ଦଶମ ସ୍କନ୍ଧ
ତ୍ରିଷଷ୍ଟିତମ ଅଧ୍ୟାୟ
ଶୁକ ଉବାଚ
ଏବେ ହୋ ଶୁଣ ନରନାଥ । ଶ୍ରୀକୃଷ୍ଣଲୀଳା ଭାଗବତ ॥ ୧
ଅବନ୍ତୀପୁରେ ବେନିଭାଇ । ବିନ୍ଦାନୁବିନ୍ଦ ନାମ ବହି ॥ ୨
ସେ ଦୁର୍ଯ୍ୟୋଧନର ବିଶ୍ୱାସେ । ପ୍ରଜା ପାଳନ୍ତି ନିଜେ ଦେଶେ ॥ ୩
ମିତ୍ରବିନ୍ଦା ଯେ କନ୍ୟାସାର । ବହେଣୀ ଥିଲା ତାହାଙ୍କର ॥ ୪
ନବମସ୍କନ୍ଧେ ମୁହିଁ ତୋତେ । କହିଛି ବଂଶାନୁଚରିତେ ॥ ୫
ଶୂର ଯାଦବକୂଳେ ଜାତ । ଥିଲା ତା ପାଞ୍ଚ ଯେ ଦୁହିତ ॥ ୬
ପାଞ୍ଚ ଦୁହିତା ମଧ୍ୟେ ସାର । ରାଜାଧିଦେବୀ ନାମ ଯାର ॥ ୭
ତାର କୁମାରୀ ଅନୁପମ । ସୁନ୍ଦର ମିତ୍ରବିନ୍ଦା ନାମ ॥ ୮
ତାହାର ସ୍ୱୟଂମ୍ବର କାଳେ । ମିଳିଲେ ନୃପତି ସକଳେ ॥ ୯
ଗୋବିନ୍ଦଗଲେ ତାହା ଶୁଣି । ସଙ୍ଗେ ଯାଦବ ବଳ ଘେନି ॥ ୧୦
କନ୍ୟାର ସ୍ୱୟମ୍ବର କାଳେ । ରାଜକୁମାରମାନେ ଥିଲେ ॥ ୧୧
ସେ ବେନିଭାଇ ରାଜା ମେଳେ । କନ୍ୟାକୁ ଯେତେ ନିଷେଧିଲେ ॥ ୧୨
ସେ କନ୍ୟା କୃଷ୍ଣଙ୍କୁ ବରିଲା । ଅନେକ ଗୋଳ ଉପୁଜିଲା ॥ ୧୩
ତାହାର ସ୍ୱୟମ୍ବର କାଳେ । କୃଷ୍ଣ ହରିଲେ ତାକୁ ବଳେ ॥ ୧୪
ଦେକନ୍ତି ରାଜପୁତ୍ରେ ମିଳି । ରଥେ ବସାଇ ବନମାଳୀ ॥ ୧୫
ଦ୍ୱାରକାପଥେ ବିଜେ କଲେ । ଶଙ୍ଗ ଦୁନ୍ଦୁଭି ସୁମଙ୍ଗଳେ ॥ ୧୬
କୃଷ୍ଣର ଭଗ୍ନୀ ସେ ଯୁକ୍ତେ । ଜନ ବେଭାର କୁଳ ମତେ ॥ ୧୭
ଏବେ ହୋ ଶୁଣ ନୃପମଣି । ଯେମନ୍ତ କାଲେ ଚକ୍ରପାଣି ॥ ୧୮
କୋଶଳରାଜ୍ୟେ ନରନାଥ । ଧାର୍ମିକ ନାମେ ନଗ୍ନଜିତ ॥ ୧୯
ତାର ଦୁହିତା ସତ୍ୟା ନାମ । ରୂପେ ସୁନ୍ଦର ଅନୁପମ ॥ ୨୦
ନୃପତି ତାର ସ୍ୱୟମ୍ବର । ନିୟମ କଲା ଗୁରୁତରେ ॥ ୨୧
