ଦଶମ ସ୍କନ୍ଧ

ଏକଷଷ୍ଟିତମ ଅଧ୍ୟାୟ

ଆନନ୍ଦେ କୃଷ୍ଣଭାବ ଘେନି । କହନ୍ତି ଶୁକ ମହାମୁନି ॥

ଶୁକ ଉବାଚ

ଶୁଣ ପରୀକ୍ଷ ନରନାଥ । ଦ୍ୱାରକାପୁରେ ଉପଗତ ॥

କୁରୁନଗରୁ ଦୂତ ବେଗେ । କହିଲା ରାମକୃଷ୍ଣ ଆଗେ ॥

ଜାଣନ୍ତି ପ୍ରଭୁ ଦେବରାୟେ । ଭଲେ ଅଛନ୍ତି ପଣ୍ତୁପୋଏ ॥

ଜତୁର ଘରେ ପଞ୍ଚଭ୍ରାତ । ଜନନୀ ତୁଲେ ହେଲେ ହତ ॥

ଶୁଣି ବିକଳ ବସୁଦେବ । ଭୁବନେ ଯେତେକ ଯାଦବ ॥

ବିଷାଦେ କରନ୍ତି ରୋଦନ । ରାମଗୋବିନ୍ଦ ଦୁଃଖମନ ॥

ଶୋକ ନିବାରି ବେନିଭାଇ । ରଥେ ବସିଲେ ସଜ ହୋଇ ॥

କୁଳ ବେଭାରେ ରାମହରି । କୁରୁନଗରେ ବିଜେ କରି ॥

ଭୀଷ୍ମ ବିଦୁର କୃପମେଳେ । ଗାନ୍ଧାରୀ ଦ୍ରୋଣ ଶଲ୍ୟ ତୁଲେ ॥ ୧୦

ଲୋକ ବେଭାରେ ବେନିଭାଇ । କହନ୍ତି ମନେ ଦୁଃଖ ବହି ॥ ୧୧

ପ୍ରେତ ଉଚିତ କ୍ରିୟାକରି । ମାୟାଭିଆଣ ନରହରି ॥ ୧୨

ବନ୍ଧୁଙ୍କ ମୁଖ ଚାହିଁ ଭଣି । ପଦ୍ମଲୋଚନ ହଳପାଣି ॥ ୧୩

ଦେଖ ଏ ସଂସାର ବେଭାର । ଭ୍ରମନ୍ତି ଦେବାସୁରନର ॥ ୧୪

ଭବସାଗରେ ଏହି ମତେ । ସକଳେ ଯିବା ଶୂନ୍ୟପଥେ ॥ ୧୫

ଏମନ୍ତେ ବହୁ ଦୁଃଖ ବହି । ବାନ୍ଧବ ମଧ୍ୟେ ବେନିଭାଇ ॥ ୧୬

କହିଲେ ସଂସାର-ବେଭାର । ଏବେ ହୋ ଶୁଣ ନୃପବର ॥ ୧୭

ଦ୍ୱାରକାପୁରେ ତିନିଜଣ । ବିଚାର କଲେ ଏକମନ ॥ ୧୮

ଗଗନେ ଅସ୍ତ ହେଲେ ଭାନୁ । ଅକ୍ରୁର ତୁଲେ ଶତଧନୁ ॥ ୧୯

କୃତବର୍ମାଙ୍କୁ ରାଇ ଧୀରେ । ବିଚାର କଲେ ଏକସ୍ୱରେ ॥ ୨୦

ଦେଖ ଏ ପାପୀ ଶତ୍ରାଜିତ । ଅନ୍ୟାୟେ କଲା ବିପରୀତ ॥ ୨୧

ସତ୍ୟଭାମାଙ୍କୁ ଦେବାପାଇଁ । ବରିଲା ସତ୍ୟବାକ୍ୟ ଦେଇ ॥ ୨୨

ଏବେ ଆମ୍ଭଙ୍କୁ ନିନ୍ଦା କଲା । କନ୍ୟା ଗୋବିନ୍ଦେ ସମର୍ପିଲା ॥ ୨୩

ଦୁଷ୍ଟ ଦୁର୍ଜନ ମନ୍ଦଭାଗ୍ୟ । ପ୍ରସେନ ପଥକୁ ଏ ଯୋଗ୍ୟ ॥ ୨୪

ଅମୂଲ୍ୟ ମଣି ଏହା ତହିଁ । କେମନ୍ତେ ଆମ୍ଭ କରେ ହୋଇ ॥ ୨୫

ଅକ୍ରୁର ବୋଲେ ତାହା ଶୁଣି । ଜୀବନ୍ତେ ନ ଦେବ ସେ ମଣି ॥ ୨୬

