ଦଶମ ସ୍କନ୍ଧ
ଷଟ୍ଅଶୀତିତମ ଅଧ୍ୟାୟ
ଶୁକ ଚରଣେ ଦେଇ ଶିର । ବୋଲେ ପରୀକ୍ଷ ନୃପବର ॥ ୧
ପରୀକ୍ଷିତ ଉବାଚ
ଭୋ ମୁନି ଅନନ୍ତ ଚରିତ । ଶୁଣି ହୋଇଲି କୃତକୃତ୍ୟ ॥ ୨
ମହାତ୍ମା ଅନନ୍ତର ବାଣୀ । ଆତ୍ମା ପବିତ୍ର କଲି ଶୁଣି ॥ ୩
ଅପରେ କର୍ମ କଲେ ଯେତେ । ଅନନ୍ତ ବଳ ଅପ୍ରମିତେ ॥ ୪
ମାୟାମନୁଷ୍ୟ ରୂପ ଧରି । ଦେବେ ଅଦ୍ଭୂତ କର୍ମ କରି ॥ ୫
ଅଧର୍ମ ନାଶି ଧର୍ମରକ୍ଷା । ପୁରାଇ ସାଧୁ ମନବାଞ୍ଛା ॥ ୬
ହରିଲେ ଧରଣୀର ଭାର । ବ୍ରହ୍ମାଶଙ୍କରେ ଅଗୋଚର ॥ ୭
ଆବର କର୍ମ କଲେ ଯେତେ । ଭୋ ମୁନି କହ ମୋ ଅଗ୍ରତେ ॥ ୮
କୃଷ୍ଣଚରିତ ଅବିରତ । ଶୁଣି କେ ନୋହେ ତୋଷଚିତ୍ତ ॥ ୯
କାମ୍ୟ ସଙ୍କଳ୍ପେ ମୂଢକନ । ବିଷ୍ଣୁମାୟାରେ ହୋଇ ଛନ୍ନ ॥ ୧୦
ଯନ୍ତ୍ରିତ ହୋଇ ମାୟାପାଶ । ଦୁର୍ଲ୍ଲଭଜନ୍ମ କରେ ନାଶ ॥ ୧୧
କୃଷ୍ଣର ଗୁଣ ଶୁଦ୍ଧମନେ । ନିରତେ ଗୁଣେ ଯେ ବଚନେ ॥ ୧୨
ତାହାକୁ ବୋଲି ବାକ୍ୟସାର । ଅନ୍ୟ ପ୍ରଳାପ ଅନ୍ଧକାର ॥ ୧୩
ଯେ ହସ୍ତ କରେ ବିଷ୍ଣୁକର୍ମ । ତାହାକୁ ବୋଲି ହସ୍ତଧର୍ମ ॥ ୧୪
ସ୍ଥାବର ଜଙ୍ଗମରେ ହରି । ଅନ୍ତର ବାହ୍ୟେ ଛନ୍ତି ପୂରି ॥ ୧୫
ଏ ଭାବେ କରଇ ଯେ ଧ୍ୟାନ । ତାହାକୁ ବୋଲି ଶୁଦ୍ଧମନ ॥ ୧୬
କୃଷ୍ଣର ଗୁଣ କର୍ମ ବାଣୀ । ଯେ କର୍ଣ୍ଣେ ନିରନ୍ତରେ ଶୁଣି ॥ ୧୭
ତାହାକୁ କର୍ଣ୍ଣବୋଲି ଲେଖି । ଅନ୍ୟଥା ଭୂମିବିଳ ଲକ୍ଷ୍ୟ ॥ ୧୮
ସ୍ଥାବର ଆଦି ଯେତେ ଦେହୀ । ଏହାଙ୍କ ମଧ୍ୟେ ବିଷ୍ଣୁ ଥାଇ ॥ ୧୯
ଯେ ଜାଣି କରେ ନମସ୍କାର । ନିଶ୍ଚେ ତାହାକୁ ବୋଲି ଶିର ॥ ୨୦
କୃଷ୍ଣର ରୂପ ଯେ ଲୋଚନ । ନିରତେ କରେ ଦରଶନ ॥ ୨୧
