ଦଶମ ସ୍କନ୍ଧ

ଅଷ୍ଟସପ୍ତତିତମ ଅଧ୍ୟାୟ

ଶୁକ ଉବାଚ

ଶୁକ ବୋଲନ୍ତି ରାୟେ ଶୁଣ । ରିପୁ ସଂହାରି ନାରାୟଣ ॥

ଗିରିକନ୍ଦରେ ବନମାଳୀ । ରାଜା ନିରୋଧସ୍ଥାନେ ମିଳି ॥

ଜରା-ବନ୍ଧନ ଦୁଃଖ ସହି । ଯେତେ ନୃପ୍ତି ଥିଲେ ତହିଁ ॥

ଶୁଣ ହେ ଅଭିମନ୍ୟୁ ସୁତ । ବେନିଅୟୁତ ଅଷ୍ଟଶତ ॥

ଦିଗବିଜୟେ ଜରାସୁର । ଲୀଳାଏ ଜିଣି ନୃପବର ॥

ବନ୍ଧନ କରିଅଛି ବଳେ । ସର୍ବନୃପତି ଏକମେଳେ ॥

ମଳିନ ବସ୍ତ୍ର ପରିଧାନେ । କ୍ଷୁଧାର୍ତ୍ତେ ଦୁଃଖିତ ବଦନ ॥

ତୃଷାରେ କମ୍ପଇ ଶରୀର । ବନ୍ଦୀଭୂବନ ଅନ୍ଧକାର ॥

ଦ୍ୱାରକୁ ଚାହାନ୍ତି ନିରୋଳି । ବିଜୟ କଲେ ବନମାଳୀ ॥

ପୂର୍ବ ପର୍ବତେ ରବି ଯେହ୍ନେ । କିରଣ ପ୍ରକାଶେ ଗଗନେ ॥ ୧୦

ଶରୀର ଶ୍ୟାମଘନ ପ୍ରାୟେ । ପୀତବସନ ଜନ ମୋହେ ॥ ୧୧

ଶ୍ରୀବତ୍ସ ଚିହ୍ନ ହୃଦେ ସାଜେ । ରତ୍ନମେଖଳା କଟୀ ମାଝେ ॥ ୧୨

ଆଜାନୁଲମ୍ବେ ଚାରି କର । ଶଙ୍ଖ କମଳ ଚକ୍ରଧର ॥ ୧୩

ପଦ୍ମର ପ୍ରଭା ପ୍ରାୟ ହୋଇ । ରଙ୍ଗନୟନ ବିରାଜଇ ॥ ୧୪

ସୁନ୍ଦର ଶ୍ରୀମୁଖ ମଣ୍ତଳ । ଶ୍ରବଣେ ମକରକୁଣ୍ତଳ ॥ ୧୫

ହାର କିରୀଟ ରତ୍ନମୟେ । କରେ କଙ୍କଣ ଜନ ମୋହେ ॥ ୧୬

କଣ୍ଠେ ବିରାଜେ ରତ୍ନମଣି । ରବି କିରଣ ପ୍ରାୟ ଜାଣି ॥ ୧୭

ହୃଦେ ଲମ୍ବଇ ବନମାଳ । ମଦନମୋହନ ଗୋପାଳ ॥ ୧୮

ଦେଖି ସକଳ ନୃପମଣି । ଅମୃତନିଧି ପ୍ରାୟ ମଣି ॥ ୧୯

ପିଇବା ପ୍ରାୟ ଚକ୍ଷୁଦ୍ୱାରେ । କି ଅବା ଲିହିବେ ଜିହ୍ୱାରେ ॥ ୨୦

ଆଘ୍ରାଣ କରି ନାସାରନ୍ଧ୍ରେ । ହୃଦେ ଭିଡିବେ ବାହୁବନ୍ଧେ ॥ ୨୧

ଏମନ୍ତ ଭାବେ ନୃପବରେ । ନମିଲେ ଶ୍ରୀକୃଷ୍ଣ ପୟରେ ॥ ୨୨

