ଦଶମ ସ୍କନ୍ଧ

ନବତିତମ ଅଧ୍ୟାୟ

ଶୁକ ବୋଲନ୍ତି ଶୁଦ୍ଧମନେ । ହରଷେ ରାଜା ସନ୍ନିଧ୍ୟାନେ ॥

ଶୁକ ଉବାଚ

ଶୁଣ ସୁମନେ ଶୁଦ୍ଧଚେତା । କୃଷ୍ଣ ମଙ୍ଗଳ ଗୁଣଗାଥା ॥

କୃଷ୍ଣର ଅଷ୍ଟପାଟରାଣୀ । ତାହାଙ୍କ ମୁଖୁଁ ବାକ୍ୟ ଶୁଣି ॥

କୁନ୍ତୀ ଗାନ୍ଧାରୀ ଯାଜ୍ଞସେନୀ । ମାଧବୀ ସୁଭଦ୍ରା କାମିନୀ ॥

ଅପରେ ରାଜପତ୍ନୀ ଯେତେ । ବ୍ରଜକାମିନୀଗଣ ସାଥେ ॥

କୃଷ୍ଣମହିମା ଶୁଣି କର୍ଣ୍ଣେ । ଅପରେ ଯେତେ ବଧୂଜନେ ॥

ପରମାନନ୍ଦ ବିଷ୍ଣୁଭାବେ । ପ୍ରେମ ଅନୁବନ୍ଧ ସ୍ୱଭାବେ ॥

ଆନନ୍ଦେ ତନୁ ପୁଲକିତ । ଲୋଚନ କୋଣେ ଅଶ୍ରୁଜାତ ॥

ଏକ ଆରେକ ମୁଖ ଚାହିଁ । କୃଷ୍ଣ ମହିମା ଗୁଣ ଗାଇ ॥

ସୁଖସାଗରେ ନିମଜ୍ଜିଲେ । ଏମନ୍ତେ ବିପ୍ରେ ବିଜେ କଲେ ॥ ୧୦

ଦେଖିବା ଅର୍ଥେ ରାମ ହରି । ଅନେକ ଦୂରୁଁ ଆଶା କରି ॥ ୧୧

ବ୍ୟାସ ସହିତେ ବ୍ରହ୍ମାସୂତ । ଚ୍ୟବନ ଦେବଳ ଅସିତ ॥ ୧୨

ବିଶ୍ୱାମିତ୍ର ଯେ ମହାମୁନି । ସଙ୍ଗତେ ଶତାନନ୍ଦ ଘେନି ॥ ୧୩

ଭରଦ୍ୱାଜ ଯେ ଗଉତମ । ମିଳିଲେ ଶ୍ରୀପରଶୁରାମ ॥ ୧୪

ବଶିଷ୍ଠ ଶିଷ୍ୟଙ୍କ ସହିତେ । ଗାଲବ ଆଦି ଭୃଗୁ ଯେତେ ॥ ୧୫

ପୁଲସ୍ତ୍ୟ କଶ୍ୟପ ଯେ ଅତ୍ରି । ମୃକଣ୍ତୁସୁତ ବୃହସ୍ପତି ॥ ୧୬

ବ୍ରହ୍ମାର ସୁତ ଦ୍ୱିତ ତ୍ରିତ । ଏକତ୍ର ଅଙ୍ଗିରା ସହିତ ॥ ୧୭

ଅଗସ୍ତ୍ୟ ଯାଜ୍ଞବଲ୍କ୍ୟ ମୁନି । ଅପରେ ବାମଦେବ ଘେନି ॥ ୧୮

ଋଷିଙ୍କି ଦେଖି କିଛି ଦୂରେ । ବେଗେ ଉଠିଲେ ନୃପବରେ ॥ ୧୯

ପାଣ୍ତବେ ରାମକୃଷ୍ଣ ତୁଲେ । ବିପ୍ରଙ୍କ ପାଦେ ପ୍ରଣମିଲେ ॥ ୨୦

ବିଶ୍ୱବନ୍ଦିତ ମୁନିଗଣ । କୃଷ୍ଣ ନମନ୍ତି ପୁଣ ପୁଣ ॥ ୨୧

ରାମ ସହିତେ ଦାମୋଦର । ପୂଜିଲେ ବିପ୍ରଙ୍କ ପୟର ॥ ୨୨

ଆସନ ପାଦ୍ୟ ଅର୍ଘ୍ୟ ମାଲ୍ୟେ । ଆନନ୍ଦେ ଗନ୍ଧ ଧୂପ ଦେଲେ ॥ ୨୩

ସୁଖେ ବସାଇ ମୁନିଗଣ । ଧର୍ମପାଳନ ନାରାୟଣ ॥ ୨୪

ଯେମନ୍ତେ ସଭାଲୋକେ ଶୁଣି । ଉଚ୍ଚବଚନେ ଚକ୍ରପାଣି ॥ ୨୫

ବୋଲନ୍ତି ପ୍ରଭୁ ଭଗବାନ । ଆଜ ଜୀବନ ମୋର ଧନ୍ୟ ॥ ୨୬

ଯେ ଫଳ ଅତି ତପ ଦାହି । ଆଜ ଲଭିଲି ତାହା ମୁହିଁ ॥ ୨୭

ଯୋଗେଶ୍ୱରଙ୍କ ଦରଶନ । ଦେବଙ୍କୁ ଦୁର୍ଲଭ ଏ ଜାଣ ॥ ୨୮

ଏ ଜନ ମଧ୍ୟେ ଯାର ଜହ୍ନ । ଅଳ୍ପ ତପସ୍ୟା ପୁଣ୍ୟହୀନ ॥ ୨୯

ଏହାଙ୍କ ଦରଶନ ପାଇ । ନିର୍ମଳ ନ କରଇ ଦେହୀ ॥ ୩୦

ଏହାଙ୍କ ମୁଖ ଦରଶନ । ପ୍ରଣାମ ପୁଚ୍ଛା ସ୍ପରଶନ ॥ ୩୧

