ଦଶମ ସ୍କନ୍ଧ
ଷଷ୍ଟିତମ ଅଧ୍ୟାୟ
ଶୁକ ଉବାଚ
କହନ୍ତି ଶୁକ ମହାମୁନି । ଶୁଣ ରାଜନ ସାଧୁବାଣୀ ॥ ୧
ଯଦୁନଗରେ ସତ୍ରାଜିତ । କୃଷ୍ଣରେ କରି ଦ୍ରୋହଚିତ୍ତ ॥ ୨
ନିଜ ଦୁହିତା ସତ୍ୟଭାମା । ଅଂଶେ ସମ୍ଭୂତ ଯେହୁ ରମା ॥ ୩
ଅମୂଲ୍ୟ ସ୍ୟମନ୍ତକ ମଣି । ନିଜ ଦୁହିତା ସଙ୍ଗେ ଆଣି ॥ ୪
କୃଷ୍ଣଚରଣେ ଦେଲା ନେଇ । ଆତ୍ମ ଅପରାଧ ଛଡ଼ାଇ ॥ ୫
ଏମନ୍ତେ ଶୁକ ବାକ୍ୟ ଶୁଣି । ପରୀକ୍ଷ କହେ ସାଧୁବାଣୀ ॥ ୬
ପରୀକ୍ଷିତ ଉବାଚ
କହ କେମନ୍ତେ ସତ୍ରାଜିତ । କୃଷ୍ଣ ବିଷୟେ ବିପରୀତ ॥ ୭
କାହୁଁ ଆଣିଲା ରତ୍ନମଣି । ଦୁହିତା ତୁଲେ ଦେଲା ଆଣି ॥ ୮
କି ଦ୍ରୋହ କଲା ଯଦୁପୁରେ । ସ୍ୱଜନ ବାନ୍ଧବ ବେଭାରେ ॥ ୯
ଶୁକ ଉବାଚ
ଶୁଣି କହନ୍ତି ବ୍ୟାସସୁତ । ରାଜନ ଶୁଣ ଦେଇ ଚିତ୍ତ ॥ ୧୦
ଅନେକ ତପେ ସତ୍ରାଜିତ । ସୂର୍ଯ୍ୟ ସଙ୍ଗତେ ହେଲା ମିତ ॥ ୧୧
ପ୍ରସନ୍ନ ଚିତ୍ତେ ଦିନମଣି । ଆପଣା କଣ୍ଠୁ ରତ୍ନମଣି ॥ ୧୨
ସତ୍ରାଜିତର କଣ୍ଠେ ଦେଇ । ତପନ ଗଲେ ତୋଷ ହୋଇ ॥ ୧୩
ଏମନ୍ତେ ମଣି କଣ୍ଠେ ଭରି । ଆନନ୍ଦେ ଗଲା ନିଜ ପୁରୀ ॥ ୧୪
ପଥେ ଆସନ୍ତେ ସତ୍ରାଜିତ । ଦିଶଇ ଦ୍ୱିତୀୟ ଆଦିତ୍ୟ ॥ ୧୫
ମଣିର ତେଜେ ତାର ଦେହି । ଜନନୟନେ ନୋହେ ଚାହିଁ ॥ ୧୬
ଚାହିଁଲେ ଚକ୍ଷୁତେଜ ନାଶେ । କେହି ନ ରହେ ତାର ପାଶେ ॥ ୧୭
ଦେଖି ସକଳେ ପଳାଇଲେ । କୃଷ୍ଣର ନିକଟେ ମିଳିଲେ ॥ ୧୮
ଅଭୟ ପଦ୍ମପାଦେ ପଡ଼ି । କହନ୍ତି ବେନିକର ଯୋଡ଼ି ॥ ୧୯
ଅକ୍ଷ ଖେଳନ୍ତେ ଭଗବାନ । ଜନବଚନେ ଅବଧାନ ॥ ୨୦
ଜନେ କହନ୍ତି ଯୋଡ଼ିକର । ଭୋ ନାଥ ଶୁଣ ଚକ୍ରଧର ॥ ୨୧
ପଦ୍ମଲୋଚନ ନାରାୟଣ । ଅନାଦି ସଂସାର କାରଣ ॥ ୨୨
ଭୋ ନାଥ ତୋର ପଦ୍ମପାଦ । ଦର୍ଶନେ ରବି କଲା ସଧ ॥ ୨୩
ଗଗନେ ଛନ୍ତି ଦେହ ଧରି । ମର୍ତ୍ତ୍ୟେ ପ୍ରତ୍ୟକ୍ଷେ ବିଜେ କରି ॥ ୨୪
ତାହାର ତେଜେ ଭଗବାନ । ଚାହିଁଲେ ଝଲସେ ନୟନ ॥ ୨୫
