ଦଶମ ସ୍କନ୍ଧ

ଏକୋନଅଶୀତିତମ ଅଧ୍ୟାୟ

ଶୁକ ଉବାଚ

ଏବେ ହୋ ଶୁଣ ନୃପମଣି । ଜରାସନ୍ଧର ବଧ ଶୁଣି ॥

କୃଷ୍ଣମହିମା ଅନୁଭବ । ଆତ୍ମାକଳ୍ପିତ କାର୍ଯ୍ୟ ଲାଭ ॥

ଯୁଧିଷ୍ଠି ବୋଲେ ପ୍ରିୟମନେ । କୋମଳ ଗଭୀର ବଚନେ ॥

ଯୁଧିଷ୍ଟିର ଉବାଚ

ବ୍ରହ୍ମା ଶଙ୍କର ଆଦି ଯେତେ । ଦେବେ ଅଛନ୍ତି ଏ ଜଗତେ ॥

ତୋର ଦୁର୍ଲ୍ଲଭ ଆଜ୍ଞା ପାଇ । ଶିରେ ବହନ୍ତି ତୋଷ ହୋଇ ॥

ଏମନ୍ତ ପ୍ରଭୁ ମହାବାହୁ । ତୁ ଯେ ମୋହର ଆଜ୍ଞା ବହୁ ॥

ଏ ବଡ ବିଡମ୍ବନ କର୍ମ । ତୁ ଆଦି ନିରଞ୍ଜନ ଧର୍ମ ॥

ଏକ ଅଦ୍ୱିତୀୟ ଅନନ୍ତ । ପରମଆତ୍ମା ତୁ ଅଚ୍ୟୁତ ॥

ତୁ ସର୍ବଭୂତେ ଦେହ ବହି । କର୍ମବନ୍ଧନ ତୋର କାହିଁ ॥

ପ୍ରବେଶ ହେଉ ସର୍ବଜନେ । ଆଦିତ୍ୟ ଯେସନେ ଗଗନେ ॥ ୧୦

ଗୁଣ ଗ୍ରହଣେ ତୁ ଅଜିତ । ଯେ ପ୍ରାଣୀ ତୋହର ଭକତ ॥ ୧୧

ତାହାଙ୍କ ଚିତ୍ତେ ନାହିଁ ଭ୍ରାନ୍ତି । ମୁହିଁ ମୋହର ନ ବୋଲନ୍ତି ॥ ୧୨

ଏ ତୋର ମାୟାର ବିକାର । କେ ଜାଣିପାରେ ଦାମୋଦର ॥ ୧୩

ବୋଲନ୍ତି ଶୁକ ମହାଯତି । ଶୁଣ ରାଜନ କୁରୁପତି ॥ ୧୪

ଧର୍ମନନ୍ଦନ ଯଜ୍ଞକାଳେ । କହି ଗୋବିନ୍ଦ ପାଦତଳେ ॥ ୧୫

ସଙ୍ଗତେ ଘେନି ନରହରି । ରତ୍ୱିଜ ଚାରିବେଦୁଁ ବରି ॥ ୧୬

ଶ୍ରୀବେଦବ୍ୟାସ ଭରଦ୍ୱାଜ । ସୁମନ୍ତୁ ଗଉତମ ଦ୍ୱିଜ ॥ ୧୭

ଅସିତ ବଶିଷ୍ଠ ଚ୍ୟବନ । କବଷ ମହାତେଜା କଣ୍ୱ ॥ ୧୮

ସୁପୁଣ୍ୟ ମଇତ୍ରେୟ ଋଷି । ଏ ଆଦି ଯେତେ ଭୃଗୁବଂଶୀ ॥ ୧୯

ଯେ ବିଶ୍ୱାମିତ୍ର ବାମଦେବ । ସୁମିତି ଜୈମିନି ଅଥର୍ବ ॥ ୨୦

କ୍ରତୁ ପଇଳ ପରାଶର । ଗର୍ଗ ଗଉତମକୁମର ॥ ୨୧

ବୈଶମ୍ପାୟନ ମୁନିବର । କଶ୍ୟପ ବ୍ରହ୍ମାଙ୍କ କୁମର ॥ ୨୨

ଧୌମ୍ୟ ଭାର୍ଗବ ପର୍ଶୁରାମ । ଆସୁରି ବୀତିହୋତ୍ର ନାମ ॥ ୨୩

ମଧୁଛନ୍ଦା ଯେ ବୀରସେନ । ଅକୃତବଣ ମୁନିଜନ ॥ ୨୪

ଅଣାଇ ନାନା ମୁନିଗଣ । ଆଦରେ ପୁଜି ଭୀଷ୍ମଦ୍ରୋଣ ॥ ୨୫

