ଦଶମ ସ୍କନ୍ଧ

ଷଡନବତିତମ ଅଧ୍ୟାୟ

ବ୍ୟାସନନ୍ଦନ ତୋଷମନେ । ପୁଣି କହନ୍ତି କୃଷ୍ଣଧ୍ୟାନେ ॥

ଶୁକ ଉବାଚ

ବୋଲନ୍ତି ଶୁଣ ନରନାଥ । କୃଷ୍ଣଚରିତ ଭାଗବତ ॥

ସକଳ ସୁଖ ଭୋଗ ପୂର୍ଣ୍ଣେ । ଗୋବିନ୍ଦ ଦ୍ୱାରକାଭୂବନେ ॥

ଅଖଣ୍ତ କଳା ଯେହ୍ନେ ଶଶୀ । ନିର୍ମଳ ଆକାଶେ ପ୍ରକାଶି ॥

ଯଦୁକୁମୁଦବନ ଦେଶେ । ସୁଖେ ପ୍ରକାଶେ ମନ ତୋଷ ॥

ଯହିଁ ଅମୂଲ୍ୟମଣି ପୁଞ୍ଜେ । ତପନ୍ତେଜ ହେଲେ ଗଞ୍ଜେ ॥

ସର୍ବସମ୍ପଦ ସୁଖଘରେ । କମଳା ସେବେ ନିରନ୍ତରେ ॥

ନିଜ ଯୁବତୀ ସୁଖମନେ । ଷୋଳସହସ୍ର ଏକଶତେ ॥

ଅଷ୍ଟମହିଷୀ ଅଙ୍ଗସଙ୍ଗେ । ଦିନ ହରନ୍ତି ଭାବରଙ୍ଗେ ॥

କନ୍ଦୁକ ଆଦି କ୍ରୀଡାରସେ । ସେବନ୍ତି କୃଷ୍ଣ ଭାବରଙ୍ଗେ ॥ ୧୦

ଅଦ୍ଭୂତ ଦ୍ୱାରାବତୀପୁର । ଦେବମାନବେ ଅଗୋଚର ॥ ୧୧

ସୁଗନ୍ଧହସ୍ତୀ ମଦ ଜଳେ । ଶୁଭସୁନ୍ଦର ମହୀତଳେ ॥ ୧୨

ଯହିଁ ଯାଦବେ ଯୁଥଯୁଥ । ଦିଶନ୍ତି ନାନା ଅଳଙ୍କୃତ ॥ ୧୩

ମାର୍ଗେ ଉଜ୍ଜଳ ରଥପନ୍ତି । ନକ୍ଷତ୍ର ପ୍ରାୟ ବିରାଜନ୍ତି ॥ ୧୪

ନାନା ଉଦ୍ୟାନେ ବନରାଶି । ପୁଷ୍ପପଲ୍ଲବେ ପରକାଶି ॥ ୧୫

ଭୃଙ୍ଗ ବିହଙ୍ଗ ଅନୁବାଦେ । ମନ ହରନ୍ତି ମୃଦୁନାଦେ ॥ ୧୬

ତିନି ଭୁବନେ ଅଗୋଚର । କୃଷ୍ଣଭୁବନ ମନୋହର ॥ ୧୭

ଏମନ୍ତ ପୁରେ ନରହରି । ଷୋଳସହସ୍ର ଶତେ ନାରୀ ॥ ୧୮

ମାୟାମନୁଷ୍ୟ ରୂପ ହୋଇ । ନିତ୍ୟେ ତାହାଙ୍କ ପୁରେ ଥାଇ ॥ ୧୯

ତୋଷନ୍ତି ନାରୀଙ୍କର ମନ । ଇତର ପୁରୁଷ ଯେସନ ॥ ୨୦

ନିଦାଘ କାଳେ ଶୀତଜଳେ । ନାନାକୁସୁମ ପରିମଳେ ॥ ୨୧

ବିବିଧ ଜଳାଶୟ ମାନ । ସୁଗନ୍ଧେ ପ୍ରସାରେ ପବନ ॥ ୨୨

କୁସୁମରଜ ଜଳେ ମିଶେ । ଶୁକ କୋକିଳ ନାଦ ଘୋଷେ ॥ ୨୩

ଏମନ୍ତେ ନାନାଜଳେ ହରି । ସଙ୍ଗେ ସୁନ୍ଦରୀ ମନୋହରୀ ॥ ୨୪

