ଦଶମ ସ୍କନ୍ଧ
ନବତିତମ ଅଧ୍ୟାୟ
ଶୁକ ବୋଲନ୍ତି ଶୁଦ୍ଧମନେ । ହରଷେ ରାଜା ସନ୍ନିଧ୍ୟାନେ ॥ ୧
ଶୁକ ଉବାଚ
ଶୁଣ ସୁମନେ ଶୁଦ୍ଧଚେତା । କୃଷ୍ଣ ମଙ୍ଗଳ ଗୁଣଗାଥା ॥ ୨
କୃଷ୍ଣର ଅଷ୍ଟପାଟରାଣୀ । ତାହାଙ୍କ ମୁଖୁଁ ବାକ୍ୟ ଶୁଣି ॥ ୩
କୁନ୍ତୀ ଗାନ୍ଧାରୀ ଯାଜ୍ଞସେନୀ । ମାଧବୀ ସୁଭଦ୍ରା କାମିନୀ ॥ ୪
ଅପରେ ରାଜପତ୍ନୀ ଯେତେ । ବ୍ରଜକାମିନୀଗଣ ସାଥେ ॥ ୫
କୃଷ୍ଣମହିମା ଶୁଣି କର୍ଣ୍ଣେ । ଅପରେ ଯେତେ ବଧୂଜନେ ॥ ୬
ପରମାନନ୍ଦ ବିଷ୍ଣୁଭାବେ । ପ୍ରେମ ଅନୁବନ୍ଧ ସ୍ୱଭାବେ ॥ ୭
ଆନନ୍ଦେ ତନୁ ପୁଲକିତ । ଲୋଚନ କୋଣେ ଅଶ୍ରୁଜାତ ॥ ୮
ଏକ ଆରେକ ମୁଖ ଚାହିଁ । କୃଷ୍ଣ ମହିମା ଗୁଣ ଗାଇ ॥ ୯
ସୁଖସାଗରେ ନିମଜ୍ଜିଲେ । ଏମନ୍ତେ ବିପ୍ରେ ବିଜେ କଲେ ॥ ୧୦
ଦେଖିବା ଅର୍ଥେ ରାମ ହରି । ଅନେକ ଦୂରୁଁ ଆଶା କରି ॥ ୧୧
ବ୍ୟାସ ସହିତେ ବ୍ରହ୍ମାସୂତ । ଚ୍ୟବନ ଦେବଳ ଅସିତ ॥ ୧୨
ବିଶ୍ୱାମିତ୍ର ଯେ ମହାମୁନି । ସଙ୍ଗତେ ଶତାନନ୍ଦ ଘେନି ॥ ୧୩
ଭରଦ୍ୱାଜ ଯେ ଗଉତମ । ମିଳିଲେ ଶ୍ରୀପରଶୁରାମ ॥ ୧୪
ବଶିଷ୍ଠ ଶିଷ୍ୟଙ୍କ ସହିତେ । ଗାଲବ ଆଦି ଭୃଗୁ ଯେତେ ॥ ୧୫
ପୁଲସ୍ତ୍ୟ କଶ୍ୟପ ଯେ ଅତ୍ରି । ମୃକଣ୍ତୁସୁତ ବୃହସ୍ପତି ॥ ୧୬
ବ୍ରହ୍ମାର ସୁତ ଦ୍ୱିତ ତ୍ରିତ । ଏକତ୍ର ଅଙ୍ଗିରା ସହିତ ॥ ୧୭
ଅଗସ୍ତ୍ୟ ଯାଜ୍ଞବଲ୍କ୍ୟ ମୁନି । ଅପରେ ବାମଦେବ ଘେନି ॥ ୧୮
ଋଷିଙ୍କି ଦେଖି କିଛି ଦୂରେ । ବେଗେ ଉଠିଲେ ନୃପବରେ ॥ ୧୯
ପାଣ୍ତବେ ରାମକୃଷ୍ଣ ତୁଲେ । ବିପ୍ରଙ୍କ ପାଦେ ପ୍ରଣମିଲେ ॥ ୨୦
ବିଶ୍ୱବନ୍ଦିତ ମୁନିଗଣ । କୃଷ୍ଣ ନମନ୍ତି ପୁଣ ପୁଣ ॥ ୨୧
ରାମ ସହିତେ ଦାମୋଦର । ପୂଜିଲେ ବିପ୍ରଙ୍କ ପୟର ॥ ୨୨
ଆସନ ପାଦ୍ୟ ଅର୍ଘ୍ୟ ମାଲ୍ୟେ । ଆନନ୍ଦେ ଗନ୍ଧ ଧୂପ ଦେଲେ ॥ ୨୩
ସୁଖେ ବସାଇ ମୁନିଗଣ । ଧର୍ମପାଳନ ନାରାୟଣ ॥ ୨୪
ଯେମନ୍ତେ ସଭାଲୋକେ ଶୁଣି । ଉଚ୍ଚବଚନେ ଚକ୍ରପାଣି ॥ ୨୫
ବୋଲନ୍ତି ପ୍ରଭୁ ଭଗବାନ । ଆଜ ଜୀବନ ମୋର ଧନ୍ୟ ॥ ୨୬
ଯେ ଫଳ ଅତି ତପ ଦାହି । ଆଜ ଲଭିଲି ତାହା ମୁହିଁ ॥ ୨୭
ଯୋଗେଶ୍ୱରଙ୍କ ଦରଶନ । ଦେବଙ୍କୁ ଦୁର୍ଲଭ ଏ ଜାଣ ॥ ୨୮
ଏ ଜନ ମଧ୍ୟେ ଯାର ଜହ୍ନ । ଅଳ୍ପ ତପସ୍ୟା ପୁଣ୍ୟହୀନ ॥ ୨୯
ଏହାଙ୍କ ଦରଶନ ପାଇ । ନିର୍ମଳ ନ କରଇ ଦେହୀ ॥ ୩୦
ଏହାଙ୍କ ମୁଖ ଦରଶନ । ପ୍ରଣାମ ପୁଚ୍ଛା ସ୍ପରଶନ ॥ ୩୧
