ଦଶମ ସ୍କନ୍ଧ
ତ୍ରିନବତିତମ ଅଧ୍ୟାୟ
ସୁଭଦ୍ରା-ତନୟ-କୁମର । କୃଷ୍ଣସେବକ ମଧ୍ୟେ ସାର ॥ ୧
ପ୍ରଣାମ କରି ଶୁକ ପାଦେ । ବୋଲେ ଆନନ୍ଦ ଗଦଗଦେ ॥ ୨
ପରୀକ୍ଷିତ ଉବାଚ
ଭୋ ମୁନି ତୁମ୍ଭର ମହିମା । କେ କହିପାରେ ଗୁଣସୀମା ॥ ୩
କୃଷ୍ଣସେବକ ମଧ୍ୟେ ବର । ମୁଁ ତୁମ୍ଭ ଚରଣେ କିଙ୍କର ॥ ୪
ପାଣ୍ତବ କୁଳେ ଜାତ ହୋଇ । ସ୍ୱଭାବେ ଭାଗ୍ୟବନ୍ତ ମୁହିଁ ॥ ୫
ତୁମ୍ଭର ମୁଖୁଁ କୃଷ୍ଣବାଣୀ । ନିରତେ ଶ୍ରୁତିପଥେ ଶୁଣି ॥ ୬
ଅନେକ ଜନ୍ମ ତପଫଳେ । ଜନ୍ମିଲି ଭାରତମଣ୍ତଳେ ॥ ୭
ଦେଖ ମୋହର ଜନ୍ମକାଳେ । ଲିଖିତ ଅଛି ଯେ କପାଳେ ॥ ୮
ସେ ଘେନି ପ୍ରାଣ ତ୍ୟାଗ କାଳେ । ଚରଣ ଦେଇ ଗଙ୍ଗାଜଳେ ॥ ୯
ବ୍ରହ୍ମ ବିଚାର ତୁମ୍ଭ ତୁଲେ । କଲି ଆନନ୍ଦ ସୁଖ ଭୋଳେ ॥ ୧୦
ବିଶ୍ୱସଂସାର ମଧ୍ୟେ ହରି । ଜନ୍ମିଲେ ଯେତେ ରୂପ ଧରି ॥ ୧୧
ମୀନ କମଠ ଆଦି ରୂପ । ଧରି ନାଶିଲେ ମହୀତାପ ॥ ୧୨
ଯେ ଏହା ଶୁଣେ କର୍ଣ୍ଣଦ୍ୱାରେ । ନ ବୁଡେ ସଂସାର ସାଗରେ ॥ ୧୩
ହରି ମହିମା ତୁମ୍ଭେ ଯେତେ । ମୋତେ କହିଲ ଭାଗବତେ ॥ ୧୪
ସଂସାର-ବୃକ୍ଷ-ମୂଳ-କନ୍ଦ । ଅନାଦି ପୁରୁଷ ଗୋବିନ୍ଦ ॥ ୧୫
ନିଜ ସ୍ୱରୂପେ ବ୍ରହ୍ମରାଶି । ଏକ ଅନେକ ରୂପେ ଦିଶି ॥ ୧୬
ବସଇ ସର୍ବଜୀବ ଦେହେ । ବିଷୟ-ମାୟା-ଜଡ ମୋହେ ॥ ୧୭
କର୍ମ କରଇ ତେଜ ବହି । କାର୍ଯ୍ୟକାରଣେ ନ ଲାଗଇ ॥ ୧୮
ଏଣୁ ତା ନିଜ ରୂପ ଭାବ । ସଂସାରେ କେ ଅବା କହିବ ॥ ୧୯
ବେଦ-ବେଦାନ୍ତ କେବା ଜାଣୁ । ଯେ ନୋହେ ଅଣୁ ପରମାଣୁ ॥ ୨୦
ନାଭିକମଳୁ ବ୍ରହ୍ମା ଜାତ । ସେ ଖୋଜି ନ ପାଇଲା ଅନ୍ତ ॥ ୨୧
ତାର ନିଃଶ୍ୱାସୁଁ ବେଦ ଜନ୍ମି । ତ୍ରିଗୁଣ ମାୟାଚକ୍ରେ ଭ୍ରମି ॥ ୨୨
କେମନ୍ତେ ବିଷ୍ଣୁଙ୍କୁ ଜାଣନ୍ତି । ଏ ମୋର ମନେ ବଡ ଭ୍ରାନ୍ତି ॥ ୨୩
ସ୍ୱଭାବେ ବିଷ୍ଣୁ ନିରଞ୍ଜନ । ନୋହେ ପ୍ରକାଶ ସ୍ଥୂଳ ଶୂନ୍ୟ ॥ ୨୪
ଏ କଥା କହ ମୁନିବର । ନିର୍ମଳ ହେଉ ମୋ ଶରୀର ॥ ୨୫
ଏମନ୍ତ ପରୀକ୍ଷିତ ବାଣୀ । ଶୁକ ବୋଲନ୍ତି ତାହା ଶୁଣି ॥ ୨୬
ଶୁକ ଉବାଚ
ତୁ ପୁଣ୍ୟବନ୍ତ ନୃପବର । ଚଞ୍ଚଳ ମନ ସ୍ଥିର କର ॥ ୨୭
ଜଗତ ଈଶ୍ୱର ମୁରାରି । ସଂସାର ମାୟାଯୋଗେ କରି ॥ ୨୮
ଭିଆଇ ସୂକ୍ଷ୍ମରୂପେ ଜୀବ । ସ୍ଥାବର ଆଦି ଦେହୀ ସର୍ବ ॥ ୨୯
ଆଗେ ଭିଆଣ କଲା ମନ । ଅହଙ୍କାର ବୁଦ୍ଧି ଚେତନ ॥ ୩୦
କର୍ମର ଅର୍ଥେ ଇନ୍ଦ୍ରିଗଣ । ସର୍ଜିଲା ଆଦି ନାରାୟଣ ॥ ୩୧
କର୍ମରୁ ବାସନା ସମ୍ଭୂତ । ତେଣୁଟି ବଦ୍ଧ ଏ ଜଗତ ॥ ୩୨
କର୍ମ ବାସନା ରଜ୍ଜୁ ବଳେ । ପ୍ରାଣୀ ଭ୍ରମନ୍ତି ଏ ଶୟଳେ ॥ ୩୩
ଏଣୁ ସେ ଇହ ପରଲୋକେ । ଫଳ ଭୁଞ୍ଜଇ ଦୁଃଖେ ସୁଖେ ॥ ୩୪
ଏ ଘେନି କର୍ମର ଭିଆଣ । ପ୍ରବୃତ୍ତି ନିବୃତ୍ତି କାରଣ ॥ ୩୫
ଦେହ ଧାରଣା ଦଶପ୍ରାଣ । ଭିରରେ ବାହାରେ ପ୍ରମାଣ ॥ ୩୬
ଏମନ୍ତ ସର୍ଜି ବିଶ୍ୱକାୟା । ତୁ ମୋତେ ପଚାରିଲୁ ଯାହା ॥ ୩୭
ବୋଲୁ ଯେ ବିଷ୍ଣୁର ମହିମା । କେ ଜାଣିପାରେ ଗୁଣସୀମା ॥ ୩୮
ବେଦ କେମନ୍ତେ ତାହା ଜାଣି । କହେ ମହିମା ପରିମାଣି ॥ ୩୯
ବୁଦ୍ଧି ଇନ୍ଦ୍ରିୟ ପ୍ରାୟ ମନ । ଏହାଙ୍କ ବିଷୟ ପ୍ରମାଣ ॥ ୪୦
ଯେ ରୂପେ ହୋଇବ ପ୍ରବେଶ । ତହିଁକି ଦେବ ଉପଦେଶ ॥ ୪୧
ବିଧାତା ଆଦି ଯେତେ ମୁନି । ବେଦରୁ ବ୍ରହ୍ମଭାଗ ଘେନି ॥ ୪୨
ସେ ବ୍ରହ୍ମଜ୍ଞାନକୁ ଶ୍ରବଣ । ଆବର କରନ୍ତି ଧାରଣ ॥ ୪୩
ବେଦ ବଚନେ ବ୍ରହ୍ମ ଜାଣି । ଭବସାଗରୁ ତରେ ପ୍ରାଣୀ ॥ ୪୪
ବେଦୁଁ ପରମ ଗତି ପାନ୍ତି । ଉପନିଷଦ ଭାଗ ଚିନ୍ତି ॥ ୪୫
ଶୁଣ ପାଣ୍ତବ ଚୂଡାମଣି । ଯେମନ୍ତେ ବେଦୁଁ ବ୍ରହ୍ମ ଜାଣି ॥ ୪୬
ପୁଣ୍ୟ ଆଶ୍ରମ ବଦରିକା । ଯହିଁ ଗୋବିନ୍ଦ ବେନି ସଖା ॥ ୪୭
ସେ ନର ନାରାୟଣ ରୂପେ । ସାଧନ୍ତି ଜନ୍ମସୁଖ ତପେ ॥ ୪୮
ଭାରତ ମଧ୍ୟେ ଯେତେ ଜନ୍ତୁ । ଏହାଙ୍କ ତପ ତାଙ୍କ ହେତୁ ॥ ୪୯
କଳାପ ଗ୍ରାମେ ଯଜ୍ଞବାଟେ । ମୁନିଏ ଅଛନ୍ତି ନିକଟେ ॥ ୫୦
ତହିଁ ନାରଦ ମହାମୁନି । ମିଳିଲେ ବିଷ୍ଣୁଭାବ ଘେନି ॥ ୫୧
ସେ ମୁନି ବିଷ୍ଣୁର ସ୍ୱରୂପ । ଜୀବନମୁକ୍ତ ଜ୍ଞାନଦୀପ ॥ ୫୨
ନିରତେ ଜନ ଉପକାରେ । ଭ୍ରମନ୍ତି ଚତୁର୍ଦ୍ଦଶପୁରେ ॥ ୫୩
ବୀଣାଶବଦ କରେ ବାଇ । ମିଳିଲେ ବିଷ୍ଣୁ ପାଶେ ଯାଇ ॥ ୫୪
ଚରଣେ ଦେଇ ବେନିକର । ନମିଲେ ବ୍ରହ୍ମାଙ୍କ କୁମର ॥ ୫୫
କହନ୍ତି ଶୁକ ମୁନିବର । ଶୁଣ ପରୀକ୍ଷ ନୃପବର ॥ ୫୬
ବିଷ୍ଣୁ ନାରଦଙ୍କ ସମ୍ବାଦ । ଶୁଣନ୍ତେ ନ ଲାଗେ ପ୍ରମାଦ ॥ ୫୭
ବୋଲି ନାରଦ ମହାଋଷି । ବିଷ୍ଣୁ ଚରଣତଳେ ବସି ॥ ୫୮
ନମଇଁ ପ୍ରଭୁ ନାରାୟଣ । ତୁମ୍ଭର ଅଭୟଚରଣ ॥ ୫୯
ହୃଦରେ ଅଛି ମୋ ସନ୍ଦେହ । ବ୍ରହ୍ମବିଚାର ମୋତେ କୁହ ॥ ୬୦
କହନ୍ତି ନାରାୟଣ ଋଷି । ନାରଦ ବାକ୍ୟ ପରଶଂସି ॥ ୬୧
ନାରାୟଣ ଉବାଚ
ଶୁଣ ନାରଦ ଶୁଦ୍ଧଚେତା । ଜନଲୋକ ସମ୍ବାଦ କଥା ॥ ୬୨
ବ୍ରହ୍ମା ମନରୁ ଜାତ ହୋଇ । ସନକ ଆଦି ଚାରିଭାଇ ॥ ୬୩
ଯୋଗ ସାଧନେ ଉର୍ଦ୍ଧ୍ୱରେତା । ବ୍ରହ୍ମବିଚାରେ ସେ ବକତା ॥ ୬୪
ସମାନ ବୁଦ୍ଧି ଚାରିଭାଇ । ଶ୍ରୋତା ବକତା ହୋଇ ତହିଁ ॥ ୬୫
ତାହାଙ୍କ ମଧ୍ୟେ ବିଚାରଣ । ଯେ ବ୍ରହ୍ମ ପରମକାରଣ ॥ ୬୬
ସେ ବ୍ରହ୍ମବିଚାର ସୂଚକେ । ତୁମ୍ଭେ ନ ଥିଲ ଜନଲୋକେ ॥ ୬୭
ଅଗାଧ ଜଳେ ଶ୍ୱେତଦୀପେ । ବିଷ୍ଣୁ ଶୟନ ମହାସର୍ପେ ॥ ୬୮
ଦେଖିବା ପାଇଁ ତୁମ୍ଭେ ଗଲ । ସେ ଘେନି ସେ ଲୋକେ ନଥିଲ ॥ ୬୯
ତୁମ୍ଭ ଗଲାରେ ପ୍ରଶ୍ନ ହୋଇ । ଶୁଣିଲି ଜନଲୋକ ମୁହିଁ ॥ ୭୦
ନାରଦ ଉବାଚ
ମୁନି ବୋଲନ୍ତି ନାରାୟଣ । ଗହନ ବ୍ରହ୍ମ ବିଚାରଣ ॥ ୭୧
ମନ ବଚନେ ନୋହେ ଧରି । ବେଦ କି ପାରେ ଅନ୍ତଃ କରି ॥ ୭୨
ସମାନଜ୍ଞାନୀ ଚାରିମୁନି । ଶ୍ରୋତା ବକତା ଭାବ ଘେନି ॥ ୭୩
ବ୍ରହ୍ମ ସମ୍ବାଦ କଲେ ଯାହା । ଭୋ ନାଥ ମୋତେ କହ ତାହା ॥ ୭୪
