ଦଶମ ସ୍କନ୍ଧ
ପଞ୍ଚନବତିତମ ଅଧ୍ୟାୟ
ଶୁକ ଉବାଚ
ଶୁଣ ରାଜନ ପରୀକ୍ଷିତ । କୃଷ୍ଣ ମହିମା ଭାଗବତ ॥ ୧
ପୂର୍ବେ ଯେ ସରସ୍ୱତୀ ତୀରେ । ମିଳି ସକଳ ମୁନିବରେ ॥ ୨
ଯଜ୍ଞ କରିବା ଅନୁମତେ । ବିଚାର କଲେ ସର୍ବଶାସ୍ତ୍ରେ ॥ ୩
ଜଗତେ ଦେବଦେବ ତିନି । ବିଷ୍ଣୁ ଶଙ୍କର ପଦ୍ମଯୋନି ॥ ୪
ଏ ତିନି ମଧ୍ୟେ ଯେ ପ୍ରଧାନ । ସେ ଆମ୍ଭର ଯଜ୍ଞରେ ବରଣ ॥ ୫
ଏମନ୍ତେ କରି ସନମତ । ଭୃଗୁ ନାମେଣ ବ୍ରହ୍ମାସୁତ ॥ ୬
ଏ ତିନି ଦେବତା କଳନେ । ତାହାଙ୍କୁ ପେଶି ଦୂତପଣେ ॥ ୭
ବୋଇଲେ ବଚନ ବିଶ୍ୱାସ । ତିନି ଦେବଙ୍କୁ ବରି ଆସି ॥ ୮
ଋଷିଙ୍କ ଆଜ୍ଞା ଘେନି ବେଗେ । ଭୃଗୁ ଚଳିଲେ ଶୂନ୍ୟମାର୍ଗେ ॥ ୯
ବ୍ରହ୍ମାର ସଭା ମଧ୍ୟେ ଯାଇ । ଭୃଗୁ ମିଳିଲେ ଛଳ ବହି ॥ ୧୦
ବ୍ରହ୍ମାଙ୍କୁ ଛଳିବାର ଆଶେ । ଅବଜ୍ଞା କରି ବସି ପାଶେ ॥ ୧୧
ବ୍ରହ୍ମାଙ୍କୁ ପ୍ରଣାମ ନକଲେ । ସ୍ତୁତି ବଚନ ନ ବୋଇଲେ ॥ ୧୨
ତା ଦେଖି ବ୍ରହ୍ମା ମହାକୋପି । ଗାଢେ ଦଶନେ ଓଷ୍ଠ ଚାପି ॥ ୧୩
ବୋଲନ୍ତି ଜ୍ୟେଷ୍ଠପୁତ୍ର ଏହି । ଏ ମୋତେ ଅବଜ୍ଞା ସେ ବହି ॥ ୧୪
ପୁଣି ବିଚାରି ଦିବ୍ୟଜ୍ଞାନେ । ପୁତ୍ରଙ୍କୁ ନାଶିବା କେସନେ ॥ ୧୫
ଏହାକୁ କଲେ ଆଜ ନାଶ । ମୋତେ ହୋଇବ ଅପଯଶ ॥ ୧୬
ଏତେ ବିଚାରି ଦୁଷ୍ଟମନ । ତକ୍ଷଣେ ବ୍ରହ୍ମା କଲେ ଶମ ॥ ୧୭
ଅନଳ ଯେହ୍ନେ ଜଳ ପାଇ । ଲିଭଇ କୁଣ୍ତ ମଧ୍ୟେ ଥାଇ ॥ ୧୮
ଭୃଗୁକୁ ପୁତ୍ରଭାବ ଘେନି । ଶାନ୍ତ ହୋଇଲେ କୁଶପାଣି ॥ ୧୯
ତାହା ଜାଣିଲେ ବ୍ରହ୍ମାସୁତ । କପୋଳେ ଦେଇ ଘେନି ହସ୍ତ ॥ ୨୦
ପ୍ରଣମି ବ୍ରହ୍ମାଙ୍କ ଚରଣେ । ଭୃଗୁ ଚଳିଲେ ତତକ୍ଷଣେ ॥ ୨୧
ପଥେ ଚଳନ୍ତେ ମନତୋଷେ । ମିଳିଲେ କଇଳାସ ଦେଶେ ॥ ୨୨
ରୁଦ୍ର ଉଠିଲେ ଭୃଗୁ ଚାହିଁ । ବୋଲନ୍ତି ଏ ମୋ ଜ୍ୟେଷ୍ଠଭାଇ ॥ ୨୩
ଧାଇଁଲେ ଆଲିଙ୍ଗନ ଆଶେ । ଭୃଗୁ ଚଳିଲେ ବାମ ପାଶେ ॥ ୨୪
ତା ଦେଖି ରୁଦ୍ର କୋପଭରେ । ବେଗେ ତ୍ରିଶୁଳ ଧରି କରେ ॥ ୨୫
ଧାଇଁଲେ ଅରୁଣଲୋଚନେ । ଦହିବା ପ୍ରାୟ ତ୍ରିଭୁବନେ ॥ ୨୬
ତା ଦେଖି ଭୃଗୁ କରଯୋଡି । ବେଗେ ଶଙ୍କର ପାଦେ ପଡି ॥ ୨୭
ଅନେକ ସ୍ତୁତିବାକ୍ୟ ଭଣି । ଶାନ୍ତ କରାଇ ଶୂଳପାଣି ॥ ୨୮
ଅନେକ ମତେ ଭାବ କଲେ । ତକ୍ଷଣେ ବଇକୁଣ୍ଠ ଗଲେ ॥ ୨୯
ଦ୍ୱାରେ ପଶନ୍ତେ ବ୍ରହ୍ମାସୂତ । ଶୁଣିଲେ ବିଷ୍ଣୁ ନିଦ୍ରାଗତ ॥ ୩୦
ମୁହୂର୍ତ୍ତେ ରହି ଅବକାଶେ । ତକ୍ଷଣେ ଭୃଗୁ ମହାରୋଷେ ॥ ୩୧
ବିଷ୍ଣୁ ଶୟନସ୍ଥାନେ ମିଳି । ନିଦ୍ରା ଅଚେତ ବନମାଳୀ ॥ ୩୨
