ଦଶମ ସ୍କନ୍ଧ

ସପ୍ତଷଷ୍ଟିତମ ଅଧ୍ୟାୟ

ଶୁକ ଉବାଚ

ଶୁଣ ପରୀକ୍ଷ ଦଣ୍ତଧର । ଶୋଣିତପୁରେ ମହାବୀର ॥

ଦନୁଜବଳୀର କୁମର । ନାମ ତାହାର ବାଣାସୁର ॥

ଶତେ କୁମର ମଧ୍ୟେ ଶ୍ରେଷ୍ଠ । ତାମସ ଭାବେ ମହାଦୁଷ୍ଟ ॥

ତପେ ସେ ଈଶ୍ୱରଙ୍କୁ ଧ୍ୟାୟି । ବରେ ସହସ୍ରଭୁଜ ପାଇ ॥

ସେହୁ ସହସ୍ରଭୁଜ ବଳେ । ଯୁଦ୍ଧେ ଭ୍ରମିଲା ମହୀତଳେ ॥

ଦେଖି ତାହାର ଭୁଜ ତେଜ । ଯୁଦ୍ଧେ ହାରିଲେ ସର୍ବରାଜ ॥

ଯୁଦ୍ଧ ନ ପାଇ ମନସ୍ତାପେ । ମିଳିଲା ଈଶ୍ୱର ସମୀପେ ॥

ମର୍ଦ୍ଦଳ ପଞ୍ଚଶତ କନ୍ଧେ । ଦିବ୍ୟତାଣ୍ତବ ଅନୁବନ୍ଧେ ॥

ତୋଷିଲା ଭବାନୀଶଙ୍କର । ପ୍ରସନ୍ନ ହୋଇ ଶୂଳଧର ॥

ବୋଇଲେ ବର ମାଗ ତୁହି । ତୋତେ ପ୍ରସନ୍ନ ହେଲି ମୁହିଁ ॥ ୧୦

ସେ ବୋଲେ ହୁଅ ମୋର ଦ୍ୱାରୀ । ହେଉ ବୋଇଲେ ଶୂଳଧାରୀ ॥ ୧୧

ଦିନେ ସମ୍ଭ୍ରମେ ମହାବୀର । ରତ୍ନମୁକୁଟ ଅଛି ଶିର ॥ ୧୨

ସେ ଶିରେ ହରପାଦେ ପଡ଼ି । ବୋଲଇ ବେନିକର ଯୋଡ଼ି ॥ ୧୩

ନମଇଁ ତୁମ୍ଭର ଚରଣ । ଅନିଦା ପରମକାରଣ ॥ ୧୪

ତୁ ନାଥ ସର୍ବଲୋକଗୁରୁ । ଭକତଜନେ ଦୟା କରୁ ॥ ୧୫

ଅପୂର୍ଣ୍ଣକାମ ଯେତେ ଜନ । ତମ୍ଭେ ତାହାଙ୍କ କଳ୍ପଦ୍ରୁମ ॥ ୧୬

ସର୍ବସମ୍ପଦ ପାର ଦେଇ । ଭକତ ଯେମନ୍ତ ଲୋଡ଼ଇ ॥ ୧୭

ସହସ୍ରେ ଦେଲୁ ମୋତେ କର । କେବଳ ଭାର ଏ ମୋହର ॥ ୧୮

କି ପ୍ରୟୋଜନ ଭୁଜ ବହି । ସଂଗ୍ରାମେ ସୁଖ ମୋର ନାହିଁ ॥ ୧୯

ସମର ଆଶେ ତିନିଲୋକେ । ତୁଲେ ଖୋଜିଲି ଏକେ ଏକେ ॥ ୨୦

ମୋ ଆଗେ ନ ମିଳିଲେ କେହି । ତୁ ମାତ୍ର ଅଛୁ ଶେଷ ହୋଇ ॥ ୨୧

ଏ ମୋର ଭୁଜକଣ୍ତୁ ବଳେ । ଭ୍ରମିଲି ଅବନୀମଣ୍ତଳେ ॥ ୨୨

