ଦଶମ ସ୍କନ୍ଧ
ଚତୁଃଷଷ୍ଟିତମ ଅଧ୍ୟାୟ
କୃଷ୍ଣସେବକ ଭାଗ୍ୟବନ୍ତ । କୁରୁନନ୍ଦନ ପରୀକ୍ଷିତ ॥ ୧
ବ୍ୟାସ ନନ୍ଦନ ମୁଖ ଚାହିଁ । କହଇ ଶିରେ କରଦେଇ ॥ ୨
ପରୀକ୍ଷିତ ଉବାଚ
ଭୋ ମୁନି କେମନ୍ତେ ଅନନ୍ତ । ନାରକାସୁର କଲେହତ ॥ ୩
ଆଣିଲେ ଅନେକ ସୁନ୍ଦରୀ । ଦାନବଙ୍କର ପ୍ରାଣ ହରି ॥ ୪
ସାରଙ୍ଗ ଧନୁ ଧରି କର । ମହା ମହିମା ଯୋଗେଶ୍ୱର ॥ ୫
ଅବନୀ ଭାରା ନିବାରଣ । ନିର୍ଗୁଣ ପୁରୁଷ ପୁରାଣ ॥ ୬
କହ କେମନ୍ତେ ନରହରି । କନ୍ୟା ଆଣିଲେ ଶତ୍ରୁ ମାରି ॥ ୭
କେମନ୍ତେ ନାରକା ଅସୁର । ରଣେ ଜିଣିଲା ତିନିପୁର ॥ ୮
କାହୁଁ ଆଣିଲା କନ୍ୟା ହରି । ନିଜ ଭୁବନେ ଥିଲା ଭରି ॥ ୯
ଶୁକ କହନ୍ତି ତାହା ଶୁଣି । କୃଷ୍ଣ-ମହିମା ମନେ ଗୁଣି ॥ ୧୦
ଶୁକ ଉବାଚ
ଶୁଣ ପରୀକ୍ଷ ମହୀପାଳ । ସ୍ୱର୍ଗଭୁବନୁ ଆଖଣ୍ତଳ ॥ ୧୧
ନାରକାସୁର ଭୟେ ତ୍ରାସି । ଯଦୁନଗରେ ରାତ୍ରେ ପଶି ॥ ୧୨
ମିଳିଲା ଗୋବିନ୍ଦର ପାଶେ । ଏକାନ୍ତେ କହଇ ବିଶ୍ୱାସେ ॥ ୧୩
ଭୋ ନାଥ ଦୁଷ୍ଟ ନିବାରଣ । ଅନାଦି-ପରମ-କାରଣ ॥ ୧୪
ଅଦିତି ମୋହର ଜନନୀ । ସୁପୁଣ୍ୟ-ଦକ୍ଷର ନନ୍ଦିନୀ ॥ ୧୫
ଅମୂଲ୍ୟ-ଦିବ୍ୟ ମଣି ବେନି । କର୍ଣ୍ଣେ କୁଣ୍ତଳ ଥିଲା ଘେନି ॥ ୧୬
ନାରକାସୁର ମୋର ପୁରେ । ପଶିଲା ଯୁଦ୍ଧ-ମହାଘୋରେ ॥ ୧୭
କୁଣ୍ତଳ ମାତା କର୍ଣ୍ଣୁ ନେଲା । ସ୍ୱର୍ଗେ ବରୁଣଛତ୍ର ଥିଲା ॥ ୧୮
ମୋତେ ଘଉଡ଼ି ବାହୁବଳେ । ସର୍ବ ହରିଲା ଅବହେଳେ ॥ ୧୯
ମନ୍ଦରଗିରିଶିଖ ମୂଳେ । ମଣି ପର୍ବତ ନେଲାବେଳେ ॥ ୨୦
ରାଜାଙ୍କ କନ୍ୟା ବିଭା ଛଳେ । ହରି ଆଣିଲା ଭୁଜବଳେ ॥ ୨୧
ପୁରେ ନିବେଶି କନ୍ୟା ବଳେ । ବିଭା ହୋଇବ ଏକାବେଳେ ॥ ୨୨
ତାର ମହିମା ଶୁଣି କର୍ଣ୍ଣେ । ତିନିଭୁବନେ ଯେତେ ଜନେ ॥ ୨୩
ଭୟେ ଚକିତମନେ ଛନ୍ନ । ବଦନୁ ନ ସ୍ପୁରେ ବଚନ ॥ ୨୪
ତାହାର ଡରେ ଦାମୋଦର । ଭାଜିଲା ଅମର-ନଗର ॥ ୨୫
ହରିଲା ମୋର ଅଧିକାର । ଭୋ ନାଥ ଶରଣ ମୁଁ ତୋର ॥ ୨୬
ବାସବ ବାକ୍ୟ ଶୁଣି କର୍ଣ୍ଣେ । ଗୋବିନ୍ଦ ହରଷ, ବଦନେ ॥ ୨୭
ବୋଇଲେ ଯାଅ ନିଜପୁର । ମୁହିଁ କରିବି ପ୍ରତିକାର ॥ ୨୮
କୃଷ୍ଣ ନୋକଟେ ମିଳେ ଆସି । ଗୋବିନ୍ଦ ତାର ସ୍କନ୍ଧେ ବସି ॥ ୨୯
ସତ୍ୟଭାମାର କରଧରି । ଗୋବିନ୍ଦ ଗରୁଡ ସୁମରି ॥ ୩୦