ତୁ ନାଥ ଜଗତ ଠାକୁର । ସକଳେ ତୋହର କିଙ୍କର ॥ ୨୬
ଦେବେ ତୋହର ପଦ୍ମପାଦେ । ସେବନ୍ତି ମୋକ୍ଷଫଳ ସଧେ ॥ ୨୭
ଏ ଯଦୁବଂଶେ ତୋ ସମ୍ଭୁତ । ଶୁଣି ସାନନ୍ଦେ ଛାୟାକାନ୍ତ ॥ ୨୮
ଦେଖିବ ତୋହର ଚରଣ । ତୁ ଯେ ଅନାଦି ନାରାୟଣ ॥ ୨୯
ବୋଲନ୍ତି ଶୁକ ମହାମୁନି । ଜନବଚନ କୃଷ୍ଣ ଶୁଣି ॥ ୩୦
ପଦ୍ମଲୋଚନେ ଚାହିଁ ବସି । କହନ୍ତି ସ୍ୱଜନେ ଆଶ୍ୱାସି ॥ ୩୧
ଭଗବାନ ଉବାଚ
ସେ ନୋହେ ପ୍ରଭୁ ଦିନନାଥ । ବର ଲଭିଲା ସତ୍ରାଜିତ ॥ ୩୨
ତପେ ଆଦିତ୍ୟେ ସେବା କରି । ଆସଇ ମଣି କଣ୍ଠେ ଭରି ॥ ୩୩
ମଣି କିରଣ ରବିପ୍ରାୟ । ତୁମ୍ଭେ ନକର ମନେ ଭୟ ॥ ୩୪
ଏମନ୍ତ କହି ଭଗବାନ । ଅକ୍ଷକ୍ରୀଡ଼ାରେ ଦେଲେ ମନ ॥ ୩୫
ଏମନ୍ତେ ସତ୍ରାଜିତ ଗଲା । ନିଜ ଭୁବନେ ବିଜେ କଲା ॥ ୩୬
ନିତ୍ୟେ ଉତ୍ସବ ତାର ପୁରେ । ଦେବମନ୍ଦିରେ ବିପ୍ରବରେ ॥ ୩୭
ମଣି ନିବେଶି ଦେବଘରେ । ଆନନ୍ଦେ ପଶିଲା ଭିତରେ ॥ ୩୮
ଶୁଣ ରାଜନ ସାଧୁବାଣୀ । ତାର ଭୁବନେ ରତ୍ନମଣି ॥ ୩୯
ସୁବର୍ଣ୍ଣ ଅଷ୍ଟଭାର ନିତି । ମଣି ଶରୀରୁ ଉତପତ୍ତି ॥ ୪୦
ଦୁର୍ଭିକ୍ଷ ମାରୀଭୟ ନାହିଁ । ଅଶୁଭ ତ୍ରାସ ନ ଲାଗଇ ॥ ୪୧
ସର୍ପବିଘାତ ଆଦି ରୋଗ । ନୁହଁନ୍ତି ଭୁବନେ ସଂଯୋଗ ॥ ୪୨
ଯହିଁ ପୂଜନ୍ତି ରତ୍ନମଣି । ତହିଁ ନ ଥାନ୍ତି ମାୟା ପ୍ରାଣୀ ॥ ୪୩
ଏମନ୍ତେ ଗଲା ଦିନାକେତେ । ଶୁଣ ରାଜନ ଏକଚିତ୍ତେ ॥ ୪୪
ଦିନେକ ପ୍ରଭୁ ଜଗନ୍ନାଥ । ଗୃହେ ଅଣାଇ ସତ୍ରାଜିତ ॥ ୪୫
କହନ୍ତି ପ୍ରଭୁ ଚକ୍ରପାଣି । ଉଗ୍ରସେନକୁ ଦିଅ ମଣି ॥ ୪୬
ଏହା ଭଣ୍ତାରେ ନାହିଁ ଧନ । ମଣି ଏ ପୂଜୁ କିଛିଦିନ ॥ ୪୭
ଏମନ୍ତେ ଗୋବିନ୍ଦ ବଚନେ । ଭାଳଇ ସତ୍ରାଜିତ ମନେ ॥ ୪୮
ଦିନକୁ ଦିନ ଅଷ୍ଟଭାର । ସୁବର୍ଣ୍ଣ ଭଣ୍ତାରେ ମୋହର ॥ ୪୯
କେମନ୍ତେ ଦେବି ରତ୍ନମଣି । ଏମନ୍ତେ ଭାଳି ହେଲା ତୁନି ॥ ୫୦
ଅର୍ଥ-କାମୁକ ଧନଆଶେ । ପଡ଼ିଲା ମାୟା-ମୋହ-ପାଶେ ॥ ୫୧
