ଦଶମ ସ୍କନ୍ଧ

ଚତୁଃଷଷ୍ଟିତମ ଅଧ୍ୟାୟ

କୃଷ୍ଣସେବକ ଭାଗ୍ୟବନ୍ତ । କୁରୁନନ୍ଦନ ପରୀକ୍ଷିତ ॥

ବ୍ୟାସ ନନ୍ଦନ ମୁଖ ଚାହିଁ । କହଇ ଶିରେ କରଦେଇ ॥

ପରୀକ୍ଷିତ ଉବାଚ

ଭୋ ମୁନି କେମନ୍ତେ ଅନନ୍ତ । ନାରକାସୁର କଲେହତ ॥

ଆଣିଲେ ଅନେକ ସୁନ୍ଦରୀ । ଦାନବଙ୍କର ପ୍ରାଣ ହରି ॥

ସାରଙ୍ଗ ଧନୁ ଧରି କର । ମହା ମହିମା ଯୋଗେଶ୍ୱର ॥

ଅବନୀ ଭାରା ନିବାରଣ । ନିର୍ଗୁଣ ପୁରୁଷ ପୁରାଣ ॥

କହ କେମନ୍ତେ ନରହରି । କନ୍ୟା ଆଣିଲେ ଶତ୍ରୁ ମାରି ॥

କେମନ୍ତେ ନାରକା ଅସୁର । ରଣେ ଜିଣିଲା ତିନିପୁର ॥

କାହୁଁ ଆଣିଲା କନ୍ୟା ହରି । ନିଜ ଭୁବନେ ଥିଲା ଭରି ॥

ଶୁକ କହନ୍ତି ତାହା ଶୁଣି । କୃଷ୍ଣ-ମହିମା ମନେ ଗୁଣି ॥ ୧୦

ଶୁକ ଉବାଚ

ଶୁଣ ପରୀକ୍ଷ ମହୀପାଳ । ସ୍ୱର୍ଗଭୁବନୁ ଆଖଣ୍ତଳ ॥ ୧୧

ନାରକାସୁର ଭୟେ ତ୍ରାସି । ଯଦୁନଗରେ ରାତ୍ରେ ପଶି ॥ ୧୨

ମିଳିଲା ଗୋବିନ୍ଦର ପାଶେ । ଏକାନ୍ତେ କହଇ ବିଶ୍ୱାସେ ॥ ୧୩

ଭୋ ନାଥ ଦୁଷ୍ଟ ନିବାରଣ । ଅନାଦି-ପରମ-କାରଣ ॥ ୧୪

ଅଦିତି ମୋହର ଜନନୀ । ସୁପୁଣ୍ୟ-ଦକ୍ଷର ନନ୍ଦିନୀ ॥ ୧୫

ଅମୂଲ୍ୟ-ଦିବ୍ୟ ମଣି ବେନି । କର୍ଣ୍ଣେ କୁଣ୍ତଳ ଥିଲା ଘେନି ॥ ୧୬

ନାରକାସୁର ମୋର ପୁରେ । ପଶିଲା ଯୁଦ୍ଧ-ମହାଘୋରେ ॥ ୧୭

କୁଣ୍ତଳ ମାତା କର୍ଣ୍ଣୁ ନେଲା । ସ୍ୱର୍ଗେ ବରୁଣଛତ୍ର ଥିଲା ॥ ୧୮

ମୋତେ ଘଉଡ଼ି ବାହୁବଳେ । ସର୍ବ ହରିଲା ଅବହେଳେ ॥ ୧୯

ମନ୍ଦରଗିରିଶିଖ ମୂଳେ । ମଣି ପର୍ବତ ନେଲାବେଳେ ॥ ୨୦

ରାଜାଙ୍କ କନ୍ୟା ବିଭା ଛଳେ । ହରି ଆଣିଲା ଭୁଜବଳେ ॥ ୨୧

ପୁରେ ନିବେଶି କନ୍ୟା ବଳେ । ବିଭା ହୋଇବ ଏକାବେଳେ ॥ ୨୨

ତାର ମହିମା ଶୁଣି କର୍ଣ୍ଣେ । ତିନିଭୁବନେ ଯେତେ ଜନେ ॥ ୨୩

ଭୟେ ଚକିତମନେ ଛନ୍ନ । ବଦନୁ ନ ସ୍ପୁରେ ବଚନ ॥ ୨୪

ତାହାର ଡରେ ଦାମୋଦର । ଭାଜିଲା ଅମର-ନଗର ॥ ୨୫

ହରିଲା ମୋର ଅଧିକାର । ଭୋ ନାଥ ଶରଣ ମୁଁ ତୋର ॥ ୨୬

ବାସବ ବାକ୍ୟ ଶୁଣି କର୍ଣ୍ଣେ । ଗୋବିନ୍ଦ ହରଷ, ବଦନେ ॥ ୨୭

ବୋଇଲେ ଯାଅ ନିଜପୁର । ମୁହିଁ କରିବି ପ୍ରତିକାର ॥ ୨୮

କୃଷ୍ଣ ନୋକଟେ ମିଳେ ଆସି । ଗୋବିନ୍ଦ ତାର ସ୍କନ୍ଧେ ବସି ॥ ୨୯

ସତ୍ୟଭାମାର କରଧରି । ଗୋବିନ୍ଦ ଗରୁଡ ସୁମରି ॥ ୩୦

