ଦଶମ ସ୍କନ୍ଧ
ସପ୍ତସପ୍ତତିତମ ଅଧ୍ୟାୟ
ଶୁକ ଉବାଚ
ଶୁକ ବୋଲନ୍ତି ଶୁଦ୍ଧମନେ । ଇନ୍ଦ୍ରପ୍ରସ୍ଥରେ ଏକଦିନେ ॥ ୧
ସଭାରେ ମଧ୍ୟେ ଧର୍ମସୁତ । ସଙ୍ଗତେ ଘେନି ଚାରିଭ୍ରାତ ॥ ୨
ସନ୍ନିଧେ ବ୍ରହ୍ମଋଷିଜନ । ବ୍ରାହ୍ମଣ ଆଦି ଚାରିବର୍ଣ୍ଣ ॥ ୩
ବୃଦ୍ଧେ ଅଛନ୍ତି ଯେତେ ଭାବେ । ସିଦ୍ଧାଦି ଗନ୍ଧର୍ବେ ଏ ସର୍ବେ ॥ ୪
ଏହାଙ୍କୁ କରି ସାବଧାନ । ଚାହିଁଣ କୃଷ୍ଣର ବଦନ ॥ ୫
ସମ୍ଭ୍ରମେ ଯୋଡ଼ି ବେନିକର । କୃଷ୍ଣଙ୍କୁ ବୋଲେ ନୃପବର ॥ ୬
ଭୋ ଦେବ ଶୁଣ ସାବଧାନେ । ଯଜ୍ଞ ରାଜସୂୟ ବିଧାନେ ॥ ୭
ତୋର ବିଭୂତି ଦେବଗଣେ । ପବିତ୍ର ପରମକାରଣେ ॥ ୮
ତାହାଙ୍କୁ ତୋର ପାଦଗତେ । ପୂଜିବି ମହାଯଜ୍ଞମତେ ॥ ୯
ଏଣୁ ମୋହର ମନଖେଦ । କର ତୁ ଏ ଯଜ୍ଞ ସମ୍ପାଦ ॥ ୧୦
ତୋର ଚରଣ ଅବିରତେ । ଯେ ପ୍ରାଣୀ ଚିନ୍ତେ ଶୁଦ୍ଧଚିତ୍ତେ ॥ ୧୧
ନିଶ୍ଚଳଚିତ୍ତେ କରି ଧ୍ୟାନ । ମୁଖେ ଗୁଣନ୍ତି ତୋର ନାମ ॥ ୧୨
ସେବନ୍ତି ଉପବାସ ବ୍ରତେ । ବେଦବଚନ ଶାସ୍ତ୍ରମତେ ॥ ୧୩
ସେ ତୋତେ କରନ୍ତି ପ୍ରଣାମ । ତୁ ଅପବର୍ଗର କାରଣ ॥ ୧୪
ତୁ ଦେବଦେବ ନରହରି । ଯେ ତୋର ପାଦେ ସେବାକରି ॥ ୧୫
ସେବାର ଫଳେ ଯେତେ ଲାଭ । ଉଭୟଲୋକ ଅନୁଭବ ॥ ୧୬
ଏ ସଭାଲୋକର ସମ୍ମୁଖେ । ତୁ ଏବେ ଦେଖାଅ ପ୍ରତ୍ୟକ୍ଷେ ॥ ୧୭
ଯେ ତୋତେ ଭଜେ ଦୃଢଚିତ୍ତେ । ଯେ ଅବା ନ ଭଜନ୍ତି ତୋତେ ॥ ୧୮
ଏ ବେନିଜନଙ୍କର ଗତି । ପ୍ରକାଶ କର ଦାଶରଥି ॥ ୧୯
କୁରୁ ସୃଞ୍ଜୟ ସଭା ମଧ୍ୟେ । ଏ ଲୋକେ ଦେଖନ୍ତୁ ଆନନ୍ଦେ ॥ ୨୦
ତୁ ଯେ ନିର୍ଗୁଣ ବ୍ରହ୍ମସାର । ମିତ୍ର ଅଇରି ନାହିଁ ତୋର ॥ ୨୧
ଏ ସର୍ବଭୂତେ ତୋର ବାସ । ଏଣୁ ବୋଲାଉ ସମଦୃଶ ॥ ୨୨
ସ୍ୱସୁଖ-ଅନୁଭବେ ପୂର୍ଣ୍ଣ । ସେବକେ ହେଉ ସୁରଦ୍ରୁମ ॥ ୨୩
ସେବାର ଅନୁରୂପେ ହିତ । ଏଣେ ତୋ ନାହିଁ ବିପରୀତ ॥ ୨୪
ଏମନ୍ତେ ଧର୍ମସୁତ ବାଣୀ । ଗୋବିନ୍ଦ ସଭାମଧ୍ୟେ ଶୁଣି ॥ ୨୫
