ଦଶମ ସ୍କନ୍ଧ
ଅଷ୍ଟଅଶୀତିତମ ଅଧ୍ୟାୟ
ଶୁକ ଉବାଚ
ପ୍ରେମ ଆନନ୍ଦେ ମୁନିବର । ବୋଲନ୍ତି ଶୁଣ କୁରୁବୀର ॥ ୧
ଧରଣୀଭାରା ନିବାରଣ । ଅନାଦିପରମ କାରଣ ॥ ୨
ଅନନ୍ତ ତୁଲେ ନରହରି । ମନୁଷ୍ୟ ରୂପେ ଅବତରି ॥ ୩
ଆନନ୍ଦେ ଦ୍ୱାରାବତୀ ପୁରେ । ବିହରେ ନରକଳେବରେ ॥ ୪
ଜ୍ୟୋତିଷବିଦ୍ୟା ଅନୁମାନେ । ବିଚାରି ଋଷିଙ୍କ ବଚନେ ॥ ୫
ଜ୍ୟୋତିଷେ କୃଷ୍ଣ ପାଶେ ଯାଇ । କହିଲେ ଶିରେ କର ଦେଇ ॥ ୬
ଭୋ ନାଥ ଶୁଣ ସାବଧାନେ । ମକର ପଞ୍ଚଦଶ ଦିନେ ॥ ୭
ତୃତୀୟ ମୁହୂର୍ତ୍ତ ପ୍ରବେଶେ । ସିଂହିକାସୁତ ରବି ଗ୍ରାସେ ॥ ୮
ଦିବସେ ପ୍ରକାଶିବ ନିଶି । ପ୍ରଳୟକାଳ ପ୍ରାୟ ଦିଶି ॥ ୯
ଏମନ୍ତେ ଦଇବଜ୍ଞ ବାଣୀ । ଗୋବିନ୍ଦ ସାବଧାନେ ଶୁଣି ॥ ୧୦
ଘୋଷଣ ଦେଲେ ନିଜପୁରେ । ତୀର୍ଥଗମନ ଅନୁସାରେ ॥ ୧୧
ତ୍ରେତୟାଯୁଗେ ଭୃଗୁରାମ । ରାଜାଙ୍କୁ ବହି ଘୋରତମ ॥ ୧୨
ଦିଗବିଜୟେ ପର୍ଶୁପାଣି । ରାଜାଙ୍କୁ କୁରୁକ୍ଷେେତ୍ର ଆଣି ॥ ୧୩
କୋପେ ଛେଦିଲେ ତାଙ୍କ ମୁଣ୍ତ । ରୁଧିରେ କରି ସାତକୁଣ୍ତ ॥ ୧୪
ରୁଧିରକୁଣ୍ତ ସ୍ନାନ କରି । ପିତାଙ୍କୁ ତର୍ପଣେ ଉଦ୍ଧରି ॥ ୧୫
ତେଣୁ ହୋଇଲା ତୀର୍ଥକଳ୍ପ । ସ୍ନାନେ ହରଇ ସର୍ବପାପ ॥ ୧୬
ଏମନ୍ତେ ଜନେ ରାମତୀର୍ଥେ । ସ୍ନାହାନ ଦାନ ଯେଝାମତେ ॥ ୧୭
କରନ୍ତି ନିଗମ ବେଭାର । ଏବେ ହୋ ଶୁଣ କୁରୁବୀର ॥ ୧୮
ଭାରତଭୂମି ପ୍ରଜା ଯେତେ । ପୁତ୍ର କଳତ୍ର ଧନ ଯୁତେ ॥ ୧୯
ରାଜା ପରଜା ନରନାରୀ । ସଞ୍ଚପି କେ ତା କହିପାରି ॥ ୨୦
ଏମନ୍ତେ ଚାରିଦିଗୁଁ ଯେତେ । ପ୍ରବେଶ ହେଲେ କୁରୁକ୍ଷେତ୍ରେ ॥ ୨୧
ଜ୍ଞାନ ଅଜ୍ଞାନ ପାପ ଯେତେ । ସ୍ନାନେ ଖଣ୍ତିବେ ରାହୁଗ୍ରସ୍ତେ ॥ ୨୨
ସୁତୀର୍ଥେ ସ୍ନାନ ଦାନ ଫଳେ । ପାପୁଁ ତରିବେ ପୁଣ୍ୟବଳେ ॥ ୨୩
ଏତେ ବିଚାରି ପୁଣ୍ୟଧ୍ୟାୟି । ମିଳିଲେ କୁରୁକ୍ଷେତ୍ରେ ଯାଇ ॥ ୨୪