ଉତ୍ତାନ ଶୟନେ ଆନନ୍ଦେ । ତା ଦେଖି ଭୃଗୁ ମହା କ୍ରୋଧେ ॥ ୩୩
ବ୍ରାହ୍ମଣପଣେ ଗର୍ବ ବହି । ପାଦେ ମାଇଲେ ହୃଦେ ନେଇ ॥ ୩୪
କୋପେ ଗର୍ଜନ୍ତି ଗରୁତର । ଶୁଣି ଉଠିଲେ ଚକ୍ରଧର ॥ ୩୫
ଲକ୍ଷ୍ମୀର କରେ ଧରି ମୁଷ୍ଟି । ପଲ୍ୟଙ୍କୁ କୃଷ୍ଣ ବେଗେ ଉଠି ॥ ୩୬
ବିପ୍ରଚରଣେ ତଳେ ପଡି । ବୋଲନ୍ତି ବେନିକର ଯୋଡି ॥ ୩୭
ଭୋ ବିପ୍ର ତୋର ଆଗମନ । ଆଜ ଶରୀର ମୋର ଧନ୍ୟ ॥ ୩୮
ଭୋ ବିପ୍ର ବସ ଏ ଆସନେ । ଅପ୍ରାଧ କଲି ମୁଁ ଅଜ୍ଞାନେ ॥ ୩୯
ଏ ଅପରାଧ କ୍ଷମା କର । କୋମଳ ଚରଣ ତୁମ୍ଭର ॥ ୪୦
କଠୋର ହୃଦୟେ ବାଜିଲା । ମୋ ମନେ କଷ୍ଟ ଉପୁଜିଲା ॥ ୪୧
ନପୁଣ ବଥାଇ ଚରଣ । ଏମନ୍ତ ବୋଲି ନାରାୟଣ ॥ ୪୨
ବିପ୍ରଚରଣ ଜଳେ ଧୋଇ । ପାଦଉଦକ ଶିରେ ଲଇଁ ॥ ୪୩
ଆଜ ଶରୀର ମୋର ଧନ୍ୟ । ପବିତ୍ର ହୋଇଲା ଜୀବନ ॥ ୪୪
ଏ ବିଶ୍ୱ ସଂସାର ସମେତ । ଲୋକପାଳକ ଛନ୍ତି ଯେତେ ॥ ୪୫
ଆଜ ପବିତ୍ର ଏ ସକଳେ । ତୋ ପାଦରଜ ତୀର୍ଥଜଳେ ॥ ୪୬
ଭୋ ବିପ୍ରବର ମୋର ହୃଦେ । କମଳା ବସଇ ଆନନ୍ଦେ ॥ ୪୭
ଆଜ ପବିତ୍ର ମୋର ଘର । ଧନ୍ୟ ଏ ଜୀବନ ମୋହର ॥ ୪୮
ଅତି ଆଦରେ ନାରାୟଣ । ପୂଜିଲେ ଭୃଗୁର ଚରଣ ॥ ୪୯
ମଧୁର ବାକ୍ୟେ ଲକ୍ଷ୍ମୀପତି । ବ୍ରାହ୍ମଣ ମନ କଲେ ଶାନ୍ତି ॥ ୫୦
ବିଷ୍ଣୁ ମହିମା ଗୁଣ ଦେଖି । ଭୃଗୁ ବୁଜିଲେ ବେନି ଆଖି ॥ ୫୧
କଣ୍ଠକୁଣ୍ଠିତ ମନ୍ଦସ୍ୱର । ରୋମପୁଲକ କଳେବର ॥ ୫୨
ବିଷ୍ଣୁର ଭାବ ହୃଦେ ବହି । ଭୃଗୁ ଚଳିଲେ ତୋଷ ହୋଇ ॥ ୫୩
ଏମନ୍ତେ ବିଷ୍ଣୁଭାବ ଭୋଳେ । ମିଳିଲେ ସରସ୍ୱତୀ କୂଳେ ॥ ୫୪
ବ୍ରହ୍ମଋଷିଙ୍କ ମଧ୍ୟେ ଯାଇ । ବୋଲନ୍ତି ଶିରେ କର ଦେଇ ॥ ୫୫
ବ୍ରାହ୍ମଣ କହେ ସର୍ବକଥା । ଯାହାର ଯେମନ୍ତ ବ୍ୟବସ୍ଥା ॥ ୫୬
ଭୃଗୁବଚନ ବିପ୍ରେ ଶୁଣି । ବିଷ୍ଣୁ ମହିମା ପରିମାଣି ॥ ୫୭
ଯେ ହରି ଜଗତଠାକୁର । ମିତ୍ର ଅଇରି ନାହିଁ ଯାର ॥ ୫୮
ତାର ସ୍ମରଣେ ମନ ଶାନ୍ତି । ନ ଲାଗେ ଭବବନ୍ଧ ଭ୍ରାନ୍ତି ॥ ୫୯
ଯାର ଚିନ୍ତନେ ଧର୍ମଜ୍ଞାନ । ଶୁଚି ନିଷ୍କାମେ ଯୋଗ କ୍ଷେମ ॥ ୬୦
ନିର୍ମଳ ଯଶ ବିକାଶଇ । ଯାର ସ୍ମରଣେ ପାପ ନାହିଁ ॥ ୬୧
ମୁନି ସନ୍ନ୍ୟାସୀ ଶାନ୍ତନର । ସମଦରଶୀ ଚିତ୍ତ ଯାର ॥ ୬୨
ଯେ ଅବା ଅକିଞ୍ଚନ ଜନ । ତାହାଙ୍କ ଗତି ଭଗବାନ ॥ ୬୩
ଯା ପ୍ରିୟରୂପ ସତ୍ତ୍ୱଗୁଣ । ଯା ଇଷ୍ଟ ଦେବତା ବ୍ରାହ୍ମଣ ॥ ୬୪
ତାହାକୁ ଯଜ୍ଞେ ପୂଜା କରି । ସକଳ ଦୁଃଖ ଅପହରି ॥ ୬୫
ତ୍ରିଗୁଣେ ତିନି ରୂପ ତାର । ରାକ୍ଷସ ଅସୁର ଯେ ସୁର ॥ ୬୬