ଅଇରାବତ ଆଦିନାଗେ । ଯେ ଛନ୍ତି ଅଷ୍ଟଦିଗଭାଗେ ॥ ୨୩

ତାହାଙ୍କ ତୁଲେ ମୁଁ ଆନନ୍ଦେ । ସମର କରିବାର ସଧେ ॥ ୨୪

ପର୍ବତେ ପିଟିଲି ମୁଁ କର । ତକ୍ଷଣେ ଗିରି ହେଲା ଚୂର ॥ ୨୫

ଦେଖି ମୋହର ଭୁଜତେଜ । ଭୟେ ଭାଜିଲେ ସୁରରାଜ ॥ ୨୬

ଏମନ୍ତ ଶୁଣି ତା ବଚନ । କୋପନୟନେ ତ୍ରିଲୋଚନ ॥ ୨୭

ବୋଇଲେ ଶୁଣ ବାଣାସୁର । ରଥେ ଯେ ଧ୍ୱଜ ଅଛି ତୋର ॥ ୨୮

ସେ ଧ୍ୱଜ ରଥୁଁ ଯେତେବେଳେ । ଛିଡି ପଡ଼ିବ ମହୀତଳେ ॥ ୨୯

ଏ ଭୁଜ ଗର୍ବ ନାଶିବାରେ । ରିପୁ ମିଳିବ ତୋ ନଗରେ ॥ ୩୦

ସେ ବେଳେ ତାର ତୁଲେ ରଣ । କରିବୁ ଶୁଣ ମୂଢ଼ ବାଣ ॥ ୩୧

ଏମନ୍ତ ହରବାକ୍ୟ ଶୁଣି । ଆନନ୍ଦମନେ ବୀରମଣି ॥ ୩୨

ନିତ୍ୟେ ଚିନ୍ତଇ ହରକଥା । କେମନ୍ତେ ଯିବ ଭୁଜବ୍ୟଥା ॥ ୩୩

ଚିନ୍ତଇ ନିଜ ବୀର୍ଯ୍ୟ ନାଶ । କୁମତିକୁଳ କାଳପାଶ ॥ ୩୪

ଶୁଣ ରାଜନ ଚିତ୍ରକଥା । ଊଷା ନାମରେ ତା ଦୁହିତା ॥ ୩୫

ଅତି ସୁନ୍ଦର ରୂପରାଶି । କି ଅବା କହିବା ପ୍ରଶଂସି ॥ ୩୬

ତାହାର କନ୍ୟାକାଳ ଜାଣି । ନିରୋଧେ କଲା ଦୈତମଣି ॥ ୩୭

ଅତି ଦୁର୍ଗମପୁର କରି । ନିରୋଧେ ଜଗାଇ ପାହାରୀ ॥ ୩୮

ଦେବମାନବେ ଅଗୋଚର । ଏମନ୍ତ କରି କନ୍ୟାପୁର ॥ ୩୯

ଉତ୍ତମକୁଳେ ବର ବରି । ବିବାହ ଦେବଇଁ କୁମାରୀ ॥ ୪୦

ଏମନ୍ତେ ରଖି ଯତ୍ନକରି । ଏବେ ହୋ ଶୁଣ ଦଣ୍ତଧାରୀ ॥ ୪୧

ସେ କନ୍ୟା ସେ ପୁରରେ ଥାଇ । ହରପାର୍ବତୀ ଆରାଧଇ ॥ ୪୨

ଅନେକମତେ କଲା ସେବା । ପ୍ରସନ୍ନ ହେଲେ ଶିବଶିବା ॥ ୪୩

ତପେ ଆରାଧି ଶାକମ୍ବରୀ । ବରପାଇଲା ଉଷାନାରୀ ॥ ୪୪

ଦେବୀ ବୋଇଲେ ମାଗ ବର । ଉଷା ଯୋଡ଼ିଲା ବେନିକର ॥ ୪୫

