ଦଶମ ସ୍କନ୍ଧ

ଉନଷଷ୍ଟିତମ ଅଧ୍ୟାୟ

ନମଇଁ ନୃସିଂହ ଚରଣ । ଅନାଦି ପରମ କାରଣ ॥

କହନ୍ତି ବ୍ୟାସଙ୍କର ଶିଷ । ଶୁଣ ରାଜନ ମନତୋଷ ॥

ରୁକ୍ମିଣୀ ଘେନି ଭଗବାନ । ରଙ୍ଗେ ରମିଲେ କେତେଦିନ ॥

ଏମନ୍ତେ ବିଧାତାର ବଶେ । କନ୍ଦର୍ପ ନାରାୟଣ ଅଂଶେ ॥

ଜାତ ହୋଇଲା ଦେହ ବହି । ଶୁଣ ରାଜନ ମନଦେଇ ॥

ପୂର୍ବେ ଦେବଙ୍କ କାର୍ଯ୍ୟେ ଗଲା । ଈଶ୍ୱର ତପ ଭଗ୍ନ କଲା ॥

ଘୋର ସମାଧି ଭଗ୍ନକାଳେ । କଠୋର-ନୟନ-ଅନଳେ ॥

ଶରୀର କଲା ଭସ୍ମଯୋଗ । ତେଣୁ ସେ ବୋଲାଇ ଅନଙ୍ଗ ॥

କୃଷ୍ଣର ବୀର୍ଯ୍ୟେ ଜାତ ହୋଇ । ପୁଣି ପାଇଲା ନିଜ ଦେହୀ ॥

ତାହାର ପତ୍ନୀ ନାମ ରତି । ମାୟା ସଂଯୋଗେ ମାୟାବତୀ ॥ ୧୦

କାମଦେବର ଭସ୍ମକାଳେ । ଶମ୍ବର ନେଲା ତାକୁ ବଳେ ॥ ୧୧

ଅସୁର ଘରେ କାମସତୀ । ମାୟା ମୋହିଲା ମାୟାବତୀ ॥ ୧୨

ନିତ୍ୟେ କନ୍ୟାଏ ଜାତକରେ । ଶମ୍ବର ଭୋଗ କରେ ତାରେ ॥ ୧୩

ଦିନ ହରଇ ତହିଁ ଥାଇ । ଏକଥା ନ ଜାଣନ୍ତି କେହି ॥ ୧୪

ଏମନ୍ତେ ଶୁଣ ନରନାଥ । ଶମ୍ବରପୁରେ ବ୍ରହ୍ମାସୁତ ॥ ୧୫

ରାେତ୍ରେ ମିଳିଲେ ତାର ପାଶେ । କହନ୍ତି ସୁହୃଦ ବିଶ୍ୱାସେ ॥ ୧୬

ବୋଲନ୍ତି ଅସୁରକୁ ଚାହିଁ । ନିଶ୍ଚିତେ ଅଛୁ କାହିଁପାଇଁ ॥ ୧୭

କନ୍ଦର୍ପ ତୋହର ବଇରୀ । ଆଜ ଜନ୍ମିଲା ଯଦୁପୁରୀ ॥ ୧୮

ରୁକ୍ମିଣୀ ଗର୍ଭେ କୃଷ୍ଣବୀର୍ଯ୍ୟେ । ଜାତ ହୋଇଲା ମହାତେଜେ ॥ ୧୯

ତୁ ଯାଇ ବେଗେ କର ନାଶ । ସେ ତୋର ମରଣେ ବିଶ୍ୱାସ ॥ ୨୦

କହି ଚଳିଲେ ଶୂନ୍ୟପଥେ । ଅସୁର ମାରିବାର ଅର୍ଥେ ॥ ୨୧

ନାରଦବଚନେ ଅସୁର । ପଶିଲା ଦ୍ୱାରକା ନଗର ॥ ୨୨