ତାହାକୁ ବୋଲି ଚକ୍ଷୁ ଏକା । ଅନ୍ୟ ସେ ମୟୂରଚନ୍ଦ୍ରିକା ॥ ୨୨
ବିଷ୍ଣୁ ସେବକ ଯେତେ ଲୋକ । ତାହାଙ୍କ ଚରଣଉଦକ ॥ ୨୩
ଯାହାଙ୍କ ଶରୀରେ ଲାଗଇ । ସେ ପ୍ରାଣୀ ଧନ୍ୟ ଦେହ ବହି ॥ ୨୪
ସୂତ ଉବାଚ
ଏମନ୍ତ ଶୁଣି ରାଜା ମୁଖେ । ଶୁକ ଲୋଚନ ବୁଜି ସୁଖେ ॥ ୨୫
କୃଷ୍ଣଚରଣେ ମନ ଦେଇ । କହନ୍ତି ରାଜାମୁଖ ଚାହିଁ ॥ ୨୬
ଶୁକ ଉବାଚ
ଶୁଣ ହୋ ଅଭିମନ୍ୟୁବଳା । ପୂର୍ବେ ଦରିଦ୍ର ବିପ୍ରେ ଥିଲା ॥ ୨୭
ବିଦ୍ୟାପଠନେ ଗୁରୁଘରେ । ଗୋବିନ୍ଦ ଅବନ୍ତୀନଗରେ ॥ ୨୮
ତାହାର ସଙ୍ଗେ ହେଲେ ମିତ୍ର । ଏ କଥା ଇହଲୋକେ ଚିତ୍ର ॥ ୨୯
ସେ ବିପ୍ର ବେଦବିଦ୍ୟା ମଧ୍ୟେ । ଉତ୍ତମ ଇନ୍ଦ୍ରିଗଣ ସାଧ୍ୟେ ॥ ୩୦
ଗୃହସ୍ଥ ଆଶ୍ରମେ ବସଇ । ସ୍ୱଧର୍ମେ ଯେତେ ଧନପାଇ ॥ ୩୧
ସେ ଧନେ ପୋଷଇ ଜୀବନ । ନିରତେ କୃଷ୍ଣପାଦେ ମନ ॥ ୩୨
କୁତ୍ସିତବସ୍ତ୍ର ପରିଧାନ । କ୍ଷୁଧାରେ ଶରୀର ତା କ୍ଷୀଣ ॥ ୩୩
ତାର କାମିନୀ ପତିବ୍ରତା । ନିରତେ ସ୍ୱାମୀ ପାଦେ ଚିନ୍ତା ॥ ୩୪
ଏମନ୍ତେ ମହାଦୁଃଖ ସହି । ବୋଲେ ସ୍ୱାମୀର ମୁଖ ଚାହିଁ ॥ ୩୫
ଭୋ ନାଥ ସଂସାରର ସାର । ଦୁର୍ଲ୍ଲଭ ମନୁଷ୍ୟଶରୀର ॥ ୩୬
ପୂର୍ବେ ସଞ୍ଚିଲା ପୁଣ୍ୟ ନାହିଁ । ଦରିଦ୍ରପଣେ ଦେହ ବହି ॥ ୩୭
ଆହାରେ ହୋଇଲୁଁ ନିରାଶ । ଧିକ ଆମ୍ଭର ଗୃହବାସ ॥ ୩୮
ପୂର୍ବେ ନ ଦେଲୁ ବିପ୍ରହସ୍ତେ । ଏବେ ପାଇବୁ କେଉଁମତେ ॥ ୩୯
ହୋଇଲୁଁ ଦରିଦ୍ର ଜୀବନ । ଭୋ ନାଥ ଶୁଣ ମୋ ବଚନ ॥ ୪୦
ତୁମ୍ଭେ ଯେ ବୋଲୁଥାଅ ନିତ୍ୟେ । ମୁଁ ମିତ୍ର କୃଷ୍ଣର ସଙ୍ଗତେ ॥ ୪୧
ସେ ହରି ବ୍ରାହ୍ମଣବତ୍ସଳ । କରୁଣାସିନ୍ଧୁ ଆଦିମୂଳ ॥ ୪୨
ଅନାଥଜନ ନିସ୍ତାରଣ । ଶରଣ ପରମ କାରଣ ॥ ୪୩