ଦେବା ନ ଦେବା ନ ବୋଇଲା । କୃଷ୍ଣର ଆଜ୍ଞା ଭଗ୍ନ କଲା ॥ ୫୨
ନିରାଶ କରି ଚକ୍ରଧରେ । ମିଳିଲା ଆପଣା ମନ୍ଦିରେ ॥ ୫୩
ଏମନ୍ତେ ଶୁଣ ନରନାଥ । ପ୍ରସେନ ନାମେ ତାର ଭ୍ରାତ ॥ ୫୪
ସେ ରତ୍ନମଣି କଣ୍ଠେ ଭରି । ଅଶ୍ୱ ଉପରେ ବିଜେ କରି ॥ ୫୫
ମୃଗୟାଛଳେ ସୁଖମନେ । ପଶିଲା ଗହନକାନନେ ॥ ୫୬
ଗହନବନେ ସିଂହ ଥିଲା । ପ୍ରସେନ ଦେଖି ଓଗାଳିଲା ॥ ୫୭
ଅଶ୍ୱ ସହିତେ ତାକୁ ମାରି । ସିଂହ ସେ ମଣି କଣ୍ଠେ ଭରି ॥ ୫୮
ପର୍ବତ ନିକଟେ ମିଳିଲା । ତହିଁ ଜାମ୍ବବ ବୀର ଥିଲା ॥ ୫୯
ଭଲ୍ଲକୁ ରୂପ ସେ ସ୍ୱଭାବେ । ଧାଇଁଲା ସିଂହ ଦେଖି ଜବେ ॥ ୬୦
କର ପ୍ରହାରେ ମୁଣ୍ତ କାଟି । ସିଂହ ପଡ଼ିଲା ମହୀ ଲୋଟି ॥ ୬୧
ସେ ମଣି ଘେନି ଅତିଖରେ । ପଶିଲା ବିବର ଭିତରେ ॥ ୬୨
ନିଜ ଭୁବନେ ବୀର ଯାଇ । ସେ ମଣି ପୁତ୍ରକଣ୍ଠେ ଦେଇ ॥ ୬୩
ଧାଇ ଖେଳାଏ ତାର ସୁତ । ଏବେ ହୋ ଶୁଣ ନରନାଥ ॥ ୬୪
ପ୍ରସନେ ନ ଦେଖି ନୟନେ । ଭାଳଇ ସତ୍ରାଜିତ ମନେ ॥ ୬୫
ମୃଗୟା ଗଲା ମୋର ଭ୍ରାତ । ପୁରେ ନୋହିଲା ଉପଗତ ॥ ୬୬
ବନେ କି ପଡ଼ିଲା ଆପଦ । ଶୋକେ ହୋଇଲା ଗଦଗଦ ॥ ୬୭
ଏମନ୍ତେ କରଇ ରୋଦନ । ବିକଳେ ବିଚାରଇ ମନ ॥ ୬୮
କୃଷ୍ଣ ମାଗିଲେ ମୋତେ ମଣି । ନଦେଇ ହୋଇଲି ମୁଁ ତୁନି ॥ ୬୯
ସେ ଅବା ମୋତେ ମାୟା କଲା । ପ୍ରସେନ ମାରି ମଣି ନେଲା ॥ ୭୦
ସେ କଥା ଶୁଣି ସର୍ବଜନେ । ମିଳି କହନ୍ତି କାନେ କାନେ ॥ ୭୧
ଗୋବିନ୍ଦ କଲେ ଏଡେ଼ କର୍ମ । ଲୋକରେ ଶୁଭିଲା ଲାଞ୍ଛନ ॥ ୭୨
ବିଷମଲୋକ ଅପବାଦ । ଶୁଣି ପାଇଲେ କୃଷ୍ଣ ଖେଦ ॥ ୭୩
ବୋଲନ୍ତି ମୋର ଅପମାନ । ମୁହିଁ ସେ କରିବି ମାର୍ଜନ ॥ ୭୪
ସଙ୍ଗତେ ଘେନି ସର୍ବଜନ । ବନେ ପଶିଲେ ଭଗବାନ ॥ ୭୫
ବନେ ଖୋଜନ୍ତି ବନମାଳୀ । ପ୍ରସେନ ହତସ୍ଥାନେ ମିଳି ॥ ୭୬
ଅଶ୍ୱ ସହିତେ ବନେ ମରି । ଦେଖି ଚକିତ ନରହରି ॥ ୭୭