ଏମନ୍ତ ବୋଲଇ ବିଚାରିଲେ । ନିଜ ମନ୍ଦିରେ ରାତ୍ରେ ଗଲେ ॥ ୨୭

ଆପଣା ଘରେ ଶତଧନୁ । କୋପେ କମ୍ପଇ ତାର ତନୁ ॥ ୨୮

ବସ୍ତ୍ର ପିନ୍ଧିଲା ଭିଡ଼ି ଗାଢେ । କରେ ଘେନିଲା ଯମଦାଢେ ॥ ୨୯

ରାତ୍ରେ ମିଳିଲା ତାର ପୁରେ । ଶତ୍ରାଜିତର ଶଯ୍ୟାଠାରେ ॥ ୩୦

ଦଇବେ କ୍ଷୀଣ ତା ଜୀବନ । ଯାହା ସଂଚିଲେ ଭଗବାନ ॥ ୩୧

ନିକଟେ ଥିଲେ ଯେ କାମିନୀ । ସଭୟେ କଲେ ଗୋଳଧ୍ୱନି ॥ ୩୨

ଅନାଥ ପ୍ରାୟ ଶୋକକରି । ତାହାର କରଛନ୍ତି ଧରି ॥ ୩୩

ସ୍ତିରୀଙ୍କ କରି ଅବହେଳା । ଛେଦିଲା ଶତ୍ରାଜିତ ଗଳା ॥ ୩୪

ପଶୁଙ୍କ ପ୍ରାୟ ବଧ କରି । ଅମୂଲ୍ୟ ମଣି କରେ ଧରି ॥ ୩୫

ନିଜ ଭୁବନେ ବିଜେ କଲା । ଏମନ୍ତେ ରଜନୀ ପାଇଲା ॥ ୩୬

ଶୁଣ ରାଜନ ଶୁଦ୍ଧକର୍ମା । ପିତାମରଣେ ସତ୍ୟଭାମା ॥ ୩୭

ବିଳାପ କରେ ଶୋକେ ପଡ଼ି । ଭୁଜ ଯୁଗଳ ଶିରେ ତାଡ଼ି ॥ ୩୮

ହା ହା ପିଅର ବୋଲି ମୋହେ । ଜୀବନ ନ ରହଇ ଦେହେ ॥ ୩୯

ପୁଣି ତଦନ୍ତେ ଚେତା ପାଇ । ସେହୁ ଶରଦଚନ୍ଦ୍ରମୁହୀଁ ॥ ୪୦

ମୃତଶରୀରରେ ଗନ୍ଧଲେପି । ତଇଳେଦ୍ରୋଣୀ ମଧ୍ୟେ କ୍ଷେପି ॥ ୪୧

ପିତା ବିଯୋଗେ ଶୋକତ୍ରାସେ । ରଥେ ଗମିଲା କୁରୁଦେଶେ ॥ ୪୨

ପିତା ବିଯୋଗ ଦୁଃଖ ବହି । ଚଳନ୍ତେ ଦିଗ ନ ଦିଶଇ ॥ ୪୩

କୃଷ୍ଣ ଜାଣନ୍ତି ତାହା ଭଲେ । ହସ୍ତିନାପୁରେ ରାମ ତୁଲେ ॥ ୪୪

ଏମନ୍ତେ ସତ୍ୟଭାମା ଯାଇ । କହନ୍ତି କୃଷ୍ଣ ମୁଖ ଚାହିଁ ॥ ୪୫

ଭୋ ନାଥ ଶତଧନୁ ଚୋର । ବଧିଲା ପିଅର ମୋହର ॥ ୪୬

ଘରେ ପଶିଲା ଶସ୍ତ୍ର ଧରି । ପଶୁର ପ୍ରାୟ ବଧ କରି ॥ ୪୭

ଅମୂଲ୍ୟମଣି ଘେନି କରେ । ପଳାଇଗଲା ଅନ୍ଧକାରେ ॥ ୪୮

ଅନାଥ ମୋହର ଜୀବନ । ବୋଲି ସେ କରଇ ରୋଦନ ॥ ୪୯

ଶୁଣି ଚକିତ ଦାମୋଦର । ବେନିଲୋଚନୁ ବହେ ନୀର ॥ ୫୦

ସତ୍ୟଭାମାର ମୁଖ ଚାହିଁ । ରୋଦନ କଲେ ବେନିଭାଇ ॥ ୫୧

କପଟେ କୁରୁବଳ ମଧ୍ୟେ । ଗୋବିନ୍ଦ କହିଲେ ବିଷାଦେ ॥ ୫୨

