ଦଶମ ସ୍କନ୍ଧ

ସପ୍ତତିତମ ଅଧ୍ୟାୟ

ଶୁକ ଉବାଚ

ଏବେ ହୋ ଶୁଣ କୁରୁବୀର । ଦ୍ୱାରକାପୁରେ ହଳଧର ॥

ସୁହୃଦ ଦରଶନ ସଧେ । ବିଜୟ ତାଳଧ୍ୱଜ ମଧ୍ୟେ ॥

ନିଜ ସେବକ ସଙ୍ଗମେଳେ । ମିଳିଲେ ନନ୍ଦର ଗୋକୁଳେ ॥

ରାମର ଆଗମନ ଶୁଣି । ଗୋପାଳେ ଗୋପର ତରୁଣୀ ॥

ମିଳିଲେ ରାମର ଛାମୁରେ । ମଙ୍ଗଳଦ୍ରବ୍ୟ ଘେନି କରେ ॥

ଆନନ୍ଦେ ରୋହିଣୀନନ୍ଦନ । ଗୋପଙ୍କୁ କଲେ ଆଲିଙ୍ଗନ ॥

ଗୋପି ମିଳିଲେ ଭାବଭରି । ରାମଚରଣ ହୃଦେ ଧରି ॥

ଶିର-ବଦନେ ଚାପି ପାଦ । ଛାଡିଲେ ଚିର ମନଖେଦ ॥

ହରଷେ ରେବତୀରମଣ । ବନ୍ଦିଲେ ନନ୍ଦନଚରଣ ॥

ଯଶୋଦା ପାଦତଳେ ପଡ଼ି । ଶୋକବଦନେ କରଯୋଡି ॥ ୧୦

ନନ୍ଦଯଶୋ ସୁଖଭୋଳେ । ରାମଙ୍କୁ ବସାଇଲେ କୋଳେ ॥ ୧୧

ଚିରବିଚ୍ଛେଦେ ହୃଦେ ଜାକି । ଅଶ୍ରୁପୂରିତ ବେନି ଆଖି ॥ ୧୨

ବଦନୁ ନ ସ୍ପୁରେ ବଚନ । ନିବିଡେ କଲେ ଆଲିଙ୍ଗନ ॥ ୧୩

ବୋଲନ୍ତି ଶୋକଭର ହୋଇ । ଜଗଦୀଶ୍ୱର ତୁମ୍ଭେ ଦୁଇ ॥ ୧୪

ନିରାଶ କଲ ମୋର ଘର । ମୁଁ ଏବେ ଶରଣ ତୁମ୍ଭର ॥ ୧୫

ଗୋପନଗର ବୃଦ୍ଧ ଜଣେ । ମିଳିଲେ ରାମ ସନ୍ନିଧାନେ ॥ ୧୬

ରାମ ନମିଲେ ଜଣେ ଜଣେ । ଗୋପାଳବୃଦ୍ଧଙ୍କ ଚରଣେ ॥ ୧୭

ତୁଲ୍ୟବୟସ ଗୋପଜନେ । ସଙ୍ଗେ ଯେ ଥିଲେ ବୃନ୍ଦାବନେ ॥ ୧୮

ରାମଙ୍କୁ ଦେଖି ସ୍ନେହଭରେ । କୋଳ କରନ୍ତି ସୁଖଭୋଳେ ॥ ୧୯

ସ୍ନେହବନ୍ଧନେ ବନ୍ଧୁସଙ୍ଗେ । ରାମ ଯେ ଥିଲେ ନାନାରଙ୍ଗେ ॥ ୨୦

ନିବିଡେ଼ ଭିଡ଼ି କୋଳ କଲେ । ଆନନ୍ଦସାଗରେ ବୁଡ଼ିଲେ ॥ ୨୧

ଏମନ୍ତେ ଜଣେ ଜଣେ କୋଳ । କରି ବସିଲେ ଏକମେଳ ॥ ୨୨

କ୍ଷୀର-ପାୟସ-ମଧୁରସେ । ରାମଙ୍କୁ ଭୁଞ୍ଜାଇ ହରଷେ ॥ ୨୩

ବିଶ୍ରାମ କରାଇ ଗୋପାଳେ । ବସି ପୁଛନ୍ତି ଏକମେଳେ ॥ ୨୪

