ଦଶମ ସ୍କନ୍ଧ

ଷଷ୍ଟିତମ ଅଧ୍ୟାୟ

ଶୁକ ଉବାଚ

କହନ୍ତି ଶୁକ ମହାମୁନି । ଶୁଣ ରାଜନ ସାଧୁବାଣୀ ॥

ଯଦୁନଗରେ ସତ୍ରାଜିତ । କୃଷ୍ଣରେ କରି ଦ୍ରୋହଚିତ୍ତ ॥

ନିଜ ଦୁହିତା ସତ୍ୟଭାମା । ଅଂଶେ ସମ୍ଭୂତ ଯେହୁ ରମା ॥

ଅମୂଲ୍ୟ ସ୍ୟମନ୍ତକ ମଣି । ନିଜ ଦୁହିତା ସଙ୍ଗେ ଆଣି ॥

କୃଷ୍ଣଚରଣେ ଦେଲା ନେଇ । ଆତ୍ମ ଅପରାଧ ଛଡ଼ାଇ ॥

ଏମନ୍ତେ ଶୁକ ବାକ୍ୟ ଶୁଣି । ପରୀକ୍ଷ କହେ ସାଧୁବାଣୀ ॥

ପରୀକ୍ଷିତ ଉବାଚ

କହ କେମନ୍ତେ ସତ୍ରାଜିତ । କୃଷ୍ଣ ବିଷୟେ ବିପରୀତ ॥

କାହୁଁ ଆଣିଲା ରତ୍ନମଣି । ଦୁହିତା ତୁଲେ ଦେଲା ଆଣି ॥

କି ଦ୍ରୋହ କଲା ଯଦୁପୁରେ । ସ୍ୱଜନ ବାନ୍ଧବ ବେଭାରେ ॥

ଶୁକ ଉବାଚ

ଶୁଣି କହନ୍ତି ବ୍ୟାସସୁତ । ରାଜନ ଶୁଣ ଦେଇ ଚିତ୍ତ ॥ ୧୦

ଅନେକ ତପେ ସତ୍ରାଜିତ । ସୂର୍ଯ୍ୟ ସଙ୍ଗତେ ହେଲା ମିତ ॥ ୧୧

ପ୍ରସନ୍ନ ଚିତ୍ତେ ଦିନମଣି । ଆପଣା କଣ୍ଠୁ ରତ୍ନମଣି ॥ ୧୨

ସତ୍ରାଜିତର କଣ୍ଠେ ଦେଇ । ତପନ ଗଲେ ତୋଷ ହୋଇ ॥ ୧୩

ଏମନ୍ତେ ମଣି କଣ୍ଠେ ଭରି । ଆନନ୍ଦେ ଗଲା ନିଜ ପୁରୀ ॥ ୧୪

ପଥେ ଆସନ୍ତେ ସତ୍ରାଜିତ । ଦିଶଇ ଦ୍ୱିତୀୟ ଆଦିତ୍ୟ ॥ ୧୫

ମଣିର ତେଜେ ତାର ଦେହି । ଜନନୟନେ ନୋହେ ଚାହିଁ ॥ ୧୬

ଚାହିଁଲେ ଚକ୍ଷୁତେଜ ନାଶେ । କେହି ନ ରହେ ତାର ପାଶେ ॥ ୧୭

ଦେଖି ସକଳେ ପଳାଇଲେ । କୃଷ୍ଣର ନିକଟେ ମିଳିଲେ ॥ ୧୮

ଅଭୟ ପଦ୍ମପାଦେ ପଡ଼ି । କହନ୍ତି ବେନିକର ଯୋଡ଼ି ॥ ୧୯

ଅକ୍ଷ ଖେଳନ୍ତେ ଭଗବାନ । ଜନବଚନେ ଅବଧାନ ॥ ୨୦

ଜନେ କହନ୍ତି ଯୋଡ଼ିକର । ଭୋ ନାଥ ଶୁଣ ଚକ୍ରଧର ॥ ୨୧

ପଦ୍ମଲୋଚନ ନାରାୟଣ । ଅନାଦି ସଂସାର କାରଣ ॥ ୨୨

ଭୋ ନାଥ ତୋର ପଦ୍ମପାଦ । ଦର୍ଶନେ ରବି କଲା ସଧ ॥ ୨୩

ଗଗନେ ଛନ୍ତି ଦେହ ଧରି । ମର୍ତ୍ତ୍ୟେ ପ୍ରତ୍ୟକ୍ଷେ ବିଜେ କରି ॥ ୨୪

ତାହାର ତେଜେ ଭଗବାନ । ଚାହିଁଲେ ଝଲସେ ନୟନ ॥ ୨୫