ସପ୍ତ ବୃକ୍ଷଭ ପୁରେ ଥୋଇ । ବୋଲେ ସାରଥି ମୁଖ ଚାହିଁ ॥ ୨୨
ଘୋଷଣା ଚଉଦିଗେ ଦିଅ । ଏମନ୍ତେ ବାକ୍ୟ ମୋର କହ ॥ ୨୩
ଏ ସାତବୃକ୍ଷ ଏକ ତୁଲ୍ୟେ । ବନ୍ଧନ କରିବ ଯେ ବଳେ ॥ ୨୪
ଏ କନ୍ୟା ହୋଇବ ତାହାର । ସତ୍ୟବଚନ ଏ ମୋହର ॥ ୨୫
ଏମନ୍ତ ଶୁଣି ତାର ପୁରେ । ମିଳିଲେ ନୃପତି କୁମରେ ॥ ୨୬
ସପତ ଷଣ୍ଢ ମୁଖ ଚାହିଁ । ସମୀପେ ନ ପାରନ୍ତି ଯାଇ ॥ ୨୭
ଆଘ୍ରାଣେ ବୀର-ଗନ୍ଧ ପାଇ । କୁଟୀଳନୟନେ ଅନାଇ ॥ ୨୮
ଜଳଦପ୍ରାୟ ନାଦ କରି । ଖୁରେ ଖୋଳନ୍ତି ସବୁନ୍ଧରୀ ॥ ୨୯
ଚଉଦଶୃଙ୍ଘ ତୀକ୍ଷଖୁର । ଦେଖି ଭାଜିଲେ ସର୍ବବୀର ॥ ୩୦
ବୃକ୍ଷ-ବନ୍ଦନେ କନ୍ୟା ଲାଭ । ଏମନ୍ତ ଶୁଣି ପଦ୍ମନାଭ ॥ ୩୧
ହରଷ ମଦନ ଗୋପାଳ । ସଙ୍ଗତେ ଘେନି ଯଦୁବଳ ॥ ୩୨
ମିଳିଲେ କୋଶଳ ଭୁବନେ । ଦେଖି ନୃପତି ତୋଷମନେ ॥ ୩୩
ଗନ୍ଧକୁସୁମ ଉପହାରେ । ପୂଜିଲା ଗୋବିନ୍ଦ ପୟରେ ॥ ୩୪
ସୁବର୍ଣ୍ଣ ଆସନେ ବସାଇ । ବୋଲଇ କୃଷ୍ଣମୁଖ ଚାହିଁ ॥ ୩୫
ଆଜ ଜୀବନ ମୋର ଧନ୍ୟ । ଦେଖିଲି ପ୍ରଭୁ ନିରଞ୍ଜନ ॥ ୩୬
ସିଦ୍ଧମୁନିଙ୍କି ଅଗୋଚର । ଅଶେଷ-ବ୍ରହ୍ମାଣ୍ତ-ଠାକୁର ॥ ୩୭
ସୃଷ୍ଟିପାଳନ ସଂହାରଣ । ତୁ ଆଦି ପରମକାରଣ ॥ ୩୮
ପରମ ସନ୍ତୋଷ ହୋଇଲା । ଏମନ୍ତ ସ୍ତୁତି ସେହୁ କଲା ॥ ୩୯
ଏମନ୍ତେ କୃଷ୍ଣଙ୍କୁ ପୂଜିଲା । ଦୁହିତା ତାର ପଛେ ଥିଲା ॥ ୪୦
ରାଜକୁମାରୀ କୃଷ୍ଣେ ଚାହିଁ । ଆନନ୍ଦ ମନେ ବିଚାରଇ ॥ ୪୧
ପୂର୍ବେ ମୋହର ତପ ଯେବେ । ସାଧିଲା ଅଛି ଶୁଦ୍ଧଭାବେ ॥ ୪୨
ଇଷ୍ଟଦେବତା ହୋଇ ତୋଷ । ସଫଳ କରିବେ ମୋ ଆଶ ॥ ୪୩
ଯେ କୃଷ୍ଣ-ପାଦପଦ୍ମ ଧୂଳି । ବ୍ରହ୍ମାଶଙ୍କର ଶିରେ ବୋଳି ॥ ୪୪
