ଦଶମ ସ୍କନ୍ଧ
ଅଶୀତିତମ ଅଧ୍ୟାୟ
ବୋଲନ୍ତି ରାଜା ପରୀକ୍ଷିତ । ଶୁକଚରଣେ ଦେଇ ହସ୍ତ ॥ ୧
ପରୀକ୍ଷିତ ଉବାଚ
ଭୋ ମୁନି କୃଷ୍ଣର ଚରିତ । ଶୁଣି ହୋଇଲି କୃତକୃତ୍ୟ ॥ ୨
ଏ ମହାଯଜ୍ଞେ ଯେତେ ଥିଲେ । କୃଷ୍ଣ ମହିମା ସେ ଦେଖିଲେ ॥ ୩
ଆନନ୍ଦେ ଗଲେ ନିଜପୁର । ପ୍ରଶଂସି ଧର୍ମର କୁମର ॥ ୪
ଅନ୍ଧନନ୍ଦନ ଦୁର୍ଯ୍ୟୋଧନ । ସେ କିମ୍ପା ହେଲା ଦୁଃଖମନ ॥ ୫
ଏଣେ ସଂଶୟ ମୋର ଚିତ୍ତ । ଭୋ ମୁନି କହିବା ତଦନ୍ତ ॥ ୬
ଏମନ୍ତେ ରାଜାବାଣୀ ଶୁଣି । ଶୁକ କହନ୍ତି ମନେ ଗୁଣି ॥ ୭
ଶୁକ ଉବାଚ
ବୋଲନ୍ତି ଶୁକ କୁରୁବୀର । ତୋ ପିତାମହ ଯୁଧିଷ୍ଠିର ॥ ୮
ବନ୍ଧୁବାନ୍ଧବ ତା ଭୁବନେ । ଯଜ୍ଞସଭାର ପ୍ରୟୋଜନେ ॥ ୯
ଯେ ଯାହାମତେ କାର୍ଯ୍ୟକଲେ । ଧର୍ମନନ୍ଦନ କୃଷ୍ଣ ବୋଲେ ॥ ୧୦
ଯାଗର ପାକଶାଳେ ଭୀମ । ଧନେ ଅଧ୍ୟକ୍ଷ ଦୁର୍ଯ୍ୟୋଧନ ॥ ୧୧
ସଭାଜନଙ୍କ ପୂଜାଭାବ । ଅର୍ଥ ସାଧନେ ସହଦେବ ॥ ୧୨
ନକୁଳ ଦ୍ରବ୍ୟ ସମ୍ପାଦନେ । ଦେବକୀନନ୍ଦନ ବଚନେ ॥ ୧୩
ଗନ୍ଧଚନ୍ଦନ ପୁଷ୍ପଦାନେ । ଅର୍ଜୁନ ଥିଲା ସାବଧାନେ ॥ ୧୪
ବିପ୍ରଚରଣ ସମାର୍ଜନ । କରନ୍ତି ନନ୍ଦରନନ୍ଦନ ॥ ୧୫
ଦୃପଦରାଜାର ନନ୍ଦିନୀ । ସେ ଯଜ୍ଞେ ଅନ୍ନ-ପଋଷୁଣୀ ॥ ୧୬
ଦାନେ ଅଧୀପ ବୀରକର୍ଣ୍ଣ । ଧନେ ତୋଷିଲା ବିପ୍ରମନ ॥ ୧୭
ବିକର୍ଣ୍ଣ ବୀର ଯୁଯୁଧାନ । ବିଦୁର ହାର୍ଦ୍ଧିକ୍ୟନନ୍ଦନ ॥ ୧୮
ଭୃଶୁବା ବାହ୍ଲୀକନନ୍ଦନ । ଏ ଆଦି ବୀର ସନ୍ତର୍ଦ୍ଧନ ॥ ୧୯
ଧର୍ମନନ୍ଦନ ଅନୁବାଦେ । ଯଜ୍ଞର ନାନାକର୍ମ ସାଧ୍ୟେ ॥ ୨୦
