ଦଶମ ସ୍କନ୍ଧ

ଚତୁଃନବତିତମ ଅଧ୍ୟାୟ

ପରୀକ୍ଷ ଶୁକମୁଖ ଚାହିଁ । ବୋଲଇ ଶିରେ କର ଦେଇ ॥

ପରୀକ୍ଷିତ ଉବାଚ

ଭୋ ମୁନି ସଂଶୟ ମୋ ମନେ । ଛେଦନ କର ସୁପ୍ରସନ୍ନେ ॥

ଦେବ ଅସୁର ନର ମଧ୍ୟେ । ଯେ ସେବା କରେ ରୁଦ୍ରପାଦେ ॥

ତାହାଙ୍କ ଘରେ କମଳିନୀ । ସକଳ ନିଧି ସଙ୍ଗେ ଘେନି ॥

ଖଟଇ ଭୃତ୍ୟପ୍ରାୟ ହୋଇ । ଅନେକ ସୁଖ ସେ ଭୁଞ୍ଜଇ ॥

ଅଜେୟ ସର୍ବଲୋକ ହୋନ୍ତି । ଏଣୁ ବିଷ୍ଣୁଙ୍କୁ ନ ଭଜନ୍ତି ॥

କମଳାକାନ୍ତ ଯେ ମୁରାରି । ପ୍ରାଣୀ ତାହାଙ୍କୁ ସେବା କରି ॥

ସକଳ ଦୁଃଖେ ହୋନ୍ତି ଦୁଃଖୀ । ସ୍ୱଜନେ ତାହାଙ୍କୁ ଉପେକ୍ଷି ॥

ଜଗତ ଅନାଦର ଭୟେ । ବନେ ପଶଇ ଦୁଃଖ ଦେହେ ॥

ସେ ହରିହର ଏକମତ । ଭକତେ କିମ୍ପା ବୀପରିତ ॥ ୧୦

ଏଣୁ ସଂଶୟ ଚିତ୍ତ ମୋର । କହି ନିର୍ମଳ ମୋତେ କର ॥ ୧୧

ଶୁଣି ସାନନ୍ଦ ବ୍ୟାସସୁତ । ବୋଲନ୍ତି ଶୁଣ ନରନାଥ ॥ ୧୨

ଶୁକ ଉବାଚ

ଶିବ ଯେ ନିତ୍ୟ ଶକ୍ତିଯୁକ୍ତ । ତ୍ରିଲିଙ୍ଗ ତ୍ରିଗୁଣ ସମ୍ଭୂତ ॥ ୧୩

ସାତ୍ତ୍ୱିକ ରାଜସ ତାମସ । ତ୍ରିଧା ଅହଙ୍କାର ପ୍ରକାଶ ॥ ୧୪

ତେଣୁ ବିକାରେ ହୋନ୍ତି ଜାତ । ବ୍ରହ୍ମାଣ୍ତେ ଏ ଷୋଡଶତତ୍ତ୍ୱ ॥ ୧୫

ଏଥୁ ଏ ବିଭୂତିଙ୍କ ଗତି । ଅଧିଦୈବତେ ଆବୋରନ୍ତି ॥ ୧୬

ଏ ଜୀବ ଆତ୍ମାରୂପ ଧରି । ବିଭୂତିରସ ଭୋଗ କରି ॥ ୧୭

ଏଣୁ ଭକତଜନ ଲାଭେ । ବିଭୂତି ଈଶ୍ୱର ଯେ ଭାବେ ॥ ୧୮

ଭକତେ ଦେଇ ସୁଖଫଳ । ଏବେ ହୋ ଶୁଣ ମହୀପାଳ ॥ ୧୯

ନିର୍ଗୁଣ ନିରଞ୍ଜନ ହରି । ପ୍ରକୃତି ନପାରେ ଆବୋରି ॥ ୨୦

ଏ ସୃଷ୍ଟିପାଳକ ସ୍ୱରୂପେ । ସବୁ ଦେଖଇ ସାକ୍ଷୀରୂପେ ॥ ୨୧

ସେ ହରି ପାଦେ ଯେ ଶରଣ । ତାକୁ ନ ଲାଗେ ତିନିଗୁଣ ॥ ୨୨

ଏଣୁ ନିର୍ଗୁଣ ମୋକ୍ଷ ରୂପେ । ରହନ୍ତି ବିଷ୍ଣୁର ସମୀପେ ॥ ୨୩

ଏ ଭବଜଳୁ ହୋନ୍ତି ପାର । ଏବେ ହୋ ଶୁଣ ନୃପବର ॥ ୨୪