ଯେ ରୂପ ସତ୍ତ୍ୱଗୁଣମୟ । ତହୁଁ ମିଳିଲା ସର୍ବଶ୍ରେୟ ॥ ୬୭
ନିର୍ମଳ ଚିତ୍ତେ ମୁନିଗଣେ । କାନନେ ନିଶ୍ଚଳେ ଆସନେ ॥ ୬୮
ଗୋବିନ୍ଦପାଦେ ଧ୍ୟାନ କରି । ହେଳେ ତରିଲେ ଭବବାରି ॥ ୬୯
ବୋଲଇ ବିପ୍ର ଜଗନ୍ନାଥ । କୃଷ୍ଣ ମହିମା ବ୍ୟାସସୁତ ॥ ୭୦
ଯାହା କହିଲେ ରାଜା ଆଗେ । ସୁଜନେ ଚିନ୍ତ ସେହି ମାର୍ଗେ ॥ ୭୧
ପୁରାଣ ଭାଗବତ ବାଣୀ । କେ କହିପାରେ ପରିମାଣି ॥ ୭୨
କୃଷ୍ଣ ସକଳ ପ୍ରାଣୀ ଦେହେ । ଦୃଶ୍ୟଅଦୃଶ୍ୟେ ଜ୍ଞାନମୋହେ ॥ ୭୩
ନିର୍ଲେପ ସାକ୍ଷୀରୂପ ହୋଇ । ଯାହାକୁ ଯେତେ ଜ୍ଞାନ ଦେଇ ॥ ୭୪
ସକଳ ଜନ୍ତୁ ଚିତ୍ତଗତେ । ଗତ ଆଗତ କର୍ମପଥେ ॥ ୭୫
ଭ୍ରମଣ ଦୁଃଖ କରେ ଦୂର । ଯେବେ ଭଜଇ ତା ପୟର ॥ ୭୬
ଶୁଣ ରାଜନ ସାବଧାନେ । ବ୍ରାହ୍ମଣ ଦ୍ୱାରକା ଭୁବନେ ॥ ୭୭
ସେ ବିପ୍ର ଦ୍ୱାରକା ବସତି । ପତ୍ନୀର ଗର୍ଭେ ତା ସନ୍ତତି ॥ ୭୮
ଗର୍ଭପ୍ରସବ କାଳେ ତାର । ଯେତେ ଉପୁଜିଲେ କୁମର ॥ ୭୯
ଗର୍ଭରେ ଦଶମାସ ଥାନ୍ତି । ଭୂମିରେ ପଡିଲେ ମରନ୍ତି ॥ ୮୦
ସେ ମୃତପିଣ୍ତ କୋଳେ ଧରି । ବିପ୍ର ବିକଳେ ଶୋକ କରି ॥ ୮୧
କୃଷ୍ଣର ଦ୍ୱାରେ ନେଇ ଥୋଇ । ବିପ୍ର ବୋଲଇ କୋପ ବହି ॥ ୮୨
ବ୍ରହ୍ମହିଂସକ ଯଦୁବଂଶ । ଶଠ ହୃଦୟ ଅବିଶ୍ୱାସ ॥ ୮୩
ନିର୍ଦ୍ଦୟ ବୁଦ୍ଧି ଦୁରାଚାର । ଦୁଃଶୀଳ ପାପିଷ୍ଠ ଆମର ॥ ୮୪
ଗର୍ବିତ ବିଷୟ ବିଳାସେ । ଏମନ୍ତ ରାଜା କର୍ମଦୋଷେ ॥ ୮୫
ଦଣ୍ତେ ନଥାଇ ଏହା ଦେଶେ । ଏମନ୍ତ ବୋଲି ମହାରୋଷେ ॥ ୮୬
ମୋ ପୁତ୍ର ଜନ୍ମକାଳେ ମଲା । ଏମନ୍ତ ବୋଲି ଶୋକ କଲା ॥ ୮୭
ପୁଣି ବୋଲଇ ଖେଦଚିତ୍ତେ । ଏ ଦୁଷ୍ଟକାଳ ବିପରୀତେ ॥ ୮୮
ହିଂସା ବେଭାର ନରରାୟ । ଦୁଃଶୀଳ ଅଜିତ ଇନ୍ଦ୍ରିୟ ॥ ୮୯
ଏମନ୍ତ ନରପତି ଦେଶେ । ଯେ ପ୍ରଜା ରହନ୍ତି ବିଶ୍ୱାସେ ॥ ୯୦
ଦୁଃଖୀ ଦରିଦ୍ର ହୋନ୍ତି ନିତ୍ୟେ । ମରନ୍ତି କାଳ ଅପ୍ରାପତେ ॥ ୯୧
ଏମନ୍ତେ ବାଳକ ପକାଇ । ବିପ୍ର କାନ୍ଦଇ ଗୃହେ ଚାହିଁ ॥ ୯୨
ଏମନ୍ତେ ପ୍ରତି ସମ୍ବତ୍ସରେ । ପୁତ୍ର ମରନ୍ତେ ବିପ୍ରଘରେ ॥ ୯୩
ପୁଣି ପକାଇ ରାଜଦ୍ୱାରେ । ବିପ୍ର କାନ୍ଦଇ ଉଚ୍ଚସ୍ୱରେ ॥ ୯୪
ନିତ୍ୟେ ନିନ୍ଦଇ କୃଷ୍ଣ ରାମ । ବିପ୍ର ସ୍ୱଭାବେ ଗରୁତମ ॥ ୯୫
ଏକ ଦ୍ୱିତୀୟ ବୋଲି ଗଣେ । ତୃତୀୟ ଚତୁର୍ଥ ପ୍ରମାଣେ ॥ ୯୬
କୃଷ୍ଣର ଦ୍ୱାରେ ପୁତ୍ର ଥୋଇ । କୋପେ ଅନେକ ଗାଳି ଦେଇ ॥ ୯୭
ଏମନ୍ତେ ନବ ପୁତ୍ର ମଲା । ଶୁଣ ହୋ ଶ୍ରୀକୃଷ୍ଣର ଲୀଳା ॥ ୯୮
ଅର୍ଜୁନ ଥିଲା ନିଜ ଦେଶେ । ଏକଥା ଶୁଣି ସେ ବିଶ୍ୱାସେ ॥ ୯୯
