ଦଶମ ସ୍କନ୍ଧ

ଅଷ୍ଟପଞ୍ଚାଶତ୍ ଅଧ୍ୟାୟ

ଶୁକ ଉବାଚ

କହନ୍ତି ଶୁକ ରାଜା ଆଗେ । ଏମନ୍ତ ବୋଲି ଚାରିଦିଗେ ॥

ଯେ ଯାହା ବାହାନ ଆବୋରି । ଅଙ୍ଗେ ସକଳେ ସ୍ନେହା ଭରି ॥

ସବୁ ସଇନ୍ୟ କରି ଆଗେ । ଧାଇଁଲେ ଶସ୍ତ୍ର ଘେନି ବେଗେ ॥

ବୋଲନ୍ତି ମାର ମାର ବାଣୀ । ଯାଦବବଳ ତାହା ଶୁଣି ॥

ଥିଲେ ଯେ ରାମ କୃଷ୍ଣ ପାଖେ । ଆବୋରି ରହିଲେ ସମ୍ମୁଖେ ॥

କୋପେ କରନ୍ତି ଗୁଣଘୋଷ । ଶବଦେ କମ୍ପେ ଦଶଦିଶ ॥

ଅଶ୍ୱ କୁଞ୍ଜର ରଥେ ଥାଇ । ନିଜ କୋଦଣ୍ତ ଗୁଣ ଦେଇ ॥

ଶର ବିନ୍ଧନ୍ତି ମେଘ ପ୍ରାୟେ । ପଡ଼ଇ ଯାଦବଙ୍କ ଦେହେ ॥

ଗିରିଶିଖରେ ଘୋଟି ଘନେ । ବୃଷ୍ଟି କରନ୍ତି ଯେହ୍ନେ ବନେ ॥

ଯାଦବବଳେ ବାଣ ସୃଷ୍ଟି । ଦେଖି ରୁକ୍ମିଣୀ ଭୟଦୃଷ୍ଟି ॥ ୧୦

ଲଜ୍ଜାରେ ଜଡ଼ିତ ନୟନ । ଚାହିଁଲା କୃଷ୍ଣର ବଦନ ॥ ୧୧

ବାଣବରଷଣେ ଅନାଇଁ । କମ୍ପଇ କୃଷ୍ଣକୋଳେ ଥାଇ ॥ ୧୨

ହାସବଦନେ ଭାଗଗ୍ରାହୀ । ବୋଲନ୍ତି କନ୍ୟାମୁଖ ଚାହିଁ ॥ ୧୩

କିମ୍ପା ସୁନ୍ଦରୀ ପାଉ ତ୍ରାସ । ହେଳେ ତୋ ରିପୁ ଯିବେ ନାଶ ॥ ୧୪

ମୋହର ବଳ ଦେଖ ଏବେ । ଅକ୍ଷୟ ଅଟନ୍ତି ଯାଦବେ ॥ ୧୫

ଏମନ୍ତ ବୋଲୁ ବୋଲୁ ଭାବେ । ସଂଗ୍ରାମେ ଧାଇଁଲେ ଯାଦବେ ॥ ୧୬

ଗଦ ସଙ୍କରଷଣ ଆଦି । ଯାଦବବଳେ ଏ ପ୍ରସିଦ୍ଧି ॥ ୧୭

କରିଣ ବାଣବୃଷ୍ଟି ଘୋର । ଦିବସ କଲେ ଅନ୍ଧକାର ॥ ୧୮

ରଥକୁଞ୍ଜର ଅଶ୍ୱ ତୁଲେ । ତୀକ୍ଷ୍ମ ନାରାଚେ ସଂହାରିଲେ ॥ ୧୯

ରିପୁଙ୍କ ଶିର କୋଟି କୋଟି । ଛିଡ଼ି ପଡ଼ିଲେ ମହୀ ଘୋଟି ॥ ୨୦

କନ୍ଧ ସହିତେ ମୁଣ୍ତମାଳ । ଲୋଟନ୍ତି କିରୀଟ କୁଣ୍ତଳ ॥ ୨୧

ଗଦା ଖଡ଼ଗ ବାଣ ହସ୍ତେ । ଛିଡ଼ି ପଡ଼ିଲେ ମହୀଗତେ ॥ ୨୨

