ଦଶମ ସ୍କନ୍ଧ

ଏକାଶିତିତମ ଅଧ୍ୟାୟ

ଶୁକ ଉବାଚ

ଆନନ୍ଦମନେ ବ୍ୟାସଚୁତ । ବୋଲନ୍ତି ଶୁଣ ପରୀକ୍ଷିତ ॥

ଅଦ୍ଭୂତ କୃଷ୍ଣକର୍ମବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥

କ୍ରୀଡା ମନୁଷ୍ୟେ ଅବତାର । ଦେବମାନବେ ଅଗୋଚର ॥

ଯେମନ୍ତେ ପ୍ରଭୁ ଜଗନ୍ନାଥ । ଶାଳ୍ୱରାଜାଙ୍କୁ କଲେ ହତ ॥

ଧର୍ମନନ୍ଦନ ଯଜ୍ଞକାଳେ । ଶିଶୁପାଳକୁ ସଂହାରିଲେ ॥

ତାହାର ସଖା ଶାଲ୍ୱ ନାମ । ମିତ୍ର ମରଣେ ବହେ ତମ ॥

ପୂର୍ବେ ରୁକ୍ମିଣୀବିଭାକାଳେ । ଥିଲା ସେ ନୃପତିଙ୍କ ମେଳେ ॥

କୃଷ୍ଣଙ୍କୁ ହାରି ଯୁଦ୍ଧକାଳେ । ମାଗଧ ଆଦି ରାଜାମେଳେ ॥

ସେ ଦିନୁ ଅଭିମାନେ ଗଲା । କୃଷ୍ଣର ମରଣ ଇଚ୍ଛିଲା ॥

ଏବେ ଶୁଣିଲା ମିତ୍ରବଧ । ହୃଦରେ ବହେ ଗୁରୁକ୍ରୋଧ ॥ ୧୦

କୃଷ୍ଣ ଅଛନ୍ତି ଇନ୍ଦ୍ରପ୍ରସ୍ଥେ । ଥୋକାଏ ବଳ ଅଛି ସାଥେ ॥ ୧୧

ଏ ଛିଦ୍ରକଥାମାନ ଜାଣି । ସଇନି ସାଜି ନୃପମଣି ॥ ୧୨

ନିଜ କାର୍ମୁକ ଧରି କରେ । ବୋଲଇ ସ୍ପୁରିତ ଅଧରେ ॥ ୧୩

ଯାଦବ ବିହୀନ ଧରଣୀ । କରିବି ସତ୍ୟ ମୋର ବାଣୀ ॥ ୧୪

ତୁମ୍ଭେ ସକଳ ନୃପବର । ଦେଖିବ ପୌରୁଷ ମୋହର ॥ ୧୫

ଏମନ୍ତେ ମୂଢ ଗର୍ବ ବହି । ମିଳିଲା ଘୋରବନେ ଯାଇ ॥ ୧୬

ଭବାନୀକାନ୍ଧେ ଦେଇ କର । ବୋଇଲେ ବେଗେ ମାଗ ବର ॥ ୧୭

ଶୁଣି ନୃପତି ଜ୍ଞାନ ପାଇ । କପାଳେ ବେନିକର ଦେଇ ॥ ୧୮

ବୋଲଇ ଶୁଣ ବିଶ୍ୱନାଥ । ତୋର ସଞ୍ଚିତ ଏ ଜଗତ ॥ ୧୯

ବିବୁଧ ଅସୁର ମନୁଷ୍ୟ । ଗନ୍ଧର୍ବ କିନ୍ନର ରାକ୍ଷସ ॥ ୨୦

ଏ ଆଦି ଯେତେ ଦିଗପାଳେ । ଭୂମି ପାତାଳ ଅନ୍ତରାଳେ ॥ ୨୧

କେହି ନ ପାରୁ ମୋତେ ଜିଣି । ଏ ବର ଦିଅ ଶୁଳପାଣି ॥ ୨୨