କୃଷ୍ଣର ଅନ୍ତଃପୁରେ ଯାଇ । ଯହିଁ ରୁକ୍ମିଣୀଛନ୍ତି ଶୋଇ ॥ ୨୩

ପଶିଲା ମାୟାରୂପ ଧରି । ସୂତିକା ଘରୁ ପୁତ୍ର ହରି ॥ ୨୪

ଗଗନମାର୍ଗେ ଘେନିଯାନ୍ତେ । ଦୈତ୍ୟ ଭାଳଇ ହୃଦଗତେ ॥ ୨୫

ଏ ଯେବେ ମୋହର ବଇରୀ । ମୁଁ କିମ୍ପା ଅଛି କୋଳେ ଧରି ॥ ୨୬

ଏମନ୍ତ ମନେ ବିଚାରିଲା । ସମୁଦ୍ର ମଧ୍ୟେ ପକାଇଲା ॥ ୨୭

ଆହାର ପ୍ରାୟ ପାଇ ଭାବ । ତକ୍ଷଣେ ଗିଳିଲା ରାଘବ ॥ ୨୮

କୃଷ୍ଣର ବଳବୀର୍ଯ୍ୟ ଯୋଗେ । ଭସ୍ମ ନୋହିଲା ମୀନଗର୍ଭେ ॥ ୨୯

ରାଘମ ମତ୍ସ୍ୟଗଣ ମେଳେ । ପଡ଼ିଲା କୈବର୍ତ୍ତ ଜାଲରେ ॥ ୩୦

ଧୀବରଗଣେ ତାହା ପାଇ । ଶମ୍ବର ଆଗେ ଦେଲେ ନେଇ ॥ ୩୧

ଅସୁର ମୀନ ଦେଖି ହସି । ସେବକେ ବୋଲଇ ବିଶ୍ୱାସି ॥ ୩୨

ସୂପକାରଙ୍କ ପାଶେ ଦିଅ । ରନ୍ଧନ କର ବୋଲି କୁହ ॥ ୩୩

ତକ୍ଷଣେ ମୀନ ଘେନି କରେ । ସେବକେ ମିଳିଲେ ଭିତରେ ॥ ୩୪

ମୀନ କାଟନ୍ତେ ସୂପକାରେ । ବାଳକ ଦେଖିଲେ ଉଦରେ ॥ ୩୫

ତକ୍ଷଣେ ପୁତ୍ର କୋଳେ ଲଇଁ । ଶମ୍ବର ଆଗେ ଦେଲେ ନେଇ ॥ ୩୬

ଦେଖି ସାନନ୍ଦ ମହାସୁର । ବୋଲଇ ଶୁଣ ସୂପକାର ॥ ୩୭

ଦଇବେ ମୋର ପୁତ୍ର ନାହିଁ । ରତି ସମୀପେ ଦିଅ ନେଇ ॥ ୩୮

ଏ ମୋର ହୋଇବ କୁମର । ତକ୍ଷଣେ ଗଲେ ସୂପକାର ॥ ୩୯

ରତିର କୋଳେ ନେଇ ଦେଲେ । ଭୋ ମାତ ପାଳ ଏହା ଭଲେ ॥ ୪୦

ଦେଖି ସାନନ୍ଦ ମାୟାବତୀ । ପୁତ୍ରପାଳନେ ଦେଲା ମତି ॥ ୪୧

ଦିନକୁ ଦିନ କୃଷ୍ଣବୀର୍ଯ୍ୟ । ବଢଇ ଅପ୍ରମିତ ତେଜ ॥ ୪୨

ଏମନ୍ତେ ଗଲା କେତେ ଦିନ । ମିଳିଲେ ବ୍ରହ୍ମାଙ୍କ ନନ୍ଦନ ॥ ୪୩

ଅସୁର ଅନ୍ତଃପୁରେ ପଶି । ରତିକି କହନ୍ତି ବିଶ୍ୱାସି ॥ ୪୪

