ଦଶମ ସ୍କନ୍ଧ
ଷଟ୍ସପ୍ତତିତମ ଅଧ୍ୟାୟ
ମୁନି କହନ୍ତି ଭାବ ବହି । ଆନନ୍ଦେ ରାଜାମୁଖ ଚାହିଁ ॥ ୧
ଶୁକ ଉବାଚ
ଏବେ ହୋ ପରୀକ୍ଷିତ ଶୁଣ । ସୁଧର୍ମା ମଧ୍ୟେ ନାରାୟଣ ॥ ୨
ଉଦ୍ଧବେ ପଚାରିଲେ ଯାହା । ଶୁଣ ତୁ ଏକମନେ ତାହା ॥ ୩
ଉଦ୍ଧବ ଯଦୁସଭା ମଧ୍ୟେ । ନାରଦ ବାକ୍ୟ ଅନୁବନ୍ଧେ ॥ ୪
ସଭାଜନଙ୍କ ମନ ଜାଣି । ଶ୍ରୀକୃଷ୍ଣ ମୁଖ ଚାହିଁ ଭଣି ॥ ୫
ରାଜାଙ୍କ ଦୂତର ବଚନ । କାର୍ଯ୍ୟ ହୋଇବ ସମାଧାନ ॥ ୬
ସର୍ବଜ୍ଞପଣ ଅଛି ତାର । ଯାଦବକୁଳ ମନ୍ତ୍ରୀବର ॥ ୭
ପବିତ୍ର ମଧୁର ବଚନ । ହରଷ କରି ସର୍ବ ମନ ॥ ୮
କୃଷ୍ଣ ସମୀପେ ଯୋଡ଼ି କର । ବୋଲେ ଉଦ୍ଧବ ମନ୍ତ୍ରୀବର ॥ ୯
ଭୋ ନାଥ ଶୁଣ ଭଗବାନ । ସଂସାର ହିତେ ତୋ ଜନମ ॥ ୧୦
ନାରଦମୁନି ଯାହା କହି । ତୁ ତାହା ଜାଣୁ ଭାବଗ୍ରାହୀ ॥ ୧୧
ପିତୃଭଗିନୀସୁତ କର୍ମ । ଶରଣ ରକ୍ଷଣ ତୋର ଧର୍ମ ॥ ୧୨
ପଣ୍ତୁନନ୍ଦନ ଅନୁରାଗେ । ଉତ୍ସବ ରାଜସୂୟ ଯାଗେ ॥ ୧୩
ହୋଇବ ଜରାସନ୍ଧ ହତ । ଏ ବେନି କାର୍ଯ୍ୟ ମୋର ମତ ॥ ୧୪
ଏଣୁ ଆମ୍ଭର ବଡ଼ ଲାଭ । ହୋଇବ ଶୁଣ ପଦ୍ମନାଭ ॥ ୧୫
ତୋହର ଯଶ ମଞ୍ଚେ ଥିବ । ରାଜାଙ୍କ ଦୁଃଖ ନାଶ ଯିବ ॥ ୧୬
ଭୋ ନାଥ ଶୁଣ ନାରାୟଣ । ଜରାସନ୍ଧର ବୀରପଣ ॥ ୧୭
ଦଶସହସ୍ର ମତ୍ତହସ୍ତୀ । ବଳବହଇ ସେ ନୃପତି ॥ ୧୮
ଏଣୁ ବିଷମ କର୍ମ ତାର । କ୍ଷତ୍ରିୟ ମଧ୍ୟେ ବଳିୟାର ॥ ୧୯
କେହି ନୁହଁନ୍ତି ଯୁଦ୍ଧେ ସମ । ସମରେ ପାରେ ଅବା ଭୀମ ॥ ୨୦
ଅବଶ୍ୟ ଭୀମ ମାଲଯୁଦ୍ଧେ । ମାରିବ ଘୋରରଣ ମଧ୍ୟେ ॥ ୨୧