କୃପ ସହିତେ କୁରୁନାଥ । ସଙ୍ଗେ ଘେନାଇ ପୁତ୍ରଶତ ॥ ୨୬

ବିଦୁର ଆଦି ବନ୍ଧୁ ଯେତେ । ମିଳିଳେ ଆଖଣ୍ତଳପ୍ରସ୍ଥେ ॥ ୨୭

ବ୍ରାହ୍ମଣ ଆଦି ଚାରିବର୍ଣ୍ଣ । ଯଜ୍ଞ ଉତ୍ସବେ ଆଗମନ ॥ ୨୮

ଭୂମିରେ ଯେତେ ନୃପଗଣ । ଯଜ୍ଞମଙ୍ଗଳେ ନିମନ୍ତ୍ରଣ ॥ ୨୯

ପ୍ରକୃତି ସଙ୍ଗତେ ମିଳିଲେ । ଧର୍ମନନ୍ଦନ ଯଜ୍ଞକାଳେ ॥ ୩୦

ଉତ୍ତମ ଶୁଭଲଗ୍ନ ବେଳେ । ବ୍ରାହ୍ମଣେ ସୁବର୍ଣ୍ଣଲଙ୍ଗଳେ ॥ ୩୧

କରନ୍ତି ଭୂମି କରଷଣ । ଶୁଭେ ମଙ୍ଗଳେ ଉଚ୍ଚାରଣ ॥ ୩୨

ଯଥା ଉଚିତ ବେଦମନ୍ତ୍ର । ଦୀକ୍ଷିତ କଲେ ଧର୍ମସୂତେ ॥ ୩୩

ଶଙ୍ଖେ ଉଦକ କୁଶ କରେ । ବିପ୍ରେ ବରିଲେ ମନ୍ତ୍ରସ୍ୱରେ ॥ ୩୪

ସର୍ବ ସୁବର୍ଣ୍ଣ ପରିଚ୍ଛଦ । କେ କହୁ ଯଜ୍ଞର ସମ୍ପଦ ॥ ୩୫

ପୂର୍ବେ ବରୁଣଯଜ୍ଞେ ଯେହ୍ନେ । ଧରଣୀ ପୁରିଲା ସୁବର୍ଣ୍ଣେ ॥ ୩୬

ବାସବ ଆଦି ଦିଗପାଳେ । ଭବ ବିରଞ୍ଚି ସିଦ୍ଧମେଳେ ॥ ୩୭

ଗନ୍ଧର୍ବ ବିଦ୍ୟାଧର ନାଗ । ଯକ୍ଷ ରାକ୍ଷସ ଯେ ଉରଗ ॥ ୩୮

ଖଗ କିନ୍ନର ଯେ ଚାରଣ । ପତ୍ନୀ ସହିତେ ରାଜାଗଣ ॥ ୩୯

ଧର୍ମନନ୍ଦନ ଯଜ୍ଞେ ଆସି । ସମ୍ପଦ ଦେଖି ପରଶଂସି ॥ ୪୦

କୃଷ୍ଣଭକତ ଯେତେ ନର । କିବା ସମ୍ପଦ ତାଙ୍କୁ ଦୂର ॥ ୪୧

ନାନା ସମ୍ପଦ ସୁଖସୀମା । ଏ ସର୍ବ କୃଷ୍ଣର ମହିମା ॥ ୪୨

ରାଜାର ପୁରୋହିତ ଯେତେ । ଶୁଦ୍ଧ ଶରୀରେ ବେଦମତେ ॥ ୪୩

ସେ ରାଜସୂୟ ଯଜ୍ଞ ବିଧି । କରାଇ ସକଳ ସମୃଦ୍ଧି ॥ ୪୪

ବରୁଣଯଜ୍ଞେ ଦେବଗଣେ । ଯେମନ୍ତେ ଥିଲେ ନିମନ୍ତ୍ରଣେ ॥ ୪୫

ଯଜ୍ଞ ଆରମ୍ଭ ପୂର୍ବଦିନେ । ଧର୍ମନନ୍ଦନ ଶୁଦ୍ଧମନେ ॥ ୪୬

ଯାଜ୍ଞିକ ସଭାସଦ ଆଦି । ପାଦପୂଜନେ ଅର୍ଘ୍ୟବିଧି ॥ ୪୭

ଘେନି ମିଳିଲେ ସଭାତଳେ । ବନ୍ଧୁବାନ୍ଧବ ଭ୍ରାତମେଳେ ॥ ୪୮

ରାଜୁସି ଯଜ୍ଞେ ମହାସଭା । ଅଛନ୍ତି ଶୁର ମୁନି ଦେବା ॥ ୪୯

ଧର୍ମନନ୍ଦନ ସଭା ଚାହିଁ । ହୃଦୟ ମଧ୍ୟେ ବିଚାରଇ ॥ ୫୦

