ଦଶମ ସ୍କନ୍ଧ

ତ୍ରିନବତିତମ ଅଧ୍ୟାୟ

ସୁଭଦ୍ରା-ତନୟ-କୁମର । କୃଷ୍ଣସେବକ ମଧ୍ୟେ ସାର ॥

ପ୍ରଣାମ କରି ଶୁକ ପାଦେ । ବୋଲେ ଆନନ୍ଦ ଗଦଗଦେ ॥

ପରୀକ୍ଷିତ ଉବାଚ

ଭୋ ମୁନି ତୁମ୍ଭର ମହିମା । କେ କହିପାରେ ଗୁଣସୀମା ॥

କୃଷ୍ଣସେବକ ମଧ୍ୟେ ବର । ମୁଁ ତୁମ୍ଭ ଚରଣେ କିଙ୍କର ॥

ପାଣ୍ତବ କୁଳେ ଜାତ ହୋଇ । ସ୍ୱଭାବେ ଭାଗ୍ୟବନ୍ତ ମୁହିଁ ॥

ତୁମ୍ଭର ମୁଖୁଁ କୃଷ୍ଣବାଣୀ । ନିରତେ ଶ୍ରୁତିପଥେ ଶୁଣି ॥

ଅନେକ ଜନ୍ମ ତପଫଳେ । ଜନ୍ମିଲି ଭାରତମଣ୍ତଳେ ॥

ଦେଖ ମୋହର ଜନ୍ମକାଳେ । ଲିଖିତ ଅଛି ଯେ କପାଳେ ॥

ସେ ଘେନି ପ୍ରାଣ ତ୍ୟାଗ କାଳେ । ଚରଣ ଦେଇ ଗଙ୍ଗାଜଳେ ॥

ବ୍ରହ୍ମ ବିଚାର ତୁମ୍ଭ ତୁଲେ । କଲି ଆନନ୍ଦ ସୁଖ ଭୋଳେ ॥ ୧୦

ବିଶ୍ୱସଂସାର ମଧ୍ୟେ ହରି । ଜନ୍ମିଲେ ଯେତେ ରୂପ ଧରି ॥ ୧୧

ମୀନ କମଠ ଆଦି ରୂପ । ଧରି ନାଶିଲେ ମହୀତାପ ॥ ୧୨

ଯେ ଏହା ଶୁଣେ କର୍ଣ୍ଣଦ୍ୱାରେ । ନ ବୁଡେ ସଂସାର ସାଗରେ ॥ ୧୩

ହରି ମହିମା ତୁମ୍ଭେ ଯେତେ । ମୋତେ କହିଲ ଭାଗବତେ ॥ ୧୪

ସଂସାର-ବୃକ୍ଷ-ମୂଳ-କନ୍ଦ । ଅନାଦି ପୁରୁଷ ଗୋବିନ୍ଦ ॥ ୧୫

ନିଜ ସ୍ୱରୂପେ ବ୍ରହ୍ମରାଶି । ଏକ ଅନେକ ରୂପେ ଦିଶି ॥ ୧୬

ବସଇ ସର୍ବଜୀବ ଦେହେ । ବିଷୟ-ମାୟା-ଜଡ ମୋହେ ॥ ୧୭

କର୍ମ କରଇ ତେଜ ବହି । କାର୍ଯ୍ୟକାରଣେ ନ ଲାଗଇ ॥ ୧୮

ଏଣୁ ତା ନିଜ ରୂପ ଭାବ । ସଂସାରେ କେ ଅବା କହିବ ॥ ୧୯

ବେଦ-ବେଦାନ୍ତ କେବା ଜାଣୁ । ଯେ ନୋହେ ଅଣୁ ପରମାଣୁ ॥ ୨୦

ନାଭିକମଳୁ ବ୍ରହ୍ମା ଜାତ । ସେ ଖୋଜି ନ ପାଇଲା ଅନ୍ତ ॥ ୨୧

ତାର ନିଃଶ୍ୱାସୁଁ ବେଦ ଜନ୍ମି । ତ୍ରିଗୁଣ ମାୟାଚକ୍ରେ ଭ୍ରମି ॥ ୨୨

କେମନ୍ତେ ବିଷ୍ଣୁଙ୍କୁ ଜାଣନ୍ତି । ଏ ମୋର ମନେ ବଡ ଭ୍ରାନ୍ତି ॥ ୨୩

ସ୍ୱଭାବେ ବିଷ୍ଣୁ ନିରଞ୍ଜନ । ନୋହେ ପ୍ରକାଶ ସ୍ଥୂଳ ଶୂନ୍ୟ ॥ ୨୪

ଏ କଥା କହ ମୁନିବର । ନିର୍ମଳ ହେଉ ମୋ ଶରୀର ॥ ୨୫

ଏମନ୍ତ ପରୀକ୍ଷିତ ବାଣୀ । ଶୁକ ବୋଲନ୍ତି ତାହା ଶୁଣି ॥ ୨୬

ଶୁକ ଉବାଚ

ତୁ ପୁଣ୍ୟବନ୍ତ ନୃପବର । ଚଞ୍ଚଳ ମନ ସ୍ଥିର କର ॥ ୨୭

ଜଗତ ଈଶ୍ୱର ମୁରାରି । ସଂସାର ମାୟାଯୋଗେ କରି ॥ ୨୮

ଭିଆଇ ସୂକ୍ଷ୍ମରୂପେ ଜୀବ । ସ୍ଥାବର ଆଦି ଦେହୀ ସର୍ବ ॥ ୨୯

ଆଗେ ଭିଆଣ କଲା ମନ । ଅହଙ୍କାର ବୁଦ୍ଧି ଚେତନ ॥ ୩୦

କର୍ମର ଅର୍ଥେ ଇନ୍ଦ୍ରିଗଣ । ସର୍ଜିଲା ଆଦି ନାରାୟଣ ॥ ୩୧

କର୍ମରୁ ବାସନା ସମ୍ଭୂତ । ତେଣୁଟି ବଦ୍ଧ ଏ ଜଗତ ॥ ୩୨

କର୍ମ ବାସନା ରଜ୍ଜୁ ବଳେ । ପ୍ରାଣୀ ଭ୍ରମନ୍ତି ଏ ଶୟଳେ ॥ ୩୩

ଏଣୁ ସେ ଇହ ପରଲୋକେ । ଫଳ ଭୁଞ୍ଜଇ ଦୁଃଖେ ସୁଖେ ॥ ୩୪

ଏ ଘେନି କର୍ମର ଭିଆଣ । ପ୍ରବୃତ୍ତି ନିବୃତ୍ତି କାରଣ ॥ ୩୫

ଦେହ ଧାରଣା ଦଶପ୍ରାଣ । ଭିରରେ ବାହାରେ ପ୍ରମାଣ ॥ ୩୬

ଏମନ୍ତ ସର୍ଜି ବିଶ୍ୱକାୟା । ତୁ ମୋତେ ପଚାରିଲୁ ଯାହା ॥ ୩୭

ବୋଲୁ ଯେ ବିଷ୍ଣୁର ମହିମା । କେ ଜାଣିପାରେ ଗୁଣସୀମା ॥ ୩୮

ବେଦ କେମନ୍ତେ ତାହା ଜାଣି । କହେ ମହିମା ପରିମାଣି ॥ ୩୯

ବୁଦ୍ଧି ଇନ୍ଦ୍ରିୟ ପ୍ରାୟ ମନ । ଏହାଙ୍କ ବିଷୟ ପ୍ରମାଣ ॥ ୪୦

ଯେ ରୂପେ ହୋଇବ ପ୍ରବେଶ । ତହିଁକି ଦେବ ଉପଦେଶ ॥ ୪୧

ବିଧାତା ଆଦି ଯେତେ ମୁନି । ବେଦରୁ ବ୍ରହ୍ମଭାଗ ଘେନି ॥ ୪୨

ସେ ବ୍ରହ୍ମଜ୍ଞାନକୁ ଶ୍ରବଣ । ଆବର କରନ୍ତି ଧାରଣ ॥ ୪୩

ବେଦ ବଚନେ ବ୍ରହ୍ମ ଜାଣି । ଭବସାଗରୁ ତରେ ପ୍ରାଣୀ ॥ ୪୪

ବେଦୁଁ ପରମ ଗତି ପାନ୍ତି । ଉପନିଷଦ ଭାଗ ଚିନ୍ତି ॥ ୪୫

ଶୁଣ ପାଣ୍ତବ ଚୂଡାମଣି । ଯେମନ୍ତେ ବେଦୁଁ ବ୍ରହ୍ମ ଜାଣି ॥ ୪୬

ପୁଣ୍ୟ ଆଶ୍ରମ ବଦରିକା । ଯହିଁ ଗୋବିନ୍ଦ ବେନି ସଖା ॥ ୪୭

ସେ ନର ନାରାୟଣ ରୂପେ । ସାଧନ୍ତି ଜନ୍ମସୁଖ ତପେ ॥ ୪୮

ଭାରତ ମଧ୍ୟେ ଯେତେ ଜନ୍ତୁ । ଏହାଙ୍କ ତପ ତାଙ୍କ ହେତୁ ॥ ୪୯

କଳାପ ଗ୍ରାମେ ଯଜ୍ଞବାଟେ । ମୁନିଏ ଅଛନ୍ତି ନିକଟେ ॥ ୫୦

ତହିଁ ନାରଦ ମହାମୁନି । ମିଳିଲେ ବିଷ୍ଣୁଭାବ ଘେନି ॥ ୫୧

ସେ ମୁନି ବିଷ୍ଣୁର ସ୍ୱରୂପ । ଜୀବନମୁକ୍ତ ଜ୍ଞାନଦୀପ ॥ ୫୨

ନିରତେ ଜନ ଉପକାରେ । ଭ୍ରମନ୍ତି ଚତୁର୍ଦ୍ଦଶପୁରେ ॥ ୫୩

ବୀଣାଶବଦ କରେ ବାଇ । ମିଳିଲେ ବିଷ୍ଣୁ ପାଶେ ଯାଇ ॥ ୫୪

ଚରଣେ ଦେଇ ବେନିକର । ନମିଲେ ବ୍ରହ୍ମାଙ୍କ କୁମର ॥ ୫୫

କହନ୍ତି ଶୁକ ମୁନିବର । ଶୁଣ ପରୀକ୍ଷ ନୃପବର ॥ ୫୬

ବିଷ୍ଣୁ ନାରଦଙ୍କ ସମ୍ବାଦ । ଶୁଣନ୍ତେ ନ ଲାଗେ ପ୍ରମାଦ ॥ ୫୭

ବୋଲି ନାରଦ ମହାଋଷି । ବିଷ୍ଣୁ ଚରଣତଳେ ବସି ॥ ୫୮

ନମଇଁ ପ୍ରଭୁ ନାରାୟଣ । ତୁମ୍ଭର ଅଭୟଚରଣ ॥ ୫୯

ହୃଦରେ ଅଛି ମୋ ସନ୍ଦେହ । ବ୍ରହ୍ମବିଚାର ମୋତେ କୁହ ॥ ୬୦

କହନ୍ତି ନାରାୟଣ ଋଷି । ନାରଦ ବାକ୍ୟ ପରଶଂସି ॥ ୬୧

ନାରାୟଣ ଉବାଚ

ଶୁଣ ନାରଦ ଶୁଦ୍ଧଚେତା । ଜନଲୋକ ସମ୍ବାଦ କଥା ॥ ୬୨

ବ୍ରହ୍ମା ମନରୁ ଜାତ ହୋଇ । ସନକ ଆଦି ଚାରିଭାଇ ॥ ୬୩

ଯୋଗ ସାଧନେ ଉର୍ଦ୍ଧ୍ୱରେତା । ବ୍ରହ୍ମବିଚାରେ ସେ ବକତା ॥ ୬୪

ସମାନ ବୁଦ୍ଧି ଚାରିଭାଇ । ଶ୍ରୋତା ବକତା ହୋଇ ତହିଁ ॥ ୬୫

ତାହାଙ୍କ ମଧ୍ୟେ ବିଚାରଣ । ଯେ ବ୍ରହ୍ମ ପରମକାରଣ ॥ ୬୬

ସେ ବ୍ରହ୍ମବିଚାର ସୂଚକେ । ତୁମ୍ଭେ ନ ଥିଲ ଜନଲୋକେ ॥ ୬୭

ଅଗାଧ ଜଳେ ଶ୍ୱେତଦୀପେ । ବିଷ୍ଣୁ ଶୟନ ମହାସର୍ପେ ॥ ୬୮

ଦେଖିବା ପାଇଁ ତୁମ୍ଭେ ଗଲ । ସେ ଘେନି ସେ ଲୋକେ ନଥିଲ ॥ ୬୯

ତୁମ୍ଭ ଗଲାରେ ପ୍ରଶ୍ନ ହୋଇ । ଶୁଣିଲି ଜନଲୋକ ମୁହିଁ ॥ ୭୦

ନାରଦ ଉବାଚ

ମୁନି ବୋଲନ୍ତି ନାରାୟଣ । ଗହନ ବ୍ରହ୍ମ ବିଚାରଣ ॥ ୭୧

ମନ ବଚନେ ନୋହେ ଧରି । ବେଦ କି ପାରେ ଅନ୍ତଃ କରି ॥ ୭୨

ସମାନଜ୍ଞାନୀ ଚାରିମୁନି । ଶ୍ରୋତା ବକତା ଭାବ ଘେନି ॥ ୭୩

ବ୍ରହ୍ମ ସମ୍ବାଦ କଲେ ଯାହା । ଭୋ ନାଥ ମୋତେ କହ ତାହା ॥ ୭୪