ପଣ୍ତୁକୁମର ପ୍ରିୟମତେ । ଥିଲେ ସନ୍ତୋଷଭାବ ଚିତ୍ତେ ॥ ୨୧
ଯାଜ୍ଞିକ ଆଦି ସଭାସଦ । ସୁମ୍ରି ବାନ୍ଧବ ସୁହୃଦ ॥ ୨୨
ଇଷ୍ଟକୁଟୁମ୍ବ ଆଦି ଯେତେ । ଦକ୍ଷିଣା ପୂଜା ଯେଝାମତେ ॥ ୨୩
ରାଜୁସିଯଜ୍ଞସଭା ମଧ୍ୟେ । ମଧୁସୁଦନ ପଦ୍ମପାଦେ ॥ ୨୪
ଶିଶୁପାଳର ପଞ୍ଚପ୍ରାଣ । ନିଶ୍ଚିନ୍ତେ ପଶିଲା ଶରଣ ॥ ୨୫
ଏମନ୍ତେ ମହାଯଜ୍ଞ ସାରି । ଧର୍ମନନ୍ଦନ ଦଣ୍ତଧାରୀ ॥ ୨୬
ଉତ୍ସବ ବାଦ୍ୟନାଦ ମେଳେ । ଯଜ୍ଞସ୍ନାହାନ ଗଙ୍ଗାଜଳେ ॥ ୨୭
ମିଳିଲେ ମଙ୍ଗଳ ସମ୍ପଦେ । ଶଙ୍ଖଶବଦ ବେଦନାଦେ ॥ ୨୮
ଦେବ ଗନ୍ଧର୍ବ ପିତୃଗଣ । କରନ୍ତି ପୁଷ୍ପ ବରଷଣ ॥ ୨୯
ଯହିଁ ବିଜୟ ନରନାରୀ । ନାନାଭୂଷଣ ଅଙ୍ଗେ ଭରି ॥ ୩୦
ଗନ୍ଧଚନ୍ଦନ ଗଙ୍ଗାଜଳେ । ଦେହେ ସିଞ୍ଚନ୍ତି ଭୁଜବଳେ ॥ ୩୧
କ୍ରୀଡନ୍ତି ନାନାରସଭାବେ । ସୁପୁଣ୍ୟବାଦେ ଜନସର୍ବେ ॥ ୩୨
ତଇଳ ଘୃତ ଗନ୍ଧୋଦକ । ହରିଦ୍ରା କୁଙ୍କୁମ ଶଶାଙ୍କ ॥ ୩୩
ପୁରୁଷେ ନାରୀଙ୍କର ମୁଖେ । ଲେପି ସିଞ୍ଚନ୍ତି ମନସୁଖେ ॥ ୩୪
ରାଜକାମିନୀ ନାନାରଥେ । ବିଜୟ କଲେ ରାଜପଥେ ॥ ୩୫
ପାଶେ ଆବୃତ ଶୂରବରେ । ବେଗେ ମିଳିଲେ ଗଙ୍ଗାତୀରେ ॥ ୩୬
ଦେବକାମିନୀ ପ୍ରାୟ ମିଳି । କରନ୍ତି ଗଙ୍ଗାଜଳେ କେଳି ॥ ୩୭
କୃଷ୍ଣକାମିନୀ ପରିହାସେ । ସିଞ୍ଚନ୍ତି ନୀର ମୁଖ କେଶେ ॥ ୩୮
ସଲ୍ଲଜେ ହରଷେ ହସନ୍ତି । ଯେହ୍ନେ ଗଗନେ ତାରାପନ୍ତି ॥ ୩୯
ଭୀମ ଅର୍ଜୁନ ଆଦି ଯେତେ । ସର୍ବକାମିନୀ ମଧ୍ୟଗତେ ॥ ୪୦
ଜଳ ସିଞ୍ଚନ୍ତି ବେନିହସ୍ତେ । ଝୀନବସନ ଉର ଗାତ୍ରେ ॥ ୪୧