ଏ ଅର୍ଘ୍ୟ ଦେବି କାହା ପାଦେ । ଭାଳଇ ସଂଶୟ ବିଷାଦେ ॥ ୫୧

ମୁହୁର୍ତ୍ତେ ରହି ଦୃଢଭାବ । ତା ଦେଖି ବୋଲେ ସହଦେବ ॥ ୫୨

କରଅଞ୍ଚଳି ଶିରେ ଦେଇ । କହେ ରାଜନ ମୁଖ ଚାହିଁ ॥ ୫୩

ଜାଣଇ କୃଷ୍ଣର ମହିମା । ସର୍ବଜ୍ଞ ପଣେ ଏକସୀମା ॥ ୫୪

ଶୁଣ ରାଜନ ଚୁଡାମଣି । ମୋର ଉଚିତ ଧର୍ମବାଣୀ ॥ ୫୫

ଏ ମହାସଭା ମଧଗତେ । ଅର୍ଘ୍ୟକୁ ପାତ୍ର ଜଗନ୍ନାଥେ ॥ ୫୬

ଦେଖ ଏ କୃଷ୍ଣର ଚରଣ । ଅନାଦି ପରମ କାରଣ ॥ ୫୭

ଯେ ହରି ସର୍ବେଦେବମୟ । ସର୍ବେ ଅଛନ୍ତି ଏହା ଦେହେ ॥ ୫୮

ଏ କୃଷ୍ଣ ଦେଶ କାଳ ପାତ୍ର । ଧନ ଜୀବନ ବେଦମନ୍ତ୍ର ॥ ୫୯

ଯଜ୍ଞପୁରୁଷ ଏହୁ ହରି । ଏହାର ଦେହେ ବିଶ୍ୱ ପୁରି ॥ ୬୦

ଯଜ୍ଞ ଆହୁତି ଭୋକ୍ତା ଏହୁ । ଯଜ୍ଞର କର୍ତ୍ତା ମହାବାହୁ ॥ ୬୧

ଏଟି ଅନଳ ଦେବଗଣ । ଏ ବେଦମନ୍ତ୍ର ଉଚ୍ଚାରଣ ॥ ୬୨

ଏହାର ଦେହେ ସାଂଖ୍ୟ ଯୋଗ । ଏଟି ଭୁଞ୍ଜଇ ହବିର୍ଭାଗ ॥ ୬୩

ନିତ୍ୟେ ଏ ଏକ ନୋହେ ଦୁଇ । ଏ ସର୍ବଜୀବ ଦେହେ ଥାଇ ॥ ୬୪

ଏ ମାୟା ସୃଷ୍ଟି ଆତ୍ମା ଏହି । ମାୟାପୁରୁଷ ଏ ବୋଲାଇ ॥ ୬୫

ଏହାରା ମାୟା ତିନିଗୁଣ । ସୃଷ୍ଟି ପାଳନ ସଂହାରଣ ॥ ୬୬

କରଇ ଆତ୍ମଯୋଗ ବଳେ । ଲୀଳା ବିହାର ମହୀତଳେ ॥ ୬୭

ବିବିଧ କର୍ମଦାତା ଏହି । କର୍ମବିପାକ ଏ ଦିଅଇ ॥ ୬୮

ଏହାର ଭ୍ରୂଭଙ୍ଗିମା ଭାବେ । ଜଗତ ପ୍ରକାଶ ସ୍ୱଭାବେ ॥ ୬୯

ଧର୍ମାର୍ଥ କାମ ମୋକ୍ଷସଙ୍ଗେ । ଥାନ୍ତି ଏହାର ପାଦଯୁଗେ ॥ ୭୦

ଏଣୁ ଏ ମହାବିଷ୍ଣୁପାଦେ । ଏ ଅର୍ଘ୍ୟ ଦିଅ ହେ ଆନନ୍ଦେ ॥ ୭୧

ସର୍ବଭୂତଙ୍କ ପିଣ୍ତ ପ୍ରାଣ । ଏଣେଟି ହୋଇବ ତର୍ପଣ ॥ ୭୨

ଯେଣୁ ଏ ସର୍ବଭୂତଦେହୀ । ଭେଦ ଅଭେଦ ଭାବ ନାହିଁ ॥ ୭୩

ଏହାର ପାଦେ ମହାଅର୍ଘ୍ୟ । ଦେଇ ତୁ ଲଭ ଚଉବର୍ଗ ॥ ୭୪

କୃଷ୍ଣର ପାଦେ ଅର୍ଘ୍ୟ ଦେଲେ । ବ୍ରହ୍ମାଣ୍ତ ପୂଜିବୁ ତୁ ଭଲେ ॥ ୭୫

