ଦଶମ ସ୍କନ୍ଧ
ଚତୁଃନବତିତମ ଅଧ୍ୟାୟ
ପରୀକ୍ଷ ଶୁକମୁଖ ଚାହିଁ । ବୋଲଇ ଶିରେ କର ଦେଇ ॥ ୧
ପରୀକ୍ଷିତ ଉବାଚ
ଭୋ ମୁନି ସଂଶୟ ମୋ ମନେ । ଛେଦନ କର ସୁପ୍ରସନ୍ନେ ॥ ୨
ଦେବ ଅସୁର ନର ମଧ୍ୟେ । ଯେ ସେବା କରେ ରୁଦ୍ରପାଦେ ॥ ୩
ତାହାଙ୍କ ଘରେ କମଳିନୀ । ସକଳ ନିଧି ସଙ୍ଗେ ଘେନି ॥ ୪
ଖଟଇ ଭୃତ୍ୟପ୍ରାୟ ହୋଇ । ଅନେକ ସୁଖ ସେ ଭୁଞ୍ଜଇ ॥ ୫
ଅଜେୟ ସର୍ବଲୋକ ହୋନ୍ତି । ଏଣୁ ବିଷ୍ଣୁଙ୍କୁ ନ ଭଜନ୍ତି ॥ ୬
କମଳାକାନ୍ତ ଯେ ମୁରାରି । ପ୍ରାଣୀ ତାହାଙ୍କୁ ସେବା କରି ॥ ୭
ସକଳ ଦୁଃଖେ ହୋନ୍ତି ଦୁଃଖୀ । ସ୍ୱଜନେ ତାହାଙ୍କୁ ଉପେକ୍ଷି ॥ ୮
ଜଗତ ଅନାଦର ଭୟେ । ବନେ ପଶଇ ଦୁଃଖ ଦେହେ ॥ ୯
ସେ ହରିହର ଏକମତ । ଭକତେ କିମ୍ପା ବୀପରିତ ॥ ୧୦
ଏଣୁ ସଂଶୟ ଚିତ୍ତ ମୋର । କହି ନିର୍ମଳ ମୋତେ କର ॥ ୧୧
ଶୁଣି ସାନନ୍ଦ ବ୍ୟାସସୁତ । ବୋଲନ୍ତି ଶୁଣ ନରନାଥ ॥ ୧୨
ଶୁକ ଉବାଚ
ଶିବ ଯେ ନିତ୍ୟ ଶକ୍ତିଯୁକ୍ତ । ତ୍ରିଲିଙ୍ଗ ତ୍ରିଗୁଣ ସମ୍ଭୂତ ॥ ୧୩
ସାତ୍ତ୍ୱିକ ରାଜସ ତାମସ । ତ୍ରିଧା ଅହଙ୍କାର ପ୍ରକାଶ ॥ ୧୪
ତେଣୁ ବିକାରେ ହୋନ୍ତି ଜାତ । ବ୍ରହ୍ମାଣ୍ତେ ଏ ଷୋଡଶତତ୍ତ୍ୱ ॥ ୧୫
ଏଥୁ ଏ ବିଭୂତିଙ୍କ ଗତି । ଅଧିଦୈବତେ ଆବୋରନ୍ତି ॥ ୧୬
ଏ ଜୀବ ଆତ୍ମାରୂପ ଧରି । ବିଭୂତିରସ ଭୋଗ କରି ॥ ୧୭
ଏଣୁ ଭକତଜନ ଲାଭେ । ବିଭୂତି ଈଶ୍ୱର ଯେ ଭାବେ ॥ ୧୮
ଭକତେ ଦେଇ ସୁଖଫଳ । ଏବେ ହୋ ଶୁଣ ମହୀପାଳ ॥ ୧୯
ନିର୍ଗୁଣ ନିରଞ୍ଜନ ହରି । ପ୍ରକୃତି ନପାରେ ଆବୋରି ॥ ୨୦
ଏ ସୃଷ୍ଟିପାଳକ ସ୍ୱରୂପେ । ସବୁ ଦେଖଇ ସାକ୍ଷୀରୂପେ ॥ ୨୧
ସେ ହରି ପାଦେ ଯେ ଶରଣ । ତାକୁ ନ ଲାଗେ ତିନିଗୁଣ ॥ ୨୨
ଏଣୁ ନିର୍ଗୁଣ ମୋକ୍ଷ ରୂପେ । ରହନ୍ତି ବିଷ୍ଣୁର ସମୀପେ ॥ ୨୩
ଏ ଭବଜଳୁ ହୋନ୍ତି ପାର । ଏବେ ହୋ ଶୁଣ ନୃପବର ॥ ୨୪
