ଦଶମ ସ୍କନ୍ଧ

ସପ୍ତସପ୍ତତିତମ ଅଧ୍ୟାୟ

ଶୁକ ଉବାଚ

ଶୁକ ବୋଲନ୍ତି ଶୁଦ୍ଧମନେ । ଇନ୍ଦ୍ରପ୍ରସ୍ଥରେ ଏକଦିନେ ॥

ସଭାରେ ମଧ୍ୟେ ଧର୍ମସୁତ । ସଙ୍ଗତେ ଘେନି ଚାରିଭ୍ରାତ ॥

ସନ୍ନିଧେ ବ୍ରହ୍ମଋଷିଜନ । ବ୍ରାହ୍ମଣ ଆଦି ଚାରିବର୍ଣ୍ଣ ॥

ବୃଦ୍ଧେ ଅଛନ୍ତି ଯେତେ ଭାବେ । ସିଦ୍ଧାଦି ଗନ୍ଧର୍ବେ ଏ ସର୍ବେ ॥

ଏହାଙ୍କୁ କରି ସାବଧାନ । ଚାହିଁଣ କୃଷ୍ଣର ବଦନ ॥

ସମ୍ଭ୍ରମେ ଯୋଡ଼ି ବେନିକର । କୃଷ୍ଣଙ୍କୁ ବୋଲେ ନୃପବର ॥

ଭୋ ଦେବ ଶୁଣ ସାବଧାନେ । ଯଜ୍ଞ ରାଜସୂୟ ବିଧାନେ ॥

ତୋର ବିଭୂତି ଦେବଗଣେ । ପବିତ୍ର ପରମକାରଣେ ॥

ତାହାଙ୍କୁ ତୋର ପାଦଗତେ । ପୂଜିବି ମହାଯଜ୍ଞମତେ ॥

ଏଣୁ ମୋହର ମନଖେଦ । କର ତୁ ଏ ଯଜ୍ଞ ସମ୍ପାଦ ॥ ୧୦

ତୋର ଚରଣ ଅବିରତେ । ଯେ ପ୍ରାଣୀ ଚିନ୍ତେ ଶୁଦ୍ଧଚିତ୍ତେ ॥ ୧୧

ନିଶ୍ଚଳଚିତ୍ତେ କରି ଧ୍ୟାନ । ମୁଖେ ଗୁଣନ୍ତି ତୋର ନାମ ॥ ୧୨

ସେବନ୍ତି ଉପବାସ ବ୍ରତେ । ବେଦବଚନ ଶାସ୍ତ୍ରମତେ ॥ ୧୩

ସେ ତୋତେ କରନ୍ତି ପ୍ରଣାମ । ତୁ ଅପବର୍ଗର କାରଣ ॥ ୧୪

ତୁ ଦେବଦେବ ନରହରି । ଯେ ତୋର ପାଦେ ସେବାକରି ॥ ୧୫

ସେବାର ଫଳେ ଯେତେ ଲାଭ । ଉଭୟଲୋକ ଅନୁଭବ ॥ ୧୬

ଏ ସଭାଲୋକର ସମ୍ମୁଖେ । ତୁ ଏବେ ଦେଖାଅ ପ୍ରତ୍ୟକ୍ଷେ ॥ ୧୭

ଯେ ତୋତେ ଭଜେ ଦୃଢଚିତ୍ତେ । ଯେ ଅବା ନ ଭଜନ୍ତି ତୋତେ ॥ ୧୮

ଏ ବେନିଜନଙ୍କର ଗତି । ପ୍ରକାଶ କର ଦାଶରଥି ॥ ୧୯

କୁରୁ ସୃଞ୍ଜୟ ସଭା ମଧ୍ୟେ । ଏ ଲୋକେ ଦେଖନ୍ତୁ ଆନନ୍ଦେ ॥ ୨୦

ତୁ ଯେ ନିର୍ଗୁଣ ବ୍ରହ୍ମସାର । ମିତ୍ର ଅଇରି ନାହିଁ ତୋର ॥ ୨୧

ଏ ସର୍ବଭୂତେ ତୋର ବାସ । ଏଣୁ ବୋଲାଉ ସମଦୃଶ ॥ ୨୨

ସ୍ୱସୁଖ-ଅନୁଭବେ ପୂର୍ଣ୍ଣ । ସେବକେ ହେଉ ସୁରଦ୍ରୁମ ॥ ୨୩

ସେବାର ଅନୁରୂପେ ହିତ । ଏଣେ ତୋ ନାହିଁ ବିପରୀତ ॥ ୨୪

ଏମନ୍ତେ ଧର୍ମସୁତ ବାଣୀ । ଗୋବିନ୍ଦ ସଭାମଧ୍ୟେ ଶୁଣି ॥ ୨୫