ଗୋବିନ୍ଦ ନନ୍ଦିଘୋଷ ରଥେ । ବସି ଚଳିଲେ ରାଜପଥେ ॥ ୨୫
ଶ୍ରୀକୃଷ୍ଣ ଯାନ୍ତେ କୁରୁକ୍ଷେତ୍ରେ । ସଜ ହୋଇଲେ ଜ୍ଞାତି ଗୋତ୍ରେ ॥ ୨୬
ଦେବକୀ ବସୁଦେବ ଘେନି । କୃଷ୍ଣର ଯେତେକ କାମିନୀ ॥ ୨୭
ପ୍ରଦ୍ୟୁମ୍ନ ଶାମ୍ବ କୃଷ୍ଣସୁତେ । ଶୁକ ସାରଣର ସହିତେ ॥ ୨୮
କୃତବର୍ମା ଯେ ଅନିରୁଦ୍ଧ । ପୁର ରଖନ୍ତି ଯେତେ ଯୋଧ ॥ ୨୯
ଉଗ୍ରସେନର ଯେତେ ବଳ । ସଜ ହୋଇଲେ କାମପାଳ ॥ ୩୦
ଏମନ୍ତେ ଗଲେ ଯଦୁଯୁଥେ । ଆରୋହି ଅଶ୍ୱ ଗଜ ରଥେ ॥ ୩୧
ନିଜ କାମିନୀ ଘେନି ସାଥେ । ଗମିଲେ କୁରୁକ୍ଷେେତ୍ର ପଥେ ॥ ୩୨
ଇନ୍ଦ୍ରର ସଙ୍ଗେ ଦେବବୃନ୍ଦେ । ଯେମନ୍ତେ ଗମନ୍ତି ଆନନ୍ଦେ ॥ ୩୩
ଗଗନେ ଗ୍ରସ୍ତ ଦିବାକର । ଦିବସେ ଦିଶିଲା ଅନ୍ଧାର ॥ ୩୪
ଗଗନେ ଦେଖି ରବିଗ୍ରାସ । ସକଳେ ହୋଇଲେ ହରଷ ॥ ୩୫
ଏମନ୍ତେ ରାହୁ ଗ୍ରାସ କାଳେ । ରାଜା ପରଜା ପୁଣ୍ୟଜଳେ ॥ ୩୬
କରନ୍ତି ସ୍ନାନ ଦାନ ବିଧି । ବେଦବଚନେ ଯେ ପ୍ରସିଦ୍ଧି ॥ ୩୭
ଗୋବିନ୍ଦ ଉପବାସ ଛଳେ । ହରଷେ ପଶି ତୀର୍ଥଜଳେ ॥ ୩୮
ବିପ୍ରଙ୍କୁ ବରି ଭଗବାନ । ଦେଲେ ସବତ୍ସା ଧେନୁଦାନ ॥ ୩୯
ବିବିଧ ଅଳଙ୍କାର ଭରି । କୋଟିଏ ଧେନୁ ଦାନ କରି ॥ ୪୦
ଅନ୍ନ ସୁବର୍ଣ୍ଣ ବସ୍ତ୍ର ଦାନ । ଆନନ୍ଦ ମନେ ଭଗବାନ ॥ ୪୧
ବିବିଧ ମତେ ଦାନ ଦେଇ । ତୀରେ ବସିଲେ କୃଷ୍ଣ ଯାଇ ॥ ୪୨
ଯାଦବ ଭୋଜ ସେହିମତେ । ସ୍ନାହାନ କଲେ ଯଥୋଚିତେ ॥ ୪୩
ଭୋଜନ ସାରି ସଙ୍ଗମେଳେ । ବସିଲେ ନାନା ବୃକ୍ଷତଳେ ॥ ୪୪
ଦେବକୀଦେବୀ ବସୁଦେବ । ବସିଲେ ରାମ ପଦ୍ନନାଭ ॥ ୪୫
ଏ ଆଦି କହିବି ମୁଁ କେତେ । କୃଷ୍ଣର ପତ୍ନୀ ସୁତ ଯେତେ ॥ ୪୬
ବୃକ୍ଷଙ୍କ ମୂଳେ ବିରାଜନ୍ତି । ଗଗନେ ଯେହ୍ନେ ତାରାପନ୍ତି ॥ ୪୭
ଏମନ୍ତେ ରାମହ୍ରଦତଟେ । ରାମ ଗୋବିନ୍ଦର ନିକଟେ ॥ ୪୮