ସାଧୁଜନଙ୍କର ସେ ଗତି । ନିଶ୍ଚିନ୍ତେ ଛନ୍ତି ଦ୍ୱାରାବତୀ ॥ ୪୪
ତାଙ୍କ ନିକଟେ ତୁମ୍ଭେ ଯାଅ । ଆମ୍ଭ ଦରିଦ୍ରପଣ କହ ॥ ୪୫
ମିତ୍ରକାମିନୀ ଦୁଃଖ ଶୁଣି । ଦୟାସାଗର ଚକ୍ରପାଣି ॥ ୪୬
ଅନେକ ଧନ ତୁମ୍ଭ ହସ୍ତେ । ଦେବେ ସେ ମିତ୍ରଭାବ ଅର୍ଥେ ॥ ୪୭
ତାହାଙ୍କ ପଦ୍ମପାଦେ ଚିତ୍ତ । ଯେ ପ୍ରାଣୀ ଚିନ୍ତେ ଅବିରତ ॥ ୪୮
ତାହାଙ୍କୁ ଆତ୍ମାପଦ ଦ୍ୟନ୍ତି । ଏ ତଥ୍ୟ ବେଦେ କହିଛନ୍ତି ॥ ୪୯
ଯେ ଅବା ଭୋଗଅର୍ଥେ ସେବେ । ଧର୍ମାଦି ଚତୁବର୍ଗ ଲଭେ ॥ ୫୦
ଏମନ୍ତ ମହିମା ତାଙ୍କର । ଭୋ ନାଥ ବିଳମ୍ବ ନ କର ॥ ୫୧
ଏମନ୍ତ ଶୁଣି ତା ବଚନ । ବ୍ରାହ୍ମଣ ବିଚାରିଇ ମନ ॥ ୫୨
ଏ ତ ପରମ ଭାଗ୍ୟ ମୋର । ଦେଖିବି ଶରଣସୋଦର ॥ ୫୩
ବଡ ପରମଲାଭ ମୋର । ଜନ୍ମ ମରଣ ଯିବ ଦୂର ॥ ୫୪
ବ୍ରାହ୍ମଣବତ୍ସଳ ଅନନ୍ତ । ସ୍ୱଭାବେ ମୁହିଁ ତାଙ୍କ ମିତ୍ର ॥ ୫୫
ପ୍ରାଣୀର ଭାବ ସେ ଜାଣନ୍ତି । ଯେଣୁ ସକଳ ହୃଦେ ଥାନ୍ତି ॥ ୫୬
କମଳା ସେବେ ଯା ଚରଣ । ମୁଁ ତାରେ ପଶିବି ଶରଣ ॥ ୫୭
ପତ୍ନୀବଚନେ ମୋ ଗମନ । ଗୋବିନ୍ଦ ଦେବେ ମୋତେ ଧନ ॥ ୫୮
ମିତ୍ର ଅଇରି ନାହିଁ ଯାର । ଭାବକୁ ବଶ ଆତ୍ମା ତାର ॥ ୫୯
ଏମନ୍ତ କରି ଅନୁମାନ । ପତ୍ନୀକି ବୋଲଇ ବଚନ ॥ ୬୦
ମିତ୍ରଭୂବନ ଯିବି ମୁହିଁ । ଭେଟିବି କିବା ଦ୍ରବ୍ୟ ଦେଇ ॥ ୬୧
ବନ୍ଧୁସୁହୃଦ ଗୃହଗତେ । ଯେ ପ୍ରାଣୀ ଗମେ ଶୂନ୍ୟହସ୍ତେ ॥ ୬୨
ଭାବ ନ ରହେ ବେନି ମଧ୍ୟେ । ନିନ୍ଦିତ ଶାସ୍ତ୍ର ଅନୁବାଦେ ॥ ୬୩
ଯେ ଅବା ଅଛି ମୋର ଘରେ । ଆଣ କଲ୍ୟାଣି ଉପହାରେ ॥ ୬୪
ଯିବଇଁ ମିତ୍ର ଦରଶନେ । ଏମନ୍ତେ ସ୍ୱାମୀର ବଚନେ ॥ ୬୫
