ଦଶମ ସ୍କନ୍ଧ
ଉନଷଷ୍ଟିତମ ଅଧ୍ୟାୟ
ନମଇଁ ନୃସିଂହ ଚରଣ । ଅନାଦି ପରମ କାରଣ ॥ ୧
କହନ୍ତି ବ୍ୟାସଙ୍କର ଶିଷ । ଶୁଣ ରାଜନ ମନତୋଷ ॥ ୨
ରୁକ୍ମିଣୀ ଘେନି ଭଗବାନ । ରଙ୍ଗେ ରମିଲେ କେତେଦିନ ॥ ୩
ଏମନ୍ତେ ବିଧାତାର ବଶେ । କନ୍ଦର୍ପ ନାରାୟଣ ଅଂଶେ ॥ ୪
ଜାତ ହୋଇଲା ଦେହ ବହି । ଶୁଣ ରାଜନ ମନଦେଇ ॥ ୫
ପୂର୍ବେ ଦେବଙ୍କ କାର୍ଯ୍ୟେ ଗଲା । ଈଶ୍ୱର ତପ ଭଗ୍ନ କଲା ॥ ୬
ଘୋର ସମାଧି ଭଗ୍ନକାଳେ । କଠୋର-ନୟନ-ଅନଳେ ॥ ୭
ଶରୀର କଲା ଭସ୍ମଯୋଗ । ତେଣୁ ସେ ବୋଲାଇ ଅନଙ୍ଗ ॥ ୮
କୃଷ୍ଣର ବୀର୍ଯ୍ୟେ ଜାତ ହୋଇ । ପୁଣି ପାଇଲା ନିଜ ଦେହୀ ॥ ୯
ତାହାର ପତ୍ନୀ ନାମ ରତି । ମାୟା ସଂଯୋଗେ ମାୟାବତୀ ॥ ୧୦
କାମଦେବର ଭସ୍ମକାଳେ । ଶମ୍ବର ନେଲା ତାକୁ ବଳେ ॥ ୧୧
ଅସୁର ଘରେ କାମସତୀ । ମାୟା ମୋହିଲା ମାୟାବତୀ ॥ ୧୨
ନିତ୍ୟେ କନ୍ୟାଏ ଜାତକରେ । ଶମ୍ବର ଭୋଗ କରେ ତାରେ ॥ ୧୩
ଦିନ ହରଇ ତହିଁ ଥାଇ । ଏକଥା ନ ଜାଣନ୍ତି କେହି ॥ ୧୪
ଏମନ୍ତେ ଶୁଣ ନରନାଥ । ଶମ୍ବରପୁରେ ବ୍ରହ୍ମାସୁତ ॥ ୧୫
ରାେତ୍ରେ ମିଳିଲେ ତାର ପାଶେ । କହନ୍ତି ସୁହୃଦ ବିଶ୍ୱାସେ ॥ ୧୬
ବୋଲନ୍ତି ଅସୁରକୁ ଚାହିଁ । ନିଶ୍ଚିତେ ଅଛୁ କାହିଁପାଇଁ ॥ ୧୭
କନ୍ଦର୍ପ ତୋହର ବଇରୀ । ଆଜ ଜନ୍ମିଲା ଯଦୁପୁରୀ ॥ ୧୮
ରୁକ୍ମିଣୀ ଗର୍ଭେ କୃଷ୍ଣବୀର୍ଯ୍ୟେ । ଜାତ ହୋଇଲା ମହାତେଜେ ॥ ୧୯
ତୁ ଯାଇ ବେଗେ କର ନାଶ । ସେ ତୋର ମରଣେ ବିଶ୍ୱାସ ॥ ୨୦
କହି ଚଳିଲେ ଶୂନ୍ୟପଥେ । ଅସୁର ମାରିବାର ଅର୍ଥେ ॥ ୨୧
ନାରଦବଚନେ ଅସୁର । ପଶିଲା ଦ୍ୱାରକା ନଗର ॥ ୨୨
