ଦଶମ ସ୍କନ୍ଧ
ଷଡନବତିତମ ଅଧ୍ୟାୟ
ବ୍ୟାସନନ୍ଦନ ତୋଷମନେ । ପୁଣି କହନ୍ତି କୃଷ୍ଣଧ୍ୟାନେ ॥ ୧
ଶୁକ ଉବାଚ
ବୋଲନ୍ତି ଶୁଣ ନରନାଥ । କୃଷ୍ଣଚରିତ ଭାଗବତ ॥ ୨
ସକଳ ସୁଖ ଭୋଗ ପୂର୍ଣ୍ଣେ । ଗୋବିନ୍ଦ ଦ୍ୱାରକାଭୂବନେ ॥ ୩
ଅଖଣ୍ତ କଳା ଯେହ୍ନେ ଶଶୀ । ନିର୍ମଳ ଆକାଶେ ପ୍ରକାଶି ॥ ୪
ଯଦୁକୁମୁଦବନ ଦେଶେ । ସୁଖେ ପ୍ରକାଶେ ମନ ତୋଷ ॥ ୫
ଯହିଁ ଅମୂଲ୍ୟମଣି ପୁଞ୍ଜେ । ତପନ୍ତେଜ ହେଲେ ଗଞ୍ଜେ ॥ ୬
ସର୍ବସମ୍ପଦ ସୁଖଘରେ । କମଳା ସେବେ ନିରନ୍ତରେ ॥ ୭
ନିଜ ଯୁବତୀ ସୁଖମନେ । ଷୋଳସହସ୍ର ଏକଶତେ ॥ ୮
ଅଷ୍ଟମହିଷୀ ଅଙ୍ଗସଙ୍ଗେ । ଦିନ ହରନ୍ତି ଭାବରଙ୍ଗେ ॥ ୯
କନ୍ଦୁକ ଆଦି କ୍ରୀଡାରସେ । ସେବନ୍ତି କୃଷ୍ଣ ଭାବରଙ୍ଗେ ॥ ୧୦
ଅଦ୍ଭୂତ ଦ୍ୱାରାବତୀପୁର । ଦେବମାନବେ ଅଗୋଚର ॥ ୧୧
ସୁଗନ୍ଧହସ୍ତୀ ମଦ ଜଳେ । ଶୁଭସୁନ୍ଦର ମହୀତଳେ ॥ ୧୨
ଯହିଁ ଯାଦବେ ଯୁଥଯୁଥ । ଦିଶନ୍ତି ନାନା ଅଳଙ୍କୃତ ॥ ୧୩
ମାର୍ଗେ ଉଜ୍ଜଳ ରଥପନ୍ତି । ନକ୍ଷତ୍ର ପ୍ରାୟ ବିରାଜନ୍ତି ॥ ୧୪
ନାନା ଉଦ୍ୟାନେ ବନରାଶି । ପୁଷ୍ପପଲ୍ଲବେ ପରକାଶି ॥ ୧୫
ଭୃଙ୍ଗ ବିହଙ୍ଗ ଅନୁବାଦେ । ମନ ହରନ୍ତି ମୃଦୁନାଦେ ॥ ୧୬
ତିନି ଭୁବନେ ଅଗୋଚର । କୃଷ୍ଣଭୁବନ ମନୋହର ॥ ୧୭
ଏମନ୍ତ ପୁରେ ନରହରି । ଷୋଳସହସ୍ର ଶତେ ନାରୀ ॥ ୧୮
ମାୟାମନୁଷ୍ୟ ରୂପ ହୋଇ । ନିତ୍ୟେ ତାହାଙ୍କ ପୁରେ ଥାଇ ॥ ୧୯
ତୋଷନ୍ତି ନାରୀଙ୍କର ମନ । ଇତର ପୁରୁଷ ଯେସନ ॥ ୨୦
ନିଦାଘ କାଳେ ଶୀତଜଳେ । ନାନାକୁସୁମ ପରିମଳେ ॥ ୨୧
ବିବିଧ ଜଳାଶୟ ମାନ । ସୁଗନ୍ଧେ ପ୍ରସାରେ ପବନ ॥ ୨୨
କୁସୁମରଜ ଜଳେ ମିଶେ । ଶୁକ କୋକିଳ ନାଦ ଘୋଷେ ॥ ୨୩
ଏମନ୍ତେ ନାନାଜଳେ ହରି । ସଙ୍ଗେ ସୁନ୍ଦରୀ ମନୋହରୀ ॥ ୨୪