ଧ୍ୟାନେ ଜାଣିଲା ଖଗେଶ୍ୱର । ମିଳିଲା ଦ୍ୱାରକା ନବର ॥ ୩୧

କୃଷ୍ଣ ନିକଟେ ମିଳେ ଆସି । ଗୋବିନ୍ଦ ତାର ସ୍କନ୍ଧେ ବସି ॥ ୩୨

ସତ୍ୟଭାମାକୁ କୋଳେ ଘେନି । ଗୋବିନ୍ଦ କଲେ ଶଙ୍ଖ ଧ୍ୱନି ॥ ୩୩

ଦେଖନ୍ତି ଦଶଦିଗପାଳେ । ଗରୁଡ଼ ଉଡେ଼ ଅନ୍ତରାଳେ ॥ ୩୪

ପ୍ରାଗଜ୍ୟୋତିଷପୁର ନାମେ । ମିଳିଲା ନାରକା-ଭୁବନେ ॥ ୩୫

ଶତେଯୋଜନଦୀର୍ଘ ସ୍ଥଳୀ । ଦେଖି ହରଷ ବନମାଳୀ ॥ ୩୬

ଶୁଣ ରାଜନ ତା ମହିମା । ଦୁର୍ଗମ ଦାନବର ସୀମା ॥ ୩୭

ଗିରିଦୁର୍ଗମ ଚାରିପାଖେ । ବାଣକମାଣ ଶସ୍ତ୍ର ରଖେ ॥ ୩୮

ବାଣ ଅନ୍ତରେ ଜଳଖଣା । ଦେଖିଲେ ଦେବେ ହୋନ୍ତି ବଣା ॥ ୩୯

ଗଭୀର କେ କରୁ ପ୍ରମାଣ । ଘୋର ଗହ୍ନ ଗ୍ରାହଗଣ ॥ ୪୦

ସେ ଦୁର୍ଗ ଅନ୍ତରେ ଅନଳ । ଉଚ୍ଚେ ଜଳଇ ତିନିତାଳ ॥ ୪୧

ଅଗ୍ନି ଅନ୍ତରେ ସମୀରଣ । ପ୍ରଚଣ୍ତେ ବହଇ ପବନ ॥ ୪୨

ରିପୁ ପଡ଼ିଲେ ଯାନ୍ତି ଉଡ଼ି । ମରନ୍ତି ଅଗ୍ନି ଜଳେ ପଡ଼ି ॥ ୪୩

ତାର ଅନ୍ତରେ ମୁରପାଶୀ । ନୀଳଜୀମୂତ ପ୍ରାୟେ ଦିଶି ॥ ୪୪

ଏମନ୍ତ ଗଡ଼ ସେ ଭିଆଇ । ନିଶ୍ଚିନ୍ତେ ମଧ୍ୟେ ଅଛି ରହି ॥ ୪୫

ହେଳେ ଜିଣିଲା ସୁରନର । ଦେଖି ହସନ୍ତି ଚକ୍ରଧର ॥ ୪୬

ଗଦା ପ୍ରହାରେ ଗଦାଧର । ଗିରି ଦୁର୍ଗମ କଲେ ଚୂର ॥ ୪୭

ବାଣକମାଣ ନରହରି । ତୀକ୍ଷ୍ଣ ନାରାଚେ ଚୁର୍ଣ୍ଣ କରି ॥ ୪୮

ଜଳ ଅନଳ ସମୀରଣ । ଚକ୍ରେ ଶୋଷିଲେ ନାରାୟଣ ॥ ୪୯

ଖଡ଼ଗ ଧାରେ ବ୍ରହ୍ମରାଶି । ବେଗେ ଛେଦିଲେ ମୁରପାଶୀ ॥ ୫୦

ଶଙ୍ଖ ଶବଦ କଲେ ହରି । ଶୁଭିଲା ଦଶଦିଗ ପୂରି ॥ ୫୧

ଗିରିଦୁର୍ଗମକୁ ଆବୋରି । ବୀରେ ଯେ ଥିଲେ ଶସ୍ତ୍ର ଧରି ॥ ୫୨

ହୃଦୟ କମ୍ପିଲା ବିକଳେ । ଶସ୍ତ୍ର ପଡ଼ିଲା ହସ୍ତୁ ତଳେ ॥ ୫୩

ଗୋବିନ୍ଦ ବସି ଖଗେଶ୍ୱରେ । ମିଳିଲେ ନାରକାର ଦ୍ୱାରେ ॥ ୫୪

ଶିଳାପାଚେରୀ ଚାରିଦିଗେ । ଦେଖି ଗୋବିନ୍ଦ ଅତିବେଗେ ॥ ୫୫

ଗଦା ପ୍ରହାରେ ଚୂର୍ଣ୍ଣ କରି । ଶବଦେ କମ୍ପେ ବସୁନ୍ଧରୀ ॥ ୫୬

କୃଷ୍ଣର ଶୁଣି ଶଙ୍ଖନାଦ । ଅସୁରେ ମନେ ପାଇ ଖେଦ ॥ ୫୭

ଯୁଗାନ୍ତ ବଜ୍ରପ୍ରାୟ ମଣି । ମୁରଦାନବ ତାହା ଶୁଣି ॥ ୫୮

ଗଭୀର ଜଳେ ଶୋଇଥିଲା । ଖବଦ ଶୁଣି ବିଜେ କଲା ॥ ୫୯

ପର୍ବତ ପ୍ରାୟ ପଞ୍ଚଶିର । ନିଦ୍ରା ବିଯୋଗ ମହାବୀର ॥ ୬୦

ତ୍ରିଶୂଳ ଅଛି ତାର କରେ । କିବା ଉପମା ଦେବା ତାରେ ॥ ୬୧