ବାସବ ଆଦି ଦେବତାଏ । ନମନ୍ତି ଯାର ପଦ୍ମପାୟେ ॥ ୪୫
ସୁକୃତସେତୁ ରକ୍ଷା ପାଇଁ । ଲୀଲାଏ ନାନା ରୂପ ବହି ॥ ୪୬
ଅଧର୍ମ ନାଶି ଧର୍ମ ସ୍ଥାପି । ନିର୍ମଳ ସୂକ୍ଷ୍ମ ଶୂନ୍ୟେ ବ୍ୟାପି ॥ ୪୭
ସେ ହରି କେଉଁ ପୁଣ୍ୟଫଳେ । ତୋଷ ହୋଇବେ ସୁମଙ୍ଗଳେ ॥ ୪୮
ଅଶେଷ-ବ୍ରହ୍ମାଣ୍ତର ଗତି । ସେ ମୋର ହେଉ ପ୍ରାଣପତି ॥ ୪୯
ଏମନ୍ତେ ଶୁଦ୍ଧଭାବ ବହି । ରାଜା ବୋଲଇ କୃଷ୍ଣ ଚାହିଁ ॥ ୫୦
ଭୋ ନାଥ ଜଗତ ଈଶ୍ୱର । ଅନାଦି ଧର୍ମ ନିରାକାର ॥ ୫୧
ଜଗତ ଆତ୍ମଭୂତ ତୁହି । ଜଗତ ପୁଣ୍ୟମୟ ଦେହୀ ॥ ୫୨
ଜଗତ-ମୋହନ ତୋ ରୂପ । ସ୍ୱଭାବେ ମୁହିଁ ଯେ ଅଳପ ॥ ୫୩
ଭୋ ନାଥ ଶରଣସୋଦର । କିମ୍ପା ଅଇଲ ମୋର ପୁର ॥ ୫୪
ଆନନ୍ଦେ ବସିଣ ଆସନେ । ଜଳଦ-ଗମ୍ଭୀର-ବଚନେ ॥ ୫୫
ରାଜା ବଚନ ଶୁଣି ହସି । ବୋଲନ୍ତି ପ୍ରଭୁ ବ୍ରହ୍ମରାଶି ॥ ୫୬
ଶ୍ରୀକୃଷ୍ଣ ଉବାଚ
ଶୁଣ ରାଜନ ଚୂଡ଼ାମଣି । କ୍ଷତ୍ରିୟଜନ ଧର୍ମବାଣୀ ॥ ୫୭
ଭିକ୍ଷାଗ୍ରହଣେ ନିନ୍ଦା ପାଇ । ଉଭୟଲୋକେ ସୁଖ ନାହିଁ ॥ ୫୮
ତଥାପି ତୋର ଭାବ ଲଇଁ । କନ୍ୟା ମାଗିବା ଆଶେ ମୁହିଁ ॥ ୫୯
ମିଳିଲି ତୋହର ଭୁବନେ । ବିଦିତ କଥା ସର୍ବଜନେ ॥ ୬୦
ଆମ୍ଭର କୁଳଧର୍ମ ଏହି । ବିଭା ନ କରୁ ଧନଦେଇ ॥ ୬୧
କୃଷ୍ଣବଚନ ରାଜା ଶୁଣି । ବୋଲଇ ହୃଦେ ପରିମାଣ ॥ ୬୨
ରାଜା ବଚନ
ଭୋ ନାଥ ଶୁଣ ଦାମୋଦର । କନ୍ୟା ଉଚିତେ ତୁମ୍ଭେ ବର ॥ ୬୩
ସକଳ ଗୁଣ ତୋର ତହିଁ । ତୋ ଅଙ୍ଗେ କମଳା ବସଇ ॥ ୬୪
ଯଦୁବଂଶର ତୁ ଈଶ୍ୱର । ଶୁଣ ଗୋବିନ୍ଦ ମୋ ବିଚାର ॥ ୬୫
ରାଜାଙ୍କ ବଳ ଜାଣିବାରେ । ସତ୍ୟ ମୁଁ କଲି ସ୍ୱୟମ୍ଭରେ ॥ ୬୬