ସତ୍ୟଭାମାଙ୍କୁ ଆଗକରି । ରଥେ ବସିଲେ ରାମହରି ॥ ୫୩

ଦାରୁକ ଦାହ ଧାତିକାରେ । କୃଷ୍ଣ ବୋଲନ୍ତି କୋପଭରେ ॥ ୫୪

ଶତଧନୁର ଶିରହାଣି । ଆଜ ଆଣିବି ରତ୍ନମଣି ॥ ୫୫

ଏମନ୍ତେ ଶୁଣ ହେ ରାଜନ । ରାମ ଗୋବିନ୍ଦ ଆଗମନ ॥ ୫୬

ସଭୟେ ଶତଧନୁ ଶୁଣି । କରେ ଘେନିଲା ରତ୍ନମଣି ॥ ୫୭

କୃତବର୍ମାର ପୁରେ ପଶି । ବିଶ୍ୱାସେ କହେ ପାଶେ ବସି ॥ ୫୮

ଶତ୍ରାଜିତ୍ର ଶିର ହାଣି । ମୁଁ ଯେ ଆଣିଲି ରତ୍ନମଣି ॥ ୫୯

ତୋର ବଚନେ ମତିଭ୍ରମ । ନ ଜାଣି କଲି ଏଡେ଼ କର୍ମ ॥ ୬୦

ମୋତେ ମାରିବେ ଚକ୍ରଧର । ତୁ ଏବେ ପକ୍ଷ ହୁଅ ମୋର ॥ ୬୧

ଏମନ୍ତ କୃତବର୍ମା ଶୁଣି । ଭୟେ ବୋଲଇ ସାଧୁବାଣୀ ॥ ୬୨

ରାମକୃଷ୍ଣରେ ଦ୍ରୋହ କରି । କେ ଅବା ଥିବ ଦେହଧରି ॥ ୬୩

ଯାହାର କୋପେ କଂସ ମଲା । ସର୍ବସମ୍ପଦ ନାଶଗଲା ॥ ୬୪

ସପତଦଶବାର ଦ୍ୱନ୍ଦ । ଯୁଦ୍ଧେ ହାରିଲା ଜରାସନ୍ଧ ॥ ୬୫

ତାର ବଇରୀ ହୋଇ ବଳେ । କେ ଅବା ଥିବ ରବି ତଳେ ॥ ୬୬

ଏମନ୍ତ ଶୁଣି ତା ବଚନ । ମିଳିଲା ଅକ୍ରୁର ଭୁବନ ॥ ୬୭

ପଡ଼ି ତାହାର ପାଦତଳେ । ବୋଲଇ ଜୀବନ ବିକଳେ ॥ ୬୮

ମୋତେ କୋପିଲେ ଚକ୍ରଧର । ମୁଁ ଏବେ ଶରଣ ତୋହର ॥ ୬୯

ତୁ ଏବେ ମୋତେ ହୁଅ ସାହା । ତୋହର ବୋଲେ କଲି ଏହା ॥ ୭୦

ଶୁଣିଣ ବୋଲଇ ଅକ୍ରୁର । ନ ଜାଣୁ ଗତି ଗୋବିନ୍ଦର ॥ ୭୧

ଯେ ରାମକୃଷ୍ଣରେ ବଇରୀ । ତାହାକୁ କେବା ରଖିପାରି ॥ ୭୨

ଯେ ବିଶ୍ୱମାୟା ଲୀଳା କରି । ସର୍ଜଇ ପାଳଇ ସଂହରି ॥ ୭୩

ତାର ମହିମା କେବା କହି । ମାୟା ସଂସାରେ ଦେହ ବହି ॥ ୭୪

ଜାଣୁନୁ ବାଳକ ବୟସେ । କି କି ନ କଲେ ନନ୍ଦଦେଶେ ॥ ୭୫

ଇନ୍ଦ୍ରର ତୁଲେ ବାଦ କଲା । ହସ୍ତକେ ପର୍ବତ ଧଇଲା ॥ ୭୬

ବାଳକ କରେ ଛତ୍ର ଯେହ୍ନେ । ଦେଖି ଚକିତ ସର୍ବଜନେ ॥ ୭୭

ଯେ କୃଷ୍ଣ ଜଗତ କାରଣ । ଅଦ୍ଭୁତ ଯାର କର୍ମଗୁଣ ॥ ୭୮

ଅନନ୍ତ ଆଦିକୂଟ ହରି । ଯେ ଆତ୍ମା ରୂପେ ବିଶ୍ୱ ଧରି ॥ ୭୯

