ଦଶମ ସ୍କନ୍ଧ
ଅଷ୍ଟସପ୍ତତିତମ ଅଧ୍ୟାୟ
ଶୁକ ଉବାଚ
ଶୁକ ବୋଲନ୍ତି ରାୟେ ଶୁଣ । ରିପୁ ସଂହାରି ନାରାୟଣ ॥ ୧
ଗିରିକନ୍ଦରେ ବନମାଳୀ । ରାଜା ନିରୋଧସ୍ଥାନେ ମିଳି ॥ ୨
ଜରା-ବନ୍ଧନ ଦୁଃଖ ସହି । ଯେତେ ନୃପ୍ତି ଥିଲେ ତହିଁ ॥ ୩
ଶୁଣ ହେ ଅଭିମନ୍ୟୁ ସୁତ । ବେନିଅୟୁତ ଅଷ୍ଟଶତ ॥ ୪
ଦିଗବିଜୟେ ଜରାସୁର । ଲୀଳାଏ ଜିଣି ନୃପବର ॥ ୫
ବନ୍ଧନ କରିଅଛି ବଳେ । ସର୍ବନୃପତି ଏକମେଳେ ॥ ୬
ମଳିନ ବସ୍ତ୍ର ପରିଧାନେ । କ୍ଷୁଧାର୍ତ୍ତେ ଦୁଃଖିତ ବଦନ ॥ ୭
ତୃଷାରେ କମ୍ପଇ ଶରୀର । ବନ୍ଦୀଭୂବନ ଅନ୍ଧକାର ॥ ୮
ଦ୍ୱାରକୁ ଚାହାନ୍ତି ନିରୋଳି । ବିଜୟ କଲେ ବନମାଳୀ ॥ ୯
ପୂର୍ବ ପର୍ବତେ ରବି ଯେହ୍ନେ । କିରଣ ପ୍ରକାଶେ ଗଗନେ ॥ ୧୦
ଶରୀର ଶ୍ୟାମଘନ ପ୍ରାୟେ । ପୀତବସନ ଜନ ମୋହେ ॥ ୧୧
ଶ୍ରୀବତ୍ସ ଚିହ୍ନ ହୃଦେ ସାଜେ । ରତ୍ନମେଖଳା କଟୀ ମାଝେ ॥ ୧୨
ଆଜାନୁଲମ୍ବେ ଚାରି କର । ଶଙ୍ଖ କମଳ ଚକ୍ରଧର ॥ ୧୩
ପଦ୍ମର ପ୍ରଭା ପ୍ରାୟ ହୋଇ । ରଙ୍ଗନୟନ ବିରାଜଇ ॥ ୧୪
ସୁନ୍ଦର ଶ୍ରୀମୁଖ ମଣ୍ତଳ । ଶ୍ରବଣେ ମକରକୁଣ୍ତଳ ॥ ୧୫
ହାର କିରୀଟ ରତ୍ନମୟେ । କରେ କଙ୍କଣ ଜନ ମୋହେ ॥ ୧୬
କଣ୍ଠେ ବିରାଜେ ରତ୍ନମଣି । ରବି କିରଣ ପ୍ରାୟ ଜାଣି ॥ ୧୭
ହୃଦେ ଲମ୍ବଇ ବନମାଳ । ମଦନମୋହନ ଗୋପାଳ ॥ ୧୮
ଦେଖି ସକଳ ନୃପମଣି । ଅମୃତନିଧି ପ୍ରାୟ ମଣି ॥ ୧୯
ପିଇବା ପ୍ରାୟ ଚକ୍ଷୁଦ୍ୱାରେ । କି ଅବା ଲିହିବେ ଜିହ୍ୱାରେ ॥ ୨୦
ଆଘ୍ରାଣ କରି ନାସାରନ୍ଧ୍ରେ । ହୃଦେ ଭିଡିବେ ବାହୁବନ୍ଧେ ॥ ୨୧
ଏମନ୍ତ ଭାବେ ନୃପବରେ । ନମିଲେ ଶ୍ରୀକୃଷ୍ଣ ପୟରେ ॥ ୨୨
