ଦଶମ ସ୍କନ୍ଧ
ଏକଷଷ୍ଟିତମ ଅଧ୍ୟାୟ
ଆନନ୍ଦେ କୃଷ୍ଣଭାବ ଘେନି । କହନ୍ତି ଶୁକ ମହାମୁନି ॥ ୧
ଶୁକ ଉବାଚ
ଶୁଣ ପରୀକ୍ଷ ନରନାଥ । ଦ୍ୱାରକାପୁରେ ଉପଗତ ॥ ୨
କୁରୁନଗରୁ ଦୂତ ବେଗେ । କହିଲା ରାମକୃଷ୍ଣ ଆଗେ ॥ ୩
ଜାଣନ୍ତି ପ୍ରଭୁ ଦେବରାୟେ । ଭଲେ ଅଛନ୍ତି ପଣ୍ତୁପୋଏ ॥ ୪
ଜତୁର ଘରେ ପଞ୍ଚଭ୍ରାତ । ଜନନୀ ତୁଲେ ହେଲେ ହତ ॥ ୫
ଶୁଣି ବିକଳ ବସୁଦେବ । ଭୁବନେ ଯେତେକ ଯାଦବ ॥ ୬
ବିଷାଦେ କରନ୍ତି ରୋଦନ । ରାମଗୋବିନ୍ଦ ଦୁଃଖମନ ॥ ୭
ଶୋକ ନିବାରି ବେନିଭାଇ । ରଥେ ବସିଲେ ସଜ ହୋଇ ॥ ୮
କୁଳ ବେଭାରେ ରାମହରି । କୁରୁନଗରେ ବିଜେ କରି ॥ ୯
ଭୀଷ୍ମ ବିଦୁର କୃପମେଳେ । ଗାନ୍ଧାରୀ ଦ୍ରୋଣ ଶଲ୍ୟ ତୁଲେ ॥ ୧୦
ଲୋକ ବେଭାରେ ବେନିଭାଇ । କହନ୍ତି ମନେ ଦୁଃଖ ବହି ॥ ୧୧
ପ୍ରେତ ଉଚିତ କ୍ରିୟାକରି । ମାୟାଭିଆଣ ନରହରି ॥ ୧୨
ବନ୍ଧୁଙ୍କ ମୁଖ ଚାହିଁ ଭଣି । ପଦ୍ମଲୋଚନ ହଳପାଣି ॥ ୧୩
ଦେଖ ଏ ସଂସାର ବେଭାର । ଭ୍ରମନ୍ତି ଦେବାସୁରନର ॥ ୧୪
ଭବସାଗରେ ଏହି ମତେ । ସକଳେ ଯିବା ଶୂନ୍ୟପଥେ ॥ ୧୫
ଏମନ୍ତେ ବହୁ ଦୁଃଖ ବହି । ବାନ୍ଧବ ମଧ୍ୟେ ବେନିଭାଇ ॥ ୧୬
କହିଲେ ସଂସାର-ବେଭାର । ଏବେ ହୋ ଶୁଣ ନୃପବର ॥ ୧୭
ଦ୍ୱାରକାପୁରେ ତିନିଜଣ । ବିଚାର କଲେ ଏକମନ ॥ ୧୮
ଗଗନେ ଅସ୍ତ ହେଲେ ଭାନୁ । ଅକ୍ରୁର ତୁଲେ ଶତଧନୁ ॥ ୧୯
କୃତବର୍ମାଙ୍କୁ ରାଇ ଧୀରେ । ବିଚାର କଲେ ଏକସ୍ୱରେ ॥ ୨୦
ଦେଖ ଏ ପାପୀ ଶତ୍ରାଜିତ । ଅନ୍ୟାୟେ କଲା ବିପରୀତ ॥ ୨୧
ସତ୍ୟଭାମାଙ୍କୁ ଦେବାପାଇଁ । ବରିଲା ସତ୍ୟବାକ୍ୟ ଦେଇ ॥ ୨୨
ଏବେ ଆମ୍ଭଙ୍କୁ ନିନ୍ଦା କଲା । କନ୍ୟା ଗୋବିନ୍ଦେ ସମର୍ପିଲା ॥ ୨୩
ଦୁଷ୍ଟ ଦୁର୍ଜନ ମନ୍ଦଭାଗ୍ୟ । ପ୍ରସେନ ପଥକୁ ଏ ଯୋଗ୍ୟ ॥ ୨୪
ଅମୂଲ୍ୟ ମଣି ଏହା ତହିଁ । କେମନ୍ତେ ଆମ୍ଭ କରେ ହୋଇ ॥ ୨୫
ଅକ୍ରୁର ବୋଲେ ତାହା ଶୁଣି । ଜୀବନ୍ତେ ନ ଦେବ ସେ ମଣି ॥ ୨୬