ଆବର ପାଦପୂଜା କରି । ପ୍ରାଣୀ ତରନ୍ତି ଭବବାରି ॥ ୩୨
ତୀର୍ଥ ପୂରିତ ପୁଣ୍ୟଜଳେ । ଯେତେ ଦେବତା ଭୂମିତଳେ ॥ ୩୩
ପାଷାଣ ମୃତ୍ତିକା ଭିଆଣେ । ଆଗମ ନିଗମ ପ୍ରମାଣେ ॥ ୩୪
ଅନେକ କାଳେ ଏ ତାରନ୍ତି । ସେବା ଉଚିତେ ଫଳ ଦ୍ୟନ୍ତି ॥ ୩୫
ସାଧୁଙ୍କୁ ଦେଖି ଦୃଷ୍ଟିପଥେ । ପାପ ନ ରହେ ଅନ୍ତର୍ଗତେ ॥ ୩୬
ଅନଳ ରବି ନିଶାକର । ନକ୍ଷତ୍ର ମହୀ ସର୍ବ ନୀର ॥ ୩୭
ଶୂନ୍ୟ ପବନ ବାକ୍ୟ ମନ । ଏ ଆଦି ବିଷୟ ପ୍ରଧାନ ॥ ୩୮
ଏହାଙ୍କୁ ସେବନ୍ତି ଯେ ନିତ୍ୟେ । ଶାସ୍ତ୍ର ପୁରାଣ ବେଦମତେ ॥ ୩୯
ତାହାର ପାପ ନ ଛାଡଇ । ସେବା ଉଚିତେ ଫଳ ପାଇ ॥ ୪୦
ସାଧୁଙ୍କ ଜ୍ଞାନବାଣୀ ଶୁଣି । ମୁହୂର୍ତ୍ତେ ସେବନ୍ତି ଯେ ପ୍ରାଣୀ ॥ ୪୧
ସକଳ ପାପୁଁ ସେ ନିସ୍ତରେ । ନିର୍ମଳ ବାହ୍ୟ ଅଭ୍ୟନ୍ତରେ ॥ ୪୨
ତ୍ରିଧାତୁରୂପ ଏ ଶରୀର । ନିତ୍ୟେ ମରଣ ଅଧିକାର ॥ ୪୩
ଏ ଦେହ ଆତ୍ମା ବୁଦ୍ଧି ଯାର । କଳତ୍ର ଆଦି ବୋଲେ ମୋର ॥ ୪୪
ମାଟି ପାଷାଣ ଦାରୁଖଣ୍ତ । ଏଣେ ନିର୍ମିତ ଦେବପିଣ୍ତ ॥ ୪୫
ତହିଁ ଯାହାର ପୂଜାବିଧି । ଜଳେ ଯାହାର ତୀର୍ଥବୁଦ୍ଧି ॥ ୪୬
ସାଧବେ ନ କରେ ଆଦର । ତାହାକୁ ବୋଲିଟି ଗୋଖର ॥ ୪୭
ଶୁକ କହନ୍ତି ମୁନିଜନେ । ଏମନ୍ତେ କୃଷ୍ଣର ବଚନେ ॥ ୪୮
ଶୁଣି ସମ୍ଭ୍ରମେ ଋଷିଜନ । ଚିତ୍ତେ ମଣିଲେ ବୁଦ୍ଧିଚ୍ଛନ୍ନ ॥ ୪୯
ଦୁରଧିଗମ୍ୟ ବାକ୍ୟ ଶୁଣି । ଚଞ୍ଚଳ ଚିତ୍ତେ ହୋଇ ତୁନି ॥ ୫୦
ଈଶ୍ୱର ବାକ୍ୟ ଅବଧାନେ । ଚିତ୍ତେ ବିଚାରି ଦୃଢମନେ ॥ ୫୧
ଜନ ସଂଗ୍ରହ ଅର୍ଥେ ଧ୍ୟାୟି । ହସି ବୋଲନ୍ତି କୃଷ୍ଣ ଚାହିଁ ॥ ୫୨
ମୁନିଗଣ ଉବାଚ
ବ୍ରହ୍ମାଦି ଯେତେ ପ୍ରଜାପତି । ଏ ବିଶ୍ୱସଂସାର ସର୍ଜନ୍ତି ॥ ୫୩
ତାଙ୍କ ଈଶ୍ୱର ଅଟୁ ତୁହି । ବିଷ୍ଣୁର ମାୟାତନ୍ତ୍ରେ ମୋହି ॥ ୫୪
ଭ୍ରମୁଁ ସଂସାରଚକ୍ରେ ପଡି । ନିଜ ନିସ୍ତାର ପଥ ହୁଡି ॥ ୫୫
ବିଚିତ୍ର ବିଷ୍ଣୁର ଚେଷ୍ଟିତ । ଯେଣୁ ଭ୍ରମାନ୍ତି ଏ ଜଗତ ॥ ୫୬
ସ୍ୱଭାବେ ନିର୍ବିକଳ୍ପ ହରି । ଆତ୍ମରେ ଆତ୍ମମାୟା କରି ॥ ୫୭
ଏ ବିଶ୍ୱ ସର୍ଜଇ ପାଳଇ । ପ୍ରଳୟକାଳେ ସଂହାରଇ ॥ ୫୮
ଏ ପୁଣି କର୍ମେ ବଦ୍ଧ ନୋହେ । ମାୟାର ବଳେ ବିଶ୍ୱ ମୋହେ ॥ ୫୯
ମୃତ୍ତିକା ଯେସନେ ବିକାରେ । ବହୁତ ନାମ ରୂପ ଧରେ ॥ ୬୦
ତେସନ ଈଶ୍ୱର ରଚିତ । ମାୟାବିଡମ୍ବେ ବିପରୀତ ॥ ୬୧