କୃଷ୍ଣର ଦର୍ଶନେ ଆନନ୍ଦ । ଆସି ମିଳିଲେ ବନ୍ଧୁବୃନ୍ଦ ॥ ୪୯
ମତ୍ସ୍ୟ ଉଶୀନର କୋଶଳ । ବିଦର୍ଭ ଆଦି କୁରୁବଳ ॥ ୫୦
ସୃଞ୍ଜୟ କାମ୍ବୋଜ କୈକୟ । ଆନର୍ତ୍ତ କୁନ୍ତୀ ମଦ୍ରରାୟ ॥ ୫୧
କହିବି ଏକେ ଏକେ କେତେ । କେରଳ ଆଦି ରାଜା ଯେତେ ॥ ୫୨
ସୁହୃଦବନ୍ଧୁ ମିତ୍ରଜନ । ଅପରେ ଅନେକ ରାଜନ ॥ ୫୩
ନନ୍ଦ ଯଶୋଦା ଆଦି କରି । ଗୋପରେ ଯେତେ ନରନାରୀ ॥ ୫୪
ଗୋପୀଏ କୃଷ୍ଣରୁପ ଦେଖି । ଅଶ୍ରୁ ଗଳଇ ବେନି ଆଖି ॥ ୫୫
ଫୁଟିଲା ପଦ୍ମପ୍ରାୟ ନେତ୍ର । ନୀଳ କୁନ୍ତଳ ହୃଦ ଗାତ୍ର ॥ ୫୬
କି ଅବା ଦେବା ପଟାନ୍ତର । ଯାହା ରମିଲେ ଦାମୋଦର ॥ ୫୭
ଲୋଚନେ କରି ମନେ ଧ୍ୟାନ । ଅନ୍ତର କଲେ ଆଲିଙ୍ଗନ ॥ ୫୮
ପୁଲକେ ଅଙ୍ଗେ ରୋମରାଜି । ପ୍ରେମ ଆନନ୍ଦେ ଚକ୍ଷୁବୁଜି ॥ ୫୯
କଣ୍ଠକୁଣ୍ଠିତ ମଞ୍ଜୁବାଣୀ । ତା ଦେଖି କୃଷ୍ଣର ତରୁଣୀ ॥ ୬୦
ସୁହୃଦଭାବେ ଏକମେଳେ । କରନ୍ତି ଜଣେ ଜଣେ କୋଳେ ॥ ୬୧
ମୁଖେ ବିସ୍ମିତ ମନ୍ଦହାସେ । ଦୃଢେ ଯନ୍ତ୍ରିତ ସ୍ନେହପାଶେ ॥ ୬୨
ନିବିଡେ କୁଙ୍କୁମ ଲେପନ । ଭାବେ ଲଗାଇ ସ୍ତନେ ସ୍ତନ ॥ ୬୩
ଭୁଜେ କରନ୍ତି କୋଳେକୋଳେ । ଅଶ୍ରୁପୁରିତ ବେନିଡୋଳ ॥ ୬୪
କୃଷ୍ଣକାମିନୀ ଗୋପନାରୀ । ସେନେହ ଭାବ ମନେ ଧରି ॥ ୬୫
କହନ୍ତି କୃଷ୍ଣ କଥାମାନ । ସୁମରି କରନ୍ତି ରୋଦନ ॥ ୬୬
ଗୋପିଙ୍କୀ ବୋଧି କୃଷ୍ଣନାରୀ । କଥା ପ୍ରବନ୍ଧେ ମନ ହରି ॥ ୬୭
ସମସ୍ତେ ହୋଇଲେ ହରଷ । କୃଷ୍ଣର ଭାବ ମଧୁରସ ॥ ୬୮
ଏହି ପ୍ରକାରେ ବଧୁଜନେ । ଯେ ବିଧି ଯଥା ଅନୁମାନେ ॥ ୬୯
ଆଶିଷ ବଚନ୍ତେ କରନ୍ତି । କୁଳ କୁଶଳ ପଚାରନ୍ତି ॥ ୭୦
ଏକ ଆରକେ ବହି ବ୍ୟଥା । ଆନନ୍ଦେ କହେ କୃଷ୍ଣକଥା ॥ ୭୧
କୃଷ୍ଣଭକତି ହୃଦେ ଘେନି । ମିଳିଲେ ପାଣ୍ତବ ଜନନୀ ॥ ୭୨
ଭ୍ରାତ ଭଗିନୀଜନ ମଧ୍ୟେ । ପୁତ୍ର ପଉତ୍ର ଅନୁବନ୍ଧେ ॥ ୭୩
