ଦଶମ ସ୍କନ୍ଧ

ପଞ୍ଚସପ୍ତତିତମ ଅଧ୍ୟାୟ

ଶୁକ ଉବାଚ

ଏବେ ହୋ ଶୁଣ ନରପତି । କୃଷ୍ଣର ଯେତେକ ଯୁବତୀ ॥

ରଜନୀ ପ୍ରଭାତ କଟେ । ଗୃହୀତ ନିଜ ପତି କଣ୍ଠେ ॥

କୃଷ୍ଣର ବିରହେ କାତର । ଭାବେ ଅଧିକ ସ୍ନେହଭର ॥

କୁକ୍କୁଟନାଦ ଶୁଣ କର୍ଣ୍ଣେ । ତାହାକୁ ଅତି ଦୁଃଖ ମନେ ॥

ଶପନ୍ତି ବିରହ ବିଷାଦେ । ନିବିଡେ ଭିତି ସ୍ୱାମୀ ହୃଦେ ॥

କୋକିଳ ଆଦି ପକ୍ଷୀଗଣ । ନାଦେ ବୋଧନ୍ତି ନାରାୟଣ ॥

ବନ୍ଦୀ ମାଗଧ ପ୍ରାୟ ହୋଇ । ସେ ବିଶ୍ୱମ୍ବର ମନ ମୋହି ॥

ସ୍ୱଭାବେ ପାରିଜାତ ବନ । ସୁଗନ୍ଧ ବହଇ ପବନ ॥

ସୁନ୍ଦର ନ ମଣେ ପ୍ରଭାତ । ରୁକ୍ମିଣୀ କୃଷ୍ଣଭାବେ ଚିତ୍ତ ॥

କୃଷ୍ଣ-ଆଲିଙ୍ଗନ-ବିଷାଦେ । ପଶିଲା ବେନିଭୁଜ ମଧ୍ୟେ ॥ ୧୦

ପ୍ରକାଶେ ଅରୁଣ କିରଣ । ଶଯ୍ୟାରୁ ଉଠି ନାରାୟଣ ॥ ୧୧

ପବିତ୍ରଜଳେ ମୁଖ ଧୋଇ । ଚିତ୍ତେ ପରମପଦ ଧ୍ୟାୟି ॥ ୧୨

ଆତ୍ମାକୁ ଆତ୍ମଜ୍ଞାନେ ଚିନ୍ତି । ଯେ ଏକ ନିତ୍ୟ ସ୍ୱୟଂଜ୍ୟୋତି ॥ ୧୩

ଅବ୍ୟୟସ୍ଥିତି ବିଶ୍ୱରୂପୀ । ବ୍ରହ୍ମାଣ୍ତ ମଧ୍ୟେ ଅଛି ବ୍ୟାପି ॥ ୧୪

ରୂପ-ବର୍ଜିତ ନିରଞ୍ଜନ । କଳି-କଳୁଷ ନିବାରଣ ॥ ୧୫

ଏମନ୍ତ ବ୍ରହ୍ମ ଯାର ନାମ । ତ୍ରିଗୁଣ ମୟା ହେତୁ ଧାମ ॥ ୧୬

ଜଗତ ଯାହାର ପ୍ରକାଶେ । ନିର୍ପଣ ବିମ୍ବ ପ୍ରାୟ ଦିଶେ ॥ ୧୭

ଏମନ୍ତ ପ୍ରଭୁ ନରହରି । ନିର୍ମଳ ଜଳେ ସ୍ନାନ ସାରି ॥ ୧୮

କ୍ରିୟାକଳାପ ଯଥାବିଧି । ପବିତ୍ର ପୀତବସ୍ତ୍ର ପିନ୍ଧି ॥ ୧୯

ସନ୍ଧ୍ୟାତର୍ପଣ ଆଦି କର୍ମ । ଅନଳ ପୂଜା ଗୃହଧର୍ମ ॥ ୨୦

ମଉନେ ବେଦମନ୍ତ୍ର ଜପି । ତର୍ପଣ ବିଧି ପାଶେ ସ୍ଥାପି ॥ ୨୧

ରବି ସମ୍ମୁଖେ ନନ୍ଦବଳା । ତର୍ପଣେ ତୋଷି ଆତ୍ମକଳା ॥ ୨୨

ଦେବତା ଋଷି ପିତୃଗଣେ । ଗୋବିନ୍ଦ ପୂଜିଲେ ତର୍ପଣେ ॥ ୨୩