କିରୀଟ ସହିତରେ କରି । ପ୍ରଣାମ କଲେ ପାଦ ଧରି ॥ ୨୩
ଲଭିଲେ କୃଷ୍ଣ ଦରଶନ । ହତ ହୋଇଲା ଦୁଃଖ ଶ୍ରମ ॥ ୨୪
କରଅଞ୍ଜଳି ଶିରେ ଦେଇ । ବୋଲନ୍ତି କୃଷ୍ଣ ତ୍ରାହି ତ୍ରାହି ॥ ୨୫
ନମସ୍ତେ ଦେବଦେବବର । ପ୍ରପନ୍ନଜନ ଦୁଃଖହର ॥ ୨୬
ଅବ୍ୟୟପୁରୁଷଉତ୍ତମ । ଶରଣଜନଙ୍କ ଜୀବନ ॥ ୨୭
ଘୋର ସଂସାରେ ଅଧୋମୁଖେ । ଆମ୍ଭେ ଭ୍ରମିଲୁ ଅତି ଦୁଃଖେ ॥ ୨୮
ଅନାଥନାଥ ତୋ ମହିମା । ଆମ୍ଭେ ନ ଜାଣୁ ଗୁଣସୀମା ॥ ୨୯
ତୋହର ଗତି ଚକ୍ରଧର । ନ ଜାଣେ ଶିବ ବେଦବର ॥ ୩୦
ଏଣୁ ରୁ ଦୁର୍ଲ୍ଲଭ ସଂସାରେ । ଶୁଣ କହିବୁ ତୋ ଛାମୁରେ ॥ ୩୧
ଏ ଯେ ମାଗଧ ଜରାସନ୍ଧ । ଏହାକୁ ନ ବୋଲିବା ମନ୍ଦ ॥ ୩୨
ତୋହର ଅନୁଗ୍ରହେ ହରି । ଆମ୍ଭଙ୍କୁ ବଳେ ବନ୍ଦୀ କରି ॥ ୩୩
ଥୋଇଲା ଧରି ଏ ପର୍ବତେ । ତୋ ମୁଖ ଦେଖିବାର ଅର୍ଥେ ॥ ୩୪
ଏ ଆମ୍ଭ ରାଜ୍ୟଭ୍ରଷ୍ଟ କଲା । ଯେଣୁ ତୋହର ଆଜ୍ଞା ଥିଲା ॥ ୩୫
ଯେ ରାଜମଦେ ମତ୍ତ ହୋଇ । ତାହାର ଶ୍ରେୟ ଲାଭ କାହିଁ ॥ ୩୬
ତୋର ମାୟାରେ ହୋଇ ରତ । ମିଥ୍ୟା ସମ୍ପଦ ମଣେ ସତ୍ୟ ॥ ୩୭
ଅଜ୍ଞାନମତେ ହୋଇ ଭୋଳ । ମୃଗତୃଷ୍ଣାକୁ ମଣେ ଜଳ ॥ ୩୮
ନିବିଡ ମାୟାର ବିକାରେ । ବସ୍ତୁ ବିଚାରେ ଅବସ୍ତୁରେ ॥ ୩୯
ଆମ୍ଭେ ସକଳେ ନୃପଦେହେ । ଶ୍ରୀମଦେ ନଷ୍ଟ ବୁଦ୍ଧି ମୋହେ ॥ ୪୦
ଏ ଭୂମି ଜିଣିବାର ଆଶେ । ଘୋରସଂକଟ ରଣ ତ୍ରାସେ ॥ ୪୧
ଏକ ଆରକେ ରିପୁପଣେ । ପ୍ରଜା ନାଶିଲୁ ଅକାରଣେ ॥ ୪୨
ଅତି ନିର୍ଦ୍ଦୟକର୍ମ କଲୁ । ତୋର ମହିମା ପାସୋରିଲୁ ॥ ୪୩
ନିକଟେ ନ ଦେଖି ମରଣ । ବୁଦ୍ଧି ଦୁର୍ମଦ କରଷଣ ॥ ୪୪
ତୁ ପୁଣି କାଳରୁପେ ହରି । ବଳେ ହରିଲୁ ଆମ୍ଭ ଶିରୀ ॥ ୪୫