ମାୟାବିମାନ ଦିଅ ମୋତେ । ସେ ପୁଣି ମୋହର ଆୟତ୍ତେ ॥ ୨୩

ରୂପ ଅରୂପ ସ୍ଥୁଳ ସୁକ୍ଷ୍ମେ । ଅଣୁ ପ୍ରମାଣେ ଅନ୍ତରୀକ୍ଷେ ॥ ୨୪

ଯହିଁ କଳ୍ପିବ ମୋର ମନ । ସେ ପୁରେ ପଶିବ ବିମାନ ॥ ୨୫

ଦୃଶ୍ୟ ଅଦୃଶ୍ୟ ମହାଘୋର । ବୃଷ୍ଟି ଯାଦବେ ଭୟଙ୍କର ॥ ୨୬

ଏ ବର ଦିଅ ବିଶ୍ୱନାଥ । ଶୁଣି ସନ୍ତୋଷ ଉମାକାନ୍ତ ॥ ୨୭

ମୟଦାନବେ ସୁମରଣ । କରନ୍ତି ଅମ୍ବିକାରମଣ ॥ ୨୮

ଚିନ୍ତା କରନ୍ତେ ମହେଶ୍ୱର । ଜାଣିଲା ମାୟାବୀ ଅସୁର ॥ ୨୯

ତକ୍ଷଣେ ପରପୁରଞ୍ଜୟ । ବେଗେ ମିଳିଲା ବୀରମୟ ॥ ୩୦

ନଦୀପୁଲିନେ ଘୋରବନେ । ନମିଲା ଇଶ୍ୱର ଚରଣେ ॥ ୩୧

ପ୍ରସନ୍ନେ ପ୍ରଭୁ ଉମାକାନ୍ତ । ବୋଇଲେ ଧରି ତାର ହସ୍ତ ॥ ୩୨

ମାୟାବିମାନ ବେଗେ କର । ଦେବଦାନବେ ଅଗୋଚର ॥ ୩୩

ଏହାର ମନ ଅନୁମତେ । କହି ଚଳିଲେ ଶୂନ୍ୟପଥେ ॥ ୩୪

ତକ୍ଷଣେ ରୁଦ୍ରଆଜ୍ଞା ପାଇ । ଅଦ୍ଭୂତ ବିମାନ ଭିଆଇ ॥ ୩୫

ତାହାର ନାମ ସୌଭପୁର । ନିର୍ମିତ ଲୌହମୟ ସାର ॥ ୩୬

ଆନନ୍ଦେ ପ୍ରଜାପତିବଳା । ଶାଳ୍ୱ ସମ୍ମୁଖେ ଆଣି ଦେଲା ॥ ୩୭

ସେ ମାୟାରଥ କାମରୂପୀ । ପ୍ରକାଶେ ଘୋରତମ ବ୍ୟାପୀ ॥ ୩୮

କେହି ନ ପାରେ ତାହା ଜାଣି । ଏମନ୍ତେ ଶୁଣ ନୃପମଣି ॥ ୩୯

ବସିଲା ଯାଇ ମାୟାରଥେ । ଗମିଲା ନିଜପୁର ପଥେ ॥ ୪୦

ଈଶ୍ୱରବରେ ପାଇ ରଥ । ନିଜ ଭୁବନେ ଉପଗତ ॥ ୪୧

କୃଷ୍ଣବଇର ଭାବ ଗୁଣି । ସାଜିଲା ନିଜ ଅକ୍ଷୌହିଣୀ ॥ ୪୨

କୋପେ ବସିଲା ମାୟାରଥେ । ଗମିଲା ଦ୍ୱାରାବତୀ ପଥେ ॥ ୪୩

ରଜନୀ ମଧ୍ୟେ ନରପତି । ବଳେ ରୁନ୍ଧିଲା ଦ୍ୱାରାବତୀ ॥ ୪୪

ଭାଙ୍ଗଇ ବନ ଉପବନ । ଗ୍ରାମ ପାଟଣା ପୁରମାନ ॥ ୪୫

ଦ୍ୱାର ଅଟ୍ଟାଳୀ କ୍ରୀଡାପୁର । ଅନଳେ କଲା ଭସ୍ମସାର ॥ ୪୬