ସୈନ୍ୟ ତେଇଶି ଅକ୍ଷୌହିଣୀ । କେ ପାରେ ରଣେ ତାକୁ ଜିଣି ॥ ୨୨
ଭିକ୍ଷୁକ ବ୍ରାହ୍ମଣ ବଚନ । ସର୍ବଥା ନ କରଇ ଆନ ॥ ୨୩
ଏଣୁ ବ୍ରାହ୍ମଣ ବେଶ ହୋଇ । ଭୀମ ଅର୍ଜୁନ ତୁଲେ ତୁହି ॥ ୨୪
ଭିକ୍ଷୁକ ରୂପେ ଯଜ୍ଞଦ୍ୱାରେ । ମାଗିବୁ ବ୍ରାହ୍ମଣ ବେଭାରେ ॥ ୨୫
ସତ୍ୟ କରାଇ ଦାନକାଳେ । ଭୀମ ମାରିବ ତାକୁ ବଳେ ॥ ୨୬
କେବଳ ସାକ୍ଷୀ ପ୍ରାୟ ହୋଇ । ସମର ମଧ୍ୟେ ଥିବୁ ତୁହି ॥ ୨୭
ତୋର ମହିମା ନ ଜାଣନ୍ତି । ଶିବ-ବିରଞ୍ଚି-ପ୍ରଜାପତି ॥ ୨୮
ରାଜାଏ ବନ୍ଦୀମୋକ୍ଷ ହୋଇ । ଆନନ୍ଦେ ନିଜ ପୁରେ ଯାଇ ॥ ୨୯
କାମିନୀ ମଧ୍ୟେ ତୋର ଯଶ । କହି ହୋଇବେ ମନେ ତୋଷ ॥ ୩୦
ଆତ୍ମାର ବନ୍ଦୀ ବିମୋକ୍ଷଣ । ସେ ଜରାସନ୍ଧର ମରଣ ॥ ୩୧
ନନ୍ଦଗୋକୁଳେ ଗୋପୀଗଣ । ଯେ ଯଶ କରନ୍ତି ଗାୟନ ॥ ୩୨
ଗଜ-କୁମ୍ଭୀର ମୋକ୍ଷ କଥା । ରାବଣ ବଧି ଆଣି ସୀତା ॥ ୩୩
କଂସର ବନ୍ଧନୁ ନିସ୍ତାରି । ତୋହର ତାତ ଗର୍ଭଧାରୀ ॥ ୩୪
ମୁନି ବ୍ରାହ୍ମଣ ଅନୁମତେ । ଆମ୍ଭେ ତୋହର ବନ୍ଧୁ ଯେତେ ॥ ୩୫
ଯେସନେ ତୋରା ଯଶ ଗାଇ । ଭଜନେ ତୋର ବହୁଁ ଦେହୀ ॥ ୩୬
ଭୋ ନାଥ ଜରାସନ୍ଧ ମଲେ । ରାଜାଏ ନିସ୍ତରିବେ ଭଲେ ॥ ୩୭
ହୋଇବ ଯୁଧିଷ୍ଠିର ଯାଗ । ଆମ୍ଭର ଥିବ ଯେବେ ଭାଗ୍ୟ ॥ ୩୮
ଏମନ୍ତ ଉଦ୍ଧବ ବଚନ । ଶୁଣି ଗୋବିନ୍ଦ ତୋଷମନ ॥ ୩୯
ବ୍ରହ୍ମାନନ୍ଦନ ଯଦୁବୃନ୍ଦେ । ଉଦ୍ଧବେ ଚାହିଁ ସାଧୁବାଦେ ॥ ୪୦
ସନ୍ତୋଷେ କରନ୍ତି କଲ୍ୟାଣ । ଏବେ ହୋ ପରୀକ୍ଷିତ ଶୁଣ ॥ ୪୧
ତକ୍ଷଣେ ପ୍ରଭୁ ଦେବରାଜ । ଇନ୍ଦ୍ରପ୍ରସ୍ଥକୁ ହେଲେ ସଜ ॥ ୪୨
