ଦଶମ ସ୍କନ୍ଧ
ଏକୋନଅଶୀତିତମ ଅଧ୍ୟାୟ
ଶୁକ ଉବାଚ
ଏବେ ହୋ ଶୁଣ ନୃପମଣି । ଜରାସନ୍ଧର ବଧ ଶୁଣି ॥ ୧
କୃଷ୍ଣମହିମା ଅନୁଭବ । ଆତ୍ମାକଳ୍ପିତ କାର୍ଯ୍ୟ ଲାଭ ॥ ୨
ଯୁଧିଷ୍ଠି ବୋଲେ ପ୍ରିୟମନେ । କୋମଳ ଗଭୀର ବଚନେ ॥ ୩
ଯୁଧିଷ୍ଟିର ଉବାଚ
ବ୍ରହ୍ମା ଶଙ୍କର ଆଦି ଯେତେ । ଦେବେ ଅଛନ୍ତି ଏ ଜଗତେ ॥ ୪
ତୋର ଦୁର୍ଲ୍ଲଭ ଆଜ୍ଞା ପାଇ । ଶିରେ ବହନ୍ତି ତୋଷ ହୋଇ ॥ ୫
ଏମନ୍ତ ପ୍ରଭୁ ମହାବାହୁ । ତୁ ଯେ ମୋହର ଆଜ୍ଞା ବହୁ ॥ ୬
ଏ ବଡ ବିଡମ୍ବନ କର୍ମ । ତୁ ଆଦି ନିରଞ୍ଜନ ଧର୍ମ ॥ ୭
ଏକ ଅଦ୍ୱିତୀୟ ଅନନ୍ତ । ପରମଆତ୍ମା ତୁ ଅଚ୍ୟୁତ ॥ ୮
ତୁ ସର୍ବଭୂତେ ଦେହ ବହି । କର୍ମବନ୍ଧନ ତୋର କାହିଁ ॥ ୯
ପ୍ରବେଶ ହେଉ ସର୍ବଜନେ । ଆଦିତ୍ୟ ଯେସନେ ଗଗନେ ॥ ୧୦
ଗୁଣ ଗ୍ରହଣେ ତୁ ଅଜିତ । ଯେ ପ୍ରାଣୀ ତୋହର ଭକତ ॥ ୧୧
ତାହାଙ୍କ ଚିତ୍ତେ ନାହିଁ ଭ୍ରାନ୍ତି । ମୁହିଁ ମୋହର ନ ବୋଲନ୍ତି ॥ ୧୨
ଏ ତୋର ମାୟାର ବିକାର । କେ ଜାଣିପାରେ ଦାମୋଦର ॥ ୧୩
ବୋଲନ୍ତି ଶୁକ ମହାଯତି । ଶୁଣ ରାଜନ କୁରୁପତି ॥ ୧୪
ଧର୍ମନନ୍ଦନ ଯଜ୍ଞକାଳେ । କହି ଗୋବିନ୍ଦ ପାଦତଳେ ॥ ୧୫
ସଙ୍ଗତେ ଘେନି ନରହରି । ରତ୍ୱିଜ ଚାରିବେଦୁଁ ବରି ॥ ୧୬
ଶ୍ରୀବେଦବ୍ୟାସ ଭରଦ୍ୱାଜ । ସୁମନ୍ତୁ ଗଉତମ ଦ୍ୱିଜ ॥ ୧୭
ଅସିତ ବଶିଷ୍ଠ ଚ୍ୟବନ । କବଷ ମହାତେଜା କଣ୍ୱ ॥ ୧୮
ସୁପୁଣ୍ୟ ମଇତ୍ରେୟ ଋଷି । ଏ ଆଦି ଯେତେ ଭୃଗୁବଂଶୀ ॥ ୧୯
ଯେ ବିଶ୍ୱାମିତ୍ର ବାମଦେବ । ସୁମିତି ଜୈମିନି ଅଥର୍ବ ॥ ୨୦
କ୍ରତୁ ପଇଳ ପରାଶର । ଗର୍ଗ ଗଉତମକୁମର ॥ ୨୧
ବୈଶମ୍ପାୟନ ମୁନିବର । କଶ୍ୟପ ବ୍ରହ୍ମାଙ୍କ କୁମର ॥ ୨୨
ଧୌମ୍ୟ ଭାର୍ଗବ ପର୍ଶୁରାମ । ଆସୁରି ବୀତିହୋତ୍ର ନାମ ॥ ୨୩
ମଧୁଛନ୍ଦା ଯେ ବୀରସେନ । ଅକୃତବଣ ମୁନିଜନ ॥ ୨୪
