ଦଶମ ସ୍କନ୍ଧ

ଅଷ୍ଟଅଶୀତିତମ ଅଧ୍ୟାୟ

ଶୁକ ଉବାଚ

ପ୍ରେମ ଆନନ୍ଦେ ମୁନିବର । ବୋଲନ୍ତି ଶୁଣ କୁରୁବୀର ॥

ଧରଣୀଭାରା ନିବାରଣ । ଅନାଦିପରମ କାରଣ ॥

ଅନନ୍ତ ତୁଲେ ନରହରି । ମନୁଷ୍ୟ ରୂପେ ଅବତରି ॥

ଆନନ୍ଦେ ଦ୍ୱାରାବତୀ ପୁରେ । ବିହରେ ନରକଳେବରେ ॥

ଜ୍ୟୋତିଷବିଦ୍ୟା ଅନୁମାନେ । ବିଚାରି ଋଷିଙ୍କ ବଚନେ ॥

ଜ୍ୟୋତିଷେ କୃଷ୍ଣ ପାଶେ ଯାଇ । କହିଲେ ଶିରେ କର ଦେଇ ॥

ଭୋ ନାଥ ଶୁଣ ସାବଧାନେ । ମକର ପଞ୍ଚଦଶ ଦିନେ ॥

ତୃତୀୟ ମୁହୂର୍ତ୍ତ ପ୍ରବେଶେ । ସିଂହିକାସୁତ ରବି ଗ୍ରାସେ ॥

ଦିବସେ ପ୍ରକାଶିବ ନିଶି । ପ୍ରଳୟକାଳ ପ୍ରାୟ ଦିଶି ॥

ଏମନ୍ତେ ଦଇବଜ୍ଞ ବାଣୀ । ଗୋବିନ୍ଦ ସାବଧାନେ ଶୁଣି ॥ ୧୦

ଘୋଷଣ ଦେଲେ ନିଜପୁରେ । ତୀର୍ଥଗମନ ଅନୁସାରେ ॥ ୧୧

ତ୍ରେତୟାଯୁଗେ ଭୃଗୁରାମ । ରାଜାଙ୍କୁ ବହି ଘୋରତମ ॥ ୧୨

ଦିଗବିଜୟେ ପର୍ଶୁପାଣି । ରାଜାଙ୍କୁ କୁରୁକ୍ଷେେତ୍ର ଆଣି ॥ ୧୩

କୋପେ ଛେଦିଲେ ତାଙ୍କ ମୁଣ୍ତ । ରୁଧିରେ କରି ସାତକୁଣ୍ତ ॥ ୧୪

ରୁଧିରକୁଣ୍ତ ସ୍ନାନ କରି । ପିତାଙ୍କୁ ତର୍ପଣେ ଉଦ୍ଧରି ॥ ୧୫

ତେଣୁ ହୋଇଲା ତୀର୍ଥକଳ୍ପ । ସ୍ନାନେ ହରଇ ସର୍ବପାପ ॥ ୧୬

ଏମନ୍ତେ ଜନେ ରାମତୀର୍ଥେ । ସ୍ନାହାନ ଦାନ ଯେଝାମତେ ॥ ୧୭

କରନ୍ତି ନିଗମ ବେଭାର । ଏବେ ହୋ ଶୁଣ କୁରୁବୀର ॥ ୧୮

ଭାରତଭୂମି ପ୍ରଜା ଯେତେ । ପୁତ୍ର କଳତ୍ର ଧନ ଯୁତେ ॥ ୧୯

ରାଜା ପରଜା ନରନାରୀ । ସଞ୍ଚପି କେ ତା କହିପାରି ॥ ୨୦

ଏମନ୍ତେ ଚାରିଦିଗୁଁ ଯେତେ । ପ୍ରବେଶ ହେଲେ କୁରୁକ୍ଷେତ୍ରେ ॥ ୨୧

ଜ୍ଞାନ ଅଜ୍ଞାନ ପାପ ଯେତେ । ସ୍ନାନେ ଖଣ୍ତିବେ ରାହୁଗ୍ରସ୍ତେ ॥ ୨୨

ସୁତୀର୍ଥେ ସ୍ନାନ ଦାନ ଫଳେ । ପାପୁଁ ତରିବେ ପୁଣ୍ୟବଳେ ॥ ୨୩

ଏତେ ବିଚାରି ପୁଣ୍ୟଧ୍ୟାୟି । ମିଳିଲେ କୁରୁକ୍ଷେତ୍ରେ ଯାଇ ॥ ୨୪