ନେତ୍ରେ ପୂରିତ ଅଶ୍ରୁଜଳ । ପୁଛନ୍ତି ବନ୍ଧୁଙ୍କ କୁଶଳ ॥ ୨୫

କୃଷ୍ଣଚରଣେ ମନ ଦେଇ । ସମ୍ଭ୍ରମେ ନ ପାରନ୍ତି କହି ॥ ୨୬

ବିଷୟସୁଖ ନ ଜାଣନ୍ତି । କୃଷ୍ଣକୁଶଳ ପଚାରନ୍ତି ॥ ୨୭

ହେ ରାମ କମଳଲୋଚନ । କହ ତୁ ଯାଉ ଖେଦମନ ॥ ୨୮

କୃଷ୍ଣ ଯେ ଗଲେ ମଧୁବନ । ତାର ସଙ୍ଗତେ ଆମ୍ଭ ମନ ॥ ୨୯

ବନ୍ଦୀ ହୋଇଲା ପ୍ରେମଭୋଳେ । ଏବେ ନ ଦେଖୁ ଚର୍ମଡୋଳେ ॥ ୩୦

ପୁତ୍ର କଳତ୍ର ଧନ ପାଇ । ଆମ୍ଭ ସ୍ମରଣ ତାର କାହିଁ ॥ ୩୧

ଆମ୍ଭର ଭାଗ୍ୟେ ମଲା କଂସ । ନିଶ୍ଚିନ୍ତ ହେଲା ଯଦୁବଂଶ ॥ ୩୨

ସକଳ ରିପୁବଳ ମାରି । ଦ୍ୱାରକାପୁରେ ବିଜେ କରି ॥ ୩୩

ସୁଖେ ଅଛନ୍ତି ଯଦୁନାଥ । ଏଣୁଟି ଆମ୍ଭେ ଭାଗ୍ୟବନ୍ତ ॥ ୩୪

ଗୋପୀଏ ରାମଙ୍କୁ ଅନାଇଁ । ବୋଲନ୍ତି ସ୍ନେହଭର ହୋଇ ॥ ୩୫

ହେ ରାମ କହ କୃଷ୍ଣକଥା । ଯେଣେ ଛାଡ଼ିବ ମନୁ ବ୍ୟଥା ॥ ୩୬

ଭଲେ କି ଛନ୍ତି ପଦ୍ମନାଭ । ମଥୁରାନାରୀଙ୍କ ବଲ୍ଲଭ ॥ ୩୭

ମାତା ଯଶୋଦା ନନ୍ଦ ପିତା । ଏହାଙ୍କୁ କରେଟିକି ଚିନ୍ତା ॥ ୩୮

ଆମ୍ଭେ ତାହାଙ୍କୁ ଭଲେ ଜାଣି । ସୁହୃଦ୍ପଣେ ପରିମାଣି ॥ ୩୯

ତାହାର ଅର୍ଥେ ଆମ୍ଭ ଦୁଃଖ । କହିବୁ ଶୁଣ ଚନ୍ଦ୍ରମୁଖ ॥ ୪୦

ମାତା ପିଅର ଭ୍ରାତୃଗଣ । ପତି ତନୟ ଗୁରୁଜନ ॥ ୪୧

ତାର ଆନନ୍ଦେ ଆମ୍ଭେ ଛାଡ଼ି । ନିରତେ ପ୍ରିୟଭାବେ ବୁଡ଼ି ॥ ୪୨

ସକଳ ଛାଡ଼ି ତା ବିଶ୍ୱାସ । ହୋଇଲୁ କଲା ସେ ନିରାଶ ॥ ୪୩

କ୍ଷଣକେ ଛାଡ଼ି ଆମ୍ଭ ଭାବ । ନିର୍ଦ୍ଦୟ ହୋଇଲେ ମାଧବ ॥ ୪୪

ମଥୁରାପୁର ବଧୂଜନ । ମଧୂରେ କହନ୍ତି ବଚନ ॥ ୪୫

କ୍ଷଣସୁହୃଦ କୂଟମତି । କେମନ୍ତେ ବିଶ୍ୱାସ କରନ୍ତି ॥ ୪୬

ତାହାର ଆତ୍ମା ତାର ନୋହେ । ଭକତଜନ ତାକୁ ମୋହେ ॥ ୪୭

କୃତଘ୍ନଭାବ ଦୁଷ୍ଟମତି । ମଥୁରାନାରୀ ନ ଜାଣନ୍ତି ॥ ୪୮