ଆଦିକାରଣ କଥା କହି । ବୋଇଲେ ତୋର ସ୍ୱାମୀ ଏହି ॥ ୪୫

ଅନଙ୍ଗ କୃଷ୍ଣବୀର୍ଯ୍ୟେ ଜାତ । ସୂତିକା ଘରୁ ଏ ଦଇତ ॥ ୪୬

ହରି ଆଣନ୍ତେ ବାହୁବଳେ । ପଥେ କ୍ଷେପିଲା ସିନ୍ଧୁଜଳେ ॥ ୪୭

ଆହାର ପ୍ରାୟ ମଣି ମୀନ । ଗିଳିଲା କୃଷ୍ଣର ନନ୍ଦନ ॥ ୪୮

ବନ୍ଦୀ ପଡ଼ିଲା ମହାଜାଲେ । ଦଇବ ଦେଲା ତୋତେ ଭଲେ ॥ ୪୯

ଏହାକୁ ପାଳ ଚିତ୍ତ ଦେଇ । ଶମ୍ବର ସଂହାରିବ ଏହି ॥ ୫୦

ବିମାନେ ତୋତେ କୋଳ କରି । ଗମିବ ଦ୍ୱାରକା ନଗରୀ ॥ ୫୧

ଲଭିବୁ ତୋର ନିଜ କାନ୍ତ । କହି ଚଳିଲେ ବ୍ରହ୍ମାସୁତ ॥ ୫୨

ସେ କାମନାରୀ ମାୟାବତୀ । ସ୍ୱାମୀ ସଙ୍ଗମ ମନେ ଚିନ୍ତି ॥ ୫୩

ଅସୁର ବୋଲେ ପାକଶାଳେ । ବସଇ ସୂପକାର ମେଳେ ॥ ୫୪

ରନ୍ଧନ କରି ଷଡ଼ରସ । ଅସୁର ମନ କରେ ତୋଷ ॥ ୫୫

ଏମନ୍ତେ ଶୁଣ ନରନାଥ । ଦିନକୁ ଦିନ କୃଷ୍ଣସୁତ ॥ ୫୬

ଶୁକଳ ପକ୍ଷେ ଚନ୍ଦ୍ର ଯେହ୍ନେ । ତେଜେ ବଢ଼ଇ ଦିନେ ଦିନେ ॥ ୫୭

ନିଜ ସ୍ୱାମୀଙ୍କି ଶିଶୁ ଦେଖି । ସ୍ନେହେ ପାଳଇ ଶଶୀମୁଖୀ ॥ ୫୮

ଅଳପଦିନେ ଯୁବା ଦେହ । ଦେଖି କାମିନୀ ଗଲେ ମୋହ ॥ ୫୯

ଭସ୍ମଅଙ୍କୁର ସେ ମଦନ । ବିଶେଷେ କୃଷ୍ଣର ନନ୍ଦନ ॥ ୬୦

ଲୋଚନେ ଦିଶେ ପଦ୍ମତେଜ । ଲମ୍ବ ସୁନ୍ଦର ବେନିଭୁଜ ॥ ୬୧

ଅତି ସୁନ୍ଦର ରୂପ ଦେଖି । ଅଳପ ହାସେ ଶଶୀମୁଖୀ ॥ ୬୨

କଟାକ୍ଷ ନୟନେ ଅନାଇଁ । ଭାବେ କାମିନୀ ପ୍ରାୟ ହୋଇ ॥ ୬୩

ମିଳିଲା କୃଷ୍ଣସୁତ ପାଶେ । ସକାମେ ରତିରଙ୍ଗ ଆଶେ ॥ ୬୪

ଦେଖି ତାହାର ବିପରୀତ । ଭୟେ ଉଠିଲା କୃଷ୍ଣସୁତ ॥ ୬୫

ସଂଭ୍ରମେ ତାର ମୁଖ ଚାହିଁ । ବୋଲଇ ଶିରେ କରଦେଇ ॥ ୬୬

