ଦଶମ ସ୍କନ୍ଧ

ଏକୋନସପ୍ତତିତମ ଅଧ୍ୟାୟ

ଶୁକ ଉବାଚ

ଶୁଣ ରାଜନ ସାବଧାନେ । ଦ୍ୱାରକାପୁରେ ଏକ ଦିନେ ॥

କୃଷ୍ଣ ରାଜନ ସାବଧାନେ । କହିବା ଏକେ ଏକେ କେତେ ॥

ପ୍ରଦ୍ୟୁମ୍ନ ଶାମ୍ବ ଆଦି ମିଳି । ବନେ କରନ୍ତି ନାନା କେଳି ॥

ଅନେକବେଳ କ୍ରୀଡାକରି । ତୃଷିତେ ଲୋଡୁଛନ୍ତି ବାରି ॥

ଏମନ୍ତେ ଜଳପାନ ସଧେ । କୂପ ଦେଖିଲେ ବନମଧ୍ୟେ ॥

ସକଳେ କୂପପାଶେ ମିଳି । ଚାହାନ୍ତି ନୟନ ନିରୋଳି ॥

ତୃଣ ଗହଳ ଅନ୍ଧକାରେ । ଅଦ୍ଭୁତ ଜନ୍ତୁ ତା ଭିତରେ ॥

ଦିଶଇ ପର୍ବତ ସୃଦଶ । ଦେଖି ଚିହ୍ନିଲେ କୃକଲାଶ ॥

ବିସ୍ମିତେ ଏକ ଆରେ ଚାହିଁ । ବୋଲନ୍ତି ଅଙ୍ଗୁଳି ଦେଖାଇ ॥

ଦଣ୍ତେ ବିଚାରି ଯତ୍ନକରି । ବୋଲନ୍ତି ଦେଖିବା ଉଦ୍ଧରି ॥ ୧୦

ଏତେ ବିଚାରି ଦୟା ବହି । ଲାଙ୍ଗୁଳେ ଦଉଡ଼ି ଲଗାଇ ॥ ୧୧

ତୃଣବକଳ ଚର୍ମପାଶି । ନିବିଡେ଼ ବାନ୍ଧିଲେ ଆକର୍ଷି ॥ ୧୨

ଟାଣନ୍ତି ଧରି ଜଣେ ଜଣ । ନ ତଳେ ତାହାରି ଚରଣ ॥ ୧୩

ଦେଖି ଚକିତ କୃଷ୍ଣବାଳେ । ସର୍ବେ ଟାଣିଲେ ଏକାବେଳେ ॥ ୧୪

ତିଳେ ନ ଚଳେ କୃକଲାଶ । ଟାଣି ପାଇଲେ ସର୍ବେ ତ୍ରାସ ॥ ୧୫

ପୁଣି ଧରନ୍ତି ବାହୁବଳେ । ଟାଣନ୍ତେ କେବେହେଁ ନ ଚଳେ ॥ ୧୬

ଏମନ୍ତେ ବହୁ କ୍ଲେଶ ପାଇ । ଏକ ଆର କେ ମୁଖ ଚାହି ॥ ୧୭

ବୋଲନ୍ତି ଦେଖି ବିପରୀତ । ଆମ୍ଭର ବଳବୀର୍ଯ୍ୟ ହତ ॥ ୧୮

ଟାଣନ୍ତେ ତିଳେ ନ ଚଳିଲା । ଲାଜ ତ ମରଣୁ ବଳିଲା ॥ ୧୯

ଶ୍ରୀକୃଷ୍ଣ ବୀର୍ଯ୍ୟେ ଆମ୍ଭ ଜନ୍ମ । ଶୁଣି ହସିବେ ସର୍ବଜନ ॥ ୨୦

ରିପୁ ହସିବେ ଏହା ଶୁଣି । କିବା ବୋଲିବେ ଚକ୍ରପାଣି ॥ ୨୧

ରୋହିଣୀସୁତ ଶୁଣି ଏହା । ଆମ୍ଭରେ ହୋଇବେ ନିର୍ଦ୍ଦୟା ॥ ୨୨

ପୁରେ ହସିବେ ବଧୂଜନେ । ବସନ ଆଚ୍ଛାଦି ବଦନେ ॥ ୨୩

ନିରାଶେ କୃଷ୍ଣପାଶେ ଯାଇ । ବୋଲନ୍ତି ଶିରେ କର ଦେଇ ॥ ୨୪

ଭୋ ଦେବ ଶୁଣ ସାବଧାନେ । ଅଦ୍ଭୁତ କଥା ଘୋରବନେ ॥ ୨୫

ବନଗହ୍ନେ ଅନ୍ଧକୂପ । ତା ମଧ୍ରେକୃକଲାଶ ରୂପ ॥ ୨୬