ମିଳିଲା ରାଜଦ୍ୱାରେ ଆସି । ଦେଖିଲା ବିପ୍ର ଅଛି ବସି ॥ ୧୦୦
ମୃତବାଳକ ଧରି କୋଳେ । କାନ୍ଦଇ ଜୀବନ ବିକଳେ ॥ ୧୦୧
ନିନ୍ଦଇ ରାମ ବନମାଳୀ । ଗର୍ଜଇ କୋପେ ଦେଇ ଗାଳି ॥ ୧୦୨
ବିଷ୍ଣୁନନ୍ଦନ ବାକ୍ୟ ଶୁଣି । କୋପେ ଚାହିଁଲା ବୀରମଣି ॥ ୧୦୩
ବ୍ରାହ୍ମଣ ବୋଲି ଭୟ ପାଇ । କର ଅଞ୍ଜଳି ଶିରେ ଦେଇ ॥ ୧୦୪
ବୋଲଇ ଶୁଣ ବିପ୍ରବର । ଏ କୋପ ଶୋକ ତୁ ସଂହର ॥ ୧୦୫
ତୋହର ରାଜ୍ୟେ ବିପ୍ରବର । ବୀର କି ନାହିଁ ଧନୁର୍ଦ୍ଧର ॥ ୧୦୬
ବ୍ରାହ୍ମଣ ପ୍ରାୟ ଯଜ୍ଞ କରି । କିବା ବୁଲନ୍ତି ପେଟ ଭରି ॥ ୧୦୭
ଧନ ତନୟ ଦାରାଯୁତେ । ଯହିଁ ବ୍ରାହ୍ମଣ ଶୋକଚିତ୍ତେ ॥ ୧୦୮
ଜନ ପରଜା ଯହିଁ ଦୁଃଖୀ । ପଣ୍ତିତ ଜନେ ନିରିମାଖି ॥ ୧୦୯
ସେ ରାଜା ରାଜକୁଳେ ହୀନ । ଧିକତ ତାହାର ଜୀବନ ॥ ୧୧୦
ଜନ ପରଜା ନ ରଖନ୍ତି । ନଟଙ୍କ ପ୍ରାୟ ସେ ଜୀଅନ୍ତି ॥ ୧୧୧
ଏବେ ହୋ ବିପ୍ରବର ଶୁଣ । ଦେଖ ମୋହର ବୀରପଣ ॥ ୧୧୨
ଧନୁ ଗାଣ୍ତୀବେ ଗୁଣ ଦେଇ । ତୋ ରିପୁ ସଂହାରିବି ମୁହିଁ ॥ ୧୧୩
ରଖିବି ତୋହର ବାଳକ । ମୋର ପ୍ରତିଜ୍ଞା ଏବେ ଦେଖ ॥ ୧୧୪
ପ୍ରସବକାଳେ ତୋର ଘରେ । ମୁଁ ଧନୁ ଧରିଥିବି କରେ ॥ ୧୧୫
ରଖିବି ତୋହର କୁମର । ସତ୍ୟବଚନ ଏ ମୋହର ॥ ୧୧୬
ଦେଖ ମୋହର ଧନୁଦୀକ୍ଷା । ଯେବେ ନ ପାରେ କରି ରକ୍ଷା ॥ ୧୧୭
ଅନଳେ ଛାଡିବି ମୁଁ ପ୍ରାଣ । ତା ଶୁଣି ବୋଲଇ ବ୍ରାହ୍ମଣ ॥ ୧୧୮
ସଙ୍କରଷଣ ଦାମୋଦର । ପ୍ରଦ୍ୟୁମ୍ନ ରୁକ୍ମିଣୀକୁମର ॥ ୧୧୯
ଶାମ୍ବକୁମର ଅନିରୁଦ୍ଧ । ଧନୁ ସଂଗ୍ରାମେ ମହାଯୋଦ୍ଧ ॥ ୧୨୦
ଏ ସର୍ବେ ମୋ ପୁତ୍ର ରକ୍ଷଣେ । କ୍ଷମ ନୋହିଲେ କେହି ଜଣେ ॥ ୧୨୧
କି ଅର୍ଥେ ରଖିବି ମୁଁ ଆଶା । ଦେଖାଇ କରୁଛୁ ଭରସା ॥ ୧୨୨
ଏଣେ ମୋହର ପ୍ରତେ ନାହିଁ । ତୋ ବୀରପଣ ମୁଁ ଜାଣଇ ॥ ୧୨୩
ଶୁଣି ଅର୍ଜୁନ କୋପଭରେ । ଶ୍ରୀ ଜଗନ୍ନାଥ ଭରସାରେ ॥ ୧୨୪
ବୋଲଇ ଧନୁ ଧରି କର । ଭୋ ବିପ୍ର ସତ୍ୟ ଏ ମୋହର ॥ ୧୨୫
ଭୋ ବିପ୍ର ଶୁଣ ମୋ ବଚନ । ମୁଁ ନୋହେ ରୋହିଣୀନନ୍ଦନ ॥ ୧୨୬
କୃଷ୍ଣ ପ୍ରଦ୍ୟୁମ୍ନ ନୋହେ ମୁହିଁ । ଅର୍ଜୁନ ନାମ ମୁଁ ବୋଲାଇ ॥ ୧୨୭
ଦେଖ ଗାଣ୍ତୀବଧନୁ ମୋର । ରଣେ ମୁଁ ତୋଷିଲି ଈଶ୍ୱର ॥ ୧୨୮
ଅକ୍ଷୟ ତୂଣ ମୋର ହସ୍ତେ । ଏକଥା ବିଦିତ ଜଗତେ ॥ ୧୨୯
ମୃତ୍ୟୁଦେବତା ରଣେ ଜିଣି । ତୋର ବାଳକ ଦେବି ଆଣି ॥ ୧୩୦
ନ ଦେଲେ ଛାଡିବି ଜୀବନ । ଶୁଣି ସାନନ୍ଦ ବିପ୍ରମନ ॥ ୧୩୧
ମୃତବାଳକ ରାଜଦ୍ୱାରେ । ଥୋଇ ଚଳିଲା ନିଜ ପୁରେ ॥ ୧୩୨