ସାତ୍ୟକି ଦାରୁକ ବଦନ । ହରଷେ ଚାହିଁ ଭଗବାନ ॥ ୪୩
ବୋଇଲେ ରଥ ସଜ କର । ଗୁରୁଙ୍କୁ କରି ନମସ୍କାର ॥ ୪୪
କୃଷ୍ଣର ଯେତେକ କାମିନୀ । ସୁତ-ସମ୍ପଦ ସଙ୍ଗେ ଘେନି ॥ ୪୫
କୃଷ୍ଣବଚନେ ସଜ ହୋନ୍ତି । ବିବୁଧେ ଗଗନେ ଦେଖନ୍ତି ॥ ୪୬
ଦାରୁକ ସାଜି ଦେବରଥ । ମିଳିଲା ଗୋବିନ୍ଦ ଅଗ୍ରତ ॥ ୪୭
ଗରୁଡ଼ଧ୍ୱଜ ରଥେ ହରି । ଶଙ୍ଖଶବଦେ ବିଜେକରି ॥ ୪୮
ତକ୍ଷଣେ ଚତୁରଙ୍ଗ ବଳ । ଚଳନ୍ତେ ଶୁଭେ ମୁଖଗୋଳ ॥ ୪୯
ମୃଦଙ୍ଗ ଆଦି ବାଦ୍ୟଘୋଷ । କମ୍ପେ ଗଗନେ ଭୂମିଦେଶ ॥ ୫୦
ନରକୁଞ୍ଜର ଅଶ୍ୱରଥେ । ସୁବର୍ଣ୍ଣ ଶିବିକା ସହିତେ ॥ ୫୧
ସକଳଜନ ଅନୁମତେ । ସେବକ ସେବକୀ ସହିତେ ॥ ୫୨
କୃଷ୍ଣର ଅନୁପଥେ ଯାନ୍ତି । ଯେହ୍ନେ ଗଗନେ ତାରାପନ୍ତି ॥ ୫୩
କୋଳେ ବସାଇ ସୁତ ସୁତା । କୃଷ୍ଣକାମିନୀ ପତିବ୍ରତା ॥ ୫୪
ଦିବ୍ୟବସନ ପରିଧାନ । କୁଙ୍କୁମ ସୁଗନ୍ଧ ଲେପନ ॥ ୫୫
ଖଡ଼ଗ ଚର୍ମ ଧନୁହସ୍ତେ । ବୀରେ ଆବୋରି ଯୂଥେ ଯୂଥେ ॥ ୫୬
ଓଟ ମଇଁଷି ଗୋରୁ ନର । ଗର୍ଦ୍ଦଭ ଅଶ୍ୱ ଅଶ୍ୱତର ॥ ୫୭
ଯାନ ଶକଟେ କରି ଘର । ଚିତ୍ରବିଚିତ୍ର ତମ୍ବୁଦ୍ୱାର ॥ ୫୮
ହସ୍ତୀଙ୍କ ଉପରେ ଅମାରି । ଆନନ୍ଦେ ଯାନ୍ତି ପରିବାରୀ ॥ ୫୯
ଏ ଆଦି ସକଳ ସମ୍ଭାର । ଚଳନ୍ତେ ଶୋହେ ମଞ୍ଚପୁର ॥ ୬୦
ଗମନ୍ତି କୃଷ୍ଣର ସଇନି । ପ୍ରଳୟସିନ୍ଧୁ ପ୍ରାୟ ମଣି ॥ ୬୧
ଉତ୍ତମଧ୍ୱଜ ଛତ୍ରପାଟ । ଚାମର କଳସ କିରୀଟ ॥ ୬୨
ବିବିଧ ଶସ୍ତ୍ରମାନ ସାଜେ । ଝଲକି ରବିରଶ୍ମି ଗଞ୍ଜେ ॥ ୬୩