ଶର ବରଷଇ ଗହଳ । ଯେହ୍ନେ ଗଗନୁ ବୃଷ୍ଟିଜଳ ॥ ୪୭

ଦ୍ରୁମ ପାଷାଣ ବଜ୍ର ବାରି । ସର୍ପ ଖର୍ପର ଆଦିକରି ॥ ୪୮

ପ୍ରଚଣ୍ତେ ବହେ ଚକ୍ରବାତ । ଧୂଳିରେ ଦଶଦିଗ ଗ୍ରସ୍ତ ॥ ୪୯

ଏମନ୍ତେ ମାୟାରଥେ ବୀର । କୃଷ୍ଣନଗର କଲା ଚୁର ॥ ୫୦

ଅସୁର ତେଜେ ଯଦୁପୁରୀ । ତକ୍ଷଣେ ହେଲା ହତଶିରୀ ॥ ୫୧

ପୂର୍ବେ ଅନ୍ଧକ ଯୁଦ୍ଧକାଳେ । ଯେହ୍ନେ ଅଦ୍ଭୂତ ମହୀତଳେ ॥ ୫୨

ଘୋରଗହନ ଅନ୍ଧକାର । ତା ଦେଖି ରୁକ୍ମିଣୀକୁମର ॥ ୫୩

ବିମାନେ ବସି ମହାବଳୀ । ଡାକଇ ବେନିଭୁଜ ତୋଳି ॥ ୫୪

ଭୟ ନ କର ତୁମ୍ଭେ କେହି । ଏ ମାୟା ସଂହାରିବି ମୁହିଁ ॥ ୫୫

ଏମନ୍ତ କହି ରାଜପଥେ । ବେଗେ ଧାଇଁଲେ ଏକା ରଥେ ॥ ୫୬

ଦେଖି ତାହାର ବୀରପଣ । ଋଣେ ମିଳିଲେ ଯଦୁଗଣ ॥ ୫୭

ସାତ୍ୟକି ଚାରୁଦେଷ୍ଣ ଶାମ୍ବ । ଅକ୍ରୁର ଯଦୁଙ୍କ ଉତ୍ତମ ॥ ୫୮

ଭୋଜ ଅନ୍ଧକ ବୀରଚନ୍ଦ୍ର । ମିଳିଲେ ସର୍ବ ଯଦୁବୃନ୍ଦ ॥ ୫୯

ଅଜେୟ ହାର୍ଦ୍ଧିକ୍ୟନନ୍ଦନ । ଶୁକ ସାରଣ ଭାନୁମାନ ॥ ୬୦

ଗଦ ସଙ୍କରଷଣ ଆଦି । ଯାଦବ ମଧ୍ୟେ ଯେ ପ୍ରସିଦ୍ଧି ॥ ୬୧

ଏ ଆଦି ଯେତେ ଧନୁର୍ଦ୍ଧର । ଦୁର୍ଜୟ କୃଷ୍ଣର କୁମର ॥ ୬୨

ରଥେ ବିଜ ପନ୍ତି ପନ୍ତି । ଘୋଟକ କୁଞ୍ଜର ପଦାତି ॥ ୬୩

ଶାଳ୍ୱ ସହିତେ ଯଦୁବଳ । ଶୁଭେଇ ମୁଖରାବ ଗୋଳ ॥ ୬୪

କୋପେ କରନ୍ତି ଗୁଣଘୋଷ । ଶବଦେ କମ୍ପେ ଦଶଦିଶ ॥ ୬୫

ଉଭାରି କରନ୍ତି ସମର । ଘୋର ଗହନ ଅନ୍ଧକାର ॥ ୬୬

ଅମୃତ ଅର୍ଥେ ଭୁଜବଳେ । ଦେବ ଅସୁର ପୂର୍ବକାଳେ ॥ ୬୭

ତେମନ୍ତ ହୋଇଲାକ ଋଣ । ଅଦ୍ଭୂତ ରୋମହରଷଣ ॥ ୬୮

ଶାଲ୍ୱର ମାୟାଗତି ଯେତେ । ନାନାପ୍ରପଞ୍ଚ ଅପ୍ରମିତେ ॥ ୬୯

ପ୍ରକାଶି ଥିଲା ଶୂନ୍ୟମଧ୍ୟେ । ଶାଳ୍ୱ ଯାଦବ ଘୋରଯୁଦ୍ଧେ ॥ ୭୦