ଧ୍ୟାନେ ଜାଣିଲା ଖଗେଶ୍ୱର । ମିଳିଲା ଦ୍ୱାରକା ନବର ॥ ୩୧
କୃଷ୍ଣ ନିକଟେ ମିଳେ ଆସି । ଗୋବିନ୍ଦ ତାର ସ୍କନ୍ଧେ ବସି ॥ ୩୨
ସତ୍ୟଭାମାକୁ କୋଳେ ଘେନି । ଗୋବିନ୍ଦ କଲେ ଶଙ୍ଖ ଧ୍ୱନି ॥ ୩୩
ଦେଖନ୍ତି ଦଶଦିଗପାଳେ । ଗରୁଡ଼ ଉଡେ଼ ଅନ୍ତରାଳେ ॥ ୩୪
ପ୍ରାଗଜ୍ୟୋତିଷପୁର ନାମେ । ମିଳିଲା ନାରକା-ଭୁବନେ ॥ ୩୫
ଶତେଯୋଜନଦୀର୍ଘ ସ୍ଥଳୀ । ଦେଖି ହରଷ ବନମାଳୀ ॥ ୩୬
ଶୁଣ ରାଜନ ତା ମହିମା । ଦୁର୍ଗମ ଦାନବର ସୀମା ॥ ୩୭
ଗିରିଦୁର୍ଗମ ଚାରିପାଖେ । ବାଣକମାଣ ଶସ୍ତ୍ର ରଖେ ॥ ୩୮
ବାଣ ଅନ୍ତରେ ଜଳଖଣା । ଦେଖିଲେ ଦେବେ ହୋନ୍ତି ବଣା ॥ ୩୯
ଗଭୀର କେ କରୁ ପ୍ରମାଣ । ଘୋର ଗହ୍ନ ଗ୍ରାହଗଣ ॥ ୪୦
ସେ ଦୁର୍ଗ ଅନ୍ତରେ ଅନଳ । ଉଚ୍ଚେ ଜଳଇ ତିନିତାଳ ॥ ୪୧
ଅଗ୍ନି ଅନ୍ତରେ ସମୀରଣ । ପ୍ରଚଣ୍ତେ ବହଇ ପବନ ॥ ୪୨
ରିପୁ ପଡ଼ିଲେ ଯାନ୍ତି ଉଡ଼ି । ମରନ୍ତି ଅଗ୍ନି ଜଳେ ପଡ଼ି ॥ ୪୩
ତାର ଅନ୍ତରେ ମୁରପାଶୀ । ନୀଳଜୀମୂତ ପ୍ରାୟେ ଦିଶି ॥ ୪୪
ଏମନ୍ତ ଗଡ଼ ସେ ଭିଆଇ । ନିଶ୍ଚିନ୍ତେ ମଧ୍ୟେ ଅଛି ରହି ॥ ୪୫
ହେଳେ ଜିଣିଲା ସୁରନର । ଦେଖି ହସନ୍ତି ଚକ୍ରଧର ॥ ୪୬
ଗଦା ପ୍ରହାରେ ଗଦାଧର । ଗିରି ଦୁର୍ଗମ କଲେ ଚୂର ॥ ୪୭
ବାଣକମାଣ ନରହରି । ତୀକ୍ଷ୍ଣ ନାରାଚେ ଚୁର୍ଣ୍ଣ କରି ॥ ୪୮
ଜଳ ଅନଳ ସମୀରଣ । ଚକ୍ରେ ଶୋଷିଲେ ନାରାୟଣ ॥ ୪୯
ଖଡ଼ଗ ଧାରେ ବ୍ରହ୍ମରାଶି । ବେଗେ ଛେଦିଲେ ମୁରପାଶୀ ॥ ୫୦
ଶଙ୍ଖ ଶବଦ କଲେ ହରି । ଶୁଭିଲା ଦଶଦିଗ ପୂରି ॥ ୫୧
ଗିରିଦୁର୍ଗମକୁ ଆବୋରି । ବୀରେ ଯେ ଥିଲେ ଶସ୍ତ୍ର ଧରି ॥ ୫୨
ହୃଦୟ କମ୍ପିଲା ବିକଳେ । ଶସ୍ତ୍ର ପଡ଼ିଲା ହସ୍ତୁ ତଳେ ॥ ୫୩
ଗୋବିନ୍ଦ ବସି ଖଗେଶ୍ୱରେ । ମିଳିଲେ ନାରକାର ଦ୍ୱାରେ ॥ ୫୪
ଶିଳାପାଚେରୀ ଚାରିଦିଗେ । ଦେଖି ଗୋବିନ୍ଦ ଅତିବେଗେ ॥ ୫୫
ଗଦା ପ୍ରହାରେ ଚୂର୍ଣ୍ଣ କରି । ଶବଦେ କମ୍ପେ ବସୁନ୍ଧରୀ ॥ ୫୬
କୃଷ୍ଣର ଶୁଣି ଶଙ୍ଖନାଦ । ଅସୁରେ ମନେ ପାଇ ଖେଦ ॥ ୫୭
ଯୁଗାନ୍ତ ବଜ୍ରପ୍ରାୟ ମଣି । ମୁରଦାନବ ତାହା ଶୁଣି ॥ ୫୮
ଗଭୀର ଜଳେ ଶୋଇଥିଲା । ଖବଦ ଶୁଣି ବିଜେ କଲା ॥ ୫୯
ପର୍ବତ ପ୍ରାୟ ପଞ୍ଚଶିର । ନିଦ୍ରା ବିଯୋଗ ମହାବୀର ॥ ୬୦
ତ୍ରିଶୂଳ ଅଛି ତାର କରେ । କିବା ଉପମା ଦେବା ତାରେ ॥ ୬୧