ଆବର ପାଦପୂଜା କରି । ପ୍ରାଣୀ ତରନ୍ତି ଭବବାରି ॥ ୩୨

ତୀର୍ଥ ପୂରିତ ପୁଣ୍ୟଜଳେ । ଯେତେ ଦେବତା ଭୂମିତଳେ ॥ ୩୩

ପାଷାଣ ମୃତ୍ତିକା ଭିଆଣେ । ଆଗମ ନିଗମ ପ୍ରମାଣେ ॥ ୩୪

ଅନେକ କାଳେ ଏ ତାରନ୍ତି । ସେବା ଉଚିତେ ଫଳ ଦ୍ୟନ୍ତି ॥ ୩୫

ସାଧୁଙ୍କୁ ଦେଖି ଦୃଷ୍ଟିପଥେ । ପାପ ନ ରହେ ଅନ୍ତର୍ଗତେ ॥ ୩୬

ଅନଳ ରବି ନିଶାକର । ନକ୍ଷତ୍ର ମହୀ ସର୍ବ ନୀର ॥ ୩୭

ଶୂନ୍ୟ ପବନ ବାକ୍ୟ ମନ । ଏ ଆଦି ବିଷୟ ପ୍ରଧାନ ॥ ୩୮

ଏହାଙ୍କୁ ସେବନ୍ତି ଯେ ନିତ୍ୟେ । ଶାସ୍ତ୍ର ପୁରାଣ ବେଦମତେ ॥ ୩୯

ତାହାର ପାପ ନ ଛାଡଇ । ସେବା ଉଚିତେ ଫଳ ପାଇ ॥ ୪୦

ସାଧୁଙ୍କ ଜ୍ଞାନବାଣୀ ଶୁଣି । ମୁହୂର୍ତ୍ତେ ସେବନ୍ତି ଯେ ପ୍ରାଣୀ ॥ ୪୧

ସକଳ ପାପୁଁ ସେ ନିସ୍ତରେ । ନିର୍ମଳ ବାହ୍ୟ ଅଭ୍ୟନ୍ତରେ ॥ ୪୨

ତ୍ରିଧାତୁରୂପ ଏ ଶରୀର । ନିତ୍ୟେ ମରଣ ଅଧିକାର ॥ ୪୩

ଏ ଦେହ ଆତ୍ମା ବୁଦ୍ଧି ଯାର । କଳତ୍ର ଆଦି ବୋଲେ ମୋର ॥ ୪୪

ମାଟି ପାଷାଣ ଦାରୁଖଣ୍ତ । ଏଣେ ନିର୍ମିତ ଦେବପିଣ୍ତ ॥ ୪୫

ତହିଁ ଯାହାର ପୂଜାବିଧି । ଜଳେ ଯାହାର ତୀର୍ଥବୁଦ୍ଧି ॥ ୪୬

ସାଧବେ ନ କରେ ଆଦର । ତାହାକୁ ବୋଲିଟି ଗୋଖର ॥ ୪୭

ଶୁକ କହନ୍ତି ମୁନିଜନେ । ଏମନ୍ତେ କୃଷ୍ଣର ବଚନେ ॥ ୪୮

ଶୁଣି ସମ୍ଭ୍ରମେ ଋଷିଜନ । ଚିତ୍ତେ ମଣିଲେ ବୁଦ୍ଧିଚ୍ଛନ୍ନ ॥ ୪୯

ଦୁରଧିଗମ୍ୟ ବାକ୍ୟ ଶୁଣି । ଚଞ୍ଚଳ ଚିତ୍ତେ ହୋଇ ତୁନି ॥ ୫୦

ଈଶ୍ୱର ବାକ୍ୟ ଅବଧାନେ । ଚିତ୍ତେ ବିଚାରି ଦୃଢମନେ ॥ ୫୧

ଜନ ସଂଗ୍ରହ ଅର୍ଥେ ଧ୍ୟାୟି । ହସି ବୋଲନ୍ତି କୃଷ୍ଣ ଚାହିଁ ॥ ୫୨

ମୁନିଗଣ ଉବାଚ

ବ୍ରହ୍ମାଦି ଯେତେ ପ୍ରଜାପତି । ଏ ବିଶ୍ୱସଂସାର ସର୍ଜନ୍ତି ॥ ୫୩

ତାଙ୍କ ଈଶ୍ୱର ଅଟୁ ତୁହି । ବିଷ୍ଣୁର ମାୟାତନ୍ତ୍ରେ ମୋହି ॥ ୫୪

ଭ୍ରମୁଁ ସଂସାରଚକ୍ରେ ପଡି । ନିଜ ନିସ୍ତାର ପଥ ହୁଡି ॥ ୫୫

ବିଚିତ୍ର ବିଷ୍ଣୁର ଚେଷ୍ଟିତ । ଯେଣୁ ଭ୍ରମାନ୍ତି ଏ ଜଗତ ॥ ୫୬

ସ୍ୱଭାବେ ନିର୍ବିକଳ୍ପ ହରି । ଆତ୍ମରେ ଆତ୍ମମାୟା କରି ॥ ୫୭

ଏ ବିଶ୍ୱ ସର୍ଜଇ ପାଳଇ । ପ୍ରଳୟକାଳେ ସଂହାରଇ ॥ ୫୮

ଏ ପୁଣି କର୍ମେ ବଦ୍ଧ ନୋହେ । ମାୟାର ବଳେ ବିଶ୍ୱ ମୋହେ ॥ ୫୯

ମୃତ୍ତିକା ଯେସନେ ବିକାରେ । ବହୁତ ନାମ ରୂପ ଧରେ ॥ ୬୦

ତେସନ ଈଶ୍ୱର ରଚିତ । ମାୟାବିଡମ୍ବେ ବିପରୀତ ॥ ୬୧