ତାହାଙ୍କୁ ମୋର ନମସ୍କାର । ଏମନ୍ତ କହିଲା ଅକ୍ରୁର ॥ ୮୦

ତା ଶୁଣି ଶତଧନୁ ଭୟେ । ବୋଲଇ ପଡ଼ି ତାର ପାୟେ ॥ ୮୧

ଏ ମଣି ଥାଉ ତୋର ତହିଁ । ମୋର ଜୀବନ ଆର କାହିଁ ॥ ୮୨

ନିଶ୍ଚେ ମାରିବେ ଚକ୍ରଧର । ଅର୍ଜିଲା କର୍ମ ଏ ମୋହର ॥ ୮୩

ମଣି ଅକ୍ରୁର କରେ ଦେଇ । ମିଳିଲା ଅଶ୍ୱଶାଳେ ଯାଇ ॥ ୮୪

ଯେ ଅଶ୍ୱ ଗମେ ପାଦବଳେ । ଶତେଯୋଜନ ଅବହେଳେ ॥ ୮୫

ଅଶ୍ୱ ଉପରେ ସେ ବସିଲା । ଉତ୍ତର ଦିଗେ ପଳାଇଲା ॥ ୮୬

ଏମନ୍ତେ ଶୁଣି ନୃପମଣି । ରାମଗୋବିନ୍ଦ ତାହା ଜାଣି ॥ ୮୭

ଦାରୁକ ବେଗେ ରଥବାହି । ପଛେ ଧାଇଁଲେ ବେନିଭାଇ ॥ ୮୮

ସେ ଶତଧନୁ ଗୁରୁଦ୍ରୋହୀ । ଧର୍ମ ଅଧର୍ମ ନ ଜାଣଇ ॥ ୮୯

ଅଶ୍ୱେ ପଳାନ୍ତେ ମହାବଳୀ । ମିଥିଳା ଉପବନେ ମିଳି ॥ ୯୦

ଅଶ୍ୱ ପଡ଼ିଲା ମୁହଁ ମାଡ଼ି । ତକ୍ଷଣେ ପ୍ରାଣ ଗଲା ଛାଡ଼ି ॥ ୯୧

ଅଶ୍ୱ ଉପେକ୍ଷି ମହାବୀର । ପାଦେ ଗମିଲା ଅତି ଖର ॥ ୯୨

ଗୋବିନ୍ଦ ଦେଖି ତା ଗମନ । ରଥୁଁ ଓହ୍ଲାଇଲେ ବହନ ॥ ୯୩

କୋପେ ନୟନେ ନରହରି । ଧାଇଁଲେ କରେ ଚକ୍ର ଧରି ॥ ୯୪

ଦେଖି ସେ ଗୋବିନ୍ଦର ମନ୍ୟୁ । ଭୟେ ପଳାଏ ଶତଧନୁ ॥ ୯୫

ଭୟେ ପଳାନ୍ତେ କମ୍ପେ କାୟେ । ଚକ୍ର ପେଶିଲେ ଦେବରାୟେ ॥ ୯୬

କୃଷ୍ଣର ଚକ୍ର ତୀକ୍ଷ୍ଣ ଧାର । କାଟିଲା ଶତଧନୁ ଶିର ॥ ୯୭

ଛିଡ଼ି ପଡ଼ିଲା କଣ୍ଠୁ ତଳେ । ଗୋବିନ୍ଦ ନିକଟେ ମିଳିଲେ ॥ ୯୮

ତାହାର ବସ୍ତ୍ରେ ମଣି ଖୋଜି । ନ ପାଇଁ କୃଷ୍ଣ ମନେ ହେଜି ॥ ୯୯

ମଣି କାହାର କରେ ଦେଇ । ଭୟରେ ଅଇଲା ପଳାଇ ॥ ୧୦୦

ଏମନ୍ତ ବୋଲି ବାହୁଡ଼ିଲେ । ରାମର ନିକଟେ ମିଳିଲେ ॥ ୧୦୧

ବୋଲନ୍ତି ପ୍ରଭୁ ଜଗନ୍ନାଥ । ଭୋ ଦେବ ଶୁଣି ବିପରୀତ ॥ ୧୦୨

ମିଛେ ମାଇଲି ଶତଧନୁ । ଯେଣୁ ସେ ମୋତେ କଲା ମନ୍ୟୁ ॥ ୧୦୩

ମଣି ଏହାର ତହିଁ ନାହିଁ । କହିଲେ ରାମ ମୁଖ ଚାହିଁ ॥ ୧୦୪

ଶୁଣି ବୋଲନ୍ତି ହଳଧର । କୋମଳ ବଚନ ଗମ୍ଭୀର ॥ ୧୦୫

