ଦଶମ ସ୍କନ୍ଧ

ପଞ୍ଚନବତିତମ ଅଧ୍ୟାୟ

ଶୁକ ଉବାଚ

ଶୁଣ ରାଜନ ପରୀକ୍ଷିତ । କୃଷ୍ଣ ମହିମା ଭାଗବତ ॥

ପୂର୍ବେ ଯେ ସରସ୍ୱତୀ ତୀରେ । ମିଳି ସକଳ ମୁନିବରେ ॥

ଯଜ୍ଞ କରିବା ଅନୁମତେ । ବିଚାର କଲେ ସର୍ବଶାସ୍ତ୍ରେ ॥

ଜଗତେ ଦେବଦେବ ତିନି । ବିଷ୍ଣୁ ଶଙ୍କର ପଦ୍ମଯୋନି ॥

ଏ ତିନି ମଧ୍ୟେ ଯେ ପ୍ରଧାନ । ସେ ଆମ୍ଭର ଯଜ୍ଞରେ ବରଣ ॥

ଏମନ୍ତେ କରି ସନମତ । ଭୃଗୁ ନାମେଣ ବ୍ରହ୍ମାସୁତ ॥

ଏ ତିନି ଦେବତା କଳନେ । ତାହାଙ୍କୁ ପେଶି ଦୂତପଣେ ॥

ବୋଇଲେ ବଚନ ବିଶ୍ୱାସ । ତିନି ଦେବଙ୍କୁ ବରି ଆସି ॥

ଋଷିଙ୍କ ଆଜ୍ଞା ଘେନି ବେଗେ । ଭୃଗୁ ଚଳିଲେ ଶୂନ୍ୟମାର୍ଗେ ॥

ବ୍ରହ୍ମାର ସଭା ମଧ୍ୟେ ଯାଇ । ଭୃଗୁ ମିଳିଲେ ଛଳ ବହି ॥ ୧୦

ବ୍ରହ୍ମାଙ୍କୁ ଛଳିବାର ଆଶେ । ଅବଜ୍ଞା କରି ବସି ପାଶେ ॥ ୧୧

ବ୍ରହ୍ମାଙ୍କୁ ପ୍ରଣାମ ନକଲେ । ସ୍ତୁତି ବଚନ ନ ବୋଇଲେ ॥ ୧୨

ତା ଦେଖି ବ୍ରହ୍ମା ମହାକୋପି । ଗାଢେ ଦଶନେ ଓଷ୍ଠ ଚାପି ॥ ୧୩

ବୋଲନ୍ତି ଜ୍ୟେଷ୍ଠପୁତ୍ର ଏହି । ଏ ମୋତେ ଅବଜ୍ଞା ସେ ବହି ॥ ୧୪

ପୁଣି ବିଚାରି ଦିବ୍ୟଜ୍ଞାନେ । ପୁତ୍ରଙ୍କୁ ନାଶିବା କେସନେ ॥ ୧୫

ଏହାକୁ କଲେ ଆଜ ନାଶ । ମୋତେ ହୋଇବ ଅପଯଶ ॥ ୧୬

ଏତେ ବିଚାରି ଦୁଷ୍ଟମନ । ତକ୍ଷଣେ ବ୍ରହ୍ମା କଲେ ଶମ ॥ ୧୭

ଅନଳ ଯେହ୍ନେ ଜଳ ପାଇ । ଲିଭଇ କୁଣ୍ତ ମଧ୍ୟେ ଥାଇ ॥ ୧୮

ଭୃଗୁକୁ ପୁତ୍ରଭାବ ଘେନି । ଶାନ୍ତ ହୋଇଲେ କୁଶପାଣି ॥ ୧୯

ତାହା ଜାଣିଲେ ବ୍ରହ୍ମାସୁତ । କପୋଳେ ଦେଇ ଘେନି ହସ୍ତ ॥ ୨୦

ପ୍ରଣମି ବ୍ରହ୍ମାଙ୍କ ଚରଣେ । ଭୃଗୁ ଚଳିଲେ ତତକ୍ଷଣେ ॥ ୨୧

ପଥେ ଚଳନ୍ତେ ମନତୋଷେ । ମିଳିଲେ କଇଳାସ ଦେଶେ ॥ ୨୨

ରୁଦ୍ର ଉଠିଲେ ଭୃଗୁ ଚାହିଁ । ବୋଲନ୍ତି ଏ ମୋ ଜ୍ୟେଷ୍ଠଭାଇ ॥ ୨୩

ଧାଇଁଲେ ଆଲିଙ୍ଗନ ଆଶେ । ଭୃଗୁ ଚଳିଲେ ବାମ ପାଶେ ॥ ୨୪

ତା ଦେଖି ରୁଦ୍ର କୋପଭରେ । ବେଗେ ତ୍ରିଶୁଳ ଧରି କରେ ॥ ୨୫

ଧାଇଁଲେ ଅରୁଣଲୋଚନେ । ଦହିବା ପ୍ରାୟ ତ୍ରିଭୁବନେ ॥ ୨୬

ତା ଦେଖି ଭୃଗୁ କରଯୋଡି । ବେଗେ ଶଙ୍କର ପାଦେ ପଡି ॥ ୨୭

ଅନେକ ସ୍ତୁତିବାକ୍ୟ ଭଣି । ଶାନ୍ତ କରାଇ ଶୂଳପାଣି ॥ ୨୮

ଅନେକ ମତେ ଭାବ କଲେ । ତକ୍ଷଣେ ବଇକୁଣ୍ଠ ଗଲେ ॥ ୨୯

ଦ୍ୱାରେ ପଶନ୍ତେ ବ୍ରହ୍ମାସୂତ । ଶୁଣିଲେ ବିଷ୍ଣୁ ନିଦ୍ରାଗତ ॥ ୩୦

ମୁହୂର୍ତ୍ତେ ରହି ଅବକାଶେ । ତକ୍ଷଣେ ଭୃଗୁ ମହାରୋଷେ ॥ ୩୧

ବିଷ୍ଣୁ ଶୟନସ୍ଥାନେ ମିଳି । ନିଦ୍ରା ଅଚେତ ବନମାଳୀ ॥ ୩୨