ଏମନ୍ତ ବୋଲଇ ବିଚାରିଲେ । ନିଜ ମନ୍ଦିରେ ରାତ୍ରେ ଗଲେ ॥ ୨୭
ଆପଣା ଘରେ ଶତଧନୁ । କୋପେ କମ୍ପଇ ତାର ତନୁ ॥ ୨୮
ବସ୍ତ୍ର ପିନ୍ଧିଲା ଭିଡ଼ି ଗାଢେ । କରେ ଘେନିଲା ଯମଦାଢେ ॥ ୨୯
ରାତ୍ରେ ମିଳିଲା ତାର ପୁରେ । ଶତ୍ରାଜିତର ଶଯ୍ୟାଠାରେ ॥ ୩୦
ଦଇବେ କ୍ଷୀଣ ତା ଜୀବନ । ଯାହା ସଂଚିଲେ ଭଗବାନ ॥ ୩୧
ନିକଟେ ଥିଲେ ଯେ କାମିନୀ । ସଭୟେ କଲେ ଗୋଳଧ୍ୱନି ॥ ୩୨
ଅନାଥ ପ୍ରାୟ ଶୋକକରି । ତାହାର କରଛନ୍ତି ଧରି ॥ ୩୩
ସ୍ତିରୀଙ୍କ କରି ଅବହେଳା । ଛେଦିଲା ଶତ୍ରାଜିତ ଗଳା ॥ ୩୪
ପଶୁଙ୍କ ପ୍ରାୟ ବଧ କରି । ଅମୂଲ୍ୟ ମଣି କରେ ଧରି ॥ ୩୫
ନିଜ ଭୁବନେ ବିଜେ କଲା । ଏମନ୍ତେ ରଜନୀ ପାଇଲା ॥ ୩୬
ଶୁଣ ରାଜନ ଶୁଦ୍ଧକର୍ମା । ପିତାମରଣେ ସତ୍ୟଭାମା ॥ ୩୭
ବିଳାପ କରେ ଶୋକେ ପଡ଼ି । ଭୁଜ ଯୁଗଳ ଶିରେ ତାଡ଼ି ॥ ୩୮
ହା ହା ପିଅର ବୋଲି ମୋହେ । ଜୀବନ ନ ରହଇ ଦେହେ ॥ ୩୯
ପୁଣି ତଦନ୍ତେ ଚେତା ପାଇ । ସେହୁ ଶରଦଚନ୍ଦ୍ରମୁହୀଁ ॥ ୪୦
ମୃତଶରୀରରେ ଗନ୍ଧଲେପି । ତଇଳେଦ୍ରୋଣୀ ମଧ୍ୟେ କ୍ଷେପି ॥ ୪୧
ପିତା ବିଯୋଗେ ଶୋକତ୍ରାସେ । ରଥେ ଗମିଲା କୁରୁଦେଶେ ॥ ୪୨
ପିତା ବିଯୋଗ ଦୁଃଖ ବହି । ଚଳନ୍ତେ ଦିଗ ନ ଦିଶଇ ॥ ୪୩
କୃଷ୍ଣ ଜାଣନ୍ତି ତାହା ଭଲେ । ହସ୍ତିନାପୁରେ ରାମ ତୁଲେ ॥ ୪୪
ଏମନ୍ତେ ସତ୍ୟଭାମା ଯାଇ । କହନ୍ତି କୃଷ୍ଣ ମୁଖ ଚାହିଁ ॥ ୪୫
ଭୋ ନାଥ ଶତଧନୁ ଚୋର । ବଧିଲା ପିଅର ମୋହର ॥ ୪୬
ଘରେ ପଶିଲା ଶସ୍ତ୍ର ଧରି । ପଶୁର ପ୍ରାୟ ବଧ କରି ॥ ୪୭
ଅମୂଲ୍ୟମଣି ଘେନି କରେ । ପଳାଇଗଲା ଅନ୍ଧକାରେ ॥ ୪୮
ଅନାଥ ମୋହର ଜୀବନ । ବୋଲି ସେ କରଇ ରୋଦନ ॥ ୪୯
ଶୁଣି ଚକିତ ଦାମୋଦର । ବେନିଲୋଚନୁ ବହେ ନୀର ॥ ୫୦
ସତ୍ୟଭାମାର ମୁଖ ଚାହିଁ । ରୋଦନ କଲେ ବେନିଭାଇ ॥ ୫୧
କପଟେ କୁରୁବଳ ମଧ୍ୟେ । ଗୋବିନ୍ଦ କହିଲେ ବିଷାଦେ ॥ ୫୨