ପର୍ବତ ପ୍ରାୟ ତା ଶରୀର । ନ ଚଳେ ଅତି ଗରୁତର ॥ ୨୭

ଓଟାରି ନ ପାରିଲୁ ବଳେ । ଟାଣନ୍ତେ ଚରଣ ନ ଚଳେ ॥ ୨୮

ଏ ବଡ ଲଜ୍ଜା ବିପରୀତ । ଶୁଣି ହସିଲେ ଯଦୁନାଥ ॥ ୨୯

ବୋଲନ୍ତି ଚାଲ ଯିବା ବନେ । ପୋଏ ଧାଇଁଲେ ତୋଷମନେ ॥ ୩୦

ଏମନ୍ତେ ଘୋରବନେ ଯାଇ । କୂପେ ଚାହିଁଲେ ଭାବଗ୍ରାହୀ ॥ ୩୧

ଦେଖିଲେ ଘୋର ଅନ୍ଧକାର । ନିର୍ଜଳ ତୃଣେ ମହାଘୋର ॥ ୩୨

ଅଦ୍ଭୁତ କୃକଲାଶ କାୟେ । ଦିଶଇ ଗିରିଶୃଙ୍ଗ ପ୍ରାୟେ ॥ ୩୩

ଅଧୋବଦନ ଉର୍ଦ୍ଧ୍ୱଲାଞ୍ଜ । ଦେଖି ଚକିତ ଦେବରାଜ ॥ ୩୪

ଦୟାସାଗର ଦେବହରି । ତା ଲାଞ୍ଜ ବାମକରେ ଧରି ॥ ୩୫

କୂପୁଁ ତୋଳିଲେ ଦାମୋଦର । ମାଳା ଯେସନେ ମାଳାକାର ॥ ୩୬

ତୋଳି ପକାନ୍ତେ ହୃଷୀକେଶ । ପ୍ରାଣ ଛାଡିଲା କୃକଲାଶ ॥ ୩୭

ଯେଣୁ ଲାଗିଲା କୃଷ୍ଣକର । ଦିବ୍ୟସ୍ୱରୂପ ହେଲା ତାର ॥ ୩୮

ଉଦୟ ଗିରିଶିଖେ ଶଶୀ । ଯେସନେ ଗଗନେ ପ୍ରକାଶି ॥ ୩୯

ଶୁଦ୍ଧସୁବର୍ଣ୍ଣ ଦେହ ଝଳି । ଜଳଦେ ଯେସନେ ବିଜୁଳି ॥ ୪୦

ଦିବ୍ୟବସନ ଗନ୍ଧମାଳ । ଦେଖି ଚକିତ ନନ୍ଦବାଳ ॥ ୪୧

ତାହା ଜାଣନ୍ତି କୃଷ୍ଣ ଏକେ । ବିଖ୍ୟାତ ଅର୍ଥେ ନରଲୋକେ ॥ ୪୨

ତାର ବଦନ ଚାହିଁ ହସି । ପୁଚନ୍ତି ପ୍ରଭୁ ବ୍ରହ୍ମରାଶି ॥ ୪୩

ତୁ ମହାଭାଗ ପୁଣ୍ୟଦେବୀ । ଦେବତାପ୍ରାୟ ମୁଁ ମଣଇ ॥ ୪୪

କହ ତୁ କେବଣ ପୁରୁଷ । କିମ୍ପା ହୋଇଲୁ କୃକଲାଶ ॥ ୪୫

କି ପାପବଶୁଁ ଭୋଗ କରି । ଶରୀର ଅନ୍ଧକୂପେ ଭରି ॥ ୪୬

ଏ କୂପେ ଅଛୁ କେତେକାଳ । କହ ନ କରି ଅବହେଳ ॥ ୪୭

ତୁହି ତ ନୋହୁ ପାପୀଜନ । କହ ଏ କେବଣ ବିଧାନ ॥ ୪୮

ଶୁଣିତେ ଯୋଗ୍ୟ ଯେବେ ମୁହିଁ । କହ ନିର୍ଭୟ ଚିତ୍ତ ହୋଇ ॥ ୪୯

ଏମନ୍ତ କୃଷ୍ଣ ବାକ୍ୟ ଶୁଣି । ଆନନ୍ଦେ କହେ ନୃପମଣି ॥ ୫୦

ଶିରେ ମୁକୁଟ ରବିପ୍ରାୟେ । ନମିଲା ଗୋବିନ୍ଦର ପାୟେ ॥ ୫୧

ଭୋ ନାଥ ନୃଗରାଜା ମୁହିଁ । ଈକ୍ଷ୍ୱାକୁବଂଶେ ଜାତ ହୋଇ ॥ ୫୨

ଜଗତମଧ୍ୟେ ଯେତେ ଦାନୀ । ତାହାଙ୍କ ମଧ୍ୟେ ମୁଁ ଅଗ୍ରଣୀ ॥ ୫୩