କୃଷ୍ଣର ଅନ୍ତଃପୁରେ ଯାଇ । ଯହିଁ ରୁକ୍ମିଣୀଛନ୍ତି ଶୋଇ ॥ ୨୩
ପଶିଲା ମାୟାରୂପ ଧରି । ସୂତିକା ଘରୁ ପୁତ୍ର ହରି ॥ ୨୪
ଗଗନମାର୍ଗେ ଘେନିଯାନ୍ତେ । ଦୈତ୍ୟ ଭାଳଇ ହୃଦଗତେ ॥ ୨୫
ଏ ଯେବେ ମୋହର ବଇରୀ । ମୁଁ କିମ୍ପା ଅଛି କୋଳେ ଧରି ॥ ୨୬
ଏମନ୍ତ ମନେ ବିଚାରିଲା । ସମୁଦ୍ର ମଧ୍ୟେ ପକାଇଲା ॥ ୨୭
ଆହାର ପ୍ରାୟ ପାଇ ଭାବ । ତକ୍ଷଣେ ଗିଳିଲା ରାଘବ ॥ ୨୮
କୃଷ୍ଣର ବଳବୀର୍ଯ୍ୟ ଯୋଗେ । ଭସ୍ମ ନୋହିଲା ମୀନଗର୍ଭେ ॥ ୨୯
ରାଘମ ମତ୍ସ୍ୟଗଣ ମେଳେ । ପଡ଼ିଲା କୈବର୍ତ୍ତ ଜାଲରେ ॥ ୩୦
ଧୀବରଗଣେ ତାହା ପାଇ । ଶମ୍ବର ଆଗେ ଦେଲେ ନେଇ ॥ ୩୧
ଅସୁର ମୀନ ଦେଖି ହସି । ସେବକେ ବୋଲଇ ବିଶ୍ୱାସି ॥ ୩୨
ସୂପକାରଙ୍କ ପାଶେ ଦିଅ । ରନ୍ଧନ କର ବୋଲି କୁହ ॥ ୩୩
ତକ୍ଷଣେ ମୀନ ଘେନି କରେ । ସେବକେ ମିଳିଲେ ଭିତରେ ॥ ୩୪
ମୀନ କାଟନ୍ତେ ସୂପକାରେ । ବାଳକ ଦେଖିଲେ ଉଦରେ ॥ ୩୫
ତକ୍ଷଣେ ପୁତ୍ର କୋଳେ ଲଇଁ । ଶମ୍ବର ଆଗେ ଦେଲେ ନେଇ ॥ ୩୬
ଦେଖି ସାନନ୍ଦ ମହାସୁର । ବୋଲଇ ଶୁଣ ସୂପକାର ॥ ୩୭
ଦଇବେ ମୋର ପୁତ୍ର ନାହିଁ । ରତି ସମୀପେ ଦିଅ ନେଇ ॥ ୩୮
ଏ ମୋର ହୋଇବ କୁମର । ତକ୍ଷଣେ ଗଲେ ସୂପକାର ॥ ୩୯
ରତିର କୋଳେ ନେଇ ଦେଲେ । ଭୋ ମାତ ପାଳ ଏହା ଭଲେ ॥ ୪୦
ଦେଖି ସାନନ୍ଦ ମାୟାବତୀ । ପୁତ୍ରପାଳନେ ଦେଲା ମତି ॥ ୪୧
ଦିନକୁ ଦିନ କୃଷ୍ଣବୀର୍ଯ୍ୟ । ବଢଇ ଅପ୍ରମିତ ତେଜ ॥ ୪୨
ଏମନ୍ତେ ଗଲା କେତେ ଦିନ । ମିଳିଲେ ବ୍ରହ୍ମାଙ୍କ ନନ୍ଦନ ॥ ୪୩
ଅସୁର ଅନ୍ତଃପୁରେ ପଶି । ରତିକି କହନ୍ତି ବିଶ୍ୱାସି ॥ ୪୪