ପିତା ଜନନୀ ମୁଖ ଚାହିଁ । ଭାତୃକାମିନୀ ମଧ୍ୟେ ଥାଇ ॥ ୭୪
ଅନାଇଁ ଗୋବିନ୍ଦ ଶ୍ରୀମୁଖ । ଛାଡିଲା କଷ୍ଟ ଦୁଃଖ ଶୋକ ॥ ୭୫
ବସୁଦେବର ମୁଖ ଚାହିଁ । ବୋଲଇ ଶୋକଭର ହୋଇ ॥ ୭୬
କୁନ୍ତୀ ଉବାଚ
ହେ ଭ୍ରାତ ଏ ମୋହର ଜନ୍ମ । ମନୁଷ୍ୟ ମଧ୍ୟେ ହୀନକର୍ମ ॥ ୭୭
ଯେତେ ଆପଦ ମୋତେ ହୋଇ । ମୋ ତହୁଁ ଆନ କେବା ସହି ॥ ୭୮
ତେଡେ ଆପଦେ ନ ସୁମର । ଅଭାଗୀ ଜୀବନ ମୋହର ॥ ୭୯
ସୁହୃଦ ଜ୍ଞାତି ପୁତ୍ର ଭାଇ । ପିତା ଜନନୀ ଯାର ଥାଇ ॥ ୮୦
ଆପଦେ ନ କରନ୍ତି ଚିନ୍ତା । ତାହାକୁ ବାମଟି ବିଧାତା ॥ ୮୧
ଏମନ୍ତ କର୍ମ ମୋର ଭାବ । ତା ଶୁଣି ବୋଲେ ବସୁଦେବ ॥ ୮୨
ଶୁଣ ଗୋ ମାତ ମୋ ବଚନ । ଆମ୍ଭଙ୍କୁ ନ କର ନିନ୍ଦନ ॥ ୮୩
ଦେଖ ସଂସାରେ ଯେତେ ଲୋକ । ଈଶ୍ୱର କ୍ରୀଡାର କନ୍ଦୁକ ॥ ୮୪
ଈଶ୍ୱର ଯନ୍ତ୍ର ମଧ୍ୟେ ପଡି । କାର୍ଯ୍ୟ କାରଣେ ପଥ ହୁଡି ॥ ୮୫
ଈଶ୍ୱର ଆଜ୍ଞା ଅନୁମତେ । ପ୍ରାଣୀ ଭାଜନ୍ତି ନାନାପଥେ ॥ ୮୬
କଂସ ପ୍ରତାପେ ଆମ୍ଭେ ତାପୀ । ବୁଲିଲୁ ବନ ଦେଶବ୍ୟାପୀ ॥ ୮୭
ପୁଣି ମିଳିଲୁ ନିଜଦେଶେ । ଏସର୍ବ ଈଶ୍ୱର ଆଦେଶେ ॥ ୮୮
କହନ୍ତି ବସୁଦେବ ସ୍ନେହେ । ସଂସାରବନ୍ଧ ମାୟାମୋହେ ॥ ୮୯
ଶୁଣି ପ୍ରବୋଧ ପଣ୍ତୁରାଣୀ । ଭାବବଚନେ ହେଲା ତୁନି ॥ ୯୦
କହନ୍ତି ବ୍ୟାସଙ୍କ ନନ୍ଦନ । ଶ୍ରୀବାସୁଦେବ ଉଗ୍ରସେନ ॥ ୯୧
ଯାଦବେ ମାନ ଗଉରବେ । ପୂଜିଲେ ନୃପତିଙ୍କି ଭାବେ ॥ ୯୨
ରାଜାଏ କୃଷ୍ଣ ଦରଶନେ । ହରଷେ ପୂଜିଲେ ସୁମନେ ॥ ୯୩
ଶୁଣ ବିରାଟସୁତାସୁତ । ଗୋବିନ୍ଦ ସମୀପେ ଆଗତ ॥ ୯୪
ଜାହ୍ନବୀସୁତ ଦ୍ରୋଣଗୁରୁ । ଅମ୍ବିକାପୁତ୍ର ମହାମେରୁ ॥ ୯୫
ଗାନ୍ଧାରୀ ଘେନି ପୁତ୍ରଶତ । ଦ୍ରୌପଦୀ ସମୀପେ ଆଗତ ॥ ୯୬
ଶକୁନି ସଞ୍ଜୟ ବିଦୁର । ଏ ଆଦି ଯେତେ ନୃପବର ॥ ୯୭