ଘୋର ଶବଦ ଘରଷଣେ । ଜଳଧି ଯେହ୍ନେ ଉର୍ମିଗଣେ ॥ ୬୪
ବିଷମ କଲ୍ଲୋଳ ସଙ୍କୁଳ । ବିରାଜେ ଯଦୁଭୋଜ-ବଳ ॥ ୬୫
କୃଷ୍ଣବଚନେ ବ୍ରହ୍ମାସୁତ । ନିଜଭୁବନେ ଉପଗତ ॥ ୬୬
ହରିଚରଣେ ନମସ୍କାରି । ହୃଦେ ଗୋବିନ୍ଦ ଭାବ ଭରି ॥ ୬୭
ମୁକୁନ୍ଦ ଦରଶନ ଫଳେ । ଚଞ୍ଚଳ ଇନ୍ଦ୍ରିୟ ନିଶ୍ଚଳେ ॥ ୬୮
ଗଗନମାର୍ଗେ ମୁନି ଗଲେ । ଦୂତ ଯେ ଥିଲା କୃଷ୍ଣତୁଲେ ॥ ୬୯
ରାଜାଙ୍କ ଦୁଃଖ କଷ୍ଟ ଜାଣି । ଦୂତ ବଦନ ଚାହିଁ ଭଣି ॥ ୭୦
ହେ ଦୂତ କହ ଯାଇ ବେଗେ । ବନ୍ଧନ ନୃପତିଙ୍କ ଆଗେ ॥ ୭୧
ଭୟ ନ କର ତୁମ୍ଭେ କେହି । ନାଶିବି ଜରାସନ୍ଧ ମୁହିଁ ॥ ୭୨
ଆଜ୍ଞା ପ୍ରମାଣେ ଦୂତ ଗଲା । ରାଜାଙ୍କୁ ସନ୍ଦେଶ କହିଲା ॥ ୭୩
ଦୂତବଚନ ଶୁଣି କର୍ଣ୍ଣେ । ରାଜାଏ ନିବିଡ଼ ବନ୍ଧନେ ॥ ୭୪
ଛାଡ଼ିଲେ ଘୋରବନ୍ଧ ଦୁଃଖ । କୃଷ୍ଣଦରଶନେ ଉତ୍ସୁକ ॥ ୭୫
କୃଷ୍ଣଚରଣେ ମନ ଦେଇ । ରାତ୍ର ଦିବସେ ପଥ ଚାହିଁ ॥ ୭୬
ଗୋବିନ୍ଦ ବସି ନିଜ ରଥେ । ଗମନ କଲେ ରାଜପଥେ ॥ ୭୭
ଆନର୍ତ୍ତ ସଉବୀର ପୁରୀ । ମରୁଭୁବନ ବେଗେ ତରି ॥ ୭୮
ତକ୍ଷଣେ କୁରୁକ୍ଷେତ୍ର ଜିଣି । ବନ ପର୍ବତ ତରଙ୍ଗିଣୀ ॥ ୭୯
ବିବିଧ ଗ୍ରାମ ପୁର ଘୋଷ । ବନଗହନ ନାନା ଦେଶ ॥ ୮୦
ଦୃଷଦବତୀ ସରସ୍ୱତୀ । ପଥେ ଲଂଘିଲେ ଯଦୁପତି ॥ ୮୧
ପାଞ୍ଚାଳ ମତ୍ସ୍ୟଦେଶ ଜିଣି । ଇନ୍ଦ୍ରପ୍ରସ୍ଥରେ ଚକ୍ରପାଣି ॥ ୮୨
ମିଳି କରନ୍ତି ଶଙ୍ଖନାଦ । ଖଣ୍ତିଲା ସଂସାର ବିଷାଦ ॥ ୮୩
ଶଙ୍ଖଶବଦ ଶୁଣି କର୍ଣ୍ଣେ । ଧର୍ମନନ୍ଦନ ତୋଷମନେ ॥ ୮୪
ଗୁରୁ ସୁହୃଦ ଘେନି ସଙ୍ଗେ । କୃଷ୍ଣଦର୍ଶନ ଅନୁରାଗେ ॥ ୮୫
