀ ହୋଇବେ ଭବୁ ପାର । ଏମନ୍ତ ମହିମା ଯାହାର ॥ ୪୫

ସେ ରୂପ କଲେ ଅନ୍ତର୍ଦ୍ଧାନ । ହରି ଚଳିଲେ ନିଜ ସ୍ଥାନ ॥ ୪୬

ଶୁକ ଚରଣତଳେ ପଡି । କହେ ପରୀକ୍ଷ କରଯୋଡି ॥ ୪୭

ପରୀକ୍ଷିତ ଉବାଚ

ଅଖଣ୍ଡ ନିଜବଂଶ କୋପେ । କିମ୍ବା ହରିଲେ ବିପ୍ରଶାପେ ॥ ୪୮

ଯେ ଯଦୁବଂଶ ମହୀତଳେ । କ୍ଷୟ ନୁହଁନ୍ତି ରିପୁବଳେ ॥ ୪୯

ଯାହାର ସ୍ନେହ ଅନୁବନ୍ଧେ । ଈଶ୍ୱର ଖେଳଇ ଆନନ୍ଦେ ॥ ୫୦

ଯାଦବେ ବିପ୍ର ଗୁରୁପାଦେ । ସେବନ୍ତି ବେଦବିଧି ବାଦେ ॥ ୫୧

ସେ ବ୍ରହ୍ମଶାପ ନରହରି । ହେଳେ ପାରଇ ଆନ କରି ॥ ୫୨

ସର୍ବ ସମ୍ପଦ ନିଜପୁରୀ । ମାୟାର ବଳେ ଭେଦ କରି ॥ ୫୩

କିମ୍ପା ଗୋବିନ୍ଦ ସଂହାରିଲେ । ନିଜ ଭୁବନେ ବିଜେ କଲେ ॥ ୫୪

ଯାଦବେ ଏକଆତ୍ମା ହୋଇ । କିପାଁ କନ୍ଦଳ କଲେ ସେହି ॥ ୫୫

କି ଶାପ କି ଅବା କାରଣ । ଏ ସର୍ବ ମୋହର ପ୍ରଶନ ॥ ୫୬

ଭୋ ମୁନି କହ ତୋଷମନେ । ଏମନ୍ତ ରାଜାର ବଚନେ ॥ ୫୭

ଶୁକ ଉବାଚ

ବୋଲନ୍ତି ବ୍ୟାସମୁନି ସୁତ । ଶୁଣ ହୋ କୃଷ୍ଣର ଚରିତ ॥ ୫୮

ଜନମୋହନ ମାୟାଧର । ପ୍ରକାଶି ନର କଳେବର ॥ ୫୯

ନାନା ବିଚିତ୍ରକର୍ମ କରି । କନ୍ଦଳେ ନିଜବଂଶ ମାରି ॥ ୬୦

କାହାର ସାଧ୍ୟ ଏ ବେଭାର । ଶୁଣ ସୁମନେ ନୃପବର ॥ ୬୧

କଳି କଳୁଷ ନିବାରଣ । ସଂସାରେ ସ୍ଥାପି ଯଶଗୁଣ ॥ ୬୨

ଏବେ ଗୋବିନ୍ଦ କଲେ ଯେତେ । କହିବା ଶୁଣ ଏକଚିତ୍ତେ ॥ ୬୩

ଯାଦବବଂଶ ନାଶ ଅର୍ଥେ । ଗୋବିନ୍ଦ ବିଚାରିଲେ ଚିତ୍ତେ ॥ ୬୪

ବିପ୍ରେ ଯେ ଥିଲେ ନିଜ ଦେଶେ । କୃଷ୍ଣର ଦରଶନ ଆଶେ ॥ ୬୫

ବିଶ୍ୱାମିତ୍ରଙ୍କୁ ଆଗ କରି । ଅସିତ କଣ୍ୱ ବ୍ରହ୍ମଚାରୀ ॥ ୬୬

ବଶିଷ୍ଠ ନାରଦ ବିଶେଷି । ଭୃଗୁ ଅଙ୍ଗିରା ଅତ୍ରିଋଷି ॥ ୬୭

ଦୁର୍ବାସା କଶ୍ୟପଙ୍କୁ ଘେନି । ଶ୍ରୀବାମଦେବ ମହାମୁନି ॥ ୬୮