ନାରାୟଣ ଉବାଚ
କହନ୍ତି ପ୍ରଭୁ ନାରାୟଣ । ନାରଦ ସାବଧାନେ ଶୁଣ ॥ ୭୫
ବ୍ରହ୍ମାର ସେ ଚାରି କୁମର । ମହାମହିମା ତାହାଙ୍କର ॥ ୭୬
ସନନ୍ଦ ମୁନି ମୁଖ ଚାହିଁ । ବ୍ରହ୍ମ ପୁଚ୍ଛିଲେ ତିନିଭାଇ ॥ ୭୭
ମୁନିଏ ବାଳଖିଲ୍ୟା ଆଦି । ଅନେକ ଥିଲେ ବ୍ରହ୍ମବାଦୀ ॥ ୭୮
ସନନ୍ଦ କହେ ଶୁଦ୍ଧମନେ । ବ୍ରାହ୍ମଣେ ଶୁଣ ସାବଧାନେ ॥ ୭୯
ପୁରାଣ ପୁରୁଷ ମୁରାରି । ମାୟାର ବଳେ ସୃଷ୍ଟି କରି ॥ ୮୦
ପାଳନ ଧର୍ମରୂପେ କଲା । ପୁଣି ପ୍ରଳୟେ ସଂହାରିଲା ॥ ୮୧
ସେ ମାୟା ନିଜ ଦେହେ ଧରି । ଜଳ ଶୟନେ ନରହରି ॥ ୮୨
ବିଷ୍ଣୁ ରଜନୀ ପ୍ରକାଶିଲା । କେ ଜାଣେ କେତେଗାଳ ଗଲା ॥ ୮୩
ପ୍ରବୋଧ କାଳେ ସେ ପୁରୁଷ । ଅଳସେ ଛାଡିଲା ନିଶ୍ୱାସ ॥ ୮୪
ଶୁଭିଲା ପ୍ରଚଣ୍ତ ଶବଦ । ତହୁଁ ଜନ୍ମିଲେ ତିନି ବେଦ ॥ ୮୫
ଦୁର୍ଗମ ଅନ୍ଧକାର ଦେଖି । ଭୟେ ବୁଜିଲେ ବେନିଆଖି ॥ ୮୬
ବିଷ୍ଣୁର ତେଜ ସେ ବହନ୍ତି । ବିଷ୍ଣୁ ଭେଟିଲେ ଯିବ ଭ୍ରାନ୍ତି ॥ ୮୭
ଏତେ ବିଚାର ମନେ ଘେନି । ସ୍ତୁତି କରନ୍ତି ବେଦ ତିନି ॥ ୮୮
ମାଗଧେ ରଜନୀର ଅନ୍ତେ । ରାଜାଙ୍କୁ ଡାକନ୍ତି ଯେମନ୍ତେ ॥ ୮୯
ବେଦଗଣ ଉବାଚ
ପ୍ରଥମେ ଜୟ ଜୟ ସ୍ତୁତି । ନିର୍ଗୁଣ ନିଗମେ ବୋଲନ୍ତି ॥ ୯୦
ଜୟ ଅଜିତ ଆଦିକନ୍ଦ ଆଦିକନ୍ଦ । ନିର୍ଲେପ ପରମ ଆନନ୍ଦ ॥ ୯୧
ଜୟ ମଙ୍ଗଳ ଜଗନ୍ନାଥ । ଏ ଜୀବ ତୋର ତହୁଁ ଜାତ ॥ ୯୨
ସ୍ଥାବର ଆଦି ଚାରି ମୂଳେ । ବନ୍ଧନ ବାସନାର ବଳେ ॥ ୯୩
ତୋର ମାୟାରେ ଭ୍ରମ ପାଇ । ନାନା ଯୋନିରେ ଜାତ ହୋଇ ॥ ୯୪
ଭ୍ରମନ୍ତି ତୋ ଭାବ ନ ପାଇ । ତାହାଙ୍କ ମାୟା ଛେଦ ତୁହି ॥ ୯୫
ସେ ମାୟା ପ୍ରକାଶିବୁ କେତେ । ଗୁଣ ଯେ ଭଜେ ଦୋଷ ଅର୍ଥେ ॥ ୯୬
ତୁ ଆତ୍ମାଗୁଣେ ନରହରି । ଅଷ୍ଟମ ନିଧି ଯୋଗଧାରୀ ॥ ୯୭
ଉପାଧି ଭେଦେ ନୋହୁଁ ସଙ୍ଗ । ସଲିଳେ ଯେସନେ ତରଙ୍ଗ ॥ ୯୮
ପରମ ଆତ୍ମା ରୂପେ ବସୁ । ଜୀବର ଶକ୍ତି ତୁ ପ୍ରକାଶୁ ॥ ୯୯
ତୋ ମାୟା ତରିବାର ଆଶେ । ବୈରାଗ ଜ୍ଞାନ ସେ ଅଭ୍ୟାସେ ॥ ୧୦୦
ନାନାପ୍ରକାରେ ବୁଦ୍ଧି କରି । ତୋ ମାୟା ନ ପାରନ୍ତି ତରି ॥ ୧୦୧
ଏଣୁ ଜୀବର ଘୋର ମାୟା । ତୁଟଇ ଯାକୁ କରୁ ଦୟା ॥ ୧୦୨
ଅନାଦିମାୟା ସୃଷ୍ଟି କାଳେ । ତୁ ସେ ମାୟାର ସଙ୍ଗମେଳେ ॥ ୧୦୩
ଜୀବ ପରମ ରୂପ ଧରି । ତୋହର କ୍ରୀଡା ନରହରି ॥ ୧୦୪
ଅନନ୍ତ ଶକ୍ତି ତୋର ମାୟା । କେ ଜାଣିପାରେ ନାଥ ତାହା ॥ ୧୦୫
ଆଦି ଅନ୍ତ ନାହିଁ ତୋହର । ଏ ଘେନି କେ କରୁ ଗୋଚର ॥ ୧୦୬
ଦ୍ୱିତୀୟେ ବୃହଦୁପଲବ୍ଧ । ଭାବେ ବୋଲନ୍ତି ତିନି ବେଦ ॥ ୧୦୭
ତୁ ନାଥ ପରମଆନନ୍ଦ । ସଂସାର ମୂଳ ଆଦିକନ୍ଦ ॥ ୧୦୮
ତୁ ବୋଲୁ ବେଦ ଯେ ଅନାଦି । ସର୍ବ ପାରନ୍ତି ଏ ସମ୍ପାଦି ॥ ୧୦୯
ବାସବ ଆଦି ଦେବଗଣ । ଏ ଦେବେ ଯଜ୍ଞରେ ବରଣ ॥ ୧୧୦
କର୍ମ କରଣ ଶୁଭାଶୁଭ । ମୋକ୍ଷାଦି ଦିଅନ୍ତି ଏ ସର୍ବ ॥ ୧୧୧
ତହିଁ କି କହିବୁ ତୋ ଆଗେ । ପବନ ଯୋଗେ ଜଳବିମ୍ବେ ॥ ୧୧୨
କରିବା ଯେତେ ଅନୁମାନ । ଜଳୁ ସେ ନୁହନ୍ତି ତା ଭିନ୍ନ ॥ ୧୧୩
ତୁ ସର୍ବମୟ ନିରାକାର । ଅଶେଷ ଶେଷ ନାହିଁ ତୋର ॥ ୧୧୪
ସୃଷ୍ଟି ସମ୍ବୂତ ତୋର ତହୁଁ । ତୁ ବ୍ରହ୍ମ ବିକାର ଯେ ନୋହୁ ॥ ୧୧୫
ଘଟାଦି ମୃତ୍ତିକା ଯେସନେ । ଉଦୟ ଅସ୍ତ ଅନୁମାନେ ॥ ୧୧୬
ବାସବ ଆଦି ଏ ଜଗତେ । ତୋହର ସଞ୍ଚିଲା ଜଗତେ ॥ ୧୧୭
ଏ ଘେନି ଋଷିଗଣ ଯେତେ । ମନବଚନ ଦେଇ ତୋତେ ॥ ୧୧୮
ସମର୍ପି ତୋ ପାଦ କମଳେ । ତୋ ମାୟା ନିସ୍ତରନ୍ତି ହେଳେ ॥ ୧୧୯
ଦିଗପାଳଙ୍କ ପୂଜା ଘେନି । ଯଜ୍ଞେ କି ନ ତରିବେ ମୁନି ॥ ୧୨୦
କାଷ୍ଠ ତୃଣ ଅବା ପାଷାଣ । ଏଣେ ଯେ ଚାଳନ୍ତି ଚରଣ ॥ ୧୨୧
ବାଳକ ଦୃଷ୍ଟି ଦିଶେ ଭ୍ରାନ୍ତି । ଜାଣିଲେ ଭୂମିରେ ସେ ଥାନ୍ତି ॥ ୧୨୨
ତୃତୀୟେ ଇତି ବେଦେ ବାଣୀ । ଭାବେ ବୋଲନ୍ତି ପରିମାଣି ॥ ୧୨୩
ତ୍ରି ଅଧପତି ତୋର ନାମ । କହିବୁଁ ଶୁଣ ସାବଧାନ ॥ ୧୨୪
ତ୍ରିଗୁଣ ମାୟାଯନ୍ତ୍ର କରି । ମୃଗୀ ନଚାଉ ନରହରି ॥ ୧୨୫
ଏଣୁ ତୋ ତ୍ରିଅଧିପ ନାମ । ଶୁଣ କହିବୁଁ ଗୁଣ ଗ୍ରାମ ॥ ୧୨୬
ଆଦ୍ୟେ ଯେ ମୃଗ ଅନ୍ୱେଷଣ । ତାହାର ଅର୍ଥଟି ଭ୍ରମଣ ॥ ୧୨୭
ସେ ଭ୍ରମ ଅଛି ଯାର ତହିଁ । ଏ ଘେନି ମୃଗୀ ସେ ବୋଲାଇ ॥ ୧୨୮
ଅଶେଷ ଯୋନି ମଧ୍ୟେ ଥାଇ । ଜୀବ ଭ୍ରମଇ ଦେହ ବହି ॥ ୧୨୯
ଏଣୁ ଏ ଜୀବ ମୃଗୀ ନାମ । ଯେଣୁ ନିରତେ ତାର ଭ୍ରମ ॥ ୧୩୦
ତ୍ରିଗୁଣ ସତ୍ତ୍ୱ ରଜ ତମ । ଏମନ୍ତ ଯନ୍ତ୍ର ଅନୁମାନ ॥ ୧୩୧
ନାନା ବିଷୟ ବିଦ୍ୟମାନେ । ଜୀବ ନାଚଇ ସାବଧାନେ ॥ ୧୩୨
ଏଣୁ ତ୍ରିଅଧିପ ବୋଲାଉ । ଯେ ଯନ୍ତ୍ରେ ଜୀବକୁ ନଚାଉ ॥ ୧୩୩
ଏମନ୍ତେ ବେଦ ଅନୁମାନି । ପୁଣି ବୋଲନ୍ତି ଭାବ ଘେନି ॥ ୧୩୪
ସଂସାରେ ସୁପଣ୍ତିତ ପ୍ରାଣୀ । ତୋ ଅନୁମାନେ ତୋତେ ଜାଣି ॥ ୧୩୫
ତୋ କଥା ଅମୃତ ସାଗର । ଅଶେଷ ପାପ ଯହିଁ ଦୂର ॥ ୧୩୬
ସେ ଜଳେ ମନ ବୁଡାଇଲେ । ନଲାଗେ ତାପତ୍ରୟ ଭଲେ ॥ ୧୩୭
ତୋ ନାମ ମହିମା ଏମନ୍ତ । ତୋ ରୂପ କେ କରିବ ଅନ୍ତ ॥ ୧୩୮
ଯୋଗୀଏ ବସି ଯୋଗାସନେ । ଅଖଣ୍ତାନନ୍ଦ ରୂପ ଧ୍ୟାନେ ॥ ୧୩୯
ଅନ୍ତଃ କରଣେ ତାହା ଧରି । ତେଜି କାମାଦି ଷଡ ଅରି ॥ ୧୪୦
ଗର୍ଭ ଜନ୍ମ ବାଳ କିଶୋର । ତରୁଣ ବୃଦ୍ଧ ଦେହାନ୍ତର ॥ ୧୪୧
ଏ ସପ୍ତଦଶା ଜିଣି କରି । ମାୟା ସଂସାର ଯାନ୍ତି ତରି ॥ ୧୪୨
ଚତୁର୍ଥେ ଈଶ୍ୱରର ସ୍ତୁତି । ନିର୍ମଳ ନିଗମେ ବୋଲନ୍ତି ॥ ୧୪୩
ଭୋ ନାଥ କମ୍ବୁଚକ୍ରପାଣି । ତୋତେ ଯେ ନ ଭଜନ୍ତି ପ୍ରାଣୀ ॥ ୧୪୪
ଶରୀର ବହି ଏ ଶୟଳେ । ପ୍ରାଣ ତରନ୍ତି ସୁଖ ଭୋଳେ ॥ ୧୪୫
ତାଙ୍କ ଜୀବନ ଅକାରଣ । ଭୋ ନାଥ ଶୁଣ ନାରାୟଣ ॥ ୧୪୬
କର୍ମକାରକ ଯନ୍ତ୍ର ବଳେ । ଭାତିଏ ଗର୍ଜୁଥାନ୍ତି ଶାଳେ ॥ ୧୪୭
