ଦଶମ ସ୍କନ୍ଧ

ଦ୍ୱିସପ୍ତତିତମ ଅଧ୍ୟାୟ

ଶୁକଚରଣେ ଦେଇ ଚିତ୍ତ । ଭାବେ ବୋଲଇ ପରୀକ୍ଷିତ ॥

ପରିକ୍ଷିତ ଉବଚ

ଭୋ ମୁନି ପ୍ରଭୁ କାମପାଳ । ସୁନ୍ଦର ବୀରବାହୁ ବଳ ॥

ଯମୁନା ଆକର୍ଷଣ କରି । ବନେ ରମିଲେ ଗୋପନାରୀ ॥

ତୁମ୍ଭ ବଦନୁ ସୁଧାବାଣୀ । କୃଷ୍ଣ ଚରିତ କର୍ଣ୍ଣେ ଶୁଣି ॥

ନିର୍ମଳ କଲି ପ୍ରାଣ ଦେହ । ରାମ ବିକ୍ରମ ମୋତେ କହ ॥

ଅନନ୍ତ ଅପ୍ରମେୟ ତେଜ । ଯେଣୁ ସେ କୃଷ୍ଣର ଅଗ୍ରଜ ॥

କହନ୍ତି ବ୍ୟାସଙ୍କର ସୁତ । ଶୁଣ ହୋ ରାମର ଚରିତ ॥

ନାରକା ପୃଥିବୀର ବଳା । ସଂଗ୍ରାମେ କୃଷ୍ଣହାତେ ମଲା ॥

ତାର ସୁହୃଦ ସଖା ଯେତେ । ରାଜ୍ୟେ ଅଛନ୍ତି ନାନାମତେ ॥

ତାର ମରଣ ଶୁଣି କର୍ଣ୍ଣେ । ବାନରେ ଥିଲା ଘୋରବନେ ॥ ୧୦

ପ୍ରଚଣ୍ତ ଦ୍ୱିବିଦ ବାନର । ଦେବମାନବେ ଅଗୋଚର ॥ ୧୧

ବାଳୀ ସୁଗ୍ରୀବ ମନ୍ତ୍ରୀ ସେହି । ମଇନ୍ଦ ତାର ଜ୍ୟେଷ୍ଠ ଭାଇ ॥ ୧୨

ଶୁଝିବା ଅର୍ଥେ ମିତ୍ରଋଣ । ଇଚ୍ଛଇ କୃଷ୍ଣତୁଲେ ଋଣ ॥ ୧୩

ତାର ସମରେ ନାହିଁ ବୀର । ପର୍ବତୁଁ ହୋଇଲା ବାହାର ॥ ୧୪

ଦେଖି ପାଇଲେ ଦେବେ ତ୍ରାସ । କରଇ ଜନପ୍ରଜା ନାଶ ॥ ୧୫

ଗ୍ରାମ-ପାଟଣା-ପୁରେ ଯାଇ । ଲାଙ୍ଗୁଳେ ଅନଳ ଲଗାଇ ॥ ୧୬

ଦୁର୍ଗମ ବନ ଦେଶ ଗ୍ରାମ । କରଇ ବାନର ଦହନ ॥ ୧୭

ଧାମଇଁ ଶିଳା ବୃକ୍ଷ ଘେନି । ଶବଦେ କମ୍ପଇ ମେଦିନୀ ॥ ୧୮

ପ୍ରଚଣ୍ତ-ଘୋରନାଦ କରି । ଭାଙ୍ଗଇ ପୁର ଗ୍ରାମ ଗିରି ॥ ୧୯

ମିଳିଲା ଦ୍ୱାରକାନଗରୀ । ଲୋଡ଼ଇ ମିତ୍ର ଶତ୍ରୁ ମାରି ॥ ୨୦

ପ୍ରଚଣ୍ତ-ଘୋରନାଦ କରି । କୃଷ୍ଣଙ୍କୁ ଲୋଡେ଼ ଅନୁସରି ॥ ୨୧

କୃଷ୍ଣ ମାରିବି ଭୁଜବଳେ । ମିତ୍ର ତୋଷିବି ଗଙ୍ଗାଜଳେ ॥ ୨୨

ସମୁଦ୍ରଜଳ କୋପାନଳେ । ଫିଙ୍ଗଇ ବେନିଭୁଜବଳେ ॥ ୨୩

ସମୁଦ୍ରକୁଳେ ଗ୍ରାମ ଯେତେ । ଜଳେ ଭାସିଲେ ଅପ୍ରମିତେ ॥ ୨୪

ଅୟୁତେ ମତ୍ତଗଜ ବଳ । ଫିଙ୍ଗଇ ରାତ୍ରଦିନେ ଜଳ ॥ ୨୫