ଅଳପ ହସି ଭାବଗ୍ରାହୀ । ବୋଲନ୍ତି ରାଜାମୁଖ ଚାହିଁ ॥ ୨୬

ଭଗବାନ ଉବାଚ

ଶୁଣ ହୋ ଶତ୍ରୁ-କରଷଣ । ଏ ତୋର ଉତ୍ତମ ପ୍ରମାଣ ॥ ୨୭

ତୋହର ପୁଣ୍ୟଯଶ-ବାଣୀ । ତିନିଭୁବନଲୋକେ ଶୁଣି ॥ ୨୮

କଲ୍ୟାଣବାଣୀ ରାତ୍ରି ଅନ୍ତେ । ସୁଜନେ ସୁମରିବେ ନିତ୍ୟେ ॥ ୨୯

ଶୁଣ ଏ ଯଜ୍ଞର ମହିମା । ଅଧିକେ କି ଦେବା ଉପମା ॥ ୩୦

ଋଷି ଦେବତା ପିତୃଗଣ । ଏ ପୁଣ୍ୟ ଯଜ୍ଞରେ ତର୍ପଣ ॥ ୩୧

ସୁହୃଦ ଆଦି ଯେତେ ଜନ୍ତୁ । ଏଣେ ତାହାଙ୍କ ସୁଖ ହେତୁ ॥ ୩୨

ସମରେ ସର୍ବନୃପ ଜିଣି । ତୁ ବଶ କର ଏ ଧରଣୀ ॥ ୩୩

ସର୍ବସମ୍ଭାରେ ନୃପବର । ସୁଖେ ତୁ ମହାଯଜ୍ଞ କର ॥ ୩୪

ଏ ଯେ ତୋହର ଚାରିଭ୍ରାତ । ଦିଗପାଳଙ୍କ ଅଂଶେ ଜାତ ॥ ୩୫

ମୁହିଁ ଦୁର୍ଜୟ ସୁରାସୁରେ । ଭାବେ ଖଟଇ ତୋ ପୟରେ ॥ ୩୬

ଏବେ ହୋ ଶୁଣ ତୁ ରାଜନ । ମୋର ସେବକ ଯେତେ ଜନ ॥ ୩୭

ତାହାଙ୍କୁ ଇହପରଲୋକେ । ଥୋଇଣ ଥାଇ ନାନାସୁଖେ ॥ ୩୮

ତେଜ ଶଉର୍ଯ୍ୟ ଯଶ ଶିରୀ । ନାନାବିଭୂତି ଆଦି କରି ॥ ୩୯

କେହି ନ ପାରେ ତାଙ୍କୁ ଜିଣି । ମୋର ଶରଣ ଯେତେ ପ୍ରାଣୀ ॥ ୪୦

ଦେବେ ନ ପୀଡ଼ନ୍ତି ଯାହାକୁ । କି ଭୟ ମନୁଷ୍ୟ ରାଜାକୁ ॥ ୪୧

ଭାବେ କହନ୍ତି ବ୍ୟାସସୁତ । ଶୁଣ ସୁମନେ ପରୀକ୍ଷିତ ॥ ୪୨

ଏମନ୍ତେ କୃଷ୍ଣବାଣୀ ଶୁଣି । ଆନନ୍ଦମନେ ନୃପମଣି ॥ ୪୩

ଚାରିଦିଗକୁ ଚାରିଭାଇ । ପେଷିଲେ କୃଷ୍ଣଆଜ୍ଞା ପାଇ ॥ ୪୪

ତକ୍ଷଣେ ବିଷ୍ଣୁ ତେଜରାଶି । ବେଗେ ତାହାଙ୍କ ଦେହେ ପଶି ॥ ୪୫

ଦିଶନ୍ତି ବିଷ୍ଣୁତେଜକାନ୍ତି । ଏବେ ହୋ ଶୁଣ ନରପତି ॥ ୪୬

ଦକ୍ଷିଣ ଦିଗେ ସହଦେବ । ତକ୍ଷଣେ ପେଷିଲେ ମାଧବ ॥ ୪୭

ସୃଞ୍ଜୟବଳ ସଙ୍ଗେ ଦେଇ । ବୋଲନ୍ତି ନକୁଳକୁ ଚାହିଁ ॥ ୪୮

ପଶ୍ଚିମ ଦିଗେ ତୁମ୍ଭେ ଚଳ । ସଙ୍ଗେ ଘେନିଣ ମତ୍ସ୍ୟବଳ ॥ ୪୯

ଅର୍ଜୁନମୁଖ ଚାହିଁ ହରି । ବୋଲନ୍ତି କରେ କର ଧରି ॥ ୫୦

ଉତ୍ତରଦିଗେ ଯାଅ ତୁହି । ମୋହର ନିଜ ଭାବ ବହି ॥ ୫୧