ନାରାୟଣ ଉବାଚ

କହନ୍ତି ପ୍ରଭୁ ନାରାୟଣ । ନାରଦ ସାବଧାନେ ଶୁଣ ॥ ୭୫

ବ୍ରହ୍ମାର ସେ ଚାରି କୁମର । ମହାମହିମା ତାହାଙ୍କର ॥ ୭୬

ସନନ୍ଦ ମୁନି ମୁଖ ଚାହିଁ । ବ୍ରହ୍ମ ପୁଚ୍ଛିଲେ ତିନିଭାଇ ॥ ୭୭

ମୁନିଏ ବାଳଖିଲ୍ୟା ଆଦି । ଅନେକ ଥିଲେ ବ୍ରହ୍ମବାଦୀ ॥ ୭୮

ସନନ୍ଦ କହେ ଶୁଦ୍ଧମନେ । ବ୍ରାହ୍ମଣେ ଶୁଣ ସାବଧାନେ ॥ ୭୯

ପୁରାଣ ପୁରୁଷ ମୁରାରି । ମାୟାର ବଳେ ସୃଷ୍ଟି କରି ॥ ୮୦

ପାଳନ ଧର୍ମରୂପେ କଲା । ପୁଣି ପ୍ରଳୟେ ସଂହାରିଲା ॥ ୮୧

ସେ ମାୟା ନିଜ ଦେହେ ଧରି । ଜଳ ଶୟନେ ନରହରି ॥ ୮୨

ବିଷ୍ଣୁ ରଜନୀ ପ୍ରକାଶିଲା । କେ ଜାଣେ କେତେଗାଳ ଗଲା ॥ ୮୩

ପ୍ରବୋଧ କାଳେ ସେ ପୁରୁଷ । ଅଳସେ ଛାଡିଲା ନିଶ୍ୱାସ ॥ ୮୪

ଶୁଭିଲା ପ୍ରଚଣ୍ତ ଶବଦ । ତହୁଁ ଜନ୍ମିଲେ ତିନି ବେଦ ॥ ୮୫

ଦୁର୍ଗମ ଅନ୍ଧକାର ଦେଖି । ଭୟେ ବୁଜିଲେ ବେନିଆଖି ॥ ୮୬

ବିଷ୍ଣୁର ତେଜ ସେ ବହନ୍ତି । ବିଷ୍ଣୁ ଭେଟିଲେ ଯିବ ଭ୍ରାନ୍ତି ॥ ୮୭

ଏତେ ବିଚାର ମନେ ଘେନି । ସ୍ତୁତି କରନ୍ତି ବେଦ ତିନି ॥ ୮୮

ମାଗଧେ ରଜନୀର ଅନ୍ତେ । ରାଜାଙ୍କୁ ଡାକନ୍ତି ଯେମନ୍ତେ ॥ ୮୯

ବେଦଗଣ ଉବାଚ

ପ୍ରଥମେ ଜୟ ଜୟ ସ୍ତୁତି । ନିର୍ଗୁଣ ନିଗମେ ବୋଲନ୍ତି ॥ ୯୦

ଜୟ ଅଜିତ ଆଦିକନ୍ଦ ଆଦିକନ୍ଦ । ନିର୍ଲେପ ପରମ ଆନନ୍ଦ ॥ ୯୧

ଜୟ ମଙ୍ଗଳ ଜଗନ୍ନାଥ । ଏ ଜୀବ ତୋର ତହୁଁ ଜାତ ॥ ୯୨

ସ୍ଥାବର ଆଦି ଚାରି ମୂଳେ । ବନ୍ଧନ ବାସନାର ବଳେ ॥ ୯୩

ତୋର ମାୟାରେ ଭ୍ରମ ପାଇ । ନାନା ଯୋନିରେ ଜାତ ହୋଇ ॥ ୯୪

ଭ୍ରମନ୍ତି ତୋ ଭାବ ନ ପାଇ । ତାହାଙ୍କ ମାୟା ଛେଦ ତୁହି ॥ ୯୫

ସେ ମାୟା ପ୍ରକାଶିବୁ କେତେ । ଗୁଣ ଯେ ଭଜେ ଦୋଷ ଅର୍ଥେ ॥ ୯୬

ତୁ ଆତ୍ମାଗୁଣେ ନରହରି । ଅଷ୍ଟମ ନିଧି ଯୋଗଧାରୀ ॥ ୯୭

ଉପାଧି ଭେଦେ ନୋହୁଁ ସଙ୍ଗ । ସଲିଳେ ଯେସନେ ତରଙ୍ଗ ॥ ୯୮

ପରମ ଆତ୍ମା ରୂପେ ବସୁ । ଜୀବର ଶକ୍ତି ତୁ ପ୍ରକାଶୁ ॥ ୯୯

ତୋ ମାୟା ତରିବାର ଆଶେ । ବୈରାଗ ଜ୍ଞାନ ସେ ଅଭ୍ୟାସେ ॥ ୧୦୦

ନାନାପ୍ରକାରେ ବୁଦ୍ଧି କରି । ତୋ ମାୟା ନ ପାରନ୍ତି ତରି ॥ ୧୦୧

ଏଣୁ ଜୀବର ଘୋର ମାୟା । ତୁଟଇ ଯାକୁ କରୁ ଦୟା ॥ ୧୦୨

ଅନାଦିମାୟା ସୃଷ୍ଟି କାଳେ । ତୁ ସେ ମାୟାର ସଙ୍ଗମେଳେ ॥ ୧୦୩

ଜୀବ ପରମ ରୂପ ଧରି । ତୋହର କ୍ରୀଡା ନରହରି ॥ ୧୦୪

ଅନନ୍ତ ଶକ୍ତି ତୋର ମାୟା । କେ ଜାଣିପାରେ ନାଥ ତାହା ॥ ୧୦୫

ଆଦି ଅନ୍ତ ନାହିଁ ତୋହର । ଏ ଘେନି କେ କରୁ ଗୋଚର ॥ ୧୦୬

ଦ୍ୱିତୀୟେ ବୃହଦୁପଲବ୍ଧ । ଭାବେ ବୋଲନ୍ତି ତିନି ବେଦ ॥ ୧୦୭

ତୁ ନାଥ ପରମଆନନ୍ଦ । ସଂସାର ମୂଳ ଆଦିକନ୍ଦ ॥ ୧୦୮

ତୁ ବୋଲୁ ବେଦ ଯେ ଅନାଦି । ସର୍ବ ପାରନ୍ତି ଏ ସମ୍ପାଦି ॥ ୧୦୯

ବାସବ ଆଦି ଦେବଗଣ । ଏ ଦେବେ ଯଜ୍ଞରେ ବରଣ ॥ ୧୧୦

କର୍ମ କରଣ ଶୁଭାଶୁଭ । ମୋକ୍ଷାଦି ଦିଅନ୍ତି ଏ ସର୍ବ ॥ ୧୧୧

ତହିଁ କି କହିବୁ ତୋ ଆଗେ । ପବନ ଯୋଗେ ଜଳବିମ୍ବେ ॥ ୧୧୨

କରିବା ଯେତେ ଅନୁମାନ । ଜଳୁ ସେ ନୁହନ୍ତି ତା ଭିନ୍ନ ॥ ୧୧୩

ତୁ ସର୍ବମୟ ନିରାକାର । ଅଶେଷ ଶେଷ ନାହିଁ ତୋର ॥ ୧୧୪

ସୃଷ୍ଟି ସମ୍ବୂତ ତୋର ତହୁଁ । ତୁ ବ୍ରହ୍ମ ବିକାର ଯେ ନୋହୁ ॥ ୧୧୫

ଘଟାଦି ମୃତ୍ତିକା ଯେସନେ । ଉଦୟ ଅସ୍ତ ଅନୁମାନେ ॥ ୧୧୬

ବାସବ ଆଦି ଏ ଜଗତେ । ତୋହର ସଞ୍ଚିଲା ଜଗତେ ॥ ୧୧୭

ଏ ଘେନି ଋଷିଗଣ ଯେତେ । ମନବଚନ ଦେଇ ତୋତେ ॥ ୧୧୮

ସମର୍ପି ତୋ ପାଦ କମଳେ । ତୋ ମାୟା ନିସ୍ତରନ୍ତି ହେଳେ ॥ ୧୧୯

ଦିଗପାଳଙ୍କ ପୂଜା ଘେନି । ଯଜ୍ଞେ କି ନ ତରିବେ ମୁନି ॥ ୧୨୦

କାଷ୍ଠ ତୃଣ ଅବା ପାଷାଣ । ଏଣେ ଯେ ଚାଳନ୍ତି ଚରଣ ॥ ୧୨୧

ବାଳକ ଦୃଷ୍ଟି ଦିଶେ ଭ୍ରାନ୍ତି । ଜାଣିଲେ ଭୂମିରେ ସେ ଥାନ୍ତି ॥ ୧୨୨

ତୃତୀୟେ ଇତି ବେଦେ ବାଣୀ । ଭାବେ ବୋଲନ୍ତି ପରିମାଣି ॥ ୧୨୩

ତ୍ରି ଅଧପତି ତୋର ନାମ । କହିବୁଁ ଶୁଣ ସାବଧାନ ॥ ୧୨୪

ତ୍ରିଗୁଣ ମାୟାଯନ୍ତ୍ର କରି । ମୃଗୀ ନଚାଉ ନରହରି ॥ ୧୨୫

ଏଣୁ ତୋ ତ୍ରିଅଧିପ ନାମ । ଶୁଣ କହିବୁଁ ଗୁଣ ଗ୍ରାମ ॥ ୧୨୬

ଆଦ୍ୟେ ଯେ ମୃଗ ଅନ୍ୱେଷଣ । ତାହାର ଅର୍ଥଟି ଭ୍ରମଣ ॥ ୧୨୭

ସେ ଭ୍ରମ ଅଛି ଯାର ତହିଁ । ଏ ଘେନି ମୃଗୀ ସେ ବୋଲାଇ ॥ ୧୨୮

ଅଶେଷ ଯୋନି ମଧ୍ୟେ ଥାଇ । ଜୀବ ଭ୍ରମଇ ଦେହ ବହି ॥ ୧୨୯

ଏଣୁ ଏ ଜୀବ ମୃଗୀ ନାମ । ଯେଣୁ ନିରତେ ତାର ଭ୍ରମ ॥ ୧୩୦

ତ୍ରିଗୁଣ ସତ୍ତ୍ୱ ରଜ ତମ । ଏମନ୍ତ ଯନ୍ତ୍ର ଅନୁମାନ ॥ ୧୩୧

ନାନା ବିଷୟ ବିଦ୍ୟମାନେ । ଜୀବ ନାଚଇ ସାବଧାନେ ॥ ୧୩୨

ଏଣୁ ତ୍ରିଅଧିପ ବୋଲାଉ । ଯେ ଯନ୍ତ୍ରେ ଜୀବକୁ ନଚାଉ ॥ ୧୩୩

ଏମନ୍ତେ ବେଦ ଅନୁମାନି । ପୁଣି ବୋଲନ୍ତି ଭାବ ଘେନି ॥ ୧୩୪

ସଂସାରେ ସୁପଣ୍ତିତ ପ୍ରାଣୀ । ତୋ ଅନୁମାନେ ତୋତେ ଜାଣି ॥ ୧୩୫

ତୋ କଥା ଅମୃତ ସାଗର । ଅଶେଷ ପାପ ଯହିଁ ଦୂର ॥ ୧୩୬

ସେ ଜଳେ ମନ ବୁଡାଇଲେ । ନଲାଗେ ତାପତ୍ରୟ ଭଲେ ॥ ୧୩୭

ତୋ ନାମ ମହିମା ଏମନ୍ତ । ତୋ ରୂପ କେ କରିବ ଅନ୍ତ ॥ ୧୩୮

ଯୋଗୀଏ ବସି ଯୋଗାସନେ । ଅଖଣ୍ତାନନ୍ଦ ରୂପ ଧ୍ୟାନେ ॥ ୧୩୯

ଅନ୍ତଃ କରଣେ ତାହା ଧରି । ତେଜି କାମାଦି ଷଡ ଅରି ॥ ୧୪୦

ଗର୍ଭ ଜନ୍ମ ବାଳ କିଶୋର । ତରୁଣ ବୃଦ୍ଧ ଦେହାନ୍ତର ॥ ୧୪୧

ଏ ସପ୍ତଦଶା ଜିଣି କରି । ମାୟା ସଂସାର ଯାନ୍ତି ତରି ॥ ୧୪୨

ଚତୁର୍ଥେ ଈଶ୍ୱରର ସ୍ତୁତି । ନିର୍ମଳ ନିଗମେ ବୋଲନ୍ତି ॥ ୧୪୩

ଭୋ ନାଥ କମ୍ବୁଚକ୍ରପାଣି । ତୋତେ ଯେ ନ ଭଜନ୍ତି ପ୍ରାଣୀ ॥ ୧୪୪

ଶରୀର ବହି ଏ ଶୟଳେ । ପ୍ରାଣ ତରନ୍ତି ସୁଖ ଭୋଳେ ॥ ୧୪୫

ତାଙ୍କ ଜୀବନ ଅକାରଣ । ଭୋ ନାଥ ଶୁଣ ନାରାୟଣ ॥ ୧୪୬

କର୍ମକାରକ ଯନ୍ତ୍ର ବଳେ । ଭାତିଏ ଗର୍ଜୁଥାନ୍ତି ଶାଳେ ॥ ୧୪୭