କନ୍ୟାଙ୍କ ସଙ୍ଗେ ବନମାଳୀ । କରନ୍ତି ନାନାରଙ୍ଗେ କେଳି ॥ ୨୫

ନାରୀଙ୍କ ଆଲିଙ୍ଗନ କାଳେ । କୁଚକୁଙ୍କୁମ ବକ୍ଷସ୍ଥଳେ ॥ ୨୬

ଦେବେ ଆବୋରି ଦଶଦିଶେ । ନାନା ସୁବାଦ୍ୟ ଗୀତରସେ ॥ ୨୭

ସୂତ ମାଗଧ ମହୀତଳେ । ବୀଣାଦି ବାଦ୍ୟ କୁତୁହଳେ ॥ ୨୮

କାମିନୀ ଜଳ ଘେନି କରେ । ହସି ସିଞ୍ଚନ୍ତି କୃଷ୍ଣଶିରେ ॥ ୨୯

କୁବେର ଯେହ୍ନେ ପକ୍ଷୀ ମେଳେ । ବିରାଜେ ଜଳକ୍ରୀଡା ସ୍ଥଳେ ॥ ୩୦

ଜଳେ କୃଷ୍ଣର ନାରୀଜନ । ହୃଦରେ ଜଡିତ ବସନ ॥ ୩୧

କୃଷ୍ଣ ସି୍ଚନ୍ତି କରେ ନୀର । ଦିଶଇ ହୃଦୟ ବିକାର ॥ ୩୨

କାଞ୍ଚନ ପ୍ରାୟ କୁଚ ବର୍ଣ୍ଣେ । ଦିଶନ୍ତି ଆରଦ୍ର ବସନେ ॥ ୩୩

ଓଦା ବସନେ ଉରୁଦେଶ । ଅଧିକେ କରଇ ପ୍ରକାଶ ॥ ୩୪

କବରୀ ମଧ୍ୟେ ପୁଷ୍ପଭାର । ହରଷେ ବରଷନ୍ତି ନୀର ॥ ୩୫

କୃଷ୍ଣଙ୍କୁ ଜିଣିବାର ଆଶେ । ଅଧିକେ ସିଞ୍ଚନ୍ତି ହରଷେ ॥ ୩୬

ମୁଖ କି କନ୍ଦର୍ପ ଲହରୀ । ଜଳ ସିଞ୍ଚନ୍ତି ସର୍ବନାରୀ ॥ ୩୭

ସିଞ୍ଚନ୍ତି ପୁଣପୁଣ ଅଙ୍ଗେ । କାମ ବିକାର ନାନାରଙ୍ଗେ ॥ ୩୮

କରିଣୀ ମଧ୍ୟେ ଯେହ୍ନେ ଗଜ । ନାରୀଙ୍କ ମଧ୍ୟେ ଦେବରାଜ ॥ ୩୯

ନାନା ପ୍ରକାରେ କ୍ରୀଡାରସ । କରି ପିନ୍ଧିଲେ ପୀତବାସ ॥ ୪୦

ଉତ୍ସବ ଗୀତବାଦ୍ୟ ରୋଳେ । ଦେବମାନବ ସୁଖ ଭୋଳେ ॥ ୪୧

ତୀରେ ବିଜୟ ବନମାଳୀ । ନାରୀଙ୍କ କର କରେ ଧରି ॥ ୪୨

ନଟ ନର୍ତ୍ତକୀଗଣ ଚାହିଁ । ଆନନ୍ଦମନେ ଭାବଗ୍ରାହୀ ॥ ୪୩

ଅନେକ ବସ୍ତ୍ର ଅଳଙ୍କାର । ତାହାଙ୍କୁ ଦେଲେ ଦାମୋଦର ॥ ୪୪

କନ୍ୟାଏ ନାନା ରତ୍ନବାସ । ନଟଙ୍କୁ ଦେଲେ ହୋଇ ତୋଷ ॥ ୪୫

ଏମନ୍ତେ କ୍ରୀଡାରସେ ହରି । ଜଗମୋହ୍ନ ରୂପ ଧରି ॥ ୪୬

ହରିଲେ ନାରୀଙ୍କର ମନ । ବୁଦ୍ଧି ଅହଙ୍କାର ଚେତନ ॥ ୪୭

କନ୍ୟାଏ ନିଜ ପୁରେ ଯାଇ । କୃଷ୍ଣବଦନେ ମନ ଥୋଇ ॥ ୪୮