ବିରାଟ ତୁଲେ କୁନ୍ତୀଭୋଜ । ଭୀଷ୍ମକ ନଗ୍ନଜିତ ରାଜ ॥ ୯୮
ଦ୍ରୁପଦ ପୁରୁଜିତ ବେନି । ଶଲ୍ୟ ଯେ ଧୃଷ୍ଟକେତୁ ଘେନି ॥ ୯୯
କାଶୀନୃପତି ଦମଘୋଷ । ବିଶାଳା ମିଥିଳାର ଈଶ ॥ ୧୦୦
ମଦ୍ରକ କଇକେୟ ଭାନୁ । ସଙ୍ଗେ ନୃପତି ଯୁଧାମନ୍ୟୁ ॥ ୧୦୧
ସୁଶର୍ମା ବାହ୍ଲୀକର ମେଳେ । ମିଳିଲେ ଯୁଧିଷ୍ଠିର ତୁଲେ ॥ ୧୦୨
ଷୋଳସହସ୍ର ଶତେ ନାରୀ । ଅଷ୍ଟ ଅଧିକ ଆଦି କରି ॥ ୧୦୩
ଦେଖି ବିସ୍ମୟେ ନୃପଗଣେ । ନମିଲେ କୃଷ୍ଣର ଚରଣେ ॥ ୧୦୪
ରାମଗୋବିନ୍ଦ ତୋଷମନେ । ରାଜାଙ୍କୁ ବସାଇ ଆସନେ ॥ ୧୦୫
ନାନା ପ୍ରକାରେ ପୂଜାବିଧି । ପୂଜିଲେ ବେଭାର ପ୍ରସିଦ୍ଧି ॥ ୧୦୬
ଆନନ୍ଦେ ସର୍ବ ନୃପବର । ଯଦୁଙ୍କୁ ବୋଲନ୍ତି ମଧୁର ॥ ୧୦୭
ହେ ଭୋଜପତି ଦୁମ୍ଭ ଜନ୍ମ । ସଂସାର ମଧ୍ୟେ ବଡ ଧନ୍ୟ ॥ ୧୦୮
ଯେ ହରି ଯୋଗୀଙ୍କି ଦୁର୍ଲ୍ଲଭ । ତୁମ୍ଭଙ୍କୁ ହୋଇଲେ ସୁଲଭ ॥ ୧୦୯
ଦୃଷ୍ଟିଗୋଚର କୃଷ୍ଣ ଦେଖି । ନିର୍ମଳ କଲ ଚର୍ମଆଖି ॥ ୧୧୦
ଯାର ବିଶ୍ରୁତି ଶ୍ରୁତିସ୍ତୁତ । ପବିତ୍ର କରଇ ଜଗତ ॥ ୧୧୧
ପାଦଉଦକ ସୁରଧୁନୀ । ପବିତ୍ର କରେ ପୁର ତିନି ॥ ୧୧୨
ସକଳଶାସ୍ତ୍ର ଯାର ବାଣୀ । ଜଗତ ତରେ ଯାହା ଶୁଣି ॥ ୧୧୩
କାଳଅନଳେ ଏ ଧରଣୀ । ଭାବେ ଭର୍ଜିତ ପ୍ରାୟ ମଣି ॥ ୧୧୪
ଯାହାର ଚରଣ ସ୍ପରଶେ । ଜୀବନ ପାଇ ଭାରା ନାଶେ ॥ ୧୧୫
ଏମନ୍ତ ପ୍ରଭୁ ମହାବାହୁ । ଆମ୍ଭଙ୍କୁ ଚଉବର୍ଗ ଦେଉ ॥ ୧୧୬
ସେ ହରି ନିତ୍ୟେ ତୁମ୍ଭ ପାଶେ । ନରକପଥ-ଗୃହବାସେ ॥ ୧୧୭
ତାର ଦର୍ଶନ ହାସ୍ୟରସ । ଅନୁଗମନ ପରିହାସ ॥ ୧୧୮
ଯୋନି ସମ୍ବନ୍ଧେ ପିଣ୍ତଦାନ । ନାନା ସମ୍ବନ୍ଧେ ଅନୁଧ୍ୟାନ ॥ ୧୧୯
ଏହା ପାଇଲ ତପ ଦାହି । ସ୍ୱର୍ଗାପବର୍ଗେ ବାଞ୍ଛା ନାହିଁ ॥ ୧୨୦
ଏମନ୍ତେ ରାଜାଙ୍କ ବଚନ । ଶୁଣି ହରଷ ଉଗ୍ରସେନ ॥ ୧୨୧