ତୁ ନାଥ ଜଗତ ଠାକୁର । ସକଳେ ତୋହର କିଙ୍କର ॥ ୨୬

ଦେବେ ତୋହର ପଦ୍ମପାଦେ । ସେବନ୍ତି ମୋକ୍ଷଫଳ ସଧେ ॥ ୨୭

ଏ ଯଦୁବଂଶେ ତୋ ସମ୍ଭୁତ । ଶୁଣି ସାନନ୍ଦେ ଛାୟାକାନ୍ତ ॥ ୨୮

ଦେଖିବ ତୋହର ଚରଣ । ତୁ ଯେ ଅନାଦି ନାରାୟଣ ॥ ୨୯

ବୋଲନ୍ତି ଶୁକ ମହାମୁନି । ଜନବଚନ କୃଷ୍ଣ ଶୁଣି ॥ ୩୦

ପଦ୍ମଲୋଚନେ ଚାହିଁ ବସି । କହନ୍ତି ସ୍ୱଜନେ ଆଶ୍ୱାସି ॥ ୩୧

ଭଗବାନ ଉବାଚ

ସେ ନୋହେ ପ୍ରଭୁ ଦିନନାଥ । ବର ଲଭିଲା ସତ୍ରାଜିତ ॥ ୩୨

ତପେ ଆଦିତ୍ୟେ ସେବା କରି । ଆସଇ ମଣି କଣ୍ଠେ ଭରି ॥ ୩୩

ମଣି କିରଣ ରବିପ୍ରାୟ । ତୁମ୍ଭେ ନକର ମନେ ଭୟ ॥ ୩୪

ଏମନ୍ତ କହି ଭଗବାନ । ଅକ୍ଷକ୍ରୀଡ଼ାରେ ଦେଲେ ମନ ॥ ୩୫

ଏମନ୍ତେ ସତ୍ରାଜିତ ଗଲା । ନିଜ ଭୁବନେ ବିଜେ କଲା ॥ ୩୬

ନିତ୍ୟେ ଉତ୍ସବ ତାର ପୁରେ । ଦେବମନ୍ଦିରେ ବିପ୍ରବରେ ॥ ୩୭

ମଣି ନିବେଶି ଦେବଘରେ । ଆନନ୍ଦେ ପଶିଲା ଭିତରେ ॥ ୩୮

ଶୁଣ ରାଜନ ସାଧୁବାଣୀ । ତାର ଭୁବନେ ରତ୍ନମଣି ॥ ୩୯

ସୁବର୍ଣ୍ଣ ଅଷ୍ଟଭାର ନିତି । ମଣି ଶରୀରୁ ଉତପତ୍ତି ॥ ୪୦

ଦୁର୍ଭିକ୍ଷ ମାରୀଭୟ ନାହିଁ । ଅଶୁଭ ତ୍ରାସ ନ ଲାଗଇ ॥ ୪୧

ସର୍ପବିଘାତ ଆଦି ରୋଗ । ନୁହଁନ୍ତି ଭୁବନେ ସଂଯୋଗ ॥ ୪୨

ଯହିଁ ପୂଜନ୍ତି ରତ୍ନମଣି । ତହିଁ ନ ଥାନ୍ତି ମାୟା ପ୍ରାଣୀ ॥ ୪୩

ଏମନ୍ତେ ଗଲା ଦିନାକେତେ । ଶୁଣ ରାଜନ ଏକଚିତ୍ତେ ॥ ୪୪

ଦିନେକ ପ୍ରଭୁ ଜଗନ୍ନାଥ । ଗୃହେ ଅଣାଇ ସତ୍ରାଜିତ ॥ ୪୫

କହନ୍ତି ପ୍ରଭୁ ଚକ୍ରପାଣି । ଉଗ୍ରସେନକୁ ଦିଅ ମଣି ॥ ୪୬

ଏହା ଭଣ୍ତାରେ ନାହିଁ ଧନ । ମଣି ଏ ପୂଜୁ କିଛିଦିନ ॥ ୪୭

ଏମନ୍ତେ ଗୋବିନ୍ଦ ବଚନେ । ଭାଳଇ ସତ୍ରାଜିତ ମନେ ॥ ୪୮

ଦିନକୁ ଦିନ ଅଷ୍ଟଭାର । ସୁବର୍ଣ୍ଣ ଭଣ୍ତାରେ ମୋହର ॥ ୪୯

କେମନ୍ତେ ଦେବି ରତ୍ନମଣି । ଏମନ୍ତେ ଭାଳି ହେଲା ତୁନି ॥ ୫୦

ଅର୍ଥ-କାମୁକ ଧନଆଶେ । ପଡ଼ିଲା ମାୟା-ମୋହ-ପାଶେ ॥ ୫୧

