ଦଶମ ସ୍କନ୍ଧ

ଷଟ୍‌ସପ୍ତତିତମ ଅଧ୍ୟାୟ

ମୁନି କହନ୍ତି ଭାବ ବହି । ଆନନ୍ଦେ ରାଜାମୁଖ ଚାହିଁ ॥

ଶୁକ ଉବାଚ

ଏବେ ହୋ ପରୀକ୍ଷିତ ଶୁଣ । ସୁଧର୍ମା ମଧ୍ୟେ ନାରାୟଣ ॥

ଉଦ୍ଧବେ ପଚାରିଲେ ଯାହା । ଶୁଣ ତୁ ଏକମନେ ତାହା ॥

ଉଦ୍ଧବ ଯଦୁସଭା ମଧ୍ୟେ । ନାରଦ ବାକ୍ୟ ଅନୁବନ୍ଧେ ॥

ସଭାଜନଙ୍କ ମନ ଜାଣି । ଶ୍ରୀକୃଷ୍ଣ ମୁଖ ଚାହିଁ ଭଣି ॥

ରାଜାଙ୍କ ଦୂତର ବଚନ । କାର୍ଯ୍ୟ ହୋଇବ ସମାଧାନ ॥

ସର୍ବଜ୍ଞପଣ ଅଛି ତାର । ଯାଦବକୁଳ ମନ୍ତ୍ରୀବର ॥

ପବିତ୍ର ମଧୁର ବଚନ । ହରଷ କରି ସର୍ବ ମନ ॥

କୃଷ୍ଣ ସମୀପେ ଯୋଡ଼ି କର । ବୋଲେ ଉଦ୍ଧବ ମନ୍ତ୍ରୀବର ॥

ଭୋ ନାଥ ଶୁଣ ଭଗବାନ । ସଂସାର ହିତେ ତୋ ଜନମ ॥ ୧୦

ନାରଦମୁନି ଯାହା କହି । ତୁ ତାହା ଜାଣୁ ଭାବଗ୍ରାହୀ ॥ ୧୧

ପିତୃଭଗିନୀସୁତ କର୍ମ । ଶରଣ ରକ୍ଷଣ ତୋର ଧର୍ମ ॥ ୧୨

ପଣ୍ତୁନନ୍ଦନ ଅନୁରାଗେ । ଉତ୍ସବ ରାଜସୂୟ ଯାଗେ ॥ ୧୩

ହୋଇବ ଜରାସନ୍ଧ ହତ । ଏ ବେନି କାର୍ଯ୍ୟ ମୋର ମତ ॥ ୧୪

ଏଣୁ ଆମ୍ଭର ବଡ଼ ଲାଭ । ହୋଇବ ଶୁଣ ପଦ୍ମନାଭ ॥ ୧୫

ତୋହର ଯଶ ମଞ୍ଚେ ଥିବ । ରାଜାଙ୍କ ଦୁଃଖ ନାଶ ଯିବ ॥ ୧୬

ଭୋ ନାଥ ଶୁଣ ନାରାୟଣ । ଜରାସନ୍ଧର ବୀରପଣ ॥ ୧୭

ଦଶସହସ୍ର ମତ୍ତହସ୍ତୀ । ବଳବହଇ ସେ ନୃପତି ॥ ୧୮

ଏଣୁ ବିଷମ କର୍ମ ତାର । କ୍ଷତ୍ରିୟ ମଧ୍ୟେ ବଳିୟାର ॥ ୧୯

କେହି ନୁହଁନ୍ତି ଯୁଦ୍ଧେ ସମ । ସମରେ ପାରେ ଅବା ଭୀମ ॥ ୨୦

ଅବଶ୍ୟ ଭୀମ ମାଲଯୁଦ୍ଧେ । ମାରିବ ଘୋରରଣ ମଧ୍ୟେ ॥ ୨୧