ତାହାର ବିଚିତ୍ରବଚନ । ସସ୍ମିତ ଅନଙ୍ଗବର୍ଦ୍ଧନ ॥ ୪୯

ଦେଖିଲେ ହୋଏ ମୋହଗତ । ଅନଙ୍ଗବାଣେ ଜଡ଼ି ଚିତ୍ତ ॥ ୫୦

କେତେ କହିବୁ ତାର ଗୁଣ । ବୋଲନ୍ତି ସଖୀଜନେ ଶୁଣ ॥ ୫୧

ତାହାର କଥା କିମ୍ପା କହ । ଶୁଣନ୍ତେ ଦହେ ପ୍ରାଣ ଦେହ ॥ ୫୨

ଆମ୍ଭେ ଯେ ନାହୁଁ ତାର ସଙ୍ଗେ । ଏତେ ଦିବସ ନାନାରଙ୍ଗେ ॥ ୫୩

ସେ ଯେ ଆମ୍ଭର ସଙ୍ଗେ ନାହିଁ । କାଳ କି ଅଛି ସ୍ଥିର ହୋଇ ॥ ୫୪

ଏମନ୍ତ ସ୍ନେହଭର ହୋଇ । କୃଷ୍ଣର ରୂପେ ମନ ଦେଇ ॥ ୫୫

କୃଷ୍ଣର ହସିତବଦନ । ମୋହ୍ନ ଗଭୀର ବଚନ ॥ ୫୬

କଟାକ୍ଷଦୃଷ୍ଟି ଚିତ୍ରଗତି । ପ୍ରେମ ଆଲିଙ୍ଗନ ସୁରତି ॥ ୫୭

କାନ୍ଦନ୍ତି କୃଷ୍ଣଭାବ ବହି । ସଙ୍କରଷଣ ତାହା ଚାହିଁ ॥ ୫୮

କୃଷ୍ଣର ଯଶକଥାମାନ । କହି ତୋଷିଲେ ତାଙ୍କ ମନ ॥ ୫୯

ନାନା ବିଶ୍ୱାସବାକ୍ୟେ ରାମ । ଗୋପୀଙ୍କ ଚିତ୍ତ କଲେ ସାମ ॥ ୬୦

ସେ ରାମ ଗୋପୀଙ୍କ ବିଶ୍ୱାସ । ଗୋପେ ରହିଲେ ବେନିମାସ ॥ ୬୧

ମଧୁମାଧବ ମାସ ବେନି । ଗୋପୀଙ୍କ ପ୍ରିୟଭାବ ଘେନି ॥ ୬୨

ସେ ରାମ ଯୋଗମାୟା ବଳେ । ଗୋପକାମିନୀ ସଙ୍ଗେ ମେଳେ ॥ ୬୩

ନିତ୍ୟେ ରଜନୀକାଳ ବେଳେ । ଗୋପକାମିନୀ ସଙ୍ଗେ ଖେଳେ ॥ ୬୪

ବିସ୍ତାରି ଯୋଗମାୟା ଗତି । ଯମୁନାକୂଳେ ଯଦୁପତି ॥ ୬୫

ଚନ୍ଦ୍ରକିରଣ ବୃନ୍ଦାବନ । ସୁଗନ୍ଧ ବହଇ ପବନ ॥ ୬୬

କାମିନୀଗଣ ମଧ୍ୟେ ବସି । ତାରାମଣ୍ତଳେ ଯେହ୍ନେ ଶଶୀ ॥ ୬୭

ଏମନ୍ତେ ପରୀକ୍ଷିତ ଶୁଣ । ଜଳଧିପତି ଯେ ବରୁଣ ॥ ୬୮

ବାରୁଣୀ ନାମେ ତା ନନ୍ଦିନୀ । ରାମର ପ୍ରିୟଭାବ ଘେନି ॥ ୬୯

ବରୁଣ-ବିଶ୍ୱାସ ବଚନେ । ବେଗେ ମିଳିଲା ବୃନ୍ଦାବନେ ॥ ୭୦

ବୃକ୍ଷକ୍ରୋଟରୁ ସୁଧାରୂପେ । ବହିଲା ରାମର ସମୀପେ ॥ ୭୧

ତାର ସୁଗନ୍ଧେ ବନ ବାସେ । ରାମ ମିଳିଲେ ଦେଖି ପାଶେ ॥ ୭୨