ପୁଣି ଗୋବିନ୍ଦ ମୁଖ ଚାହିଁ । ବୋଲନ୍ତି ଶିରେ କର ଦେଇ ॥ ୬୨

ତୋର ମହିମା ଏହିମତ । ଯେଣୁ ତୋ ସର୍ଜନା ଜଗତ ॥ ୬୩

ତଥାପି ଖଳ ନିବାରଣ । ସୁଜନ ଧର୍ମ ସମ୍ପାଦନ ॥ ୬୪

ନିର୍ମଳ ଦେହେ ବିଶ୍ୱବ୍ୟାପୀ । ଲୀଳାଏ ବେଦପଥ ସ୍ଥାପି ॥ ୬୫

ଯେ ସନାତନ ବର୍ଣ୍ଣାଶ୍ରମ । ତୁ ରଖୁ ଏହାଙ୍କର ଧର୍ମ ॥ ୬୬

ଯେଣୁ ତୁ ପରମପୁରୁଷ । ଏ ଜନ ମଧ୍ୟେ ତୋର ଯଶ ॥ ୬୭

ଯେ ବ୍ରହ୍ମ ଅନାଦିକରଣ । ସେ ତୋର ହୃଦୟ ପ୍ରମାଣ ॥ ୬୮

ସ୍ୱାଧ୍ୟାୟ ତପ ପ୍ରାଣାୟମେ । ଯାହାକୁ ଲଭି ଅତିଶ୍ରମେ ॥ ୬୯

ସେ ତୋର ତହୁଁ ଆତଯାତ । ଯାର ପ୍ରମାଣ ବ୍ୟକ୍ତାବ୍ୟକ୍ତ ॥ ୭୦

ତୁ ସର୍ବଶାସ୍ତ୍ରଙ୍କ ଜନନୀ । ତେଣୁ ତୁ ଆତ୍ମମାୟା ଘେନି ॥ ୭୧

ବ୍ରହ୍ମକୁଳକୁ ରକ୍ଷା କରୁ । ତୁ ନାଥ ଆତ୍ମା ଜ୍ଞାନଗୁରୁ ॥ ୭୨

ବ୍ରହ୍ମଣ୍ୟବର ତୋର ନାମ । ତୁ ଜାଣୁ ତୋର ନିଜ ଧାମ ॥ ୭୩

ଆଜ ସଫଳ ଆମ୍ଭ ଜନ୍ମ । ତପ ସମାଧି ବିଦ୍ୟା କର୍ମ ॥ ୭୪

ଏ ଦୃଷ୍ଟି ଶ୍ରବଣର ଲାଭ । ତୋ ସଙ୍ଗେ ବାକ୍ୟ ପ୍ରିୟଭାବ ॥ ୭୫

ଜୀବନ ମୋକ୍ଷ ତୋ ନିକଟେ । ଲଭିଲୁଁ ପୁଣ୍ୟତୀର୍ଥେ ତଟେ ॥ ୭୬

ବଚନ ତୋତେ ନ ଜାଣଇ । ମନ ପାଇବ ଅବା କାହିଁ ॥ ୭୭

ଏମନ୍ତେ କୃଷ୍ଣ ରୂପେ ତୋର । ନମସ୍ତେ ପ୍ରଭୁ ଦାମୋଦର ॥ ୭୮

ସୁଯୋଗ ମାୟାଚ୍ଛନ୍ନ ତୁହି । ମାୟାମନୁଷ୍ୟ ରୂପ ବହି ॥ ୭୯

ତୁ ପରମାତ୍ମା ନାରାୟଣ । ନମସ୍ତେ ପରମକାରଣ ॥ ୮୦

ତୋର ସୁହୃଦ ରାଜା ଯେତେ । ସ୍ୱଜନ ବାନ୍ଧବ ସହିତେ ॥ ୮୧

ଭୋଜ ଯାଦବ ବୃଷ୍ଟି ବଂଶେ । ତୁ ଯେ ପ୍ରକାଶି ଅଛୁ ଅଂଶେ ॥ ୮୨

ତୋହର ଅଙ୍ଗ ସଙ୍ଗେ ଥାଇ । ଏ ତୋତେ ଜାଣିଲେଟି ନାହିଁ ॥ ୮୩

ତୁ ଆତ୍ମା ପରମୀଶ୍ୱର । ମାୟାପଟଳେ ଅଗୋଚର ॥ ୮୪

ଯେହ୍ନେ ପୁରୁଷ ନିଦ୍ରାଭୋଳେ । ଶୟନ ଶରୀର ନିଶ୍ଚଳେ ॥ ୮୫

ଅଜ୍ଞାନ ଭାବ ମାୟାତୁଲେ । ଆତ୍ମାକୁ ନ ଜାଣଇ ଭଲେ ॥ ୮୬

ତୋର ମାୟାରେ ଛନ୍ନ ହୋଇ । ତୋତେ ଜାଣିବେ ଅବା କାହିଁ ॥ ୮୭

ଭୋ ନାଥ ତୋହର ଚରଣ । ଆଜ ଦେଖିଲୁଁ ନାରାୟଣ ॥ ୮୮

ଯେ ପାଦ ସର୍ବପାପ ନାଶେ । ଯୋଗୀଙ୍କ ହୃଦୟେ ପ୍ରକାଶେ ॥ ୮୯

ଅଶେଷ ତୀର୍ଥଫଳ ସେହି । ଯେ ଭଜିପାରେ ଦେହ ବହି ॥ ୯୦

ଉତ୍ତମ ଭକ୍ତି ଯୋଗବଳେ । ଅନ୍ତର ବାହାର ନିଶ୍ଚଳେ ॥ ୯୧

ନିରୋପି ପଦ୍ମପାଦେ ମତି । ସେ ତୋତେ ପାଇବେ ଶ୍ରୀପତି ॥ ୯୨

ତୋର ଭଜନେ ଆମ୍ଭ ଦେହ । ଆମ୍ଭଙ୍କୁ କର ଅନୁଗ୍ରହ ॥ ୯୩