ବିପ୍ରଘରଣୀ ଭିକ୍ଷାକରି । ପୃଥୁତଣ୍ତୁଳ ମୁଷ୍ଟି ଚାରି ॥ ୬୬
ଚିରାବସନେ ବାନ୍ଧି ଧୀରେ । ତକ୍ଷଣେ ଦେଲା ସ୍ୱାମୀ କରେ ॥ ୬୭
ପୃଥୁକ ଘେନି ଉପାୟେନ । ଚଳିଲା ଦ୍ୱାରକାଭୁବନ ॥ ୬୮
ବିପ୍ର ଚିନ୍ତଇ ପଥେ ଯାନ୍ତେ । କୃଷ୍ଣଙ୍କୁ ଭେଟିବି କେମନ୍ତେ ॥ ୬୯
ଦାରିଦ୍ର୍ୟ ଦୁଃଖ ଏ ମୋହର । ଯେ ହରି ବ୍ରହ୍ମାଣ୍ତଠାକୁର ॥ ୭୦
ଜାଣନ୍ତି ସକଳ ବେଦନା । ପ୍ରାଣୀଙ୍କ ହୃଦୟଭାବନା ॥ ୭୧
ସେ ପ୍ରଭୁ ସଂସାରଈଶ୍ୱର । ମୁହିଁ ଦରିଦ୍ର ଦୁରାଚାର ॥ ୭୨
ଯାଦବ ଭୋଜ ବୃଷ୍ଟି କରି । ବସି ଯେ ଥିବେ ଦେବହରି ॥ ୭୩
କେମନ୍ତେ ଦେବଇଁ ମୁଁ ଏହା । କିସ ବୋଲିବେ ଚଉବାହା ॥ ୭୪
ସଭାରେ ଯେତେ ଲୋକ ଥିବେ । ଦେଖିଣ କି ଅବା ବୋଲିବେ ॥ ୭୫
ଏମନ୍ତ ବିଚାରଇ ମନେ । ପଥେ ଗମଇ ସାବଧାନେ ॥ ୭୬
କଣ୍ଟକ ତୃଣ ଲତା ଗୁଳ୍ମ । ପାଷାଣ ପର୍ବତ ଦୁର୍ଗମ ॥ ୭୭
ଏମନ୍ତେ ଯାଇ କେତେ ଦୂରେ । ପ୍ରବେଶ ହେଲା ବନଘୋର ॥ ୭୮
ଘୋର ଗହନ ବନ ଜିଣି । ଗମଇ ଦିବସ ରଜନୀ ॥ ୭୯
ଅନେକ ପାଇ ପଥଶ୍ରମ । ମିଳିଲା ଦ୍ୱାରକାଭୁବନ ॥ ୮୦
ବୃଷ୍ଟି ଅନ୍ଧକ ଯଦୁପୁର । କି ଅବା ଦେବା ପଟାନ୍ତର ॥ ୮୧
ଯହିଁ ଗୋବିନ୍ଦ ଗୃହାଶ୍ରମୀ । ଷୋଳସହସ୍ର ନାରୀ ରମି ॥ ୮୨
ସେ ପୁରେ ବିପ୍ର ପରବେଶେ । ଜୀବ ଯେସନେ ବ୍ରହ୍ମେ ମିଶେ ॥ ୮୩
ମିଳିଲା ରୁକ୍ମିଣୀ ମନ୍ଦିର । ଯହିଁ ବିଜୟ ଚକ୍ରଧର ॥ ୮୪
ବିପ୍ର ମିଳିଲା ସେ ଭୁବନେ । ଭକତ ବନ୍ଧୁ ଦରଶନେ ॥ ୮୫
ଗୋବିନ୍ଦ ବିପ୍ର ମୁଖ ଦେଖି । ଉଠିଲେ ଆସନ ଉପେକ୍ଷି ॥ ୮୬
ପ୍ରିୟାର ସଙ୍ଗ ଛାଡ଼ି ହରି । ବିପ୍ରକୁ ଆଲିଙ୍ଗନ କରି ॥ ୮୭
ଭକତବନ୍ଧୁ ଦାମୋଦର । ହୃଦେ ଲଗାଇ ବିପ୍ରବର ॥ ୮୮