ତୋ ପିତାମହ ଯୁଧିଷ୍ଠିର । ବିଖ୍ୟାତ ଧର୍ମର କୁମର ॥ ୨୫
ରାଜୁଯିସଜ୍ଞ ସମାପତେ । ଆନନ୍ଦେ କୃଷ୍ଣର ଅଗ୍ରତେ ॥ ୨୬
ଧର୍ମପ୍ରସଙ୍ଗ କରୁଥିଲା । ଏ କଥା କୃଷ୍ଣଙ୍କୁ ଅଗ୍ରତେ ॥ ୨୭
ଧର୍ମପ୍ରସଙ୍ଗ କରୁଥିଲା । ଏ କଥା କୃଷ୍ଣଙ୍କୁ ପୁଚ୍ଛିଲା ॥ ୨୮
ଯେ ହରି ଜନଙ୍କର ହିତେ । ମନୁଷ୍ୟ ରୂପ ଏ ଜଗତେ ॥ ୨୯
ଧର୍ମନନ୍ଦନ ପ୍ରଶ୍ନ ଶୁଣି । କହିଲେ ପ୍ରଭୁ ଚକ୍ରପାଣି ॥ ୩୦
ଭଗବାନ ଉବାଚ
ଯାହାକୁ ଚିତ୍ତେ ଦୟା ମୋର । ସମ୍ପଦ ହରଇ ତାହାର ॥ ୩୧
ନିର୍ଦ୍ଧନ ଦେଖି ବନ୍ଧୁଜନେ । ତାକୁ ଛାଡନ୍ତି ଦୁଃଖମନେ ॥ ୩୨
ତାର ସଂସାରେ ଇଚ୍ଛା ନୋହେ । ବନେ ଭ୍ରମିଣ ଦୁଃଖ ସହେ ॥ ୩୩
ମୋର ଭକତ ମିତ୍ରପଣେ । ମୋତେ ଭଜଇ ଅନୁକ୍ଷଣେ ॥ ୩୪
ତାହାର କର୍ମନାଶ କାଳେ । ମୋର ଭକତିଭାବ ବଳେ ॥ ୩୫
ପରମବ୍ରହ୍ମ ସୂକ୍ଷ୍ମରୂପ । ସଚ୍ଚିଦାନନ୍ଦ ମୁଁ ନିର୍ଲେପ ॥ ୩୬
ଏମନ୍ତ ରୂପେ ମୋତେ ଧ୍ୟାୟି । ପଶଇ ମୋର ଦେହେ ଯାଇ ॥ ୩୭
ଏହାକୁ ନ ଲାଗେ ସଂସାର । ଏମନ୍ତ ମହିମା ମୋହର ॥ ୩୮
ଏଣୁ ସଂସାରେ ଇଚ୍ଛା ଯାର । ସେ ମୋତେ ନ କରେ ଆଦର ॥ ୩୯
ରାଜସମ୍ପଦ ଭୋଗ ଇଚ୍ଛା । କରଇ ନାନାମତେ ଦୀକ୍ଷା ॥ ୪୦
ଅଳପ ତପେ ତୋଷ ହୋନ୍ତି । ବେଗେ ବାଞ୍ଛିତ ଫଳ ଦ୍ୟନ୍ତି ॥ ୪୧
ଏମନ୍ତ ଦେବତାଙ୍କୁ ସେବି । ସୁଖ ସମ୍ପଦ ଅନୁଭବି ॥ ୪୨
କାଳେ ଲଭନ୍ତି ମହାଦୁଃଖ । କହି ହସନ୍ତି ପଦ୍ମମୁଖ ॥ ୪୩
ଏମନ୍ତ କୃଷ୍ଣର ବଚନ । କହିଲେ ବ୍ୟାସଙ୍କ ନନ୍ଦନ ॥ ୪୪
ପୁଣି ବୋଲନ୍ତି ଶୁଦ୍ଧଚିତ୍ତେ । ତିନି ଦେବତା ଏ ଜଗତେ ॥ ୪୫
ଶାପ ପ୍ରସାଦର ଈଶ୍ୱର । ବ୍ରହ୍ମା ଗୋବିନ୍ଦ ଶୁଳଧର ॥ ୪୬
ଶାପ ପ୍ରସାଦ ତତକ୍ଷଣେ । ଭକତେ ଦ୍ୟନ୍ତି ବେନି ଜନେ ॥ ୪୭
ଚତୁରାନନ ପଶୁପତି । ଏମନ୍ତେ ନୋହେ କୃଷ୍ଣଗତି ॥ ୪୮