ଦେବା ନ ଦେବା ନ ବୋଇଲା । କୃଷ୍ଣର ଆଜ୍ଞା ଭଗ୍ନ କଲା ॥ ୫୨

ନିରାଶ କରି ଚକ୍ରଧରେ । ମିଳିଲା ଆପଣା ମନ୍ଦିରେ ॥ ୫୩

ଏମନ୍ତେ ଶୁଣ ନରନାଥ । ପ୍ରସେନ ନାମେ ତାର ଭ୍ରାତ ॥ ୫୪

ସେ ରତ୍ନମଣି କଣ୍ଠେ ଭରି । ଅଶ୍ୱ ଉପରେ ବିଜେ କରି ॥ ୫୫

ମୃଗୟାଛଳେ ସୁଖମନେ । ପଶିଲା ଗହନକାନନେ ॥ ୫୬

ଗହନବନେ ସିଂହ ଥିଲା । ପ୍ରସେନ ଦେଖି ଓଗାଳିଲା ॥ ୫୭

ଅଶ୍ୱ ସହିତେ ତାକୁ ମାରି । ସିଂହ ସେ ମଣି କଣ୍ଠେ ଭରି ॥ ୫୮

ପର୍ବତ ନିକଟେ ମିଳିଲା । ତହିଁ ଜାମ୍ବବ ବୀର ଥିଲା ॥ ୫୯

ଭଲ୍ଲକୁ ରୂପ ସେ ସ୍ୱଭାବେ । ଧାଇଁଲା ସିଂହ ଦେଖି ଜବେ ॥ ୬୦

କର ପ୍ରହାରେ ମୁଣ୍ତ କାଟି । ସିଂହ ପଡ଼ିଲା ମହୀ ଲୋଟି ॥ ୬୧

ସେ ମଣି ଘେନି ଅତିଖରେ । ପଶିଲା ବିବର ଭିତରେ ॥ ୬୨

ନିଜ ଭୁବନେ ବୀର ଯାଇ । ସେ ମଣି ପୁତ୍ରକଣ୍ଠେ ଦେଇ ॥ ୬୩

ଧାଇ ଖେଳାଏ ତାର ସୁତ । ଏବେ ହୋ ଶୁଣ ନରନାଥ ॥ ୬୪

ପ୍ରସନେ ନ ଦେଖି ନୟନେ । ଭାଳଇ ସତ୍ରାଜିତ ମନେ ॥ ୬୫

ମୃଗୟା ଗଲା ମୋର ଭ୍ରାତ । ପୁରେ ନୋହିଲା ଉପଗତ ॥ ୬୬

ବନେ କି ପଡ଼ିଲା ଆପଦ । ଶୋକେ ହୋଇଲା ଗଦଗଦ ॥ ୬୭

ଏମନ୍ତେ କରଇ ରୋଦନ । ବିକଳେ ବିଚାରଇ ମନ ॥ ୬୮

କୃଷ୍ଣ ମାଗିଲେ ମୋତେ ମଣି । ନଦେଇ ହୋଇଲି ମୁଁ ତୁନି ॥ ୬୯

ସେ ଅବା ମୋତେ ମାୟା କଲା । ପ୍ରସେନ ମାରି ମଣି ନେଲା ॥ ୭୦

ସେ କଥା ଶୁଣି ସର୍ବଜନେ । ମିଳି କହନ୍ତି କାନେ କାନେ ॥ ୭୧

ଗୋବିନ୍ଦ କଲେ ଏଡେ଼ କର୍ମ । ଲୋକରେ ଶୁଭିଲା ଲାଞ୍ଛନ ॥ ୭୨

ବିଷମଲୋକ ଅପବାଦ । ଶୁଣି ପାଇଲେ କୃଷ୍ଣ ଖେଦ ॥ ୭୩

ବୋଲନ୍ତି ମୋର ଅପମାନ । ମୁହିଁ ସେ କରିବି ମାର୍ଜନ ॥ ୭୪

ସଙ୍ଗତେ ଘେନି ସର୍ବଜନ । ବନେ ପଶିଲେ ଭଗବାନ ॥ ୭୫

ବନେ ଖୋଜନ୍ତି ବନମାଳୀ । ପ୍ରସେନ ହତସ୍ଥାନେ ମିଳି ॥ ୭୬

ଅଶ୍ୱ ସହିତେ ବନେ ମରି । ଦେଖି ଚକିତ ନରହରି ॥ ୭୭

ବୋଲନ୍ତି ମଲା ଏ କେମନ୍ତେ । ଦେଖିଲେ ସିଂହପାଦ ପଥେ ॥ ୭୮