ତୁହି ମୋହର ନିଜ ମାତ । ଏବେ ଦେଖିଲି ବିପରୀତ ॥ ୬୭

ମାତାର ସ୍ନେହ ଦୂର କରି । କାମିନୀଭାବକୁ ଆଚରି ॥ ୬୮

କହ କେବଣ ଏହୁ କୃତ୍ୟ । ଭୟେ ବୋଲଇ କୃଷ୍ଣସୁତ ॥ ୬୯

ଶୁଣି ଭାଷଇ ମାୟାବତୀ । ତୁ ନାଥ ମୋର ନିଜ ପତି ॥ ୭୦

ରୁଦ୍ରନୟନେ ଭସ୍ମ ହୋଇ । ଅନଙ୍ଗ ନାମ ବହୁ ତୁହି ॥ ୭୧

କେତେହେଁ କାଳେ ନିଜତେଜ । ଜାତ ହୋଇଲୁ କୃଷ୍ଣବୀର୍ଯ୍ୟେ ॥ ୭୨

ନାରଦମୁଖୁଁ ତୋର ବାଣୀ । ନିଜ ମରଣ ତଥ୍ୟ ଶୁଣି ॥ ୭୩

ମାୟା-ଅସୁର ବେଗେ ଗଲା । ଦ୍ୱାରକା ନବରେ ମିଳିଲା ॥ ୭୪

ସୂତିକାଘରୁ ତୋତେ ଆଣି । ଆତ୍ମବଇରୀ ପ୍ରାୟ ମଣି ॥ ୭୫

ଲବଣଜଳେ ପକାଇଲା । ତୋତେ ଯେ ମୀନ ଗିଳିଥିଲା ॥ ୭୬

ସେ ମୀନ ଅସୁର ନିକଟେ । ଧୀବର ଆଣିଦେଲା ଭେଟେ ॥ ୭୭

ସୁଆର ଆଣି ପାକଶାଳେ । ଶସ୍ତ୍ରେ ଛେଦିଲା ଯେତେବେଳେ ॥ ୭୮

ମୀନ ଉଦରୁ ତୋତେ ପାଇ । ପାଳଇ ସ୍ନେହଭରେ ମୁହିଁ ॥ ୭୯

ନାରଦ କହିଗଲେ ଏବେ । ତେଣୁ ସେବଇ ପତ୍ନୀଭାବେ ॥ ୮୦

ମୋହର ନିଜ ନାମ ରତି । ଦଇବ ମିଳାଇଲା ପତି ॥ ୮୧

ମାୟାରେ ବଞ୍ଚାଇ ଅସୁର । ବସଇ ଶମ୍ବରର ପୁର ॥ ୮୨

ଦୁର୍ଜୟ ରିପୁ ଏ ତୋହର । ଏହାର ପ୍ରାଣ ବେଗେ ହର ॥ ୮୩

ଅନେକ ମାୟାଶସ୍ତ୍ର ଜାଣେ । ଦେବେ ଡରନ୍ତି ଏହା ଜାଣେ ॥ ୮୪

ମୋହର ମାୟା ଅଛି ଯେତେ । ଶମ୍ବର ନ ଜାଣଇ ତେତେ ॥ ୮୫

ମାୟାମୋହନ ଶସ୍ତ୍ର ଭେଦି । ବେଗେ ଏହାର ଶିର ଛେଦି ॥ ୮୬

ବିମାନେ ବସି ନାଥ ଏବେ । ଚାଲ ଦ୍ୱାରକା ଯିବା ବେଗେ ॥ ୮୭

ତୋର ଜନନୀ ଚନ୍ଦ୍ରମୁଖୀ । ରୁକ୍ମିଣୀଦେବୀ ବଡ଼ ଦୁଃଖୀ ॥ ୮୮

