ଦଶମ ସ୍କନ୍ଧ

ଦ୍ୱିଷଷ୍ଟିତମ ଅଧ୍ୟାୟ

ଶୁକ ଉବାଚ

ଏବେ ହୋ ଶୁଣ ନରପତି । ଅଶେଷ ଗୋବିନ୍ଦର ଗତି ॥

ପାଣ୍ତବେ ବହୁ ଦୁଃଖ ତ୍ରାସେ । ଅରଣ୍ୟେ ଦ୍ୱାଦଶ ବରଷେ ॥

ଅଜ୍ଞାତ ଘୋର ବନବାସେ । ଥିଲେ ସେ ବିରାଟର ଦେଶେ ॥

ବରଷେ ବଞ୍ଚି ତା ଭୁବନେ । ବିଖ୍ୟାତ ପଣ୍ତର ନନ୍ଦନେ ॥

ଇନ୍ଦ୍ରପ୍ରସ୍ତରେ ଛନ୍ତି ରହି । ସେ କଥା ଶୁଣି ଭାବଗ୍ରାହୀ ॥

ଦାରୁକ ସାଜି ନନ୍ଦିଘୋଷେ । ଚଳିଲେ ସୁହୃଦ ବିଶ୍ୱାସେ ॥

ଇନ୍ଦ୍ରପ୍ରସ୍ଥରେ ବନମାଳୀ । ଧର୍ମନନ୍ଦନ ଗୃହେ ମିଳି ॥

ଦେଖି ସାନନ୍ଦ ପଞ୍ଚଜନେ । ଚାହାନ୍ତି ନିଶ୍ଚଳ ନୟନେ ॥

ବେଗେ ଉଠିଲେ ପାଞ୍ଚଭାଇ । କି ପଟାନ୍ତର ଦେବି ମୁହିଁ ॥

ଜୀବନ ଗଲା ପିଣ୍ତ ଯେହ୍ନେ । ପୁଣି ଉଠଇ ଦିବ୍ୟଜ୍ଞାନେ ॥ ୧୦

ଦେଖି ଅଖିଳ ଯୋଗେଶ୍ୱର । ନୟନ ପିଛା କଲେ ସ୍ଥିର ॥ ୧୧

ରୋମ ପୁଲକେ କମ୍ପେ ଦେହୀ । ନୟନଯୁଗୁଁ ଲୁହ ବହି ॥ ୧୨

ଗୋବିନ୍ଦ ଜଣେ ଜଣେ ଧରି । ହୃଦେ ଲଗାଇ କୋଳକରି ॥ ୧୩

ପଦ୍ମଲୋଚନ ସଙ୍ଗ ପାଇ । ପବିତ୍ର ହେଲେ ପାଞ୍ଚଭାଇ ॥ ୧୪

ଧର୍ମନନ୍ଦନ ଭୀମ ପାଦେ । ଗୋବିନ୍ଦ ନମିଲେ ଆନନ୍ଦେ ॥ ୧୫

ପାର୍ଥକୁ କଲେ ଆଲିଙ୍ଗନ । ନକୁଳ ଆଦି ବେନିଜନ ॥ ୧୬

ମାଦ୍ରୀକୁମର ସହଦେବ । ବନ୍ଦିଲେ ଗୋବିନ୍ଦର ପାଦ ॥ ୧୭

ଆନନ୍ଦେ କଲେ ନମସ୍କାର । ଯେସନେ ସଂସାର ବେଭାର ॥ ୧୮

କୃଷ୍ଣଙ୍କୁ ଆସନେ ବସାଇ । ଭାବେ ପୂଜିଲେ ପାଞ୍ଚଭାଇ ॥ ୧୯

ଦ୍ରୋପଦୀ ଥିଲେ ନିଜ ପୁରେ । କୃଷ୍ଣ ଆଗମ ଜାଣି ଧୀରେ ॥ ୨୦

ନମ୍ରଶିରରେ ଲଜ୍ଜାଭରେ । କୃଷ୍ଣଙ୍କୁ ନମିଲେ ଅନ୍ତରେ ॥ ୨୧