ପ୍ରଳୟକାଳେ ଦିବାକର । ପ୍ରଚଣ୍ତ ଜ୍ୟୋତି ପରଖର ॥ ୬୨

ତେମନ୍ତ ପ୍ରାୟ ଶୂଳ ଦିଶି । ଧାଇଁଲା ତ୍ରିଭୁବନ ତ୍ରାସି ॥ ୬୩

ଗିଳିବା ପ୍ରାୟ ପଞ୍ଚଭୂତ । ପଞ୍ଚବଦନ ବିସ୍ତାରିତ ॥ ୬୪

କୃଷ୍ଣ ଦେଖନ୍ତି ତାର ବେଗ । ଗରୁଡ଼ ମୁଖେ ଯେହ୍ନେ ନାଗ ॥ ୬୫

ଧାମଇଁ ମରଣ ନ ଜାଣି । ଦେଖି ହସନ୍ତି ଚକ୍ରପାଣି ॥ ୬୬

ତ୍ରିଶୂଳ ଅତି ଘେନି ଅତି ବେଗେ । ପିଟିଲା ଗରୁଡର ଅଙ୍ଗେ ॥ ୬୭

ଶବଦ କଲା ପଞ୍ଚତୁଣ୍ତ । ପୂରିଲା ଅଖିଳ ବ୍ରହ୍ମାଣ୍ତ ॥ ୬୮

ତ୍ରିଶୂଳ ଦେଖି ନାରାୟଣ । ବେଗେ ବିନିଧିଲେ ବେନି ବାଣ ॥ ୬୯

ତକ୍ଷଣେ ତିନିଖଣ୍ତ କରି । ଶୂଳ କାଟିଲେ ନରହରି ॥ ୭୦

କୃଷ୍ଣ ବିନ୍ଧିଲେ ତୀକ୍ଷ୍ଣ ବାଣ । ଅସୁର କୋପେ ଗରୁଟାଣ ॥ ୭୧

ଗଦାଏ ଥିଲା ବାମ କରେ । ପିଟିଲା ଗୋବିନ୍ଦ ଉପରେ ॥ ୭୨

ତକ୍ଷଣେ ମଦନଗୋପାଳ । ଗଦାକୁ ଗଦା ପରିତାଳ ॥ ୭୩

ଦାନବ ଗଦା ଚୂର୍ଣ୍ଣକରି । ଶଙ୍ଖେ ଶବଦ କଲେ ହରି ॥ ୭୪

ନିରସ୍ତ୍ର ହୋଇ ସେ ଦନୁଜ । ବେଗେ ତୋଳିଲା ବେନି ଭୁଜ ॥ ୭୫

ଧାମଇଁ ଘୋର ନାଦ କରି । ପାଦେ କମ୍ପଇ ବସନ୍ଧରୀ ॥ ୭୬

ସ୍ୱର୍ଗେ ଦେଖନ୍ତି ଦେବେ ମିଳି । ଚକ୍ର ପେଶିଲେ ବନମାଳୀ ॥ ୭୭

ତକ୍ଷଣେ ହୋଇ ବେନିଖଣ୍ତ । ଜଳେ ପଡ଼ିଲା ମୃତପିଣ୍ତ ॥ ୭୮

ବାସବ-ବଜ୍ରେ ହୋଇ ଭଙ୍ଗ । ଯେହ୍ନେ ପଡ଼ଇ ଗିରିଶୃଙ୍ଗ ॥ ୭୯

ସପ୍ତ କୁମର ତାର ଥିଲେ । ପିତାର ମରଣ ଜାଣିଲେ ॥ ୮୦

ପିତୃ-ବଇରୀ ମାରିବାରେ । ଧାଇଁଲେ ପବନହୁଁ ଖରେ ॥ ୮୧

ଅତି ଗହ୍ନ ଘୋରତମ । ଶୁଣ ହୋ ତାହାଙ୍କର ନାମ ॥ ୮୨

ତାମ୍ର ଅନ୍ତରୀକ୍ଷ ଶ୍ରବଣ । ଚତୁର୍ଥ ବିଭାବସୁ ଜାଣ ॥ ୮୩

ପଞ୍ଚମ ବସୁ ମହାବୀର । ଷଷ୍ଠରେ ନବସ୍ୱାନ ଶୂର ॥ ୮୪

ପୁଣ ଅରୁଣ ନାମେ ବୀର । ଏମନ୍ତେ ଧାଇଁଲେ ଅସୁର ॥ ୮୫

ବିବିଧ ଶସ୍ତ୍ର କରେ ଘେନି । ସାଜିଲେ ନାରକା ସଇନି ॥ ୮୬

ଯୂଥପତିଙ୍କି କରି ଆଗେ । ନାରକା ସୈନ୍ୟ ବେନିଭାଗେ ॥ ୮୭

ଆବୋରି ଧାଇଁଲା ସମରେ । ଭୂମି କମ୍ପାଇ ପାଦଭରେ ॥ ୮୮

ବାଣ ଖଡ଼ଗ ଗଦା ଋଷ୍ଟି । ଶୂଳ ତୋମର ଲୌହଯଷ୍ଟି ॥ ୮୯

ରବିକିରଣ ପ୍ରାୟ ଦିଶି । ଭୂମି ଗଗନେ ତେଜ ଗ୍ରାସି ॥ ୯୦

ଶର ବରଷା ମେଘପ୍ରାୟେ । ବିନ୍ଧିଲେ ଗୋବିନ୍ଦର ଦେହେ ॥ ୯୧

ଦେଖି କେଶବ ଅତି ଖରେ । ସାରଙ୍ଗଧନୁ ଧରି କରେ ॥ ୯୨