ନିମିଷେ ନଦେଖି ମୁରାରି । ଜୀବନ ନ ପାରନ୍ତି ଧରି ॥ ୪୯

ଚିନ୍ତନ୍ତି ସ୍ୱଗୃହେ ତରୁଣୀ । ଜଡ ଉନ୍ମତ୍ତ ପ୍ରାୟ ବାଣୀ ॥ ୫୦

ଯେମନ୍ତ କଲେ ବିପରୀତ । କହିବା ଶୁଣ ପରୀକ୍ଷିତ ॥ ୫୧

ବୃକ୍ଷରେ ପକ୍ଷୀଗଣ ଚାହିଁ । ବୋଲନ୍ତି ବାଇ ପ୍ରାୟ ହୋଇ ॥ ୫୨

କୁରରୀ ଆମ୍ଭବାଣୀ ଶୁଣ । କିମ୍ପା ଉନ୍ନିଦ୍ର ତୋ ନୟନ ॥ ୫୩

ଏ ରାତ୍ରକାଳେ ସର୍ବଜନ । ନିଦ୍ରା ମୋହିତେ ଅଚେତନ ॥ ୫୪

ଆମ୍ଭ ଜୀବନ ଗୋପୀନାଥ । ଦେଖ ନିଶ୍ଚିନ୍ତେ ନିଦ୍ରାଗତ ॥ ୫୫

ତାର ନିବିଡ ଆଲିଙ୍ଗନ । ତେଣେ ଯନ୍ତ୍ରିତ ଆମ୍ଭ ମନ ॥ ୫୬

ଲୋଚନେ ନିଦ୍ରା ନ ମାଡଇ । ତୁ ଯେ ଆମ୍ଭର ପ୍ରାୟ ହୋଇ ॥ ୫୭

ଦେଖିଛୁ କଟାକ୍ଷ ନୟନ । ତେଣୁ ଚଞ୍ଚଳ ତୋର ମନ ॥ ୫୮

ପୁଣି ବୋଲନ୍ତି ଭ୍ରମ ପାଇ । ଚକ୍ରବାକୀର ମୁଖ ଚାହିଁ ॥ ୫୯

ଏ ରାତ୍ରକାଳେ ସ୍ୱାମୀ ସଙ୍ଗ । ନ ଲଭି ଦୁଃଖିତ ତୋ ଅଙ୍ଗ ॥ ୬୦

ଅତି କାରୁଣ୍ୟେ କିମ୍ବା କାନ୍ଦୁ । ଦେଖ ଆମ୍ଭର ପ୍ରାଣବନ୍ଧୁ ॥ ୬୧

ନିଦ୍ରିତେ ନ ପାଇଲୁ ସଙ୍ଗ । ଯେମନ୍ତେ ତୋର ସଙ୍ଗଭଙ୍ଗ ॥ ୬୨

କିମ୍ପାଇ ଆମ୍ଭ ମୁଖ ଚାହୁଁ । କି ଅବା ତେଣେ ତୋଷ ହେଉ ॥ ୬୩

ଆମ୍ଭେ ଯେ ଗୋବିନ୍ଦର ଦାସୀ । ତା ପାଦପଦ୍ମର ତୁଳସୀ ॥ ୬୪

କବରୀ ଭାର ସଜ କରି । କଣ୍ଠେ ଜୀବନ ଅଛୁ ଧରି ॥ ୬୫

ସେମାନ ଇଚ୍ଛା କରୁ ଯେବେ । ଦେବୁ ଯେ ତୋତେ ପ୍ରିୟଭାବେ ॥ ୬୬

କବରୀଭାର ସଜ କର । ସେବ ତୋହର ନିଜ ବର ॥ ୬୭

ପୁଣି ସମୁଦ୍ରକୁ ଅନାଇଁ । ବୋଲନ୍ତି କୃଷ୍ଣଭାବ ବହି ॥ ୬୮

ହେ ନଦୀକାନ୍ତ ହେ ସମୁଦ୍ର । ତୁ କିମ୍ପା ଏ ରାତ୍ରେ ଉନ୍ନିଦ୍ର ॥ ୬୯

ନିଦ୍ରା ନ ଯାଇ ନାଦ କରୁ । ତୁ କୃଷ୍ଣକଥା କି ସୁମରୁ ॥ ୭୦

ତାର ନୟନ ବାଣେ ଛନ୍ନ । ଯେମନ୍ତ ଆମ୍ଭର ଜୀବନ ॥ ୭୧