ଅଣାଇ ନାନା ମୁନିଗଣ । ଆଦରେ ପୁଜି ଭୀଷ୍ମଦ୍ରୋଣ ॥ ୨୫
କୃପ ସହିତେ କୁରୁନାଥ । ସଙ୍ଗେ ଘେନାଇ ପୁତ୍ରଶତ ॥ ୨୬
ବିଦୁର ଆଦି ବନ୍ଧୁ ଯେତେ । ମିଳିଳେ ଆଖଣ୍ତଳପ୍ରସ୍ଥେ ॥ ୨୭
ବ୍ରାହ୍ମଣ ଆଦି ଚାରିବର୍ଣ୍ଣ । ଯଜ୍ଞ ଉତ୍ସବେ ଆଗମନ ॥ ୨୮
ଭୂମିରେ ଯେତେ ନୃପଗଣ । ଯଜ୍ଞମଙ୍ଗଳେ ନିମନ୍ତ୍ରଣ ॥ ୨୯
ପ୍ରକୃତି ସଙ୍ଗତେ ମିଳିଲେ । ଧର୍ମନନ୍ଦନ ଯଜ୍ଞକାଳେ ॥ ୩୦
ଉତ୍ତମ ଶୁଭଲଗ୍ନ ବେଳେ । ବ୍ରାହ୍ମଣେ ସୁବର୍ଣ୍ଣଲଙ୍ଗଳେ ॥ ୩୧
କରନ୍ତି ଭୂମି କରଷଣ । ଶୁଭେ ମଙ୍ଗଳେ ଉଚ୍ଚାରଣ ॥ ୩୨
ଯଥା ଉଚିତ ବେଦମନ୍ତ୍ର । ଦୀକ୍ଷିତ କଲେ ଧର୍ମସୂତେ ॥ ୩୩
ଶଙ୍ଖେ ଉଦକ କୁଶ କରେ । ବିପ୍ରେ ବରିଲେ ମନ୍ତ୍ରସ୍ୱରେ ॥ ୩୪
ସର୍ବ ସୁବର୍ଣ୍ଣ ପରିଚ୍ଛଦ । କେ କହୁ ଯଜ୍ଞର ସମ୍ପଦ ॥ ୩୫
ପୂର୍ବେ ବରୁଣଯଜ୍ଞେ ଯେହ୍ନେ । ଧରଣୀ ପୁରିଲା ସୁବର୍ଣ୍ଣେ ॥ ୩୬
ବାସବ ଆଦି ଦିଗପାଳେ । ଭବ ବିରଞ୍ଚି ସିଦ୍ଧମେଳେ ॥ ୩୭
ଗନ୍ଧର୍ବ ବିଦ୍ୟାଧର ନାଗ । ଯକ୍ଷ ରାକ୍ଷସ ଯେ ଉରଗ ॥ ୩୮
ଖଗ କିନ୍ନର ଯେ ଚାରଣ । ପତ୍ନୀ ସହିତେ ରାଜାଗଣ ॥ ୩୯
ଧର୍ମନନ୍ଦନ ଯଜ୍ଞେ ଆସି । ସମ୍ପଦ ଦେଖି ପରଶଂସି ॥ ୪୦
କୃଷ୍ଣଭକତ ଯେତେ ନର । କିବା ସମ୍ପଦ ତାଙ୍କୁ ଦୂର ॥ ୪୧
ନାନା ସମ୍ପଦ ସୁଖସୀମା । ଏ ସର୍ବ କୃଷ୍ଣର ମହିମା ॥ ୪୨
ରାଜାର ପୁରୋହିତ ଯେତେ । ଶୁଦ୍ଧ ଶରୀରେ ବେଦମତେ ॥ ୪୩
ସେ ରାଜସୂୟ ଯଜ୍ଞ ବିଧି । କରାଇ ସକଳ ସମୃଦ୍ଧି ॥ ୪୪
ବରୁଣଯଜ୍ଞେ ଦେବଗଣେ । ଯେମନ୍ତେ ଥିଲେ ନିମନ୍ତ୍ରଣେ ॥ ୪୫
ଯଜ୍ଞ ଆରମ୍ଭ ପୂର୍ବଦିନେ । ଧର୍ମନନ୍ଦନ ଶୁଦ୍ଧମନେ ॥ ୪୬
ଯାଜ୍ଞିକ ସଭାସଦ ଆଦି । ପାଦପୂଜନେ ଅର୍ଘ୍ୟବିଧି ॥ ୪୭
ଘେନି ମିଳିଲେ ସଭାତଳେ । ବନ୍ଧୁବାନ୍ଧବ ଭ୍ରାତମେଳେ ॥ ୪୮
ରାଜୁସି ଯଜ୍ଞେ ମହାସଭା । ଅଛନ୍ତି ଶୁର ମୁନି ଦେବା ॥ ୪୯