କୃଷ୍ଣ ବିନ୍ଧିଲେ ପୁଣପୁଣ । ଅନଳପ୍ରାୟ ତୀକ୍ଷ୍ଣ ବାଣ ॥ ୯୩

ଅସୁରଙ୍କର ଶସ୍ତ୍ର ନାଶେ । ରବି ଯେସନେ ତମ ଗ୍ରାସେ ॥ ୯୪

ତିଳପ୍ରମାଣେ ଶସ୍ତ୍ର କାଟି । ଗୋବିନ୍ଦ କଲେ ଶର ବୃଷ୍ଟି ॥ ୯୫

ଅସୁରଙ୍କର ସେହ୍ନାଫୁଟି । ଭୁଜ ଚରଣ ଶିର ତୁଟି ॥ ୯୬

ତକ୍ଷଣେ ପଡ଼ିଲେ ସକଳେ । ମେଦିନୀ ନ ଦିଶେ ଗହଳେ ॥ ୯୭

କୃଷ୍ଣର ବାଣ ତୀକ୍ଷ୍ଣ ଫଳ । ଧ୍ୱଂସିଲା ଚତୁରଙ୍ଗ ବଳ ॥ ୯୮

ନାରକାସୁର ତାହା ଦେଖି । ଧାଇଁଲା ଭୁବନ ଉପେକ୍ଷି ॥ ୯୯

ଷଷ୍ଟିସହସ୍ର ଗଜୟୂଥ । ଜଳଧି ମନ୍ଥନୁଁ ସମ୍ଭୂତ ॥ ୧୦୦

ବରଷା ପ୍ରାୟ ମଦଗଳି । ଦିଶନ୍ତି କରୀବରେ ଝଳି ॥ ୧୦୧

ଅଙ୍କୁଶ ମାହୁନ୍ତଙ୍କ କରେ । ଝଲକେ ରବି ପଟାନ୍ତରେ ॥ ୧୦୨

ନାରକାସୁର ଗଜ ମଧ୍ୟେ । ବେଗେ ମିଳିଲା ଘୋରନାଦେ ॥ ୧୦୩

ଉଚ୍ଚ କୁଞ୍ଜରେ ଭୂମିସୁତ । ନୟନେ ଦେଖିଲା ଅନନ୍ତ ॥ ୧୦୪

ସୁବର୍ଣ୍ଣ ପ୍ରାୟ ପକ୍ଷୀରାଜ । ଶୂନ୍ୟେ ଉଡ଼ଇ ମହାତେଜ ॥ ୧୦୫

ତାହାର ପୃଷ୍ଠେ ନରହରି । ସତ୍ୟଭାମାକୁ କୋଳେ ଧରି ॥ ୧୦୬

ଉର୍ଦ୍ଧ୍ୱେ ତୋଳିଣ ଭୁଜଚାରି । ଶଙ୍ଖ କୋଦଣ୍ତ ଗଦାଧରି ॥ ୧୦୭

ଦକ୍ଷିଣ କରେ ଚକ୍ର ସାଜେ । କୋଟି ଆଦିତ୍ୟ ତେଜ ଗଞ୍ଜେ ॥ ୧୦୮

ବନମାଳାଏ ଲମ୍ବେ ଉରେ । କିବା ଉପମା ଦେବା ତାରେ ॥ ୧୦୯

ନୀଳଜୀମୂତ ଶୂନ୍ୟେ ମିଳି । ଯେସନେ ପ୍ରକାଶେ ବିଜୁଳି ॥ ୧୧୦

ରବି ଯେସନେ ତେଜ ବହି । ଗଗନମଧ୍ୟେ ବିରାଜଇ ॥ ୧୧୧

ଏମନ୍ତ କୃଷ୍ଣରୂପ ଚାହିଁ । ନାରକାସୁର କୋପ ବହି ॥ ୧୧୨

ଶକ୍ତିଏ ଥିଲା କରେ ଘେନି । ନାମ ତାହାର ଶତଘନି ॥ ୧୧୩

ପ୍ରହାର କରି ଅବିରତ । ରିପୁ ମାଇଲା ଶତଶତ ॥ ୧୧୪

କୃଷ୍ଣ ଉପରେ ପ୍ରହାରିଲା । ପ୍ରତାପେ ଘୋରନାଦ କଲା ॥ ୧୧୫

ଯେତେ ମାହୁନ୍ତ ସଙ୍ଗେ ଥିଲେ । କୃଷ୍ଣଙ୍କୁ ଶକ୍ତି ପ୍ରହାରିଲେ ॥ ୧୧୬

ଶକ୍ତି ପଡ଼ନ୍ତେ କୃଷ୍ଣ ଚାହିଁ । ନାରାଚ ଗୁଣରେ ବସାଇ ॥ ୧୧୭

ନିରତେ ବିନ୍ଧି ତୀକ୍ଷ୍ଣ ଶର । ଶକ୍ତି ସମୂହ କଲେ ଚୂର ॥ ୧୧୮

ନାରକା-ସୈନ୍ୟଙ୍କୁ ଅନାଇଁ । ନାରାଚ ଘେନି ଭାବଗ୍ରାହୀ ॥ ୧୧୯

ବଜ୍ରଶବଦ ପ୍ରାୟ ବାଣ । କୃଷ୍ଣ ବିନ୍ଧିଲେ ପୁଣପୁଣ ॥ ୧୨୦

ସୈନ୍ୟ ପଡ଼ିଲେ ମହୀଲୋଟି । ଜାନୁ ହୃଦୟ ଶିରଫୁଟି ॥ ୧୨୧