ପ୍ରକାଶେ ଜାନୁ କଟୀ ସ୍ତନ । ଓଦାବସନେ କି ସୁବର୍ଣ୍ଣ ॥ ୪୨
ଦେଖି କାମିନୀ ଦୁଷ୍ଟଜନେ । ଅନଙ୍ଗବାଣେ ମନଛନ୍ନେ ॥ ୪୩
ବଦନେ ମନ୍ଦହାସ ଦେଖି । ମୋହେ ବୁଜିଲେ ବେନି ଆଖି ॥ ୪୪
ଏମନ୍ତେ ଅବଭୃଥ ସ୍ନାନ । ଆନନ୍ଦେ କରି ସର୍ବଜନ ॥ ୪୫
କୂଳେ ବିଜୟ ମହାରାଜ । ଉଦୟରବି ଜିଣି ତେଜ ॥ ୪୬
ନାନା ଭୂଷଣେ ଅଳଙ୍କୃତ । ରଥେ ଆରୋହି ଧର୍ମସୂତ ॥ ୪୭
ପାଶେ ଆବୃତ ନାରୀଜନେ । କ୍ରିୟା କଳାପେ ଯଜ୍ଞ ଯେହ୍ନେ ॥ ୪୮
ଦ୍ରୌପଦୀ ଘେନି ରାଜା କୋଳେ । ସ୍ନାହାନ କରି ଗଙ୍ଗାଜଳେ ॥ ୪୯
ବାଜଇ ବୀରତୁର ଭେରୀ । ଗଙ୍ଗାରେ ଅଭିଷେକ କରି ॥ ୫୦
ଦୁନ୍ଦୁଭି ଶୁଭଇ ଆକାଶେ । ସୁଗନ୍ଧ କୁସୁମ ବରଷେ ॥ ୫୧
ବ୍ରାହ୍ମଣ ଆଦି ଚାରିବର୍ଣ୍ଣ । ଅଗ୍ରତେ ଚତୁର୍ଥ ଆଶ୍ରମ ॥ ୫୨
ରାଜାର ଅବଭୃଥ କାଳେ । ସ୍ନାହାନ କରି ଗଙ୍ଗାଜଳେ ॥ ୫୩
ନିର୍ମଳ କଲେ ଦେହ ମନ । ଯେ ଜଳେ କଳୁଷହଦନ ॥ ୫୪
ବିଶେଷେ ଚାହିଁ କୃଷ୍ଣମୁଖ । ଛାଡିଲେ ଭବବନ୍ଧ ଦୁଃଖ ॥ ୫୫
ଉତ୍ତମ ବସ୍ତ୍ର ଆଦି ଧନ । ଅଣାଇ ପଣ୍ତୁର ନନ୍ଦନ ॥ ୫୬
ଯଜ୍ଞେ ବରଣ ବ୍ରହ୍ମା ଆଦି । ଯେ ଅବା ଥିଲେ ମନ୍ତ୍ରବାଦୀ ॥ ୫୭
ଜ୍ଞାତି ବାନ୍ଧବ ନୃପଗଣେ । ମିତ୍ର ସୁହୃଦ ଯେବା ଅନ୍ୟେ ॥ ୫୮
କୃଷ୍ଣବଚନେ ପୂଜା କରି । ମନ ତୋଷିଲେ ଦଣ୍ତଧାରୀ ॥ ୫୯
ମଣି କୁଣ୍ତଳ ପାଗ ଶିରେ । ନାନାଭୂଷଣ ରତ୍ନହାରେ ॥ ୬୦
ନାରୀପୁରୁଷେ ବିରାଜନ୍ତ । ଯେହ୍ନେ ଗଗନେ ତାରାପନ୍ତି ॥ ୬୧
କୃଷ୍ଣ ପାଣ୍ତବ ଅନୁଯାନେ । ଗଲେ ସେ ଯେ ଯାହା ଭୁବନେ ॥ ୬୨
ଯେ ରାଜା ଗୋବିନ୍ଦର ଦାସ । ସେ ମହାଯଜ୍ଞେ ତାର ଯଶ ॥ ୬୩