ଛାଡିଲେ ନଥାଇ ପବନ । ତେମନ୍ତ ତାହାଙ୍କ ଜୀବନ ॥ ୧୪୮

ମହତ ଅହଙ୍କାର ମନ । ଗଗନ ଆବର ପବନ ॥ ୧୪୯

ଜଳ ଅନଳ ସଙ୍ଗେ ମହୀ । ତୋ ଅନୁଗ୍ରହେ ଜଡ ହୋଇ ॥ ୧୫୦

ବ୍ରହ୍ମାଣ୍ତ ହୋଏ ଦେହଧାରୀ । ତୁ ନାଥ ଜୀବରୂପ ଧରି ॥ ୧୫୧

ପଞ୍ଚଶରୀରେ ତୋର ବାସ । ଯାହାକୁ ବୋଲି ପଞ୍ଚକୋଷ ॥ ୧୫୨

ଅନ୍ନ ଯେ ପ୍ରାଣ ଆର ମନ । ବିଜ୍ଞାନ ଆନନ୍ଦ ଏ ନାମ ॥ ୧୫୩

ଏ ପଞ୍ଚପୁରେ ତୁ ଯେ ପଶି । ଜ୍ୟୋତିସ୍ୱରୂପ ପରକାଶି ॥ ୧୫୪

ଏହାଙ୍କୁ ତୁଲେ ଲଗ୍ନ ନୋହୁ । ଯେଣୁ ନିର୍ଲେପ ରୂପ ବହୁ ॥ ୧୫୫

ଏଣୁ ତୋ ଚରଣ କମଳେ । ଯେ ନ ଭଜନ୍ତି ସୁଖଭୋଳେ ॥ ୧୫୬

ତୁ ନାଥ ତାହାଙ୍କୁ ଦୁର୍ଲ୍ଲଭ । ସେ ପ୍ରାଣୀ ଲଭେ ପରାଭାବ ॥ ୧୫୭

ଉଦର ପଞ୍ଚମରେ ସ୍ତୁତି । ବେଦେ ବାସୁଦେବ ବୋଲନ୍ତି ॥ ୧୫୮

ଶୁଣ ହେ ପରମ କାରଣ । ଋଷିଙ୍କ ମାର୍ଗ ବିଚାରଣ ॥ ୧୫୯

ସ୍ଥୂଳ ଦୃଷ୍ଟିରେ ତୋତେ ଚିନ୍ତି । ସୂକ୍ଷ୍ମ ସ୍ୱରୂପ ନ ଜାଣନ୍ତି ॥ ୧୬୦

ଗୁରୁଙ୍କ ଉପଦେଶ ଶୁଣି । ଉଦରେ ବ୍ରହ୍ମ ପରିମାଣି ॥ ୧୬୧

କୁମ୍ଭକ କର୍ମେ ବାୟୁ ପୁରି । ନାଭିଚକ୍ରକୁ ଧ୍ୟାନ କରି ॥ ୧୬୨

ଉଦର ଚକ୍ରେ ଦୃଷ୍ଟିସ୍ଥିରେ । ଚିନ୍ତତି ପବନ ନିଶ୍ଚଳେ ॥ ୧୬୩

ଚକ୍ର ପବନେ ସୂକ୍ଷ୍ମ ରେଣୁ । ନୟନେ ଆଚ୍ଛାଦଇ ତେଣୁ ॥ ୧୬୪

ତାହାକୁ ଅନ୍ଧ ବୋଲି ଜାଣି । ସେ ତୋତେ କାହିଁ ପରିମାଣି ॥ ୧୬୫

ସେ ନାଭିଚକ୍ର ଉର୍ଦ୍ଧ୍ୱଗତେ । ଦଶ ଅଙ୍ଗୁଳି ପରିମିତେ ॥ ୧୬୬

ସହସ୍ର ସଂଖ୍ୟା ଦ୍ୱିସପ୍ତତି । ନାଡୀଏ ଅଧ ଉର୍ଦ୍ଧ୍ୱେଛନ୍ତି ॥ ୧୬୭

ଏହାଙ୍କ ଦେହେ ପ୍ରାଣ ବହେ । ଦେହ ଆବୋରି ବସ୍ତ୍ର ପ୍ରାୟେ ॥ ୧୬୮

ଏ ନାଡୀମାନଙ୍କର ମୂଳ । ନାମ ତା ହୃଦୟ କମଳ ॥ ୧୬୯

ଆରୁଣି ବଂଶେ ଯେତେ ମୁନି । ତାହାଙ୍କ ଗୁରୁ ଶିକ୍ଷା ଘେନି ॥ ୧୭୦

ସେ ତୋତେ ସୂକ୍ଷ୍ମରୂପେ ଚିନ୍ତି । ହୃଦୟେ ଧ୍ୟାନ ସେ କରନ୍ତି ॥ ୧୭୧

ଭୋ ନାଥ ସୂକ୍ଷ୍ମର ମହିମା । ଆମ୍ଭେ କରିବୁ ଗୁଣ ସୀମା ॥ ୧୭୨

ତୀକ୍ଷ୍ମ ଶସ୍ତ୍ରରେ ବାଳ ଅଗ୍ର । ଚିରି କରିବ ଦଶଭାଗ ॥ ୧୭୩

ତାହାକୁ ପୁଣି ସହସ୍ରକେ । ଚିରି ଗଣିବ ଏକେ ଏକେ ॥ ୧୭୪

ତହିଁର ଏକ ଭାଗ ସମ । ସୂକ୍ଷ୍ମ ବୋଲାଇ ତାର ନାମ ॥ ୧୭୫

ତହିଁ ଯାହାର ମନ ରହେ । ତା ତହୁଁ ଅଧିକ ବୋଲାଏ ॥ ୧୭୬

ଏ ଦୁଇ ଚକ୍ର ଭେଦ କଲେ । ସୁଷୁମ୍ନା ରନ୍ଧ୍ରେ ଯୋଗବଳେ ॥ ୧୭୭

ମୃଣାଳସୂତ୍ର ରନ୍ଧ୍ର ପଥେ । ମନ ପବନ ଉର୍ଦ୍ଧ୍ୱଗତେ ॥ ୧୭୮

ଶିର କମଳେ ଯେବେ ମିଶେ । ତୋ ରୂପ ତାହାକୁ ପ୍ରକାଶେ ॥ ୧୭୯

ଛାଡଇ ଭବ ଭୟ ଭ୍ରାନ୍ତି । ସେ ଯମ ମୁଖେ ନ ପଡନ୍ତି ॥ ୧୮୦

ସ୍ୱକୃତ ବିଚିତ୍ର ସଷ୍ଟମ । ବେଦେ ବୋଲନ୍ତି ଗୁଣଗ୍ରାମ ॥ ୧୮୧

ତୋର ସଞ୍ଚିଲା ନାନା ଯୋନି । ତୁ ତହିଁ ଜୀବରୂପ ଘେନି ॥ ୧୮୨

ବାସନା ବଳେ ଉଚ୍ଚ ନୀଚ୍ଚ । ଏଣୁ ଟି ତୋ ରୂପ ପ୍ରପଞ୍ଚ ॥ ୧୮୩

ଅଣୁ ପ୍ରମାଣେ ସୂକ୍ଷ୍ମ ସ୍ଥୂଳେ । ରୂପ ପ୍ରକାଶୁ ମାୟା ବଳେ ॥ ୧୮୪

କାଷ୍ଠ ପ୍ରମାଣେ ଅଗ୍ନି ଯେହ୍ନେ । ଜ୍ୟୋତି ପ୍ରକାଶେ ସ୍ଥୂଳେ ଶୂନ୍ୟେ ॥ ୧୮୫

ଏ ନାନା ଜ୍ୟୋତି ଯେତେବେଳେ । ବିନାଶ ହୋନ୍ତି କର୍ମ ବଳେ ॥ ୧୮୬

ତୁ ଏକା ରହୁ ଅବସାନେ । ଘଟ ବିନାଶେ ଚନ୍ଦ୍ର ଯେହ୍ନେ ॥ ୧୮୭

ଏମନ୍ତ କରି ଅନୁମାନ । ଯାର ପ୍ରକାଶେ ଦିବ୍ୟଜ୍ଞାନ ॥ ୧୮୮

ଚୈତନ୍ୟ ସତ୍ୟ ତାହାଙ୍କର । ସେ ତୋତେ କରନ୍ତି ବିଚାର ॥ ୧୮୯

ତୋର ବିହାର ଆତ୍ମ ସୁଖେ । ପ୍ରକାଶ ଇହ ପରଲୋକେ ॥ ୧୯୦

ମିଥ୍ୟା ପ୍ରକାଶ ଏହା ଜାଣି । ଆତ୍ମାସ୍ୱରୂପ ପରିମାଣି ॥ ୧୯୧

ଏ ସର୍ବ ଛାଡି ତୋ ଶରଣେ । ପଶନ୍ତି ଅଭୟ ଚରଣେ ॥ ୧୯୨

ତୋ ରୂପ ଏକରସେ ରସି । ପରମ କ୍ଷେମ ଧାମେ ମିଶି ॥ ୧୯୩

ସ୍ୱକୃତ ସ୍ତୁତି ସପତମେ । ବିଷ୍ଣୁଙ୍କୁ ବୋଲନ୍ତି ନିଗମେ ॥ ୧୯୪

ଅନନ୍ତ ପ୍ରଭୁ ହେ ଅଚ୍ୟୁତ । ତୋର ସଂଚିଲା ଏ ଜଗତ ॥ ୧୯୫

ମାୟାରେ ଭିଆଇ ବ୍ରହ୍ମାଣ୍ତ । ଅଶେଷ ରୂପେ କରୁ ପିଣ୍ତ ॥ ୧୯୬

ପୁଣି ଏ ପ୍ରପଞ୍ଚେ ପ୍ରକାଶ । ବାସନା ଅନ୍ତେ ହୋଇ ନାଶ ॥ ୧୯୭

କର୍ମ ନଥିଲେ ଜୀବ କାହୁଁ । ତୁହି ସେ ଅବଶେଷେ ରହୁ ॥ ୧୯୮

ପ୍ରାଣୀର ବାହ୍ୟ ଅନ୍ତେ ଥାଉ । ସ୍ୱଭାବେ ପଞ୍ଚକୋଷ ବହୁ ॥ ୧୯୯

ଘଟକୁ ଥୋଇ ଯେହ୍ନେ ନୀର । ପୁରଇ ଭିତର ବାହାର ॥ ୨୦୦

ଅଶେଷ ଦେହେ ନାରାୟଣ । ଏ ପିଣ୍ତ ତୋହର ଭିଆଣ ॥ ୨୦୧

ଏ ପିଣ୍ତ ବାହ୍ୟ ଅଭ୍ୟନ୍ତରେ । ତୋ ତହୁଁ କେ ଅଛି ଅପରେ ॥ ୨୦୨

ସ୍ୱକର୍ମେ ଯେତେ ଦେହ ଜାତ । ତୋ ଅଂଶ ତାର ମଧ୍ୟଗତ ॥ ୨୦୩

କର୍ମରେ ଯେ ଫଳ ଉପୁଜେ । ତୋ ଅଂଶ ଦେହ ମଧ୍ୟେ ଭୁଞ୍ଜେ ॥ ୨୦୪

ଜୀବର ଏହି ଗତି ଜାଣି । ତୋ ପାଦେ ଭଜନ୍ତି ଯେ ପ୍ରାଣୀ ॥ ୨୦୫

ଜୀବର ବଳ ଅଳ୍ପ ପ୍ରାୟେ । ସକଳ ଶକ୍ତି ତୋର ପ୍ରାୟେ ॥ ୨୦୬

ତେଣୁ ସକଳ ତ୍ୟାଗ କରି । ତୋ ପାଦ ଚିନ୍ତେ ବ୍ରହ୍ମଚାରୀ ॥ ୨୦୭

ବେଦରୁ ଯେତେ କର୍ମ ଫଳେ । ସେ ଥାନ୍ତି ତୋ ଚରଣ ତଳେ ॥ ୨୦୮

ଏଣୁ ତୋ ପାଦେ ଯାର ଆଶ । ନ ଲାଗେ ଭବ-ବନ୍ଧ-ପ୍ରାସ ॥ ୨୦୯

ବେଦଙ୍କ ସ୍ତୁତି ଯେ ଅଷ୍ଟମ । ବୋଲନ୍ତି ଯେ ଦୁରବଗମ ॥ ୨୧୦

କେହି ତା ତତ୍ତ୍ୱ ନ ଜାଣଇ । ତାହା ତୁ ଜଣାଇବା ପାଇଁ ॥ ୨୧୧

ନାନା ଯୋନିରେ ରୂପ ତୋର । ତୁ ଏକ ବାହାର ଭିତର ॥ ୨୧୨

ଅମୃତସିନ୍ଧୁ ତୋର ନାମ । ଅବଗାହନେ ନାଶେ ଶ୍ରମ ॥ ୨୧୩

ପରମଜ୍ଞାନୀ ତାହା ଜାଣି । ତୋ ନାମ ଜଳେ ପରମାଣି ॥ ୨୧୪

ନିରେତ ଅବଗାହ କରି । ଶ୍ରମ ଛାଡନ୍ତି ନାମ ଧରି ॥ ୨୧୫

ସଂସାର ମତେ ବେଦ ଧର୍ମ । ସାଧି ଲଭନ୍ତି ପ୍ରାଣୀ ଶ୍ରମ ॥ ୨୧୬

ତୋ ନାମ ସୁଧାଜଳେ ବୁଡି । ଜ୍ଞାନ ସାଧନା ଶ୍ରମ ଛାଡି ॥ ୨୧୭

ମୋକ୍ଷକୁ ନ କରି ସେ ଇଚ୍ଛା । ତୋ ନାମ ତତ୍ତ୍ୱେ କରି ଦୀକ୍ଷା ॥ ୨୧୮