ଆନନ୍ଦେ ପୁଣ ପୁଣ କୋଳ । ନୟନୁ ବହେ ଅଶ୍ରୁଜଳ ॥ ୮୯
ପଲ୍ୟଙ୍କେ ମିତ୍ରକୁ ବସାଇ । ଚରଣ ଶୁଦ୍ଧଜଳେ ଧୋଇ ॥ ୯୦
ଶେଷ ଉଦକ ଶିରେ ଲଇଁ । ନମିଲେ ବ୍ରହ୍ମାଣ୍ତ ଗୋସାଇଁ ॥ ୯୧
ଯା ପାଦଜଳ ଗଙ୍ଗାନଦୀ । ପବିତ୍ର ଜଗତେ ପ୍ରସିଦ୍ଧି ॥ ୯୨
ଯା ନାମ ସର୍ବପାପ ହରେ । ସେ ବିପ୍ରପାଦ ବହେ ଶିରେ ॥ ୯୩
ଶ୍ରୀକରେ ଘେନି ଚତୁଃସମ । ସୌରଭ ଗନ୍ଧେ ମନୋରମ ॥ ୯୪
ଆନନ୍ଦେ ବିପ୍ରଅଙ୍ଗେ ବୋଳି । ଭକତବନ୍ଧୁ ବନମାଳୀ ॥ ୯୫
ଅଗୁରୁ ଧୂପ ଥୋଇ ପାଶେ । ପାଦ ପୋଛନ୍ତି ପୀତବାସେ ॥ ୯୬
କର୍ପୂର ବାସେ ଦୀପପନ୍ତି । ଆନନ୍ଦେ ଜାଳି ଯଦୁପତି ॥ ୯୭
ଚରଣ ପୂଜି ଷଡ଼ଅର୍ଘ୍ୟେ । ତାମ୍ବୁଳ ଦେଲେ ଅନୁରାଗେ ॥ ୯୮
କୁତ୍ସିତ ବସ୍ତ୍ର ଦ୍ୱିଜବର । ଦୁଃଖେ ମଳିନ କଳେବର ॥ ୯୯
କୁତ୍ସିତ ବସ୍ତ୍ର ଦ୍ୱିଜବର । ଦୁଃଖେ ମଳିନ କଳେବର ॥ ୧୦୦
କ୍ଷୁଧା ଅନଳେ କମ୍ପେ କାୟେ । ଶିରା ଦିଶଇ ସର୍ବଦେହେ ॥ ୧୦୧
ଦିବ୍ୟଚାମର କରେ ଘେନି । ବିଞ୍ଚନ୍ତି ଭୀଷ୍ମକନନ୍ଦିନୀ ॥ ୧୦୨
କୃଷ୍ଣର ଅନ୍ତଃପୁର ନାରୀ । ବିପ୍ରଙ୍କୁ ଦେଖନ୍ତି ଉଭାରି ॥ ୧୦୩
କୃଷ୍ଣର ସେବା ଅନୁମାନେ । ଦେଖନ୍ତି ବିସ୍ମିତ ବଦନେ ॥ ୧୦୪
ଏକ ଆରେକ ମୁଖ ଚାହିଁ । ବୋଲନ୍ତି ଗାଲେ ହସ୍ତ ଦେଇ ॥ ୧୦୫
ଦେଖ ଏହାର ତପଫଳ । ଯାର ସେବକ ନନ୍ଦବାଳ ॥ ୧୦୬
ଏମନ୍ତ ନାହିଁ ନା ଦେଖିଲା । ପୂର୍ବେ ଏ କେତେ ପୁଣ୍ୟ କଲା ॥ ୧୦୭
ରୂପ ଦିଶଇ ବିପରୀତ । କେଶ ଖାଙ୍କର ଅବଧୂତ ॥ ୧୦୮
ଦେଖ ଏ ଅଧମ ନିର୍ଦ୍ଧନ । ଇହ ସଂସାରେ କ୍ରିୟାହୀନ ॥ ୧୦୯
ଏହାର ଦେହେ ନନ୍ଦବଳା । ଶ୍ରୀଭୁଜେ ଆଲିଙ୍ଗନ କଲା ॥ ୧୧୦