ବୋଲନ୍ତି ମଲା ଏ କେମନ୍ତେ । ଦେଖିଲେ ସିଂହପାଦ ପଥେ ॥ ୭୮
ପହଣ୍ତ ଚିହ୍ନି ସର୍ବଜନେ । ଥୋକାଏ ଗଲେ ଘୋରବନେ ॥ ୭୯
ଗିରି-ନିକଟେ ନାରାୟଣ । ଦେଖିଲେ ସିଂହର ମରଣ ॥ ୮୦
ଚକିତେ ପ୍ରଭୁ ନରହରି । ସିଂହ ମରଣ ଅନୁସରି ॥ ୮୧
ଦେଖିଲେ ଭଲ୍ଲୁକ ଚରଣ । ସମ୍ଭ୍ରମେ ମିଳି ସର୍ବଜନ ॥ ୮୨
ଭଲ୍ଲୁକ ପାଦଚିହ୍ନ ଚାହିଁ । ଚଳନ୍ତି ଅଙ୍ଗୁଳି ଦେଖାଇ ॥ ୮୩
ପୁଣି କେତେହେଁ ଦୂର ଗଲେ । ଚରଣ ପଡ଼ିଛି ବିବରେ ॥ ୮୪
ସେ ବିଳ ଘୋର ଅନ୍ଧକାର । ଦେଖି ବୋଲନ୍ତି ଦାମୋଦର ॥ ୮୫
ତୁମ୍ଭେ ସକଳ ପ୍ରଜାଜନେ । ଏଠାରେ ଥାଅ ସାବଧାନେ ॥ ୮୬
ଆଜ ସେ ଲୋକ ଅପବାଦେ । ମୁହିଁ ପଶିବି ବିଳ ମଧ୍ୟେ ॥ ୮୭
ଏମନ୍ତ କହି ଭାବଗ୍ରାହୀ । ବିଳେ ପଶିଲେ ବେଗେ ଯାଇ ॥ ୮୮
ଅନ୍ଧାର ପଥେ ଦଇତ୍ୟାରି । ଜାମ୍ବବ ପୁରେ ବିଜେ କରି ॥ ୮୯
ତାହାର ପୁତ୍ରକଣ୍ଠେ ମଣି । ଦୂରୁ ଦେଖିଲେ ଚକ୍ରପାଣି ॥ ୯୦
ବେଗେ ମିଳିଲେ ତାର ପାଶେ । ସେ ମଣି ଲିଭିବାର ଆଶେ ॥ ୯୧
ଧାଈ ଯେ ପୁତ୍ରପାଶେ ଥିଲା । ଅପୂର୍ବ ପୁରୁଷ ଦେଖିଲା ॥ ୯୨
ମନୁଷ୍ୟ ଦେଖି ଭୟ କରି । ସଂଭ୍ରମେ ପୁତ୍ର କୋଳେ ଧରି ॥ ୯୩
ଭୟେ ଡ଼ାକିଲା ଉଚ୍ଚସ୍ୱରେ । ଜାମ୍ବବ ଥିଲା ଯେ ଭିତରେ ॥ ୯୪
ଶୁଣି ଧାଇଁଲା ମହାବଳୀ । ବେଗେ ବାଳକପାଶେ ମିଳି ॥ ୯୫
ଦେଖିଲା ପ୍ରଭୁ ଭଗବାନ । ହୃଦରେ ଶ୍ରୀବତ୍ସର ଚିହ୍ନ ॥ ୯୬
ଜାମ୍ବବ ଜଗନ୍ନାଥ ଚାହିଁ । ମାୟାରେ ଚିହ୍ନି ନ ପାରଇ ॥ ୯୭
ଇତରଲୋକ ପ୍ରାୟ ମଣି । କୋପେ ଧାଇଁଲା ଶିରଝୁଣି ॥ ୯୮
ଭଲ୍ଲୁକ ସ୍ୱଭାବ ଯୁକତ । ବେଗେ ଧାଇଁଲା କୃଷ୍ଣହସ୍ତ ॥ ୯୯
ହରି ମହିମା ନ ଜାଣିଲା । ମଣିଷ ପ୍ରାୟ ସେ ମଣିଲା ॥ ୧୦୦
ତକ୍ଷଣେ ପାଦେ ପାଦ ଛନ୍ଦି । ଭୁଜଯୁଗଳେ ହୃଦବାନ୍ଧି ॥ ୧୦୧
ବିଷମ ମାଲଯୁଦ୍ଧ ଘୋର । ଜିଣିବା ଆଦେଶ ବଳୀୟାର ॥ ୧୦୨
ଜିଣି ନ ପାରି ମାଲଯୁଦ୍ଧେ । ସମର କରନ୍ତି ଆୟୁଧେ ॥ ୧୦୩