ପ୍ରଳୟକାଳେ ଦିବାକର । ପ୍ରଚଣ୍ତ ଜ୍ୟୋତି ପରଖର ॥ ୬୨
ତେମନ୍ତ ପ୍ରାୟ ଶୂଳ ଦିଶି । ଧାଇଁଲା ତ୍ରିଭୁବନ ତ୍ରାସି ॥ ୬୩
ଗିଳିବା ପ୍ରାୟ ପଞ୍ଚଭୂତ । ପଞ୍ଚବଦନ ବିସ୍ତାରିତ ॥ ୬୪
କୃଷ୍ଣ ଦେଖନ୍ତି ତାର ବେଗ । ଗରୁଡ଼ ମୁଖେ ଯେହ୍ନେ ନାଗ ॥ ୬୫
ଧାମଇଁ ମରଣ ନ ଜାଣି । ଦେଖି ହସନ୍ତି ଚକ୍ରପାଣି ॥ ୬୬
ତ୍ରିଶୂଳ ଅତି ଘେନି ଅତି ବେଗେ । ପିଟିଲା ଗରୁଡର ଅଙ୍ଗେ ॥ ୬୭
ଶବଦ କଲା ପଞ୍ଚତୁଣ୍ତ । ପୂରିଲା ଅଖିଳ ବ୍ରହ୍ମାଣ୍ତ ॥ ୬୮
ତ୍ରିଶୂଳ ଦେଖି ନାରାୟଣ । ବେଗେ ବିନିଧିଲେ ବେନି ବାଣ ॥ ୬୯
ତକ୍ଷଣେ ତିନିଖଣ୍ତ କରି । ଶୂଳ କାଟିଲେ ନରହରି ॥ ୭୦
କୃଷ୍ଣ ବିନ୍ଧିଲେ ତୀକ୍ଷ୍ଣ ବାଣ । ଅସୁର କୋପେ ଗରୁଟାଣ ॥ ୭୧
ଗଦାଏ ଥିଲା ବାମ କରେ । ପିଟିଲା ଗୋବିନ୍ଦ ଉପରେ ॥ ୭୨
ତକ୍ଷଣେ ମଦନଗୋପାଳ । ଗଦାକୁ ଗଦା ପରିତାଳ ॥ ୭୩
ଦାନବ ଗଦା ଚୂର୍ଣ୍ଣକରି । ଶଙ୍ଖେ ଶବଦ କଲେ ହରି ॥ ୭୪
ନିରସ୍ତ୍ର ହୋଇ ସେ ଦନୁଜ । ବେଗେ ତୋଳିଲା ବେନି ଭୁଜ ॥ ୭୫
ଧାମଇଁ ଘୋର ନାଦ କରି । ପାଦେ କମ୍ପଇ ବସନ୍ଧରୀ ॥ ୭୬
ସ୍ୱର୍ଗେ ଦେଖନ୍ତି ଦେବେ ମିଳି । ଚକ୍ର ପେଶିଲେ ବନମାଳୀ ॥ ୭୭
ତକ୍ଷଣେ ହୋଇ ବେନିଖଣ୍ତ । ଜଳେ ପଡ଼ିଲା ମୃତପିଣ୍ତ ॥ ୭୮
ବାସବ-ବଜ୍ରେ ହୋଇ ଭଙ୍ଗ । ଯେହ୍ନେ ପଡ଼ଇ ଗିରିଶୃଙ୍ଗ ॥ ୭୯
ସପ୍ତ କୁମର ତାର ଥିଲେ । ପିତାର ମରଣ ଜାଣିଲେ ॥ ୮୦
ପିତୃ-ବଇରୀ ମାରିବାରେ । ଧାଇଁଲେ ପବନହୁଁ ଖରେ ॥ ୮୧
ଅତି ଗହ୍ନ ଘୋରତମ । ଶୁଣ ହୋ ତାହାଙ୍କର ନାମ ॥ ୮୨
ତାମ୍ର ଅନ୍ତରୀକ୍ଷ ଶ୍ରବଣ । ଚତୁର୍ଥ ବିଭାବସୁ ଜାଣ ॥ ୮୩
ପଞ୍ଚମ ବସୁ ମହାବୀର । ଷଷ୍ଠରେ ନବସ୍ୱାନ ଶୂର ॥ ୮୪
ପୁଣ ଅରୁଣ ନାମେ ବୀର । ଏମନ୍ତେ ଧାଇଁଲେ ଅସୁର ॥ ୮୫
ବିବିଧ ଶସ୍ତ୍ର କରେ ଘେନି । ସାଜିଲେ ନାରକା ସଇନି ॥ ୮୬
ଯୂଥପତିଙ୍କି କରି ଆଗେ । ନାରକା ସୈନ୍ୟ ବେନିଭାଗେ ॥ ୮୭
ଆବୋରି ଧାଇଁଲା ସମରେ । ଭୂମି କମ୍ପାଇ ପାଦଭରେ ॥ ୮୮
ବାଣ ଖଡ଼ଗ ଗଦା ଋଷ୍ଟି । ଶୂଳ ତୋମର ଲୌହଯଷ୍ଟି ॥ ୮୯
ରବିକିରଣ ପ୍ରାୟ ଦିଶି । ଭୂମି ଗଗନେ ତେଜ ଗ୍ରାସି ॥ ୯୦
ଶର ବରଷା ମେଘପ୍ରାୟେ । ବିନ୍ଧିଲେ ଗୋବିନ୍ଦର ଦେହେ ॥ ୯୧