କିରୀଟ ସହିତରେ କରି । ପ୍ରଣାମ କଲେ ପାଦ ଧରି ॥ ୨୩

ଲଭିଲେ କୃଷ୍ଣ ଦରଶନ । ହତ ହୋଇଲା ଦୁଃଖ ଶ୍ରମ ॥ ୨୪

କରଅଞ୍ଜଳି ଶିରେ ଦେଇ । ବୋଲନ୍ତି କୃଷ୍ଣ ତ୍ରାହି ତ୍ରାହି ॥ ୨୫

ନମସ୍ତେ ଦେବଦେବବର । ପ୍ରପନ୍ନଜନ ଦୁଃଖହର ॥ ୨୬

ଅବ୍ୟୟପୁରୁଷଉତ୍ତମ । ଶରଣଜନଙ୍କ ଜୀବନ ॥ ୨୭

ଘୋର ସଂସାରେ ଅଧୋମୁଖେ । ଆମ୍ଭେ ଭ୍ରମିଲୁ ଅତି ଦୁଃଖେ ॥ ୨୮

ଅନାଥନାଥ ତୋ ମହିମା । ଆମ୍ଭେ ନ ଜାଣୁ ଗୁଣସୀମା ॥ ୨୯

ତୋହର ଗତି ଚକ୍ରଧର । ନ ଜାଣେ ଶିବ ବେଦବର ॥ ୩୦

ଏଣୁ ରୁ ଦୁର୍ଲ୍ଲଭ ସଂସାରେ । ଶୁଣ କହିବୁ ତୋ ଛାମୁରେ ॥ ୩୧

ଏ ଯେ ମାଗଧ ଜରାସନ୍ଧ । ଏହାକୁ ନ ବୋଲିବା ମନ୍ଦ ॥ ୩୨

ତୋହର ଅନୁଗ୍ରହେ ହରି । ଆମ୍ଭଙ୍କୁ ବଳେ ବନ୍ଦୀ କରି ॥ ୩୩

ଥୋଇଲା ଧରି ଏ ପର୍ବତେ । ତୋ ମୁଖ ଦେଖିବାର ଅର୍ଥେ ॥ ୩୪

ଏ ଆମ୍ଭ ରାଜ୍ୟଭ୍ରଷ୍ଟ କଲା । ଯେଣୁ ତୋହର ଆଜ୍ଞା ଥିଲା ॥ ୩୫

ଯେ ରାଜମଦେ ମତ୍ତ ହୋଇ । ତାହାର ଶ୍ରେୟ ଲାଭ କାହିଁ ॥ ୩୬

ତୋର ମାୟାରେ ହୋଇ ରତ । ମିଥ୍ୟା ସମ୍ପଦ ମଣେ ସତ୍ୟ ॥ ୩୭

ଅଜ୍ଞାନମତେ ହୋଇ ଭୋଳ । ମୃଗତୃଷ୍ଣାକୁ ମଣେ ଜଳ ॥ ୩୮

ନିବିଡ ମାୟାର ବିକାରେ । ବସ୍ତୁ ବିଚାରେ ଅବସ୍ତୁରେ ॥ ୩୯

ଆମ୍ଭେ ସକଳେ ନୃପଦେହେ । ଶ୍ରୀମଦେ ନଷ୍ଟ ବୁଦ୍ଧି ମୋହେ ॥ ୪୦

ଏ ଭୂମି ଜିଣିବାର ଆଶେ । ଘୋରସଂକଟ ରଣ ତ୍ରାସେ ॥ ୪୧

ଏକ ଆରକେ ରିପୁପଣେ । ପ୍ରଜା ନାଶିଲୁ ଅକାରଣେ ॥ ୪୨

ଅତି ନିର୍ଦ୍ଦୟକର୍ମ କଲୁ । ତୋର ମହିମା ପାସୋରିଲୁ ॥ ୪୩

ନିକଟେ ନ ଦେଖି ମରଣ । ବୁଦ୍ଧି ଦୁର୍ମଦ କରଷଣ ॥ ୪୪

ତୁ ପୁଣି କାଳରୁପେ ହରି । ବଳେ ହରିଲୁ ଆମ୍ଭ ଶିରୀ ॥ ୪୫