ଶୋକ ହରଷ ଖେଦଛନ୍ନେ । ଅର୍ଜୁନ ତେଜ ଗୁଣ ମନେ ॥ ୧୩୩
ଏମନ୍ତେ ସମ୍ବତ୍ସର ପରେ । ବିପ୍ର କାମିନୀ ନିଜ ଘରେ ॥ ୧୩୪
ଗର୍ଭ ହୋଇଲା ଦଶମାସ । ଦେଖି ବ୍ରାହ୍ମଣ ମନେ ତ୍ରାସ ॥ ୧୩୫
ବିକଳେ ଅର୍ଜୁନ ସୁମରି । ଉଚ୍ଚେ ଡାକଇ ନାମ ଧରି ॥ ୧୩୬
ହେ ବୀରମଣି ରକ୍ଷାକର । ମରଣ ମୁଖୁଁ ମୋ କୁମର ॥ ୧୩୭
ଶୁଣି ଅର୍ଜୁନ ବେଗେ ଧାଇଁ । ମିଳିଲା ବିପ୍ରଦ୍ୱାରେ ଯାଇ ॥ ୧୩୮
କର ଚରଣ ମୁଖ ଧୋଇ । ତକ୍ଷଣେ ଶୁଚିମନ୍ତ ହୋଇ ॥ ୧୩୯
ହର ଗଉରୀ ପାଦ ଚିନ୍ତି । ନମଇଁ ପୁଣପୁଣ କ୍ଷିତି ॥ ୧୪୦
ଗାଣ୍ତୀବେ ଗୁଣ ଦେଇ କରେ । ମନ୍ତ୍ର ସୁମରି ବିପ୍ରଘରେ ॥ ୧୪୧
ରୁନ୍ଧିଲା ନାନାଶସ୍ତ୍ର ଯୋଗେ । ବିପ୍ରଭୁବନ ଦଶଦିଗେ ॥ ୧୪୨
ପଞ୍ଜୁରୀ ମଧ୍ୟେ ଯେହ୍ନେ ପକ୍ଷୀ । ବିପ୍ରଭୁବନ ତେହ୍ନେ ଲକ୍ଷ୍ୟ ॥ ୧୪୩
ଏମନ୍ତେ ଜନ୍ମିଲା ନନ୍ଦନ । ଅର୍ଜୁନ ଶୁଣିଲା ରୋଦନ ॥ ୧୪୪
ଭୂମି ସ୍ପରଶେ ଶୂନ୍ୟେ ଗଲା । ବାଳକ କେହି ନ ଦେଖିଲା ॥ ୧୪୫
ତକ୍ଷଣେ ବିପ୍ର କୋପଭରେ । ମିଳିଲା ଅର୍ଜୁନ ଛାମୁରେ ॥ ୧୪୬
ବୋଲଇ ପୁରୁଷ ବଚନ । ଧିକ ଅର୍ଜୁନ ତୋ ଜୀବନ ॥ ୧୪୭
ତୋହର ନପୁଂସକ ବାଣୀ । ମୁହିଁ ପାପିଷ୍ଠ ତାହା ଶୁଣି ॥ ୧୪୮
ନ ଜାଣି ହୋଇଲି ହରଷ । ଏବେ ମୁଁ ନିଶ୍ଚୟେ ନିରାଶ ॥ ୧୪୯
ମୃତବାଳକ ଧରି କୋଳେ । ଦଣ୍ତେ ଦେଖଇ ବେନିଡୋଳେ ॥ ୧୫୦
ଏବେ ମୋ ପୁତ୍ରକ୍ଷ ଗଲା କେଣେ । ଧନ୍ୟ ଅର୍ଜୁନ ବୀରପଣେ ॥ ୧୫୧
ରୁକ୍ମିଣୀପୁତ୍ର ମହାଯୋଦ୍ଧ । ତାହାର ପୁତ୍ର ଅନିରୁଦ୍ଧ ॥ ୧୫୨
ସଙ୍କରଷଣ ଜଗନ୍ନାଥ । ଏ ଯହିଁ ନୋହିଲେ ସମର୍ଥ ॥ ୧୫୩
କାହାର ବଳ ରକ୍ଷା କରି । ମର୍ତ୍ତେ ମାନବ ଦେହ ଧରି ॥ ୧୫୪
ଧିକ ତୋହର ମିଥ୍ୟା ବାଣୀ । ପ୍ରତିଜ୍ଞା କଲୁ ତୁ ନ ଜାଣି ॥ ୧୫୫
ଧିକ ଗାଣ୍ତିବଧନୁ ତୋର । ବିବିଧ ଶସ୍ତ୍ର ଉପହାର ॥ ୧୫୬
ଦଇବେ ହତକର୍ମ ତୋର । କୁମତି ପାପିଷ୍ଠ ପାମର ॥ ୧୫୭
ମୁଖେ ଯେ କହୁ ଗର୍ବରାଣୀ । ଆପଣାବଳ ତୁ ନ ଜାଣି ॥ ୧୫୮
ଏମନ୍ତ ବିପ୍ର କୋପବାଣୀ । ଅର୍ଜୁନ ସାବଧାନେ ଶୁଣି ॥ ୧୫୯
ବିବିଧ ମତେ ବିଧି କରି । ଗାଣ୍ତବୀ ଧନୁ କରେ ଧରି ॥ ୧୬୦
ମିଳିଲା ଯମର ଭୁବନେ । ରବିକୁମାର ସନ୍ନିଧାନେ ॥ ୧୬୧
ତାହାର ପୁରେ ବିପ୍ରସୁତ । ଅର୍ଜୁନ ଖୋଜିଲା ବହୁତ ॥ ୧୬୨
ନ ପାଇ ମନ ଦୁଃଖ କରି । ପୁଣି ମିଳିଲା ଇନ୍ଦ୍ରପୁରୀ ॥ ୧୬୩
ତହିଁ ନ ପାଇ ବିପ୍ରସୁତ । ଅଗ୍ନିଭୁବନେ ଉପଗତ ॥ ୧୬୪
ନ ପାଇ ନଈରତ ଦେଶେ । କୋପେ ମିଳିଲା ସୋମ ପାଶେ ॥ ୧୬୫