ଭୋ ଦେବି ହେଲୁ ଯେ ପ୍ରସନ୍ନ । ଜାଣୁ ତ ସ୍ତିରୀଙ୍କର ମନ ॥ ୪୬

ଯୁବାଅବସ୍ଥା ହେଲା ମୋର । ମନେ ପାଇଲି ଚିନ୍ତା ଘୋର ॥ ୪୭

କରିବାରୁ ମୁଁ ଆରାଧନ । ମୋତେ ହୋଇଲୁ ପରସନ୍ନ ॥ ୪୮

ମୋର ସମାନେ ବର ଦେବ । ସଂସାରେ କଥା ରହିଥିବ ॥ ୪୯

ଉଷାବଚନେ ମହାମାୟୀ । ବୋଲନ୍ତି ହରଷିତ ହୋଇ ॥ ୫୦

ସ୍ୱପନେ ଯାହା ସଙ୍ଗେ ତୁହି । ରାତ୍ରେ ରମିବୁ ତୋଷ ହୋଇ ॥ ୫୧

ସେ ତୋର ହେବ ପ୍ରାଣନାଥ । ଆମ୍ଭେ କହିଲୁ ତୋତେ ସତ୍ୟ ॥ ୫୨

କହି ସେ ହେଲେ ଅନ୍ତର୍ଦ୍ଧାନ । ହରଷ ହେଲା ଉଷା ମନ ॥ ୫୩

ସେ କନ୍ୟା ରାତ୍ରେ ନିଦ୍ରାକାଳେ । ସ୍ୱପ୍ନେ ରମିଲା କାନ୍ତକୋଳେ ॥ ୫୪

ପ୍ରଦ୍ୟୁମ୍ନସୁତ ସଙ୍ଗେ ରମି । ପ୍ରଳାପେ କଲା ଶୋକଧ୍ୱନି ॥ ୫୫

ହେ କାନ୍ତ କାହିଁ ଗଲ ଛାଡ଼ି । ଶୋକସାଗରେ ମୋତେ ଏଡ଼ି ॥ ୫୬

ନ ଦେଖି ଛାଡ଼ିବି ଜୀବନ । ଦେଖାଅ ସୁନ୍ଦରବଦନ ॥ ୫୭

ଏମନ୍ତ ନିଦ୍ରାଭୋଳ-ବାଣୀ । ଉଠିଲେ ସଖୀଜନେ ଶୁଣି ॥ ୫୮

ସଚେତ କରିଣ ବହନ । ବସାଇ କହନ୍ତି ବଚନ ॥ ୫୯

ବାଣାସୁରର ମନ୍ତ୍ରୀବର । କୁମ୍ଭାଣ୍ତ ବୋଲି ନାମ ତାର ॥ ୬୦

ତାର କୁମାରୀ ଚିତ୍ରଲେଖା । କନ୍ୟାର ତୁଲେ ଥିଲା ଏକା ॥ ୬୧

ଅନ୍ତରେ ଅଛନ୍ତି କାମିନୀ । ସେ ବୋଲେ କନ୍ୟା କୋଳେ ଘେନି ॥ ୬୨

ଶୁଣ ସୁନ୍ଦରି ମୋର ବାଣୀ । ତୋର ପିଅର ନୃପବର ॥ ୬୩

ବିଭା ନ ଦେଲା ତୋତେ ବରେ । ଥୋଇଲା ବନ୍ଦୀପ୍ରାୟ ଘରେ ॥ ୬୪

ତୋହର କାନ୍ତସଙ୍ଗ ନାହିଁ । ପ୍ରଳାପ କଲୁ କାହିଁପାଇ ॥ ୬୫

ଏ ତ ନୁହଁଇ ଭଲ ଚିହ୍ନ । ଶୁଣିବେ ଦ୍ୱାରପାଳଗଣ ॥ ୬୬

କହିବେ ତୋର ପିତା ଆଗେ । କଷ୍ଟ ହୋଇବ ମୋର ଭାଗେ ॥ ୬୭