ପୁଣି ଗୋବିନ୍ଦ ମୁଖ ଚାହିଁ । ବୋଲନ୍ତି ଶିରେ କର ଦେଇ ॥ ୬୨
ତୋର ମହିମା ଏହିମତ । ଯେଣୁ ତୋ ସର୍ଜନା ଜଗତ ॥ ୬୩
ତଥାପି ଖଳ ନିବାରଣ । ସୁଜନ ଧର୍ମ ସମ୍ପାଦନ ॥ ୬୪
ନିର୍ମଳ ଦେହେ ବିଶ୍ୱବ୍ୟାପୀ । ଲୀଳାଏ ବେଦପଥ ସ୍ଥାପି ॥ ୬୫
ଯେ ସନାତନ ବର୍ଣ୍ଣାଶ୍ରମ । ତୁ ରଖୁ ଏହାଙ୍କର ଧର୍ମ ॥ ୬୬
ଯେଣୁ ତୁ ପରମପୁରୁଷ । ଏ ଜନ ମଧ୍ୟେ ତୋର ଯଶ ॥ ୬୭
ଯେ ବ୍ରହ୍ମ ଅନାଦିକରଣ । ସେ ତୋର ହୃଦୟ ପ୍ରମାଣ ॥ ୬୮
ସ୍ୱାଧ୍ୟାୟ ତପ ପ୍ରାଣାୟମେ । ଯାହାକୁ ଲଭି ଅତିଶ୍ରମେ ॥ ୬୯
ସେ ତୋର ତହୁଁ ଆତଯାତ । ଯାର ପ୍ରମାଣ ବ୍ୟକ୍ତାବ୍ୟକ୍ତ ॥ ୭୦
ତୁ ସର୍ବଶାସ୍ତ୍ରଙ୍କ ଜନନୀ । ତେଣୁ ତୁ ଆତ୍ମମାୟା ଘେନି ॥ ୭୧
ବ୍ରହ୍ମକୁଳକୁ ରକ୍ଷା କରୁ । ତୁ ନାଥ ଆତ୍ମା ଜ୍ଞାନଗୁରୁ ॥ ୭୨
ବ୍ରହ୍ମଣ୍ୟବର ତୋର ନାମ । ତୁ ଜାଣୁ ତୋର ନିଜ ଧାମ ॥ ୭୩
ଆଜ ସଫଳ ଆମ୍ଭ ଜନ୍ମ । ତପ ସମାଧି ବିଦ୍ୟା କର୍ମ ॥ ୭୪
ଏ ଦୃଷ୍ଟି ଶ୍ରବଣର ଲାଭ । ତୋ ସଙ୍ଗେ ବାକ୍ୟ ପ୍ରିୟଭାବ ॥ ୭୫
ଜୀବନ ମୋକ୍ଷ ତୋ ନିକଟେ । ଲଭିଲୁଁ ପୁଣ୍ୟତୀର୍ଥେ ତଟେ ॥ ୭୬
ବଚନ ତୋତେ ନ ଜାଣଇ । ମନ ପାଇବ ଅବା କାହିଁ ॥ ୭୭
ଏମନ୍ତେ କୃଷ୍ଣ ରୂପେ ତୋର । ନମସ୍ତେ ପ୍ରଭୁ ଦାମୋଦର ॥ ୭୮
ସୁଯୋଗ ମାୟାଚ୍ଛନ୍ନ ତୁହି । ମାୟାମନୁଷ୍ୟ ରୂପ ବହି ॥ ୭୯
ତୁ ପରମାତ୍ମା ନାରାୟଣ । ନମସ୍ତେ ପରମକାରଣ ॥ ୮୦
ତୋର ସୁହୃଦ ରାଜା ଯେତେ । ସ୍ୱଜନ ବାନ୍ଧବ ସହିତେ ॥ ୮୧
ଭୋଜ ଯାଦବ ବୃଷ୍ଟି ବଂଶେ । ତୁ ଯେ ପ୍ରକାଶି ଅଛୁ ଅଂଶେ ॥ ୮୨
ତୋହର ଅଙ୍ଗ ସଙ୍ଗେ ଥାଇ । ଏ ତୋତେ ଜାଣିଲେଟି ନାହିଁ ॥ ୮୩
ତୁ ଆତ୍ମା ପରମୀଶ୍ୱର । ମାୟାପଟଳେ ଅଗୋଚର ॥ ୮୪
ଯେହ୍ନେ ପୁରୁଷ ନିଦ୍ରାଭୋଳେ । ଶୟନ ଶରୀର ନିଶ୍ଚଳେ ॥ ୮୫
ଅଜ୍ଞାନ ଭାବ ମାୟାତୁଲେ । ଆତ୍ମାକୁ ନ ଜାଣଇ ଭଲେ ॥ ୮୬
ତୋର ମାୟାରେ ଛନ୍ନ ହୋଇ । ତୋତେ ଜାଣିବେ ଅବା କାହିଁ ॥ ୮୭
ଭୋ ନାଥ ତୋହର ଚରଣ । ଆଜ ଦେଖିଲୁଁ ନାରାୟଣ ॥ ୮୮
ଯେ ପାଦ ସର୍ବପାପ ନାଶେ । ଯୋଗୀଙ୍କ ହୃଦୟେ ପ୍ରକାଶେ ॥ ୮୯
ଅଶେଷ ତୀର୍ଥଫଳ ସେହି । ଯେ ଭଜିପାରେ ଦେହ ବହି ॥ ୯୦
ଉତ୍ତମ ଭକ୍ତି ଯୋଗବଳେ । ଅନ୍ତର ବାହାର ନିଶ୍ଚଳେ ॥ ୯୧
ନିରୋପି ପଦ୍ମପାଦେ ମତି । ସେ ତୋତେ ପାଇବେ ଶ୍ରୀପତି ॥ ୯୨
ତୋର ଭଜନେ ଆମ୍ଭ ଦେହ । ଆମ୍ଭଙ୍କୁ କର ଅନୁଗ୍ରହ ॥ ୯୩