ଧର୍ମନନ୍ଦନ ସଭା ଚାହିଁ । ହୃଦୟ ମଧ୍ୟେ ବିଚାରଇ ॥ ୫୦
ଏ ଅର୍ଘ୍ୟ ଦେବି କାହା ପାଦେ । ଭାଳଇ ସଂଶୟ ବିଷାଦେ ॥ ୫୧
ମୁହୁର୍ତ୍ତେ ରହି ଦୃଢଭାବ । ତା ଦେଖି ବୋଲେ ସହଦେବ ॥ ୫୨
କରଅଞ୍ଚଳି ଶିରେ ଦେଇ । କହେ ରାଜନ ମୁଖ ଚାହିଁ ॥ ୫୩
ଜାଣଇ କୃଷ୍ଣର ମହିମା । ସର୍ବଜ୍ଞ ପଣେ ଏକସୀମା ॥ ୫୪
ଶୁଣ ରାଜନ ଚୁଡାମଣି । ମୋର ଉଚିତ ଧର୍ମବାଣୀ ॥ ୫୫
ଏ ମହାସଭା ମଧଗତେ । ଅର୍ଘ୍ୟକୁ ପାତ୍ର ଜଗନ୍ନାଥେ ॥ ୫୬
ଦେଖ ଏ କୃଷ୍ଣର ଚରଣ । ଅନାଦି ପରମ କାରଣ ॥ ୫୭
ଯେ ହରି ସର୍ବେଦେବମୟ । ସର୍ବେ ଅଛନ୍ତି ଏହା ଦେହେ ॥ ୫୮
ଏ କୃଷ୍ଣ ଦେଶ କାଳ ପାତ୍ର । ଧନ ଜୀବନ ବେଦମନ୍ତ୍ର ॥ ୫୯
ଯଜ୍ଞପୁରୁଷ ଏହୁ ହରି । ଏହାର ଦେହେ ବିଶ୍ୱ ପୁରି ॥ ୬୦
ଯଜ୍ଞ ଆହୁତି ଭୋକ୍ତା ଏହୁ । ଯଜ୍ଞର କର୍ତ୍ତା ମହାବାହୁ ॥ ୬୧
ଏଟି ଅନଳ ଦେବଗଣ । ଏ ବେଦମନ୍ତ୍ର ଉଚ୍ଚାରଣ ॥ ୬୨
ଏହାର ଦେହେ ସାଂଖ୍ୟ ଯୋଗ । ଏଟି ଭୁଞ୍ଜଇ ହବିର୍ଭାଗ ॥ ୬୩
ନିତ୍ୟେ ଏ ଏକ ନୋହେ ଦୁଇ । ଏ ସର୍ବଜୀବ ଦେହେ ଥାଇ ॥ ୬୪
ଏ ମାୟା ସୃଷ୍ଟି ଆତ୍ମା ଏହି । ମାୟାପୁରୁଷ ଏ ବୋଲାଇ ॥ ୬୫
ଏହାରା ମାୟା ତିନିଗୁଣ । ସୃଷ୍ଟି ପାଳନ ସଂହାରଣ ॥ ୬୬
କରଇ ଆତ୍ମଯୋଗ ବଳେ । ଲୀଳା ବିହାର ମହୀତଳେ ॥ ୬୭
ବିବିଧ କର୍ମଦାତା ଏହି । କର୍ମବିପାକ ଏ ଦିଅଇ ॥ ୬୮
ଏହାର ଭ୍ରୂଭଙ୍ଗିମା ଭାବେ । ଜଗତ ପ୍ରକାଶ ସ୍ୱଭାବେ ॥ ୬୯
ଧର୍ମାର୍ଥ କାମ ମୋକ୍ଷସଙ୍ଗେ । ଥାନ୍ତି ଏହାର ପାଦଯୁଗେ ॥ ୭୦
ଏଣୁ ଏ ମହାବିଷ୍ଣୁପାଦେ । ଏ ଅର୍ଘ୍ୟ ଦିଅ ହେ ଆନନ୍ଦେ ॥ ୭୧
ସର୍ବଭୂତଙ୍କ ପିଣ୍ତ ପ୍ରାଣ । ଏଣେଟି ହୋଇବ ତର୍ପଣ ॥ ୭୨
ଯେଣୁ ଏ ସର୍ବଭୂତଦେହୀ । ଭେଦ ଅଭେଦ ଭାବ ନାହିଁ ॥ ୭୩
ଏହାର ପାଦେ ମହାଅର୍ଘ୍ୟ । ଦେଇ ତୁ ଲଭ ଚଉବର୍ଗ ॥ ୭୪
କୃଷ୍ଣର ପାଦେ ଅର୍ଘ୍ୟ ଦେଲେ । ବ୍ରହ୍ମାଣ୍ତ ପୂଜିବୁ ତୁ ଭଲେ ॥ ୭୫