କୈକୟବଳ ସଙ୍ଗେ ଘେନ । ଆନନ୍ଦେ ଚଳ ହେ ଅର୍ଜ୍ଜୁନ ॥ ୫୨

ପୁଣି ଅନାଇଁ ବୃକୋଦର । ବୋଇଲେ ବ୍ରହ୍ମାଣ୍ତଠାକୁର ॥ ୫୩

ମଦ୍ର ରାଜନବଳ ସଙ୍ଗେ । ଭୀମ ତୁ ଯାଅ ପୂର୍ବଦିଗେ ॥ ୫୪

ବୋଲନ୍ତି ପ୍ରଭୁ ନାରାୟଣ । ରାଜାଙ୍କୁ କରି ନିମନ୍ତ୍ରଣ ॥ ୫୫

ବହନ ଆଣ ଚାରିଭାଇ । ଯଜ୍ଞସମ୍ଭାର ସଙ୍ଗେ ଲଇ ॥ ୫୬

ଗୋବିନ୍ଦ ଆଜ୍ଞା ପରମାଣେ । ଗଲେ ସେ ରାଜା ନିମନ୍ତ୍ରଣେ ॥ ୫୭

ବୋଲନ୍ତି ବ୍ୟାସଙ୍କ ନନ୍ଦନ । ଶୁଣ ହୋ ପରୀକ୍ଷ ରାଜନ ॥ ୫୮

ରାଜାଙ୍କୁ ବିଷ୍ଣୁତେଜେ ଜିଣି । ଧନସମ୍ପଦ ବେଗେ ଆଣି ॥ ୫୯

ଧର୍ମନନ୍ଦନ ପାଶେ ଦେଲେ । କୃଷ୍ଣର ଛାମୁରେ କହିଲେ ॥ ୬୦

ଭୋ ନାଥ ଶୁଣିମା ଗୋବିନ୍ଦ । ଘୋର ଦୁର୍ଜୟ ଜରାସନ୍ଧ ॥ ୬୧

ତାହାକୁ ନ ପାରିଲୁ ଜିଣି । ଶୁଣି ହସନ୍ତି ଚକ୍ରପାଣି ॥ ୬୨

ଦ୍ୱାରକାପୁରେ କଲୁ ବାସ । ସେ ଦୈତ୍ୟ ନୋହିଲା ବିନାଶ ॥ ୬୩

ସବୁ ନୃପତି ବନ୍ଦୀ କରି । ତୁ କି ନ ଜାଣୁ ଚକ୍ରଧାରୀ ॥ ୬୪

ତୋର ବୁଦ୍ଧିରେ ନାଶ ଯିବ । ତେବେ ସେ ମୋ ଯଜ୍ଞ ହୋଇବ ॥ ୬୫

ଶୁଣି ବୋଲନ୍ତି ଚକ୍ରପାଣି । ଏ କଥା ମୁହିଁ ଅଛି ଜାଣି ॥ ୬୬

ସେ ବନ୍ଦୀ ନୃପତିଙ୍କ ଚାର । କହିଲା ମୋହର ଆଗର ॥ ୬୭

ଅବଶ୍ୟ ତାକୁ ସଂହାରିବି । ବନ୍ଦୀନୃପତି ଉଦ୍ଧରିବି ॥ ୬୮

ରାଜାଏ କରୁ ମନେ ଧ୍ୟାନ । ତକ୍ଷଣେ ଜାଣି ଜନାର୍ଦ୍ଦନ ॥ ୬୯

ଉଦ୍ଧବ ବାକ୍ୟ ସୁମରଣ । କରି ଉଠିଲେ ନାରାୟଣ ॥ ୭୦

ଭୀମ ଅର୍ଜୁନ ତୁଲେ ହରି । ତକ୍ଷଣେ ବିପ୍ରରୂପ ଧରି ॥ ୭୧

ମିଳିଲେ ଯାଇ ଗିରିବରେ । ଦୁର୍ଗମ ଜରାସନ୍ଧପୁରେ ॥ ୭୨

ଅତିଥିବେଶେ ତାର ଦ୍ୱାରେ । ମିଳିଲେ ଭିକ୍ଷୁକ ବେଭାରେ ॥ ୭୩

ଗୃହସ୍ଥଧର୍ମ ଭିକ୍ଷୁପୂଜା । ବ୍ରହ୍ମଣ୍ୟ ଜରାସନ୍ଧ ରାଜା ॥ ୭୪

ଦ୍ୱର ସମୀପେ ଭଗବାନ । ସୁସ୍ୱରେ କଲେ ସାମଗାନ ॥ ୭୫

କ୍ଷତ୍ରିୟକୁଳେ ଜାତ ହୋଇ । ଛଦ୍ମେ ବ୍ରାହ୍ମଣ ରୂପ ବହି ॥ ୭୬