ସେ ଦୋଷ ତୋତେ କି ବାଧିଲା । ନିଶ୍ଚେ ଜାଣିଲୁ କୃଷ୍ଣଲୀଳା ॥ ୭୨

ପୁଣି ସେ ଚନ୍ଦ୍ରକୁ ଅନାଇଁ । ବୋଲନ୍ତି ପ୍ରିୟଭାବ ବହି ॥ ୭୩

କୁମୁଦବନ୍ଧୁ ତୁ ବୋଲାଉ । ମୃଗଲାଞ୍ଛନ ହୃଦେ ବହୁ ॥ ୭୪

ପୂର୍ବେ ଅର୍ଜିଲା କର୍ମଭୋଗ । ଏଣୁ ତୋ ଦେହେ କ୍ଷୟ ରୋଗ ॥ ୭୫

ନିଜ କରମେ କ୍ଷୀଣ ହେଉ । ତୁ କିମ୍ପା ରାତ୍ରେ ଉଦେ ନୋହୁ ॥ ୭୬

ଆମ୍ଭେ ଯେ କୃଷ୍ଣର ତରୁଣୀ । ତାର ମୋହନ କଥା ଶୁଣି ॥ ୭୭

ଆତ୍ମା ନ ସୁମରି ଯେମନ୍ତେ । ତେମନ୍ତେ ଦେଖିଲୁ ଯେ ତୋତେ ॥ ୭୮

ତୋର ଗୋବିନ୍ଦଭାବେ ମନ । ତେଣୁ କି ହୋଇଲୁ ମଉନ ॥ ୭୯

ମଳୟାନିଳ ଦେଖି ଭ୍ରମେ । ବିଶ୍ୱାସେ ବୋଲନ୍ତି ପବନେ ॥ ୮୦

ଶୁଣି ତୁ କୃଷ୍ଣବାକ୍ୟବନ୍ଧ । ଭୁବନେ ବହୁ ମନ୍ଦମନ୍ଦ ॥ ୮୧

କୃଷ୍ଣଲୀଳାରେ କରୁ ଆଶା । ଯେ ଭାବେ ଆମ୍ଭର ଭରସା ॥ ୮୨

ଆମ୍ଭଙ୍କୁ ଚାହିଁ ମେଘମାଳା । ଛଳେ କହନ୍ତି କୃଷ୍ଣଲୀଳା ॥ ୮୩

ବୋଲନ୍ତି ମେଘକୁ ଅନାଇଁ । କୃଷ୍ଣର ମିତ୍ର ଅଟୁ ତୁହି ॥ ୮୪

ନିଶ୍ଚେ ତୁ କରୁ କୃଷ୍ଣେ ଧ୍ୟାନେ । ଯା ହୃଦେ ଶ୍ରୀବତ୍ସର ଚିହ୍ନ ॥ ୮୫

ଆମ୍ଭର ପ୍ରାୟ ପ୍ରେମବନ୍ଧେ । ଚିନ୍ତା ତୁ କରୁ କୃଷ୍ଣପାଦେ ॥ ୮୬

ହୃଦେ ନିବିଡ ପ୍ରେମଭରେ । ଆମ୍ଭେ ଯେମନ୍ତ ଚକ୍ଷୁଦ୍ୱାରେ ॥ ୮୭

ନିତ୍ୟେ ଲୋତକ କୁଚେ ସିଞ୍ଚୁ । ତୋତେ ତେମନ୍ତ ପ୍ରାୟ ପାଞ୍ଚୁ ॥ ୮୮

ତୋ ହୃଦେ କୃଷ୍ଣପ୍ରେମ ଭରା । ତେଣୁ ତୁ ସିଞ୍ଚୁ ଜଳଧାରା ॥ ୮୯

ସୁମରି ପୁଣ ପୁଣ ସୁଖ । ତାଙ୍କ ପ୍ରସଙ୍ଗ ମହାଦୁଃଖ ॥ ୯୦

କୋକିଳନାଦ କର୍ଣ୍ଣେ ଶୁଣି । ବୋଲନ୍ତି କୃଷ୍ଣର ତରୁଣୀ ॥ ୯୧

ଶୁଣ କୋକିଳ ଆମ୍ଭ ବାଣୀ । ଆମ୍ଭେ ତୋହର ଭାବ ଜାଣି ॥ ୯୨

ତେଣୁ ତୁ ଦୁଃଖୀ ଆମ୍ଭ ଦୁଃଖେ । କୋମଳବାଣୀ କହୁ ମୁଖେ ॥ ୯୩

କିସ କରିବୁ କହ ତୋର । ତୁ ଆମ୍ଭ ଜୀବନ ସୋଦର ॥ ୯୪