ଛାଡିଲେ ନଥାଇ ପବନ । ତେମନ୍ତ ତାହାଙ୍କ ଜୀବନ ॥ ୧୪୮
ମହତ ଅହଙ୍କାର ମନ । ଗଗନ ଆବର ପବନ ॥ ୧୪୯
ଜଳ ଅନଳ ସଙ୍ଗେ ମହୀ । ତୋ ଅନୁଗ୍ରହେ ଜଡ ହୋଇ ॥ ୧୫୦
ବ୍ରହ୍ମାଣ୍ତ ହୋଏ ଦେହଧାରୀ । ତୁ ନାଥ ଜୀବରୂପ ଧରି ॥ ୧୫୧
ପଞ୍ଚଶରୀରେ ତୋର ବାସ । ଯାହାକୁ ବୋଲି ପଞ୍ଚକୋଷ ॥ ୧୫୨
ଅନ୍ନ ଯେ ପ୍ରାଣ ଆର ମନ । ବିଜ୍ଞାନ ଆନନ୍ଦ ଏ ନାମ ॥ ୧୫୩
ଏ ପଞ୍ଚପୁରେ ତୁ ଯେ ପଶି । ଜ୍ୟୋତିସ୍ୱରୂପ ପରକାଶି ॥ ୧୫୪
ଏହାଙ୍କୁ ତୁଲେ ଲଗ୍ନ ନୋହୁ । ଯେଣୁ ନିର୍ଲେପ ରୂପ ବହୁ ॥ ୧୫୫
ଏଣୁ ତୋ ଚରଣ କମଳେ । ଯେ ନ ଭଜନ୍ତି ସୁଖଭୋଳେ ॥ ୧୫୬
ତୁ ନାଥ ତାହାଙ୍କୁ ଦୁର୍ଲ୍ଲଭ । ସେ ପ୍ରାଣୀ ଲଭେ ପରାଭାବ ॥ ୧୫୭
ଉଦର ପଞ୍ଚମରେ ସ୍ତୁତି । ବେଦେ ବାସୁଦେବ ବୋଲନ୍ତି ॥ ୧୫୮
ଶୁଣ ହେ ପରମ କାରଣ । ଋଷିଙ୍କ ମାର୍ଗ ବିଚାରଣ ॥ ୧୫୯
ସ୍ଥୂଳ ଦୃଷ୍ଟିରେ ତୋତେ ଚିନ୍ତି । ସୂକ୍ଷ୍ମ ସ୍ୱରୂପ ନ ଜାଣନ୍ତି ॥ ୧୬୦
ଗୁରୁଙ୍କ ଉପଦେଶ ଶୁଣି । ଉଦରେ ବ୍ରହ୍ମ ପରିମାଣି ॥ ୧୬୧
କୁମ୍ଭକ କର୍ମେ ବାୟୁ ପୁରି । ନାଭିଚକ୍ରକୁ ଧ୍ୟାନ କରି ॥ ୧୬୨
ଉଦର ଚକ୍ରେ ଦୃଷ୍ଟିସ୍ଥିରେ । ଚିନ୍ତତି ପବନ ନିଶ୍ଚଳେ ॥ ୧୬୩
ଚକ୍ର ପବନେ ସୂକ୍ଷ୍ମ ରେଣୁ । ନୟନେ ଆଚ୍ଛାଦଇ ତେଣୁ ॥ ୧୬୪
ତାହାକୁ ଅନ୍ଧ ବୋଲି ଜାଣି । ସେ ତୋତେ କାହିଁ ପରିମାଣି ॥ ୧୬୫
ସେ ନାଭିଚକ୍ର ଉର୍ଦ୍ଧ୍ୱଗତେ । ଦଶ ଅଙ୍ଗୁଳି ପରିମିତେ ॥ ୧୬୬
ସହସ୍ର ସଂଖ୍ୟା ଦ୍ୱିସପ୍ତତି । ନାଡୀଏ ଅଧ ଉର୍ଦ୍ଧ୍ୱେଛନ୍ତି ॥ ୧୬୭
ଏହାଙ୍କ ଦେହେ ପ୍ରାଣ ବହେ । ଦେହ ଆବୋରି ବସ୍ତ୍ର ପ୍ରାୟେ ॥ ୧୬୮
ଏ ନାଡୀମାନଙ୍କର ମୂଳ । ନାମ ତା ହୃଦୟ କମଳ ॥ ୧୬୯
ଆରୁଣି ବଂଶେ ଯେତେ ମୁନି । ତାହାଙ୍କ ଗୁରୁ ଶିକ୍ଷା ଘେନି ॥ ୧୭୦
ସେ ତୋତେ ସୂକ୍ଷ୍ମରୂପେ ଚିନ୍ତି । ହୃଦୟେ ଧ୍ୟାନ ସେ କରନ୍ତି ॥ ୧୭୧
ଭୋ ନାଥ ସୂକ୍ଷ୍ମର ମହିମା । ଆମ୍ଭେ କରିବୁ ଗୁଣ ସୀମା ॥ ୧୭୨
ତୀକ୍ଷ୍ମ ଶସ୍ତ୍ରରେ ବାଳ ଅଗ୍ର । ଚିରି କରିବ ଦଶଭାଗ ॥ ୧୭୩
ତାହାକୁ ପୁଣି ସହସ୍ରକେ । ଚିରି ଗଣିବ ଏକେ ଏକେ ॥ ୧୭୪
ତହିଁର ଏକ ଭାଗ ସମ । ସୂକ୍ଷ୍ମ ବୋଲାଇ ତାର ନାମ ॥ ୧୭୫
ତହିଁ ଯାହାର ମନ ରହେ । ତା ତହୁଁ ଅଧିକ ବୋଲାଏ ॥ ୧୭୬
ଏ ଦୁଇ ଚକ୍ର ଭେଦ କଲେ । ସୁଷୁମ୍ନା ରନ୍ଧ୍ରେ ଯୋଗବଳେ ॥ ୧୭୭
ମୃଣାଳସୂତ୍ର ରନ୍ଧ୍ର ପଥେ । ମନ ପବନ ଉର୍ଦ୍ଧ୍ୱଗତେ ॥ ୧୭୮
ଶିର କମଳେ ଯେବେ ମିଶେ । ତୋ ରୂପ ତାହାକୁ ପ୍ରକାଶେ ॥ ୧୭୯
ଛାଡଇ ଭବ ଭୟ ଭ୍ରାନ୍ତି । ସେ ଯମ ମୁଖେ ନ ପଡନ୍ତି ॥ ୧୮୦
ସ୍ୱକୃତ ବିଚିତ୍ର ସଷ୍ଟମ । ବେଦେ ବୋଲନ୍ତି ଗୁଣଗ୍ରାମ ॥ ୧୮୧
ତୋର ସଞ୍ଚିଲା ନାନା ଯୋନି । ତୁ ତହିଁ ଜୀବରୂପ ଘେନି ॥ ୧୮୨
ବାସନା ବଳେ ଉଚ୍ଚ ନୀଚ୍ଚ । ଏଣୁ ଟି ତୋ ରୂପ ପ୍ରପଞ୍ଚ ॥ ୧୮୩
ଅଣୁ ପ୍ରମାଣେ ସୂକ୍ଷ୍ମ ସ୍ଥୂଳେ । ରୂପ ପ୍ରକାଶୁ ମାୟା ବଳେ ॥ ୧୮୪
କାଷ୍ଠ ପ୍ରମାଣେ ଅଗ୍ନି ଯେହ୍ନେ । ଜ୍ୟୋତି ପ୍ରକାଶେ ସ୍ଥୂଳେ ଶୂନ୍ୟେ ॥ ୧୮୫
ଏ ନାନା ଜ୍ୟୋତି ଯେତେବେଳେ । ବିନାଶ ହୋନ୍ତି କର୍ମ ବଳେ ॥ ୧୮୬
ତୁ ଏକା ରହୁ ଅବସାନେ । ଘଟ ବିନାଶେ ଚନ୍ଦ୍ର ଯେହ୍ନେ ॥ ୧୮୭
ଏମନ୍ତ କରି ଅନୁମାନ । ଯାର ପ୍ରକାଶେ ଦିବ୍ୟଜ୍ଞାନ ॥ ୧୮୮
ଚୈତନ୍ୟ ସତ୍ୟ ତାହାଙ୍କର । ସେ ତୋତେ କରନ୍ତି ବିଚାର ॥ ୧୮୯
ତୋର ବିହାର ଆତ୍ମ ସୁଖେ । ପ୍ରକାଶ ଇହ ପରଲୋକେ ॥ ୧୯୦
ମିଥ୍ୟା ପ୍ରକାଶ ଏହା ଜାଣି । ଆତ୍ମାସ୍ୱରୂପ ପରିମାଣି ॥ ୧୯୧
ଏ ସର୍ବ ଛାଡି ତୋ ଶରଣେ । ପଶନ୍ତି ଅଭୟ ଚରଣେ ॥ ୧୯୨
ତୋ ରୂପ ଏକରସେ ରସି । ପରମ କ୍ଷେମ ଧାମେ ମିଶି ॥ ୧୯୩
ସ୍ୱକୃତ ସ୍ତୁତି ସପତମେ । ବିଷ୍ଣୁଙ୍କୁ ବୋଲନ୍ତି ନିଗମେ ॥ ୧୯୪
ଅନନ୍ତ ପ୍ରଭୁ ହେ ଅଚ୍ୟୁତ । ତୋର ସଂଚିଲା ଏ ଜଗତ ॥ ୧୯୫
ମାୟାରେ ଭିଆଇ ବ୍ରହ୍ମାଣ୍ତ । ଅଶେଷ ରୂପେ କରୁ ପିଣ୍ତ ॥ ୧୯୬
ପୁଣି ଏ ପ୍ରପଞ୍ଚେ ପ୍ରକାଶ । ବାସନା ଅନ୍ତେ ହୋଇ ନାଶ ॥ ୧୯୭
କର୍ମ ନଥିଲେ ଜୀବ କାହୁଁ । ତୁହି ସେ ଅବଶେଷେ ରହୁ ॥ ୧୯୮
ପ୍ରାଣୀର ବାହ୍ୟ ଅନ୍ତେ ଥାଉ । ସ୍ୱଭାବେ ପଞ୍ଚକୋଷ ବହୁ ॥ ୧୯୯
ଘଟକୁ ଥୋଇ ଯେହ୍ନେ ନୀର । ପୁରଇ ଭିତର ବାହାର ॥ ୨୦୦
ଅଶେଷ ଦେହେ ନାରାୟଣ । ଏ ପିଣ୍ତ ତୋହର ଭିଆଣ ॥ ୨୦୧
ଏ ପିଣ୍ତ ବାହ୍ୟ ଅଭ୍ୟନ୍ତରେ । ତୋ ତହୁଁ କେ ଅଛି ଅପରେ ॥ ୨୦୨
ସ୍ୱକର୍ମେ ଯେତେ ଦେହ ଜାତ । ତୋ ଅଂଶ ତାର ମଧ୍ୟଗତ ॥ ୨୦୩
କର୍ମରେ ଯେ ଫଳ ଉପୁଜେ । ତୋ ଅଂଶ ଦେହ ମଧ୍ୟେ ଭୁଞ୍ଜେ ॥ ୨୦୪
ଜୀବର ଏହି ଗତି ଜାଣି । ତୋ ପାଦେ ଭଜନ୍ତି ଯେ ପ୍ରାଣୀ ॥ ୨୦୫
ଜୀବର ବଳ ଅଳ୍ପ ପ୍ରାୟେ । ସକଳ ଶକ୍ତି ତୋର ପ୍ରାୟେ ॥ ୨୦୬
ତେଣୁ ସକଳ ତ୍ୟାଗ କରି । ତୋ ପାଦ ଚିନ୍ତେ ବ୍ରହ୍ମଚାରୀ ॥ ୨୦୭
ବେଦରୁ ଯେତେ କର୍ମ ଫଳେ । ସେ ଥାନ୍ତି ତୋ ଚରଣ ତଳେ ॥ ୨୦୮
ଏଣୁ ତୋ ପାଦେ ଯାର ଆଶ । ନ ଲାଗେ ଭବ-ବନ୍ଧ-ପ୍ରାସ ॥ ୨୦୯
ବେଦଙ୍କ ସ୍ତୁତି ଯେ ଅଷ୍ଟମ । ବୋଲନ୍ତି ଯେ ଦୁରବଗମ ॥ ୨୧୦
କେହି ତା ତତ୍ତ୍ୱ ନ ଜାଣଇ । ତାହା ତୁ ଜଣାଇବା ପାଇଁ ॥ ୨୧୧
ନାନା ଯୋନିରେ ରୂପ ତୋର । ତୁ ଏକ ବାହାର ଭିତର ॥ ୨୧୨
ଅମୃତସିନ୍ଧୁ ତୋର ନାମ । ଅବଗାହନେ ନାଶେ ଶ୍ରମ ॥ ୨୧୩
ପରମଜ୍ଞାନୀ ତାହା ଜାଣି । ତୋ ନାମ ଜଳେ ପରମାଣି ॥ ୨୧୪
ନିରେତ ଅବଗାହ କରି । ଶ୍ରମ ଛାଡନ୍ତି ନାମ ଧରି ॥ ୨୧୫
ସଂସାର ମତେ ବେଦ ଧର୍ମ । ସାଧି ଲଭନ୍ତି ପ୍ରାଣୀ ଶ୍ରମ ॥ ୨୧୬
ତୋ ନାମ ସୁଧାଜଳେ ବୁଡି । ଜ୍ଞାନ ସାଧନା ଶ୍ରମ ଛାଡି ॥ ୨୧୭
ମୋକ୍ଷକୁ ନ କରି ସେ ଇଚ୍ଛା । ତୋ ନାମ ତତ୍ତ୍ୱେ କରି ଦୀକ୍ଷା ॥ ୨୧୮