ଗୋବିନ୍ଦ ନନ୍ଦିଘୋଷ ରଥେ । ବସି ଚଳିଲେ ରାଜପଥେ ॥ ୨୫

ଶ୍ରୀକୃଷ୍ଣ ଯାନ୍ତେ କୁରୁକ୍ଷେତ୍ରେ । ସଜ ହୋଇଲେ ଜ୍ଞାତି ଗୋତ୍ରେ ॥ ୨୬

ଦେବକୀ ବସୁଦେବ ଘେନି । କୃଷ୍ଣର ଯେତେକ କାମିନୀ ॥ ୨୭

ପ୍ରଦ୍ୟୁମ୍ନ ଶାମ୍ବ କୃଷ୍ଣସୁତେ । ଶୁକ ସାରଣର ସହିତେ ॥ ୨୮

କୃତବର୍ମା ଯେ ଅନିରୁଦ୍ଧ । ପୁର ରଖନ୍ତି ଯେତେ ଯୋଧ ॥ ୨୯

ଉଗ୍ରସେନର ଯେତେ ବଳ । ସଜ ହୋଇଲେ କାମପାଳ ॥ ୩୦

ଏମନ୍ତେ ଗଲେ ଯଦୁଯୁଥେ । ଆରୋହି ଅଶ୍ୱ ଗଜ ରଥେ ॥ ୩୧

ନିଜ କାମିନୀ ଘେନି ସାଥେ । ଗମିଲେ କୁରୁକ୍ଷେେତ୍ର ପଥେ ॥ ୩୨

ଇନ୍ଦ୍ରର ସଙ୍ଗେ ଦେବବୃନ୍ଦେ । ଯେମନ୍ତେ ଗମନ୍ତି ଆନନ୍ଦେ ॥ ୩୩

ଗଗନେ ଗ୍ରସ୍ତ ଦିବାକର । ଦିବସେ ଦିଶିଲା ଅନ୍ଧାର ॥ ୩୪

ଗଗନେ ଦେଖି ରବିଗ୍ରାସ । ସକଳେ ହୋଇଲେ ହରଷ ॥ ୩୫

ଏମନ୍ତେ ରାହୁ ଗ୍ରାସ କାଳେ । ରାଜା ପରଜା ପୁଣ୍ୟଜଳେ ॥ ୩୬

କରନ୍ତି ସ୍ନାନ ଦାନ ବିଧି । ବେଦବଚନେ ଯେ ପ୍ରସିଦ୍ଧି ॥ ୩୭

ଗୋବିନ୍ଦ ଉପବାସ ଛଳେ । ହରଷେ ପଶି ତୀର୍ଥଜଳେ ॥ ୩୮

ବିପ୍ରଙ୍କୁ ବରି ଭଗବାନ । ଦେଲେ ସବତ୍ସା ଧେନୁଦାନ ॥ ୩୯

ବିବିଧ ଅଳଙ୍କାର ଭରି । କୋଟିଏ ଧେନୁ ଦାନ କରି ॥ ୪୦

ଅନ୍ନ ସୁବର୍ଣ୍ଣ ବସ୍ତ୍ର ଦାନ । ଆନନ୍ଦ ମନେ ଭଗବାନ ॥ ୪୧

ବିବିଧ ମତେ ଦାନ ଦେଇ । ତୀରେ ବସିଲେ କୃଷ୍ଣ ଯାଇ ॥ ୪୨

ଯାଦବ ଭୋଜ ସେହିମତେ । ସ୍ନାହାନ କଲେ ଯଥୋଚିତେ ॥ ୪୩

ଭୋଜନ ସାରି ସଙ୍ଗମେଳେ । ବସିଲେ ନାନା ବୃକ୍ଷତଳେ ॥ ୪୪

ଦେବକୀଦେବୀ ବସୁଦେବ । ବସିଲେ ରାମ ପଦ୍ନନାଭ ॥ ୪୫

ଏ ଆଦି କହିବି ମୁଁ କେତେ । କୃଷ୍ଣର ପତ୍ନୀ ସୁତ ଯେତେ ॥ ୪୬

ବୃକ୍ଷଙ୍କ ମୂଳେ ବିରାଜନ୍ତି । ଗଗନେ ଯେହ୍ନେ ତାରାପନ୍ତି ॥ ୪୭

ଏମନ୍ତେ ରାମହ୍ରଦତଟେ । ରାମ ଗୋବିନ୍ଦର ନିକଟେ ॥ ୪୮