ସତ୍ୟଭାମାଙ୍କୁ ଆଗକରି । ରଥେ ବସିଲେ ରାମହରି ॥ ୫୩
ଦାରୁକ ଦାହ ଧାତିକାରେ । କୃଷ୍ଣ ବୋଲନ୍ତି କୋପଭରେ ॥ ୫୪
ଶତଧନୁର ଶିରହାଣି । ଆଜ ଆଣିବି ରତ୍ନମଣି ॥ ୫୫
ଏମନ୍ତେ ଶୁଣ ହେ ରାଜନ । ରାମ ଗୋବିନ୍ଦ ଆଗମନ ॥ ୫୬
ସଭୟେ ଶତଧନୁ ଶୁଣି । କରେ ଘେନିଲା ରତ୍ନମଣି ॥ ୫୭
କୃତବର୍ମାର ପୁରେ ପଶି । ବିଶ୍ୱାସେ କହେ ପାଶେ ବସି ॥ ୫୮
ଶତ୍ରାଜିତ୍ର ଶିର ହାଣି । ମୁଁ ଯେ ଆଣିଲି ରତ୍ନମଣି ॥ ୫୯
ତୋର ବଚନେ ମତିଭ୍ରମ । ନ ଜାଣି କଲି ଏଡେ଼ କର୍ମ ॥ ୬୦
ମୋତେ ମାରିବେ ଚକ୍ରଧର । ତୁ ଏବେ ପକ୍ଷ ହୁଅ ମୋର ॥ ୬୧
ଏମନ୍ତ କୃତବର୍ମା ଶୁଣି । ଭୟେ ବୋଲଇ ସାଧୁବାଣୀ ॥ ୬୨
ରାମକୃଷ୍ଣରେ ଦ୍ରୋହ କରି । କେ ଅବା ଥିବ ଦେହଧରି ॥ ୬୩
ଯାହାର କୋପେ କଂସ ମଲା । ସର୍ବସମ୍ପଦ ନାଶଗଲା ॥ ୬୪
ସପତଦଶବାର ଦ୍ୱନ୍ଦ । ଯୁଦ୍ଧେ ହାରିଲା ଜରାସନ୍ଧ ॥ ୬୫
ତାର ବଇରୀ ହୋଇ ବଳେ । କେ ଅବା ଥିବ ରବି ତଳେ ॥ ୬୬
ଏମନ୍ତ ଶୁଣି ତା ବଚନ । ମିଳିଲା ଅକ୍ରୁର ଭୁବନ ॥ ୬୭
ପଡ଼ି ତାହାର ପାଦତଳେ । ବୋଲଇ ଜୀବନ ବିକଳେ ॥ ୬୮
ମୋତେ କୋପିଲେ ଚକ୍ରଧର । ମୁଁ ଏବେ ଶରଣ ତୋହର ॥ ୬୯
ତୁ ଏବେ ମୋତେ ହୁଅ ସାହା । ତୋହର ବୋଲେ କଲି ଏହା ॥ ୭୦
ଶୁଣିଣ ବୋଲଇ ଅକ୍ରୁର । ନ ଜାଣୁ ଗତି ଗୋବିନ୍ଦର ॥ ୭୧
ଯେ ରାମକୃଷ୍ଣରେ ବଇରୀ । ତାହାକୁ କେବା ରଖିପାରି ॥ ୭୨
ଯେ ବିଶ୍ୱମାୟା ଲୀଳା କରି । ସର୍ଜଇ ପାଳଇ ସଂହରି ॥ ୭୩
ତାର ମହିମା କେବା କହି । ମାୟା ସଂସାରେ ଦେହ ବହି ॥ ୭୪
ଜାଣୁନୁ ବାଳକ ବୟସେ । କି କି ନ କଲେ ନନ୍ଦଦେଶେ ॥ ୭୫
ଇନ୍ଦ୍ରର ତୁଲେ ବାଦ କଲା । ହସ୍ତକେ ପର୍ବତ ଧଇଲା ॥ ୭୬
ବାଳକ କରେ ଛତ୍ର ଯେହ୍ନେ । ଦେଖି ଚକିତ ସର୍ବଜନେ ॥ ୭୭
ଯେ କୃଷ୍ଣ ଜଗତ କାରଣ । ଅଦ୍ଭୁତ ଯାର କର୍ମଗୁଣ ॥ ୭୮
ଅନନ୍ତ ଆଦିକୂଟ ହରି । ଯେ ଆତ୍ମା ରୂପେ ବିଶ୍ୱ ଧରି ॥ ୭୯
