ଦଶମ ସ୍କନ୍ଧ

ତ୍ରିସପ୍ତତିତମ ଅଧ୍ୟାୟ

ଶୁକ ଉବାଚ

କହନ୍ତି ବ୍ୟାସଙ୍କ ନନ୍ଦନ । ଶୁଣ ହୋ ରାମର ବିକ୍ରମ ॥

ଥିଲା ଯେ ଦୁର୍ଯ୍ୟୋଧନ ରାଜା । ଲକ୍ଷ୍ମଣା ତାହାର ତନୁଜା ॥

ତାହାର ସ୍ୱୟମ୍ବର କାଳେ । କୃଷ୍ଣନନ୍ଦନ ଯାଇ ବଳେ ॥

ହରିଲା ଶାମ୍ବ ବଳବନ୍ତ । ସୁନ୍ଦର ଜାମ୍ବବତୀସୁତ ॥

ଦେଖି କନ୍ୟାର ରୂପଗୁଣ । ହରିଲା ସ୍ୱୟମ୍ବରୁ ପୁଣ ॥

ଲକ୍ଷେକ ରାଜା ଥିଲେ ଚାହିଁ । ରଥେ ବସିଲା କନ୍ୟା ନେଇ ॥

ଯେମନ୍ତ ବିକ୍ରମ କୃଷ୍ଣର । ତେମନ୍ତ କଲା ଶାମ୍ବବୀର ॥

ଦେଖି ତାହାର ଦୁଷ୍ଟପଣ । କୋପେ କମ୍ପିଲା କୁରୁରାଣ ॥

ଦେଖ ଏ ଶ୍ରୀକୃଷ୍ଣରବଳା । ଆମ୍ଭର ମୁଖେ ଦେଲା କଳା ॥

ଆମ୍ଭଙ୍କୁ କରି ହୀନିମାନ । କୁଳୁ ହରିଲା କନ୍ୟାଧନ ॥ ୧୦

ଆମ୍ଭ ବିଚାରେ ଦେବା ନାହିଁ । ଏମନ୍ତ କହି କୋପ ବହି ॥ ୧୧

ଏହାକୁ ବନ୍ଦୀକର ବଳେ । କି କରି ପାରିବେ ଗୋପାଳେ ॥ ୧୨

ଆମ୍ଭର ଦେଲା ରାଜପଣ । ରାଜ୍ୟ ଭୁଞ୍ଜନ୍ତି ଯଦୁଗଣ ॥ ୧୩

ଏହାର ପାଇଁ ଯେବେଛଳେ । ଯାଦବେ ଆସି ବାହୁବଳେ ॥ ୧୪

ଆମ୍ଭର ତୁଲେ ଯୁଦ୍ଧ କରି । ହେଳେ ସଂଗ୍ରାମେ ଯିବେ ହାରି ॥ ୧୫

ବିମୁଖେ ନ କରିବେ ରଣ । ଯୋଗେ ଯେସନ ଇନ୍ଦ୍ରିଗଣ ॥ ୧୬

ଏମନ୍ତେ କରି ଏକମନ । ଭୁରିଶ୍ରବାଦି ଶଲ୍ୟ କର୍ଣ୍ଣ ॥ ୧୭

ଯୁଯଜ୍ଞକେତୁ ଦୁର୍ଯ୍ୟୋଧନ । ଆରାଧି ଅନ୍ଧର ବଚନ ॥ ୧୮

ଭୀଷ୍ମ ଦ୍ରୋଣଙ୍କ ଆଜ୍ଞା ପାଇ । ସକଳ ବୀରେ ସଜ ହୋଇ ॥ ୧୯

ଏକ ଆରକେ ମହାଦମ୍ଭ । ସମର କରଣେ ଆରମ୍ଭ ॥ ୨୦

କୃପ ଧାଇଁଲେ ମନଦୁଃଖେ । ମିଳିଲେ ଶାମ୍ବର ସମ୍ମୁଖେ ॥ ୨୧

ଦେଖି ତାହାଙ୍କ ଦୁଷ୍ଟଚିତ୍ତ । କୃଷ୍ଣନନ୍ଦନ ବଳବନ୍ତ ॥ ୨୨

ନିଜ କୋଦଣ୍ତେ ଗୁଣ ଦେଇ । ରହିଲା ସିଂହପ୍ରାୟ ହୋଇ ॥ ୨୩

ବେଗେ ମିଳିଲେ କୁରୁବଳ । ଶୁଭଇ ମୁଖରାବ-ଗୋଳ ॥ ୨୪

ଡାକନ୍ତି ଧର ଧର ବାଣୀ । ସିନ୍ଧୁଶବଦ ପ୍ରାୟ ମଣି ॥ ୨୫