ବୃଦ୍ଧ-ବାଳକ ମୁଖେ ଦେଇ । ବିପ୍ରଙ୍କୁ ଆସନେ ବସାଇ ॥ ୨୪

ସୁବର୍ଣ୍ଣଶୃଙ୍ଗୀ ଧେନୁ ହରି । ମଣ୍ତିଲେ ଅଳଙ୍କାର ଭରି ॥ ୨୫

ମୁକୁତାମାଳେ ପୁଷ୍ପପନ୍ତି । ସାଧୁ ସୁବସ୍ତ୍ର ରୂପବତୀ ॥ ୨୬

କ୍ଷୀରସମ୍ପନ୍ନା ପୀନସ୍ତନୀ । ଦେହେ ମଣ୍ତିଲେ ବତ୍ସ ଘେନି ॥ ୨୭

ରଜତେ ମଣ୍ତି କ୍ଷୁର ଚାରି । ପାଟବସନେ ତିଳ ପୂରି ॥ ୨୮

ନିର୍ମଳ-କୃଷ୍ଣାଜିନ ସଙ୍ଗେ । ବେଦବିହିତ ବିଧି ମାର୍ଗେ ॥ ୨୯

ବିପ୍ରଙ୍କୁ କରି ଅଳଙ୍କୃତ । ଧେନୁ ଅର୍ପିଲେ ଯୂଥ ଯୂଥ ॥ ୩୦

ଏମନ୍ତେ କୃଷ୍ଣ ପ୍ରତିଦିନେ । ବିପ୍ରେ ତୋଷନ୍ତି ଧେନୁଦାନେ ॥ ୩୧

ଗୋ-ବିପ୍ର-ବୃଦ୍ଧ-ଗୁରୁଗଣେ । ଦେନ୍ତା ଆଦି ସର୍ବଜନେ ॥ ୩୨

ଯେତେ ବିଷୟ ଆତ୍ମାଭୂତ । ତାହାଙ୍କୁ ନମି ଗୋପୀନାଥ ॥ ୩୩

ଜଗତଗୁରୁ ଭଗବାନ । ମଙ୍ଗଳ ଦ୍ରବ୍ୟ ସ୍ପରଶନ ॥ ୩୪

ସ୍ୱଭାବେ ଜଗତସୁନ୍ଦର । ଭୂଷଣ ନାନା ଅଳଙ୍କାର ॥ ୩୫

ପୀତବସନେ ଅନୁପମ । ଶ୍ରୀବତ୍ସ କଉସ୍ତୁଭଦାମ ॥ ୩୬

ଦିବ୍ୟକୁସୁମ ମାଳମାଳ । ଶୋହେ ସୁନ୍ଦର ବକ୍ଷସ୍ଥଳ ॥ ୩୭

ଘୃତ୍ୟ ଦର୍ପଣେ ମୁଖ ଚାହିଁ । ବିପ୍ର ଦେବତା କରେ ଛୁଇଁ ॥ ୩୮

ପ୍ରକୃତି ଅନ୍ତଃପୁର ବାସୀ । ଧନେ ତାହାଙ୍କ ମନ ତୋଷି ॥ ୩୯

ବ୍ରାହ୍ମଣ ଆଦି ଚାରିବର୍ଣ୍ଣେ । କୃଣ୍ଣ ପୂଜିଲେ ଅବଧାନେ ॥ ୪୦

ପ୍ରବୋଧ କରି ପୁରଜକନ । ଆନନ୍ଦ କଲେ ଆତ୍ମମନ ॥ ୪୧

ତାମ୍ବୁଳ କୁସୁମ ସୁଗନ୍ଧ । ବିଭାଗ କରି ଆଦିକନ୍ଦ ॥ ୪୨

ବିପ୍ରଙ୍କୁ ଦେଇ ଅଗ୍ରଭାଗ । ଦାରା ପ୍ରକୃତି ଯେଝା ଭାଗ ॥ ୪୩

ସକଳ ଜନେ ସୁଖ ଦେଇ । ଭୋଜନ କଲେ ଭାବଗ୍ରାହୀ ॥ ୪୪

ଯାତ୍ରା ଉତ୍ସବେ ପଦ୍ମମୁଖ । ତକ୍ଷଣେ ମିଳିଲେ ଦାରୁକ ॥ ୪୫

ଅଦ୍ଭୁତ ରଥ ସଜ କରି । ରଥେ ଯୋଚିଲା ଅଶ୍ୱ ଚାରି ॥ ୪୬