ଶୁକ ଉବାଚ

କୃଷ୍ଣଙ୍କୁ ମାଗିଣ ମେଲାଣି । ହରଷମନେ ସର୍ବମୁନି ॥ ୯୪

ଯୁଧିଷ୍ଠି ବଦନକୁ ଚାହିଁ । ଧୃତରାଷ୍ଟଙ୍କ ଆଗେ କହି ॥ ୯୫

ନିଜ ଆଶ୍ରମକୁ ଗମନ । କଳ୍ପିଲା ଋଷିଙ୍କର ମନ ॥ ୯୬

ରାମ ଗୋବିନ୍ଦଙ୍କ ସମ୍ମୁଖେ । ଥିଲା ଯେ ବସୁଦେବ ସୁଖେ ॥ ୯୭

ଅନୁଗମନ ପ୍ରଶ୍ନ ଆଶେ । ମିଳିଲା ମୁନିଙ୍କର ପାଶେ ॥ ୯୮

ପ୍ରଣାମ କରି ତାଙ୍କ ପାୟେ । ସାନନ୍ଦ ଚିତ୍ତେ ବାକ୍ୟ କହେ ॥ ୯୯

ନମସ୍ତେ ସର୍ବ ମୁନିବର । ଶୁଣିମା ବଚନ ମୋହର ॥ ୧୦୦

କି କର୍ମ କର୍ମଫଳ ନାଶେ । ନିର୍ମଳ ଜ୍ଞାନ ସୁପ୍ରକାଶେ ॥ ୧୦୧

ଜ୍ଞାନେ ଅଜ୍ଞାନେ କର୍ମ କରି । ବୃଦ୍ଧ ବୟସେ ତା ସୁମରି ॥ ୧୦୨

ତହିଁ କି ପ୍ରାୟଶ୍ଚିତ କଲେ । କର୍ମ ନାଶଇଟିକି ଭଲେ ॥ ୧୦୩

ଶୁଣି ବସୁଦେବ ବଚନ । ବୋଲନ୍ତି ବ୍ରହ୍ମାଙ୍କ ନନ୍ଦନ ॥ ୧୦୪

ହେ ମୁନିଗଣେ ଶୁଣ ଧୀରେ । ଏ ବସୁଦେବର ବିଚାରେ ॥ ୧୦୫

ଚିତ୍ର ନୁହଁଇ ଏ ପ୍ରଶନ । ଗୋବିନ୍ଦ ଯାହାର ନନ୍ଦନ ॥ ୧୦୬

କୃଷ୍ଣଙ୍କୁ ପୁତ୍ରପ୍ରାୟ ମଣି । ଏମନ୍ତ ପ୍ରଶ୍ନ କଲା ଆଣି ॥ ୧୦୭

ଆତ୍ମାର ଗତି ତ ଜାଣଇ । ଏହାଙ୍କୁ ବିଷ୍ଣୁମାୟା ମୋହି ॥ ୧୦୮

ନିକଟେ ଥିଲେ ଅନାଦର । ଏହିଟି ସଂସାର ବେଭାର ॥ ୧୦୯

ଗଙ୍ଗା ନିକଟେ ଯେତେ ଜନେ । ଅତି ପରଚେ ଅପମାନେ ॥ ୧୧୦

ଆତ୍ମାର ଗତି ଶୁଦ୍ଧି ଅର୍ଥେ । ଲୋଭେ ଭ୍ରମନ୍ତି ଅନ୍ୟ ତୀର୍ଥେ ॥ ୧୧୧

ଯାହାର ଆତ୍ମା ଅନୁଭବ । କାଳେ ନୁହଁଇ ପରାଭବ ॥ ୧୧୨

ଏହାର ସୁତ ଏ ଅନନ୍ତ । ତଥାପି ବିଷ୍ଣୁମାୟାଗ୍ରସ୍ତ ॥ ୧୧୩

ଶୁଣ ହେ କୃଷ୍ଣର ମହିମା । କେ କହିପାରେ ଗୁଣସୀମା ॥ ୧୧୪

କର୍ମ କଷଣ ପରିତାପ । ଗୁଣପ୍ରବାହ ତ୍ରୟତାପ ॥ ୧୧୫

ଏଣେ ନ ଲାଗେ ଯାର ଦେହ । ଏଣୁ ଈଶ୍ୱର ଅଦ୍ୱିତୀୟ ॥ ୧୧୬

ପ୍ରାଣ ଇନ୍ଦ୍ରିୟ ତିନିଗୁଣ । ଯେଣୁ ଏ ଶରୀର ଭିଆଣ ॥ ୧୧୭

ଏଣେ ଆଚ୍ଛନ୍ନ ପ୍ରାୟ ଦିଶେ । ଆଦିତ୍ୟ ଯେସନେ ଆକାଶେ ॥ ୧୧୮

ହିମ ପରାମ ମେଘେ ଛନ୍ନ । ଏଣୁ ମୋହିତ ପ୍ରାଣୀ ମନ ॥ ୧୧୯

ଏମନ୍ତେ ସର୍ବ ମୁନିଜନ । ଚାହିଁ ବସୁଦେବ ବଦନ ॥ ୧୨୦

ଶୁଣନ୍ତି ସର୍ବ ରାଜାମାନେ । ରାମ ଗୋବିନ୍ଦ ସନ୍ନିଧାନେ ॥ ୧୨୧

ବୋଲନ୍ତି ଶୁଣ ବସୁଦେବ । ଏ ସାଧୁଜନଙ୍କ ସ୍ୱଭାବ ॥ ୧୨୨

ଅଶେଷ ଯଜ୍ଞର କାରଣ । ଅନାଦି ପ୍ରଭୁ ନାରାୟଣ ॥ ୧୨୩