ଗୀତଶବଦ ନାନାବାଦ୍ୟେ । ବିପ୍ର-ମଙ୍ଗଳ-ବେଦନାଦେ ॥ ୮୬
କୁସୁମ ବୃଷ୍ଟି ପଥେ କରି । ମଙ୍ଗଳେ ଶୁଭେ ହରିହରି ॥ ୮୭
ମିଳିଲେ କୃଷ୍ଣ ପାଶେ ଯାଇ । କିବା ଉପମା ଦେବି ମୁହିଁ ॥ ୮୮
ପ୍ରାଣ ଆଗମେ ମୃତଦେହୀ । ଯେହ୍ନେ ଉଠଇ ଜ୍ଞାନ ପାଇ ॥ ୮୯
ନିଶ୍ଚଳ ଚିତ୍ତେ କୃଷ୍ଣଦେଖି । ନିର୍ମଳ କଲେ ଚର୍ମଆଖ ॥ ୯୦
ଗୋବିନ୍ଦ ସ୍ନେହ ହୃଦେ ବହି । ଅନେକ ଦିନେ ଭେଟ ପାଇ ॥ ୯୧
ହୃଦେ ଲଗାଇ ପୁନଃ ପୁନଃ । ନିବିଡେ଼ କଲେ ଆଲିଙ୍ଗନ ॥ ୯୨
କମଳା ଥାଇ ଯାର ଦେହେ । ସେ ଦେହ ଛୁଇଁ ସ୍ନେହମୋହେ ॥ ୯୩
ନିର୍ମଳ ହୋଇ କମ୍ପେ ଦେହ । ନୟନଯୁଗୁଁ ବହେ ଲୁହ ॥ ୯୪
ହରଷେ ତନୁ ପୁଲକିଲା । ଲୋକ ବେଭାର ପାସୋରିଲା ॥ ୯୫
ଭୀମସେନକୁ ନମସ୍କାର । ଯେମନ୍ତେ ସୁହୃଦ ବେଭାର ॥ ୯୬
ମାତୁଳପୁତ୍ର ପାଇ କୋଳେ । ଆଣ୍ଟେ ଭିଡ଼ିଲେ ପ୍ରେମଭୋଳେ ॥ ୯୭
ଗୋବିନ୍ଦ ଅର୍ଜ୍ଜୁନକୁ କୋଳେ । ବସାଇ ଅତି ସୁଖଭୋଳେ ॥ ୯୮
ନକୁଳ ସହଦେବ ଦୁଇ । କୃଷ୍ଣଚରଣେ ଶିର ଦେଇ ॥ ୯୯
ପ୍ରଣାମ କଲେ ଜଣେ ଜଣୋ ସଙ୍ଗେ ଅେକ ବିପ୍ରଗଣେ ॥ ୧୦୦
ତାହାଙ୍କ ପାଦେ ଦେଇ କର । ନମିଲେ ବ୍ରହ୍ମାଣ୍ତ ଠାକୁର ॥ ୧୦୧
କୁଳବୃଦ୍ଧଙ୍କ ମୁଖ ଚାହିଁ । କପାଳେ ବେନିକର ଦେଇ ॥ ୧୦୨
ଯେ ଯାହାମତେ ମାନ୍ୟ କରି । ଅର୍ଜ୍ଜୁନକର କରେ ଧରି ॥ ୧୦୩
କୁରୁ ସୃଞ୍ଜୟ କଇକେୟ । ଗୋବିନ୍ଦ ଦେଖି ସ୍ନେହମୋହ ॥ ୧୦୪
ସୂତ ମାଗଧ ବନ୍ଦୀଜନ । ଗନ୍ଧର୍ବ ଉପମନ୍ତ୍ରୀଗଣ ॥ ୧୦୫