ତୋ ନାମ ସ୍ୱର୍ଗ-ଅପବର୍ଗ । ତେଣୁ ଛାଡିଲେ ଜ୍ଞାନମାର୍ଗ ॥ ୨୧୯
ଭକ୍ତିରେ ତୋ ନାମ ଆବୋରି । ବେଗେ ତରିଲେ ଭବବାରି ॥ ୨୨୦
ତୋ ନାମ ସୁଧା ସିନ୍ଧୁଜଳେ । ହଂସର ପ୍ରାୟ ଜ୍ଞାନୀ ଭୋଳେ ॥ ୨୨୧
ବୁଡି ଉଠନ୍ତି ପୁଣ ପୁଣି । ତୋ ନାମ ଉଚ୍ଚସ୍ୱରେ ଭଣି ॥ ୨୨୨
ନିତ୍ୟେ ସୁମରି ତୋ ଚରଣ । ତାହାଙ୍କୁ ନ ଲାଗେ ମରଣ ॥ ୨୨୩
ସଂସାର ଛାଡି ସୁଖଭୋଳେ । ଯେ ତାଇ ତାଙ୍କ ସଙ୍ଗ ମେଳେ ॥ ୨୨୪
ତୋତେ ଜାଣନ୍ତି ସତସଙ୍ଗେ । ନ ଲାଗେ ଭବଦୁଃଖ ଅଙ୍ଗେ ॥ ୨୨୫
ତ୍ୱପନୁପଥ ଯେ ନବମ । କୃଷ୍ଣଙ୍କୁ ବୋଲନ୍ତି ନିଗମ ॥ ୨୨୬
ଶୁଣ ହେ କମଳାର ବର । ଯେତେ ଏ ଜନ୍ତୁଙ୍କ ଶରୀର ॥ ୨୨୭
ତୋହର ଅନୁପଥ ଏହି । ଯେଣୁ ଏହାଙ୍କ ପଥେ ତୁହି ॥ ୨୨୮
ଜୀବ ପରମ ରୂପ ଧରି । ତୋ ଭୋଗ କ୍ରୀଡା ଅନୁସରି ॥ ୨୨୯
ଏଣୁ ତୋ ଅନୁପଥ ଏହି । କୁଲାୟ ନାମ ଏ ବୋଲାଇ ॥ ୨୩୦
ତୁ ନୋହୁ ଲଗ୍ନ ଏ ଶରୀରେ । ନଳିନୀ ଥାଇ ଯେହ୍ନେ ନୀରେ ॥ ୨୩୧
ତୋର ମହିମା ଯେ ନ ଜାଣି । ଦେହକୁ ସତ୍ୟ ପ୍ରାୟ ମଣି ॥ ୨୩୨
ପ୍ରିୟ ସୁହୃଦ ବନ୍ଧୁ ପ୍ରାୟେ । ପ୍ରୀତି କରନ୍ତି ମୃତ ଦେହେ ॥ ୨୩୩
ତୋତେ ନ ଭଜେ ସୁଖଭୋଳେ । ବାଳକ ଯେହ୍ନେ ମାତା କୋଳେ ॥ ୨୩୪
ମାତାର ପ୍ରାୟ ହିତ ତୁହି । ଅଜ୍ଞାନ ତୋତେ ନ ଜାଣଇ ॥ ୨୩୫
ତୁ ଆତ୍ମାହିତ ପ୍ରିୟବନ୍ଧୁ । ନିର୍ବାଣଦାତା ସୁଖସିନ୍ଧୁ ॥ ୨୩୬
ଏ ବୀପରୀତ କିବା କହି । ଦେହ ଘେନିଣ ଭ୍ରମେ ମହୀ ॥ ୨୩୭
ଦେହକୁ ମଣିଥାଇ ସତ୍ୟ । ଅନିତ୍ୟ ଜଳବିମ୍ବ ବତ ॥ ୨୩୮
ଏଣେ ଯାହାର ପ୍ରୀତି ହୋଇ । ଅସାଧୁଜନ ମଧ୍ୟେ ସେହି ॥ ୨୩୯
ଉତ୍ତମ ନାବ ଥାଉଁ କୂଳେ । ସେ ଯେ ନ ତରେ ଭବଜଳେ ॥ ୨୪୦
କୁଦେହ ଘେନି ଭବେ ଭ୍ରମି । ଜନ୍ମ ମରଣ ପଥେ ଶ୍ରମି ॥ ୨୪୧
ତାହାକୁ ବୋଲି ଆତ୍ମାହତ । ନିଷ୍ଫଳ ତାହାଙ୍କ ଜୀବନ ॥ ୨୪୨
ନିଭୃତ ମରୁତ୍ ଦଶ ସ୍ତୁତି । ନିଗମେ ନିର୍ଭରେ ବୋଲନ୍ତି ॥ ୨୪୩
ଅଷ୍ଟାଙ୍ଗଯୋଗେ ମୁନିଜନେ । ବସି ନିର୍ଜନ ଘୋର ବନେ ॥ ୨୪୪
ଇନ୍ଦ୍ରିୟଗଣ କରି ବନ୍ଦୀ । ମନ ପବନ ହୃଦେ ଛନ୍ଦି ॥ ୨୪୫
ଯାହା ଲଭିବା ଅର୍ଥେ ଚିତ୍ତେ । ଚିନ୍ତା କରନ୍ତି ଅବିରତେ ॥ ୨୪୬
ଯେ ତୋତେ ଶତ୍ରୁପଣେ ଚିନ୍ତି । ସେ ପୁଣି ତୋ ଦେହେ ପଶନ୍ତି ॥ ୨୪୭
ଭୋ ନାଥ ତୋର ଯେତେ ଗଣ । ଆଉ କହିବୁଁ କିଛି ଶୁଣ ॥ ୨୪୮
ଗୋପନଗରେ ନାରୀଜନେ । କୁବୁଜୀ ଆଦି ମଧୁବନେ ॥ ୨୪୯
ସେ ତୋରେ ପରିଗ୍ରହ ହୋଇ । ଚୁମ୍ବନ ଆଲିଙ୍ଗନ ଦେଇ ॥ ୨୫୦
ଭୋ ନାଥ ତୋର ବେନିକର । ଉରଗଇନ୍ଦ୍ର ପଟାନ୍ତର ॥ ୨୫୧
ସେ ଭୁଜେ ଆଲିଙ୍ଗନ ପାଇ । ମନ ବଚନ ତୋତେ ଦେଇ ॥ ୨୫୨
କାମିନୀ ରୂପେ ଭାବବୋଳେ । ସେ ତୋତେ ଭଜିଲେ ନିଶ୍ଚଳେ ॥ ୨୫୩
ଆମ୍ଭେ ସକଳ ବେଦବୃନ୍ଦେ । ଭାବେ ପଶିବୁଁ ସେହି ପାଦେ ॥ ୨୫୪
ଯେଣୁ ତୋ ରିପୁ ମିତ୍ର ନାହିଁ । ସମଦରଶୀ ତେଣୁ ତୁହି ॥ ୨୫୫
ପ୍ରପଞ୍ଚେ ଉଚ୍ଚ ନୀଚ ଯୋନି । ତୁ ବହୁ ଲୀଳାଭାବ ଘେନି ॥ ୨୫୬
ଏ ଯେ ତୋହର ପଦ୍ମପାଦ । ସ୍ରବଇ ସୁଧାମକରନ୍ଦ ॥ ୨୫୭
ସେ ପାଦେ ଆମ୍ଭ ବୁଦ୍ଧି ମତି । ପ୍ରେମ ଭକ୍ତିରେ ଭଜୁ ନିଜି ॥ ୨୫୮
କ ଇହ ଏକାଦଶ ବାଣୀ । ବେଦେ ବୋଲନ୍ତି ପରିମାଣି ॥ ୨୫୯
ତୁ ନାଥ କରୁଣାଜଳଧି । ସର୍ବବିଷୟ ପୂର୍ବସିଦ୍ଧି ॥ ୨୬୦
ତୋ ତହୁଁ ସୃଷ୍ଟି ଆଦିକାଳେ । ପ୍ରାଣୀ ଉପୁଜେ ମାୟାବଳେ ॥ ୨୬୧
ଉପୁଜି ପ୍ରଳୟ ହୁଅନ୍ତି । ଏ ଘେନି ତୋତେ ନ ଜାଣନ୍ତି ॥ ୨୬୨
ତୋହର ନାହିଁ ମୋହ ଦ୍ୱନ୍ଦ । ଏଣୁ ବୋଲାଉ ଆଦିକନ୍ଦ ॥ ୨୬୩
ବିଧାତା ଜାତ ତୋର ତହୁଁ । ନିଗମ ଜାତ ଯାର ଦେହୁଁ ॥ ୨୬୪
ତୋ ତହୁଁ ଦେବାସୁର ଜାତ । ତାପତ୍ରୟାଦି ଏ ଜଗତ ॥ ୨୬୫
ବ୍ରହ୍ମା ସୃଷ୍ଟିରେ ଜାତ ଯେତେ । ଏ ଘେନି କେ ଜାଣିବ ତୋତେ ॥ ୨୬୬
ତୋହର ଆଶ୍ରେ ଏ ଜଗତ । ସୃଷ୍ଟି ପ୍ରଳୟ ତୋର ମତ ॥ ୨୬୭
ସୃଷ୍ଟି ସଂହାରି ଯୋଗବଳେ । ଶୟନ କରୁ ମହାଜଳେ ॥ ୨୬୮
ସେ କାଳେ ପ୍ରାଣୀ ଯେବେ ଥାନ୍ତେ । ତୋ ରୂପ ନୟନେ ଦେଖନ୍ତେ ॥ ୨୬୯
ଅବନୀ ଆଦି ପଞ୍ଚଭୂତ । ମହତ ଆଦି ତିନିତତ୍ତ୍ୱ ॥ ୨୭୦
ଅସତ୍ୟ ସତ୍ୟ ଏ ବୋଲାନ୍ତି । ଏ କାହୁଁ ତୋ ରୂପ ଜାଣନ୍ତି ॥ ୨୭୧
ତୋର ମହିମା ଜ୍ଞାନିଜନେ । ଦୁର୍ଲ୍ଲଭ ଗଗନ ଯେସନେ ॥ ୨୭୨
ବ୍ରହ୍ମବିଚାରି ଶାସ୍ତ୍ରଭାବେ । ବେଦ ବିଚାରି ତୋର ଲାଭେ ॥ ୨୭୩
ସକଳେ ଯାନ୍ତି ଉପହାସେ । ଭକତ ରହେ ତୋର ପାଶେ ॥ ୨୭୪
ଜନି ଅସତ ଏ ଦ୍ୱାଦଶ । ବେଦେ ବୋଲନ୍ତି ହରିଯଶ ॥ ୨୭୫
ବଇଶେଷିକ ଶାସ୍ତ୍ରପଥ । ତୋତେ ବିଚାରେ ନାମମାତ୍ର ॥ ୨୭୬
ବିନାଶ ଏକବିଂଶ ଦୁଃଖ । ମୋକ୍ଷ ବୋଲନ୍ତି ନୈୟାୟିକ ॥ ୨୭୭
ସତ ଅସତ ମାର୍ଗେ ଚିନ୍ତି । ମିଥ୍ୟା ଏ ଜଗତ ବୋଲନ୍ତି ॥ ୨୭୮
ବ୍ରହ୍ମ ଯେ ବିଦ୍ୟମାନ ସତ୍ୟ । ବିଚାରେ ପାତଞ୍ଜଳି ମତ ॥ ୨୭୯
ସାଂଖ୍ୟଯୋଗୀଙ୍କ ବିଚାରଣା । ଜଗତ ଆତ୍ମକଳପଣା ॥ ୨୮୦
କର୍ମ ବେଭାର ମୀମାଂସକେ । ଜଗତ ସତ୍ୟ ତାଙ୍କ ଲେଖେ ॥ ୨୮୧
ଏ ଭ୍ରାନ୍ତି ଶାସ୍ତ୍ରମାର୍ଗେ ଭ୍ରମି । ବିବାଦେ ହୋନ୍ତି ପରିଶ୍ରମୀ ॥ ୨୮୨
ଭ୍ରମେ ଭ୍ରମନ୍ତି ବହୁଶ୍ରମେ । କାହୁଁ ଜାଣିବେ ନିଜ ଭ୍ରମେ ॥ ୨୮୩
ଯେଣୁ ଏ ଜୀବ ଗୁଣମୟେ । ଏଣୁ ବିଚାର ଭେଦ ରହେ ॥ ୨୮୪
ଅଜ୍ଞାନେ ତୋ ଭେଦ ବିଚାରି । ତୁ ସଙ୍ଗୀ ନୋହୁନା କାହାରି ॥ ୨୮୫
ସଦିବମନ ତ୍ରୟୋଦଶେ । ଶ୍ରୁତି ବୋଲନ୍ତି ହୃଷୀକେଶେ ॥ ୨୮୬
ପ୍ରପଞ୍ଜ ତ୍ରିଗୁଣେ ଜଗତ । ଜାଣିଲେ ନିଶ୍ଚେ ନୋହେ ସତ୍ୟ ॥ ୨୮୭
ମନ ବିଳାସ ମାତ୍ର ଏହି । ଅସତ୍ୟ ସତ୍ୟ ଆଭାସଇ ॥ ୨୮୮
ତୁ ଏଥ ଅଧିପତି ଯେଣୁ । ଆଭାସେ ସତ୍ୟ ପ୍ରାୟ ତେଣୁ ॥ ୨୮୯
ଅସତ୍ୟ ସତ୍ୟ ପ୍ରାୟ ଦିଶି । ଛାୟା ଦର୍ପଣେ ଯେହ୍ନେ ଶଶୀ ॥ ୨୯୦
ଜୀବର ଜନ୍ମ ତୋର ତହିଁ । ବ୍ୟାପିଛୁ ଜଗତକୁ ମୋହି ॥ ୨୯୧