କନ୍ୟାଙ୍କ ସଙ୍ଗେ ବନମାଳୀ । କରନ୍ତି ନାନାରଙ୍ଗେ କେଳି ॥ ୨୫
ନାରୀଙ୍କ ଆଲିଙ୍ଗନ କାଳେ । କୁଚକୁଙ୍କୁମ ବକ୍ଷସ୍ଥଳେ ॥ ୨୬
ଦେବେ ଆବୋରି ଦଶଦିଶେ । ନାନା ସୁବାଦ୍ୟ ଗୀତରସେ ॥ ୨୭
ସୂତ ମାଗଧ ମହୀତଳେ । ବୀଣାଦି ବାଦ୍ୟ କୁତୁହଳେ ॥ ୨୮
କାମିନୀ ଜଳ ଘେନି କରେ । ହସି ସିଞ୍ଚନ୍ତି କୃଷ୍ଣଶିରେ ॥ ୨୯
କୁବେର ଯେହ୍ନେ ପକ୍ଷୀ ମେଳେ । ବିରାଜେ ଜଳକ୍ରୀଡା ସ୍ଥଳେ ॥ ୩୦
ଜଳେ କୃଷ୍ଣର ନାରୀଜନ । ହୃଦରେ ଜଡିତ ବସନ ॥ ୩୧
କୃଷ୍ଣ ସି୍ଚନ୍ତି କରେ ନୀର । ଦିଶଇ ହୃଦୟ ବିକାର ॥ ୩୨
କାଞ୍ଚନ ପ୍ରାୟ କୁଚ ବର୍ଣ୍ଣେ । ଦିଶନ୍ତି ଆରଦ୍ର ବସନେ ॥ ୩୩
ଓଦା ବସନେ ଉରୁଦେଶ । ଅଧିକେ କରଇ ପ୍ରକାଶ ॥ ୩୪
କବରୀ ମଧ୍ୟେ ପୁଷ୍ପଭାର । ହରଷେ ବରଷନ୍ତି ନୀର ॥ ୩୫
କୃଷ୍ଣଙ୍କୁ ଜିଣିବାର ଆଶେ । ଅଧିକେ ସିଞ୍ଚନ୍ତି ହରଷେ ॥ ୩୬
ମୁଖ କି କନ୍ଦର୍ପ ଲହରୀ । ଜଳ ସିଞ୍ଚନ୍ତି ସର୍ବନାରୀ ॥ ୩୭
ସିଞ୍ଚନ୍ତି ପୁଣପୁଣ ଅଙ୍ଗେ । କାମ ବିକାର ନାନାରଙ୍ଗେ ॥ ୩୮
କରିଣୀ ମଧ୍ୟେ ଯେହ୍ନେ ଗଜ । ନାରୀଙ୍କ ମଧ୍ୟେ ଦେବରାଜ ॥ ୩୯
ନାନା ପ୍ରକାରେ କ୍ରୀଡାରସ । କରି ପିନ୍ଧିଲେ ପୀତବାସ ॥ ୪୦
ଉତ୍ସବ ଗୀତବାଦ୍ୟ ରୋଳେ । ଦେବମାନବ ସୁଖ ଭୋଳେ ॥ ୪୧
ତୀରେ ବିଜୟ ବନମାଳୀ । ନାରୀଙ୍କ କର କରେ ଧରି ॥ ୪୨
ନଟ ନର୍ତ୍ତକୀଗଣ ଚାହିଁ । ଆନନ୍ଦମନେ ଭାବଗ୍ରାହୀ ॥ ୪୩
ଅନେକ ବସ୍ତ୍ର ଅଳଙ୍କାର । ତାହାଙ୍କୁ ଦେଲେ ଦାମୋଦର ॥ ୪୪
କନ୍ୟାଏ ନାନା ରତ୍ନବାସ । ନଟଙ୍କୁ ଦେଲେ ହୋଇ ତୋଷ ॥ ୪୫
ଏମନ୍ତେ କ୍ରୀଡାରସେ ହରି । ଜଗମୋହ୍ନ ରୂପ ଧରି ॥ ୪୬
ହରିଲେ ନାରୀଙ୍କର ମନ । ବୁଦ୍ଧି ଅହଙ୍କାର ଚେତନ ॥ ୪୭
କନ୍ୟାଏ ନିଜ ପୁରେ ଯାଇ । କୃଷ୍ଣବଦନେ ମନ ଥୋଇ ॥ ୪୮