ବୃକ୍ଷ ପାଷାଣ କରେ ଧରି । ପିଟନ୍ତି ଘୋରନାଦ କରି ॥ ୧୦୪
ଆମିଷ ଅର୍ଥେ ଯେହ୍ନେ ଖଗ । କୋପେ କରନ୍ତି ରଣରଙ୍ଗ ॥ ୧୦୫
ଏମନ୍ତେ ଅଷ୍ଟାଦଶ ଦିନ । ସମର କଲେ ବେନିଜନ ॥ ୧୦୬
ବୃକ୍ଷ ପାଷାଣ ଯେଣୁ ଗଲା । ଅନେକ କୋପ ଉପୁଜିଲା ॥ ୧୦୭
ମୁଷ୍ଟି ପ୍ରହାର ହୃଦେ ପଡ଼ି । ଶବଦ ବଜ୍ର ଘଡ଼ଘଡ଼ି ॥ ୧୦୮
ନିରତେ କରନ୍ତି ସମର । ଶୁଣ ରାଜନ କୁରୁବୀର ॥ ୧୦୯
କୃଷ୍ଣର ମୁଷ୍ଟି ହୃଦେ ବାଜି । ଜାମ୍ବବ ଅସ୍ଥି ଛନ୍ଦ ଭାଜି ॥ ୧୧୦
କ୍ଷୀଣ ହୋଇଲା ବଳ ଗାତ୍ର । ବିସ୍ମୟେ ହୋଇ ମୂରୁଛିତ ॥ ୧୧୧
ଚାହିଁଲା କୃଷ୍ଣ ବଦନ । ତକ୍ଷଣେ ପାଇ ଦିବ୍ୟଜ୍ଞାନ ॥ ୧୧୨
ବୋଲଇ କୃଷ୍ଣମୁଖ ଚାହିଁ । ଭୋନାଥ ମୋତେ କର ତ୍ରାହି ॥ ୧୧୩
ତୁ ସର୍ବ ପ୍ରାଣ ଓଜ ବଳ । ମହାପୁରୁଷ ଆଦିମୂଳ ॥ ୧୧୪
ପୁରାଣପୁରୁଷ ଅନାଦି । ସଂସାର ମାୟାବଳେ ଛନ୍ଦି ॥ ୧୧୫
ବରଦ ବିଷ୍ଣୁ ତୁ ଈଶ୍ୱର । ମହାମହିମ ଯୋଗେଶ୍ୱର ॥ ୧୧୬
ବ୍ରହ୍ମାଦି ଯେତେ ସୃଷ୍ଟିପାଳ । ତାହାଙ୍କ ସ୍ୱାମୀ ତୁ ଗୋପାଳ ॥ ୧୧୭
ଏ ସୃଷ୍ଟି ଅନ୍ତେ ତୋର ଦେହେ । ପଶନ୍ତି ପରମାଣୁ ପ୍ରାୟେ ॥ ୧୧୮
କାଳଦଳନ ବାନା ତୋର । ପରମ ଆତ୍ମା ଯୋଗେଶ୍ୱର ॥ ୧୧୯
ଈଷିତ ରୋଷ ତୋ ବଦନ । ଦେଖି ଜଳଧି କମ୍ପମାନ ॥ ୧୨୦
ଯେ ମହାମତ୍ସ୍ୟ ଗ୍ରାହଗଣ । କ୍ଷୋଭିତ ହୋଇ ଅନୁକ୍ଷଣ ॥ ୧୨୧
ତୋହର ଚରଣେ ପଡ଼ିଲେ । ଲଙ୍କା ଗମନେ ମାର୍ଗ ଦେଲେ ॥ ୧୨୨
ପର୍ବତେ ସେତୁବନ୍ଧ କରି । ଘୋର ସମୁଦ୍ର ହେଳେ ତରି ॥ ୧୨୩
ଲଙ୍କା ଦହିଲୁ ଘୋର ଦୃଷ୍ଟି । ରାବଣ ଦଶମୁଣ୍ତ କାଟି ॥ ୧୨୪
ରାକ୍ଷସ ଶିରେ ମହୀସ୍ଥଳୀ । ଯୁଦ୍ଧେ ଢାଙ୍କିଲୁ ବନମାଳୀ ॥ ୧୨୫
ଏମନ୍ତ ମହିମା ଯାହାର । ଭୋନାଥ ଶରଣ ମୁଁ ତୋର ॥ ୧୨୬
ମୁଁ ଛାର ନ ଜାଣିଲି ତୋତେ । ପଶୁରେ ଜନ୍ମକଲୁ ମୋତେ ॥ ୧୨୭
ଗୋବିନ୍ଦ ଶୁଣି ତା ବଚନ । ହୋଇଲେ ଅତି ହୃଷ୍ଟମନ ॥ ୧୨୮