ପହଣ୍ତ ଚିହ୍ନି ସର୍ବଜନେ । ଥୋକାଏ ଗଲେ ଘୋରବନେ ॥ ୭୯

ଗିରି-ନିକଟେ ନାରାୟଣ । ଦେଖିଲେ ସିଂହର ମରଣ ॥ ୮୦

ଚକିତେ ପ୍ରଭୁ ନରହରି । ସିଂହ ମରଣ ଅନୁସରି ॥ ୮୧

ଦେଖିଲେ ଭଲ୍ଲୁକ ଚରଣ । ସମ୍ଭ୍ରମେ ମିଳି ସର୍ବଜନ ॥ ୮୨

ଭଲ୍ଲୁକ ପାଦଚିହ୍ନ ଚାହିଁ । ଚଳନ୍ତି ଅଙ୍ଗୁଳି ଦେଖାଇ ॥ ୮୩

ପୁଣି କେତେହେଁ ଦୂର ଗଲେ । ଚରଣ ପଡ଼ିଛି ବିବରେ ॥ ୮୪

ସେ ବିଳ ଘୋର ଅନ୍ଧକାର । ଦେଖି ବୋଲନ୍ତି ଦାମୋଦର ॥ ୮୫

ତୁମ୍ଭେ ସକଳ ପ୍ରଜାଜନେ । ଏଠାରେ ଥାଅ ସାବଧାନେ ॥ ୮୬

ଆଜ ସେ ଲୋକ ଅପବାଦେ । ମୁହିଁ ପଶିବି ବିଳ ମଧ୍ୟେ ॥ ୮୭

ଏମନ୍ତ କହି ଭାବଗ୍ରାହୀ । ବିଳେ ପଶିଲେ ବେଗେ ଯାଇ ॥ ୮୮

ଅନ୍ଧାର ପଥେ ଦଇତ୍ୟାରି । ଜାମ୍ବବ ପୁରେ ବିଜେ କରି ॥ ୮୯

ତାହାର ପୁତ୍ରକଣ୍ଠେ ମଣି । ଦୂରୁ ଦେଖିଲେ ଚକ୍ରପାଣି ॥ ୯୦

ବେଗେ ମିଳିଲେ ତାର ପାଶେ । ସେ ମଣି ଲିଭିବାର ଆଶେ ॥ ୯୧

ଧାଈ ଯେ ପୁତ୍ରପାଶେ ଥିଲା । ଅପୂର୍ବ ପୁରୁଷ ଦେଖିଲା ॥ ୯୨

ମନୁଷ୍ୟ ଦେଖି ଭୟ କରି । ସଂଭ୍ରମେ ପୁତ୍ର କୋଳେ ଧରି ॥ ୯୩

ଭୟେ ଡ଼ାକିଲା ଉଚ୍ଚସ୍ୱରେ । ଜାମ୍ବବ ଥିଲା ଯେ ଭିତରେ ॥ ୯୪

ଶୁଣି ଧାଇଁଲା ମହାବଳୀ । ବେଗେ ବାଳକପାଶେ ମିଳି ॥ ୯୫

ଦେଖିଲା ପ୍ରଭୁ ଭଗବାନ । ହୃଦରେ ଶ୍ରୀବତ୍ସର ଚିହ୍ନ ॥ ୯୬

ଜାମ୍ବବ ଜଗନ୍ନାଥ ଚାହିଁ । ମାୟାରେ ଚିହ୍ନି ନ ପାରଇ ॥ ୯୭

ଇତରଲୋକ ପ୍ରାୟ ମଣି । କୋପେ ଧାଇଁଲା ଶିରଝୁଣି ॥ ୯୮

ଭଲ୍ଲୁକ ସ୍ୱଭାବ ଯୁକତ । ବେଗେ ଧାଇଁଲା କୃଷ୍ଣହସ୍ତ ॥ ୯୯

ହରି ମହିମା ନ ଜାଣିଲା । ମଣିଷ ପ୍ରାୟ ସେ ମଣିଲା ॥ ୧୦୦

ତକ୍ଷଣେ ପାଦେ ପାଦ ଛନ୍ଦି । ଭୁଜଯୁଗଳେ ହୃଦବାନ୍ଧି ॥ ୧୦୧

ବିଷମ ମାଲଯୁଦ୍ଧ ଘୋର । ଜିଣିବା ଆଦେଶ ବଳୀୟାର ॥ ୧୦୨

ଜିଣି ନ ପାରି ମାଲଯୁଦ୍ଧେ । ସମର କରନ୍ତି ଆୟୁଧେ ॥ ୧୦୩