କୃଷ୍ଣର ଦର୍ଶନେ ଆନନ୍ଦ । ଆସି ମିଳିଲେ ବନ୍ଧୁବୃନ୍ଦ ॥ ୪୯

ମତ୍ସ୍ୟ ଉଶୀନର କୋଶଳ । ବିଦର୍ଭ ଆଦି କୁରୁବଳ ॥ ୫୦

ସୃଞ୍ଜୟ କାମ୍ବୋଜ କୈକୟ । ଆନର୍ତ୍ତ କୁନ୍ତୀ ମଦ୍ରରାୟ ॥ ୫୧

କହିବି ଏକେ ଏକେ କେତେ । କେରଳ ଆଦି ରାଜା ଯେତେ ॥ ୫୨

ସୁହୃଦବନ୍ଧୁ ମିତ୍ରଜନ । ଅପରେ ଅନେକ ରାଜନ ॥ ୫୩

ନନ୍ଦ ଯଶୋଦା ଆଦି କରି । ଗୋପରେ ଯେତେ ନରନାରୀ ॥ ୫୪

ଗୋପୀଏ କୃଷ୍ଣରୁପ ଦେଖି । ଅଶ୍ରୁ ଗଳଇ ବେନି ଆଖି ॥ ୫୫

ଫୁଟିଲା ପଦ୍ମପ୍ରାୟ ନେତ୍ର । ନୀଳ କୁନ୍ତଳ ହୃଦ ଗାତ୍ର ॥ ୫୬

କି ଅବା ଦେବା ପଟାନ୍ତର । ଯାହା ରମିଲେ ଦାମୋଦର ॥ ୫୭

ଲୋଚନେ କରି ମନେ ଧ୍ୟାନ । ଅନ୍ତର କଲେ ଆଲିଙ୍ଗନ ॥ ୫୮

ପୁଲକେ ଅଙ୍ଗେ ରୋମରାଜି । ପ୍ରେମ ଆନନ୍ଦେ ଚକ୍ଷୁବୁଜି ॥ ୫୯

କଣ୍ଠକୁଣ୍ଠିତ ମଞ୍ଜୁବାଣୀ । ତା ଦେଖି କୃଷ୍ଣର ତରୁଣୀ ॥ ୬୦

ସୁହୃଦଭାବେ ଏକମେଳେ । କରନ୍ତି ଜଣେ ଜଣେ କୋଳେ ॥ ୬୧

ମୁଖେ ବିସ୍ମିତ ମନ୍ଦହାସେ । ଦୃଢେ ଯନ୍ତ୍ରିତ ସ୍ନେହପାଶେ ॥ ୬୨

ନିବିଡେ କୁଙ୍କୁମ ଲେପନ । ଭାବେ ଲଗାଇ ସ୍ତନେ ସ୍ତନ ॥ ୬୩

ଭୁଜେ କରନ୍ତି କୋଳେକୋଳେ । ଅଶ୍ରୁପୁରିତ ବେନିଡୋଳ ॥ ୬୪

କୃଷ୍ଣକାମିନୀ ଗୋପନାରୀ । ସେନେହ ଭାବ ମନେ ଧରି ॥ ୬୫

କହନ୍ତି କୃଷ୍ଣ କଥାମାନ । ସୁମରି କରନ୍ତି ରୋଦନ ॥ ୬୬

ଗୋପିଙ୍କୀ ବୋଧି କୃଷ୍ଣନାରୀ । କଥା ପ୍ରବନ୍ଧେ ମନ ହରି ॥ ୬୭

ସମସ୍ତେ ହୋଇଲେ ହରଷ । କୃଷ୍ଣର ଭାବ ମଧୁରସ ॥ ୬୮

ଏହି ପ୍ରକାରେ ବଧୁଜନେ । ଯେ ବିଧି ଯଥା ଅନୁମାନେ ॥ ୬୯

ଆଶିଷ ବଚନ୍ତେ କରନ୍ତି । କୁଳ କୁଶଳ ପଚାରନ୍ତି ॥ ୭୦

ଏକ ଆରକେ ବହି ବ୍ୟଥା । ଆନନ୍ଦେ କହେ କୃଷ୍ଣକଥା ॥ ୭୧

କୃଷ୍ଣଭକତି ହୃଦେ ଘେନି । ମିଳିଲେ ପାଣ୍ତବ ଜନନୀ ॥ ୭୨

ଭ୍ରାତ ଭଗିନୀଜନ ମଧ୍ୟେ । ପୁତ୍ର ପଉତ୍ର ଅନୁବନ୍ଧେ ॥ ୭୩