ସୈନ୍ୟ ତେଇଶି ଅକ୍ଷୌହିଣୀ । କେ ପାରେ ରଣେ ତାକୁ ଜିଣି ॥ ୨୨

ଭିକ୍ଷୁକ ବ୍ରାହ୍ମଣ ବଚନ । ସର୍ବଥା ନ କରଇ ଆନ ॥ ୨୩

ଏଣୁ ବ୍ରାହ୍ମଣ ବେଶ ହୋଇ । ଭୀମ ଅର୍ଜୁନ ତୁଲେ ତୁହି ॥ ୨୪

ଭିକ୍ଷୁକ ରୂପେ ଯଜ୍ଞଦ୍ୱାରେ । ମାଗିବୁ ବ୍ରାହ୍ମଣ ବେଭାରେ ॥ ୨୫

ସତ୍ୟ କରାଇ ଦାନକାଳେ । ଭୀମ ମାରିବ ତାକୁ ବଳେ ॥ ୨୬

କେବଳ ସାକ୍ଷୀ ପ୍ରାୟ ହୋଇ । ସମର ମଧ୍ୟେ ଥିବୁ ତୁହି ॥ ୨୭

ତୋର ମହିମା ନ ଜାଣନ୍ତି । ଶିବ-ବିରଞ୍ଚି-ପ୍ରଜାପତି ॥ ୨୮

ରାଜାଏ ବନ୍ଦୀମୋକ୍ଷ ହୋଇ । ଆନନ୍ଦେ ନିଜ ପୁରେ ଯାଇ ॥ ୨୯

କାମିନୀ ମଧ୍ୟେ ତୋର ଯଶ । କହି ହୋଇବେ ମନେ ତୋଷ ॥ ୩୦

ଆତ୍ମାର ବନ୍ଦୀ ବିମୋକ୍ଷଣ । ସେ ଜରାସନ୍ଧର ମରଣ ॥ ୩୧

ନନ୍ଦଗୋକୁଳେ ଗୋପୀଗଣ । ଯେ ଯଶ କରନ୍ତି ଗାୟନ ॥ ୩୨

ଗଜ-କୁମ୍ଭୀର ମୋକ୍ଷ କଥା । ରାବଣ ବଧି ଆଣି ସୀତା ॥ ୩୩

କଂସର ବନ୍ଧନୁ ନିସ୍ତାରି । ତୋହର ତାତ ଗର୍ଭଧାରୀ ॥ ୩୪

ମୁନି ବ୍ରାହ୍ମଣ ଅନୁମତେ । ଆମ୍ଭେ ତୋହର ବନ୍ଧୁ ଯେତେ ॥ ୩୫

ଯେସନେ ତୋରା ଯଶ ଗାଇ । ଭଜନେ ତୋର ବହୁଁ ଦେହୀ ॥ ୩୬

ଭୋ ନାଥ ଜରାସନ୍ଧ ମଲେ । ରାଜାଏ ନିସ୍ତରିବେ ଭଲେ ॥ ୩୭

ହୋଇବ ଯୁଧିଷ୍ଠିର ଯାଗ । ଆମ୍ଭର ଥିବ ଯେବେ ଭାଗ୍ୟ ॥ ୩୮

ଏମନ୍ତ ଉଦ୍ଧବ ବଚନ । ଶୁଣି ଗୋବିନ୍ଦ ତୋଷମନ ॥ ୩୯

ବ୍ରହ୍ମାନନ୍ଦନ ଯଦୁବୃନ୍ଦେ । ଉଦ୍ଧବେ ଚାହିଁ ସାଧୁବାଦେ ॥ ୪୦

ସନ୍ତୋଷେ କରନ୍ତି କଲ୍ୟାଣ । ଏବେ ହୋ ପରୀକ୍ଷିତ ଶୁଣ ॥ ୪୧

ତକ୍ଷଣେ ପ୍ରଭୁ ଦେବରାଜ । ଇନ୍ଦ୍ରପ୍ରସ୍ଥକୁ ହେଲେ ସଜ ॥ ୪୨