ଉତ୍ତାନ ଶୟନେ ଆନନ୍ଦେ । ତା ଦେଖି ଭୃଗୁ ମହା କ୍ରୋଧେ ॥ ୩୩

ବ୍ରାହ୍ମଣପଣେ ଗର୍ବ ବହି । ପାଦେ ମାଇଲେ ହୃଦେ ନେଇ ॥ ୩୪

କୋପେ ଗର୍ଜନ୍ତି ଗରୁତର । ଶୁଣି ଉଠିଲେ ଚକ୍ରଧର ॥ ୩୫

ଲକ୍ଷ୍ମୀର କରେ ଧରି ମୁଷ୍ଟି । ପଲ୍ୟଙ୍କୁ କୃଷ୍ଣ ବେଗେ ଉଠି ॥ ୩୬

ବିପ୍ରଚରଣେ ତଳେ ପଡି । ବୋଲନ୍ତି ବେନିକର ଯୋଡି ॥ ୩୭

ଭୋ ବିପ୍ର ତୋର ଆଗମନ । ଆଜ ଶରୀର ମୋର ଧନ୍ୟ ॥ ୩୮

ଭୋ ବିପ୍ର ବସ ଏ ଆସନେ । ଅପ୍ରାଧ କଲି ମୁଁ ଅଜ୍ଞାନେ ॥ ୩୯

ଏ ଅପରାଧ କ୍ଷମା କର । କୋମଳ ଚରଣ ତୁମ୍ଭର ॥ ୪୦

କଠୋର ହୃଦୟେ ବାଜିଲା । ମୋ ମନେ କଷ୍ଟ ଉପୁଜିଲା ॥ ୪୧

ନପୁଣ ବଥାଇ ଚରଣ । ଏମନ୍ତ ବୋଲି ନାରାୟଣ ॥ ୪୨

ବିପ୍ରଚରଣ ଜଳେ ଧୋଇ । ପାଦଉଦକ ଶିରେ ଲଇଁ ॥ ୪୩

ଆଜ ଶରୀର ମୋର ଧନ୍ୟ । ପବିତ୍ର ହୋଇଲା ଜୀବନ ॥ ୪୪

ଏ ବିଶ୍ୱ ସଂସାର ସମେତ । ଲୋକପାଳକ ଛନ୍ତି ଯେତେ ॥ ୪୫

ଆଜ ପବିତ୍ର ଏ ସକଳେ । ତୋ ପାଦରଜ ତୀର୍ଥଜଳେ ॥ ୪୬

ଭୋ ବିପ୍ରବର ମୋର ହୃଦେ । କମଳା ବସଇ ଆନନ୍ଦେ ॥ ୪୭

ଆଜ ପବିତ୍ର ମୋର ଘର । ଧନ୍ୟ ଏ ଜୀବନ ମୋହର ॥ ୪୮

ଅତି ଆଦରେ ନାରାୟଣ । ପୂଜିଲେ ଭୃଗୁର ଚରଣ ॥ ୪୯

ମଧୁର ବାକ୍ୟେ ଲକ୍ଷ୍ମୀପତି । ବ୍ରାହ୍ମଣ ମନ କଲେ ଶାନ୍ତି ॥ ୫୦

ବିଷ୍ଣୁ ମହିମା ଗୁଣ ଦେଖି । ଭୃଗୁ ବୁଜିଲେ ବେନି ଆଖି ॥ ୫୧

କଣ୍ଠକୁଣ୍ଠିତ ମନ୍ଦସ୍ୱର । ରୋମପୁଲକ କଳେବର ॥ ୫୨

ବିଷ୍ଣୁର ଭାବ ହୃଦେ ବହି । ଭୃଗୁ ଚଳିଲେ ତୋଷ ହୋଇ ॥ ୫୩

ଏମନ୍ତେ ବିଷ୍ଣୁଭାବ ଭୋଳେ । ମିଳିଲେ ସରସ୍ୱତୀ କୂଳେ ॥ ୫୪

ବ୍ରହ୍ମଋଷିଙ୍କ ମଧ୍ୟେ ଯାଇ । ବୋଲନ୍ତି ଶିରେ କର ଦେଇ ॥ ୫୫

ବ୍ରାହ୍ମଣ କହେ ସର୍ବକଥା । ଯାହାର ଯେମନ୍ତ ବ୍ୟବସ୍ଥା ॥ ୫୬

ଭୃଗୁବଚନ ବିପ୍ରେ ଶୁଣି । ବିଷ୍ଣୁ ମହିମା ପରିମାଣି ॥ ୫୭

ଯେ ହରି ଜଗତଠାକୁର । ମିତ୍ର ଅଇରି ନାହିଁ ଯାର ॥ ୫୮

ତାର ସ୍ମରଣେ ମନ ଶାନ୍ତି । ନ ଲାଗେ ଭବବନ୍ଧ ଭ୍ରାନ୍ତି ॥ ୫୯

ଯାର ଚିନ୍ତନେ ଧର୍ମଜ୍ଞାନ । ଶୁଚି ନିଷ୍କାମେ ଯୋଗ କ୍ଷେମ ॥ ୬୦

ନିର୍ମଳ ଯଶ ବିକାଶଇ । ଯାର ସ୍ମରଣେ ପାପ ନାହିଁ ॥ ୬୧

ମୁନି ସନ୍ନ୍ୟାସୀ ଶାନ୍ତନର । ସମଦରଶୀ ଚିତ୍ତ ଯାର ॥ ୬୨

ଯେ ଅବା ଅକିଞ୍ଚନ ଜନ । ତାହାଙ୍କ ଗତି ଭଗବାନ ॥ ୬୩

ଯା ପ୍ରିୟରୂପ ସତ୍ତ୍ୱଗୁଣ । ଯା ଇଷ୍ଟ ଦେବତା ବ୍ରାହ୍ମଣ ॥ ୬୪

ତାହାକୁ ଯଜ୍ଞେ ପୂଜା କରି । ସକଳ ଦୁଃଖ ଅପହରି ॥ ୬୫

ତ୍ରିଗୁଣେ ତିନି ରୂପ ତାର । ରାକ୍ଷସ ଅସୁର ଯେ ସୁର ॥ ୬୬