ପିତା ଜନନୀ ମୁଖ ଚାହିଁ । ଭାତୃକାମିନୀ ମଧ୍ୟେ ଥାଇ ॥ ୭୪

ଅନାଇଁ ଗୋବିନ୍ଦ ଶ୍ରୀମୁଖ । ଛାଡିଲା କଷ୍ଟ ଦୁଃଖ ଶୋକ ॥ ୭୫

ବସୁଦେବର ମୁଖ ଚାହିଁ । ବୋଲଇ ଶୋକଭର ହୋଇ ॥ ୭୬

କୁନ୍ତୀ ଉବାଚ

ହେ ଭ୍ରାତ ଏ ମୋହର ଜନ୍ମ । ମନୁଷ୍ୟ ମଧ୍ୟେ ହୀନକର୍ମ ॥ ୭୭

ଯେତେ ଆପଦ ମୋତେ ହୋଇ । ମୋ ତହୁଁ ଆନ କେବା ସହି ॥ ୭୮

ତେଡେ ଆପଦେ ନ ସୁମର । ଅଭାଗୀ ଜୀବନ ମୋହର ॥ ୭୯

ସୁହୃଦ ଜ୍ଞାତି ପୁତ୍ର ଭାଇ । ପିତା ଜନନୀ ଯାର ଥାଇ ॥ ୮୦

ଆପଦେ ନ କରନ୍ତି ଚିନ୍ତା । ତାହାକୁ ବାମଟି ବିଧାତା ॥ ୮୧

ଏମନ୍ତ କର୍ମ ମୋର ଭାବ । ତା ଶୁଣି ବୋଲେ ବସୁଦେବ ॥ ୮୨

ଶୁଣ ଗୋ ମାତ ମୋ ବଚନ । ଆମ୍ଭଙ୍କୁ ନ କର ନିନ୍ଦନ ॥ ୮୩

ଦେଖ ସଂସାରେ ଯେତେ ଲୋକ । ଈଶ୍ୱର କ୍ରୀଡାର କନ୍ଦୁକ ॥ ୮୪

ଈଶ୍ୱର ଯନ୍ତ୍ର ମଧ୍ୟେ ପଡି । କାର୍ଯ୍ୟ କାରଣେ ପଥ ହୁଡି ॥ ୮୫

ଈଶ୍ୱର ଆଜ୍ଞା ଅନୁମତେ । ପ୍ରାଣୀ ଭାଜନ୍ତି ନାନାପଥେ ॥ ୮୬

କଂସ ପ୍ରତାପେ ଆମ୍ଭେ ତାପୀ । ବୁଲିଲୁ ବନ ଦେଶବ୍ୟାପୀ ॥ ୮୭

ପୁଣି ମିଳିଲୁ ନିଜଦେଶେ । ଏସର୍ବ ଈଶ୍ୱର ଆଦେଶେ ॥ ୮୮

କହନ୍ତି ବସୁଦେବ ସ୍ନେହେ । ସଂସାରବନ୍ଧ ମାୟାମୋହେ ॥ ୮୯

ଶୁଣି ପ୍ରବୋଧ ପଣ୍ତୁରାଣୀ । ଭାବବଚନେ ହେଲା ତୁନି ॥ ୯୦

କହନ୍ତି ବ୍ୟାସଙ୍କ ନନ୍ଦନ । ଶ୍ରୀବାସୁଦେବ ଉଗ୍ରସେନ ॥ ୯୧

ଯାଦବେ ମାନ ଗଉରବେ । ପୂଜିଲେ ନୃପତିଙ୍କି ଭାବେ ॥ ୯୨

ରାଜାଏ କୃଷ୍ଣ ଦରଶନେ । ହରଷେ ପୂଜିଲେ ସୁମନେ ॥ ୯୩

ଶୁଣ ବିରାଟସୁତାସୁତ । ଗୋବିନ୍ଦ ସମୀପେ ଆଗତ ॥ ୯୪

ଜାହ୍ନବୀସୁତ ଦ୍ରୋଣଗୁରୁ । ଅମ୍ବିକାପୁତ୍ର ମହାମେରୁ ॥ ୯୫

ଗାନ୍ଧାରୀ ଘେନି ପୁତ୍ରଶତ । ଦ୍ରୌପଦୀ ସମୀପେ ଆଗତ ॥ ୯୬

ଶକୁନି ସଞ୍ଜୟ ବିଦୁର । ଏ ଆଦି ଯେତେ ନୃପବର ॥ ୯୭