ବୃକ୍ଷ ପାଷାଣ କରେ ଧରି । ପିଟନ୍ତି ଘୋରନାଦ କରି ॥ ୧୦୪

ଆମିଷ ଅର୍ଥେ ଯେହ୍ନେ ଖଗ । କୋପେ କରନ୍ତି ରଣରଙ୍ଗ ॥ ୧୦୫

ଏମନ୍ତେ ଅଷ୍ଟାଦଶ ଦିନ । ସମର କଲେ ବେନିଜନ ॥ ୧୦୬

ବୃକ୍ଷ ପାଷାଣ ଯେଣୁ ଗଲା । ଅନେକ କୋପ ଉପୁଜିଲା ॥ ୧୦୭

ମୁଷ୍ଟି ପ୍ରହାର ହୃଦେ ପଡ଼ି । ଶବଦ ବଜ୍ର ଘଡ଼ଘଡ଼ି ॥ ୧୦୮

ନିରତେ କରନ୍ତି ସମର । ଶୁଣ ରାଜନ କୁରୁବୀର ॥ ୧୦୯

କୃଷ୍ଣର ମୁଷ୍ଟି ହୃଦେ ବାଜି । ଜାମ୍ବବ ଅସ୍ଥି ଛନ୍ଦ ଭାଜି ॥ ୧୧୦

କ୍ଷୀଣ ହୋଇଲା ବଳ ଗାତ୍ର । ବିସ୍ମୟେ ହୋଇ ମୂରୁଛିତ ॥ ୧୧୧

ଚାହିଁଲା କୃଷ୍ଣ ବଦନ । ତକ୍ଷଣେ ପାଇ ଦିବ୍ୟଜ୍ଞାନ ॥ ୧୧୨

ବୋଲଇ କୃଷ୍ଣମୁଖ ଚାହିଁ । ଭୋନାଥ ମୋତେ କର ତ୍ରାହି ॥ ୧୧୩

ତୁ ସର୍ବ ପ୍ରାଣ ଓଜ ବଳ । ମହାପୁରୁଷ ଆଦିମୂଳ ॥ ୧୧୪

ପୁରାଣପୁରୁଷ ଅନାଦି । ସଂସାର ମାୟାବଳେ ଛନ୍ଦି ॥ ୧୧୫

ବରଦ ବିଷ୍ଣୁ ତୁ ଈଶ୍ୱର । ମହାମହିମ ଯୋଗେଶ୍ୱର ॥ ୧୧୬

ବ୍ରହ୍ମାଦି ଯେତେ ସୃଷ୍ଟିପାଳ । ତାହାଙ୍କ ସ୍ୱାମୀ ତୁ ଗୋପାଳ ॥ ୧୧୭

ଏ ସୃଷ୍ଟି ଅନ୍ତେ ତୋର ଦେହେ । ପଶନ୍ତି ପରମାଣୁ ପ୍ରାୟେ ॥ ୧୧୮

କାଳଦଳନ ବାନା ତୋର । ପରମ ଆତ୍ମା ଯୋଗେଶ୍ୱର ॥ ୧୧୯

ଈଷିତ ରୋଷ ତୋ ବଦନ । ଦେଖି ଜଳଧି କମ୍ପମାନ ॥ ୧୨୦

ଯେ ମହାମତ୍ସ୍ୟ ଗ୍ରାହଗଣ । କ୍ଷୋଭିତ ହୋଇ ଅନୁକ୍ଷଣ ॥ ୧୨୧

ତୋହର ଚରଣେ ପଡ଼ିଲେ । ଲଙ୍କା ଗମନେ ମାର୍ଗ ଦେଲେ ॥ ୧୨୨

ପର୍ବତେ ସେତୁବନ୍ଧ କରି । ଘୋର ସମୁଦ୍ର ହେଳେ ତରି ॥ ୧୨୩

ଲଙ୍କା ଦହିଲୁ ଘୋର ଦୃଷ୍ଟି । ରାବଣ ଦଶମୁଣ୍ତ କାଟି ॥ ୧୨୪

ରାକ୍ଷସ ଶିରେ ମହୀସ୍ଥଳୀ । ଯୁଦ୍ଧେ ଢାଙ୍କିଲୁ ବନମାଳୀ ॥ ୧୨୫

ଏମନ୍ତ ମହିମା ଯାହାର । ଭୋନାଥ ଶରଣ ମୁଁ ତୋର ॥ ୧୨୬

ମୁଁ ଛାର ନ ଜାଣିଲି ତୋତେ । ପଶୁରେ ଜନ୍ମକଲୁ ମୋତେ ॥ ୧୨୭

ଗୋବିନ୍ଦ ଶୁଣି ତା ବଚନ । ହୋଇଲେ ଅତି ହୃଷ୍ଟମନ ॥ ୧୨୮

ଶୁକ ବୋଲନ୍ତି ଶୁଣ ରାୟେ । ଦୟା ବସିଲା କୃଷ୍ଣଦେହେ ॥ ୧୨୯