ପର୍ବତଶୃଙ୍ଗ ଚାହିଁ ପୁଣି । ବୋଲନ୍ତି କୃଷ୍ଣର ତରୁଣୀ ॥ ୯୫

ତୁ ମହୀଧର ବଡ ଧନ୍ୟ । ନ ଚଳୁ ନ ବୋଲୁ ବଚନ ॥ ୯୬

ଉଦାର ବୃଦ୍ଧି ତୋର ଜାଣି । ଗୁପତେ ଚିନ୍ତୁ ଚକ୍ରପାଣି ॥ ୯୭

ଆମ୍ଭେ ଗୋବିନ୍ଦପାଦ ଯେହ୍ନେ । କୁଚେ ଲଗାଉ ସାବଧାନେ ॥ ୯୮

ତୁହି ତେମନ୍ତ କରୁ ଆଶ । ତେଣୁ ତୁ ଆମ୍ଭର ବିଶ୍ୱାସ ॥ ୯୯

ନିକଟେ ଦଦୀସ୍ରୋତ ଦେଖି । ଭାବେ ବୋଲନ୍ତି ଚନ୍ଦ୍ରମୁଖୀ ॥ ୧୦୦

ପ୍ରିୟବିଯୋଗେ ସଖି ତୋର । ଶୁଖିଲା ବେନି ତଟୁଁ ନୀର ॥ ୧୦୧

କମଳ ଉପହାର କରୁ । ସ୍ୱାମୀର ସଙ୍ଗ ତୁ ସୁମରୁ ॥ ୧୦୨

ଦେଖ ଆମ୍ଭର ମନ ଛନ୍ନ । ନ ଦେଖି କୃଷ୍ଣର ବଦନ ॥ ୧୦୩

ଦୁଃଖ ହୃଦୟେ ଦିନ ବଞ୍ଚୁ । ଆମ୍ଭର ପ୍ରାୟ ତୋତେ ପାଞ୍ଚୁ ॥ ୧୦୪

ପୁଣି ଚାହାନ୍ତି ଦଶଦିଶେ । ଦେଖିଲେ ରାଜହଂସ ପାଶେ ॥ ୧୦୫

କୃଷ୍ଣର ଦୂତ ପ୍ରାୟ ମଣି । ବୋଲନ୍ତି ପ୍ରିୟଭାବେ ବାଣୀ ॥ ୧୦୬

ଭଲେ ଅଇଲୁ ହଂସ ପଥେ । ଆମ୍ଭର ପ୍ରିୟ ଘେନି ଚିତ୍ତେ ॥ ୧୦୭

ଆସ ତୁ କ୍ଷୀର କର ପାନ । ଆମ୍ଭ ସମୀପେ ତୋ ଆସନ ॥ ୧୦୮

ବସି ତୁ କହ କୃଷ୍ଣକଥା । ତୋ ତହିଁ ବିଶ୍ୱାସ ବ୍ୟବସ୍ଥା ॥ ୧୦୯

ଜାଣିଲୁ ଦୂତ ବୋଲି ତୋତେ । ଶ୍ରମ ପାଇଲୁ ଆସି ପଥେ ॥ ୧୧୦

ଭଲେ କି ଛନ୍ତି ଦାମୋଦର । କହ ତୁ କପଟ ନକର ॥ ୧୧୧

କପଟ ହୃଦୟ ତାହାର । ଚଞ୍ଚଳ ସୁହୃଦ ବେଭାର ॥ ୧୧୨

ଆମ୍ଭର ଭାବ କି ସୁମରେ । ଏ ମାୟା ସଂସାରେ ସାଗରେ ॥ ୧୧୩

କିବା କରିବୁ ଯିବୁ ନାହିଁ । ତା ତହୁଁ ଆନଗତି ନାହିଁ ॥ ୧୧୪

ଅମୃତ ବଚନ ତାହାର । ଶୁଣି ଶ୍ରବଣ ସୁଖକର ॥ ୧୧୫

ସକାମ କରେ ଆମ୍ଭ ମନ । ତା ଭାବ ଛାଡିବୁ କେସନ ॥ ୧୧୬

ଏମନ୍ତେ କୃଷ୍ଣର କାମିନୀ । ଚିତ୍ତେ ନିର୍ମଳ ଭାବ ଘେନି ॥ ୧୧୭