ତୋ ପିତାମହ ଯୁଧିଷ୍ଠିର । ବିଖ୍ୟାତ ଧର୍ମର କୁମର ॥ ୨୫

ରାଜୁଯିସଜ୍ଞ ସମାପତେ । ଆନନ୍ଦେ କୃଷ୍ଣର ଅଗ୍ରତେ ॥ ୨୬

ଧର୍ମପ୍ରସଙ୍ଗ କରୁଥିଲା । ଏ କଥା କୃଷ୍ଣଙ୍କୁ ଅଗ୍ରତେ ॥ ୨୭

ଧର୍ମପ୍ରସଙ୍ଗ କରୁଥିଲା । ଏ କଥା କୃଷ୍ଣଙ୍କୁ ପୁଚ୍ଛିଲା ॥ ୨୮

ଯେ ହରି ଜନଙ୍କର ହିତେ । ମନୁଷ୍ୟ ରୂପ ଏ ଜଗତେ ॥ ୨୯

ଧର୍ମନନ୍ଦନ ପ୍ରଶ୍ନ ଶୁଣି । କହିଲେ ପ୍ରଭୁ ଚକ୍ରପାଣି ॥ ୩୦

ଭଗବାନ ଉବାଚ

ଯାହାକୁ ଚିତ୍ତେ ଦୟା ମୋର । ସମ୍ପଦ ହରଇ ତାହାର ॥ ୩୧

ନିର୍ଦ୍ଧନ ଦେଖି ବନ୍ଧୁଜନେ । ତାକୁ ଛାଡନ୍ତି ଦୁଃଖମନେ ॥ ୩୨

ତାର ସଂସାରେ ଇଚ୍ଛା ନୋହେ । ବନେ ଭ୍ରମିଣ ଦୁଃଖ ସହେ ॥ ୩୩

ମୋର ଭକତ ମିତ୍ରପଣେ । ମୋତେ ଭଜଇ ଅନୁକ୍ଷଣେ ॥ ୩୪

ତାହାର କର୍ମନାଶ କାଳେ । ମୋର ଭକତିଭାବ ବଳେ ॥ ୩୫

ପରମବ୍ରହ୍ମ ସୂକ୍ଷ୍ମରୂପ । ସଚ୍ଚିଦାନନ୍ଦ ମୁଁ ନିର୍ଲେପ ॥ ୩୬

ଏମନ୍ତ ରୂପେ ମୋତେ ଧ୍ୟାୟି । ପଶଇ ମୋର ଦେହେ ଯାଇ ॥ ୩୭

ଏହାକୁ ନ ଲାଗେ ସଂସାର । ଏମନ୍ତ ମହିମା ମୋହର ॥ ୩୮

ଏଣୁ ସଂସାରେ ଇଚ୍ଛା ଯାର । ସେ ମୋତେ ନ କରେ ଆଦର ॥ ୩୯

ରାଜସମ୍ପଦ ଭୋଗ ଇଚ୍ଛା । କରଇ ନାନାମତେ ଦୀକ୍ଷା ॥ ୪୦

ଅଳପ ତପେ ତୋଷ ହୋନ୍ତି । ବେଗେ ବାଞ୍ଛିତ ଫଳ ଦ୍ୟନ୍ତି ॥ ୪୧

ଏମନ୍ତ ଦେବତାଙ୍କୁ ସେବି । ସୁଖ ସମ୍ପଦ ଅନୁଭବି ॥ ୪୨

କାଳେ ଲଭନ୍ତି ମହାଦୁଃଖ । କହି ହସନ୍ତି ପଦ୍ମମୁଖ ॥ ୪୩

ଏମନ୍ତ କୃଷ୍ଣର ବଚନ । କହିଲେ ବ୍ୟାସଙ୍କ ନନ୍ଦନ ॥ ୪୪

ପୁଣି ବୋଲନ୍ତି ଶୁଦ୍ଧଚିତ୍ତେ । ତିନି ଦେବତା ଏ ଜଗତେ ॥ ୪୫

ଶାପ ପ୍ରସାଦର ଈଶ୍ୱର । ବ୍ରହ୍ମା ଗୋବିନ୍ଦ ଶୁଳଧର ॥ ୪୬

ଶାପ ପ୍ରସାଦ ତତକ୍ଷଣେ । ଭକତେ ଦ୍ୟନ୍ତି ବେନି ଜନେ ॥ ୪୭

ଚତୁରାନନ ପଶୁପତି । ଏମନ୍ତେ ନୋହେ କୃଷ୍ଣଗତି ॥ ୪୮