କହନ୍ତି ବ୍ୟାସଙ୍କର ବଳା । ନନ୍ଦ ଯେ କୁରୁକ୍ଷେେତ୍ର ଥିଲା ॥ ୧୨୨
ନିଜ ଗୋକୁଳ ସଙ୍ଗତରେ । ମିଳିଲା ଶ୍ରୀକୃଷ୍ଣ ଛାମୁରେ ॥ ୧୨୩
ଶକଟ ସାଜି ନାନାମତେ । ଅନେକ ପରଜା ସଙ୍ଗତେ ॥ ୧୨୪
ନନ୍ଦକୁ ଦେଖି ଯଦୁଗଣ । ଆସନ ତେଜିଲେ ତକ୍ଷଣ ॥ ୧୨୫
ପିଣ୍ତ ଯେସନେ ପ୍ରାଣ ପାଇ । ଉଠି ଆନନ୍ଦେ ସମ୍ଭାଷଇ ॥ ୧୨୬
ଚିତଦରଶନ କାତରେ । ହୃଦେ ଭିଡନ୍ତି ସ୍ନେହଭରେ ॥ ୧୨୭
ଆନନ୍ଦେ ଉଠି ବସୁଦେବ । ନନ୍ଦର ମିତ୍ର ପ୍ରିୟଭାବ ॥ ୧୨୮
କଂସର କୃତକ୍ଳେଶ ଯେତେ । ସର୍ବ ସୁମରି ଶୋକଚିତ୍ତେ ॥ ୧୨୯
କୃଷ୍ଣଙ୍କୁ ଘେନି ରାତ୍ରକାଳେ । ଯେମନ୍ତେ ଥୋଇଲା ଗୋକୁଳେ ॥ ୧୩୦
ତାହା ସୁମରି ଅତି ସ୍ନେହେ । ଚିତ୍ତଜଡିତ ମାୟାମୋହେ ॥ ୧୩୧
ପାଶେ ଯେ ଥିଲେ ରାମହରି । ନନ୍ଦ ଯଶୋଦା ପାଦ ଧରି ॥ ୧୩୨
ନମିଲେ ଅତି ସୁଖଭୋଳେ । ବସିଲେ ବେନିଜନ କୋଳେ ॥ ୧୩୩
ହୃଦରେ କରି ଆଲିଙ୍ଗନ । ବଦନୁ ନ ସ୍ପୁରେ ବଚନ ॥ ୧୩୪
ଯଶୋଦା ବେନି ଭୁଜେ ଧରି । ହୃଦେ ଲଗାଇ ନରହରି ॥ ୧୩୫
ପ୍ରାଣହୁଁ ଅତି ସ୍ନେହ ଭରି । ନିବିଡେ ଆଲିଙ୍ଗନ କରି ॥ ୧୩୬
ପରମାନନ୍ଦ ଲଭି ସୁଖ । ବେଗେ ହୁଡିଲା ମନଦୁଃଖ ॥ ୧୩୭
ନନ୍ଦ ରାମଙ୍କୁ କରି କୋଳ । ନୟନୁ ବହେ ଅଶ୍ରୁଜଳ ॥ ୧୩୮
ହୃଦେ ନିରୋପି ଦିବ୍ୟଜ୍ଞାନ । ଛାଡିଲା ଦୁଃଖ ଶୋକମାନ ॥ ୧୩୯
ଦେବକୀ ରୋହିଣୀ ଆନନ୍ଦେ । ଭାବେ ଲଗାଇ ହୃଦହୃଦେ ॥ ୧୪୦
ନିର୍ଭରେ ଆଲିଙ୍ଗନ କରି । ମିତ୍ର ସ୍ୱଭାବେ ବ୍ରଜେଶ୍ୱରୀ ॥ ୧୪୧
ବିପଦକାଳେ ମିତ୍ରଗୁଣ । ଶୋକେ ସୁମରି ପୁଣ ପୁଣ ॥ ୧୪୨
ବୋଲନ୍ତି ଯଶୋଦାକୁ ଚାହିଁ । କିସ ଉପମା ଦେବି ମୁହିଁ ॥ ୧୪୩
ଇନ୍ଦ୍ରସମ୍ପଦ ସୁଖ ଭୁଞ୍ଜି । କେ ପାରୁ ତୁମ୍ଭ ଋଣ ଶୁଝି ॥ ୧୪୪
ବେନି ବାଳକ ତୁମ୍ଭ ଘରେ । ପ୍ରାଣ ପୋଷିଲେ କଂସ ଡରେ ॥ ୧୪୫