ଗୋପୀ ସହିତେ ବଳରାମ । ଆନନ୍ଦେ କଲେ ମଧୁପାନ ॥ ୭୩

ବାରୁଣୀପାନେ ଭୋଳ ହୋଇ । ଗୋପୀଏ ରାମ ଯଶ ଗାଇ ॥ ୭୪

ନାନା କୌତୁକେ ସେ କାନନେ । ରାମଙ୍କୁ ସେବି ଶୁଦ୍ଧମନେ ॥ ୭୫

ବୁଲନ୍ତି ରାମ ବୃକ୍ଷତଳେ । ବାରୁଣୀପାନେ ମତ୍ତଭୋଳେ ॥ ୭୬

ମଦ୍ୟେ ମୁଦ୍ରିତ ବେନି ଆଖି । ମତ୍ତକୁଞ୍ଜର ପ୍ରାୟ ଲକ୍ଷ୍ୟ ॥ ୭୭

ଶୋଭିତ ଶ୍ରବଣେ କୁଣ୍ତଳ । ହୃଦେ ଲମ୍ବଇ ବନମାଳ ॥ ୭୮

ମୁଖକମଳେ ମନ୍ଦହାସ । ଝାଳେ ଜଡ଼ିତ ନୀଳବାସ ॥ ୭୯

ରବିକିରଣେ ଶ୍ରମ ପାଇ । ବୋଲନ୍ତି ଯମୁନାକୁ ଚାହିଁ ॥ ୮୦

ଆସ କାଳିନ୍ଦୀ ମୋର ପାଶ । ଶକଳ ଶ୍ରମ କର ନାଶ ॥ ୮୧

ତୋ ଜଳେ କରି ଅବଗାହ । ଶ୍ରମ ନ ରହୁ ମୋର ଦେହ ॥ ୮୨

ଯମୁନା ରାମବାଣୀ ଶୁଣି । ମଦିରାମତ୍ତ ପ୍ରାୟ ମଣି ॥ ୮୩

ଅବଜ୍ଞା କରି ରାମବାଣୀ । ତରଳେ ବହେ ତରଙ୍ଗିଣୀ ॥ ୮୪

ତା ଦେଖି ରାମ କୋପଭରେ । ତୀକ୍ଷ୍ଣ ଲଙ୍ଗଳ ଧରି କରେ ॥ ୮୫

କାଳିନ୍ଦୀ ମଧ୍ୟେ ହଳ ସ୍ଥାପି । କୋପେ ବୋଲନ୍ତି ବିଶ୍ୱରୂପୀ ॥ ୮୬

ରେ ପାପୀ ଏଡେ଼ ଗର୍ବ ତୋର । ଅବଜ୍ଞା କଲୁ ବାକ୍ୟ ମୋର ॥ ୮୭

ତୁ ମୋତେ କରୁ ଅବହେଳ । ଆଜ ପାଇବୁ ପ୍ରତିଫଳ ॥ ୮୮

ଲଙ୍ଗଳ ଅଗ୍ରେ ତୋତେ ଧରି । କାଟିବି ଶତଖଣ୍ତ କରି ॥ ୮୯

ନିଶ୍ଚେ ମରିବୁ ଆଜ ତୁହି । ଆଜ୍ଞା ଭାଙ୍ଗିଲୁ ଗର୍ବ ବହି ॥ ୯୦

ଏମନ୍ତ ରାମବାକ୍ୟ ଶୁଣି । ଭୟେ ବୋଲଇ ତରଙ୍ଗିଣୀ ॥ ୯୧

ଲହରୀ ବ୍ୟାଜେ ବେନିକରେ । ମିଳିଲା ରାମର ପୟରେ ॥ ୯୨

କମଳ ଉପହାର ମୁଖେ । ରାମଙ୍କୁ ବୋଲେ ଭୟଦୁଃଖେ ॥ ୯୩

ହେ ରାମ ରାମ ମହାଭୁଜ । ମୁହିଁ ନ ଜାଣେ ତୋର ତେଜ ॥ ୯୪

ତୋହର ଏକ ଅଂଶେ ମହୀ । ମୁକୁଟ ଶିରେ ଅଛି ହୋଇ ॥ ୯୫

ଜଗତପତି ମହୀଧର । ଭୋ ନାଥ ଶରଣ ମୁଁ ତୋର ॥ ୯୬