ଅଶ୍ୱ କୁଞ୍ଜର ରଥ ଯେତେ । ଛିଡ଼ି ପଡ଼ିଲେ ଭୂମିଗତେ ॥ ୧୨୨

ଶସ୍ତ୍ର ସହିତେ ରିପୁ-ପିଣ୍ତ । ଛିଡ଼ି ପଡ଼ିଲେ ଖଣ୍ତଖଣ୍ତ ॥ ୧୨୩

ଗରୁଡ଼ ନଖ ଚଞ୍ଚୁଘାତେ । ଗଜ ପଡ଼ିଲେ ୟୂଥେ ଯୂଥେ ॥ ୧୨୪

କେତେ ପକାଇ ପୁରେ ପଶି । ଥୋକାଏ ଜଳେ ପଡ଼ି ଭାସି ॥ ୧୨୫

ଯୁଦ୍ଧ କରଇ ମହୀସୁତ । କୁଞ୍ଜରେ ହୋଇଲେ ଅନାଥ ॥ ୧୨୬

ଗରୁଡ଼ବାେତେ ସୈନ୍ୟଗଲା । ଦେଖି ନାରକା କୋପକଲା ॥ ୧୨୭

ପୁଣ ଶକ୍ତିଏ କରେ ଧରି । ଯେହ୍ନେ କୁଞ୍ଜର ଦେହେ ମାରି ॥ ୧୨୮

ବଜ୍ର ଭାଙ୍ଗଇ ଯାର ଘାଏ । ପିଟିଲା ଗରୁଡ଼ର ଦେହେ ॥ ୧୨୯

ଶକ୍ତି ପ୍ରହାରେ କୋପମନ । ଗରୁଡ ନିଶ୍ଚଳ ଆସନ ॥ ୧୩୦

ଫୁଲପେଣ୍ତାଏ କରେ ଧରି । ଯେହ୍ନେ କୁଞ୍ଜର ଦେହେ ମାରି ॥ ୧୩୧

ଶକ୍ତି ଗରୁଡ଼ ଦେହେ ବାଜି । ପଡ଼ିଲା ଭୂମିଗତେ ଭାଜି ॥ ୧୩୨

ତ୍ରିଶୂଳ ଘେନି ଭୂମିସୁତ । ମିଳିଲା କୃଷ୍ଣର ଅଗ୍ରତ ॥ ୧୩୩

ନିଷ୍ପଳ ଉଦ୍ୟମ ତାହାର । ଯୁଦ୍ଧ ଦେଖନ୍ତି ସୁରନର ॥ ୧୩୪

ତ୍ରିଶୂଳ ଦେଖି କରେ ତାର । ଚକ୍ର ପେଷିଲେ ଚକ୍ରଧର ॥ ୧୩୫

ଗଜ ଉପରେ ବସିଥିଲା । ସୁନ୍ଦର ଧରଣୀର ବଳା ॥ ୧୩୬

ଅମୂଲ୍ୟ କିରୀଟ ବିରାଜେ । କର୍ଣ୍ଣେ କୁଣ୍ତଳ ବେନି ସାଜେ ॥ ୧୩୭

ଛିଡ଼ି ପଡ଼ିଲା କନ୍ଧୁଁ ଶିର । ଅବନୀ ଦିଶିଲା ସୁନ୍ଦର ॥ ୧୩୮

ହା ହା ଶବଦ ଅତିଘୋର । ଶୁଭିଲା ନାରକାନବର ॥ ୧୩୯

ଦେବସମୂହେ ବ୍ରହ୍ମଋଷି । ସ୍ୱଗ୍ରେ ଯେ ଦେଖୁଥିଲେ ବସି ॥ ୧୪୦

ଜୟ ଶବଦ ଉଚ୍ଚସ୍ୱରେ । ପୁଷ୍ପ ବର୍ଷିଲେ କୃଷ୍ଣଶିରେ ॥ ୧୪୧

ଭୂମି ନାରକାପୁରେ ଥିଲା । ପୁତ୍ରର ମରଣ ଶୁଣିଲା ॥ ୧୪୨

ଭୂମି ନାରକାପୁରେ ଥିଲା । ପୁତ୍ରର ମରଣ ଶୁଣିଲା ॥ ୧୪୩

ହିରଣ୍ୟମୟ ରତ୍ନମାଳା । ଘେନିଣ ଅଦିତି କୁଣ୍ତଳ ॥ ୧୪୪

ବରୁଣଛତ୍ର ମଣିଗିରି । ବନମାଳାଏ କରେ ଧରି ॥ ୧୪୫

କୃଷ୍ଣ ସମୀପେ ନେଇ ଦେଲା । ଅଭୟଚରଣେ ପୂଜିଲା ॥ ୧୪୬

ଭୁଜଯୁଗଳ ଦେଇ ଶିରେ । ସ୍ତୁତି କରଇ ଶୋକଭରେ ॥ ୧୪୭

ଭୂମି ଉବାଚ

ଭୂମି ବୋଲଇ ଯୋଡ଼ିକର । ତୁ ନାଥ ଦେବଙ୍କର ବର ॥ ୧୪୮

ଶଙ୍ଖ କମଳ ଗଦା ହସ୍ତେ । ଦେବାଧିଦେବ ନମୋସ୍ତୁତେ ॥ ୧୪୯

ଯେ ତୋତେ ଯେମନ୍ତ ଭଜଇ । ସେ ଅନୁରୂପେ ତୋତେ ପାଇ ॥ ୧୫୦

ପରମଆତ୍ମା ଆଦିମୂଳ । ନମସ୍ତେ ପରମମଙ୍ଗଳ ॥ ୧୫୧

ପଙ୍କଜନାଭ ପଦ୍ମମାଳୀ । ପଦ୍ମଲୋଚନ ତୋତେ ବୋଲି ॥ ୧୫୨

