ଦଶମ ସ୍କନ୍ଧ

ପଞ୍ଚଅଶୀତିତମ ଅଧ୍ୟାୟ

ଶୁକ ଉବାଚ

ଶୁକ କହନ୍ତି ରାଜା ଆଗେ । ରାକ୍ଷସ ମିଳି ଯଜ୍ଞଭାଗେ ॥

ଶଶୀପାର୍ବଣ ରାତ୍ରକାଳେ । ପ୍ରଚଣ୍ତ ବାତ ସଙ୍ଗ ମେଳେ ॥

ଧୂଳି ପୁରିଲା ଦଶଦିଶେ । କୁତ୍ସିତ ଯୂପ ଗନ୍ଧବାସେ ॥

ବଲ୍ୱଳବୀର ମହାରୋଷେ । ଆଚ୍ଛାଦି ଅମେଧ୍ୟ ବରଷେ ॥

ଯଜ୍ଞନାଶନେ ମହାବୀର । ମାୟା ପ୍ରକାଶେ ଅନ୍ଧକାର ॥

ଭୟେ ଚାହାନ୍ତି ବ୍ରହ୍ମମୁନି । ମିଳିଲା ହସ୍ତେ ଶୂଳ ଘେନି ॥

ଘୋର ପ୍ରଚଣ୍ତ ମହାକାୟେ । ଓଷ୍ଠ କାମୋଡି କୋପେ ଚାହେଁ ॥

ତାର ବଦନ ଚାରିପାଶେ । ଅନଳଖଣ୍ତ ପ୍ରାୟ ଦିଶେ ॥

ତପତତମ୍ବା ପ୍ରାୟ ଦାଢି । ବଦନୁ ଶୁଭେ ଘୋରରଡି ॥

ବିକଟଦନ୍ତ ତାର ମୁଖେ । ଭ୍ରୁକୁଟି କୁଟିଳ ସୁରେଖେ ॥ ୧୦

ଦେଖି ତାହାର ଦୁଷ୍ଟମତି । ହଳ ସୁମରି ହଳପତି ॥ ୧୧

ହସ୍ତ ପାତିଲେ ଶୂନ୍ୟମାର୍ଗେ । ହଳ ମିଳିଲା ଆସି ବେଗେ ॥ ୧୨

ଘୋରଦାନବ ନିବାରଣେ । ମୁଷଳ ମିଳିଲା ତକ୍ଷଣେ ॥ ୧୩

ଗଗନେ ଦେଖି ତା ଶରୀର । ଲଙ୍ଗଳ ଅଗ୍ରେ ନୀଳାମ୍ବର ॥ ୧୪

ଆକର୍ଷି ଆଣି ଯଜ୍ଞଦାଣ୍ତେ । ମୁଷଳ ପ୍ରହାରିଲେ ମୁଣ୍ତେ ॥ ୧୫

ତକ୍ଷଣେ ହୋଇ ଖଣ୍ତ ଖଣ୍ତ । ତଳେ ପଡିଲା ମୃତପିଣ୍ତ ॥ ୧୬

ରୁଧିର ଗଳେ ତା ବଦନେ । ପ୍ରାଣ ଛାଡିଲା ଘୋରସ୍ୱନେ ॥ ୧୭

ଶବଦ ଦଶଦିଗେ ପୁରି । ବାସବ ବଜ୍ରେ ଯେହ୍ନେ ଗିରି ॥ ୧୮

ଅବନୀ ହୋଇଲା ଉଶ୍ୱାସ । ବ୍ରାହ୍ମଣେ ମିଳି ରାମ ପାଶ ॥ ୧୯

କଲ୍ୟାଣ କରନ୍ତି ଆନନ୍ଦେ । ନିଗମ ବାକ୍ୟ ଅନୁବାଦେ ॥ ୨୦

ପୁଷ୍ପ ବରଷି ସ୍ତୁତି ଭଣି । ସୁନ୍ଦର ଦିଶଇ ଧରଣୀ ॥ ୨୧