କୃଷ୍ଣର ବେଦନାଦ ଶୁଣି । ମନେ ବିଚାରେ ନୃପମଣି ॥ ୭୭

ଏତ ଅପୂର୍ବ ବିପ୍ରବର । ମିଳିଲେ ମୋହର ନବର ॥ ୭୮

ଆଜ ଜୀବନ ମୋର ଧନ୍ୟ । ଉତ୍ତମ ବିପ୍ରେ ଦେବି ଦାନ ॥ ୭୯

ଏମନ୍ତ ମନେ ବିଚାରିଲା । କୃଷ୍ଣର ନିକଟେ ମିଳିଲା ॥ ୮୦

ତାର ବଦନ ଚାହିଁ ହରି । କହନ୍ତି ଅଞ୍ଜଳି ପ୍ରସାରି ॥ ୮୧

ଶୁଣ ଧାର୍ମିକ ନୃପବର । ଅନେକ ଦୂରେ ଆମ୍ଭ ଘର ॥ ୮୨

ତୋର ମହିମା ଶୁଣି କର୍ଣ୍ଣେ । ଆମ୍ଭେ ଅଇଲୁ ପଥଶ୍ରମେ ॥ ୮୩

ତୋର କୁଶଳ ହେଉ ସୁଖେ । ଯାହା ମାଗିବୁ ଆମ୍ଭେ ମୁଖେ ॥ ୮୪

ସନ୍ତୋଷେ ଦେବୁ ନୃପବର । ଏ ଧର୍ମେ ବିଳମ୍ବ ନ କର ॥ ୮୫

ତୁ ପୁଣ୍ୟବନ୍ତ ଶିରୋମଣି । ଆମ୍ଭେ ଅଇଲୁ ଯଶ ଶୁଣି ॥ ୮୬

ସଂସାର ଦୁଃଖର କାରଣ । ତିତିକ୍ଷୁ ବୋଲାନ୍ତି ଯେ ଜନ ॥ ୮୭

ତାର ସଦୃଶ ନାହିଁ କେହି । ଦୁର୍ଲ୍ଲଭ ମାଗିଲେ ସେ ନେଇ ॥ ୮୮

ଅସାଧୁ ବୁଦ୍ଧି ଯେତେ ନର । କିବା ଅକାର୍ଯ୍ୟ ତାହାଙ୍କର ॥ ୮୯

ଜାଣି ନ ଜାଣି ସୁଖଲାଭେ । କର୍ମ କରନ୍ତି ପଶୁ ଭାବେ ॥ ୯୦

ବିପାକେ ଫଳ ବିପରୀତ । ବୋଲନ୍ତି ପ୍ରଭୁ ଜଗନ୍ନାଥ ॥ ୯୧

ନିର୍ମଳଜ୍ଞାନ ଯାର ଦେହୀ । ଅଦେୟ ବସ୍ତୁ ତାର ନାହିଁ ॥ ୯୨

ପ୍ରାଣୀର ହିତେ ସର୍ବ ଦେଇ । ତାହାକୁ ବୋଲି ପୁଣ୍ୟଦେହୀ ॥ ୯୩

ସମଦରଶୀ ଚିତ୍ତ ଯାର । ମିତ୍ର ଅଇରି ନାହିଁ ତାର ॥ ୯୪

ଯେ ପ୍ରାଣୀ ଅନିତ୍ୟ ଶରୀରେ । ନିର୍ମଳଯଶ ଏ ସଂସାରେ ॥ ୯୫

ପୁଣ୍ୟପୁରୁଷେ ଯାହା ଗାଇ । ତାହା ନ ସଞ୍ଚେ ଦେହ ବହି ॥ ୯୬

ନିଷ୍ଫଳ ତାହାର ଜୀବନ । ନିନ୍ଦା କରନ୍ତି ସର୍ବଜନ ॥ ୯୭

ତା ସୁଖ ନାହିଁ ବେନିଲୋକେ । ଜୀବନ ବହେ ଦୁଃଖଶୋକେ ॥ ୯୮

ପୁଣ୍ୟପୁରୁଷ ପୂର୍ବକାଳେ । ଥିଲେ ଯେ ଏ ମହୀମଣ୍ତଳେ ॥ ୯୯

ଯେ ହରିଶ୍ଚନ୍ଦ୍ର ମହୀପତି । ଯେ ରନ୍ତିଦେବ ଉଞ୍ଚବୃତ୍ତି ॥ ୧୦୦

ଶିବିରାଜନ ଭାଗ୍ୟବନ୍ତ । ବଳି ଯେ ବିରୋଚନସୁତ ॥ ୧୦୧

ବ୍ୟାଧକପୋତ ଆଦି ଯେତେ । ଅଧ୍ରୁବ ଦେହେ ଧ୍ରୁବପଥେ ॥ ୧୦୨