ସର୍ବଜୀବଙ୍କ ଆତ୍ମାଭୂତ । ପ୍ରଭୁ ଅନନ୍ତ ଦଇବତ ॥ ୭୬

କର୍ମର ଫଳ ଏହା ପାଦେ । ଯେ ପ୍ରାଣୀ ସମର୍ପେ ଆନନ୍ଦେ ॥ ୭୭

ଏହାକୁ କର୍ମଫଳ ଦେଇ । ଅନ୍ତେ ଅନନ୍ତଫଳ ପାଇ ॥ ୭୮

ଏମନ୍ତ କୃଷ୍ଣର ସ୍ୱଭାବ । ଜାଣି କହିଲା ସହଦେବ ॥ ୭୯

ଶୁଣି ସହଦେବ ବଚନ । ସଭାର ମଧ୍ୟେ ଯେତେ ଜନ ॥ ୮୦

ସର୍ବେ କରନ୍ତି ସାଧୁବାଣୀ । ଧର୍ମନନ୍ଦନ ତାହା ଶୁଣି ॥ ୮୧

ପ୍ରଣମି ପ୍ରିୟଭାବେ ଭୋଳ । ଗୋବିନ୍ଦପାଦେ ଅର୍ଘ୍ୟଜଳ ॥ ୮୨

ବେଦବଚନେ ରାଜା ଢାଳି । ପାଦଉଦକ ଶିରେ ବୋଳି ॥ ୮୩

ପତ୍ନୀ ସହିତେ ଭ୍ରାତାଗଣ । ପୂଜିଲେ ଗୋବିନ୍ଦଚରଣ ॥ ୮୪

ବନ୍ଧୁ କୁଟୁମ୍ବ ଆଦି ଯେତେ । ନମିଲେ କୃଷ୍ଣପାଦଗତେ ॥ ୮୫

ନାନାଭୂଷଣ ହସ୍ତେ ଘେନି । ଉତ୍ତମ ପୀତବସ୍ତ୍ର ବେନି ॥ ୮୬

ଆନନ୍ଦେ କୃଷ୍ଣପାଦେ ପୂଜି । ଅଶ୍ରୁପୂରିତ ଚକ୍ଷୁବୁଜି ॥ ୮୭

ରୋମପୁଲକ ସର୍ବେଦେହୀ । କୃଷ୍ଣଙ୍କୁ ନ ପାରନ୍ତି ଚାହିଁ ॥ ୮୮

ଏମନ୍ତେ ସଭାଜନେ ଚାହିଁ । କର ଅଞ୍ଜଳି ଶିରେ ଦେଇ ॥ ୮୯

ଶୁଭିଲା ଜୟ ଜୟ ବାଣୀ । ନମ ଶବଦେ ସ୍ତୁତି ଭଣି ॥ ୯୦

ଦେବେ କରନ୍ତି ପୁଷ୍ପବୃଷ୍ଟି । ତା ଦେଖି ଶିଶୁପାଳ ଉଠି ॥ ୯୧

କୋପେ ଅଧର କାମୋଡଇ । ଶୋଣିତ ନୟନେ ଅନାଇଁ ॥ ୯୨

ପ୍ରଚଣ୍ତ ଦମଘୋଷ ବଳା । କୃଷ୍ଣର ନିକଟେ ମିଳିଲା ॥ ୯୩

କୃଷ୍ଣର ଗୁଣ କର୍ମ ତେଜ । କହଇ ତୋଳି ବେନିଭୂଜ ॥ ୯୪

ସଭାଜନଙ୍କୁ କୋପମନେ । ବୋଲଇ ପୁରୁଷବଚନେ ॥ ୯୫

ଦେଖ ଏ ଦୁରାଶୟ କାଳ । ଈଶ୍ୱର ଚେଷ୍ଟା ଅନ୍ତରାଳ ॥ ୯୬

ଏ ସତ୍ୟବତୀସୁତ ବାଣୀ । ଭବିଷ୍ୟେ ଯାହା ପରିମାଣି ॥ ୯୭

ଧ୍ରୁବବଚନ ମହୀତଳେ । ଭାଙ୍ଗିଲ ବାଳକର ବୋଲେ ॥ ୯୮

ସେ କଥା ହୋଇଲା ପ୍ରତ୍ୟକ୍ଷେ । ଏ ସଭାଜନଙ୍କ ସମ୍ମୁଖେ ॥ ୯୯

ହେ ସଭାଜନେ ମୋ ବଚନ । ଶ୍ରବଣେ ହୁଅ ସାବଧାନ ॥ ୧୦୦

