ଦଶମ ସ୍କନ୍ଧ
ପଞ୍ଚଅଶୀତିତମ ଅଧ୍ୟାୟ
ଶୁକ ଉବାଚ
ଶୁକ କହନ୍ତି ରାଜା ଆଗେ । ରାକ୍ଷସ ମିଳି ଯଜ୍ଞଭାଗେ ॥ ୧
ଶଶୀପାର୍ବଣ ରାତ୍ରକାଳେ । ପ୍ରଚଣ୍ତ ବାତ ସଙ୍ଗ ମେଳେ ॥ ୨
ଧୂଳି ପୁରିଲା ଦଶଦିଶେ । କୁତ୍ସିତ ଯୂପ ଗନ୍ଧବାସେ ॥ ୩
ବଲ୍ୱଳବୀର ମହାରୋଷେ । ଆଚ୍ଛାଦି ଅମେଧ୍ୟ ବରଷେ ॥ ୪
ଯଜ୍ଞନାଶନେ ମହାବୀର । ମାୟା ପ୍ରକାଶେ ଅନ୍ଧକାର ॥ ୫
ଭୟେ ଚାହାନ୍ତି ବ୍ରହ୍ମମୁନି । ମିଳିଲା ହସ୍ତେ ଶୂଳ ଘେନି ॥ ୬
ଘୋର ପ୍ରଚଣ୍ତ ମହାକାୟେ । ଓଷ୍ଠ କାମୋଡି କୋପେ ଚାହେଁ ॥ ୭
ତାର ବଦନ ଚାରିପାଶେ । ଅନଳଖଣ୍ତ ପ୍ରାୟ ଦିଶେ ॥ ୮
ତପତତମ୍ବା ପ୍ରାୟ ଦାଢି । ବଦନୁ ଶୁଭେ ଘୋରରଡି ॥ ୯
ବିକଟଦନ୍ତ ତାର ମୁଖେ । ଭ୍ରୁକୁଟି କୁଟିଳ ସୁରେଖେ ॥ ୧୦
ଦେଖି ତାହାର ଦୁଷ୍ଟମତି । ହଳ ସୁମରି ହଳପତି ॥ ୧୧
ହସ୍ତ ପାତିଲେ ଶୂନ୍ୟମାର୍ଗେ । ହଳ ମିଳିଲା ଆସି ବେଗେ ॥ ୧୨
ଘୋରଦାନବ ନିବାରଣେ । ମୁଷଳ ମିଳିଲା ତକ୍ଷଣେ ॥ ୧୩
ଗଗନେ ଦେଖି ତା ଶରୀର । ଲଙ୍ଗଳ ଅଗ୍ରେ ନୀଳାମ୍ବର ॥ ୧୪
ଆକର୍ଷି ଆଣି ଯଜ୍ଞଦାଣ୍ତେ । ମୁଷଳ ପ୍ରହାରିଲେ ମୁଣ୍ତେ ॥ ୧୫
ତକ୍ଷଣେ ହୋଇ ଖଣ୍ତ ଖଣ୍ତ । ତଳେ ପଡିଲା ମୃତପିଣ୍ତ ॥ ୧୬
ରୁଧିର ଗଳେ ତା ବଦନେ । ପ୍ରାଣ ଛାଡିଲା ଘୋରସ୍ୱନେ ॥ ୧୭
ଶବଦ ଦଶଦିଗେ ପୁରି । ବାସବ ବଜ୍ରେ ଯେହ୍ନେ ଗିରି ॥ ୧୮
ଅବନୀ ହୋଇଲା ଉଶ୍ୱାସ । ବ୍ରାହ୍ମଣେ ମିଳି ରାମ ପାଶ ॥ ୧୯
କଲ୍ୟାଣ କରନ୍ତି ଆନନ୍ଦେ । ନିଗମ ବାକ୍ୟ ଅନୁବାଦେ ॥ ୨୦