ଏବେ ତୁ ଶୁଣ ତୋଷମନେ । ପୂର୍ବେ ପଣ୍ତିତ ମହାଜନେ ॥ ୪୯
କହିଲେ ଇତିହାସ ବାଣୀ । ତାହାଙ୍କ ମୁଖୁ ମୁହିଁ ଶୁଣି ॥ ୫୦
ଜାଣଇ ଈଶ୍ୱର ବେଭାର । ଶୁଣ କହିବା ତୋ ଛାମୁର ॥ ୫୧
ବୃକାସୁରକୁ ପୂର୍ବକା । ଈଶ୍ୱର ତାର ତପଫଳେ ॥ ୫୨
ପ୍ରସନ୍ନ ହୋଇ ବର ଦେଲେ । ବିଷମ ସଙ୍କଟେ ପଡ଼ିଲେ ॥ ୫୩
ଶକୁନି ନାମେ ମହାସୁର । ଘୋର ଦୁର୍ଗମ ବଳୀୟାର ॥ ୫୪
ମହାବଳିଷ୍ଠ ତା କୁମର । ନାମ ତାହାର ବୃକାସୁର ॥ ୫୫
ସୁର ଅସୁରେ ସେ ଅଜିତ । ଶୁଣ ତାହାର ବିପରୀତ ॥ ୫୬
ମୃଗୟା ଅର୍ଥେ ଏକଦିନେ । ପଥେ ଚଳଇ ଘୋରବନେ ॥ ୫୭
ଚିନ୍ତଇ ପଶୁଙ୍କ ପ୍ରମାଦ । ଏମନ୍ତେ ଭେଟିଲା ନାରଦ ॥ ୫୮
ପ୍ରମାଣ କରି ପାଦଯୁଗେ । କହଇ ନାରଦଙ୍କ ଆଗେ ॥ ୫୯
ଭୋ ମୁନିବର ଏ ଜଗତେ । ଦେବେ ଅଛନ୍ତି ନାନାମତେ ॥ ୬୦
ଭକତଜନ ତପଫଳେ । କେ ବର ଦ୍ୟନ୍ତି ଅଳ୍ପକାଳେ ॥ ୬୧
ତୁମ୍ଭର ମୁଖୁଁ ମୁହିଁ ଶୁଣି । ସେବା କରିବି ତଥ୍ୟ ଜାଣି ॥ ୬୨
ଶୁଣି ବୋଲନ୍ତି ବ୍ରହ୍ମଋଷି । ଅସୁର ବଚନ ପ୍ରଶଂସି ॥ ୬୩
ସାଧୁ ବିଚାର ଏ ତୋହର । ଈଶ୍ୱର ପାଦେ ସେବାକର ॥ ୬୪
ଚତୁରାନନ ଭଗବାନ । ଏହାଙ୍କ ତପେ ମହାବିଘ୍ନ ॥ ୬୫
ତାହାଙ୍କ ତପସ୍ୟା କଠୋର । ଅନେକ କାଳେ ଦ୍ୟନ୍ତି ବର ॥ ୬୬
ତୋହର ଭୋଗେ ଯେବେ ଇଚ୍ଛା । ବେଗେ ତୁ କର ହରଦୀକ୍ଷା ॥ ୬୭
ପୂର୍ବେ ରାବଣ ବାଣାସୁର । ତାଣ୍ତବେ ସେବି ଶୂଳଧର ॥ ୬୮
ଅନେକମତେ କଲେ ଭାବ । ପ୍ରସନ୍ନ ହୋଇ ସଦାଶିବ ॥ ୬୯
ଅତୁଳ ଅଇଶ୍ୱର୍ଯ୍ୟ ଦେଲେ । କାଳେ ସେ ସଙ୍କଟ ଲଭିଲେ ॥ ୭୦
ଏମନ୍ତ କହି ଗଲେ ମୁନି । ବୃକଦାନବ ତାହା ଶୁଣି ॥ ୭୧
ହିମକେଦାର କୁଣ୍ତେ ଯାଇ । ଅନଳ ଜାଳି ତପ ଦାହି ॥ ୭୨
ପରଶୁ ଘେନି ଦୃଢମୁଷ୍ଟି । ନିଜ ଶରୀରୁ ମାଂସ କାଟି ॥ ୭୩