ପାତ୍ର ଅପାତ୍ର ବେନିମତେ । କୁଶଳେ ଜାଣ ତ ସମସ୍ତେ ॥ ୧୦୧

ବାଳବଚନ କିମ୍ପା କର । ଏ ବଡ ଅନୀତି ତୁମ୍ଭର ॥ ୧୦୨

ସଭାରେ ବସି ମତିଭ୍ରମ । କେମନ୍ତେ କଲ ଏଡେ କର୍ମ ॥ ୧୦୩

ଦେଖ ଏ ସଭାମଧ୍ୟଗତେ । ଉତ୍ତମପାତ୍ର ଛନ୍ତି କେତେ ॥ ୧୦୪

ତପସ୍ୱୀ ବିଦ୍ୟା ବ୍ରତଧର । ଜ୍ଞାନବିଧୃତ କଳେବର ॥ ୧୦୫

ଦେଖ ଉତ୍ତମ ଋଷିଗଣ । ଦେବେ ପୂଜନ୍ତି ଯା ଚରଣ ॥ ୧୦୬

ଏ ଆଦି ଯେତେ ନୃପବର । କେ କହୁ ଗୁଣ ତାହାଙ୍କର ॥ ୧୦୭

ଏ ମହାସଭା ପୂଜା ଏଡି । ବାଳବଚନେ ତୁମ୍ଭେ ହୁଡି ॥ ୧୦୮

ଏ ମହାସଭା ବ୍ରତ ବଳୀ । ଅଜ୍ଞାନ ବେନିଭୁଜ ତୋଳି ॥ ୧୦୯

ଏ ସହଦେବ ଅନୁବାଦେ । ନେଇ ଢାଳିଲ କାକ ପାଦେ ॥ ୧୧୦

ଏ ଯଜ୍ଞସଭା ପୁରୋଡାଶ । କେମନ୍ତେ କାକ କଲା ଗ୍ରାସ ॥ ୧୧୧

ଦେଖ ଏ ମନ୍ଦ ଗୋପଶିଶୁ । ବ୍ରଜଗୋପାଳ କୁଳପାଂଶୁ ॥ ୧୧୨

ଏହାର ଗୁଣ କର୍ମ ନାହିଁ । କେମନ୍ତେ ବଳିଭୋଗ୍ୟ ହୋଇ ॥ ୧୧୩

ଏହାକୁ କେମନ୍ତେ ପୂଜିଲ । ବେଦବଚନ ନ ମାନିଲ ॥ ୧୧୪

ଏ ନାହିଁ ଚାରିବର୍ଣ୍ଣ ମଧ୍ୟେ । ଆଶ୍ରମ କୁଳ ଧର୍ମ ବାଦେ ॥ ୧୧୫

ଏ ଥାଇ ଆପଣାର ମତେ । ସମସ୍ତେ ଜାଣନ୍ତି ଜଗତେ ॥ ୧୧୬

ଏହାର ଗୁଣ କିଛି ନାହିଁ । କେମନ୍ତେ ଅର୍ଘ୍ୟଯୋଗ୍ୟ ଏହି ॥ ୧୧୭

ପୂର୍ବେ ଯଯାତି ଶାପଫଳେ । ନୃପଆସନ ନାହିଁ କୁଳେ ॥ ୧୧୮

ନିଶ୍ଚୟେ ନାହିଁ ଜାତି କୁଳ । ନିତ୍ୟେ ଏ ମଧୁପାନେ ଭୋଳ ॥ ୧୧୯

ଏ ତ ନୁହଁଇ ତୁମ୍ଭ ଭଲ । କେମନ୍ତେ ଏହାକୁ ପୂଜିଲ ॥ ୧୨୦

ଦେଖ ଏ ପୁଣ୍ୟଭୂମି ଛାଡି । ଋଷି ବ୍ରାହ୍ମଣ ସଙ୍ଗ ଏଡି ॥ ୧୨୧

ସମୁଦ୍ର ମଧ୍ୟେ ଘର କରି । କଷ୍ଟେ ଜୀବନ ଅଛି ଧରି ॥ ୧୨୨

ନିତ୍ୟେ ପିଡଇ ଜନ ପ୍ରଜା । କେମନ୍ତେ ଏହା ପାଦେ ପୂଜା ॥ ୧୨୩

କେତେ କହିବା ଏହା ଗୁଣ । ଏ ନୋହେ ତୁମ୍ଭର ପ୍ରମାଣ ॥ ୧୨୪

ଅଧିକେ ଦୋଷ ଗୁଣ ଯେତେ । ଲୋକେ ଜାଣନ୍ତି ଏ ଜଗତେ ॥ ୧୨୫