ସାତ୍ୟକି ଦାରୁକ ବଦନ । ହରଷେ ଚାହିଁ ଭଗବାନ ॥ ୪୩

ବୋଇଲେ ରଥ ସଜ କର । ଗୁରୁଙ୍କୁ କରି ନମସ୍କାର ॥ ୪୪

କୃଷ୍ଣର ଯେତେକ କାମିନୀ । ସୁତ-ସମ୍ପଦ ସଙ୍ଗେ ଘେନି ॥ ୪୫

କୃଷ୍ଣବଚନେ ସଜ ହୋନ୍ତି । ବିବୁଧେ ଗଗନେ ଦେଖନ୍ତି ॥ ୪୬

ଦାରୁକ ସାଜି ଦେବରଥ । ମିଳିଲା ଗୋବିନ୍ଦ ଅଗ୍ରତ ॥ ୪୭

ଗରୁଡ଼ଧ୍ୱଜ ରଥେ ହରି । ଶଙ୍ଖଶବଦେ ବିଜେକରି ॥ ୪୮

ତକ୍ଷଣେ ଚତୁରଙ୍ଗ ବଳ । ଚଳନ୍ତେ ଶୁଭେ ମୁଖଗୋଳ ॥ ୪୯

ମୃଦଙ୍ଗ ଆଦି ବାଦ୍ୟଘୋଷ । କମ୍ପେ ଗଗନେ ଭୂମିଦେଶ ॥ ୫୦

ନରକୁଞ୍ଜର ଅଶ୍ୱରଥେ । ସୁବର୍ଣ୍ଣ ଶିବିକା ସହିତେ ॥ ୫୧

ସକଳଜନ ଅନୁମତେ । ସେବକ ସେବକୀ ସହିତେ ॥ ୫୨

କୃଷ୍ଣର ଅନୁପଥେ ଯାନ୍ତି । ଯେହ୍ନେ ଗଗନେ ତାରାପନ୍ତି ॥ ୫୩

କୋଳେ ବସାଇ ସୁତ ସୁତା । କୃଷ୍ଣକାମିନୀ ପତିବ୍ରତା ॥ ୫୪

ଦିବ୍ୟବସନ ପରିଧାନ । କୁଙ୍କୁମ ସୁଗନ୍ଧ ଲେପନ ॥ ୫୫

ଖଡ଼ଗ ଚର୍ମ ଧନୁହସ୍ତେ । ବୀରେ ଆବୋରି ଯୂଥେ ଯୂଥେ ॥ ୫୬

ଓଟ ମଇଁଷି ଗୋରୁ ନର । ଗର୍ଦ୍ଦଭ ଅଶ୍ୱ ଅଶ୍ୱତର ॥ ୫୭

ଯାନ ଶକଟେ କରି ଘର । ଚିତ୍ରବିଚିତ୍ର ତମ୍ବୁଦ୍ୱାର ॥ ୫୮

ହସ୍ତୀଙ୍କ ଉପରେ ଅମାରି । ଆନନ୍ଦେ ଯାନ୍ତି ପରିବାରୀ ॥ ୫୯

ଏ ଆଦି ସକଳ ସମ୍ଭାର । ଚଳନ୍ତେ ଶୋହେ ମଞ୍ଚପୁର ॥ ୬୦

ଗମନ୍ତି କୃଷ୍ଣର ସଇନି । ପ୍ରଳୟସିନ୍ଧୁ ପ୍ରାୟ ମଣି ॥ ୬୧

ଉତ୍ତମଧ୍ୱଜ ଛତ୍ରପାଟ । ଚାମର କଳସ କିରୀଟ ॥ ୬୨

ବିବିଧ ଶସ୍ତ୍ରମାନ ସାଜେ । ଝଲକି ରବିରଶ୍ମି ଗଞ୍ଜେ ॥ ୬୩

ଘୋର ଶବଦ ଘରଷଣେ । ଜଳଧି ଯେହ୍ନେ ଉର୍ମିଗଣେ ॥ ୬୪