ତୁ ତାହା ଅଛୁ ଭଲେ ଜାଣି । ମୁଁ କି କହିବି ପରିମାଣି ॥ ୫୪

ସର୍ବଭୂତଙ୍କ ଆତ୍ମା ତୁହି । ଅଶେଷ ଜ୍ଞାନ ତୋର ତହିଁ ॥ ୫୫

ତୁ ନାଥ ଭଲେ ଏହା ଜାଣୁ । କେବଳ ମୋତେ ପରିମାଣୁ ॥ ୫୬

ତଥାପି ଆଜ୍ଞା ଘେନି ଶିରେ । କହିବି ତୋହର ଛାମୁରେ ॥ ୫୭

ଭୋ ନାଥ ଶୁଣ ମୋ ବଚନ । ଅନେକ ଦେଲି ଗୋରୁଦାନ ॥ ୫୮

ସଂଖ୍ୟା କରିବି ମୁହିଁ କେତେ । ଶୁଣ ଉପମା କହୁଁ ତୋତେ ॥ ୫୯

ଭୂମିରେ ଅଛି ଯେତେ ଧୂଳି । ଗଗନେ ଯେତେ ତାରାମାଳୀ ॥ ୬୦

ବରଷାଧାରା ଯେତେ ହୋଇ । ଏହି ପ୍ରମାଣେ ଦେଲି ଗାଈ ॥ ୬୧

କ୍ଷୀର ସମ୍ପୂର୍ଣ୍ଣ ରୂପବନ୍ତୀ । ସାଧି ତରୁଣ ବତ୍ସାବତୀ ॥ ୬୨

ସୁନ୍ଦର ସୁକପିଳ ବର୍ଣ୍ଣ । ସୁବର୍ଣ୍ଣଶୃଙ୍ଗ ଗୁଣପୂର୍ଣ୍ଣ ॥ ୬୩

ଖୁରରେ ରଜତ ଖଞ୍ଜଣି । ଉଚିତ ଧନେ ତାହା କିଣି ॥ ୬୪

ଦୋହନ ଅର୍ଥେ କାଂସ୍ୟପାତ୍ର । ବସ୍ତ୍ର କୁସୁମମାଳା ଗାତ୍ର ॥ ୬୫

ଗନ୍ଧଚନ୍ଦନ ମାଳ ସାଜି । ଡେ଼ର୍ଘ୍ୟେ ବିପ୍ରପାଦ ପୂଜି ॥ ୬୬

ବରିଲି ଯେମନ୍ତ ବ୍ରାହ୍ମଣ । ଭୋ ନାଥ ସାବଧାନେ ଶୁଣ ॥ ୬୭

ଯୁବା ସୁଗୁଣ ସାଧୁଶୀଳ । ଦରିଦ୍ର କୁଟମ୍ବଗହଳ ॥ ୬୮

ଉତ୍ତମ ବ୍ରହ୍ମଚର୍ଯ୍ୟ ଦୀକ୍ଷା । ବେଦାଧ୍ୟୟନେ ମନ୍ତ୍ର ଶିକ୍ଷା ॥ ୬୯

ଏମନ୍ତ ବିପ୍ରେ ସାବଧାନ । ସୁପୁଣ୍ୟକାଳେ ଦେଲି ଦାନ ॥ ୭୦

ଅଧିକ ଦାମ ଦେଲି ଯେତେ । ଶୁଣ କହିବା ତୋ ଅଗ୍ରତେ ॥ ୭୧

ଗୋ ଚର୍ମମାପେ ଭୂମିଦାନ । ଶୁଣ ସୁବର୍ଣ୍ଣ ଆୟତନ ॥ ୭୨

ଗଜ ତୁରଗ କନ୍ୟାଦାସୀ । ତିଳ ପର୍ବତ ଧାନ୍ୟରାଶି ॥ ୭୩

ଭୋଗ୍ୟସମ୍ପୂର୍ଣ୍ଣ ସୁଖଶଯ୍ୟା । ବସ୍ତ୍ରଭୂଷଣ ବଳିଭୋଜା ॥ ୭୪

ଯଜ୍ଞେ ସୁବର୍ଣ୍ଣରଥ ଯେତେ । ସଂଖ୍ୟାରେ କହିବି ମୁଁ ତୋତେ ॥ ୭୫

ଦେବମନ୍ଦିରେ ଜଳ ଅନ୍ନ । ସୁମିଷ୍ଟ ପବିତ୍ର ଭୋଜନ ॥ ୭୬

ଏମନ୍ତେ ନାନା ଦାନ କରି । କିଞ୍ଚିତେ ପାପ ମୁଁ ଆଚରି ॥ ୭୭

ବ୍ରାହ୍ମର ଦାମ ନେଲା ଗାଈ । ଫିଟି ପଶିଲା ଗୋଷ୍ଠେ ଯାଇ ॥ ୭୮