ସାତ୍ୟକି କର କରେ ଧରି । ଶ୍ରୀକୃଷ୍ଣ ତୁଲେ ପୂଜାକରି ॥ ୨୨

ଯେତେକ ଥିଲେ କୃଷ୍ଣ ସଙ୍ଗେ । ପୂଜିଲେ ସର୍ବେ ଅନୁରାଗେ ॥ ୨୩

କୁନ୍ତୀ ଯେ ଥିଲେ ପୁରଦେଶେ । ହା କୃଷ୍ଣ ବୋଲି ସ୍ନେହବଶେ ॥ ୨୪

ଆନନ୍ଦେ ପାଣ୍ତବଜନନୀ । ହସ୍ତରେ ଉପାୟନ ଘେନି ॥ ୨୫

ବେଗେ ମିଳିଲେ କୃଷ୍ଣ ଆଗେ । ଦ୍ରୌପଦୀ ତୁଲେ ଅନୁରାଗେ ॥ ୨୬

ଲୋକବେଭାରେ ଦାମୋଦର । ନମିଲେ କୁନ୍ତୀର ପୟର ॥ ୨୭

କୁନ୍ତୀ ଗୋବିନ୍ଦେ କୋଳକରି । ତୋଳିଲା ବେନିଭୁଜେ ଧରି ॥ ୨୮

ବନ୍ଧୁକୁଶଳ ପୁଚ୍ଛାକରି । ଦୌପଦୀକର କରେ ଧରି ॥ ୨୯

ମୁକୁନ୍ଦ ବଦନ ଅନାଇ । କହନ୍ତେ ଅଶ୍ରୁଜଳ ବହି ॥ ୩୦

ଯେମନ୍ତ କ୍ଲେଶ ବନବାସେ । ବଞ୍ଚିଲେ ଦ୍ୱାଦଶବରଷେ ॥ ୩୧

ତାହା ସୁମରି କୁନ୍ତୀ କାନ୍ଦେ । ମନ ନିବେଶି କୃଷ୍ଣପାଦେ ॥ ୩୨

ହେ କୃଷ୍ଣ ତବ ଦରଶନ । କୃତାର୍ଥ କଲା ମୋ ଜୀବନ ॥ ୩୩

ହସ୍ତିନାପୁରେ ଦୁଃଖ ସହି । ସ୍ୱାମୀ ମରଣେ ଥିଲି ମୁହିଁ ॥ ୩୪

ତୁ ନାଥ ଅକ୍ରୁରକୁ ପେଶି । ମୋର କୁମରଙ୍କୁ ଆଶ୍ୱାସି ॥ ୩୫

ସେଦିନୁ ଦୁଃଖ ମୋ ଦହନ । ଏବେ ଦେଖିଲି ତୋ ବଦନ ॥ ୩୬

ତୁ ନାଥ ଶରଣସୋଦର । ପର ଆପଣା ନାହିଁ ତୋର ॥ ୩୭

ତଥାପି ଯେ ତୋତେ ଲୋଡ଼ଇ । ତାହାର ହୃଦେ ଥାଉ ତୁହି ॥ ୩୮

ଅଶେଷ ଦୁଃଖ କରୁ ହତ । ଏମନ୍ତ ପ୍ରଭୁ ତୁ ଅଚ୍ୟୁତ ॥ ୩୯

ଧର୍ମନନ୍ଦନ କୃଷ୍ଣ ଚାହିଁ । ବୋଲନ୍ତି ପ୍ରିୟଭାବ ବହି ॥ ୪୦

ଅନେକ ଅଛି ପୁଣ୍ୟବଲ । ତୋତେ ଭେଟିଲୁ ଆଦିମୂଳ ॥ ୪୧

ଭୋ ନାଥ ମହିମା ତୋହର । ଯୋଗେଶ୍ୱରଙ୍କୁ ଆଗୋଚର ॥ ୪୨