ଘୃତେ ବୁଡ଼ାଇ ମନ୍ତ୍ର ତୋଳି । ଅନଳେ କ୍ଷେପେ ସ୍ୱାହା ବୋଲି ॥ ୭୪
ଅଗ୍ନି ବଦନେ ରୁଦ୍ରେ ଧ୍ୟାୟି । ଶରୀରୁ ସର୍ବ ମାଂସ ଦେଇ ॥ ୭୫
ଅତି କଠୋର ତପ କଲା । ରୁଦ୍ର ଦର୍ଶନ ନ ପାଇଲା ॥ ୭୬
ମନେ ବିଚାରେ ମହାସୁର । ଆଜି କାଟିବି ନିଜ ଶିର ॥ ୭୭
ପୂର୍ଣ୍ଣଆହୁତି କୁଣ୍ତେ ଦେବି । ଏମନ୍ତ ଦୃଢମନେ ଭାବି ॥ ୭୮
କେଦାରକୁଣ୍ତ ଜଳ ଶିରେ । ଆଣି ସିଞ୍ଚିଲା ବେନି କରେ ॥ ୭୯
ହର ସୁମରି ଶସ୍ତ୍ର ଧରି । ଅନଳକୁଣ୍ତେ ମୁଣ୍ତ କରି ॥ ୮୦
ପରଶୁ ପ୍ରହାରନ୍ତେ କନ୍ଧେ । ତକ୍ଷଣେ ଶଙ୍କର ଆନନ୍ଦେ ॥ ୮୧
ସେ କୁଣ୍ତୁ ହୋଇଲେ ବାହାର । ଅନଳ ପ୍ରାୟ ପଞ୍ଚଶିର ॥ ୮୨
ସଙ୍ଗେ ସୁନ୍ଦରୀ ନିଜ ନାରୀ । ଭୁଜେ ଅସୁର କର ଧରି ॥ ୮୩
ବୋଇଲେ ହୋଇଲି ମୁଁ ତୋଷ । ତୋହର ପୁରାଇବି ଆଶ ॥ ୮୪
ଈଶ୍ୱର କର ଦେହେ ଲାଗି । ଅସୁର ହୋଏ ସୁଖଭାଗୀ ॥ ୮୫
ତକ୍ଷଣେ ନିଜ ଦେହ ପାଇ । ତେଜେ ସୁନ୍ଦର ବିରାଜଇ ॥ ୮୬
ଦେଖି ତାହାର ଦିବ୍ୟ ତେଜ । ବୋଲନ୍ତି ପ୍ରଭୁ ଦେବରାଜ ॥ ୮୭
ତପେ ପ୍ରସନ୍ନ ମୁହିଁ ତୋତେ । ବର ତୁ ମାଗ ଦୃଢଚିତ୍ତେ ॥ ୮୮
ତୋର ଦୁର୍ଲ୍ଲଭ ତପଘୋର । ଯେ ତୋର ଇଚ୍ଛା ମାଗ ବର ॥ ୮୯
ଈଶ୍ୱର ଆଜ୍ଞା ପରମାଣେ । ଅସୁର ନମିଲା ଚରଣେ ॥ ୯୦
ଉଠି ଯୋଡିଣ ବେନି କର । ବୋଇଳ ଶୁଣ ଶୁଳଧର ॥ ୯୧
ମୁଁ ଯାର ମୁଣ୍ତେ ଦେବି କର । ଭସ୍ମ ହୋଇବ ତା ଶରୀର ॥ ୯୨
ଏମନ୍ତ ଅସୁର ବଚନେ । ଦୁଃଖ ବିଚାରି ରୁଦ୍ର ମନେ ॥ ୯୩
ହେଉ ବୋଇଲେ ତ୍ରିଲୋଚନ । ସର୍ପକୁ ଯେହ୍ନେ କ୍ଷୀରପାନ ॥ ୯୪
ବିଷ ବର୍ଦ୍ଧନ ମାତ୍ର ଲାଭ । ଦାତାର କାହିଁ ସୁଖଭାବ ॥ ୯୫
ଏମନ୍ତେ ରୁଦ୍ର ବର ପାଇ । ଅସୁର ନିଶ୍ଚଳେ ଅନାଇଁ ॥ ୯୬
ଈଶ୍ୱର ବାମଭୁଜ ଧରି । ବିରାଜେ ତ୍ରିପୁରାସୁନ୍ଦରୀ ॥ ୯୭
ଜଗନ୍ମୋହିନୀ ରୂପ ଚାହିଁ । ଅସୁର ମନେ ବିଚାରଇ ॥ ୯୮