ବିଷମ କଲ୍ଲୋଳ ସଙ୍କୁଳ । ବିରାଜେ ଯଦୁଭୋଜ-ବଳ ॥ ୬୫

କୃଷ୍ଣବଚନେ ବ୍ରହ୍ମାସୁତ । ନିଜଭୁବନେ ଉପଗତ ॥ ୬୬

ହରିଚରଣେ ନମସ୍କାରି । ହୃଦେ ଗୋବିନ୍ଦ ଭାବ ଭରି ॥ ୬୭

ମୁକୁନ୍ଦ ଦରଶନ ଫଳେ । ଚଞ୍ଚଳ ଇନ୍ଦ୍ରିୟ ନିଶ୍ଚଳେ ॥ ୬୮

ଗଗନମାର୍ଗେ ମୁନି ଗଲେ । ଦୂତ ଯେ ଥିଲା କୃଷ୍ଣତୁଲେ ॥ ୬୯

ରାଜାଙ୍କ ଦୁଃଖ କଷ୍ଟ ଜାଣି । ଦୂତ ବଦନ ଚାହିଁ ଭଣି ॥ ୭୦

ହେ ଦୂତ କହ ଯାଇ ବେଗେ । ବନ୍ଧନ ନୃପତିଙ୍କ ଆଗେ ॥ ୭୧

ଭୟ ନ କର ତୁମ୍ଭେ କେହି । ନାଶିବି ଜରାସନ୍ଧ ମୁହିଁ ॥ ୭୨

ଆଜ୍ଞା ପ୍ରମାଣେ ଦୂତ ଗଲା । ରାଜାଙ୍କୁ ସନ୍ଦେଶ କହିଲା ॥ ୭୩

ଦୂତବଚନ ଶୁଣି କର୍ଣ୍ଣେ । ରାଜାଏ ନିବିଡ଼ ବନ୍ଧନେ ॥ ୭୪

ଛାଡ଼ିଲେ ଘୋରବନ୍ଧ ଦୁଃଖ । କୃଷ୍ଣଦରଶନେ ଉତ୍ସୁକ ॥ ୭୫

କୃଷ୍ଣଚରଣେ ମନ ଦେଇ । ରାତ୍ର ଦିବସେ ପଥ ଚାହିଁ ॥ ୭୬

ଗୋବିନ୍ଦ ବସି ନିଜ ରଥେ । ଗମନ କଲେ ରାଜପଥେ ॥ ୭୭

ଆନର୍ତ୍ତ ସଉବୀର ପୁରୀ । ମରୁଭୁବନ ବେଗେ ତରି ॥ ୭୮

ତକ୍ଷଣେ କୁରୁକ୍ଷେତ୍ର ଜିଣି । ବନ ପର୍ବତ ତରଙ୍ଗିଣୀ ॥ ୭୯

ବିବିଧ ଗ୍ରାମ ପୁର ଘୋଷ । ବନଗହନ ନାନା ଦେଶ ॥ ୮୦

ଦୃଷଦବତୀ ସରସ୍ୱତୀ । ପଥେ ଲଂଘିଲେ ଯଦୁପତି ॥ ୮୧

ପାଞ୍ଚାଳ ମତ୍ସ୍ୟଦେଶ ଜିଣି । ଇନ୍ଦ୍ରପ୍ରସ୍ଥରେ ଚକ୍ରପାଣି ॥ ୮୨

ମିଳି କରନ୍ତି ଶଙ୍ଖନାଦ । ଖଣ୍ତିଲା ସଂସାର ବିଷାଦ ॥ ୮୩

ଶଙ୍ଖଶବଦ ଶୁଣି କର୍ଣ୍ଣେ । ଧର୍ମନନ୍ଦନ ତୋଷମନେ ॥ ୮୪

ଗୁରୁ ସୁହୃଦ ଘେନି ସଙ୍ଗେ । କୃଷ୍ଣଦର୍ଶନ ଅନୁରାଗେ ॥ ୮୫