ଜାମ୍ବବ ଶିରେ ଦେଇ କର । ଆଶ୍ୱାସ କଲେ ଚକ୍ରଧର ॥ ୧୩୦

ପରମ ଦୟାଳୁ ମୁରାରି । କହନ୍ତି ତାର କର ଧରି ॥ ୧୩୧

ମେଘ ଗମ୍ଭୀର ପ୍ରାୟ ବାଣୀ । ହସି କହନ୍ତି କମ୍ଭୁପାଣି ॥ ୧୩୨

ଏମଣି ହେତୁ ତୋର ବିଳେ । ପଶିଲି ମିଥ୍ୟାବାଦ ଛଳେ ॥ ୧୩୩

ଦୁଃସହ ଜନ ଅପବାଦ । ମିଥ୍ୟାବଚନେ ମନଖେଦ ॥ ୧୩୪

ଏ ମଣି ଯଦୁପୁରେ ନେବି । ଆପଣା ଦୋଷ ଛଡ଼ାଇବି ॥ ୧୩୫

ଜାମ୍ବବ କୃଷ୍ଣବାକ୍ୟ ଶୁଣି । ଆନନ୍ଦମନେ ପରିମାଣି ॥ ୧୩୬

କୃଷ୍ଣ ଅଇଲେ ମୋର ଘର । କି ଅବା ଦେବି ଉପହାର ॥ ୧୩୭

ମୋର ଦୁହିତା ଜାମ୍ବବତୀ । ତାର ସଦୃଶେ କୃଷ୍ଣପତି ॥ ୧୩୮

ଏମନ୍ତ ମନେ ବିଚାରିଲା । କନ୍ୟାର କଣ୍ଠେ ମଣି ଦେଲା ॥ ୧୩୯

କୃଷ୍ଣର ପାଦତଳେ ନେଇ । ବୋଲଇ ଶିରେ କର ଦେଇ ॥ ୧୪୦

ଭୋ ନାଥ ପରମପୁରୁଷ । ମୋହର ନ ଘେନିବା ଦୋଷ ॥ ୧୪୧

ଅନେକ କଲି ଅପରାଧ । ନ ଚିହ୍ନ ତୋର ପଦ୍ମପାଦ ॥ ୧୪୨

ଏମନ୍ତେ ଶୁଣ ହୋ ରାଜନ । ଦ୍ୱାରେ ଯେ ଥିଲେ ସର୍ବଜନ ॥ ୧୪୩

ନିରତେ ବିଳଦ୍ୱାରେ ଚାହିଁ । କୃଷ୍ଣ ଆଗମେ ମନ ଦେଇ ॥ ୧୪୪

ବଂଚିଲେ ଦ୍ୱାଦଶ ଦିବସ । ନ ଦେଖି ହୋଇଲେ ନିରାଶ ॥ ୧୪୫

ବାହୁଡ଼ିଗଲେ ଦୁଃଖ ମନେ । କହିଲେ କୃଷ୍ଣର ଭୁବନେ ॥ ୧୪୬

ଶୁଣି ଦେବକୀ ବସୁଦେବ । ଏ ଆଦି ସକଳ ଯାଦବ ॥ ୧୪୭

ରୁକ୍ମିଣୀ ଆଦି ବଧୂଜନ । ଶୁଣି ହୋଇଲେ ହତଜ୍ଞାନ ॥ ୧୪୮

ମିଳି ସୁହୃଦେ ବନ୍ଧୁଜନ । ବିକଳେ କରନ୍ତି ରୋଦନ ॥ ୧୪୯

ନ ଦେଖି ଅଭୟ ଚରଣ । ସଙ୍କଳ୍ପେ ଚିନ୍ତନ୍ତି ମରଣ ॥ ୧୫୦

ନ ଦେଖି ପ୍ରଭୁ ନରହରି । ଜୀବନ ନ ପାରନ୍ତି ଧରି ॥ ୧୫୧

ଦ୍ୱାରକାପୁର ଜନେ ଯାଇ । ନିନ୍ଦନ୍ତି ସତ୍ରାଜିତ ଚାହିଁ ॥ ୧୫୨

ତୋହର ଯୋଗୁଁ ଯଦୁପୁରୀ । ଆଜୁଁ ହୋଇଲା ହତଶିରୀ ॥ ୧୫୩

ଏମନ୍ତେ ଦୁଃଖ ଶୋକମନେ । ମିଳିଲେ ଅମ୍ବିକା ଭୁବନେ ॥ ୧୫୪

କୃଷ୍ଣଙ୍କୁ ଲଭିବାର ଆଶେ । ସ୍ତୁତି କରନ୍ତି ଦେବୀପାଶେ ॥ ୧୫୫