ଉଦରେ ବସି ଦଶମାସ । ପ୍ରସବି ହୋଇଲେ ନିରାଶ ॥ ୮୯

କୁରରୀ ପ୍ରାୟେ ପୁତ୍ର ଶୋକେ । ଦିନ ବଞ୍ଚଇ ଅତିଦୁଃଖେ ॥ ୯୦

ଆକୁଳେ ପୁତ୍ର ଶୋକେ ଦେହି । ମୃତବତ୍ସିକା ଯେହ୍ନେ ଗାଈ ॥ ୯୧

ଏମନ୍ତ କହି ତାର ପାଶେ । ମୋହ୍ନ ବିଦ୍ୟା ଦେଲା ତୋଷେ ॥ ୯୨

ସକଳ ମାୟା ଯେଣେ ଜିଣି । ସ୍ୱାମୀଙ୍କି କହିଲା ତରୁଣୀ ॥ ୯୩

କୃଷ୍ଣନନ୍ଦନ ଶୁଣି ତାହା । ଅଭ୍ୟାସ କଲା ସର୍ବମାୟା ॥ ୯୪

ଏମନ୍ତେ ପାହିଲା ରଜନୀ । କନ୍ଦର୍ପ କରେ ଗଦା ଘେନି ॥ ୯୫

ଶମ୍ବର ସଭାତଳେ ମିଳି । ଯୁଦ୍ଧେ ଡାକଇ ମହାବଳୀ ॥ ୯୬

ଅନେକ ନିନ୍ଦାବାକ୍ୟ ମତ । କହନ୍ତେ କଳି କଲା ଦୈତ୍ୟ ॥ ୯୭

ଅତିନିନ୍ଦିତ କଥା ଶୁଣି । ବେଗେ ଉଠିଲା ଶିର ଶୁଣି ॥ ୯୮

ଶମ୍ବର କହେ ବଳଦର୍ପେ । ଯଷ୍ଟି ପ୍ରହାରେ ଯେହ୍ନେ ସର୍ପେ ॥ ୯୯

ବଜ୍ରସମାନ ଗଦା କର । ଶମ୍ବର ହୋଇଲା ବାହାର ॥ ୧୦୦

ରୋଷେ ଲୋଚନ ତମ୍ବାପ୍ରାୟେ । ପିଟିଲା ପ୍ରଦ୍ୟୁମ୍ନର ଦେହେ ॥ ୧୦୧

କୋପେ ଛାଡ଼ିଲା ଘୋରରଡ଼ି । ଯେସନେ ବଜ୍ର ଘଡ଼ଘଡ଼ି ॥ ୧୦୨

କୃଷ୍ଣନନ୍ଦନ ଗଦା ବେଗେ । କୋପେ ବୁଲାଇ ଦଶଦିଗେ ॥ ୧୦୩

ଶମ୍ବର ଗଦା କଲା ଚୂର । କୋପେ ଡାକିଲା ମହାବୀର ॥ ୧୦୪

କନ୍ଦର୍ପ କରେ ଗଦା ଦେଖି । ଅସୁର ସମର ଉପେକ୍ଷି ॥ ୧୦୫

ଗଗନମାର୍ଗେ ଆଶ୍ରେ କରି । ଅନେକ ମାୟାଶସ୍ତ୍ର ଧରି ॥ ୧୦୬

ଶର ବରଷା ମହାଘୋର । କଲାକ ମାୟାବୀ ଅସୁର ॥ ୧୦୭

ବାଣ ବରଷେ ପୀଡା ପାଇ । କନ୍ଦର୍ପ ଚଉଦିଗେ ଚାହିଁ ॥ ୧୦୮

ନିଜ ମୋହିନୀମାୟା ସତ୍ତ୍ୱ । ଶମ୍ବରମାୟା କଲା ହତ ॥ ୧୦୯

ପୁଣି ଅସୁର ଶୂନ୍ୟଦେହା । ପ୍ରକାଶ କଲା ନାନାମାୟା ॥ ୧୧୦