ବିରାଟ ତୁଲେ କୁନ୍ତୀଭୋଜ । ଭୀଷ୍ମକ ନଗ୍ନଜିତ ରାଜ ॥ ୯୮

ଦ୍ରୁପଦ ପୁରୁଜିତ ବେନି । ଶଲ୍ୟ ଯେ ଧୃଷ୍ଟକେତୁ ଘେନି ॥ ୯୯

କାଶୀନୃପତି ଦମଘୋଷ । ବିଶାଳା ମିଥିଳାର ଈଶ ॥ ୧୦୦

ମଦ୍ରକ କଇକେୟ ଭାନୁ । ସଙ୍ଗେ ନୃପତି ଯୁଧାମନ୍ୟୁ ॥ ୧୦୧

ସୁଶର୍ମା ବାହ୍ଲୀକର ମେଳେ । ମିଳିଲେ ଯୁଧିଷ୍ଠିର ତୁଲେ ॥ ୧୦୨

ଷୋଳସହସ୍ର ଶତେ ନାରୀ । ଅଷ୍ଟ ଅଧିକ ଆଦି କରି ॥ ୧୦୩

ଦେଖି ବିସ୍ମୟେ ନୃପଗଣେ । ନମିଲେ କୃଷ୍ଣର ଚରଣେ ॥ ୧୦୪

ରାମଗୋବିନ୍ଦ ତୋଷମନେ । ରାଜାଙ୍କୁ ବସାଇ ଆସନେ ॥ ୧୦୫

ନାନା ପ୍ରକାରେ ପୂଜାବିଧି । ପୂଜିଲେ ବେଭାର ପ୍ରସିଦ୍ଧି ॥ ୧୦୬

ଆନନ୍ଦେ ସର୍ବ ନୃପବର । ଯଦୁଙ୍କୁ ବୋଲନ୍ତି ମଧୁର ॥ ୧୦୭

ହେ ଭୋଜପତି ଦୁମ୍ଭ ଜନ୍ମ । ସଂସାର ମଧ୍ୟେ ବଡ ଧନ୍ୟ ॥ ୧୦୮

ଯେ ହରି ଯୋଗୀଙ୍କି ଦୁର୍ଲ୍ଲଭ । ତୁମ୍ଭଙ୍କୁ ହୋଇଲେ ସୁଲଭ ॥ ୧୦୯

ଦୃଷ୍ଟିଗୋଚର କୃଷ୍ଣ ଦେଖି । ନିର୍ମଳ କଲ ଚର୍ମଆଖି ॥ ୧୧୦

ଯାର ବିଶ୍ରୁତି ଶ୍ରୁତିସ୍ତୁତ । ପବିତ୍ର କରଇ ଜଗତ ॥ ୧୧୧

ପାଦଉଦକ ସୁରଧୁନୀ । ପବିତ୍ର କରେ ପୁର ତିନି ॥ ୧୧୨

ସକଳଶାସ୍ତ୍ର ଯାର ବାଣୀ । ଜଗତ ତରେ ଯାହା ଶୁଣି ॥ ୧୧୩

କାଳଅନଳେ ଏ ଧରଣୀ । ଭାବେ ଭର୍ଜିତ ପ୍ରାୟ ମଣି ॥ ୧୧୪

ଯାହାର ଚରଣ ସ୍ପରଶେ । ଜୀବନ ପାଇ ଭାରା ନାଶେ ॥ ୧୧୫

ଏମନ୍ତ ପ୍ରଭୁ ମହାବାହୁ । ଆମ୍ଭଙ୍କୁ ଚଉବର୍ଗ ଦେଉ ॥ ୧୧୬

ସେ ହରି ନିତ୍ୟେ ତୁମ୍ଭ ପାଶେ । ନରକପଥ-ଗୃହବାସେ ॥ ୧୧୭

ତାର ଦର୍ଶନ ହାସ୍ୟରସ । ଅନୁଗମନ ପରିହାସ ॥ ୧୧୮

ଯୋନି ସମ୍ବନ୍ଧେ ପିଣ୍ତଦାନ । ନାନା ସମ୍ବନ୍ଧେ ଅନୁଧ୍ୟାନ ॥ ୧୧୯

ଏହା ପାଇଲ ତପ ଦାହି । ସ୍ୱର୍ଗାପବର୍ଗେ ବାଞ୍ଛା ନାହିଁ ॥ ୧୨୦

ଏମନ୍ତେ ରାଜାଙ୍କ ବଚନ । ଶୁଣି ହରଷ ଉଗ୍ରସେନ ॥ ୧୨୧