ଏମନ୍ତ କହି ମନ୍ଦବାଣୀ । କୋପେ କମ୍ପଇ ଶିରଝୁଣି ॥ ୧୨୬

ନିନ୍ଦା ପୁରୁଷ ତାର ବାଣୀ । ଗୋବିନ୍ଦ ସଭାମଧ୍ୟେ ଶୁଣି ॥ ୧୨୭

ଚାହିଁଲେ ହସିତ ବଦନେ । ଶୃଗାଳ ବାକ୍ୟେ ସିଂହ ଯେହ୍ନେ ॥ ୧୨୮

ଏ ଦୁଷ୍ଟ ଶିଶୁପାଳବାଣୀ । ସେ ମହାସଭାଜନେ ଶୁଣି ॥ ୧୨୯

ଦୁଃସହ ବଚନ ତାହାର । ଶୁଣି ଉଠିଲେ କୋପଭର ॥ ୧୩୦

ଅଙ୍ଗୁଳି ଦେଇ କର୍ଣ୍ଣଦ୍ୱାରେ । ଗମିଲେ ଯେ ଯାହା ମନ୍ଦିରେ ॥ ୧୩୧

ଚଳନ୍ତି ଅତି କୋପ ବହି । ଶିଶୁପାଳକୁ ଗାଳି ଦେଇ ॥ ୧୩୨

ବୋଲନ୍ତି କୋପଭର ହୋଇ । ଧର୍ମବଚନେ ମନ ଦେଇ ॥ ୧୩୩

ବିଷ୍ଣୁର ନିନ୍ଦା ଯହିଁ ଶୁଣି । ବିଷ୍ଣୁଭକତ ଯେତେ ପ୍ରାଣୀ ॥ ୧୩୪

ସେ ଠାବ ତେଜି ଯେ ନ ଯାନ୍ତି । ନିଶ୍ଚୟେ ନରକେ ପଡନ୍ତି ॥ ୧୩୫

ଏମନ୍ତେ ସଭାମଧ୍ୟେ ଗୋଳ । ଶୁଭିଲା ଦିଗ ଅନ୍ତରାଳ ॥ ୧୩୬

ଶୁଣି ପାଣ୍ତବେ କୋପଭରି । ଧାଇଁଲେ କରେ ଶସ୍ତ୍ର ଧରି ॥ ୧୩୭

ମତ୍ସ୍ୟ କେକୟ ଯେ ସୃଞ୍ଜୟ । ଶସ୍ତ୍ର ଆୟୁଧ ବର୍ମଦେହ ॥ ୧୩୮

ବୋଲନ୍ତି ମାର ଶିଶୁପାଳ । ନିଶ୍ଚେ ପୁରିଲା ତାର କାଳ ॥ ୧୩୯

ଏମନ୍ତ ବୋଲି ମହାରୋଷେ । ମିଳିଲେ ଶିଶୁପାଳ ପାଶେ ॥ ୧୪୦

ଦେଖି ସମ୍ଭ୍ରମେ ଶିଶୁପାଳ । ସ୍ୱଭାବେ ଦୁଷ୍ଟ ମହାବଳ ॥ ୧୪୧

ଖଡଗ ଚର୍ମ କରେ ଧରି । ରହିଲା ସମର ଆବୋରି ॥ ୧୪୨

କୃଷ୍ଣର ପକ୍ଷ ଯେତେ ଜନ । ତାହାଙ୍କୁ କରଇ ଭର୍ତ୍ସନ ॥ ୧୪୩

ରୋଷେ ଗର୍ଜଇ ଘୋରନାଦେ । ଧର୍ମନନ୍ଦନ ସଭାମଧ୍ୟେ ॥ ୧୪୪

ଦେଖି ତାହାର ଦୁଷ୍ଟପଣ । ଗୋବିନ୍ଦ ଆବୋରିଲେ ଋଣ ॥ ୧୪୫

ପାଣ୍ତବବଳ ପୃଷ୍ଠଭାଗେ । ମିଳିଲେ ଶିଶୁପାଳ ଆଗେ ॥ ୧୪୬

ଦୁରନ୍ତ ଚକ୍ରେ ଦାମୋଦର । ଛେଦିଲେ ଶିଶୁପାଳ ଆଗେ ॥ ୧୪୭

ଶିର କମଳ ତାର କଟି । ପଡିଲା ମହୀତଳେ ଲୋଟି ॥ ୧୪୮

ଦେଖି ତାହାର ରତ୍ନଶିର । ଜନେ କରନ୍ତି ହାହାକାର ॥ ୧୪୯