ଶ୍ରମେ ଚାଲନ୍ତି ବନପଥେ । ମିଳିଲେ ପିଣ୍ଡାରକ ତୀର୍ଥେ ॥ ୬୯

ଏଣେ ଯେ କୃଷ୍ଣର କୁମରେ । ଆନନ୍ଦେ ସମୁଦ୍ରର ତୀରେ ॥ ୭୦

ସକଳେ ଏକସ୍ଥାନେ ମିଳି । ରଙ୍ଗେ କରନ୍ତି ନାନାକେଳି ॥ ୭୧

ଶାମ୍ବକୁ ନାରୀବେଶ କରି । ଅନେକ ଅଳଙ୍କାର ଭରି ॥ ୭୨

ପ୍ରସବ ଗର୍ଭ ପ୍ରାୟ କରି । ଉଦରେ ଲୌହପାତ୍ର ଭରି ॥ ୭୩

ଚାଲଇ ଚରଣ ମନ୍ଥରେ । ଶ୍ରମେ ଘୂମିତ କଳେବରେ ॥ ୭୪

ମୁନିଙ୍କି ଦେଖି ଲଜ୍ଜା ପାଇ । ଅନ୍ତରେ ଅଧୋମୁଖ ହୋଇ ॥ ୭୫

ରହିଲା ଲତା ଅଭ୍ୟନ୍ତରେ । ଏମନ୍ତେ କୃଷ୍ଣର କୁମରେ ॥ ୭୬

ମୁନିଙ୍କ ପାଶେ ଯାଇ ଧୀରେ । କର ଅଞ୍ଜଳି ଦେଇ ଶିରେ ॥ ୭୭

କୋମଳ ମଧୁର ବଚନେ । ବୋଲନ୍ତି ଶୁଣ ବିପ୍ରଜନେ ॥ ୭୮

ଯାଦବ କୁଳବଧୂ ଏହି । ଅନେକ ଦିନୁ ଗର୍ଭ ବହି ॥ ୭୯

ପ୍ରସବ ନୋହେ କି କାରଣେ । ପୁଛିଲୁ ତୁମ୍ଭର ଚରଣେ ॥ ୮୦

ଚଳି ନ ପାରେ ଶ୍ରମଭାଗେ । ଲାଜେ ନ କହେ ତୁମ୍ଭ ଆଗେ ॥ ୮୧

ତୁମ୍ଭେ ସର୍ବଜ୍ଞ ମୁନିବର । କି ଅଛି ଗର୍ଭରେ ଏହାର ॥ ୮୨

ପୁତ୍ର ଦୁହିତା କିବା ଜାତ । ମାୟା ନ କରି କହ ସତ ॥ ୮୩

ଶୁଣି ସେ କପଟ ବଚନ । କୋପେ ବୋଲନ୍ତି ମୁନିଜନ ॥ ୮୪

ଏ ନାରୀ ଗର୍ଭବାସ ବାଣୀ । ଆମ୍ଭେ ଜାଣିଲୁ ପରିମାଣି ॥ ୮୫

ଏହାର ଗର୍ଭ ହେବ କାଳ । ନିଷ୍ଠୁର ଲୌହର ମୂଷଳ ॥ ୮୬

ଆଜ ଏ ଗର୍ଭ ପ୍ରସବିବ । ତୁମ୍ଭର ବଂଶ ବିନାଶିବ ॥ ୮୭

କୁଳ ସମୂଳେ କରି ନାଶ । ଭୂମିରେ ଯେତେ ଯଦୁବଂଶ ॥ ୮୮

ଏମନ୍ତ କହି ଗଲେ ମୁନି । କୃଷ୍ଣ କୁମରେ ତାହା ଶୁଣି ॥ ୮୯

ବଜ୍ର ପଡ଼ିଲା ଯେହ୍ନେ ମୁଣ୍ଡେ । ଶାମ୍ବକୁ ଘେନି ରାଜଦାଣ୍ଡେ ॥ ୯୦

ତକ୍ଷଣେ ଲୌହପାତ୍ର ଫେଇ । ପେଟ ଖୋଜନ୍ତି ହସ୍ତ ଦେଇ ॥ ୯୧

କର୍କଶ ପିଙ୍ଗଳ ପିଚ୍ଛିଳ । ଦେଖିଲେ ଲୌହର ମୂଷଳ ॥ ୯୨