ସର୍ବଜୀବଙ୍କ ଆତ୍ମାଭୂତ । ପ୍ରଭୁ ଅନନ୍ତ ଦଇବତ ॥ ୭୬
କର୍ମର ଫଳ ଏହା ପାଦେ । ଯେ ପ୍ରାଣୀ ସମର୍ପେ ଆନନ୍ଦେ ॥ ୭୭
ଏହାକୁ କର୍ମଫଳ ଦେଇ । ଅନ୍ତେ ଅନନ୍ତଫଳ ପାଇ ॥ ୭୮
ଏମନ୍ତ କୃଷ୍ଣର ସ୍ୱଭାବ । ଜାଣି କହିଲା ସହଦେବ ॥ ୭୯
ଶୁଣି ସହଦେବ ବଚନ । ସଭାର ମଧ୍ୟେ ଯେତେ ଜନ ॥ ୮୦
ସର୍ବେ କରନ୍ତି ସାଧୁବାଣୀ । ଧର୍ମନନ୍ଦନ ତାହା ଶୁଣି ॥ ୮୧
ପ୍ରଣମି ପ୍ରିୟଭାବେ ଭୋଳ । ଗୋବିନ୍ଦପାଦେ ଅର୍ଘ୍ୟଜଳ ॥ ୮୨
ବେଦବଚନେ ରାଜା ଢାଳି । ପାଦଉଦକ ଶିରେ ବୋଳି ॥ ୮୩
ପତ୍ନୀ ସହିତେ ଭ୍ରାତାଗଣ । ପୂଜିଲେ ଗୋବିନ୍ଦଚରଣ ॥ ୮୪
ବନ୍ଧୁ କୁଟୁମ୍ବ ଆଦି ଯେତେ । ନମିଲେ କୃଷ୍ଣପାଦଗତେ ॥ ୮୫
ନାନାଭୂଷଣ ହସ୍ତେ ଘେନି । ଉତ୍ତମ ପୀତବସ୍ତ୍ର ବେନି ॥ ୮୬
ଆନନ୍ଦେ କୃଷ୍ଣପାଦେ ପୂଜି । ଅଶ୍ରୁପୂରିତ ଚକ୍ଷୁବୁଜି ॥ ୮୭
ରୋମପୁଲକ ସର୍ବେଦେହୀ । କୃଷ୍ଣଙ୍କୁ ନ ପାରନ୍ତି ଚାହିଁ ॥ ୮୮
ଏମନ୍ତେ ସଭାଜନେ ଚାହିଁ । କର ଅଞ୍ଜଳି ଶିରେ ଦେଇ ॥ ୮୯
ଶୁଭିଲା ଜୟ ଜୟ ବାଣୀ । ନମ ଶବଦେ ସ୍ତୁତି ଭଣି ॥ ୯୦
ଦେବେ କରନ୍ତି ପୁଷ୍ପବୃଷ୍ଟି । ତା ଦେଖି ଶିଶୁପାଳ ଉଠି ॥ ୯୧
କୋପେ ଅଧର କାମୋଡଇ । ଶୋଣିତ ନୟନେ ଅନାଇଁ ॥ ୯୨
ପ୍ରଚଣ୍ତ ଦମଘୋଷ ବଳା । କୃଷ୍ଣର ନିକଟେ ମିଳିଲା ॥ ୯୩
କୃଷ୍ଣର ଗୁଣ କର୍ମ ତେଜ । କହଇ ତୋଳି ବେନିଭୂଜ ॥ ୯୪
ସଭାଜନଙ୍କୁ କୋପମନେ । ବୋଲଇ ପୁରୁଷବଚନେ ॥ ୯୫
ଦେଖ ଏ ଦୁରାଶୟ କାଳ । ଈଶ୍ୱର ଚେଷ୍ଟା ଅନ୍ତରାଳ ॥ ୯୬
ଏ ସତ୍ୟବତୀସୁତ ବାଣୀ । ଭବିଷ୍ୟେ ଯାହା ପରିମାଣି ॥ ୯୭
ଧ୍ରୁବବଚନ ମହୀତଳେ । ଭାଙ୍ଗିଲ ବାଳକର ବୋଲେ ॥ ୯୮
ସେ କଥା ହୋଇଲା ପ୍ରତ୍ୟକ୍ଷେ । ଏ ସଭାଜନଙ୍କ ସମ୍ମୁଖେ ॥ ୯୯
ହେ ସଭାଜନେ ମୋ ବଚନ । ଶ୍ରବଣେ ହୁଅ ସାବଧାନ ॥ ୧୦୦