ନିମିଷେ ନଦେଖି ମୁରାରି । ଜୀବନ ନ ପାରନ୍ତି ଧରି ॥ ୪୯
ଚିନ୍ତନ୍ତି ସ୍ୱଗୃହେ ତରୁଣୀ । ଜଡ ଉନ୍ମତ୍ତ ପ୍ରାୟ ବାଣୀ ॥ ୫୦
ଯେମନ୍ତ କଲେ ବିପରୀତ । କହିବା ଶୁଣ ପରୀକ୍ଷିତ ॥ ୫୧
ବୃକ୍ଷରେ ପକ୍ଷୀଗଣ ଚାହିଁ । ବୋଲନ୍ତି ବାଇ ପ୍ରାୟ ହୋଇ ॥ ୫୨
କୁରରୀ ଆମ୍ଭବାଣୀ ଶୁଣ । କିମ୍ପା ଉନ୍ନିଦ୍ର ତୋ ନୟନ ॥ ୫୩
ଏ ରାତ୍ରକାଳେ ସର୍ବଜନ । ନିଦ୍ରା ମୋହିତେ ଅଚେତନ ॥ ୫୪
ଆମ୍ଭ ଜୀବନ ଗୋପୀନାଥ । ଦେଖ ନିଶ୍ଚିନ୍ତେ ନିଦ୍ରାଗତ ॥ ୫୫
ତାର ନିବିଡ ଆଲିଙ୍ଗନ । ତେଣେ ଯନ୍ତ୍ରିତ ଆମ୍ଭ ମନ ॥ ୫୬
ଲୋଚନେ ନିଦ୍ରା ନ ମାଡଇ । ତୁ ଯେ ଆମ୍ଭର ପ୍ରାୟ ହୋଇ ॥ ୫୭
ଦେଖିଛୁ କଟାକ୍ଷ ନୟନ । ତେଣୁ ଚଞ୍ଚଳ ତୋର ମନ ॥ ୫୮
ପୁଣି ବୋଲନ୍ତି ଭ୍ରମ ପାଇ । ଚକ୍ରବାକୀର ମୁଖ ଚାହିଁ ॥ ୫୯
ଏ ରାତ୍ରକାଳେ ସ୍ୱାମୀ ସଙ୍ଗ । ନ ଲଭି ଦୁଃଖିତ ତୋ ଅଙ୍ଗ ॥ ୬୦
ଅତି କାରୁଣ୍ୟେ କିମ୍ବା କାନ୍ଦୁ । ଦେଖ ଆମ୍ଭର ପ୍ରାଣବନ୍ଧୁ ॥ ୬୧
ନିଦ୍ରିତେ ନ ପାଇଲୁ ସଙ୍ଗ । ଯେମନ୍ତେ ତୋର ସଙ୍ଗଭଙ୍ଗ ॥ ୬୨
କିମ୍ପାଇ ଆମ୍ଭ ମୁଖ ଚାହୁଁ । କି ଅବା ତେଣେ ତୋଷ ହେଉ ॥ ୬୩
ଆମ୍ଭେ ଯେ ଗୋବିନ୍ଦର ଦାସୀ । ତା ପାଦପଦ୍ମର ତୁଳସୀ ॥ ୬୪
କବରୀ ଭାର ସଜ କରି । କଣ୍ଠେ ଜୀବନ ଅଛୁ ଧରି ॥ ୬୫
ସେମାନ ଇଚ୍ଛା କରୁ ଯେବେ । ଦେବୁ ଯେ ତୋତେ ପ୍ରିୟଭାବେ ॥ ୬୬
କବରୀଭାର ସଜ କର । ସେବ ତୋହର ନିଜ ବର ॥ ୬୭
ପୁଣି ସମୁଦ୍ରକୁ ଅନାଇଁ । ବୋଲନ୍ତି କୃଷ୍ଣଭାବ ବହି ॥ ୬୮
ହେ ନଦୀକାନ୍ତ ହେ ସମୁଦ୍ର । ତୁ କିମ୍ପା ଏ ରାତ୍ରେ ଉନ୍ନିଦ୍ର ॥ ୬୯
ନିଦ୍ରା ନ ଯାଇ ନାଦ କରୁ । ତୁ କୃଷ୍ଣକଥା କି ସୁମରୁ ॥ ୭୦
ତାର ନୟନ ବାଣେ ଛନ୍ନ । ଯେମନ୍ତ ଆମ୍ଭର ଜୀବନ ॥ ୭୧