ତହିଁ ନ ପାଇ ବିପ୍ରବାଳା । ବରୁଣ ନଗରେ ମିଳିଲା ॥ ୧୬୬
ତହିଁ ନ ପାଇ ବେଗେ ଯାଇ । କୁବେର ଭୁବନେ ଖୋଜଇ ॥ ୧୬୭
ନ ଦେଖି ବିପ୍ରବର ସୁତ । ବିସ୍ମୟେ ଭାଳି ବୀର ପାର୍ଥ ॥ ୧୬୮
ତକ୍ଷଣେ ନିଜ ବିଦ୍ୟାବଳେ । ଖୋଜିଲା ସପତ ପାତାଳେ ॥ ୧୬୯
ନ ପାଇ ନାଗଲୋକ ତଳେ । ପୁଣି ଉଠିଲା ଅନ୍ତରାଳେ ॥ ୧୭୦
ଉର୍ଦ୍ଧ୍ୱେ ସପଟଲୋକେ ଗଲା । ବିପ୍ରବାଳକ ନ ଦେଖିଲା ॥ ୧୭୧
ଧନୁ ଖଡଗ ଧରି କରେ । ପୁଣି ମିଳିଲା ବିପ୍ରଦ୍ୱାରେ ॥ ୧୭୨
ପ୍ରତିଜ୍ଞା ଭଙ୍ଗେ ବୀରମଣି । ଅଗ୍ନି ଜାଳିଲା ବେଗେ ଆଣି ॥ ୧୭୩
ଅନଳ ଜଳଇ ପ୍ରଚଣ୍ତେ । ଲୋକଗହଳ ରାଜଦାଣ୍ତେ ॥ ୧୭୪
ଗୋବିନ୍ଦ ଶୁଣି ନିଜ ପୁରେ । ମିଳିଲେ ଅର୍ଜୁନ ଛାମୁରେ ॥ ୧୭୫
ସୁହୃଦ ଭାବେ ନରହରି । ବୋଲନ୍ତି ବେନିକର ଧରି ॥ ୧୭୬
ଦେଖ ଏ ମନୁଷ୍ୟ ଶରୀର । ଦେବ ଦୁର୍ଲ୍ଲଭ ସୁଖସାର ॥ ୧୭୭
ଯେ ଦେହେ ଚଉବର୍ଗ ସାଧି । ଏ ତ ନୁହଇ ଅପରାଧୀ ॥ ୧୭୮
ଏ ଦେହ ନାଶିବୁ କେମନ୍ତେ । ସତ୍ୟବଚନ ଭଙ୍ଗ ଅର୍ଥେ ॥ ୧୭୯
ମୁଁ ତୋତେ ଦେଖାଇବି ନେଇ । ବିପ୍ର ବାଳକ ଦଶଭାଇ ॥ ୧୮୦
ଆତ୍ମାକୁ ଆପଣେ ନ ମାର । ଶୁଣ ପାଣ୍ତବ ବୀରବର ॥ ୧୮୧
ତୋର ମହିମା ଏ ଜଗତେ । ମୁହିଁ ସ୍ଥାପିବି ଦୃଢମତେ ॥ ୧୮୨
ଯାବତ ଥିବ ଏ ମେଦିନୀ । ତୋର ନିର୍ମଳ ଯଶ ଘେନି ॥ ୧୮୩
ଏମନ୍ତ ଅର୍ଜୁନକୁ କହି । ଦାରୁକ କୃଷ୍ଣ ଆଜ୍ଞା ପାଇ ॥ ୧୮୪
ଉତ୍ତମ ଅଶ୍ୱେ ସାଜି ରଥ । ଦାରୁକ ଭତ୍ତା ଯୋଡି ହସ୍ତ ॥ ୧୮୫
ତକ୍ଷଣେ ପ୍ରଭୁ ଚକ୍ରଧର । ଧରି ଅର୍ଜୁନ ବାମକର ॥ ୧୮୬
ରଥେ ବିଜୟ ନରହରି । ଆନନ୍ଦେ ଶଙ୍ଖନାଦ କରି ॥ ୧୮୭
ପଶ୍ଚିମଦିଗେ ରଥ ବାହି । ଚଳନ୍ତେ ନ ଦେଖିଲେ କେହି ॥ ୧୮୮
ସପତସିନ୍ଧୁ ସପ୍ତଦୀପ । ବେଗେ ଲଂଘିଲେ ବିଶ୍ୱରୂପ ॥ ୧୮୯
ଗିରି କାନନ ଭୂମି ଜିଣି । ଅର୍ଜୁନ ସଙ୍ଗେ ଚକ୍ରପାଣି ॥ ୧୯୦
ଜିଣିଲେ ଲୋକାଲୋକ ଦେଶ । ଘୋର ଅନ୍ଧକାରେ ପ୍ରବେଶ ॥ ୧୯୧
ରଥେ ଯୋଚିଲା ଅଶ୍ୱ ଚାରି । ଅନ୍ଧାରେ ପଥ ନ ବିଚାରି ॥ ୧୯୨
ଦିଗ ନ ଜାଣି ଭ୍ରମଗତି । ତା ଦେଖି କମଳାର ପତି ॥ ୧୯୩
ଚକ୍ର ଯେ ଥିଲା କୃଷ୍ଣଭୁଜେ । ସହସ୍ର ଆଦିତ୍ୟର ତେଜେ ॥ ୧୯୪
ଅଗ୍ରେ ପେଷିଲେ ଚକ୍ରଧର । ଖଣ୍ତିଲା ଘୋର ଅନ୍ଧକାର ॥ ୧୯୫
ରାମ କୋଦଣ୍ତବାଣ ଯେହ୍ନେ । ତେଜ ବିରାଜେ ରିପୁ ସୈନ୍ୟ ॥ ୧୯୬
ଚକ୍ରର ପଥ ତମ ଗଞ୍ଜେ । ନିଜ ପରମ ଜ୍ୟୋତି ତେଜେ ॥ ୧୯୭
ତମ ନାଶିଲେ କୃଷ୍ଣ ପଥେ । ଦେଖି ଅର୍ଜୁନ ଭୟଚିତ୍ତେ ॥ ୧୯୮