ଯେ ରୂପ ସତ୍ତ୍ୱଗୁଣମୟ । ତହୁଁ ମିଳିଲା ସର୍ବଶ୍ରେୟ ॥ ୬୭

ନିର୍ମଳ ଚିତ୍ତେ ମୁନିଗଣେ । କାନନେ ନିଶ୍ଚଳେ ଆସନେ ॥ ୬୮

ଗୋବିନ୍ଦପାଦେ ଧ୍ୟାନ କରି । ହେଳେ ତରିଲେ ଭବବାରି ॥ ୬୯

ବୋଲଇ ବିପ୍ର ଜଗନ୍ନାଥ । କୃଷ୍ଣ ମହିମା ବ୍ୟାସସୁତ ॥ ୭୦

ଯାହା କହିଲେ ରାଜା ଆଗେ । ସୁଜନେ ଚିନ୍ତ ସେହି ମାର୍ଗେ ॥ ୭୧

ପୁରାଣ ଭାଗବତ ବାଣୀ । କେ କହିପାରେ ପରିମାଣି ॥ ୭୨

କୃଷ୍ଣ ସକଳ ପ୍ରାଣୀ ଦେହେ । ଦୃଶ୍ୟଅଦୃଶ୍ୟେ ଜ୍ଞାନମୋହେ ॥ ୭୩

ନିର୍ଲେପ ସାକ୍ଷୀରୂପ ହୋଇ । ଯାହାକୁ ଯେତେ ଜ୍ଞାନ ଦେଇ ॥ ୭୪

ସକଳ ଜନ୍ତୁ ଚିତ୍ତଗତେ । ଗତ ଆଗତ କର୍ମପଥେ ॥ ୭୫

ଭ୍ରମଣ ଦୁଃଖ କରେ ଦୂର । ଯେବେ ଭଜଇ ତା ପୟର ॥ ୭୬

ଶୁଣ ରାଜନ ସାବଧାନେ । ବ୍ରାହ୍ମଣ ଦ୍ୱାରକା ଭୁବନେ ॥ ୭୭

ସେ ବିପ୍ର ଦ୍ୱାରକା ବସତି । ପତ୍ନୀର ଗର୍ଭେ ତା ସନ୍ତତି ॥ ୭୮

ଗର୍ଭପ୍ରସବ କାଳେ ତାର । ଯେତେ ଉପୁଜିଲେ କୁମର ॥ ୭୯

ଗର୍ଭରେ ଦଶମାସ ଥାନ୍ତି । ଭୂମିରେ ପଡିଲେ ମରନ୍ତି ॥ ୮୦

ସେ ମୃତପିଣ୍ତ କୋଳେ ଧରି । ବିପ୍ର ବିକଳେ ଶୋକ କରି ॥ ୮୧

କୃଷ୍ଣର ଦ୍ୱାରେ ନେଇ ଥୋଇ । ବିପ୍ର ବୋଲଇ କୋପ ବହି ॥ ୮୨

ବ୍ରହ୍ମହିଂସକ ଯଦୁବଂଶ । ଶଠ ହୃଦୟ ଅବିଶ୍ୱାସ ॥ ୮୩

ନିର୍ଦ୍ଦୟ ବୁଦ୍ଧି ଦୁରାଚାର । ଦୁଃଶୀଳ ପାପିଷ୍ଠ ଆମର ॥ ୮୪

ଗର୍ବିତ ବିଷୟ ବିଳାସେ । ଏମନ୍ତ ରାଜା କର୍ମଦୋଷେ ॥ ୮୫

ଦଣ୍ତେ ନଥାଇ ଏହା ଦେଶେ । ଏମନ୍ତ ବୋଲି ମହାରୋଷେ ॥ ୮୬

ମୋ ପୁତ୍ର ଜନ୍ମକାଳେ ମଲା । ଏମନ୍ତ ବୋଲି ଶୋକ କଲା ॥ ୮୭

ପୁଣି ବୋଲଇ ଖେଦଚିତ୍ତେ । ଏ ଦୁଷ୍ଟକାଳ ବିପରୀତେ ॥ ୮୮

ହିଂସା ବେଭାର ନରରାୟ । ଦୁଃଶୀଳ ଅଜିତ ଇନ୍ଦ୍ରିୟ ॥ ୮୯

ଏମନ୍ତ ନରପତି ଦେଶେ । ଯେ ପ୍ରଜା ରହନ୍ତି ବିଶ୍ୱାସେ ॥ ୯୦

ଦୁଃଖୀ ଦରିଦ୍ର ହୋନ୍ତି ନିତ୍ୟେ । ମରନ୍ତି କାଳ ଅପ୍ରାପତେ ॥ ୯୧

ଏମନ୍ତେ ବାଳକ ପକାଇ । ବିପ୍ର କାନ୍ଦଇ ଗୃହେ ଚାହିଁ ॥ ୯୨

ଏମନ୍ତେ ପ୍ରତି ସମ୍ବତ୍ସରେ । ପୁତ୍ର ମରନ୍ତେ ବିପ୍ରଘରେ ॥ ୯୩

ପୁଣି ପକାଇ ରାଜଦ୍ୱାରେ । ବିପ୍ର କାନ୍ଦଇ ଉଚ୍ଚସ୍ୱରେ ॥ ୯୪

ନିତ୍ୟେ ନିନ୍ଦଇ କୃଷ୍ଣ ରାମ । ବିପ୍ର ସ୍ୱଭାବେ ଗରୁତମ ॥ ୯୫

ଏକ ଦ୍ୱିତୀୟ ବୋଲି ଗଣେ । ତୃତୀୟ ଚତୁର୍ଥ ପ୍ରମାଣେ ॥ ୯୬

କୃଷ୍ଣର ଦ୍ୱାରେ ପୁତ୍ର ଥୋଇ । କୋପେ ଅନେକ ଗାଳି ଦେଇ ॥ ୯୭

ଏମନ୍ତେ ନବ ପୁତ୍ର ମଲା । ଶୁଣ ହୋ ଶ୍ରୀକୃଷ୍ଣର ଲୀଳା ॥ ୯୮

ଅର୍ଜୁନ ଥିଲା ନିଜ ଦେଶେ । ଏକଥା ଶୁଣି ସେ ବିଶ୍ୱାସେ ॥ ୯୯