ସେ ଦୋଷ ତୋତେ କି ବାଧିଲା । ନିଶ୍ଚେ ଜାଣିଲୁ କୃଷ୍ଣଲୀଳା ॥ ୭୨
ପୁଣି ସେ ଚନ୍ଦ୍ରକୁ ଅନାଇଁ । ବୋଲନ୍ତି ପ୍ରିୟଭାବ ବହି ॥ ୭୩
କୁମୁଦବନ୍ଧୁ ତୁ ବୋଲାଉ । ମୃଗଲାଞ୍ଛନ ହୃଦେ ବହୁ ॥ ୭୪
ପୂର୍ବେ ଅର୍ଜିଲା କର୍ମଭୋଗ । ଏଣୁ ତୋ ଦେହେ କ୍ଷୟ ରୋଗ ॥ ୭୫
ନିଜ କରମେ କ୍ଷୀଣ ହେଉ । ତୁ କିମ୍ପା ରାତ୍ରେ ଉଦେ ନୋହୁ ॥ ୭୬
ଆମ୍ଭେ ଯେ କୃଷ୍ଣର ତରୁଣୀ । ତାର ମୋହନ କଥା ଶୁଣି ॥ ୭୭
ଆତ୍ମା ନ ସୁମରି ଯେମନ୍ତେ । ତେମନ୍ତେ ଦେଖିଲୁ ଯେ ତୋତେ ॥ ୭୮
ତୋର ଗୋବିନ୍ଦଭାବେ ମନ । ତେଣୁ କି ହୋଇଲୁ ମଉନ ॥ ୭୯
ମଳୟାନିଳ ଦେଖି ଭ୍ରମେ । ବିଶ୍ୱାସେ ବୋଲନ୍ତି ପବନେ ॥ ୮୦
ଶୁଣି ତୁ କୃଷ୍ଣବାକ୍ୟବନ୍ଧ । ଭୁବନେ ବହୁ ମନ୍ଦମନ୍ଦ ॥ ୮୧
କୃଷ୍ଣଲୀଳାରେ କରୁ ଆଶା । ଯେ ଭାବେ ଆମ୍ଭର ଭରସା ॥ ୮୨
ଆମ୍ଭଙ୍କୁ ଚାହିଁ ମେଘମାଳା । ଛଳେ କହନ୍ତି କୃଷ୍ଣଲୀଳା ॥ ୮୩
ବୋଲନ୍ତି ମେଘକୁ ଅନାଇଁ । କୃଷ୍ଣର ମିତ୍ର ଅଟୁ ତୁହି ॥ ୮୪
ନିଶ୍ଚେ ତୁ କରୁ କୃଷ୍ଣେ ଧ୍ୟାନେ । ଯା ହୃଦେ ଶ୍ରୀବତ୍ସର ଚିହ୍ନ ॥ ୮୫
ଆମ୍ଭର ପ୍ରାୟ ପ୍ରେମବନ୍ଧେ । ଚିନ୍ତା ତୁ କରୁ କୃଷ୍ଣପାଦେ ॥ ୮୬
ହୃଦେ ନିବିଡ ପ୍ରେମଭରେ । ଆମ୍ଭେ ଯେମନ୍ତ ଚକ୍ଷୁଦ୍ୱାରେ ॥ ୮୭
ନିତ୍ୟେ ଲୋତକ କୁଚେ ସିଞ୍ଚୁ । ତୋତେ ତେମନ୍ତ ପ୍ରାୟ ପାଞ୍ଚୁ ॥ ୮୮
ତୋ ହୃଦେ କୃଷ୍ଣପ୍ରେମ ଭରା । ତେଣୁ ତୁ ସିଞ୍ଚୁ ଜଳଧାରା ॥ ୮୯
ସୁମରି ପୁଣ ପୁଣ ସୁଖ । ତାଙ୍କ ପ୍ରସଙ୍ଗ ମହାଦୁଃଖ ॥ ୯୦
କୋକିଳନାଦ କର୍ଣ୍ଣେ ଶୁଣି । ବୋଲନ୍ତି କୃଷ୍ଣର ତରୁଣୀ ॥ ୯୧
ଶୁଣ କୋକିଳ ଆମ୍ଭ ବାଣୀ । ଆମ୍ଭେ ତୋହର ଭାବ ଜାଣି ॥ ୯୨
ତେଣୁ ତୁ ଦୁଃଖୀ ଆମ୍ଭ ଦୁଃଖେ । କୋମଳବାଣୀ କହୁ ମୁଖେ ॥ ୯୩
କିସ କରିବୁ କହ ତୋର । ତୁ ଆମ୍ଭ ଜୀବନ ସୋଦର ॥ ୯୪