ସୁଗ୍ରୀବ ଆଦି ଚାରିଯାନ । ସୁନ୍ଦର ଗୋବିନ୍ଦ ବିମାନ ॥ ୪୭

କାଞ୍ଚନରଜ୍ଜୁ ଅଶ୍ୱ ଯୋଗେ । ସାଜି ମିଳିଲା କୃଷ୍ଣ ଆଗେ ॥ ୪୮

ଦାରୁକ ହସ୍ତେ ହସ୍ତ ଦେଇ । ରଥେ ବିଜୟ ଭାବଗ୍ରାହୀ ॥ ୪୯

ସାତ୍ୟକି ଉଦ୍ଧବ ବିଶ୍ୱାସେ । ବସିଲେ କୃଷ୍ଣ ବେନି ପାଶେ ॥ ୫୦

କି ଅବା ଦେବା ପଟାନ୍ତର । ଶୁଣ ସୁମନେ ଶୋଭା କରେ ॥ ୫୧

ଉଦୟ ପର୍ବତ ଶିଖରେ । ରବି ଯେସନେ ଶୋଭା କରେ ॥ ୫୨

ଯେତେକ ପୁର ବଧୂଜନ । ହାସ୍ୟ କଟାକ୍ଷେ ଭଗବାନ ॥ ୫୩

ସ୍ନେହଲାଳସେ ଅପସରି । ପୁରୁ ବାହାର ନରହରି ॥ ୫୪

ଉଗ୍ରସେନର ସଭାମଧ୍ୟେ । ଯାଇ ମିଳିଲେ ଆଦିକନ୍ଦେ ॥ ୫୫

ବେନିଜନଙ୍କ ହସ୍ତ ଧରି । ସଭାର ମଧ୍ୟେ ବିଜେ କରି ॥ ୫୬

ଉଗ୍ରସେନଙ୍କୁ ନିଉଛାଳି । କରି ବସିଲେ ବନମାଳୀ ॥ ୫୭

ବାମ ଦକ୍ଷିଣେ ବେନି ବୀର । ମଧ୍ୟେ ବିଜୟ ଦାମୋଦର ॥ ୫୮

ଶୁଣ ରାଜନ କୁରୁବୀର । ଉଗ୍ରସେନର ସଭାଘର ॥ ୫୯

ଯାଦବବଳେ ଇନ୍ଦ୍ରସଭା । କିରଣେ ଯେହ୍ନେ ରବିପ୍ରଭା ॥ ୬୦

କୃଷ୍ଣ ସୁଧର୍ମା ମଧ୍ୟସ୍ଥାନେ । ବିଜୟ କାଞ୍ଚନ-ଆସନେ ॥ ୬୧

ମନୁଷ୍ୟ ସୁଧର୍ମା-ପ୍ରବେଶେ । ତକ୍ଷଣେ ଷଡ଼ଉର୍ମ୍ମି ନାଶେ ॥ ୬୨

କୃଷ୍ଣର ତେଜେ ଇନ୍ଦ୍ରସଭା । ବିକାଶେ ଦଶଦିଗ-ପ୍ରଭା ॥ ୬୩

ଯଦୁବୀରଙ୍କ ମଧ୍ୟେ ବସି । ତାରା ମଣ୍ତଳେ ଯେହ୍ନେ ଶଶୀ ॥ ୬୪

ଯେ ଉପମନ୍ତ୍ରୀଗଣ ପାଶେ । ନାନାପ୍ରବନ୍ଧ ପରିହାସେ ॥ ୬୫

କୃଷ୍ଣ ସମୀପେ ସୁଖେ ବସି । କଥା ପ୍ରସ୍ତାବେ ମନ ତୋଷି ॥ ୬୬

ନଟ ନର୍ତ୍ତକୀ ଆଦି ଯେତେ । ମିଳିଲେ ନାନା ବାଦ୍ୟହସ୍ତେ ॥ ୬୭

ନୃତ୍ୟ, ତାଣ୍ତବ ଗୀତ ସ୍ୱନେ । ସୂତ ମାଗଧ ବନ୍ଦୀଜନେ ॥ ୬୮

କୃଷ୍ଣେ କରାଇ ସାବଧାନ । କରନ୍ତି ନୃତ୍ୟ ଗୀତ ମାନ ॥ ୬୯