ଦେଖି କେଶବ ଅତି ଖରେ । ସାରଙ୍ଗଧନୁ ଧରି କରେ ॥ ୯୨
କୃଷ୍ଣ ବିନ୍ଧିଲେ ପୁଣପୁଣ । ଅନଳପ୍ରାୟ ତୀକ୍ଷ୍ଣ ବାଣ ॥ ୯୩
ଅସୁରଙ୍କର ଶସ୍ତ୍ର ନାଶେ । ରବି ଯେସନେ ତମ ଗ୍ରାସେ ॥ ୯୪
ତିଳପ୍ରମାଣେ ଶସ୍ତ୍ର କାଟି । ଗୋବିନ୍ଦ କଲେ ଶର ବୃଷ୍ଟି ॥ ୯୫
ଅସୁରଙ୍କର ସେହ୍ନାଫୁଟି । ଭୁଜ ଚରଣ ଶିର ତୁଟି ॥ ୯୬
ତକ୍ଷଣେ ପଡ଼ିଲେ ସକଳେ । ମେଦିନୀ ନ ଦିଶେ ଗହଳେ ॥ ୯୭
କୃଷ୍ଣର ବାଣ ତୀକ୍ଷ୍ଣ ଫଳ । ଧ୍ୱଂସିଲା ଚତୁରଙ୍ଗ ବଳ ॥ ୯୮
ନାରକାସୁର ତାହା ଦେଖି । ଧାଇଁଲା ଭୁବନ ଉପେକ୍ଷି ॥ ୯୯
ଷଷ୍ଟିସହସ୍ର ଗଜୟୂଥ । ଜଳଧି ମନ୍ଥନୁଁ ସମ୍ଭୂତ ॥ ୧୦୦
ବରଷା ପ୍ରାୟ ମଦଗଳି । ଦିଶନ୍ତି କରୀବରେ ଝଳି ॥ ୧୦୧
ଅଙ୍କୁଶ ମାହୁନ୍ତଙ୍କ କରେ । ଝଲକେ ରବି ପଟାନ୍ତରେ ॥ ୧୦୨
ନାରକାସୁର ଗଜ ମଧ୍ୟେ । ବେଗେ ମିଳିଲା ଘୋରନାଦେ ॥ ୧୦୩
ଉଚ୍ଚ କୁଞ୍ଜରେ ଭୂମିସୁତ । ନୟନେ ଦେଖିଲା ଅନନ୍ତ ॥ ୧୦୪
ସୁବର୍ଣ୍ଣ ପ୍ରାୟ ପକ୍ଷୀରାଜ । ଶୂନ୍ୟେ ଉଡ଼ଇ ମହାତେଜ ॥ ୧୦୫
ତାହାର ପୃଷ୍ଠେ ନରହରି । ସତ୍ୟଭାମାକୁ କୋଳେ ଧରି ॥ ୧୦୬
ଉର୍ଦ୍ଧ୍ୱେ ତୋଳିଣ ଭୁଜଚାରି । ଶଙ୍ଖ କୋଦଣ୍ତ ଗଦାଧରି ॥ ୧୦୭
ଦକ୍ଷିଣ କରେ ଚକ୍ର ସାଜେ । କୋଟି ଆଦିତ୍ୟ ତେଜ ଗଞ୍ଜେ ॥ ୧୦୮
ବନମାଳାଏ ଲମ୍ବେ ଉରେ । କିବା ଉପମା ଦେବା ତାରେ ॥ ୧୦୯
ନୀଳଜୀମୂତ ଶୂନ୍ୟେ ମିଳି । ଯେସନେ ପ୍ରକାଶେ ବିଜୁଳି ॥ ୧୧୦
ରବି ଯେସନେ ତେଜ ବହି । ଗଗନମଧ୍ୟେ ବିରାଜଇ ॥ ୧୧୧
ଏମନ୍ତ କୃଷ୍ଣରୂପ ଚାହିଁ । ନାରକାସୁର କୋପ ବହି ॥ ୧୧୨
ଶକ୍ତିଏ ଥିଲା କରେ ଘେନି । ନାମ ତାହାର ଶତଘନି ॥ ୧୧୩
ପ୍ରହାର କରି ଅବିରତ । ରିପୁ ମାଇଲା ଶତଶତ ॥ ୧୧୪
କୃଷ୍ଣ ଉପରେ ପ୍ରହାରିଲା । ପ୍ରତାପେ ଘୋରନାଦ କଲା ॥ ୧୧୫
ଯେତେ ମାହୁନ୍ତ ସଙ୍ଗେ ଥିଲେ । କୃଷ୍ଣଙ୍କୁ ଶକ୍ତି ପ୍ରହାରିଲେ ॥ ୧୧୬
ଶକ୍ତି ପଡ଼ନ୍ତେ କୃଷ୍ଣ ଚାହିଁ । ନାରାଚ ଗୁଣରେ ବସାଇ ॥ ୧୧୭
ନିରତେ ବିନ୍ଧି ତୀକ୍ଷ୍ଣ ଶର । ଶକ୍ତି ସମୂହ କଲେ ଚୂର ॥ ୧୧୮
ନାରକା-ସୈନ୍ୟଙ୍କୁ ଅନାଇଁ । ନାରାଚ ଘେନି ଭାବଗ୍ରାହୀ ॥ ୧୧୯
ବଜ୍ରଶବଦ ପ୍ରାୟ ବାଣ । କୃଷ୍ଣ ବିନ୍ଧିଲେ ପୁଣପୁଣ ॥ ୧୨୦
ସୈନ୍ୟ ପଡ଼ିଲେ ମହୀଲୋଟି । ଜାନୁ ହୃଦୟ ଶିରଫୁଟି ॥ ୧୨୧