ଏବେ ତୁ ଶୁଣ ତୋଷମନେ । ପୂର୍ବେ ପଣ୍ତିତ ମହାଜନେ ॥ ୪୯

କହିଲେ ଇତିହାସ ବାଣୀ । ତାହାଙ୍କ ମୁଖୁ ମୁହିଁ ଶୁଣି ॥ ୫୦

ଜାଣଇ ଈଶ୍ୱର ବେଭାର । ଶୁଣ କହିବା ତୋ ଛାମୁର ॥ ୫୧

ବୃକାସୁରକୁ ପୂର୍ବକା । ଈଶ୍ୱର ତାର ତପଫଳେ ॥ ୫୨

ପ୍ରସନ୍ନ ହୋଇ ବର ଦେଲେ । ବିଷମ ସଙ୍କଟେ ପଡ଼ିଲେ ॥ ୫୩

ଶକୁନି ନାମେ ମହାସୁର । ଘୋର ଦୁର୍ଗମ ବଳୀୟାର ॥ ୫୪

ମହାବଳିଷ୍ଠ ତା କୁମର । ନାମ ତାହାର ବୃକାସୁର ॥ ୫୫

ସୁର ଅସୁରେ ସେ ଅଜିତ । ଶୁଣ ତାହାର ବିପରୀତ ॥ ୫୬

ମୃଗୟା ଅର୍ଥେ ଏକଦିନେ । ପଥେ ଚଳଇ ଘୋରବନେ ॥ ୫୭

ଚିନ୍ତଇ ପଶୁଙ୍କ ପ୍ରମାଦ । ଏମନ୍ତେ ଭେଟିଲା ନାରଦ ॥ ୫୮

ପ୍ରମାଣ କରି ପାଦଯୁଗେ । କହଇ ନାରଦଙ୍କ ଆଗେ ॥ ୫୯

ଭୋ ମୁନିବର ଏ ଜଗତେ । ଦେବେ ଅଛନ୍ତି ନାନାମତେ ॥ ୬୦

ଭକତଜନ ତପଫଳେ । କେ ବର ଦ୍ୟନ୍ତି ଅଳ୍ପକାଳେ ॥ ୬୧

ତୁମ୍ଭର ମୁଖୁଁ ମୁହିଁ ଶୁଣି । ସେବା କରିବି ତଥ୍ୟ ଜାଣି ॥ ୬୨

ଶୁଣି ବୋଲନ୍ତି ବ୍ରହ୍ମଋଷି । ଅସୁର ବଚନ ପ୍ରଶଂସି ॥ ୬୩

ସାଧୁ ବିଚାର ଏ ତୋହର । ଈଶ୍ୱର ପାଦେ ସେବାକର ॥ ୬୪

ଚତୁରାନନ ଭଗବାନ । ଏହାଙ୍କ ତପେ ମହାବିଘ୍ନ ॥ ୬୫

ତାହାଙ୍କ ତପସ୍ୟା କଠୋର । ଅନେକ କାଳେ ଦ୍ୟନ୍ତି ବର ॥ ୬୬

ତୋହର ଭୋଗେ ଯେବେ ଇଚ୍ଛା । ବେଗେ ତୁ କର ହରଦୀକ୍ଷା ॥ ୬୭

ପୂର୍ବେ ରାବଣ ବାଣାସୁର । ତାଣ୍ତବେ ସେବି ଶୂଳଧର ॥ ୬୮

ଅନେକମତେ କଲେ ଭାବ । ପ୍ରସନ୍ନ ହୋଇ ସଦାଶିବ ॥ ୬୯

ଅତୁଳ ଅଇଶ୍ୱର୍ଯ୍ୟ ଦେଲେ । କାଳେ ସେ ସଙ୍କଟ ଲଭିଲେ ॥ ୭୦

ଏମନ୍ତ କହି ଗଲେ ମୁନି । ବୃକଦାନବ ତାହା ଶୁଣି ॥ ୭୧

ହିମକେଦାର କୁଣ୍ତେ ଯାଇ । ଅନଳ ଜାଳି ତପ ଦାହି ॥ ୭୨

ପରଶୁ ଘେନି ଦୃଢମୁଷ୍ଟି । ନିଜ ଶରୀରୁ ମାଂସ କାଟି ॥ ୭୩

ଘୃତେ ବୁଡ଼ାଇ ମନ୍ତ୍ର ତୋଳି । ଅନଳେ କ୍ଷେପେ ସ୍ୱାହା ବୋଲି ॥ ୭୪