କାରଣ କାର୍ଯ୍ୟ ନୋହେ ଭିନ୍ନ । ଶୁଣ କହିବା ଅନୁମାନ ॥ ୨୯୨
ସୁବର୍ଣ୍ଣେ କାର୍ଯ୍ୟ ଯାର ପଡେ । କୁଣ୍ତଳ ଆଦି କମ ଗଢେ ॥ ୨୯୩
ପୁଣି ଅନଳେ ପାକ କଲେ । ସୁବର୍ଣ୍ଣ ହୋଇ ଏକଠୁଳେ ॥ ୨୯୪
ନାମ ବିକାର ନାଶ ଯାନ୍ତି । ଏଣୁ ଜଗତେ ଭେଦ ଭ୍ରାନ୍ତି ॥ ୨୯୫
ଏ ଘେନି ଶାସ୍ତ୍ର ଅନୁମାନ । ତୋ ତହୁଁ ସୃଷ୍ଟି ନୋହେ ଭିନ୍ନ ॥ ୨୯୬
ଚତୁରଦଶେ ତବପରି । ବେଦେ ବୋଲନ୍ତି ଶୁଣ ହରି ॥ ୨୯୭
ଯେଣୁ ତୋ ସର୍ବଭୂତେ ବାସ । ଏ ଘେନି ପ୍ରାଣୀ ତୋ ବିଶ୍ୱାସ ॥ ୨୯୮
ଏହା ଯେ ଜାଣି ତୋତେ ଭାବେ । ସେ ନ ପଡନ୍ତି ପରାଭବେ ॥ ୨୯୯
ଚରଣ ମୃତ୍ୟୁଶିରେ ଦ୍ୟନ୍ତି । ପରମପଦେ ସେ ପଶନ୍ତି ॥ ୩୦୦
ତୋ ଭାବ ନ ଜାଣନ୍ତି ଯେହୁ । ତରିବେ ଭବସିନ୍ଧୁ କାହୁଁ ॥ ୩୦୧
ପଣ୍ତିତପଣେ ଶାସ୍ତ୍ରବାଦେ । ଭାବ ନକରି ତୋର ପାଦେ ॥ ୩୦୨
ସ୍ୱକର୍ମପାଶେ ପାଦ ଛନ୍ଦି । ବେଦବଚନେ ହୋନ୍ତି ବନ୍ଦୀ ॥ ୩୦୩
ପଶୁପାଳଙ୍କ ଘରେ ଯେହ୍ନେ । ବନ୍ଧନେ ଥାନ୍ତି ପଶୁମାନେ ॥ ୩୦୪
ତେସନ ଏ ଭବବନ୍ଧନେ । ଜୀବ-ବନ୍ଦୀ ବେଦବଚନେ ॥ ୩୦୫
ଏଣୁ ସଂସାରେ ଯେତେ ଜନ୍ତୁ । ତୋ ବାକ୍ୟବନ୍ଧ କରି ହେତୁ ॥ ୩୦୬
ଏ ଘେନି ତୋ ପାଦକମଳେ । ଯେ ଭାବ କରେ ପ୍ରୀତି ଭୋଳେ ॥ ୩୦୭
ସଂସାର ତାରି ସେ ତରନ୍ତି । ମରଣେ ନାହିଁ ତାଙ୍କ ଭ୍ରାନ୍ତି ॥ ୩୦୮
ତୋତେ ନ ଜାଣି ଧର୍ମ ଚିନ୍ତି । ଯଜ୍ଞ ଦାନ ତୀର୍ଥେ ଭଜନ୍ତି ॥ ୩୦୯
ଆତ୍ମାକୁ ନିସ୍ତାରି ନପାରେ । ତା ବୋଲେ ସଂସାର କି ତରେ ॥ ୩୧୦
ତୋର ବିମୁଖ ଶାସ୍ତ୍ରେ ଭ୍ରମି । ଜନ୍ମମରଣେ ପଥଶ୍ରମୀ ॥ ୩୧୧
ତ୍ୱମକରଣ ପଞ୍ଚଦଶେ । ବେଦେ ବୋଲନ୍ତି ଉପଦେଶେ ॥ ୩୧୨
ଭୋ ନାଥ ତୋହର ଜଗତେ । କର୍ମ କରନ୍ତି ପ୍ରାଣୀ ଯେତେ ॥ ୩୧୩
ତୁ ତାହା ନ କରୁ ଗ୍ରହଣ । ଏଣୁ ତୋ ନାମ ଅକାରଣ ॥ ୩୧୪
କର୍ମକରଣ ତୋର ନାହିଁ । ସ୍ୱଭାବେ ନିରଞ୍ଜନ ତୁହି ॥ ୩୧୫
ତଥାପି ସର୍ବ ଜନ୍ତୁ ଦେହେ । ତୋ ଅଂଶ ଅଛି ଜୀବ ପ୍ରାୟେ ॥ ୩୧୬
ପ୍ରାଣୀର ରସନା ଲୋଚନ । ଶ୍ରବଣ ନାସା ଚର୍ମ ଘେନ ॥ ୩୧୭
ଜ୍ଞାନଇନ୍ଦ୍ରିୟ ଏ ବୋଲାନ୍ତି । ମନର ସଙ୍ଗେ ବିହରନ୍ତି ॥ ୩୧୮
ପାଦ ବଚନ ଭୁଜ ଲିଙ୍ଗ । ମୂଳକମଳ ଦ୍ୱାର ସଙ୍ଗ ॥ ୩୧୯
କର୍ମଇନ୍ଦ୍ରିୟ ଏ ବୋଲାନ୍ତି । କର୍ମକରଣେ ଥାନ୍ତି ନିତି ॥ ୩୨୦
ଅଗ୍ନି ବାସବ ଲକ୍ଷ୍ମୀକାନ୍ତ । ମିତ୍ରାବରୁଣ ପ୍ରଜାନାଥ ॥ ୩୨୧
ଏ ପଞ୍ଚଦେବ ବସି ରଥେ । ତୋତେ ସେବନ୍ତି ଅବିରତେ ॥ ୩୨୨
ତୁ ନାଥ ଭୂତଆତ୍ମାଦେହୀ । ଏହାଙ୍କ ଶକ୍ତି ବହୁ ତୁହି ॥ ୩୨୩
ବାସବ ଆଦି ବେଦଧାମ । ବହନ୍ତି ଅନିମିଷ ନାମ ॥ ୩୨୪
ବିଧାତା ଆଦି ସର୍ବଦେବା । ତୋର ଚରଣେ ତାଙ୍କ ସେବା ॥ ୩୨୫
ମାନବେ ତାହାଙ୍କୁ ସେବନ୍ତି । ତାହାଙ୍କ ବଳି ସେ ଭୁଞ୍ଜନ୍ତି ॥ ୩୨୬
ଅଜର ଅମର ନିର୍ଭୟେ । ତଥାପି ତୋର ପଦ୍ମପାୟେ ॥ ୩୨୭
ପୂଜନ୍ତି ଅତି ଭୟମନେ । ଖଣ୍ତମଣ୍ତଳପତି ଯେହ୍ନେ ॥ ୩୨୮
ପ୍ରଜାଙ୍କ ତହୁଁ କର ଦ୍ୟନ୍ତି । ରାଜାଙ୍କ ଚରଣେ ସେବନ୍ତି ॥ ୩୨୯
ଅଧିକ ଧକ ମାନ ଦ୍ୟନ୍ତି । ନିରତେ ଚରଣେ ଖଟନ୍ତି ॥ ୩୩୦
ଏମନ୍ତେ ଦେବେ ତୋର ପାଶେ । ଖଟନ୍ତି ଭକତି ବିଶ୍ୱାସେ ॥ ୩୩୧
ଷୋଡଶ ସ୍ତୁତି ସ୍ଥିରଚର । ଶୁଣ ହେ ବ୍ରହ୍ମାଣ୍ତଠାକୁର ॥ ୩୩୨
ତୋହର କ୍ରୀଡା ନାନାରଙ୍ଗେ । ଇଚ୍ଛାରେ ମାୟା ଘେନି ସଙ୍ଗେ ॥ ୩୩୩
ଦର୍ପଣ ଘେନି ଯେହ୍ନେ ହସ୍ତ । ଚାହିଁଲେ ଛାୟା ହୋଏ ଜାତ ॥ ୩୩୪
ସ୍ତାବର ଆଦି ଏ ଜଗତେ । ତୋ ତହିଁ ଜୀବ ସେହିମତେ ॥ ୩୩୫
ତୁ ପୁଣି ତାଙ୍କ ମଧ୍ୟେ ଥାଉ । କର୍ମକରଣେ ଶିକ୍ଷା ଦେଉ ॥ ୩୩୬
ସେ କର୍ମଫଳେ ନୋହୁ ସଙ୍ଗ । ଦର୍ପଣେ ଯେହ୍ନେ ଛାୟା ଅଙ୍ଗ ॥ ୩୩୭
ଦେହ ବେଭାର କରୁଥାଇ । ସେ ଯେହ୍ନେ ତାକୁ ନ ଲାଗଇ ॥ ୩୩୮
ମାୟାକୁ ଥାଉ ଅତି ଦୂରେ । ଆଦିତ୍ୟ ଯେସନେ ଅମ୍ବରେ ॥ ୩୩୯
ମାୟା ବିସ୍ତାରି ମାୟାକାରୀ । ଯେହ୍ନେ ସଂସାର ମନ ହରି ॥ ୩୪୦
ମୋହନ କରେ ସଂସାରକୁ । ସେ ଯେହ୍ନେ ନ ଲାଗେ ତାହାକୁ ॥ ୩୪୧
ଏମନ୍ତ ତୋହର ମହିମା । କେ ଜାଣି ପାରେ ଗୁଣ ସୀମା ॥ ୩୪୨
ଜଗତେ ହେଉ ସାକ୍ଷୀରୂପ । ମନ୍ଦିରେ ଯେସନେ ପ୍ରଦୀପ ॥ ୩୪୩
ଏ ସର୍ବଜୀବ କ୍ରୀଡା ଅନ୍ତେ । ପଶନ୍ତି ତୋର ଗର୍ଭବତେ ॥ ୩୪୪
ପୁଣି ଯେମନ୍ତେ ଜାତ ହୋନ୍ତି । ଶୁଣ କହିବା ତାଙ୍କ ଗତି ॥ ୩୪୫
ଦେହକୁ ପାଇ ମାୟା ଗ୍ରସ୍ତେ । କର୍ମ କରନ୍ତି ଅବିରତେ ॥ ୩୪୬
ତେଣୁ ସେ ଜନ୍ମ ମୃତ ହୋନ୍ତି । ବାସନାରଜ୍ଜୁ ବନ୍ଧେ ଥାନ୍ତି ॥ ୩୪୭
କର୍ମ ତାହାଙ୍କୁ ସୃଷ୍ଟିକାଳେ । ଧରଇ ନିଜ ଭୁଜବଳେ ॥ ୩୪୮
ଅଶେଷ ଯୋନି ମଧ୍ୟେ ଭରି । ବିହରେ ନାନାରୂପ ଧରି ॥ ୩୪୯
ଦେହକୁ ଧରି କର୍ମବଳେ । ଭୁଞ୍ଜନ୍ତି ଦୁଃଖସୁଖ ଫଳେ ॥ ୩୫୦
ତୋ ଦେହେ ପ୍ରାଣୀ ଏ ଜଗତେ । ମିଳନ୍ତି କର୍ମର ଆୟତ୍ତେ ॥ ୩୫୧
ତୋହର ରିପୁ ମିତ୍ର ନାହିଁ । ଏ ଘେନି କର୍ମ ନ ଲାଗଇ ॥ ୩୫୨
କର୍ମେ ପ୍ରପଞ୍ଚ ଏ ଜଗତ । ଏହାର ଫଳ ବୀପରିତ ॥ ୩୫୩
ଦୁଃଖୀ ଦରିଦ୍ର ବ୍ୟାଧିବନ୍ତ । ଥୋକାଏ ସୁଖୀ ଧନବନ୍ତ ॥ ୩୫୪
ଏ ଦୁଃଖସୁଖ ତୋର ନାହିଁ । କର୍ମକରତା ସେ ଭୁଞ୍ଜଇ ॥ ୩୫୫
ଗଗନେ ଯେତେ ଦିଗ ପୂରୀ । ଶୂନ୍ୟ ରୂପେ ସର୍ବ ଆବୋରି ॥ ୩୫୬
ଏଣୁ ନ ଜାଣେ ତୋତେ ପ୍ରାଣୀ । ମନ ବଚନେ ପରିମାଣି ॥ ୩୫୭
ଅପରିମିତ ସପ୍ତଦଶ । ବେଦେ କହନ୍ତି ଜ୍ଞାନରସ ॥ ୩୫୮
ନାନା ଯୋନିରେ ଜୀବ ଯେତେ । ଅନନ୍ତ ହୋନ୍ତି ଅପ୍ରମିତେ ॥ ୩୫୯
କର୍ମ ସରିଲେ ପୁଣ ଯାନ୍ତି । ଏଣୁ ଏ ଅଧ୍ରୁବ ବୋଲାନ୍ତି ॥ ୩୬୦
ତୋ ତହୁଁ ଯେବେ ଏ ନୁହଁନ୍ତି । ଇଚ୍ଛାରେ ସର୍ବ ଆବୋରନ୍ତି ॥ ୩୬୧
ଏହାଙ୍କ ଦଣ୍ତକ ତୁ ଯେବେ । ତୋ ତହୁଁ ଦଣ୍ତ କେ ପାଇବେ ॥ ୩୬୨