ତାହାଙ୍କୁ ଯଜ୍ଞମାର୍ଗେ ପୂଜି । ତେବେ ଯେ ଚଉବର୍ଗ ଅର୍ଜି ॥ ୧୨୪

ଚଞ୍ଚଳଚିତ୍ତ ଶାନ୍ତି ଅର୍ଥେ । ଶାସ୍ତ୍ରଲୋଚନେ ଧର୍ମପଥେ ॥ ୧୨୫

ସୁଗମ ମାର୍ଗେ କବିଜେନେ । ଦେଖାଇଛନ୍ତି ବିଦ୍ୟମାନେ ॥ ୧୨୬

ଏ ଯଜ୍ଞ ଆତ୍ମାସୁଖ ଦେଇ । ଗୃହସ୍ଥାଶ୍ରମ ଧର୍ମ ଏହି ॥ ୧୨୭

ଶ୍ରଦ୍ଧା ସହିତେ ଶୁଦ୍ଧଚିତ୍ତେ । ପୁଷ୍କଳ ଧନେ ବେଦମତେ ॥ ୧୨୮

ଯଜ୍ଞପୁରୁଷ ପୂଜା କରି । ହେଳେ ତରନ୍ତି ଭବବାରି ॥ ୧୨୯

ବିତ୍ତ ଅଛନ୍ତି ଯଜ୍ଞଦାନେ । ଗୃହକରଣେ ସୁତ ଧନେ ॥ ୧୩୦

ନିବର୍ତ୍ତାଏ ଯେ ଜ୍ଞାନବନ୍ତ । ସର୍ବସଂକଳ୍ପ କାଳଗ୍ରସ୍ତ ॥ ୧୩୧

ବିଚାରି ସକଳ ତେଜଇ । ଗ୍ରାମ୍ୟ ଭୋଗକୁ ନ ଇଚ୍ଛଇ ॥ ୧୩୨

ଏମନ୍ତ ଜାଣି ଦିବ୍ୟଜ୍ଞାନେ । କାଳେ ତେଜନ୍ତି ସୁଜ୍ଞଜନେ ॥ ୧୩୩

ବିପ୍ର କ୍ଷତ୍ରିୟ ବୈଶ୍ୟଜନ । ଏ ତିନି ମଧ୍ୟେ ଯେତେ ଜନ ॥ ୧୩୪

ଦେବତା ଋଷି ପିତୃଙ୍କର । ସ୍ୱଭାବେ ରଣୀ ଏ ଶରୀର ॥ ୧୩୫

ଏହା ନ ଶୁଝି ଧର୍ମ ଛାଡି । ମଲେ ନରକେ ଥାନ୍ତି ପଡି ॥ ୧୩୬

ନିର୍ମଳ ଧନେ ଯଜ୍ଞ କଲେ । ଦେବତା ଋଣ ଶୁଝି ଭଲେ ॥ ୧୩୭

ବିଦ୍ୟାପଠନେ ଋଷିଗଣ । ନିଶ୍ଚେ ଶୁଝନ୍ତି ଜ୍ଞାନିଜନ ॥ ୧୩୮

ପୁତ୍ର ପଉତ୍ର ଜାତ କଲେ । ପିତୃଙ୍କ ଋଣ ଶୁଝି ଭଲେ ॥ ୧୩୯

ତୁ ଏବେ ବେନି ଋଣ ଅଛି ତୋର । ତୁ ଏବେ ସୁଖେ ଯାଗ କର ॥ ୧୪୦

ଏ ତିନି ରଣୁ ତୁ ନିସ୍ତରି । ସୁଖେ ବିହର ଯଦୁପୁରୀ ॥ ୧୪୧

ଶୁଣ ସୁମନେ ଯଦୁବୀର । ନିର୍ମଳ ବଚନ ଆମ୍ଭର ॥ ୧୪୨

ପରମ ଭକ୍ତିଭାବ ଭରି । ପୂର୍ବେ ପୂଜିଲୁ ନରହରି ॥ ୧୪୩

ଅନାଦିପ୍ରଭୁ ଜଗନ୍ନାଥ । ତୋହର ପୁତ୍ର ରୂପେ ଜାତ ॥ ୧୪୪

ବୋଲନ୍ତି ଶୁକ ମହାମୁନି । ବ୍ରହ୍ମାନନ୍ଦନ ବାକ୍ୟ ଶୁଣି ॥ ୧୪୫

ସମ୍ଭ୍ରମ ଚିତ୍ତେ ଶୁରବାଳା । ଋଷିଙ୍କି ଋତ୍ୱିଜେ ବରିଲା ॥ ୧୪୬

ପ୍ରଣାମ କରି ତାଙ୍କ ପାଦେ । ଯଜ୍ଞ ଆରମ୍ଭିଲା ଆନନ୍ଦେ ॥ ୧୪୭

ବେଦବଚନେ ମୁନିଜନ । କରନ୍ତି ଯଜ୍ଞର ବିଧାନ ॥ ୧୪୮

ଆନନ୍ଦେ ବସି କୁରୁକ୍ଷେତ୍ରେ । ଶୁଦ୍ଧ ସୁବର୍ଣ୍ଣ ନାନା ପାତ୍ରେ ॥ ୧୪୯

ଉତ୍ତମକାଳେ ବେଦମତେ । ରାମ ଗୋବିନ୍ଦଙ୍କ ଅଗ୍ରତେ ॥ ୧୫୦

ଦୀକ୍ଷିତ ହୋଇ ବୃଷ୍ଟିବୀର । ଭୂଷିତ ନାନା ଅଳଙ୍କାର ॥ ୧୫୧

ଦେବକୀ ଆଦି ଯେତେ ନାରୀ । ବସୁଦେବର ତୁଲେ ବରି ॥ ୧୫୨

ରାଜାଙ୍କୁ ଅଳଙ୍କୃତ କଲେ । ପତ୍ନୀ ସହିତେ ଯଜ୍ଞକାଳେ ॥ ୧୫୩