ଏ ମଣି ଅଛି ତୋ ଭୁବନେ । ସନ୍ଦେହ ନ କର ତୁ ମନେ ॥ ୧୦୬

କାହାର ହସ୍ତେ ଅବା ଦେଇ । ଭୟେ ଏ ଅଇଲା ପଳାଇ ॥ ୧୦୭

ମଣି ଉଦ୍ଦେଶ୍ୟେ ଯାଅ ଘର । ମୁଁ ଯିବି ଜନକ ନଗର ॥ ୧୦୮

ପ୍ରିୟ ସୁହୃଦ ସେ ମୋହର । ଦେଖିବି ତାହାର ବେଭାର ॥ ୧୦୯

ଏମନ୍ତ କହି ହଳଧାରୀ । ଜନକପୁରେ ବିଜେକରି ॥ ୧୧୦

ରାମ ଆଗମ ଦେଖି ରାଜା । ସଂଭ୍ରମେ କଲା ପାଦପୂଜା ॥ ୧୧୧

ଜନକ ପୂଜନ୍ତେ ଚରଣ । ସନ୍ତୋଷେ ରେବତୀରମଣ ॥ ୧୧୨

କେତେହେଁ ଦିନ ତହିଁ ରହି । ଜନକ ପ୍ରିୟ ଭାବ ବହି ॥ ୧୧୩

ହସ୍ତିନାପୁରେ ଦୁର୍ଯ୍ୟୋଧନ । ଶୁଣିଲା ରାମ ଆଗମନ ॥ ୧୧୪

ମନଆନନ୍ଦେ ଅନ୍ଧସୁତ । ମିଥିଳାପୁରେ ଉପଗତ ॥ ୧୧୫

ମିଳିଲା ହଳଧର ପାଶେ । ଅନେକ ଭକତି ବିଶ୍ୱାସେ ॥ ୧୧୬

ଗଦାସମର ଘୋର ଦୀକ୍ଷା । ରାମର ତହୁଁ କଲା ଶିକ୍ଷା ॥ ୧୧୭

ଗୋବିନ୍ଦ ବସି ନନ୍ଦିଘୋଷେ । ଆସି ମିଳିଲେ ନିଜ ଦେଶେ ॥ ୧୧୮

ଶତଧନୁର ଶିର ହାଣି । ତା ତହୁଁ ନ ପାଇଲେ ମଣି ॥ ୧୧୯

ସକଳ ପ୍ରିୟା ଆଗେ କହି । ମାୟା ଭିଆଣ ଭାବଗ୍ରାହୀ ॥ ୧୨୦

ବନ୍ଧୁବାନ୍ଧବ ସଙ୍ଗେ ମିଳି । ବାନ୍ଧବ ପ୍ରିୟ ବନମାଳୀ ॥ ୧୨୧

ମଲା ଯେ ଶତଧନୁ ବୀର । ପ୍ରେତ ଉଚିତ କ୍ରିୟା ତାର ॥ ୧୨୨

ଶ୍ରୀକୃଷ୍ଣ କରାଇଲେ ଭାବେ । ଶୁଣ ପରୀକ୍ଷନୃପ ଏବେ ॥ ୧୨୩

ଶତଧନୁର ବଧ ଶୁଣି । ଅକ୍ରୁର ମନେମନେ ଗୁଣି ॥ ୧୨୪

କୃତବର୍ମାର ତୁଲେ ଭାଳି । ନିଶ୍ଚେ ମାରିବେ ବନମାଳୀ ॥ ୧୨୫

ଏମନ୍ତ ଭାଳି ମନଛନ୍ନେ । ପଳାଇଗଲେ ବେନିଜନେ ॥ ୧୨୬

ଅକ୍ରୁର ଯେତେବେଳେ ଗଲା । ଶୁଣ ରାଜନ କୃଷ୍ଣଲୀଳା ॥ ୧୨୭

ଦ୍ୱାରକାପୁରେ ରିଷ୍ଟଜାତ । ଦେଖି ଚକିତ ଯଦୁନାଥ ॥ ୧୨୮

ଉତ୍ପାତ ଦେଖିଲେ ପ୍ରତ୍ୟକ୍ଷେ । ଭୂମି-ଗଗନ-ଅନ୍ତରୀକ୍ଷେ ॥ ୧୨୯

ପ୍ରାଣୀଙ୍କ ଦେହେ ବ୍ୟାଧି ଜାତ । ମନ ଉଚ୍ଚାଟ ଉଲ୍କାପାତ ॥ ୧୩୦

ରୁଧିର ବୃଷ୍ଟି ଦଶଦିଶେ । ଭୂମି କମ୍ପଇ ମହାତ୍ରାସେ ॥ ୧୩୧