ଶୁଭଇ ମୁଖରାବ ଗୋଳ । ଶୁଣି ସମ୍ଭ୍ରମେ ମହୀପାଳ ॥ ୧୫୦

ଯେ ଶିଶୁପାଳ ପକ୍ଷେ ଥିଲେ । ମରଣ ଡରେ ପଳାଇଲେ ॥ ୧୫୧

ଶିଶୁପାଳର ମୃତପିଣ୍ତ । ଚକ୍ରେ ହୋଇଣ ବେନିଖଣ୍ତ ॥ ୧୫୨

ପଡିଲା ମହାସଭା ତଳେ । ଶୁନ୍ୟେ ଦେଖନ୍ତି ଦିଗପାଳେ ॥ ୧୫୩

ତାର ଶରୀରୁ ଦିବ୍ୟଜ୍ୟୋତି । ଶିଶୁତପନ ପ୍ରାୟ କାନ୍ତି ॥ ୧୫୪

ପଶିଲା ଗୋବିନ୍ଦର ଦେହେ । ଦେଖି ବିବୁଧେ କଲେ ଜୟେ ॥ ୧୫୫

ପୂର୍ବେ ସେ ବିଷ୍ଣୁଦ୍ୱାରପାଳ । ବ୍ରାହ୍ମଣେ କରି ଅବହେଳ ॥ ୧୫୬

ବିଷ୍ଣୁଙ୍କୁ ଶତ୍ରୁପ୍ରାୟ ମଣି । ବ୍ରାହ୍ମଣ କରି ଅବହେଳ ॥ ୧୫୭

ଏ ମହୀତଳେ ତାଙ୍କ ଭ୍ରମ । ବିଷ୍ଣୁଙ୍କୁ କରାଇଲେ ଜନ୍ମ ॥ ୧୫୮

ତୃତୀୟଜନ୍ମ ଭ୍ରାତମେଳେ । ଭ୍ରମିଲା ଅବନୀମଣ୍ତଳେ ॥ ୧୫୯

କୃଷ୍ଣେ ବଇରୀଭାବ ଘେନି । ତିନିଜନମ ଭାଇବେନି ॥ ୧୬୦

ଆଦି ଅସୁର ମହାବପୁ । ଜନ୍ମିଲା ହିରଣ୍ୟକଶିପୁ ॥ ୧୬୧

ଅନୁଜ ହିରଣ୍ୟାକ୍ଷ ବୀର । ପୁଣି ଜନ୍ମିଲା ସହୋଦର ॥ ୧୬୨

ବିଶ୍ରବାମୁନି ଘରେ ଯାଇ । ପୁଣି ରାକ୍ଷସ ଜନ୍ମ ହୋଇ ॥ ୧୬୩

ରାବଣ କୁମ୍ଭକର୍ଣ୍ଣ ନାମ । ସମରେ ନାହିଁ କେହି ସମ ॥ ୧୬୪

ପୁଣି ଜନ୍ମିଲେ ଚେବିଦେଶେ । କ୍ଷତ୍ରିୟ ଦମଘୋଷ ବଂଶେ ॥ ୧୬୫

ଦନ୍ତବିକଟ ଶିଶୁପାଳ । ଘୋରସମରେ ମହାବଳ ॥ ୧୬୬

ପୂର୍ବେ ନୃସିଂହରୂପେ ହରି । ହିରଣ୍ୟକଶିପୁ ବିଦାରି ॥ ୧୬୭

ବରାହ ରୂପେ ହିରଣ୍ୟାକ୍ଷ । ଶ୍ରୀକୃଷ୍ଣ ବଧିଲେ ପ୍ରତ୍ୟକ୍ଷ ॥ ୧୬୮

ତେଜେ ପ୍ରଚଣ୍ତ ଘୋରତମ । ପୁଣି ଜନ୍ମିଲେ ରଘୁରାମ ॥ ୧୬୯

ଜାନକୀଛଳେ ଧନୁର୍ଦ୍ଧର । ଛେଦିଲେ ବେନିଭାଇ ଶିର ॥ ୧୭୦

ଏବେ ବଇରୀ ଅନୁବନ୍ଧେ । ଚକ୍ରେ ଛେଦିଲେ ବେନିକନ୍ଧେ ॥ ୧୭୧

ନିର୍ମଳରୂପେ ବେନିଭାଇ । ପଶିଲେ କୃଷ୍ଣଦେହେ ଯାଇ ॥ ୧୭୨

ବ୍ରାହ୍ମଣ ଶାପୁଁ ମୋକ୍ଷ ହୋଇ । ମିଳିଲେ ବିଷ୍ଣୁପୁରେ ଯାଇ ॥ ୧୭୩