ଶାମ୍ବକୁ ଜିଣିବାର ଆଶେ । ବେଗେ ମିଳିଲେ ତାର ପାଶେ ॥ ୨୬

ରୁନ୍ଧିଲେ ଚାରିଦିଗ କୋଣେ । କର୍ଣ୍ଣ ସହିତେ ଘୋରରଣେ ॥ ୨୭

ସ୍ୱଭାବେ ସର୍ବେ ଧନୁର୍ଦ୍ଧର । ଶର ବରଷା ମହାଘୋର ॥ ୨୮

କରି ରୁନ୍ଧିଲେ ଦଶଦିଶେ । ତା ଦେଖି ଶାମ୍ବ ମହାରୋଷେ ॥ ୨୯

କୋପେଣ କମ୍ପଇ ଶରୀର । ନିର୍ଭୟେ କୃଷ୍ଣରକୁମର ॥ ୩୦

ଛାଗଳ ପଲ ମଧ୍ୟେ ଥାଇ । କେଶରୀ ଯେମନ୍ତେ ଦିଶଇ ॥ ୩୧

ଶାମ୍ବ କରନ୍ତେ ଗୁଣଘୋଷ । ଶବଦେ କମ୍ପେ ଦଶଦିଶ ॥ ୩୨

କର୍ଣ୍ଣ ସହିତେ ଷଡ଼ରଥୀ । ଶାମ୍ବକୁ ବାଣ ବରଷନ୍ତି ॥ ୩୩

ଦେଖି କୁପିତ କୃଷ୍ଣସୁତ । ବାଣ ବରଷେ ଅବିରତ ॥ ୩୪

କର୍ଣ୍ଣକୁ ପାଞ୍ଚବାଣ ବିନ୍ଧି । ରଥ ସାରଥି ଅଶ୍ୱ ଛେଦି ॥ ୩୫

ଷଡ଼ରଥୀଙ୍କି ଏହିମତେ । ବାଣ ବିନ୍ଧିଲା ଅପ୍ରମିତେ ॥ ୩୬

ଦେଖି ତାହାର କ୍ଷତ୍ରିପଣ । କୁରୁଏ କଲେ ଘୋରରଣ ॥ ୩୭

ସାଧୁଶବଦ ଉଚ୍ଚନାଦେ । ଶୁଭିଲା କୁରୁବଳ ମଧ୍ୟେ ॥ ୩୮

ଶାମ୍ବ ଉପରେ କୁରୁବୀରେ । ତୀକ୍ଷ୍ଣ ନାରାଚ କୋପଭରେ ॥ ୩୯

ବିନ୍ଧି ସାରଥି କଲେ ନାଶ । ଛେଦିଲେ ଅଶ୍ୱଙ୍କର ପାଶ ॥ ୪୦

ରଥକୁ କଲେ ଖଣ୍ତ ଖଣ୍ତ । ଛେଦିଲେ ହସ୍ତର କୋଦଣ୍ତ ॥ ୪୧

ବିରଥ କରି ତାକୁ ବଳେ । ବନ୍ଧନ କଲେ ଅବହେଳେ ॥ ୪୨

କନ୍ୟା ସହିତେ ତାକୁ ଧରି । ମିଳିଲେ ହସ୍ତିନାନଗରୀ ॥ ୪୩

କଷ୍ଟରେ କୃଷ୍ଣସୁତ ଜିଣି । ସମରେ ଜୟପ୍ରାୟ ମଣି ॥ ୪୪

ହୋଇଲେ ନିର୍ଭୟ ନିଶ୍ଚିନ୍ତ । ଏବେ ହୋ ଶୁଣ ନରନାଥ ॥ ୪୫

ବ୍ରହ୍ମନନ୍ଦନ ତାହା ଜାଣି । ରାମ-ବିକ୍ରମ ପରିମାଣି ॥ ୪୬

ମିଳିଲେ ଦ୍ୱାରକାଭୁବନେ । ରାମ-ଗୋବିନ୍ଦ ସନ୍ନିଧାନେ ॥ ୪୭

ଉଗ୍ରସେନର ସଭାମଧ୍ୟେ । ନାରଦ କହେ ମନଖେେଦେ ॥ ୪୮

ଶୁଣ ହୋ ଭୋଜ ନୃପବର । କୁରୁସଭାର ଅବିଚାର ॥ ୪୯

ତାହାର କନ୍ୟା-ସ୍ୱୟମ୍ବରେ । ଶାମ୍ବ ଯେ ଗଲା ତାର ପୁରେ ॥ ୫୦