ଅଶ୍ୱ କୁଞ୍ଜର ରଥ ଯେତେ । ଛିଡ଼ି ପଡ଼ିଲେ ଭୂମିଗତେ ॥ ୧୨୨
ଶସ୍ତ୍ର ସହିତେ ରିପୁ-ପିଣ୍ତ । ଛିଡ଼ି ପଡ଼ିଲେ ଖଣ୍ତଖଣ୍ତ ॥ ୧୨୩
ଗରୁଡ଼ ନଖ ଚଞ୍ଚୁଘାତେ । ଗଜ ପଡ଼ିଲେ ୟୂଥେ ଯୂଥେ ॥ ୧୨୪
କେତେ ପକାଇ ପୁରେ ପଶି । ଥୋକାଏ ଜଳେ ପଡ଼ି ଭାସି ॥ ୧୨୫
ଯୁଦ୍ଧ କରଇ ମହୀସୁତ । କୁଞ୍ଜରେ ହୋଇଲେ ଅନାଥ ॥ ୧୨୬
ଗରୁଡ଼ବାେତେ ସୈନ୍ୟଗଲା । ଦେଖି ନାରକା କୋପକଲା ॥ ୧୨୭
ପୁଣ ଶକ୍ତିଏ କରେ ଧରି । ଯେହ୍ନେ କୁଞ୍ଜର ଦେହେ ମାରି ॥ ୧୨୮
ବଜ୍ର ଭାଙ୍ଗଇ ଯାର ଘାଏ । ପିଟିଲା ଗରୁଡ଼ର ଦେହେ ॥ ୧୨୯
ଶକ୍ତି ପ୍ରହାରେ କୋପମନ । ଗରୁଡ ନିଶ୍ଚଳ ଆସନ ॥ ୧୩୦
ଫୁଲପେଣ୍ତାଏ କରେ ଧରି । ଯେହ୍ନେ କୁଞ୍ଜର ଦେହେ ମାରି ॥ ୧୩୧
ଶକ୍ତି ଗରୁଡ଼ ଦେହେ ବାଜି । ପଡ଼ିଲା ଭୂମିଗତେ ଭାଜି ॥ ୧୩୨
ତ୍ରିଶୂଳ ଘେନି ଭୂମିସୁତ । ମିଳିଲା କୃଷ୍ଣର ଅଗ୍ରତ ॥ ୧୩୩
ନିଷ୍ପଳ ଉଦ୍ୟମ ତାହାର । ଯୁଦ୍ଧ ଦେଖନ୍ତି ସୁରନର ॥ ୧୩୪
ତ୍ରିଶୂଳ ଦେଖି କରେ ତାର । ଚକ୍ର ପେଷିଲେ ଚକ୍ରଧର ॥ ୧୩୫
ଗଜ ଉପରେ ବସିଥିଲା । ସୁନ୍ଦର ଧରଣୀର ବଳା ॥ ୧୩୬
ଅମୂଲ୍ୟ କିରୀଟ ବିରାଜେ । କର୍ଣ୍ଣେ କୁଣ୍ତଳ ବେନି ସାଜେ ॥ ୧୩୭
ଛିଡ଼ି ପଡ଼ିଲା କନ୍ଧୁଁ ଶିର । ଅବନୀ ଦିଶିଲା ସୁନ୍ଦର ॥ ୧୩୮
ହା ହା ଶବଦ ଅତିଘୋର । ଶୁଭିଲା ନାରକାନବର ॥ ୧୩୯
ଦେବସମୂହେ ବ୍ରହ୍ମଋଷି । ସ୍ୱଗ୍ରେ ଯେ ଦେଖୁଥିଲେ ବସି ॥ ୧୪୦
ଜୟ ଶବଦ ଉଚ୍ଚସ୍ୱରେ । ପୁଷ୍ପ ବର୍ଷିଲେ କୃଷ୍ଣଶିରେ ॥ ୧୪୧
ଭୂମି ନାରକାପୁରେ ଥିଲା । ପୁତ୍ରର ମରଣ ଶୁଣିଲା ॥ ୧୪୨
ଭୂମି ନାରକାପୁରେ ଥିଲା । ପୁତ୍ରର ମରଣ ଶୁଣିଲା ॥ ୧୪୩
ହିରଣ୍ୟମୟ ରତ୍ନମାଳା । ଘେନିଣ ଅଦିତି କୁଣ୍ତଳ ॥ ୧୪୪
ବରୁଣଛତ୍ର ମଣିଗିରି । ବନମାଳାଏ କରେ ଧରି ॥ ୧୪୫
କୃଷ୍ଣ ସମୀପେ ନେଇ ଦେଲା । ଅଭୟଚରଣେ ପୂଜିଲା ॥ ୧୪୬
ଭୁଜଯୁଗଳ ଦେଇ ଶିରେ । ସ୍ତୁତି କରଇ ଶୋକଭରେ ॥ ୧୪୭
ଭୂମି ଉବାଚ
ଭୂମି ବୋଲଇ ଯୋଡ଼ିକର । ତୁ ନାଥ ଦେବଙ୍କର ବର ॥ ୧୪୮
ଶଙ୍ଖ କମଳ ଗଦା ହସ୍ତେ । ଦେବାଧିଦେବ ନମୋସ୍ତୁତେ ॥ ୧୪୯
ଯେ ତୋତେ ଯେମନ୍ତ ଭଜଇ । ସେ ଅନୁରୂପେ ତୋତେ ପାଇ ॥ ୧୫୦
ପରମଆତ୍ମା ଆଦିମୂଳ । ନମସ୍ତେ ପରମମଙ୍ଗଳ ॥ ୧୫୧
ପଙ୍କଜନାଭ ପଦ୍ମମାଳୀ । ପଦ୍ମଲୋଚନ ତୋତେ ବୋଲି ॥ ୧୫୨