ଯେଣୁ ତୋହର ଅନୁଗ୍ରହ । ଆମ୍ଭର ଗଲା ଦୁଃଖ ମୋହ ॥ ୪୬
ଏବେ ସୁମରି ତୋ ଶରଣେ । ପଶିଲୁ ଅଭୟ ଚରଣେ ॥ ୪୭
ଏ ମୃଗତୃଷ୍ଣା ପ୍ରାୟ ରାଜ୍ୟ । ଏଣେ ଆମ୍ଭର ନାହିଁ କାର୍ଯ୍ୟ ॥ ୪୮
ଏ ଛିଦ୍ର ଜଳଘଟ ପ୍ରାୟ । ନିତି ପତନ ଏହି କାୟ ॥ ୪୯
ସର୍ବରୋଗର ମୂଳଭୂମି । ସଦା ଅନିତ୍ୟେ ପଥଶ୍ରମୀ ॥ ୫୦
ଏଣେ ଆମ୍ଭର ନାହିଁ କାର୍ଯ୍ୟ । ଶୁଣିବା ପ୍ରଭୁ ଦେବରାଜ ॥ ୫୧
କର୍ମକରଣ ଯଜ୍ଞମେଳେ । କର୍ଣ୍ଣରୋଚନ କ୍ରିୟାଫଳେ ॥ ୫୨
ଏଣେ ଆମ୍ଭର କାର୍ଯ୍ୟ ନାହିଁ । ଏମନ୍ତ ଆଜ୍ଞା ଦିଅ ତୁହି ॥ ୫୩
ତୋ ପାଦପଦ୍ମେ ଅବିରତ । ନିରତେ ଥିବ ଆମ୍ଭ ଚିତ୍ତ ॥ ୫୪
ତୋର ସ୍ମରଣେ ଆମ୍ଭ ମନ । ଦଣ୍ତେ ନଛାଡୁ ଭଗବାନ ॥ ୫୫
ସଂସାର ଭ୍ରମଣ ଆମ୍ଭର । ବେଗେ ନିବାର ଚକ୍ରଧର ॥ ୫୬
ଶ୍ରୀକୃଷ୍ଣ ବାସୁଦେବ ହରି । ପରମ ଆତ୍ମା ତୁ ମୁରାରି ॥ ୫୭
ପ୍ରଣତଜନ କ୍ଳେଶ ହରି । ନମୋ ଗୋବିନ୍ଦ ଦାମୋଦର ॥ ୫୮
ଏମନ୍ତେ ପ୍ରଭୁ ଚକ୍ରପାଣି । ରାଜାଙ୍କ ସ୍ତୁତିବାକ୍ୟ ଶୁଣି ॥ ୫୯
ଶରଣ୍ୟ କରୁଣାସାଗର । କୋମଳବଚନ ଗଭୀର ॥ ୬୦
ରାଜାଙ୍କ ମୁଖ ଚାହିଁ ହସି । ବୋଲନ୍ତି ପ୍ରଭୁ ବ୍ରହ୍ମରାଶି ॥ ୬୧
ତୁମ୍ଭର ଚିତ୍ତ ସୁନିଶ୍ଚଳେ । ଆଜହୁଁ ମୋ ପାଦକମଳେ ॥ ୬୨
ହେଉ ବୋଇଲେ ଭଗବାନ । ଏ ମୋର ନିଶ୍ଚିତ ବଚନ ॥ ୬୩
ତୁମ୍ଭେ କହିଲେ ସତ୍ୟବାଣୀ । ମୁହିଁ ସନ୍ତୋଷ ତାହା ଶୁଣି ॥ ୬୪
ମନୁଷ୍ୟ ମଧ୍ୟେ ଥାଇ ଯେତେ । ସମ୍ପଦ ଅଇଶ୍ୱର୍ଯ୍ୟ ମତ୍ତେ ॥ ୬୫
ଗର୍ବ ଯେ ବହନ୍ତି ମନରେ । ନିଶ୍ଚେ ମୁଁ ନାଶଇ ତାହାରେ ॥ ୬୬
ସହସ୍ରାର୍ଜୁନ ନାମେ ରାଜା । ନୃପ ନହୁଷ ମହାତେଜା ॥ ୬୭