ଯେଣୁ ତୋହର ଅନୁଗ୍ରହ । ଆମ୍ଭର ଗଲା ଦୁଃଖ ମୋହ ॥ ୪୬

ଏବେ ସୁମରି ତୋ ଶରଣେ । ପଶିଲୁ ଅଭୟ ଚରଣେ ॥ ୪୭

ଏ ମୃଗତୃଷ୍ଣା ପ୍ରାୟ ରାଜ୍ୟ । ଏଣେ ଆମ୍ଭର ନାହିଁ କାର୍ଯ୍ୟ ॥ ୪୮

ଏ ଛିଦ୍ର ଜଳଘଟ ପ୍ରାୟ । ନିତି ପତନ ଏହି କାୟ ॥ ୪୯

ସର୍ବରୋଗର ମୂଳଭୂମି । ସଦା ଅନିତ୍ୟେ ପଥଶ୍ରମୀ ॥ ୫୦

ଏଣେ ଆମ୍ଭର ନାହିଁ କାର୍ଯ୍ୟ । ଶୁଣିବା ପ୍ରଭୁ ଦେବରାଜ ॥ ୫୧

କର୍ମକରଣ ଯଜ୍ଞମେଳେ । କର୍ଣ୍ଣରୋଚନ କ୍ରିୟାଫଳେ ॥ ୫୨

ଏଣେ ଆମ୍ଭର କାର୍ଯ୍ୟ ନାହିଁ । ଏମନ୍ତ ଆଜ୍ଞା ଦିଅ ତୁହି ॥ ୫୩

ତୋ ପାଦପଦ୍ମେ ଅବିରତ । ନିରତେ ଥିବ ଆମ୍ଭ ଚିତ୍ତ ॥ ୫୪

ତୋର ସ୍ମରଣେ ଆମ୍ଭ ମନ । ଦଣ୍ତେ ନଛାଡୁ ଭଗବାନ ॥ ୫୫

ସଂସାର ଭ୍ରମଣ ଆମ୍ଭର । ବେଗେ ନିବାର ଚକ୍ରଧର ॥ ୫୬

ଶ୍ରୀକୃଷ୍ଣ ବାସୁଦେବ ହରି । ପରମ ଆତ୍ମା ତୁ ମୁରାରି ॥ ୫୭

ପ୍ରଣତଜନ କ୍ଳେଶ ହରି । ନମୋ ଗୋବିନ୍ଦ ଦାମୋଦର ॥ ୫୮

ଏମନ୍ତେ ପ୍ରଭୁ ଚକ୍ରପାଣି । ରାଜାଙ୍କ ସ୍ତୁତିବାକ୍ୟ ଶୁଣି ॥ ୫୯

ଶରଣ୍ୟ କରୁଣାସାଗର । କୋମଳବଚନ ଗଭୀର ॥ ୬୦

ରାଜାଙ୍କ ମୁଖ ଚାହିଁ ହସି । ବୋଲନ୍ତି ପ୍ରଭୁ ବ୍ରହ୍ମରାଶି ॥ ୬୧

ତୁମ୍ଭର ଚିତ୍ତ ସୁନିଶ୍ଚଳେ । ଆଜହୁଁ ମୋ ପାଦକମଳେ ॥ ୬୨

ହେଉ ବୋଇଲେ ଭଗବାନ । ଏ ମୋର ନିଶ୍ଚିତ ବଚନ ॥ ୬୩

ତୁମ୍ଭେ କହିଲେ ସତ୍ୟବାଣୀ । ମୁହିଁ ସନ୍ତୋଷ ତାହା ଶୁଣି ॥ ୬୪

ମନୁଷ୍ୟ ମଧ୍ୟେ ଥାଇ ଯେତେ । ସମ୍ପଦ ଅଇଶ୍ୱର୍ଯ୍ୟ ମତ୍ତେ ॥ ୬୫

ଗର୍ବ ଯେ ବହନ୍ତି ମନରେ । ନିଶ୍ଚେ ମୁଁ ନାଶଇ ତାହାରେ ॥ ୬୬

ସହସ୍ରାର୍ଜୁନ ନାମେ ରାଜା । ନୃପ ନହୁଷ ମହାତେଜା ॥ ୬୭

