ଦଶମ ସ୍କନ୍ଧ

ଏକସପ୍ତତିତମ ଅଧ୍ୟାୟ

ଆନନ୍ଦମନେ ବ୍ୟାସସୁତ । ବୋଲନ୍ତି ଶୁଣ ପରୀକ୍ଷିତ ॥

ଗୋପେ ଯେ ଗଲେ ହଳହସ୍ତ । ଏବେ ହୋ ଶୁଣ ଭାଗବତ ॥

ପୌଣ୍ତ୍ରକ ନାମେ ନୃପବର । କରୁଷ ଦେଶେ ତାର ଘର ॥

କୃଷ୍ଣର ଜନ୍ମକର୍ମବାଣୀ । ଶୁଣି ନିରତେ ମନେ ଗୁଣି ॥

ନିର୍ଗୁଣବ୍ରହ୍ମ ଯେବେ ଅଂଶେ । ଜନ୍ମ ହୋଇଲେ ଯଦୁବଂଶେ ॥

କେମନ୍ତେ ଦେଖିବି ଲୋଚନେ । ନିତ୍ୟେ ଭାବଇ ଶୁଦ୍ଧମନେ ॥

ଏତେ ବିଚାରି ହୃଷ୍ଟମନ । ଶରୀରେ ବହେ କୃଷ୍ଣଚିହ୍ନ ॥

ନିଜଜନଙ୍କୁ ପାଶେ ରାଇ । ବୋଲଇ ବିଶ୍ୱାସ କରାଇ ॥

ଅଟଇ ମୁହିଁ ବାସୁଦେବ । ମୋର ଚରଣେ ତୁମ୍ଭେ ସେବ ॥

ତୁମ୍ଭେ ତ ପ୍ରଜାଜନେ ମୋର । ଦେଖ ମୋହର କଳେବର ॥ ୧୦

ମୁହଁଟି ଦେବ ଜନାର୍ଦ୍ଦନ । ଦେଖ ମୋହର ବର୍ଣ୍ଣ ଚିହ୍ନ ॥ ୧୧

ଏମନ୍ତ ପ୍ରଜାଗଣେ କହି । କୃଷ୍ଣର ପ୍ରାୟ ସଜ ହୋଇ ॥ ୧୨

ବହଇ କୃଷ୍ଣର ସ୍ୱଭାବ । ବୋଲଇ ମୁହିଁ ବାସୁଦେବ ॥ ୧୩

ଯେ ମୋତେ ନ ବୋଲିବ ହରି । ତାହାକୁ ପକାଇବି ମାରି ॥ ୧୪

ଧନ ସମ୍ପଦ ଦେବି ବଳେ । ତା ଶୁଣି ପ୍ରଜାଏ ବିକଳେ ॥ ୧୫

ବୋଲନ୍ତି ତୁ ସେ ନାରାୟଣ । ଅନାଦି ପରମକାରଣ ॥ ୧୬

ତୋହର ଅଂଶେ ସୁରଦେବା । ତୋର ଚରଣେ ଆମ୍ଭ ସେବା ॥ ୧୭

ଏମନ୍ତେ ପ୍ରଜା ତାର ପୁରେ । ବିଶ୍ୱାସେ ସେବନ୍ତି ପୟରେ ॥ ୧୮

ନାମ ଜପନ୍ତି ତାର ନିତି । ନିରତେ ଚରଣେ ସେବନ୍ତି ॥ ୧୯

ଏମନ୍ତେ କେତେଦିନ ଗଲା । ପୌଣ୍ତ୍ରକ ମନେ ବିଚାରିଲା ॥ ୨୦

ନିଶ୍ଚୟେ ମୁହିଁ ଜଗଦୀଶ । ସକଳ ଦେହରେ ପ୍ରକାଶ ॥ ୨୧

ଏତେ ବିଚାରି ଦୂତେ ରାଇ । ତାହାର ହସ୍ତେ ଲେଖ ଦେଇ ॥ ୨୨