ଏମନ୍ତେ ନ ଘଟେ ବିଚାର । ସକଳ ଜୀବ ତୋ ଶରୀର ॥ ୩୬୩
ତୁ ଥାଉ ଏହାଙ୍କ ଜୀବନେ । ଅନଳ କାଷ୍ଠ ସଙ୍ଗେ ଯେହ୍ନେ ॥ ୩୬୪
ତୋତେ ଜାଣଇ ଯେବା କହେ । ଅଜ୍ଞାନୀ ମିଥ୍ୟାଭାବ ବହେ ॥ ୩୬୫
ଉପାଧି ଲିଙ୍ଗ ଏ ଶରୀର । ଜନ୍ମ ମରଣ ହୋଏ ତୋର ॥ ୩୬୬
ତା ମଲେ ନ ମରେ ଜୀବନ । ଘଟ ବିଯୋଗେ ଯେହ୍ନେ ଶୂନ୍ୟ ॥ ୩୬୭
ତେଣୁ ତୋ ଅଂଶ ଏହି ଜୀବ । ସେ କାହିଁ ତୋତେ ବା ଜାଣିବ ॥ ୩୬୮
ଅଷ୍ଟାଦଶରେ ନ ଘଟତ । ବେଦେ ବୋଲନ୍ତି ଜ୍ଞାନତତ୍ତ୍ୱ ॥ ୩୬୯
ପ୍ରକୃତି ପୁରୁଷ ଏ ବେନି । ଜଗତ ପିଅର ଜନନୀ ॥ ୩୭୦
ସ୍ୱଭାବେ ଅଜ ନାମ ବହି । ଯେଣୁ ଏହାଙ୍କ ଜନ୍ମ ନାହିଁ ॥ ୩୭୧
କେବେ ହେଁ ନୁହନ୍ତି ଏ ଭିନ୍ନ । ଏଣୁ ନ ଘଟେ ଅନୁମାନ ॥ ୩୭୨
ଏହାଙ୍କ ତହୁଁ ଜାତ ଜୀବ । ଜଳୁ ଯେସନେ ଜଳବିମ୍ବ ॥ ୩୭୩
ନିଶ୍ଚଳ ଜଳବାୟୁ ଯୋଗେ । ଯେମନ୍ତେ ଉଚ୍ଛୁଳେ ତରଙ୍ଗେ ॥ ୩୭୪
ବେନି ତରଙ୍ଗ ଅଙ୍ଗଘାତେ । ବିମ୍ବ ଉପୁଜନ୍ତି ଯେମନ୍ତେ ॥ ୩୭୫
ଜଳେ ପବନେ ସେ ନଥାନ୍ତି । ବେନି ସଂଯୋଗେ ଜାତ ହୋନ୍ତି ॥ ୩୭୬
ବିବିଧ ନାମ ରୂପ ବହି । କ୍ରୀଡନ୍ତି ଜଳମଧ୍ୟେ ଥାଇ ॥ ୩୭୭
କର୍ମର ଅନ୍ତେ ତୋ ଶରୀରେ । ପଶନ୍ତି ଯେମନ୍ତ ବେଭାରେ ॥ ୩୭୮
ସକଳ ନଦୀଜଳ ବେଗେ । ଯେମନ୍ତେ ପଶନ୍ତି ଅର୍ଣ୍ଣବେ ॥ ୩୭୯
ମଧୁକରଙ୍କ ଗୃହବାସେ । ଯେହ୍ନେ ପଶନ୍ତି ପୁଷ୍ପରସେ ॥ ୩୮୦
ଊନବିଂଶତି ନୃଷୁତବ । ବେଦେ କହନ୍ତି ବିଷ୍ଣୁଭାବ ॥ ୩୮୧
ତୋ ମାୟା ଭ୍ରମ ଜୀବ ଦେହେ । ତେଣୁ ଅଜ୍ଞାନେ ଥାନ୍ତି ମୋହେ ॥ ୩୮୨
ଏଣୁ ପଣ୍ତିତେ ଏହା ଜାଣି । ତୋ ଭାବ ମନେ ପରିମାଣି ॥ ୩୮୩
ତୋ ପାଦପଦ୍ମ ମଧୁ ଲୋଭେ । ପଶିଲେ ଉନମତ୍ତ ଭାବେ ॥ ୩୮୪
ତାହାଙ୍କୁ ନାହିଁ କାଳଡର । ତୋ ପଦ୍ମପାଦେ ଆଶା ଯାର ॥ ୩୮୫
ତ୍ରିନେମିକାଳ ତୋ ଭ୍ରୁଭଙ୍ଗ । ରୂପ ଅରୂର ଯାର ଅଙ୍ଗ ॥ ୩୮୬
ହିମ ଶୀତଳ ଘର୍ମ ବୃଷ୍ଟି । ଏ ଆଦି ଯେତେ ନାନା ରିଷ୍ଟି ॥ ୩୮୭
ତାହାକୁ ନ ଲାଗନ୍ତି କେହି । ତୋ ନାମ ଯାର ହୃଦେ ଥାଇ ॥ ୩୮୮
ବିଜିତ ହୃଷୀକ ବିଂଶତି । ବେଦେ ବୋଲନ୍ତି ଦିବ୍ୟ ସ୍ତୁତି ॥ ୩୮୯
ମୁନିଏ ଯୋଗ ଧ୍ୟାନ ସାଧି । ମନ ପବନ ହୃଦେ ରୁନ୍ଧି ॥ ୩୯୦
ଯେତେ ସେ କରନ୍ତି ଉପାୟେ । ମନତରଙ୍ଗ ସ୍ଥିର ନୋହେ ॥ ୩୯୧
ସ୍ୱଭାବେ ଅଦମ୍ୟ ସେ ଯେଣୁ । ରୁନ୍ଧି ନ ପାରେ ପ୍ରାଣୀ ତେଣୁ ॥ ୩୯୨
ନାନା ପ୍ରକାରେ ଖେଦ ପାଇ । ମନ ନ ପାରନ୍ତି ରୁହାଇ ॥ ୩୯୩
ଗୁରୁପାଦେ ଆଶ୍ରେ ନକରି । ସାଧନା ଶ୍ରମେ ଯାନ୍ତି ମରି ॥ ୩୯୪
ବୋଇତେ ବସି ବଣିଜାରେ । ଯେସନେ ଭାସନ୍ତି ସାଗରେ ॥ ୩୯୫
ନାନାପ୍ରକାରେ ବାହୁଥାନ୍ତି । କେବେହେଁ କୂଳେ ନ ଲାଗନ୍ତି ॥ ୩୯୬
ଯାବତ ନାହିଁ କର୍ଣ୍ଣଧାର । କାହିଁ ଲଭିବେ ସିନ୍ଧୁପାର ॥ ୩୯୭
ପବନ ରୁନ୍ଧି ଇନ୍ଦ୍ରି ଜିଣି । ଗୁରୁ ଉପଦେଶ ନ ମଣି ॥ ୩୯୮
ଚଞ୍ଚଳ ମନ କାହୁଁ ସ୍ଥିର । ଯାବତ ସଂଶୟ ଶରୀର ॥ ୩୯୯
ନିଶ୍ଚଳ ନିର୍ମଳ ତୋ ପାଦେ । ତୋ ରୂପ ଗୁଣ ଅନୁବାଦେ ॥ ୪୦୦
ନିତ୍ୟେ ଯେ ଚିନ୍ତେ ଧ୍ୟାନବଳେ । ତା ମନ ରହଇ ନିଶ୍ଚଳେ ॥ ୪୦୧
ସ୍ୱଜନସୁତ ଏକବିଂଶେ । ବେଦେ ବୋଲନ୍ତି ବିଷ୍ଣୁପାଶେ ॥ ୪୦୨
ସ୍ୱଜନ ସୁତ ଦାରା ଧର । ଗୃହ ମେଦିନୀ ସୁଖାସନ ॥ ୪୦୩
ତୋ ପାଦ ହୃଦେ ଯାର ଥାଇ । ଏଣେ ପ୍ରୟୋଜନ ନାହିଁ ॥ ୪୦୪
ତୋତେ ଯେ ନ ଭଜନ୍ତି ଚିତ୍ତେ । ତାହାଙ୍କ ମନ ଅବିରତେ ॥ ୪୦୫
ଲୋଭ ଲାଳସେ ମୋହେ ଜଡି । ବିପଦପଦେ ଥାନ୍ତି ପଡି ॥ ୪୦୬
ସକଳ ଦୁଃଖ ଯହିଁ ଥାନ୍ତି । ଅମୃତ ପ୍ରାୟ ତା ମଣନ୍ତି ॥ ୪୦୭
ସକଳ ସୁଖ ତୋର ପାଦେ । ତହିଁ ଯେ ବିଶ୍ରମେ ଆନନ୍ଦେ ॥ ୪୦୮
ଏ ମାୟା ତାକୁ ତୁଚ୍ଛ ହୋଏ । ପର୍ବତଶିଖ ଭୂମି ପ୍ରାୟେ ॥ ୪୦୯
ତୋ ପାଦ ଆଶ୍ରେ ଯେ ନ କରି । ମୈଥୁନ ସୁଖ ମନେ ଧରି ॥ ୪୧୦
ତେଣୁ ଏ ସଂସାର ସାଗରେ । ବୁଡନ୍ତି ଦୁଃଖ ମହାଘୋରେ ॥ ୪୧୧
କ୍ଷଣେ ହେଁ ନ ପାରନ୍ତି ତରି । ତୋ ବିଶ୍ୱମାୟାକୁ ଆବୋରି ॥ ୪୧୨
ସଂସାର ଅସାର ପ୍ରତ୍ୟକ୍ଷେ । ସାର ଯେସନେ ରମ୍ଭାବୃକ୍ଷେ ॥ ୪୧୩
ତୋ ନାମ ସଂସାରରେ ସାର । ନ ଭଜି କେ ହୋଇବ ପାର ॥ ୪୧୪
ଭୁବିପୁରୁପୁଣ୍ୟ ଦ୍ୱାବିଂଶେ । ବେଦେ କହନ୍ତି ମହାତୋଷେ ॥ ୪୧୫
ଭୂମିରେ ଯେତେ ତୀର୍ଥ ଅଛନ୍ତି । ମୁନିଏଁ ତହିଁ ବିଶ୍ରାମନ୍ତି ॥ ୪୧୬
ମଦ ମତ୍ସର ଅହଙ୍କାର । ହୃଦୟେ ନାହିଁ ତାହାଙ୍କର ॥ ୪୧୭
ତୋ ପାଦ ହୃଦୟେ ବହନ୍ତି । ସଂସାରେ ନାହିଁ ତାଙ୍କ ଭୀତି ॥ ୪୧୮
ତାଙ୍କ ଚରଣ -ନୀର ସଙ୍ଗେ । ପାପ ନ ରହେ ପ୍ରାଣୀ ଅଙ୍ଗେ ॥ ୪୧୯
ସୁପୁଣ୍ୟତୀର୍ଥ ସାଧୁ ସଙ୍ଗେ । ନିତ୍ୟେ ଭ୍ରମନ୍ତି ଅନୁରାଗେ ॥ ୪୨୦
ଏଣୁ ତୋ ପାଦ ଆଶ୍ରେ କରି । ଯେ ପ୍ରାଣୀ ଚିତ୍ତ ସ୍ଥିର କରି ॥ ୪୨୧
ପରମଆତ୍ମା ସୁଖସୀମା । ଶୁଣିମା ତାହାଙ୍କ ମହିମା ॥ ୪୨୨
ବିବେକ ଶାନ୍ତି କ୍ଷମା ଧୀର । ଏ ଚାରି ପୁରୁଷଙ୍କ ସାର ॥ ୪୨୩
ଏହା ହରଇ ଗୃହଦ୍ୱନ୍ଦ୍ୱ । ଅଜ୍ଞାନୀଜନଙ୍କ ଆନନ୍ଦ ॥ ୪୨୪
ଯେ ତୋତେ ଚିନ୍ତେ ଅବିରତେ । ଗୃହ ନ ଲାଗେ ତାର ଚିତ୍ତେ ॥ ୪୨୫
ତାଙ୍କ ମହିମା ଏ ବ୍ରହ୍ମାଣ୍ତେ । କେ କହିପାରେ ଏକ ତୁଣ୍ତେ ॥ ୪୨୬
ତ୍ରୟବିଂଶତି ସତ ଇଦଂ । ଯାହା କହିଲେ ତିନି ବେଦ ॥ ୪୨୭
ଭୋ ଦେବ ପରମପୁରୁଷ । ସଂସାର ତୋ ତହୁଁ ପ୍ରକାଶ ॥ ୪୨୮
ଏ ସତ୍ୟ ନୋହେ ସତ୍ୟବାଦେ । ବିଚାର ତର୍କ ଅନୁବାଦେ ॥ ୪୨୯
କାର୍ଯ୍ୟ କାରଣ ପ୍ରାୟ ଯେଣୁ । କହିବା ଅନୁମାନେ ତେଣୁ ॥ ୪୩୦
ମୁକୁତା ସିପେ କରି ଭ୍ରାନ୍ତି । ରଜତ ପ୍ରାୟ ତା ମଣନ୍ତି ॥ ୪୩୧
ପୁଣି ବିଚାରେ ସେ ଯେମନ୍ତ । ମୁକୁତା ସିପ ହୋଏ ସତ୍ୟ ॥ ୪୩୨
ମାୟା ପ୍ରକାଶ ତୋ ବ୍ରହ୍ମାଣ୍ତେ । ସର୍ପ ଯେସନେ ରଜ୍ଜୁଖଣ୍ତେ ॥ ୪୩୩