ବ୍ରାହ୍ମଣେ ଶୁଦ୍ଧ ବେଦନାଦେ । ଶାସ୍ତ୍ର ଆଗମ ଅନୁବନ୍ଧେ ॥ ୭୦

ପୁରାଣ ପ୍ରବନ୍ଧ ପ୍ରମାଣେ । ପୂର୍ବେ ଯେ ଥିଲେ ରାଜାଗଣେ ॥ ୭୧

ତାହାଙ୍କ ପୁଣ୍ୟଯଶ ଗାଇ । କହନ୍ତି କୃଷ୍ଣମୁଖ ଚାହିଁ ॥ ୭୨

ଏବେ ହୋ ଶୁଣ ନରନାଥ । ସଭାରେ ଯେତେ ରାଜଦୂତ ॥ ୭୩

କୃଷ୍ଣ ଆଦେଶେ ଦ୍ୱାରପାଳେ । ପ୍ରବେଶ କଲେ ସଭାତଳେ ॥ ୭୪

ଅଦୃଷ୍ଟପୂର୍ବ ଶ୍ରେଷ୍ଠ ରୂପେ । ମିଳିଲେ ଗୋବିନ୍ଦ ସମୀପେ ॥ ୭୫

ଦୂର ଆଗମେ ପଥଶ୍ରମୀ । ସେ ଦୂତ କୃଷ୍ଣପାଦେ ନମି ॥ ୭୬

କରଅଞ୍ଜଳି ଦେଇ ମୁଣ୍ତେ । ରାଜନିଯୋଗ କହେ ତୁଣ୍ତେ ॥ ୭୭

ଜରାସନ୍ଧର ବନ୍ଦୀଘରେ । ନିବିଡ଼ ଦୁଃଖ ଶୋକଭରେ ॥ ୭୮

ତାହାର ଦିଗବିଜେ କାଳେ । ଯେ ନ ନମିଲେ ପାଦତଳେ ॥ ୭୯

ତାହାଙ୍କୁ ନିଜ ଭୁଜବଳେ । ବନ୍ଧନ କଲା ଏକମେଳେ ॥ ୮୦

ବେନି ଅୟୁତ ପରିମିତ । ରାଜା ନିରୋଧେ ଜରାସୁତ ॥ ୮୧

ଅନେକ ଦୁଃଖଶୋକ ପାଇ । ଦୂତର ହସ୍ତେ ଲେଖ ଦେଇ ॥ ୮୨

ହେ କୃଷ୍ଣ କୃଷ୍ଣ ମହାବାହୁ । ଶରଣ ତୋର ପାଦେ ଯେହୁ ॥ ୮୩

ତାହାର ଦୁଃଖ କରୁ ନାଶ । ତୁ ନାଥ ଭକତବିଶ୍ୱାସ ॥ ୮୪

ପ୍ରପନ୍ନଭୟ ନାଶୁ ଯେଣୁ । ଆମ୍ଭେ ତୋ ପଦ୍ମପାଦେ ତେଣୁ ॥ ୮୫

ବିଭ୍ରମ ବୁଦ୍ଧି ଭବଭୟେ । ଶରଣ ଗଲୁ ତୋର ପାୟେ ॥ ୮୬

ଭୋ ନାଥ ଶୁଣ ଭାବଗ୍ରାହୀ । ଆମ୍ଭେ ଯେ ରାଜଭୋଗ ପାଇ । ୮୭

ଶ୍ରୀମଦେ ବୁଦ୍ଧି କଲୁ ନାଶ । ଏ ଭୂମି ଜୟ କରି ଆଶ ॥ ୮୮

ଏକ ଆରକେ ଯୁଦ୍ଧବଳେ । ପ୍ରଜା ନାଶିଲୁ ମତ୍ତଭୋଳେ ॥ ୮୯

ଅତି ନିର୍ଦ୍ଦୟକର୍ମ କରି । ଅଗ୍ରେ ମରଣ ନ ବିଚାରି ॥ ୯୦

ଏ ଜୀବଲୋକେ ତୋ ସଂସାରେ । ବିକର୍ମେ ରତ ନିରନ୍ତରେ ॥ ୯୧

ତୋହର ମାୟାଚକ୍ରେ ପଡ଼ି । କୁଶଳ କର୍ମପଥ ହୁଡ଼ି ॥ ୯୨

ତାର ଜୀବନ ଆଶା ତୁହି । ନିମିଷେ ନାଶୁ ମାୟାବହି ॥ ୯୩