ତୋ ନାମ ସ୍ୱର୍ଗ-ଅପବର୍ଗ । ତେଣୁ ଛାଡିଲେ ଜ୍ଞାନମାର୍ଗ ॥ ୨୧୯

ଭକ୍ତିରେ ତୋ ନାମ ଆବୋରି । ବେଗେ ତରିଲେ ଭବବାରି ॥ ୨୨୦

ତୋ ନାମ ସୁଧା ସିନ୍ଧୁଜଳେ । ହଂସର ପ୍ରାୟ ଜ୍ଞାନୀ ଭୋଳେ ॥ ୨୨୧

ବୁଡି ଉଠନ୍ତି ପୁଣ ପୁଣି । ତୋ ନାମ ଉଚ୍ଚସ୍ୱରେ ଭଣି ॥ ୨୨୨

ନିତ୍ୟେ ସୁମରି ତୋ ଚରଣ । ତାହାଙ୍କୁ ନ ଲାଗେ ମରଣ ॥ ୨୨୩

ସଂସାର ଛାଡି ସୁଖଭୋଳେ । ଯେ ତାଇ ତାଙ୍କ ସଙ୍ଗ ମେଳେ ॥ ୨୨୪

ତୋତେ ଜାଣନ୍ତି ସତସଙ୍ଗେ । ନ ଲାଗେ ଭବଦୁଃଖ ଅଙ୍ଗେ ॥ ୨୨୫

ତ୍ୱପନୁପଥ ଯେ ନବମ । କୃଷ୍ଣଙ୍କୁ ବୋଲନ୍ତି ନିଗମ ॥ ୨୨୬

ଶୁଣ ହେ କମଳାର ବର । ଯେତେ ଏ ଜନ୍ତୁଙ୍କ ଶରୀର ॥ ୨୨୭

ତୋହର ଅନୁପଥ ଏହି । ଯେଣୁ ଏହାଙ୍କ ପଥେ ତୁହି ॥ ୨୨୮

ଜୀବ ପରମ ରୂପ ଧରି । ତୋ ଭୋଗ କ୍ରୀଡା ଅନୁସରି ॥ ୨୨୯

ଏଣୁ ତୋ ଅନୁପଥ ଏହି । କୁଲାୟ ନାମ ଏ ବୋଲାଇ ॥ ୨୩୦

ତୁ ନୋହୁ ଲଗ୍ନ ଏ ଶରୀରେ । ନଳିନୀ ଥାଇ ଯେହ୍ନେ ନୀରେ ॥ ୨୩୧

ତୋର ମହିମା ଯେ ନ ଜାଣି । ଦେହକୁ ସତ୍ୟ ପ୍ରାୟ ମଣି ॥ ୨୩୨

ପ୍ରିୟ ସୁହୃଦ ବନ୍ଧୁ ପ୍ରାୟେ । ପ୍ରୀତି କରନ୍ତି ମୃତ ଦେହେ ॥ ୨୩୩

ତୋତେ ନ ଭଜେ ସୁଖଭୋଳେ । ବାଳକ ଯେହ୍ନେ ମାତା କୋଳେ ॥ ୨୩୪

ମାତାର ପ୍ରାୟ ହିତ ତୁହି । ଅଜ୍ଞାନ ତୋତେ ନ ଜାଣଇ ॥ ୨୩୫

ତୁ ଆତ୍ମାହିତ ପ୍ରିୟବନ୍ଧୁ । ନିର୍ବାଣଦାତା ସୁଖସିନ୍ଧୁ ॥ ୨୩୬

ଏ ବୀପରୀତ କିବା କହି । ଦେହ ଘେନିଣ ଭ୍ରମେ ମହୀ ॥ ୨୩୭

ଦେହକୁ ମଣିଥାଇ ସତ୍ୟ । ଅନିତ୍ୟ ଜଳବିମ୍ବ ବତ ॥ ୨୩୮

ଏଣେ ଯାହାର ପ୍ରୀତି ହୋଇ । ଅସାଧୁଜନ ମଧ୍ୟେ ସେହି ॥ ୨୩୯

ଉତ୍ତମ ନାବ ଥାଉଁ କୂଳେ । ସେ ଯେ ନ ତରେ ଭବଜଳେ ॥ ୨୪୦

କୁଦେହ ଘେନି ଭବେ ଭ୍ରମି । ଜନ୍ମ ମରଣ ପଥେ ଶ୍ରମି ॥ ୨୪୧

ତାହାକୁ ବୋଲି ଆତ୍ମାହତ । ନିଷ୍ଫଳ ତାହାଙ୍କ ଜୀବନ ॥ ୨୪୨

ନିଭୃତ ମରୁତ୍ ଦଶ ସ୍ତୁତି । ନିଗମେ ନିର୍ଭରେ ବୋଲନ୍ତି ॥ ୨୪୩

ଅଷ୍ଟାଙ୍ଗଯୋଗେ ମୁନିଜନେ । ବସି ନିର୍ଜନ ଘୋର ବନେ ॥ ୨୪୪

ଇନ୍ଦ୍ରିୟଗଣ କରି ବନ୍ଦୀ । ମନ ପବନ ହୃଦେ ଛନ୍ଦି ॥ ୨୪୫

ଯାହା ଲଭିବା ଅର୍ଥେ ଚିତ୍ତେ । ଚିନ୍ତା କରନ୍ତି ଅବିରତେ ॥ ୨୪୬

ଯେ ତୋତେ ଶତ୍ରୁପଣେ ଚିନ୍ତି । ସେ ପୁଣି ତୋ ଦେହେ ପଶନ୍ତି ॥ ୨୪୭

ଭୋ ନାଥ ତୋର ଯେତେ ଗଣ । ଆଉ କହିବୁଁ କିଛି ଶୁଣ ॥ ୨୪୮

ଗୋପନଗରେ ନାରୀଜନେ । କୁବୁଜୀ ଆଦି ମଧୁବନେ ॥ ୨୪୯

ସେ ତୋରେ ପରିଗ୍ରହ ହୋଇ । ଚୁମ୍ବନ ଆଲିଙ୍ଗନ ଦେଇ ॥ ୨୫୦

ଭୋ ନାଥ ତୋର ବେନିକର । ଉରଗଇନ୍ଦ୍ର ପଟାନ୍ତର ॥ ୨୫୧

ସେ ଭୁଜେ ଆଲିଙ୍ଗନ ପାଇ । ମନ ବଚନ ତୋତେ ଦେଇ ॥ ୨୫୨

କାମିନୀ ରୂପେ ଭାବବୋଳେ । ସେ ତୋତେ ଭଜିଲେ ନିଶ୍ଚଳେ ॥ ୨୫୩

ଆମ୍ଭେ ସକଳ ବେଦବୃନ୍ଦେ । ଭାବେ ପଶିବୁଁ ସେହି ପାଦେ ॥ ୨୫୪

ଯେଣୁ ତୋ ରିପୁ ମିତ୍ର ନାହିଁ । ସମଦରଶୀ ତେଣୁ ତୁହି ॥ ୨୫୫

ପ୍ରପଞ୍ଚେ ଉଚ୍ଚ ନୀଚ ଯୋନି । ତୁ ବହୁ ଲୀଳାଭାବ ଘେନି ॥ ୨୫୬

ଏ ଯେ ତୋହର ପଦ୍ମପାଦ । ସ୍ରବଇ ସୁଧାମକରନ୍ଦ ॥ ୨୫୭

ସେ ପାଦେ ଆମ୍ଭ ବୁଦ୍ଧି ମତି । ପ୍ରେମ ଭକ୍ତିରେ ଭଜୁ ନିଜି ॥ ୨୫୮

କ ଇହ ଏକାଦଶ ବାଣୀ । ବେଦେ ବୋଲନ୍ତି ପରିମାଣି ॥ ୨୫୯

ତୁ ନାଥ କରୁଣାଜଳଧି । ସର୍ବବିଷୟ ପୂର୍ବସିଦ୍ଧି ॥ ୨୬୦

ତୋ ତହୁଁ ସୃଷ୍ଟି ଆଦିକାଳେ । ପ୍ରାଣୀ ଉପୁଜେ ମାୟାବଳେ ॥ ୨୬୧

ଉପୁଜି ପ୍ରଳୟ ହୁଅନ୍ତି । ଏ ଘେନି ତୋତେ ନ ଜାଣନ୍ତି ॥ ୨୬୨

ତୋହର ନାହିଁ ମୋହ ଦ୍ୱନ୍ଦ । ଏଣୁ ବୋଲାଉ ଆଦିକନ୍ଦ ॥ ୨୬୩

ବିଧାତା ଜାତ ତୋର ତହୁଁ । ନିଗମ ଜାତ ଯାର ଦେହୁଁ ॥ ୨୬୪

ତୋ ତହୁଁ ଦେବାସୁର ଜାତ । ତାପତ୍ରୟାଦି ଏ ଜଗତ ॥ ୨୬୫

ବ୍ରହ୍ମା ସୃଷ୍ଟିରେ ଜାତ ଯେତେ । ଏ ଘେନି କେ ଜାଣିବ ତୋତେ ॥ ୨୬୬

ତୋହର ଆଶ୍ରେ ଏ ଜଗତ । ସୃଷ୍ଟି ପ୍ରଳୟ ତୋର ମତ ॥ ୨୬୭

ସୃଷ୍ଟି ସଂହାରି ଯୋଗବଳେ । ଶୟନ କରୁ ମହାଜଳେ ॥ ୨୬୮

ସେ କାଳେ ପ୍ରାଣୀ ଯେବେ ଥାନ୍ତେ । ତୋ ରୂପ ନୟନେ ଦେଖନ୍ତେ ॥ ୨୬୯

ଅବନୀ ଆଦି ପଞ୍ଚଭୂତ । ମହତ ଆଦି ତିନିତତ୍ତ୍ୱ ॥ ୨୭୦

ଅସତ୍ୟ ସତ୍ୟ ଏ ବୋଲାନ୍ତି । ଏ କାହୁଁ ତୋ ରୂପ ଜାଣନ୍ତି ॥ ୨୭୧

ତୋର ମହିମା ଜ୍ଞାନିଜନେ । ଦୁର୍ଲ୍ଲଭ ଗଗନ ଯେସନେ ॥ ୨୭୨

ବ୍ରହ୍ମବିଚାରି ଶାସ୍ତ୍ରଭାବେ । ବେଦ ବିଚାରି ତୋର ଲାଭେ ॥ ୨୭୩

ସକଳେ ଯାନ୍ତି ଉପହାସେ । ଭକତ ରହେ ତୋର ପାଶେ ॥ ୨୭୪

ଜନି ଅସତ ଏ ଦ୍ୱାଦଶ । ବେଦେ ବୋଲନ୍ତି ହରିଯଶ ॥ ୨୭୫

ବଇଶେଷିକ ଶାସ୍ତ୍ରପଥ । ତୋତେ ବିଚାରେ ନାମମାତ୍ର ॥ ୨୭୬

ବିନାଶ ଏକବିଂଶ ଦୁଃଖ । ମୋକ୍ଷ ବୋଲନ୍ତି ନୈୟାୟିକ ॥ ୨୭୭

ସତ ଅସତ ମାର୍ଗେ ଚିନ୍ତି । ମିଥ୍ୟା ଏ ଜଗତ ବୋଲନ୍ତି ॥ ୨୭୮

ବ୍ରହ୍ମ ଯେ ବିଦ୍ୟମାନ ସତ୍ୟ । ବିଚାରେ ପାତଞ୍ଜଳି ମତ ॥ ୨୭୯

ସାଂଖ୍ୟଯୋଗୀଙ୍କ ବିଚାରଣା । ଜଗତ ଆତ୍ମକଳପଣା ॥ ୨୮୦

କର୍ମ ବେଭାର ମୀମାଂସକେ । ଜଗତ ସତ୍ୟ ତାଙ୍କ ଲେଖେ ॥ ୨୮୧

ଏ ଭ୍ରାନ୍ତି ଶାସ୍ତ୍ରମାର୍ଗେ ଭ୍ରମି । ବିବାଦେ ହୋନ୍ତି ପରିଶ୍ରମୀ ॥ ୨୮୨

ଭ୍ରମେ ଭ୍ରମନ୍ତି ବହୁଶ୍ରମେ । କାହୁଁ ଜାଣିବେ ନିଜ ଭ୍ରମେ ॥ ୨୮୩

ଯେଣୁ ଏ ଜୀବ ଗୁଣମୟେ । ଏଣୁ ବିଚାର ଭେଦ ରହେ ॥ ୨୮୪

ଅଜ୍ଞାନେ ତୋ ଭେଦ ବିଚାରି । ତୁ ସଙ୍ଗୀ ନୋହୁନା କାହାରି ॥ ୨୮୫

ସଦିବମନ ତ୍ରୟୋଦଶେ । ଶ୍ରୁତି ବୋଲନ୍ତି ହୃଷୀକେଶେ ॥ ୨୮୬

ପ୍ରପଞ୍ଜ ତ୍ରିଗୁଣେ ଜଗତ । ଜାଣିଲେ ନିଶ୍ଚେ ନୋହେ ସତ୍ୟ ॥ ୨୮୭

ମନ ବିଳାସ ମାତ୍ର ଏହି । ଅସତ୍ୟ ସତ୍ୟ ଆଭାସଇ ॥ ୨୮୮

ତୁ ଏଥ ଅଧିପତି ଯେଣୁ । ଆଭାସେ ସତ୍ୟ ପ୍ରାୟ ତେଣୁ ॥ ୨୮୯

ଅସତ୍ୟ ସତ୍ୟ ପ୍ରାୟ ଦିଶି । ଛାୟା ଦର୍ପଣେ ଯେହ୍ନେ ଶଶୀ ॥ ୨୯୦

ଜୀବର ଜନ୍ମ ତୋର ତହିଁ । ବ୍ୟାପିଛୁ ଜଗତକୁ ମୋହି ॥ ୨୯୧