ରାମେ ପୁଜିଲେ ମହାଜନେ । ବୃତ୍ତ ବିନାଶେ ଇନ୍ଦ୍ରେଯେହ୍ନେ ॥ ୨୨

ନାନା କୁସୁମେ ପରିମଳ । ହୃଦେ ଲମ୍ବାଇ ବନମାଳ ॥ ୨୩

ନୀଳଦୂକୁଳ ରତ୍ନମଣି । ପୂଜିଲେ ହରଷରେ ଘେନି ॥ ୨୪

ବ୍ରାହ୍ମଣେ ହୋଇ ଅନୁଜ୍ଞାତ । ହରଷେ ରୋହିଣୀର ସୁତ ॥ ୨୫

ଚଳିଲେ ତୀର୍ଥର କାରଣେ । ମିଳିଲେ କଉଶିକୀ ସ୍ଥାନେ ॥ ୨୬

ତକ୍ଷଣେ କଉଶିକୀ ଜଳେ । ସ୍ନାନ ସାରିଲେ ବିପ୍ରମେଳେ ॥ ୨୭

ପିତୃତର୍ପଣ ସାରି ତୀରେ । ମିଳିଲେ ମାନସରୋବରେ ॥ ୨୮

ସରଯୂ ଅନୁସ୍ରୋତେ ଚଳି । ବେଣୀ-ପ୍ରୟାଗେ ଯାଇ ମିଳି ॥ ୨୯

ଗଙ୍ଗା ଯମୁନାର ସଙ୍ଗମେ । ପ୍ରୟାଗ ତୀର୍ଥେ ଶୁଦ୍ଧମନେ ॥ ୩୦

ରାମ ସାରିଲେ ନିତ୍ୟକର୍ମ । ପିତୃଦେବଙ୍କୁ ଜଳଦାନ ॥ ୩୧

ପୁଲହାଶ୍ରମ ତହୁଁ ଗଲେ । ଋଷି ବ୍ରାହ୍ମଣଙ୍କର ତୁଲେ ॥ ୩୨

ସୁଖେ ଗମନ ଯଦୁପତି । ମିଳିଲେ ଗଣ୍ତକୀ ଗୋମତୀ ॥ ୩୩

ବିପାଶା ଶୋଣନଦୀ ଜିଣି । ଗୟା ଗମିଲେ ହଳପାଣି ॥ ୩୪

ପିଣ୍ତେ ଉଦ୍ଧରି ପିତୃଗଣ । ତହୁଁ ଚଳିଲେ ତୋଷମନ ॥ ୩୫

ତହୁଁ କେତେ ହେଁ ଦିନେ ହଳୀ । ଗଙ୍ଗାସାଗରେ ଯାଇ ମିଳି ॥ ୩୬

ସ୍ନାନ ସାରିଣ କାମପାଳ । ପ୍ରବେଶ ହେଲେ ନୀଳାଚଳ ॥ ୩୭

ସମୁଦ୍ରେ ସାରିଲେ ସ୍ନାହାନ । ତହୁଁ ଚଳିଲେ ତୋଷମନ ॥ ୩୮

ମିଳିଲେ ମହେନ୍ଦ୍ର ଆଶ୍ରମେ । ତହିଁ ଭେଟିଲେ ପର୍ଶୁରାମେ ॥ ୩୯

ତାହାଙ୍କୁ କରି ନମସ୍କାର । ଗମନ କଲେ ହଳଧର ॥ ୪୦

ସପତ ଗୋଦାବରୀ ବେଣୀ । ପମ୍ପା ଯେ ଭୀମରଥୀ ଜିଣି ॥ ୪୧

କାର୍ତ୍ତିକେୟଙ୍କୁ ଦେଖିବାରେ । ମିଳିଲେ ଯାଇ ଶ୍ରୀଶଇଳେ ॥ ୪୨