ରୁକ୍ମିଣୀସୁତ ଦେଖି ତାହା । ଶସ୍ତ୍ରେ ଛେଦିଲା ତାର ମାୟା ॥ ୭୧

ରଜନୀଅନ୍ତେ ରବିତ୍ରାସ । ଯେହ୍ନେ ଅନ୍ଧାର କରେ ନାଶ ॥ ୭୨

ସୁବର୍ଣ୍ଣପୁଚ୍ଛ ଲୌହମୁଖ । ବିଚିତ୍ର ସୁରଙ୍ଗ ସୁରେଖ ॥ ୭୩

ଗୁଣେ ବସାଇ ମହାରୋଷେ । ବାଣ ବିନ୍ଧିଲା ପଞ୍ଚବିଂଶେ ॥ ୭୪

ଶାଳ୍ୱର ସେନାପତି ଅଙ୍ଗେ । ଅଶ୍ୱ ବିମାନ ଧ୍ୱଜ ସଙ୍ଗେ ॥ ୭୫

ତକ୍ଷଣେ କରି ହତପ୍ରାଣ । ପୁଣ ବିନ୍ଧିଲା ଗରୁଟାଣ ॥ ୭୬

ଶାଲ୍ୟ ଉପରେ କୃଷ୍ଣବଳା । ଶତେ ନାରାଚ ବରଷିଲା ॥ ୭୭

ଅପରେ ସଇନି ଯେତେକେ । ତାହାଙ୍କୁ ପେଷେ ଏକ ଏକ ॥ ୭୮

ରଥୀ ସାରଥୀଙ୍କ ଉପରେ । ଦଶ ନାରାଚ କୋପଭରେ ॥ ୭୯

ଅଶ୍ୱକୁ ବିନ୍ଧି ତିନିଶର । ଶବଦ କଲା ମହାଘୋର ॥ ୮୦

ରୁକ୍ମିଣୀସୁତ କର୍ମ ଦେଖି । ସକଳେ ସଂଗ୍ରାମ ଉପେକ୍ଷି ॥ ୮୧

ପର ଅପର ବୀରଶ୍ରେଣୀ । କରନ୍ତି ସାଧୁ ସାଧୁ ବାଣୀ ॥ ୮୨

ମୟନିର୍ମିତ ମାୟାରଥ । ତାର ମହିମା ଅପ୍ରମିତ ॥ ୮୩

ନିଜ ସୈନ୍ୟଙ୍କୁ ଦିଶେ ଏକ । ରିପୁଙ୍କୁ ଦିଶଇ ଅନେକ ॥ ୮୪

ଭିତରେ ଦିଶେ ଅନ୍ଧକାର । ଦେବମାନବେ ଅଗୋଚର ॥ ୮୫

ସମ୍ମୁଖେ ଦିଶେ ମହୀତଳେ । ଚାହିଁଲେ ଉଡେ ଅନ୍ତରାଳେ ॥ ୮୬

ପର୍ବତଶିଖେ କ୍ଷଣେ ଥାଇ । କ୍ଷଣକେ ସମୁଦ୍ରେ ବୁଡଇ ॥ ୮୭

ପୁଣି ଗଗନ ଅତିକ୍ରମେ । ଅଲାତଚକ୍ର ପ୍ରାୟେ ଭ୍ରମେ ॥ ୮୮

ଏମନ୍ତେ ଦେଖି ତା ବିମାନ । କ୍ଷଣକେ କୃଷ୍ଣର ନନ୍ଦନ ॥ ୮୯

ଉତ୍ତାରି କୋଦଣ୍ତ ବିହନ । କୋପେ ବିନ୍ଧିଲା ତୀକ୍ଷଣବାଣ ॥ ୯୦

ଧାବନ୍ତେ ଶୁଭେ ମୁଖରାବ । କ୍ଷଣେ ନ ରହେ ଏକ ଠାବ ॥ ୯୧

ପବନ ଯୋଗେ ଯେହ୍ନେ ମେଘ । ଧାମନ୍ତି ଅତି ଉଦବେଗ ॥ ୯୨

ଯହିଁ ଦେଖନ୍ତି ତାର ରଥ । କୃଷ୍ଣକୁମରେ ଯୁଥ ଯୁଥ ॥ ୯୩