ତାର ବଚନ କର୍ଣ୍ଣେ ଶୁଣି । ଉଷା ଭାଷଇ ମଞ୍ଜୁବାଣୀ ॥ ୬୮

ସ୍ୱପନେ ଦେଖିଲି ପୁରୁଷ । ଅତିସୁନ୍ଦର ତାର ବେଶ ॥ ୬୯

ଶ୍ୟାମଳ କମଳଲୋଚନ । ସୁନ୍ଦର ଶଶାଙ୍କ-ବଦନ ॥ ୭୦

ପୀତବସନ ପରିଧାନ । ଯୁବତୀଜନଙ୍କୁ ମଦନ ॥ ୭୧

ନିବିଡେ଼ ଦେଇ ଆଲିଙ୍ଗନ । ସେ ମୋର ଚୁମ୍ବିଲା ବଦନ ॥ ୭୨

ଶୋକସାଗରେ ମୋତେ ଥୋଇ । ତକ୍ଷଣେ ଗଲା ସେ ପଳାଇ ॥ ୭୩

ମୁଁ ତାର ନ ଦେଖି ବଦନ । ନିଶ୍ଚୟେ ଛାଡ଼ିବି ଜୀବନ ॥ ୭୪

ଏମନ୍ତ କନ୍ୟାବୋଲ ଶୁଣି । ସେ ଚିତ୍ରଲେଖା ମନେ ଗୁଣି ॥ ୭୫

ହରଷେ ଧରି କନ୍ୟା କର । ବୋଇଲା ଚିତ୍ତ ସ୍ଥିର କର ॥ ୭୬

ମୋହର ସିଦ୍ଧବିଦ୍ୟା ଅଛି । ପ୍ରତ୍ୟକ୍ଷେ ଦେଖ କମଳାକ୍ଷି ॥ ୭୭

ଲେଖି ଆଣିବି ତିନିପୁର । ପୁରୁଷ ଯେତେକ ସୁନ୍ଦର ॥ ୭୮

ଚିତ୍ରେ ଦେଖିଣ ସର୍ବଜନ । ତୋହର କାନ୍ତ ଭଲେ ଚିହ୍ନ ॥ ୭୯

ତାହାକୁ ଦେବି ତୋତେ ଆଣି । ଶୋକ ନକର ସୁଲକ୍ଷଣି ॥ ୮୦

ଏମନ୍ତ କହି ଚନ୍ଦ୍ରମୁଖୀ । ଚିତ୍ରେ ତ୍ରିଲୋକଜନ ଲେଖି ॥ ୮୧

ଦେବ ଗନ୍ଧର୍ବ ସିଦ୍ଧଗଣ । ଗୁହ୍ୟକ କିନ୍ନର ଚାରଣ ॥ ୮୨

ଅସୁର ବିଦ୍ୟାଧର ଯକ୍ଷ । ଦାନବ ମାନବ ପ୍ରତ୍ୟକ୍ଷ ॥ ୮୩

ମନୁଷ୍ୟ ମଧ୍ୟେ ବୃଷ୍ଣିବଂଶେ । ଦେବେ ଉପୁଜିଛନ୍ତି ଅଂଶେ ॥ ୮୪

ବସୁଦେବଙ୍କୁ ପଟେ ଲେଖି । ଦେଖ ଗୋ ବୋଲେ ଚନ୍ଦ୍ରମୁଖୀ ॥ ୮୫

ପୁଣି ଲେଖିଲା କୃଷ୍ଣରାମ । ରୂପ ଯାହାଙ୍କ ଅନୁପମ ॥ ୮୬

ପ୍ରଦ୍ୟୁମ୍ନ କୃଷ୍ଣପାଶେ ଲେଖି । ତା ଦେଖି ଉଷା ଅଧୋମୁଖୀ ॥ ୮୭

ପ୍ରଦ୍ୟୁମ୍ନପୁତ୍ର ଅନିରୁଦ୍ଧ । ଲେଖନ୍ତେ ଉଷା କଲା ସଧ ॥ ୮୮