ପଙ୍ଗଜନିଧି ତୋ ପୟର । ଭୋ ନାଥ ଶରଣ ମୁଁ ତୋର ॥ ୧୫୩
ନମସ୍ତେ ପ୍ରଭୁ ଭଗବାନ । ବିଷ୍ଣୁ ବାସୁଦେବ ତୋ ନାମ ॥ ୧୫୪
ଆଦିପୁରୁଷ ବୀଜଆଦି । ସମ୍ପୂର୍ଣ୍ଣ ଜ୍ଞାନ ତୋ ପ୍ରସିଦ୍ଧି ॥ ୧୫୫
ଜଗତଜନ୍ମ କରୁ ତୁହି । ଜନ୍ମମରଣ ତୋର ନାହିଁ ॥ ୧୫୬
ବ୍ରହ୍ମଣ୍ୟରୂପୀ ନମୋନମ । ଅନନ୍ତଶକ୍ତି ଅନୁପମ ॥ ୧୫୭
ପରଅପର ଭୂତଆତ୍ମା । ପରମାନନ୍ଦ ତୋ ମହିମା ॥ ୧୫୮
ଏ ସୃଷ୍ଟି ଉପୁଜିବା କାଳେ । ତୁ ରଜ ଗୁଣ ଧରୁ ହେଳେ ॥ ୧୫୯
ନିରୋଧକାଳେ ତମଗୁଣ । ଆନନ୍ଦେ ବହୁ ନାରାୟଣ ॥ ୧୬୦
ସୃଷ୍ଟିପାଳନେ ଧର୍ମରୂପେ । ସତ୍ତ୍ୱଗୁଣକୁ ଭଜୁ ଆପେ ॥ ୧୬୧
ପ୍ରଧାନପୁରୁଷ ତୁ କାଳ । ନିର୍ଗୁଣ ଆତ୍ମା ନନ୍ଦବାଳ ॥ ୧୬୨
ମୋ ଆଦି ସଲିଳ ଅନଳ । ପବନ ଆକାଶମଣ୍ତଳ ॥ ୧୬୩
ଶଦ୍ଦ ସ୍ପରଶ ରୂପ ରସ । ଗନ୍ଧ ଇନ୍ଦ୍ରିୟ ଏକାଦଶ ॥ ୧୬୪
ଲୋକପାଳକ ଦେବଗଣ । ତୁ ଆଦି ପରମ କାରଣ ॥ ୧୬୫
ତୁ ଅହଙ୍କାର ଭୂତ ଆଦି । ସଚରାଚର ପରସିଦ୍ଧି ॥ ୧୬୬
ଏ ମାୟା ତୋର ଦେହୁଁ ଭ୍ରମ । ତୁ ଏକ ବିଭୁ ପରଂବ୍ରହ୍ମ ॥ ୧୬୭
ତୁ ମୋର ନାଶିଲୁ ତନୁଜ । ଯେ ତୋର ପୁତ୍ର ଦେବରାଜ ॥ ୧୬୮
ଏହାର ପୁତ୍ର ଅଛି ଏକ । ଭୋ ନାଥ ହୋଇଲା ନିରେଖ ॥ ୧୬୯
ତୋ ପାଦପଦ୍ମେ ଅଛି ଶୋଇ । ଭୁଜଯୁଗଳ ଶିରେ ଦେଇ ॥ ୧୭୦
ଏହାକୁ ରଖ ଜଗନ୍ନାଥ । ଶିରେ ନିବେଶି ପଦ୍ମହସ୍ତ ॥ ୧୭୧
ଶୁକ ଉବାଚ
ଶୁକ କହନ୍ତି ରାଜା ଚାହିଁ । ଭୂମି-ବଚନେ ଭାବଗ୍ରାହୀ ॥ ୧୭୨
ନାରକାପୁତ୍ରକୁ ତୋଳିଲେ । ଅଭୟହସ୍ତ ଶିରେ ଦେଲେ ॥ ୧୭୩
ବାଳକ ଘେନି ବ୍ରହ୍ମରାଶି । ନାରକାପୁର ମଧ୍ୟେ ପଶି ॥ ୧୭୪
ରାଜା କରାଇ ଯଦୁନାଥ । ନାମ ତୋ ଦେଲେ ଭଗଦତ୍ତ ॥ ୧୭୫
ତକ୍ଷଣେ ଅନ୍ତଃପୁରେ ପଶି । ସେବକଜନଙ୍କୁ ଆଶ୍ୱାସି ॥ ୧୭୬
ଦେଖିଲେ ରାଜକନ୍ୟାୟୂଥ । ଷୋଳସହସ୍ର ଏକଶତ ॥ ୧୭୭
କୃଷ୍ଣଙ୍କୁ ଦେଖି ସର୍ବନାରୀ । ଏକୁ ଆରେକ ଆଗସରି ॥ ୧୭୮
ଚର୍ମଲୋଚନେ କୃଷ୍ଣ ଦେଖି । ପିଛାଡ଼ି ନ ପାରନ୍ତି ଆଖି ॥ ୧୭୯
ଚଞ୍ଚଳଚିତ୍ତ କାମବାଣେ । ଚଳି ନ ପାରନ୍ତି ଚରଣେ ॥ ୧୮୦
ନିଶ୍ଚଳେ ଚାହାଁନ୍ତି ଯୁବତୀ । ଦଇବ ମିଳାଇଲା ପତି ॥ ୧୮୧
ବୋଲନ୍ତି କୃଷ୍ଣ ସ୍ୱାମୀ ହେଉ । ବିଧାତା ଏହି ବର ଦେଉ ॥ ୧୮୨