ଆଦିକାରଣ କଥା କହି । ବୋଇଲେ ତୋର ସ୍ୱାମୀ ଏହି ॥ ୪୫
ଅନଙ୍ଗ କୃଷ୍ଣବୀର୍ଯ୍ୟେ ଜାତ । ସୂତିକା ଘରୁ ଏ ଦଇତ ॥ ୪୬
ହରି ଆଣନ୍ତେ ବାହୁବଳେ । ପଥେ କ୍ଷେପିଲା ସିନ୍ଧୁଜଳେ ॥ ୪୭
ଆହାର ପ୍ରାୟ ମଣି ମୀନ । ଗିଳିଲା କୃଷ୍ଣର ନନ୍ଦନ ॥ ୪୮
ବନ୍ଦୀ ପଡ଼ିଲା ମହାଜାଲେ । ଦଇବ ଦେଲା ତୋତେ ଭଲେ ॥ ୪୯
ଏହାକୁ ପାଳ ଚିତ୍ତ ଦେଇ । ଶମ୍ବର ସଂହାରିବ ଏହି ॥ ୫୦
ବିମାନେ ତୋତେ କୋଳ କରି । ଗମିବ ଦ୍ୱାରକା ନଗରୀ ॥ ୫୧
ଲଭିବୁ ତୋର ନିଜ କାନ୍ତ । କହି ଚଳିଲେ ବ୍ରହ୍ମାସୁତ ॥ ୫୨
ସେ କାମନାରୀ ମାୟାବତୀ । ସ୍ୱାମୀ ସଙ୍ଗମ ମନେ ଚିନ୍ତି ॥ ୫୩
ଅସୁର ବୋଲେ ପାକଶାଳେ । ବସଇ ସୂପକାର ମେଳେ ॥ ୫୪
ରନ୍ଧନ କରି ଷଡ଼ରସ । ଅସୁର ମନ କରେ ତୋଷ ॥ ୫୫
ଏମନ୍ତେ ଶୁଣ ନରନାଥ । ଦିନକୁ ଦିନ କୃଷ୍ଣସୁତ ॥ ୫୬
ଶୁକଳ ପକ୍ଷେ ଚନ୍ଦ୍ର ଯେହ୍ନେ । ତେଜେ ବଢ଼ଇ ଦିନେ ଦିନେ ॥ ୫୭
ନିଜ ସ୍ୱାମୀଙ୍କି ଶିଶୁ ଦେଖି । ସ୍ନେହେ ପାଳଇ ଶଶୀମୁଖୀ ॥ ୫୮
ଅଳପଦିନେ ଯୁବା ଦେହ । ଦେଖି କାମିନୀ ଗଲେ ମୋହ ॥ ୫୯
ଭସ୍ମଅଙ୍କୁର ସେ ମଦନ । ବିଶେଷେ କୃଷ୍ଣର ନନ୍ଦନ ॥ ୬୦
ଲୋଚନେ ଦିଶେ ପଦ୍ମତେଜ । ଲମ୍ବ ସୁନ୍ଦର ବେନିଭୁଜ ॥ ୬୧
ଅତି ସୁନ୍ଦର ରୂପ ଦେଖି । ଅଳପ ହାସେ ଶଶୀମୁଖୀ ॥ ୬୨
କଟାକ୍ଷ ନୟନେ ଅନାଇଁ । ଭାବେ କାମିନୀ ପ୍ରାୟ ହୋଇ ॥ ୬୩
ମିଳିଲା କୃଷ୍ଣସୁତ ପାଶେ । ସକାମେ ରତିରଙ୍ଗ ଆଶେ ॥ ୬୪
ଦେଖି ତାହାର ବିପରୀତ । ଭୟେ ଉଠିଲା କୃଷ୍ଣସୁତ ॥ ୬୫
ସଂଭ୍ରମେ ତାର ମୁଖ ଚାହିଁ । ବୋଲଇ ଶିରେ କରଦେଇ ॥ ୬୬