ବୋଲଇ ଯାଅ ଯଦୁପୁର । କହିବୁ କୃଷ୍ଣର ଛାମୁର ॥ ୨୩

ଜଗତେ ମୋର ଅବତାର । ନାଶିବି ଅବନୀର ଭାର ॥ ୨୪

ମୁଁ ବ୍ରହ୍ମ ପରମକାରଣ । ଅନାଦି ପୁରୁଷ ପୁରାଣ ॥ ୨୫

ମୋହର ଅଛି ଚାରି କର । ମୁହଁଟି ଶଙ୍ଗଚକ୍ରଧର ॥ ୨୬

ଗଦା କମଳ କରେ ଘେନି । ଶ୍ରୀବତ୍ସ ଚିହ୍ନ କଣ୍ଠେ ମଣି ॥ ୨୭

ପୀତବସନ ବନମାଳ । କର୍ଣ୍ଣେ ମୋ ମକରକୁଣ୍ତଳ ॥ ୨୮

କିରୀଟ ବଳୟ କଙ୍କଣ । ବିଜୟ ଗରୁଡ଼ ଆସନ ॥ ୨୯

ମୋ ତହୁଁ ପରେ ନାହିଁ କେହି । ମୁହିଁ ସକଳଜୀବ-ଦେହୀ ॥ ୩୦

ପ୍ରାଣୀଙ୍କି ଦୟା ବହି ଚିତ୍ତେ । ମୋହର ଜନ୍ମ ଏ ଜଗତେ ॥ ୩୧

ନାଶିବି ଅବନୀର ଭାର । ତୁ ବେଗେ ଛାଡ଼ ଚିହ୍ନ ମୋର ॥ ୩୨

ମିଛେ ହେଁ ବୋଲୁ କୃଷ୍ଣ ମୁହିଁ । ତୋ କଥା ଭଲେ ମୁଁ ଜାଣଇ ॥ ୩୩

ଏବେ ତୁ ମୋର ଚିହ୍ନ ଛାଡ଼ି । ମୋହର ପାଦେ କରଯୋଡ଼ି ॥ ୩୪

ଶରଣ ପଶ ଆସି ବେଗେ । ତୋର ଜୀବନ ମୋର ଭାଗେ ॥ ୩୫

ଯେବେ ନ ପଶିବୁ ଶରଣ । ମୋହର ତୁଲେ କର ଗଣ ॥ ୩୬

ଜିଣିଲେ ବାସୁଦେବ ତୁହି । ତୁ ମଲେ ବାସୁଦେବ ମୁହିଁ ॥ ୩୭

ଏମନ୍ତ କହି ଦୂତ ଆଗେ । ବୋଲେ ଦ୍ୱାରକା ଯାଅ ବେଗେ ॥ ୩୮

ତାହାର ଆଜ୍ଞା ଘେନି ଶିରେ । ଦୂତ ମିଳିଲା ଯଦୁପୁରେ ॥ ୩୯

କୃଷ୍ଣର ସଭାମଧ୍ୟେ ଯାଇ । କହିଲା ଶିରେ କର ଦେଇ ॥ ୪୦

ଲେଖପ୍ରମାଣେ ତାର ବାଣୀ । ଗୋବିନ୍ଦ ସଭାମଧ୍ୟେ ଶୁଣି ॥ ୪୧

ଅଳପ ହସି ଭଗବାନ । ଦୂତ ବଚନେ ଅବଧାନ ॥ ୪୨

ଶୁଣି ହସିଲେ ଉଗ୍ରସେନ । ସଭାର ମଧ୍ୟେ ଯେତେ ଜନ ॥ ୪୩

ଏକ ଆରକେ ମୁଖ ଚାହିଁ । ହସିଲେ କରତାଳି ଦେଇ ॥ ୪୪

ଦୂତକୁ ଚାହିଁ ଚକ୍ରପାଣି । ବୋଲନ୍ତି ପରିହାସ ବାଣୀ ॥ ୪୫