ହସ୍ତ ହୃଦୟ ଜାନୁ ଛିଡ଼ି । ପଡ଼ିଣେ ରଣଭୂମି ମାଡ଼ି ॥ ୨୩

ତୁରଙ୍ଗ ଅଶ୍ୱତର ନାଗ । ଉଷ୍ଟ୍ର ଗର୍ଦ୍ଦଭ ଶିର ଭାଗ ॥ ୨୪

ମନୁଷ୍ୟ ଶିର ସଙ୍ଗେ ପଡ଼ି । ଭଲେ ନ ଦିଶେ ବସୁନ୍ଧରୀ ॥ ୨୫

ଦେଖି ଯାଦବବଳେ ତେଜ । ରଣେ ଭାଜିଲେ ସର୍ବରାଜା ॥ ୨୬

ମାଗଧ ଆଦି ସର୍ବବୀରେ । ମିଳିଲେ ବିଦର୍ଭ ନଗରେ ॥ ୨୭

ଦେଖିଲେ ଛାୟାବେଦୀ ମଧ୍ୟେ । ବର ବସିଛି କନ୍ୟା ସଧେ ॥ ୨୮

ଦାରାହରଣ ଶୋକ ଦୁଃଖେ । ଧୂଳି ପଡ଼ିଲା ପ୍ରାୟ ମୁଖେ ॥ ୨୯

ଲଜ୍ଜାରେ ଶୁଖିଲା ଅଧର । ସୁନ୍ଦରପଣ ହେଲା ଦୂର ॥ ୩୦

ଛାଡ଼ିଲା ବିବାହର ଆଶ । ଲାଜେ ନ ଚାହେଁ ଦଶଦିଶ ॥ ୩୧

ବଚନ ନ ସ୍ପୁରଇ ମୁଖେ । ରାଜାଏ ବସି କର ପାଖେ ॥ ୩୨

ବୋଲନ୍ତି ଶୁଣ ନରରାୟ । ମନେ ନ କର ଦୁଃଖ ଭୟ ॥ ୩୩

ବିମନ ଛାଡ଼ ବେଗେ ତୁହି । ଶୁଣ ତୁ ଯାହା ଆମ୍ଭେ କହି ॥ ୩୪

ଅର୍ଜିଲା କର୍ମ ଭୁଞ୍ଜେ ଦେହୀ । ଏହାର ପ୍ରିୟାପ୍ରିୟ ନାହିଁ ॥ ୩୫

ଏ ଦେହୀ ଈଶ୍ୱର ଆୟତ୍ତ । ସ୍ୱକର୍ମ ପଥେ ଆତଯାତ ॥ ୩୬

କାଷ୍ଠପିତୁଳୀ ହସ୍ତେ ନେଇ । କୁହୁକୀ ଯେମନ୍ତ ନଚାଇ ॥ ୩୭

ପ୍ରତିମା ନାଚେ ସେହିମତ । ସେ ଯେହ୍ନେ କୁହୁକୀ ଆୟତ୍ତ ॥ ୩୮

ଈଶ୍ୱର ଆୟତ୍ତ ଏ ଦେହୀ । ଏହାର ଦୁଃଖ ସୁଖ ନାହିଁ ॥ ୩୯

ଜରା କହଇ ସାଧୁବାଣୀ । ବିଧାତା ଗତିକୁ ନ ଜାଣି ॥ ୪୦

ଶୁଣ ମୋହର କର୍ମବାଣୀ । ବଳ ଦେଇଣ ଅକ୍ଷୌହିଣୀ ॥ ୪୧

ସପତଦଶ ବାର ହାରି । ବେଳେ ଜିଣିଲି ରାମ ହରି ॥ ୪୨

ଏହା ମୁଁ ଅନୁଭବ କରି । ଜୟ ଅଜୟ ନ ବିଚାରି ॥ ୪୩

ହରଷ ଶୋକେ ନାହିଁ ଇଚ୍ଛା । ନିଜ କରମଫଳ ଦୀକ୍ଷା ॥ ୪୪

ଜୀବଟି କର୍ମେ ଆତଯାତ । କାଳର କ୍ରୀଡ଼ା ଏ ଜଗତ ॥ ୪୫