ପାତ୍ର ଅପାତ୍ର ବେନିମତେ । କୁଶଳେ ଜାଣ ତ ସମସ୍ତେ ॥ ୧୦୧
ବାଳବଚନ କିମ୍ପା କର । ଏ ବଡ ଅନୀତି ତୁମ୍ଭର ॥ ୧୦୨
ସଭାରେ ବସି ମତିଭ୍ରମ । କେମନ୍ତେ କଲ ଏଡେ କର୍ମ ॥ ୧୦୩
ଦେଖ ଏ ସଭାମଧ୍ୟଗତେ । ଉତ୍ତମପାତ୍ର ଛନ୍ତି କେତେ ॥ ୧୦୪
ତପସ୍ୱୀ ବିଦ୍ୟା ବ୍ରତଧର । ଜ୍ଞାନବିଧୃତ କଳେବର ॥ ୧୦୫
ଦେଖ ଉତ୍ତମ ଋଷିଗଣ । ଦେବେ ପୂଜନ୍ତି ଯା ଚରଣ ॥ ୧୦୬
ଏ ଆଦି ଯେତେ ନୃପବର । କେ କହୁ ଗୁଣ ତାହାଙ୍କର ॥ ୧୦୭
ଏ ମହାସଭା ପୂଜା ଏଡି । ବାଳବଚନେ ତୁମ୍ଭେ ହୁଡି ॥ ୧୦୮
ଏ ମହାସଭା ବ୍ରତ ବଳୀ । ଅଜ୍ଞାନ ବେନିଭୁଜ ତୋଳି ॥ ୧୦୯
ଏ ସହଦେବ ଅନୁବାଦେ । ନେଇ ଢାଳିଲ କାକ ପାଦେ ॥ ୧୧୦
ଏ ଯଜ୍ଞସଭା ପୁରୋଡାଶ । କେମନ୍ତେ କାକ କଲା ଗ୍ରାସ ॥ ୧୧୧
ଦେଖ ଏ ମନ୍ଦ ଗୋପଶିଶୁ । ବ୍ରଜଗୋପାଳ କୁଳପାଂଶୁ ॥ ୧୧୨
ଏହାର ଗୁଣ କର୍ମ ନାହିଁ । କେମନ୍ତେ ବଳିଭୋଗ୍ୟ ହୋଇ ॥ ୧୧୩
ଏହାକୁ କେମନ୍ତେ ପୂଜିଲ । ବେଦବଚନ ନ ମାନିଲ ॥ ୧୧୪
ଏ ନାହିଁ ଚାରିବର୍ଣ୍ଣ ମଧ୍ୟେ । ଆଶ୍ରମ କୁଳ ଧର୍ମ ବାଦେ ॥ ୧୧୫
ଏ ଥାଇ ଆପଣାର ମତେ । ସମସ୍ତେ ଜାଣନ୍ତି ଜଗତେ ॥ ୧୧୬
ଏହାର ଗୁଣ କିଛି ନାହିଁ । କେମନ୍ତେ ଅର୍ଘ୍ୟଯୋଗ୍ୟ ଏହି ॥ ୧୧୭
ପୂର୍ବେ ଯଯାତି ଶାପଫଳେ । ନୃପଆସନ ନାହିଁ କୁଳେ ॥ ୧୧୮
ନିଶ୍ଚୟେ ନାହିଁ ଜାତି କୁଳ । ନିତ୍ୟେ ଏ ମଧୁପାନେ ଭୋଳ ॥ ୧୧୯
ଏ ତ ନୁହଁଇ ତୁମ୍ଭ ଭଲ । କେମନ୍ତେ ଏହାକୁ ପୂଜିଲ ॥ ୧୨୦
ଦେଖ ଏ ପୁଣ୍ୟଭୂମି ଛାଡି । ଋଷି ବ୍ରାହ୍ମଣ ସଙ୍ଗ ଏଡି ॥ ୧୨୧
ସମୁଦ୍ର ମଧ୍ୟେ ଘର କରି । କଷ୍ଟେ ଜୀବନ ଅଛି ଧରି ॥ ୧୨୨
ନିତ୍ୟେ ପିଡଇ ଜନ ପ୍ରଜା । କେମନ୍ତେ ଏହା ପାଦେ ପୂଜା ॥ ୧୨୩
କେତେ କହିବା ଏହା ଗୁଣ । ଏ ନୋହେ ତୁମ୍ଭର ପ୍ରମାଣ ॥ ୧୨୪
ଅଧିକେ ଦୋଷ ଗୁଣ ଯେତେ । ଲୋକେ ଜାଣନ୍ତି ଏ ଜଗତେ ॥ ୧୨୫