ସପତଷଣ୍ଢ ମହାବଳୀ । ମୋହର ପୁରେ ବନମାଳୀ ॥ ୬୭
ଶୃଙ୍ଗଯୁଗଳ ତୀକ୍ଷ୍ଣଖୁର । ଦୁର୍ମଦ ଦୁଷ୍ଟ ମହାଘୋର ॥ ୬୮
ଦେଖିଣ ତାହାଙ୍କ ବଦନ । ଭାଜିଲେ ନୃପତି ନନ୍ଦନ ॥ ୬୯
ସଂକଳ୍ପ କରିଅଛି ମୁହିଁ । ଘୋଷଣା ଚାରିଦିଗେ ଦେଇ ॥ ୭୦
ଏ ସାତବୃଷେ ବନ୍ଦୀ କଲେ । ତାହାକୁ କନ୍ୟା ଦେବି ଭଲେ ॥ ୭୧
ସତ୍ୟବଚନ ଏ ମୋହର । ଭୋ ନାଥ ଶୁଣ ଦାମୋଦର ॥ ୭୨
ତୁ ଯେବେ ବାନ୍ଧିପାରୁ ଏହା । ନିଶ୍ଚୟେ କନ୍ୟା ଦେବି ବାହା ॥ ୭୩
ଏମନ୍ତ ରାଜା ବାକ୍ୟ ଶୁଣି । ଅଳପ ହସି ଚକ୍ରପାଣି ॥ ୭୪
କନ୍ୟା ହୃହୟ ବିଚାରିଲେ । ଗୋବିନ୍ଦ ମାୟା ପ୍ରକାଶିଲେ ॥ ୭୫
ତକ୍ଷଣେ ସାତରୂପ ହୋଇ । ମାୟାରେ ନଦେଖିଲେ କେହି ॥ ୭୬
ମାୟା ଗୋବିନ୍ଦ ସାତରୂପ । କନ୍ୟାକୁ ଦେଖାନ୍ତି ସ୍ୱରୂପ ॥ ୭୭
ଜନେ ଦେଖିଲେ କଉତୁକେ । କୃଷ୍ଣ ବାନ୍ଧିଲେ ସାତ ଏକେ ॥ ୭୮
ଦାଉଣି ବାନ୍ଧି ସାତଷଣ୍ଢେ । କୃଷ୍ଣ ବିଜୟ ରାଜଦାଣ୍ତେ ॥ ୭୯
ଏକଦଉଡ଼ି ସାତ କନ୍ଧେ । ଗୋବିନ୍ଧ ବାନ୍ଧିଲେ ଆନନ୍ଦେ ॥ ୮୦
କାଷ୍ଠ ପିତୁଳୀ ବାନ୍ଧି ହସ୍ତେ । ବାଳକେ ଖେଳନ୍ତି ଯେମନ୍ତେ ॥ ୮୧
ଦେଖି ହରଷ ସର୍ବଜନ । ଆନନ୍ଦ କୋଶଳ ରାଜନ ॥ ୮୨
ତକ୍ଷଣେ ମିଳି ବନ୍ଧୁଜନେ । ଉତ୍ସବ ରାଜାର ଭୁବନେ ॥ ୮୩
ବେଦ ଉଚିତ ଧର୍ମ ଘେନି । ମଙ୍ଗଳ କଲେକ କାମିନୀ ॥ ୮୪
ବରକନ୍ୟାଙ୍କୁ କରି ଶୋଭା । ଆନନ୍ଦେ କରାଇଲେ ବିଭା ॥ ୮୫
ରାଜକାମିନୀ ମିଳି ଧୀରେ । ଅକ୍ଷତ ଦେଲେ କୃଷ୍ଣ ଶିରେ ॥ ୮୬
ଦୁହିତା ତୁଲ୍ୟ ବର ଦେଖି । ନିର୍ମଳ କଲେ ଚର୍ମଆଖି ॥ ୮୭
ଗୀତମଙ୍ଗଳ ଶଙ୍ଖ ଭେରୀ । ଆନନ୍ଦେ ବାଦ୍ୟନାଦ କରି ॥ ୮୮