ଦେଖ ଏ କାଳର ମହିଁମା । ଆମ୍ଭେ ସକଳେ ବୀର ସିନା ॥ ୪୬

ହାରିଲୁ ନିଜ କର୍ମ ବଳେ । ଯାଦବେ ଜିଣିଲେ ସମରେ ॥ ୪୭

ରିପୁଙ୍କ କାଳ ବଳୀୟାର । ଅଯଶ ଆମ୍ଭ କର୍ମ ଫଳ ॥ ୪୮

ଆମ୍ଭର ପୁଣ୍ୟଯଶ କାଳେ । ରିପୁ ଜିଣିବା ଅବହେଳେ ॥ ୪୯

ଏମନ୍ତ ପ୍ରବୋଧ-ବଚନେ । ହରଷ କଲା ତାର ମନେ ॥ ୫୦

ନିଜ ନଗରେ ତାକୁ ନେଇ । ଅନେକ ପ୍ରବୋଧନ କହି ॥ ୫୧

ରାଜାଏ ଦୁଃଖ ଶୋକ ମନେ । ମିଳିଲେ ଯେ ଯାହା ଭୁବନେ ॥ ୫୨

ରୁକ୍ମି ଯେ କୃଷ୍ଣର ବଇରୀ । ଶିଶୁପାଳକୁ ଥିଲା ବରି ॥ ୫୩

କନ୍ୟା ଗୋବିନ୍ଦ ହରି ନେଲେ । ଶତ୍ରୁଙ୍କ ଗର୍ବ ନାଶ କଲେ ॥ ୫୪

ମାଗଧ ଆଦି ମହୀପାଳେ । ଯେ ଯାହା ଗୃହେ ଯିବାବେଳେ ॥ ୫୫

ସମସ୍ତ ରାଜା ମଧ୍ୟେ ଥାଇ । ପ୍ରତିଜ୍ଞା କଲା ଗର୍ବ ବହି ॥ ୫୬

ଅଭେଦ ସ୍ନେହା ଦେହେ ଘେନି । ପିତାର ବଳ ଅକ୍ଷୌହିଣୀ ॥ ୫୭

ସଙ୍ଗତେ ଘେନି ମହାବୀର । ରାଜାଙ୍କୁ ବୋଲଇ ଉତ୍ତର ॥ ୫୮

ତୁମ୍ଭେତ ହୋଇଲ ନିରେଖ । ମୋର ମହିମା ଆଜ ଦେଖ ॥ ୫୯

ସମରେ ରାମକୃଷ୍ଣ ମାରି । ବନ୍ଦୀରୁ ରୁକ୍ମିଣୀ ଉଦ୍ଧରି ॥ ୬୦

ଆଜ ଆଣିବି ବାହୁବଳେ । ଯଶ ମୋ ଥିବ ମହୀତଳେ ॥ ୬୧

ଏହା ମୁଁ କରି ନ ପାରିଲେ । ବାହୁଡ଼ି ନ ଆସିବି ଭଲେ ॥ ୬୨

ସତ୍ୟବଚନ ଏ ମୋହର । ନଗରୁ ହୋଇଲା ବାହାର ॥ ୬୩

ରଥେ ବସିଲା ବେଗେ ଯାଇ । ବୋଲେ ସାରଥି ମୁଖ ଚାହିଁ ॥ ୬୪

ରଥ ତୁ ବାହା ବେଗେ କରି । ଯହିଁ ଅଛନ୍ତି ରାମହରି ॥ ୬୫

ରାମ-ଗୋବିନ୍ଦ ଯୁଦ୍ଧେ ମାରି । ରୁକ୍ମିଣୀ ଆଣିବି ଉଦ୍ଧରି ॥ ୬୬

ତୀକ୍ଷ୍ଣ ନାରାଚ ଦେଖ ମୋର । ହେଳେ ଜିଣିବି ଯଦୁବଳ ॥ ୬୭