ଅଳପ ହସି ଭାବଗ୍ରାହୀ । ବୋଲନ୍ତି ରାଜାମୁଖ ଚାହିଁ ॥ ୨୬
ଭଗବାନ ଉବାଚ
ଶୁଣ ହୋ ଶତ୍ରୁ-କରଷଣ । ଏ ତୋର ଉତ୍ତମ ପ୍ରମାଣ ॥ ୨୭
ତୋହର ପୁଣ୍ୟଯଶ-ବାଣୀ । ତିନିଭୁବନଲୋକେ ଶୁଣି ॥ ୨୮
କଲ୍ୟାଣବାଣୀ ରାତ୍ରି ଅନ୍ତେ । ସୁଜନେ ସୁମରିବେ ନିତ୍ୟେ ॥ ୨୯
ଶୁଣ ଏ ଯଜ୍ଞର ମହିମା । ଅଧିକେ କି ଦେବା ଉପମା ॥ ୩୦
ଋଷି ଦେବତା ପିତୃଗଣ । ଏ ପୁଣ୍ୟ ଯଜ୍ଞରେ ତର୍ପଣ ॥ ୩୧
ସୁହୃଦ ଆଦି ଯେତେ ଜନ୍ତୁ । ଏଣେ ତାହାଙ୍କ ସୁଖ ହେତୁ ॥ ୩୨
ସମରେ ସର୍ବନୃପ ଜିଣି । ତୁ ବଶ କର ଏ ଧରଣୀ ॥ ୩୩
ସର୍ବସମ୍ଭାରେ ନୃପବର । ସୁଖେ ତୁ ମହାଯଜ୍ଞ କର ॥ ୩୪
ଏ ଯେ ତୋହର ଚାରିଭ୍ରାତ । ଦିଗପାଳଙ୍କ ଅଂଶେ ଜାତ ॥ ୩୫
ମୁହିଁ ଦୁର୍ଜୟ ସୁରାସୁରେ । ଭାବେ ଖଟଇ ତୋ ପୟରେ ॥ ୩୬
ଏବେ ହୋ ଶୁଣ ତୁ ରାଜନ । ମୋର ସେବକ ଯେତେ ଜନ ॥ ୩୭
ତାହାଙ୍କୁ ଇହପରଲୋକେ । ଥୋଇଣ ଥାଇ ନାନାସୁଖେ ॥ ୩୮
ତେଜ ଶଉର୍ଯ୍ୟ ଯଶ ଶିରୀ । ନାନାବିଭୂତି ଆଦି କରି ॥ ୩୯
କେହି ନ ପାରେ ତାଙ୍କୁ ଜିଣି । ମୋର ଶରଣ ଯେତେ ପ୍ରାଣୀ ॥ ୪୦
ଦେବେ ନ ପୀଡ଼ନ୍ତି ଯାହାକୁ । କି ଭୟ ମନୁଷ୍ୟ ରାଜାକୁ ॥ ୪୧
ଭାବେ କହନ୍ତି ବ୍ୟାସସୁତ । ଶୁଣ ସୁମନେ ପରୀକ୍ଷିତ ॥ ୪୨
ଏମନ୍ତେ କୃଷ୍ଣବାଣୀ ଶୁଣି । ଆନନ୍ଦମନେ ନୃପମଣି ॥ ୪୩
ଚାରିଦିଗକୁ ଚାରିଭାଇ । ପେଷିଲେ କୃଷ୍ଣଆଜ୍ଞା ପାଇ ॥ ୪୪
ତକ୍ଷଣେ ବିଷ୍ଣୁ ତେଜରାଶି । ବେଗେ ତାହାଙ୍କ ଦେହେ ପଶି ॥ ୪୫
ଦିଶନ୍ତି ବିଷ୍ଣୁତେଜକାନ୍ତି । ଏବେ ହୋ ଶୁଣ ନରପତି ॥ ୪୬
ଦକ୍ଷିଣ ଦିଗେ ସହଦେବ । ତକ୍ଷଣେ ପେଷିଲେ ମାଧବ ॥ ୪୭
ସୃଞ୍ଜୟବଳ ସଙ୍ଗେ ଦେଇ । ବୋଲନ୍ତି ନକୁଳକୁ ଚାହିଁ ॥ ୪୮
ପଶ୍ଚିମ ଦିଗେ ତୁମ୍ଭେ ଚଳ । ସଙ୍ଗେ ଘେନିଣ ମତ୍ସ୍ୟବଳ ॥ ୪୯
ଅର୍ଜୁନମୁଖ ଚାହିଁ ହରି । ବୋଲନ୍ତି କରେ କର ଧରି ॥ ୫୦
ଉତ୍ତରଦିଗେ ଯାଅ ତୁହି । ମୋହର ନିଜ ଭାବ ବହି ॥ ୫୧