ରାଜକାମିନୀ ନିଜେ ମଧ୍ୟ । ସୁବାସ ଲେପନ୍ତି ଆନନ୍ଦେ ॥ ୧୫୪

ମଙ୍ଗଳ ଦ୍ରବ୍ୟ କରେ ଲଇଁ । ମିଳିଲେ ଯଜ୍ଞଶାଳେ ଯାଇ ॥ ୧୫୫

ନାନା ଶବଦ ବାଦ୍ୟନାଦେ । ନର୍ତ୍ତକୀ ନାଚନ୍ତି ଆନନ୍ଦେ ॥ ୧୫୬

ସୂତ ମାଗଧ ସ୍ତୁତି ଭଣି । କିନ୍ନରୀ ଗୀତନାଦ ବାଣୀ ॥ ୧୫୭

କୋମଳ ସୁସଙ୍ଗୀତ ନାଦେ । ଗାଇଲେ ଗନ୍ଧର୍ବେ ଆନନ୍ଦେ ॥ ୧୫୮

ଋତ୍ୱିଜେ ଉତ୍ତମ ଆସନେ । ବସି ମଙ୍ଗଳ ବେଦସ୍ୱନେ ॥ ୧୫୯

ବସୁଦେବକୁ ମଧ୍ୟେ କରି । ସଙ୍ଗେ ବସାଇ ତାର ନାରୀ ॥ ୧୬୦

ବିବିଧ ଅଳଙ୍କାର ବେଶେ । ବସୁଦେବର ବାମପାଶେ ॥ ୧୬୧

ବସିଲେ ଅଷ୍ଟାଦଶ ନାରୀ । ସୁବର୍ଣ୍ଣ କୁମ୍ଭେ ତୀର୍ଥବାରି ॥ ୧୬୨

ପଲ୍ଲବେ ତୋଳି ଜଳକଣା । ମୁନିଏ କରନ୍ତି ମାର୍ଜନା ॥ ୧୬୩

ସ୍ୱଭାବେ ଅଗ୍ନିଷ୍ଟୋମ ସଭା । ମଧ୍ୟେ କି ପଟାନ୍ତର ଦେବା ॥ ୧୬୪

ନକ୍ଷତ୍ର ମଧ୍ୟେ ଯେହ୍ନେ ଶଶୀ । ତେମନ୍ତ ବସୁଦେବ ଦିଶି ॥ ୧୬୫

ବସୁଦେବର ନାରୀଗଣେ । ନାନା ଭୂଷଣ ଆଭରଣେ ॥ ୧୬୬

ଦିଶନ୍ତି ରୂପ ଅନୁପମ । ଆବୃତ କୃଷ୍ଣମୃଗଚର୍ମ ॥ ୧୬୭

ବସୁଦେବର ବିପ୍ରଜନେ । ପୀତବସନ ପରିଧାନେ ॥ ୧୬୮

ସଭାଜନଙ୍କ ମଧ୍ୟେ ଥାଇ । କିବା ଉପମା ଦେବି ମୁହିଁ ॥ ୧୬୯

ସ୍ୱର୍ଗେ ବାସବଯଜ୍ଞକାଳେ । ମୁନିଏ ବୃନ୍ଦାରକ ମେଳେ ॥ ୧୭୦

ଯେମନ୍ତେ ଥିଲେ ପନ୍ତି ପନ୍ତି । ଋତ୍ୱିଜେ ତେମନ୍ତ ଦିଶନ୍ତି ॥ ୧୭୧

ରାମ ଗୋବିନ୍ଦ ସେହିମତେ । ସଭାଜନଙ୍କ ମଧ୍ୟଗତେ ॥ ୧୭୨

ବନ୍ଧୁବାନ୍ଧବ ଜ୍ଞାତି ମେଳେ । ନିଜ କାମିନୀ ସୁତ ତୁଲେ ॥ ୧୭୩

ନିଜ ବିଭୂତି ସଙ୍ଗେ ଘେନି । ବିଜୟେ ଆନନ୍ଦ ମେଦିନୀ ॥ ୧୭୪

ରାମ ଗୋବିନ୍ଦ ସଭାମେଳେ । ବସୁଦେବ ସେ ଯଜ୍ଞକାଳେ ॥ ୧୭୫

ବିଶେଷେ କୃଷ୍ଣର ପିଅର । ଉତ୍ତମ ଜ୍ଞାନ କ୍ରିୟାସାର ॥ ୧୭୬

ପୂଜିଲା ଅଗ୍ନିହୋତ୍ର ମନ୍ତ୍ରେ । ଯେମନ୍ତେ ପ୍ରାକୃତ-ବୈକୃତେ ॥ ୧୭୭

ଏମନ୍ତେ ଯଜ୍ଞ ସମାପତେ । ଦକ୍ଷିଣା ଦେଲେ ବେଦମତେ ॥ ୧୭୮

ବିପ୍ରଙ୍କୁ ଦେଇ ଅଳଙ୍କାର । ଆନନ୍ଦମନେ ଯଦୁବୀର ॥ ୧୭୯

ଗୋ ଭୂମି କନ୍ୟା ମହାଧନ । ବିପ୍ରଙ୍କୁ ଦେଲେ ତୋଷମନ ॥ ୧୮୦

ଯଜ୍ଞସମ୍ପଦ କାମପୂର୍ଣ । କରନ୍ତି ଅବଭୃଥ ସ୍ନାନ ॥ ୧୮୧

ନାନା ସୁବାଦ୍ୟେ ବେଦନାଦେ । ସ୍ନାନ ସାରିଲେ ରାମହ୍ରଦେ ॥ ୧୮୨

ବସୁଦେବର ନାରୀମାନେ । ବିବିଧ ଅଳଙ୍କାର ଧନେ ॥ ୧୮୩

ଗୋ ଭୂମି ଅନ୍ନ ବସ୍ତ୍ର ତୁଲେ । ଆଚାର୍ଯ୍ୟ ଆଦି ବିପ୍ରେ ଦେଲେ ॥ ୧୮୪