ରେ ଦୂତ ଶୁଣ ମୋ ବଚନ । ମୋହର ବାସୁଦେବ ଚିହ୍ନ ॥ ୪୬

ମୂଢ଼ବଚନ ଉପଲକ୍ଷ୍ୟ । ନିଶ୍ଚେ ଛାଡ଼ିବି ତାକୁ ଦେଖି ॥ ୪୭

ମୋହର ଚିହ୍ନ-ବେଶ ବହି । ବୀରଶୟନେ ଥିବ ଶୋଇ ॥ ୪୮

କଙ୍କ ଶୃଗାଳ ଗୃଧ୍ର ଶ୍ୱାନ । ପଶିବ ତାହାରେ ଶରଣ ॥ ୪୯

କୃଷ୍ଣବଚନେ ଦୂତ ଗଲା । ପୌଣ୍ତ୍ରକ ଆଗରେ କହିଲା ॥ ୫୦

ଦାରୁକେ ରାଇ ଦାମୋଦର । ବୋଇଲେ ରଥ ସଜ କର ॥ ୫୧

ତକ୍ଷଣେ ସାଜି ନନ୍ଦିଘୋଷ । ମିଳିଲା ଗୋବିନ୍ଦର ପାଶ ॥ ୫୨

ରଥେ ବିଜୟ ନରହରି । ଶଙ୍ଖ-ଶବଦେ ଦିଗ ପୂରି ॥ ୫୩

କରୁଷଦେଶେ ବନମାଳୀ । ନିମିଷମାତ୍ରେ ଯାଇ ମିଳି ॥ ୫୪

କୃଷ୍ଣର ଆଗମନ ଶୁଣି । ପୋଣ୍ତ୍ରକ ବେନି ଅକ୍ଷୌହିଣୀ ॥ ୫୫

ସାଜି ମିଳିଲା କୃଷ୍ଣପାଶେ । ସଂଗ୍ରାମେ ଜିଣିବାର ଆଶେ ॥ ୫୬

ତାହାର ମିତ୍ର କାଶୀରାଜ । ସେହୁ ତାହାର ତୁଲେ ସଜ ॥ ୫୭

କୃଷ୍ଣର ତୁଲେ ରଣ ଜାଣି । ସାଜିଲା ତିନି ଅକ୍ଷୌହିଣୀ ॥ ୫୮

କୃଷ୍ଣଙ୍କୁ ଦେଖି ମହାରୋଷେ । ବେଗେ ରୁନ୍ଧିଲା ଚଉପାଶେ ॥ ୫୯

କୃଷ୍ଣ ଚାହାଁନ୍ତି ରଣମଧ୍ୟେ । ପୌଣ୍ତ୍ରକ ଦେଖିବାର ସଧେ ॥ ୬୦

ବାଜଇ ବୀରତୂରମାନ । ରଣେ ପୌଣ୍ତ୍ରକ ଆଗମନ ॥ ୬୧

କୃଷ୍ଣ ଦେଖିଲେ ତାର ରଥ । ରତ୍ନଭୂଷଣ ଅପ୍ରମିତ ॥ ୬୨

ରଥ ଉପରେ ପକ୍ଷୀରାଜ । ଧ୍ୱଜପତାକା ମଧ୍ୟେ ସଜ ॥ ୬୩

ବିମାନମଧ୍ୟେ ତା ଶରୀର । ଦେଖିଲେ କମଳାର ବର ॥ ୬୪

ବିସ୍ତାର ଶୋହେ ଭୁଜ ଚାରି । ଶଙ୍ଗ କମଳ ଗଦା ଧରି ॥ ୬୫

ସାରଙ୍ଗଧନୁ ଅଛି କରେ । ଶ୍ରୀବତ୍ସଚିହ୍ନ ହୃହୟରେ ॥ ୬୬

କଣ୍ଠେ ଲମ୍ବଇ ରତ୍ନମଣି । ରବିକିରଣ ପ୍ରାୟ ଜାଣି ॥ ୬୭