ଶୁକ ଉବାଚ
କୃଷ୍ଣଙ୍କୁ ମାଗିଣ ମେଲାଣି । ହରଷମନେ ସର୍ବମୁନି ॥ ୯୪
ଯୁଧିଷ୍ଠି ବଦନକୁ ଚାହିଁ । ଧୃତରାଷ୍ଟଙ୍କ ଆଗେ କହି ॥ ୯୫
ନିଜ ଆଶ୍ରମକୁ ଗମନ । କଳ୍ପିଲା ଋଷିଙ୍କର ମନ ॥ ୯୬
ରାମ ଗୋବିନ୍ଦଙ୍କ ସମ୍ମୁଖେ । ଥିଲା ଯେ ବସୁଦେବ ସୁଖେ ॥ ୯୭
ଅନୁଗମନ ପ୍ରଶ୍ନ ଆଶେ । ମିଳିଲା ମୁନିଙ୍କର ପାଶେ ॥ ୯୮
ପ୍ରଣାମ କରି ତାଙ୍କ ପାୟେ । ସାନନ୍ଦ ଚିତ୍ତେ ବାକ୍ୟ କହେ ॥ ୯୯
ନମସ୍ତେ ସର୍ବ ମୁନିବର । ଶୁଣିମା ବଚନ ମୋହର ॥ ୧୦୦
କି କର୍ମ କର୍ମଫଳ ନାଶେ । ନିର୍ମଳ ଜ୍ଞାନ ସୁପ୍ରକାଶେ ॥ ୧୦୧
ଜ୍ଞାନେ ଅଜ୍ଞାନେ କର୍ମ କରି । ବୃଦ୍ଧ ବୟସେ ତା ସୁମରି ॥ ୧୦୨
ତହିଁ କି ପ୍ରାୟଶ୍ଚିତ କଲେ । କର୍ମ ନାଶଇଟିକି ଭଲେ ॥ ୧୦୩
ଶୁଣି ବସୁଦେବ ବଚନ । ବୋଲନ୍ତି ବ୍ରହ୍ମାଙ୍କ ନନ୍ଦନ ॥ ୧୦୪
ହେ ମୁନିଗଣେ ଶୁଣ ଧୀରେ । ଏ ବସୁଦେବର ବିଚାରେ ॥ ୧୦୫
ଚିତ୍ର ନୁହଁଇ ଏ ପ୍ରଶନ । ଗୋବିନ୍ଦ ଯାହାର ନନ୍ଦନ ॥ ୧୦୬
କୃଷ୍ଣଙ୍କୁ ପୁତ୍ରପ୍ରାୟ ମଣି । ଏମନ୍ତ ପ୍ରଶ୍ନ କଲା ଆଣି ॥ ୧୦୭
ଆତ୍ମାର ଗତି ତ ଜାଣଇ । ଏହାଙ୍କୁ ବିଷ୍ଣୁମାୟା ମୋହି ॥ ୧୦୮
ନିକଟେ ଥିଲେ ଅନାଦର । ଏହିଟି ସଂସାର ବେଭାର ॥ ୧୦୯
ଗଙ୍ଗା ନିକଟେ ଯେତେ ଜନେ । ଅତି ପରଚେ ଅପମାନେ ॥ ୧୧୦
ଆତ୍ମାର ଗତି ଶୁଦ୍ଧି ଅର୍ଥେ । ଲୋଭେ ଭ୍ରମନ୍ତି ଅନ୍ୟ ତୀର୍ଥେ ॥ ୧୧୧
ଯାହାର ଆତ୍ମା ଅନୁଭବ । କାଳେ ନୁହଁଇ ପରାଭବ ॥ ୧୧୨
ଏହାର ସୁତ ଏ ଅନନ୍ତ । ତଥାପି ବିଷ୍ଣୁମାୟାଗ୍ରସ୍ତ ॥ ୧୧୩
ଶୁଣ ହେ କୃଷ୍ଣର ମହିମା । କେ କହିପାରେ ଗୁଣସୀମା ॥ ୧୧୪
କର୍ମ କଷଣ ପରିତାପ । ଗୁଣପ୍ରବାହ ତ୍ରୟତାପ ॥ ୧୧୫
ଏଣେ ନ ଲାଗେ ଯାର ଦେହ । ଏଣୁ ଈଶ୍ୱର ଅଦ୍ୱିତୀୟ ॥ ୧୧୬
ପ୍ରାଣ ଇନ୍ଦ୍ରିୟ ତିନିଗୁଣ । ଯେଣୁ ଏ ଶରୀର ଭିଆଣ ॥ ୧୧୭
ଏଣେ ଆଚ୍ଛନ୍ନ ପ୍ରାୟ ଦିଶେ । ଆଦିତ୍ୟ ଯେସନେ ଆକାଶେ ॥ ୧୧୮
ହିମ ପରାମ ମେଘେ ଛନ୍ନ । ଏଣୁ ମୋହିତ ପ୍ରାଣୀ ମନ ॥ ୧୧୯
ଏମନ୍ତେ ସର୍ବ ମୁନିଜନ । ଚାହିଁ ବସୁଦେବ ବଦନ ॥ ୧୨୦
ଶୁଣନ୍ତି ସର୍ବ ରାଜାମାନେ । ରାମ ଗୋବିନ୍ଦ ସନ୍ନିଧାନେ ॥ ୧୨୧
ବୋଲନ୍ତି ଶୁଣ ବସୁଦେବ । ଏ ସାଧୁଜନଙ୍କ ସ୍ୱଭାବ ॥ ୧୨୨
ଅଶେଷ ଯଜ୍ଞର କାରଣ । ଅନାଦି ପ୍ରଭୁ ନାରାୟଣ ॥ ୧୨୩