ତୁହି ମୋହର ନିଜ ମାତ । ଏବେ ଦେଖିଲି ବିପରୀତ ॥ ୬୭
ମାତାର ସ୍ନେହ ଦୂର କରି । କାମିନୀଭାବକୁ ଆଚରି ॥ ୬୮
କହ କେବଣ ଏହୁ କୃତ୍ୟ । ଭୟେ ବୋଲଇ କୃଷ୍ଣସୁତ ॥ ୬୯
ଶୁଣି ଭାଷଇ ମାୟାବତୀ । ତୁ ନାଥ ମୋର ନିଜ ପତି ॥ ୭୦
ରୁଦ୍ରନୟନେ ଭସ୍ମ ହୋଇ । ଅନଙ୍ଗ ନାମ ବହୁ ତୁହି ॥ ୭୧
କେତେହେଁ କାଳେ ନିଜତେଜ । ଜାତ ହୋଇଲୁ କୃଷ୍ଣବୀର୍ଯ୍ୟେ ॥ ୭୨
ନାରଦମୁଖୁଁ ତୋର ବାଣୀ । ନିଜ ମରଣ ତଥ୍ୟ ଶୁଣି ॥ ୭୩
ମାୟା-ଅସୁର ବେଗେ ଗଲା । ଦ୍ୱାରକା ନବରେ ମିଳିଲା ॥ ୭୪
ସୂତିକାଘରୁ ତୋତେ ଆଣି । ଆତ୍ମବଇରୀ ପ୍ରାୟ ମଣି ॥ ୭୫
ଲବଣଜଳେ ପକାଇଲା । ତୋତେ ଯେ ମୀନ ଗିଳିଥିଲା ॥ ୭୬
ସେ ମୀନ ଅସୁର ନିକଟେ । ଧୀବର ଆଣିଦେଲା ଭେଟେ ॥ ୭୭
ସୁଆର ଆଣି ପାକଶାଳେ । ଶସ୍ତ୍ରେ ଛେଦିଲା ଯେତେବେଳେ ॥ ୭୮
ମୀନ ଉଦରୁ ତୋତେ ପାଇ । ପାଳଇ ସ୍ନେହଭରେ ମୁହିଁ ॥ ୭୯
ନାରଦ କହିଗଲେ ଏବେ । ତେଣୁ ସେବଇ ପତ୍ନୀଭାବେ ॥ ୮୦
ମୋହର ନିଜ ନାମ ରତି । ଦଇବ ମିଳାଇଲା ପତି ॥ ୮୧
ମାୟାରେ ବଞ୍ଚାଇ ଅସୁର । ବସଇ ଶମ୍ବରର ପୁର ॥ ୮୨
ଦୁର୍ଜୟ ରିପୁ ଏ ତୋହର । ଏହାର ପ୍ରାଣ ବେଗେ ହର ॥ ୮୩
ଅନେକ ମାୟାଶସ୍ତ୍ର ଜାଣେ । ଦେବେ ଡରନ୍ତି ଏହା ଜାଣେ ॥ ୮୪
ମୋହର ମାୟା ଅଛି ଯେତେ । ଶମ୍ବର ନ ଜାଣଇ ତେତେ ॥ ୮୫
ମାୟାମୋହନ ଶସ୍ତ୍ର ଭେଦି । ବେଗେ ଏହାର ଶିର ଛେଦି ॥ ୮୬
ବିମାନେ ବସି ନାଥ ଏବେ । ଚାଲ ଦ୍ୱାରକା ଯିବା ବେଗେ ॥ ୮୭
ତୋର ଜନନୀ ଚନ୍ଦ୍ରମୁଖୀ । ରୁକ୍ମିଣୀଦେବୀ ବଡ଼ ଦୁଃଖୀ ॥ ୮୮