ଏଣୁ ତୋ ନାମ ଅନିମିଷ । ନମସ୍ତେ ଅନାଦି ପୁରୁଷ ॥ ୯୪

ତୁ ଏ ଜଗତେ ମାୟାଧର । ନିଜ କଳାରେ ଅବତାର ॥ ୯୫

ଆଦିପୁରୁଷ ତୁ ଦୟାଳୁ । ଖଳ ନିବାରି ସନ୍ଥ ପାଳୁ ॥ ୯୬

ଏ ଜରାସନ୍ଧ ଆଦି ଦୁଷ୍ଟ । ଲୋକେ ଦିଅନ୍ତି ନାନା କଷ୍ଟ ॥ ୯୭

ଅବଜ୍ଞା କରି ତୋ ବଚନେ । ଚଳନ୍ତି ନିଜ ଅଭିମାନେ ॥ ୯୮

କି ଅବା କର୍ମଫଳ ବଳେ । କଷ୍ଟ ଲଭୁଛୁଁ ଏ ଶୟଳେ ॥ ୯୯

ଜାଣି ନ ପାରୁ ଆମ୍ଭେ ଏହା । ଯେଣୁ ସକଳ ତୋର ମାୟା ॥ ୧୦୦

ସ୍ୱପ୍ନସଦୃଶ ନୃପସୁଖ । ପର ଆୟତ୍ତେ ନିତ୍ୟେ ଦୁଃଖ ॥ ୧୦୧

ଏ ମୃତ୍ୟୁପିଣ୍ତେ ସ୍ନେହ ବହି । ଯେଣୁ ଆମ୍ଭର ଜ୍ଞାନ ନାହିଁ ॥ ୧୦୨

ତୁ ଆତ୍ମାରୂପୀ ନରହରି । ତୋ ପାଦ ଅନାଦର କରି ॥ ୧୦୩

ତୋତେ ନ ଚିହ୍ନି କ୍ଲେଶ ପାଇ । ତୋହର ମାୟାଜଡେ଼ ଥାଇ ॥ ୧୦୪

ତୋର ଶରଣ ଚକ୍ରଧର । ପ୍ରଣତଜନ ଦୁଃଖ ହର ॥ ୧୦୫

ଏ ଜରାସନ୍ଧ ଧୂମକେତୁ । ଆମ୍ଭର କର୍ମପାଶ-ହେତୁ ॥ ୧୦୬

ତାର ବନ୍ଧନୁ ରକ୍ଷାକର । ଭୋ ନାଥ ଶରଣ ତୋହର ॥ ୧୦୭

ଏ ଦୁରାଚାର ଅତି ଖଳ । ଅୟୁତ-ମତ୍ତଗଜ-ବଳ ॥ ୧୦୮

ଏକ ଅନେକେ ଅଛି ଧରି । ପଶୁଙ୍କୁ ଯେସନେ କେଶରୀ ॥ ୧୦୯

ଏ ଜରାସନ୍ଧ ତୋର ମେଳେ । ଯୁଦ୍ଧେ ନ ଜିଣି ବାହୁବଳେ ॥ ୧୧୦

ତେଇଶି ଅକ୍ଷୌହଣୀ ସାଜି । ସପତଦଶବାର ଭାଜି ॥ ୧୧୧

ତୋର ମାୟାରେ ଚକ୍ରପାଣି । ବେଳେ ଜିଣିଲା ପ୍ରାୟ ମଣି ॥ ୧୧୨

ଲୀଳାମନୁଷ୍ୟ ରୂପ ତୁହି । ତୋତେ ନ ଜାଣି ଗର୍ବ ବହି ॥ ୧୧୩

ତୋହର ପ୍ରଜା କଲା ନାଶ । ଆମ୍ଭେ ନ ଜାଣୁ ତୋ ବିଶ୍ୱାସ ॥ ୧୧୪

ଯେ ତୋର ଇଚ୍ଛା ଏବେ କର । ଆମ୍ଭେ ତୋ ଚରଣେ କିଙ୍କର ॥ ୧୧୫

ଏମନ୍ତ ଦୁଃଖେ ନୃପବରେ । ବନ୍ଧନ ମଗଧ ଦେଶରେ ॥ ୧୧୬

ଇଚ୍ଛନ୍ତି ତବ ଦରଶନ । ଭୋ ନାଥ ହୋଇବା ପ୍ରସନ୍ନ ॥ ୧୧୭