ଯୋଗେଶ୍ୱରଙ୍କୁ ଅଗୋଚର । ଅଭୟ ଚରଣ ଯାହାର ॥ ୧୧୮

ସେ ହରିପାଦେ ଭାବ କଲେ । ଜନ୍ମ ମରଣୁଁ ନିସ୍ତରିଲେ ॥ ୧୧୯

ପରମପଦେ ତାଙ୍କ ଗତି । ଏବେ ହୋ ଶୁଣ ନରପତି ॥ ୧୨୦

ସେ ହରିଗୁଣ ଶ୍ରୁତିପଥେ । ପଶି କାମିନୀଗଣ ଚିତ୍ତେ ॥ ୧୨୧

ବଳେ କରଇ କାମମୟେ । ଯେ ଭାବେ ବସି ନିତ୍ୟେ ଧ୍ୟାୟେ ॥ ୧୨୨

ତା ରୂପ ଚକ୍ଷୁଦ୍ୱାରେ ଦେଖି । କାମିନୀ କେ ନୋହିବେ ସୁଖୀ ॥ ୧୨୩

ତାହାଙ୍କୁ ସ୍ୱାମୀପଣେ ପାଇ । ପାଦେ ସେବନ୍ତି ଗୃହେ ଥାଇ ॥ ୧୨୪

ତାହାଙ୍କ ତପ କେ ବର୍ଣ୍ଣିବ । ଯାହା ବାଞ୍ଛନ୍ତି ବ୍ରହ୍ମା ଶିବ ॥ ୧୨୫

ଏମନ୍ତ ପ୍ରଭୁ ବନମାଳୀ । ବଦଉଚିତେ ଧର୍ମ ପାଳି ॥ ୧୨୬

ଗୃହସ୍ଥିଧର୍ମ ଅନୁମତେ । ଚତୁରବର୍ଗ ସିଦ୍ଧି ଅର୍ଥେ ॥ ୧୨୭

ଷୋଳସହସ୍ର ଶତେ ନାରୀ । ଗୃହେ ରମିଲେ ନରହରି ॥ ୧୨୮

ନାରୀଙ୍କ ମଧ୍ୟେ ଅଷ୍ଟଦେବୀ । କମଳା ଅଂଶେ କୃଷ୍ଣ ସେବି ॥ ୧୨୯

ଏ ଆଦି ସକଳ ଯୁବତୀ । ଗୋବିନ୍ଦ ଗୃହେ ପୁତ୍ରବତୀ ॥ ୧୩୦

କନ୍ୟାକେ ଦଶଦଶ ସୁତ । ଏକ ଦୁହିତା ହୋଏ ଜାତ ॥ ୧୩୧

ପୁତ୍ରଙ୍କ ମଧ୍ୟେ ସାଧୁ ଧୀର । ଉତ୍ତମ ଅଷ୍ଟାଦଶ ବୀର ॥ ୧୩୨

ସୁଯୋଦ୍ଧା ରଥୀ ଅନୁପମ । ଶୁଣ ତୁ ପୁତ୍ରଙ୍କର ନାମ ॥ ୧୩୩

ପ୍ରଦ୍ୟୁମ୍ନ ଦୀପ୍ତିମାନ ଭାନୁ । ଶାମ୍ବ ମଧୁ ଯେ ବୃହଦ୍ଭାନୁ ॥ ୧୩୪

ଚିତ୍ରଭାନୁ ବୃକ ଅରୁଣ । ଚିତ୍ରବାହୁ ଯେ ସୁନନ୍ଦନ ॥ ୧୩୫

ପୁଷ୍କର ବେଦବାହୁ ବେନି । ଚଉଦ ଶ୍ରୁତଦେବ ଘେନି ॥ ୧୩୬

ବିରୂପ କବି ଯେ ନ୍ୟଗ୍ରୋଧ । ପ୍ରଦ୍ୟୁମ୍ନ ପୁତ୍ର ଅନିରୁଦ୍ଧ ॥ ୧୩୭

ଏହାଙ୍କ ମଧେ ଜ୍ୟେଷ୍ଠଭ୍ରାତ । ଉତ୍ତମ ରୁକ୍ମିଣୀର ସୁତ ॥ ୧୩୮

କୃଷ୍ଣର ପ୍ରାୟେକ ଦିଶଇ । ରୁକ୍ମୀ ଯେ ରୁକ୍ମିଣୀର ଭାଇ ॥ ୧୩୯

ତାର ଦୁହିତା ତାକୁ ଦେଲା । ତାହାର ଅନିରୁଦ୍ଧ ବଳା ॥ ୧୪୦