ତାହାଙ୍କୁ ଯଜ୍ଞମାର୍ଗେ ପୂଜି । ତେବେ ଯେ ଚଉବର୍ଗ ଅର୍ଜି ॥ ୧୨୪
ଚଞ୍ଚଳଚିତ୍ତ ଶାନ୍ତି ଅର୍ଥେ । ଶାସ୍ତ୍ରଲୋଚନେ ଧର୍ମପଥେ ॥ ୧୨୫
ସୁଗମ ମାର୍ଗେ କବିଜେନେ । ଦେଖାଇଛନ୍ତି ବିଦ୍ୟମାନେ ॥ ୧୨୬
ଏ ଯଜ୍ଞ ଆତ୍ମାସୁଖ ଦେଇ । ଗୃହସ୍ଥାଶ୍ରମ ଧର୍ମ ଏହି ॥ ୧୨୭
ଶ୍ରଦ୍ଧା ସହିତେ ଶୁଦ୍ଧଚିତ୍ତେ । ପୁଷ୍କଳ ଧନେ ବେଦମତେ ॥ ୧୨୮
ଯଜ୍ଞପୁରୁଷ ପୂଜା କରି । ହେଳେ ତରନ୍ତି ଭବବାରି ॥ ୧୨୯
ବିତ୍ତ ଅଛନ୍ତି ଯଜ୍ଞଦାନେ । ଗୃହକରଣେ ସୁତ ଧନେ ॥ ୧୩୦
ନିବର୍ତ୍ତାଏ ଯେ ଜ୍ଞାନବନ୍ତ । ସର୍ବସଂକଳ୍ପ କାଳଗ୍ରସ୍ତ ॥ ୧୩୧
ବିଚାରି ସକଳ ତେଜଇ । ଗ୍ରାମ୍ୟ ଭୋଗକୁ ନ ଇଚ୍ଛଇ ॥ ୧୩୨
ଏମନ୍ତ ଜାଣି ଦିବ୍ୟଜ୍ଞାନେ । କାଳେ ତେଜନ୍ତି ସୁଜ୍ଞଜନେ ॥ ୧୩୩
ବିପ୍ର କ୍ଷତ୍ରିୟ ବୈଶ୍ୟଜନ । ଏ ତିନି ମଧ୍ୟେ ଯେତେ ଜନ ॥ ୧୩୪
ଦେବତା ଋଷି ପିତୃଙ୍କର । ସ୍ୱଭାବେ ରଣୀ ଏ ଶରୀର ॥ ୧୩୫
ଏହା ନ ଶୁଝି ଧର୍ମ ଛାଡି । ମଲେ ନରକେ ଥାନ୍ତି ପଡି ॥ ୧୩୬
ନିର୍ମଳ ଧନେ ଯଜ୍ଞ କଲେ । ଦେବତା ଋଣ ଶୁଝି ଭଲେ ॥ ୧୩୭
ବିଦ୍ୟାପଠନେ ଋଷିଗଣ । ନିଶ୍ଚେ ଶୁଝନ୍ତି ଜ୍ଞାନିଜନ ॥ ୧୩୮
ପୁତ୍ର ପଉତ୍ର ଜାତ କଲେ । ପିତୃଙ୍କ ଋଣ ଶୁଝି ଭଲେ ॥ ୧୩୯
ତୁ ଏବେ ବେନି ଋଣ ଅଛି ତୋର । ତୁ ଏବେ ସୁଖେ ଯାଗ କର ॥ ୧୪୦
ଏ ତିନି ରଣୁ ତୁ ନିସ୍ତରି । ସୁଖେ ବିହର ଯଦୁପୁରୀ ॥ ୧୪୧
ଶୁଣ ସୁମନେ ଯଦୁବୀର । ନିର୍ମଳ ବଚନ ଆମ୍ଭର ॥ ୧୪୨
ପରମ ଭକ୍ତିଭାବ ଭରି । ପୂର୍ବେ ପୂଜିଲୁ ନରହରି ॥ ୧୪୩
ଅନାଦିପ୍ରଭୁ ଜଗନ୍ନାଥ । ତୋହର ପୁତ୍ର ରୂପେ ଜାତ ॥ ୧୪୪
ବୋଲନ୍ତି ଶୁକ ମହାମୁନି । ବ୍ରହ୍ମାନନ୍ଦନ ବାକ୍ୟ ଶୁଣି ॥ ୧୪୫
ସମ୍ଭ୍ରମ ଚିତ୍ତେ ଶୁରବାଳା । ଋଷିଙ୍କି ଋତ୍ୱିଜେ ବରିଲା ॥ ୧୪୬
ପ୍ରଣାମ କରି ତାଙ୍କ ପାଦେ । ଯଜ୍ଞ ଆରମ୍ଭିଲା ଆନନ୍ଦେ ॥ ୧୪୭
ବେଦବଚନେ ମୁନିଜନ । କରନ୍ତି ଯଜ୍ଞର ବିଧାନ ॥ ୧୪୮
ଆନନ୍ଦେ ବସି କୁରୁକ୍ଷେତ୍ରେ । ଶୁଦ୍ଧ ସୁବର୍ଣ୍ଣ ନାନା ପାତ୍ରେ ॥ ୧୪୯
ଉତ୍ତମକାଳେ ବେଦମତେ । ରାମ ଗୋବିନ୍ଦଙ୍କ ଅଗ୍ରତେ ॥ ୧୫୦
ଦୀକ୍ଷିତ ହୋଇ ବୃଷ୍ଟିବୀର । ଭୂଷିତ ନାନା ଅଳଙ୍କାର ॥ ୧୫୧
ଦେବକୀ ଆଦି ଯେତେ ନାରୀ । ବସୁଦେବର ତୁଲେ ବରି ॥ ୧୫୨
ରାଜାଙ୍କୁ ଅଳଙ୍କୃତ କଲେ । ପତ୍ନୀ ସହିତେ ଯଜ୍ଞକାଳେ ॥ ୧୫୩