ଅଜ୍ଞାନେ ନ ଜାଣି ପ୍ରଭାତେ । ଦାନ ମୁଁ ଦେଲି ବିପ୍ରହସ୍ତେ ॥ ୭୯

ବ୍ରାହ୍ମଣ ଧେନୁ ଘେନି ଯାନ୍ତେ । ବିପ୍ର ଦେଖିଲା ରାଜପଥେ ॥ ୮୦

ତା ନିଜ ଧେନୁ ଚିହ୍ନି ବଳେ । ତକ୍ଷଣେ ଧଇଲା ଲାଙ୍ଗୁଳେ ॥ ୮୧

ବୋଇଲା ମୋର ଧେନୁ ଏହି । ହଜିଲା ଲୋଡୁଅଛି ମୁହିଁ ॥ ୮୨

ଶୁଣି ବ୍ରାହ୍ମଣ କୋପମନେ । ବୋଲଇ ପରୁଷ ବଚନେ ॥ ୮୩

ପ୍ରତ୍ୟକ୍ଷେ ଘେନିଅଛି ଦାନ । ଦେଖ ତୁ ଫେଡ଼ିଣ ନୟନ ॥ ୮୪

ଜଳ ତୁଳସୀ କୁଶ ହସ୍ତେ । ତିଳ ହିଁ ଦେଖ ତୁ ପ୍ରତ୍ୟକ୍ଷେ ॥ ୮୫

ଏ ଧେନୁ କେମନ୍ତେ ତୋହର । ଶୁଣି ବୋଲଇ ବିପ୍ରବର ॥ ୮୬

ଧେନୁ ଶରୀରେ ମୋର ଲେଖ । ତୋହର ଚକ୍ଷୁ ଥିଲେ ଦେଖ ॥ ୮୭

ଏମନ୍ତ କହି ଶୃଙ୍ଗ ଧରି । ଘେନି ଚଳିଲା ନିଜପୁରୀ ॥ ୮୮

ବ୍ରାହ୍ମଣ ଧରେ ଲାଞ୍ଜେ ଧେନୁ । ଏମନ୍ତେ ଉପୁଜିଲା ମନ୍ୟୁ ॥ ୮୯

କଳି ଭିଆଇ ପଥ ମଧ୍ୟେ । ପ୍ରହାର କଲେ ହସ୍ତପାଦେ ॥ ୯୦

ଏମନ୍ତ ଉଚ୍ଚବାଚ ହୋଇ । ମିଳିଲେ ମୋର ପୁରେ ଯାଇ ॥ ୯୧

ବ୍ରାହ୍ମଣ ମୋର ମୁଖ ଚାହିଁ । ବୋଲଇ କୋପଭର ହୋଇ ॥ ୯୨

ତୁ ମୋର ହସ୍ତେ ଧେନୁ ଦେଇ । ଏବେ ହରିଲୁ କିସ ପାଇଁ ॥ ୯୩

ଉତ୍ସର୍ଗ-ଦାନ ଯେହୁ ହରେ । ଅନ୍ତେ ନରକ ଭୋଗ କରେ ॥ ୯୪

ଯେ ବିପ୍ର ପ୍ରତିଗ୍ରହ ତ୍ୟାଗେ । ସେହି ପଡ଼ଇ ଦୁଃଖଭାଗେ ॥ ୯୫

ଏମନ୍ତ ବିପ୍ର-ବାକ୍ୟ ଶୁଣି । ବଜ୍ର ପଡ଼ିଲା ଶିରେ ମଣି ॥ ୯୬

ମନେ ପାଇଲି ମହାଭୟ । କାତରେ କମ୍ପେ ମୋର କାୟ ॥ ୯୭

ଉଭୟ ସଙ୍କଟେ ମୁଁ ପଡ଼ି । କରଯୁଗଳ ଶିରେ ଯୋଡି ॥ ୯୮

ବେନି ବିପ୍ରଙ୍କ ପାଦତଳେ । ପ୍ରବୋଧ କଲି ନାନାମତେ ॥ ୯୯

ସଙ୍କଳ୍ପ ଲକ୍ଷେଧେନୁ କରି । ବୋଇଲି ବିପ୍ର ପାଦ ଧରି ॥ ୧୦୦

ଭୋ ବିପ୍ର ଲକ୍ଷେ ଧେନୁ ନେଇ । ଏ ଧେନୁ ଗୋଟି ଦିଅ ତୁହି ॥ ୧୦୧

ତୁ ମୋତେ ଅନୁଗ୍ରହ କର । ଉଭୟ-ସଙ୍କଟୁ ଉଦ୍ଧର ॥ ୧୦୨

ନ ଜାଣି କଲି ଏଡେ଼ କର୍ମ । ଭୋ ବିପ୍ର ରଖ ମୋର ଧର୍ମ ॥ ୧୦୩

ନକର ମନେ ଆନ ବୁଦ୍ଧି । ଦକ୍ଷିଣା ଦେବି ହେମ-ନିଧି ॥ ୧୦୪