ଆମ୍ଭେ କିଞ୍ଚିତ ବୁଦ୍ଧିହୀନ । ପାଇଲୁ ତବ ଦରଶନ ॥ ୪୩

ଏମନ୍ତେ ଭକତ ବିଶ୍ୱାସେ । କୃଷ୍ଣ ପରମ ମନତୋଷେ ॥ ୪୪

ତହିଁ ବରଷା ଚାରି ମାସ । ରହିଲେ ପ୍ରଭୁ ପୀତବାସ ॥ ୪୫

ଇନ୍ଦ୍ରପ୍ରସ୍ଥର ଯେତେ ଜନ । କରନ୍ତି କୃଷ୍ଣ ଦରଶନ ॥ ୪୬

ଚର୍ମଲୋଚନ କରି ସାଧୁ । ତରିଲେ ଭବ ପରମାଦୁ ॥ ୪୭

ଏମନ୍ତେ ଶୁଣ ନରନାଥ । ଦିନେକ କୃଷ୍ଣ ଧରି ପାର୍ଥ ॥ ୪୮

ପିତୃଦିବସ ଆଗମନେ । ମଳିଲା ହରଷ ବଦନେ ॥ ୪୯

ଧର୍ମନନ୍ଦନ ଆଜ୍ଞାମତେ । ବସିଲା କପିଧ୍ୱଜ ରଥେ ॥ ୫୦

ଦାରୁକ ଘେନି ନନ୍ଦିଘୋଷେ । ଗୋବିନ୍ଦ ବସିଲେ ହରଷେ ॥ ୫୧

ଅର୍ଜୁନ କରେ ଧନୁ ଘେନି । କନ୍ଧେ ଶୋଭିତ ତ୍ରୋଣ ବେନି ॥ ୫୨

ଗହନ ବନେ ନରହରି । ଅନେକ ମୃଗ ବଧ କରି ॥ ୫୩

ଅର୍ଜୁନ କରେ ତୀକ୍ଷ୍ଣ ବାଣ । ଦିଗ ଆବୋରି ନାରାୟଣ ॥ ୫୪

ବରାହ ମହିଷ ହରିଣ । ଶଶା ଶାର୍ଦ୍ଦୂଳ ପକ୍ଷୀଗଣ ॥ ୫୫

ଶରଭ ଗବୟ ଖଡ଼ଗ । ପିତୃଯଜ୍ଞକୁ ଯେତେ ଯୋଗ୍ୟ ॥ ୫୬

ରାଜସେବକେ ତାହା ବହି । ପାଣ୍ତବପୁରେ ଦେଲେ ନେଇ ॥ ୫୭

ତୃଷିତ ହୋଇ ବୀର ପାର୍ଥ । ଯମୁନାତୀରେ ଉପଗତ ॥ ୫୮

ସଙ୍ଗେ ମିଳିଲେ ଭଗବାନ । ସନ୍ତୋଷେ କଲେ ଜଳପାନ ॥ ୫୯

ମୁଖ-ନୟନ ଜଳେ ଧୋଇ । ଆନନ୍ଦେ ଚଉଦିଗ ଚାହିଁ ॥ ୬୦

ଯମୁନାଜଳେ ବାଲିକୁଦେ । କନ୍ୟାଏ ବସି ତାର ମଧ୍ୟେ ॥ ୬୧

ତପ କରଇ ସୂର୍ଯ୍ୟେ ଚାହିଁ । ତା ରୁପ ପାରିବ କେ କହି ॥ ୬୨

ଅତି ସୁସଞ୍ଚ ଚାରୁବେଶ । ମୋହଇ ବନ ଗିରି ଦେଶ ॥ ୬୩

ଦେଖି ଚକିତ ଭଗବାନ । ଚାହିଁଲେ ଅର୍ଜୁନ ବଦନ ॥ ୬୪

ବୋଲନ୍ତି ଦେଖ ରୂପରାଶି । କାଳିନ୍ଦୀ ବାଲିକୁଦେ ବସି ॥ ୬୫