କହନ୍ତି ବ୍ୟାସଙ୍କର ବଳା । ନନ୍ଦ ଯେ କୁରୁକ୍ଷେେତ୍ର ଥିଲା ॥ ୧୨୨

ନିଜ ଗୋକୁଳ ସଙ୍ଗତରେ । ମିଳିଲା ଶ୍ରୀକୃଷ୍ଣ ଛାମୁରେ ॥ ୧୨୩

ଶକଟ ସାଜି ନାନାମତେ । ଅନେକ ପରଜା ସଙ୍ଗତେ ॥ ୧୨୪

ନନ୍ଦକୁ ଦେଖି ଯଦୁଗଣ । ଆସନ ତେଜିଲେ ତକ୍ଷଣ ॥ ୧୨୫

ପିଣ୍ତ ଯେସନେ ପ୍ରାଣ ପାଇ । ଉଠି ଆନନ୍ଦେ ସମ୍ଭାଷଇ ॥ ୧୨୬

ଚିତଦରଶନ କାତରେ । ହୃଦେ ଭିଡନ୍ତି ସ୍ନେହଭରେ ॥ ୧୨୭

ଆନନ୍ଦେ ଉଠି ବସୁଦେବ । ନନ୍ଦର ମିତ୍ର ପ୍ରିୟଭାବ ॥ ୧୨୮

କଂସର କୃତକ୍ଳେଶ ଯେତେ । ସର୍ବ ସୁମରି ଶୋକଚିତ୍ତେ ॥ ୧୨୯

କୃଷ୍ଣଙ୍କୁ ଘେନି ରାତ୍ରକାଳେ । ଯେମନ୍ତେ ଥୋଇଲା ଗୋକୁଳେ ॥ ୧୩୦

ତାହା ସୁମରି ଅତି ସ୍ନେହେ । ଚିତ୍ତଜଡିତ ମାୟାମୋହେ ॥ ୧୩୧

ପାଶେ ଯେ ଥିଲେ ରାମହରି । ନନ୍ଦ ଯଶୋଦା ପାଦ ଧରି ॥ ୧୩୨

ନମିଲେ ଅତି ସୁଖଭୋଳେ । ବସିଲେ ବେନିଜନ କୋଳେ ॥ ୧୩୩

ହୃଦରେ କରି ଆଲିଙ୍ଗନ । ବଦନୁ ନ ସ୍ପୁରେ ବଚନ ॥ ୧୩୪

ଯଶୋଦା ବେନି ଭୁଜେ ଧରି । ହୃଦେ ଲଗାଇ ନରହରି ॥ ୧୩୫

ପ୍ରାଣହୁଁ ଅତି ସ୍ନେହ ଭରି । ନିବିଡେ ଆଲିଙ୍ଗନ କରି ॥ ୧୩୬

ପରମାନନ୍ଦ ଲଭି ସୁଖ । ବେଗେ ହୁଡିଲା ମନଦୁଃଖ ॥ ୧୩୭

ନନ୍ଦ ରାମଙ୍କୁ କରି କୋଳ । ନୟନୁ ବହେ ଅଶ୍ରୁଜଳ ॥ ୧୩୮

ହୃଦେ ନିରୋପି ଦିବ୍ୟଜ୍ଞାନ । ଛାଡିଲା ଦୁଃଖ ଶୋକମାନ ॥ ୧୩୯

ଦେବକୀ ରୋହିଣୀ ଆନନ୍ଦେ । ଭାବେ ଲଗାଇ ହୃଦହୃଦେ ॥ ୧୪୦

ନିର୍ଭରେ ଆଲିଙ୍ଗନ କରି । ମିତ୍ର ସ୍ୱଭାବେ ବ୍ରଜେଶ୍ୱରୀ ॥ ୧୪୧

ବିପଦକାଳେ ମିତ୍ରଗୁଣ । ଶୋକେ ସୁମରି ପୁଣ ପୁଣ ॥ ୧୪୨

ବୋଲନ୍ତି ଯଶୋଦାକୁ ଚାହିଁ । କିସ ଉପମା ଦେବି ମୁହିଁ ॥ ୧୪୩

ଇନ୍ଦ୍ରସମ୍ପଦ ସୁଖ ଭୁଞ୍ଜି । କେ ପାରୁ ତୁମ୍ଭ ଋଣ ଶୁଝି ॥ ୧୪୪

ବେନି ବାଳକ ତୁମ୍ଭ ଘରେ । ପ୍ରାଣ ପୋଷିଲେ କଂସ ଡରେ ॥ ୧୪୫

ରାମଗୋବିନ୍ଦ ଭାଇ ବେନି । ତୁମ୍ଭେ ଯେ ପିଅର ଜନନୀ ॥ ୧୪୬