ହୃଦେ ଲମ୍ବଇ ବନମାଳ । ଶ୍ରବଣେ ମକର କୁଣ୍ତଳ ॥ ୬୮

ପୀତବସନ ଦେହେ ଝଳି । ନୀଳଜୀମୂତେ କି ବିଜୁଳି ॥ ୬୯

ଅମୂଲ୍ୟ କିରୀଟ ବିରାଳେ । ରତ୍ନମେଖଳା କଟି ସାଜେ ॥ ୭୦

ତାର କପଟବେଶ ଦେଖି । ଆତ୍ମାର ପ୍ରାୟ ଉପଲକ୍ଷ୍ୟି ॥ ୭୧

ନଟର ପ୍ରାୟ ବେଶ ଧରି । ଦେଖି ହସିଲେ ନରହରି ॥ ୭୨

କୃଷ୍ଣଙ୍କୁ ଦେଖି ରିପୁଗଣ । ଉଭାରି କଲେ ଘୋରରଣ ॥ ୭୩

ଶୂଳ ପରିଘ ଗଦା ଋଷ୍ଟି । ପାଶ ତୋମର ଲୌହଯଷ୍ଟି ॥ ୭୪

ଅସି କୁଠାର ପର୍ଶୁ ଯେତେ । ପ୍ରହାର କଲେ ଅପ୍ରମିତେ ॥ ୭୫

ପୌଣ୍ତ୍ରକ କାଶୀରାଜାବଳ । ଦେଖିଲେ ମଦନଗୋପାଳ ॥ ୭୬

ପଦାତି ରଥ ଗଜ ବାଜି । ଏମନ୍ତେ ଚତୁରଙ୍ଗ ସାଜି ॥ ୭୭

ଏମନ୍ତେ ଚତୁରଙ୍ଗବଳ । ଲାଗିଲା ରଣରଙ୍ଗ ଗୋଳ ॥ ୭୮

ଗଦା ଖଡ଼ଗ ଚକ୍ର ବାଣ । କୋପେ ପ୍ରହାରି ନାରାୟଣ ॥ ୭୯

ବେଗେ ନାଶିଲେ ରିପୁବଳ । ଯେସନେ ଯୁଗାନ୍ତଅନଳ ॥ ୮୦

ରୁଦ୍ରନୟନୁ ଜାତ ହୋଇ । ତିନି ଭୁବନ ଯେହ୍ନେ ଦହି ॥ ୮୧

କୃଷ୍ଣ ସଂଗ୍ରାମେ ରଣ ଭୂଇଁ । କି ପଟାନ୍ତର ଦେବି ମୁହିଁ ॥ ୮୨

ଗଜ ତୁରଗ ରଥ ଖର । ଉଷ୍ଟ୍ର ପଦାତି ମହାଘୋର ॥ ୮୩

ଚକ୍ର ପ୍ରହାରଣେ ଖଣ୍ତିତ । ଜଳଧି ସଦୃଶେ ଶୋଣିତ ॥ ୮୪

ଉଛୁଳି ବହେ ରଣମଧ୍ୟେ । ଗଗନେ ଦେଖନ୍ତି ବିବୁଧେ ॥ ୮୫

ବ୍ରହ୍ମାଦିବସ ଅନ୍ତେ ମହୀ । ପ୍ରଳୟଜଳେ ହତ ହୋଇ ॥ ୮୬

ଈଶ୍ୱରକ୍ରୀଡ଼ାସ୍ଥାନେ ପ୍ରାୟେ । ରକତେ ରଣଭୂମି ଶୋହେ ॥ ୮୭

ପୌଣ୍ତ୍ରକ ଅଛି ଏକା ରଥେ । ଉଭାରି ଗୋବିନ୍ଦ ଅଗ୍ରତେ ॥ ୮୮

ସମରେ ତାର ମୁଖ ଚାହିଁ । ହସି ବୋଲନ୍ତି ଭାବଗ୍ରାହୀ ॥ ୮୯

ଆହେ ପୌଣ୍ତ୍ରକ ତୋର ଦୂତ । ମୋ ଆଗେ କହିଲା ଯେମନ୍ତ ॥ ୯୦