ରାମଗୋବିନ୍ଦ ଭାଇ ବେନି । ତୁମ୍ଭେ ଯେ ପିଅର ଜନନୀ ॥ ୧୪୬
ପାଳିଲ ପୁତ୍ରହୁଁ ଅଧିକେ । ତୁମ୍ଭେ ଯେ ଧନ୍ୟ ବେନିଲୋକେ ॥ ୧୪୭
ପୋଷିଲ ପୁତ୍ରଭାବ ଘେନି । ଅନ୍ଧ ଯେସନେ ଚକ୍ଷୁବେନି ॥ ୧୪୮
କି ଆର ସଂସାର ବେଭାର । ତୁମ୍ଭର ନାହିଁ ପରାପର ॥ ୧୪୯
ଏମନ୍ତେ ଯଶୋଦାର ତୁଲେ । ଦେବକୀ ରୋହିଣୀ ବସିଲେ ॥ ୧୫୦
ଶୁଣ ରାଜନ ଚୁଡାମଣି । ଆନନ୍ଦେ ଗୋପର ତରୁଣୀ ॥ ୧୫୧
କୃଷ୍ଣଙ୍କୁ ଦେଖି ସୁଖଭୋଳେ । ନିରୋପି ନୟନେ ନିଶ୍ଚଳେ ॥ ୧୫୨
ଲଜ୍ଜା ଉପେକ୍ଷି ଗୋପୀବୃନ୍ଦ । ଚିରଦରଶନେ ଆନନ୍ଦ ॥ ୧୫୩
କୃଷ୍ଣର ବଦନ ଦେଖନ୍ତି । ଚକ୍ଷୁ ନିମିଷେ ନ ଚାଳନ୍ତି ॥ ୧୫୪
ଚାହାନ୍ତି କୃଷ୍ଣ ସର୍ବଅଙ୍ଗ । ଅଗ୍ନିକି ଯେସନେ ପତଙ୍ଗ ॥ ୧୫୫
କୃଷ୍ଣର ରୂପ ପ୍ରିୟଭାବେ । ହୃଦେ ଭରିଲେ ଦୃଷ୍ଟିମାର୍ଗେ ॥ ୧୫୬
ଆନନ୍ଦ ରୂପ ଭଗବାନ । ଅନ୍ତରେ କଲେ ଆଲିଙ୍ଗନ ॥ ୧୫୭
ଲଭିଲେ ନିଜ ପ୍ରିୟଭାବ । ଯେ ହରି ଯୋଗିଙ୍କି ଦୁର୍ଲ୍ଲଭ ॥ ୧୫୮
ଗୋପୀଙ୍କ ଭାବ ଦେଖି ହରି । ଅନନ୍ତମାୟା ଯୋଗ କରି ॥ ୧୫୯
କେହି ନ ଦେଖେ ରୂପ ଡୋଳେ । ମିଳିଲେ ଗୋପୀଙ୍କର ମେଳେ ॥ ୧୬୦
ପଚାରି ଗୋପୀଙ୍କ କୁଶଳ । କରନ୍ତି ଜଣେ ଜଣେ କୋଳ ॥ ୧୬୧
ବୋଲନ୍ତି ଜଗତମୋହନ । କୋମଳ ଗଭୀର ବଚନ ॥ ୧୬୨
ଶୁଣ ଗୋ ସଖୀଜନେ ମୋର । ମୁଁ ଯେ ରହିଲି ମଧୁପୁର ॥ ୧୬୩
ଅଇଲି ନିଜ କର୍ମ ଆଶେ । ଭାରା ନିବାରଣ ବିଶ୍ୱାସେ ॥ ୧୬୪
ଅନେକ ଦିନୁଁ ନାହିଁ ଦେଖା । ମୁହିଁ ତୁମ୍ଭର ନିଜ ସଖା ॥ ୧୬୫
ଈଶ୍ୱର ମାୟାରେ ସଂସାର । ସଂଯୋଗ ବିଯୋଗ ବେଭାର ॥ ୧୬୬
ପବନ ଯେହ୍ନେ ମେଘମାଳା । ଧରଣୀ ରେଣୁ ତୃଣ ତୁଳା ॥ ୧୬୭
କରଇ ସଂଯୋଗ ବିଯୋଗ । ଏମନ୍ତ ଈଶ୍ୱରର ଯୋଗ ॥ ୧୬୮
ମୋହରେ ଭାବ ଯେ କରନ୍ତି । ମୋ ତହୁଁ ଭିନ୍ନ ସେ ନୁହନ୍ତି ॥ ୧୬୯
ତୁମ୍ଭର ଭାଗ୍ୟ ଏ ସଂସାରେ । ଭାବେ ଭଜିଲ ମୋ ପୟରେ ॥ ୧୭୦