କୈକୟବଳ ସଙ୍ଗେ ଘେନ । ଆନନ୍ଦେ ଚଳ ହେ ଅର୍ଜ୍ଜୁନ ॥ ୫୨
ପୁଣି ଅନାଇଁ ବୃକୋଦର । ବୋଇଲେ ବ୍ରହ୍ମାଣ୍ତଠାକୁର ॥ ୫୩
ମଦ୍ର ରାଜନବଳ ସଙ୍ଗେ । ଭୀମ ତୁ ଯାଅ ପୂର୍ବଦିଗେ ॥ ୫୪
ବୋଲନ୍ତି ପ୍ରଭୁ ନାରାୟଣ । ରାଜାଙ୍କୁ କରି ନିମନ୍ତ୍ରଣ ॥ ୫୫
ବହନ ଆଣ ଚାରିଭାଇ । ଯଜ୍ଞସମ୍ଭାର ସଙ୍ଗେ ଲଇ ॥ ୫୬
ଗୋବିନ୍ଦ ଆଜ୍ଞା ପରମାଣେ । ଗଲେ ସେ ରାଜା ନିମନ୍ତ୍ରଣେ ॥ ୫୭
ବୋଲନ୍ତି ବ୍ୟାସଙ୍କ ନନ୍ଦନ । ଶୁଣ ହୋ ପରୀକ୍ଷ ରାଜନ ॥ ୫୮
ରାଜାଙ୍କୁ ବିଷ୍ଣୁତେଜେ ଜିଣି । ଧନସମ୍ପଦ ବେଗେ ଆଣି ॥ ୫୯
ଧର୍ମନନ୍ଦନ ପାଶେ ଦେଲେ । କୃଷ୍ଣର ଛାମୁରେ କହିଲେ ॥ ୬୦
ଭୋ ନାଥ ଶୁଣିମା ଗୋବିନ୍ଦ । ଘୋର ଦୁର୍ଜୟ ଜରାସନ୍ଧ ॥ ୬୧
ତାହାକୁ ନ ପାରିଲୁ ଜିଣି । ଶୁଣି ହସନ୍ତି ଚକ୍ରପାଣି ॥ ୬୨
ଦ୍ୱାରକାପୁରେ କଲୁ ବାସ । ସେ ଦୈତ୍ୟ ନୋହିଲା ବିନାଶ ॥ ୬୩
ସବୁ ନୃପତି ବନ୍ଦୀ କରି । ତୁ କି ନ ଜାଣୁ ଚକ୍ରଧାରୀ ॥ ୬୪
ତୋର ବୁଦ୍ଧିରେ ନାଶ ଯିବ । ତେବେ ସେ ମୋ ଯଜ୍ଞ ହୋଇବ ॥ ୬୫
ଶୁଣି ବୋଲନ୍ତି ଚକ୍ରପାଣି । ଏ କଥା ମୁହିଁ ଅଛି ଜାଣି ॥ ୬୬
ସେ ବନ୍ଦୀ ନୃପତିଙ୍କ ଚାର । କହିଲା ମୋହର ଆଗର ॥ ୬୭
ଅବଶ୍ୟ ତାକୁ ସଂହାରିବି । ବନ୍ଦୀନୃପତି ଉଦ୍ଧରିବି ॥ ୬୮
ରାଜାଏ କରୁ ମନେ ଧ୍ୟାନ । ତକ୍ଷଣେ ଜାଣି ଜନାର୍ଦ୍ଦନ ॥ ୬୯
ଉଦ୍ଧବ ବାକ୍ୟ ସୁମରଣ । କରି ଉଠିଲେ ନାରାୟଣ ॥ ୭୦
ଭୀମ ଅର୍ଜୁନ ତୁଲେ ହରି । ତକ୍ଷଣେ ବିପ୍ରରୂପ ଧରି ॥ ୭୧
ମିଳିଲେ ଯାଇ ଗିରିବରେ । ଦୁର୍ଗମ ଜରାସନ୍ଧପୁରେ ॥ ୭୨
ଅତିଥିବେଶେ ତାର ଦ୍ୱାରେ । ମିଳିଲେ ଭିକ୍ଷୁକ ବେଭାରେ ॥ ୭୩
ଗୃହସ୍ଥଧର୍ମ ଭିକ୍ଷୁପୂଜା । ବ୍ରହ୍ମଣ୍ୟ ଜରାସନ୍ଧ ରାଜା ॥ ୭୪
ଦ୍ୱର ସମୀପେ ଭଗବାନ । ସୁସ୍ୱରେ କଲେ ସାମଗାନ ॥ ୭୫
କ୍ଷତ୍ରିୟକୁଳେ ଜାତ ହୋଇ । ଛଦ୍ମେ ବ୍ରାହ୍ମଣ ରୂପ ବହି ॥ ୭୬