ତୋହର ଚିହ୍ନ ବର୍ଣ୍ଣମାନ । ହୁଡ଼ିଲି ସମ୍ଭାଳ ବହନ ॥ ୯୧

ମିଛେ ମୁଁ ଧରି ତୋର ବେଶ । ବିଷ୍ଣୁ ବୋଲାଏ ମର୍ତ୍ତ୍ୟଦେଶ ॥ ୯୨

ଯେବେ ହାରିବି ତୋତେ ରଣେ । ଛାଡ଼ି ପଶିବି ତୋ ଶରଣେ ॥ ୯୩

ଏମନ୍ତ କହି ଦାମୋଦର । ବେଗେ ବିନ୍ଧିଲେ ତୀକ୍ଷ୍ଣ ଶର ॥ ୯୪

ବିରଥ କରି ତାର ଶିର । ଚକ୍ରେ ଛେଦିଲେ ଚକ୍ରଧର ॥ ୯୫

ବାସବବଜ୍ରେ ହତ ହୋଇ । ପର୍ବତ ଯେମନ୍ତ ଦିଶଇ ॥ ୯୬

କାଶୀରାଜାର ଦେଖି ରଥ । ବେଗେ ମିଳିଲେ ଗୋପୀନାଥ ॥ ୯୭

ନିଜ କୋଦଣ୍ତେ ଦେଇ ଗୁଣ । ସନ୍ଧାନ କଲେ ତୀକ୍ଷ୍ଣ ବାଣ ॥ ୯୮

କାଶୀରାଜାର ଶିର କାଟି । ନାରାଚ ଗଲା ଶୂନ୍ୟେ ଘୋଟି ॥ ୯୯

ନିଜ କୋଦଣ୍ତେ ଦେଇ ଗୁଣ । ସନ୍ଧାନ କଲେ ତୀକ୍ଷ୍ଣ ବାଣ ॥ ୧୦୦

ରାଜାର ଦ୍ୱାରେ ଦେଖି ମୁଣ୍ତ । ଲୋକେ ହୋଇଲେ ବେଗେ ରୁଣଜ୍ଞତ । ୧୦୧

ପବନବଳେ ଛିଡ଼ି ପାଶ । ଯେହ୍ନେ ଦିଶଇ ପଦ୍ମକୋଷ ॥ ୧୦୨

ଏମନ୍ତେ ଶୁଣ ଦଣ୍ତଧାରୀ । ପଞ୍ଚ ଅକ୍ଷୌହିଣୀ ସଂହାରି ॥ ୧୦୩

ପୌଣ୍ତ୍ରକ କାଶୀରାଜା ତୁଲେ । ରଣେ ଗୋବିନ୍ଦ ସଂହାରିଲେ ॥ ୧୦୪

ଦେଖି ଆନନ୍ଦ ଦେବଗଣେ । ରିପୁ ନିବାରି ଘୋରରଣେ ॥ ୧୦୫

ଦ୍ୱାରକା ବିଜେ ଲକ୍ଷ୍ମୀକାନ୍ତ । ଏବେ ହୋ ଶୁଣ ନରନାଥ ॥ ୧୦୬

ପୌଣ୍ତ୍ରକ ଗୋବିନ୍ଦର ଭାବ । ନିରତେ କରି ଅନୁଭବ ॥ ୧୦୭

ମରଣେ ଚାହିଁ ପଦ୍ମମୁଖ । ଲଭିଲା ଆତ୍ମଗତି ସୁଖ ॥ ୧୦୮

କାଶୀରାଜାର ଶିର ଦେଖି । ଜନେ ବୋଲନ୍ତି ଉପଲକ୍ଷ୍ୟି ॥ ୧୦୯

ଏହୁ କାହାର ଦେଖ ଶିର । ଛିଡ଼ି ପଡ଼ିଲା ରାଜଦ୍ୱାର ॥ ୧୧୦

ଏମନ୍ତେ କରନ୍ତେ ବିଚାର । ଚିହ୍ନିଲେ କାଶୀରାଜା ଶିର ॥ ୧୧୧