ଗର୍ଭୁ ପଡ଼ିଲା ବଜ୍ର ପ୍ରାୟେ । ଦେଖି କମ୍ପିଲେ କୃଷ୍ଣପୋଏ ॥ ୯୩

ଲୌହମୂଷଳ ତେଜଭରେ । ଚକ୍ଷୁ ବୁଜିଲେ ବେନିକରେ ॥ ୯୪

ବୋଲନ୍ତି କଲୁ ମନ୍ଦକର୍ମ । କିବା ବୋଲିବେ କୃଷ୍ଣରାମ ॥ ୯୫

ଏମନ୍ତେ ଶ୍ରୀକୃଷ୍ଣର ସୁତେ । ଲୌହମୂଷକ ଘେନି ହସ୍ତେ ॥ ୯୬

ଉଗ୍ରସେନର ସଭାତଳେ । ମିଳିଲେ ହୃଦୟ ବ୍ୟାକୁଳେ ॥ ୯୭

ଲୌହମୂଷଳ ତଳେ ଥୋଇ । ବୋଲନ୍ତି ସଭାମୁଖ ଚାହିଁ ॥ ୯୮

ଆମ୍ଭେ ଯେ କ୍ରୀଡ଼ା କଉତୁକେ । ଖେଳନ୍ତେ ତୀର୍ଥ ପିଣ୍ଡାରକେ ॥ ୯୯

ଶାମ୍ବକୁ ନାରୀବେଶ କରି । ଉଦରେ ଲୌହପାତ୍ର ଭରି ॥ ୧୦୦

ମୁନିଙ୍କି ପଚାରିଲୁ ଭାବେ । ଏ ଗର୍ଭ ପ୍ରସବ ପ୍ରସ୍ତାବେ ॥ ୧୦୧

ଶୁଣି କୋପିଲେ ମୁନିଜନେ । ବନ-ଗହନ-ପଥ ଶ୍ରମେ ॥ ୧୦୨

ବୋଇଲେ ଗର୍ଭେ ଅଛି କାଳ । ନିଷ୍ଠୁର ଲୌହର ମୂଷଳ ॥ ୧୦୩

ଭୂମିରେ ଯଦୁବଂଶ ଯେତେ । ଏ ଲୌହେ ମରିବେ ସମସ୍ତେ ॥ ୧୦୪

ନିର୍ମୂଳ କରି ଯଦୁକୁଳ । ଏ ଜାତ ଲୌହର ମୂଷଳ ॥ ୧୦୫

ତକ୍ଷଣେ ଗର୍ଭ ଫେଇ ଦେଖି । ଭୟେ ବୁଜିଲୁ ବେନିଆଖି ॥ ୧୦୬

ଏମନ୍ତେ କହି ସଭାମଧ୍ୟେ । କୁମରେ ବସିଲେ ବିଷାଦେ ॥ ୧୦୭

ଶୁଣି ସକଳ ଗୁରୁଜନେ । କହଇ ଦୁଃଖଦ ବଦନେ ॥ ୧୦୮

ନିଷ୍ଠୁର ବ୍ରହ୍ମ କୋପାନଳ । ଦହଇ ଭୂବନମଣ୍ଡଳ ॥ ୧୦୯

ଅନ୍ୟଥା କେ ତାହା କରିବ । ବ୍ରହ୍ମାଶଙ୍କର ବାସୁଦେବ ॥ ୧୧୦

ଶୁଣି ବିଷାଦ ସଭାଜନ । ବଦନୁ ନ ସ୍ପୁରେ ବଚନ ॥ ୧୧୧

ତା' ଦେଖି ରାଜା ଉଗ୍ରସେନ । ଭୃତ୍ୟଙ୍କୁ ବୋଲନ୍ତି ବଚନ ॥ ୧୧୨

ଏ ଲୌହ ଗିରିଶିଖେ ନେଇ । ଘଷ ସମୁଦ୍ରଜଳ ଦେଇ ॥ ୧୧୩

ନିଃଶେଷ କରି ଲୌହ ଘଷ । ଯେମନ୍ତେ ନ ରହଇ ଶେଷ ॥ ୧୧୪

ତକ୍ଷଣେ ରାଜା ଆଜ୍ଞା ପାଇ । ମୂଷଳ ଘେନି ବେଗେ ଯାଇ ॥ ୧୧୫

ପର୍ବତେ ସମୁଦ୍ରର ଜଳେ । ଲୌହ ଘଷିଲେ ଭୁଜବଳେ ॥ ୧୧୬