ଗୋପାଳେ ବଳେ ବଳୀୟାର । ଆଜ କରିବି ଗର୍ବ ଚୂର ॥ ୬୮

ବଳେ ହରିଲା ମୋ ବହେଣୀ । ଆଜ ଆଣିବି ଶିର ହାଣି ॥ ୬୯

ମୋତେ ଦେଖାଏ ବଳ-ଗର୍ବ । ଅଜାତି ଗଉଡ଼ ସ୍ୱଭାବ ॥ ୭୦

ଏମନ୍ତ ଗର୍ବ ମନେ ବହି । ହରିମହିମା ନ ଜାଣଇ ॥ ୭୧

ବେଗେ ଧାଇଁଲା ଏକା ରଥେ । ଡ଼ାକଇ ରହ ରହ ପଥେ ॥ ୭୨

ଗୁଣେ ବସାଇ ତିନିବାଣ । ଶ୍ରବଣ ଯାଏଁ ଟାଣି ଗୁଣ ॥ ୭୩

ବିନ୍ଧିଲା ଗୋବିନ୍ଦ ଉପରେ । ଡ଼ାକଇ କୁତ୍ସିତ ବେଭାରେ ॥ ୭୪

ଯାଦବ-କୁଳପାଂଶୁ ତୁହି । ମୋର ସଂଗ୍ରାମେ ଯିବୁ କାହିଁ ॥ ୭୫

କ୍ଷଣେକ ରହ ରଣ ମଧ୍ୟେ । ରୁକ୍ମିଣୀ ହରିଲୁ ଯେ ସଧେ ॥ ୭୬

କାକ ଯେସନେ ମାୟା କରି । ଯଜ୍ଞର ଚରୁ ନିଏ ହରି ॥ ୭୭

ମନ୍ଦ ମାୟାବୀ କୂଟଯୋଦ୍ଧି । ଗୋପାଳେ ହୀନ ଦୁଷ୍ଟବୁଦ୍ଧି ॥ ୭୮

ଆଜ ଜିଣିବି ତୋତେ ହାଣି । ଯାବଦ ନ ଛାଡ଼ୁ ରୁକ୍ମିଣୀ ॥ ୭୯

ଶୁଣି ହସିଲେ ଦାମୋଦର । ସାରଙ୍ଗଧନୁ ଧରି କର ॥ ୮୦

ଈଷିତେ ଷଡ଼ବାଣ ବିନ୍ଧି । ତାହାର ହସ୍ତୁ ଧନୁ ଛେଦି ॥ ୮୧

ପୁଣ ବିନ୍ଧିଲେ ଅଷ୍ଟବାଣ । ଲୀଳା ମାତ୍ରକେ ନାରାୟଣ ॥ ୮୨

ରଥର ଚାରି ଅଶ୍ୱ ହାଣି । ପୁଣି ବିନ୍ଧିଲେ ବାଣ ତିନି ॥ ୮୩

ରଥସାରଥୀ ମୁଣ୍ତ କାଟି । ତିନି ନାରାଚେ ଧ୍ୱଜ ଲୋଟି ॥ ୮୪

ଦେଖିଣ ରୁକ୍ମୀ ବହି ମନ୍ୟୁ । ହସ୍ତେ ଘେନିଲା ଆର ଧନୁ ॥ ୮୫

ସେ ଧନୁ କାଟିଲେ ମୁରାରି । ଗୁଣ ଟଙ୍କାରନାଦ କରି ॥ ୮୬

ପୁଣ ଘେନିଲା ଆନ ଧନୁ । ତାହା ଛେଦିଲେ ଦେବ କାହ୍ନୁ ॥ ୮୭

ପରିଘ ଖଡ଼୍ଗ ଶୂଳ ଚର୍ମ । ଶକ୍ତି ତୋମର ତୀକ୍ଷ୍ଣ ମୁନ ॥ ୮୮

ଯେତେ ଆୟୁଧ କରେ ଧରି । ସବୁ ଛେଦିଲେ ନରହରି ॥ ୮୯

ତକ୍ଷଣେ ରଥୁଁ ଓହ୍ଲାଇଲା । କୋପେ ଖଡ଼ଗ ହସ୍ତେ ନେଲା ॥ ୯୦