ଭାଙ୍ଗଇ ଫଳପୁଷ୍ପ ଦ୍ରୁମ । ନାଶିଲା ମୁନିଙ୍କ ଆଶ୍ରମ ॥ ୨୬

ମୁନିଙ୍କ ଯଜ୍ଞକୁଣ୍ତେ ଯାଇ । ଅନଳ ଦେଖି ରୋଷ ବହି ॥ ୨୭

ଭାଙ୍ଗଇ ଯଜ୍ଞର ମଣ୍ତଳ । ଅନଳେ କ୍ଷେପେ ମୂତ୍ର ମଳ ॥ ୨୮

ସ୍ତିରୀ ପୁରୁଷ ବଳେ ଧରି । ଗିରିକନ୍ଦର ମଧ୍ୟେ ଭରି ॥ ୨୯

ଦ୍ୱାର ରୁନ୍ଧଇ ଶିଳା ଦେଇ । କୁମ୍ଭାରକୀଟ ପ୍ରାୟ ହୋଇ ॥ ୩୦

ଏମନ୍ତେ ଦେଶ ନାଶ କରି । ଦୂଷଣ କରେ କୁଳସ୍ତିରୀ ॥ ୩୧

ରଜନୀକାଳେ ଏକ ଦିନେ । ରୈବତଗିରି ଘୋରବନେ ॥ ୩୨

ସୁସ୍ୱରଗୀତ କର୍ଣ୍ଣେ ଶୁଣି । କୋପେ ଧାଇଁଲା ବୀରମଣି ॥ ୩୩

ଗିରିଶିଖରେ ବେଗେ ଉଠି । ଚାହଁଇ ସ୍ଥିରକରି ଦୃଷ୍ଟି ॥ ୩୪

କାମିନୀଗଣ ମଧ୍ୟେ ରାମ । ଯଦୁସୁନ୍ଦର ଅନୁପମ ॥ ୩୫

ବିବିଧ ଅଳଙ୍କାର ଶୋହେ । କୁସୁମମାଳା ମନ ମୋହେ ॥ ୩୬

ବାରୁଣୀପାନେ ମତ୍ତ ହୋଇ । କାମିନୀ ସଙ୍ଗେ ଗୀତ ଗାଇ ॥ ୩୭

ମଦ୍ୟେ ଅରୁଣ ଚକ୍ଷୁ ଦୁଇ । କି ପଟାନ୍ତର ଦେବି ମୁହିଁ ॥ ୩୮

କରିଣୀଯୂଥ ମଧ୍ୟେ ପଶି । ମତ୍ତକୁଞ୍ଜର ପ୍ରାୟ ଦିଶି ॥ ୩୯

ଦୁଷ୍ଟବାନର ବାହୁବଳେ । ବୃକ୍ଷେ ଉଠିଲା କୋପାନଳେ ॥ ୪୦

ଡାଳେ କମ୍ପାଇ ତାର ପାଦ । କରଇ କିଳିକିଳା ନାଦ ॥ ୪୧

ତଦନ୍ତେ ବୃକ୍ଷଶିଖେ ଯାଇ । ଗର୍ଜଇ ଦଶନ ଦେଖାଇ ॥ ୪୨

ଦେଖି ତାହାର ଦୁଷ୍ଟପଣ । ଭୟେ ଚାହିଁଲେ ସ୍ତିରୀଗଣ ॥ ୪୩

କରାଳ ତାର ମୁଖ ଦେଶ । ଦେଖି କାମିନୀ କଲେ ହାସ ॥ ୪୪

ଦେଖି ବାନର କୋପମନେ । ଭ୍ରୂକୁଟୀ କୁଟୀଳ ନୟନେ ॥ ୪୫

କପି ସ୍ୱଭାବେ କରି ନାଦ । ନାରୀଙ୍କି ଦେଖାଇଲା ଗୁଦ ॥ ୪୬

ଏମନ୍ତ ତାର ଦୁଷ୍ଟପଣ । ଦେଖିଲେ ରେବତୀରମଣ ॥ ୪୭

ପାଷାଣ ଖଣ୍ତ ଧରି କରେ । ଫିଙ୍ଗିଲେ ବାନର ଉପରେ ॥ ୪୮

ଦେଖି ବାନର କୋପ ବହି । ଡେଇଁ ପଡ଼ିଲା ମଧ୍ୟେ ଯାଇ ॥ ୪୯

ବାରୁଣୀକୁମ୍ଭ ଘେନି କରେ । ପିଟିଲା ରାମର ଉପରେ ॥ ୫୦