କୃଷ୍ଣର ବେଦନାଦ ଶୁଣି । ମନେ ବିଚାରେ ନୃପମଣି ॥ ୭୭
ଏତ ଅପୂର୍ବ ବିପ୍ରବର । ମିଳିଲେ ମୋହର ନବର ॥ ୭୮
ଆଜ ଜୀବନ ମୋର ଧନ୍ୟ । ଉତ୍ତମ ବିପ୍ରେ ଦେବି ଦାନ ॥ ୭୯
ଏମନ୍ତ ମନେ ବିଚାରିଲା । କୃଷ୍ଣର ନିକଟେ ମିଳିଲା ॥ ୮୦
ତାର ବଦନ ଚାହିଁ ହରି । କହନ୍ତି ଅଞ୍ଜଳି ପ୍ରସାରି ॥ ୮୧
ଶୁଣ ଧାର୍ମିକ ନୃପବର । ଅନେକ ଦୂରେ ଆମ୍ଭ ଘର ॥ ୮୨
ତୋର ମହିମା ଶୁଣି କର୍ଣ୍ଣେ । ଆମ୍ଭେ ଅଇଲୁ ପଥଶ୍ରମେ ॥ ୮୩
ତୋର କୁଶଳ ହେଉ ସୁଖେ । ଯାହା ମାଗିବୁ ଆମ୍ଭେ ମୁଖେ ॥ ୮୪
ସନ୍ତୋଷେ ଦେବୁ ନୃପବର । ଏ ଧର୍ମେ ବିଳମ୍ବ ନ କର ॥ ୮୫
ତୁ ପୁଣ୍ୟବନ୍ତ ଶିରୋମଣି । ଆମ୍ଭେ ଅଇଲୁ ଯଶ ଶୁଣି ॥ ୮୬
ସଂସାର ଦୁଃଖର କାରଣ । ତିତିକ୍ଷୁ ବୋଲାନ୍ତି ଯେ ଜନ ॥ ୮୭
ତାର ସଦୃଶ ନାହିଁ କେହି । ଦୁର୍ଲ୍ଲଭ ମାଗିଲେ ସେ ନେଇ ॥ ୮୮
ଅସାଧୁ ବୁଦ୍ଧି ଯେତେ ନର । କିବା ଅକାର୍ଯ୍ୟ ତାହାଙ୍କର ॥ ୮୯
ଜାଣି ନ ଜାଣି ସୁଖଲାଭେ । କର୍ମ କରନ୍ତି ପଶୁ ଭାବେ ॥ ୯୦
ବିପାକେ ଫଳ ବିପରୀତ । ବୋଲନ୍ତି ପ୍ରଭୁ ଜଗନ୍ନାଥ ॥ ୯୧
ନିର୍ମଳଜ୍ଞାନ ଯାର ଦେହୀ । ଅଦେୟ ବସ୍ତୁ ତାର ନାହିଁ ॥ ୯୨
ପ୍ରାଣୀର ହିତେ ସର୍ବ ଦେଇ । ତାହାକୁ ବୋଲି ପୁଣ୍ୟଦେହୀ ॥ ୯୩
ସମଦରଶୀ ଚିତ୍ତ ଯାର । ମିତ୍ର ଅଇରି ନାହିଁ ତାର ॥ ୯୪
ଯେ ପ୍ରାଣୀ ଅନିତ୍ୟ ଶରୀରେ । ନିର୍ମଳଯଶ ଏ ସଂସାରେ ॥ ୯୫
ପୁଣ୍ୟପୁରୁଷେ ଯାହା ଗାଇ । ତାହା ନ ସଞ୍ଚେ ଦେହ ବହି ॥ ୯୬
ନିଷ୍ଫଳ ତାହାର ଜୀବନ । ନିନ୍ଦା କରନ୍ତି ସର୍ବଜନ ॥ ୯୭
ତା ସୁଖ ନାହିଁ ବେନିଲୋକେ । ଜୀବନ ବହେ ଦୁଃଖଶୋକେ ॥ ୯୮
ପୁଣ୍ୟପୁରୁଷ ପୂର୍ବକାଳେ । ଥିଲେ ଯେ ଏ ମହୀମଣ୍ତଳେ ॥ ୯୯
ଯେ ହରିଶ୍ଚନ୍ଦ୍ର ମହୀପତି । ଯେ ରନ୍ତିଦେବ ଉଞ୍ଚବୃତ୍ତି ॥ ୧୦୦
ଶିବିରାଜନ ଭାଗ୍ୟବନ୍ତ । ବଳି ଯେ ବିରୋଚନସୁତ ॥ ୧୦୧
ବ୍ୟାଧକପୋତ ଆଦି ଯେତେ । ଅଧ୍ରୁବ ଦେହେ ଧ୍ରୁବପଥେ ॥ ୧୦୨