ଉଦରେ ବସି ଦଶମାସ । ପ୍ରସବି ହୋଇଲେ ନିରାଶ ॥ ୮୯
କୁରରୀ ପ୍ରାୟେ ପୁତ୍ର ଶୋକେ । ଦିନ ବଞ୍ଚଇ ଅତିଦୁଃଖେ ॥ ୯୦
ଆକୁଳେ ପୁତ୍ର ଶୋକେ ଦେହି । ମୃତବତ୍ସିକା ଯେହ୍ନେ ଗାଈ ॥ ୯୧
ଏମନ୍ତ କହି ତାର ପାଶେ । ମୋହ୍ନ ବିଦ୍ୟା ଦେଲା ତୋଷେ ॥ ୯୨
ସକଳ ମାୟା ଯେଣେ ଜିଣି । ସ୍ୱାମୀଙ୍କି କହିଲା ତରୁଣୀ ॥ ୯୩
କୃଷ୍ଣନନ୍ଦନ ଶୁଣି ତାହା । ଅଭ୍ୟାସ କଲା ସର୍ବମାୟା ॥ ୯୪
ଏମନ୍ତେ ପାହିଲା ରଜନୀ । କନ୍ଦର୍ପ କରେ ଗଦା ଘେନି ॥ ୯୫
ଶମ୍ବର ସଭାତଳେ ମିଳି । ଯୁଦ୍ଧେ ଡାକଇ ମହାବଳୀ ॥ ୯୬
ଅନେକ ନିନ୍ଦାବାକ୍ୟ ମତ । କହନ୍ତେ କଳି କଲା ଦୈତ୍ୟ ॥ ୯୭
ଅତିନିନ୍ଦିତ କଥା ଶୁଣି । ବେଗେ ଉଠିଲା ଶିର ଶୁଣି ॥ ୯୮
ଶମ୍ବର କହେ ବଳଦର୍ପେ । ଯଷ୍ଟି ପ୍ରହାରେ ଯେହ୍ନେ ସର୍ପେ ॥ ୯୯
ବଜ୍ରସମାନ ଗଦା କର । ଶମ୍ବର ହୋଇଲା ବାହାର ॥ ୧୦୦
ରୋଷେ ଲୋଚନ ତମ୍ବାପ୍ରାୟେ । ପିଟିଲା ପ୍ରଦ୍ୟୁମ୍ନର ଦେହେ ॥ ୧୦୧
କୋପେ ଛାଡ଼ିଲା ଘୋରରଡ଼ି । ଯେସନେ ବଜ୍ର ଘଡ଼ଘଡ଼ି ॥ ୧୦୨
କୃଷ୍ଣନନ୍ଦନ ଗଦା ବେଗେ । କୋପେ ବୁଲାଇ ଦଶଦିଗେ ॥ ୧୦୩
ଶମ୍ବର ଗଦା କଲା ଚୂର । କୋପେ ଡାକିଲା ମହାବୀର ॥ ୧୦୪
କନ୍ଦର୍ପ କରେ ଗଦା ଦେଖି । ଅସୁର ସମର ଉପେକ୍ଷି ॥ ୧୦୫
ଗଗନମାର୍ଗେ ଆଶ୍ରେ କରି । ଅନେକ ମାୟାଶସ୍ତ୍ର ଧରି ॥ ୧୦୬
ଶର ବରଷା ମହାଘୋର । କଲାକ ମାୟାବୀ ଅସୁର ॥ ୧୦୭
ବାଣ ବରଷେ ପୀଡା ପାଇ । କନ୍ଦର୍ପ ଚଉଦିଗେ ଚାହିଁ ॥ ୧୦୮
ନିଜ ମୋହିନୀମାୟା ସତ୍ତ୍ୱ । ଶମ୍ବରମାୟା କଲା ହତ ॥ ୧୦୯
ପୁଣି ଅସୁର ଶୂନ୍ୟଦେହା । ପ୍ରକାଶ କଲା ନାନାମାୟା ॥ ୧୧୦