କନ୍ୟା ବରିଲା ଇଚ୍ଛାମତେ । ଦେଖି କୌରବେ କୋପଚିତ୍ତେ ॥ ୫୧

କୂଟ ସଂଗ୍ରାମେ ତାକୁ ଧରି । ରଖିଲେ ହସ୍ତିନାନଗରୀ ॥ ୫୨

ଏମନ୍ତ କହି କୃଷ୍ଣଆଗେ । ନାରଦ ଗଲେ ଶୂନ୍ୟମାର୍ଗେ ॥ ୫୩

ନାରଦବାକ୍ୟ କର୍ଣ୍ଣେ ଶୁଣି । ସମରେ ସଜ ଚକ୍ରପାଣି ॥ ୫୪

ପୁତ୍ରବନ୍ଧନ ଶୁଣି ରୋଷେ । ଦାରୁକ ରାଇଲେ ବିଶ୍ୱାସେ ॥ ୫୫

ବୋଇଲେ ରଥ ସାଜ ବେଗେ । ତା ଶୁଣି ସାଜିଲେ ଯାଦବେ ॥ ୫୬

ଉଗ୍ରସେନର ଆଜ୍ଞା ପାଇ । ବୀରେ ଚଳିଲେ ସଜ ହୋଇ ॥ ୫୭

କେ କହୁ କୃଷ୍ଣର ସଇନି । ଚଳନ୍ତେ କମ୍ପଇ ମେଦିନୀ ॥ ୫୮

ବାଜଇ ବୀରତୂରମାନ । ରଥେ ବିଜୟ ଭଗବାନ ॥ ୫୯

ଦେଖିଣ ଗୋବିନ୍ଦ ଆଗମ । ବୋଲନ୍ତି ପ୍ରଭୁ ବଳରାମ ॥ ୬୦

ଏ ତ ନୁହଇ ଭଲ କଥା । ବନ୍ଧୁରେ ବିରୋଧ ବ୍ୟବସ୍ଥା ॥ ୬୧

ସେ ଯେବେ ନ ଜାଣି ଆଚରି । ଆମ୍ଭେ କେମନ୍ତେ ବାଦ କରି ॥ ୬୨

ତୁମ୍ଭେ ନ ମନେରୋଷ । ମୁହିଁ ଯେ ତାଙ୍କର ବିଶ୍ୱାସ ॥ ୬୩

ଆଜ ହସ୍ତିନା ଯିବି ମୁହିଁ । ଉଭୟକୁଳ ଭାବ ବହି ॥ ୬୪

ତୁମ୍ଭେ ନ କର ଆଗମନ । ଶୁଣି ରହିଲେ ଭଗବାନ ॥ ୬୫

ଏମନ୍ତେ ପ୍ରଭୁ ବଳରାମ । ଯାଦବବଳ କରି ସାମ ॥ ୬୬

ଉଗ୍ରସେନକୁ ବୋଧ କରି । ହସ୍ତିନା ବିଜେ ହଳଧାରୀ ॥ ୬୭

କୁରୁଯାଦବ ହିତ ଅର୍ଥେ । ବେଗେ ଚଳିଲେ ହଳହସ୍ତେ ॥ ୬୮

ଆନନ୍ଦେ ରେବତୀରମଣ । କଳି-କଳୁଷ-ନିବାରଣ ॥ ୬୯

କୁଳବୃଦ୍ଧଙ୍କୁ ରାଇ ବେଗେ । ଉତ୍ତମବିପ୍ର ଘେନି ସଙ୍ଗେ ॥ ୭୦

ରଥେ ବସିଲେ ତୋଷମନେ । ନକ୍ଷତ୍ର ମଧ୍ୟେ ଚନ୍ଦ୍ର ଯେହ୍ନେ ॥ ୭୧

ମିଳିଲେ ହସ୍ତିନାଭୁବନେ । ଦୁର୍ଯ୍ୟୋଧନର ଉପବନେ ॥ ୭୨

ରାମ ଆଦେଶେ ମନ୍ତ୍ରୀବର । ଉଦ୍ଧବ ଗଲା କୁରୁପୁର ॥ ୭୩

ଦୁର୍ଯ୍ୟୋଧନର ସଭାମଧ୍ୟେ । ନମିଲା ଧୃତରାଷ୍ଟ୍ର ପାଦେ ॥ ୭୪

ଭୀଷ୍ମ-ଦ୍ରୋଣଙ୍କ ପାଦେ ନମି । ବୋଲେ ସୁହୃଦଭାବ ଘେନି ॥ ୭୫

ଦୁର୍ଯ୍ୟୋଧନଙ୍କୁ କରି ଶମ । କହିଲା ରାମର ଆଗମ ॥ ୭୬