ତାହାଙ୍କୁ ମୋର ନମସ୍କାର । ଏମନ୍ତ କହିଲା ଅକ୍ରୁର ॥ ୮୦
ତା ଶୁଣି ଶତଧନୁ ଭୟେ । ବୋଲଇ ପଡ଼ି ତାର ପାୟେ ॥ ୮୧
ଏ ମଣି ଥାଉ ତୋର ତହିଁ । ମୋର ଜୀବନ ଆର କାହିଁ ॥ ୮୨
ନିଶ୍ଚେ ମାରିବେ ଚକ୍ରଧର । ଅର୍ଜିଲା କର୍ମ ଏ ମୋହର ॥ ୮୩
ମଣି ଅକ୍ରୁର କରେ ଦେଇ । ମିଳିଲା ଅଶ୍ୱଶାଳେ ଯାଇ ॥ ୮୪
ଯେ ଅଶ୍ୱ ଗମେ ପାଦବଳେ । ଶତେଯୋଜନ ଅବହେଳେ ॥ ୮୫
ଅଶ୍ୱ ଉପରେ ସେ ବସିଲା । ଉତ୍ତର ଦିଗେ ପଳାଇଲା ॥ ୮୬
ଏମନ୍ତେ ଶୁଣି ନୃପମଣି । ରାମଗୋବିନ୍ଦ ତାହା ଜାଣି ॥ ୮୭
ଦାରୁକ ବେଗେ ରଥବାହି । ପଛେ ଧାଇଁଲେ ବେନିଭାଇ ॥ ୮୮
ସେ ଶତଧନୁ ଗୁରୁଦ୍ରୋହୀ । ଧର୍ମ ଅଧର୍ମ ନ ଜାଣଇ ॥ ୮୯
ଅଶ୍ୱେ ପଳାନ୍ତେ ମହାବଳୀ । ମିଥିଳା ଉପବନେ ମିଳି ॥ ୯୦
ଅଶ୍ୱ ପଡ଼ିଲା ମୁହଁ ମାଡ଼ି । ତକ୍ଷଣେ ପ୍ରାଣ ଗଲା ଛାଡ଼ି ॥ ୯୧
ଅଶ୍ୱ ଉପେକ୍ଷି ମହାବୀର । ପାଦେ ଗମିଲା ଅତି ଖର ॥ ୯୨
ଗୋବିନ୍ଦ ଦେଖି ତା ଗମନ । ରଥୁଁ ଓହ୍ଲାଇଲେ ବହନ ॥ ୯୩
କୋପେ ନୟନେ ନରହରି । ଧାଇଁଲେ କରେ ଚକ୍ର ଧରି ॥ ୯୪
ଦେଖି ସେ ଗୋବିନ୍ଦର ମନ୍ୟୁ । ଭୟେ ପଳାଏ ଶତଧନୁ ॥ ୯୫
ଭୟେ ପଳାନ୍ତେ କମ୍ପେ କାୟେ । ଚକ୍ର ପେଶିଲେ ଦେବରାୟେ ॥ ୯୬
କୃଷ୍ଣର ଚକ୍ର ତୀକ୍ଷ୍ଣ ଧାର । କାଟିଲା ଶତଧନୁ ଶିର ॥ ୯୭
ଛିଡ଼ି ପଡ଼ିଲା କଣ୍ଠୁ ତଳେ । ଗୋବିନ୍ଦ ନିକଟେ ମିଳିଲେ ॥ ୯୮
ତାହାର ବସ୍ତ୍ରେ ମଣି ଖୋଜି । ନ ପାଇଁ କୃଷ୍ଣ ମନେ ହେଜି ॥ ୯୯
ମଣି କାହାର କରେ ଦେଇ । ଭୟରେ ଅଇଲା ପଳାଇ ॥ ୧୦୦
ଏମନ୍ତ ବୋଲି ବାହୁଡ଼ିଲେ । ରାମର ନିକଟେ ମିଳିଲେ ॥ ୧୦୧
ବୋଲନ୍ତି ପ୍ରଭୁ ଜଗନ୍ନାଥ । ଭୋ ଦେବ ଶୁଣି ବିପରୀତ ॥ ୧୦୨
ମିଛେ ମାଇଲି ଶତଧନୁ । ଯେଣୁ ସେ ମୋତେ କଲା ମନ୍ୟୁ ॥ ୧୦୩
ମଣି ଏହାର ତହିଁ ନାହିଁ । କହିଲେ ରାମ ମୁଖ ଚାହିଁ ॥ ୧୦୪