ରୁକ୍ମୀପୁତ୍ର ନାରୀ ଉଦରେ । କନ୍ୟାଏ ଥିଲା ତାର ପୁରେ ॥ ୧୪୧

ପ୍ରଦ୍ୟୁମ୍ନ ପୁତ୍ରେ ତାହା ବରି । ବିଭା କରାଇଲେ ମୁରାରି ॥ ୧୪୨

ବଜ୍ର ତାହାର ତହୁଁ ଜାତ । ଏବେ ହୋ ଶୁଣ ପରୀକ୍ଷିତ ॥ ୧୪୩

ମୂଷଳ ଅବଶେଷ ସେହୁ । ତାର କୁମର ପ୍ରତିବାହୁ ॥ ୧୪୪

ସୁବାହୁ ତା ତହୁଁ ଜନମ । ତାର କୁମର ଶାନ୍ତସେନ ॥ ୧୪୫

ତାହାର ଶତସେନ ବଳା । ସେଠାରୁ ଯଦୁବଂଶ ଗଲା ॥ ୧୪୬

ସେ ଯଦୁବଂଶେ ମହୀତଳେ । ଯେତେ କୁମର ଉପୁଜିଲେ ॥ ୧୪୭

ଏ ବଂଶେ ଯେତେକ ସନ୍ତ୍ତି । ନିର୍ଦ୍ଧନ ଅପୁତ୍ରୀ ନୁହଁନ୍ତି ॥ ୧୪୮

ଅକାଳେ ନୁହଁନ୍ତି ବିନାଶ । ନାହିଁ ପାପିଷ୍ଠ ଅଳ୍ପାୟୁଷ ॥ ୧୪୯

ଏ ହରିବଂଶର ମହିମା । କେ କହିପାରେ ଗୁଣସୀମା ॥ ୧୫୦

ଯେତେ ବାଳକ ଉପୁଜିଲେ। କେ ଗଣିପାରେ ତାହା ଭଲେ ॥ ୧୫୧

ଶୁଣ ତା କହିବା ପ୍ରକଟି । ଅଠାଶୀସସ୍ର ତିନିକୋଟି ॥ ୧୫୨

ଏତେ ଆଚୁାର୍ଯ୍ୟ ବିଦ୍ୟାଗୁରୁ । ଏଣୁ କେ ସଂଖ୍ୟା କରିପାରୁ ॥ ୧୫୩

ଅୟୁତ ନିୟୁତ ପ୍ରମାଣି । କେ ପାରୁ ହରିବଂଶ ଗଣି ॥ ୧୫୪

ପୂର୍ବେ ଯେ ଦେବାସୁର ରଣେ । ଯେ ଅବା ମଲେ ଯାତୁଧାନେ ॥ ୧୫୫

ପୁଣି ମନୁଷ୍ୟ ଦେହ ବହି । ଅଶେଷ ମହୀତଳେ ହୋଇ ॥ ୧୫୬

ତାହାଙ୍କ ସଂହାରଣ ଅର୍ଥେ । ବିଷ୍ଣୁର ଅଂଶ ଏ ଜଗତେ ॥ ୧୫୭

ମନୁଷ୍ୟେ ହୋଇ ଅବତାର । ହରିଲେ ଅବନୀର ଭାର ॥ ୧୫୮

ଦେବେ ସକଳେ ଆଜ୍ଞା ପାଇ । ଯାଦବବଂଶେ ଜାତ ହୋଇ ॥ ୧୫୯

ଏକ ଉତ୍ତର ଶତବଂଶ । ଧରଣୀ ମଧ୍ୟେ କଲେ ନାଶ ॥ ୧୬୦

ଯାଦବବଂଶେ ହୋଇ ଜନ୍ମ । ଯହିଁ ସେ କଲେ ଯେତେ କର୍ମ ॥ ୧୬୧

ଆସନ ଶୟନ ଭୋଜନ । ଯଦୁଙ୍କ ତୁଲେ ଭଗବାନ ॥ ୧୬୨

ଏମନ୍ତେ ଦ୍ୱାରାବତୀପୁର । ସର୍ବସମ୍ପଦ ସୁଖସାର ॥ ୧୬୩

ଅଖଣ୍ତସୁଖ ଭୋଗ କରେ । ଦ୍ୱାରକାପୁରବାସୀ ॥ ୧୬୪