ଶୁଣି ରାମର ଆଗମନ । ଆନନ୍ଦ ହୋଇ ଭୀଷ୍ମ ଦ୍ରୋଣ ॥ ୭୭

ସଭାରୁ ଉଠି ଧାତିକାରେ । ମିଳିଲେ ରାମର ଛାମୁରେ ॥ ୭୮

ବନ୍ଧୁସ୍ୱଭାବପଣେ ହେଜି । ରାମଙ୍କୁ ଷଡ଼ଅର୍ଘ୍ୟେ ପୂଜି ॥ ୭୯

କହିଣ ମଧୁର ବଚନ । ଆନନ୍ଦ କଲେ ରାମ ମନ ॥ ୮୦

କୁରୁଙ୍କ ମଧ୍ୟେ ଧୀରମତି । ରାମ ମହିମା ସେ ଜାଣନ୍ତି ॥ ୮୧

ଭାବେ ନମିଲେ ରାମପାଦେ । ବନ୍ଦୁ କୁଶଳ ପ୍ରୀତି ସଧେ ॥ ୮୨

ରାମହିଁ କଲେ ଯଥାବିଧି । ଯେ ବନ୍ଧୁକୁଶଳ ପ୍ରସିଦ୍ଧି ॥ ୮୩

କୁରୁଙ୍କ ମଧ୍ୟେ ହଳପାଣି । କହନ୍ତି ପ୍ରିୟଭାବ ଘେନି ॥ ୮୪

ରାଜାଧିରାଜ ଉଗ୍ରସେନ । ଯେମନ୍ତ ବୋଲିଛି ବଚନ ॥ ୮୫

ବେଗେ କରିବ ସେହିମତ । ଆତ୍ମାକୁଳଶ ଯେବେ ଚିନ୍ତ ॥ ୮୬

ତୁମ୍ଭେ ଉତ୍ତମ ଶସ୍ତ୍ରଧାରୀ । ଧର୍ମର ପଥ ନ ବିଚାରି ॥ ୮୭

କପଟଯୁଦ୍ଧେ କୃଷ୍ଣସୁତ । ଧରି ମଣିଲ କୃତକୃତ୍ୟ ॥ ୮୮

ଏ ଅପରାଧ ଆମ୍ଭେ ସହି । ବନ୍ଧୁକୁଶଳ ମନେ ବହି ॥ ୮୯

ଏମନ୍ତ ଶୁଣି ରାମକଥା । ସ୍ୱଭାବେ ସର୍ବେ ମହାରଥା ॥ ୯୦

କୁରୁନନ୍ଦନ ଦୁର୍ଯ୍ୟୋଧନ । ଆବର ଯେତେ ଦୁଷ୍ଟଜନ ॥ ୯୧

ଆତ୍ମାର ନିନ୍ଦାପ୍ରାୟ ବାଣୀ । ବଳଦେବଙ୍କ ମୁଖୁଁ ଶୁଣି ॥ ୯୨

ବଦନ ଚାହିଁ ଏକେ ଏକେ । କୋପେ ବୋଲନ୍ତି ମନଦୁଃଖେ ॥ ୯୩

ଦେଖ ବିଚିତ୍ର କାଳଗତି । ଯାହା କହିଲେ ଯଦୁପତି ॥ ୯୪

ଚର୍ମପାଦୁକା ଗର୍ବ ବହି । ଶିରମୁକୁଟ ଶିଖେ ଯାଇ ॥ ୯୫

ଥିବାକୁ କରଇ ବିଚାର । ଏମନ୍ତ ଗର୍ବ ଏହାଙ୍କର ॥ ୯୬

ଏହାଙ୍କୁ ଆମ୍ଭେ ବନ୍ଧୁପଣେ । ରାଜ୍ୟେ ସ୍ଥାପିଲୁ ରାଜାପଣେ ॥ ୯୭

ନୁହଁନ୍ତି ରାଜପଣେ ଯୋଗ୍ୟ । ଆମ୍ଭର ଦେଲା ବଇଭୋଗ ॥ ୯୮

ଭୁଞ୍ଜି ମଣନ୍ତି ଆତ୍ମାଶିରୀ । ଯେଣୁ ଉପେକ୍ଷା ଆମ୍ଭେ କରି ॥ ୯୯

ଏହାଙ୍କ ରାଜ୍ୟ ନେବା ବଳେ । ଗର୍ବ ଯେ କଲେ ମତ୍ତଭୋଳେ ॥ ୧୦୦

ରାଜ୍ୟକୁ ନୁହଁନ୍ତି ଭାଜନ । ସର୍ପକୁ ଯେହ୍ନେ କ୍ଷୀରପାନ ॥ ୧୦୧