ଧନୁ ଆମଞ୍ଚି ପୁଣ ପୁଣ । କରନ୍ତି ଶର ବରଷଣ ॥ ୯୪

ଅଗ୍ନି ଆଦିତ୍ୟ ପ୍ରାୟ ଦିଶି । ପଡନ୍ତି ରିପୁବଳେ ଗ୍ରାସି ॥ ୯୫

ବାଣଶବଦ ବଜ୍ରପ୍ରାୟେ । ଭେଦିଲା ଅସୁରଙ୍କ କାୟେ ॥ ୯୬

ରୁଧିର ବୃଷ୍ଟି ରଣମଧ୍ୟେ । ଯେସନେ ଦେବାସୁର ଯୁଦ୍ଧେ ॥ ୯୭

ଯଦୁବୀରଙ୍କ ବାଣଘାୟେ । ରଥେ ପଡିଲା ଶାଲ୍ୱ ମୋହେ ॥ ୯୮

ମାୟାବିମାନ ଶୂନ୍ୟପଥେ । କୃଷ୍ଣକୁମରେ ଭୂମିଗତେ ॥ ୯୯

ଉଭୟବଳୁଁ ଶରବୃଷ୍ଟି । ରୁଧିର ଗଳେ ତନୁ ଫୁଟି ॥ ୧୦୦

କ୍ଷତ୍ରିୟଧର୍ମ ମହାଘୋର । କେହି ନ ଛାଡନ୍ତି ସମର ॥ ୧୦୧

ଉଭୟଲୋକେ ଜୟ ଇଚ୍ଛା । ସାୟକଗୁଣେ ବାଣ ଦୀକ୍ଷା ॥ ୧୦୨

ଦ୍ୟୁମନ ନାମେ ମହାବଳୀ । ରୁକ୍ମିଣୀସୁତ ପାଶେ ମିଳି ॥ ୧୦୩

ପୂର୍ବେ ପ୍ରଦ୍ୟୁମ୍ନ ବାଣଘାତେ । ପଡି ଯେ ଥିଲା ମୋହଗତେ ॥ ୧୦୪

ଶାଳ୍ୱର ମନ୍ତ୍ରୀ ସେ ଯୁକତେ । ବିଷମ ଲୌହଗଦା ହସ୍ତେ ॥ ୧୦୫

ଚନ୍ଦ୍ରସମୀପେ ଯେହ୍ନେ ରାହୁ । ହୁଙ୍କାରେ ତୋଳି ବେନିବାହୁ ॥ ୧୦୬

ରୁକ୍ମିଣୀସୁତ ବକ୍ଷସ୍ଥଳେ । ପ୍ରହାର କଲା ଭୁଜବଳେ ॥ ୧୦୭

ଗର୍ଜଇ କରି ମହାରୋଷ । ଶବଦେ କମ୍ପେ ଦଶଦିଶ ॥ ୧୦୮

ଗଦାପ୍ରହାରେ କୃଷ୍ଣବାଳା । ବିମାନେ ପଡି ମୋହଗଲା ॥ ୧୦୯

ଦେଖି ତାହାର ମୋହଗତ । ତକ୍ଷଣେ ଦାରୁକର ସୁତ ॥ ୧୧୦

ସଂଗ୍ରାମ ଛାଡି ରଥ ବାହି । ଯୁଦ୍ଧର ଧର୍ମ ସେ ଜାଣଇ ॥ ୧୧୧

ସଂଗ୍ରାମ ହୁଡି ପଳାଇଲା । କେତେକ ଦୂରେ ବିଶ୍ରାମିଲା ॥ ୧୧୨

ପ୍ରଦ୍ୟୁମ୍ନ ପଡିଥିଲା ମୋହେ । ଶୀତପବନ ଲାଗି ଦେହେ ॥ ୧୧୩

ତକ୍ଷଣେ ପାଇଲା ଜୀବନ । ଚାହିଁଲା ସାରଥୀ ବଦନ ॥ ୧୧୪

ବୋଲଇ କୋପଭର ହୋଇ । ଏମନ୍ତ ଦେଖିଲା ତ ନାହିଁ ॥ ୧୧୫

ଅସାଧୁକର୍ମା କିମ୍ପା କଲୁ । ସଂଗ୍ରାମ ଛାଡି ପଳାଇଲୁ ॥ ୧୧୬