କୃଷ୍ଣଙ୍କୁ ମାରିବାର ଆଶେ । ଡେ଼ଇଁ ଉଠିଲା ନନ୍ଦିଘୋଷେ ॥ ୯୧

ଗୋପେ ଗର୍ଜଇ କୃଷ୍ଣ ପାଖେ । ପବନ ଯେସନେ ପାବକେ ॥ ୯୨

ଦେଖି ଗୋବିନ୍ଦ ବେଗେ ଉଠି । ତିଳ ପ୍ରମାଣେ ଶସ୍ତ୍ର କାଟି ॥ ୯୩

କୋପେ ଉଞ୍ଚାଇ ଅସିବର । କେଶ ଧଇଲେ ସେ ରୁକ୍ମିର ॥ ୯୪

କୃଷ୍ଣର କୋପମୁଖ ଦେଖି । ଭୟେ କମ୍ପଇ ଶଶୀମୁଖୀ ॥ ୯୫

ଭାଇର ପ୍ରାଣନାଶ ଜାଣି । ଚରଣେ ପଡ଼ିଲା ରୁକ୍ମିଣୀ ॥ ୯୬

କାତରେ କରଇ କାରୁଣ୍ୟ । ଭୋ ନାଥ ଯୋଗେଶ୍ୱର ଶୁଣ ॥ ୯୭

ଅନନ୍ତ ମହିମା ତୋହର । ଦୋଷ ଉପେକ୍ଷ ଦେବ ତାର ॥ ୯୮

ଜଗତପ୍ତି ନାରାୟଣ । ମୁଁ ତୁମ୍ଭ ଚରଣେ ଶରଣ ॥ ୯୯

ନ ମାର ମୋର ଜ୍ୟେଷ୍ଠଭ୍ରାତ । ପରମାନନ୍ଦ ଜଗନ୍ନାଥ ॥ ୧୦୦

ଶୁକ ବୋଲନ୍ତି ଶୁଣ ରାୟେ । ଦୟା ବସିଲା କୃଷ୍ଣଦେହେ ॥ ୧୦୧

ଚାହିଁଲେ ରୁକ୍ମିଣୀ ଶରୀର । ଭୟେ କମ୍ପଇ ଥରହର ॥ ୧୦୨

ଶୋକେ ଶୁଖିଲା ଦେବୀ ଓଷ୍ଠ । ବାକ୍ୟ ନ ସ୍ପୁରେ ରୁନ୍ଧି କଣ୍ଠ ॥ ୧୦୩

କାତରେ ହେମକଣ୍ଠୀମାଳ । ପଡ଼ିଲା କୃଷ୍ଣପାଦତଳେ ॥ ୧୦୪

ରୁକ୍ମିଣୀ ଉଠି କରଯୋଡ଼ି । ପୁଣି କୃଷ୍ଣର ପାଦେ ପଡ଼ି ॥ ୧୦୫

ଅଶେଷ ବ୍ରହ୍ମାଣ୍ତ ଠାକୁର । ରଖିବା ଜୀବନ ଏହାର ॥ ୧୦୬

ଏମନ୍ତ ଦେଖି କନ୍ୟାଦୁଃଖ । କରୁଣା କଲେ ପଦ୍ମମୁଖ ॥ ୧୦୭

ଆକର୍ଷି ଧରି ତାର କର । ବସ୍ତ୍ରେ ବାନ୍ଧିଲେ ଦାମୋଦର ॥ ୧୦୮

ବିମାନ ଖମ୍ବେ ନେଇ ବାନ୍ଧି । ବେନିଚରଣ ତାର ଛନ୍ଦି ॥ ୧୦୯

ତୀକ୍ଷ୍ଣ ନାରାଚେ ହୃଷୀକେଶ । ବିରୂପ କଲେ ତାର ବେଶ ॥ ୧୧୦

ସାତପ୍ରକାରେ କେଶ ଧରି । କୋପେ କାଟିଲେ ଦେବହରି ॥ ୧୧୧

ସଙ୍ଗତେ ଯଦୁବଳ ଥିଲେ । ରୁକ୍ମୀର ସୈନ୍ୟଙ୍କୁ ବେଢିଲେ ॥ ୧୧୨