ଏମନ୍ତ କୃଷ୍ଣଭାବ ସଧେ । ବରିଲେ ହୃଦୟର ମଧ୍ୟେ ॥ ୧୮୩
ଗୋବନ୍ଦ ଜାଣି ତାଙ୍କ ମନ । ଆନନ୍ଦେ ହୋଇଲେ ପ୍ରସନ୍ନ ॥ ୧୮୪
ଷୋଳସହସ୍ର ଶତେବାଳୀ । ଲଭିଲେ ପ୍ରଭୁ ବନମାଳୀ ॥ ୧୮୫
କନ୍ୟା ସହିତେ ଭଗବାନ । ନରକୁଞ୍ଜର ଯେତେ ଧନ ॥ ୧୮୬
ଅଶ୍ୱ ଗୋଧନ ଧନରାଶି । ଦ୍ୱାରକାପୁରେ ତାହା ପେଶି ॥ ୧୮୭
ନାରକା ଅସୁରର ପୁର । ଥିଲେ ଯେ ଅନେକ କୁଞ୍ଜର ॥ ୧୮୮
ଅଇରାବତ କୁଳେ ଜାତ । ସ୍ୱଭାବେ ଚାରି ଚାରି ଦାନ୍ତ ॥ ୧୮୯
ମଦ ଗଳଇ କର୍ଣ୍ଣପାଟି । ଏମନ୍ତେ ନେଲେ ଚଉଷଠି ॥ ୧୯୦
ଗମନେ ଅତି ବଳୀୟାର । ସ୍ୱଭାବେ ଦିଶନ୍ତି ପାଣ୍ତୁର ॥ ୧୯୧
ତାହାଙ୍କୁ ଦେବକୀନନ୍ଦନ । ଚଳାଇ ଦ୍ୱାରକାଭୁବନ ॥ ୧୯୨
ଗରୁଡେ଼ ବସି ଦାମୋଦର । ତକ୍ଷଣେ ଗଲେ ସ୍ୱର୍ଗପୁରେ ॥ ୧୯୩
ଅଦିତି ହସ୍ତେ ଭାବଗ୍ରାହୀ । ରତ୍ନକୁଣ୍ତଳ ଦେଲେ ନେଇ ॥ ୧୯୪
ଦେଖି ଅଦିତି ତୋଷ ହୋଇ । କୃଷ୍ଣଙ୍କୁ ଆସନେ ବସାଇ ॥ ୧୯୫
ଶଚୀ ସହିତେ ସୁରରାୟେ । ପୂଜିଲେ ଗୋବିନ୍ଦର ପାୟେ ॥ ୧୯୬
ଗୋବିନ୍ଦ ସମୀପେ ଅଦିତି । ଅନେକ କଲା ଦିବ୍ୟସ୍ତୁତି ॥ ୧୯୭
ସନ୍ତୋଷେ ପ୍ରଭୁ ଦେବରାୟେ । ମେଲାଣି ମାଗି ମାତା ପୋଏ ॥ ୧୯୮
ସନ୍ତୋଷ କରି ଦେବବୃନ୍ଦ । ଦ୍ୱାରକା ଗମନେ ଆନନ୍ଦ ॥ ୧୯୯
ସଙ୍ଗେ ସୁନ୍ଦରୀ ସତ୍ୟବତୀ । ବୋଲନ୍ତି ଶୁଣ ଯଦୁପତି ॥ ୨୦୦
ଦେଖ ସୁନ୍ଦର ପାରିଜାତ । ଗନ୍ଧେ ଲୋଭିତ ମୋର ଚିତ୍ତ ॥ ୨୦୧
ସିନ୍ଧୁମନ୍ଥନୁଁ ଏ ପ୍ରକାଶେ । ଶୁଦ୍ଧ ସୁବର୍ଣ୍ଣ ପ୍ରାୟ ଦିଶେ ॥ ୨୦୨
ଏ ବୃକ୍ଷ ନରଲୋକେ ନାହିଁ । ମୋର ମନ୍ଦିରେ ନେବି ମୁହିଁ ॥ ୨୦୩
ଭୋ ନାଥ ଘେନ ପାରିଜାତ । ଭାମାବଚନେ ଗୋପୀନାଥ ॥ ୨୦୪
ବୃକ୍ଷ ଉପାଡ଼ି ବାମକରେ । ଥୋଇଲେ ଗରୁଡ଼ ଉପରେ ॥ ୨୦୫
ବନରକ୍ଷକ ଯେତେ ଥିଲେ । ଗୋବିନ୍ଦ ସଙ୍ଗେ ଯୁଦ୍ଧ କଲେ ॥ ୨୦୬
ବାସବ ଆଦି ଦିଗପାଳ । ଆବୋରି ଆକାଶମଣ୍ତଳ ॥ ୨୦୭
କୃଷ୍ଣର ତୁଲେ କଲେ ରଣ । ଜ୍ଞାନ ବିନାଶି ଦେବଗଣ ॥ ୨୦୮
ବିଷ୍ଣୁମାୟାରେ ଭୋଳ ହୋଇ । ଅଜ୍ଞାନେ ତମଗୁଣ ବହି ॥ ୨୦୯
ଯାହାର ପଦ୍ମପାଦେ ନିତି । ମୁକୁଟଶିରେ ସେ ନମନ୍ତି ॥ ୨୧୦
ସେ ହରି ମହିମା ନ ଜାଣି । ମନୁଷ୍ୟ ପ୍ରାୟ ତାଙ୍କୁ ମଣି ॥ ୨୧୧
ଏ ଅପରାଧ ତାହାଙ୍କର । ଏବେ ହୋ ଶୁଣ ନୃପବର ॥ ୨୧୨