ନମୋ ଜଗତ ଆଦିମାତ । ଯାଦବେ ହୋଇଲୁ ଅନାଥା ॥ ୧୫୬

ଦୁର୍ଗମ ଦୁଃଖ ନାଶିବାରେ । ଦୁର୍ଗା ବୋଲାଉ ତିନିପୁରେ ॥ ୧୫୭

ତୋ ପାଦେ ପଶିଲୁ ଶରଣ । ଦେଖାଅ ଗୋବିନ୍ଦ ଚରଣ ॥ ୧୫୮

ଯଦୁଙ୍କ ଦୁଃଖ ଶୋକ ଜାଣି । ଶୂନ୍ୟେ କହନ୍ତି ଠାକୁରାଣୀ ॥ ୧୫୯

ମନେ ନ କର ତୁମ୍ଭେ ଶୋକ । ଦେଖିବ ଶ୍ରୀକୃଷ୍ଣର ମୁଖ ॥ ୧୬୦

ଏମନ୍ତ କହୁଁ କହୁଁ ଜନେ । ଗୋବିନ୍ଦ ମିଳିଲେ ଭୁବନେ ॥ ୧୬୧

କନ୍ୟା ସହିତେ ଭଗବାନ । ଘେନାଇ ଅମୂଲ୍ୟ ରତନ ॥ ୧୬୨

ହରଷ କରି ସୁରନର । ବିଜୟ କଲେ ଚକ୍ରଧର ॥ ୧୬୩

ଦେଖି ସାନନ୍ଦ ସର୍ବଜନେ । ମିଳିଲେ କୃଷ୍ଣ ଦରଶନେ ॥ ୧୬୪

ମଲା ପୁରୁଷ ଯେହ୍ନେ ଆସି । କହନ୍ତି କୃଷ୍ଣଙ୍କୁ ପ୍ରଶଂସି ॥ ୧୬୫

କନ୍ୟା ସହିତେ ଦାମୋଦର । ପ୍ରବେଶ ଆପଣା ମନ୍ଦିର ॥ ୧୬୬

ତକ୍ଷଣେ ସତ୍ରାଜିତେ ଆଣି । କହନ୍ତି ପ୍ରଭୁ ଚକ୍ରପାଣି ॥ ୧୬୭

ଉଗ୍ରସେନର ସଭାମଧ୍ୟେ । କୃଷ୍ଣ କହନ୍ତି ମନ ଖେଦେ ॥ ୧୬୮

ମଣି ଆଣିଲେ ଯେତେ ଦୁଃଖେ । କହିଲେ ଆପଣା ଶ୍ରୀମୁଖେ ॥ ୧୬୯

ମଣି ତାହାର କରେ ଦେଇ । ପୁରେ ମିଳିଲେ କୃଷ୍ଣଯାଇ ॥ ୧୭୦

ସଭାରୁ ସତ୍ରାଜିତ ମଣି । ସଭୟେ ନିଜ କରେ ଘେନି ॥ ୧୭୧

ଅତି ଲଜ୍ଜିତେ ଅଧୋମୁଖ । ପଥେ ଗମଇ ଦୁଃଖଶୋକେ ॥ ୧୭୨

ମତେ ବାଧିଲା ଅନୁତାପ । କୃଷ୍ଣଚରଣେ କଲି ପାପ ॥ ୧୭୩

ଦିନକୁ ଦିନ ମନଖେଦେ । ଭାଳଇ କୃଷ୍ଣ ଅପରାଧେ ॥ ୧୭୪

ନିରତେ ଭାଳଇ ବିଷାଦେ । ଦ୍ରୋହ ଯେ କଲି କୃଷ୍ଣପାଦେ ॥ ୧୭୫

କେମନ୍ତେ ଆତ୍ମଦୋଷ ଯିବ । ଗୋବିନ୍ଦ ପ୍ରସନ୍ନ ହୋଇବ ॥ ୧୭୬

ଲୋକେ ବୋଲିବେ ମୋତେ ଭଲ । ତେବେ ସେ ଯିବ ଆତ୍ମାଶଲ ॥ ୧୭୭

ବିଚାର ନାହିଁ ମୋର ତହିଁ । ସ୍ୱଭାବେ କ୍ଷୁଦ୍ର ମୁଁ ଅଟଇ ॥ ୧୭୮

ଅଜ୍ଞାତ ମୂଢ ଧନଲୋଭୀ । ଆପଣା ପାପେ ପରାଭବୀ ॥ ୧୭୯

ମଣିକାଞ୍ଚନେ ଲୋଭ ମୋର । ଅଯଶ କଲି ତିନିପୁର ॥ ୧୮୦

ଏ ଯେ ଦୁହିତା ଅଛି ମୋର । ଅପୂର୍ବ ସ୍ତିରୀ ରତ୍ନସାର ॥ ୧୮୧