ହସ୍ତେ ବୁଜିଲା ବେନି ଆଖି । ପଥେ ଅଦ୍ଭୂତ କର୍ମ ଦେଖି ॥ ୧୯୯
ଏମନ୍ତେ ଗଲେ ତମ ଜିଣି । ରଥେ ଅର୍ଜୁନ ଚକ୍ରପାଣି ॥ ୨୦୦
ଦିଶିଲା ଜଳପୂର୍ଣ୍ଣ ଦେଶ । ତକ୍ଷଣେ ସମୁଦ୍ରେ ପ୍ରବେଶ ॥ ୨୦୧
ପବନ ଯୋଗେ ଉର୍ମିଗଣ । ଦିଶନ୍ତି ସ୍ୱରୂପେ ଭୀଷଣ ॥ ୨୦୨
ସେ ଜଳମଧ୍ୟେ ଯାଇ ପଶି । ଦେଖିଲେ ଦିବ୍ୟ ତେଜରାଶି ॥ ୨୦୩
ଦିବ୍ୟଭୁବନ ବିରାଜଇ । କିବା ଉପମା ଦେବି ମୁହିଁ ॥ ୨୦୪
ସହସ୍ର ମଣିସ୍ତମ୍ଭ ସାଜେ । ସୁନ୍ଦର ଅଧିକେ ବିରାଜେ ॥ ୨୦୫
ମଧ୍ୟେ ସୁବର୍ଣ୍ଣ ସିଂହାସନ । ଦେଖି ନିଶ୍ଚଳ କଲେ ମନ ॥ ୨୦୬
ଅନନ୍ତ ମହାଯୋଗେଶ୍ୱର । ଅଦ୍ଭୂତ ରୂପ ଭୟଙ୍କର ॥ ୨୦୭
ଫଣାସହସ୍ରେ ମଣି ସାଜେ । ଅମୂଲ୍ୟ ରତନ ବିରାଜେ ॥ ୨୦୮
ଦ୍ୱିଗୁଣେ ବିରାଜଇ ଜ୍ୟୋତି । ଉତ୍କଟ ଲୋଚନେ ଦିଶନ୍ତି ॥ ୨୦୯
ବେନି ସହସ୍ର ଜିହ୍ୱା ଶୋହେ । ସୁନ୍ଦର ଶିବଗିରି ପ୍ରାୟେ ॥ ୨୧୦
ତାର ଉପରେ ଦିବ୍ୟରୂପେ । ସୁଖ ଆସନେ ମହାସର୍ପେ ॥ ୨୧୧
ମହାନୁଭବ ଅନୁପମ । ସୁନ୍ଦର ପୁରୁଷଉତ୍ତମ ॥ ୨୧୨
ନୀଳଜୀମୂତ ଦେହକାନ୍ତି । ପୀତବସନ ବିରାଜନ୍ତି ॥ ୨୧୩
ପ୍ରସନ୍ନ ବଦନ ସୁନ୍ଦର । ବେନିଲୋଚନ ଶୋଭାକର ॥ ୨୧୪
କିରୀଟ ରବିକୋଟି ଗଞ୍ଜେ । ଅମୂଲ୍ୟ ମଣିଗଣ ପୁଞ୍ଜେ ॥ ୨୧୫
କପୋଳେ କୁଟିଳ କୁନ୍ତଳ । ଶ୍ରବଣେ ମକରକୁଣ୍ତଳ ॥ ୨୧୬
ଆଜାନୁଲମ୍ବେ ଚାରି ଭୂଜ । କଣ୍ଠେ କୌସ୍ତୁଭମଣି ତେଜ ॥ ୨୧୭
ଶ୍ରୀବତ୍ସ ଚିହ୍ନ ହୃଦେ ଶୋହେ । ବନମାଳାଏ ଜନ ମୋହେ ॥ ୨୧୮
ନନ୍ଦସୁନନ୍ଦ ଆଦି ଦେବା । କରନ୍ତି ପଦ୍ମପାଦେ ସେବା ॥ ୨୧୯
ଶଙ୍ଖ କମଳ ଚକ୍ର ଗଦା । ଯେ ଶୋହେ ଚତୁର୍ଭୂଜେ ସଦା ॥ ୨୨୦
ନିଜ ମୂରତି ଧରି ପାଶେ । ଖଟନ୍ତି ଭକତି ବିଶ୍ୱାସେ ॥ ୨୨୧
କମଳା ଆଦି ଅଷ୍ଟଦେବୀ । ବାମ ଦକ୍ଷିଣେ ଛନ୍ତି ସେବି ॥ ୨୨୨
ବ୍ରହ୍ମା ଶଙ୍କର ଆଦି ଯେତେ । ଅଷ୍ଟଲୋକପାଳ ସହିତେ ॥ ୨୨୩
ବ୍ରହ୍ମାଦି ଦେବଙ୍କର ଗତି । ଦେଖି ସମ୍ଭ୍ରମେ ଯଦୁପତି ॥ ୨୨୪
ପରମଆତ୍ମା ପାଦଯୁଗେ । କୃଷ୍ଣ ବନ୍ଦିଲେ ଅନୁରାଗେ ॥ ୨୨୫
କୃଷ୍ଣଙ୍କୁ ଦେଖି ବିଷ୍ଣୁ ତୋଷେ । ବୋଲନ୍ତି ପରମ ହରଷେ ॥ ୨୨୬
ତୁମ୍ଭେ ଯେ ନରନାରାୟଣ । ସଂସାର ପରମକାରଣ ॥ ୨୨୭
ଭାରା ନିବାରେ ଦେବବାଣୀ । କ୍ଷୀର ଜଳଧିତଟେ ଶୁଣି ॥ ୨୨୮
ଆତ୍ମାରୁ ତୁମ୍ଭଙ୍କୁ ଭିଆଇ । ମର୍ତ୍ତେ ମନୁଷ୍ୟ ଦେହ ଦେଇ ॥ ୨୨୯
ତୁମ୍ଭଙ୍କୁ କଲି ଅବତାର । ଖଣ୍ତିଲ ଅବନୀର ଭାର ॥ ୨୩୦
ସଂସାର ଇନ୍ଦ୍ରିୟ ଲାଳସେ । ଏବେ ହେଁ ନ ମିଳିଲ ପାଶେ ॥ ୨୩୧