ପର୍ବତଶୃଙ୍ଗ ଚାହିଁ ପୁଣି । ବୋଲନ୍ତି କୃଷ୍ଣର ତରୁଣୀ ॥ ୯୫
ତୁ ମହୀଧର ବଡ ଧନ୍ୟ । ନ ଚଳୁ ନ ବୋଲୁ ବଚନ ॥ ୯୬
ଉଦାର ବୃଦ୍ଧି ତୋର ଜାଣି । ଗୁପତେ ଚିନ୍ତୁ ଚକ୍ରପାଣି ॥ ୯୭
ଆମ୍ଭେ ଗୋବିନ୍ଦପାଦ ଯେହ୍ନେ । କୁଚେ ଲଗାଉ ସାବଧାନେ ॥ ୯୮
ତୁହି ତେମନ୍ତ କରୁ ଆଶ । ତେଣୁ ତୁ ଆମ୍ଭର ବିଶ୍ୱାସ ॥ ୯୯
ନିକଟେ ଦଦୀସ୍ରୋତ ଦେଖି । ଭାବେ ବୋଲନ୍ତି ଚନ୍ଦ୍ରମୁଖୀ ॥ ୧୦୦
ପ୍ରିୟବିଯୋଗେ ସଖି ତୋର । ଶୁଖିଲା ବେନି ତଟୁଁ ନୀର ॥ ୧୦୧
କମଳ ଉପହାର କରୁ । ସ୍ୱାମୀର ସଙ୍ଗ ତୁ ସୁମରୁ ॥ ୧୦୨
ଦେଖ ଆମ୍ଭର ମନ ଛନ୍ନ । ନ ଦେଖି କୃଷ୍ଣର ବଦନ ॥ ୧୦୩
ଦୁଃଖ ହୃଦୟେ ଦିନ ବଞ୍ଚୁ । ଆମ୍ଭର ପ୍ରାୟ ତୋତେ ପାଞ୍ଚୁ ॥ ୧୦୪
ପୁଣି ଚାହାନ୍ତି ଦଶଦିଶେ । ଦେଖିଲେ ରାଜହଂସ ପାଶେ ॥ ୧୦୫
କୃଷ୍ଣର ଦୂତ ପ୍ରାୟ ମଣି । ବୋଲନ୍ତି ପ୍ରିୟଭାବେ ବାଣୀ ॥ ୧୦୬
ଭଲେ ଅଇଲୁ ହଂସ ପଥେ । ଆମ୍ଭର ପ୍ରିୟ ଘେନି ଚିତ୍ତେ ॥ ୧୦୭
ଆସ ତୁ କ୍ଷୀର କର ପାନ । ଆମ୍ଭ ସମୀପେ ତୋ ଆସନ ॥ ୧୦୮
ବସି ତୁ କହ କୃଷ୍ଣକଥା । ତୋ ତହିଁ ବିଶ୍ୱାସ ବ୍ୟବସ୍ଥା ॥ ୧୦୯
ଜାଣିଲୁ ଦୂତ ବୋଲି ତୋତେ । ଶ୍ରମ ପାଇଲୁ ଆସି ପଥେ ॥ ୧୧୦
ଭଲେ କି ଛନ୍ତି ଦାମୋଦର । କହ ତୁ କପଟ ନକର ॥ ୧୧୧
କପଟ ହୃଦୟ ତାହାର । ଚଞ୍ଚଳ ସୁହୃଦ ବେଭାର ॥ ୧୧୨
ଆମ୍ଭର ଭାବ କି ସୁମରେ । ଏ ମାୟା ସଂସାରେ ସାଗରେ ॥ ୧୧୩
କିବା କରିବୁ ଯିବୁ ନାହିଁ । ତା ତହୁଁ ଆନଗତି ନାହିଁ ॥ ୧୧୪
ଅମୃତ ବଚନ ତାହାର । ଶୁଣି ଶ୍ରବଣ ସୁଖକର ॥ ୧୧୫
ସକାମ କରେ ଆମ୍ଭ ମନ । ତା ଭାବ ଛାଡିବୁ କେସନ ॥ ୧୧୬
ଏମନ୍ତେ କୃଷ୍ଣର କାମିନୀ । ଚିତ୍ତେ ନିର୍ମଳ ଭାବ ଘେନି ॥ ୧୧୭