ଅଙ୍ଗନୃପତିସୁତ ବେଣ । ନାରକାସୁର ଦଶାନନ ॥ ୬୮

ଦେବ ଦାନବ କୁଳେ ଜାତ । ଥିଲେ ଯେ ଅଇଶ୍ୱର୍ଯ୍ୟ ମତ୍ତ ॥ ୬୯

ତାହାଙ୍କୁ କଲି ସ୍ଥାନଭ୍ରଷ୍ଟ । ଯେଣୁ ହୋଇଲେ ବୁଦ୍ଧିନଷ୍ଟ ॥ ୭୦

ତୁମ୍ଭେ ସକଳ ଏହା ଜାଣି । ଏ ଦେହ ମିଥ୍ୟା ପ୍ରାୟ ମଣି ॥ ୭୧

ଯଜ୍ଞେ ପୂଜିବ ମୋ ଚରଣ । ପାଳିବ ନିଜ ପ୍ରଜାଗଣ ॥ ୭୨

ଧର୍ମସେବନ ରାତ୍ରଦିନେ । ନିରତେ ହୋଇ ଅବଧାନେ ॥ ୭୩

ଦୁର୍ଗତି ବିଭବ ବିମୁଖେ । ଜନ୍ମ ସଞ୍ଚିତ ଦୁଃଖସୁଖେ ॥ ୭୪

କର୍ମକଷଣ ହାନି ଲାଭ । ଗତ-ଆଗତେ ସମଭାବ ॥ ୭୫

ଏତେ ଗହନେ ତୁମ୍ଭେ ଥାଇ । ମୋର ଚରଣେ ଚିତ୍ତ ଦେଇ ॥ ୭୬

ମାୟାସଂସାରେ ପଡି ଭ୍ରମ । କେବେ ହେଁ ନୋହୁ ତୁମ୍ଭ ମନ ॥ ୭୭

ଏ ଦେହ ଆଦି ମୋର ଯେତେ । ନ ଲାଗୁ ତୁମ୍ଭ ଶୁଦ୍ଧ ଚିତ୍ତେ ॥ ୭୮

ନିରତେ ହେଉ ଆତ୍ମଜ୍ଞାନ । ନିଶ୍ଚଳଚିତ୍ତେ ମୋର ଧ୍ୟାନ ॥ ୭୯

ପବିତ୍ର ହୋଇ ବ୍ରହ୍ମପଥେ । ପଶିବ ମୋର ଦେହେ ଅନ୍ତେ ॥ ୮୦

କହନ୍ତି ବ୍ୟାସଙ୍କର ସୁତ । ଏବେ ହୋ ଶୁଣ ପରୀକ୍ଷିତ ॥ ୮୧

ଭକତବନ୍ଧୁ ଭଗବାନ । ରାଜାଙ୍କୁ କହି ଦିବ୍ୟଜ୍ଞାନ ॥ ୮୨

ତାହାଙ୍କ ଅଭିଷେକ ଅର୍ଥେ । ନାରୀପୁରୁଷ ଶତେ ଶତେ ॥ ୮୩

ମାର୍ଜନା କରି ସର୍ବରାଜା । ଗୋବିନ୍ଦ କରାଇଲେ ପୂଜା ॥ ୮୪

ଜରାସନ୍ଧର ପୁତ୍ର ହସ୍ତେ । ଭାବେ ଗୋବିନ୍ଦ ଅନୁମତେ ॥ ୮୫

ରାଜଉଚିତେ ଅଳଙ୍କାର । ପୁଷ୍ପ ଚନ୍ଦନ ବସ୍ତ୍ରସାର ॥ ୮୬

ରତ୍ନମୁକୁଟ ଶିରେ ଖଞ୍ଜି । ଉତ୍ତମ ଅନ୍ନ ଜଳ ଭୁଞ୍ଜି ॥ ୮୭

ନାନାପ୍ରକାରେ ରାଜଭୋଗ । ତାମ୍ବୁଳ କର୍ପୂର ସଂଯୋଗ ॥ ୮୮

କର୍ଣ୍ଣେ କୁଣ୍ତଳ ସମସରି । ହାର କେୟୁର ହୃଦେ ଭରି ॥ ୮୯