ତକ୍ଷଣେ ସର୍ବ କଲେ ନାଶ । ଅଳପ ରହେ ଅବଶେଷ ॥ ୧୧୩

ନଳିନୀବନେ ଗଜେ ପଶି । କ୍ଷଣକେ ଯାନ୍ତି ଯେହ୍ନେ ଧ୍ୱଂସି ॥ ୧୧୪

ସୈନ୍ୟ ହୋଇଲେ ବଳ କ୍ଷୀଣ । ରୁକ୍ମି ଯେ ପଡ଼ିଲା ବନ୍ଧନ ॥ ୧୧୫

ରଥ ନିକଟେ ରାମ ଯାଇ । ବୋଲନ୍ତି କୃଷ୍ଣମୁଖ ଚାହିଁ ॥ ୧୧୬

ବନ୍ଧନ ଫେଡ଼ାଇ ବହନ । ଚାହିଁଲେ ରୁକ୍ମୀର ବଦନ ॥ ୧୧୭

ବିରୂପ ଦେଖି ତାର ଦେହୀ । ରାମ ବୋଲନ୍ତି କୃଷ୍ଣେ ଚାହିଁ ॥ ୧୧୮

ହେ କୃଷ୍ଣ କଲୁ ଦୁଷ୍ଟପଣ । ଆପଣା ବନ୍ଧୁରେ କଷଣ ॥ ୧୧୯

ଅସାଧୁ କର୍ମ ଏ ତୋହର । ନିନ୍ଦା କରିବେ ତିନିପୁର ॥ ୧୨୦

ବିରୂପ କଲୁ କେଶ-ବେଶ । ନାଶିଲୁ ସୁହୃଦ ବିଶ୍ୱାସ ॥ ୧୨୧

ନ ଜାଣି କଲୁ ଏଡେ଼ କାର୍ଯ୍ୟ । ମରଣୁଁ ଅଧିକ ଏ ଲାଜ ॥ ୧୨୨

ଏମନ୍ତ କହି ବଳରାମ । ଚାହିଁଲେ ରୁକ୍ମିଣୀ ବଦନ ॥ ୧୨୩

ବୋଲନ୍ତି ରେବତୀରମଣ । କୋମଳ ମଧୁର ବଚନ ॥ ୧୨୪

ଜ୍ୟେଷ୍ଠଭ୍ରାତର ରୂପ ଦେଖି । କିମ୍ପାଇ ମନେ ହୁଅ ଦୁଃଖୀ ॥ ୧୨୫

ଆତ୍ମାକୁ ନିନ୍ଦିତ ନ କର । ଦଇବ ବଳ ବଳୀୟାର ॥ ୧୨୬

କର୍ମ ସେ ସୁଖ ଦୁଃଖ ଦେଇ । ପୁରୁଷ ଅବଶ୍ୟ ଭୁଞ୍ଜଇ ॥ ୧୨୭

କୃଷ୍ଣଙ୍କୁ ଚାହିଁ ହଳଧର । କହନ୍ତି ସଂସାର ବେଭାର ॥ ୧୨୮

ମରଣତୁଲ୍ୟ ଦୋଷ ଯେବେ । ବନ୍ଧୁ କରଇ ମୂଢଭାବେ ॥ ୧୨୯

ତାହାକୁ ନ କରିବ ନାଶ । ଆପଣା ଦୋଷେ ତା ଅଯଶ ॥ ୧୩୦

ତାହାର ଲାଜେ ସେ ମରଇ । ପୁଣି କହନ୍ତି କନ୍ୟା ଚାହିଁ ॥ ୧୩୧

କ୍ଷତ୍ରିୟ ଧର୍ମର ଏ ଗତି । ଯାହା ସଂଚିଲା ପ୍ରଜାପତି ॥ ୧୩୨

ଅତି ଦାରୁଣ ତମଘୋରେ । ଭାଇକି ଭାଇ ବଳେ ମାରେ ॥ ୧୩୩

ପୁଣି ଗୋବିନ୍ଦ ମୁଖ ଚାହିଁ । କହନ୍ତି ସ୍ୱଧର୍ମ ଦେଖାଇ ॥ ୧୩୪