ପିଶାଚ ଗନ୍ଧର୍ବ ଗୁହ୍ୟକ । ରାକ୍ଷସ ଉରଗ ଶୋଷକ ॥ ୧୧୧
ଶତସହସ୍ର ଅପ୍ରମିତ । ଯୁଦ୍ଧେ ପ୍ରକାଶିଲା ଦଇତ୍ୟ ॥ ୧୧୨
ସକଳମାୟା କୃଷ୍ଣସୁତ । ନିଜ ମାୟାରେ କଲା ହତ ॥ ୧୧୩
ନିଜ ଖଡ଼ଗ କରେ ଧରି । ପ୍ରଦ୍ୟୁମ୍ନ ଗଗନେ ସଞ୍ଚରି ॥ ୧୧୪
ଶମ୍ବର ଶିର ବାମକରେ । ଧରି କାଟିଲା କୋପଭରେ ॥ ୧୧୫
ମୁଣ୍ତ ପଡ଼ିଲା ଭୂମିତଳେ । ସୁନ୍ଦର କିରୀଟ କୁଣ୍ତଳେ ॥ ୧୧୬
ତମ୍ବାର ପ୍ରାୟ ଦାଢ଼ି ମୁଖେ । ଦେଖନ୍ତି ସ୍ୱର୍ଗେ ଦେବଲୋକେ ॥ ୧୧୭
ଆନନ୍ଦେ କୁସୁମ ବରଷି । କାମର ବିକ୍ରମ ପ୍ରଶଂସି ॥ ୧୧୮
ଶମ୍ବର ମାରି କୃଷ୍ଣବଳା । ସୁବର୍ଣ୍ଣରଥେ ବିଜେ କଲା ॥ ୧୧୯
କୋଳେ ବସାଇ ମାୟାବତୀ । ବେଗେ ଚଳିଲା ଦ୍ୱାରାବତୀ ॥ ୧୨୦
ଗଗନମାର୍ଗେ କୃର୍ଷ୍ଣପୁରେ । ବିମାନ ପଶିଲା ଭିତରେ ॥ ୧୨୧
ବିଜୁଳି ସଙ୍ଗେ ମେଘ ଯେହ୍ନେ । ଦେଖି ଚକିତ ସର୍ବଜନେ ॥ ୧୨୨
କୃଷ୍ଣର ପୁରେ ଯେତେ ନାରୀ । ରୁକ୍ମିଣୀ ଆଦି ମନୋହାରୀ ॥ ୧୨୩
ଅପୂର୍ବ କୃଷ୍ଣର ନନ୍ଦନ । ଦିଶନ୍ତି ଅତି ଶୋଭାବନ ॥ ୧୨୪
ନୀଳଜୀମୂତ ପ୍ରାୟ ଦେହୀ । ପୀତବସନ ବିରାଜଇ ॥ ୧୨୫
ପଦ୍ମଲୋଚନ ଦୀର୍ଘବାହୁ । ବୋଲନ୍ତି ଅଇଲା ଏ କାହୁଁ ॥ ୧୨୬
ଅଳପ ହାସେ ମୁଖ ଶୋହେ । ରୂପେ କାମିନୀ ମନମୋହେ ॥ ୧୨୭
ନୀଳକୁନ୍ତଳ ଭୃଙ୍ଗ ତେଜେ । ସୁନ୍ଦର ମୁଖପଦ୍ମ ସାଜେ ॥ ୧୨୮
କୃଷ୍ଣର ପ୍ରାୟ ତାକୁ ମଣି । ସଂଭ୍ରମେ ଲୁଚିଲେ ତରୁଣୀ ॥ ୧୨୯
ପୁଣି କ୍ଷଣକେ ସ୍ଥିର ଚାହିଁ । ଜାଣିଲେ କୃଷ୍ଣ ଏ ନୁହେଇ ॥ ୧୩୦
ପୁଣି ମିଳିଲେ ତାର ପାଶେ । ନିଶ୍ଚୟ ଜାଣିବାର ଆଶେ ॥ ୧୩୧