ଅଗ୍ନି ବଦନେ ରୁଦ୍ରେ ଧ୍ୟାୟି । ଶରୀରୁ ସର୍ବ ମାଂସ ଦେଇ ॥ ୭୫

ଅତି କଠୋର ତପ କଲା । ରୁଦ୍ର ଦର୍ଶନ ନ ପାଇଲା ॥ ୭୬

ମନେ ବିଚାରେ ମହାସୁର । ଆଜି କାଟିବି ନିଜ ଶିର ॥ ୭୭

ପୂର୍ଣ୍ଣଆହୁତି କୁଣ୍ତେ ଦେବି । ଏମନ୍ତ ଦୃଢମନେ ଭାବି ॥ ୭୮

କେଦାରକୁଣ୍ତ ଜଳ ଶିରେ । ଆଣି ସିଞ୍ଚିଲା ବେନି କରେ ॥ ୭୯

ହର ସୁମରି ଶସ୍ତ୍ର ଧରି । ଅନଳକୁଣ୍ତେ ମୁଣ୍ତ କରି ॥ ୮୦

ପରଶୁ ପ୍ରହାରନ୍ତେ କନ୍ଧେ । ତକ୍ଷଣେ ଶଙ୍କର ଆନନ୍ଦେ ॥ ୮୧

ସେ କୁଣ୍ତୁ ହୋଇଲେ ବାହାର । ଅନଳ ପ୍ରାୟ ପଞ୍ଚଶିର ॥ ୮୨

ସଙ୍ଗେ ସୁନ୍ଦରୀ ନିଜ ନାରୀ । ଭୁଜେ ଅସୁର କର ଧରି ॥ ୮୩

ବୋଇଲେ ହୋଇଲି ମୁଁ ତୋଷ । ତୋହର ପୁରାଇବି ଆଶ ॥ ୮୪

ଈଶ୍ୱର କର ଦେହେ ଲାଗି । ଅସୁର ହୋଏ ସୁଖଭାଗୀ ॥ ୮୫

ତକ୍ଷଣେ ନିଜ ଦେହ ପାଇ । ତେଜେ ସୁନ୍ଦର ବିରାଜଇ ॥ ୮୬

ଦେଖି ତାହାର ଦିବ୍ୟ ତେଜ । ବୋଲନ୍ତି ପ୍ରଭୁ ଦେବରାଜ ॥ ୮୭

ତପେ ପ୍ରସନ୍ନ ମୁହିଁ ତୋତେ । ବର ତୁ ମାଗ ଦୃଢଚିତ୍ତେ ॥ ୮୮

ତୋର ଦୁର୍ଲ୍ଲଭ ତପଘୋର । ଯେ ତୋର ଇଚ୍ଛା ମାଗ ବର ॥ ୮୯

ଈଶ୍ୱର ଆଜ୍ଞା ପରମାଣେ । ଅସୁର ନମିଲା ଚରଣେ ॥ ୯୦

ଉଠି ଯୋଡିଣ ବେନି କର । ବୋଇଳ ଶୁଣ ଶୁଳଧର ॥ ୯୧

ମୁଁ ଯାର ମୁଣ୍ତେ ଦେବି କର । ଭସ୍ମ ହୋଇବ ତା ଶରୀର ॥ ୯୨

ଏମନ୍ତ ଅସୁର ବଚନେ । ଦୁଃଖ ବିଚାରି ରୁଦ୍ର ମନେ ॥ ୯୩

ହେଉ ବୋଇଲେ ତ୍ରିଲୋଚନ । ସର୍ପକୁ ଯେହ୍ନେ କ୍ଷୀରପାନ ॥ ୯୪

ବିଷ ବର୍ଦ୍ଧନ ମାତ୍ର ଲାଭ । ଦାତାର କାହିଁ ସୁଖଭାବ ॥ ୯୫

ଏମନ୍ତେ ରୁଦ୍ର ବର ପାଇ । ଅସୁର ନିଶ୍ଚଳେ ଅନାଇଁ ॥ ୯୬

ଈଶ୍ୱର ବାମଭୁଜ ଧରି । ବିରାଜେ ତ୍ରିପୁରାସୁନ୍ଦରୀ ॥ ୯୭

ଜଗନ୍ମୋହିନୀ ରୂପ ଚାହିଁ । ଅସୁର ମନେ ବିଚାରଇ ॥ ୯୮