ପୁଷ୍ପ ବରଷି ସ୍ତୁତି ଭଣି । ସୁନ୍ଦର ଦିଶଇ ଧରଣୀ ॥ ୨୧
ରାମେ ପୁଜିଲେ ମହାଜନେ । ବୃତ୍ତ ବିନାଶେ ଇନ୍ଦ୍ରେଯେହ୍ନେ ॥ ୨୨
ନାନା କୁସୁମେ ପରିମଳ । ହୃଦେ ଲମ୍ବାଇ ବନମାଳ ॥ ୨୩
ନୀଳଦୂକୁଳ ରତ୍ନମଣି । ପୂଜିଲେ ହରଷରେ ଘେନି ॥ ୨୪
ବ୍ରାହ୍ମଣେ ହୋଇ ଅନୁଜ୍ଞାତ । ହରଷେ ରୋହିଣୀର ସୁତ ॥ ୨୫
ଚଳିଲେ ତୀର୍ଥର କାରଣେ । ମିଳିଲେ କଉଶିକୀ ସ୍ଥାନେ ॥ ୨୬
ତକ୍ଷଣେ କଉଶିକୀ ଜଳେ । ସ୍ନାନ ସାରିଲେ ବିପ୍ରମେଳେ ॥ ୨୭
ପିତୃତର୍ପଣ ସାରି ତୀରେ । ମିଳିଲେ ମାନସରୋବରେ ॥ ୨୮
ସରଯୂ ଅନୁସ୍ରୋତେ ଚଳି । ବେଣୀ-ପ୍ରୟାଗେ ଯାଇ ମିଳି ॥ ୨୯
ଗଙ୍ଗା ଯମୁନାର ସଙ୍ଗମେ । ପ୍ରୟାଗ ତୀର୍ଥେ ଶୁଦ୍ଧମନେ ॥ ୩୦
ରାମ ସାରିଲେ ନିତ୍ୟକର୍ମ । ପିତୃଦେବଙ୍କୁ ଜଳଦାନ ॥ ୩୧
ପୁଲହାଶ୍ରମ ତହୁଁ ଗଲେ । ଋଷି ବ୍ରାହ୍ମଣଙ୍କର ତୁଲେ ॥ ୩୨
ସୁଖେ ଗମନ ଯଦୁପତି । ମିଳିଲେ ଗଣ୍ତକୀ ଗୋମତୀ ॥ ୩୩
ବିପାଶା ଶୋଣନଦୀ ଜିଣି । ଗୟା ଗମିଲେ ହଳପାଣି ॥ ୩୪
ପିଣ୍ତେ ଉଦ୍ଧରି ପିତୃଗଣ । ତହୁଁ ଚଳିଲେ ତୋଷମନ ॥ ୩୫
ତହୁଁ କେତେ ହେଁ ଦିନେ ହଳୀ । ଗଙ୍ଗାସାଗରେ ଯାଇ ମିଳି ॥ ୩୬
ସ୍ନାନ ସାରିଣ କାମପାଳ । ପ୍ରବେଶ ହେଲେ ନୀଳାଚଳ ॥ ୩୭
ସମୁଦ୍ରେ ସାରିଲେ ସ୍ନାହାନ । ତହୁଁ ଚଳିଲେ ତୋଷମନ ॥ ୩୮
ମିଳିଲେ ମହେନ୍ଦ୍ର ଆଶ୍ରମେ । ତହିଁ ଭେଟିଲେ ପର୍ଶୁରାମେ ॥ ୩୯
ତାହାଙ୍କୁ କରି ନମସ୍କାର । ଗମନ କଲେ ହଳଧର ॥ ୪୦
ସପତ ଗୋଦାବରୀ ବେଣୀ । ପମ୍ପା ଯେ ଭୀମରଥୀ ଜିଣି ॥ ୪୧