ସମରେ କୃଷ୍ଣ କଲେ ନାଶ । ଜାଣି ପାଇଲେ ମନେ ତ୍ରାସ ॥ ୧୧୨

ତାହାର ଯେତେକ ତରୁଣୀ । ସ୍ୱାମୀମରଣ କଥା ଶୁଣି ॥ ୧୧୩

ବନ୍ଧୁ ବାନ୍ଧବ ଜନେ ମିଳି । କାନ୍ଦନ୍ତେ ଭୁବନ ଉଛୁଳି ॥ ୧୧୪

କାନ୍ଦନ୍ତି ନାଥ ନାଥ ବାଣୀ । ଗୋଳ ପ୍ରଳୟ ପ୍ରାୟ ମଣି ॥ ୧୧୫

ତାର କୁମର ସୁଦକ୍ଷିଣ । ଶୋକ ନିବାରି ସର୍ବଜନ ॥ ୧୧୬

ପିତାର ପ୍ରେତକ୍ରିୟା ସାରି । ସଙ୍କଳ୍ପ କଲା କୋପଭରି ॥ ୧୧୭

ପିତୃବଇରୀ ଯେବେ ମାରି । ତେବେ ମୁଁ ଥିବି ଦେହ ଧରି ॥ ୧୧୮

ଏମନ୍ତେ ମନ ସ୍ଥିର କରି । ସେବିଲା ଶଙ୍କର-ଗଉରି ॥ ୧୧୯

ସମାଧି କରି ଯୋଗବଳେ । ତୋଷିଲା ଶିବଙ୍କୁ ନିଶ୍ଚଳେ ॥ ୧୨୦

ପ୍ରସନ୍ନ ହୋଇ ଶୂଳଧର । ବୋଇଲେ ଦେବି ମାଗ ବର ॥ ୧୨୧

ଭଗ୍ନ-ସମାଧି ସୁଦକ୍ଷିଣ । ବନ୍ଦିଲା ଈଶ୍ୱରଚରଣ ॥ ୧୨୨

ବୋଲଇ ଶିରେ ଦେଇ କର । ପିତୃବଇରୀ ଅଛି ମୋର ॥ ୧୨୩

ତାହାକୁ କରିବି ମୁଁ ହତ । ଏ ବର ଦିଅ ଉମାକାନ୍ତ ॥ ୧୨୪

ଶୁଣି ବୋଇଲେ ଦେବହର । ତୁ ଏବେ ଅଗ୍ନିସେବା କର ॥ ୧୨୫

ବିପ୍ରବଚନ ମନେ ଧରି । ନାନାସମିଧ ମିଶ୍ର କରି ॥ ୧୨୬

ଆଗମଶାସ୍ତ୍ରର ବିଧାନେ । ଅନଳ ପୂଜ ଏକମନେ ॥ ୧୨୭

ଋତ୍ୱିଜ କରିଣ ବରଣ । ମାରଣେ ବେଦ ଅଥର୍ବଣ ॥ ୧୨୮

ଆଭିଚାରିକ ବେଦନାଦେ । ଆହୁତି ଦେବୁ କୁଣ୍ତ ମଧ୍ୟେ ॥ ୧୨୯

ଅଗ୍ନିପୁରୁଷ ଜାତ ହେବ । ତେବେ ତୋ କାମନା ପୂରିବ ॥ ୧୩୦

ମରିବ ରିପୁ ସେ ତୋହର । ବ୍ରାହ୍ମଣେ ସେବା ନାହିଁ ଯାର ॥ ୧୩୧

ଏମନ୍ତେ ରୁଦ୍ରବାକ୍ୟ ଶୁଣି । ଯଜ୍ଞ ଆରମ୍ଭେ ନୃପମଣି ॥ ୧୩୨

ଅନଳେ ଅଭିଚାର ମତେ । ଆହୁତି ଦେଲା ଅପ୍ରମିତେ ॥ ୧୩୩