ଘଷନ୍ତେ ଲୌହଚୂର୍ଣ୍ଣ ଶିଳେ । ପଡ଼ଇ ସମୁଦ୍ର ଉଲ୍ଲୋଳେ ॥ ୧୧୭

ଅନେକ ଦିନ ଘଷି ରୋଷେ । ଅଳପ ରହେ ଅବଶେଷେ ॥ ୧୧୮

ଅଙ୍ଗୁଳି ଛିଡ଼ି ଘରଷଣେ । ନିଷ୍ଠୁରେ ନିଃଶେଷ କରଣେ ॥ ୧୧୯

ନ ପାରି ପକାଇଲେ ଜଳେ । ଘୋର ଗଭୀର ମୀନମେଳେ ॥ ୧୨୦

ଲୌହ ପଡ଼ନ୍ତେ ଘୋର ପାଣି । ଆହାର ପ୍ରାୟ ତାହା ମଣି ॥ ୧୨୧

ମୀନ ଗିଳିଲା ଅତି ବେଗେ । ସେ ମୀନ ମତ୍ସ୍ୟଗଣ ସଙ୍ଗେ ॥ ୧୨୨

ଚରନ୍ତେ ସମୁଦ୍ରର ଜଳେ । ଜାଲେ ପଡ଼ିଲା ରାତ୍ରକାଳେ ॥ ୧୨୩

ଧୀବରେ ମୀନ ନେଇ ଏକା । ଜାରାଶବରେ ଦେଲା ଦେଖା ॥ ୧୨୪

ମୀନ କାଟନ୍ତେ ତା'ର ଘରେ । ଲୌହ ଦେଖିଲା ତା' ଉଦରେ ॥ ୧୨୫

କର୍କଶ ପିଙ୍ଗଳ ପ୍ରଚଣ୍ଡ । ଜଳଇ ଯେହ୍ନେ ମାରତଣ୍ଡ ॥ ୧୨୬

ଦେଖି ଶବର ତୋଷ ହୋଇ । ନାରାଚଫଳ କଲା ନେଇ ॥ ୧୨୭

ବାଣର ମୁନେ ତୀକ୍ଷ୍‌ଣଫଳ । ତେଜେ କି ଗଞ୍ଜଇ ଅନଳ ॥ ୧୨୮

ଯେ ଲୌହଚୂର୍ଣ୍ଣ ପଡ଼ିଜଳେ । ଭାସିଲା ସମୁଦ୍ର ଉଲ୍ଲୋଳେ ॥ ୧୨୯

ତୀରେ ଲାଗନ୍ତେ ଲୌହଚୂର୍ଣ୍ଣ । ଜନ୍ମିଲା ଏରକାର ବନ ॥ ୧୩୦

ତୀକ୍ଷ୍‌ଣ ତ୍ରିଶିର ସେ ସ୍ୱଭାବେ । ଯେଣେ ଯାଦବେ ନାଶଯିବେ ॥ ୧୩୧

ସେ କାଳରୂପୀ ଭଗବାନ । ଜାଣଇଁ ସକଳ ବିଧାନ ॥ ୧୩୨

ଖେଳଇ ମାୟାମୟ କଳ୍ପେ । ସେ ପ୍ରଭୁ ଡ଼ରେ ବ୍ରହ୍ମଶାପେ ॥ ୧୩୩

କୁଳବିନାଶ ହେତୁ କରି । ଅବନୀଭାରା ହେଳେ ହରି ॥ ୧୩୪

ନିଜ ଭୁବନେ ଅବଧାନ । ନିର୍ଲେପ ପ୍ରଭୁ ଭଗବାନ ॥ ୧୩୫

ବୋଲଇ ଦାସ ଜଗନ୍ନାଥ । ଶ୍ରୀଏକାଦଶ ଭାଗବତ ॥ ୧୩୬

ଜାହ୍ନବୀତୀରେ ରାଜା ଆଗେ । ଶୁକ କହିଲେ ସାଧୁସଙ୍ଗେ ॥ ୧୩୭

ପୁରାଣ ଭାଗବତ ବାଣୀ । ସୁଜନେ ତର ଏହା ଶୁଣି ॥ ୧୩୮

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ

ସଂହିତାୟାଂ ଏକାଦଶସ୍କନ୍ଧେ ପ୍ରଥମୋଧ୍ୟାୟଃ ॥

* * *