ନରକପଥୁଁ ରଖ ମୋତେ । ଏ ଧେନୁ ଦିଅ ତୋଷଚିତ୍ତେ ॥ ୧୦୫

ଶୁଣି ବୋଲଇ ପ୍ରତିଗ୍ରାହୀ । ଲକ୍ଷକେ ମୋର କାର୍ଯ୍ୟ ନାହିଁ ॥ ୧୦୬

ଏମନ୍ତ ବୋଲି ବିପ୍ର ଗଲା । ଆନ ଯେ ପ୍ରତିଗ୍ରାହୀ ଥିଲା ॥ ୧୦୭

ଅୟୁତେ ଦେଲି ତାକୁ ଧେନୁ । ତା ଦେଖି ବିପ୍ର କଲା ମନ୍ୟୁ ॥ ୧୦୮

ବୋଇଲି ଲକ୍ଷେ ନିଅ ତୁହି । ଶୁଣି କୋପିଲା ମୋତେ ଚାହିଁ ॥ ୧୦୯

ବୋଇଲା ପରୁଷ ବଚନେ । ନିନ୍ଦା ତୁ କଲୁ ମହାଜନେ ॥ ୧୧୦

କୋପେ ଚଳିଲା ନିଜ ଘରେ । ନିତ୍ୟେ ଆସଇ ମୋର ପୁରେ ॥ ୧୧୧

ପ୍ରତିଦିବସେ ବୋଧ କରି । ବୋଲଇ ବିପ୍ରପାଦ ଧରି ॥ ୧୧୨

କୋପେ ନ ଶୁଣେ ମୋ ବଚନ । ଏମନ୍ତେ ଗଲା କେତେଦିନ ॥ ୧୧୩

ଭୋ ନାଥ ଶୁଣ ଜନାର୍ଦ୍ଦନ । କାଳେ ମୁଁ ଛାଡିଲି ଜୀବନ ॥ ୧୧୪

ମରଣକାଳେ ଯମଦୂତେ । ମିଳିଲେ ମୋହର ଅଗ୍ରତେ ॥ ୧୧୫

ବନ୍ଧନ କରି ମୋର ଦେହୀ । ଯମ ନିକଟେ ଦେଲେ ନେଇ ॥ ୧୧୬

ତକ୍ଷଣେ ରବିର ନନ୍ଦନ । ଅନେକ କଲା ସନମାନ ॥ ୧୧୭

ପୁଣ୍ୟ-ପାତକ ବିଚାରିଲା । ଆନନ୍ଦେ ମୋତେ ଆଜ୍ଞା ଦେଲା ॥ ୧୧୮

ଶୁଣ ରାଜନ ପୁଣ୍ୟବନ୍ତ । କେ କରୁ ତୋର ପୁଣ୍ୟ ଅନ୍ତ ॥ ୧୧୯

କିଞ୍ଚିତ ପାପ ଅଛି ତୋର । ଯେ ଇଚ୍ଛା ଆଗେ ଭୋଗ କର ॥ ୧୨୦

ଶୁଭ-ଅଶୁଭ ଫଳ ଦୁଇ । ନିଶ୍ଚୟ ଭୋଗ ସେ କରଇ ॥ ୧୨୧

ବ୍ରହ୍ମା-ଶଙ୍କର ଦେହ ଧରି । ଅନ୍ୟଥା ନ ପାରନ୍ତି କରି ॥ ୧୨୨

ଏମନ୍ତ ଯମବାକ୍ୟ ଶୁଣି । ଆପଣା ଚିତ୍ତେ ପରିମାଣି ॥ ୧୨୩

ଅନେକ ଅଛି ପୁଣ୍ୟ ରାଶି । କିଞ୍ଚିତେ ପାତକ ପ୍ରକାଶି ॥ ୧୨୪

ଆଗ ଭୁଞ୍ଜିବି ପାପଭାର । ଏ ଦୁଃଖ ଘୋର ଭୟଙ୍କର ॥ ୧୨୫

ପଛେ ଭୁଞ୍ଜିବି ପୁଣ୍ୟ ମୁହିଁ । ଯମ ବୋଇଲେ ଦୂତେ ରାଇ ॥ ୧୨୬

ବ୍ରହ୍ମସ୍ୱ-ସାପ ମହାଘୋର । ଏହାକୁ କୃକଲାଶ କର ॥ ୧୨୭

ବନ-ଗହନ ଅନ୍ଧକୂପେ । ଅନେକ କାଳ ଥାଉ ପାପେ ॥ ୧୨୮

ଏମନ୍ତ ବୋଲୁଁ ବୋଲୁଁ ଯମ । ଲଭିଲି କୃକଲାଶ ଜନ୍ମ ॥ ୧୨୯

ଆତ୍ମା-ସଂଯୋଗ କାଳେ ମୁହିଁ । ଡାକିଲି କର ମୋତେ ତ୍ରାହି ॥ ୧୩୦