ଦ୍ୱାରକାପୁରଜନେ ଚାହିଁ । ଭାଳନ୍ତି ଏକରୁଣ୍ତ ହୋଇ ॥ ୧୩୨

ଘୋର ଆପଦ ଆଗମନେ । ଭାଳି ବୋଲନ୍ତି ବୃଦ୍ଧଜନେ ॥ ୧୩୩

ଅକ୍ରୁର ପଳାଇଲା ଡରେ । ତେଣୁ ଆପଦ ଯଦୁପୁରେ ॥ ୧୩୪

ଅକ୍ରୁର ବିନୁ ଏହି ରିଷ୍ଟି । ରୁଧିର ସଙ୍ଗେ ଶିଳା ବୃଷ୍ଟି ॥ ୧୩୫

ଅନେକ ଅକ୍ରୁରର ଗୁଣ । ତୁମ୍ଭେ ହୋ ସାବଧାନେ ଶୁଣ ॥ ୧୩୬

ପୂର୍ବେ ଯେ ଥିଲା କାଶୀରାଜା । ସୁଖେ ପାଳଇ ଜନପ୍ରଜା ॥ ୧୩୭

ଏମନ୍ତେ ଇନ୍ଦ୍ର ତା ଭୁବନେ । ବୃଷ୍ଟି ନ କଲା କୋପମନେ ॥ ୧୩୮

ଅନ୍ନ ନ ପାଇ କ୍ଷୁଧାଭୟେ । ଅନେକ ଜନ୍ତୁ ଗଲେ କ୍ଷୟେ ॥ ୧୩୯

ସଙ୍ଗତେ ଘେନି ଜନପ୍ରଜା । ଭୟେ ଭାଳଇ କାଶୀରାଜା ॥ ୧୪୦

ବିଚାର କଲେ ଏକଭାବ । ଶ୍ୱଫଲ୍ଲ ନାମେଣ ଯାଦବ ॥ ୧୪୧

ପୂର୍ବେ ଅନେକ ତପ କଲା । ଇନ୍ଦ୍ର ତାହାକୁ ବର ଦେଲା ॥ ୧୪୨

ସେ ଯହିଁ ଥାଇ ପୁଣ ରହି । ସେ ଦେଶେ ଇନ୍ଦ୍ର ବରଷଇ ॥ ୧୪୩

ଏମନ୍ତ ବିଚାରିଲେ ବସି । ସ୍ୱଫଲ୍ଲ ଆଣିଲେ ଆଶ୍ୱାସି ॥ ୧୪୪

କନ୍ୟାଏ ଥିଲା ତାର ଘର । ଅତି ସୁନ୍ଦର ରୂପସାର ॥ ୧୪୫

ଶୁଣ କନ୍ୟାର ଜନ୍ମବାଣୀ । ଆମ୍ଭେ ଯେ ପୂର୍ବେ ଅଛୁ ଶୁଣି ॥ ୧୪୬

ଜନନୀ ଗର୍ଭେ ଚିରବାସ । ରହିଲା ଦ୍ୱାଦଶ ବରଷ ॥ ୧୪୭

ଜାତ ନୋହିଲା ଯେତେବେଳେ । ନୃପତି ଭାଳଇ ବିକଳେ ॥ ୧୪୮

ଦିନେକ ପତ୍ନୀ ଗର୍ଭ ଚାହିଁ । କହେ ବିକଳ ଭାବ ବହି ॥ ୧୪୯

ହେ ଗର୍ଭ ଶୁଣ ମୋ ଉତ୍ତର । ହେଳେ ନାଶିଲୁ ଘର ମୋର ॥ ୧୫୦

କହ ତୁ କେବଣ କାରଣ । ଏ ବଡ଼ ମରଣ କଷଣ ॥ ୧୫୧

ଏମନ୍ତ ରାଜା ବାକ୍ୟ ଶୁଣି । ଗର୍ଭ କହିଲା ମୁକ୍ତିବାଣୀ ॥ ୧୫୨

ଭୋ ତାତ ଶୁଣ ମୋ ଉତ୍ତର । ଯେମନ୍ତ ବ୍ୟବସ୍ଥା ଗର୍ଭର ॥ ୧୫୩

ଉତ୍ତମଧେନୁ ପ୍ରତିଦିନେ । ଦାନ ତୁ ଦିଅ ବିପ୍ରଜନେ ॥ ୧୫୪

ସଂପୂର୍ଣ୍ଣ ଦ୍ୱାଦଶବରଷେ । ଜନମ ହୋଇବି ବିଶ୍ୱାସେ ॥ ୧୫୫

ତକ୍ଷଣେ ଗର୍ଭର ବଚନେ । ନୃପତି ଶୁଣି ତୋଷମନେ ॥ ୧୫୬