ସକାମ ଦୃଷ୍ଟିରେ ସେ ଦେଖି । ଲାଜେ ହୋଇଲା ଅଧୋମୁଖୀ ॥ ୮୯

ବୋଲଇ ଚିତ୍ରଲେଖା ଚାହିଁ । ଭୋ ସଖି ସେ ପୁରୁଷ ଏହି ॥ ୯୦

ଆନନ୍ଦେ ହରଷ ବଦନ । ସଖୀ ଜାଣିଲା ତାର ମନ ॥ ୯୧

ତାର ଲୀଳାରେ ସୁଖ ପାଇ । ବିଳାପ କରୁ ଛନ୍ନ ହୋଇ ॥ ୯୨

ଚିତ୍ରଲେଖାର କଥା ଶୁଣି । ପାଦେ ପଡ଼ିଲା ଉଷା ପୁଣି ॥ ୯୩

ଭୋ ସଖି ଶୁଣ ଚିତ୍ରଲେଖା । ତାହାକୁ ଆଣି ମୋତେ ଦେଖା ॥ ୯୪

ନୋହିଲେ ଛାଡ଼ିବିଟି ପ୍ରାଣ । ତୋ କଷ୍ଟ ହେବ ଅକାରଣ ॥ ୯୫

ଉଷାର ଦେଖିଣ ବିକଳ । ବୋଲଇ କିଛି ହିଁ ନ ଭାଳ ॥ ୯୬

ମହାହରଷେ ବଞ୍ଚ ଆଜ । ଆଣି ମୁଁ ଦେବି ବୀରରାଜ ॥ ୯୭

ସିଦ୍ଧଯୋଗିନୀ ଯୋଗବଳେ । ଗମିଲା ଗଗନମଣ୍ତଳେ ॥ ୯୮

ଏମନ୍ତେ ପ୍ରକାଶିଲା ନିଶି । ବେଗେ ଦ୍ୱାରକାପୁରେ ପଶି ॥ ୯୯

ଅନିରୁଦ୍ଧର ନିଦ୍ରାକାଳେ । ହରିଲା ଯୋଗମାୟା ବଳେ ॥ ୧୦୦

ଶଯ୍ୟା ସହିତେ ଶୂନ୍ୟପଥେ । ଘେନିଣ ଚଳିଲା ତୁରିତେ ॥ ୧୦୧

ଗଗନମାର୍ଗେ ଅତି ଖରେ । ପ୍ରବେଶି ଶୋଣିତନଗରେ ॥ ୧୦୨

ଉଷା ଶୟନେ ଦରଶନ । କରାଇ ତୋଷ କଲା ମନ ॥ ୧୦୩

ଉଷା ପୂଜିଲା ବୀରପାଦ । ଛାଡ଼ିଲା ମନର ବିଷାଦ ॥ ୧୦୪

ସୁନ୍ଦରବର ଦେଖି ହସି । ରମିଲା ହୃଦୟ ବିଶ୍ୱାସି ॥ ୧୦୫

ଏକାନ୍ତପୁର ମଧ୍ୟେ ଥାଇ । ଯହିଁ ପୁରୁଷ ଦୃଷ୍ଟି ନାହିଁ ॥ ୧୦୬

ପୁଷ୍ପ ଚନ୍ଦନ ଧୂପ ଦୀପ । ଆସନ ଭୋଜନ ସମୀପ ॥ ୧୦୭

ଏକବସନ ବେନିଦେହେ । ସେବା ସୁବାକ୍ୟେ ମନ ମୋହେ ॥ ୧୦୮

ପୂଜିତ କୃଷ୍ଣସୁତ ବଳା । ରତିପଣ୍ତିତ କାମକଳା ॥ ୧୦୯

ଗୁପତେ କନ୍ୟାପୁରେ ଥାଇ । ଅଧିକ ସ୍ନେହଭାବ କହି ॥ ୧୧୦

ରାତ୍ର-ଦିବାସ ନ ଜାଣିଲା । ଏମନ୍ତେ କେତେଦିନ ଗଲା ॥ ୧୧୧