କ୍ଷୀର-ସଂଯୋଗେ ବଢେ଼ ବିଷ । ଦାତାକୁ କରେ ପ୍ରାଣେ ନାଶ ॥ ୧୦୨

ଆମ୍ଭର ଦେଲା ଅନ୍ନ ଖାଇ । ସର୍ପର ପ୍ରାୟ ଗର୍ବ ବହି ॥ ୧୦୩

ଆମ୍ଭଙ୍କୁ ଆଜ୍ଞା ଏ ଦିଅନ୍ତି । ଅଳପ ପ୍ରାୟେକ ମଣନ୍ତି ॥ ୧୦୪

ଦେଖ ଆମ୍ଭର ତୁଲେ ବାଦେ । ଇନ୍ଦ୍ର ନ ରହେ ରଣମଧ୍ୟେ ॥ ୧୦୫

ସିଂହ ସମ୍ମୁଖେ ଯେହ୍ନେ ମେଷ । ତେହ୍ନେ ଛାଡ଼ଇ ସ୍ୱର୍ଗଦେଶ ॥ ୧୦୬

କହନ୍ତି ଶୁକମୁନିବର । ଶୁଣ ହେ କୁରୁଙ୍କ ବେଭାର ॥ ୧୦୭

ଉତ୍ତମଜନ ବନ୍ଧୁଜନେ । ଗର୍ବ ବହିଲେ ଦୁଷ୍ଟମନେ ॥ ୧୦୮

ଏମନ୍ତ କୁରୁ ଦୁଷ୍ଟବାଣୀ । ଶୁଣି କୋପିଲେ ହଳପାଣି ॥ ୧୦୯

କୋପେ ଯମର ପ୍ରାୟ ଦିଶି । ବୋଲନ୍ତି ପୁଣ ପୁଣ ହସି ॥ ୧୧୦

ଦେଖ ସଂସାର ବେଭାର । ସମ୍ପଦ ବଢ଼ଇ ଯାହାର ॥ ୧୧୧

ଅସାଧୁପଣ ଆଚରନ୍ତି । ଆତ୍ମାର ସୁଖ ନ ଇଚ୍ଛନ୍ତି ॥ ୧୧୨

ତାଙ୍କ ପ୍ରସଙ୍ଗେ ଦଣ୍ତ ହିତ । ପଶୁଙ୍କୁ ଲଗୁଡ଼ ଯେମନ୍ତ ॥ ୧୧୩

ଏ ବଡ଼ ଖେଦ ମୋର ମନେ । ଉଗ୍ରସେନର ଅପମାନେ ॥ ୧୧୪

ଯଦୁଙ୍କ ତୁଲେ ନାରାୟଣ । ଏହାଙ୍କ ସଙ୍ଗେ ଇଚ୍ଛି ରଣ ॥ ୧୧୫

ସକଳ ସୈନ୍ୟ ତୁଲେ ସାଜି । ରଥ କୁଞ୍ଜର ନର ବାଜି ॥ ୧୧୬

ନଗରୁ ହୋଇଲେ ବାହାର । ମୁଁ ଏହା କରି ସୁବିଚାର ॥ ୧୧୭

ଏହାଙ୍କ ପ୍ରିୟଭାବ ବହି । ନିବାରି ଅଇଲି ଯେ ମୁହିଁ ॥ ୧୧୮

ତହିଁର ଫଳ ଏବେ ମୋତେ । ଦଇବେ ଫଳିଲା ଉଚିତେ ॥ ୧୧୯

ଏ ଯେ ସ୍ୱଭାବେ ମନ୍ଦମତି । କଳହରୁଚି ଖଳପ୍ରୀତି ॥ ୧୨୦

ଦେଖ ଅବଜ୍ଞା ମୋତେ କଲେ । ଦୁଷ୍ଟବଚନ ନିନ୍ଦାବୋଲେ ॥ ୧୨୧

ଭୋଜ ଅନ୍ଧକ ବୃଷ୍ଣିବଂଶ । ଯାହାର ପୁତ୍ର ବୀରକଂସ ॥ ୧୨୨

ଯାଦବକୁଳର ଈଶ୍ୱର । କୃଷ୍ଣ ଯାହାର ଅନୁଚର ॥ ୧୨୩

ସେ କାହିଁ ରାଜପଣେ ସାଜେ । ଦେବେ ଖଟନ୍ତି ଯା ସମାଜେ ॥ ୧୨୪

ବାସବ ଆଦି ଦିଗପାଳେ । ସେବନ୍ତି ଯାର ପାଦତଳେ ॥ ୧୨୫