ମୃଦଙ୍ଗ ଶଙ୍ଖ ଭେରୀନାଦ । ବିବିଧ ବେଣୁ ବୀଣାବାଦ୍ୟ ॥ ୧୦୬
ବ୍ରାହ୍ମଣେ କୃଷ୍ଣମୁଖ ଚାହିଁ । ସ୍ତୁତି କରନ୍ତି ବେଦ ଗାଇ ॥ ୧୦୭
ଗୋବିନ୍ଦ ଆଗେ ଆଗସରି । ନୃତ୍ୟ କରନ୍ତି ଅପସରୀ ॥ ୧୦୮
ସୁହୃଦଗଣେ ସ୍ତୁତିଭଣି । ପୁଣ୍ୟ ପୁରୁଷ ଶିଖାମଣି ॥ ୧୦୯
ଏମନ୍ତେ ପ୍ରଭୁ ବନମାଳୀ । ଧର୍ମନନ୍ଦନ ପୁରେ ମିଳି ॥ ୧୧୦
କୁଞ୍ଜର-ମଦଗନ୍ଧ ପାଣି । ସିଞ୍ଚନ୍ତେ ସୁନ୍ଦର ଧରଣୀ ॥ ୧୧୧
ଚିତ୍ର-ପତାକା ଧ୍ୱଜ-ସ୍ତମ୍ଭ । ପତ୍ର ତୋରଣା ପୂର୍ଣ୍ଣକୁମ୍ଭ ॥ ୧୧୨
ବିବିଧ ଅଳଙ୍କାର ଘେନି । ସୁନ୍ଦର ପୁରୁଷ କାମିନୀ ॥ ୧୧୩
ସେବନ୍ତି ନାନା ଉପହାରେ । ଚଞ୍ଚଳଚିତ୍ତେ ପୁରଦ୍ୱାରେ ॥ ୧୧୪
ମାଣିକ୍ୟଦୀପ ଜଳାରନ୍ଧ୍ରେ । ପ୍ରକାଶେ ନାନାପରିବନ୍ଧେ ॥ ୧୧୫
ଅଗୁରୁ ଧୂପ ଗନ୍ଧବାସେ । ସେ ଧୂମ ମୋହେ ଦଶଦିଶେ ॥ ୧୧୬
ନାନା ପତାକା ଚାରିପାଶେ । ସୁନ୍ଦର ସୁବର୍ଣ୍ଣ କଳସେ ॥ ୧୧୭
ରଜତଗିରି ଶୃଙ୍ଖ ପ୍ରାୟେ । ଧର୍ମନନ୍ଦନପୁର ଶୋହେ ॥ ୧୧୮
ଆନନ୍ଦମନେ ହୃଷୀକେଶ । ପାଣ୍ତବଭୁବନେ ପ୍ରବେଶ ॥ ୧୧୯
କୃଷ୍ଣଆଗମ କର୍ଣ୍ଣେ ଶୁଣି । ସେ ପୁରେ ଯେତେକ ତରୁଣୀ ॥ ୧୨୦
ଜନଲୋଚନ ପାନପାତ୍ର । ଭାବେ ତୃଷିତ ବେନିନେତ୍ର ॥ ୧୨୧
ଦେଖିବା ଅର୍ଥେ ଭାବସୁଖେ । ଧାଇଁଲେ ଆନନ୍ଦ ଉତ୍ସୁକେ ॥ ୧୨୨
କେଶବସନ ଅସମ୍ଭାଳେ । ଚରଣ ନ ଚଳେ ନିଶ୍ଚଳେ ॥ ୧୨୩
ଭୋଳେ ତେଜିଲେ ଘରଦ୍ୱାର । ଶଯ୍ୟାରେ ଛାଡ଼ି ନିଜ ବର ॥ ୧୨୪
କୃଷ୍ଣଙ୍କୁ ଦେଖିବାରେ ସଧେ । ଧାଇଁଲେ ରାଜପଥ ମଧ୍ୟେ ॥ ୧୨୫
ଶୁଭଇ ମୁଖରାବ ଗୋଳ । ଯେସନେ ସମୁଦ୍ର ଉଲ୍ଲୋଳ ॥ ୧୨୬