ପିଶାଚ ଗନ୍ଧର୍ବ ଗୁହ୍ୟକ । ରାକ୍ଷସ ଉରଗ ଶୋଷକ ॥ ୧୧୧

ଶତସହସ୍ର ଅପ୍ରମିତ । ଯୁଦ୍ଧେ ପ୍ରକାଶିଲା ଦଇତ୍ୟ ॥ ୧୧୨

ସକଳମାୟା କୃଷ୍ଣସୁତ । ନିଜ ମାୟାରେ କଲା ହତ ॥ ୧୧୩

ନିଜ ଖଡ଼ଗ କରେ ଧରି । ପ୍ରଦ୍ୟୁମ୍ନ ଗଗନେ ସଞ୍ଚରି ॥ ୧୧୪

ଶମ୍ବର ଶିର ବାମକରେ । ଧରି କାଟିଲା କୋପଭରେ ॥ ୧୧୫

ମୁଣ୍ତ ପଡ଼ିଲା ଭୂମିତଳେ । ସୁନ୍ଦର କିରୀଟ କୁଣ୍ତଳେ ॥ ୧୧୬

ତମ୍ବାର ପ୍ରାୟ ଦାଢ଼ି ମୁଖେ । ଦେଖନ୍ତି ସ୍ୱର୍ଗେ ଦେବଲୋକେ ॥ ୧୧୭

ଆନନ୍ଦେ କୁସୁମ ବରଷି । କାମର ବିକ୍ରମ ପ୍ରଶଂସି ॥ ୧୧୮

ଶମ୍ବର ମାରି କୃଷ୍ଣବଳା । ସୁବର୍ଣ୍ଣରଥେ ବିଜେ କଲା ॥ ୧୧୯

କୋଳେ ବସାଇ ମାୟାବତୀ । ବେଗେ ଚଳିଲା ଦ୍ୱାରାବତୀ ॥ ୧୨୦

ଗଗନମାର୍ଗେ କୃର୍ଷ୍ଣପୁରେ । ବିମାନ ପଶିଲା ଭିତରେ ॥ ୧୨୧

ବିଜୁଳି ସଙ୍ଗେ ମେଘ ଯେହ୍ନେ । ଦେଖି ଚକିତ ସର୍ବଜନେ ॥ ୧୨୨

କୃଷ୍ଣର ପୁରେ ଯେତେ ନାରୀ । ରୁକ୍ମିଣୀ ଆଦି ମନୋହାରୀ ॥ ୧୨୩

ଅପୂର୍ବ କୃଷ୍ଣର ନନ୍ଦନ । ଦିଶନ୍ତି ଅତି ଶୋଭାବନ ॥ ୧୨୪

ନୀଳଜୀମୂତ ପ୍ରାୟ ଦେହୀ । ପୀତବସନ ବିରାଜଇ ॥ ୧୨୫

ପଦ୍ମଲୋଚନ ଦୀର୍ଘବାହୁ । ବୋଲନ୍ତି ଅଇଲା ଏ କାହୁଁ ॥ ୧୨୬

ଅଳପ ହାସେ ମୁଖ ଶୋହେ । ରୂପେ କାମିନୀ ମନମୋହେ ॥ ୧୨୭

ନୀଳକୁନ୍ତଳ ଭୃଙ୍ଗ ତେଜେ । ସୁନ୍ଦର ମୁଖପଦ୍ମ ସାଜେ ॥ ୧୨୮

କୃଷ୍ଣର ପ୍ରାୟ ତାକୁ ମଣି । ସଂଭ୍ରମେ ଲୁଚିଲେ ତରୁଣୀ ॥ ୧୨୯

ପୁଣି କ୍ଷଣକେ ସ୍ଥିର ଚାହିଁ । ଜାଣିଲେ କୃଷ୍ଣ ଏ ନୁହେଇ ॥ ୧୩୦

ପୁଣି ମିଳିଲେ ତାର ପାଶେ । ନିଶ୍ଚୟ ଜାଣିବାର ଆଶେ ॥ ୧୩୧