ଏ ରୂପ ଅତି ଅଗୋଚର । ଭୁବନେ ନାହିଁ ପଟାନ୍ତର ॥ ୯୯
ତପର ଫଳମାତ୍ର ଏହୁ । ଏ କନ୍ୟା ମୋତେ ଭୋଗ ହେଉ ॥ ୧୦୦
ଈଶ୍ୱର ମୁଣ୍ତେ ହସ୍ତ ଦେଇ । ଏ କନ୍ୟା ଘେନି ଯିବି ମୁହିଁ ॥ ୧୦୧
ବର ପ୍ରତ୍ୟକ୍ଷ ଅନୁମାନ । ବିଡିବା ଈଶ୍ୱର ବଚନ ॥ ୧୦୨
ଏମନ୍ତ ମନେ ବିଚାରିଲା । ଈଶ୍ୱର ନିକଟେ ମିଳିଲା ॥ ୧୦୩
ତାହା ଜାଣିଲେ ଶୂଳଧର । ଅସୁର ତୋଳେ ବାମକର ॥ ୧୦୪
ଈଶ୍ୱର ମୁଣ୍ତେ ଦେବ ହସ୍ତ । ତା ଦେଖି ବେଗେ ଉମାକାନ୍ତ ॥ ୧୦୫
ରୁଦ୍ର ପଳାଇଲେ ପ୍ରତ୍ୟେକ୍ଷେ । ଅସୁର ଗୋଡାଇଲା ପଛେ ॥ ୧୦୬
ସ୍ୱଭାବେ ରୁଦ୍ର ମହାବଳ । ଧାଇଁଲେ ଅବନୀ ମଣ୍ତଳ ॥ ୧୦୭
ପଛକୁ ଚାହିଁ ଶିବ ଭୟେ । ଅସୁର ଲାଗେ ପାୟେ ପାୟେ ॥ ୧୦୮
ଦେଖି ବିକଳେ ଭୂମି ଛାଡି । ଶିବ ଧାଇଁଲେ ଶୂନ୍ୟ ମାଡି ॥ ୧୦୯
ସଙ୍ଗେ ଉଡିଲା ମହାସୁର । ଦେଖି ଡରିଲେ ସୁର ନର ॥ ୧୧୦
ରୁଦ୍ର ଧାମନ୍ତେ ଅନ୍ତରାଳେ । ଡାକନ୍ତି ରଖ ଦିଗପାଳେ ॥ ୧୧୧
ହରବଚନ ଶୁଣି କର୍ଣ୍ଣେ । ତ୍ରିଦଶେ ରହିଲେ ମଉନେ ॥ ୧୧୨
ନ ଶୁଣି ଦେବଙ୍କ ଉତ୍ତର । ଭୟେ ପଳାନ୍ତି ଦେବ ହର ॥ ୧୧୩
ପୁଣି ଚାହାନ୍ତି ପଛ ଭରେ । ଅସୁରକର ଲାଗେ ଶିରେ ॥ ୧୧୪
ଏମନ୍ତେ ରୁଦ୍ର ପଳାଇଲେ । ଭୂର୍ଲୋକ ଭୁବର୍ଲୋକେ ଗଲେ ॥ ୧୧୫
ସ୍ୱର୍ଲୋକ ମହର୍ଲୋକ ଜିଣି । ଜନଲୋକରେ ଶୂଳପାଣି ॥ ୧୧୬
ଡାକନ୍ତି ରଖ ମୁନିଜନେ । ବିଲୋଳ ବିକୃତ ବଚନେ ॥ ୧୧୭
ମୁନି ଯେ ଥିଲେ ତପଲୋକେ । ବାକ୍ୟ ନ ସ୍ପୁରେ ତାଙ୍କ ମୁଖେ ॥ ୧୧୮
ତହୁଁ ମିଳିଲେ ବ୍ରହ୍ମଲୋକେ । ମାୟା ଅସୁର ପଛେ ଡାକେ ॥ ୧୧୯
ତା ଶୁଣି ରୁଦ୍ର ଭୟଚିତ୍ତେ । ଧାଇଁଲେ ବଇକୁଣ୍ଠ ପଥେ ॥ ୧୨୦
ଭୟେ କାତର ଶୁଳଧର । ଡାକନ୍ତି ରଖ ଚକ୍ରଧର ॥ ୧୨୧
ତୁ ନିରଞ୍ଜନ ନାରାୟଣ । ରଖ ମୋହର ପଞ୍ଚପ୍ରାଣ ॥ ୧୨୨