ପଙ୍ଗଜନିଧି ତୋ ପୟର । ଭୋ ନାଥ ଶରଣ ମୁଁ ତୋର ॥ ୧୫୩

ନମସ୍ତେ ପ୍ରଭୁ ଭଗବାନ । ବିଷ୍ଣୁ ବାସୁଦେବ ତୋ ନାମ ॥ ୧୫୪

ଆଦିପୁରୁଷ ବୀଜଆଦି । ସମ୍ପୂର୍ଣ୍ଣ ଜ୍ଞାନ ତୋ ପ୍ରସିଦ୍ଧି ॥ ୧୫୫

ଜଗତଜନ୍ମ କରୁ ତୁହି । ଜନ୍ମମରଣ ତୋର ନାହିଁ ॥ ୧୫୬

ବ୍ରହ୍ମଣ୍ୟରୂପୀ ନମୋନମ । ଅନନ୍ତଶକ୍ତି ଅନୁପମ ॥ ୧୫୭

ପରଅପର ଭୂତଆତ୍ମା । ପରମାନନ୍ଦ ତୋ ମହିମା ॥ ୧୫୮

ଏ ସୃଷ୍ଟି ଉପୁଜିବା କାଳେ । ତୁ ରଜ ଗୁଣ ଧରୁ ହେଳେ ॥ ୧୫୯

ନିରୋଧକାଳେ ତମଗୁଣ । ଆନନ୍ଦେ ବହୁ ନାରାୟଣ ॥ ୧୬୦

ସୃଷ୍ଟିପାଳନେ ଧର୍ମରୂପେ । ସତ୍ତ୍ୱଗୁଣକୁ ଭଜୁ ଆପେ ॥ ୧୬୧

ପ୍ରଧାନପୁରୁଷ ତୁ କାଳ । ନିର୍ଗୁଣ ଆତ୍ମା ନନ୍ଦବାଳ ॥ ୧୬୨

ମୋ ଆଦି ସଲିଳ ଅନଳ । ପବନ ଆକାଶମଣ୍ତଳ ॥ ୧୬୩

ଶଦ୍ଦ ସ୍ପରଶ ରୂପ ରସ । ଗନ୍ଧ ଇନ୍ଦ୍ରିୟ ଏକାଦଶ ॥ ୧୬୪

ଲୋକପାଳକ ଦେବଗଣ । ତୁ ଆଦି ପରମ କାରଣ ॥ ୧୬୫

ତୁ ଅହଙ୍କାର ଭୂତ ଆଦି । ସଚରାଚର ପରସିଦ୍ଧି ॥ ୧୬୬

ଏ ମାୟା ତୋର ଦେହୁଁ ଭ୍ରମ । ତୁ ଏକ ବିଭୁ ପରଂବ୍ରହ୍ମ ॥ ୧୬୭

ତୁ ମୋର ନାଶିଲୁ ତନୁଜ । ଯେ ତୋର ପୁତ୍ର ଦେବରାଜ ॥ ୧୬୮

ଏହାର ପୁତ୍ର ଅଛି ଏକ । ଭୋ ନାଥ ହୋଇଲା ନିରେଖ ॥ ୧୬୯

ତୋ ପାଦପଦ୍ମେ ଅଛି ଶୋଇ । ଭୁଜଯୁଗଳ ଶିରେ ଦେଇ ॥ ୧୭୦

ଏହାକୁ ରଖ ଜଗନ୍ନାଥ । ଶିରେ ନିବେଶି ପଦ୍ମହସ୍ତ ॥ ୧୭୧

ଶୁକ ଉବାଚ

ଶୁକ କହନ୍ତି ରାଜା ଚାହିଁ । ଭୂମି-ବଚନେ ଭାବଗ୍ରାହୀ ॥ ୧୭୨

ନାରକାପୁତ୍ରକୁ ତୋଳିଲେ । ଅଭୟହସ୍ତ ଶିରେ ଦେଲେ ॥ ୧୭୩

ବାଳକ ଘେନି ବ୍ରହ୍ମରାଶି । ନାରକାପୁର ମଧ୍ୟେ ପଶି ॥ ୧୭୪

ରାଜା କରାଇ ଯଦୁନାଥ । ନାମ ତୋ ଦେଲେ ଭଗଦତ୍ତ ॥ ୧୭୫

ତକ୍ଷଣେ ଅନ୍ତଃପୁରେ ପଶି । ସେବକଜନଙ୍କୁ ଆଶ୍ୱାସି ॥ ୧୭୬

ଦେଖିଲେ ରାଜକନ୍ୟାୟୂଥ । ଷୋଳସହସ୍ର ଏକଶତ ॥ ୧୭୭

କୃଷ୍ଣଙ୍କୁ ଦେଖି ସର୍ବନାରୀ । ଏକୁ ଆରେକ ଆଗସରି ॥ ୧୭୮

ଚର୍ମଲୋଚନେ କୃଷ୍ଣ ଦେଖି । ପିଛାଡ଼ି ନ ପାରନ୍ତି ଆଖି ॥ ୧୭୯

ଚଞ୍ଚଳଚିତ୍ତ କାମବାଣେ । ଚଳି ନ ପାରନ୍ତି ଚରଣେ ॥ ୧୮୦

ନିଶ୍ଚଳେ ଚାହାଁନ୍ତି ଯୁବତୀ । ଦଇବ ମିଳାଇଲା ପତି ॥ ୧୮୧

ବୋଲନ୍ତି କୃଷ୍ଣ ସ୍ୱାମୀ ହେଉ । ବିଧାତା ଏହି ବର ଦେଉ ॥ ୧୮୨