ରାମଙ୍କୁ ଚାହିଁ କୋପମନ । ଘୂରାଇ ଅରୁଣଲୋଚନ ॥ ୫୧

ଲାଙ୍ଗୁଳ ନିଜ ମୁଖେ ଭରି । ରାମର ବସ୍ତ୍ର କରେ ଧରି ॥ ୫୨

ତକ୍ଷଣେ କଲା ବେନିଫାଳ । ବାନର ତେଜେ ଅନର୍ଗଳ ॥ ୫୩

କଦର୍ଥ କରି ହଳଧର । ମଦ୍ୟକଳସ କଲା ଚୂର ॥ ୫୪

ରାମଙ୍କୁ ମଣି ତୁଚ୍ଛ ପ୍ରାୟେ । ଓଷ୍ଠ କାମୋଡ଼ି କୋପେ ଚାହେଁ ॥ ୫୫

ଦୁଷ୍କର କର୍ମ ଦେଖି ତାର । ଜାଣିଲେ ରୋହିଣୀକୁମର ॥ ୫୬

ଅନେକ ପ୍ରାଣୀ କରି ନାଶ । ଆସି ମିଳିଲା ମୋର ପାଶ ॥ ୫୭

ଏ ଦୁଷ୍ଟ କପି ପ୍ରାଣେ ଥିଲେ । ଆଉ କି ପ୍ରାଣୀ ଥିବେ ଭଲେ ॥ ୫୮

ଏମନ୍ତ ହୃଦରେ ବିଚାରି । ହଳମୂଷଳ କରେ ଧରି ॥ ୫୯

କୋପିତ ରୋହିଣୀନନ୍ଦନ । ରିପୁମାରଣେ ସାବଧାନ ॥ ୬୦

ଦେଖି ବାନର କୋପ କଲା । ହୁଙ୍କାରେ ବୃକ୍ଷ ଉପାଡିଲା ॥ ୬୧

କରେ ବୁଲାଇ କୋପଭରେ । ପିଟିଲା ରାମର ଉପରେ ॥ ୬୨

ମୁଣ୍ତେ ପଡ଼ନ୍ତେ ମହାଦ୍ରୁମ । ଅଚଳ ପ୍ରାୟ ରହି ରାମ ॥ ୬୩

ମୁଷଳଘାତେ ମହାବୀର । ତାହାର ବୃକ୍ଷ କଲେ ଚୂର ॥ ୬୪

ପୁଣି ଘୂରାଇ ବାହୁଦଣ୍ତେ । ପିଟିଲେ ଦୁଷ୍ଟକପି ମୁଣ୍ତେ ॥ ୬୫

ଘୋର ପ୍ରହାରେ ଶିର ଫାଟି । ରୁଧିର ଗଳେ ଦନ୍ତପାଟି ॥ ୬୬

ରୁଧିରଧାର ତା ଶରୀରେ । କିବା ଉପମା ଦେବା ତାରେ ॥ ୬୭

ପର୍ବତୁଁ ଯେହ୍ନେ ଗେରୁ ଗଳେ । ରଙ୍ଗ ବିରାଜେ ବୃଷ୍ଟିକାଳେ ॥ ୬୮

ପୁଣି ମୁଷଳେ ବେଗେ ମାରି । ଦେଖି ବାନର କୋପ କରି ॥ ୬୯

ତେଡେ଼ ପ୍ରହାର ନ ଗଣଇ । ପୁଣ ଘେନିଲା ବୃକ୍ଷ ଦୁଇ ॥ ୭୦

ସକ୍ରୋଧ ବଳେ ବୃକ୍ଷ ଧରି । ରାମର ଉପରେ ପ୍ରହାରି ॥ ୭୧

ବୃକ୍ଷ ପଡ଼ନ୍ତେ ହଳଧର । ମୁଷଳେ କଲେ ଶତେଚୂର ॥ ୭୨

ପୁଣି ଉପାଡ଼ି ବୃକ୍ଷ ଦୁଇ । କୋପେ ଧାଇଁଲା ନାଦ ଦେଇ ॥ ୭୩

ରାମ ମୁଷଳେ ଚୂର୍ଣ୍ଣ କରି । ଦେଖି ବାନର କୋପଭରି ॥ ୭୪

ପୁଣି ଉପାଡ଼ି ବୃକ୍ଷଶ୍ରେଣୀ । ପିଟଇ ବଜ୍ରାଘାତ ଜାଣି ॥ ୭୫