ଗମିଲେ ପୁଣ୍ୟଫଳେ ସୁଖେ । ଯଶ ରହିଲା ତିନିଲୋକେ ॥ ୧୦୩

ଶୁକ ଉବାଚ

ଏମନ୍ତେ କୃଷ୍ଣବାଣୀ ଶୁଣି । ବିପ୍ରଙ୍କୁ ଚାହିଁ ନୃପମଣି ॥ ୧୦୪

ସ୍ୱର ଆକୃତି ପରିମାଣେ । ହସ୍ତକର୍କଶ ଧନୁଗୁଣେ ॥ ୧୦୫

ଦେଖି କରଇ ବିଚାରଣ । ନିଶ୍ଚେ ଏ ନୁହଁଇ ବ୍ରାହ୍ମଣ ॥ ୧୦୬

ପୂର୍ବେ ଏହାଙ୍କୁ ଅଛି ଦେଖି । ଏମନ୍ତ ମନେ ଉପଲକ୍ଷ୍ୟି ॥ ୧୦୭

ପୁଣି ବିଚାରେ ଶୁଦ୍ଧଚିତ୍ତେ । ଅତିଥି ଲଘିଂବି କେମନ୍ତେ ॥ ୧୦୮

ବ୍ରାହ୍ମଣ ରୂପେ ହୋଇ ଛନ୍ନ । ଯେବେ କ୍ଷତ୍ରିୟ ମାଗେଦାନ ॥ ୧୦୯

ଏହାକୁ ନାହିଁ ମୋର ଭୀତି । ମୋହର ଦ୍ୱାରେ ଏ ଅତିଥି ॥ ୧୧୦

ଏହାଙ୍କୁ ନିଶ୍ଚେ ଦେବି ଦାନ । ଯେବେ ମାଗିବେ ମୋ ଜୀବନ ॥ ୧୧୧

ବଳି ରାଜାର ଯଜ୍ଞକାଳେ । ବିଷ୍ଣୁ ମିଳିଲେ ବିପ୍ରଛଳେ ॥ ୧୧୨

ତିନିଚରଣେ ମହୀ ଦେଲା । ତା ଯଶ ସଂସାରେ ରହିଲା ॥ ୧୧୩

ବିଷ୍ଣୁ ନାଶିଲେ ତାର ଦୁଃଖ । ଭୁଞ୍ଜେ ଅଛିଦ୍ର ନିତ୍ୟସୁଖ ॥ ୧୧୪

ମନ୍ତ୍ରୀବଚନ ନ ଶୁଣିଲା । ଯେଣୁ ତା ପୂର୍ବଭାଗ୍ୟ ଥିଲା ॥ ୧୧୫

କ୍ଷତ୍ରିୟକୁଳେ ଜାତ ହୋଇ । ବ୍ରାହ୍ମଣହିତ ଯେ ନ ବହି ॥ ୧୧୬

ଧନ ଜୀବନ ଧିକ ତାର । ନିର୍ମଳ ଯଶ ନାହିଁ ଯାର ॥ ୧୧୭

ଏମନ୍ତ କରି ଅନୁମାନ । ବିପ୍ରଙ୍କୁ ବୋଲଇ ବଚନ ॥ ୧୧୮

ଭୋ ବିପ୍ରବରେ ମାଗ ଦାନ । ଦେବଇଁ ସତ୍ୟ ମୋ ବଚନ ॥ ୧୧୯

ଏ ଧର୍ମେ ବିଳମ୍ବ ନ କର । ମାଗିଲେ ଦେବି ଆଜ ଶିର ॥ ୧୨୦

ଶୁଣି ତାହାର ସତ୍ୟବାଣୀ । ବୋଲନ୍ତି ପ୍ରଭୁ ଚକ୍ରପାଣି ॥ ୧୨୧

ତୁ ପୁଣ୍ୟବନ୍ତ ନୃପମଣି । ଆମ୍ଭେ ତୋହର ଯଶ ଶୁଣି ॥ ୧୨୨

ଅଇଲୁ ଦୁଃଖ ଦୁରପଥ । ଯେଣୁ ତୁ ପୁରୁଷ ମହତ ॥ ୧୨୩

ଆମ୍ଭଙ୍କୁ ଯୁଦ୍ଧ ଦିଅ ଦାନ । ଆନରେ ନାହିଁ ପ୍ରୟୋଜନ ॥ ୧୨୪

ଶସ୍ତ୍ରସମରେ ନାହିଁ ସଧ । ଆମ୍ଭଙ୍କୁ ଦିଅ ବାହୁଯୁଦ୍ଧ ॥ ୧୨୫

ଯେବେ ତୋ ଇଷ୍ଟଧର୍ମ ସତ୍ୟ । ଆମ୍ଭେ କହିବୁ ଶୁଣ ତତ୍ତ୍ୱ ॥ ୧୨୬