ପାଳିଲ ପୁତ୍ରହୁଁ ଅଧିକେ । ତୁମ୍ଭେ ଯେ ଧନ୍ୟ ବେନିଲୋକେ ॥ ୧୪୭

ପୋଷିଲ ପୁତ୍ରଭାବ ଘେନି । ଅନ୍ଧ ଯେସନେ ଚକ୍ଷୁବେନି ॥ ୧୪୮

କି ଆର ସଂସାର ବେଭାର । ତୁମ୍ଭର ନାହିଁ ପରାପର ॥ ୧୪୯

ଏମନ୍ତେ ଯଶୋଦାର ତୁଲେ । ଦେବକୀ ରୋହିଣୀ ବସିଲେ ॥ ୧୫୦

ଶୁଣ ରାଜନ ଚୁଡାମଣି । ଆନନ୍ଦେ ଗୋପର ତରୁଣୀ ॥ ୧୫୧

କୃଷ୍ଣଙ୍କୁ ଦେଖି ସୁଖଭୋଳେ । ନିରୋପି ନୟନେ ନିଶ୍ଚଳେ ॥ ୧୫୨

ଲଜ୍ଜା ଉପେକ୍ଷି ଗୋପୀବୃନ୍ଦ । ଚିରଦରଶନେ ଆନନ୍ଦ ॥ ୧୫୩

କୃଷ୍ଣର ବଦନ ଦେଖନ୍ତି । ଚକ୍ଷୁ ନିମିଷେ ନ ଚାଳନ୍ତି ॥ ୧୫୪

ଚାହାନ୍ତି କୃଷ୍ଣ ସର୍ବଅଙ୍ଗ । ଅଗ୍ନିକି ଯେସନେ ପତଙ୍ଗ ॥ ୧୫୫

କୃଷ୍ଣର ରୂପ ପ୍ରିୟଭାବେ । ହୃଦେ ଭରିଲେ ଦୃଷ୍ଟିମାର୍ଗେ ॥ ୧୫୬

ଆନନ୍ଦ ରୂପ ଭଗବାନ । ଅନ୍ତରେ କଲେ ଆଲିଙ୍ଗନ ॥ ୧୫୭

ଲଭିଲେ ନିଜ ପ୍ରିୟଭାବ । ଯେ ହରି ଯୋଗିଙ୍କି ଦୁର୍ଲ୍ଲଭ ॥ ୧୫୮

ଗୋପୀଙ୍କ ଭାବ ଦେଖି ହରି । ଅନନ୍ତମାୟା ଯୋଗ କରି ॥ ୧୫୯

କେହି ନ ଦେଖେ ରୂପ ଡୋଳେ । ମିଳିଲେ ଗୋପୀଙ୍କର ମେଳେ ॥ ୧୬୦

ପଚାରି ଗୋପୀଙ୍କ କୁଶଳ । କରନ୍ତି ଜଣେ ଜଣେ କୋଳ ॥ ୧୬୧

ବୋଲନ୍ତି ଜଗତମୋହନ । କୋମଳ ଗଭୀର ବଚନ ॥ ୧୬୨

ଶୁଣ ଗୋ ସଖୀଜନେ ମୋର । ମୁଁ ଯେ ରହିଲି ମଧୁପୁର ॥ ୧୬୩

ଅଇଲି ନିଜ କର୍ମ ଆଶେ । ଭାରା ନିବାରଣ ବିଶ୍ୱାସେ ॥ ୧୬୪

ଅନେକ ଦିନୁଁ ନାହିଁ ଦେଖା । ମୁହିଁ ତୁମ୍ଭର ନିଜ ସଖା ॥ ୧୬୫

ଈଶ୍ୱର ମାୟାରେ ସଂସାର । ସଂଯୋଗ ବିଯୋଗ ବେଭାର ॥ ୧୬୬

ପବନ ଯେହ୍ନେ ମେଘମାଳା । ଧରଣୀ ରେଣୁ ତୃଣ ତୁଳା ॥ ୧୬୭

କରଇ ସଂଯୋଗ ବିଯୋଗ । ଏମନ୍ତ ଈଶ୍ୱରର ଯୋଗ ॥ ୧୬୮

ମୋହରେ ଭାବ ଯେ କରନ୍ତି । ମୋ ତହୁଁ ଭିନ୍ନ ସେ ନୁହନ୍ତି ॥ ୧୬୯

ତୁମ୍ଭର ଭାଗ୍ୟ ଏ ସଂସାରେ । ଭାବେ ଭଜିଲ ମୋ ପୟରେ ॥ ୧୭୦