ସୁଧର୍ମାସଭା ଯାର ଦ୍ୱାରେ । ପାରିଜାତକପୁଷ୍ପ ପୁରେ ॥ ୧୨୬

ମର୍ତ୍ତ୍ୟେ କରଇ ସ୍ୱର୍ଗଭୋଗ । ସେ ନୋହେ ରାଜପଣେ ଯୋଗ୍ୟ ॥ ୧୨୭

ପଦ୍ମସମ୍ଭବା କମଳିନୀ । ସ୍ୱଭାବେ ଜଗତଜନନୀ ॥ ୧୨୮

ସେ ଯାର ସେବଇ ଚରଣେ । ସେ କାହିଁ ଯୋଗ୍ୟ ରାଜ ପଣେ ॥ ୧୨୯

ଯାହାର ପାଦପଦ୍ମରଜ । ଅଖିଳଦେବଙ୍କ ସମାଜ ॥ ୧୩୦

ପବିତ୍ର କରେ ମୁନି ତୀର୍ଥ । ଯେଣୁ ସେ ତୀର୍ଥଙ୍କର ତୀର୍ଥ ॥ ୧୩୧

ବ୍ରହ୍ମାଶଙ୍କର ଆଦି ମୁହିଁ । ଯାହାର ଅଂଶେ ଦେହବହି ॥ ୧୩୨

ଲକ୍ଷ୍ମୀ ସହିତେ ଆଜ୍ଞା ବହି । ତାହାର ନୃପାସନ କାହିଁ ॥ ୧୩୩

କୁରୁଙ୍କ ଭୋଗ ଆମ୍ଭେ ଖାଇ । ଧରଣୀ ମଧ୍ୟେ ଦେହ ବହି ॥ ୧୩୪

ଆମ୍ଭେ ସକଳେ ଉପାନହ । କୁରୁ ବହନ୍ତି ଶିର ଦେହ ॥ ୧୩୫

କାହାର ବଳେ ଏହା ସହି । ରୁଧିର ମାଂସ ଦେହ ବହି ॥ ୧୩୬

ଦେଖ ଏ କୁରୁକୁଳ ମତ । ସମ୍ପଦେ ହୋଇ ଅନାୟତ୍ତ ॥ ୧୩୭

ମାନୀ ଅଟନ୍ତି ଗର୍ବ ବହି । କେ ଏହା ସହେ ପ୍ରଭୁ ହୋଇ ॥ ୧୩୮

ଆଜ କରିବି ପ୍ରତିଫଳ । ଏମନ୍ତ ବୋଲି ତୀକ୍ଷ୍ଣ ହଳ ॥ ୧୩୯

ତକ୍ଷଣେ ଘେନି ବାମହସ୍ତେ । ବୋଲନ୍ତି ରାମ କୋପଚିତ୍ତେ ॥ ୧୪୦

ଆଜ ମୁଁ ଏହାଙ୍କୁ ସଂହାରି । ସୁଖୀ କରିବି ବସୁନ୍ଧରୀ ॥ ୧୪୧

ତେବେ ସେ ଯିବି ନିଜପୁର । ସତ୍ୟବଚନ ଏ ମୋହର ॥ ୧୪୨

ଏମନ୍ତ ବୋଲି କୋପେ ଉଠି । ଦୃଢେ ଧଇଲେ ହଳମୁଷ୍ଟି ॥ ୧୪୩

ରାମର କୋପ ଗୁରୁତର । ତେଜ କି ଦହେ ତିନିପୁର ॥ ୧୪୪

ଲଙ୍ଗଳେ ହସ୍ତିନା ଉପାଡ଼ି । ଶବଦ ଶୁଭେ ଘଡ଼ଘଡ଼ି ॥ ୧୪୫

ଦକ୍ଷିଣ କରେ ସଉନନ୍ଦ । ଶୂନ୍ୟେ ଦେଖନ୍ତି ଦେବବୃନ୍ଦ ॥ ୧୪୬

ନଗର ଛାଡ଼ି ଗଙ୍ଗାଜଳେ । କୌରବେ ପଡ଼ନ୍ତୁ ପାତାଳେ ॥ ୧୪୭

ଏମନ୍ତ ବୋଲି ହଳଧାରୀ । ହସ୍ତିନା ଉପାଡ଼ିଲେ ଧରି ॥ ୧୪୮

ସମୁଦ୍ରେ ନାବପ୍ରାୟ ହୋଇ । ହସ୍ତିନାନଗର କମ୍ପଇ ॥ ୧୪୯

ପଡ଼ିବା ପ୍ରାୟ ଗଙ୍ଗାଜଳେ । ଦେଖିଣ କୌରବେ ବିକଳେ ॥ ୧୫୦