ଗୀତଶବଦ ନାନାବାଦ୍ୟେ । ବିପ୍ର-ମଙ୍ଗଳ-ବେଦନାଦେ ॥ ୮୬

କୁସୁମ ବୃଷ୍ଟି ପଥେ କରି । ମଙ୍ଗଳେ ଶୁଭେ ହରିହରି ॥ ୮୭

ମିଳିଲେ କୃଷ୍ଣ ପାଶେ ଯାଇ । କିବା ଉପମା ଦେବି ମୁହିଁ ॥ ୮୮

ପ୍ରାଣ ଆଗମେ ମୃତଦେହୀ । ଯେହ୍ନେ ଉଠଇ ଜ୍ଞାନ ପାଇ ॥ ୮୯

ନିଶ୍ଚଳ ଚିତ୍ତେ କୃଷ୍ଣଦେଖି । ନିର୍ମଳ କଲେ ଚର୍ମଆଖ ॥ ୯୦

ଗୋବିନ୍ଦ ସ୍ନେହ ହୃଦେ ବହି । ଅନେକ ଦିନେ ଭେଟ ପାଇ ॥ ୯୧

ହୃଦେ ଲଗାଇ ପୁନଃ ପୁନଃ । ନିବିଡେ଼ କଲେ ଆଲିଙ୍ଗନ ॥ ୯୨

କମଳା ଥାଇ ଯାର ଦେହେ । ସେ ଦେହ ଛୁଇଁ ସ୍ନେହମୋହେ ॥ ୯୩

ନିର୍ମଳ ହୋଇ କମ୍ପେ ଦେହ । ନୟନଯୁଗୁଁ ବହେ ଲୁହ ॥ ୯୪

ହରଷେ ତନୁ ପୁଲକିଲା । ଲୋକ ବେଭାର ପାସୋରିଲା ॥ ୯୫

ଭୀମସେନକୁ ନମସ୍କାର । ଯେମନ୍ତେ ସୁହୃଦ ବେଭାର ॥ ୯୬

ମାତୁଳପୁତ୍ର ପାଇ କୋଳେ । ଆଣ୍ଟେ ଭିଡ଼ିଲେ ପ୍ରେମଭୋଳେ ॥ ୯୭

ଗୋବିନ୍ଦ ଅର୍ଜ୍ଜୁନକୁ କୋଳେ । ବସାଇ ଅତି ସୁଖଭୋଳେ ॥ ୯୮

ନକୁଳ ସହଦେବ ଦୁଇ । କୃଷ୍ଣଚରଣେ ଶିର ଦେଇ ॥ ୯୯

ପ୍ରଣାମ କଲେ ଜଣେ ଜଣୋ ସଙ୍ଗେ ଅେœକ ବିପ୍ରଗଣେ ॥ ୧୦୦

ତାହାଙ୍କ ପାଦେ ଦେଇ କର । ନମିଲେ ବ୍ରହ୍ମାଣ୍ତ ଠାକୁର ॥ ୧୦୧

କୁଳବୃଦ୍ଧଙ୍କ ମୁଖ ଚାହିଁ । କପାଳେ ବେନିକର ଦେଇ ॥ ୧୦୨

ଯେ ଯାହାମତେ ମାନ୍ୟ କରି । ଅର୍ଜ୍ଜୁନକର କରେ ଧରି ॥ ୧୦୩

କୁରୁ ସୃଞ୍ଜୟ କଇକେୟ । ଗୋବିନ୍ଦ ଦେଖି ସ୍ନେହମୋହ ॥ ୧୦୪

ସୂତ ମାଗଧ ବନ୍ଦୀଜନ । ଗନ୍ଧର୍ବ ଉପମନ୍ତ୍ରୀଗଣ ॥ ୧୦୫

ମୃଦଙ୍ଗ ଶଙ୍ଖ ଭେରୀନାଦ । ବିବିଧ ବେଣୁ ବୀଣାବାଦ୍ୟ ॥ ୧୦୬