କାର୍ଯ୍ୟ କାରଣ ମାୟାଲକ୍ଷି । ତୁ ପରମାତ୍ମା ଏତେ ସାକ୍ଷୀ ॥ ୪୩୪
ସାକ୍ଷୀ ସ୍ୱରୂପେ ରହେ ଆତ୍ମା । ଏହା ତ ମାନନ୍ତି ମହାତ୍ମା ॥ ୪୩୫
ସ୍ୱର୍ଗାଦିଫଳ ବେଦ କହି । ଏ ଘେନି ପ୍ରାଣୀ କର୍ମଦାହି ॥ ୪୩୬
ଏଣୁ ସଂସାର ସତ୍ୟ ଦିଶେ । କର୍ମ ସାଧନ୍ତି ମନତୋଷେ ॥ ୪୩୭
ଭବପ୍ରବଞ୍ଚ ବ୍ୟବହାରେ । ଚିତ୍ତ ବୁଡାଇଥାନ୍ତି ଧୀରେ ॥ ୪୩୮
ବେଦବାଦୀଏ ତାଙ୍କ ମନ । ଶିକ୍ଷା ଦେଇ ବେଦ ବଚନ ॥ ୪୩୯
କର୍ମର ଫଳ ସତ୍ୟ ପ୍ରାୟେ । ବିଷୟ ତାପ ଭ୍ରମେ ମୋହେ ॥ ୪୪୦
ଏ ଘେନି କର୍ମ କରି ଦେହେ । ଭ୍ରମନ୍ତି ତବ ମାୟାମୋହେ ॥ ୪୪୧
ପୂର୍ବ ଲୋକଙ୍କ କର୍ମ ଦେଖି । ଅପର ଲୋକେ ତାହା ଶିଖି ॥ ୪୪୨
ଭୋ ନାଥ ବେଦ ତୋ ବଚନ । ପୁଷ୍ପର ପ୍ରାୟ ଅନୁମାନ ॥ ୪୪୩
ପୁଷ୍ପରେ ଥାଇ ସର୍ବଗନ୍ଧ । ଭ୍ରମର ଲଭେ ମକରନ୍ଦ ॥ ୪୪୪
ବେଦବଚନେ ପୁଷ୍ପ ପ୍ରାୟେ । କର୍ଣ୍ଣେ ଶୁଣନ୍ତେ ଚିତ୍ତଧ୍ୟାୟେ ॥ ୪୪୫
ସର୍ବେ ବୋଲନ୍ତି ସାଧୁ ସାଧୁ । କେହି ନ ଲଭେ ପୁଷ୍ପମଧୁ ॥ ୪୪୬
ପ୍ରାଣୀଙ୍କି କର୍ମ ସେ କରାଏ । ଅନ୍ଧକୁ ଅନ୍ଧ ଯେହ୍ନେ ବାହେ ॥ ୪୪୭
ନ ଯଦିଦ ଯେ ଚତୁର୍ବିଂଶ । ଶୁଣ କହିବା ତା ଉଦ୍ଦେଶ୍ୟ ॥ ୪୪୮
ଏ ସୃଷ୍ଟି ପୂର୍ବେ ଥିଲା କାହିଁ । ପୁଣି ଏ ଅନ୍ତେ ଥିବ କାହିଁ ॥ ୪୪୯
ଏଣୁ ଏହାର ସତ୍ତା ନାହିଁ । ଶାସ୍ତ୍ର ମାର୍ଗରେ ଏହା କହି ॥ ୪୫୦
ତୋ ତହୁଁ ବିରାଟ ପୁରୁଷ । ଏ ମିଥ୍ୟା ସଂସାରେ ପ୍ରକାଶ ॥ ୪୫୧
ବ୍ରହ୍ମ ନିର୍ମାତା ଏକ ତୁହି । ତୋ ଅଙ୍ଗେ ସତ୍ୟ ଆଭାସଇ ॥ ୪୫୨
ଏ ନାନା ଦ୍ରବ୍ୟମାନ ଯେତେ । ଆମ୍ଭେ ଜାଣିଲୁ ଏବେ ତଥ୍ୟେ ॥ ୪୫୩
ମୃତ୍ତିକା ଆଦି ଧାତୁ ଯେତେ । ଏ ଯେତେ ଘଟ ବସ୍ତ୍ର ପାତ୍ରେ ॥ ୪୫୪
ଜଗତ ତୁଲେ ଏ ଶୟନ । ପୁଣ କହିବୁ ଅନୁମାନ ॥ ୪୫୫
ଯାହାର ତହୁଁ ସେ ଘଟନ । ବିଚାରେ ତହୁଁ ନୋହେ ଆନ ॥ ୪୫୬
ନାମ ମାତ୍ରକେ ଭେଦ ରହେ । ଏ ଅନୁମାନ ବେଦ କହେ ॥ ୪୫୭
କାରଣୁ କାର୍ଯ୍ୟ ଭିନ୍ନେ ଥାନ୍ତି । ଅନ୍ତେ କାରଣେ ସେ ମିଶନ୍ତି ॥ ୪୫୮
ଜଗତ କାରଣ ଯେ ତୁହି । କାର୍ଯ୍ୟ ଭିନ୍ନ ପ୍ରାୟ ଦିଶଇ ॥ ୪୫୯
ତୁ ସତ୍ୟ ଭବମଧ୍ୟେ ହରି । କେ ତୋ ମହିମା କହିପାରି ॥ ୪୬୦
ମନ ବିଳାସ ମାତ୍ର ଏହି । ଅଜ୍ଞାନେ ପ୍ରତ୍ୟକ୍ଷ ଦିଶଇ ॥ ୪୬୧
ସଯଦ ପଞ୍ଚବିଂଶ ସ୍ତୁତି । ବେଦ କହନ୍ତି ଭାବ ଚିନ୍ତି ॥ ୪୬୨
ତୁ ମହାମହିମ ଅନନ୍ତ । ଆଗମ ନିମନ୍ତେ ତୋ ଅନ୍ତ ॥ ୪୬୩
କେହି ନ ଜାଣେ ଅନୁମାନେ । ନିର୍ମଳ ଚିତ୍ତେ ଶୁଦ୍ଧଜ୍ଞାନେ ॥ ୪୬୪
ମିଥ୍ୟା ପ୍ରପଞ୍ଚ ଏ ଜଗତେ । ଜୀବ କି ଜାଣିପାରେ ଚିତ୍ତେ ॥ ୪୬୫
ବେଦବଚନେ ମିତ୍ୟେ ଭ୍ରମି । ଜନ୍ମମରଣ ପଥେ ଶ୍ରମୀ ॥ ୪୬୬
ଜୀବକୁ ମାୟାବଳେ ଧରି । କ୍ରୀଡଇ ସଂସାରେ ବିହରି ॥ ୪୬୭
ଗୁଣ ଇନ୍ଦ୍ରିୟ ଦେହମେଳେ । ଭ୍ରମେ ତୋ ମାୟା ଯୋଗବଳେ ॥ ୪୬୮
ଦେହାଦି ଧର୍ମ ଯେ ଭଜନ୍ତି । ସେ କାହିଁ ତୋ ଭାବ ଜାଣନ୍ତି ॥ ୪୬୯
ଅପେତଭଗ ସେ ବୋଲାଇ । ତେଣୁ ସଂସାର ନ ଛାଡଇ ॥ ୪୭୦
ତାପେ ତାପିତ ଏ ଶୟଳେ । ମରଇ ଅନ୍ତେ କର୍ମବଳେ ॥ ୪୭୧
ପୁରୁଣା ଚର୍ମ ଯେହ୍ନେ ସର୍ପେ । ଛାଡଇ ପାଇ ନିଜ ରୂପ ॥ ୪୭୨
ଏ ମାୟା ଯେବେ ଛାଡୁ ତୁହି । ଜୀବ ସ୍ୱରୂପେ ବିରାଜଇ ॥ ୪୭୩
ଅପରିମିତଭଗ ଯେଣୁ । ନିତ୍ୟେ ପ୍ରାପତ ସୁଖ ତେଣୁ ॥ ୪୭୪
ଯଦିନସମୁ ଷଡବିଂଶେ । ନିଗମେ ବୋଲନ୍ତି ହରଷେ ॥ ୪୭୫
ଅଶେଷ ବାସନା ଦଉଡି । ସେ ଅଜଗର ରୂପେ ଜଡି ॥ ୪୭୬
ତହୁଁ ସଞ୍ଚରେ କାମବୃକ୍ଷ । ପତ୍ର ପୁଷ୍ପ ଫଳ ପ୍ରତ୍ୟକ୍ଷ ॥ ୪୭୭
ଜୀବ ତା ସୁଖେ ଭୋଗ କରେ । ପଶୁ ଯେସନେ ପତ୍ର ଚରେ ॥ ୪୭୮
ସେ କାମବୃକ୍ଷ ଅବିରତେ । ସୁଖେ ବଢଇ ହୃଦଗତେ ॥ ୪୭୯
ତାହାକୁ ବଳେ ଛଳେ ଭିଡି । କେହି ନ ପାରନ୍ତି ଉପାଡି ॥ ୪୮୦
ବୁଲନ୍ତି ନାନା ତପଫଳେ । ଯୋଗ ସମାଧି ତୀର୍ଥ ଛଳେ ॥ ୪୮୧
ଅତି କଠୋରେ ସେ ଭ୍ରମନ୍ତି । ହୃଦରୁ ନ ତୁଟଇ ଭ୍ରାନ୍ତି ॥ ୪୮୨
ବିବିଧମତେ ଦୁଃଖ ପାଇ । ତାହାଙ୍କୁ ଅତି ଦୂର ତୁହି ॥ ୪୮୩
ନିତ୍ୟେ ସେ କାମଭୋଗ ଚିନ୍ତି । ଏ ଘେନି ତୋତେ ପାସୋରନ୍ତି ॥ ୪୮୪
ଅସାଧୁପଣ ତାହାଙ୍କର । ଶୁଣ ହେ କମଳାରବର ॥ ୪୮୫
ଅମୂଲ୍ୟମଣି କଣ୍ଠେ ଧରି । ମନ ବିଷୟ ଜଡେ ଭରି ॥ ୪୮୬
ଯାବତ ସୁମରଣ ନାହିଁ । ପ୍ରାପତ ନୋହେ କଣ୍ଠେ ଥାଇ ॥ ୪୮୭
ମଣିର ପ୍ରାୟ କଣ୍ଠତଟେ । ତୁ ଥାଉ ପ୍ରାଣୀଙ୍କ ନିକଟେ ॥ ୪୮୮
ନିତ୍ୟେ ତୋ ମାୟା ମୋହ ଚିନ୍ତି । ଏ ଘେନି ତୋତେ ନ ଜାଣନ୍ତି ॥ ୪୮୯
ଯୋଗୀ ବୋଲାଇ ଜ୍ଞାନପଥେ । ବିଷୟରସ ଅବିରତେ ॥ ୪୯୦
ନିରତେ ଇନ୍ଦ୍ରିୟ ପୋଷଣେ । ଧନ ସଞ୍ଚୟ କରଷଣେ ॥ ୪୯୧
ଉଭୟ ଲୋକ ତାର ନାହିଁ । ତୋତେ ପାଇବେ ଅବା କାହିଁ ॥ ୪୯୨
ଯାବତ ତୋ ଚରଣ ତଳେ । ଚିତ୍ତ ନ ରହଇ ନିଶ୍ଚଳେ ॥ ୪୯୩
ସପ୍ତବିଂଶେ ତ୍ୱଦବଗମୀ । ବେଦେ ବୋଲନ୍ତି ଶୁଣ ସ୍ୱାମୀ ॥ ୪୯୪
ଭୋ ନାଥ ତୋତେ ଯେ ଜାଣନ୍ତି । ତାଙ୍କ ମହିମା କେବା ଚିନ୍ତି ॥ ୪୯୫
ପ୍ରାଣୀଙ୍କ ଚିତ୍ତ ତୋ ଚରଣେ । ଆଶ୍ରିତ ଥାଇ ଅନୁକ୍ଷଣେ ॥ ୪୯୬
ଯେ ଯାହା କର୍ମଫଳ ଘେନି । ଫଳଇ ଦୁଃଖ ସୁଖ ବେନି ॥ ୪୯୭
ଏ ବେନିଫଳଙ୍କର ରସ । ନିଶ୍ଚେ ନ ଜାଣେ ତୋର ଦାସ ॥ ୪୯୮
ଦେହାଭିମାନୀ ପ୍ରାଣୀଙ୍କର । ବିଧି ନିଷେଧ ଅନୁଚର ॥ ୪୯୯
ତାହାଙ୍କ ନିନ୍ଦା ସ୍ତୁତି ବାଣୀ । ତୋର ସେବକ ତାହା ଶୁଣି ॥ ୫୦୦
ଚିତ୍ତେ ନ କରନ୍ତି ବିଚାର । ଏମନ୍ତ ମହିମା ତୁମର ॥ ୫୦୧
ଯୁଗାନୁଯୁଗ ତୋ ଶରୀର । ମତ୍ସ୍ୟାଦି ନାନା ଅବତାର ॥ ୫୦୨
ତୋହର ଗୁଣ କର୍ମ ଯେତେ । ଯେ ପ୍ରାଣୀ ଶୁଣେ କର୍ଣ୍ଣପଥେ ॥ ୫୦୩
ତୁଣ୍ତେ ଭାଷନ୍ତି ଅନୁକ୍ଷଣେ । ଚିନ୍ତନ୍ତି ତୋହର ଚରଣେ ॥ ୫୦୪
ତୁ ନାଥ ଅପବର୍ଗ ଗତି । ଅନ୍ତେ ତୋ ଚରଣେ ପଶନ୍ତି ॥ ୫୦୫