କ୍ଷତ୍ରିୟ ଜନ୍ମ ଆମ୍ଭେ ତିନି । ଏବେ ତୁ ନ ପାରିଲୁ ଚିହ୍ନି ॥ ୧୨୭

ତା ଶୁଣି ଚକିତେ ରାଜନ । ଚାହିଁ କରଇ ଅନୁମାନ ॥ ୧୨୮

କି ଏ ଗନ୍ଧର୍ବ ବିଦ୍ୟାଧର । ମନୁଷ୍ୟ ରାକ୍ଷସ କିନ୍ନର ॥ ୧୨୯

ବ୍ରାହ୍ମଣ କାହିଁ ଏତେ ତେଜ । କର୍କଶ ଧନୁର୍ଗୁଣେ ଭୁଜ ॥ ୧୩୦

ନିଶ୍ଚେ କ୍ଷତ୍ରିୟ ତିନିଜଣ । ପୁଣି କହନ୍ତି ନାରାୟଣ ॥ ୧୩୧

ଦେଖ ଏ ବୀର ବୃକୋଦର । ବାମେଟି ଅଜୁନ ଏହାର ॥ ୧୩୨

ଏହାଙ୍କ ମାତୁଳଜ ଭ୍ରାତ । ମୁଁ କୃଷ୍ଣ ବସୁେଦେବସୁତ ॥ ୧୩୩

ମୁଁ ତୋର ରିପୁ ମହାବଳ । ଜିଣିଲି ସପ୍ତଦଶବେଳ ॥ ୧୩୪

ବେଳେ ଜିଣିଲୁ ବଳେ ତୁହି । ତା ଶୁଣି କୃଷ୍ଣ ମୁଖ ଚାହିଁ ॥ ୧୩୫

ଉଚ୍ଚେ ହସିଲା ଜରାସନ୍ଧ । ବୋଲଇ ତୁରେ ବଡ଼ ମନ୍ଦ ॥ ୧୩୬

କୋପେ ବୋଲଇ କୃଷ୍ଣେ ଚାହିଁ । ସତ୍ୟ ଯେ କରିଅଛି ମୁହିଁ ॥ ୧୩୭

ସଂଗ୍ରାମ ମୋହର ଉଚିତ । ତୁ ପୁଣି ସଂଗ୍ରାମେ ନିସତ ॥ ୧୩୮

ପଳାଇ ଗଲୁ ମୋର ଭୟେ । ଏବେ ଭଣ୍ତିଲୁ କୁଟଯମୋହେ ॥ ୧୩୯

ମଥୁରା ଛାଡି ଜଳେ ପଶି । ଏବେ ଛଳିଲୁ ମୋତେ ଆସି ॥ ୧୪୦

ସମୁଦ୍ରେ ପଶିଲୁ ଶରଣ । ତୋହର ତୁଲେ କାହିଁ ରାଣ ॥ ୧୪୧

ଏ ଯେ ଅର୍ଜୁନ ସଖା ତୋର । ତୁଲ୍ୟ ବୟସ ନୋହେ ମୋର ॥ ୧୪୨

ଏହାର ଦେହେ ନାହିଁ ବଳ । ଏ କାହିଁ ହେବ ମୋର ତୁଲ ॥ ୧୪୩

ମୋହର ତୁଲ୍ୟ ବଳୀ ଭୀମ । ସେ ଜାଣେ ବାହୁଯୁଦ୍ଧ ଧର୍ମ ॥ ୧୪୪

ଏମନ୍ତ ବୋଲି କୋପଭରେ । ବେଗେ ମିଳିଲା ନିଜପୁରେ ॥ ୧୪୫

ବୁଲାଇ ବେନିଗଦା ହସ୍ତେ । ମିଳିଲା କୃଷ୍ଣର ଅଗ୍ରତେ ॥ ୧୪୬

ଗଦାଏ ଭୀମହସ୍ତେ ଦେଲା । ସମର କର ତୁ ବୋଇଲା ॥ ୧୪୭

ଆପଣେ ଗଦା ହସ୍ତେ ଧରି । ରଣେ ପଶିଲା ଆଗସରି ॥ ୧୪୮

ସମରେ ଭୀମ-ଜରାସନ୍ଧ । ଶୂନ୍ୟେ ଦେଖନ୍ତି ଦେବବୃନ୍ଦ ॥ ୧୪୯

ଅନ୍ତରେ ନିଜ ଛଳ ଆଞ୍ଚି । ଗଦାସମରେ ପଞ୍ଚାପଞ୍ଚି ॥ ୧୫୦

ରଣେ ଦୁର୍ମଦ ବେନିବୀର । ଘୂରାଇ କରନ୍ତି ପ୍ରହାର ॥ ୧୫୧