ଉଷାର ପ୍ରିୟପ୍ରେମ ଲୋଭେ । ଯନ୍ତ୍ରିତ ଇନ୍ଦ୍ରିୟ ସ୍ୱଭାବେ ॥ ୧୧୨

କୁମର ପ୍ରେମପ୍ରିୟ ଭରେ । ରହିଲା ବୀର ଅନ୍ତଃପୁରେ ॥ ୧୧୩

ଏମନ୍ତେ ଶୁଣ ମହୀପତି । କନ୍ୟାର ଦେଖି ହୃଷ୍ଟମତି ॥ ୧୧୪

ଯଦୁକୁମର ସଙ୍ଗେ ରମି । ଚିହ୍ନ ଦିଶଇ ରତିଶ୍ରମୀ ॥ ୧୧୫

କନ୍ୟା-ଦୂଷଣ ଚିହ୍ନମାନ । ଦେଖି ଡରିଲେ ଦ୍ୱାରୀଗଣ ॥ ୧୧୬

ତକ୍ଷଣେ ନୃପନାଥ ଆଗେ । କହିଲେ କରଯୋଡ଼ି ବେଗେ ॥ ୧୧୭

ଶୁଣ ରାଜନ ଚୂଡ଼ାମଣି । ଦେଖିଲୁ ତୋହର ଦୁଲଣୀ ॥ ୧୧୮

କୁଳଦୂଷଣ କନ୍ୟାଗୁଣ । ରାଜନ ସାବଧାନେ ଶୁଣ ॥ ୧୧୯

କନ୍ୟାର ଦ୍ୱାରେ ଆମ୍ଭେ ଥାଇ । ଦଣ୍ତେ ହେଁ ଅବକାଶ ନାହିଁ ॥ ୧୨୦

ଶଶୀ-ତପନ ଶୂନ୍ୟେ ଯାନ୍ତି । କନ୍ୟାର ରୂପ ନ ଦେଖନ୍ତି ॥ ୧୨୧

ପୁରୁଷ ଦୃଷ୍ଟି ଯହିଁ ନାହିଁ । ତପନତେଜ ନ ଲାଗଇ ॥ ୧୨୨

ପରେ ଦୂଷିତା କନ୍ୟା ଦେଖି । ଅଇଲୁ ଭୁବନ ଉପେକ୍ଷି ॥ ୧୨୩

ଯେ ତୋର ଇଚ୍ଛା ଏବେ କର । ଏଥକୁ ସାକ୍ଷୀ ଦିବାକାର ॥ ୧୨୪

ଆମ୍ଭେ ଜାଣିବୁ ଅବା କାହିଁ । କହିଲୁ ଆମ୍ଭ ଦୋଷ ନାହିଁ ॥ ୧୨୫

ଶୁଣି ଚକିତ ନୃପବର । କାତରେ କମ୍ପଇ ଶରୀର ॥ ୧୨୬

ପୁଣି ନ ଚଳଇ ଚରଣ । ଦୁଃସହ ଦୁହିତାକଷଣ ॥ ୧୨୭

ବାଣ-କୋଦଣ୍ତ ଧରି କରେ । ବେଗେ ମିଳିଲା କନ୍ୟାପୁରେ ॥ ୧୨୮

ଦେଖିଲା ମଦନତନୁଜ । ଆଜାନୁଲମ୍ବେ ବେନିଭୁଜ ॥ ୧୨୯

ପୀତବସନ ହୃଦେ ହାର । ଅଶେଷ ଭୁବନ ସୁନ୍ଦର ॥ ୧୩୦

ଶ୍ୟାମସୁନ୍ଦର ପଦ୍ମନେତ୍ର । ଅଳକା-କପୋଳ ବିଚିତ୍ର ॥ ୧୩୧

କର୍ଣ୍ଣେ କୁଣ୍ତଳ ବେନି ଶୋହେ । ସୁନ୍ଦରରୂପ ଜନ ମୋହେ ॥ ୧୩୨

ଅଧରେ ଶୋହେ ମନ୍ଦହାସ । ସୁଚିତ୍ତେ ବସି କନ୍ୟା ପାଶ ॥ ୧୩୩