ମିଳିଲା ରାଜଦ୍ୱାରେ ଆସି । ଦେଖିଲା ବିପ୍ର ଅଛି ବସି ॥ ୧୦୦

ମୃତବାଳକ ଧରି କୋଳେ । କାନ୍ଦଇ ଜୀବନ ବିକଳେ ॥ ୧୦୧

ନିନ୍ଦଇ ରାମ ବନମାଳୀ । ଗର୍ଜଇ କୋପେ ଦେଇ ଗାଳି ॥ ୧୦୨

ବିଷ୍ଣୁନନ୍ଦନ ବାକ୍ୟ ଶୁଣି । କୋପେ ଚାହିଁଲା ବୀରମଣି ॥ ୧୦୩

ବ୍ରାହ୍ମଣ ବୋଲି ଭୟ ପାଇ । କର ଅଞ୍ଜଳି ଶିରେ ଦେଇ ॥ ୧୦୪

ବୋଲଇ ଶୁଣ ବିପ୍ରବର । ଏ କୋପ ଶୋକ ତୁ ସଂହର ॥ ୧୦୫

ତୋହର ରାଜ୍ୟେ ବିପ୍ରବର । ବୀର କି ନାହିଁ ଧନୁର୍ଦ୍ଧର ॥ ୧୦୬

ବ୍ରାହ୍ମଣ ପ୍ରାୟ ଯଜ୍ଞ କରି । କିବା ବୁଲନ୍ତି ପେଟ ଭରି ॥ ୧୦୭

ଧନ ତନୟ ଦାରାଯୁତେ । ଯହିଁ ବ୍ରାହ୍ମଣ ଶୋକଚିତ୍ତେ ॥ ୧୦୮

ଜନ ପରଜା ଯହିଁ ଦୁଃଖୀ । ପଣ୍ତିତ ଜନେ ନିରିମାଖି ॥ ୧୦୯

ସେ ରାଜା ରାଜକୁଳେ ହୀନ । ଧିକତ ତାହାର ଜୀବନ ॥ ୧୧୦

ଜନ ପରଜା ନ ରଖନ୍ତି । ନଟଙ୍କ ପ୍ରାୟ ସେ ଜୀଅନ୍ତି ॥ ୧୧୧

ଏବେ ହୋ ବିପ୍ରବର ଶୁଣ । ଦେଖ ମୋହର ବୀରପଣ ॥ ୧୧୨

ଧନୁ ଗାଣ୍ତୀବେ ଗୁଣ ଦେଇ । ତୋ ରିପୁ ସଂହାରିବି ମୁହିଁ ॥ ୧୧୩

ରଖିବି ତୋହର ବାଳକ । ମୋର ପ୍ରତିଜ୍ଞା ଏବେ ଦେଖ ॥ ୧୧୪

ପ୍ରସବକାଳେ ତୋର ଘରେ । ମୁଁ ଧନୁ ଧରିଥିବି କରେ ॥ ୧୧୫

ରଖିବି ତୋହର କୁମର । ସତ୍ୟବଚନ ଏ ମୋହର ॥ ୧୧୬

ଦେଖ ମୋହର ଧନୁଦୀକ୍ଷା । ଯେବେ ନ ପାରେ କରି ରକ୍ଷା ॥ ୧୧୭

ଅନଳେ ଛାଡିବି ମୁଁ ପ୍ରାଣ । ତା ଶୁଣି ବୋଲଇ ବ୍ରାହ୍ମଣ ॥ ୧୧୮

ସଙ୍କରଷଣ ଦାମୋଦର । ପ୍ରଦ୍ୟୁମ୍ନ ରୁକ୍ମିଣୀକୁମର ॥ ୧୧୯

ଶାମ୍ବକୁମର ଅନିରୁଦ୍ଧ । ଧନୁ ସଂଗ୍ରାମେ ମହାଯୋଦ୍ଧ ॥ ୧୨୦

ଏ ସର୍ବେ ମୋ ପୁତ୍ର ରକ୍ଷଣେ । କ୍ଷମ ନୋହିଲେ କେହି ଜଣେ ॥ ୧୨୧

କି ଅର୍ଥେ ରଖିବି ମୁଁ ଆଶା । ଦେଖାଇ କରୁଛୁ ଭରସା ॥ ୧୨୨

ଏଣେ ମୋହର ପ୍ରତେ ନାହିଁ । ତୋ ବୀରପଣ ମୁଁ ଜାଣଇ ॥ ୧୨୩

ଶୁଣି ଅର୍ଜୁନ କୋପଭରେ । ଶ୍ରୀ ଜଗନ୍ନାଥ ଭରସାରେ ॥ ୧୨୪

ବୋଲଇ ଧନୁ ଧରି କର । ଭୋ ବିପ୍ର ସତ୍ୟ ଏ ମୋହର ॥ ୧୨୫

ଭୋ ବିପ୍ର ଶୁଣ ମୋ ବଚନ । ମୁଁ ନୋହେ ରୋହିଣୀନନ୍ଦନ ॥ ୧୨୬

କୃଷ୍ଣ ପ୍ରଦ୍ୟୁମ୍ନ ନୋହେ ମୁହିଁ । ଅର୍ଜୁନ ନାମ ମୁଁ ବୋଲାଇ ॥ ୧୨୭

ଦେଖ ଗାଣ୍ତୀବଧନୁ ମୋର । ରଣେ ମୁଁ ତୋଷିଲି ଈଶ୍ୱର ॥ ୧୨୮

ଅକ୍ଷୟ ତୂଣ ମୋର ହସ୍ତେ । ଏକଥା ବିଦିତ ଜଗତେ ॥ ୧୨୯

ମୃତ୍ୟୁଦେବତା ରଣେ ଜିଣି । ତୋର ବାଳକ ଦେବି ଆଣି ॥ ୧୩୦

ନ ଦେଲେ ଛାଡିବି ଜୀବନ । ଶୁଣି ସାନନ୍ଦ ବିପ୍ରମନ ॥ ୧୩୧

ମୃତବାଳକ ରାଜଦ୍ୱାରେ । ଥୋଇ ଚଳିଲା ନିଜ ପୁରେ ॥ ୧୩୨