ଆମ୍ଭେ ଦୁଃଖିତ ରାଜାଗଣ । ତୋ ପାଦେ ପଶିଲୁ ଶରଣ ॥ ୧୧୮

ପରମଦୁଃଖୁଁ କର ତ୍ରାହି । ଭୋ ନାଥ ରଖ ଭାବଗ୍ରାହୀ ॥ ୧୧୯

ଏମନ୍ତ କହୁଁ ରାଜଦୂତ । ଆସି ମିଳିଲେ ବ୍ରହ୍ମାସୁତ ॥ ୧୨୦

ଅତିସୁନ୍ଦର ରୂପକାନ୍ତି । ରବିକିରଣ ପ୍ରାୟ ଜ୍ୟୋତି ॥ ୧୨୧

ପିଙ୍ଗଳଜଟା ଶୋହେ ଶିରେ । ମିଳିଲେ ଗୋବିନ୍ଦ ସଭାରେ ॥ ୧୨୨

ନାରଦେ ଦେଖି ଭଗବାନେ । ତକ୍ଷଣେ ତେଜିଲେ ଆସନ ॥ ୧୨୩

ଈଶ୍ୱର ସର୍ବଲୋକ ନାଥ । ନାରଦପାଦେ ପ୍ରଣମିତ ॥ ୧୨୪

ସଭାରେ ମଧ୍ୟେ ଲୋକଯେତେ । ତାହାଙ୍କୁ ନମିଲେ ତୁରିତେ ॥ ୧୨୫

ଆନନ୍ଦେ କମଳାରମଣ । ପୂଜିଲେ ନାରଦ ଚରଣ ॥ ୧୨୬

କନକ ଆସନେ ବସାଇ । କୋମଳେ ବାକ୍ୟେ ଭାବଗ୍ରାହୀ ॥ ୧୨୭

ନାରଦ ମନ କରି ତୋଷ । ପ୍ରସନ୍ନେ ଭକତବିଶ୍ୱାସ ॥ ୧୨୮

ବୋଲନ୍ତି ଶୁଣ ବ୍ରହ୍ମାସୁତ । ଆଜ ମୁଁ ଲଭିଲି ସୁକୃତ ॥ ୧୨୯

ଏ ତିନିପୁର ଲୋକ ଯେତେ । ତାହାଙ୍କ କଲ୍ୟାଣ ନିମନ୍ତେ ॥ ୧୩୦

ତୋର ଭ୍ରମଣ ଏ ଜଗତେ । କୁଶଳ କହ ଶୁଦ୍ଧଚିତ୍ତେ ॥ ୧୩୧

ତୋହର ଗତି ତ୍ରିଭୁବନ । ମିତ୍ର ଅଇରି ତୋର ସମ ॥ ୧୩୨

ଈଶ୍ୱର ନିର୍ମାଣ ଜଗତେ । ନ ଘଟେ ତୋର ଅବିଦିତେ ॥ ୧୩୩

ବାରୁଣାବନ୍ତେ ପାଣ୍ତୁସୁତେ । ଅଛନ୍ତି ଜନନୀ ସହିତେ ॥ ୧୩୪

କି ଅବା କରନ୍ତି ବିଚାର । ତୁମ୍ଭେ ସୁହୃଦ ତାହାଙ୍କର ॥ ୧୩୫

ମୋହର ମନ ତାଙ୍କ କାହିଁ । ତେଣୁ ପୁଚ୍ଛଇ ଭାବ ରହି ॥ ୧୩୬

କୃଷ୍ଣ ବଚନ ବ୍ରହ୍ମାସୁତ । ଶୁଣି ଯୋଡିଲେ ବେନି ହସ୍ତ ॥ ୧୩୭

ଭୋ ନାଥ ନିଜ ମାୟା ତୋର । ବ୍ରହ୍ମାଶଙ୍କରେ ଅଗୋଚର ॥ ୧୩୮

ବିଶ୍ୱେ ସର୍ଜ୍ଜିତ ଯେତେ ଜନ । ମାୟାରେ ମୋହୁ ତାଙ୍କ ମନ ॥ ୧୩୯

ପ୍ରାଣୀଙ୍କ ଦେହେ ଥାଉ ତୁହି । ଅନଳ ପ୍ରାୟ ଗୋପ୍ୟ ହୋଇ ॥ ୧୪୦