ନାନାସୁବାକ୍ୟେ ଦିଗ ପୂରେ । କେ ଯାଇ ଉଠେ ବୃକ୍ଷପରେ ॥ ୧୨୭
ଜଗତି ଅଟ୍ଟାଳୀ ପାଚେରୀ । ଆରୋହି ଲଜ୍ଜା ଦୂର କରି ॥ ୧୨୮
ନିଜ ଯୁବତୀଗଣ ସାଥେ । କୃଷ୍ଣଙ୍କୁ ଦେଖି ଦିବ୍ୟରଥେ ॥ ୧୨୯
ପୁଷ୍ପବରଷି ସ୍ତୁତି ଭଣି । ଗୁରୁଗଉରବ ନ ଗଣି ॥ ୧୩୦
କୃଷ୍ଣ ସୁନ୍ଦରରୂପ ଦେଖି । ନିର୍ମଳ କଲେ ଚର୍ମ ଆଖି ॥ ୧୩୧
ଅନ୍ତରେ ଆଲିଙ୍ଗନ ଦେଇ । ନୟନେ ସ୍ୱାଗତ ଜଣାଇ ॥ ୧୩୨
କୃଷ୍ଣକାମିନୀ ମଧ୍ୟେ ବସି । ତାରାମଣ୍ତଳେ ଯେହ୍ନେ ଶଶୀ ॥ ୧୩୩
ବୋଲନ୍ତି ଏକୁ ଆରେ ଚାହିଁ । କି ପୁଣ୍ୟ କଲେ ଏ ଗୋ ସହି ॥ ୧୩୪
ଦେଖ ଏ ପୁରୁଷଉତ୍ତମ । ରୂପେ ଗଞ୍ଜଇ କୋଟି କାମ ॥ ୧୩୫
ସୁରଙ୍ଗମୁଖେ ମନ୍ଦହାସେ । ଜୀବନବାନ୍ଧେ କାମପାଶେ ॥ ୧୩୬
ସୁରେଖ ଦେଖ ଭୁରୂଭଙ୍ଗ । ଲୋଚନ ବିସ୍ତାରେ ଅନଙ୍ଗ ॥ ୧୩୭
ଏମନ୍ତ ଭାବୁଁ ନାରୀମାନେ । ଆସି ମିଳିଲେ ପୁରଜନେ ॥ ୧୩୮
ମଙ୍ଗଳ ଦ୍ରବ୍ୟ ଭୁଜଦଣ୍ତେ । କୃଷ୍ଣେ ଦଖନ୍ତି ନୟନେ ॥ ୧୩୯
କୃଷ୍ଣଙ୍କୁ ନମି ଅଶ୍ରୁମୁଖେ । ତରିଲେ ଭବବନ୍ଧଦୁଃଖେ ॥ ୧୪୦
ରାଜାର ଅନ୍ତଃପୁର ଜନେ । କୃଷ୍ଣଙ୍କୁ ଦଖନ୍ତି ନୟନେ ॥ ୧୪୧
ଅଭିଗମନେ ଅନୁସରି । କୃଷ୍ଣଙ୍କୁ ଅନ୍ତଃପୁରେ ଭରି ॥ ୧୪୨
ଉତ୍ସବ କେବା ପରିମାଣି । କୃଷ୍ଣ ଆଗମ କୁନ୍ତୀ ଶୁଣି ॥ ୧୪୩
ଯେ ହରି ତ୍ରିଭୁବନନାଥ । ଲୋକବେଭାରେ ଭ୍ରାତୃସୁତ ॥ ୧୪୪
ନିଜ ପଲ୍ୟଙ୍କୁ ଉଠି ବେଗେ । ଦ୍ରୌପଦୀବଧୂ ଘେନି ସଙ୍ଗେ ॥ ୧୪୫
କୋଳେ ବସାଇ ଭଗବାନ । ଆନନ୍ଦେ କଲେ ଆଲିଙ୍ଗନ ॥ ୧୪୬