ଶବଦ ଯେହ୍ନେ ଘଡଘଡି । ଶୁଭଇ ବେନିଦେହେ ପଡି ॥ ୧୫୨

ବାମ ଦକ୍ଷିଣେ ଗଦା ଚାଳି । କୋପେ ପିଟନ୍ତି ଭୁଜତୋଳି ॥ ୧୫୩

ସମରେ ମତ୍ତଗଜ ପ୍ରାୟେ । ଗଦା ପିଟନ୍ତି ବେନି ଦେହେ ॥ ୧୫୪

ଶୁଭଇ ଘଡଘଡି ନାଦ । ଗଜେ ଯେସନେ ଗଜଯୁଦ୍ଧ ॥ ୧୫୫

ବଜ୍ରଶବଦେ ଦିଗ ପୁରେ । ମାଗଧ ଭୀମର ସମରେ ॥ ୧୫୬

ଏମନ୍ତେ ବେନି ଗଦା ତୋଳି । ଅନ୍ୟୋନ୍ୟେ ପ୍ରହାରନ୍ତି ବଳୀ ॥ ୧୫୭

ପିଟନ୍ତି ଭୁଜଯୁଗେ ବେଗେ । ଗଦାଏ ବାଜି ତାଙ୍କ ଅଙ୍ଗେ ॥ ୧୫୮

କଟୀ ଜଘନ ଊର କନ୍ଧେ । ବଜ୍ରଶବଦ ଘୋରନାଦେ ॥ ୧୫୯

ଭାଜି ପଡିଲେ ଗଦାତଳେ । ହସ୍ତୀ ସଂଗ୍ରାମେ ଯେହ୍ନେ ଡାଳେ ॥ ୧୬୦

ସେ ବେନିଗଦା ଯହୁଁ ଗଲା । ଅନେକ କୋପ ଉପୁଜିଲା ॥ ୧୬୧

ମୁଷ୍ଟି ଉଞ୍ଚାଇ ମହାକୋପେ । ପ୍ରହାର କଲେ ଆପେ ଆପେ ॥ ୧୬୨

ଶୁଭଇ ବଜ୍ର ଘଡଘଡି । ପୁଣି ପ୍ରହାରେ ଆଗ ବଢି ॥ ୧୬୩

ଏମନ୍ତେ ବଢିଲା ସଂଗ୍ରାମ । ଦଇବ ବେନିବୀରେ ସମ ॥ ୧୬୪

ନିରତେ ସମର ବଢିଲା । ସପତବିଂଶ ଦିନ ଗଲା ॥ ୧୬୫

ଏମନ୍ତେ ରଜନୀ ପ୍ରବେଶେ । କୃଷ୍ଣ ଯେ ଥିଲେ ଭୀମ ପାଶେ ॥ ୧୬୬

କୃଷ୍ଣବଦନ ଭୀମ ଚାହିଁ । କହିଲା ଆଙ୍ଗୁଳି ଦେଖାଇ ॥ ୧୬୭

ଏହାକୁ ନ ପାରିବି ମୁହିଁ । ଉପାୟ ଥିଲେ କହ ତୁହି ॥ ୧୬୮

ଭୀମ ବଚନେ ନାରାୟଣ । ଚିନ୍ତିଲେ ଜରାର ମରଣ ॥ ୧୬୯

ଜରାରାକ୍ଷସୀ ଜନ୍ମକାଳେ । ସନ୍ଧାନ କଲା ବେନିଫାଳେ ॥ ୧୭୦

ବୋଇଲା ହୁଅ ତୁ ଅକ୍ଷୟ । କେ ଜାଣିପାରେ ଏ ଉପାୟ ॥ ୧୭୧

ତୋତେ କରିବ ବେନିଫାଳ । ଖଣ୍ତେ କ୍ଷେପିବ ଅନ୍ତରାଳ ॥ ୧୭୨

ଖଣ୍ତେ ପଡିବ ସିନ୍ଧୁଜଳେ । ଦହିବ ବଡବା ଅନଳେ ॥ ୧୭୩

ତେବେ ସେ ତୋହର ମରଣ । ଏ କଥା ଜାଣି ନାରାୟଣ ॥ ୧୭୪

ଭୀମ ଶରୀରେ ନରହରି । ତକ୍ଷଣେ ନିଜ ତେଜ ଭରି ॥ ୧୭୫

ନିର୍ଭୟ କଲେ ତାର ମନ । ଘୋର ଶବଦେ ଭୀମସେନ ॥ ୧୭୬

ଚାହିଁଲା କୃଷ୍ଣର ବଦନ । ତକ୍ଷଣେ ପ୍ରଭୁ ଭଗବାନ ॥ ୧୭୭

ଶତ୍ରୁର ମରଣ ଉପାୟ । ତୃଣ ଉପାଡି ଦେବରାୟ ॥ ୧୭୮