ଅକ୍ଷ ଖେଳଇ ପ୍ରିୟା ସଙ୍ଗେ । କୁଚକୁଙ୍କୁମ ସର୍ବଅଙ୍ଗେ ॥ ୧୩୪

ମଲ୍ଲିକା ପୁଷ୍ପମାଳ ହୃଦେ । ଆନ୍ଦୋଳେ ବେନିଭୁଜ ମଧ୍ୟେ ॥ ୧୩୫

ଏମନ୍ତେ କନ୍ୟାର ସମୀପେ । ଦେଖି ଦାନବ ମହାକୋପେ ॥ ୧୩୬

ଚକିତେ ଚଉଦିଗ ଚାହିଁ । କମ୍ପେ କୋଦଣ୍ତ ଗୁଣ ଦେଇ ॥ ୧୩୭

ଅନେକ ବୀର ତାର ସଙ୍ଗେ । ଦ୍ୱାର ରୁନ୍ଧିଲେ ଚାରିଦିଗେ ॥ ୧୩୮

ଦେଖି ତାହାର ସୈନ୍ୟବଳ । ସମ୍ଭ୍ରମେ ପ୍ରଦ୍ୟୁମ୍ନ ଦୁଲାଳ ॥ ୧୩୯

କରେ ପରିଘ ଶସ୍ତ୍ର ଧରି । ଉଠିଲା ଘୋରନାଦ କରି ॥ ୧୪୦

କନ୍ୟାର ଆଗେ ହୋଇ ଉଭା । କୃତାନ୍ତ ପ୍ରାୟ ଦିଶେ ଶୋଭା ॥ ୧୪୧

ଧରିବା ଆଶେ ଚଉଦିଗେ । ବୀରେ ଯେ ଥିଲେ ଦ୍ୱାରଲାଗେ ॥ ୧୪୨

ପରିଘ ପ୍ରହାରେ ବିନାଶି । ସିଂହ ଯେସନେ ପଶୁଗ୍ରାସି ॥ ୧୪୩

ପରିଘଘାତେ ବଜ୍ର ପ୍ରାୟେ । ଜୀବନ ନଶିଲେ ଥୋକାଏ ॥ ୧୪୪

କାହାର ଭୁଜ ଉର ଛିଡ଼ି । ପଳାଇଗଲେ ରଣ ଛାଡ଼ି ॥ ୧୪୫

ଦେଖିଣ ଅନିରୁଦ୍ଧ ରଣ । ଭାଜିଲେ ଅସୁର ସଇନ୍ୟ ॥ ୧୪୬

ବାଣା ଯୁଝଇ ଅତି ରୋଷେ । ବାଣେ ତାହାର ବାଣ ନାଶେ ॥ ୧୪୭

ଶସ୍ତ୍ରରେ ନ ପାରିଲା ଜିଣି । ମନେ ବିଚାରେ ନୃପମଣି ॥ ୧୪୮

ଦେଖିଣ ଅନିରୁଦ୍ଧ ଗତି । ନାଗପାଶରେ ମହାରଥୀ ॥ ୧୪୯

ବଳିନନ୍ଦନ ବେଗେ ବାନ୍ଧେ । ବନ୍ଧନ ଦେଖି ଉଷା କାନ୍ଦେ ॥ ୧୫୦

ଦେଖଇ ବିପ୍ର ଜଗନ୍ନାଥ । ନାଗବନ୍ଧନେ କାମସୁତ ॥ ୧୫୧

ସୁଜନେ ସାବଧାନେ ଶୁଣ । କୃଷ୍ଣ ନାଶିବେ ଏ କଷଣ ॥ ୧୫୨

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ଅନିରୁଦ୍ଧେ ବନ୍ଧୋ ନାମ ସପ୍ତଷଷ୍ଟିତମ ଅଧ୍ୟାୟଃ ॥

* * *