ଶୁଣି ବୋଲନ୍ତି ହଳଧର । କୋମଳ ବଚନ ଗମ୍ଭୀର ॥ ୧୦୫
ଏ ମଣି ଅଛି ତୋ ଭୁବନେ । ସନ୍ଦେହ ନ କର ତୁ ମନେ ॥ ୧୦୬
କାହାର ହସ୍ତେ ଅବା ଦେଇ । ଭୟେ ଏ ଅଇଲା ପଳାଇ ॥ ୧୦୭
ମଣି ଉଦ୍ଦେଶ୍ୟେ ଯାଅ ଘର । ମୁଁ ଯିବି ଜନକ ନଗର ॥ ୧୦୮
ପ୍ରିୟ ସୁହୃଦ ସେ ମୋହର । ଦେଖିବି ତାହାର ବେଭାର ॥ ୧୦୯
ଏମନ୍ତ କହି ହଳଧାରୀ । ଜନକପୁରେ ବିଜେକରି ॥ ୧୧୦
ରାମ ଆଗମ ଦେଖି ରାଜା । ସଂଭ୍ରମେ କଲା ପାଦପୂଜା ॥ ୧୧୧
ଜନକ ପୂଜନ୍ତେ ଚରଣ । ସନ୍ତୋଷେ ରେବତୀରମଣ ॥ ୧୧୨
କେତେହେଁ ଦିନ ତହିଁ ରହି । ଜନକ ପ୍ରିୟ ଭାବ ବହି ॥ ୧୧୩
ହସ୍ତିନାପୁରେ ଦୁର୍ଯ୍ୟୋଧନ । ଶୁଣିଲା ରାମ ଆଗମନ ॥ ୧୧୪
ମନଆନନ୍ଦେ ଅନ୍ଧସୁତ । ମିଥିଳାପୁରେ ଉପଗତ ॥ ୧୧୫
ମିଳିଲା ହଳଧର ପାଶେ । ଅନେକ ଭକତି ବିଶ୍ୱାସେ ॥ ୧୧୬
ଗଦାସମର ଘୋର ଦୀକ୍ଷା । ରାମର ତହୁଁ କଲା ଶିକ୍ଷା ॥ ୧୧୭
ଗୋବିନ୍ଦ ବସି ନନ୍ଦିଘୋଷେ । ଆସି ମିଳିଲେ ନିଜ ଦେଶେ ॥ ୧୧୮
ଶତଧନୁର ଶିର ହାଣି । ତା ତହୁଁ ନ ପାଇଲେ ମଣି ॥ ୧୧୯
ସକଳ ପ୍ରିୟା ଆଗେ କହି । ମାୟା ଭିଆଣ ଭାବଗ୍ରାହୀ ॥ ୧୨୦
ବନ୍ଧୁବାନ୍ଧବ ସଙ୍ଗେ ମିଳି । ବାନ୍ଧବ ପ୍ରିୟ ବନମାଳୀ ॥ ୧୨୧
ମଲା ଯେ ଶତଧନୁ ବୀର । ପ୍ରେତ ଉଚିତ କ୍ରିୟା ତାର ॥ ୧୨୨
ଶ୍ରୀକୃଷ୍ଣ କରାଇଲେ ଭାବେ । ଶୁଣ ପରୀକ୍ଷନୃପ ଏବେ ॥ ୧୨୩
ଶତଧନୁର ବଧ ଶୁଣି । ଅକ୍ରୁର ମନେମନେ ଗୁଣି ॥ ୧୨୪
କୃତବର୍ମାର ତୁଲେ ଭାଳି । ନିଶ୍ଚେ ମାରିବେ ବନମାଳୀ ॥ ୧୨୫
ଏମନ୍ତ ଭାଳି ମନଛନ୍ନେ । ପଳାଇଗଲେ ବେନିଜନେ ॥ ୧୨୬
ଅକ୍ରୁର ଯେତେବେଳେ ଗଲା । ଶୁଣ ରାଜନ କୃଷ୍ଣଲୀଳା ॥ ୧୨୭
ଦ୍ୱାରକାପୁରେ ରିଷ୍ଟଜାତ । ଦେଖି ଚକିତ ଯଦୁନାଥ ॥ ୧୨୮
ଉତ୍ପାତ ଦେଖିଲେ ପ୍ରତ୍ୟକ୍ଷେ । ଭୂମି-ଗଗନ-ଅନ୍ତରୀକ୍ଷେ ॥ ୧୨୯
ପ୍ରାଣୀଙ୍କ ଦେହେ ବ୍ୟାଧି ଜାତ । ମନ ଉଚ୍ଚାଟ ଉଲ୍କାପାତ ॥ ୧୩୦