ବିପ୍ରେ ଆଶିଷ ଶିରେ ଦେଇ । ଉତ୍ସବ କେ ପାରିବ କହି ॥ ୮୯
କୋଶଳପୁର ନରନାରୀ । ଅନେକ ଅଳଙ୍କାର ଭରି ॥ ୯୦
ଦିବ୍ୟବସନ ପୁଷ୍ପମାଳେ । ବିବାହେ ମିଳିଲେ ସକଳେ ॥ ୯୧
କୋଶଳପତି ସୁବିବେକ । ଅନେକ ଦେଲା ଯଉତୁକ ॥ ୯୨
ଦଶସହସ୍ର ଧେନୁ ଦେଲା । ଶୁଣ ହୋ ଅଭିମନ୍ୟୁବଳା ॥ ୯୩
ତିନିସହସ୍ର ପରିବାରୀ । ବିବିଧ ଅଳଙ୍କାରେ ଭରି ॥ ୯୪
ଦୁହିତା ହିତେ ନୃପମଣି । କୃଷ୍ଣସମୀପେ ଦେଲା ଆଣି ॥ ୯୫
ନବସହସ୍ର ମତ୍ତହସ୍ତୀ । କୃଷ୍ଣଙ୍କୁ ଦେଲା ନରପତି ॥ ୯୬
ସୁବର୍ଣ୍ଣ ରଥ ନବଲକ୍ଷ । କୃଷ୍ଣଙ୍କୁ ଦେଲା ସେ ପ୍ରତ୍ୟକ୍ଷ ॥ ୯୭
ଆନନ୍ଦ ମନେ ନରଇନ୍ଦ୍ର । ତୁରଙ୍ଗ ଦେଲା ନବବୃନ୍ଦ ॥ ୯୮
ପଦାତି ନବପଦ୍ମ ଦେଇ । ବରକନ୍ୟାଙ୍କୁ ରଥେ ଥୋଇ ॥ ୯୯
ସଙ୍ଗତେ ନିଜବଳ ଘେନି । ବଜାଇ ବୀରତୂର ଧ୍ୱନି ॥ ୧୦୦
ଆନନ୍ଦେ ଅଶ୍ରୁଜଳ ବହି । ପଥେ କେତେହେଁ ଦୂର ଯାଇ ॥ ୧୦୧
କୃଷ୍ଣଙ୍କୁ ମାଗି ଅନୁଯାନ । ମିଳିଲା ଆପଣା ଭୁବନ ॥ ୧୦୨
ଗୋବିନ୍ଦ ଦ୍ୱାରକାର ପଥେ । ବିଜୟ ନନ୍ଦିଘୋଷ ରଥେ ॥ ୧୦୩
ଅନେକ ନୃପତି କୁମରେ । ଥିଲେ ଯେ କନ୍ୟା ସ୍ୱୟମ୍ବରେ ॥ ୧୦୪
ସାତଷଣ୍ଢର ଯୁଦ୍ଧେ ହାରି । କନ୍ୟାକୁ ଚିତ୍ତେ ଥିଲେ ବରି ॥ ୧୦୫
କନ୍ୟାକୁ ବଳେ ନେବୁଆଜ । କିସ କରିବେ ଯଦୁଭୋଜ ॥ ୧୦୬
ଏମନ୍ତ ଭାଳି କୁବିଚାରେ । ପଛେ ଧାଇଁଲେ ଅତିଖରେ ॥ ୧୦୭
ବୃଷ୍ଟି ପରାୟେ ବାଣବିନ୍ଧି । ବେଗେ ଯାଦବ ବଳ ରୁନ୍ଧି ॥ ୧୦୮
ଅର୍ଜୁନ ଥିଲେ କୃଷ୍ଣସଙ୍ଗେ । ଦେଖି ଧାଇଁଲେ ଅତିବେଗେ ॥ ୧୦୯
ଗାଣ୍ତୀବ ଚାପେ ଗୁଣ ଦେଇ । ମନ୍ତ୍ର ସୁମରି କୋପ ବହି ॥ ୧୧୦