ଗୋବିନ୍ଦେ ଆଣି ନିଜପୁରେ । ଧର୍ମନନ୍ଦନ ସ୍ନେହଭରେ ॥ ୧୪୭
ଆନନ୍ଦସିନ୍ଧୁଜଳେ ବୁଡ଼ି । ପୂଜାର କର୍ମପଥ ହୁଡ଼ି ॥ ୧୪୮
ପିତୃଭଗିନୀ ଗୁରୁନାରୀ । ଚରଣ ବନ୍ଦିଲେ ମୁରାରି ॥ ୧୪୯
ସୁଭଦ୍ରା ଦ୍ରୌପଦୀର ସଙ୍ଗେ । ନମିଲା କୃଷ୍ଣପାଦଯୁଗେ ॥ ୧୫୦
ଦ୍ରୁପଦସୁତା ଶୁଦ୍ଧମନେ । ତକ୍ଷଣେ କୁନ୍ତୀର ବଚନେ ॥ ୧୫୧
ପୂଜିଲା ଯଥା ଅନୁମତେ । ଯେ ଯାହା ବିଧାନ ଯେମନ୍ତେ ॥ ୧୫୨
ରୁକ୍ମିଣୀ ସତ୍ୟଭାମା ସତୀ । ଭଦ୍ରା କାଳିନ୍ଦୀ ଜାମ୍ବବତୀ ॥ ୧୫୩
ଲକ୍ଷଣା ସତ୍ୟା ମିତ୍ରବିନ୍ଦା । ଏ ଅଷ୍ଟକୃଷ୍ଣର ପ୍ରମଦା ॥ ୧୫୪
ଏ ଆଦି ଯେତେ କୃଷ୍ଣନାରୀ । ପୂଜିଲେ ଅଳଙ୍କାର ଭରି ॥ ୧୫୫
ଏମନ୍ତେ ଧର୍ମର ନନ୍ଦନ । ସୁଖେ ନିବେଶି ଜନାର୍ଦ୍ଦନ ॥ ୧୫୬
ସକଳଜନ ତୁଲେ ହରି । ନିତ୍ୟେ ନୂତନେ ପୂଜା କରି ॥ ୧୫୭
ପୂର୍ବେ ଅର୍ଜ୍ଜୁନ ତୁଲେ ହରି । ଖାଣ୍ତବବନ ଦାହ କରି ॥ ୧୫୮
ଅଗ୍ନିର କରି ଉପକାର । ରଖିଲେ ମୟଦୈତ୍ୟ ବୀର ॥ ୧୫୯
ତାର ନିର୍ମିତ ମାୟାସଭା । କିବା ଉପମା ଦେବା ଅବା ॥ ୧୬୦
ସେ ସଭାମଧ୍ୟେ ହୃଷୀକେଶ । ଭାବେ ରହିଲେ କେତେ ମାସ ॥ ୧୬୧
ଅର୍ଜ୍ଜୁନ ତୁଲେ ନାରାୟଣ । ସଙ୍ଗତେ ଘେନି ବୀରଗଣ ॥ ୧୬୨
ରଥ ଆରୋହି ଭଗବାନ । ନିତ୍ୟେ ଭ୍ରମନ୍ତି ଦେଶବନ ॥ ୧୬୩
ସେ ହରିଚରଣ ପଙ୍କଜେ । ବ୍ରାହ୍ମଣ ଜଗନ୍ନାଥ ଭଜେ ॥ ୧୬୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ କୃଷ୍ଣସ୍ୟ ଇନ୍ଦ୍ରପ୍ରସ୍ଥ ଗମନଂ ନାମ
ଷଟ୍ସପ୍ତତିତମ ଅଧ୍ୟାୟଃ ॥
* * *