ରୁଧିର ବୃଷ୍ଟି ଦଶଦିଶେ । ଭୂମି କମ୍ପଇ ମହାତ୍ରାସେ ॥ ୧୩୧
ଦ୍ୱାରକାପୁରଜନେ ଚାହିଁ । ଭାଳନ୍ତି ଏକରୁଣ୍ତ ହୋଇ ॥ ୧୩୨
ଘୋର ଆପଦ ଆଗମନେ । ଭାଳି ବୋଲନ୍ତି ବୃଦ୍ଧଜନେ ॥ ୧୩୩
ଅକ୍ରୁର ପଳାଇଲା ଡରେ । ତେଣୁ ଆପଦ ଯଦୁପୁରେ ॥ ୧୩୪
ଅକ୍ରୁର ବିନୁ ଏହି ରିଷ୍ଟି । ରୁଧିର ସଙ୍ଗେ ଶିଳା ବୃଷ୍ଟି ॥ ୧୩୫
ଅନେକ ଅକ୍ରୁରର ଗୁଣ । ତୁମ୍ଭେ ହୋ ସାବଧାନେ ଶୁଣ ॥ ୧୩୬
ପୂର୍ବେ ଯେ ଥିଲା କାଶୀରାଜା । ସୁଖେ ପାଳଇ ଜନପ୍ରଜା ॥ ୧୩୭
ଏମନ୍ତେ ଇନ୍ଦ୍ର ତା ଭୁବନେ । ବୃଷ୍ଟି ନ କଲା କୋପମନେ ॥ ୧୩୮
ଅନ୍ନ ନ ପାଇ କ୍ଷୁଧାଭୟେ । ଅନେକ ଜନ୍ତୁ ଗଲେ କ୍ଷୟେ ॥ ୧୩୯
ସଙ୍ଗତେ ଘେନି ଜନପ୍ରଜା । ଭୟେ ଭାଳଇ କାଶୀରାଜା ॥ ୧୪୦
ବିଚାର କଲେ ଏକଭାବ । ଶ୍ୱଫଲ୍ଲ ନାମେଣ ଯାଦବ ॥ ୧୪୧
ପୂର୍ବେ ଅନେକ ତପ କଲା । ଇନ୍ଦ୍ର ତାହାକୁ ବର ଦେଲା ॥ ୧୪୨
ସେ ଯହିଁ ଥାଇ ପୁଣ ରହି । ସେ ଦେଶେ ଇନ୍ଦ୍ର ବରଷଇ ॥ ୧୪୩
ଏମନ୍ତ ବିଚାରିଲେ ବସି । ସ୍ୱଫଲ୍ଲ ଆଣିଲେ ଆଶ୍ୱାସି ॥ ୧୪୪
କନ୍ୟାଏ ଥିଲା ତାର ଘର । ଅତି ସୁନ୍ଦର ରୂପସାର ॥ ୧୪୫
ଶୁଣ କନ୍ୟାର ଜନ୍ମବାଣୀ । ଆମ୍ଭେ ଯେ ପୂର୍ବେ ଅଛୁ ଶୁଣି ॥ ୧୪୬
ଜନନୀ ଗର୍ଭେ ଚିରବାସ । ରହିଲା ଦ୍ୱାଦଶ ବରଷ ॥ ୧୪୭
ଜାତ ନୋହିଲା ଯେତେବେଳେ । ନୃପତି ଭାଳଇ ବିକଳେ ॥ ୧୪୮
ଦିନେକ ପତ୍ନୀ ଗର୍ଭ ଚାହିଁ । କହେ ବିକଳ ଭାବ ବହି ॥ ୧୪୯
ହେ ଗର୍ଭ ଶୁଣ ମୋ ଉତ୍ତର । ହେଳେ ନାଶିଲୁ ଘର ମୋର ॥ ୧୫୦
କହ ତୁ କେବଣ କାରଣ । ଏ ବଡ଼ ମରଣ କଷଣ ॥ ୧୫୧
ଏମନ୍ତ ରାଜା ବାକ୍ୟ ଶୁଣି । ଗର୍ଭ କହିଲା ମୁକ୍ତିବାଣୀ ॥ ୧୫୨
ଭୋ ତାତ ଶୁଣ ମୋ ଉତ୍ତର । ଯେମନ୍ତ ବ୍ୟବସ୍ଥା ଗର୍ଭର ॥ ୧୫୩
ଉତ୍ତମଧେନୁ ପ୍ରତିଦିନେ । ଦାନ ତୁ ଦିଅ ବିପ୍ରଜନେ ॥ ୧୫୪
ସଂପୂର୍ଣ୍ଣ ଦ୍ୱାଦଶବରଷେ । ଜନମ ହୋଇବି ବିଶ୍ୱାସେ ॥ ୧୫୫
ତକ୍ଷଣେ ଗର୍ଭର ବଚନେ । ନୃପତି ଶୁଣି ତୋଷମନେ ॥ ୧୫୬