ଗମିଲେ ପୁଣ୍ୟଫଳେ ସୁଖେ । ଯଶ ରହିଲା ତିନିଲୋକେ ॥ ୧୦୩
ଶୁକ ଉବାଚ
ଏମନ୍ତେ କୃଷ୍ଣବାଣୀ ଶୁଣି । ବିପ୍ରଙ୍କୁ ଚାହିଁ ନୃପମଣି ॥ ୧୦୪
ସ୍ୱର ଆକୃତି ପରିମାଣେ । ହସ୍ତକର୍କଶ ଧନୁଗୁଣେ ॥ ୧୦୫
ଦେଖି କରଇ ବିଚାରଣ । ନିଶ୍ଚେ ଏ ନୁହଁଇ ବ୍ରାହ୍ମଣ ॥ ୧୦୬
ପୂର୍ବେ ଏହାଙ୍କୁ ଅଛି ଦେଖି । ଏମନ୍ତ ମନେ ଉପଲକ୍ଷ୍ୟି ॥ ୧୦୭
ପୁଣି ବିଚାରେ ଶୁଦ୍ଧଚିତ୍ତେ । ଅତିଥି ଲଘିଂବି କେମନ୍ତେ ॥ ୧୦୮
ବ୍ରାହ୍ମଣ ରୂପେ ହୋଇ ଛନ୍ନ । ଯେବେ କ୍ଷତ୍ରିୟ ମାଗେଦାନ ॥ ୧୦୯
ଏହାକୁ ନାହିଁ ମୋର ଭୀତି । ମୋହର ଦ୍ୱାରେ ଏ ଅତିଥି ॥ ୧୧୦
ଏହାଙ୍କୁ ନିଶ୍ଚେ ଦେବି ଦାନ । ଯେବେ ମାଗିବେ ମୋ ଜୀବନ ॥ ୧୧୧
ବଳି ରାଜାର ଯଜ୍ଞକାଳେ । ବିଷ୍ଣୁ ମିଳିଲେ ବିପ୍ରଛଳେ ॥ ୧୧୨
ତିନିଚରଣେ ମହୀ ଦେଲା । ତା ଯଶ ସଂସାରେ ରହିଲା ॥ ୧୧୩
ବିଷ୍ଣୁ ନାଶିଲେ ତାର ଦୁଃଖ । ଭୁଞ୍ଜେ ଅଛିଦ୍ର ନିତ୍ୟସୁଖ ॥ ୧୧୪
ମନ୍ତ୍ରୀବଚନ ନ ଶୁଣିଲା । ଯେଣୁ ତା ପୂର୍ବଭାଗ୍ୟ ଥିଲା ॥ ୧୧୫
କ୍ଷତ୍ରିୟକୁଳେ ଜାତ ହୋଇ । ବ୍ରାହ୍ମଣହିତ ଯେ ନ ବହି ॥ ୧୧୬
ଧନ ଜୀବନ ଧିକ ତାର । ନିର୍ମଳ ଯଶ ନାହିଁ ଯାର ॥ ୧୧୭
ଏମନ୍ତ କରି ଅନୁମାନ । ବିପ୍ରଙ୍କୁ ବୋଲଇ ବଚନ ॥ ୧୧୮
ଭୋ ବିପ୍ରବରେ ମାଗ ଦାନ । ଦେବଇଁ ସତ୍ୟ ମୋ ବଚନ ॥ ୧୧୯
ଏ ଧର୍ମେ ବିଳମ୍ବ ନ କର । ମାଗିଲେ ଦେବି ଆଜ ଶିର ॥ ୧୨୦
ଶୁଣି ତାହାର ସତ୍ୟବାଣୀ । ବୋଲନ୍ତି ପ୍ରଭୁ ଚକ୍ରପାଣି ॥ ୧୨୧
ତୁ ପୁଣ୍ୟବନ୍ତ ନୃପମଣି । ଆମ୍ଭେ ତୋହର ଯଶ ଶୁଣି ॥ ୧୨୨
ଅଇଲୁ ଦୁଃଖ ଦୁରପଥ । ଯେଣୁ ତୁ ପୁରୁଷ ମହତ ॥ ୧୨୩
ଆମ୍ଭଙ୍କୁ ଯୁଦ୍ଧ ଦିଅ ଦାନ । ଆନରେ ନାହିଁ ପ୍ରୟୋଜନ ॥ ୧୨୪
ଶସ୍ତ୍ରସମରେ ନାହିଁ ସଧ । ଆମ୍ଭଙ୍କୁ ଦିଅ ବାହୁଯୁଦ୍ଧ ॥ ୧୨୫
ଯେବେ ତୋ ଇଷ୍ଟଧର୍ମ ସତ୍ୟ । ଆମ୍ଭେ କହିବୁ ଶୁଣ ତତ୍ତ୍ୱ ॥ ୧୨୬