କାରଣ କାର୍ଯ୍ୟ ନୋହେ ଭିନ୍ନ । ଶୁଣ କହିବା ଅନୁମାନ ॥ ୨୯୨

ସୁବର୍ଣ୍ଣେ କାର୍ଯ୍ୟ ଯାର ପଡେ । କୁଣ୍ତଳ ଆଦି କମ ଗଢେ ॥ ୨୯୩

ପୁଣି ଅନଳେ ପାକ କଲେ । ସୁବର୍ଣ୍ଣ ହୋଇ ଏକଠୁଳେ ॥ ୨୯୪

ନାମ ବିକାର ନାଶ ଯାନ୍ତି । ଏଣୁ ଜଗତେ ଭେଦ ଭ୍ରାନ୍ତି ॥ ୨୯୫

ଏ ଘେନି ଶାସ୍ତ୍ର ଅନୁମାନ । ତୋ ତହୁଁ ସୃଷ୍ଟି ନୋହେ ଭିନ୍ନ ॥ ୨୯୬

ଚତୁରଦଶେ ତବପରି । ବେଦେ ବୋଲନ୍ତି ଶୁଣ ହରି ॥ ୨୯୭

ଯେଣୁ ତୋ ସର୍ବଭୂତେ ବାସ । ଏ ଘେନି ପ୍ରାଣୀ ତୋ ବିଶ୍ୱାସ ॥ ୨୯୮

ଏହା ଯେ ଜାଣି ତୋତେ ଭାବେ । ସେ ନ ପଡନ୍ତି ପରାଭବେ ॥ ୨୯୯

ଚରଣ ମୃତ୍ୟୁଶିରେ ଦ୍ୟନ୍ତି । ପରମପଦେ ସେ ପଶନ୍ତି ॥ ୩୦୦

ତୋ ଭାବ ନ ଜାଣନ୍ତି ଯେହୁ । ତରିବେ ଭବସିନ୍ଧୁ କାହୁଁ ॥ ୩୦୧

ପଣ୍ତିତପଣେ ଶାସ୍ତ୍ରବାଦେ । ଭାବ ନକରି ତୋର ପାଦେ ॥ ୩୦୨

ସ୍ୱକର୍ମପାଶେ ପାଦ ଛନ୍ଦି । ବେଦବଚନେ ହୋନ୍ତି ବନ୍ଦୀ ॥ ୩୦୩

ପଶୁପାଳଙ୍କ ଘରେ ଯେହ୍ନେ । ବନ୍ଧନେ ଥାନ୍ତି ପଶୁମାନେ ॥ ୩୦୪

ତେସନ ଏ ଭବବନ୍ଧନେ । ଜୀବ-ବନ୍ଦୀ ବେଦବଚନେ ॥ ୩୦୫

ଏଣୁ ସଂସାରେ ଯେତେ ଜନ୍ତୁ । ତୋ ବାକ୍ୟବନ୍ଧ କରି ହେତୁ ॥ ୩୦୬

ଏ ଘେନି ତୋ ପାଦକମଳେ । ଯେ ଭାବ କରେ ପ୍ରୀତି ଭୋଳେ ॥ ୩୦୭

ସଂସାର ତାରି ସେ ତରନ୍ତି । ମରଣେ ନାହିଁ ତାଙ୍କ ଭ୍ରାନ୍ତି ॥ ୩୦୮

ତୋତେ ନ ଜାଣି ଧର୍ମ ଚିନ୍ତି । ଯଜ୍ଞ ଦାନ ତୀର୍ଥେ ଭଜନ୍ତି ॥ ୩୦୯

ଆତ୍ମାକୁ ନିସ୍ତାରି ନପାରେ । ତା ବୋଲେ ସଂସାର କି ତରେ ॥ ୩୧୦

ତୋର ବିମୁଖ ଶାସ୍ତ୍ରେ ଭ୍ରମି । ଜନ୍ମମରଣେ ପଥଶ୍ରମୀ ॥ ୩୧୧

ତ୍ୱମକରଣ ପଞ୍ଚଦଶେ । ବେଦେ ବୋଲନ୍ତି ଉପଦେଶେ ॥ ୩୧୨

ଭୋ ନାଥ ତୋହର ଜଗତେ । କର୍ମ କରନ୍ତି ପ୍ରାଣୀ ଯେତେ ॥ ୩୧୩

ତୁ ତାହା ନ କରୁ ଗ୍ରହଣ । ଏଣୁ ତୋ ନାମ ଅକାରଣ ॥ ୩୧୪

କର୍ମକରଣ ତୋର ନାହିଁ । ସ୍ୱଭାବେ ନିରଞ୍ଜନ ତୁହି ॥ ୩୧୫

ତଥାପି ସର୍ବ ଜନ୍ତୁ ଦେହେ । ତୋ ଅଂଶ ଅଛି ଜୀବ ପ୍ରାୟେ ॥ ୩୧୬

ପ୍ରାଣୀର ରସନା ଲୋଚନ । ଶ୍ରବଣ ନାସା ଚର୍ମ ଘେନ ॥ ୩୧୭

ଜ୍ଞାନଇନ୍ଦ୍ରିୟ ଏ ବୋଲାନ୍ତି । ମନର ସଙ୍ଗେ ବିହରନ୍ତି ॥ ୩୧୮

ପାଦ ବଚନ ଭୁଜ ଲିଙ୍ଗ । ମୂଳକମଳ ଦ୍ୱାର ସଙ୍ଗ ॥ ୩୧୯

କର୍ମଇନ୍ଦ୍ରିୟ ଏ ବୋଲାନ୍ତି । କର୍ମକରଣେ ଥାନ୍ତି ନିତି ॥ ୩୨୦

ଅଗ୍ନି ବାସବ ଲକ୍ଷ୍ମୀକାନ୍ତ । ମିତ୍ରାବରୁଣ ପ୍ରଜାନାଥ ॥ ୩୨୧

ଏ ପଞ୍ଚଦେବ ବସି ରଥେ । ତୋତେ ସେବନ୍ତି ଅବିରତେ ॥ ୩୨୨

ତୁ ନାଥ ଭୂତଆତ୍ମାଦେହୀ । ଏହାଙ୍କ ଶକ୍ତି ବହୁ ତୁହି ॥ ୩୨୩

ବାସବ ଆଦି ବେଦଧାମ । ବହନ୍ତି ଅନିମିଷ ନାମ ॥ ୩୨୪

ବିଧାତା ଆଦି ସର୍ବଦେବା । ତୋର ଚରଣେ ତାଙ୍କ ସେବା ॥ ୩୨୫

ମାନବେ ତାହାଙ୍କୁ ସେବନ୍ତି । ତାହାଙ୍କ ବଳି ସେ ଭୁଞ୍ଜନ୍ତି ॥ ୩୨୬

ଅଜର ଅମର ନିର୍ଭୟେ । ତଥାପି ତୋର ପଦ୍ମପାୟେ ॥ ୩୨୭

ପୂଜନ୍ତି ଅତି ଭୟମନେ । ଖଣ୍ତମଣ୍ତଳପତି ଯେହ୍ନେ ॥ ୩୨୮

ପ୍ରଜାଙ୍କ ତହୁଁ କର ଦ୍ୟନ୍ତି । ରାଜାଙ୍କ ଚରଣେ ସେବନ୍ତି ॥ ୩୨୯

ଅଧିକ ଧକ ମାନ ଦ୍ୟନ୍ତି । ନିରତେ ଚରଣେ ଖଟନ୍ତି ॥ ୩୩୦

ଏମନ୍ତେ ଦେବେ ତୋର ପାଶେ । ଖଟନ୍ତି ଭକତି ବିଶ୍ୱାସେ ॥ ୩୩୧

ଷୋଡଶ ସ୍ତୁତି ସ୍ଥିରଚର । ଶୁଣ ହେ ବ୍ରହ୍ମାଣ୍ତଠାକୁର ॥ ୩୩୨

ତୋହର କ୍ରୀଡା ନାନାରଙ୍ଗେ । ଇଚ୍ଛାରେ ମାୟା ଘେନି ସଙ୍ଗେ ॥ ୩୩୩

ଦର୍ପଣ ଘେନି ଯେହ୍ନେ ହସ୍ତ । ଚାହିଁଲେ ଛାୟା ହୋଏ ଜାତ ॥ ୩୩୪

ସ୍ତାବର ଆଦି ଏ ଜଗତେ । ତୋ ତହିଁ ଜୀବ ସେହିମତେ ॥ ୩୩୫

ତୁ ପୁଣି ତାଙ୍କ ମଧ୍ୟେ ଥାଉ । କର୍ମକରଣେ ଶିକ୍ଷା ଦେଉ ॥ ୩୩୬

ସେ କର୍ମଫଳେ ନୋହୁ ସଙ୍ଗ । ଦର୍ପଣେ ଯେହ୍ନେ ଛାୟା ଅଙ୍ଗ ॥ ୩୩୭

ଦେହ ବେଭାର କରୁଥାଇ । ସେ ଯେହ୍ନେ ତାକୁ ନ ଲାଗଇ ॥ ୩୩୮

ମାୟାକୁ ଥାଉ ଅତି ଦୂରେ । ଆଦିତ୍ୟ ଯେସନେ ଅମ୍ବରେ ॥ ୩୩୯

ମାୟା ବିସ୍ତାରି ମାୟାକାରୀ । ଯେହ୍ନେ ସଂସାର ମନ ହରି ॥ ୩୪୦

ମୋହନ କରେ ସଂସାରକୁ । ସେ ଯେହ୍ନେ ନ ଲାଗେ ତାହାକୁ ॥ ୩୪୧

ଏମନ୍ତ ତୋହର ମହିମା । କେ ଜାଣି ପାରେ ଗୁଣ ସୀମା ॥ ୩୪୨

ଜଗତେ ହେଉ ସାକ୍ଷୀରୂପ । ମନ୍ଦିରେ ଯେସନେ ପ୍ରଦୀପ ॥ ୩୪୩

ଏ ସର୍ବଜୀବ କ୍ରୀଡା ଅନ୍ତେ । ପଶନ୍ତି ତୋର ଗର୍ଭବତେ ॥ ୩୪୪

ପୁଣି ଯେମନ୍ତେ ଜାତ ହୋନ୍ତି । ଶୁଣ କହିବା ତାଙ୍କ ଗତି ॥ ୩୪୫

ଦେହକୁ ପାଇ ମାୟା ଗ୍ରସ୍ତେ । କର୍ମ କରନ୍ତି ଅବିରତେ ॥ ୩୪୬

ତେଣୁ ସେ ଜନ୍ମ ମୃତ ହୋନ୍ତି । ବାସନାରଜ୍ଜୁ ବନ୍ଧେ ଥାନ୍ତି ॥ ୩୪୭

କର୍ମ ତାହାଙ୍କୁ ସୃଷ୍ଟିକାଳେ । ଧରଇ ନିଜ ଭୁଜବଳେ ॥ ୩୪୮

ଅଶେଷ ଯୋନି ମଧ୍ୟେ ଭରି । ବିହରେ ନାନାରୂପ ଧରି ॥ ୩୪୯

ଦେହକୁ ଧରି କର୍ମବଳେ । ଭୁଞ୍ଜନ୍ତି ଦୁଃଖସୁଖ ଫଳେ ॥ ୩୫୦

ତୋ ଦେହେ ପ୍ରାଣୀ ଏ ଜଗତେ । ମିଳନ୍ତି କର୍ମର ଆୟତ୍ତେ ॥ ୩୫୧

ତୋହର ରିପୁ ମିତ୍ର ନାହିଁ । ଏ ଘେନି କର୍ମ ନ ଲାଗଇ ॥ ୩୫୨

କର୍ମେ ପ୍ରପଞ୍ଚ ଏ ଜଗତ । ଏହାର ଫଳ ବୀପରିତ ॥ ୩୫୩

ଦୁଃଖୀ ଦରିଦ୍ର ବ୍ୟାଧିବନ୍ତ । ଥୋକାଏ ସୁଖୀ ଧନବନ୍ତ ॥ ୩୫୪

ଏ ଦୁଃଖସୁଖ ତୋର ନାହିଁ । କର୍ମକରତା ସେ ଭୁଞ୍ଜଇ ॥ ୩୫୫

ଗଗନେ ଯେତେ ଦିଗ ପୂରୀ । ଶୂନ୍ୟ ରୂପେ ସର୍ବ ଆବୋରି ॥ ୩୫୬

ଏଣୁ ନ ଜାଣେ ତୋତେ ପ୍ରାଣୀ । ମନ ବଚନେ ପରିମାଣି ॥ ୩୫୭

ଅପରିମିତ ସପ୍ତଦଶ । ବେଦେ କହନ୍ତି ଜ୍ଞାନରସ ॥ ୩୫୮

ନାନା ଯୋନିରେ ଜୀବ ଯେତେ । ଅନନ୍ତ ହୋନ୍ତି ଅପ୍ରମିତେ ॥ ୩୫୯

କର୍ମ ସରିଲେ ପୁଣ ଯାନ୍ତି । ଏଣୁ ଏ ଅଧ୍ରୁବ ବୋଲାନ୍ତି ॥ ୩୬୦

ତୋ ତହୁଁ ଯେବେ ଏ ନୁହଁନ୍ତି । ଇଚ୍ଛାରେ ସର୍ବ ଆବୋରନ୍ତି ॥ ୩୬୧

ଏହାଙ୍କ ଦଣ୍ତକ ତୁ ଯେବେ । ତୋ ତହୁଁ ଦଣ୍ତ କେ ପାଇବେ ॥ ୩୬୨