ବ୍ରାହ୍ମଣେ କୃଷ୍ଣମୁଖ ଚାହିଁ । ସ୍ତୁତି କରନ୍ତି ବେଦ ଗାଇ ॥ ୧୦୭

ଗୋବିନ୍ଦ ଆଗେ ଆଗସରି । ନୃତ୍ୟ କରନ୍ତି ଅପସରୀ ॥ ୧୦୮

ସୁହୃଦଗଣେ ସ୍ତୁତିଭଣି । ପୁଣ୍ୟ ପୁରୁଷ ଶିଖାମଣି ॥ ୧୦୯

ଏମନ୍ତେ ପ୍ରଭୁ ବନମାଳୀ । ଧର୍ମନନ୍ଦନ ପୁରେ ମିଳି ॥ ୧୧୦

କୁଞ୍ଜର-ମଦଗନ୍ଧ ପାଣି । ସିଞ୍ଚନ୍ତେ ସୁନ୍ଦର ଧରଣୀ ॥ ୧୧୧

ଚିତ୍ର-ପତାକା ଧ୍ୱଜ-ସ୍ତମ୍ଭ । ପତ୍ର ତୋରଣା ପୂର୍ଣ୍ଣକୁମ୍ଭ ॥ ୧୧୨

ବିବିଧ ଅଳଙ୍କାର ଘେନି । ସୁନ୍ଦର ପୁରୁଷ କାମିନୀ ॥ ୧୧୩

ସେବନ୍ତି ନାନା ଉପହାରେ । ଚଞ୍ଚଳଚିତ୍ତେ ପୁରଦ୍ୱାରେ ॥ ୧୧୪

ମାଣିକ୍ୟଦୀପ ଜଳାରନ୍ଧ୍ରେ । ପ୍ରକାଶେ ନାନାପରିବନ୍ଧେ ॥ ୧୧୫

ଅଗୁରୁ ଧୂପ ଗନ୍ଧବାସେ । ସେ ଧୂମ ମୋହେ ଦଶଦିଶେ ॥ ୧୧୬

ନାନା ପତାକା ଚାରିପାଶେ । ସୁନ୍ଦର ସୁବର୍ଣ୍ଣ କଳସେ ॥ ୧୧୭

ରଜତଗିରି ଶୃଙ୍ଖ ପ୍ରାୟେ । ଧର୍ମନନ୍ଦନପୁର ଶୋହେ ॥ ୧୧୮

ଆନନ୍ଦମନେ ହୃଷୀକେଶ । ପାଣ୍ତବଭୁବନେ ପ୍ରବେଶ ॥ ୧୧୯

କୃଷ୍ଣଆଗମ କର୍ଣ୍ଣେ ଶୁଣି । ସେ ପୁରେ ଯେତେକ ତରୁଣୀ ॥ ୧୨୦

ଜନଲୋଚନ ପାନପାତ୍ର । ଭାବେ ତୃଷିତ ବେନିନେତ୍ର ॥ ୧୨୧

ଦେଖିବା ଅର୍ଥେ ଭାବସୁଖେ । ଧାଇଁଲେ ଆନନ୍ଦ ଉତ୍ସୁକେ ॥ ୧୨୨

କେଶବସନ ଅସମ୍ଭାଳେ । ଚରଣ ନ ଚଳେ ନିଶ୍ଚଳେ ॥ ୧୨୩

ଭୋଳେ ତେଜିଲେ ଘରଦ୍ୱାର । ଶଯ୍ୟାରେ ଛାଡ଼ି ନିଜ ବର ॥ ୧୨୪

କୃଷ୍ଣଙ୍କୁ ଦେଖିବାରେ ସଧେ । ଧାଇଁଲେ ରାଜପଥ ମଧ୍ୟେ ॥ ୧୨୫

ଶୁଭଇ ମୁଖରାବ ଗୋଳ । ଯେସନେ ସମୁଦ୍ର ଉଲ୍ଲୋଳ ॥ ୧୨୬