ଶୋକ ହରଷ ଖେଦଛନ୍ନେ । ଅର୍ଜୁନ ତେଜ ଗୁଣ ମନେ ॥ ୧୩୩

ଏମନ୍ତେ ସମ୍ବତ୍ସର ପରେ । ବିପ୍ର କାମିନୀ ନିଜ ଘରେ ॥ ୧୩୪

ଗର୍ଭ ହୋଇଲା ଦଶମାସ । ଦେଖି ବ୍ରାହ୍ମଣ ମନେ ତ୍ରାସ ॥ ୧୩୫

ବିକଳେ ଅର୍ଜୁନ ସୁମରି । ଉଚ୍ଚେ ଡାକଇ ନାମ ଧରି ॥ ୧୩୬

ହେ ବୀରମଣି ରକ୍ଷାକର । ମରଣ ମୁଖୁଁ ମୋ କୁମର ॥ ୧୩୭

ଶୁଣି ଅର୍ଜୁନ ବେଗେ ଧାଇଁ । ମିଳିଲା ବିପ୍ରଦ୍ୱାରେ ଯାଇ ॥ ୧୩୮

କର ଚରଣ ମୁଖ ଧୋଇ । ତକ୍ଷଣେ ଶୁଚିମନ୍ତ ହୋଇ ॥ ୧୩୯

ହର ଗଉରୀ ପାଦ ଚିନ୍ତି । ନମଇଁ ପୁଣପୁଣ କ୍ଷିତି ॥ ୧୪୦

ଗାଣ୍ତୀବେ ଗୁଣ ଦେଇ କରେ । ମନ୍ତ୍ର ସୁମରି ବିପ୍ରଘରେ ॥ ୧୪୧

ରୁନ୍ଧିଲା ନାନାଶସ୍ତ୍ର ଯୋଗେ । ବିପ୍ରଭୁବନ ଦଶଦିଗେ ॥ ୧୪୨

ପଞ୍ଜୁରୀ ମଧ୍ୟେ ଯେହ୍ନେ ପକ୍ଷୀ । ବିପ୍ରଭୁବନ ତେହ୍ନେ ଲକ୍ଷ୍ୟ ॥ ୧୪୩

ଏମନ୍ତେ ଜନ୍ମିଲା ନନ୍ଦନ । ଅର୍ଜୁନ ଶୁଣିଲା ରୋଦନ ॥ ୧୪୪

ଭୂମି ସ୍ପରଶେ ଶୂନ୍ୟେ ଗଲା । ବାଳକ କେହି ନ ଦେଖିଲା ॥ ୧୪୫

ତକ୍ଷଣେ ବିପ୍ର କୋପଭରେ । ମିଳିଲା ଅର୍ଜୁନ ଛାମୁରେ ॥ ୧୪୬

ବୋଲଇ ପୁରୁଷ ବଚନ । ଧିକ ଅର୍ଜୁନ ତୋ ଜୀବନ ॥ ୧୪୭

ତୋହର ନପୁଂସକ ବାଣୀ । ମୁହିଁ ପାପିଷ୍ଠ ତାହା ଶୁଣି ॥ ୧୪୮

ନ ଜାଣି ହୋଇଲି ହରଷ । ଏବେ ମୁଁ ନିଶ୍ଚୟେ ନିରାଶ ॥ ୧୪୯

ମୃତବାଳକ ଧରି କୋଳେ । ଦଣ୍ତେ ଦେଖଇ ବେନିଡୋଳେ ॥ ୧୫୦

ଏବେ ମୋ ପୁତ୍ରକ୍ଷ ଗଲା କେଣେ । ଧନ୍ୟ ଅର୍ଜୁନ ବୀରପଣେ ॥ ୧୫୧

ରୁକ୍ମିଣୀପୁତ୍ର ମହାଯୋଦ୍ଧ । ତାହାର ପୁତ୍ର ଅନିରୁଦ୍ଧ ॥ ୧୫୨

ସଙ୍କରଷଣ ଜଗନ୍ନାଥ । ଏ ଯହିଁ ନୋହିଲେ ସମର୍ଥ ॥ ୧୫୩

କାହାର ବଳ ରକ୍ଷା କରି । ମର୍ତ୍ତେ ମାନବ ଦେହ ଧରି ॥ ୧୫୪

ଧିକ ତୋହର ମିଥ୍ୟା ବାଣୀ । ପ୍ରତିଜ୍ଞା କଲୁ ତୁ ନ ଜାଣି ॥ ୧୫୫

ଧିକ ଗାଣ୍ତିବଧନୁ ତୋର । ବିବିଧ ଶସ୍ତ୍ର ଉପହାର ॥ ୧୫୬

ଦଇବେ ହତକର୍ମ ତୋର । କୁମତି ପାପିଷ୍ଠ ପାମର ॥ ୧୫୭

ମୁଖେ ଯେ କହୁ ଗର୍ବରାଣୀ । ଆପଣାବଳ ତୁ ନ ଜାଣି ॥ ୧୫୮

ଏମନ୍ତ ବିପ୍ର କୋପବାଣୀ । ଅର୍ଜୁନ ସାବଧାନେ ଶୁଣି ॥ ୧୫୯

ବିବିଧ ମତେ ବିଧି କରି । ଗାଣ୍ତବୀ ଧନୁ କରେ ଧରି ॥ ୧୬୦

ମିଳିଲା ଯମର ଭୁବନେ । ରବିକୁମାର ସନ୍ନିଧାନେ ॥ ୧୬୧

ତାହାର ପୁରେ ବିପ୍ରସୁତ । ଅର୍ଜୁନ ଖୋଜିଲା ବହୁତ ॥ ୧୬୨

ନ ପାଇ ମନ ଦୁଃଖ କରି । ପୁଣି ମିଳିଲା ଇନ୍ଦ୍ରପୁରୀ ॥ ୧୬୩

ତହିଁ ନ ପାଇ ବିପ୍ରସୁତ । ଅଗ୍ନିଭୁବନେ ଉପଗତ ॥ ୧୬୪

ନ ପାଇ ନଈରତ ଦେଶେ । କୋପେ ମିଳିଲା ସୋମ ପାଶେ ॥ ୧୬୫