ଏମନ୍ତେ ପୁଣ ପୁଣ ପିଟି । ବୃକ୍ଷେ ପଡ଼ିଲେ ମହୀଲୋଟି ॥ ୭୬

ପୁଣିହିଁ କପି କୋପମନ । ନିବୃକ୍ଷ କଲା ଘୋରବନ ॥ ୭୭

ବୃକ୍ଷ ନପାଇ କୋପଭରେ । ପାଷାଣ ତୋଳି ବେନି କରେ ॥ ୭୮

ସନ୍ତତେ କଲା ଘୋର ବୃଷ୍ଟି । ଧାମଇଁ ତୋଳି ବେନି ମୁଷ୍ଟି ॥ ୭୯

ପ୍ରହାର କରି ରାମହୃଦେ । ପୁଣି ଗର୍ଜଇ ଘୋରନାଦେ ॥ ୮୦

ହଳମୂଷଳ ଘେନି କରେ । ତକ୍ଷଣେ ରାମ କୋପଭରେ ॥ ୮୧

ପାଷାଣ ବୃଷ୍ଟି କଲେ ଚୂର । ଲୀଳା ମାତ୍ରକେ ହଳଧର ॥ ୮୨

ପାଷାଣ ବୃଷ୍ଟି ନାଶ ଗଲା । ଦେଖି ବାନର କୋପ କଲା ॥ ୮୩

କୋପେ ବାନର ବିଶ୍ୱକାୟେ । ମୁଷ୍ଟି ତୋଳିଲା ବଜ୍ରପ୍ରାୟେ ॥ ୮୪

ପିଟିଲା ହଳଧର ହୃଦେ । ଲାଙ୍ଗୁଳ ଚାଳି ଘୋରନାଦେ ॥ ୮୫

ରାମ ତାହାର ଗର୍ବ ଦେଖି । ମଦ୍ୟେ ଅରୁଣ ବେନି ଆଖି ॥ ୮୬

ହଳମୁଷଳ ଏକାବେଳେ । ଶୂନ୍ୟେ ବୁଲାଇ କୋପଭରେ ॥ ୮୭

ପ୍ରହାର କଲେ ତାର ଶିର । ତକ୍ଷଣେ ହେଲା ଶତେ ଚୂର ॥ ୮୮

ରୁଧିର ବହେ ଶତଧାର । ଜୀବନ ଛାଡ଼ିଲା ବାନର ॥ ୮୯

ଭୂମିରେ ପଡ଼ି ତା ଶରୀର । ଶବଦ କଲା ମହାଘୋର ॥ ୯୦

ଗିରି କମ୍ପିଲା ମହାଭୟେ । ଜଳେ ପବନେ ନାବ ପ୍ରାୟେ ॥ ୯୧

ଏମନ୍ତେ ବାନର ବିନାଶି । ସାଧୁଶବଦ ଶୂନ୍ୟେ ଘୋଷି ॥ ୯୨

ଦେଖି ଗଗନେ ଦେବଗଣ । ବନ୍ଦିଲେ ରାମର ଚରଣ ॥ ୯୩

ଜୟଶବଦ ଶୂନ୍ୟେ ପୂରି । ନମୋ ଶବଦେ ସ୍ତୁତି କରି ॥ ୯୪

ଦୁନ୍ଦୁଭି ବାଇଲେ ଆକାଶେ । ତ୍ରିଦଶେ ମନର ହରଷେ ॥ ୯୫

ଆନନ୍ଦ ହୋଇ ସୁରକୁଳ । ପୁଷ୍ପ ବରଷିଲେ ଗହଳ ॥ ୯୬

ସାଧୁଶବଦେ ନାଦ କରି । ରଙ୍ଗେ ନାଚନ୍ତି ଅପସରୀ ॥ ୯୭

ପୁରେ ପ୍ରବେଶ ହଳଧର । ଶୋହେ ସୁନ୍ଦର ଯଦୁପୁର ॥ ୯୮

ସେ ରାମଚରଣେ ବିଶ୍ୱାସ । କହଇ ଜଗନ୍ନାଥ ଦାସ ॥ ୯୯

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ଦ୍ୱିବିଦବଧୋନାମ ଦ୍ୱିସପ୍ତତିତମ ଅଧ୍ୟାୟଃ ॥

* * *