ତା ଶୁଣି ଯମ ଦୟା କଲା । ଡାକିଲି କର ମୋତେ ତ୍ରାହି ॥ ୧୩୧

ଏ ପାପଅନ୍ତେ ମହୀପାଳ । ଭେଟିବୁ ମଦନଗୋପାଳ ॥ ୧୩୨

ସେ କୃଷ୍ଣ-କର ଲାଗି ତୁହି । ତକ୍ଷଣେ ଦିବ୍ୟତନୁ ବହି ॥ ୧୩୩

ସ୍ୱର୍ଗେ ବସିବୁ ପୁଣ୍ୟବଳେ । ନିଜ ସୁକୃତ-ତପଫଳେ ॥ ୧୩୪

ଭୋନାଥ ତୋର ଆଜ୍ଞାବଳେ । କହିଲି ପଦ୍ମପାଦ ତଳେ ॥ ୧୩୫

ବିପ୍ରସେବକ ସମ ମତି । ତୋହର ପାଦେ ଚିତ୍ତବୃତ୍ତି ॥ ୧୩୬

ଏଣୁ ତୋହର ଦରଶନ । ନିରତେ ଚିନ୍ତଇ ମୋ ମନ ॥ ୧୩୭

ଜାତି ସୁମରି ଦୁଃଖ ସହି । ଏ ଅନ୍ଧ ରୂପେ ପଡ଼ିଲଇଁ ॥ ୧୩୮

ଏବେ ଦେଖିଲି ତୋ ଶ୍ରୀମୁଖ । ଖଣ୍ତିଲି ଜନ୍ମବନ୍ଧ-ଦୁଃଖ ॥ ୧୩୯

ଏ ପାପୁଁ ଉଦ୍ଧରିଲୁ ମୋତେ । କି ପୂଣ୍ୟେ ଦେଖିଲି ମୁଁ ତୋତେ ॥ ୧୪୦

ଭୋ ନାଥ ଚରଣ ତୋହର । ଯୋଗେଶ୍ୱରଙ୍କୁ ଅଗୋଚର ॥ ୧୪୧

ନିଜ ଅର୍ଜିତ ଦୃଢ଼ବନ୍ଧେ । ପାପ-ପଟଳ-ଚକ୍ଷୁ ଅନ୍ଧେ ॥ ୧୪୨

ମୁଁ ଅନ୍ଧକୂପ ମଧ୍ୟେ ଥାଇ । ଅନେକକାଳ ଦୁଃଖ ସହି ॥ ୧୪୩

ପାଇଲି ତବ ଦରଶନ । ଭୋ ନାଥ ରଖ ଭଗବାନ ॥ ୧୪୪

ଯାର ଦର୍ଶନେ ବନ୍ଧ ମୋକ୍ଷ । ସେ ମୋତେ ହୋଇଲା ପ୍ରତ୍ୟକ୍ଷ ॥ ୧୪୫

ତୁ ଦେବଦେବ ଜଗନ୍ନାଥ । ସୁହୃଦ ଆତ୍ମା ଦଇବତ ॥ ୧୪୬

ଗୋବିନ୍ଦ ପୁରୁଷ-ପୁରାଣ । ତୁ ହୃଷୀକେଶ ନାରାୟଣ ॥ ୧୪୭

ଅବ୍ୟୟ ଅଚ୍ୟୁତ ପ୍ରକାଶ । ତୋର ଚରିତ ପୁଣ୍ୟଯଶ ॥ ୧୪୮

ଏବେ ତୁ ଆଜ୍ଞାଦିଅ ମୋତେ । ନିଶ୍ଚିନ୍ତେ ଯିବି ପୁଣ୍ୟପଥେ ॥ ୧୪୯

ଯହିଁ ମୁଁ ଥିବି ବହି । ତୋର ଶରଣ ଭାବଗ୍ରାହୀ ॥ ୧୫୦

ତୋ ପାଦେ ମୋର ମନଥିବ । ଯାହା ନ ପାନ୍ତି ବ୍ରହ୍ମା-ଶିବ ॥ ୧୫୧

ନମସ୍ତେ ସର୍ବଭୂତ-ଦେହୀ । ବ୍ରହ୍ମ ଅନନ୍ତଶକ୍ତି ତୁହି ॥ ୧୫୨

ଶ୍ରୀକୃଷ୍ଣ ବସୁଦେବସୁତ । ତୁ ଯୋଗେଶ୍ୱର ଯୋଗତତ୍ତ୍ୱ ॥ ୧୫୩

ଏମନ୍ତ କହି ନୃଗରାଜା । କୃଷ୍ଣଚରଣେ କଲା ପୂଜା ॥ ୧୫୪

କିରୀଟ ଅଛି ଶିର ମଧ୍ୟେ । ନମିଲା କୃଷ୍ଣ ପଦ୍ମପାଦେ ॥ ୧୫୫

ତକ୍ଷଣେ ବସି ଦିବ୍ୟରଥେ । ବିଜୟ କଲା ଶୂନ୍ୟପଥେ ॥ ୧୫୬