ତପ କରଇ କିସ ସଧେ । ନିର୍ଜନ ଘୋରବନ ମଧ୍ୟେ ॥ ୬୬

କୃଷ୍ଣବଚନେ ପଣ୍ତୁବଳା । କନ୍ୟା ସମୀପେ ବିଜେ କଲା ॥ ୬୭

ପୁଛଇ କନ୍ୟାମୁଖ ଚାହିଁ । ତୋ ରୂପ ଦେଖିଲା ତ ନାହିଁ ॥ ୬୮

କାହାର ଦୁହିତା ବୋଲାଉ । କିମ୍ପା ତୁ ଏତେ ଦୁଃଖ ସହୁ ॥ ୬୯

କାହୁଁ ଆସି ଏ ଘୋରବନେ । ତପ ଆଚରୁ ଶୁଦ୍ଧମନେ ॥ ୭୦

କେବଣ ଫଳେ ତବ ଇଚ୍ଛା । କି ଅବା ବରେ ତୋର ବାଞ୍ଛା ॥ ୭୧

କହ ନକରି ମନେ ଭ୍ରାନ୍ତି । କାହାକୁ ଇଚ୍ଛୁ ନିଜ ପତି ॥ ୭୨

ଅର୍ଜୁନ ବାଣୀ ଶୁଣି କର୍ଣ୍ଣେ । କାଳିନ୍ଦୀ କହେ ଶୁଦ୍ଧମନେ ॥ ୭୩

ଅନ୍ଧାରେ ଜ୍ୟୋତିରୂପ ଧରେ । ପ୍ରାଣୀନୟନ ଯେ ବିସ୍ତାରେ ॥ ୭୪

ରଥେ ଗମଇ ଅନ୍ତରୀକ୍ଷେ । ତାର ଦୁହିତା ମୁଁ ପ୍ରତ୍ୟକ୍ଷେ ॥ ୭୫

ସେ ତାତା ଆଜ୍ଞା ପରମାଣେ । ଦୁସ୍ତର ତପ ଆଚରଣେ ॥ ୭୬

ଅତି ନିଷ୍ଠୁର ଘୋର ଦୀକ୍ଷା । ତପ କରଇ କାନ୍ତ ଇଚ୍ଛା ॥ ୭୭

ହରିଙ୍କି ତପେ ତୋଷକରି । ହୋଇବି ତାର ପରିବାରୀ ॥ ୭୮

ଅନାଥନାଥ ଦାମୋଦର । ମୋହର ହୋଇବେ ସେ ବର ॥ ୭୯

କମଳାକାନ୍ତ ଭଗବାନ । ଦୁର୍ଗମ ଦୁରିତ ଦହନ ॥ ୮୦

ଅଶେଷ ଫଳ ସୁଖଦାତା । ତାରେ ବରିଲା ମୋର ପିତା ॥ ୮୧

କାଳିନ୍ଦୀ ନାମଟି ମୋହର । ପିତା ମୋହର ଦିନକର ॥ ୮୨

ଯାବତ ନ ପାଇବି ହରି । ପ୍ରାଣ ଛାଡ଼ିବି ତପକରି ॥ ୮୩

ମୋହର ସତ୍ୟ ଏ ବଚନ । ଶୁଣି ଅର୍ଜୁନ ତୋଷମନ ॥ ୮୪

ବେଗେ ମିଳିଲା କୃଷ୍ଣପାଶେ । କହିଲା ଆନନ୍ଦ-ବିଶ୍ୱାସେ ॥ ୮୫

ଭୋ ନାଥ ତୋର ପାଦ ଇଚ୍ଛା । କାଳିନ୍ଦୀ କରେ ମନେ ବାଞ୍ଛା ॥ ୮୬