ଯୋଗେଶ୍ୱରଙ୍କୁ ଅଗୋଚର । ଅଭୟ ଚରଣ ଯାହାର ॥ ୧୧୮
ସେ ହରିପାଦେ ଭାବ କଲେ । ଜନ୍ମ ମରଣୁଁ ନିସ୍ତରିଲେ ॥ ୧୧୯
ପରମପଦେ ତାଙ୍କ ଗତି । ଏବେ ହୋ ଶୁଣ ନରପତି ॥ ୧୨୦
ସେ ହରିଗୁଣ ଶ୍ରୁତିପଥେ । ପଶି କାମିନୀଗଣ ଚିତ୍ତେ ॥ ୧୨୧
ବଳେ କରଇ କାମମୟେ । ଯେ ଭାବେ ବସି ନିତ୍ୟେ ଧ୍ୟାୟେ ॥ ୧୨୨
ତା ରୂପ ଚକ୍ଷୁଦ୍ୱାରେ ଦେଖି । କାମିନୀ କେ ନୋହିବେ ସୁଖୀ ॥ ୧୨୩
ତାହାଙ୍କୁ ସ୍ୱାମୀପଣେ ପାଇ । ପାଦେ ସେବନ୍ତି ଗୃହେ ଥାଇ ॥ ୧୨୪
ତାହାଙ୍କ ତପ କେ ବର୍ଣ୍ଣିବ । ଯାହା ବାଞ୍ଛନ୍ତି ବ୍ରହ୍ମା ଶିବ ॥ ୧୨୫
ଏମନ୍ତ ପ୍ରଭୁ ବନମାଳୀ । ବଦଉଚିତେ ଧର୍ମ ପାଳି ॥ ୧୨୬
ଗୃହସ୍ଥିଧର୍ମ ଅନୁମତେ । ଚତୁରବର୍ଗ ସିଦ୍ଧି ଅର୍ଥେ ॥ ୧୨୭
ଷୋଳସହସ୍ର ଶତେ ନାରୀ । ଗୃହେ ରମିଲେ ନରହରି ॥ ୧୨୮
ନାରୀଙ୍କ ମଧ୍ୟେ ଅଷ୍ଟଦେବୀ । କମଳା ଅଂଶେ କୃଷ୍ଣ ସେବି ॥ ୧୨୯
ଏ ଆଦି ସକଳ ଯୁବତୀ । ଗୋବିନ୍ଦ ଗୃହେ ପୁତ୍ରବତୀ ॥ ୧୩୦
କନ୍ୟାକେ ଦଶଦଶ ସୁତ । ଏକ ଦୁହିତା ହୋଏ ଜାତ ॥ ୧୩୧
ପୁତ୍ରଙ୍କ ମଧ୍ୟେ ସାଧୁ ଧୀର । ଉତ୍ତମ ଅଷ୍ଟାଦଶ ବୀର ॥ ୧୩୨
ସୁଯୋଦ୍ଧା ରଥୀ ଅନୁପମ । ଶୁଣ ତୁ ପୁତ୍ରଙ୍କର ନାମ ॥ ୧୩୩
ପ୍ରଦ୍ୟୁମ୍ନ ଦୀପ୍ତିମାନ ଭାନୁ । ଶାମ୍ବ ମଧୁ ଯେ ବୃହଦ୍ଭାନୁ ॥ ୧୩୪
ଚିତ୍ରଭାନୁ ବୃକ ଅରୁଣ । ଚିତ୍ରବାହୁ ଯେ ସୁନନ୍ଦନ ॥ ୧୩୫
ପୁଷ୍କର ବେଦବାହୁ ବେନି । ଚଉଦ ଶ୍ରୁତଦେବ ଘେନି ॥ ୧୩୬
ବିରୂପ କବି ଯେ ନ୍ୟଗ୍ରୋଧ । ପ୍ରଦ୍ୟୁମ୍ନ ପୁତ୍ର ଅନିରୁଦ୍ଧ ॥ ୧୩୭
ଏହାଙ୍କ ମଧେ ଜ୍ୟେଷ୍ଠଭ୍ରାତ । ଉତ୍ତମ ରୁକ୍ମିଣୀର ସୁତ ॥ ୧୩୮
କୃଷ୍ଣର ପ୍ରାୟେକ ଦିଶଇ । ରୁକ୍ମୀ ଯେ ରୁକ୍ମିଣୀର ଭାଇ ॥ ୧୩୯
ତାର ଦୁହିତା ତାକୁ ଦେଲା । ତାହାର ଅନିରୁଦ୍ଧ ବଳା ॥ ୧୪୦