କାର୍ତ୍ତିକେୟଙ୍କୁ ଦେଖିବାରେ । ମିଳିଲେ ଯାଇ ଶ୍ରୀଶଇଳେ ॥ ୪୨
ରୁଦ୍ରଙ୍କୁ କରି ନମସ୍କାର । ଦ୍ରାବିଡେ ଗଲେ ହଳଧର ॥ ୪୩
ବେଙ୍କଟପ୍ରଭୁ ଦରଶନ । ଆନନ୍ଦେ ରୋହିଣୀ ନନ୍ଦନ ॥ ୪୪
କରି ଚଳିଲେ ତପନିଷ୍ଠୀ । ପୁଣି ମିଳିଲେ କାମକୋଟୀ ॥ ୪୫
କାଞ୍ଚିକାବେରୀ ତହୁଁଗଲେ । ଯୋଗୀଜନଙ୍କ ସଙ୍ଗମେଳେ ॥ ୪୬
ଶ୍ରୀରଙ୍ଗତୀର୍ଥ ତହିଁ କରି । ନିତ୍ୟ ସଂସ୍ଥିତ ଯହିଁ ହରି ॥ ୪୭
ଋଷଭଗିରି ବିଷ୍ଣୁସ୍ଥାନ । ତହୁଁ ଚଳିଲେ ମଧୁବନ ॥ ୪୮
ଦକ୍ଷିଣପଥେ ଅପ୍ରମାଦେ । ତହୁଁ ଚଳିଲେ ସେତୁବନ୍ଧେ ॥ ୪୯
ଦୁରିତ ଦହେ ଦରଶନେ । ଶ୍ରୀରାମେ ପୂଜି ତୋଷମନେ ॥ ୫୦
ରଘୁନାଥଙ୍କ ପ୍ରୀତୀ ଅର୍ଥେ । ଧେନୁ ଉତ୍ସର୍ଗିଲେ ଅୟୁତେ ॥ ୫୧
ତହୁଁ ଆନନ୍ଦେ କାମପାଳ । ମିଳିଲେ ପୁଣ୍ୟ କୃତମାଳ ॥ ୫୨
ତହୁଁ ଚଳିଲେ ତାମ୍ରପର୍ଣ୍ଣୀ । ସଙ୍ଗେ ଅନେକ ବିପ୍ର ଘେନି ॥ ୫୩
ମଳୟ କୁଳାଚଳ ଦେଶେ । ମିଳିଲେ ଅଗସ୍ତିଙ୍କ ପାଶେ ॥ ୫୪
ଚରଣେ କରି ନମସ୍କାର । ଆଶିଷ ଘେନି ତାହାଙ୍କର ॥ ୫୫
ଦକ୍ଷିଣସିନ୍ଧୁତୀରେ ମିଳି । ରାମ ଦେଖିଲେ ଭଦ୍ରକାଳୀ ॥ ୫୬
ଦୁର୍ଗା ନିକଟୁ କୁମ୍ଭମାସେ । ରାମ ଚଳିଲେ ମନତୋଷେ ॥ ୫୭
ଉତ୍ତମ ପଞ୍ଚଅପସର । ତହୁଁ ଚଳିଲେ ହଳଧର ॥ ୫୮
ଯହିଁ ଗୋବିନ୍ଦ ସନ୍ନିହିତ । ଧେନୁ ଉତ୍ସର୍ଗିଲେ ଅୟୁତ ॥ ୫୯
ତହୁଁ ଆନନ୍ଦେ ବଳରାମ । କେରଳ ନଗରେ ଆଗମ ॥ ୬୦
ତ୍ରିଗର୍ତ୍ତଦେଶ ତହୁଁ ଦେଖି । ରାମ ମିଳିଲେ ଜ୍ୱାଳାମୁଖୀ ॥ ୬୧
ଗୋକର୍ଣ୍ଣତୀର୍ଥ ମହାସ୍ଥାନ । ଯହିଁ ଧୂର୍ଜ୍ଜଟି ସନ୍ନିଧାନ ॥ ୬୨