ଆନନ୍ଦେ ତାର ମୁଖ ଚାହିଁ । ମଦନେ ମନ ନ ଚଳଇ ॥ ୧୩୨

କାମିନୀରତ୍ନ ତାର କୋଳେ । ଦେଖି ଭାଲନ୍ତି କାମଭୋଳେ ॥ ୧୩୩

ରୁକ୍ମିଣୀ ସୁତକୁ ଅନାଇ । ବିତର୍କମନେ ବିଚାରଇ ॥ ୧୩୪

ପ୍ରସବକାଳେ ମୋ କୁମର । ଶୟନସ୍ଥାନୁ ନେଲା ଚୋର ॥ ୧୩୫

ପୁତ୍ର ସୁମରି ଦୁଃଖମନେ । କ୍ଷୀର ସ୍ରବଇ ବେନିସ୍ତନେ ॥ ୧୩୬

କାହୁଁ ଅଇଲା ଏ କୁମର । ମନୁଷ୍ୟ ରତ୍ନ କଳେବର ॥ ୧୩୭

କୃଷ୍ଣର ଚିହ୍ନ ଏହା ଦେହେ । ଦିଶଇ ଇନ୍ଦ୍ରନୀଳ ପ୍ରାୟେ ॥ ୧୩୮

କାହାର ଗର୍ଭେ ଏହୁ ଥିଲା । ଅପୂର୍ବ କାହୁଁ ଏ ଅଇଲା ॥ ୧୩୯

ଯୁବତୀରତ୍ନ ଅଛି କୋଳେ । ଲଭିଲା ପୂର୍ବ ପୁଣ୍ୟଫଳେ ॥ ୧୪୦

ମୋର ବାଳକ ନାଶ ଗଲା । ସୂତିକା ଘରୁ କେ ହରିଲା ॥ ୧୪୧

ଜୀବନେ ଥିଲେ ଯହିଁ ତହିଁ । ଏହାର ତୁଲେ ସମ ହୋଇ ॥ ୧୪୨

ଏ ଯେ ସକଳ ଚିହ୍ନ ବହି । କୃଷ୍ଣର ପ୍ରାୟେକ ଦିଶଇ ॥ ୧୪୩

ଆକୃତି ବୟ ବପୁ ଯେହ୍ନେ । ସୁନ୍ଦର ହାସ ବିଲୋକନେ ॥ ୧୪୪

ସେ ପୁତ୍ର ଅବା ହୋଇ ଏବେ । ଯାହା ଧଇଲି ମୁହିଁ ଗର୍ଭେ ॥ ୧୪୫

ମୋ ଚିତ୍ତେ ସ୍ନେହ ଏହା ଚାହିଁ । ବାମନୟନ ମୋ ସ୍ପୁରଇ ॥ ୧୪୬

ପୁଲକେ କମ୍ପେ ବାମଭୁଜ । ଏହାର ଅଙ୍ଗେ କୃଷ୍ଣତେଜ ॥ ୧୪୭

ରୁକ୍ମିଣୀ ଏମନ୍ତ ବିଚାରି । ବିଜୟ କଲେ ନରହରି ॥ ୧୪୮

ଦେବକୀ ବସୁଦେବ ସଙ୍ଗେ । କୃଷ୍ଣ ମିଳିଲେ ସୁତ ଆଗେ ॥ ୧୪୯

ଗୋବିନ୍ଦ ତାହା ସର୍ବ ଜାଣି । କୁମର ଦେଖି ହେଲେ ତୁନି ॥ ୧୫୦

ଏମନ୍ତେ ଶୁଣ ନରନାଥ । ବ୍ରହ୍ମାନନ୍ଦନ ଉପଗତ ॥ ୧୫୧

ଦେଖିଣ ସଂଶୟ ବିଷାଦ । ସକଳ କହିଲେ ନାରଦ ॥ ୧୫୨