ତୋର ମହିମା ଭଗବାନ । ନ ଜାଣି କଲି ଅବଜ୍ଞାନ ॥ ୯୭

ପଶିଲି ତୋହରେ ଶରଣେ । ସୁନ୍ଦର ଅଭୟଚରଣେ ॥ ୯୮

ତୁ ନାଥ ଭକତବତ୍ସଳ । ଶରଣ ରଖ ଆଦିମୂଳ ॥ ୯୯

ଏମନ୍ତ ନଦୀବାକ୍ୟ ଶୁଣି । ହଳ ସଂହରି ହଳପାଣି ॥ ୧୦୦

ସକଳ ଗୋପନାରୀ ମେଳେ । ପଶିଲେ ଯମୁନାର ଜଳେ ॥ ୧୦୧

କରିଣୀଯୂଥେ ଗଜବର । ଯେହ୍ନେ ଦିଶଇ ମନୋହର ॥ ୧୦୨

ନିଶ୍ଚିନ୍ତେ ଜଳକ୍ରୀଡ଼ା ସାରି । କୂଳେ ମିଳିଲେ ହଳଧାରୀ ॥ ୧୦୩

ତକ୍ଷଣେ ରବିର ନନ୍ଦିନୀ । ନିର୍ମଳ ନୀଳବସ୍ତ୍ର ଘେନି ॥ ୧୦୪

ରାମର କରେ ଦେଲା ଆଣି । ଭୂଷଣ ନାନାରତ୍ନମଣି ॥ ୧୦୫

ନୀଳକମଳମାଳ ଗଳେ । ଦେଇ ନମିଲା ପାଦତଳେ ॥ ୧୦୬

ନୀଳବସନ ଅନୁପମ । ଆନନ୍ଦେ ପିନ୍ଧି ବଳରାମ ॥ ୧୦୭

ଭୂଷଣ ନାନାରତ୍ନକୁଳ । ହୃଦେ ଲମ୍ବାଇ ବନମାଳ ॥ ୧୦୮

ଗନ୍ଧ ଚନ୍ଦନ ଲେପି ଦେହେ । ଦିଶିଲେ ଇନ୍ଦ୍ରହସ୍ତୀ ପ୍ରାୟେ ॥ ୧୦୯

ଶୁମ ହେ ଅଭିମନ୍ୟୁସୁତ । ଯମୁନାକୂଳେ ରାମକୃତ୍ୟ ॥ ୧୧୦

ଅଦ୍ୟାପି ବୃନ୍ଦାବନ ଦେଶେ । ଯମୁନା ବକ୍ରେ ବହି ଆସେ ॥ ୧୧୧

ଅନନ୍ତବଳୀ ବଳରାମ । ତାର ଚରିତ ଅନୁପମ ॥ ୧୧୨

ଯମୁନାତଟେ ବୃନ୍ଦାବନେ । ଏବେ ତୁ ଶୁଣ ସାବଧାନେ ॥ ୧୧୩

ଏମନ୍ତ କରି କ୍ରୀଡ଼ାରସ । ରାମ ରହିଲେ ବେନିମାସ ॥ ୧୧୪

ଯେତେ ରଜନୀ ବେନିମାସେ । ଗୋପୀଏ ବୃନ୍ଦାବନ ଦେଶେ ॥ ୧୧୫

ରାମର ପ୍ରିୟଭାବେ ମିଶି । ଜାଣନ୍ତି ଗଲା ଏକ ନିଶି ॥ ୧୧୬

ସେ ରାମ ପାଦପଦ୍ମତଳେ । ସୁଜନେ ଚିନ୍ତ ଧ୍ୟାନବେଳେ ॥ ୧୧୭

ଅନନ୍ତ ଚରିତ ଅମୃତ । କହଇ ବିପ୍ର ଜଗନ୍ନାଥ ॥ ୧୧୮

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ବଳଦେବ ବିଜୟେ ଯମୁନାକର୍ଷଣଂ ନାମ

ସପ୍ତତିତମ ଅଧ୍ୟାୟଃ ॥

* * *