ଏ ରୂପ ଅତି ଅଗୋଚର । ଭୁବନେ ନାହିଁ ପଟାନ୍ତର ॥ ୯୯

ତପର ଫଳମାତ୍ର ଏହୁ । ଏ କନ୍ୟା ମୋତେ ଭୋଗ ହେଉ ॥ ୧୦୦

ଈଶ୍ୱର ମୁଣ୍ତେ ହସ୍ତ ଦେଇ । ଏ କନ୍ୟା ଘେନି ଯିବି ମୁହିଁ ॥ ୧୦୧

ବର ପ୍ରତ୍ୟକ୍ଷ ଅନୁମାନ । ବିଡିବା ଈଶ୍ୱର ବଚନ ॥ ୧୦୨

ଏମନ୍ତ ମନେ ବିଚାରିଲା । ଈଶ୍ୱର ନିକଟେ ମିଳିଲା ॥ ୧୦୩

ତାହା ଜାଣିଲେ ଶୂଳଧର । ଅସୁର ତୋଳେ ବାମକର ॥ ୧୦୪

ଈଶ୍ୱର ମୁଣ୍ତେ ଦେବ ହସ୍ତ । ତା ଦେଖି ବେଗେ ଉମାକାନ୍ତ ॥ ୧୦୫

ରୁଦ୍ର ପଳାଇଲେ ପ୍ରତ୍ୟେକ୍ଷେ । ଅସୁର ଗୋଡାଇଲା ପଛେ ॥ ୧୦୬

ସ୍ୱଭାବେ ରୁଦ୍ର ମହାବଳ । ଧାଇଁଲେ ଅବନୀ ମଣ୍ତଳ ॥ ୧୦୭

ପଛକୁ ଚାହିଁ ଶିବ ଭୟେ । ଅସୁର ଲାଗେ ପାୟେ ପାୟେ ॥ ୧୦୮

ଦେଖି ବିକଳେ ଭୂମି ଛାଡି । ଶିବ ଧାଇଁଲେ ଶୂନ୍ୟ ମାଡି ॥ ୧୦୯

ସଙ୍ଗେ ଉଡିଲା ମହାସୁର । ଦେଖି ଡରିଲେ ସୁର ନର ॥ ୧୧୦

ରୁଦ୍ର ଧାମନ୍ତେ ଅନ୍ତରାଳେ । ଡାକନ୍ତି ରଖ ଦିଗପାଳେ ॥ ୧୧୧

ହରବଚନ ଶୁଣି କର୍ଣ୍ଣେ । ତ୍ରିଦଶେ ରହିଲେ ମଉନେ ॥ ୧୧୨

ନ ଶୁଣି ଦେବଙ୍କ ଉତ୍ତର । ଭୟେ ପଳାନ୍ତି ଦେବ ହର ॥ ୧୧୩

ପୁଣି ଚାହାନ୍ତି ପଛ ଭରେ । ଅସୁରକର ଲାଗେ ଶିରେ ॥ ୧୧୪

ଏମନ୍ତେ ରୁଦ୍ର ପଳାଇଲେ । ଭୂର୍ଲୋକ ଭୁବର୍ଲୋକେ ଗଲେ ॥ ୧୧୫

ସ୍ୱର୍ଲୋକ ମହର୍ଲୋକ ଜିଣି । ଜନଲୋକରେ ଶୂଳପାଣି ॥ ୧୧୬

ଡାକନ୍ତି ରଖ ମୁନିଜନେ । ବିଲୋଳ ବିକୃତ ବଚନେ ॥ ୧୧୭

ମୁନି ଯେ ଥିଲେ ତପଲୋକେ । ବାକ୍ୟ ନ ସ୍ପୁରେ ତାଙ୍କ ମୁଖେ ॥ ୧୧୮

ତହୁଁ ମିଳିଲେ ବ୍ରହ୍ମଲୋକେ । ମାୟା ଅସୁର ପଛେ ଡାକେ ॥ ୧୧୯

ତା ଶୁଣି ରୁଦ୍ର ଭୟଚିତ୍ତେ । ଧାଇଁଲେ ବଇକୁଣ୍ଠ ପଥେ ॥ ୧୨୦

ଭୟେ କାତର ଶୁଳଧର । ଡାକନ୍ତି ରଖ ଚକ୍ରଧର ॥ ୧୨୧

ତୁ ନିରଞ୍ଜନ ନାରାୟଣ । ରଖ ମୋହର ପଞ୍ଚପ୍ରାଣ ॥ ୧୨୨