ତହୁଁ ଭେଟିଲେ ଆର୍ଯ୍ୟାଦେବୀ । ବ୍ୟାସନନ୍ଦିନୀ ପାଦେ ସେବି ॥ ୬୩
ତାପ୍ତୀ ପୟୋଷ୍ଣୀ ବିନ୍ଧ୍ୟା ସେବି । ଦଣ୍ତକାରଣ୍ୟ ପୁଣ୍ୟଭୁବି ॥ ୬୪
ତହୁଁ ଗମନ ରେବାତୀରେ । ପ୍ରବେଶ ମାହିଷ୍ମତୀପୁରେ ॥ ୬୫
ସ୍ନାହାନ ସାରି ମନୁତୀର୍ଥେ । ଧେନୁ ଉତ୍ସର୍ଗ ଶିବ ଅର୍ଥେ ॥ ୬୬
ସନ୍ତୋଷେ ରୋହିଣୀ ନନ୍ଦନ । ପୁଣି ପ୍ରଭାସେ ଆଗମନ ॥ ୬୭
ବନ୍ଦିଲେ ବିପ୍ରଙ୍କ ଚରଣ । ଶୁକ ବୋଲନ୍ତି ରାୟ ଶୁଣ ॥ ୬୮
କୁରୁପାଣ୍ତବ ଯୁଦ୍ଧ ବାଣୀ । ବିପ୍ରଙ୍କ ମୁଖୁ ରାମ ଶୁଣି ॥ ୬୯
ଅନେକ ରାଜା ଗଲେ ନାଶ । ବଳାକ୍ଷୌହିଣୀ ଅଷ୍ଟାଦଶ ॥ ୭୦
ଶୁଣି ସାନନ୍ଦ ହଳଧର । ବୋଇଲେ ଗଲା ଭୂମିଭାର ॥ ୭୧
ସୁଜନେ ନାହିଁ ଦୁଷ୍ଟବାଧା । ଯୁଦ୍ଧ ହୋଇଲା ଶେଷ ଗଦା ॥ ୭୨
ଶେଷେ ଯୁଝନ୍ତି ବେନିଜନ । ଦୁର୍ଜୟ ଭୀମ ଦୁର୍ଯ୍ୟୋଧନ ॥ ୭୩
ବିଷମ ଶୁଣି ଗଦାଯୁଦ୍ଧ । ରାମ ମିଳିଲେ ରଣମଧ୍ୟ ॥ ୭୪
ରାମଙ୍କୁ ଦେଖି ଧର୍ମସୁତ । ସଙ୍ଗେ ଅଛନ୍ତି ତିନିଭ୍ରାତ ॥ ୭୫
କୃଷ୍ଣ ଅଛନ୍ତି ତାଙ୍କ ମେଳେ । ତା ଦେଖି ରାମ ସୁଖଭୋଳେ ॥ ୭୬
କୃଷ୍ଣଙ୍କୁ ଆଲିଙ୍ଗନ କରି । ଧର୍ମନନ୍ଦନ କର ଧରି ॥ ୭୭
ଗୋବିନ୍ଦ ରାମପାଦେ ନମି । କିଛି ନ ବୋଲି ହେଲେ ତୁନି ॥ ୭୮
ରାମ ଚାହିଁଲେ ବେନିବୀର । ଗଦାସମରେ ମହାଘୋର ॥ ୭୯
ବାରିବା ଅର୍ଥେ ବିଚାରିଲେ । ଜାଣି ଗୋବିନ୍ଦ ମାୟା କଲେ ॥ ୮୦
ଦେଖି ମଣ୍ତଳ ଗଦାଗତି । ବୋଲନ୍ତି ରେବତୀର ପତି ॥ ୮୧
ଶୁଣ ହୋ ଦୁର୍ଯ୍ୟୋଧନ ଭୀମ । ଗଦାସମରେ ଦୁହେଁ ସମ ॥ ୮୨
ଉତ୍ତମ ଶିକ୍ଷା ଦୁର୍ଯ୍ୟୋଧନ । ବଳେ ଅଧିକ ଭୀମସେନ ॥ ୮୩