ଶରଣ ପଶିଲି ତୋ ପାଦେ । ଡାକନ୍ତି ଶୋକ ଗଦଗଦେ ॥ ୧୨୩
ହେ ଦେବ ଦେବଙ୍କ ଈଶ୍ୱର । ମୋର ଜୀବନ ରକ୍ଷା କର ॥ ୧୨୪
ଭୟ କାତରେ ତୋ ଶରଣେ । ପଶିଲି ଅଭୟ ଚରଣେ ॥ ୧୨୫
ଦୁଷ୍ଟ ଦାନବ ପରାଭାବେ । ହେ ଗଦାଗ୍ରଜ ତୋତେ ଭାବେ ॥ ୧୨୬
ଏକଇ ଆତ୍ମା ତୋର ମୋର । ଏଣୁ ଏ ଅଶେଷ ସଂସାର ॥ ୧୨୭
ତୋହର ମାୟା କେବା ଜାଣି । ଅଶେଷ ଭୁବନେ ପ୍ରମାଣି ॥ ୧୨୮
ଏ ମାୟା ତୋହର ସର୍ଜନ । ଏଣେ ଅଶେଷ ତ୍ରିଭୁବନ ॥ ୧୨୯
ଯେ ମନ୍ଦ ଦୁଷ୍ଟ ମୂଢଜନେ । ତୁ ନାଥ ତାହାଙ୍କ ମାର୍ଜନେ ॥ ୧୩୦
ଜଗତେ ହେଉ ଅବତାର । ତୋ ପାଦନୀର ଗଙ୍ଗାଜଳ ॥ ୧୩୧
ଗୋବିନ୍ଦ ହେ ଗୋକୁଳ ପତି । ଶରଣ ରଖ ଦାଶରଥି ॥ ୧୩୨
ଭୋ ନାଥ ପ୍ରଭୁ ଚକ୍ରପାଣି । ଚତୁରାନନ ସ୍ତୁତି ଭଣି ॥ ୧୩୩
ତୁ ନାଥ ମୀନରୁପ ହେଳେ । ଧରି ପଶିଲୁ ସିନ୍ଧୁଜଳେ ॥ ୧୩୪
ତକ୍ଷଣେ ମାରି ଶଙ୍ଖାସୁର । ବେଦ ଉଦ୍ଧରି ଚକ୍ରଧର ॥ ୧୩୫
ତୋର ସଞ୍ଚିଲା ଏ ଜଗତ । ତୋହର ମାୟାରେ ମୋହିତ ॥ ୧୩୬
ତାହାଙ୍କୁ ସ୍ୱର୍ଗ ମୋକ୍ଷ ଦାନ । ଦେଇ କରାଉ ମହୀୟାନ ॥ ୧୩୭
ସଚରାଚର ମହୀସ୍ଥଳ । ଲୀଳାରେ କଲୁ ଆଦିମୂଳ ॥ ୧୩୮
ଗୋପୀ ବିନୋଦ ପରିପୂର୍ଣ୍ଣ । ଭୋ ନାଥ ତୋର ବେଣୁସ୍ୱନ ॥ ୧୩୯
କୋମଳ ଗଭୀର ଶବଦେ । ଗିରିକାନନ ପୂରେ ନାଦେ ॥ ୧୪୦
ଗୋପାଳବୃନ୍ଦ ରକ୍ଷା ଅର୍ଥେ । ଗିରି ତୋଳିଲୁ ବାମହସ୍ତେ ॥ ୧୪୧
ଏଣୁ ତୋ ନାମ ଗିରିଧର । ମୋର ଜୀବନ ରକ୍ଷାକର ॥ ୧୪୨
ଏମନ୍ତ ସ୍ତୁତି ରୁଦ୍ର ଭଣି । ଡାକନ୍ତି ରଖ ଚକ୍ରପାଣି ॥ ୧୪୩
ମିଳିଲେ ବଇକୁଣ୍ଠ ଦ୍ୱାରେ । କି ପଟାନ୍ତର ଦେବା ତାରେ ॥ ୧୪୪
ପରମଯୋଗୀଙ୍କର ମନ । ଯୋଗରେ ହୋଇ ଯହିଁ ଲୀନ ॥ ୧୪୫
ପରମବ୍ରହ୍ମ ଜ୍ୟୋତି ରୂପେ । ଯାହାର ତେଜ ବିଶ୍ୱବ୍ୟାପେ ॥ ୧୪୬
ଯହିଁ ଅଶେଷ ଲୋକଗତି । ଜନଜୀବନ ରମାପତି ॥ ୧୪୭