ବନ୍ଧନ ଦୁଃଖୁଁ ପାର ହୋଇ । କିବା ଉପମା ଦେବି ମୁହିଁ ॥ ୯୦

ବରଷାକାଳ ଅନ୍ତେ ଯେହ୍ନେ । ଗ୍ରହେ ବିରାଜନ୍ତି ଗଗନେ ॥ ୯୧

ବସାଇ ରତ୍ନମୟ ଯାନେ । ଗୋବିନ୍ଦ କୋମଳ ବଚନେ ॥ ୯୨

ବୋଇଲେ ନିଜପୁରେ ଯିବ । ଯଜ୍ଞର ଆରମ୍ଭେ ଆସିବ ॥ ୯୩

ଅନେକ ସୈନ୍ୟ ବଳ ଦେଇ । ପେଷିଲେ ପ୍ରଭୁ ଭାବଗ୍ରାହୀ ॥ ୯୪

ଏମନ୍ତେ କୃଷ୍ଣ ପରସାଦୁ । ରାଜାଏ ବଞ୍ଚିଲେ ପ୍ରମାଦୁ ॥ ୯୫

କୃଷ୍ଣର ପାଦେ ଦେଇ ମନ । ଗଲେ ସେ ଯେ ଯାହା ଭୁବନ ॥ ୯୬

ଗୋବିନ୍ଦ ଆଜ୍ଞା ଘେନି ଶିରେ । ସୁଖେ ରହିଲେ ନିଜ ପୁରେ ॥ ୯୭

ଏମନ୍ତେ ଜରାସନ୍ଧ ମାରି । ଭୀମଅର୍ଜୁନ ତୁଲେ ହରି ॥ ୯୮

ଜରାନନ୍ଦନ ସହଦେବ । ଆନନ୍ଦେ ପୂଜିଲେ ମାଧବ ॥ ୯୯

ତାହାକୁ ପ୍ରଭୁ ଭଗବାନ । ଅନେକ କଲେ ସନମାନ ॥ ୧୦୦

ସେ ରାଜ୍ୟେ ତାକୁ ରାଜା କରି । କହନ୍ତି ଅନୁଗ୍ରହ ହରି ॥ ୧୦୧

ତୋର ପିଅର ଦୁଷ୍ଟମତି । ନୃପତିଗଣେ ଦେଲା ଶାସ୍ତି ॥ ୧୦୨

ବହୁତଜନେ ହିଂସା କରି । କେମନ୍ତେ ଥିବ ଦେହ ଧରି ॥ ୧୦୩

ଏ ମୋର ଧର୍ମର ସଂସାର । ଏଥେ ଯେ କରେ ଅବିଚାର ॥ ୧୦୪

ମୁଁ ତାହା ନ ପାରଇ ସହି । ଧର୍ମ ଧାରଣେ ମୋର ଦେହୀ ॥ ୧୦୫

ତୋର ପିଅର ନାଶ ଗଲା । ପୃଥିବୀ ଉଶ୍ୱାସ ହୋଇଲା ॥ ୧୦୬

ଏଥକୁ ନ କର ବିଚାର । ସୁଖେ ତୁ ନିଜ ରାଜ୍ୟ କର ॥ ୧୦୭

ମୋର ଚରଣେ ଚିତ୍ତ ଦେଇ । ସୁଖେ ତୁ ପାଳ ନିଜ ମହୀ ॥ ୧୦୮

ଯାଗ ଆରମ୍ଭ କାଳେ ଯାଇ । ମିଳିବୁ ମୋର ଆଜ୍ଞା ବହି ॥ ୧୦୯

ଏମନ୍ତ କୃଷ୍ଣମୁଖୁଁ ଶୁଣି । ହରଷ ହୋଇ ନୃପମଣି ॥ ୧୧୦

କୃଷ୍ଣର ପଦ୍ମପାଦେ ପଡି । ଉଠି ବୋଲଇ କରଯୋଡି ॥ ୧୧୧