ଯାଦବକୁଳେ ହୋଇ ଜାତ । ସଂଗ୍ରାମେ ନପୁଂସକ ହୋଇ ॥ ୧୧୭

ଚୁ ଦୁରାଚାର ମତିଭ୍ରମ । ନ ଜାଣି କଲୁ ଏଡେ କର୍ମ ॥ ୧୧୮

ତୋର ସାରଥିପଣେ ମୁହିଁ । ସଂଗ୍ରାମେ ନପୁଂସକ ହୋଇ ॥ ୧୧୯

ସଂଗ୍ରାମେ ପଳାଉ ନିରେଖ । ତୋର ଜୀବନ ହେଉ ଧିକ ॥ ୧୨୦

କେମନ୍ତେ କୃଷ୍ଣପାଶେ ଯାଇ । ବଦନ ଦେଖାଇବି ମୁହିଁ ॥ ୧୨୧

ରାମର ବଦନ କେମନ୍ତେ । ଚାହିଁବି ସଂଗ୍ରାମ ନିସତେ ॥ ୧୨୨

କିବା କହିବି କୃଷ୍ଣପାଶେ । ପଳାଇ ଜୀବନର ଆଶେ ॥ ୧୨୩

ସଂଗ୍ରାମେ ମୋର ବୀରପଣ । ଶୁଣି ହସିବେ ଶତ୍ରୁଗଣ ॥ ୧୨୪

ପୁରେ ହସିବେ ବଧୁଜନେ । ବସନ ଆଚ୍ଛାଦି ବଦନେ ॥ ୧୨୫

ତୁ ଧିକ ମୋହର ସାରଥୀ । ଭଜିଲୁ ନପୁସକ ଗତି ॥ ୧୨୬

କିମ୍ପା ଛାଡିଲୁ ରଣଭୂଇଁ । ଅର୍ଦ୍ଧଯୋଜନେ ରଥବାହି ॥ ୧୨୭

କହ ନ କର ମନେ ଭ୍ରାନ୍ତି । ତା ଶୁଣି ବୋଲଇ ସାରଥୀ ॥ ୧୨୮

ଶୁଣ ହୋ କୃଷ୍ଣର କୁମର । ସଂଗ୍ରାମ ଧର୍ମ ଏ ମୋହର ॥ ୧୨୯

ରଥୀର ମୋହ ଯେବେ ଦେଖି । ସାରଥୀ ସଂଗ୍ରାମ ଉପେକ୍ଷି ॥ ୧୩୦

କେତେହେଁ ଦୂରେ ରଥ ଧରି । ରଥୀ ଜୀବନ ସ୍ଥିର କରି ॥ ୧୩୧

ପୁଣ ସମରେ ବାହେ ରଥ । ଏ ଧର୍ମ ସାରଥୀଙ୍କ ମତ ॥ ୧୩୨

ଏହା ଯେ ନ ଜାଣି ରହନ୍ତି । ରଥୀ ସାରଥୀ ନାଶଯାନ୍ତି ॥ ୧୩୩

ସ୍ୱର୍ଗେ ବସଇ ରଥୀ ଏକେ । ସାରଥୀ ପଡଇ ନରକେ ॥ ୧୩୪

ଏଣୁ ମୁଁ କଲି ନିଜ ଧର୍ମ । ଯେଣୁ ତୁ ଗଦାଘାତେ ଭ୍ରମ ॥ ୧୩୫

କହଇ ବିପ୍ର ଜଗନ୍ନାଥ । ସାରଥୀ ବାକ୍ୟେ କୃଷ୍ଣସୁତ ॥ ୧୩୬

ବୋଲଇ ବାହ ବେଗେ ରଥ । ଆଜ ନାଶିବି ରିପୁଯୁଥ ॥ ୧୩୭

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ଶାଳ୍ୱଯୁଦ୍ଧେ ନାମ ଏକାଶୀତିତମ ଅଧ୍ୟାୟଃ ॥

* * *