ଶିବ ବିକଳ କର୍ଣ୍ଣେ ଶୁଣି । ତକ୍ଷଣେ ପ୍ରଭୁ ଚକ୍ରପାଣି ॥ ୧୪୮
ମାୟାବଟୁକ ରୂପ ଧରି । ପଥେ ମିଳିଲେ ନରହରି ॥ ୧୪୯
ଚର୍ମମେଖଳା କଟିଭରେ । ତ୍ରିଦଣ୍ତ କମଣ୍ତଳୁ କରେ ॥ ୧୫୦
କଣ୍ଠେ ଲମ୍ବଇ ଅକ୍ଷମାଳ । ମାୟା -ମୂରତି ଆଦିମୂଳ ॥ ୧୫୧
ଅନଳ ପ୍ରାୟେ ତେଜ ଦିଶି । ପଥେ ମିଳିଲେ କୃଷ୍ଣ ଆସି ॥ ୧୫୨
କଲ୍ୟାଣ କରି କୁଶହସ୍ତେ । ବିନୋଇ ବାକ୍ୟ ନାନାମତେ ॥ ୧୫୩
ବୋଲନ୍ତି ପ୍ରଭୁ ଭଗବାନ । କୋମଳ ଗଭୀର ବଚନ ॥ ୧୫୪
ଭଗବାନ ଉବାଚ
ଶକୁନି ପୁତ୍ର ତୁହି ଏକ । ତୋହର ନାମ ପରା ବୃକ ॥ ୧୫୫
ତୁ ଅତିଦୁଃଖେ ଶ୍ରାନ୍ତ ହୋଇ । ଗଗନେ କିମ୍ବା ଅଛୁ ଧାଇଁ ॥ ୧୫୬
ତୋର ସୁନ୍ଦର ନିଜ ତନୁ । ଅଖିଳ ଫଳ କାମଧେନୁ ॥ ୧୫୭
ଆତ୍ମାରେ ଅତି ଶ୍ରମ କରି । ହୃଦରେ ମହାକୋପ ଭରି ॥ ୧୫୮
କିମ୍ବା ଗଗନେ ପାଉ ଶ୍ରମ । ମୋ ଆଗେ କ୍ଷଣେ ତୁ ବିଶ୍ରମ ॥ ୧୫୯
କହ କି ଅର୍ଥେ ତୋ ଗମନ । ଶୁଣିତେ ଶ୍ରଦ୍ଧା ମୋର ମନ ॥ ୧୬୦
ପ୍ରାଣୀ ଯେ ଆପଣାର ହିତେ । କର୍ମ ସାଧନ୍ତି ଅବିରତେ ॥ ୧୬୧
କହ କେବଣ କଥା ତୋର । ହସି ବୋଲନ୍ତି ମାୟାଧର ॥ ୧୬୨
ବୋଲନ୍ତି ଶୁକ ମହାମୁନି । ଏମନ୍ତ କୃଷ୍ଣକଥା ଶୁଣି ॥ ୧୬୩
କୃଷ୍ଣର କହିଲା ସର୍ବକଥା । ଈଶ୍ୱର ତପସ୍ୟା ବ୍ୟବସ୍ଥା ॥ ୧୬୪
ଶୁଣି ହସିଲେ ଭଗବାନ । କହନ୍ତି ମୋହନ ବଚନ ॥ ୧୬୫
ରୁଦ୍ର ବୋଇଲେ ତୋତେ ଯାହା । ସତ ନ କରୁ ଆମ୍ଭେ ତାହା ॥ ୧୬୬
ଦକ୍ଷ ଯେ ପ୍ରଜାପତି ଥିଲା । କୋପେ ରୁଦ୍ରକୁ ଶାପ ଦେଲା ॥ ୧୬୭
ସେ ଶାପ ପାଇ ଦେବ ହର । କ୍ରୋଧ ବହିଲେ ନିରନ୍ତର ॥ ୧୬୮
ତେଣୁ ଦୁରାତ୍ମା ପଦ ପାଇ । ପ୍ରେତ ପିଶାଚ ମଧ୍ୟେ ଥାଇ ॥ ୧୬୯
ଭୂତ ବେତାଳ ପ୍ରତଗଣେ । ଭ୍ରମଇ ଶମଶାନ ସ୍ଥାନେ ॥ ୧୭୦
ତାର ବଚନେ ପ୍ରତେ କାହିଁ । ଭଲେ ଜାଣଇଁ ଏହା ମୁହିଁ ॥ ୧୭୧