ନିରତେ କଲା ସେହି ମତ । ଧେନୁ ସେ ଦେଲା ଅପ୍ରମିତ ॥ ୧୫୭
ଏମନ୍ତେ କନ୍ୟା ଜାତ ହୋଇ । କାଶୀନଗରେ ଥିଲା ରହି ॥ ୧୫୮
ସେ କନ୍ୟା ଶ୍ୱଫଳ୍କରେ ବରି । ବିବାହ ଦେଲା ଦଣ୍ତଧାରୀ ॥ ୧୫୯
ତାହାର ଦେଶେ ଶସ୍ୟନାଶ । ନିର୍ଜଳ ଦ୍ୱାଦଶ ବରଷ ॥ ୧୬୦
ତକ୍ଷଣେ ମିଳି ମେଘମାଳ । ଆନନ୍ଦେ ବରଷିଲେ ଜଳ ॥ ୧୬୧
ତାର କୁମର ଦାନପତି । ଏମନ୍ତ ଅକ୍ରୁରର ଗତି ॥ ୧୬୨
ସେ ମହାଭାଗ ଯହିଁ ଥାଇ । ରିଷ୍ଟ ଅରିଷ୍ଟ ଭୟ ନାହିଁ ॥ ୧୬୩
ଏମନ୍ତ ବୃଦ୍ଧ ବାକ୍ୟ ଶୁଣି । ଆନନ୍ଦେ ପ୍ରଭୁ ଚକ୍ରପାଣି ॥ ୧୬୪
କାଶୀନଗରେ ଦୂତ ପେଶି । ଆଣିଲେ ଅକ୍ରୁରେ ଆଶ୍ୱାସି ॥ ୧୬୫
କାଶୀନଗରେ ସେ ଅକ୍ରୁର । କଲା ଅନେକ ଯଜ୍ଞ ସାର ॥ ୧୬୬
ପୂର୍ବେ ତା ପିତୃ ପିତାମହୀ । କାଶୀନଗରେ ବଡ଼ ସ୍ନେହୀ ॥ ୧୬୭
ଅନେକ ଯଜ୍ଞର ବିଧାନ । ପୁରୁଷଅର୍ଥ ଧର୍ମମାନ ॥ ୧୬୮
ସେ ପୁରେ ଧର୍ମବିଧି ମତେ । ଯଜ୍ଞ ସେ କଲା ନାନାମତେ ॥ ୧୬୯
ଦଇବେ ମଣି ରତ୍ନସାର । ଦିଅଇ ସ୍ୱର୍ଣ୍ଣ ଅଷ୍ଟଭାର ॥ ୧୭୦
ସେ ଦ୍ରବ୍ୟ ରଖିଣ ନିଃଶଙ୍କେ । ଅନେକ ଯଜ୍ଞ କଲା ସୁଖେ ॥ ୧୭୧
ତାହା ଜାଣିଲେ ଭଗବାନ । ଅକ୍ରୁର ଅଣାଇ ବହନ ॥ ୧୭୨
ପାଶେ ବସାଇ ଦାମୋଦର । ବିଶ୍ୱାସେ କହନ୍ତି ମଧୁର ॥ ୧୭୩
ସେ କୃଷ୍ଣ ଜଗତ ଜୀବନ । ଜାଣନ୍ତି ପ୍ରାଣୀଙ୍କର ମନ ॥ ୧୭୪
ଆଶ୍ୱାସି ବସାଇ ଅକ୍ରୁର । ବୋଲନ୍ତି ବ୍ରହ୍ମାଣ୍ତଠାକୁର ॥ ୧୭୫
ଶୁଣ ଅକ୍ରୁର ମୋର ବାଣୀ । ତୋ ତହିଁ ସ୍ୟମନ୍ତକମଣି ॥ ୧୭୬
ଥୋଇଣ ଶତଧନୁ ଗଲା । ଦଇବେ ପ୍ରାଣ ସେ ହାରିଲା ॥ ୧୭୭
ସେ ମଣିସଂକଟୁ ଉଦ୍ଦରି । ବିଭା ହୋଇଲି ବେନି ନାରୀ ॥ ୧୭୮
ଉଚିତେ ସେ ମଣି ମୋହର । ଶ୍ୱଶୁର ଦେଲା ଉପହାର ॥ ୧୭୯
ସତ୍ରାଜିତର ପୁତ୍ରୀ ନାହିଁ । ଦୁହିତା ସତ୍ୟଭାମା ହୋଇ ॥ ୧୮୦
ମରଣେ ପ୍ରେତକ୍ରିୟା ସାରି । ଦୁର୍ଗମ-ନରକୁ ଉଦ୍ଧାରି ॥ ୧୮୧