ଏମନ୍ତ କହି ମନ୍ଦବାଣୀ । କୋପେ କମ୍ପଇ ଶିରଝୁଣି ॥ ୧୨୬
ନିନ୍ଦା ପୁରୁଷ ତାର ବାଣୀ । ଗୋବିନ୍ଦ ସଭାମଧ୍ୟେ ଶୁଣି ॥ ୧୨୭
ଚାହିଁଲେ ହସିତ ବଦନେ । ଶୃଗାଳ ବାକ୍ୟେ ସିଂହ ଯେହ୍ନେ ॥ ୧୨୮
ଏ ଦୁଷ୍ଟ ଶିଶୁପାଳବାଣୀ । ସେ ମହାସଭାଜନେ ଶୁଣି ॥ ୧୨୯
ଦୁଃସହ ବଚନ ତାହାର । ଶୁଣି ଉଠିଲେ କୋପଭର ॥ ୧୩୦
ଅଙ୍ଗୁଳି ଦେଇ କର୍ଣ୍ଣଦ୍ୱାରେ । ଗମିଲେ ଯେ ଯାହା ମନ୍ଦିରେ ॥ ୧୩୧
ଚଳନ୍ତି ଅତି କୋପ ବହି । ଶିଶୁପାଳକୁ ଗାଳି ଦେଇ ॥ ୧୩୨
ବୋଲନ୍ତି କୋପଭର ହୋଇ । ଧର୍ମବଚନେ ମନ ଦେଇ ॥ ୧୩୩
ବିଷ୍ଣୁର ନିନ୍ଦା ଯହିଁ ଶୁଣି । ବିଷ୍ଣୁଭକତ ଯେତେ ପ୍ରାଣୀ ॥ ୧୩୪
ସେ ଠାବ ତେଜି ଯେ ନ ଯାନ୍ତି । ନିଶ୍ଚୟେ ନରକେ ପଡନ୍ତି ॥ ୧୩୫
ଏମନ୍ତେ ସଭାମଧ୍ୟେ ଗୋଳ । ଶୁଭିଲା ଦିଗ ଅନ୍ତରାଳ ॥ ୧୩୬
ଶୁଣି ପାଣ୍ତବେ କୋପଭରି । ଧାଇଁଲେ କରେ ଶସ୍ତ୍ର ଧରି ॥ ୧୩୭
ମତ୍ସ୍ୟ କେକୟ ଯେ ସୃଞ୍ଜୟ । ଶସ୍ତ୍ର ଆୟୁଧ ବର୍ମଦେହ ॥ ୧୩୮
ବୋଲନ୍ତି ମାର ଶିଶୁପାଳ । ନିଶ୍ଚେ ପୁରିଲା ତାର କାଳ ॥ ୧୩୯
ଏମନ୍ତ ବୋଲି ମହାରୋଷେ । ମିଳିଲେ ଶିଶୁପାଳ ପାଶେ ॥ ୧୪୦
ଦେଖି ସମ୍ଭ୍ରମେ ଶିଶୁପାଳ । ସ୍ୱଭାବେ ଦୁଷ୍ଟ ମହାବଳ ॥ ୧୪୧
ଖଡଗ ଚର୍ମ କରେ ଧରି । ରହିଲା ସମର ଆବୋରି ॥ ୧୪୨
କୃଷ୍ଣର ପକ୍ଷ ଯେତେ ଜନ । ତାହାଙ୍କୁ କରଇ ଭର୍ତ୍ସନ ॥ ୧୪୩
ରୋଷେ ଗର୍ଜଇ ଘୋରନାଦେ । ଧର୍ମନନ୍ଦନ ସଭାମଧ୍ୟେ ॥ ୧୪୪
ଦେଖି ତାହାର ଦୁଷ୍ଟପଣ । ଗୋବିନ୍ଦ ଆବୋରିଲେ ଋଣ ॥ ୧୪୫
ପାଣ୍ତବବଳ ପୃଷ୍ଠଭାଗେ । ମିଳିଲେ ଶିଶୁପାଳ ଆଗେ ॥ ୧୪୬
ଦୁରନ୍ତ ଚକ୍ରେ ଦାମୋଦର । ଛେଦିଲେ ଶିଶୁପାଳ ଆଗେ ॥ ୧୪୭
ଶିର କମଳ ତାର କଟି । ପଡିଲା ମହୀତଳେ ଲୋଟି ॥ ୧୪୮
ଦେଖି ତାହାର ରତ୍ନଶିର । ଜନେ କରନ୍ତି ହାହାକାର ॥ ୧୪୯