ଶୁକ ବୋଲନ୍ତି ଶୁଣ ରାୟେ । ଦୟା ବସିଲା କୃଷ୍ଣଦେହେ ॥ ୧୨୯
ଜାମ୍ବବ ଶିରେ ଦେଇ କର । ଆଶ୍ୱାସ କଲେ ଚକ୍ରଧର ॥ ୧୩୦
ପରମ ଦୟାଳୁ ମୁରାରି । କହନ୍ତି ତାର କର ଧରି ॥ ୧୩୧
ମେଘ ଗମ୍ଭୀର ପ୍ରାୟ ବାଣୀ । ହସି କହନ୍ତି କମ୍ଭୁପାଣି ॥ ୧୩୨
ଏମଣି ହେତୁ ତୋର ବିଳେ । ପଶିଲି ମିଥ୍ୟାବାଦ ଛଳେ ॥ ୧୩୩
ଦୁଃସହ ଜନ ଅପବାଦ । ମିଥ୍ୟାବଚନେ ମନଖେଦ ॥ ୧୩୪
ଏ ମଣି ଯଦୁପୁରେ ନେବି । ଆପଣା ଦୋଷ ଛଡ଼ାଇବି ॥ ୧୩୫
ଜାମ୍ବବ କୃଷ୍ଣବାକ୍ୟ ଶୁଣି । ଆନନ୍ଦମନେ ପରିମାଣି ॥ ୧୩୬
କୃଷ୍ଣ ଅଇଲେ ମୋର ଘର । କି ଅବା ଦେବି ଉପହାର ॥ ୧୩୭
ମୋର ଦୁହିତା ଜାମ୍ବବତୀ । ତାର ସଦୃଶେ କୃଷ୍ଣପତି ॥ ୧୩୮
ଏମନ୍ତ ମନେ ବିଚାରିଲା । କନ୍ୟାର କଣ୍ଠେ ମଣି ଦେଲା ॥ ୧୩୯
କୃଷ୍ଣର ପାଦତଳେ ନେଇ । ବୋଲଇ ଶିରେ କର ଦେଇ ॥ ୧୪୦
ଭୋ ନାଥ ପରମପୁରୁଷ । ମୋହର ନ ଘେନିବା ଦୋଷ ॥ ୧୪୧
ଅନେକ କଲି ଅପରାଧ । ନ ଚିହ୍ନ ତୋର ପଦ୍ମପାଦ ॥ ୧୪୨
ଏମନ୍ତେ ଶୁଣ ହୋ ରାଜନ । ଦ୍ୱାରେ ଯେ ଥିଲେ ସର୍ବଜନ ॥ ୧୪୩
ନିରତେ ବିଳଦ୍ୱାରେ ଚାହିଁ । କୃଷ୍ଣ ଆଗମେ ମନ ଦେଇ ॥ ୧୪୪
ବଂଚିଲେ ଦ୍ୱାଦଶ ଦିବସ । ନ ଦେଖି ହୋଇଲେ ନିରାଶ ॥ ୧୪୫
ବାହୁଡ଼ିଗଲେ ଦୁଃଖ ମନେ । କହିଲେ କୃଷ୍ଣର ଭୁବନେ ॥ ୧୪୬
ଶୁଣି ଦେବକୀ ବସୁଦେବ । ଏ ଆଦି ସକଳ ଯାଦବ ॥ ୧୪୭
ରୁକ୍ମିଣୀ ଆଦି ବଧୂଜନ । ଶୁଣି ହୋଇଲେ ହତଜ୍ଞାନ ॥ ୧୪୮
ମିଳି ସୁହୃଦେ ବନ୍ଧୁଜନ । ବିକଳେ କରନ୍ତି ରୋଦନ ॥ ୧୪୯
ନ ଦେଖି ଅଭୟ ଚରଣ । ସଙ୍କଳ୍ପେ ଚିନ୍ତନ୍ତି ମରଣ ॥ ୧୫୦
ନ ଦେଖି ପ୍ରଭୁ ନରହରି । ଜୀବନ ନ ପାରନ୍ତି ଧରି ॥ ୧୫୧
ଦ୍ୱାରକାପୁର ଜନେ ଯାଇ । ନିନ୍ଦନ୍ତି ସତ୍ରାଜିତ ଚାହିଁ ॥ ୧୫୨
ତୋହର ଯୋଗୁଁ ଯଦୁପୁରୀ । ଆଜୁଁ ହୋଇଲା ହତଶିରୀ ॥ ୧୫୩
ଏମନ୍ତେ ଦୁଃଖ ଶୋକମନେ । ମିଳିଲେ ଅମ୍ବିକା ଭୁବନେ ॥ ୧୫୪
କୃଷ୍ଣଙ୍କୁ ଲଭିବାର ଆଶେ । ସ୍ତୁତି କରନ୍ତି ଦେବୀପାଶେ ॥ ୧୫୫