ମୁହିଁ ସକଳ ପ୍ରାଣୀଙ୍କର । ଆବୋରି ଭିତର ବାହାର ॥ ୧୭୧

କରଇ ସୃଷ୍ଟି ଆଦିଅନ୍ତ । ଯେହ୍ନେ ଜଡିତ ପଞ୍ଚଭୂତ ॥ ୧୭୨

ଉଭୟ ମହିମା ମୋହର । ଜ୍ଞାନୀଜନଙ୍କୁ ଅଗୋଚର ॥ ୧୭୩

ଏମନ୍ତେ ପ୍ରଭୁ ଭଗବାନ । ଗୋପିଙ୍କି କହି ତତ୍ତ୍ୱଜ୍ଞାନ ॥ ୧୭୪

ଗୋପୀଏ କୃଷ୍ଣର ବଚନ । ଶୁଣି ପାଇଲେ ଦିବ୍ୟଜ୍ଞାନ ॥ ୧୭୫

ନିର୍ଲୋଭ କୃଷ୍ଣ ରୂପ ଚାହିଁ । ବୋଲନ୍ତି ଶିରେ କର ଦେଇ ॥ ୧୭୬

ଭୋ ନାଥ ଶୁଣ ପଦ୍ମନାଭ । ଲଭିଲୁ ତୋ ଚରଣେ ଭାବ ॥ ୧୭୭

ତୋର ଚରଣ ହେ ଅନନ୍ତ । ଯୋଗୀଙ୍କ ହୃଦପଦ୍ମେ ସ୍ଥିତ ॥ ୧୭୮

ଅଜ୍ଞାନ ମାୟାର ପ୍ରବୋଧ । ଭୋ ନାଥ ତୋର ପଦ୍ମପାଦ ॥ ୧୭୯

ସଂସାର ଅନ୍ଧକାର କୂପେ । ପ୍ରାଣୀଯନ୍ତ୍ରିତ ତିନିତାପେ ॥ ୧୮୦

ତୋ ପଦ୍ମପାଦ ଚକ୍ରପାଣି । ତାହାଙ୍କ ତରିବା ନିଶୁଣି ॥ ୧୮୧

ଗୋପୀଏ କୃଷ୍ଣପାଦ ଧରି । ବୋଲନ୍ତି ତରିଲୁ ମୁରାରି ॥ ୧୮୨

ଆମ୍ଭର ତୋ ଚରଣେ ମନ । ଏ ବର ଦେବୁ ନାରାୟଣ ॥ ୧୮୩

ଏମନ୍ତ ଗୋପୀଙ୍କ ବଚନ । ଶୁଣି ସନ୍ତୋଷ ଭଗବାନ ॥ ୧୮୪

ହସି ବୋଲନ୍ତି ଦାମୋଦର । ପୂର୍ବହୁଁ ଦେଅଛୁ ବର ॥ ୧୮୫

ତୁମ୍ଭର ମୋ ଚରଣେ ମନ । ନିଶ୍ଚେ ପାଇବ ମୋର ସ୍ଥାନ ॥ ୧୮୬

ଏମନ୍ତେ ଗୋପିଙ୍କି ନିସ୍ତାରି । ନିଜ ଆସନେ ବିଜେ କରି ॥ ୧୮୭

ସେ ହରି ଚରଣକମଳେ । ମୋ ମନ ରହୁ ଧ୍ୟାନବଳେ ॥ ୧୮୮

ସୁଜନେ ଚିନ୍ତ ଦୃଢମନେ । ଗୋପୀଙ୍କ ପ୍ରାୟ ଶୁଦ୍ଧଧ୍ୟାନେ ॥ ୧୮୯

ପାଇବ ପରମକାରଣ । ତାରିବେ ପ୍ରଭୁ ନାରାୟଣ ॥ ୧୯୦

ଗୋପୀଙ୍କ ପ୍ରାୟ ଭାବେ ଧ୍ୟାୟି । ସକଳ କର୍ମେ ଭାବଗ୍ରାହୀ ॥ ୧୯୧

ପାଇ ନ ପାଇ କଲି ଆଶ । ବୋଲଇ ଜଗନ୍ନାଥ ଦାସ ॥ ୧୯୨

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ବୃଷ୍ଟିଗୋପସଙ୍ଗମୋନାମ

ଅଷ୍ଟଅଶୀତିତମ ଅଧ୍ୟାୟଃ

* * *