ଏ ଗଦାରଣେ ଫଳ ନାହିଁ । ସଂଗ୍ରାମ ଛାଡ ଦୁଇଭାଇ ॥ ୮୪
ଗଦା ପ୍ରହାରେ ଦୃଢମତି । ରାମର ବାକ୍ୟ ନ ଶୁଣନ୍ତି ॥ ୮୫
ବଇରୀ ବଧ ସୁମରନ୍ତି । ଘୋର ଶବଦେ ପ୍ରହାରନ୍ତି ॥ ୮୬
ରାମ ଦେଖିଲେ ତାଙ୍କ ଗତି । ଆନନ୍ଦମନେ ଦ୍ୱାରାବତୀ ॥ ୮୭
ମିଳିଲେ ରୋହିଣୀ ନନ୍ଦନ । ଦେଖି ଆନନ୍ଦ ଉଗ୍ରସେନ ॥ ୮୮
ବନ୍ଧୁ ବାନ୍ଧବ ପୁତ୍ର ବଳ । କରନ୍ତି ଜଣେ ଜଣେ କୋଳ ॥ ୮୯
ଏମନ୍ତେ ରହି ଦିନାକେତେ । ମିଳିଲେ ନଇମିଷ ତୀର୍ଥେ ॥ ୯୦
ଯଜ୍ଞେ ଯେ ଥିଲେ ମୁନିଜନେ । ତକ୍ଷଣେ ରାମର ବଚନେ ॥ ୯୧
ରାମଙ୍କୁ କରାଇଲେ ଯାଗ । ନିବୃତ କ୍ରିୟା ଅନୁରାଗ ॥ ୯୨
ସନ୍ତୋଷେ ରୋହିଣୀନନ୍ଦନ । ମୁନିଙ୍କି ଦେଲେ ଦିବ୍ୟଜ୍ଞାନ ॥ ୯୩
ଯାହାର ମାୟାବଳେ ବିଶ୍ୱ । ରବିର ପ୍ରାୟ ଦୃଶ୍ୟାଦୃଶ୍ୟ ॥ ୯୪
ସଙ୍ଗତେ ଘେନି ନିଜ ନାରୀ । ସେ ଅବଭୃଥ ସ୍ନାନ କରି ॥ ୯୫
ସୁହୃଦ ବନ୍ଧୁ ମଧ୍ୟେ ଥାଇ । ଶଶାଙ୍କ ପ୍ରାୟ ବିରାଜଇ ॥ ୯୬
ଏ ଆଦି ଯେତେ କର୍ମ ଗୁଣ । ରାଜନ ଏକମନେ ଶୁଣ ॥ ୯୭
ମାୟା ମନୁଷ୍ୟ ଅବତାର । କେ କହୁ ମହିମା ତାହାର ॥ ୯୮
ଏ ରାମକର୍ମ ଯେ ଶୁଣନ୍ତି । ମାୟାମୋହରେ ନ ପଡନ୍ତି ॥ ୯୯
ଉଭୟ ସନ୍ଧ୍ୟାକାଳେ ଶୁଣି । କୃଷ୍ଣସେବକ ଯେତେ ପ୍ରାଣୀ ॥ ୧୦୦
ଲଭନ୍ତି ଭକତି ତତ୍ତ୍ୱ । କହଇ ବିପ୍ର ଜଗନ୍ନାଥ ॥ ୧୦୧
ଇତି ଶ୍ରୀମଦଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ବଳଦେବ ତୀର୍ଥଯାତ୍ରା ନିରୁପଣଂ ନାମ
ପଞ୍ଚଅଶୀତିତମ ଅଧ୍ୟାୟଃ
* * *