ଶରଣ ପଶିଲି ତୋ ପାଦେ । ଡାକନ୍ତି ଶୋକ ଗଦଗଦେ ॥ ୧୨୩

ହେ ଦେବ ଦେବଙ୍କ ଈଶ୍ୱର । ମୋର ଜୀବନ ରକ୍ଷା କର ॥ ୧୨୪

ଭୟ କାତରେ ତୋ ଶରଣେ । ପଶିଲି ଅଭୟ ଚରଣେ ॥ ୧୨୫

ଦୁଷ୍ଟ ଦାନବ ପରାଭାବେ । ହେ ଗଦାଗ୍ରଜ ତୋତେ ଭାବେ ॥ ୧୨୬

ଏକଇ ଆତ୍ମା ତୋର ମୋର । ଏଣୁ ଏ ଅଶେଷ ସଂସାର ॥ ୧୨୭

ତୋହର ମାୟା କେବା ଜାଣି । ଅଶେଷ ଭୁବନେ ପ୍ରମାଣି ॥ ୧୨୮

ଏ ମାୟା ତୋହର ସର୍ଜନ । ଏଣେ ଅଶେଷ ତ୍ରିଭୁବନ ॥ ୧୨୯

ଯେ ମନ୍ଦ ଦୁଷ୍ଟ ମୂଢଜନେ । ତୁ ନାଥ ତାହାଙ୍କ ମାର୍ଜନେ ॥ ୧୩୦

ଜଗତେ ହେଉ ଅବତାର । ତୋ ପାଦନୀର ଗଙ୍ଗାଜଳ ॥ ୧୩୧

ଗୋବିନ୍ଦ ହେ ଗୋକୁଳ ପତି । ଶରଣ ରଖ ଦାଶରଥି ॥ ୧୩୨

ଭୋ ନାଥ ପ୍ରଭୁ ଚକ୍ରପାଣି । ଚତୁରାନନ ସ୍ତୁତି ଭଣି ॥ ୧୩୩

ତୁ ନାଥ ମୀନରୁପ ହେଳେ । ଧରି ପଶିଲୁ ସିନ୍ଧୁଜଳେ ॥ ୧୩୪

ତକ୍ଷଣେ ମାରି ଶଙ୍ଖାସୁର । ବେଦ ଉଦ୍ଧରି ଚକ୍ରଧର ॥ ୧୩୫

ତୋର ସଞ୍ଚିଲା ଏ ଜଗତ । ତୋହର ମାୟାରେ ମୋହିତ ॥ ୧୩୬

ତାହାଙ୍କୁ ସ୍ୱର୍ଗ ମୋକ୍ଷ ଦାନ । ଦେଇ କରାଉ ମହୀୟାନ ॥ ୧୩୭

ସଚରାଚର ମହୀସ୍ଥଳ । ଲୀଳାରେ କଲୁ ଆଦିମୂଳ ॥ ୧୩୮

ଗୋପୀ ବିନୋଦ ପରିପୂର୍ଣ୍ଣ । ଭୋ ନାଥ ତୋର ବେଣୁସ୍ୱନ ॥ ୧୩୯

କୋମଳ ଗଭୀର ଶବଦେ । ଗିରିକାନନ ପୂରେ ନାଦେ ॥ ୧୪୦

ଗୋପାଳବୃନ୍ଦ ରକ୍ଷା ଅର୍ଥେ । ଗିରି ତୋଳିଲୁ ବାମହସ୍ତେ ॥ ୧୪୧

ଏଣୁ ତୋ ନାମ ଗିରିଧର । ମୋର ଜୀବନ ରକ୍ଷାକର ॥ ୧୪୨

ଏମନ୍ତ ସ୍ତୁତି ରୁଦ୍ର ଭଣି । ଡାକନ୍ତି ରଖ ଚକ୍ରପାଣି ॥ ୧୪୩

ମିଳିଲେ ବଇକୁଣ୍ଠ ଦ୍ୱାରେ । କି ପଟାନ୍ତର ଦେବା ତାରେ ॥ ୧୪୪

ପରମଯୋଗୀଙ୍କର ମନ । ଯୋଗରେ ହୋଇ ଯହିଁ ଲୀନ ॥ ୧୪୫

ପରମବ୍ରହ୍ମ ଜ୍ୟୋତି ରୂପେ । ଯାହାର ତେଜ ବିଶ୍ୱବ୍ୟାପେ ॥ ୧୪୬

ଯହିଁ ଅଶେଷ ଲୋକଗତି । ଜନଜୀବନ ରମାପତି ॥ ୧୪୭