ଶୁଭଇ ମୁଖରାବ ଗୋଳ । ଶୁଣି ସମ୍ଭ୍ରମେ ମହୀପାଳ ॥ ୧୫୦
ଯେ ଶିଶୁପାଳ ପକ୍ଷେ ଥିଲେ । ମରଣ ଡରେ ପଳାଇଲେ ॥ ୧୫୧
ଶିଶୁପାଳର ମୃତପିଣ୍ତ । ଚକ୍ରେ ହୋଇଣ ବେନିଖଣ୍ତ ॥ ୧୫୨
ପଡିଲା ମହାସଭା ତଳେ । ଶୁନ୍ୟେ ଦେଖନ୍ତି ଦିଗପାଳେ ॥ ୧୫୩
ତାର ଶରୀରୁ ଦିବ୍ୟଜ୍ୟୋତି । ଶିଶୁତପନ ପ୍ରାୟ କାନ୍ତି ॥ ୧୫୪
ପଶିଲା ଗୋବିନ୍ଦର ଦେହେ । ଦେଖି ବିବୁଧେ କଲେ ଜୟେ ॥ ୧୫୫
ପୂର୍ବେ ସେ ବିଷ୍ଣୁଦ୍ୱାରପାଳ । ବ୍ରାହ୍ମଣେ କରି ଅବହେଳ ॥ ୧୫୬
ବିଷ୍ଣୁଙ୍କୁ ଶତ୍ରୁପ୍ରାୟ ମଣି । ବ୍ରାହ୍ମଣ କରି ଅବହେଳ ॥ ୧୫୭
ଏ ମହୀତଳେ ତାଙ୍କ ଭ୍ରମ । ବିଷ୍ଣୁଙ୍କୁ କରାଇଲେ ଜନ୍ମ ॥ ୧୫୮
ତୃତୀୟଜନ୍ମ ଭ୍ରାତମେଳେ । ଭ୍ରମିଲା ଅବନୀମଣ୍ତଳେ ॥ ୧୫୯
କୃଷ୍ଣେ ବଇରୀଭାବ ଘେନି । ତିନିଜନମ ଭାଇବେନି ॥ ୧୬୦
ଆଦି ଅସୁର ମହାବପୁ । ଜନ୍ମିଲା ହିରଣ୍ୟକଶିପୁ ॥ ୧୬୧
ଅନୁଜ ହିରଣ୍ୟାକ୍ଷ ବୀର । ପୁଣି ଜନ୍ମିଲା ସହୋଦର ॥ ୧୬୨
ବିଶ୍ରବାମୁନି ଘରେ ଯାଇ । ପୁଣି ରାକ୍ଷସ ଜନ୍ମ ହୋଇ ॥ ୧୬୩
ରାବଣ କୁମ୍ଭକର୍ଣ୍ଣ ନାମ । ସମରେ ନାହିଁ କେହି ସମ ॥ ୧୬୪
ପୁଣି ଜନ୍ମିଲେ ଚେବିଦେଶେ । କ୍ଷତ୍ରିୟ ଦମଘୋଷ ବଂଶେ ॥ ୧୬୫
ଦନ୍ତବିକଟ ଶିଶୁପାଳ । ଘୋରସମରେ ମହାବଳ ॥ ୧୬୬
ପୂର୍ବେ ନୃସିଂହରୂପେ ହରି । ହିରଣ୍ୟକଶିପୁ ବିଦାରି ॥ ୧୬୭
ବରାହ ରୂପେ ହିରଣ୍ୟାକ୍ଷ । ଶ୍ରୀକୃଷ୍ଣ ବଧିଲେ ପ୍ରତ୍ୟକ୍ଷ ॥ ୧୬୮
ତେଜେ ପ୍ରଚଣ୍ତ ଘୋରତମ । ପୁଣି ଜନ୍ମିଲେ ରଘୁରାମ ॥ ୧୬୯
ଜାନକୀଛଳେ ଧନୁର୍ଦ୍ଧର । ଛେଦିଲେ ବେନିଭାଇ ଶିର ॥ ୧୭୦
ଏବେ ବଇରୀ ଅନୁବନ୍ଧେ । ଚକ୍ରେ ଛେଦିଲେ ବେନିକନ୍ଧେ ॥ ୧୭୧
ନିର୍ମଳରୂପେ ବେନିଭାଇ । ପଶିଲେ କୃଷ୍ଣଦେହେ ଯାଇ ॥ ୧୭୨
ବ୍ରାହ୍ମଣ ଶାପୁଁ ମୋକ୍ଷ ହୋଇ । ମିଳିଲେ ବିଷ୍ଣୁପୁରେ ଯାଇ ॥ ୧୭୩