ଲକ୍ଷ୍ମୀର ସଙ୍ଗ ସ୍ନେହ ତେଜି । ଆନନ୍ଦେ ବେନିଚକ୍ଷୁ ବୁଜି ॥ ୧୧୧
ଆନନ୍ଦେ ତୋଳି ବେନି ଭୁଜେ । ଯେସନେ ବଳଭଦ୍ରେ ଭଜେ ॥ ୧୧୨
ଏମନ୍ତ ବୋଲୁଁ ପୁରଜନେ । ଗୋବିନ୍ଦ ଗଭୀର ବଚନେ ॥ ୧୧୩
ଗୁରୁଭୁବନେ ବାଲ୍ୟକାଳେ । ଥିଲେ ଯେ ବିଦ୍ୟାସଙ୍ଗ ମେଳେ ॥ ୧୧୪
ସେ କଥା ଗୋବିନ୍ଦ ସୁମରି । କହନ୍ତି ମିତ୍ର ହସ୍ତ ଧରି ॥ ୧୧୫
ଲଳିତ ଗଦି ଦାମୋଦର । ବୋଲନ୍ତି ଶୁଣ ବିପ୍ରବର ॥ ୧୧୬
କାଷ୍ଠ ଆଣିବା ଦିନ ଯେତେ । ଦୁଃଖ ପାଇଣ ଅଛୁଁ ମିତେ ॥ ୧୧୭
ସେ କଥା ଅଛିଟିକି ମନ । ହସି ବୋଲନ୍ତି ଭଗବାନ ॥ ୧୧୮
ଗୁରୁଦକ୍ଷିଣା ଆମ୍ଭେ ଦେଇ । ପୁରେ ଅଇଲୁ ବେନିଭାଇ ॥ ୧୧୯
ତୁମ୍ଭେ ଯେ ବିଦ୍ୟା ସମାପତେ । ନିଜଭୁବନେ ଉପଗତେ ॥ ୧୨୦
ଉତ୍ତମକୁଳେ କନ୍ୟା ବରି । ବିଭା ହୋଇଲ ନିକି ନାରୀ ॥ ୧୨୧
ତାହା ମୁଁ ନ ମଣଇ ସତ । ଦେଖି ତୁମ୍ଭର ଦୁଃଖ ଚିତ୍ତ ॥ ୧୨୨
ଗୃହକରେଣ କାମଭୋଗେ । ତୁମ୍ଭର ମନ ବଇରାଗେ ॥ ୧୨୩
ନିରେଖ ପ୍ରାୟ ମୁଁ ମଣଇଁ । ବୋଲନ୍ତି ପ୍ରଭୁ ଭାବଗ୍ରାହୀ ॥ ୧୨୪
ଥୋକାଏ ଲୋକ ଏ ସଂସାରେ । କର୍ମ ସାଧନ୍ତି ନିଜଘରେ ॥ ୧୨୫
କର୍ମେ ନୁହନ୍ତି ହତଚେତା । ସଂସାର ଗୃହେ ମୁହିଁ ଯଥା ॥ ୧୨୬
ଭୋ ମିତ୍ର ଗୁରୁଗୃହେ ଥାଇ । ବିଦ୍ୟା ପଢିଲୁଁ ବେନିଭାଇ ॥ ୧୨୭
ତୁମ୍ଭର ସଙ୍ଗେ ଶିଶୁମେଳେ । ଯେ ଅବା କଲୁଁ ବାଳକାଳେ ॥ ୧୨୮
ଗୁରୁ କହନ୍ତି ଜ୍ଞାନସାର । ଯେଣେ ନ ଲାଗେ ଏ ସଂସାର ॥ ୧୨୯
ଯେ ଗୁରୁ ପୁଣ୍ୟକର୍ମଫଳେ । ଜନ୍ମ ଲଭିଲୁଁ ମହୀତଳେ ॥ ୧୩୦
ସେ ଆଦିଗୁରୁ ଜନ୍ମକର୍ତ୍ତା । ତହୁଁ ଅଧିକ ବିଦ୍ୟାଦାତା ॥ ୧୩୧
ତା ତହୁଁ ଶ୍ରେଷ୍ଠ ଜ୍ଞାନଗୁରୁ । ମହିମା କେବା ଅନ୍ତ କରୁ ॥ ୧୩୨