ଏମନ୍ତେ ବର୍ଣ୍ଣାଶ୍ରମୀ ଯେତେ । ଅନ୍ନ ବସନ ନାନାମତେ ॥ ୧୮୫

ପୂଜି ସନ୍ତୋଷ କଲେ ମନ । ଅପରେ ଯେତେ ବନ୍ଧୁଜନ ॥ ୧୮୬

ଦାରା ତନୟ ପରିମାଣି । ସନ୍ତୋଷେ ଦେଲେ ମନ ଜାଣି ॥ ୧୮୭

ବିଦର୍ଭ କୋଶଳ ସହିତେ । କୁରୁ ସୃଞ୍ଜୟ ଆଦି ଯେତେ ॥ ୧୮୮

ସଭାରେ ଯେତେ ଋଷି ଥିଲେ । ସୁର ମାନବ ଭୃତ୍ୟ ମେଳେ ॥ ୧୮୯

ପିତୃ ଚାରଣ ଆଦି ଜନ । କୃଷ୍ଣଙ୍କୁ ମାଗି ଅନୁଯାନ ॥ ୧୯୦

ନିଜ ଭୁବନେ ସର୍ବେ ଗଲେ । ଏମନ୍ତେ ଯେତେ ବନ୍ଧୁ ଥିଲେ ॥ ୧୯୧

ଆନନ୍ଦେ ଯେତେ ରାଜବଂଶୀ । ଚଳନ୍ତି ଯଜ୍ଞକୁ ପ୍ରଶଂସି ॥ ୧୯୨

ବିଦୁର ଧୃତରାଷ୍ଟ୍ର ବେନି । ପାଣ୍ତବ ଭୀଷ୍ଣ ଦ୍ରୋଣ ଘେନି ॥ ୧୯୩

ନକୁଳ ସହଦେବ ବେନି । କୁନ୍ତୀ ଯେ ପାଣ୍ତବଜୟନ୍ତୀ ॥ ୧୯୪

ବ୍ୟାସ ନାରଦ ମହାମୁନି । ଆନନ୍ଦେ ପ୍ରିୟଭାବ ଘେନି ॥ ୧୯୫

ସୁହୃଦ ସମୂହେ ବାନ୍ଧବ । ପ୍ରିୟ ବଚନେ ବସୁଦେବ ॥ ୧୯୬

ବନ୍ଧୁଙ୍କୁ ଆଲିଙ୍ଗନ କରେ । ଅତ୍ୟନ୍ତ ପ୍ରୀତିଭାବଭରେ ॥ ୧୯୭

ବିଚ୍ଛେଦ ବିରହ କାତରେ । ଗଲେ ସେ ଯେ ଯାହାର ପୁରେ ॥ ୧୯୮

ନନ୍ଦଙ୍କୁ ଗୋପାଳଙ୍କ ତୁଲେ । ପୂଜିଲା ବସୁଦେବ ଭଲେ ॥ ୧୯୯

ରାମ ଗୋବିନ୍ଦ ଉଗ୍ରସେନ । ନନ୍ଦଙ୍କୁ କଲେ ସନମାନ ॥ ୨୦୦

ସୁଭାଗ୍ୟବନ୍ତ ବସୁଦେବ । ତରିଲା ମାୟାବନ୍ଧ ଭାବ ॥ ୨୦୧

ବନ୍ଧୁ ସୁହୃଦ ଭାବ ଭରି । ଆନନ୍ଦେ ନନ୍ଦ କର ଧରି ॥ ୨୦୨

ବୋଲଇ ବସୁଦେବ ସ୍ନେହେ । ଭୁଜେ ଆବୋରି ଦେହେ ଦେହେ ॥ ୨୦୩

ଭୋ ମିତ୍ର ଦେଖ ଏ ଜଗତ । ଈଶ୍ୱରତନ୍ତ୍ରେ ମୋହଗତ ॥ ୨୦୪

ଅତି ସୁହୃଦେ ସ୍ନେହ ପାଶି । ସୁରଯୋଗୀଙ୍କ ଚିତ୍ତ ଗ୍ରାସି ॥ ୨୦୫

ତୁମ୍ଭେ ଯେ ମିତ୍ରସ୍ନେହ ରଙ୍ଗେ । ଭାବେ ମିଳିଲ ମୋର ସଙ୍ଗେ ॥ ୨୦୬

ମିତ୍ର ସୁପ୍ରୀତି ଫଳ ଯେତେ । ମୁଁ ତେଣେ ନୋହିଲି ସମର୍ଥେ ॥ ୨୦୭

ପର ଆୟତ୍ତ ପୂର୍ବକାଳ । ଏଣୁ ମୋ ହୋଇଲା ନିଷ୍ଫଳ ॥ ୨୦୮

ତୁମ୍ଭ ବିଷୟେ ମିତ୍ରପଣ । ନ କରି ଲଭିଲି କଷଣ ॥ ୨୦୯

ଏବେ ଶ୍ରୀମଦେ ଅନ୍ଧ ହୋଇ । ମିତ୍ରଭାବକୁ ନ ଦେଖଇ ॥ ୨୧୦

ଆତ୍ମାର ହିତ ଇଚ୍ଛା ଯାର । ରାଜସମ୍ପଦ ନୋହୁ ତାର ॥ ୨୧୧

ରାଜସମ୍ପଦେ ଅନ୍ଧ ହୋଇ । ବନ୍ଧୁ ସ୍ୱଜନ ନ ଦେଖଇ ॥ ୨୧୨

ଏମନ୍ତେ ମିତ୍ରଭାବ ଚିତ୍ତେ । ରୋଦନ କଲା ମୋହଗ୍ରସ୍ତେ ॥ ୨୧୩

ସୁମରି ନନ୍ଦ ମିତ୍ରପଣ । ଲୋତକ ପୂରେ ଘନ ଘନ ॥ ୨୧୪