ନିରତେ କଲା ସେହି ମତ । ଧେନୁ ସେ ଦେଲା ଅପ୍ରମିତ ॥ ୧୫୭

ଏମନ୍ତେ କନ୍ୟା ଜାତ ହୋଇ । କାଶୀନଗରେ ଥିଲା ରହି ॥ ୧୫୮

ସେ କନ୍ୟା ଶ୍ୱଫଳ୍କରେ ବରି । ବିବାହ ଦେଲା ଦଣ୍ତଧାରୀ ॥ ୧୫୯

ତାହାର ଦେଶେ ଶସ୍ୟନାଶ । ନିର୍ଜଳ ଦ୍ୱାଦଶ ବରଷ ॥ ୧୬୦

ତକ୍ଷଣେ ମିଳି ମେଘମାଳ । ଆନନ୍ଦେ ବରଷିଲେ ଜଳ ॥ ୧୬୧

ତାର କୁମର ଦାନପତି । ଏମନ୍ତ ଅକ୍ରୁରର ଗତି ॥ ୧୬୨

ସେ ମହାଭାଗ ଯହିଁ ଥାଇ । ରିଷ୍ଟ ଅରିଷ୍ଟ ଭୟ ନାହିଁ ॥ ୧୬୩

ଏମନ୍ତ ବୃଦ୍ଧ ବାକ୍ୟ ଶୁଣି । ଆନନ୍ଦେ ପ୍ରଭୁ ଚକ୍ରପାଣି ॥ ୧୬୪

କାଶୀନଗରେ ଦୂତ ପେଶି । ଆଣିଲେ ଅକ୍ରୁରେ ଆଶ୍ୱାସି ॥ ୧୬୫

କାଶୀନଗରେ ସେ ଅକ୍ରୁର । କଲା ଅନେକ ଯଜ୍ଞ ସାର ॥ ୧୬୬

ପୂର୍ବେ ତା ପିତୃ ପିତାମହୀ । କାଶୀନଗରେ ବଡ଼ ସ୍ନେହୀ ॥ ୧୬୭

ଅନେକ ଯଜ୍ଞର ବିଧାନ । ପୁରୁଷଅର୍ଥ ଧର୍ମମାନ ॥ ୧୬୮

ସେ ପୁରେ ଧର୍ମବିଧି ମତେ । ଯଜ୍ଞ ସେ କଲା ନାନାମତେ ॥ ୧୬୯

ଦଇବେ ମଣି ରତ୍ନସାର । ଦିଅଇ ସ୍ୱର୍ଣ୍ଣ ଅଷ୍ଟଭାର ॥ ୧୭୦

ସେ ଦ୍ରବ୍ୟ ରଖିଣ ନିଃଶଙ୍କେ । ଅନେକ ଯଜ୍ଞ କଲା ସୁଖେ ॥ ୧୭୧

ତାହା ଜାଣିଲେ ଭଗବାନ । ଅକ୍ରୁର ଅଣାଇ ବହନ ॥ ୧୭୨

ପାଶେ ବସାଇ ଦାମୋଦର । ବିଶ୍ୱାସେ କହନ୍ତି ମଧୁର ॥ ୧୭୩

ସେ କୃଷ୍ଣ ଜଗତ ଜୀବନ । ଜାଣନ୍ତି ପ୍ରାଣୀଙ୍କର ମନ ॥ ୧୭୪

ଆଶ୍ୱାସି ବସାଇ ଅକ୍ରୁର । ବୋଲନ୍ତି ବ୍ରହ୍ମାଣ୍ତଠାକୁର ॥ ୧୭୫

ଶୁଣ ଅକ୍ରୁର ମୋର ବାଣୀ । ତୋ ତହିଁ ସ୍ୟମନ୍ତକମଣି ॥ ୧୭୬

ଥୋଇଣ ଶତଧନୁ ଗଲା । ଦଇବେ ପ୍ରାଣ ସେ ହାରିଲା ॥ ୧୭୭

ସେ ମଣିସଂକଟୁ ଉଦ୍ଦରି । ବିଭା ହୋଇଲି ବେନି ନାରୀ ॥ ୧୭୮

ଉଚିତେ ସେ ମଣି ମୋହର । ଶ୍ୱଶୁର ଦେଲା ଉପହାର ॥ ୧୭୯

ସତ୍ରାଜିତର ପୁତ୍ରୀ ନାହିଁ । ଦୁହିତା ସତ୍ୟଭାମା ହୋଇ ॥ ୧୮୦

ମରଣେ ପ୍ରେତକ୍ରିୟା ସାରି । ଦୁର୍ଗମ-ନରକୁ ଉଦ୍ଧାରି ॥ ୧୮୧