ଦେଖନ୍ତି ଦିଗପାଳେ ମିଳି । ଜଳଦେ ଯେସନେ ବିଜୁଳି ॥ ୧୫୭

ରାଜା ମିଳିଲା ସ୍ୱର୍ଗପୁରେ । ଗୋବିନ୍ଦ ଅନ୍ଧକୂପ ଦ୍ୱାରେ ॥ ୧୫୮

ସ୍ୱଜନ ଚାହିଁ ଜନାର୍ଦ୍ଦନ । ବୋଲନ୍ତି ନିଗମ ବଚନ ॥ ୧୫୯

କ୍ଷତ୍ରୀୟ-ଶିକ୍ଷା ଧର୍ମବାଣୀ । ଯେ ଧର୍ମଶାସ୍ତ୍ର ପରିମାଣି ॥ ୧୬୦

ବିପ୍ର-ବତ୍ସଳ ଦାମୋଦର । ବୋଲନ୍ତି ଶୁଣ ସର୍ବବୀର ॥ ୧୬୧

ଦେଖ ଦୁର୍ଜୟ ବ୍ରହ୍ମଧନ । ଅନଳେ ନୁହଇ ଦହନ ॥ ୧୬୨

ରାଜ୍ୟଈଶ୍ୱର ରାଜା ହୋଇ । କେ ପାର କରେ ତାହା ଖାଇ ॥ ୧୬୩

ଗରଳ ହଳାହଳ ବିଷ । ମୁଁ ତାହା ମଣଇ ଉଶ୍ୱାସ ॥ ୧୬୪

ଯାହାର ପ୍ରତିକାର ଥାଇ । ତାର ଭକ୍ଷଣେ ଭୟ ନାହିଁ ॥ ୧୬୫

ବ୍ରହ୍ମସ୍ୱ ମହାବିଷ ହୋଇ । ତାହାର ପ୍ରତିକାର ନାହିଁ ॥ ୧୬୬

ବିଷ ଭକ୍ଷିଲେ ଜଣେ ମରେ । ବ୍ରହ୍ମସ୍ୱ ବଂଶନାଶ କରେ ॥ ୧୬୭

ଯେ ବନ ଦହଇ ଅନଳ । ରକ୍ଷା କରଇ ତହିଁ ଜଳ ॥ ୧୬୮

ବ୍ରହ୍ମସ୍ୱ-ଅଗ୍ନି ଏ ସଂସାରେ । ସମୁଳେ ବଂଶ ନାଶ କରେ ॥ ୧୬୯

ବ୍ରହ୍ମସ୍ୱ-ଅଗ୍ନି ତେଜ ଯେତେ । କେ ଲଘିଂ ପାରିବ ଜଗତେ ॥ ୧୭୦

ବାହ୍ମଣଧନ ଯେତୁ ଗ୍ରାସେ । ତିନିପୁରୁଷ ତାର ନାଶେ ॥ ୧୭୧

ତାତ ଜନନୀ ବେନିବଂଶ । ଉଭୟକୁଳ କରେ ନାଶ ॥ ୧୭୨

ଆତ୍ମା ସହିତେ କରେ ନାଶା । ଏ କଥା ଦେବରେ ପ୍ରକାଶ ॥ ୧୭୩

ବ୍ରାହ୍ମଣଧନ ଯେହୁ ହରେ । ପଡେ଼ ନରକ ତମଘୋରେ ॥ ୧୭୪

କ୍ଷତ୍ରିୟ ରାଜପଣ ପାଇ । ଆତ୍ମାର ଗତି ନ ଜାଣଇ ॥ ୧୭୫

ବ୍ରାହ୍ମଣଧନ ସ୍ୱାଦୁ ମଣି । ବଳେ ହରନ୍ତି ଯେତେ ପ୍ରାଣୀ ॥ ୧୭୬

ନିରତେ ସୁଖ ପ୍ରାୟ ମଣି । ପଢ଼ନ୍ତି ତମ-ତରଙ୍ଗିଣୀ ॥ ୧୭୭

ଅନ୍ନ ନ ପାଇ ବିପ୍ରଜନ । ବିକଳେ କରନ୍ତି ରୋଦନ ॥ ୧୭୮

ବିପ୍ରରୋଦନ ଲୁହ ପଡ଼ି । ଭୂମିରେ ଯେତେ ରେଣୁ ଜଡ଼ି ॥ ୧୭୯

ତାବତ କଳ୍ପ ମହାଘୋରେ । ନରକେ ପଡଇ ନିର୍ଭରେ ॥ ୧୮୦

ସେ ନିରଙ୍କୁ ହୋଇ ନର୍କେ । ଅନ୍ତେ ପଡ଼ଇ କୁମ୍ଭୀପାକେ ॥ ୧୮୧

ସ୍ୱଦତ୍ତ-ପରଦତ୍ତ-ବୃତ୍ତି । ଯେ ଅଜ୍ଞାନେ ହରନ୍ତି ॥ ୧୮୨