ରାଜକାମିନୀ ନିଜେ ମଧ୍ୟ । ସୁବାସ ଲେପନ୍ତି ଆନନ୍ଦେ ॥ ୧୫୪
ମଙ୍ଗଳ ଦ୍ରବ୍ୟ କରେ ଲଇଁ । ମିଳିଲେ ଯଜ୍ଞଶାଳେ ଯାଇ ॥ ୧୫୫
ନାନା ଶବଦ ବାଦ୍ୟନାଦେ । ନର୍ତ୍ତକୀ ନାଚନ୍ତି ଆନନ୍ଦେ ॥ ୧୫୬
ସୂତ ମାଗଧ ସ୍ତୁତି ଭଣି । କିନ୍ନରୀ ଗୀତନାଦ ବାଣୀ ॥ ୧୫୭
କୋମଳ ସୁସଙ୍ଗୀତ ନାଦେ । ଗାଇଲେ ଗନ୍ଧର୍ବେ ଆନନ୍ଦେ ॥ ୧୫୮
ଋତ୍ୱିଜେ ଉତ୍ତମ ଆସନେ । ବସି ମଙ୍ଗଳ ବେଦସ୍ୱନେ ॥ ୧୫୯
ବସୁଦେବକୁ ମଧ୍ୟେ କରି । ସଙ୍ଗେ ବସାଇ ତାର ନାରୀ ॥ ୧୬୦
ବିବିଧ ଅଳଙ୍କାର ବେଶେ । ବସୁଦେବର ବାମପାଶେ ॥ ୧୬୧
ବସିଲେ ଅଷ୍ଟାଦଶ ନାରୀ । ସୁବର୍ଣ୍ଣ କୁମ୍ଭେ ତୀର୍ଥବାରି ॥ ୧୬୨
ପଲ୍ଲବେ ତୋଳି ଜଳକଣା । ମୁନିଏ କରନ୍ତି ମାର୍ଜନା ॥ ୧୬୩
ସ୍ୱଭାବେ ଅଗ୍ନିଷ୍ଟୋମ ସଭା । ମଧ୍ୟେ କି ପଟାନ୍ତର ଦେବା ॥ ୧୬୪
ନକ୍ଷତ୍ର ମଧ୍ୟେ ଯେହ୍ନେ ଶଶୀ । ତେମନ୍ତ ବସୁଦେବ ଦିଶି ॥ ୧୬୫
ବସୁଦେବର ନାରୀଗଣେ । ନାନା ଭୂଷଣ ଆଭରଣେ ॥ ୧୬୬
ଦିଶନ୍ତି ରୂପ ଅନୁପମ । ଆବୃତ କୃଷ୍ଣମୃଗଚର୍ମ ॥ ୧୬୭
ବସୁଦେବର ବିପ୍ରଜନେ । ପୀତବସନ ପରିଧାନେ ॥ ୧୬୮
ସଭାଜନଙ୍କ ମଧ୍ୟେ ଥାଇ । କିବା ଉପମା ଦେବି ମୁହିଁ ॥ ୧୬୯
ସ୍ୱର୍ଗେ ବାସବଯଜ୍ଞକାଳେ । ମୁନିଏ ବୃନ୍ଦାରକ ମେଳେ ॥ ୧୭୦
ଯେମନ୍ତେ ଥିଲେ ପନ୍ତି ପନ୍ତି । ଋତ୍ୱିଜେ ତେମନ୍ତ ଦିଶନ୍ତି ॥ ୧୭୧
ରାମ ଗୋବିନ୍ଦ ସେହିମତେ । ସଭାଜନଙ୍କ ମଧ୍ୟଗତେ ॥ ୧୭୨
ବନ୍ଧୁବାନ୍ଧବ ଜ୍ଞାତି ମେଳେ । ନିଜ କାମିନୀ ସୁତ ତୁଲେ ॥ ୧୭୩
ନିଜ ବିଭୂତି ସଙ୍ଗେ ଘେନି । ବିଜୟେ ଆନନ୍ଦ ମେଦିନୀ ॥ ୧୭୪
ରାମ ଗୋବିନ୍ଦ ସଭାମେଳେ । ବସୁଦେବ ସେ ଯଜ୍ଞକାଳେ ॥ ୧୭୫
ବିଶେଷେ କୃଷ୍ଣର ପିଅର । ଉତ୍ତମ ଜ୍ଞାନ କ୍ରିୟାସାର ॥ ୧୭୬
ପୂଜିଲା ଅଗ୍ନିହୋତ୍ର ମନ୍ତ୍ରେ । ଯେମନ୍ତେ ପ୍ରାକୃତ-ବୈକୃତେ ॥ ୧୭୭
ଏମନ୍ତେ ଯଜ୍ଞ ସମାପତେ । ଦକ୍ଷିଣା ଦେଲେ ବେଦମତେ ॥ ୧୭୮
ବିପ୍ରଙ୍କୁ ଦେଇ ଅଳଙ୍କାର । ଆନନ୍ଦମନେ ଯଦୁବୀର ॥ ୧୭୯
ଗୋ ଭୂମି କନ୍ୟା ମହାଧନ । ବିପ୍ରଙ୍କୁ ଦେଲେ ତୋଷମନ ॥ ୧୮୦
ଯଜ୍ଞସମ୍ପଦ କାମପୂର୍ଣ । କରନ୍ତି ଅବଭୃଥ ସ୍ନାନ ॥ ୧୮୧
ନାନା ସୁବାଦ୍ୟେ ବେଦନାଦେ । ସ୍ନାନ ସାରିଲେ ରାମହ୍ରଦେ ॥ ୧୮୨
ବସୁଦେବର ନାରୀମାନେ । ବିବିଧ ଅଳଙ୍କାର ଧନେ ॥ ୧୮୩
ଗୋ ଭୂମି ଅନ୍ନ ବସ୍ତ୍ର ତୁଲେ । ଆଚାର୍ଯ୍ୟ ଆଦି ବିପ୍ରେ ଦେଲେ ॥ ୧୮୪