ଆନନ୍ଦେ ତାର ମୁଖ ଚାହିଁ । ମଦନେ ମନ ନ ଚଳଇ ॥ ୧୩୨
କାମିନୀରତ୍ନ ତାର କୋଳେ । ଦେଖି ଭାଲନ୍ତି କାମଭୋଳେ ॥ ୧୩୩
ରୁକ୍ମିଣୀ ସୁତକୁ ଅନାଇ । ବିତର୍କମନେ ବିଚାରଇ ॥ ୧୩୪
ପ୍ରସବକାଳେ ମୋ କୁମର । ଶୟନସ୍ଥାନୁ ନେଲା ଚୋର ॥ ୧୩୫
ପୁତ୍ର ସୁମରି ଦୁଃଖମନେ । କ୍ଷୀର ସ୍ରବଇ ବେନିସ୍ତନେ ॥ ୧୩୬
କାହୁଁ ଅଇଲା ଏ କୁମର । ମନୁଷ୍ୟ ରତ୍ନ କଳେବର ॥ ୧୩୭
କୃଷ୍ଣର ଚିହ୍ନ ଏହା ଦେହେ । ଦିଶଇ ଇନ୍ଦ୍ରନୀଳ ପ୍ରାୟେ ॥ ୧୩୮
କାହାର ଗର୍ଭେ ଏହୁ ଥିଲା । ଅପୂର୍ବ କାହୁଁ ଏ ଅଇଲା ॥ ୧୩୯
ଯୁବତୀରତ୍ନ ଅଛି କୋଳେ । ଲଭିଲା ପୂର୍ବ ପୁଣ୍ୟଫଳେ ॥ ୧୪୦
ମୋର ବାଳକ ନାଶ ଗଲା । ସୂତିକା ଘରୁ କେ ହରିଲା ॥ ୧୪୧
ଜୀବନେ ଥିଲେ ଯହିଁ ତହିଁ । ଏହାର ତୁଲେ ସମ ହୋଇ ॥ ୧୪୨
ଏ ଯେ ସକଳ ଚିହ୍ନ ବହି । କୃଷ୍ଣର ପ୍ରାୟେକ ଦିଶଇ ॥ ୧୪୩
ଆକୃତି ବୟ ବପୁ ଯେହ୍ନେ । ସୁନ୍ଦର ହାସ ବିଲୋକନେ ॥ ୧୪୪
ସେ ପୁତ୍ର ଅବା ହୋଇ ଏବେ । ଯାହା ଧଇଲି ମୁହିଁ ଗର୍ଭେ ॥ ୧୪୫
ମୋ ଚିତ୍ତେ ସ୍ନେହ ଏହା ଚାହିଁ । ବାମନୟନ ମୋ ସ୍ପୁରଇ ॥ ୧୪୬
ପୁଲକେ କମ୍ପେ ବାମଭୁଜ । ଏହାର ଅଙ୍ଗେ କୃଷ୍ଣତେଜ ॥ ୧୪୭
ରୁକ୍ମିଣୀ ଏମନ୍ତ ବିଚାରି । ବିଜୟ କଲେ ନରହରି ॥ ୧୪୮
ଦେବକୀ ବସୁଦେବ ସଙ୍ଗେ । କୃଷ୍ଣ ମିଳିଲେ ସୁତ ଆଗେ ॥ ୧୪୯
ଗୋବିନ୍ଦ ତାହା ସର୍ବ ଜାଣି । କୁମର ଦେଖି ହେଲେ ତୁନି ॥ ୧୫୦
ଏମନ୍ତେ ଶୁଣ ନରନାଥ । ବ୍ରହ୍ମାନନ୍ଦନ ଉପଗତ ॥ ୧୫୧
ଦେଖିଣ ସଂଶୟ ବିଷାଦ । ସକଳ କହିଲେ ନାରଦ ॥ ୧୫୨