ଏମନ୍ତେ ସାତବଂଶ ଜନ । ସ୍ୱଧର୍ମେ ବଞ୍ଚନ୍ତି ସେଦିନ ॥ ୧୬୫

ଯହିଁ ସେ ରାମ କୃଷ୍ଣ ବେନି । ସୁକୃତକର୍ମ ଅବଧାନୀ ॥ ୧୬୬

ସକଳତୀର୍ଥ ଯଦୁକୁଳ । ଯହିଁ ବିଜୟ ଆଦିମୂଳ ॥ ୧୬୭

ପାଦଉଦକ ଗଙ୍ଗାତୀର । କମଳା ସେବେ ନିରନ୍ତର ॥ ୧୬୮

ଯା ନାମ ସର୍ବଦେବ ଘୋଷେ । ଶ୍ରବଣେ ଅମଙ୍ଗଳ ନାଶେ ॥ ୧୬୯

ମନୁଷ୍ୟଭାବ କର୍ମ କରି । ଅନ୍ତେ ସକଳ ଦେହେ ଭରି ॥ ୧୭୦

ଯାହାର କାଳଚକ୍ର ହସ୍ତେ । କେ ଜାଣି ପାରେ ତା ଜଗତେ ॥ ୧୭୧

ଦେବକୀ ଗର୍ଭେ ଅବତରି । ତେଜେ ଧରଣୀଭାରା ହରି ॥ ୧୭୨

ସ୍ଥାବର ଆଦି ଯେତେ ଜନ୍ମ । ଖଣ୍ତିଲେ ତାହାଙ୍କର ନାମ ॥ ୧୭୩

ଶ୍ରୀମୁଖ ଚାହିଁ ଗୋପନାରୀ । କାମ ଗରଳ ସେ ନିବାରି ॥ ୧୭୪

ସେ ହରି କଲେ କର୍ମ ଯେତେ । ସଂକ୍ଷେପେ କହିଲି ମୁଁ ତୋତେ ॥ ୧୭୫

ଏ କଥା କର୍ଣ୍ଣେ ଯେ ଶୁଣନ୍ତି । ଆନନ୍ଦେ ହୃଦୟେ ଗୁଣନ୍ତି ॥ ୧୭୬

ଜନ୍ମ ମରଣ ତାଙ୍କ ନାହିଁ । ଯେ ନିତ୍ୟେ କୃଷ୍ଣଲୀଳା ଗାଇ ॥ ୧୭୭

ଅମୃତ ଭାଗବତ ବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥ ୧୭୮

ବୋଲଇ ଦାସ ଜଗନ୍ନାଥ । ସୁଜନ ହିତେ ଭାଗବତ ॥ ୧୭୯

ଦଶମେ କୃଷ୍ଣର ମହିମା । ଯାହା ନ ଜାଣେ ଶିବ ବ୍ରହ୍ମା ॥ ୧୮୦

ସେ ହରି ଆଜ୍ଞା ଶିରେ ବହି । ଗୀତେ ପାରିଲି ଯାହା କହି ॥ ୧୮୧

ପ୍ରାକୃତ ଭାଷା ଏ ପ୍ରବନ୍ଧ । ଫିଟେ ଅନ୍ଧାର - ଭବବନ୍ଧ ॥ ୧୮୨

ମୁଁ ଛାର ହୀନ ମୂଢମତି । କୃଷ୍ଣଚରଣେ ହେଉ ମତି ॥ ୧୮୩

ଦଶମସ୍କନ୍ଧ ପୁଣ୍ୟବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥ ୧୮୪

ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ଶ୍ରୀକୃଷ୍ଣ

ଚରିତ ଅନୁବର୍ଣ୍ଣନଂ ନାମ ଷଣ୍ଣବତିତମ ଅଧ୍ୟାୟଃ ।

* * *