ଅତି ନିଷ୍ଠୁର ତପ ତାର । ଶୁଣି ସାନନ୍ଦ ଦାମୋଦର ॥ ୮୭

ଯମୁନାତୀରେ ଯାଇ ମିଳି । ଭକତବନ୍ଧୁ ବନମାଳୀ ॥ ୮୮

ବୋଲନ୍ତି କନ୍ୟାମୁଖ ଚାହିଁ । ତପ ତୁ କରୁ ଯହିଁପାଇଁ ॥ ୮୯

ସେ କଥା ହୋଇଲା ସଫଳ । ଏମନ୍ତ ବୋଲି ଆଦିମୂଳ ॥ ୯୦

ରଥେ ବସାଇ ଭଗବାନ । ଆଣିଲେ ପାଣ୍ତବ ଭୁବନ ॥ ୯୧

ତକ୍ଷଣେ ବିଶ୍ୱକର୍ମା ରାଇ । ବିଶ୍ୱାସ ବାକ୍ୟ ତାକୁ କହି ॥ ୯୨

ଦେବମାନବେ ଅଗୋଚର । ଏମନ୍ତ ପୁର ବେଗେ କର ॥ ୯୩

ଗୋବିନ୍ଧ ଆଜ୍ଞା ପରମାଣେ । ନିର୍ମାଣ କଲା ତତକ୍ଷଣେ ॥ ୯୪

ସେପୁରେ କୃଷ୍ଣ କନ୍ୟା ଥୋଇ । ଧର୍ମଚନ୍ଦନ ପ୍ରିୟେ ରହି ॥ ୯୫

ଏମନ୍ତେ ଗଲା କେତେଦିନ । ଶୁଣ ପରୀକ୍ଷ ସାବଧାନ ॥ ୯୬

ଅଗ୍ନିପୁରୁଷ, କରଯୋଡ଼ି । କହିଲା କୃଷ୍ଣପାଦେ ପଡ଼ି ॥ ୯୭

ସତ୍ୟବ୍ରତର ଯଜ୍ଞେ ମୁହିଁ । ରୋଗୀ ହୋଇଲି ଘୃତ ଖାଇ ॥ ୯୮

ଭୋ ନାଥ ରଖ ମୋ ଜୀବନ । ଦେଇ ଔଷଧ ରସ ଦାନ ॥ ୯୯

ଶୁଣି ଭକତବନ୍ଧୁ ହରି । ଅର୍ଜୁନ କର କରେ ଧରି ॥ ୧୦୦

ଦାରୁକ କଲା ରଥ ସଜ । ବିଜୟ କଲେ ଦେବରାଜ ॥ ୧୦୧

ଅର୍ଜୁନ ସଙ୍ଗେ ବନମାଳୀ । ଖାଣ୍ତବବନେ ବେଗେ ମିଳି ॥ ୧୦୨

ତକ୍ଷଣେ ରୁନ୍ଧି ଦଶଦିଗ । କାନନେ କଲେ ଅଗ୍ନିଯୋଗ ॥ ୧୦୩

ସର୍ବଔଷଧି ବନମଧ୍ୟେ । ଅନଳ ଭକ୍ଷିଲା ଆନନ୍ଦେ ॥ ୧୦୪

ତକ୍ଷଣେ ବ୍ୟାଧି ଗଲା ନାଶ । ଅନଳ ହୋଇଲା ସନ୍ତୋଷ ॥ ୧୦୫

ଅଗ୍ନି ଶରୀରୁ ବ୍ୟାଧି ଗଲା । ଧନୁଏ ଅର୍ଜୁନକୁ ଦେଲା ॥ ୧୦୬

ଶ୍ୱେତକୁଞ୍ଜର ଶ୍ୱେତରଥ । ଅଭେଦ କବଚ ସହିତ ॥ ୧୦୭

ଅକ୍ଷୟେତ୍ରୋଣ ବେନି ଦେଲା । ନାନାଦି ମନ୍ତ୍ର ସେ କହିଲା ॥ ୧୦୮