ଏଣୁ ମୁଁ ଚିତ୍ତେ କୋପକରି । ଆଣିଲି ବିପ୍ରସୁତ ହରି ॥ ୨୩୨
ଦେଖିବା ପାଇଁ ରୂପ ତୁମ୍ଭ । ହସି କହନ୍ତି ପଦ୍ମନାଭ ॥ ୨୩୩
ଏବେ ହୋ ବିଳମ୍ବ ନକର । ଏମନ୍ତ ଏହି ଚକ୍ରଧର ॥ ୨୩୪
ବିଷ୍ଣୁର ପଛେ ବିପ୍ରସୁତେ । ଥିଲେ ଯେ ଅଭୟ ନିଶ୍ଚିନ୍ତେ ॥ ୨୩୫
କୃଷ୍ଣ ଅର୍ଜୁନ ପାଶେ ଯାଇ । ମିଳିଲେ ବିପ୍ର ଦଶ ଭାଇ ॥ ୨୩୬
ଦେଖି ସାନନ୍ଦ ଚକ୍ରପାଣି । ଅର୍ଜୁନ ତୁଲେ ତାଙ୍କୁ ଆଣି ॥ ୨୩୭
ରଥେ ବସାଇ ଦାମୋଦର । ସେଠାରୁ ହୋଇଲେ ବାହାର ॥ ୨୩୮
ବିଷ୍ଣୁଙ୍କୁ କରି ନମସ୍କାର । ଆସି ମିଳିଲେ ନିଜ ପୁର ॥ ୨୩୯
ବ୍ରାହ୍ମଣ ଦ୍ୱାରେ ପୁତ୍ର ଦେଇ । ପାଦେ ନମିଲେ ଭାବଗ୍ରାହୀ ॥ ୨୪୦
ବୋଲନ୍ତି ନିଅ ତୋର ସୁତ । ତୁ ମୋତେ ନିନ୍ଦିଲୁ ବହୁତ ॥ ୨୪୧
ଦଶ ବାଳକ ନିଅ ଗଣି । ସମ୍ଭାଳ ବୋଲେ ଚକ୍ରପାଣି ॥ ୨୪୨
ଅର୍ଜୁନ କର କରେ ଧରି । ମିଳିଲେ ନିଜ ପୁରେ ହରି ॥ ୨୪୩
କୃଷ୍ଣ ଅଦ୍ଭୂତ କର୍ମ ଦେଖି । ଅର୍ଜୁନ ମନେ ଉପଲିକ୍ଷ୍ୟ ॥ ୨୪୪
ବିଷ୍ଣୁ ପରମଧାମ ଚିନ୍ତି । ନର ସ୍ୱଭାବେ କଲା ଭୀତି ॥ ୨୪୫
ଚତୁରବର୍ଗ ଦାତା ହରି । କପଟେ ନରରୂପ ଧରି ॥ ୨୪୬
ପ୍ରାଣୀଙ୍କୁ କରେ ଅନୁକମ୍ପା । ଏତେ ବିଚାରି କଲା ଶଙ୍କା ॥ ୨୪୭
କହନ୍ତି ଶୁକ ମୁନିବର । ଶୁଣ ପରୀକ୍ଷ ଦଣ୍ତଧର ॥ ୨୪୮
ଏ ଆଦି ଯେତେ କର୍ମ ହରି । କଲେ ମନୁଷ୍ୟ ଦେହ ଧରି ॥ ୨୪୯
ନାନା ବିଷୟ ଭୋଗ ଭୁଞ୍ଜି । ଦେବମାନବ ମନ ରଞ୍ଜି ॥ ୨୫୦
କ୍ଷତ୍ରିୟ ଧର୍ମର ଉଚିତେ । ବ୍ରାହ୍ମଣ ବାକ୍ୟେ ବେଦମତେ ॥ ୨୫୧
ଅନେକ କଲେ ଯଜ୍ଞଦାନ । ଯେ ବେଦ ଆଗମ ବିଧାନ ॥ ୨୫୨
ଯଜ୍ଞ ଭୋଜନେ ତୋଷ ହୋଇ । ଯେମନ୍ତେ ଇନ୍ଦ୍ର ବରଷଇ ॥ ୨୫୩
ଅଶେଷ ସୁଖ ସେହିମତେ । କୃଷ୍ଣ ବରଷିଲେ ଜଗତେ ॥ ୨୫୪
ବ୍ରାହ୍ମଣ ଆଦି ପ୍ରଜା ଯେତେ । ସର୍ବ ସମ୍ପଦ ନାନାମତେ ॥ ୨୫୫
ଯାଦବବଂଶେ ହୋଇ ଜାତ । ସଙ୍ଗତେ ଘେନି ପଣ୍ତୁସୁତ ॥ ୨୫୬
ନିମିତ୍ତ ମାତ୍ର ତାଙ୍କୁ କରି । ଭାରା ନାଶିଲେ ନରହରି ॥ ୨୫୭
ଅଧର୍ମ ନାଶି ଧର୍ମ ପାଳି । ଜଗତନାଥ ବନମାଳୀ ॥ ୨୫୮
ସେ କୃଷ୍ଣ ଚରଣ କମଳେ । ସୁଜନେ ଚିନ୍ତ ଧ୍ୟାନବଳେ ॥ ୨୫୯
ମାୟା ସଂସାରେ ନୁହଁ ରତ । ଛାଡି ଅମୃତ ଭାଗବତ ॥ ୨୬୦
ଏ ସୁଖନାବ ହେଲେ ଛାଡି । ନ ମର ଭବଜଳେ ବୁଡି ॥ ୨୬୧
କୃଷ୍ଣଚରଣେ କରି ଆଶ । କହଇ ଜଗନ୍ନାଥ ଦାସ ॥ ୨୬୨
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ଦ୍ୱିଜକୁମାର
ଆନୟନଂ ନାମ ପଞ୍ଚନବତିତମ ଅଧ୍ୟାୟଃ ॥
* * *