ତାହାର ପୁତ୍ରୀ ମଣି ନେବ । ଏମନ୍ତ ଶାସ୍ତ୍ରର ପ୍ରସ୍ତାବ ॥ ୧୮୨

ସତ୍ରାଜିତର ତପ ଫଳେ । ରବି ତାହାଙ୍କୁ ମଣି ଦେଲେ ॥ ୧୮୩

ନିର୍ମଳଲୋକେ ତାହା ଧରି । ଆନ କେ ପାରିବ ଆବୋରି ॥ ୧୮୪

ସୁକୃତ-ତନୁ ପୁଣ୍ୟବନ୍ତ । ତୁ ସେ ଧାରଣେ ସାମରଥ ॥ ୧୮୫

ରାମ ମୋହର ଜ୍ୟେଷ୍ଠଭାଇ । ତାହାଙ୍କ ଚିତ୍ତଶୁଦ୍ଧି ନାହିଁ ॥ ୧୮୬

ବନ୍ଧୁବାନ୍ଧବ ଯେତେ ମୋର । ଚିତ୍ତେ ସଂଶୟ ତାହାଙ୍କର ॥ ୧୮୭

ଏ ସଭା ମଧ୍ୟେ ମଣି ତୁହି । ଦେଖାଅ ମୋର ଭାବ ବହି ॥ ୧୮୮

ତାହାଙ୍କ ମନୁ ଯିବ ଭ୍ରାନ୍ତି । ଏଥେ ମୋହର ମନ ଶାନ୍ତି ॥ ୧୮୯

ଏ ମଣି କାଶୀପୁରେ ନେଇ । ଅନେକ ଯଜ୍ଞ କଲୁ ତୁହି ॥ ୧୯୦

ସୁବର୍ଣ୍ଣ ଯଜ୍ଞବେଦୀ ତୋର । ଦେଖନ୍ତି ଦେବାସୁର ନର ॥ ୧୯୧

ଏମନ୍ତେ କୃଷ୍ଣ ସାଧୁବାଣୀ । ଅକ୍ରୁର ଶୁଣି ରତ୍ନମଣି ॥ ୧୯୨

ବସ୍ତ୍ରେ ଲୁଚାଇଥିଲା କାଖେ । ସଭାରେ ଥୋଇଲା ପ୍ରତ୍ୟକ୍ଷେ ॥ ୧୯୩

ସୂର୍ଯ୍ୟକିରଣ ପ୍ରାୟ ଦେଖି । ଜନେ ବୁଜିଲେ ବେନି ଆଖି ॥ ୧୯୪

ଏମନ୍ତେ ମଣି ଦେଖାଇଲେ । ଆତ୍ମାର ବାଦ ଦୂର କଲେ ॥ ୧୯୫

ଗୋବିନ୍ଦ କରେ ଘେନି ମଣି । ଅକ୍ରୁର ମୁଖ ଚାହିଁ ଭଣି ॥ ୧୯୬

ତୁ ପୁଣ୍ୟକର୍ମା ସାଧୁଜନ । ଏ ମଣି ଧାରଣେ ଭାଜନ ॥ ୧୯୭

ଏ ମଣି ଥାଉ ତୋର ତହିଁ । ଏମନ୍ତ କହି ଭାବଗ୍ରାହୀ ॥ ୧୯୮

ନିଜ ଭୁବ ବିଜେ କଲେ । ଲୋକେ ଅଯଶ ନିବାରିଲେ ॥ ୧୯୯

ଏବେ ହୋ ଶୁମ ନରନାଥ । ତୁ ସାଧୁ ପୁଣ୍ୟ ଭାଗ୍ୟବନ୍ତ ॥ ୨୦୦

ମଣିହରଣ ସାଧୁବାଣୀ । କର୍ଣ୍ଣେ ଶୁଣନ୍ତି ଯେତେ ପ୍ରାଣୀ ॥ ୨୦୧

ଦୁଃଖ-ଦୁରିତ-ଅପବାଦ । ଏ ଆଦି ଯେତର ମନଖେଦ ॥ ୨୦୨

ଦୁଷ୍ଟସ୍ୱପନ ଗ୍ରହଗତି । ଶ୍ରବଣେ ପଠନେ ନାଶନ୍ତି ॥ ୨୦୩

ସର୍ବମଙ୍ଗଳ ଉପଗତ । କହଇ ଦାସ ଜଗନ୍ନାଥ ॥ ୨୦୪

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ସ୍ୟମନ୍ତକ ଉପାଖ୍ୟାନେ

ଏକଷଷ୍ଟିତମ ଅଧ୍ୟାୟଃ ॥

* * *