ମୟଦାନବ ବନେ ଥିଲା । ଅର୍ଜୁନ ତାହାକୁ ଦେଖିଲା ॥ ୧୦୯

ଅଗ୍ନିଦହନ କାଳେ ବନେ । ଥିଲା ସେ ଅର୍ଜୁନ ଶରଣେ ॥ ୧୧୦

ଜୀବନ ପାଇ ତୋଷ ହୋଇ । ମାୟା ସଭାଏ ସେ ଭିଆଇ ॥ ୧୧୧

ସନ୍ତୋଷେ ଅର୍ଜୁନକୁ ଦେଲା । ଶୁଣ ରାଜନ କୃଷ୍ଣଲୀଳା ॥ ୧୧୨

ଯହିଁ ରାଜୁସି ଯଜ୍ଞକାଳେ । ଅନ୍ଧନନ୍ଦନ ରାଜାମେଳେ ॥ ୧୧୩

ବସିବା କାଳେ ହୀନିମାନ । ହୋଇଲା ଜଳେ ସ୍ଥଳ ଭ୍ରମ ॥ ୧୧୪

ସେ ସଭା ଘେନି ବନମାଳୀ । ଇନ୍ଦ୍ରପ୍ରସ୍ଥରେ ଯାଇ ମିଳି ॥ ୧୧୫

ଧର୍ମନନ୍ଦନ ମୁଖ ଚାହିଁ । କହନ୍ତି ପ୍ରିୟଭାବ ବହି ॥ ୧୧୬

ମେଲାଣି ଦିଅ ଯିବୁ ଘର । ତୁମ୍ଭେ ତ ଜୀବନ ମୋହର ॥ ୧୧୭

ଏମନ୍ତେ ପ୍ରଭୁ ଭଗବାନ । ସଙ୍ଗେ ଘେନାଇ ନିଜ ଜନ ॥ ୧୧୮

ଦ୍ୱାରକାପୁରେ ଗଲେ ହରି । ଏବେ ହୋ ଶୁଣ ଦଣ୍ତଧାରୀ ॥ ୧୧୯

ଉତ୍ତରାୟଣ ଶୁଦ୍ଧକାଳେ । ଶୁଭନକ୍ଷତ୍ର ଶୁଭବେଳେ ॥ ୧୨୦

ଅମରଗୁରୁ ଲଗ୍ନ ତୁଲେ । କାଳିନ୍ଦୀକନ୍ୟା ବିଭା ହେଲେ ॥ ୧୨୧

ଉତ୍ସବ-ବରକନ୍ୟା ଦେଖି । ଯାଦବେ ଧନ୍ୟ କଲେ ଆଖି ॥ ୧୨୨

କାଳିନ୍ଦୀ ବିଭାର ବିଧାନ । ଯେ କରେ ଶ୍ରବଣ ପଠନ ॥ ୧୨୩

ଦୁରିତ ଦୁଃଖ ଭୟ ନାଶେ । ଅନ୍ତେ ମିଳଇ କୃଷ୍ଣପାଶେ ॥ ୧୨୪

ସେ ହରି ପାଦେ ମନ ଦେଇ । ସୁଜନେ ତର ଏହା ଗାଇ ॥ ୧୨୫

କହଇ ବିପ୍ର ଜଗନ୍ନାଥ । କୃଷ୍ଣଚରିତ ଭାଗବତ ॥ ୧୨୬

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ

ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ଖାଣ୍ତବବନ ଦହନେ କାଳିନ୍ଦୀ ବିବାହେ

ନାମ ଦ୍ୱିଷଷ୍ଟିତମ ଅଧ୍ୟାୟଃ ॥

* * *