ଏମନ୍ତେ ନ ଘଟେ ବିଚାର । ସକଳ ଜୀବ ତୋ ଶରୀର ॥ ୩୬୩

ତୁ ଥାଉ ଏହାଙ୍କ ଜୀବନେ । ଅନଳ କାଷ୍ଠ ସଙ୍ଗେ ଯେହ୍ନେ ॥ ୩୬୪

ତୋତେ ଜାଣଇ ଯେବା କହେ । ଅଜ୍ଞାନୀ ମିଥ୍ୟାଭାବ ବହେ ॥ ୩୬୫

ଉପାଧି ଲିଙ୍ଗ ଏ ଶରୀର । ଜନ୍ମ ମରଣ ହୋଏ ତୋର ॥ ୩୬୬

ତା ମଲେ ନ ମରେ ଜୀବନ । ଘଟ ବିଯୋଗେ ଯେହ୍ନେ ଶୂନ୍ୟ ॥ ୩୬୭

ତେଣୁ ତୋ ଅଂଶ ଏହି ଜୀବ । ସେ କାହିଁ ତୋତେ ବା ଜାଣିବ ॥ ୩୬୮

ଅଷ୍ଟାଦଶରେ ନ ଘଟତ । ବେଦେ ବୋଲନ୍ତି ଜ୍ଞାନତତ୍ତ୍ୱ ॥ ୩୬୯

ପ୍ରକୃତି ପୁରୁଷ ଏ ବେନି । ଜଗତ ପିଅର ଜନନୀ ॥ ୩୭୦

ସ୍ୱଭାବେ ଅଜ ନାମ ବହି । ଯେଣୁ ଏହାଙ୍କ ଜନ୍ମ ନାହିଁ ॥ ୩୭୧

କେବେ ହେଁ ନୁହନ୍ତି ଏ ଭିନ୍ନ । ଏଣୁ ନ ଘଟେ ଅନୁମାନ ॥ ୩୭୨

ଏହାଙ୍କ ତହୁଁ ଜାତ ଜୀବ । ଜଳୁ ଯେସନେ ଜଳବିମ୍ବ ॥ ୩୭୩

ନିଶ୍ଚଳ ଜଳବାୟୁ ଯୋଗେ । ଯେମନ୍ତେ ଉଚ୍ଛୁଳେ ତରଙ୍ଗେ ॥ ୩୭୪

ବେନି ତରଙ୍ଗ ଅଙ୍ଗଘାତେ । ବିମ୍ବ ଉପୁଜନ୍ତି ଯେମନ୍ତେ ॥ ୩୭୫

ଜଳେ ପବନେ ସେ ନଥାନ୍ତି । ବେନି ସଂଯୋଗେ ଜାତ ହୋନ୍ତି ॥ ୩୭୬

ବିବିଧ ନାମ ରୂପ ବହି । କ୍ରୀଡନ୍ତି ଜଳମଧ୍ୟେ ଥାଇ ॥ ୩୭୭

କର୍ମର ଅନ୍ତେ ତୋ ଶରୀରେ । ପଶନ୍ତି ଯେମନ୍ତ ବେଭାରେ ॥ ୩୭୮

ସକଳ ନଦୀଜଳ ବେଗେ । ଯେମନ୍ତେ ପଶନ୍ତି ଅର୍ଣ୍ଣବେ ॥ ୩୭୯

ମଧୁକରଙ୍କ ଗୃହବାସେ । ଯେହ୍ନେ ପଶନ୍ତି ପୁଷ୍ପରସେ ॥ ୩୮୦

ଊନବିଂଶତି ନୃଷୁତବ । ବେଦେ କହନ୍ତି ବିଷ୍ଣୁଭାବ ॥ ୩୮୧

ତୋ ମାୟା ଭ୍ରମ ଜୀବ ଦେହେ । ତେଣୁ ଅଜ୍ଞାନେ ଥାନ୍ତି ମୋହେ ॥ ୩୮୨

ଏଣୁ ପଣ୍ତିତେ ଏହା ଜାଣି । ତୋ ଭାବ ମନେ ପରିମାଣି ॥ ୩୮୩

ତୋ ପାଦପଦ୍ମ ମଧୁ ଲୋଭେ । ପଶିଲେ ଉନମତ୍ତ ଭାବେ ॥ ୩୮୪

ତାହାଙ୍କୁ ନାହିଁ କାଳଡର । ତୋ ପଦ୍ମପାଦେ ଆଶା ଯାର ॥ ୩୮୫

ତ୍ରିନେମିକାଳ ତୋ ଭ୍ରୁଭଙ୍ଗ । ରୂପ ଅରୂର ଯାର ଅଙ୍ଗ ॥ ୩୮୬

ହିମ ଶୀତଳ ଘର୍ମ ବୃଷ୍ଟି । ଏ ଆଦି ଯେତେ ନାନା ରିଷ୍ଟି ॥ ୩୮୭

ତାହାକୁ ନ ଲାଗନ୍ତି କେହି । ତୋ ନାମ ଯାର ହୃଦେ ଥାଇ ॥ ୩୮୮

ବିଜିତ ହୃଷୀକ ବିଂଶତି । ବେଦେ ବୋଲନ୍ତି ଦିବ୍ୟ ସ୍ତୁତି ॥ ୩୮୯

ମୁନିଏ ଯୋଗ ଧ୍ୟାନ ସାଧି । ମନ ପବନ ହୃଦେ ରୁନ୍ଧି ॥ ୩୯୦

ଯେତେ ସେ କରନ୍ତି ଉପାୟେ । ମନତରଙ୍ଗ ସ୍ଥିର ନୋହେ ॥ ୩୯୧

ସ୍ୱଭାବେ ଅଦମ୍ୟ ସେ ଯେଣୁ । ରୁନ୍ଧି ନ ପାରେ ପ୍ରାଣୀ ତେଣୁ ॥ ୩୯୨

ନାନା ପ୍ରକାରେ ଖେଦ ପାଇ । ମନ ନ ପାରନ୍ତି ରୁହାଇ ॥ ୩୯୩

ଗୁରୁପାଦେ ଆଶ୍ରେ ନକରି । ସାଧନା ଶ୍ରମେ ଯାନ୍ତି ମରି ॥ ୩୯୪

ବୋଇତେ ବସି ବଣିଜାରେ । ଯେସନେ ଭାସନ୍ତି ସାଗରେ ॥ ୩୯୫

ନାନାପ୍ରକାରେ ବାହୁଥାନ୍ତି । କେବେହେଁ କୂଳେ ନ ଲାଗନ୍ତି ॥ ୩୯୬

ଯାବତ ନାହିଁ କର୍ଣ୍ଣଧାର । କାହିଁ ଲଭିବେ ସିନ୍ଧୁପାର ॥ ୩୯୭

ପବନ ରୁନ୍ଧି ଇନ୍ଦ୍ରି ଜିଣି । ଗୁରୁ ଉପଦେଶ ନ ମଣି ॥ ୩୯୮

ଚଞ୍ଚଳ ମନ କାହୁଁ ସ୍ଥିର । ଯାବତ ସଂଶୟ ଶରୀର ॥ ୩୯୯

ନିଶ୍ଚଳ ନିର୍ମଳ ତୋ ପାଦେ । ତୋ ରୂପ ଗୁଣ ଅନୁବାଦେ ॥ ୪୦୦

ନିତ୍ୟେ ଯେ ଚିନ୍ତେ ଧ୍ୟାନବଳେ । ତା ମନ ରହଇ ନିଶ୍ଚଳେ ॥ ୪୦୧

ସ୍ୱଜନସୁତ ଏକବିଂଶେ । ବେଦେ ବୋଲନ୍ତି ବିଷ୍ଣୁପାଶେ ॥ ୪୦୨

ସ୍ୱଜନ ସୁତ ଦାରା ଧର । ଗୃହ ମେଦିନୀ ସୁଖାସନ ॥ ୪୦୩

ତୋ ପାଦ ହୃଦେ ଯାର ଥାଇ । ଏଣେ ପ୍ରୟୋଜନ ନାହିଁ ॥ ୪୦୪

ତୋତେ ଯେ ନ ଭଜନ୍ତି ଚିତ୍ତେ । ତାହାଙ୍କ ମନ ଅବିରତେ ॥ ୪୦୫

ଲୋଭ ଲାଳସେ ମୋହେ ଜଡି । ବିପଦପଦେ ଥାନ୍ତି ପଡି ॥ ୪୦୬

ସକଳ ଦୁଃଖ ଯହିଁ ଥାନ୍ତି । ଅମୃତ ପ୍ରାୟ ତା ମଣନ୍ତି ॥ ୪୦୭

ସକଳ ସୁଖ ତୋର ପାଦେ । ତହିଁ ଯେ ବିଶ୍ରମେ ଆନନ୍ଦେ ॥ ୪୦୮

ଏ ମାୟା ତାକୁ ତୁଚ୍ଛ ହୋଏ । ପର୍ବତଶିଖ ଭୂମି ପ୍ରାୟେ ॥ ୪୦୯

ତୋ ପାଦ ଆଶ୍ରେ ଯେ ନ କରି । ମୈଥୁନ ସୁଖ ମନେ ଧରି ॥ ୪୧୦

ତେଣୁ ଏ ସଂସାର ସାଗରେ । ବୁଡନ୍ତି ଦୁଃଖ ମହାଘୋରେ ॥ ୪୧୧

କ୍ଷଣେ ହେଁ ନ ପାରନ୍ତି ତରି । ତୋ ବିଶ୍ୱମାୟାକୁ ଆବୋରି ॥ ୪୧୨

ସଂସାର ଅସାର ପ୍ରତ୍ୟକ୍ଷେ । ସାର ଯେସନେ ରମ୍ଭାବୃକ୍ଷେ ॥ ୪୧୩

ତୋ ନାମ ସଂସାରରେ ସାର । ନ ଭଜି କେ ହୋଇବ ପାର ॥ ୪୧୪

ଭୁବିପୁରୁପୁଣ୍ୟ ଦ୍ୱାବିଂଶେ । ବେଦେ କହନ୍ତି ମହାତୋଷେ ॥ ୪୧୫

ଭୂମିରେ ଯେତେ ତୀର୍ଥ ଅଛନ୍ତି । ମୁନିଏଁ ତହିଁ ବିଶ୍ରାମନ୍ତି ॥ ୪୧୬

ମଦ ମତ୍ସର ଅହଙ୍କାର । ହୃଦୟେ ନାହିଁ ତାହାଙ୍କର ॥ ୪୧୭

ତୋ ପାଦ ହୃଦୟେ ବହନ୍ତି । ସଂସାରେ ନାହିଁ ତାଙ୍କ ଭୀତି ॥ ୪୧୮

ତାଙ୍କ ଚରଣ -ନୀର ସଙ୍ଗେ । ପାପ ନ ରହେ ପ୍ରାଣୀ ଅଙ୍ଗେ ॥ ୪୧୯

ସୁପୁଣ୍ୟତୀର୍ଥ ସାଧୁ ସଙ୍ଗେ । ନିତ୍ୟେ ଭ୍ରମନ୍ତି ଅନୁରାଗେ ॥ ୪୨୦

ଏଣୁ ତୋ ପାଦ ଆଶ୍ରେ କରି । ଯେ ପ୍ରାଣୀ ଚିତ୍ତ ସ୍ଥିର କରି ॥ ୪୨୧

ପରମଆତ୍ମା ସୁଖସୀମା । ଶୁଣିମା ତାହାଙ୍କ ମହିମା ॥ ୪୨୨

ବିବେକ ଶାନ୍ତି କ୍ଷମା ଧୀର । ଏ ଚାରି ପୁରୁଷଙ୍କ ସାର ॥ ୪୨୩

ଏହା ହରଇ ଗୃହଦ୍ୱନ୍ଦ୍ୱ । ଅଜ୍ଞାନୀଜନଙ୍କ ଆନନ୍ଦ ॥ ୪୨୪

ଯେ ତୋତେ ଚିନ୍ତେ ଅବିରତେ । ଗୃହ ନ ଲାଗେ ତାର ଚିତ୍ତେ ॥ ୪୨୫

ତାଙ୍କ ମହିମା ଏ ବ୍ରହ୍ମାଣ୍ତେ । କେ କହିପାରେ ଏକ ତୁଣ୍ତେ ॥ ୪୨୬

ତ୍ରୟବିଂଶତି ସତ ଇଦଂ । ଯାହା କହିଲେ ତିନି ବେଦ ॥ ୪୨୭

ଭୋ ଦେବ ପରମପୁରୁଷ । ସଂସାର ତୋ ତହୁଁ ପ୍ରକାଶ ॥ ୪୨୮

ଏ ସତ୍ୟ ନୋହେ ସତ୍ୟବାଦେ । ବିଚାର ତର୍କ ଅନୁବାଦେ ॥ ୪୨୯

କାର୍ଯ୍ୟ କାରଣ ପ୍ରାୟ ଯେଣୁ । କହିବା ଅନୁମାନେ ତେଣୁ ॥ ୪୩୦

ମୁକୁତା ସିପେ କରି ଭ୍ରାନ୍ତି । ରଜତ ପ୍ରାୟ ତା ମଣନ୍ତି ॥ ୪୩୧

ପୁଣି ବିଚାରେ ସେ ଯେମନ୍ତ । ମୁକୁତା ସିପ ହୋଏ ସତ୍ୟ ॥ ୪୩୨

ମାୟା ପ୍ରକାଶ ତୋ ବ୍ରହ୍ମାଣ୍ତେ । ସର୍ପ ଯେସନେ ରଜ୍ଜୁଖଣ୍ତେ ॥ ୪୩୩