ତହିଁ ନ ପାଇ ବିପ୍ରବାଳା । ବରୁଣ ନଗରେ ମିଳିଲା ॥ ୧୬୬

ତହିଁ ନ ପାଇ ବେଗେ ଯାଇ । କୁବେର ଭୁବନେ ଖୋଜଇ ॥ ୧୬୭

ନ ଦେଖି ବିପ୍ରବର ସୁତ । ବିସ୍ମୟେ ଭାଳି ବୀର ପାର୍ଥ ॥ ୧୬୮

ତକ୍ଷଣେ ନିଜ ବିଦ୍ୟାବଳେ । ଖୋଜିଲା ସପତ ପାତାଳେ ॥ ୧୬୯

ନ ପାଇ ନାଗଲୋକ ତଳେ । ପୁଣି ଉଠିଲା ଅନ୍ତରାଳେ ॥ ୧୭୦

ଉର୍ଦ୍ଧ୍ୱେ ସପଟଲୋକେ ଗଲା । ବିପ୍ରବାଳକ ନ ଦେଖିଲା ॥ ୧୭୧

ଧନୁ ଖଡଗ ଧରି କରେ । ପୁଣି ମିଳିଲା ବିପ୍ରଦ୍ୱାରେ ॥ ୧୭୨

ପ୍ରତିଜ୍ଞା ଭଙ୍ଗେ ବୀରମଣି । ଅଗ୍ନି ଜାଳିଲା ବେଗେ ଆଣି ॥ ୧୭୩

ଅନଳ ଜଳଇ ପ୍ରଚଣ୍ତେ । ଲୋକଗହଳ ରାଜଦାଣ୍ତେ ॥ ୧୭୪

ଗୋବିନ୍ଦ ଶୁଣି ନିଜ ପୁରେ । ମିଳିଲେ ଅର୍ଜୁନ ଛାମୁରେ ॥ ୧୭୫

ସୁହୃଦ ଭାବେ ନରହରି । ବୋଲନ୍ତି ବେନିକର ଧରି ॥ ୧୭୬

ଦେଖ ଏ ମନୁଷ୍ୟ ଶରୀର । ଦେବ ଦୁର୍ଲ୍ଲଭ ସୁଖସାର ॥ ୧୭୭

ଯେ ଦେହେ ଚଉବର୍ଗ ସାଧି । ଏ ତ ନୁହଇ ଅପରାଧୀ ॥ ୧୭୮

ଏ ଦେହ ନାଶିବୁ କେମନ୍ତେ । ସତ୍ୟବଚନ ଭଙ୍ଗ ଅର୍ଥେ ॥ ୧୭୯

ମୁଁ ତୋତେ ଦେଖାଇବି ନେଇ । ବିପ୍ର ବାଳକ ଦଶଭାଇ ॥ ୧୮୦

ଆତ୍ମାକୁ ଆପଣେ ନ ମାର । ଶୁଣ ପାଣ୍ତବ ବୀରବର ॥ ୧୮୧

ତୋର ମହିମା ଏ ଜଗତେ । ମୁହିଁ ସ୍ଥାପିବି ଦୃଢମତେ ॥ ୧୮୨

ଯାବତ ଥିବ ଏ ମେଦିନୀ । ତୋର ନିର୍ମଳ ଯଶ ଘେନି ॥ ୧୮୩

ଏମନ୍ତ ଅର୍ଜୁନକୁ କହି । ଦାରୁକ କୃଷ୍ଣ ଆଜ୍ଞା ପାଇ ॥ ୧୮୪

ଉତ୍ତମ ଅଶ୍ୱେ ସାଜି ରଥ । ଦାରୁକ ଭତ୍ତା ଯୋଡି ହସ୍ତ ॥ ୧୮୫

ତକ୍ଷଣେ ପ୍ରଭୁ ଚକ୍ରଧର । ଧରି ଅର୍ଜୁନ ବାମକର ॥ ୧୮୬

ରଥେ ବିଜୟ ନରହରି । ଆନନ୍ଦେ ଶଙ୍ଖନାଦ କରି ॥ ୧୮୭

ପଶ୍ଚିମଦିଗେ ରଥ ବାହି । ଚଳନ୍ତେ ନ ଦେଖିଲେ କେହି ॥ ୧୮୮

ସପତସିନ୍ଧୁ ସପ୍ତଦୀପ । ବେଗେ ଲଂଘିଲେ ବିଶ୍ୱରୂପ ॥ ୧୮୯

ଗିରି କାନନ ଭୂମି ଜିଣି । ଅର୍ଜୁନ ସଙ୍ଗେ ଚକ୍ରପାଣି ॥ ୧୯୦

ଜିଣିଲେ ଲୋକାଲୋକ ଦେଶ । ଘୋର ଅନ୍ଧକାରେ ପ୍ରବେଶ ॥ ୧୯୧

ରଥେ ଯୋଚିଲା ଅଶ୍ୱ ଚାରି । ଅନ୍ଧାରେ ପଥ ନ ବିଚାରି ॥ ୧୯୨

ଦିଗ ନ ଜାଣି ଭ୍ରମଗତି । ତା ଦେଖି କମଳାର ପତି ॥ ୧୯୩

ଚକ୍ର ଯେ ଥିଲା କୃଷ୍ଣଭୁଜେ । ସହସ୍ର ଆଦିତ୍ୟର ତେଜେ ॥ ୧୯୪

ଅଗ୍ରେ ପେଷିଲେ ଚକ୍ରଧର । ଖଣ୍ତିଲା ଘୋର ଅନ୍ଧକାର ॥ ୧୯୫

ରାମ କୋଦଣ୍ତବାଣ ଯେହ୍ନେ । ତେଜ ବିରାଜେ ରିପୁ ସୈନ୍ୟ ॥ ୧୯୬

ଚକ୍ରର ପଥ ତମ ଗଞ୍ଜେ । ନିଜ ପରମ ଜ୍ୟୋତି ତେଜେ ॥ ୧୯୭

ତମ ନାଶିଲେ କୃଷ୍ଣ ପଥେ । ଦେଖି ଅର୍ଜୁନ ଭୟଚିତ୍ତେ ॥ ୧୯୮