ଆନନ୍ଦେ ମୁଖେ ମୁଖ ଚାହିଁ । ପଥେ ଚଳନ୍ତି ଗୀତ ଗାଇ ॥ ୬୪
ପୁଣି ସନ୍ତୋଷ ନୋହେ ମନ । ମନୁଷ୍ୟେ ଯେହ୍ନେ ସୁଧାପାନ ॥ ୬୫
ରତ୍ୱିକ ଆଦି ମନ୍ତ୍ରବାଦୀ । ଅନେକ ରାଜଋଷି ଆଦି ॥ ୬୬
ଧର୍ମନନ୍ଦନ ବନ୍ଧୁଗଣେ । ପ୍ରିୟବଚନେ ଜଣେ ଜଣେ ॥ ୬୭
ଦେବକୀନନ୍ଦନ ସଙ୍ଗତେ । ଭାବେ ରହିଲେ ଦିନାକେତେ ॥ ୬୮
ତକ୍ଷଣେ ପ୍ରଭୁ ଭଗବାନ । ପାଶେ ବସାଇ ଉଗ୍ରସେନ ॥ ୬୯
ପ୍ରଦ୍ୟୁମ୍ନ ଆଦି ଯେତେ ସୁତ । କୁଟୁମ୍ବ ସୁହୃଦ ସହିତ ॥ ୭୦
ମେଲାଣି ଦେଇ ନିଜପୁରେ । କୃଷ୍ଣ ରହିଲେ ରାଜାଘରେ ॥ ୭୧
ଏମନ୍ତେ ପଣ୍ତୁର ନନ୍ଦନ । ଦୁସ୍ତର-ମନୋରଥ-ପୂର୍ଣ୍ଣ ॥ ୭୨
କୃଷ୍ଣଚରଣ ଭେଳା କଲେ । ଯଜ୍ଞ ଜଳଧି ନିସ୍ତରିଲେ ॥ ୭୩
ଏମନ୍ତେ ଶୁଣ ହେ ରାଜନ । ଦିନେକ ରାଜା ଦୁର୍ଯ୍ୟୋଧନ ॥ ୭୪
ଧର୍ମନନ୍ଦନ ଅନ୍ତଃପୁରେ । ପଶିଲା ବାନ୍ଧବ ବେଭାରେ ॥ ୭୫
ଦେଖି ସମ୍ପଦ ଅଗୋଚର । ଉପନା ନାହିଁ ତିନିପୁର ॥ ୭୬
ଯଜ୍ଞେ ଗୋବିନ୍ଦର ମହିମା । କେ କହିପାରେ ଗୁଣସୀମା ॥ ୭୭
ଯାହାର ଧ୍ୟାନ କୃଷ୍ଣପାଦେ । କେଅନ୍ତ କରୁ ତା ସମ୍ପଦେ ॥ ୭୮
ନର ଅସୁର ସୁର ଶିରୀ । ଯାର ଭୁବନେ ଅଛି ପୁରି ॥ ୭୯
ବ୍ରହ୍ମା ସଞ୍ଚିତ ଭୋଗ ଯେତେ । ନାନାପ୍ରକାରେ ଅପ୍ରମିତେ ॥ ୮୦
ଦ୍ରୁପଦ ରାଜାର ନନ୍ଦୀନୀ । ସର୍ବସମ୍ପଦ ସଙ୍ଗେ ଘେନି ॥ ୮୧
ସେବଇ ଯୁଧିଷ୍ଠିର ପାଦେ । କୃଷ୍ଣପ୍ରସନ୍ନେ ଅପ୍ରମାଦେ ॥ ୮୨
ତା ଦେଖି ଅନ୍ଧରନନ୍ଦନ । ଅନ୍ତରେ ଦହଇ ଜୀବନ ॥ ୮୩
ଯହିଁ ଗୋବିନ୍ଦ ନାରୀଗଣେ । ବଳୟ ନୁପୂର କଙ୍କଣେ ॥ ୮୪