କାର୍ଯ୍ୟ କାରଣ ମାୟାଲକ୍ଷି । ତୁ ପରମାତ୍ମା ଏତେ ସାକ୍ଷୀ ॥ ୪୩୪

ସାକ୍ଷୀ ସ୍ୱରୂପେ ରହେ ଆତ୍ମା । ଏହା ତ ମାନନ୍ତି ମହାତ୍ମା ॥ ୪୩୫

ସ୍ୱର୍ଗାଦିଫଳ ବେଦ କହି । ଏ ଘେନି ପ୍ରାଣୀ କର୍ମଦାହି ॥ ୪୩୬

ଏଣୁ ସଂସାର ସତ୍ୟ ଦିଶେ । କର୍ମ ସାଧନ୍ତି ମନତୋଷେ ॥ ୪୩୭

ଭବପ୍ରବଞ୍ଚ ବ୍ୟବହାରେ । ଚିତ୍ତ ବୁଡାଇଥାନ୍ତି ଧୀରେ ॥ ୪୩୮

ବେଦବାଦୀଏ ତାଙ୍କ ମନ । ଶିକ୍ଷା ଦେଇ ବେଦ ବଚନ ॥ ୪୩୯

କର୍ମର ଫଳ ସତ୍ୟ ପ୍ରାୟେ । ବିଷୟ ତାପ ଭ୍ରମେ ମୋହେ ॥ ୪୪୦

ଏ ଘେନି କର୍ମ କରି ଦେହେ । ଭ୍ରମନ୍ତି ତବ ମାୟାମୋହେ ॥ ୪୪୧

ପୂର୍ବ ଲୋକଙ୍କ କର୍ମ ଦେଖି । ଅପର ଲୋକେ ତାହା ଶିଖି ॥ ୪୪୨

ଭୋ ନାଥ ବେଦ ତୋ ବଚନ । ପୁଷ୍ପର ପ୍ରାୟ ଅନୁମାନ ॥ ୪୪୩

ପୁଷ୍ପରେ ଥାଇ ସର୍ବଗନ୍ଧ । ଭ୍ରମର ଲଭେ ମକରନ୍ଦ ॥ ୪୪୪

ବେଦବଚନେ ପୁଷ୍ପ ପ୍ରାୟେ । କର୍ଣ୍ଣେ ଶୁଣନ୍ତେ ଚିତ୍ତଧ୍ୟାୟେ ॥ ୪୪୫

ସର୍ବେ ବୋଲନ୍ତି ସାଧୁ ସାଧୁ । କେହି ନ ଲଭେ ପୁଷ୍ପମଧୁ ॥ ୪୪୬

ପ୍ରାଣୀଙ୍କି କର୍ମ ସେ କରାଏ । ଅନ୍ଧକୁ ଅନ୍ଧ ଯେହ୍ନେ ବାହେ ॥ ୪୪୭

ନ ଯଦିଦ ଯେ ଚତୁର୍ବିଂଶ । ଶୁଣ କହିବା ତା ଉଦ୍ଦେଶ୍ୟ ॥ ୪୪୮

ଏ ସୃଷ୍ଟି ପୂର୍ବେ ଥିଲା କାହିଁ । ପୁଣି ଏ ଅନ୍ତେ ଥିବ କାହିଁ ॥ ୪୪୯

ଏଣୁ ଏହାର ସତ୍ତା ନାହିଁ । ଶାସ୍ତ୍ର ମାର୍ଗରେ ଏହା କହି ॥ ୪୫୦

ତୋ ତହୁଁ ବିରାଟ ପୁରୁଷ । ଏ ମିଥ୍ୟା ସଂସାରେ ପ୍ରକାଶ ॥ ୪୫୧

ବ୍ରହ୍ମ ନିର୍ମାତା ଏକ ତୁହି । ତୋ ଅଙ୍ଗେ ସତ୍ୟ ଆଭାସଇ ॥ ୪୫୨

ଏ ନାନା ଦ୍ରବ୍ୟମାନ ଯେତେ । ଆମ୍ଭେ ଜାଣିଲୁ ଏବେ ତଥ୍ୟେ ॥ ୪୫୩

ମୃତ୍ତିକା ଆଦି ଧାତୁ ଯେତେ । ଏ ଯେତେ ଘଟ ବସ୍ତ୍ର ପାତ୍ରେ ॥ ୪୫୪

ଜଗତ ତୁଲେ ଏ ଶୟନ । ପୁଣ କହିବୁ ଅନୁମାନ ॥ ୪୫୫

ଯାହାର ତହୁଁ ସେ ଘଟନ । ବିଚାରେ ତହୁଁ ନୋହେ ଆନ ॥ ୪୫୬

ନାମ ମାତ୍ରକେ ଭେଦ ରହେ । ଏ ଅନୁମାନ ବେଦ କହେ ॥ ୪୫୭

କାରଣୁ କାର୍ଯ୍ୟ ଭିନ୍ନେ ଥାନ୍ତି । ଅନ୍ତେ କାରଣେ ସେ ମିଶନ୍ତି ॥ ୪୫୮

ଜଗତ କାରଣ ଯେ ତୁହି । କାର୍ଯ୍ୟ ଭିନ୍ନ ପ୍ରାୟ ଦିଶଇ ॥ ୪୫୯

ତୁ ସତ୍ୟ ଭବମଧ୍ୟେ ହରି । କେ ତୋ ମହିମା କହିପାରି ॥ ୪୬୦

ମନ ବିଳାସ ମାତ୍ର ଏହି । ଅଜ୍ଞାନେ ପ୍ରତ୍ୟକ୍ଷ ଦିଶଇ ॥ ୪୬୧

ସଯଦ ପଞ୍ଚବିଂଶ ସ୍ତୁତି । ବେଦ କହନ୍ତି ଭାବ ଚିନ୍ତି ॥ ୪୬୨

ତୁ ମହାମହିମ ଅନନ୍ତ । ଆଗମ ନିମନ୍ତେ ତୋ ଅନ୍ତ ॥ ୪୬୩

କେହି ନ ଜାଣେ ଅନୁମାନେ । ନିର୍ମଳ ଚିତ୍ତେ ଶୁଦ୍ଧଜ୍ଞାନେ ॥ ୪୬୪

ମିଥ୍ୟା ପ୍ରପଞ୍ଚ ଏ ଜଗତେ । ଜୀବ କି ଜାଣିପାରେ ଚିତ୍ତେ ॥ ୪୬୫

ବେଦବଚନେ ମିତ୍ୟେ ଭ୍ରମି । ଜନ୍ମମରଣ ପଥେ ଶ୍ରମୀ ॥ ୪୬୬

ଜୀବକୁ ମାୟାବଳେ ଧରି । କ୍ରୀଡଇ ସଂସାରେ ବିହରି ॥ ୪୬୭

ଗୁଣ ଇନ୍ଦ୍ରିୟ ଦେହମେଳେ । ଭ୍ରମେ ତୋ ମାୟା ଯୋଗବଳେ ॥ ୪୬୮

ଦେହାଦି ଧର୍ମ ଯେ ଭଜନ୍ତି । ସେ କାହିଁ ତୋ ଭାବ ଜାଣନ୍ତି ॥ ୪୬୯

ଅପେତଭଗ ସେ ବୋଲାଇ । ତେଣୁ ସଂସାର ନ ଛାଡଇ ॥ ୪୭୦

ତାପେ ତାପିତ ଏ ଶୟଳେ । ମରଇ ଅନ୍ତେ କର୍ମବଳେ ॥ ୪୭୧

ପୁରୁଣା ଚର୍ମ ଯେହ୍ନେ ସର୍ପେ । ଛାଡଇ ପାଇ ନିଜ ରୂପ ॥ ୪୭୨

ଏ ମାୟା ଯେବେ ଛାଡୁ ତୁହି । ଜୀବ ସ୍ୱରୂପେ ବିରାଜଇ ॥ ୪୭୩

ଅପରିମିତଭଗ ଯେଣୁ । ନିତ୍ୟେ ପ୍ରାପତ ସୁଖ ତେଣୁ ॥ ୪୭୪

ଯଦିନସମୁ ଷଡବିଂଶେ । ନିଗମେ ବୋଲନ୍ତି ହରଷେ ॥ ୪୭୫

ଅଶେଷ ବାସନା ଦଉଡି । ସେ ଅଜଗର ରୂପେ ଜଡି ॥ ୪୭୬

ତହୁଁ ସଞ୍ଚରେ କାମବୃକ୍ଷ । ପତ୍ର ପୁଷ୍ପ ଫଳ ପ୍ରତ୍ୟକ୍ଷ ॥ ୪୭୭

ଜୀବ ତା ସୁଖେ ଭୋଗ କରେ । ପଶୁ ଯେସନେ ପତ୍ର ଚରେ ॥ ୪୭୮

ସେ କାମବୃକ୍ଷ ଅବିରତେ । ସୁଖେ ବଢଇ ହୃଦଗତେ ॥ ୪୭୯

ତାହାକୁ ବଳେ ଛଳେ ଭିଡି । କେହି ନ ପାରନ୍ତି ଉପାଡି ॥ ୪୮୦

ବୁଲନ୍ତି ନାନା ତପଫଳେ । ଯୋଗ ସମାଧି ତୀର୍ଥ ଛଳେ ॥ ୪୮୧

ଅତି କଠୋରେ ସେ ଭ୍ରମନ୍ତି । ହୃଦରୁ ନ ତୁଟଇ ଭ୍ରାନ୍ତି ॥ ୪୮୨

ବିବିଧମତେ ଦୁଃଖ ପାଇ । ତାହାଙ୍କୁ ଅତି ଦୂର ତୁହି ॥ ୪୮୩

ନିତ୍ୟେ ସେ କାମଭୋଗ ଚିନ୍ତି । ଏ ଘେନି ତୋତେ ପାସୋରନ୍ତି ॥ ୪୮୪

ଅସାଧୁପଣ ତାହାଙ୍କର । ଶୁଣ ହେ କମଳାରବର ॥ ୪୮୫

ଅମୂଲ୍ୟମଣି କଣ୍ଠେ ଧରି । ମନ ବିଷୟ ଜଡେ ଭରି ॥ ୪୮୬

ଯାବତ ସୁମରଣ ନାହିଁ । ପ୍ରାପତ ନୋହେ କଣ୍ଠେ ଥାଇ ॥ ୪୮୭

ମଣିର ପ୍ରାୟ କଣ୍ଠତଟେ । ତୁ ଥାଉ ପ୍ରାଣୀଙ୍କ ନିକଟେ ॥ ୪୮୮

ନିତ୍ୟେ ତୋ ମାୟା ମୋହ ଚିନ୍ତି । ଏ ଘେନି ତୋତେ ନ ଜାଣନ୍ତି ॥ ୪୮୯

ଯୋଗୀ ବୋଲାଇ ଜ୍ଞାନପଥେ । ବିଷୟରସ ଅବିରତେ ॥ ୪୯୦

ନିରତେ ଇନ୍ଦ୍ରିୟ ପୋଷଣେ । ଧନ ସଞ୍ଚୟ କରଷଣେ ॥ ୪୯୧

ଉଭୟ ଲୋକ ତାର ନାହିଁ । ତୋତେ ପାଇବେ ଅବା କାହିଁ ॥ ୪୯୨

ଯାବତ ତୋ ଚରଣ ତଳେ । ଚିତ୍ତ ନ ରହଇ ନିଶ୍ଚଳେ ॥ ୪୯୩

ସପ୍ତବିଂଶେ ତ୍ୱଦବଗମୀ । ବେଦେ ବୋଲନ୍ତି ଶୁଣ ସ୍ୱାମୀ ॥ ୪୯୪

ଭୋ ନାଥ ତୋତେ ଯେ ଜାଣନ୍ତି । ତାଙ୍କ ମହିମା କେବା ଚିନ୍ତି ॥ ୪୯୫

ପ୍ରାଣୀଙ୍କ ଚିତ୍ତ ତୋ ଚରଣେ । ଆଶ୍ରିତ ଥାଇ ଅନୁକ୍ଷଣେ ॥ ୪୯୬

ଯେ ଯାହା କର୍ମଫଳ ଘେନି । ଫଳଇ ଦୁଃଖ ସୁଖ ବେନି ॥ ୪୯୭

ଏ ବେନିଫଳଙ୍କର ରସ । ନିଶ୍ଚେ ନ ଜାଣେ ତୋର ଦାସ ॥ ୪୯୮

ଦେହାଭିମାନୀ ପ୍ରାଣୀଙ୍କର । ବିଧି ନିଷେଧ ଅନୁଚର ॥ ୪୯୯

ତାହାଙ୍କ ନିନ୍ଦା ସ୍ତୁତି ବାଣୀ । ତୋର ସେବକ ତାହା ଶୁଣି ॥ ୫୦୦

ଚିତ୍ତେ ନ କରନ୍ତି ବିଚାର । ଏମନ୍ତ ମହିମା ତୁମର ॥ ୫୦୧

ଯୁଗାନୁଯୁଗ ତୋ ଶରୀର । ମତ୍ସ୍ୟାଦି ନାନା ଅବତାର ॥ ୫୦୨

ତୋହର ଗୁଣ କର୍ମ ଯେତେ । ଯେ ପ୍ରାଣୀ ଶୁଣେ କର୍ଣ୍ଣପଥେ ॥ ୫୦୩

ତୁଣ୍ତେ ଭାଷନ୍ତି ଅନୁକ୍ଷଣେ । ଚିନ୍ତନ୍ତି ତୋହର ଚରଣେ ॥ ୫୦୪

ତୁ ନାଥ ଅପବର୍ଗ ଗତି । ଅନ୍ତେ ତୋ ଚରଣେ ପଶନ୍ତି ॥ ୫୦୫