ଭୋ ନାଥ ହୋଇଲି ନିସ୍ତାର । ଭାରାନିବାରେ ଅବତାର ॥ ୧୧୨

ଈଶ୍ୱର ସଂସାର କାରଣ । ମୁଁ ତୋର ଚରଣେ ଶରଣ ॥ ୧୧୩

ତୁ ମୋତେ କଲୁ ଅନୁଗ୍ରହ । ଫିଟିଲା ମନର ସନ୍ଦେହ ॥ ୧୧୪

ଭୀମ ଅର୍ଜୁନ କୃଷ୍ଣ ତୁଲେ । ସାଷ୍ଟାଙ୍ଗେ ପୁଜି ସୁଖ ଭୋଳେ ॥ ୧୧୫

ଅନେକ ଧନରତ୍ନ ଦେଲା । ଦିବ୍ୟବିମାନ ସମର୍ପିଲା ॥ ୧୧୬

କୃଷ୍ଣର ପାଦେ ଚିତ୍ତ ଦେଇ । ହୃଦେ ପରମ ସୁଖ ପାଇ ॥ ୧୧୭

କୃଷ୍ଣଙ୍କୁ ମାଗି ଅନୁଯାନ । ମିଳିଲା ଆପଣା ଭୁବନ ॥ ୧୧୮

ଭୀମ ଅର୍ଜୁନ ବନମାଳୀ । ବିମାନେ ବସି ହଂସକେଳି ॥ ୧୧୯

ପବନବେଗେ ରଥ ଚଳି । ଇନ୍ଦ୍ରପ୍ରସ୍ଥରେ ଯାଇ ମିଳି ॥ ୧୨୦

ଶଙ୍ଖ ବଜାନ୍ତେ ଭଗବାନ । ହରଷ ହେଲେ ବନ୍ଧୁଜନ ॥ ୧୨୧

ଖଳଜନଙ୍କ ମନେ ଦୁଃଖ । ହେଲେ ନିବେଶି ପଦ୍ମମୁଖ ॥ ୧୨୨

ଇନ୍ଦ୍ରପ୍ରସ୍ଥରେ ରାଜାଗଣ । ଶୁଣିଲେ ମାଗଧ ମରଣ ॥ ୧୨୩

ନିଶ୍ଚିନ୍ତେ ଧର୍ମସୁତ କାର୍ଯ୍ୟ । ସୁଖେ ସଞ୍ଚିଲେ ଦେବରାଜ ॥ ୧୨୪

ହରଷେ ଧର୍ମର କୁମର । ସଙ୍ଗତେ ଘେନି ସହୋଦର ॥ ୧୨୫

ବନ୍ଧୁବାନ୍ଧବ ପ୍ରଜାଜନ । କୃଷ୍ଣଙ୍କୁ ଭାବେ କଲେ ମାନ୍ୟ ॥ ୧୨୬

ଭୀମ ଅର୍ଜୁନ ନାରାୟଣ । ବନ୍ଦିଲେ ଯୁଧିଷ୍ଠି ଚରଣ ॥ ୧୨୭

ଯେମନ୍ତେ ଜରା ନାଶ ଗଲା । ସଂକ୍ଷେପି କହି ନନ୍ଦବଳା ॥ ୧୨୮

ବସିଲେ ଧର୍ମସୁତ ପାଶେ । ଶୁଣି ନୃପତି ମନତୋଷେ ॥ ୧୨୯

ପୁଲକ କଲେ ରୋମରାଜି । ବାକ୍ୟ ନ ସ୍ପୁରେ ଚକ୍ଷୁବୁଜି ॥ ୧୩୦

ସେ ହରି ଚରଣ ପଙ୍କଜେ । ବ୍ରାହ୍ମଣ ଜଗନ୍ନାଥ ଭଜେ ॥ ୧୩୧

ଇତି ଶ୍ରୀମଦ୍ଭଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦଶମସ୍କନ୍ଧେ କୃଷ୍ଣାଦିଆଗମନେ ଅଷ୍ଟସପ୍ତତିତମ ଅଧ୍ୟାୟଃ

* * *