ଅଙ୍ଗନୃପତିସୁତ ବେଣ । ନାରକାସୁର ଦଶାନନ ॥ ୬୮
ଦେବ ଦାନବ କୁଳେ ଜାତ । ଥିଲେ ଯେ ଅଇଶ୍ୱର୍ଯ୍ୟ ମତ୍ତ ॥ ୬୯
ତାହାଙ୍କୁ କଲି ସ୍ଥାନଭ୍ରଷ୍ଟ । ଯେଣୁ ହୋଇଲେ ବୁଦ୍ଧିନଷ୍ଟ ॥ ୭୦
ତୁମ୍ଭେ ସକଳ ଏହା ଜାଣି । ଏ ଦେହ ମିଥ୍ୟା ପ୍ରାୟ ମଣି ॥ ୭୧
ଯଜ୍ଞେ ପୂଜିବ ମୋ ଚରଣ । ପାଳିବ ନିଜ ପ୍ରଜାଗଣ ॥ ୭୨
ଧର୍ମସେବନ ରାତ୍ରଦିନେ । ନିରତେ ହୋଇ ଅବଧାନେ ॥ ୭୩
ଦୁର୍ଗତି ବିଭବ ବିମୁଖେ । ଜନ୍ମ ସଞ୍ଚିତ ଦୁଃଖସୁଖେ ॥ ୭୪
କର୍ମକଷଣ ହାନି ଲାଭ । ଗତ-ଆଗତେ ସମଭାବ ॥ ୭୫
ଏତେ ଗହନେ ତୁମ୍ଭେ ଥାଇ । ମୋର ଚରଣେ ଚିତ୍ତ ଦେଇ ॥ ୭୬
ମାୟାସଂସାରେ ପଡି ଭ୍ରମ । କେବେ ହେଁ ନୋହୁ ତୁମ୍ଭ ମନ ॥ ୭୭
ଏ ଦେହ ଆଦି ମୋର ଯେତେ । ନ ଲାଗୁ ତୁମ୍ଭ ଶୁଦ୍ଧ ଚିତ୍ତେ ॥ ୭୮
ନିରତେ ହେଉ ଆତ୍ମଜ୍ଞାନ । ନିଶ୍ଚଳଚିତ୍ତେ ମୋର ଧ୍ୟାନ ॥ ୭୯
ପବିତ୍ର ହୋଇ ବ୍ରହ୍ମପଥେ । ପଶିବ ମୋର ଦେହେ ଅନ୍ତେ ॥ ୮୦
କହନ୍ତି ବ୍ୟାସଙ୍କର ସୁତ । ଏବେ ହୋ ଶୁଣ ପରୀକ୍ଷିତ ॥ ୮୧
ଭକତବନ୍ଧୁ ଭଗବାନ । ରାଜାଙ୍କୁ କହି ଦିବ୍ୟଜ୍ଞାନ ॥ ୮୨
ତାହାଙ୍କ ଅଭିଷେକ ଅର୍ଥେ । ନାରୀପୁରୁଷ ଶତେ ଶତେ ॥ ୮୩
ମାର୍ଜନା କରି ସର୍ବରାଜା । ଗୋବିନ୍ଦ କରାଇଲେ ପୂଜା ॥ ୮୪
ଜରାସନ୍ଧର ପୁତ୍ର ହସ୍ତେ । ଭାବେ ଗୋବିନ୍ଦ ଅନୁମତେ ॥ ୮୫
ରାଜଉଚିତେ ଅଳଙ୍କାର । ପୁଷ୍ପ ଚନ୍ଦନ ବସ୍ତ୍ରସାର ॥ ୮୬
ରତ୍ନମୁକୁଟ ଶିରେ ଖଞ୍ଜି । ଉତ୍ତମ ଅନ୍ନ ଜଳ ଭୁଞ୍ଜି ॥ ୮୭
ନାନାପ୍ରକାରେ ରାଜଭୋଗ । ତାମ୍ବୁଳ କର୍ପୂର ସଂଯୋଗ ॥ ୮୮
କର୍ଣ୍ଣେ କୁଣ୍ତଳ ସମସରି । ହାର କେୟୁର ହୃଦେ ଭରି ॥ ୮୯