କ୍ଷତ୍ରିୟ ଜନ୍ମ ଆମ୍ଭେ ତିନି । ଏବେ ତୁ ନ ପାରିଲୁ ଚିହ୍ନି ॥ ୧୨୭
ତା ଶୁଣି ଚକିତେ ରାଜନ । ଚାହିଁ କରଇ ଅନୁମାନ ॥ ୧୨୮
କି ଏ ଗନ୍ଧର୍ବ ବିଦ୍ୟାଧର । ମନୁଷ୍ୟ ରାକ୍ଷସ କିନ୍ନର ॥ ୧୨୯
ବ୍ରାହ୍ମଣ କାହିଁ ଏତେ ତେଜ । କର୍କଶ ଧନୁର୍ଗୁଣେ ଭୁଜ ॥ ୧୩୦
ନିଶ୍ଚେ କ୍ଷତ୍ରିୟ ତିନିଜଣ । ପୁଣି କହନ୍ତି ନାରାୟଣ ॥ ୧୩୧
ଦେଖ ଏ ବୀର ବୃକୋଦର । ବାମେଟି ଅଜୁନ ଏହାର ॥ ୧୩୨
ଏହାଙ୍କ ମାତୁଳଜ ଭ୍ରାତ । ମୁଁ କୃଷ୍ଣ ବସୁେଦେବସୁତ ॥ ୧୩୩
ମୁଁ ତୋର ରିପୁ ମହାବଳ । ଜିଣିଲି ସପ୍ତଦଶବେଳ ॥ ୧୩୪
ବେଳେ ଜିଣିଲୁ ବଳେ ତୁହି । ତା ଶୁଣି କୃଷ୍ଣ ମୁଖ ଚାହିଁ ॥ ୧୩୫
ଉଚ୍ଚେ ହସିଲା ଜରାସନ୍ଧ । ବୋଲଇ ତୁରେ ବଡ଼ ମନ୍ଦ ॥ ୧୩୬
କୋପେ ବୋଲଇ କୃଷ୍ଣେ ଚାହିଁ । ସତ୍ୟ ଯେ କରିଅଛି ମୁହିଁ ॥ ୧୩୭
ସଂଗ୍ରାମ ମୋହର ଉଚିତ । ତୁ ପୁଣି ସଂଗ୍ରାମେ ନିସତ ॥ ୧୩୮
ପଳାଇ ଗଲୁ ମୋର ଭୟେ । ଏବେ ଭଣ୍ତିଲୁ କୁଟଯମୋହେ ॥ ୧୩୯
ମଥୁରା ଛାଡି ଜଳେ ପଶି । ଏବେ ଛଳିଲୁ ମୋତେ ଆସି ॥ ୧୪୦
ସମୁଦ୍ରେ ପଶିଲୁ ଶରଣ । ତୋହର ତୁଲେ କାହିଁ ରାଣ ॥ ୧୪୧
ଏ ଯେ ଅର୍ଜୁନ ସଖା ତୋର । ତୁଲ୍ୟ ବୟସ ନୋହେ ମୋର ॥ ୧୪୨
ଏହାର ଦେହେ ନାହିଁ ବଳ । ଏ କାହିଁ ହେବ ମୋର ତୁଲ ॥ ୧୪୩
ମୋହର ତୁଲ୍ୟ ବଳୀ ଭୀମ । ସେ ଜାଣେ ବାହୁଯୁଦ୍ଧ ଧର୍ମ ॥ ୧୪୪
ଏମନ୍ତ ବୋଲି କୋପଭରେ । ବେଗେ ମିଳିଲା ନିଜପୁରେ ॥ ୧୪୫
ବୁଲାଇ ବେନିଗଦା ହସ୍ତେ । ମିଳିଲା କୃଷ୍ଣର ଅଗ୍ରତେ ॥ ୧୪୬
ଗଦାଏ ଭୀମହସ୍ତେ ଦେଲା । ସମର କର ତୁ ବୋଇଲା ॥ ୧୪୭
ଆପଣେ ଗଦା ହସ୍ତେ ଧରି । ରଣେ ପଶିଲା ଆଗସରି ॥ ୧୪୮
ସମରେ ଭୀମ-ଜରାସନ୍ଧ । ଶୂନ୍ୟେ ଦେଖନ୍ତି ଦେବବୃନ୍ଦ ॥ ୧୪୯
ଅନ୍ତରେ ନିଜ ଛଳ ଆଞ୍ଚି । ଗଦାସମରେ ପଞ୍ଚାପଞ୍ଚି ॥ ୧୫୦
ରଣେ ଦୁର୍ମଦ ବେନିବୀର । ଘୂରାଇ କରନ୍ତି ପ୍ରହାର ॥ ୧୫୧