ଅଷ୍ଟବିଂଶତି ପୂର୍ଣ୍ଣସୁତି । ବୋଲନ୍ତି ଦ୍ୟୁପତୟ ଶ୍ରୁତି ॥ ୫୦୬

ବେଦେ ବୋଲନ୍ତି ହେ ଅନନ୍ତ । ନିତ୍ୟେ ତୋହର ଆଦିଅନ୍ତ ॥ ୫୦୭

ମନ ବଚନ ବହୁ ଚିନ୍ତି । ବ୍ରହ୍ମାଦି ଦେବେ ନ ଜାଣନ୍ତି ॥ ୫୦୮

ତୋ ରୂପ ତୁହି ନ ପ୍ରମାଣୁ । କେ ତାହା ଦେହ ବହି ଜାଣୁ ॥ ୫୦୯

ତୁ ଅବା ବୋଲୁ ମୋ ମହିମା । ମୁଁ କିମ୍ବା ନ ଜାଣଇ ସୀମା ॥ ୫୧୦

ସର୍ବଜ୍ଞପଣ କି ମୋ ନାହିଁ । କହିବୁଁ ଶୁଣ ଭାବଗ୍ରାହୀ ॥ ୫୧୧

ସ୍ୱଭାବେ ଶୂନ୍ୟ ଅପ୍ରମିତ । କେ ଜାଣେ ତୋର ଆଦି ଅନ୍ତ ॥ ୫୧୨

ଉଦୟ ଅସ୍ତ ନାହିଁ ଯାର । ଏଣୁ ତୁ ତୋତେ ଅଗୋଚର ॥ ୫୧୩

ଏଣୁ ଆମ୍ଭର ଅନୁମତେ । ସର୍ବଜ୍ଞ ବୋଲିବୁ କେମନ୍ତେ ॥ ୫୧୪

ଶଶାର ମୁଣ୍ତେ ଶୃଙ୍ଗ ଜାତ । ବନ୍ଧ୍ୟା କି ପ୍ରସବିବ ସୁତ ॥ ୫୧୫

ଏ ବେନି ନ ଜାଣନ୍ତି ଯେହୁ । ସର୍ବଜ୍ଞ ବୋଲାଇବେ କାହୁଁ ॥ ୫୧୬

ତୋ ଆଦି ଅନ୍ତ ମଧ୍ୟ ତୁହି । କହିବୁଁ ଶୁଣ ମନଦେଇ ॥ ୫୧୭

ଏକ ଆରକେ ଦଶଗୁଣ । ବ୍ରହ୍ମାଣ୍ତ ସପ୍ତ ଆବରଣ ॥ ୫୧୮

ଏମନ୍ତେ ଅଶେଷ ବ୍ରହ୍ମାଣ୍ତ । ଆଶ୍ରେ କରନ୍ତି ତୋର ପିଣ୍ତ ॥ ୫୧୯

ଭ୍ରମନ୍ତି କାଳଚକ୍ର ବଳେ । ଧୂଳି ଯେସନେ ଅନ୍ତରାଳେ ॥ ୫୨୦

ସେ ରେଣୁ ମଧ୍ୟେ ପ୍ରାଣୀ ଥାଇ । ତୋ ରୂପ ପ୍ରମାଣିବ କାହିଁ ॥ ୫୨୧

ବେନ୍ଦେ ବୋଲନ୍ତି ବିଶ୍ୱମଧ୍ୟେ । ଆମ୍ଭେ ହୋ ଭ୍ରମୁ ମାୟାବନ୍ଧେ ॥ ୫୨୨

ତୋର ମହିମା ଅଛି ଯେତେ । ଆମ୍ଭେ ତା ଜାଣିବୁ କେମନ୍ତେ ॥ ୫୨୩

ସଗୁଣ ନିର୍ଗୁଣର ସୀମା । ଭୋ ନାଥ ତୋହର ମହିମା ॥ ୫୨୪

ବିଧିନିଷେଧ ବାଦ କରି । ତୋର ମହିମା କେ ବିଚାରି ॥ ୫୨୫

ବିଧି ନିଷେଧ ହିଁ ନ ଜାଣେ । ପ୍ରଣମେ ତୋହର ଚରଣେ ॥ ୫୨୬

ବେଦେ ବୋଲନ୍ତି ଆମ୍ଭ ଚିତ୍ତେ । ତୋର ମହିମା ଅନୁମତେ ॥ ୫୨୭

ସୃଷ୍ଟି ସଂହାରି ତୋ ଶରଣେ । ପଶିଲୁଁ ଅଭୟ ଚରଣେ ॥ ୫୨୮

ନିରତେ ତୋର ପଦ୍ମପାଦେ । ଥିବୁଁ ସର୍ବଦା ସୁଖ ସଧେ ॥ ୫୨୯

ଏମନ୍ତେ ବେଦଙ୍କ ବଚନ । ଶୁଣି ବୋଲନ୍ତି ନାରାୟଣ ॥ ୫୩୦

ଏମନ୍ତେ ବ୍ରହ୍ମାର ନନ୍ଦନ । ସନନ୍ଦ ତହୁଁ ଆତ୍ମଜ୍ଞାନ ॥ ୫୩୧

ଶୁଣି ସାନନ୍ଦ ତିନି ଭାଇ । ଚରଣଯୁଗେ ଶିର ଦେଇ ॥ ୫୩୨

ପୂଜିଲେ ସନନ୍ଦ ଚରଣ । କହନ୍ତି ପ୍ରଭୁ ନାରାୟଣ ॥ ୫୩୩

ନାରାୟଣ ଉବାଚ

ଶୁଣ ନାରଦ ମୁନିଙ୍କର । ସେ ଚାରି ବ୍ରହ୍ମାର କୁମର ॥ ୫୩୪

ବ୍ରହ୍ମ ସମାଧି ସଙ୍ଗ ପାଇ । ନିରତେ ଆତ୍ମାନନ୍ଦ ଧ୍ୟାୟି ॥ ୫୩୫

ଆଗମ ପୁରାଣ ବଖାଣି । ଉପନିଷଦେ ବ୍ରହ୍ମ ଜାଣି ॥ ୫୩୬

ତୁ ବିପ୍ରବର ଜ୍ଞାନବଳେ । ନିରତେ ଭ୍ରମି ଭୂମଣ୍ତଳେ ॥ ୫୩୭

ନିର୍ମଳ ଚିତ୍ତେ ଜ୍ଞାନ ଜାଣୁ । ଜୀବନ ମୁକତି ପ୍ରମାଣୁ ॥ ୫୩୮

ଏ ତତ୍ତ୍ୱଜ୍ଞାନେ ଯାର ଚିତ୍ତ । ଆନନ୍ଦ ବଢେ ଅବିରତ ॥ ୫୩୯

ସଂସାର ବାସନାରୁ ତରେ । ନ ବୁଡେ ଭବ ମହାଘୋରେ ॥ ୫୪୦

ଶୁକ ଉବାଚ

କହିଲେ ନରନାରାୟଣ । ପ୍ରସ୍ତାବେ ବ୍ରହ୍ମର କାରଣ ॥ ୫୪୧

ଏ ଦୁଇଜନଙ୍କ ସମ୍ବାଦ । ଯେତେ କହିଲେ ତିନି ବେଦ ॥ ୫୪୨

ଶୁକ କହନ୍ତି ଅନୁରାଗେ । ବେଦ ଉପନିଷଦ ଭାଗେ ॥ ୫୪୩

ଶୁଣି ସାନନ୍ଦ ମୁନିବର । ନମିଲେ ବିଷ୍ଣୁର ପୟର ॥ ୫୪୪

ଗୋବିନ୍ଦ ଯଶ ଗାଇ ତୁଣ୍ତେ । ଆନନ୍ଦେ ଗଲେ ସେ ବ୍ରହ୍ମାଣ୍ତେ ॥ ୫୪୫

ଶୁଣ ହୋ ଅଭିମନ୍ୟୁସୁତ । ମୋ ଜନ୍ମ କର୍ମର ଚରିତ ॥ ୫୪୬

ଯଜ୍ଞର ଅର୍ଥେ ପରାଶର । ଅଗ୍ନିମନ୍ଥନେ ତତପର ॥ ୫୪୭

ମନ୍ତ୍ର ଉଚ୍ଚାରନ୍ତି ଆନନ୍ଦେ । ଏମନ୍ତେ ଅଗ୍ନିକୁଣ୍ତ ମଧ୍ୟେ ॥ ୫୪୮

ଅରଣି ଯୋଗେ କାମଚିତ୍ତ । ପଡିଲା ବ୍ୟାସଙ୍କର ରେତ ॥ ୫୪୯

ସେ ବୀର୍ଯ୍ୟ ଅଙ୍କୁରୁ ମୁଁ ଜାତ । ତେଣୁ ମୁଁ ଅଯୋନି ସମ୍ଭୂତ ॥ ୫୫୦

ଏ ଘେନି ବ୍ୟାସ ମୋର ତାତ । ତାଙ୍କ ଆଶ୍ରମେ ଉପଗତ ॥ ୫୫୧

ନାରଦ ଋଷି ଆଗମନ । ଦେଖି ପରାଶର ନନ୍ଦନ ॥ ୫୫୨

ଆସନୁ ଉଠି କିଛି ଦୂରେ । ଅଭିଗମନ ତତପରେ ॥ ୫୫୩

ଉତ୍ତମ ଆସନେ ବସାଇ । ପାଦ ପୂଜିଲେ ଅର୍ଘ୍ୟ ଦେଇ ॥ ୫୫୪

ବ୍ୟାସଙ୍କୁ କହିଲେ ନାରଦ । ନର ନାରାୟଣ ସମ୍ବାଦ ॥ ୫୫୫

ତୁ ଯାହା ପଚାରିଲୁ ମୋତେ । ବ୍ରହ୍ମ ସମ୍ବାଦ ଭାବଚିତ୍ତେ ॥ ୫୫୬

ବୋଲୁ ଯେ ନିର୍ବିକାର ବ୍ରହ୍ମ । କେମନ୍ତେ ଜାଣନ୍ତି ନିଗମ ॥ ୫୫୭

ତାହା ତ କହିଲି ମୁଁ ତୋତେ । ଏବେ ହୋ ଶୁଣ ଏକଚିତ୍ତେ ॥ ୫୫୮

ଯେ ହରି ଜଗତ ଭିଆଇ । ଆଦ୍ୟନ୍ତ ସାକ୍ଷୀରୂପ ହୋଇ ॥ ୫୫୯

ପ୍ରକୃତି ପୁରୁଷହୁଁ ଦୂର । ବ୍ରହ୍ମାଣ୍ତ ଯାର ଖେଳଘର ॥ ୫୬୦

ବ୍ରହ୍ମାଣ୍ତେ ପଶି ଆତ୍ମାଅଂଶେ । ଜୀବକୁ ପାଳଇ ଆଶ୍ୱାସେ ॥ ୫୬୧

ନିଜ ସେବକେ ମୋକ୍ଷ ଦେଇ । ନିତ୍ୟେ ଭକତ ପାଶେ ଥାଇ ॥ ୫୬୨

ତୋ ରୂପ ଜୀବରେ ନିରେଖି । ମାୟା ଛାଡଇ ତାହା ଦେଖି ॥ ୫୬୩

ତୁ ଯେ ବୋଇଲୁ ଏ ଜଗତେ । ଜୀବନମୁକ୍ତ ଛନ୍ତି ଯେତେ ॥ ୫୬୪

ଶରୀରବନ୍ଧ ତାଙ୍କ ଦେଖି । ମାୟା କେମନ୍ତେ ତା ଉପେକ୍ଷି ॥ ୫୬୫

ଶୁଣ ଯାହାକୁ କୃଷ୍ଣ ଦୟା । ତାହାକୁ ନ ଲାଗଇ ମାୟା ॥ ୫୬୬

ଆତ୍ମାର ଜ୍ଞାନ ନିତ୍ୟେ ବଢେ । ଦେହାଦି ଧର୍ମକୁ ସେ ଛାଡେ ॥ ୫୬୭

ଯେମନ୍ତେ ନିଦ୍ରାଗତ । ଦେହାଦି ଧର୍ମ ନ ଲାଗଇ ॥ ୫୬୮

ଆତ୍ମାରେ ଜଗତ ଦେଖଇ । ଦେହାଦି ଧର୍ମ ନ ଲାଗଇ ॥ ୫୬୯

ସମସ୍ତ ପ୍ରାଣୀ ଦୃଷ୍ଟି ତାକୁ । ତା ଦୃଷ୍ଟି ନ ଥାଇ ଦେହକୁ ॥ ୫୭୦

ସେ ହରି ନିରଞ୍ଜନ ରୂପ । କେବଳ ସାକ୍ଷୀ ଏ ସ୍ୱରୂପ ॥ ୫୭୧

ଅଭୟଦାତାର ଚରଣ । ନିରତେ କର ସୁମରଣ ॥ ୫୭୨

ଯା ରୂପ ନିରନ୍ତର ଲୋଡି । ମନ ବଚନ ହିଁ ବାହୁଡି ॥ ୫୭୩

ଅଧିକ କି କହିବି ମୁହିଁ । ପରୀକ୍ଷ ଭାଗ୍ୟବନ୍ତ ତୁହି ॥ ୫୭୪

ବୋଲଇ ଦାସ ଜଗନ୍ନାଥ । ବେଦ ସମ୍ବାଦେ ଭାଗବତ ॥ ୫୭୫

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ

ନାରଦନାରାୟଣ ସମ୍ବାଦେ ବେଦସ୍ତୁତିର୍ନାମ ତ୍ରିନବତିତମ ଅଧ୍ୟାୟଃ

* * *