କୁବୁଦ୍ଧିପଣ ଦେଖ ତାର । କୃଷ୍ଣଙ୍କୁ ଚିନ୍ତେ ଅଭିଚାର ॥ ୧୩୪

ଅଗ୍ନିପୁରୁଷ କୁଣ୍ତମଧ୍ୟେ । ଜାତ ହୋଇଲେ ଘୋରନାଦେ ॥ ୧୩୫

ଅତିଭୀଷଣ ରୂପବନ୍ତ । ତା ରୂପ ଶୁଣ ନରନାଥ ॥ ୧୩୬

ତପତତମ୍ବା ପ୍ରାୟ ଶିଖା । ଶ୍ମଶ୍ରୁ ନାସିକା ପିଙ୍ଗରେଖା ॥ ୧୩୭

ଗ୍ରହରାଜର ତେଜ ତାର । ଲୋଚନ ବଚନ ଗଭୀର ॥ ୧୩୮

ଅଙ୍ଗାର ଉଦ୍ଗାରଇ ତୁଣ୍ତେ । ବିକଟ ଦଶନ ପ୍ରଚଣ୍ତେ ॥ ୧୩୯

ଭ୍ରୂକୁଟୀ କୁଟୀଳ କଠୋର । ତୁଣ୍ତ ଗଭୀର ଅନ୍ଧକାର ॥ ୧୪୦

ଜିହ୍ୱା ବୁଲାଇ ବେନିକଳେ । ଯେସନେ ବିଜୁଳି ଚଞ୍ଚଳେ ॥ ୧୪୧

ଉଲଗ୍ନ ଶରୀର କରାଳ । ହସ୍ତେ କମ୍ପଇ ତୀକ୍ଷ୍ଣ ଶୂଳ ॥ ୧୪୨

ଚଳଇ କରି ଘୋର ନାଦ । ତାଳ ପ୍ରମାଣେ ବେନି ପାଦ ॥ ୧୪୩

କୋପେ ଧାଣଇଁ ଶୂଳହସ୍ତେ । ଅବନୀ କମ୍ପେ ପାଦଘାତେ ॥ ୧୪୪

ପ୍ରମଥଭୂତଗଣ ସଙ୍ଗେ । ଦ୍ୱାରକା ଗଲା ଅତିବେଗେ ॥ ୧୪୫

ତାହାର ତେଜ ଦେହେ ଦିଶ । ସଧୂମେ ପୂରିଲା ଆକାଶ ॥ ୧୪୬

ଏମନ୍ତେ ବହ୍ନିର ଆଗମ । ଧୂମ ପୂରିତ ମହାତମ ॥ ୧୪୭

ଦ୍ୱାରକାପୁରେ ଯେତେ ଜନ । ଭୟେ କମ୍ପନ୍ତି ଛନଛନ ॥ ୧୪୮

ଭୟେ ଭାଜିଲେ ଚାରିଦିଗେ । ବନ ଦହନେ ଯେହ୍ନେ ମୃଗେ ॥ ୧୪୯

ପଶା ଖେଳନ୍ତି ଭଗବାନ । ଏମନ୍ତେ ମିଳି ସର୍ବଜନ ॥ ୧୫୦

ବୋଲନ୍ତି କୃଷ୍ଣମୁଖ ଚାହିଁ । ଭୋ ନାଥ କର ଜନେ ତ୍ରାହି ॥ ୧୫୧

ତ୍ରୈଲୋକ୍ୟନାଥ ତୋର ପୁର । ଅନଳ ଦହ୍ନୁ ଉଦ୍ଧର ॥ ୧୫୨

ଏମନ୍ତେ ସ୍ୱଜନ ବିକଳ । ଦେଖି ବୋଲନ୍ତି ଆଦିମୂଳ ॥ ୧୫୩

ଶରଣ ବନ୍ଧୁ ବନମାଳୀ । ବୋଲନ୍ତି ବେନିଭୁଜ ତୋଳି ॥ ୧୫୪

ଭୟ ନ କର ତୁମ୍ଭେ କେହି । ଅନଳ ସଂହାରିବି ମୁହିଁ ॥ ୧୫୫