ଚାଲନ୍ତେ ନୂପୁର ବାଜେଣୀ । କଟୀରେ ରତ୍ନ ଓଡିଆଣୀ ॥ ୮୫
କୁଚ-କୁଙ୍କୁମେ ଶୋଣହାର । କର୍ଣ୍ଣେ କୁଣ୍ତଳ ରତ୍ନସାର ॥ ୮୬
ଏମନ୍ତ ଦେଖି ତା ଭୁବନ । ଅନ୍ଧନନ୍ଦନ ଦୁର୍ଯ୍ୟୋଧନ ॥ ୮୭
ବାହୁଡି ହରଷ ବିଷାଦେ । ପୁଣି ମିଳିଲା ସଭାମଧ୍ୟେ ॥ ୮୮
ମୟନିର୍ମିତ ମାୟାସଭା । କି ଅବା ପଟାନ୍ତର ଦେବା ॥ ୮୯
ଯହିଁ ବିଜୟ ଦାମୋଦର । ସ୍ୱଭାବେ କାଳଚକ୍ରଧର ॥ ୯୦
ଚକ୍ଷୁ ଚଳନ୍ତେ ବିଶ୍ୱଚଳେ । ତାହାର ଜନ୍ମ ମହୀତଳେ ॥ ୯୧
ଭାବ ଅଭାବ ମତ ବେନି । କହନ୍ତି ହସ୍ତେ ବେତ୍ର ଘେନି ॥ ୯୨
ସେ ସଭାମଧ୍ୟେ ଧର୍ମସୂତ । ସଙ୍ଗେ ଅଛନ୍ତି ଚାରିଭ୍ରାତ ॥ ୯୩
କାଞ୍ଚନ ଆସନେ ବିଜୟେ । ଦିଶେ ଆକାଶେ ଇନ୍ଦ୍ର ପ୍ରାୟେ ॥ ୯୪
ବ୍ରହ୍ମାଙ୍କ ସଭା ପ୍ରାୟ ଦିଶି । ସୂତ-ମାଗଧେ ପରଶଂସି ॥ ୯୫
ଏମନ୍ତେ ମିଳି ଅନ୍ଧସୁତ । ସଙ୍ଗେ ଅଛନ୍ତି ଶତେ ଭ୍ରାତ ॥ ୯୬
ରତ୍ନମୁକୁଟ ଅଛି ଶିରେ । ହସ୍ତନିବେଶି ମନ୍ତ୍ରୀ କରେ ॥ ୯୭
ରୋଷେ କମ୍ପଇ ତା ଶରୀର । ଏମନ୍ତେ ଶୁଣ ନୃପବର ॥ ୯୮
ମୟନିର୍ମିତ ମାୟାସଭା । ଯହିଁ ଭ୍ରମନ୍ତି ଶୂର ଦେବା ॥ ୯୯
କୃଷ୍ଣ ମହିମା ଅନ୍ତରାଳ । କ୍ଷଣକେ ଦିଶେ ଜଳସ୍ଥଳ ॥ ୧୦୦
ସ୍ଥଳକୁ ଜଳ ପ୍ରାୟ ମଣି । ବସ୍ତ୍ର ତୋଳିଲା କରେ ଆଣି ॥ ୧୦୧
ଜଳକୁ ସ୍ଥଳ ପ୍ରାୟ ବୁଝି । କୋପେ ପଶିଲା ଚକ୍ଷୁବୁଜି ॥ ୧୦୨
ଜଳେ ହୋଇଲା ସ୍ଥଳ ଭ୍ରାନ୍ତି । ମୟ-ମାୟାରେ ମୋହଗତି ॥ ୧୦୩
ଜଳେ ପଡନ୍ତି କୁରୁପତି । ତା ଦେଖି ହସିଲା ମାରୁତି ॥ ୧୦୪