ଦେବଙ୍କ ଗର୍ବ ହେଳେ ନାଶି । ଦ୍ୱାରକା ବିଜେ ବ୍ରହ୍ମରାଶି ॥ ୨୧୩
ସତ୍ୟଭାମାର ପୁରେ ଆଣି । ଆନନ୍ଦେ ପ୍ରଭୁ ଚକ୍ରପାଣି ॥ ୨୧୪
ରୋପିଲେ ପାରିଜାତ ବନ । ଗନ୍ଧେ ମୋହିତ ସର୍ବଜନ ॥ ୨୧୫
ଯାହାର ଛାୟା ଲାଗି ଦେହେ । ବୃଦ୍ଧେ ଦିଶନ୍ତି ଯୁବାପ୍ରାୟେ ॥ ୨୧୬
କଳ୍ପବୃକ୍ଷର ଗୁଣ ଯେତେ । କହି ପାରିବି ମୁହିଁ କେତେ ॥ ୨୧୭
ଏବେ ହୋ ଶୁଣ କୁରୁବୀର । ଦ୍ୱାରକାପୁରେ ଦାମୋଦର ॥ ୨୧୮
ନାରକାପୁରୁ କନ୍ୟା ଆଣି । ଏକଇ ଲଗ୍ନେ ଚକ୍ରପାଣି ॥ ୨୧୯
ବିଭା ହୋଇଲେ ବିଧିମତେ । ଶୁଣ କହୁଛି ମୁହିଁ କେତେ ॥ ୨୨୦
ନାନା ଭୁବନେ କନ୍ୟା ଥୋଇ । ସୁଖେ ରମିଲେ ଭାବଗ୍ରାହୀ ॥ ୨୨୧
କନ୍ୟାଙ୍କ ପୁରୁ ଯଦୁବୀର । ଦଣ୍ତେ ହେଁ ନୁହନ୍ତି ବାହାର ॥ ୨୨୨
ତ୍ରିଗୁଣ ହୋଏ ଯହିଁ ଲୀନ । ନାମ ଯାହାର ନିରଞ୍ଜନ ॥ ୨୨୩
ଇତରଜନ ପ୍ରାୟ ହୋଇ । ଯୁବତୀଗଣ ମଧ୍ୟେ ରହି ॥ ୨୨୪
ରମିଲେ ବ୍ରହ୍ମାଣ୍ତଠାକୁର । ଶୁଣ ମହିମା ନାରୀଙ୍କର ॥ ୨୨୫
କିବା ସ୍ତିରୀଙ୍କ ଭାଗ୍ୟ କହି । ରମାରମଣ ସ୍ୱାମୀ ପାଇ ॥ ୨୨୬
ସଲ୍ଲଜ ହାସ କ୍ରୀଡ଼ାରଙ୍ଗେ । ନିତ୍ୟେ ରମନ୍ତି କୃଷ୍ଣସଙ୍ଗେ ॥ ୨୨୭
କୃଷ୍ଣ ଆଗମ ଦେଖି ଉଠି । କେତେ ହେଁ ଦୂରରୁ ପାଛୋଟି ॥ ୨୨୮
ଆଣନ୍ତି ହସ୍ତେ ହସ୍ତ ଦେଇ । ସୁଗନ୍ଧଜଳେ ପାଦ ଧୋଇ ॥ ୨୨୯
ବସାଇ ଉତ୍ତମ ଆସନେ । ପୂଜନ୍ତି ସ୍ୱାମୀ ସୁବିଧାନେ ॥ ୨୩୦
ଅନ୍ନଭୋଜନ ଜଳପାନେ । ଖଟନ୍ତି ତାମ୍ବୁଳ ଯୋଗାଣେ ॥ ୨୩୧
କେଶ ପ୍ରସାଧନ ରଞ୍ଜନ । ଯେ ବିଧି ସ୍ୱାମୀ ସେବାମାନ ॥ ୨୩୨
ବ୍ରହ୍ମାଦି ମୁନି ଯାର ପଥେ । ବିବେକୀ ନୋହିଲେ ସମର୍ଥେ ॥ ୨୩୩
ବ୍ରହ୍ମାଦି ମୁନି ଯାର ପଥେ । ବିବେକୀ ନୋହିଲେ ସମର୍ଥେ ॥ ୨୩୪
ହରିଙ୍କ ସଙ୍ଗେ ସେ କାମିନୀ । ରମିଲେ ନାନାଭାବ ଘେନି ॥ ୨୩୫
ରାତ୍ରଦିବସ ନ ଜାଣିଲେ । କୃଷ୍ଣଙ୍କୁ ପ୍ରେମେ ମୁଗ୍ଧ କଲେ ॥ ୨୩୬
ଦାସୀ ସହସ୍ରେ ଘେନି ସଙ୍ଗେ । ସେବନ୍ତି କୃଷ୍ଣପାଦଯୁଗେ ॥ ୨୩୭
ସେ ମାୟାଧର ପାଦଗତେ । ସୁଜନେ ଚିନ୍ତ ଅବିରତେ ॥ ୨୩୮
ଖଣ୍ତିବ ମାୟାମୋହପାଶ । କହଇ ଜଗନ୍ନାଥ ଦାସ ॥ ୨୩୯
ଇତି ଶ୍ରୀମଦ୍ଭାଗବତ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ପାରିଜାତ ହରଣ ନରକବଧୋ ନାମ
ଚତୁଃଷଷ୍ଟିତମ ଅଧ୍ୟାୟଃ ॥
* * *