ଆଶ୍ରମୀ ଜନ କାମଦାତା । ମୁଁ ଯେହ୍ନେ ଜ୍ଞାନଗୁରୁ କର୍ତ୍ତା ॥ ୧୩୩
ଯେ ପ୍ରାଣୀ ବର୍ଣ୍ଣାଶ୍ରମ ମଧ୍ୟେ । ପଣ୍ତିତ ଶାସ୍ତ୍ର ଅନୁବାଦେ ॥ ୧୩୪
ମୋର ବଚନ ଉପଦେଶେ । ସଂସାରୁ ତରନ୍ତି ବିଶ୍ୱାସେ ॥ ୧୩୫
ଯଜ୍ଞ ସମାଧି ତପ ଶାନ୍ତି । ଏ ମାର୍ଗେ ଯେ ମୋତେ ସେବନ୍ତି ॥ ୧୩୬
ତାହାଙ୍କୁ ଯେତେ ନାହିଁ ତୋଷ । ଗୁରୁଭକତେ ମୋ ବିଶ୍ୱାସ ॥ ୧୩୭
ହେ ବିପ୍ର ଶୁଣ ମିତ୍ର ମୋର । ସ୍ମରଣ ଅଛିକି ତୁମ୍ଭର ॥ ୧୩୮
ଆ୍ରମ୍ଭେ ଯେ ଗୁରୁଗୃହେ ଥାଇ । ଗୁରୁକାମିନୀ ଆଜ୍ଞା ପାଇ ॥ ୧୩୯
ଗୁରୁଙ୍କ ଅନ୍ନସିଦ୍ଧ ଅର୍ଥେ । ଅରଣ୍ୟେ ପଶିଲୁ ସମସ୍ତେ ॥ ୧୪୦
ଶୁଖିଲା କାଷ୍ଠ ଆଣିବାରେ । ମିଳିଲୁ ଘୋର ବନସ୍ତରେ ॥ ୧୪୧
ଏମନ୍ତେ ଅପଋତୁ କାଳେ । ଗଗନେ ମିଳି ମେଘମାଳେ ॥ ୧୪୨
ଦିବସେ କଲେ ଅନ୍ଧକାର । ବାତ ବରଷା ମହାଘୋର ॥ ୧୪୩
ନିଷ୍ଠୁର ବଜ୍ରଘାତ ତ୍ରାସ । ବନେ ନ ଦିଶେ ଦଶଦିଶ ॥ ୧୪୪
ତକ୍ଷଣେ ରବି ଅସ୍ତ ଗଲା । ଘୋର ତିମିର ପ୍ରକାଶିଲା ॥ ୧୪୫
ଶୁଖିଲା କାଷ୍ଠ ଘେନି କରେ । ଆମ୍ଭେ ବୁଲିଲୁ ସ୍ଥାନ ଖୋଜି ॥ ୧୪୬
ଜଳେ ପୂରିଲା ବନଭୂଇଁ । ସ୍ଥଳ ଗଭୀର ନ ଦିଶଇ ॥ ୧୪୭
ଜଳ ପବନ ଦେହେ ବାଜି । ଆମ୍ଭେ ବୁଲିଲୁ ବନଘୋରେ ॥ ୧୪୮
ଏକ ଆରକେ ହସ୍ତ ଧରି । ଦିଗ ନ ପାରୁ ସ୍ଥିର କରି ॥ ୧୪୯
କାତରେ ଉଠି ବୃକ୍ଷଡାଳେ । ରାତ୍ରେ ବଞ୍ଚିଲୁ ସଙ୍ଗ ମେଳେ ॥ ୧୫୦
ଏମନ୍ତେ ରଜନୀ ପାହିଲା । ରବି କିରଣ ପ୍ରକାଶିଲା ॥ ୧୫୧
ଗୁରୁକାମିନୀ ଗୁରୁ ତୁଲେ । ଆମ୍ଭଙ୍କୁ ଖୋଜି ପ୍ରାତଃକାଳେ ॥ ୧୫୨
ମିଳିଲେ ବନଭୂମି ଲାଗେ । ସେ ପତିପତ୍ନୀ ଏକସଙ୍ଗେ ॥ ୧୫୩