ଏମନ୍ତେ ବର୍ଣ୍ଣାଶ୍ରମୀ ଯେତେ । ଅନ୍ନ ବସନ ନାନାମତେ ॥ ୧୮୫
ପୂଜି ସନ୍ତୋଷ କଲେ ମନ । ଅପରେ ଯେତେ ବନ୍ଧୁଜନ ॥ ୧୮୬
ଦାରା ତନୟ ପରିମାଣି । ସନ୍ତୋଷେ ଦେଲେ ମନ ଜାଣି ॥ ୧୮୭
ବିଦର୍ଭ କୋଶଳ ସହିତେ । କୁରୁ ସୃଞ୍ଜୟ ଆଦି ଯେତେ ॥ ୧୮୮
ସଭାରେ ଯେତେ ଋଷି ଥିଲେ । ସୁର ମାନବ ଭୃତ୍ୟ ମେଳେ ॥ ୧୮୯
ପିତୃ ଚାରଣ ଆଦି ଜନ । କୃଷ୍ଣଙ୍କୁ ମାଗି ଅନୁଯାନ ॥ ୧୯୦
ନିଜ ଭୁବନେ ସର୍ବେ ଗଲେ । ଏମନ୍ତେ ଯେତେ ବନ୍ଧୁ ଥିଲେ ॥ ୧୯୧
ଆନନ୍ଦେ ଯେତେ ରାଜବଂଶୀ । ଚଳନ୍ତି ଯଜ୍ଞକୁ ପ୍ରଶଂସି ॥ ୧୯୨
ବିଦୁର ଧୃତରାଷ୍ଟ୍ର ବେନି । ପାଣ୍ତବ ଭୀଷ୍ଣ ଦ୍ରୋଣ ଘେନି ॥ ୧୯୩
ନକୁଳ ସହଦେବ ବେନି । କୁନ୍ତୀ ଯେ ପାଣ୍ତବଜୟନ୍ତୀ ॥ ୧୯୪
ବ୍ୟାସ ନାରଦ ମହାମୁନି । ଆନନ୍ଦେ ପ୍ରିୟଭାବ ଘେନି ॥ ୧୯୫
ସୁହୃଦ ସମୂହେ ବାନ୍ଧବ । ପ୍ରିୟ ବଚନେ ବସୁଦେବ ॥ ୧୯୬
ବନ୍ଧୁଙ୍କୁ ଆଲିଙ୍ଗନ କରେ । ଅତ୍ୟନ୍ତ ପ୍ରୀତିଭାବଭରେ ॥ ୧୯୭
ବିଚ୍ଛେଦ ବିରହ କାତରେ । ଗଲେ ସେ ଯେ ଯାହାର ପୁରେ ॥ ୧୯୮
ନନ୍ଦଙ୍କୁ ଗୋପାଳଙ୍କ ତୁଲେ । ପୂଜିଲା ବସୁଦେବ ଭଲେ ॥ ୧୯୯
ରାମ ଗୋବିନ୍ଦ ଉଗ୍ରସେନ । ନନ୍ଦଙ୍କୁ କଲେ ସନମାନ ॥ ୨୦୦
ସୁଭାଗ୍ୟବନ୍ତ ବସୁଦେବ । ତରିଲା ମାୟାବନ୍ଧ ଭାବ ॥ ୨୦୧
ବନ୍ଧୁ ସୁହୃଦ ଭାବ ଭରି । ଆନନ୍ଦେ ନନ୍ଦ କର ଧରି ॥ ୨୦୨
ବୋଲଇ ବସୁଦେବ ସ୍ନେହେ । ଭୁଜେ ଆବୋରି ଦେହେ ଦେହେ ॥ ୨୦୩
ଭୋ ମିତ୍ର ଦେଖ ଏ ଜଗତ । ଈଶ୍ୱରତନ୍ତ୍ରେ ମୋହଗତ ॥ ୨୦୪
ଅତି ସୁହୃଦେ ସ୍ନେହ ପାଶି । ସୁରଯୋଗୀଙ୍କ ଚିତ୍ତ ଗ୍ରାସି ॥ ୨୦୫
ତୁମ୍ଭେ ଯେ ମିତ୍ରସ୍ନେହ ରଙ୍ଗେ । ଭାବେ ମିଳିଲ ମୋର ସଙ୍ଗେ ॥ ୨୦୬
ମିତ୍ର ସୁପ୍ରୀତି ଫଳ ଯେତେ । ମୁଁ ତେଣେ ନୋହିଲି ସମର୍ଥେ ॥ ୨୦୭
ପର ଆୟତ୍ତ ପୂର୍ବକାଳ । ଏଣୁ ମୋ ହୋଇଲା ନିଷ୍ଫଳ ॥ ୨୦୮
ତୁମ୍ଭ ବିଷୟେ ମିତ୍ରପଣ । ନ କରି ଲଭିଲି କଷଣ ॥ ୨୦୯
ଏବେ ଶ୍ରୀମଦେ ଅନ୍ଧ ହୋଇ । ମିତ୍ରଭାବକୁ ନ ଦେଖଇ ॥ ୨୧୦
ଆତ୍ମାର ହିତ ଇଚ୍ଛା ଯାର । ରାଜସମ୍ପଦ ନୋହୁ ତାର ॥ ୨୧୧
ରାଜସମ୍ପଦେ ଅନ୍ଧ ହୋଇ । ବନ୍ଧୁ ସ୍ୱଜନ ନ ଦେଖଇ ॥ ୨୧୨
ଏମନ୍ତେ ମିତ୍ରଭାବ ଚିତ୍ତେ । ରୋଦନ କଲା ମୋହଗ୍ରସ୍ତେ ॥ ୨୧୩
ସୁମରି ନନ୍ଦ ମିତ୍ରପଣ । ଲୋତକ ପୂରେ ଘନ ଘନ ॥ ୨୧୪