ଅଦ୍ଭୂତ ନୁହଁଇନା ତୋତେ । ତେଣୁ ଭାବଇ ମୁହିଁ ଚିତ୍ତେ ॥ ୧୪୧

ତୋହର ମହିମା କେ ଜାଣେ । ଆଗମ ନିଗମ ପ୍ରମାଣେ ॥ ୧୪୨

ସ୍ୱମାୟାବଳେ ଏ ଜଗତ । ସୃଜି ପାଳିଣ କରୁ ଅନ୍ତ ॥ ୧୪୩

ତୁ ସତ୍ୟ ଆତ୍ମାଶକ୍ତି ବଳେ । ନିଜେ ପ୍ରକାଶୁ ଏ ଶୟଳେ ॥ ୧୪୪

ତୋ ଆତ୍ମାରୂପ ବିଲକ୍ଷଣ । ଏଣୁ ନମଇଁ ତୋ ଚରଣ ॥ ୧୪୫

ଜୀବର ସଞ୍ଚରଣ -ପାଶ । ଅନର୍ଥ -ଶରୀର-ପ୍ରକାଶ ॥ ୧୪୬

ଲୀଳାବତୀର ରୂପ ତୋର । ଦୀପ ଯେସନେ ଅନ୍ଧକାର ॥ ୧୪୭

ନାଶଇ ନିଜ ତେଜବଳେ । ତେଣୁ ମୁଁ ତୋର ପାଦତଳେ ॥ ୧୪୮

ପଶିଲି ଛାଡି ମନ ଭ୍ରାନ୍ତି । ଯେଣୁ ତୁ ଅଗତିର ଗତି ॥ ୧୪୯

ତଥାପି ତୋହର ପ୍ରଶନ । ଏ ନରଲୋକେ ବିଡମ୍ବନ ॥ ୧୫୦

ତଥାପି ଶୁଣ ଶୁଦ୍ଧଚେତା । କହିବି ପାଣ୍ତବଙ୍କ କଥା ॥ ୧୫୧

ପିତୃଭଗିନୀସୁତ ତୋର । ଯେ ରାଜା ନାମ ଯୁଧିଷ୍ଠିର ॥ ୧୫୨

ବିଶ୍ୱାସୀ ଭକତ ସେ ତୋର । ଶୁଣ ତୁ ତାହାଙ୍କ ବିଚାର ॥ ୧୫୩

ଦୁସ୍ତର ରାଜସୂୟ ଯାଗେ । ପୂଜିବେ ତୋର ପାଦଯୁଗେ ॥ ୧୫୪

ପରମଇଷ୍ଟ ତାର କାମ । ଆଜ୍ଞା ତୁ ଦିଅ ଶୁଦ୍ଧଧାମ ॥ ୧୫୫

ସେ ରାଜସୂୟ ଯଜ୍ଞବରେ । ଯେତେ ଏ ଲୋକ ତିନିପୁରେ ॥ ୧୫୬

ତୋ ରୂପ ଦେଖିବାର ସଧେ । ଗଗନୁ ଆସିବେ ବିବୁଧେ ॥ ୧୫୭

ଯେତେ ରାଜନ ଯଶକାରୀ । ତୋତେ ଦେଖିବେ ନରହରି ॥ ୧୫୮

ତୋ ନାମ ଶ୍ରବଣ କୀର୍ତ୍ତନ । ନିଶ୍ଚଳ ଚିତ୍ତେ ଯୋଗ ଧ୍ୟାନ ॥ ୧୫୯

ପତିତଜନ ଶୁଦ୍ଧକରେ । ଯେ ପ୍ରାଣୀ ଶରଣ ତୋହରେ ॥ ୧୬୦

ତୁ ବ୍ରହ୍ମ ପରମକାରଣ । କିବା ଅଧିକ ବିଚାରଣ ॥ ୧୬୧

ତୋର ସ୍ମୃତି ଶୃତିପଥ । ନିର୍ମଳ କରଇ ଜଗତ ॥ ୧୬୨

ପାଦଉଦକ ପାପ ହରେ । ଶରୀର ବାହ୍ୟ ଅଭ୍ୟନ୍ତରେ ॥ ୧୬୩

ବଚନ ଶାସ୍ତ୍ରମତେ ହୋଇ । ବିଧି ନିଷେଧ ପଥ ଦୁଇ ॥ ୧୬୪