ନାନାସୁବାକ୍ୟେ ଦିଗ ପୂରେ । କେ ଯାଇ ଉଠେ ବୃକ୍ଷପରେ ॥ ୧୨୭

ଜଗତି ଅଟ୍ଟାଳୀ ପାଚେରୀ । ଆରୋହି ଲଜ୍ଜା ଦୂର କରି ॥ ୧୨୮

ନିଜ ଯୁବତୀଗଣ ସାଥେ । କୃଷ୍ଣଙ୍କୁ ଦେଖି ଦିବ୍ୟରଥେ ॥ ୧୨୯

ପୁଷ୍ପବରଷି ସ୍ତୁତି ଭଣି । ଗୁରୁଗଉରବ ନ ଗଣି ॥ ୧୩୦

କୃଷ୍ଣ ସୁନ୍ଦରରୂପ ଦେଖି । ନିର୍ମଳ କଲେ ଚର୍ମ ଆଖି ॥ ୧୩୧

ଅନ୍ତରେ ଆଲିଙ୍ଗନ ଦେଇ । ନୟନେ ସ୍ୱାଗତ ଜଣାଇ ॥ ୧୩୨

କୃଷ୍ଣକାମିନୀ ମଧ୍ୟେ ବସି । ତାରାମଣ୍ତଳେ ଯେହ୍ନେ ଶଶୀ ॥ ୧୩୩

ବୋଲନ୍ତି ଏକୁ ଆରେ ଚାହିଁ । କି ପୁଣ୍ୟ କଲେ ଏ ଗୋ ସହି ॥ ୧୩୪

ଦେଖ ଏ ପୁରୁଷଉତ୍ତମ । ରୂପେ ଗଞ୍ଜଇ କୋଟି କାମ ॥ ୧୩୫

ସୁରଙ୍ଗମୁଖେ ମନ୍ଦହାସେ । ଜୀବନବାନ୍ଧେ କାମପାଶେ ॥ ୧୩୬

ସୁରେଖ ଦେଖ ଭୁରୂଭଙ୍ଗ । ଲୋଚନ ବିସ୍ତାରେ ଅନଙ୍ଗ ॥ ୧୩୭

ଏମନ୍ତ ଭାବୁଁ ନାରୀମାନେ । ଆସି ମିଳିଲେ ପୁରଜନେ ॥ ୧୩୮

ମଙ୍ଗଳ ଦ୍ରବ୍ୟ ଭୁଜଦଣ୍ତେ । କୃଷ୍ଣେ ଦଖନ୍ତି ନୟନେ ॥ ୧୩୯

କୃଷ୍ଣଙ୍କୁ ନମି ଅଶ୍ରୁମୁଖେ । ତରିଲେ ଭବବନ୍ଧଦୁଃଖେ ॥ ୧୪୦

ରାଜାର ଅନ୍ତଃପୁର ଜନେ । କୃଷ୍ଣଙ୍କୁ ଦଖନ୍ତି ନୟନେ ॥ ୧୪୧

ଅଭିଗମନେ ଅନୁସରି । କୃଷ୍ଣଙ୍କୁ ଅନ୍ତଃପୁରେ ଭରି ॥ ୧୪୨

ଉତ୍ସବ କେବା ପରିମାଣି । କୃଷ୍ଣ ଆଗମ କୁନ୍ତୀ ଶୁଣି ॥ ୧୪୩

ଯେ ହରି ତ୍ରିଭୁବନନାଥ । ଲୋକବେଭାରେ ଭ୍ରାତୃସୁତ ॥ ୧୪୪

ନିଜ ପଲ୍ୟଙ୍କୁ ଉଠି ବେଗେ । ଦ୍ରୌପଦୀବଧୂ ଘେନି ସଙ୍ଗେ ॥ ୧୪୫

କୋଳେ ବସାଇ ଭଗବାନ । ଆନନ୍ଦେ କଲେ ଆଲିଙ୍ଗନ ॥ ୧୪୬