କୁଟୁମ୍ବ ତୁଲେ ଉଚ୍ଚନାଦେ । ଶରଣ ଗଲେ ରାମପାଦେ ॥ ୧୫୧

ଡ଼ାକନ୍ତି ଜୀବନ ବିକଳେ । ଭୋ ରାମ ରଖ ପାଦତଳେ ॥ ୧୫୨

ଆମ୍ଭେ ତ ସ୍ୱଭାବେ ନିରେଖ । ତୋର କୁମର ବଧୁ ରଖ ॥ ୧୫୩

କୁମର ତୁଲେ କନ୍ୟା ନେଇ । ରାମଚରଣ ତଳେ ଯାଇ ॥ ୧୫୪

ଏ କନ୍ୟା ଦେଇ ତୋ ଶରଣ । ପଶିଲୁ ଅଭୟଚରଣ ॥ ୧୫୫

ହେ ରାମ ତୋହର ମହିମା । ବେଦ ନ ଜାଣେ ଆଦିସୀମା ॥ ୧୫୬

ମୂଢ ଅଜ୍ଞାନ ଆମ୍ଭେ ହେଉଁ । ତୋ ଭାବ ଜାଣିବୁଟି କାହୁଁ ॥ ୧୫୭

ଆମ୍ଭେ କୌରବେ ଅପରାଧୀ । ତୁ ନାଥ କରୁଣାବାରିଧି ॥ ୧୫୮

ସ୍ଥିତି-ପାଳନ-ଅନ୍ତ କରୁ । ଯେଣୁ ତୁ ଶେଷରୂପ ଧରୁ ॥ ୧୫୯

ତୁ ଆଦିହେତୁ ନିର୍ବିଷୟ । ନିର୍ଲେପ ଏକ ତୁ ଅବ୍ୟୟ ॥ ୧୬୦

ତୋହର କ୍ରୀଡ଼ାର କନ୍ଦୁକ । ସ୍ୱଭାବେ ହୋନ୍ତି ତିନିଲୋକ ॥ ୧୬୧

ସହସ୍ର ସହସ୍ର ସଂଖ୍ୟାରେ । ମହୀମଣ୍ତଳ ତୋର ଶିରେ ॥ ୧୬୨

ସୋରିଷ ପ୍ରାୟ ଅଛୁ ଧରି । ଲୀଳାମାତ୍ରକେ ବସୁନ୍ଧରୀ ॥ ୧୬୩

ପାଳନ କରି ପୁଣି ହରୁ । ତେଣୁ ତୁ ଶେଷରୂପ ଧରୁ ॥ ୧୬୪

ଯେ କୋପ ତୋର ଦେହୁଁ ତାତ । ଏକ ଅଖିଳ-ଶିକ୍ଷା-ଅର୍ଥ ॥ ୧୬୫

ହିଂସା ମତ୍ସର ନାହିଁ ଯେଣୁ । ପାଳନ ହେତୁ ତୋର ତେଣୁ ॥ ୧୬୬

ସୃଷ୍ଟି ପାଳନେ ବ୍ୟଗ୍ର ହେଉ । ତୁ ନାଥ ସତ୍ତ୍ୱଗୁଣ ବହୁ ॥ ୧୬୭

ସଂସାର ମଧ୍ୟେ ତୋର ଲୀଳା । ଯେହ୍ନେ ବାଳୁତଜନ ଖେଳା ॥ ୧୬୮

ନମସ୍ତେ ସର୍ବଭୂତ ପ୍ରାଣ । ଭକତବନ୍ଧୁ ସଙ୍କର୍ଷଣ ॥ ୧୬୯

ଜୀବର ଶକତି ଧାରଣ । ତୋବିନୁ ନାହିଁ ଅନ୍ୟ ଜନ ॥ ୧୭୦

ଅବ୍ୟୟ ବୋଲାଉ ଜଗତେ । ଭୋ ନାଥ ତୋର ଅନୁମତେ ॥ ୧୭୧

ତୁ ବିଶ୍ୱକର୍ମା ଜ୍ଞାନ ସାର । ଭୋ ନାଥ ତୋତେ ନମସ୍କାର ॥ ୧୭୨

ତୋହର ପାଦପଦ୍ମ ତଳେ । ଶରଣ ପଶିଲୁ ନିଶ୍ଚଳେ ॥ ୧୭୩

ଶୁକ ବୋଲନ୍ତି ରାୟେ ଶୁଣ । ଭକତବନ୍ଧୁ ସଙ୍କର୍ଷଣ ॥ ୧୭୪

କୁରୁଙ୍କ ଦୁଃଖ ଭୟ ଚାହିଁ । ପ୍ରସନ୍ନ ଚିତ୍ତେ ଦୟା ବହି ॥ ୧୭୫