ଭାବେ ଭଜିଲେ ନାରାୟଣ । ଏବେ ହୋ ସାବଧାନେ ଶୁଣ ॥ ୧୭୪

ଭାବଟି ଜନ୍ମର କାରଣ । ହୃଦେ ଯେ ଚିନ୍ତେ ନାରାୟଣ ॥ ୧୭୫

ଶିଶୁପାଳର ପ୍ରାଣ ନାଶ । ଅବନୀମଣ୍ତଳ ଉଶ୍ୱାସ ॥ ୧୭୬

ନିର୍ମଳ ଦଶଦିଶ ଦିଶେ । ଧର୍ମନନ୍ଦନ କୃଷ୍ଣପାଶେ ॥ ୧୭୭

ଋତ୍ୱିଜ ବିପ୍ରଗଣ ଯେତେ । ଥିଲେ ଯେ ସଭା ଅନ୍ତର୍ଗତେ ॥ ୧୭୮

ଦକ୍ଷିଣା ଦେଇ ଧର୍ମସୂତ । ଯଜ୍ଞର ଅନ୍ତେ ଅବଭୃଥ ॥ ୧୭୯

ସ୍ନାନ କରିଲେ ନୃପମେଳେ । ସାନନ୍ଦେ ଭାଗିରଥୀ ଜଳେ ॥ ୧୮୦

ଏମନ୍ତେ ଯୁଧିଷ୍ଠିର ଯଜ୍ଞେ । ସମ୍ପାଦି କୃଷ୍ଣ ଅନୁରାଗେ ॥ ୧୮୧

ହୋଇଲା ରାଜ୍ୟେ ଏକ ରାଜା । ସର୍ବନୃପତି କଲେ ପୂଜା ॥ ୧୮୨

ଏମନ୍ତେ କୃଷ୍ଣ ସ୍ନେହଭରେ । କେତେହେଁ ମାସ ତା ନବରେ ॥ ୧୮୩

ରହି ରଞ୍ଜିଲେ ତାଙ୍କ ମନ । ପୁଣି ଦ୍ୱାରକା ଆଗମନ ॥ ୧୮୪

ନିଜ କୁଟୁମ୍ବ ସଙ୍ଗେ ଘେନି । ଯାଦବ ଯେତେକ ସଇନି ॥ ୧୮୫

ଗମନ୍ତେ ଶୋଭା ଦିଶେ ପଥ । ଆନନ୍ଦେ ଦେବକୀର ସୁତ ॥ ୧୮୬

ନିଜ ଭୁବନେ ଗଲେ ହରି । ଶିଶୁପାଳକୁ ମୋକ୍ଷ କରି ॥ ୧୮୭

ସୁର ଅସୁର ନରଲୋକେ । ଯଜ୍ଞେ ଯେ ଥିଲେ ଏକେଏକେ ॥ ୧୮୮

କୃଷ୍ଣମହିମା ସ୍ତୁତି କରି । ଆନନ୍ଦେ ଗଲେ ଯେଝାପୁରୀ ॥ ୧୮୯

ଅନ୍ଧନନ୍ଦନ ଦୁର୍ଯ୍ୟୋଧନ । ଅଧିକେ କରି ଦୁଃଖମନ ॥ ୧୯୦

ରାଜସମ୍ପଦ ନ ସହିଲା । ନିଜ ହସ୍ତିନାପୁରେ ଗଲା ॥ ୧୯୧

ବଇରୀ ଅନୁବନ୍ଧ ଦେହେ । ପାଣ୍ତବ ସମ୍ପଦ ନ ସହେ ॥ ୧୯୨

ଏ ମହାଯଜ୍ଞ ଯଶ ବାଣୀ । ଯେ ଏହା ସାବଧାନେ ଶୁଣି ॥ ୧୯୩

କୃଷ୍ଣର ମହିମା ପ୍ରତ୍ୟକ୍ଷ । ଜୟବିଜୟ ଶାପୁଁ ମୋକ୍ଷ ॥ ୧୯୪

ସକଳ ପାପୁଁ ସେ ତରନ୍ତି । ତୁଟଇ ଭବ ଭୟ ଭ୍ରାନ୍ତି ॥ ୧୯୫

କୃଷ୍ଣବିଷୟ ଭାଗବତ । କହଇ ଜଗନ୍ନାଥ ଦାସ ॥ ୧୯୬

ଇତି ଶ୍ରୀମଦଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ଶିଶୁପାଳ ବଧୋ ନାମ

ଏକୋନଅଶୀତିତମ ଅଧ୍ୟାୟଃ ।

* * *