ଗୋବିନ୍ଦେ ଆଣି ନିଜପୁରେ । ଧର୍ମନନ୍ଦନ ସ୍ନେହଭରେ ॥ ୧୪୭

ଆନନ୍ଦସିନ୍ଧୁଜଳେ ବୁଡ଼ି । ପୂଜାର କର୍ମପଥ ହୁଡ଼ି ॥ ୧୪୮

ପିତୃଭଗିନୀ ଗୁରୁନାରୀ । ଚରଣ ବନ୍ଦିଲେ ମୁରାରି ॥ ୧୪୯

ସୁଭଦ୍ରା ଦ୍ରୌପଦୀର ସଙ୍ଗେ । ନମିଲା କୃଷ୍ଣପାଦଯୁଗେ ॥ ୧୫୦

ଦ୍ରୁପଦସୁତା ଶୁଦ୍ଧମନେ । ତକ୍ଷଣେ କୁନ୍ତୀର ବଚନେ ॥ ୧୫୧

ପୂଜିଲା ଯଥା ଅନୁମତେ । ଯେ ଯାହା ବିଧାନ ଯେମନ୍ତେ ॥ ୧୫୨

ରୁକ୍ମିଣୀ ସତ୍ୟଭାମା ସତୀ । ଭଦ୍ରା କାଳିନ୍ଦୀ ଜାମ୍ବବତୀ ॥ ୧୫୩

ଲକ୍ଷଣା ସତ୍ୟା ମିତ୍ରବିନ୍ଦା । ଏ ଅଷ୍ଟକୃଷ୍ଣର ପ୍ରମଦା ॥ ୧୫୪

ଏ ଆଦି ଯେତେ କୃଷ୍ଣନାରୀ । ପୂଜିଲେ ଅଳଙ୍କାର ଭରି ॥ ୧୫୫

ଏମନ୍ତେ ଧର୍ମର ନନ୍ଦନ । ସୁଖେ ନିବେଶି ଜନାର୍ଦ୍ଦନ ॥ ୧୫୬

ସକଳଜନ ତୁଲେ ହରି । ନିତ୍ୟେ ନୂତନେ ପୂଜା କରି ॥ ୧୫୭

ପୂର୍ବେ ଅର୍ଜ୍ଜୁନ ତୁଲେ ହରି । ଖାଣ୍ତବବନ ଦାହ କରି ॥ ୧୫୮

ଅଗ୍ନିର କରି ଉପକାର । ରଖିଲେ ମୟଦୈତ୍ୟ ବୀର ॥ ୧୫୯

ତାର ନିର୍ମିତ ମାୟାସଭା । କିବା ଉପମା ଦେବା ଅବା ॥ ୧୬୦

ସେ ସଭାମଧ୍ୟେ ହୃଷୀକେଶ । ଭାବେ ରହିଲେ କେତେ ମାସ ॥ ୧୬୧

ଅର୍ଜ୍ଜୁନ ତୁଲେ ନାରାୟଣ । ସଙ୍ଗତେ ଘେନି ବୀରଗଣ ॥ ୧୬୨

ରଥ ଆରୋହି ଭଗବାନ । ନିତ୍ୟେ ଭ୍ରମନ୍ତି ଦେଶବନ ॥ ୧୬୩

ସେ ହରିଚରଣ ପଙ୍କଜେ । ବ୍ରାହ୍ମଣ ଜଗନ୍ନାଥ ଭଜେ ॥ ୧୬୪

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ କୃଷ୍ଣସ୍ୟ ଇନ୍ଦ୍ରପ୍ରସ୍ଥ ଗମନଂ ନାମ

ଷଟ୍ସପ୍ତତିତମ ଅଧ୍ୟାୟଃ ॥

* * *