ଏ ମଣି ଏହା କଣ୍ଠେ ଦେଇ । କୃଷ୍ଣଙ୍କୁ ସମର୍ପିବି ନେଇ ॥ ୧୮୨

ଏହି ଉପାୟ ମୋର ଭଲ । ଏ କନ୍ୟାରତ୍ନ ମଣି ତୁଲ୍ୟ ॥ ୧୮୩

ସେ ହରି କମଳାର ପତି । ଅନ୍ୟଥା ନାହିଁ ତାର ଶାନ୍ତି ॥ ୧୮୪

ଏମନ୍ତ ନିଜ କର୍ମ ଚିନ୍ତି । ଛାଡ଼ିଲା ମନୁ ଖେଦ ଭ୍ରାନ୍ତି ॥ ୧୮୫

ଏମନ୍ତ ମନେ ବିଚାରିଲା । ଦୁହିତା ଅଳଙ୍କୃତ କଲା ॥ ୧୮୬

କନ୍ୟାର କଣ୍ଠେ ମଣି ଦେଇ । ମିଳିଲା କୃଷ୍ଣପାଖେ ଯାଇ ॥ ୧୮୭

ଅଞ୍ଜଳି କରି ବେନିକର । କୃଷ୍ଣଙ୍କୁ କହଇ ମଧୁର ॥ ୧୮୮

ତୁ ନାଥ ଜଗତଠାକୁର । ମୁଁ ତୋର ଚରଣେ କିଙ୍କର ॥ ୧୮୯

ସତ୍ୟଭାମାକୁ ତୋତେ ଦେଇ । ଶରଣ ପଶିଲି ଗୋସାଇଁ ॥ ୧୯୦

ଏମନ୍ତ ତାର ବାକ୍ୟ ଶୁଣି । ଦୟାସାଗର ଚକ୍ରପାଣି ॥ ୧୯୧

ଆନନ୍ଦମନେ ଦେବଦେବା । ସତ୍ୟଭାମାକୁ ହେଲେ ବିଭା ॥ ୧୯୨

ଅଂଶେ କମଳା ଅବତାର । କି ଅବା ଦେବା ପଟାନ୍ତର ॥ ୧୯୩

ସୁନ୍ଦର ରୂପ ଦେଖି ତାର । ଅନେକ ହୋଇଥିବେ ବର ॥ ୧୯୪

ବିବାହ ଅନ୍ତେ ଚକ୍ରପାଣି । ସେ ମଣିରତ୍ନ କରେ ଘେନି ॥ ୧୯୫

ସତ୍ରାଜିତର ମୁଖ ଚାହିଁ । ବୋଇଲେ ମଣି ନିଅ ତୁହି ॥ ୧୯୬

ଏ ସୂର୍ଯ୍ୟକଣ୍ଠୁ ଅବତରି । କେ ଏହା ପାରିବଟି ଧରି ॥ ୧୯୭

ରବିଭକତି ତପଫଳେ । ତୁ ଏହା ଧରିପାରୁ ଭଲେ ॥ ୧୯୮

ଏ ପାପୀଜନଙ୍କୁ ନ ସହି । ଏ ମଣି ଆଉ ତୋର ତହିଁ ॥ ୧୯୯

ମଣି ପ୍ରସାଦେ ମୁଁ ବିହରି । ବିଭା ହୋଇଲି ବେନିନାରୀ ॥ ୨୦୦

ହରିଚରିତ ସୁଧମୟ । ଶୁଣନ୍ତେ ପାପ ହୋଏ କ୍ଷୟ ॥ ୨୦୧

ସୁଜନେ ଏହି ରସେ ରସ । ହେଳେ ତରିବ ମୋହପାଶ ॥ ୨୦୨

ବୋଲଇ ଦାସ ଜଗନ୍ନାଥ । ଗୀତବିନୋଦେ ଭାଗବତ ॥ ୨୦୩

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରାମହଂସ୍ୟାଂ ସଂହିତାୟାଂ

ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ସ୍ୟମନ୍ତକ ଉପାଖ୍ୟାନେ

ଷଷ୍ଠିତମ ଅଧ୍ୟାୟଃ ॥

* * *