ତୋର ବିଚାରେ ଯେବେ ରୁଚେ । ଏଠାରେ ବୁଝ ତୁ ପ୍ରତ୍ୟକ୍ଷେ ॥ ୧୭୨
ଆପଣା ମୁଣ୍ତେ ଦିଅ କର । କିଛି ହିଁ ନୋହିବ ତୋହର ॥ ୧୭୩
ତୋତେ ଭଣ୍ତିଲା ଯେଣୁ ମିଛେ । ତେଣୁ ସେ ପଳାଏ ପ୍ରତ୍ୟକ୍ଷେ ॥ ୧୭୪
ତୁ ତାହା ବାକ୍ୟ ସତ୍ୟ କରି । ଗଗନେ ଭ୍ରମୁ ଅନୁସରି ॥ ୧୭୫
ଏମନ୍ତ ଗୋବିନ୍ଦର ବାଣୀ । ଅସୁର ଚିତ୍ତେ ପରିମାଣି ॥ ୧୭୬
ବିଷ୍ଣୁମାୟାରେ ମୋହ ଗଲା । ଆପଣା ମୁଣ୍ତେ ହସ୍ତ ଦେଲା ॥ ୧୭୭
ତକ୍ଷଣେ ହୋଇ ଭସ୍ମରାଶି । ଗଗନେ ଉଡି ଦିଗେ ମିଶି ॥ ୧୭୮
ବଜ୍ରପ୍ରହାରେ ଗିରି ଯେହ୍ନେ । ବିବୁଧେ ଦେଖନ୍ତି ଗଗନେ ॥ ୧୭୯
କରନ୍ତି ଜୟ ଜୟ ବାଣୀ । ନାମ ଶବଦେ ସ୍ତୁତି ଭଣି ॥ ୧୮୦
ସାଧୁଶବଦ ଦଶଦିଶେ । ଆକାଶୁଁ କୁସୁମ ବରଷେ ॥ ୧୮୧
ପାପିଷ୍ଠ ବକାସୁର ନାଶେ । ରୁଦ୍ର ମିଳିଲେ କୃଷ୍ଣ ପାଶେ ॥ ୧୮୨
ପିତୃ ଦେବତା ଋଷିଗଣ । ସଙ୍ଗତେ ଅମ୍ବିକାରମଣ ॥ ୧୮୩
ଅସୁର ସଂକଟୁ ନିସ୍ତରି । ହରିଙ୍କି ଆଲିଙ୍ଗନ କରି ॥ ୧୮୪
ଗୋବିନ୍ଦ ହରମୁଖ ଚାହିଁ । ବୋଲନ୍ତି କରେ କର ଦେଇ ॥ ୧୮୫
ହେ ଦେବ ଦେବଙ୍କ ଈଶ୍ୱର । ତୋ ଅପରାଧୀ ଏ ଅସୁର ॥ ୧୮୬
ଅର୍ଜିତ କର୍ମେ ଗଲା ନାଶ । ଏ ସତ୍ୟ ଧର୍ମର ବିଶ୍ୱାସ ॥ ୧୮୭
ଦେବହେଳନ ଯେ କରନ୍ତି । ସ୍ୱକର୍ମ ଫଳ ସେ ଭୁଞ୍ଜନ୍ତି ॥ ୧୮୮
ଏମନ୍ତେ କୃଷ୍ଣର ବଚନେ । ଗଲେ ସେ ଯେ ଯାହା ଭୁବନେ ॥ ୧୮୯
କହନ୍ତି ଶୁକ ମହାମୁନି । ଶୁଣ ରାଜନ ଚୂଡାମଣି ॥ ୧୯୦
ଗିରିଶ ମୋକ୍ଷ ଯେ ଶୁଣନ୍ତି । ସର୍ବ ସଙ୍କଟୁ ନିସ୍ତରନ୍ତି ॥ ୧୯୧
ହରି ମହିମା ଦୃଢ ଚିତ୍ତେ । ସୁଜନେ ଶୁଣ ଭାଗବତେ ॥ ୧୯୨
ସୁଜନେ ଏଣେ କର ଚିତ୍ତ । କହଇ ଦାସ ଜଗନ୍ନାଥ ॥ ୧୯୩
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ରୁଦ୍ରମୋକ୍ଷଣଂ
ନାମ ଚତୁର୍ନବତିତମ ଅଧ୍ୟାୟ ॥
* * *