ଶବଦ ଯେହ୍ନେ ଘଡଘଡି । ଶୁଭଇ ବେନିଦେହେ ପଡି ॥ ୧୫୨
ବାମ ଦକ୍ଷିଣେ ଗଦା ଚାଳି । କୋପେ ପିଟନ୍ତି ଭୁଜତୋଳି ॥ ୧୫୩
ସମରେ ମତ୍ତଗଜ ପ୍ରାୟେ । ଗଦା ପିଟନ୍ତି ବେନି ଦେହେ ॥ ୧୫୪
ଶୁଭଇ ଘଡଘଡି ନାଦ । ଗଜେ ଯେସନେ ଗଜଯୁଦ୍ଧ ॥ ୧୫୫
ବଜ୍ରଶବଦେ ଦିଗ ପୁରେ । ମାଗଧ ଭୀମର ସମରେ ॥ ୧୫୬
ଏମନ୍ତେ ବେନି ଗଦା ତୋଳି । ଅନ୍ୟୋନ୍ୟେ ପ୍ରହାରନ୍ତି ବଳୀ ॥ ୧୫୭
ପିଟନ୍ତି ଭୁଜଯୁଗେ ବେଗେ । ଗଦାଏ ବାଜି ତାଙ୍କ ଅଙ୍ଗେ ॥ ୧୫୮
କଟୀ ଜଘନ ଊର କନ୍ଧେ । ବଜ୍ରଶବଦ ଘୋରନାଦେ ॥ ୧୫୯
ଭାଜି ପଡିଲେ ଗଦାତଳେ । ହସ୍ତୀ ସଂଗ୍ରାମେ ଯେହ୍ନେ ଡାଳେ ॥ ୧୬୦
ସେ ବେନିଗଦା ଯହୁଁ ଗଲା । ଅନେକ କୋପ ଉପୁଜିଲା ॥ ୧୬୧
ମୁଷ୍ଟି ଉଞ୍ଚାଇ ମହାକୋପେ । ପ୍ରହାର କଲେ ଆପେ ଆପେ ॥ ୧୬୨
ଶୁଭଇ ବଜ୍ର ଘଡଘଡି । ପୁଣି ପ୍ରହାରେ ଆଗ ବଢି ॥ ୧୬୩
ଏମନ୍ତେ ବଢିଲା ସଂଗ୍ରାମ । ଦଇବ ବେନିବୀରେ ସମ ॥ ୧୬୪
ନିରତେ ସମର ବଢିଲା । ସପତବିଂଶ ଦିନ ଗଲା ॥ ୧୬୫
ଏମନ୍ତେ ରଜନୀ ପ୍ରବେଶେ । କୃଷ୍ଣ ଯେ ଥିଲେ ଭୀମ ପାଶେ ॥ ୧୬୬
କୃଷ୍ଣବଦନ ଭୀମ ଚାହିଁ । କହିଲା ଆଙ୍ଗୁଳି ଦେଖାଇ ॥ ୧୬୭
ଏହାକୁ ନ ପାରିବି ମୁହିଁ । ଉପାୟ ଥିଲେ କହ ତୁହି ॥ ୧୬୮
ଭୀମ ବଚନେ ନାରାୟଣ । ଚିନ୍ତିଲେ ଜରାର ମରଣ ॥ ୧୬୯
ଜରାରାକ୍ଷସୀ ଜନ୍ମକାଳେ । ସନ୍ଧାନ କଲା ବେନିଫାଳେ ॥ ୧୭୦
ବୋଇଲା ହୁଅ ତୁ ଅକ୍ଷୟ । କେ ଜାଣିପାରେ ଏ ଉପାୟ ॥ ୧୭୧
ତୋତେ କରିବ ବେନିଫାଳ । ଖଣ୍ତେ କ୍ଷେପିବ ଅନ୍ତରାଳ ॥ ୧୭୨
ଖଣ୍ତେ ପଡିବ ସିନ୍ଧୁଜଳେ । ଦହିବ ବଡବା ଅନଳେ ॥ ୧୭୩
ତେବେ ସେ ତୋହର ମରଣ । ଏ କଥା ଜାଣି ନାରାୟଣ ॥ ୧୭୪
ଭୀମ ଶରୀରେ ନରହରି । ତକ୍ଷଣେ ନିଜ ତେଜ ଭରି ॥ ୧୭୫
ନିର୍ଭୟ କଲେ ତାର ମନ । ଘୋର ଶବଦେ ଭୀମସେନ ॥ ୧୭୬
ଚାହିଁଲା କୃଷ୍ଣର ବଦନ । ତକ୍ଷଣେ ପ୍ରଭୁ ଭଗବାନ ॥ ୧୭୭
ଶତ୍ରୁର ମରଣ ଉପାୟ । ତୃଣ ଉପାଡି ଦେବରାୟ ॥ ୧୭୮