ବନ୍ଧନ ଦୁଃଖୁଁ ପାର ହୋଇ । କିବା ଉପମା ଦେବି ମୁହିଁ ॥ ୯୦
ବରଷାକାଳ ଅନ୍ତେ ଯେହ୍ନେ । ଗ୍ରହେ ବିରାଜନ୍ତି ଗଗନେ ॥ ୯୧
ବସାଇ ରତ୍ନମୟ ଯାନେ । ଗୋବିନ୍ଦ କୋମଳ ବଚନେ ॥ ୯୨
ବୋଇଲେ ନିଜପୁରେ ଯିବ । ଯଜ୍ଞର ଆରମ୍ଭେ ଆସିବ ॥ ୯୩
ଅନେକ ସୈନ୍ୟ ବଳ ଦେଇ । ପେଷିଲେ ପ୍ରଭୁ ଭାବଗ୍ରାହୀ ॥ ୯୪
ଏମନ୍ତେ କୃଷ୍ଣ ପରସାଦୁ । ରାଜାଏ ବଞ୍ଚିଲେ ପ୍ରମାଦୁ ॥ ୯୫
କୃଷ୍ଣର ପାଦେ ଦେଇ ମନ । ଗଲେ ସେ ଯେ ଯାହା ଭୁବନ ॥ ୯୬
ଗୋବିନ୍ଦ ଆଜ୍ଞା ଘେନି ଶିରେ । ସୁଖେ ରହିଲେ ନିଜ ପୁରେ ॥ ୯୭
ଏମନ୍ତେ ଜରାସନ୍ଧ ମାରି । ଭୀମଅର୍ଜୁନ ତୁଲେ ହରି ॥ ୯୮
ଜରାନନ୍ଦନ ସହଦେବ । ଆନନ୍ଦେ ପୂଜିଲେ ମାଧବ ॥ ୯୯
ତାହାକୁ ପ୍ରଭୁ ଭଗବାନ । ଅନେକ କଲେ ସନମାନ ॥ ୧୦୦
ସେ ରାଜ୍ୟେ ତାକୁ ରାଜା କରି । କହନ୍ତି ଅନୁଗ୍ରହ ହରି ॥ ୧୦୧
ତୋର ପିଅର ଦୁଷ୍ଟମତି । ନୃପତିଗଣେ ଦେଲା ଶାସ୍ତି ॥ ୧୦୨
ବହୁତଜନେ ହିଂସା କରି । କେମନ୍ତେ ଥିବ ଦେହ ଧରି ॥ ୧୦୩
ଏ ମୋର ଧର୍ମର ସଂସାର । ଏଥେ ଯେ କରେ ଅବିଚାର ॥ ୧୦୪
ମୁଁ ତାହା ନ ପାରଇ ସହି । ଧର୍ମ ଧାରଣେ ମୋର ଦେହୀ ॥ ୧୦୫
ତୋର ପିଅର ନାଶ ଗଲା । ପୃଥିବୀ ଉଶ୍ୱାସ ହୋଇଲା ॥ ୧୦୬
ଏଥକୁ ନ କର ବିଚାର । ସୁଖେ ତୁ ନିଜ ରାଜ୍ୟ କର ॥ ୧୦୭
ମୋର ଚରଣେ ଚିତ୍ତ ଦେଇ । ସୁଖେ ତୁ ପାଳ ନିଜ ମହୀ ॥ ୧୦୮
ଯାଗ ଆରମ୍ଭ କାଳେ ଯାଇ । ମିଳିବୁ ମୋର ଆଜ୍ଞା ବହି ॥ ୧୦୯
ଏମନ୍ତ କୃଷ୍ଣମୁଖୁଁ ଶୁଣି । ହରଷ ହୋଇ ନୃପମଣି ॥ ୧୧୦
କୃଷ୍ଣର ପଦ୍ମପାଦେ ପଡି । ଉଠି ବୋଲଇ କରଯୋଡି ॥ ୧୧୧