ମୁହିଁ ସକଳ ପ୍ରାଣୀଙ୍କର । ଆବୋରି ଭିତର ବାହାର ॥ ୧୭୧
କରଇ ସୃଷ୍ଟି ଆଦିଅନ୍ତ । ଯେହ୍ନେ ଜଡିତ ପଞ୍ଚଭୂତ ॥ ୧୭୨
ଉଭୟ ମହିମା ମୋହର । ଜ୍ଞାନୀଜନଙ୍କୁ ଅଗୋଚର ॥ ୧୭୩
ଏମନ୍ତେ ପ୍ରଭୁ ଭଗବାନ । ଗୋପିଙ୍କି କହି ତତ୍ତ୍ୱଜ୍ଞାନ ॥ ୧୭୪
ଗୋପୀଏ କୃଷ୍ଣର ବଚନ । ଶୁଣି ପାଇଲେ ଦିବ୍ୟଜ୍ଞାନ ॥ ୧୭୫
ନିର୍ଲୋଭ କୃଷ୍ଣ ରୂପ ଚାହିଁ । ବୋଲନ୍ତି ଶିରେ କର ଦେଇ ॥ ୧୭୬
ଭୋ ନାଥ ଶୁଣ ପଦ୍ମନାଭ । ଲଭିଲୁ ତୋ ଚରଣେ ଭାବ ॥ ୧୭୭
ତୋର ଚରଣ ହେ ଅନନ୍ତ । ଯୋଗୀଙ୍କ ହୃଦପଦ୍ମେ ସ୍ଥିତ ॥ ୧୭୮
ଅଜ୍ଞାନ ମାୟାର ପ୍ରବୋଧ । ଭୋ ନାଥ ତୋର ପଦ୍ମପାଦ ॥ ୧୭୯
ସଂସାର ଅନ୍ଧକାର କୂପେ । ପ୍ରାଣୀଯନ୍ତ୍ରିତ ତିନିତାପେ ॥ ୧୮୦
ତୋ ପଦ୍ମପାଦ ଚକ୍ରପାଣି । ତାହାଙ୍କ ତରିବା ନିଶୁଣି ॥ ୧୮୧
ଗୋପୀଏ କୃଷ୍ଣପାଦ ଧରି । ବୋଲନ୍ତି ତରିଲୁ ମୁରାରି ॥ ୧୮୨
ଆମ୍ଭର ତୋ ଚରଣେ ମନ । ଏ ବର ଦେବୁ ନାରାୟଣ ॥ ୧୮୩
ଏମନ୍ତ ଗୋପୀଙ୍କ ବଚନ । ଶୁଣି ସନ୍ତୋଷ ଭଗବାନ ॥ ୧୮୪
ହସି ବୋଲନ୍ତି ଦାମୋଦର । ପୂର୍ବହୁଁ ଦେଅଛୁ ବର ॥ ୧୮୫
ତୁମ୍ଭର ମୋ ଚରଣେ ମନ । ନିଶ୍ଚେ ପାଇବ ମୋର ସ୍ଥାନ ॥ ୧୮୬
ଏମନ୍ତେ ଗୋପିଙ୍କି ନିସ୍ତାରି । ନିଜ ଆସନେ ବିଜେ କରି ॥ ୧୮୭
ସେ ହରି ଚରଣକମଳେ । ମୋ ମନ ରହୁ ଧ୍ୟାନବଳେ ॥ ୧୮୮
ସୁଜନେ ଚିନ୍ତ ଦୃଢମନେ । ଗୋପୀଙ୍କ ପ୍ରାୟ ଶୁଦ୍ଧଧ୍ୟାନେ ॥ ୧୮୯
ପାଇବ ପରମକାରଣ । ତାରିବେ ପ୍ରଭୁ ନାରାୟଣ ॥ ୧୯୦
ଗୋପୀଙ୍କ ପ୍ରାୟ ଭାବେ ଧ୍ୟାୟି । ସକଳ କର୍ମେ ଭାବଗ୍ରାହୀ ॥ ୧୯୧
ପାଇ ନ ପାଇ କଲି ଆଶ । ବୋଲଇ ଜଗନ୍ନାଥ ଦାସ ॥ ୧୯୨
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ବୃଷ୍ଟିଗୋପସଙ୍ଗମୋନାମ
ଅଷ୍ଟଅଶୀତିତମ ଅଧ୍ୟାୟଃ
* * *