ଏମନ୍ତ କୃଷ୍ଣଭାବ ସଧେ । ବରିଲେ ହୃଦୟର ମଧ୍ୟେ ॥ ୧୮୩

ଗୋବନ୍ଦ ଜାଣି ତାଙ୍କ ମନ । ଆନନ୍ଦେ ହୋଇଲେ ପ୍ରସନ୍ନ ॥ ୧୮୪

ଷୋଳସହସ୍ର ଶତେବାଳୀ । ଲଭିଲେ ପ୍ରଭୁ ବନମାଳୀ ॥ ୧୮୫

କନ୍ୟା ସହିତେ ଭଗବାନ । ନରକୁଞ୍ଜର ଯେତେ ଧନ ॥ ୧୮୬

ଅଶ୍ୱ ଗୋଧନ ଧନରାଶି । ଦ୍ୱାରକାପୁରେ ତାହା ପେଶି ॥ ୧୮୭

ନାରକା ଅସୁରର ପୁର । ଥିଲେ ଯେ ଅନେକ କୁଞ୍ଜର ॥ ୧୮୮

ଅଇରାବତ କୁଳେ ଜାତ । ସ୍ୱଭାବେ ଚାରି ଚାରି ଦାନ୍ତ ॥ ୧୮୯

ମଦ ଗଳଇ କର୍ଣ୍ଣପାଟି । ଏମନ୍ତେ ନେଲେ ଚଉଷଠି ॥ ୧୯୦

ଗମନେ ଅତି ବଳୀୟାର । ସ୍ୱଭାବେ ଦିଶନ୍ତି ପାଣ୍ତୁର ॥ ୧୯୧

ତାହାଙ୍କୁ ଦେବକୀନନ୍ଦନ । ଚଳାଇ ଦ୍ୱାରକାଭୁବନ ॥ ୧୯୨

ଗରୁଡେ଼ ବସି ଦାମୋଦର । ତକ୍ଷଣେ ଗଲେ ସ୍ୱର୍ଗପୁରେ ॥ ୧୯୩

ଅଦିତି ହସ୍ତେ ଭାବଗ୍ରାହୀ । ରତ୍ନକୁଣ୍ତଳ ଦେଲେ ନେଇ ॥ ୧୯୪

ଦେଖି ଅଦିତି ତୋଷ ହୋଇ । କୃଷ୍ଣଙ୍କୁ ଆସନେ ବସାଇ ॥ ୧୯୫

ଶଚୀ ସହିତେ ସୁରରାୟେ । ପୂଜିଲେ ଗୋବିନ୍ଦର ପାୟେ ॥ ୧୯୬

ଗୋବିନ୍ଦ ସମୀପେ ଅଦିତି । ଅନେକ କଲା ଦିବ୍ୟସ୍ତୁତି ॥ ୧୯୭

ସନ୍ତୋଷେ ପ୍ରଭୁ ଦେବରାୟେ । ମେଲାଣି ମାଗି ମାତା ପୋଏ ॥ ୧୯୮

ସନ୍ତୋଷ କରି ଦେବବୃନ୍ଦ । ଦ୍ୱାରକା ଗମନେ ଆନନ୍ଦ ॥ ୧୯୯

ସଙ୍ଗେ ସୁନ୍ଦରୀ ସତ୍ୟବତୀ । ବୋଲନ୍ତି ଶୁଣ ଯଦୁପତି ॥ ୨୦୦

ଦେଖ ସୁନ୍ଦର ପାରିଜାତ । ଗନ୍ଧେ ଲୋଭିତ ମୋର ଚିତ୍ତ ॥ ୨୦୧

ସିନ୍ଧୁମନ୍ଥନୁଁ ଏ ପ୍ରକାଶେ । ଶୁଦ୍ଧ ସୁବର୍ଣ୍ଣ ପ୍ରାୟ ଦିଶେ ॥ ୨୦୨

ଏ ବୃକ୍ଷ ନରଲୋକେ ନାହିଁ । ମୋର ମନ୍ଦିରେ ନେବି ମୁହିଁ ॥ ୨୦୩

ଭୋ ନାଥ ଘେନ ପାରିଜାତ । ଭାମାବଚନେ ଗୋପୀନାଥ ॥ ୨୦୪

ବୃକ୍ଷ ଉପାଡ଼ି ବାମକରେ । ଥୋଇଲେ ଗରୁଡ଼ ଉପରେ ॥ ୨୦୫

ବନରକ୍ଷକ ଯେତେ ଥିଲେ । ଗୋବିନ୍ଦ ସଙ୍ଗେ ଯୁଦ୍ଧ କଲେ ॥ ୨୦୬

ବାସବ ଆଦି ଦିଗପାଳ । ଆବୋରି ଆକାଶମଣ୍ତଳ ॥ ୨୦୭

କୃଷ୍ଣର ତୁଲେ କଲେ ରଣ । ଜ୍ଞାନ ବିନାଶି ଦେବଗଣ ॥ ୨୦୮

ବିଷ୍ଣୁମାୟାରେ ଭୋଳ ହୋଇ । ଅଜ୍ଞାନେ ତମଗୁଣ ବହି ॥ ୨୦୯

ଯାହାର ପଦ୍ମପାଦେ ନିତି । ମୁକୁଟଶିରେ ସେ ନମନ୍ତି ॥ ୨୧୦

ସେ ହରି ମହିମା ନ ଜାଣି । ମନୁଷ୍ୟ ପ୍ରାୟ ତାଙ୍କୁ ମଣି ॥ ୨୧୧

ଏ ଅପରାଧ ତାହାଙ୍କର । ଏବେ ହୋ ଶୁଣ ନୃପବର ॥ ୨୧୨