ଭୋ ନାଥ ହୋଇଲି ନିସ୍ତାର । ଭାରାନିବାରେ ଅବତାର ॥ ୧୧୨
ଈଶ୍ୱର ସଂସାର କାରଣ । ମୁଁ ତୋର ଚରଣେ ଶରଣ ॥ ୧୧୩
ତୁ ମୋତେ କଲୁ ଅନୁଗ୍ରହ । ଫିଟିଲା ମନର ସନ୍ଦେହ ॥ ୧୧୪
ଭୀମ ଅର୍ଜୁନ କୃଷ୍ଣ ତୁଲେ । ସାଷ୍ଟାଙ୍ଗେ ପୁଜି ସୁଖ ଭୋଳେ ॥ ୧୧୫
ଅନେକ ଧନରତ୍ନ ଦେଲା । ଦିବ୍ୟବିମାନ ସମର୍ପିଲା ॥ ୧୧୬
କୃଷ୍ଣର ପାଦେ ଚିତ୍ତ ଦେଇ । ହୃଦେ ପରମ ସୁଖ ପାଇ ॥ ୧୧୭
କୃଷ୍ଣଙ୍କୁ ମାଗି ଅନୁଯାନ । ମିଳିଲା ଆପଣା ଭୁବନ ॥ ୧୧୮
ଭୀମ ଅର୍ଜୁନ ବନମାଳୀ । ବିମାନେ ବସି ହଂସକେଳି ॥ ୧୧୯
ପବନବେଗେ ରଥ ଚଳି । ଇନ୍ଦ୍ରପ୍ରସ୍ଥରେ ଯାଇ ମିଳି ॥ ୧୨୦
ଶଙ୍ଖ ବଜାନ୍ତେ ଭଗବାନ । ହରଷ ହେଲେ ବନ୍ଧୁଜନ ॥ ୧୨୧
ଖଳଜନଙ୍କ ମନେ ଦୁଃଖ । ହେଲେ ନିବେଶି ପଦ୍ମମୁଖ ॥ ୧୨୨
ଇନ୍ଦ୍ରପ୍ରସ୍ଥରେ ରାଜାଗଣ । ଶୁଣିଲେ ମାଗଧ ମରଣ ॥ ୧୨୩
ନିଶ୍ଚିନ୍ତେ ଧର୍ମସୁତ କାର୍ଯ୍ୟ । ସୁଖେ ସଞ୍ଚିଲେ ଦେବରାଜ ॥ ୧୨୪
ହରଷେ ଧର୍ମର କୁମର । ସଙ୍ଗତେ ଘେନି ସହୋଦର ॥ ୧୨୫
ବନ୍ଧୁବାନ୍ଧବ ପ୍ରଜାଜନ । କୃଷ୍ଣଙ୍କୁ ଭାବେ କଲେ ମାନ୍ୟ ॥ ୧୨୬
ଭୀମ ଅର୍ଜୁନ ନାରାୟଣ । ବନ୍ଦିଲେ ଯୁଧିଷ୍ଠି ଚରଣ ॥ ୧୨୭
ଯେମନ୍ତେ ଜରା ନାଶ ଗଲା । ସଂକ୍ଷେପି କହି ନନ୍ଦବଳା ॥ ୧୨୮
ବସିଲେ ଧର୍ମସୁତ ପାଶେ । ଶୁଣି ନୃପତି ମନତୋଷେ ॥ ୧୨୯
ପୁଲକ କଲେ ରୋମରାଜି । ବାକ୍ୟ ନ ସ୍ପୁରେ ଚକ୍ଷୁବୁଜି ॥ ୧୩୦
ସେ ହରି ଚରଣ ପଙ୍କଜେ । ବ୍ରାହ୍ମଣ ଜଗନ୍ନାଥ ଭଜେ ॥ ୧୩୧
ଇତି ଶ୍ରୀମଦ୍ଭଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ କୃଷ୍ଣାଦିଆଗମନେ ଅଷ୍ଟସପ୍ତତିତମ ଅଧ୍ୟାୟଃ
* * *