ଭୀମେ ଦେଖାଇ ନରହରି । ଚିରିଲେ ବେନିଫାଳ କରି ॥ ୧୭୯

ତକ୍ଷଣେ ଚାହିଁ ବୃକୋଦର । ଶବଦ କଲା ମହାଘୋର ॥ ୧୮୦

ଉତ୍ତାନେ ପଡିଥିଲା ଭୀମ । ଦେହେ ବସିଲା ଗରୁତମ ॥ ୧୮୧

ଜରାକୁ ପକାଇଲା ତଳେ । ତକ୍ଷଣେ ଉଠି ମହାବଳେ ॥ ୧୮୨

ବିଷ୍ଣୁର ତେଜେ ଘୋରନାଦ । କରି ଧଇଲା ବେନି ପାଦ ॥ ୧୮୩

ଆକର୍ଷି ପାଦେ ପାଦ ମୋଡି । ଆର ଚରଣ ହସ୍ତେ ତାଡି ॥ ୧୮୪

ଦେଖନ୍ତି ପ୍ରଭୁ ଦାମୋଦର । ବେଗେ ଫାଟିଲା ମଳଦ୍ୱାର ॥ ୧୮୫

ହୁଙ୍କାରନାଦେ ମହାବଳ । ତକ୍ଷଣେ କଲା ବେନିଫାଳ ॥ ୧୮୬

ଦେବେ ତା ଦେଖନ୍ତି ପ୍ରତ୍ୟକ୍ଷେ । ଖଣ୍ତେ ଫିଙ୍ଗିଲା ଅନ୍ତରୀକ୍ଷେ ॥ ୧୮୭

ଆର ଖଣ୍ତକ ଭୂମିଗତେ । ପଡିଲା କୃଷ୍ଣର ଅଗ୍ରତେ ॥ ୧୮୮

ଗଜ ଯେସନେ ବୃକ୍ଷଡାଳ । ଲୀଳାଏ କରେ ବେନିଫାଳ ॥ ୧୮୯

ଏକଇ ଚରଣ ବୃଷଣ । ଜଘନ କଟୀ ପୃଷ୍ଠ ସ୍ତନ ॥ ୧୯୦

ଏକଇ ଭୁଜ ଅଂଶ ଧରି । ଯେହ୍ନେ କରତେ କାଷ୍ଠ ଚିରି ॥ ୧୯୧

ଏକଇ ନାସାପୁଟ କର୍ଣ୍ଣ । ଚକ୍ଷୁ କପୋଳ ଦେଖି ଜନ ॥ ୧୯୨

ଶୁଭଇ ହାହାକାର ବାଣୀ । ଭୀମ ଉଠିଲା ଶିରଝୁଣି ॥ ୧୯୩

ଜରାସନ୍ଧର ପାଦ ଧରି । ବୁଲାଇ ଅନ୍ତରାଳ କରି ॥ ୧୯୪

ବଡବାନଳେ ପକାଇଲା । ଏମନ୍ତେ ଶତ୍ରୁ ନାଶ ଗଲା ॥ ୧୯୫

ତକ୍ଷଣେ ପାର୍ଥ ଜଗନ୍ନାଥ । ଧଇଲେ ବୃକୋଦର ହସ୍ତ ॥ ୧୯୬

ଜୟ ଶବଦେ ନରହରି । ଭୀମକୁ ଆଲିଙ୍ଗନ କରି ॥ ୧୯୭

ଜରାସନ୍ଧର ପୁତ୍ରେ ଆଣି । ନୃପ ଆସନେ ଚକ୍ରପାଣି ॥ ୧୯୮

ବସାଇ ନିଜ ଜନ ମଧ୍ୟେ । କୃଷ୍ଣ ସଞ୍ଚିଲେ ରାଜପଦେ ॥ ୧୯୯

ବନ୍ଧନେ ଯେତେକ ନୃପତି । ତାହାଙ୍କୁ ସୁମରି ଶ୍ରୀପତି ॥ ୨୦୦

ପର୍ବତକ୍ରୋଟ ମଧ୍ୟଗତେ । ଗୋବିନ୍ଦ ଗଲେ ପାଦଗତେ ॥ ୨୦୧

ସେ ହରିଚରଣେ ବିଶ୍ୱାସ । ଶରଣେ ଜଗନ୍ନାଥ ଦାସ ॥ ୨୦୨

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ଜରାସନ୍ଧ ବଧୋ ନାମ

ସପ୍ତସପ୍ତତିତମ ଅଧ୍ୟାୟଃ ॥

* * *