ହଳ ସଂହରି ହଳଧର । ବୋଇଲେ ନାହିଁ ତୁମ୍ଭ ଡର ॥ ୧୭୬

ନିର୍ଭୟ ହୋଇ କୁରୁଜନ । ତକ୍ଷଣେ ରାଜା ଦୁର୍ଯ୍ୟୋଧନ ॥ ୧୭୭

କନ୍ୟା ସହିତେ କୃଷ୍ଣସୁତ । ସମର୍ପି ରାମର ଆଗ୍ରତ ॥ ୧୭୮

ଅନେକ ଯଉତୁକ ଦେଲା । ଶୁଣ ହୋ ଅଭିମନ୍ୟୁ ବଳା ॥ ୧୭୯

ଅତି ସୁନ୍ଦର ମନୋହର । ଦେଲା ବାରଶତ କୁଞ୍ଜର ॥ ୧୮୦

ଅଶ୍ୱ ସେ ଦେଲାକ ଅୟୁତେ । ଷଟସହସ୍ର ସ୍ୱର୍ଣ୍ଣରଥେ ॥ ୧୮୧

ରଥେ ଦିଶନ୍ତି ରବିତେଜ । ପୁଣି ଆନନ୍ଦେ କୁରୁରାଜ ॥ ୧୮୨

ଦୁହିତା ହିତେ କୁରୁପତି । ସହସ୍ରେ ଦେଲାକ ଯୁବତୀ ॥ ୧୮୩

ଅମୂଲ୍ୟରତ୍ନ କଣ୍ଠେ ଭରି । ଦେଲା ସେବକୀ ସଜ କରି ॥ ୧୮୪

ଏମନ୍ତେ କନ୍ୟାଆଦି ଯେତେ । ରାମ ଘେନାଇଁ ତୋଷଚିତ୍ତେ ॥ ୧୮୫

ଏ ଆଦି ଘେନି ହଳଧର । ଗମନ୍ତେ ସର୍ବ କୁରୁବୀର ॥ ୧୮୬

ରାମଙ୍କୁ କରି ପ୍ରଦକ୍ଷିଣ । ମିଳିଲେ ହସ୍ତିନା ଭୁବନ ॥ ୧୮୭

ସଙ୍କରଷ ତୋଷଚିତ୍ତେ । ଆନନ୍ଦେ ରାମର ଅଗ୍ରତେ ॥ ୧୮୮

କନ୍ୟା ସହିତେ କୃଷ୍ଣସୁତ । ସଙ୍ଗେ ସମ୍ପଦ ଅପ୍ରମିତ ॥ ୧୮୯

ଦେଖି ହରଷ ସର୍ବଜନ । ସଭାର ମଧ୍ୟେ ବଳରାମ ॥ ୧୯୦

କୁରୁଙ୍କ କୃତକର୍ମ କହି । କୃଷ୍ଣର ପ୍ରିୟଭାବ ବହି ॥ ୧୯୧

କହନ୍ତି ବ୍ୟାସଙ୍କର ସୁତ । ଶୁଣ ରାଜନ ପରୀକ୍ଷିତ ॥ ୧୯୨

ଅଦ୍ୟାପି ରାମର ଚରିତ । ହସ୍ତିନାନଗରେ ବିଦିତ ॥ ୧୯୩

ରାମ-ବିକ୍ରମ-ଯଶ ଅଛି । ପୁର ଦକ୍ଷିଣଭାଗେ ଲକ୍ଷ୍ୟି ॥ ୧୯୪

ଉତ୍ତର ଭାଗ ନୀଚ ଦିଶେ । ଯେହ୍ନେ ଜାହ୍ମବୀ ଜଳେ ମିଶେ ॥ ୧୯୫

ଏମନ୍ତେ ରାମର ମହିମା । କେ କହିପାରେ ଅନ୍ତଃସୀମା ॥ ୧୯୬

ସେ ରାମ ପାଦେ ଦେଇ ଚିତ୍ତ । କହଇ ବିପ୍ର ଜଗନ୍ନାଥ ॥ ୧୯୭

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ହାସ୍ତିନାପୁର କର୍ଷଣ ରୂପ ସଙ୍କର୍ଷଣ ବିଜୟୋ

ନାମ ତ୍ରିସପ୍ତତିତମ ଅଧ୍ୟାୟଃ ॥

* * *