ରୁଦ୍ରଙ୍କୁ କରି ନମସ୍କାର । ଦ୍ରାବିଡେ ଗଲେ ହଳଧର ॥ ୪୩

ବେଙ୍କଟପ୍ରଭୁ ଦରଶନ । ଆନନ୍ଦେ ରୋହିଣୀ ନନ୍ଦନ ॥ ୪୪

କରି ଚଳିଲେ ତପନିଷ୍ଠୀ । ପୁଣି ମିଳିଲେ କାମକୋଟୀ ॥ ୪୫

କାଞ୍ଚିକାବେରୀ ତହୁଁଗଲେ । ଯୋଗୀଜନଙ୍କ ସଙ୍ଗମେଳେ ॥ ୪୬

ଶ୍ରୀରଙ୍ଗତୀର୍ଥ ତହିଁ କରି । ନିତ୍ୟ ସଂସ୍ଥିତ ଯହିଁ ହରି ॥ ୪୭

ଋଷଭଗିରି ବିଷ୍ଣୁସ୍ଥାନ । ତହୁଁ ଚଳିଲେ ମଧୁବନ ॥ ୪୮

ଦକ୍ଷିଣପଥେ ଅପ୍ରମାଦେ । ତହୁଁ ଚଳିଲେ ସେତୁବନ୍ଧେ ॥ ୪୯

ଦୁରିତ ଦହେ ଦରଶନେ । ଶ୍ରୀରାମେ ପୂଜି ତୋଷମନେ ॥ ୫୦

ରଘୁନାଥଙ୍କ ପ୍ରୀତୀ ଅର୍ଥେ । ଧେନୁ ଉତ୍ସର୍ଗିଲେ ଅୟୁତେ ॥ ୫୧

ତହୁଁ ଆନନ୍ଦେ କାମପାଳ । ମିଳିଲେ ପୁଣ୍ୟ କୃତମାଳ ॥ ୫୨

ତହୁଁ ଚଳିଲେ ତାମ୍ରପର୍ଣ୍ଣୀ । ସଙ୍ଗେ ଅନେକ ବିପ୍ର ଘେନି ॥ ୫୩

ମଳୟ କୁଳାଚଳ ଦେଶେ । ମିଳିଲେ ଅଗସ୍ତିଙ୍କ ପାଶେ ॥ ୫୪

ଚରଣେ କରି ନମସ୍କାର । ଆଶିଷ ଘେନି ତାହାଙ୍କର ॥ ୫୫

ଦକ୍ଷିଣସିନ୍ଧୁତୀରେ ମିଳି । ରାମ ଦେଖିଲେ ଭଦ୍ରକାଳୀ ॥ ୫୬

ଦୁର୍ଗା ନିକଟୁ କୁମ୍ଭମାସେ । ରାମ ଚଳିଲେ ମନତୋଷେ ॥ ୫୭

ଉତ୍ତମ ପଞ୍ଚଅପସର । ତହୁଁ ଚଳିଲେ ହଳଧର ॥ ୫୮

ଯହିଁ ଗୋବିନ୍ଦ ସନ୍ନିହିତ । ଧେନୁ ଉତ୍ସର୍ଗିଲେ ଅୟୁତ ॥ ୫୯

ତହୁଁ ଆନନ୍ଦେ ବଳରାମ । କେରଳ ନଗରେ ଆଗମ ॥ ୬୦

ତ୍ରିଗର୍ତ୍ତଦେଶ ତହୁଁ ଦେଖି । ରାମ ମିଳିଲେ ଜ୍ୱାଳାମୁଖୀ ॥ ୬୧

ଗୋକର୍ଣ୍ଣତୀର୍ଥ ମହାସ୍ଥାନ । ଯହିଁ ଧୂର୍ଜ୍ଜଟି ସନ୍ନିଧାନ ॥ ୬୨