ଶିବ ବିକଳ କର୍ଣ୍ଣେ ଶୁଣି । ତକ୍ଷଣେ ପ୍ରଭୁ ଚକ୍ରପାଣି ॥ ୧୪୮

ମାୟାବଟୁକ ରୂପ ଧରି । ପଥେ ମିଳିଲେ ନରହରି ॥ ୧୪୯

ଚର୍ମମେଖଳା କଟିଭରେ । ତ୍ରିଦଣ୍ତ କମଣ୍ତଳୁ କରେ ॥ ୧୫୦

କଣ୍ଠେ ଲମ୍ବଇ ଅକ୍ଷମାଳ । ମାୟା -ମୂରତି ଆଦିମୂଳ ॥ ୧୫୧

ଅନଳ ପ୍ରାୟେ ତେଜ ଦିଶି । ପଥେ ମିଳିଲେ କୃଷ୍ଣ ଆସି ॥ ୧୫୨

କଲ୍ୟାଣ କରି କୁଶହସ୍ତେ । ବିନୋଇ ବାକ୍ୟ ନାନାମତେ ॥ ୧୫୩

ବୋଲନ୍ତି ପ୍ରଭୁ ଭଗବାନ । କୋମଳ ଗଭୀର ବଚନ ॥ ୧୫୪

ଭଗବାନ ଉବାଚ

ଶକୁନି ପୁତ୍ର ତୁହି ଏକ । ତୋହର ନାମ ପରା ବୃକ ॥ ୧୫୫

ତୁ ଅତିଦୁଃଖେ ଶ୍ରାନ୍ତ ହୋଇ । ଗଗନେ କିମ୍ବା ଅଛୁ ଧାଇଁ ॥ ୧୫୬

ତୋର ସୁନ୍ଦର ନିଜ ତନୁ । ଅଖିଳ ଫଳ କାମଧେନୁ ॥ ୧୫୭

ଆତ୍ମାରେ ଅତି ଶ୍ରମ କରି । ହୃଦରେ ମହାକୋପ ଭରି ॥ ୧୫୮

କିମ୍ବା ଗଗନେ ପାଉ ଶ୍ରମ । ମୋ ଆଗେ କ୍ଷଣେ ତୁ ବିଶ୍ରମ ॥ ୧୫୯

କହ କି ଅର୍ଥେ ତୋ ଗମନ । ଶୁଣିତେ ଶ୍ରଦ୍ଧା ମୋର ମନ ॥ ୧୬୦

ପ୍ରାଣୀ ଯେ ଆପଣାର ହିତେ । କର୍ମ ସାଧନ୍ତି ଅବିରତେ ॥ ୧୬୧

କହ କେବଣ କଥା ତୋର । ହସି ବୋଲନ୍ତି ମାୟାଧର ॥ ୧୬୨

ବୋଲନ୍ତି ଶୁକ ମହାମୁନି । ଏମନ୍ତ କୃଷ୍ଣକଥା ଶୁଣି ॥ ୧୬୩

କୃଷ୍ଣର କହିଲା ସର୍ବକଥା । ଈଶ୍ୱର ତପସ୍ୟା ବ୍ୟବସ୍ଥା ॥ ୧୬୪

ଶୁଣି ହସିଲେ ଭଗବାନ । କହନ୍ତି ମୋହନ ବଚନ ॥ ୧୬୫

ରୁଦ୍ର ବୋଇଲେ ତୋତେ ଯାହା । ସତ ନ କରୁ ଆମ୍ଭେ ତାହା ॥ ୧୬୬

ଦକ୍ଷ ଯେ ପ୍ରଜାପତି ଥିଲା । କୋପେ ରୁଦ୍ରକୁ ଶାପ ଦେଲା ॥ ୧୬୭

ସେ ଶାପ ପାଇ ଦେବ ହର । କ୍ରୋଧ ବହିଲେ ନିରନ୍ତର ॥ ୧୬୮

ତେଣୁ ଦୁରାତ୍ମା ପଦ ପାଇ । ପ୍ରେତ ପିଶାଚ ମଧ୍ୟେ ଥାଇ ॥ ୧୬୯

ଭୂତ ବେତାଳ ପ୍ରତଗଣେ । ଭ୍ରମଇ ଶମଶାନ ସ୍ଥାନେ ॥ ୧୭୦

ତାର ବଚନେ ପ୍ରତେ କାହିଁ । ଭଲେ ଜାଣଇଁ ଏହା ମୁହିଁ ॥ ୧୭୧