ନମୋ ଜଗତ ଆଦିମାତ । ଯାଦବେ ହୋଇଲୁ ଅନାଥା ॥ ୧୫୬
ଦୁର୍ଗମ ଦୁଃଖ ନାଶିବାରେ । ଦୁର୍ଗା ବୋଲାଉ ତିନିପୁରେ ॥ ୧୫୭
ତୋ ପାଦେ ପଶିଲୁ ଶରଣ । ଦେଖାଅ ଗୋବିନ୍ଦ ଚରଣ ॥ ୧୫୮
ଯଦୁଙ୍କ ଦୁଃଖ ଶୋକ ଜାଣି । ଶୂନ୍ୟେ କହନ୍ତି ଠାକୁରାଣୀ ॥ ୧୫୯
ମନେ ନ କର ତୁମ୍ଭେ ଶୋକ । ଦେଖିବ ଶ୍ରୀକୃଷ୍ଣର ମୁଖ ॥ ୧୬୦
ଏମନ୍ତ କହୁଁ କହୁଁ ଜନେ । ଗୋବିନ୍ଦ ମିଳିଲେ ଭୁବନେ ॥ ୧୬୧
କନ୍ୟା ସହିତେ ଭଗବାନ । ଘେନାଇ ଅମୂଲ୍ୟ ରତନ ॥ ୧୬୨
ହରଷ କରି ସୁରନର । ବିଜୟ କଲେ ଚକ୍ରଧର ॥ ୧୬୩
ଦେଖି ସାନନ୍ଦ ସର୍ବଜନେ । ମିଳିଲେ କୃଷ୍ଣ ଦରଶନେ ॥ ୧୬୪
ମଲା ପୁରୁଷ ଯେହ୍ନେ ଆସି । କହନ୍ତି କୃଷ୍ଣଙ୍କୁ ପ୍ରଶଂସି ॥ ୧୬୫
କନ୍ୟା ସହିତେ ଦାମୋଦର । ପ୍ରବେଶ ଆପଣା ମନ୍ଦିର ॥ ୧୬୬
ତକ୍ଷଣେ ସତ୍ରାଜିତେ ଆଣି । କହନ୍ତି ପ୍ରଭୁ ଚକ୍ରପାଣି ॥ ୧୬୭
ଉଗ୍ରସେନର ସଭାମଧ୍ୟେ । କୃଷ୍ଣ କହନ୍ତି ମନ ଖେଦେ ॥ ୧୬୮
ମଣି ଆଣିଲେ ଯେତେ ଦୁଃଖେ । କହିଲେ ଆପଣା ଶ୍ରୀମୁଖେ ॥ ୧୬୯
ମଣି ତାହାର କରେ ଦେଇ । ପୁରେ ମିଳିଲେ କୃଷ୍ଣଯାଇ ॥ ୧୭୦
ସଭାରୁ ସତ୍ରାଜିତ ମଣି । ସଭୟେ ନିଜ କରେ ଘେନି ॥ ୧୭୧
ଅତି ଲଜ୍ଜିତେ ଅଧୋମୁଖ । ପଥେ ଗମଇ ଦୁଃଖଶୋକେ ॥ ୧୭୨
ମତେ ବାଧିଲା ଅନୁତାପ । କୃଷ୍ଣଚରଣେ କଲି ପାପ ॥ ୧୭୩
ଦିନକୁ ଦିନ ମନଖେଦେ । ଭାଳଇ କୃଷ୍ଣ ଅପରାଧେ ॥ ୧୭୪
ନିରତେ ଭାଳଇ ବିଷାଦେ । ଦ୍ରୋହ ଯେ କଲି କୃଷ୍ଣପାଦେ ॥ ୧୭୫
କେମନ୍ତେ ଆତ୍ମଦୋଷ ଯିବ । ଗୋବିନ୍ଦ ପ୍ରସନ୍ନ ହୋଇବ ॥ ୧୭୬
ଲୋକେ ବୋଲିବେ ମୋତେ ଭଲ । ତେବେ ସେ ଯିବ ଆତ୍ମାଶଲ ॥ ୧୭୭
ବିଚାର ନାହିଁ ମୋର ତହିଁ । ସ୍ୱଭାବେ କ୍ଷୁଦ୍ର ମୁଁ ଅଟଇ ॥ ୧୭୮
ଅଜ୍ଞାତ ମୂଢ ଧନଲୋଭୀ । ଆପଣା ପାପେ ପରାଭବୀ ॥ ୧୭୯
ମଣିକାଞ୍ଚନେ ଲୋଭ ମୋର । ଅଯଶ କଲି ତିନିପୁର ॥ ୧୮୦