ଭୀମେ ଦେଖାଇ ନରହରି । ଚିରିଲେ ବେନିଫାଳ କରି ॥ ୧୭୯
ତକ୍ଷଣେ ଚାହିଁ ବୃକୋଦର । ଶବଦ କଲା ମହାଘୋର ॥ ୧୮୦
ଉତ୍ତାନେ ପଡିଥିଲା ଭୀମ । ଦେହେ ବସିଲା ଗରୁତମ ॥ ୧୮୧
ଜରାକୁ ପକାଇଲା ତଳେ । ତକ୍ଷଣେ ଉଠି ମହାବଳେ ॥ ୧୮୨
ବିଷ୍ଣୁର ତେଜେ ଘୋରନାଦ । କରି ଧଇଲା ବେନି ପାଦ ॥ ୧୮୩
ଆକର୍ଷି ପାଦେ ପାଦ ମୋଡି । ଆର ଚରଣ ହସ୍ତେ ତାଡି ॥ ୧୮୪
ଦେଖନ୍ତି ପ୍ରଭୁ ଦାମୋଦର । ବେଗେ ଫାଟିଲା ମଳଦ୍ୱାର ॥ ୧୮୫
ହୁଙ୍କାରନାଦେ ମହାବଳ । ତକ୍ଷଣେ କଲା ବେନିଫାଳ ॥ ୧୮୬
ଦେବେ ତା ଦେଖନ୍ତି ପ୍ରତ୍ୟକ୍ଷେ । ଖଣ୍ତେ ଫିଙ୍ଗିଲା ଅନ୍ତରୀକ୍ଷେ ॥ ୧୮୭
ଆର ଖଣ୍ତକ ଭୂମିଗତେ । ପଡିଲା କୃଷ୍ଣର ଅଗ୍ରତେ ॥ ୧୮୮
ଗଜ ଯେସନେ ବୃକ୍ଷଡାଳ । ଲୀଳାଏ କରେ ବେନିଫାଳ ॥ ୧୮୯
ଏକଇ ଚରଣ ବୃଷଣ । ଜଘନ କଟୀ ପୃଷ୍ଠ ସ୍ତନ ॥ ୧୯୦
ଏକଇ ଭୁଜ ଅଂଶ ଧରି । ଯେହ୍ନେ କରତେ କାଷ୍ଠ ଚିରି ॥ ୧୯୧
ଏକଇ ନାସାପୁଟ କର୍ଣ୍ଣ । ଚକ୍ଷୁ କପୋଳ ଦେଖି ଜନ ॥ ୧୯୨
ଶୁଭଇ ହାହାକାର ବାଣୀ । ଭୀମ ଉଠିଲା ଶିରଝୁଣି ॥ ୧୯୩
ଜରାସନ୍ଧର ପାଦ ଧରି । ବୁଲାଇ ଅନ୍ତରାଳ କରି ॥ ୧୯୪
ବଡବାନଳେ ପକାଇଲା । ଏମନ୍ତେ ଶତ୍ରୁ ନାଶ ଗଲା ॥ ୧୯୫
ତକ୍ଷଣେ ପାର୍ଥ ଜଗନ୍ନାଥ । ଧଇଲେ ବୃକୋଦର ହସ୍ତ ॥ ୧୯୬
ଜୟ ଶବଦେ ନରହରି । ଭୀମକୁ ଆଲିଙ୍ଗନ କରି ॥ ୧୯୭
ଜରାସନ୍ଧର ପୁତ୍ରେ ଆଣି । ନୃପ ଆସନେ ଚକ୍ରପାଣି ॥ ୧୯୮
ବସାଇ ନିଜ ଜନ ମଧ୍ୟେ । କୃଷ୍ଣ ସଞ୍ଚିଲେ ରାଜପଦେ ॥ ୧୯୯
ବନ୍ଧନେ ଯେତେକ ନୃପତି । ତାହାଙ୍କୁ ସୁମରି ଶ୍ରୀପତି ॥ ୨୦୦
ପର୍ବତକ୍ରୋଟ ମଧ୍ୟଗତେ । ଗୋବିନ୍ଦ ଗଲେ ପାଦଗତେ ॥ ୨୦୧
ସେ ହରିଚରଣେ ବିଶ୍ୱାସ । ଶରଣେ ଜଗନ୍ନାଥ ଦାସ ॥ ୨୦୨
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ଜରାସନ୍ଧ ବଧୋ ନାମ
ସପ୍ତସପ୍ତତିତମ ଅଧ୍ୟାୟଃ ॥
* * *