ତୋର ବିଚାରେ ଯେବେ ରୁଚେ । ଏଠାରେ ବୁଝ ତୁ ପ୍ରତ୍ୟକ୍ଷେ ॥ ୧୭୨

ଆପଣା ମୁଣ୍ତେ ଦିଅ କର । କିଛି ହିଁ ନୋହିବ ତୋହର ॥ ୧୭୩

ତୋତେ ଭଣ୍ତିଲା ଯେଣୁ ମିଛେ । ତେଣୁ ସେ ପଳାଏ ପ୍ରତ୍ୟକ୍ଷେ ॥ ୧୭୪

ତୁ ତାହା ବାକ୍ୟ ସତ୍ୟ କରି । ଗଗନେ ଭ୍ରମୁ ଅନୁସରି ॥ ୧୭୫

ଏମନ୍ତ ଗୋବିନ୍ଦର ବାଣୀ । ଅସୁର ଚିତ୍ତେ ପରିମାଣି ॥ ୧୭୬

ବିଷ୍ଣୁମାୟାରେ ମୋହ ଗଲା । ଆପଣା ମୁଣ୍ତେ ହସ୍ତ ଦେଲା ॥ ୧୭୭

ତକ୍ଷଣେ ହୋଇ ଭସ୍ମରାଶି । ଗଗନେ ଉଡି ଦିଗେ ମିଶି ॥ ୧୭୮

ବଜ୍ରପ୍ରହାରେ ଗିରି ଯେହ୍ନେ । ବିବୁଧେ ଦେଖନ୍ତି ଗଗନେ ॥ ୧୭୯

କରନ୍ତି ଜୟ ଜୟ ବାଣୀ । ନାମ ଶବଦେ ସ୍ତୁତି ଭଣି ॥ ୧୮୦

ସାଧୁଶବଦ ଦଶଦିଶେ । ଆକାଶୁଁ କୁସୁମ ବରଷେ ॥ ୧୮୧

ପାପିଷ୍ଠ ବକାସୁର ନାଶେ । ରୁଦ୍ର ମିଳିଲେ କୃଷ୍ଣ ପାଶେ ॥ ୧୮୨

ପିତୃ ଦେବତା ଋଷିଗଣ । ସଙ୍ଗତେ ଅମ୍ବିକାରମଣ ॥ ୧୮୩

ଅସୁର ସଂକଟୁ ନିସ୍ତରି । ହରିଙ୍କି ଆଲିଙ୍ଗନ କରି ॥ ୧୮୪

ଗୋବିନ୍ଦ ହରମୁଖ ଚାହିଁ । ବୋଲନ୍ତି କରେ କର ଦେଇ ॥ ୧୮୫

ହେ ଦେବ ଦେବଙ୍କ ଈଶ୍ୱର । ତୋ ଅପରାଧୀ ଏ ଅସୁର ॥ ୧୮୬

ଅର୍ଜିତ କର୍ମେ ଗଲା ନାଶ । ଏ ସତ୍ୟ ଧର୍ମର ବିଶ୍ୱାସ ॥ ୧୮୭

ଦେବହେଳନ ଯେ କରନ୍ତି । ସ୍ୱକର୍ମ ଫଳ ସେ ଭୁଞ୍ଜନ୍ତି ॥ ୧୮୮

ଏମନ୍ତେ କୃଷ୍ଣର ବଚନେ । ଗଲେ ସେ ଯେ ଯାହା ଭୁବନେ ॥ ୧୮୯

କହନ୍ତି ଶୁକ ମହାମୁନି । ଶୁଣ ରାଜନ ଚୂଡାମଣି ॥ ୧୯୦

ଗିରିଶ ମୋକ୍ଷ ଯେ ଶୁଣନ୍ତି । ସର୍ବ ସଙ୍କଟୁ ନିସ୍ତରନ୍ତି ॥ ୧୯୧

ହରି ମହିମା ଦୃଢ ଚିତ୍ତେ । ସୁଜନେ ଶୁଣ ଭାଗବତେ ॥ ୧୯୨

ସୁଜନେ ଏଣେ କର ଚିତ୍ତ । କହଇ ଦାସ ଜଗନ୍ନାଥ ॥ ୧୯୩

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ରୁଦ୍ରମୋକ୍ଷଣଂ

ନାମ ଚତୁର୍ନବତିତମ ଅଧ୍ୟାୟ ॥

* * *