ଦ୍ରୌପଦୀ ଆଦି ଯେତେ ନାରୀ । ସର୍ବେ ହସିଲେ ହାସ୍ୟ କରି ॥ ୧୦୫
ଯେତେ ନୃପତି ଥିଲେ ବସି । ମୁଖେ ବସନ ଦେଇ ହସି ॥ ୧୦୬
ଚକ୍ଷୁ ଚାଳିଣ ଚକ୍ରଧର । ଠାରିଲେ ସର୍ବେ ହାସ୍ୟ କର ॥ ୧୦୭
ଏମନ୍ତେ ସର୍ବ ସଭାଜନେ । ହସିଲେ ବିକୃତ ବଦନେ ॥ ୧୦୮
ଦେହ ସମ୍ଭାଳି କୁରୁନାଥ । ଉଠିଲା ଧରି ଭ୍ରାତହସ୍ତ ॥ ୧୦୯
ଅଧୋବଦନେ କୋପକରି । ଦୁଃଶାସନର କର ଧରି ॥ ୧୧୦
ଜନେ କରନ୍ତି ହାହାକାର । ହସ୍ତିନା ଗଲା ନୃପବର ॥ ୧୧୧
ତା ଦେଖି ଧର୍ମର ନନ୍ଦନ । ସମ୍ଭ୍ରମେ କଲେ ଦୁଃଖମନ ॥ ୧୧୨
ପଣ୍ତୁନନ୍ଦନ ଭାବ ଘେନି । ଗୋବିନ୍ଦ ଜାଣି ହେଲେ ତୁନି ॥ ୧୧୩
ଅଶେଷ ଅବନୀର ଭାର । ଯେ ହରି କରିବେ ସଂହାର ॥ ୧୧୪
ଯାହାର ମାୟାରେ ମୋହିତ । ହୋଇଛି ଅଶେଷ ଜଗତ ॥ ୧୧୫
ବ୍ରହ୍ମାଶଙ୍କରେ ଅଗୋଚର । ଏ ପୁଣି ମନୁଷ୍ୟ ମାତର ॥ ୧୧୬
ଶୁଣ ପରୀକ୍ଷ ଶୁଦ୍ଧଚିତ୍ତେ । ତୁ ଯାହା ପଚାରିଲୁ ମୋତେ ॥ ୧୧୭
ରାଜସୂୟଯଜ୍ଞେ ବରଣ । ଦୁର୍ଯ୍ୟୋଧନର ଦୁଷ୍ଟପଣ ॥ ୧୧୮
ବୋଲଇ ଦାସ ଜଗନ୍ନାଥ । କୃଷ୍ଣରଚିତ ଭାଗବନ ॥ ୧୧୯
ରାଜୁସିଯଜ୍ଞ କଥା ଶୁଣି । ସଂସାରୁ ତର ସର୍ବପ୍ରାଣୀ ॥ ୧୨୦
ଗୋବିନ୍ଦ ପାଦେ କର ଭାବ । ଯେବେ ଏ ସଂସାରୁ ତରିବ ॥ ୧୨୧
ଜଗତହିତେ କୃଷ୍ଣବାଣୀ । ଗୀତେ ମୁଁ ବଖାଣିଲି ଆଣି ॥ ୧୨୨
ଏଣେ ନିଶ୍ଚଳ କର ଚିତ୍ତ । ମୁଁ ତୁମ୍ଭ ଭୃତ୍ୟଙ୍କର ଭୃତ୍ୟ ॥ ୧୨୩
ଇତି ଶ୍ରୀମଦଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ଦୁର୍ଯ୍ୟୋଧନ ମାନଭଙ୍ଗୋ ନାମ
ଅଶୀତିତମ ଅଧ୍ୟାୟଃ ।
* * *