ଦେବଙ୍କ ଗର୍ବ ହେଳେ ନାଶି । ଦ୍ୱାରକା ବିଜେ ବ୍ରହ୍ମରାଶି ॥ ୨୧୩

ସତ୍ୟଭାମାର ପୁରେ ଆଣି । ଆନନ୍ଦେ ପ୍ରଭୁ ଚକ୍ରପାଣି ॥ ୨୧୪

ରୋପିଲେ ପାରିଜାତ ବନ । ଗନ୍ଧେ ମୋହିତ ସର୍ବଜନ ॥ ୨୧୫

ଯାହାର ଛାୟା ଲାଗି ଦେହେ । ବୃଦ୍ଧେ ଦିଶନ୍ତି ଯୁବାପ୍ରାୟେ ॥ ୨୧୬

କଳ୍ପବୃକ୍ଷର ଗୁଣ ଯେତେ । କହି ପାରିବି ମୁହିଁ କେତେ ॥ ୨୧୭

ଏବେ ହୋ ଶୁଣ କୁରୁବୀର । ଦ୍ୱାରକାପୁରେ ଦାମୋଦର ॥ ୨୧୮

ନାରକାପୁରୁ କନ୍ୟା ଆଣି । ଏକଇ ଲଗ୍ନେ ଚକ୍ରପାଣି ॥ ୨୧୯

ବିଭା ହୋଇଲେ ବିଧିମତେ । ଶୁଣ କହୁଛି ମୁହିଁ କେତେ ॥ ୨୨୦

ନାନା ଭୁବନେ କନ୍ୟା ଥୋଇ । ସୁଖେ ରମିଲେ ଭାବଗ୍ରାହୀ ॥ ୨୨୧

କନ୍ୟାଙ୍କ ପୁରୁ ଯଦୁବୀର । ଦଣ୍ତେ ହେଁ ନୁହନ୍ତି ବାହାର ॥ ୨୨୨

ତ୍ରିଗୁଣ ହୋଏ ଯହିଁ ଲୀନ । ନାମ ଯାହାର ନିରଞ୍ଜନ ॥ ୨୨୩

ଇତରଜନ ପ୍ରାୟ ହୋଇ । ଯୁବତୀଗଣ ମଧ୍ୟେ ରହି ॥ ୨୨୪

ରମିଲେ ବ୍ରହ୍ମାଣ୍ତଠାକୁର । ଶୁଣ ମହିମା ନାରୀଙ୍କର ॥ ୨୨୫

କିବା ସ୍ତିରୀଙ୍କ ଭାଗ୍ୟ କହି । ରମାରମଣ ସ୍ୱାମୀ ପାଇ ॥ ୨୨୬

ସଲ୍ଲଜ ହାସ କ୍ରୀଡ଼ାରଙ୍ଗେ । ନିତ୍ୟେ ରମନ୍ତି କୃଷ୍ଣସଙ୍ଗେ ॥ ୨୨୭

କୃଷ୍ଣ ଆଗମ ଦେଖି ଉଠି । କେତେ ହେଁ ଦୂରରୁ ପାଛୋଟି ॥ ୨୨୮

ଆଣନ୍ତି ହସ୍ତେ ହସ୍ତ ଦେଇ । ସୁଗନ୍ଧଜଳେ ପାଦ ଧୋଇ ॥ ୨୨୯

ବସାଇ ଉତ୍ତମ ଆସନେ । ପୂଜନ୍ତି ସ୍ୱାମୀ ସୁବିଧାନେ ॥ ୨୩୦

ଅନ୍ନଭୋଜନ ଜଳପାନେ । ଖଟନ୍ତି ତାମ୍ବୁଳ ଯୋଗାଣେ ॥ ୨୩୧

କେଶ ପ୍ରସାଧନ ରଞ୍ଜନ । ଯେ ବିଧି ସ୍ୱାମୀ ସେବାମାନ ॥ ୨୩୨

ବ୍ରହ୍ମାଦି ମୁନି ଯାର ପଥେ । ବିବେକୀ ନୋହିଲେ ସମର୍ଥେ ॥ ୨୩୩

ବ୍ରହ୍ମାଦି ମୁନି ଯାର ପଥେ । ବିବେକୀ ନୋହିଲେ ସମର୍ଥେ ॥ ୨୩୪

ହରିଙ୍କ ସଙ୍ଗେ ସେ କାମିନୀ । ରମିଲେ ନାନାଭାବ ଘେନି ॥ ୨୩୫

ରାତ୍ରଦିବସ ନ ଜାଣିଲେ । କୃଷ୍ଣଙ୍କୁ ପ୍ରେମେ ମୁଗ୍ଧ କଲେ ॥ ୨୩୬

ଦାସୀ ସହସ୍ରେ ଘେନି ସଙ୍ଗେ । ସେବନ୍ତି କୃଷ୍ଣପାଦଯୁଗେ ॥ ୨୩୭

ସେ ମାୟାଧର ପାଦଗତେ । ସୁଜନେ ଚିନ୍ତ ଅବିରତେ ॥ ୨୩୮

ଖଣ୍ତିବ ମାୟାମୋହପାଶ । କହଇ ଜଗନ୍ନାଥ ଦାସ ॥ ୨୩୯

ଇତି ଶ୍ରୀମଦ୍ଭାଗବତ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ପାରିଜାତ ହରଣ ନରକବଧୋ ନାମ

ଚତୁଃଷଷ୍ଟିତମ ଅଧ୍ୟାୟଃ ॥

* * *