ରୁକ୍ମୀପୁତ୍ର ନାରୀ ଉଦରେ । କନ୍ୟାଏ ଥିଲା ତାର ପୁରେ ॥ ୧୪୧
ପ୍ରଦ୍ୟୁମ୍ନ ପୁତ୍ରେ ତାହା ବରି । ବିଭା କରାଇଲେ ମୁରାରି ॥ ୧୪୨
ବଜ୍ର ତାହାର ତହୁଁ ଜାତ । ଏବେ ହୋ ଶୁଣ ପରୀକ୍ଷିତ ॥ ୧୪୩
ମୂଷଳ ଅବଶେଷ ସେହୁ । ତାର କୁମର ପ୍ରତିବାହୁ ॥ ୧୪୪
ସୁବାହୁ ତା ତହୁଁ ଜନମ । ତାର କୁମର ଶାନ୍ତସେନ ॥ ୧୪୫
ତାହାର ଶତସେନ ବଳା । ସେଠାରୁ ଯଦୁବଂଶ ଗଲା ॥ ୧୪୬
ସେ ଯଦୁବଂଶେ ମହୀତଳେ । ଯେତେ କୁମର ଉପୁଜିଲେ ॥ ୧୪୭
ଏ ବଂଶେ ଯେତେକ ସନ୍ତ୍ତି । ନିର୍ଦ୍ଧନ ଅପୁତ୍ରୀ ନୁହଁନ୍ତି ॥ ୧୪୮
ଅକାଳେ ନୁହଁନ୍ତି ବିନାଶ । ନାହିଁ ପାପିଷ୍ଠ ଅଳ୍ପାୟୁଷ ॥ ୧୪୯
ଏ ହରିବଂଶର ମହିମା । କେ କହିପାରେ ଗୁଣସୀମା ॥ ୧୫୦
ଯେତେ ବାଳକ ଉପୁଜିଲେ। କେ ଗଣିପାରେ ତାହା ଭଲେ ॥ ୧୫୧
ଶୁଣ ତା କହିବା ପ୍ରକଟି । ଅଠାଶୀସସ୍ର ତିନିକୋଟି ॥ ୧୫୨
ଏତେ ଆଚୁାର୍ଯ୍ୟ ବିଦ୍ୟାଗୁରୁ । ଏଣୁ କେ ସଂଖ୍ୟା କରିପାରୁ ॥ ୧୫୩
ଅୟୁତ ନିୟୁତ ପ୍ରମାଣି । କେ ପାରୁ ହରିବଂଶ ଗଣି ॥ ୧୫୪
ପୂର୍ବେ ଯେ ଦେବାସୁର ରଣେ । ଯେ ଅବା ମଲେ ଯାତୁଧାନେ ॥ ୧୫୫
ପୁଣି ମନୁଷ୍ୟ ଦେହ ବହି । ଅଶେଷ ମହୀତଳେ ହୋଇ ॥ ୧୫୬
ତାହାଙ୍କ ସଂହାରଣ ଅର୍ଥେ । ବିଷ୍ଣୁର ଅଂଶ ଏ ଜଗତେ ॥ ୧୫୭
ମନୁଷ୍ୟେ ହୋଇ ଅବତାର । ହରିଲେ ଅବନୀର ଭାର ॥ ୧୫୮
ଦେବେ ସକଳେ ଆଜ୍ଞା ପାଇ । ଯାଦବବଂଶେ ଜାତ ହୋଇ ॥ ୧୫୯
ଏକ ଉତ୍ତର ଶତବଂଶ । ଧରଣୀ ମଧ୍ୟେ କଲେ ନାଶ ॥ ୧୬୦
ଯାଦବବଂଶେ ହୋଇ ଜନ୍ମ । ଯହିଁ ସେ କଲେ ଯେତେ କର୍ମ ॥ ୧୬୧
ଆସନ ଶୟନ ଭୋଜନ । ଯଦୁଙ୍କ ତୁଲେ ଭଗବାନ ॥ ୧୬୨
ଏମନ୍ତେ ଦ୍ୱାରାବତୀପୁର । ସର୍ବସମ୍ପଦ ସୁଖସାର ॥ ୧୬୩
ଅଖଣ୍ତସୁଖ ଭୋଗ କରେ । ଦ୍ୱାରକାପୁରବାସୀ ॥ ୧୬୪