ଏ ଯେ ଦୁହିତା ଅଛି ମୋର । ଅପୂର୍ବ ସ୍ତିରୀ ରତ୍ନସାର ॥ ୧୮୧
ଏ ମଣି ଏହା କଣ୍ଠେ ଦେଇ । କୃଷ୍ଣଙ୍କୁ ସମର୍ପିବି ନେଇ ॥ ୧୮୨
ଏହି ଉପାୟ ମୋର ଭଲ । ଏ କନ୍ୟାରତ୍ନ ମଣି ତୁଲ୍ୟ ॥ ୧୮୩
ସେ ହରି କମଳାର ପତି । ଅନ୍ୟଥା ନାହିଁ ତାର ଶାନ୍ତି ॥ ୧୮୪
ଏମନ୍ତ ନିଜ କର୍ମ ଚିନ୍ତି । ଛାଡ଼ିଲା ମନୁ ଖେଦ ଭ୍ରାନ୍ତି ॥ ୧୮୫
ଏମନ୍ତ ମନେ ବିଚାରିଲା । ଦୁହିତା ଅଳଙ୍କୃତ କଲା ॥ ୧୮୬
କନ୍ୟାର କଣ୍ଠେ ମଣି ଦେଇ । ମିଳିଲା କୃଷ୍ଣପାଖେ ଯାଇ ॥ ୧୮୭
ଅଞ୍ଜଳି କରି ବେନିକର । କୃଷ୍ଣଙ୍କୁ କହଇ ମଧୁର ॥ ୧୮୮
ତୁ ନାଥ ଜଗତଠାକୁର । ମୁଁ ତୋର ଚରଣେ କିଙ୍କର ॥ ୧୮୯
ସତ୍ୟଭାମାକୁ ତୋତେ ଦେଇ । ଶରଣ ପଶିଲି ଗୋସାଇଁ ॥ ୧୯୦
ଏମନ୍ତ ତାର ବାକ୍ୟ ଶୁଣି । ଦୟାସାଗର ଚକ୍ରପାଣି ॥ ୧୯୧
ଆନନ୍ଦମନେ ଦେବଦେବା । ସତ୍ୟଭାମାକୁ ହେଲେ ବିଭା ॥ ୧୯୨
ଅଂଶେ କମଳା ଅବତାର । କି ଅବା ଦେବା ପଟାନ୍ତର ॥ ୧୯୩
ସୁନ୍ଦର ରୂପ ଦେଖି ତାର । ଅନେକ ହୋଇଥିବେ ବର ॥ ୧୯୪
ବିବାହ ଅନ୍ତେ ଚକ୍ରପାଣି । ସେ ମଣିରତ୍ନ କରେ ଘେନି ॥ ୧୯୫
ସତ୍ରାଜିତର ମୁଖ ଚାହିଁ । ବୋଇଲେ ମଣି ନିଅ ତୁହି ॥ ୧୯୬
ଏ ସୂର୍ଯ୍ୟକଣ୍ଠୁ ଅବତରି । କେ ଏହା ପାରିବଟି ଧରି ॥ ୧୯୭
ରବିଭକତି ତପଫଳେ । ତୁ ଏହା ଧରିପାରୁ ଭଲେ ॥ ୧୯୮
ଏ ପାପୀଜନଙ୍କୁ ନ ସହି । ଏ ମଣି ଆଉ ତୋର ତହିଁ ॥ ୧୯୯
ମଣି ପ୍ରସାଦେ ମୁଁ ବିହରି । ବିଭା ହୋଇଲି ବେନିନାରୀ ॥ ୨୦୦
ହରିଚରିତ ସୁଧମୟ । ଶୁଣନ୍ତେ ପାପ ହୋଏ କ୍ଷୟ ॥ ୨୦୧
ସୁଜନେ ଏହି ରସେ ରସ । ହେଳେ ତରିବ ମୋହପାଶ ॥ ୨୦୨
ବୋଲଇ ଦାସ ଜଗନ୍ନାଥ । ଗୀତବିନୋଦେ ଭାଗବତ ॥ ୨୦୩
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରାମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ସ୍ୟମନ୍ତକ ଉପାଖ୍ୟାନେ
ଷଷ୍ଠିତମ ଅଧ୍ୟାୟଃ ॥
* * *