ଭାବେ ଭଜିଲେ ନାରାୟଣ । ଏବେ ହୋ ସାବଧାନେ ଶୁଣ ॥ ୧୭୪
ଭାବଟି ଜନ୍ମର କାରଣ । ହୃଦେ ଯେ ଚିନ୍ତେ ନାରାୟଣ ॥ ୧୭୫
ଶିଶୁପାଳର ପ୍ରାଣ ନାଶ । ଅବନୀମଣ୍ତଳ ଉଶ୍ୱାସ ॥ ୧୭୬
ନିର୍ମଳ ଦଶଦିଶ ଦିଶେ । ଧର୍ମନନ୍ଦନ କୃଷ୍ଣପାଶେ ॥ ୧୭୭
ଋତ୍ୱିଜ ବିପ୍ରଗଣ ଯେତେ । ଥିଲେ ଯେ ସଭା ଅନ୍ତର୍ଗତେ ॥ ୧୭୮
ଦକ୍ଷିଣା ଦେଇ ଧର୍ମସୂତ । ଯଜ୍ଞର ଅନ୍ତେ ଅବଭୃଥ ॥ ୧୭୯
ସ୍ନାନ କରିଲେ ନୃପମେଳେ । ସାନନ୍ଦେ ଭାଗିରଥୀ ଜଳେ ॥ ୧୮୦
ଏମନ୍ତେ ଯୁଧିଷ୍ଠିର ଯଜ୍ଞେ । ସମ୍ପାଦି କୃଷ୍ଣ ଅନୁରାଗେ ॥ ୧୮୧
ହୋଇଲା ରାଜ୍ୟେ ଏକ ରାଜା । ସର୍ବନୃପତି କଲେ ପୂଜା ॥ ୧୮୨
ଏମନ୍ତେ କୃଷ୍ଣ ସ୍ନେହଭରେ । କେତେହେଁ ମାସ ତା ନବରେ ॥ ୧୮୩
ରହି ରଞ୍ଜିଲେ ତାଙ୍କ ମନ । ପୁଣି ଦ୍ୱାରକା ଆଗମନ ॥ ୧୮୪
ନିଜ କୁଟୁମ୍ବ ସଙ୍ଗେ ଘେନି । ଯାଦବ ଯେତେକ ସଇନି ॥ ୧୮୫
ଗମନ୍ତେ ଶୋଭା ଦିଶେ ପଥ । ଆନନ୍ଦେ ଦେବକୀର ସୁତ ॥ ୧୮୬
ନିଜ ଭୁବନେ ଗଲେ ହରି । ଶିଶୁପାଳକୁ ମୋକ୍ଷ କରି ॥ ୧୮୭
ସୁର ଅସୁର ନରଲୋକେ । ଯଜ୍ଞେ ଯେ ଥିଲେ ଏକେଏକେ ॥ ୧୮୮
କୃଷ୍ଣମହିମା ସ୍ତୁତି କରି । ଆନନ୍ଦେ ଗଲେ ଯେଝାପୁରୀ ॥ ୧୮୯
ଅନ୍ଧନନ୍ଦନ ଦୁର୍ଯ୍ୟୋଧନ । ଅଧିକେ କରି ଦୁଃଖମନ ॥ ୧୯୦
ରାଜସମ୍ପଦ ନ ସହିଲା । ନିଜ ହସ୍ତିନାପୁରେ ଗଲା ॥ ୧୯୧
ବଇରୀ ଅନୁବନ୍ଧ ଦେହେ । ପାଣ୍ତବ ସମ୍ପଦ ନ ସହେ ॥ ୧୯୨
ଏ ମହାଯଜ୍ଞ ଯଶ ବାଣୀ । ଯେ ଏହା ସାବଧାନେ ଶୁଣି ॥ ୧୯୩
କୃଷ୍ଣର ମହିମା ପ୍ରତ୍ୟକ୍ଷ । ଜୟବିଜୟ ଶାପୁଁ ମୋକ୍ଷ ॥ ୧୯୪
ସକଳ ପାପୁଁ ସେ ତରନ୍ତି । ତୁଟଇ ଭବ ଭୟ ଭ୍ରାନ୍ତି ॥ ୧୯୫
କୃଷ୍ଣବିଷୟ ଭାଗବତ । କହଇ ଜଗନ୍ନାଥ ଦାସ ॥ ୧୯୬
ଇତି ଶ୍ରୀମଦଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ଶିଶୁପାଳ ବଧୋ ନାମ
ଏକୋନଅଶୀତିତମ ଅଧ୍ୟାୟଃ ।
* * *