ଅକ୍ଷୟତ୍ରୋଣଁ ବାଣ ବିନ୍ଧି । ଅନେକ ରଥ ଗଜ ଛେଦି ॥ ୧୧୧
ଶର ବରଷା ମହାଘୋର । ଦେଖି ଭାଜିଲେ ନୃପବର ॥ ୧୧୨
ଯୁଦ୍ଧେ ହାରିଲେ ରିପୁଜନେ । କେଶରୀ ମୁଖେ ମୃଗ ଯେହ୍ନେ ॥ ୧୧୩
କନ୍ୟା ଘେନିଣ ଭଗବାନ । ମିଳିଲେ ଦ୍ୱାରକା ଭୁବନ ॥ ୧୧୪
ଯଦୁ-କୁମୁଦ-ନିଶାକର । ପୁରେ ମିଳିଲେ କନ୍ୟାବର ॥ ୧୧୫
ଲକ୍ଷ୍ମୀର ଅଂଶ ସତ୍ୟା ସଙ୍ଗେ । କୃଷ୍ଣ ରମିଲେ ସୁଖରଙ୍ଗେ ॥ ୧୧୬
ଅନାଦି ପ୍ରଭୁ ଜଗନ୍ନାଥ । ଦେବକୀଦେବୀ ଯାର ମାତ ॥ ୧୧୭
ଏବେ ହୋ ଶୁଣ ନରପତି । କେକୟ ରାଣୀ ଶ୍ରୁତକୀର୍ତ୍ତି ॥ ୧୧୮
ତାର ଦୁହିତା ଭଦ୍ରା ନାମ । ରୂପେ କମଳା ନୋହେ ସମ ॥ ୧୧୯
ପିତୃଭଗିନୀ ସୁତା ସେହି । ଭ୍ରାତା ବିଚାରେ କନ୍ୟା ଦେଇ ॥ ୧୨୦
ସକଳ ବନ୍ଧୁଜନ ମିଳି । ବିବାହ କଲେ ବନମାଳୀ ॥ ୧୨୧
ମଦ୍ରାଧିପତିର ଦୁଲଣୀ । ଲକ୍ଷଣା ନାମେ ସୁଲକ୍ଷଣୀ ॥ ୧୨୨
ତାହାର ସ୍ୱୟମ୍ବର କାଳେ । କୃଷ୍ଣ ହରିଲେ ତାକୁ ବଳେ ॥ ୧୨୩
ଦୁର୍ଗମ ଲାଖ ହେଳେ ବିନ୍ଧି । ସମରେ ରିପୁବଳ ଛେଦି ॥ ୧୨୪
ଦେବଙ୍କମଧ୍ୟୁ ସୁଧାରାଶି । ଗରୁଡ଼ ଯେସନେ ଗରାସି ॥ ୧୨୫
ଏବେ ହୋ ଶୁଣ ନୃପମଣି । ନାରକାପୁରୁ ଚକ୍ରପାଣି ॥ ୧୨୬
ଷୋଳସହସ୍ର ଶତେ ନାରୀ । ଆଣିଲେ ଘୋରଯୁଦ୍ଧ କରି ॥ ୧୨୭
ମାଇଲେ ଅନେକ ଅସୁର । ଦୁଷ୍ଟଦଳନ ଦାମୋଦର ॥ ୧୨୮
ସେ ହରିପାଦ ଅବିରତେ । ସୁଜନେ ଚିନ୍ତ ଧ୍ୟାନମତେ ॥ ୧୨୯
ଫିଟିବ ଜଡ଼କ ମୋହପାଶ । କହଇ ଜଗନ୍ନାଥ ଦାସ ॥ ୧୩୦
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ଅଷ୍ଟମହିଷୀ ଉଦ୍ବାହୋ ନାମ
ତ୍ରିଷଷ୍ଟିତମ ଅଧ୍ୟାୟଃ ॥
* * *