ମିତ୍ରର ପ୍ରିୟଭାବେ ନନ୍ଦ । ସଙ୍ଗତେ ଘେନି ଗୋପବୃନ୍ଦ ॥ ୨୧୫

ରାମ ଗୋବିନ୍ଦ ସଙ୍ଗ ପାଇ । ଅନେକ ସ୍ନେହଭାବି ବହି ॥ ୨୧୬

ହୋଇଣ ହରଷ ବିଷାଦ । ମନରେ ବିଚାରଇ ନନ୍ଦ ॥ ୨୧୭

ଆଜ ରହିବି ଅନୁକୂଳେ । କାଲି ମୁଁ ଯିବି ପ୍ରାତଃକାଳେ ॥ ୨୧୮

ଯଦୁଙ୍କ ଅତି ମାନ୍ୟବଶେ । ନନ୍ଦ ରହିଲା ସେ ବିଶ୍ୱାସେ ॥ ୨୧୯

ରାମ ଗୋବିନ୍ଦ ଧରି କୋଳେ । ଦିନ ହରିଲେ ରସଭୋଳେ ॥ ୨୨୦

ଗୋପୀ ଗୋପାଳ ଆଦି କରି । କୃଷ୍ଣମୋହନେ ଦିନ ହରି ॥ ୨୨୧

ନାନା ବିନୋଦ କ୍ରୀଡାରାସ । ଏମନ୍ତେ ଗଲା ତିନିମାସ ॥ ୨୨୨

ବ୍ରଜ ସହିତେ ବନ୍ଧୁଜନେ । ପୂଜିଲେ ବସନ ଭୂଷଣେ ॥ ୨୨୩

ନନ୍ଦକୁ ବସୁଦେବ ଯେତେ । ବିଚାରି ଉଗ୍ରସେନ ମତେ ॥ ୨୨୪

ଉଦ୍ଧବ ଆଦି ବନ୍ଧୁ ଯେତେ । ରାମ ଗୋବିନ୍ଦ ଅନୁମତେ ॥ ୨୨୫

ଆଦରେ ଦେଲେ ଯେତେ ଧନ । ନନ୍ଦ ଘେନାଇ ତୋଷମନ ॥ ୨୨୬

କେତେହେଁ ଦୂର ନନ୍ଦ ତୁଲେ । ରାମ ଗୋବିନ୍ଦ ସୁଖଭୋଳେ ॥ ୨୨୭

ଯଶୋଦା ଆଦି ବ୍ରଜନାରୀ । ସବୁରି ମନ ଗୃହେ ଦେଲେ ॥ ୨୨୮

ଗୋବିନ୍ଦ ମାୟାଯୋଗବଳେ । ସବୁରି ମନ ଗୃହେ ଦେଲେ ॥ ୨୨୯

ସମସ୍ତେ ହୋଇଣ ହରଷ । ଚଳିଲେ ନିଜ ଗୃହବାସ ॥ ୨୩୦

ଯାଦବେ ସ୍ନେହଭରେ ଗଲେ । ପୁଣି ବାହୁଡାବିଜେ କଲେ ॥ ୨୩୧

ଗୋପୀ ଗୋପାଳ ମନ । କୃଷ୍ଣ ଚରଣେ କରି ଲୀନ ॥ ୨୩୨

ସମ୍ଭାଳି ନ ପାରନ୍ତି ଭଲେ । ଗୋବିନ୍ଦ ଚରଣେ ନିଶ୍ଚଳେ ॥ ୨୩୩

ଏମନ୍ତେ ଗଲେ ଗୋପପୁର । ଶୁଣ ପରୀକ୍ଷା ନୃପବର ॥ ୨୩୪

ବାନ୍ଧବେ ଯାନ୍ତେ ନିଜ ପୁରେ । ଯାଦବେ ଗୋବିନ୍ଦ ବିଚାରେ ॥ ୨୩୫

ବରଷା ଆଗମନ ଜାଣି । ରୋହିଣୀସୁତ ଚକ୍ରପାଣି ॥ ୨୩୬

ବନ୍ଧୁ ବାନ୍ଧବ ଘେନି ତୁଲେ । ଦ୍ୱାରକାପୁରେ ବିଜେ କଲେ ॥ ୨୩୭

ଯାଦବେ ନିଜ ପୁରେ ଯାଇ । କୁଳବୃଦ୍ଧଙ୍କ ପାଶେ ଥାଇ ॥ ୨୩୮

ବସୁଦେବର ଯଜ୍ଞକର୍ମ । ବନ୍ଧୁବାନ୍ଧବ ଆଗମନ ॥ ୨୩୯

କହନ୍ତି ହର୍ଷିତ ବଦନ । ଶୁଣି ସାନନ୍ଦ ସର୍ବଜନ ॥ ୨୪୦

ବୋଲଇ ଦାସ ଜଗନ୍ନାଥ । ରବିଗ୍ରହଣେ ଗୋପୀନାଥ ॥ ୨୪୧

ସୁପୁଣ୍ୟତୀର୍ଥେ ଯାହା କଲେ । ସୁଜନେ ସୁମର ତା ଭଲେ ॥ ୨୪୨

ତୁଟିବ ଭବବନ୍ଧ ଭ୍ରମ । ନ ଲାଗେ ତାପତ୍ରୟଶ୍ରମ ॥ ୨୪୩

ଏ ଭାବେ ରସ ନିରନ୍ତରେ । ନ ବୁଡ ସଂସାର-ସାଗର ॥ ୨୪୪

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ତୀର୍ଥଯାତ୍ରାନୁବର୍ଣ୍ଣନଂ

ନାମ ନବତିତମ ଅଧ୍ୟାୟଃ

* * *