ତାହାର ପୁତ୍ରୀ ମଣି ନେବ । ଏମନ୍ତ ଶାସ୍ତ୍ରର ପ୍ରସ୍ତାବ ॥ ୧୮୨
ସତ୍ରାଜିତର ତପ ଫଳେ । ରବି ତାହାଙ୍କୁ ମଣି ଦେଲେ ॥ ୧୮୩
ନିର୍ମଳଲୋକେ ତାହା ଧରି । ଆନ କେ ପାରିବ ଆବୋରି ॥ ୧୮୪
ସୁକୃତ-ତନୁ ପୁଣ୍ୟବନ୍ତ । ତୁ ସେ ଧାରଣେ ସାମରଥ ॥ ୧୮୫
ରାମ ମୋହର ଜ୍ୟେଷ୍ଠଭାଇ । ତାହାଙ୍କ ଚିତ୍ତଶୁଦ୍ଧି ନାହିଁ ॥ ୧୮୬
ବନ୍ଧୁବାନ୍ଧବ ଯେତେ ମୋର । ଚିତ୍ତେ ସଂଶୟ ତାହାଙ୍କର ॥ ୧୮୭
ଏ ସଭା ମଧ୍ୟେ ମଣି ତୁହି । ଦେଖାଅ ମୋର ଭାବ ବହି ॥ ୧୮୮
ତାହାଙ୍କ ମନୁ ଯିବ ଭ୍ରାନ୍ତି । ଏଥେ ମୋହର ମନ ଶାନ୍ତି ॥ ୧୮୯
ଏ ମଣି କାଶୀପୁରେ ନେଇ । ଅନେକ ଯଜ୍ଞ କଲୁ ତୁହି ॥ ୧୯୦
ସୁବର୍ଣ୍ଣ ଯଜ୍ଞବେଦୀ ତୋର । ଦେଖନ୍ତି ଦେବାସୁର ନର ॥ ୧୯୧
ଏମନ୍ତେ କୃଷ୍ଣ ସାଧୁବାଣୀ । ଅକ୍ରୁର ଶୁଣି ରତ୍ନମଣି ॥ ୧୯୨
ବସ୍ତ୍ରେ ଲୁଚାଇଥିଲା କାଖେ । ସଭାରେ ଥୋଇଲା ପ୍ରତ୍ୟକ୍ଷେ ॥ ୧୯୩
ସୂର୍ଯ୍ୟକିରଣ ପ୍ରାୟ ଦେଖି । ଜନେ ବୁଜିଲେ ବେନି ଆଖି ॥ ୧୯୪
ଏମନ୍ତେ ମଣି ଦେଖାଇଲେ । ଆତ୍ମାର ବାଦ ଦୂର କଲେ ॥ ୧୯୫
ଗୋବିନ୍ଦ କରେ ଘେନି ମଣି । ଅକ୍ରୁର ମୁଖ ଚାହିଁ ଭଣି ॥ ୧୯୬
ତୁ ପୁଣ୍ୟକର୍ମା ସାଧୁଜନ । ଏ ମଣି ଧାରଣେ ଭାଜନ ॥ ୧୯୭
ଏ ମଣି ଥାଉ ତୋର ତହିଁ । ଏମନ୍ତ କହି ଭାବଗ୍ରାହୀ ॥ ୧୯୮
ନିଜ ଭୁବ ବିଜେ କଲେ । ଲୋକେ ଅଯଶ ନିବାରିଲେ ॥ ୧୯୯
ଏବେ ହୋ ଶୁମ ନରନାଥ । ତୁ ସାଧୁ ପୁଣ୍ୟ ଭାଗ୍ୟବନ୍ତ ॥ ୨୦୦
ମଣିହରଣ ସାଧୁବାଣୀ । କର୍ଣ୍ଣେ ଶୁଣନ୍ତି ଯେତେ ପ୍ରାଣୀ ॥ ୨୦୧
ଦୁଃଖ-ଦୁରିତ-ଅପବାଦ । ଏ ଆଦି ଯେତର ମନଖେଦ ॥ ୨୦୨
ଦୁଷ୍ଟସ୍ୱପନ ଗ୍ରହଗତି । ଶ୍ରବଣେ ପଠନେ ନାଶନ୍ତି ॥ ୨୦୩
ସର୍ବମଙ୍ଗଳ ଉପଗତ । କହଇ ଦାସ ଜଗନ୍ନାଥ ॥ ୨୦୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ସ୍ୟମନ୍ତକ ଉପାଖ୍ୟାନେ
ଏକଷଷ୍ଟିତମ ଅଧ୍ୟାୟଃ ॥
* * *