ଏମନ୍ତେ ସାତବଂଶ ଜନ । ସ୍ୱଧର୍ମେ ବଞ୍ଚନ୍ତି ସେଦିନ ॥ ୧୬୫
ଯହିଁ ସେ ରାମ କୃଷ୍ଣ ବେନି । ସୁକୃତକର୍ମ ଅବଧାନୀ ॥ ୧୬୬
ସକଳତୀର୍ଥ ଯଦୁକୁଳ । ଯହିଁ ବିଜୟ ଆଦିମୂଳ ॥ ୧୬୭
ପାଦଉଦକ ଗଙ୍ଗାତୀର । କମଳା ସେବେ ନିରନ୍ତର ॥ ୧୬୮
ଯା ନାମ ସର୍ବଦେବ ଘୋଷେ । ଶ୍ରବଣେ ଅମଙ୍ଗଳ ନାଶେ ॥ ୧୬୯
ମନୁଷ୍ୟଭାବ କର୍ମ କରି । ଅନ୍ତେ ସକଳ ଦେହେ ଭରି ॥ ୧୭୦
ଯାହାର କାଳଚକ୍ର ହସ୍ତେ । କେ ଜାଣି ପାରେ ତା ଜଗତେ ॥ ୧୭୧
ଦେବକୀ ଗର୍ଭେ ଅବତରି । ତେଜେ ଧରଣୀଭାରା ହରି ॥ ୧୭୨
ସ୍ଥାବର ଆଦି ଯେତେ ଜନ୍ମ । ଖଣ୍ତିଲେ ତାହାଙ୍କର ନାମ ॥ ୧୭୩
ଶ୍ରୀମୁଖ ଚାହିଁ ଗୋପନାରୀ । କାମ ଗରଳ ସେ ନିବାରି ॥ ୧୭୪
ସେ ହରି କଲେ କର୍ମ ଯେତେ । ସଂକ୍ଷେପେ କହିଲି ମୁଁ ତୋତେ ॥ ୧୭୫
ଏ କଥା କର୍ଣ୍ଣେ ଯେ ଶୁଣନ୍ତି । ଆନନ୍ଦେ ହୃଦୟେ ଗୁଣନ୍ତି ॥ ୧୭୬
ଜନ୍ମ ମରଣ ତାଙ୍କ ନାହିଁ । ଯେ ନିତ୍ୟେ କୃଷ୍ଣଲୀଳା ଗାଇ ॥ ୧୭୭
ଅମୃତ ଭାଗବତ ବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥ ୧୭୮
ବୋଲଇ ଦାସ ଜଗନ୍ନାଥ । ସୁଜନ ହିତେ ଭାଗବତ ॥ ୧୭୯
ଦଶମେ କୃଷ୍ଣର ମହିମା । ଯାହା ନ ଜାଣେ ଶିବ ବ୍ରହ୍ମା ॥ ୧୮୦
ସେ ହରି ଆଜ୍ଞା ଶିରେ ବହି । ଗୀତେ ପାରିଲି ଯାହା କହି ॥ ୧୮୧
ପ୍ରାକୃତ ଭାଷା ଏ ପ୍ରବନ୍ଧ । ଫିଟେ ଅନ୍ଧାର - ଭବବନ୍ଧ ॥ ୧୮୨
ମୁଁ ଛାର ହୀନ ମୂଢମତି । କୃଷ୍ଣଚରଣେ ହେଉ ମତି ॥ ୧୮୩
ଦଶମସ୍କନ୍ଧ ପୁଣ୍ୟବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥ ୧୮୪
ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ଶ୍ରୀକୃଷ୍ଣ
ଚରିତ ଅନୁବର୍ଣ୍ଣନଂ ନାମ ଷଣ୍ଣବତିତମ ଅଧ୍ୟାୟଃ ।
* * *