କାଳ ଅନଳ ଜଳେ ଭ୍ରମୀ । ହତ ବିଭୂତି ମହାଶ୍ରମୀ ॥ ୧୬୫

ତୋହର ଚରଣ ସ୍ପରଶେ । ଜୀବନ ବହୁ ସେ ଉଶ୍ୱାସେ ॥ ୧୬୬

ସେ ପାଦପଦ୍ମ ମହାବାହୁ । ଆମ୍ଭଙ୍କୁ ଚଉବର୍ଗ ଦେଉ ॥ ୧୬୭

ଭୋ ନାଥ ଭୁବନମଙ୍ଗଳ । ତୋହର ଯଶ ସୁନିର୍ମଳ ॥ ୧୬୮

ବିଖ୍ୟାତ ଏ ତିନିଭୁବନେ । ଭଲେ ଜାଣନ୍ତି ସର୍ବଜନେ ॥ ୧୬୯

ସୁରଭୁବନେ ମନ୍ଦାକିନୀ । ପୁଣି ସେ ନିଜ ରୂପ ଘେନି ॥ ୧୭୦

ପାତାଳପୁରେ ଭୋଗବତୀ । ଗଙ୍ଗା ଏ ମଞ୍ଚପୁରେ ସ୍ଥିତି ॥ ୧୭୧

ତୋ ପାଦ ଜଳର ମହିମା । କେ ଜାଣିପାରେ ଗୁଣସୀମା ॥ ୧୭୨

ପବିତ୍ର କରେ ବିଶ୍ୱଜନ । ତୁ ନାଥ ଜଗତମୋହନ ॥ ୧୭୩

ଏମନ୍ତ ସଭା ଆତ୍ମପକ୍ଷେ । ଗୋବିନ୍ଦ ବିଚାରି ପ୍ରତ୍ୟକ୍ଷେ ॥ ୧୭୪

ଜାଣିବା ପାଇଁ ସର୍ବଜନ । ଉଦ୍ଧବେ ଚାହିଁ ଭଗବାନ ॥ ୧୭୫

କୋମଳ ବଚନ ଗଭୀର । ବୋଲନ୍ତି ପ୍ରଭୁ ଦାମୋଦର ॥ ୧୭୬

ଉଦ୍ଧବ ଶୁଣ ମୋ ଉତ୍ତର । ତୁ ମୋର ଚକ୍ଷୁ ମନ୍ତ୍ରବୀର ॥ ୧୭୭

ପ୍ରିୟ ସୁହୃଦ ତୁହି ସାର । ତୋତେ ମୁଁ ପୁଛଇ ବିଚାର ॥ ୧୭୮

ସଂଶୟ ପ୍ରସ୍ତାବଟି ଏହି । ମୁଁ କି କରିବି କହ ତୁହି ॥ ୧୭୯

ଏମନ୍ତ କୃଷ୍ଣ ବାକ୍ୟ ଶୁଣି । ଉଦ୍ଧବ ମନେ ମନେ ଗୁଣି ॥ ୧୮୦

ସର୍ବଜ୍ଞ ଜଗତଜୀବନ । ଅଲଂଘ୍ୟ ଯାହାର ବଚନ ॥ ୧୮୧

ତାହାର ଆଜ୍ଞା ଶିରେ ବହି । କହେ ଗୋବିନ୍ଦ ମୁଖ ଚାହିଁ ॥ ୧୮୨

ସେ ହରି ଚରଣ କମଳେ । ମନ ମୋ ରହୁ ଧ୍ୟାନବଳେ ॥ ୧୮୩

ଅନାଥନାଥ ଜଗନ୍ନାଥ । ସଂସାର ହିତେ ଭାଗବତ ॥ ୧୮୪

ସୁଜନପାଦ ହୃଦେ ଲଇଁ । କରିଣ ନୃତ୍ୟ ଗୀତ ଗାଇ॥ ୧୮୫

କହଇ ଦାସ ଜଗନ୍ନାଥ । ଗୀତବିନୋଦେ ଭାଗବତ ॥ ୧୮୬

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ଭଗବଦ୍‌ଯାନ ବିଚାରେ

ପଞ୍ଚସପ୍ତତିତମ ଅଧ୍ୟାୟଃ ॥

* * *