ଷାଠିଏ-ସହସ୍ର-ବରଷ । ବିଷ୍ଠାନେ କୃମି ରୂପେ ବାସ ॥ ୧୮୩

ମୋହର ବଂଶେ ଯେତେ ଜନ । ବଳେ ହରିବେ ବିପ୍ରଧନ ॥ ୧୮୪

ତାହାର ନାହିଁ ଭଲ ଗତି । ହସି ବୋଲନ୍ତି ଶିରୀପତି ॥ ୧୮୫

ମୋହର ବଂଶେ ଯେତେ ଜନ । ବିପ୍ରେ ନ କର ଅପମାନ ॥ ୧୮୬

ବ୍ରାହ୍ମଣେ କଲେ ଅପରାଧ । ବେଗେ ବନ୍ଦିବ ତାଙ୍କ ପାଦ ॥ ୧୮୭

ମାରନ୍ତେ ଶନ୍ତିରେ ସହିବ । କେବେହେଁ କୋପ ନ କରିବ ॥ ୧୮୮

ବିପ୍ର ଗ୍ରାସିବ ଲୋଭେ ଯାହା । ସାତ୍ତ୍ୱିକମତେ ଦେବ ତାହା ॥ ୧୮୯

ମୁହିଁ ଯେମନ୍ତ ବିପ୍ରପାଦେ । ସର୍ବଦା ନମଇଁ ଆନନ୍ଦେ ॥ ୧୯୦

ତୁମ୍ଭେ ନମିଦ ସେହିମତେ । ନୋହିଲେ ଦଣ୍ତ ମୋର ହସ୍ତେ ॥ ୧୯୧

ଅପହରଣେ ବିପ୍ରଧାନ । ନିଶ୍ଚୟେ ନରକେ ପତନ ॥ ୧୯୨

ଅଜ୍ଞାନେ ନୃଗରାଜା ହରି । ଏତେ ନରକ ଭୋଗ କରି ॥ ୧୯୩

ଯେଣୁ ତାହାର ପୂଣ୍ୟ ଥିଲା । ମୋହର ହସ୍ତେ ସେ ଲାଗିଲା ॥ ୧୯୪

ଦେଖିଲ ତୁମ୍ଭେ ମୋର ଆଗେ । କହି ଚଳିଲା ସ୍ୱର୍ଗମାର୍ଗେ ॥ ୧୯୫

ଏମନ୍ତ କହି ନିଜ ଜନେ । ମୁକୁନ୍ଦ ମିଳିଲେ ସଦନେ ॥ ୧୯୬

ଯାହାର ନାମ ପାପବନ । ଶ୍ରବଣେ କରଇ ଦହନ ॥ ୧୯୭

ଶୁଣ ହୋ ଅଭିମନ୍ୟୁବାଳ । ସାଧୁଙ୍କ ଦରଶନ ଫଳ । ୧୯୮

ନୃଗ ନରକୁ ପାର ହେଲା । ଦେବଭବନେ ଭୋଗ କଲା ॥ ୧୯୯

ସାଧୁଙ୍କ ମୁଖ ଦରଶନ । ଯେ କରେ ଶ୍ରବଣ କୀର୍ତ୍ତନ ॥ ୨୦୦

ସ୍ତୁତିବଚନ ଅଙ୍ଗସଙ୍ଗ । ପବିତ୍ରକରେ ନିଜ ଅଙ୍ଗ ॥ ୨୦୧

ଲଭେ କୋଟିଏ ତୀର୍ଥଫଳ । ଯେ କରେ ସାଧୁସଙ୍ଗେ ମେଳ ॥ ୨୦୨

ତୁ ଏହା ଜାଣି ସାଧୁମେଳେ । ଏ କାଳ ବଞ୍ଚ ସୁଖଭୋଳେ ॥ ୨୦୩

ବ୍ରାହ୍ମଣଧନ ତୁ ନ ହର । ଅମୃତେ ଯେବେ ତୋର ॥ ୨୦୪

ବୋଲଇ ବିପ୍ର ଜଗନ୍ନାଥ । ନିବେଶି କୃଷ୍ଣପାଦେ ଚିତ୍ତ ॥ ୨୦୫

ଭବଜଳଧି ମଧ୍ୟେ ଥାଇ । ଭାବ ଅଭାବ ନ ଜାଣଇ ॥ ୨୦୬

ସୁଜନେ କୃଷ୍ଣପାଦେ ରସ । କହଇ ଜଗନ୍ନାଥ ଦାସ ॥ ୨୦୭

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ନୃଗ ଉପାଖ୍ୟାନଂ ନାମ

ଏକୋନସପ୍ତତିତମ ଅଧ୍ୟାୟଃ ॥

* * *