ଶୁଣି ନାରଦ ମୁଖୁଁ ବାଣୀ । ଗୋବିନ୍ଦ ଯେତେକ ତରୁଣୀ ॥ ୧୫୩

ତରୁଣ ବାଳ ବୃଦ୍ଧ ସଙ୍ଗେ । ଉତ୍ସବ କଲେ ନାନା ରଙ୍ଗେ ॥ ୧୫୪

ଦେଖ ରୁକ୍ମିଣୀ ପୁଣ୍ୟ ରାଶି । ଯମଭୁବନୁ ପୁତ୍ର ଆସି ॥ ୧୫୫

ମୋହିଲା ଦ୍ୱାରକା ଭୁବନ । ବାଳ ତରୁଣ ବୃଦ୍ଧଜନ ॥ ୧୫୬

କୋଳେ କାମିନୀ ସୁକୁମାରୀ । ରୂପେ ଭୁବନେ ନାହିଁ ସରି ॥ ୧୫୭

ଦେବକୀଦେବୀ ବସୁଦେବ । ଥିଲେ ଯେ ଶ୍ରୀରାମ ମାଧବ ॥ ୧୫୮

ଯଦୁନଗରେ ନାରୀ ଯେତେ । ମିଳିଲେ ଦୁର୍ବାଙ୍କୁର ହସ୍ତେ ॥ ୧୫୯

ଅକ୍ଷତ ଦେଇ ପୁତ୍ର ଶିରେ । ମଙ୍ଗଳ କଲେ ଉଚ୍ଚସ୍ୱରେ ॥ ୧୬୦

ରୁକ୍ମିଣୀ ଘେନି ପୁତ୍ର କୋଳେ । ଚୁମ୍ବନ ଦେଲେ ସୁଖଭୋଳେ ॥ ୧୬୧

ସଙ୍ଗେ ସକଳ ପରିବାରୀ । ଆନନ୍ଦେ କୋଳେ ବଧୂ ଧରି ॥ ୧୬୨

ଯଦୁନଗରେ ଯେତେ ଜନ । ଶୁଣି ସାନନ୍ଦ କଲେ ମନ ॥ ୧୬୩

ରୁକ୍ମିଣୀଦେବୀ ଭାଗ୍ୟ ଦେଖ । ମରଣୁ ଅଇଲା ବାଳକ ॥ ୧୬୪

ଶୁକ କହନ୍ତି ଶୁଣ ନୃପ । ମାତାଏ ଦେଖି ପୁତ୍ରରୂପ ॥ ୧୬୫

କୃଷ୍ଣର ପ୍ରାୟ ମଣି ତାହା । ଆନନ୍ଦେ ବଳିଲା ଉତ୍ସାହା ॥ ୧୬୬

ସ୍ୱଭାବେ କାମ କୃଷ୍ଣପ୍ରାୟେ । ସର୍ବଲକ୍ଷଣ ଅଛି ଦେହେ ॥ ୧୬୭

ଅନ୍ୟ ଭୁବନେ ନାରୀ ଯେତେ । ତାହାକୁ ଦେଖି ଦୃଷ୍ଟିପଥେ ॥ ୧୬୮

କାମେ ହୋଇଲେ ଉନମତ୍ତ । ଚିତ୍ର ନୋହଇ ଏହୁ କଥା ॥ ୧୬୯

ବୋଲଇ ଦାସ ଜଗନ୍ନାଥ । ରୁକ୍ମିଣୀ ତନୟ ପ୍ରାପତ ॥ ୧୭୦

ସୁଜନେ ଶୁଣ ଶ୍ରୁତିପଥେ । ସଂସାରୁ ତରିବ ଯେମନ୍ତେ ॥ ୧୭୧

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ପ୍ରଦ୍ୟୁମ୍ନ ଉତ୍ପ‌ତ୍ତି ନିରୁପଣଂ ନାମ

ଉନଷଷ୍ଟିତମ ଅଧ୍ୟାୟଃ ॥

* * *