ହସ୍ତେ ବୁଜିଲା ବେନି ଆଖି । ପଥେ ଅଦ୍ଭୂତ କର୍ମ ଦେଖି ॥ ୧୯୯

ଏମନ୍ତେ ଗଲେ ତମ ଜିଣି । ରଥେ ଅର୍ଜୁନ ଚକ୍ରପାଣି ॥ ୨୦୦

ଦିଶିଲା ଜଳପୂର୍ଣ୍ଣ ଦେଶ । ତକ୍ଷଣେ ସମୁଦ୍ରେ ପ୍ରବେଶ ॥ ୨୦୧

ପବନ ଯୋଗେ ଉର୍ମିଗଣ । ଦିଶନ୍ତି ସ୍ୱରୂପେ ଭୀଷଣ ॥ ୨୦୨

ସେ ଜଳମଧ୍ୟେ ଯାଇ ପଶି । ଦେଖିଲେ ଦିବ୍ୟ ତେଜରାଶି ॥ ୨୦୩

ଦିବ୍ୟଭୁବନ ବିରାଜଇ । କିବା ଉପମା ଦେବି ମୁହିଁ ॥ ୨୦୪

ସହସ୍ର ମଣିସ୍ତମ୍ଭ ସାଜେ । ସୁନ୍ଦର ଅଧିକେ ବିରାଜେ ॥ ୨୦୫

ମଧ୍ୟେ ସୁବର୍ଣ୍ଣ ସିଂହାସନ । ଦେଖି ନିଶ୍ଚଳ କଲେ ମନ ॥ ୨୦୬

ଅନନ୍ତ ମହାଯୋଗେଶ୍ୱର । ଅଦ୍ଭୂତ ରୂପ ଭୟଙ୍କର ॥ ୨୦୭

ଫଣାସହସ୍ରେ ମଣି ସାଜେ । ଅମୂଲ୍ୟ ରତନ ବିରାଜେ ॥ ୨୦୮

ଦ୍ୱିଗୁଣେ ବିରାଜଇ ଜ୍ୟୋତି । ଉତ୍କଟ ଲୋଚନେ ଦିଶନ୍ତି ॥ ୨୦୯

ବେନି ସହସ୍ର ଜିହ୍ୱା ଶୋହେ । ସୁନ୍ଦର ଶିବଗିରି ପ୍ରାୟେ ॥ ୨୧୦

ତାର ଉପରେ ଦିବ୍ୟରୂପେ । ସୁଖ ଆସନେ ମହାସର୍ପେ ॥ ୨୧୧

ମହାନୁଭବ ଅନୁପମ । ସୁନ୍ଦର ପୁରୁଷଉତ୍ତମ ॥ ୨୧୨

ନୀଳଜୀମୂତ ଦେହକାନ୍ତି । ପୀତବସନ ବିରାଜନ୍ତି ॥ ୨୧୩

ପ୍ରସନ୍ନ ବଦନ ସୁନ୍ଦର । ବେନିଲୋଚନ ଶୋଭାକର ॥ ୨୧୪

କିରୀଟ ରବିକୋଟି ଗଞ୍ଜେ । ଅମୂଲ୍ୟ ମଣିଗଣ ପୁଞ୍ଜେ ॥ ୨୧୫

କପୋଳେ କୁଟିଳ କୁନ୍ତଳ । ଶ୍ରବଣେ ମକରକୁଣ୍ତଳ ॥ ୨୧୬

ଆଜାନୁଲମ୍ବେ ଚାରି ଭୂଜ । କଣ୍ଠେ କୌସ୍ତୁଭମଣି ତେଜ ॥ ୨୧୭

ଶ୍ରୀବତ୍ସ ଚିହ୍ନ ହୃଦେ ଶୋହେ । ବନମାଳାଏ ଜନ ମୋହେ ॥ ୨୧୮

ନନ୍ଦସୁନନ୍ଦ ଆଦି ଦେବା । କରନ୍ତି ପଦ୍ମପାଦେ ସେବା ॥ ୨୧୯

ଶଙ୍ଖ କମଳ ଚକ୍ର ଗଦା । ଯେ ଶୋହେ ଚତୁର୍ଭୂଜେ ସଦା ॥ ୨୨୦

ନିଜ ମୂରତି ଧରି ପାଶେ । ଖଟନ୍ତି ଭକତି ବିଶ୍ୱାସେ ॥ ୨୨୧

କମଳା ଆଦି ଅଷ୍ଟଦେବୀ । ବାମ ଦକ୍ଷିଣେ ଛନ୍ତି ସେବି ॥ ୨୨୨

ବ୍ରହ୍ମା ଶଙ୍କର ଆଦି ଯେତେ । ଅଷ୍ଟଲୋକପାଳ ସହିତେ ॥ ୨୨୩

ବ୍ରହ୍ମାଦି ଦେବଙ୍କର ଗତି । ଦେଖି ସମ୍ଭ୍ରମେ ଯଦୁପତି ॥ ୨୨୪

ପରମଆତ୍ମା ପାଦଯୁଗେ । କୃଷ୍ଣ ବନ୍ଦିଲେ ଅନୁରାଗେ ॥ ୨୨୫

କୃଷ୍ଣଙ୍କୁ ଦେଖି ବିଷ୍ଣୁ ତୋଷେ । ବୋଲନ୍ତି ପରମ ହରଷେ ॥ ୨୨୬

ତୁମ୍ଭେ ଯେ ନରନାରାୟଣ । ସଂସାର ପରମକାରଣ ॥ ୨୨୭

ଭାରା ନିବାରେ ଦେବବାଣୀ । କ୍ଷୀର ଜଳଧିତଟେ ଶୁଣି ॥ ୨୨୮

ଆତ୍ମାରୁ ତୁମ୍ଭଙ୍କୁ ଭିଆଇ । ମର୍ତ୍ତେ ମନୁଷ୍ୟ ଦେହ ଦେଇ ॥ ୨୨୯

ତୁମ୍ଭଙ୍କୁ କଲି ଅବତାର । ଖଣ୍ତିଲ ଅବନୀର ଭାର ॥ ୨୩୦

ସଂସାର ଇନ୍ଦ୍ରିୟ ଲାଳସେ । ଏବେ ହେଁ ନ ମିଳିଲ ପାଶେ ॥ ୨୩୧