ଯେ ହରି ଅଶେଷ ଶରୀରେ । ବିଦିତ ଅନ୍ତର ବାହାରେ ॥ ୧୫୬

ସ୍ୱଜନ ଶୁଭାଶୁଭ ଜାଣେ । ଏମନ୍ତ ନିଗମ ବଖାଣେ ॥ ୧୫୭

ରୁଦ୍ରଅନଳ କୃଷ୍ଣ ଜାଣି । ଚକ୍ରେ ସୁମରି ଚକ୍ରପାଣି ॥ ୧୫୮

ଚକ୍ର ଗୋବିନ୍ଦ ପାଶେ ଥିଲା । କୃଷ୍ଣର ମନ ସେ ଜାଣିଲା ॥ ୧୫୯

କୋଟି-ଆଦିତ୍ୟ-ତେଜ ନାଶେ । ପ୍ରଳୟ ଅନଳ ପ୍ରକାଶେ ॥ ୧୬୦

ଭୂମି ଗଗନ ତେଜ ବ୍ୟାପି । କୃଷ୍ଣର ତେଜ ବିଶ୍ୱରୂପୀ ॥ ୧୬୧

ସେ କୃଦ୍ୟାଅଗ୍ନି ଅଙ୍ଗେ ପଡ଼ି । ଶବଦ ଶୁଭେ ଘଡ଼ଘଡ଼ି ॥ ୧୬୨

ଚକ୍ର ସଂଯୋଗେ ଅଗ୍ନି ନାଶ । ଭସ୍ମ ଉଡ଼ିଲା ଦଶଦିଶ ॥ ୧୬୩

ଘୋର ଅନଳ ନାଶି ଖରେ । ଚକ୍ର ମିଳିଲା କାଶୀପୁରେ ॥ ୧୬୪

ଯଜ୍ଞଶାଳରେ ଯାଇ ମିଳି । କୋଟି ଆଦିତ୍ୟ ପ୍ରାୟ ଝଳି ॥ ୧୬୫

ରତ୍ୱିଜ ସଙ୍ଗେ ସୁଦକ୍ଷିଣ । ଦହନ କଲା ତତକ୍ଷଣ ॥ ୧୬୬

ପ୍ରଚଣ୍ତ ତେଜ ମହାଘୋର । କୋପେ ଦହିଲା କାଶୀପୁର ॥ ୧୬୭

ନରକୁଞ୍ଜର ଅଶ୍ୱ ରଥ । ଭସ୍ମ ହୋଇଲେ ଯୂଥ ଯୂଥ ॥ ୧୬୮

ସକଳଗୁଣ କାଶୀପୁରେ । କିବା ଉପମା ଦେବା ତାରେ ॥ ୧୬୯

ଦହନ କରି ସେହୁ ପୁର । କୃଷ୍ଣର ତେଜ ମହାଘୋର ॥ ୧୭୦

ଦେଖି ଅଖିଳ ଜନ ତ୍ରାସେ । ପୁଣି ମିଳିଲା କୃଷ୍ଣପାଶେ ॥ ୧୭୧

ବୋଲନ୍ତି ଶୁକ ମୁନିବର । ଶୁଣ ସୁମନେ କୁରୁବୀର ॥ ୧୭୨

କୃଷ୍ଣ-ବିକ୍ରମ-ରସ ବାଣୀ । ଯେ ଏହା ଜନମଧ୍ୟେ ଭଣି ॥ ୧୭୩

ଯେ ଅବା ଶ୍ରବଣେ ଶୁଣନ୍ତି । ସକଳ ପାପୁଁ ସେ ତରନ୍ତି ॥ ୧୭୪

ସୁଜନେ ଶୁଣ କୃଷ୍ଣରସ । ଭଣଇ ଜଗନ୍ନାଥ ଦାସ ॥ ୧୭୫

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ପୌଣ୍ତ୍ରକାଦିବଧୋ ନାମ

ଏକସପ୍ତତିତମ ଅଧ୍ୟାୟଃ ॥

* * *