ତହୁଁ ଭେଟିଲେ ଆର୍ଯ୍ୟାଦେବୀ । ବ୍ୟାସନନ୍ଦିନୀ ପାଦେ ସେବି ॥ ୬୩

ତାପ୍ତୀ ପୟୋଷ୍ଣୀ ବିନ୍ଧ୍ୟା ସେବି । ଦଣ୍ତକାରଣ୍ୟ ପୁଣ୍ୟଭୁବି ॥ ୬୪

ତହୁଁ ଗମନ ରେବାତୀରେ । ପ୍ରବେଶ ମାହିଷ୍ମତୀପୁରେ ॥ ୬୫

ସ୍ନାହାନ ସାରି ମନୁତୀର୍ଥେ । ଧେନୁ ଉତ୍ସର୍ଗ ଶିବ ଅର୍ଥେ ॥ ୬୬

ସନ୍ତୋଷେ ରୋହିଣୀ ନନ୍ଦନ । ପୁଣି ପ୍ରଭାସେ ଆଗମନ ॥ ୬୭

ବନ୍ଦିଲେ ବିପ୍ରଙ୍କ ଚରଣ । ଶୁକ ବୋଲନ୍ତି ରାୟ ଶୁଣ ॥ ୬୮

କୁରୁପାଣ୍ତବ ଯୁଦ୍ଧ ବାଣୀ । ବିପ୍ରଙ୍କ ମୁଖୁ ରାମ ଶୁଣି ॥ ୬୯

ଅନେକ ରାଜା ଗଲେ ନାଶ । ବଳାକ୍ଷୌହିଣୀ ଅଷ୍ଟାଦଶ ॥ ୭୦

ଶୁଣି ସାନନ୍ଦ ହଳଧର । ବୋଇଲେ ଗଲା ଭୂମିଭାର ॥ ୭୧

ସୁଜନେ ନାହିଁ ଦୁଷ୍ଟବାଧା । ଯୁଦ୍ଧ ହୋଇଲା ଶେଷ ଗଦା ॥ ୭୨

ଶେଷେ ଯୁଝନ୍ତି ବେନିଜନ । ଦୁର୍ଜୟ ଭୀମ ଦୁର୍ଯ୍ୟୋଧନ ॥ ୭୩

ବିଷମ ଶୁଣି ଗଦାଯୁଦ୍ଧ । ରାମ ମିଳିଲେ ରଣମଧ୍ୟ ॥ ୭୪

ରାମଙ୍କୁ ଦେଖି ଧର୍ମସୁତ । ସଙ୍ଗେ ଅଛନ୍ତି ତିନିଭ୍ରାତ ॥ ୭୫

କୃଷ୍ଣ ଅଛନ୍ତି ତାଙ୍କ ମେଳେ । ତା ଦେଖି ରାମ ସୁଖଭୋଳେ ॥ ୭୬

କୃଷ୍ଣଙ୍କୁ ଆଲିଙ୍ଗନ କରି । ଧର୍ମନନ୍ଦନ କର ଧରି ॥ ୭୭

ଗୋବିନ୍ଦ ରାମପାଦେ ନମି । କିଛି ନ ବୋଲି ହେଲେ ତୁନି ॥ ୭୮

ରାମ ଚାହିଁଲେ ବେନିବୀର । ଗଦାସମରେ ମହାଘୋର ॥ ୭୯

ବାରିବା ଅର୍ଥେ ବିଚାରିଲେ । ଜାଣି ଗୋବିନ୍ଦ ମାୟା କଲେ ॥ ୮୦

ଦେଖି ମଣ୍ତଳ ଗଦାଗତି । ବୋଲନ୍ତି ରେବତୀର ପତି ॥ ୮୧

ଶୁଣ ହୋ ଦୁର୍ଯ୍ୟୋଧନ ଭୀମ । ଗଦାସମରେ ଦୁହେଁ ସମ ॥ ୮୨

ଉତ୍ତମ ଶିକ୍ଷା ଦୁର୍ଯ୍ୟୋଧନ । ବଳେ ଅଧିକ ଭୀମସେନ ॥ ୮୩