ଡାକନ୍ତି ମୁଖେ ନାମ ଧରି । ଖୋଜନ୍ତି ଘୋରବନେ ହେରି ॥ ୧୫୪
ଶବଦ ଶୁଣି ଘୋର ବନେ । ଆମ୍ଭେ ମିଳିଲୁ ତୋଷମନେ ॥ ୧୫୫
ଆତୁରେ ଶୁଖିଛି ବଦନ । ଆମ୍ଭଙ୍କୁ ଦେଖି ତୋଷମନ ॥ ୧୫୬
ଆମ୍ଭର ଦୁଃଖ ମୁଖ ଚାହିଁ । ଗୁରୁ ବୋଲନ୍ତି ତୋଷ ହୋଇ ॥ ୧୫୭
ହେ ଶିଷ୍ୟ ପୁତ୍ର ମୋର ଅର୍ଥେ । ଅଇଲ ଗହନ ବନସ୍ତେ ॥ ୧୫୮
ଦୁର୍ଲ୍ଲଭ ପ୍ରାଣ ଏ ଜଗତେ । ଏହା ନ ଗଣି ମୋର ଅର୍ଥେ ॥ ୧୫୯
ଦୁଃଖେ ଭ୍ରମିଲ ଘୋରବନେ । ମୁଁ ଆଜ ହୋଇଲି ପ୍ରସନ୍ନ ॥ ୧୬୦
ଯେତେ ତୁମ୍ଭର ମନୋରଥ । ମୋର କଲ୍ୟାଣେ ହେଉ ସାର୍ଥ ॥ ୧୬୧
ତୁମ୍ଭର ବିଦ୍ୟା ତିନିଲୋକେ । ଅକ୍ଷୟ ହୋଇଥାଉ ସୁଖେ ॥ ୧୬୨
ଏମନ୍ତ କଲେ ସେ କଲ୍ୟାଣ । କୃଷ୍ଣ ବୋଲନ୍ତି ମିତ୍ର ଶୁଣ ॥ ୧୬୩
ଏମନ୍ତେ ନାନା କଉତୁକେ । ବଞ୍ଚିଲୁ ଗୁରୁଗୃହେ ସୁଖେ ॥ ୧୬୪
ଗୁରୁପ୍ରସନ୍ନେ ବିଦ୍ୟା ଜାଣି । ବ୍ରାହ୍ମଣ ବୋଲେ ତାହା ଶୁଣି ॥ ୧୬୫
ତୁ ନାଥ ଦେବଙ୍କର ଗୁରୁ । ବିପାକ ଫଳକୁ ବିଚାରୁ ॥ ୧୬୬
ଗୁରୁଭବନେ ତୋର ମେଳେ । ମୁଁ ଯେ ବଞ୍ଚିଲି ବାଳକାଳେ ॥ ୧୬୭
ତୋ ସଙ୍ଗ ପାଇ ପୂର୍ଣ୍ଣକାମ । କାହୁଁ ଲାଗିବ ଭବଭ୍ରମ ॥ ୧୬୮
ଦେବଙ୍କ ସ୍ଥାନ ତୋ ଶରୀର । ତୁ ଆଦି ଧର୍ମ ନିରାକାର ॥ ୧୬୯
ସର୍ବସମ୍ଭବ ତୋ ଶରୀରେ । ତୋ ସଙ୍ଗେ ଗୁରୁଙ୍କ ନବରେ ॥ ୧୭୦
ମୁଁ ଥିଲି ବୋଲିବ କେ ଜନ । ଏ ବଡ଼ ଶାସ୍ତ୍ର ବିଡ଼ମ୍ବନ ॥ ୧୭୧
ପୂର୍ବ ବାସନା ପୁଣ୍ୟଫଳେ । ଭେଟ ହୋଇଲା ଏହିଠାରେ ॥ ୧୭୨
କୃଷ୍ଣପ୍ରସନ୍ନେ ଭାଗବତ । କହଇ ବିପ୍ର ଜଗନ୍ନାଥ ॥ ୧୭୩
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ଶ୍ରୀଦାମଚରିତେ ଷଟ୍ଅଶୀତିତମ ଅଧ୍ୟାୟଃ ॥
* * *