ଶୁଣି ନାରଦ ମୁଖୁଁ ବାଣୀ । ଗୋବିନ୍ଦ ଯେତେକ ତରୁଣୀ ॥ ୧୫୩
ତରୁଣ ବାଳ ବୃଦ୍ଧ ସଙ୍ଗେ । ଉତ୍ସବ କଲେ ନାନା ରଙ୍ଗେ ॥ ୧୫୪
ଦେଖ ରୁକ୍ମିଣୀ ପୁଣ୍ୟ ରାଶି । ଯମଭୁବନୁ ପୁତ୍ର ଆସି ॥ ୧୫୫
ମୋହିଲା ଦ୍ୱାରକା ଭୁବନ । ବାଳ ତରୁଣ ବୃଦ୍ଧଜନ ॥ ୧୫୬
କୋଳେ କାମିନୀ ସୁକୁମାରୀ । ରୂପେ ଭୁବନେ ନାହିଁ ସରି ॥ ୧୫୭
ଦେବକୀଦେବୀ ବସୁଦେବ । ଥିଲେ ଯେ ଶ୍ରୀରାମ ମାଧବ ॥ ୧୫୮
ଯଦୁନଗରେ ନାରୀ ଯେତେ । ମିଳିଲେ ଦୁର୍ବାଙ୍କୁର ହସ୍ତେ ॥ ୧୫୯
ଅକ୍ଷତ ଦେଇ ପୁତ୍ର ଶିରେ । ମଙ୍ଗଳ କଲେ ଉଚ୍ଚସ୍ୱରେ ॥ ୧୬୦
ରୁକ୍ମିଣୀ ଘେନି ପୁତ୍ର କୋଳେ । ଚୁମ୍ବନ ଦେଲେ ସୁଖଭୋଳେ ॥ ୧୬୧
ସଙ୍ଗେ ସକଳ ପରିବାରୀ । ଆନନ୍ଦେ କୋଳେ ବଧୂ ଧରି ॥ ୧୬୨
ଯଦୁନଗରେ ଯେତେ ଜନ । ଶୁଣି ସାନନ୍ଦ କଲେ ମନ ॥ ୧୬୩
ରୁକ୍ମିଣୀଦେବୀ ଭାଗ୍ୟ ଦେଖ । ମରଣୁ ଅଇଲା ବାଳକ ॥ ୧୬୪
ଶୁକ କହନ୍ତି ଶୁଣ ନୃପ । ମାତାଏ ଦେଖି ପୁତ୍ରରୂପ ॥ ୧୬୫
କୃଷ୍ଣର ପ୍ରାୟ ମଣି ତାହା । ଆନନ୍ଦେ ବଳିଲା ଉତ୍ସାହା ॥ ୧୬୬
ସ୍ୱଭାବେ କାମ କୃଷ୍ଣପ୍ରାୟେ । ସର୍ବଲକ୍ଷଣ ଅଛି ଦେହେ ॥ ୧୬୭
ଅନ୍ୟ ଭୁବନେ ନାରୀ ଯେତେ । ତାହାକୁ ଦେଖି ଦୃଷ୍ଟିପଥେ ॥ ୧୬୮
କାମେ ହୋଇଲେ ଉନମତ୍ତ । ଚିତ୍ର ନୋହଇ ଏହୁ କଥା ॥ ୧୬୯
ବୋଲଇ ଦାସ ଜଗନ୍ନାଥ । ରୁକ୍ମିଣୀ ତନୟ ପ୍ରାପତ ॥ ୧୭୦
ସୁଜନେ ଶୁଣ ଶ୍ରୁତିପଥେ । ସଂସାରୁ ତରିବ ଯେମନ୍ତେ ॥ ୧୭୧
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ପ୍ରଦ୍ୟୁମ୍ନ ଉତ୍ପତ୍ତି ନିରୁପଣଂ ନାମ
ଉନଷଷ୍ଟିତମ ଅଧ୍ୟାୟଃ ॥
* * *