ଏ ଗଦାରଣେ ଫଳ ନାହିଁ । ସଂଗ୍ରାମ ଛାଡ ଦୁଇଭାଇ ॥ ୮୪

ଗଦା ପ୍ରହାରେ ଦୃଢମତି । ରାମର ବାକ୍ୟ ନ ଶୁଣନ୍ତି ॥ ୮୫

ବଇରୀ ବଧ ସୁମରନ୍ତି । ଘୋର ଶବଦେ ପ୍ରହାରନ୍ତି ॥ ୮୬

ରାମ ଦେଖିଲେ ତାଙ୍କ ଗତି । ଆନନ୍ଦମନେ ଦ୍ୱାରାବତୀ ॥ ୮୭

ମିଳିଲେ ରୋହିଣୀ ନନ୍ଦନ । ଦେଖି ଆନନ୍ଦ ଉଗ୍ରସେନ ॥ ୮୮

ବନ୍ଧୁ ବାନ୍ଧବ ପୁତ୍ର ବଳ । କରନ୍ତି ଜଣେ ଜଣେ କୋଳ ॥ ୮୯

ଏମନ୍ତେ ରହି ଦିନାକେତେ । ମିଳିଲେ ନଇମିଷ ତୀର୍ଥେ ॥ ୯୦

ଯଜ୍ଞେ ଯେ ଥିଲେ ମୁନିଜନେ । ତକ୍ଷଣେ ରାମର ବଚନେ ॥ ୯୧

ରାମଙ୍କୁ କରାଇଲେ ଯାଗ । ନିବୃତ କ୍ରିୟା ଅନୁରାଗ ॥ ୯୨

ସନ୍ତୋଷେ ରୋହିଣୀନନ୍ଦନ । ମୁନିଙ୍କି ଦେଲେ ଦିବ୍ୟଜ୍ଞାନ ॥ ୯୩

ଯାହାର ମାୟାବଳେ ବିଶ୍ୱ । ରବିର ପ୍ରାୟ ଦୃଶ୍ୟାଦୃଶ୍ୟ ॥ ୯୪

ସଙ୍ଗତେ ଘେନି ନିଜ ନାରୀ । ସେ ଅବଭୃଥ ସ୍ନାନ କରି ॥ ୯୫

ସୁହୃଦ ବନ୍ଧୁ ମଧ୍ୟେ ଥାଇ । ଶଶାଙ୍କ ପ୍ରାୟ ବିରାଜଇ ॥ ୯୬

ଏ ଆଦି ଯେତେ କର୍ମ ଗୁଣ । ରାଜନ ଏକମନେ ଶୁଣ ॥ ୯୭

ମାୟା ମନୁଷ୍ୟ ଅବତାର । କେ କହୁ ମହିମା ତାହାର ॥ ୯୮

ଏ ରାମକର୍ମ ଯେ ଶୁଣନ୍ତି । ମାୟାମୋହରେ ନ ପଡନ୍ତି ॥ ୯୯

ଉଭୟ ସନ୍ଧ୍ୟାକାଳେ ଶୁଣି । କୃଷ୍ଣସେବକ ଯେତେ ପ୍ରାଣୀ ॥ ୧୦୦

ଲଭନ୍ତି ଭକତି ତତ୍ତ୍ୱ । କହଇ ବିପ୍ର ଜଗନ୍ନାଥ ॥ ୧୦୧

ଇତି ଶ୍ରୀମଦଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ବଳଦେବ ତୀର୍ଥଯାତ୍ରା ନିରୁପଣଂ ନାମ

ପଞ୍ଚଅଶୀତିତମ ଅଧ୍ୟାୟଃ

* * *