ଏଣୁ ମୁଁ ଚିତ୍ତେ କୋପକରି । ଆଣିଲି ବିପ୍ରସୁତ ହରି ॥ ୨୩୨

ଦେଖିବା ପାଇଁ ରୂପ ତୁମ୍ଭ । ହସି କହନ୍ତି ପଦ୍ମନାଭ ॥ ୨୩୩

ଏବେ ହୋ ବିଳମ୍ବ ନକର । ଏମନ୍ତ ଏହି ଚକ୍ରଧର ॥ ୨୩୪

ବିଷ୍ଣୁର ପଛେ ବିପ୍ରସୁତେ । ଥିଲେ ଯେ ଅଭୟ ନିଶ୍ଚିନ୍ତେ ॥ ୨୩୫

କୃଷ୍ଣ ଅର୍ଜୁନ ପାଶେ ଯାଇ । ମିଳିଲେ ବିପ୍ର ଦଶ ଭାଇ ॥ ୨୩୬

ଦେଖି ସାନନ୍ଦ ଚକ୍ରପାଣି । ଅର୍ଜୁନ ତୁଲେ ତାଙ୍କୁ ଆଣି ॥ ୨୩୭

ରଥେ ବସାଇ ଦାମୋଦର । ସେଠାରୁ ହୋଇଲେ ବାହାର ॥ ୨୩୮

ବିଷ୍ଣୁଙ୍କୁ କରି ନମସ୍କାର । ଆସି ମିଳିଲେ ନିଜ ପୁର ॥ ୨୩୯

ବ୍ରାହ୍ମଣ ଦ୍ୱାରେ ପୁତ୍ର ଦେଇ । ପାଦେ ନମିଲେ ଭାବଗ୍ରାହୀ ॥ ୨୪୦

ବୋଲନ୍ତି ନିଅ ତୋର ସୁତ । ତୁ ମୋତେ ନିନ୍ଦିଲୁ ବହୁତ ॥ ୨୪୧

ଦଶ ବାଳକ ନିଅ ଗଣି । ସମ୍ଭାଳ ବୋଲେ ଚକ୍ରପାଣି ॥ ୨୪୨

ଅର୍ଜୁନ କର କରେ ଧରି । ମିଳିଲେ ନିଜ ପୁରେ ହରି ॥ ୨୪୩

କୃଷ୍ଣ ଅଦ୍ଭୂତ କର୍ମ ଦେଖି । ଅର୍ଜୁନ ମନେ ଉପଲିକ୍ଷ୍ୟ ॥ ୨୪୪

ବିଷ୍ଣୁ ପରମଧାମ ଚିନ୍ତି । ନର ସ୍ୱଭାବେ କଲା ଭୀତି ॥ ୨୪୫

ଚତୁରବର୍ଗ ଦାତା ହରି । କପଟେ ନରରୂପ ଧରି ॥ ୨୪୬

ପ୍ରାଣୀଙ୍କୁ କରେ ଅନୁକମ୍ପା । ଏତେ ବିଚାରି କଲା ଶଙ୍କା ॥ ୨୪୭

କହନ୍ତି ଶୁକ ମୁନିବର । ଶୁଣ ପରୀକ୍ଷ ଦଣ୍ତଧର ॥ ୨୪୮

ଏ ଆଦି ଯେତେ କର୍ମ ହରି । କଲେ ମନୁଷ୍ୟ ଦେହ ଧରି ॥ ୨୪୯

ନାନା ବିଷୟ ଭୋଗ ଭୁଞ୍ଜି । ଦେବମାନବ ମନ ରଞ୍ଜି ॥ ୨୫୦

କ୍ଷତ୍ରିୟ ଧର୍ମର ଉଚିତେ । ବ୍ରାହ୍ମଣ ବାକ୍ୟେ ବେଦମତେ ॥ ୨୫୧

ଅନେକ କଲେ ଯଜ୍ଞଦାନ । ଯେ ବେଦ ଆଗମ ବିଧାନ ॥ ୨୫୨

ଯଜ୍ଞ ଭୋଜନେ ତୋଷ ହୋଇ । ଯେମନ୍ତେ ଇନ୍ଦ୍ର ବରଷଇ ॥ ୨୫୩

ଅଶେଷ ସୁଖ ସେହିମତେ । କୃଷ୍ଣ ବରଷିଲେ ଜଗତେ ॥ ୨୫୪

ବ୍ରାହ୍ମଣ ଆଦି ପ୍ରଜା ଯେତେ । ସର୍ବ ସମ୍ପଦ ନାନାମତେ ॥ ୨୫୫

ଯାଦବବଂଶେ ହୋଇ ଜାତ । ସଙ୍ଗତେ ଘେନି ପଣ୍ତୁସୁତ ॥ ୨୫୬

ନିମିତ୍ତ ମାତ୍ର ତାଙ୍କୁ କରି । ଭାରା ନାଶିଲେ ନରହରି ॥ ୨୫୭

ଅଧର୍ମ ନାଶି ଧର୍ମ ପାଳି । ଜଗତନାଥ ବନମାଳୀ ॥ ୨୫୮

ସେ କୃଷ୍ଣ ଚରଣ କମଳେ । ସୁଜନେ ଚିନ୍ତ ଧ୍ୟାନବଳେ ॥ ୨୫୯

ମାୟା ସଂସାରେ ନୁହଁ ରତ । ଛାଡି ଅମୃତ ଭାଗବତ ॥ ୨୬୦

ଏ ସୁଖନାବ ହେଲେ ଛାଡି । ନ ମର ଭବଜଳେ ବୁଡି ॥ ୨୬୧

କୃଷ୍ଣଚରଣେ କରି ଆଶ । କହଇ ଜଗନ୍ନାଥ ଦାସ ॥ ୨୬୨

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ଦ୍ୱିଜକୁମାର

ଆନୟନଂ ନାମ ପଞ୍ଚନବତିତମ ଅଧ୍ୟାୟଃ ॥

* * *