ମିତ୍ରର ପ୍ରିୟଭାବେ ନନ୍ଦ । ସଙ୍ଗତେ ଘେନି ଗୋପବୃନ୍ଦ ॥ ୨୧୫
ରାମ ଗୋବିନ୍ଦ ସଙ୍ଗ ପାଇ । ଅନେକ ସ୍ନେହଭାବି ବହି ॥ ୨୧୬
ହୋଇଣ ହରଷ ବିଷାଦ । ମନରେ ବିଚାରଇ ନନ୍ଦ ॥ ୨୧୭
ଆଜ ରହିବି ଅନୁକୂଳେ । କାଲି ମୁଁ ଯିବି ପ୍ରାତଃକାଳେ ॥ ୨୧୮
ଯଦୁଙ୍କ ଅତି ମାନ୍ୟବଶେ । ନନ୍ଦ ରହିଲା ସେ ବିଶ୍ୱାସେ ॥ ୨୧୯
ରାମ ଗୋବିନ୍ଦ ଧରି କୋଳେ । ଦିନ ହରିଲେ ରସଭୋଳେ ॥ ୨୨୦
ଗୋପୀ ଗୋପାଳ ଆଦି କରି । କୃଷ୍ଣମୋହନେ ଦିନ ହରି ॥ ୨୨୧
ନାନା ବିନୋଦ କ୍ରୀଡାରାସ । ଏମନ୍ତେ ଗଲା ତିନିମାସ ॥ ୨୨୨
ବ୍ରଜ ସହିତେ ବନ୍ଧୁଜନେ । ପୂଜିଲେ ବସନ ଭୂଷଣେ ॥ ୨୨୩
ନନ୍ଦକୁ ବସୁଦେବ ଯେତେ । ବିଚାରି ଉଗ୍ରସେନ ମତେ ॥ ୨୨୪
ଉଦ୍ଧବ ଆଦି ବନ୍ଧୁ ଯେତେ । ରାମ ଗୋବିନ୍ଦ ଅନୁମତେ ॥ ୨୨୫
ଆଦରେ ଦେଲେ ଯେତେ ଧନ । ନନ୍ଦ ଘେନାଇ ତୋଷମନ ॥ ୨୨୬
କେତେହେଁ ଦୂର ନନ୍ଦ ତୁଲେ । ରାମ ଗୋବିନ୍ଦ ସୁଖଭୋଳେ ॥ ୨୨୭
ଯଶୋଦା ଆଦି ବ୍ରଜନାରୀ । ସବୁରି ମନ ଗୃହେ ଦେଲେ ॥ ୨୨୮
ଗୋବିନ୍ଦ ମାୟାଯୋଗବଳେ । ସବୁରି ମନ ଗୃହେ ଦେଲେ ॥ ୨୨୯
ସମସ୍ତେ ହୋଇଣ ହରଷ । ଚଳିଲେ ନିଜ ଗୃହବାସ ॥ ୨୩୦
ଯାଦବେ ସ୍ନେହଭରେ ଗଲେ । ପୁଣି ବାହୁଡାବିଜେ କଲେ ॥ ୨୩୧
ଗୋପୀ ଗୋପାଳ ମନ । କୃଷ୍ଣ ଚରଣେ କରି ଲୀନ ॥ ୨୩୨
ସମ୍ଭାଳି ନ ପାରନ୍ତି ଭଲେ । ଗୋବିନ୍ଦ ଚରଣେ ନିଶ୍ଚଳେ ॥ ୨୩୩
ଏମନ୍ତେ ଗଲେ ଗୋପପୁର । ଶୁଣ ପରୀକ୍ଷା ନୃପବର ॥ ୨୩୪
ବାନ୍ଧବେ ଯାନ୍ତେ ନିଜ ପୁରେ । ଯାଦବେ ଗୋବିନ୍ଦ ବିଚାରେ ॥ ୨୩୫
ବରଷା ଆଗମନ ଜାଣି । ରୋହିଣୀସୁତ ଚକ୍ରପାଣି ॥ ୨୩୬
ବନ୍ଧୁ ବାନ୍ଧବ ଘେନି ତୁଲେ । ଦ୍ୱାରକାପୁରେ ବିଜେ କଲେ ॥ ୨୩୭
ଯାଦବେ ନିଜ ପୁରେ ଯାଇ । କୁଳବୃଦ୍ଧଙ୍କ ପାଶେ ଥାଇ ॥ ୨୩୮
ବସୁଦେବର ଯଜ୍ଞକର୍ମ । ବନ୍ଧୁବାନ୍ଧବ ଆଗମନ ॥ ୨୩୯
କହନ୍ତି ହର୍ଷିତ ବଦନ । ଶୁଣି ସାନନ୍ଦ ସର୍ବଜନ ॥ ୨୪୦
ବୋଲଇ ଦାସ ଜଗନ୍ନାଥ । ରବିଗ୍ରହଣେ ଗୋପୀନାଥ ॥ ୨୪୧
ସୁପୁଣ୍ୟତୀର୍ଥେ ଯାହା କଲେ । ସୁଜନେ ସୁମର ତା ଭଲେ ॥ ୨୪୨
ତୁଟିବ ଭବବନ୍ଧ ଭ୍ରମ । ନ ଲାଗେ ତାପତ୍ରୟଶ୍ରମ ॥ ୨୪୩
ଏ ଭାବେ ରସ ନିରନ୍ତରେ । ନ ବୁଡ ସଂସାର-ସାଗର ॥ ୨୪୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ତୀର୍ଥଯାତ୍ରାନୁବର୍ଣ୍ଣନଂ
ନାମ ନବତିତମ ଅଧ୍ୟାୟଃ
* * *