ଅଷ୍ଟବିଂଶତି ପୂର୍ଣ୍ଣସୁତି । ବୋଲନ୍ତି ଦ୍ୟୁପତୟ ଶ୍ରୁତି ॥ ୫୦୬
ବେଦେ ବୋଲନ୍ତି ହେ ଅନନ୍ତ । ନିତ୍ୟେ ତୋହର ଆଦିଅନ୍ତ ॥ ୫୦୭
ମନ ବଚନ ବହୁ ଚିନ୍ତି । ବ୍ରହ୍ମାଦି ଦେବେ ନ ଜାଣନ୍ତି ॥ ୫୦୮
ତୋ ରୂପ ତୁହି ନ ପ୍ରମାଣୁ । କେ ତାହା ଦେହ ବହି ଜାଣୁ ॥ ୫୦୯
ତୁ ଅବା ବୋଲୁ ମୋ ମହିମା । ମୁଁ କିମ୍ବା ନ ଜାଣଇ ସୀମା ॥ ୫୧୦
ସର୍ବଜ୍ଞପଣ କି ମୋ ନାହିଁ । କହିବୁଁ ଶୁଣ ଭାବଗ୍ରାହୀ ॥ ୫୧୧
ସ୍ୱଭାବେ ଶୂନ୍ୟ ଅପ୍ରମିତ । କେ ଜାଣେ ତୋର ଆଦି ଅନ୍ତ ॥ ୫୧୨
ଉଦୟ ଅସ୍ତ ନାହିଁ ଯାର । ଏଣୁ ତୁ ତୋତେ ଅଗୋଚର ॥ ୫୧୩
ଏଣୁ ଆମ୍ଭର ଅନୁମତେ । ସର୍ବଜ୍ଞ ବୋଲିବୁ କେମନ୍ତେ ॥ ୫୧୪
ଶଶାର ମୁଣ୍ତେ ଶୃଙ୍ଗ ଜାତ । ବନ୍ଧ୍ୟା କି ପ୍ରସବିବ ସୁତ ॥ ୫୧୫
ଏ ବେନି ନ ଜାଣନ୍ତି ଯେହୁ । ସର୍ବଜ୍ଞ ବୋଲାଇବେ କାହୁଁ ॥ ୫୧୬
ତୋ ଆଦି ଅନ୍ତ ମଧ୍ୟ ତୁହି । କହିବୁଁ ଶୁଣ ମନଦେଇ ॥ ୫୧୭
ଏକ ଆରକେ ଦଶଗୁଣ । ବ୍ରହ୍ମାଣ୍ତ ସପ୍ତ ଆବରଣ ॥ ୫୧୮
ଏମନ୍ତେ ଅଶେଷ ବ୍ରହ୍ମାଣ୍ତ । ଆଶ୍ରେ କରନ୍ତି ତୋର ପିଣ୍ତ ॥ ୫୧୯
ଭ୍ରମନ୍ତି କାଳଚକ୍ର ବଳେ । ଧୂଳି ଯେସନେ ଅନ୍ତରାଳେ ॥ ୫୨୦
ସେ ରେଣୁ ମଧ୍ୟେ ପ୍ରାଣୀ ଥାଇ । ତୋ ରୂପ ପ୍ରମାଣିବ କାହିଁ ॥ ୫୨୧
ବେନ୍ଦେ ବୋଲନ୍ତି ବିଶ୍ୱମଧ୍ୟେ । ଆମ୍ଭେ ହୋ ଭ୍ରମୁ ମାୟାବନ୍ଧେ ॥ ୫୨୨
ତୋର ମହିମା ଅଛି ଯେତେ । ଆମ୍ଭେ ତା ଜାଣିବୁ କେମନ୍ତେ ॥ ୫୨୩
ସଗୁଣ ନିର୍ଗୁଣର ସୀମା । ଭୋ ନାଥ ତୋହର ମହିମା ॥ ୫୨୪
ବିଧିନିଷେଧ ବାଦ କରି । ତୋର ମହିମା କେ ବିଚାରି ॥ ୫୨୫
ବିଧି ନିଷେଧ ହିଁ ନ ଜାଣେ । ପ୍ରଣମେ ତୋହର ଚରଣେ ॥ ୫୨୬
ବେଦେ ବୋଲନ୍ତି ଆମ୍ଭ ଚିତ୍ତେ । ତୋର ମହିମା ଅନୁମତେ ॥ ୫୨୭
ସୃଷ୍ଟି ସଂହାରି ତୋ ଶରଣେ । ପଶିଲୁଁ ଅଭୟ ଚରଣେ ॥ ୫୨୮
ନିରତେ ତୋର ପଦ୍ମପାଦେ । ଥିବୁଁ ସର୍ବଦା ସୁଖ ସଧେ ॥ ୫୨୯
ଏମନ୍ତେ ବେଦଙ୍କ ବଚନ । ଶୁଣି ବୋଲନ୍ତି ନାରାୟଣ ॥ ୫୩୦
ଏମନ୍ତେ ବ୍ରହ୍ମାର ନନ୍ଦନ । ସନନ୍ଦ ତହୁଁ ଆତ୍ମଜ୍ଞାନ ॥ ୫୩୧
ଶୁଣି ସାନନ୍ଦ ତିନି ଭାଇ । ଚରଣଯୁଗେ ଶିର ଦେଇ ॥ ୫୩୨
ପୂଜିଲେ ସନନ୍ଦ ଚରଣ । କହନ୍ତି ପ୍ରଭୁ ନାରାୟଣ ॥ ୫୩୩
ନାରାୟଣ ଉବାଚ
ଶୁଣ ନାରଦ ମୁନିଙ୍କର । ସେ ଚାରି ବ୍ରହ୍ମାର କୁମର ॥ ୫୩୪
ବ୍ରହ୍ମ ସମାଧି ସଙ୍ଗ ପାଇ । ନିରତେ ଆତ୍ମାନନ୍ଦ ଧ୍ୟାୟି ॥ ୫୩୫
ଆଗମ ପୁରାଣ ବଖାଣି । ଉପନିଷଦେ ବ୍ରହ୍ମ ଜାଣି ॥ ୫୩୬
ତୁ ବିପ୍ରବର ଜ୍ଞାନବଳେ । ନିରତେ ଭ୍ରମି ଭୂମଣ୍ତଳେ ॥ ୫୩୭
ନିର୍ମଳ ଚିତ୍ତେ ଜ୍ଞାନ ଜାଣୁ । ଜୀବନ ମୁକତି ପ୍ରମାଣୁ ॥ ୫୩୮
ଏ ତତ୍ତ୍ୱଜ୍ଞାନେ ଯାର ଚିତ୍ତ । ଆନନ୍ଦ ବଢେ ଅବିରତ ॥ ୫୩୯
ସଂସାର ବାସନାରୁ ତରେ । ନ ବୁଡେ ଭବ ମହାଘୋରେ ॥ ୫୪୦
ଶୁକ ଉବାଚ
କହିଲେ ନରନାରାୟଣ । ପ୍ରସ୍ତାବେ ବ୍ରହ୍ମର କାରଣ ॥ ୫୪୧
ଏ ଦୁଇଜନଙ୍କ ସମ୍ବାଦ । ଯେତେ କହିଲେ ତିନି ବେଦ ॥ ୫୪୨
ଶୁକ କହନ୍ତି ଅନୁରାଗେ । ବେଦ ଉପନିଷଦ ଭାଗେ ॥ ୫୪୩
ଶୁଣି ସାନନ୍ଦ ମୁନିବର । ନମିଲେ ବିଷ୍ଣୁର ପୟର ॥ ୫୪୪
ଗୋବିନ୍ଦ ଯଶ ଗାଇ ତୁଣ୍ତେ । ଆନନ୍ଦେ ଗଲେ ସେ ବ୍ରହ୍ମାଣ୍ତେ ॥ ୫୪୫
ଶୁଣ ହୋ ଅଭିମନ୍ୟୁସୁତ । ମୋ ଜନ୍ମ କର୍ମର ଚରିତ ॥ ୫୪୬
ଯଜ୍ଞର ଅର୍ଥେ ପରାଶର । ଅଗ୍ନିମନ୍ଥନେ ତତପର ॥ ୫୪୭
ମନ୍ତ୍ର ଉଚ୍ଚାରନ୍ତି ଆନନ୍ଦେ । ଏମନ୍ତେ ଅଗ୍ନିକୁଣ୍ତ ମଧ୍ୟେ ॥ ୫୪୮
ଅରଣି ଯୋଗେ କାମଚିତ୍ତ । ପଡିଲା ବ୍ୟାସଙ୍କର ରେତ ॥ ୫୪୯
ସେ ବୀର୍ଯ୍ୟ ଅଙ୍କୁରୁ ମୁଁ ଜାତ । ତେଣୁ ମୁଁ ଅଯୋନି ସମ୍ଭୂତ ॥ ୫୫୦
ଏ ଘେନି ବ୍ୟାସ ମୋର ତାତ । ତାଙ୍କ ଆଶ୍ରମେ ଉପଗତ ॥ ୫୫୧
ନାରଦ ଋଷି ଆଗମନ । ଦେଖି ପରାଶର ନନ୍ଦନ ॥ ୫୫୨
ଆସନୁ ଉଠି କିଛି ଦୂରେ । ଅଭିଗମନ ତତପରେ ॥ ୫୫୩
ଉତ୍ତମ ଆସନେ ବସାଇ । ପାଦ ପୂଜିଲେ ଅର୍ଘ୍ୟ ଦେଇ ॥ ୫୫୪
ବ୍ୟାସଙ୍କୁ କହିଲେ ନାରଦ । ନର ନାରାୟଣ ସମ୍ବାଦ ॥ ୫୫୫
ତୁ ଯାହା ପଚାରିଲୁ ମୋତେ । ବ୍ରହ୍ମ ସମ୍ବାଦ ଭାବଚିତ୍ତେ ॥ ୫୫୬
ବୋଲୁ ଯେ ନିର୍ବିକାର ବ୍ରହ୍ମ । କେମନ୍ତେ ଜାଣନ୍ତି ନିଗମ ॥ ୫୫୭
ତାହା ତ କହିଲି ମୁଁ ତୋତେ । ଏବେ ହୋ ଶୁଣ ଏକଚିତ୍ତେ ॥ ୫୫୮
ଯେ ହରି ଜଗତ ଭିଆଇ । ଆଦ୍ୟନ୍ତ ସାକ୍ଷୀରୂପ ହୋଇ ॥ ୫୫୯
ପ୍ରକୃତି ପୁରୁଷହୁଁ ଦୂର । ବ୍ରହ୍ମାଣ୍ତ ଯାର ଖେଳଘର ॥ ୫୬୦
ବ୍ରହ୍ମାଣ୍ତେ ପଶି ଆତ୍ମାଅଂଶେ । ଜୀବକୁ ପାଳଇ ଆଶ୍ୱାସେ ॥ ୫୬୧
ନିଜ ସେବକେ ମୋକ୍ଷ ଦେଇ । ନିତ୍ୟେ ଭକତ ପାଶେ ଥାଇ ॥ ୫୬୨
ତୋ ରୂପ ଜୀବରେ ନିରେଖି । ମାୟା ଛାଡଇ ତାହା ଦେଖି ॥ ୫୬୩
ତୁ ଯେ ବୋଇଲୁ ଏ ଜଗତେ । ଜୀବନମୁକ୍ତ ଛନ୍ତି ଯେତେ ॥ ୫୬୪
ଶରୀରବନ୍ଧ ତାଙ୍କ ଦେଖି । ମାୟା କେମନ୍ତେ ତା ଉପେକ୍ଷି ॥ ୫୬୫
ଶୁଣ ଯାହାକୁ କୃଷ୍ଣ ଦୟା । ତାହାକୁ ନ ଲାଗଇ ମାୟା ॥ ୫୬୬
ଆତ୍ମାର ଜ୍ଞାନ ନିତ୍ୟେ ବଢେ । ଦେହାଦି ଧର୍ମକୁ ସେ ଛାଡେ ॥ ୫୬୭
ଯେମନ୍ତେ ନିଦ୍ରାଗତ । ଦେହାଦି ଧର୍ମ ନ ଲାଗଇ ॥ ୫୬୮
ଆତ୍ମାରେ ଜଗତ ଦେଖଇ । ଦେହାଦି ଧର୍ମ ନ ଲାଗଇ ॥ ୫୬୯
ସମସ୍ତ ପ୍ରାଣୀ ଦୃଷ୍ଟି ତାକୁ । ତା ଦୃଷ୍ଟି ନ ଥାଇ ଦେହକୁ ॥ ୫୭୦
ସେ ହରି ନିରଞ୍ଜନ ରୂପ । କେବଳ ସାକ୍ଷୀ ଏ ସ୍ୱରୂପ ॥ ୫୭୧
ଅଭୟଦାତାର ଚରଣ । ନିରତେ କର ସୁମରଣ ॥ ୫୭୨
ଯା ରୂପ ନିରନ୍ତର ଲୋଡି । ମନ ବଚନ ହିଁ ବାହୁଡି ॥ ୫୭୩
ଅଧିକ କି କହିବି ମୁହିଁ । ପରୀକ୍ଷ ଭାଗ୍ୟବନ୍ତ ତୁହି ॥ ୫୭୪
ବୋଲଇ ଦାସ ଜଗନ୍ନାଥ । ବେଦ ସମ୍ବାଦେ ଭାଗବତ ॥ ୫୭୫
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ
ନାରଦନାରାୟଣ ସମ୍ବାଦେ ବେଦସ୍ତୁତିର୍ନାମ ତ୍ରିନବତିତମ ଅଧ୍ୟାୟଃ
* * *