ରାଜ୍ୟଧରଣୀ ବିତ୍ତ ଆଶେ । ମାନ ସମ୍ପଦ ତେଜେ ବଶେ ॥ ୧୩୫

ଆପଣା ଅର୍ଥେ ମତ୍ତ ହୋଇ । ପ୍ରାଣୀ ପୀଡ଼ନ୍ତି ଗର୍ବ ବହି ॥ ୧୩୬

ତୋର ବିଷମବୁଦ୍ଧି ଚିତ୍ତେ । ମୁହିଁ ଦେଖିଲି ସର୍ବମତେ ॥ ୧୩୭

ରୁକ୍ମିଣୀମୁଖ ଚାହିଁ ପୁଣି । ବୋଲନ୍ତି ପ୍ରଭୁ ହଳପାଣି ॥ ୧୩୮

ଶତ୍ରୁର ଅମଙ୍ଗଳ ଦେଖି । ଆପଣା ଚିତ୍ତେ ହେଉ ସୁଖୀ ॥ ୧୩୯

ସୁହୃଦ ସ୍ନେହେ ମୂର୍ଖ ପଣୁ । ଭଲକୁ ମନ୍ଦ ପ୍ରାୟ ମଣୁ ॥ ୧୪୦

ତାର ଉଚିତ ଦଣ୍ତ ଦେଖି । ଆପଣା ମନେ ହେଉ ଦୁଃଖୀ ॥ ୧୪୧

ଦଇବ ମାୟାବଳେ ଜନ । ଆତ୍ମାରେ କଳ୍ପଇ ଅଜ୍ଞାନ ॥ ୧୪୨

ଆତ୍ମାରେ ଭେଦ ସେ କରନ୍ତି । ଉଦାସୀ ଶତ୍ରୁ ମିତ୍ର ହୋନ୍ତି ॥ ୧୪୩

ସକଳ ଦେହେ ଆତ୍ମା ଏକ । ଅଜ୍ଞାନୀଜନଙ୍କୁ ଅନେକ ॥ ୧୪୪

ଯେହ୍ନେ ଗଗନ ଆର ଜ୍ୟୋତି । ଅନେକ ମତେ ଦୃଶ୍ୟ ହୋନ୍ତି ॥ ୧୪୫

ଜନ୍ମ ମରଣ ପଥେ ଦେହୀ । ଦ୍ରବ୍ୟ ଇନ୍ଦ୍ରିୟ ଗୁଣ ବହି ॥ ୧୪୬

ଆତ୍ମା ଯେ ମୋହଜଡ଼ ହୋଇ । ଜନ୍ମମରଣେ ଭ୍ରମୁ ଥାଇ ॥ ୧୪୭

ଆତ୍ମା ନିର୍ଗୁଣ ନିରଞ୍ଜନ । ସଂଯୋଗ ବିଯୋଗୁଁ ଏ ଭିନ୍ନ ॥ ୧୪୮

ଆଦି କାରଣ ଆତ୍ମା ଯେଣୁ । ଦୃଷ୍ଟି ରୂପକୁ ଯେହ୍ନେ ଭାନୁ ॥ ୧୪୯

ଜନ୍ମ ବିକାର ଷଡ଼ଗୁଣ । ଏ ଆଦି ପିଣ୍ତର କାରଣ ॥ ୧୫୦

ଆତ୍ମାର ବିକାର ନୁହନ୍ତି । କଳାରେ ଚନ୍ଦ୍ର ଯେହ୍ନେ ଥାନ୍ତି ॥ ୧୫୧

ଅମାନିଶାରେ କଳାହୀନ । ବିଚାରେ ଶଶାଙ୍କ ନିର୍ଗୁଣ ॥ ୧୫୨

ଶୟନେ ପୁରୁଷ ଯେସନ । ଦେଖନ୍ତି ବିଷୟ ସ୍ୱପନ ॥ ୧୫୩

ବାସନାବଳେ ଅନୁଭବ । କରି ଲଭନ୍ତି ଯେହ୍ନେ ଭୋଗ ॥ ୧୫୪

ଏଣୁ ଅଜ୍ଞାନୁ ଶୋକ ଜାତ । ଆତ୍ମା ସେ ଶୋକ ମୋହଗ୍ରସ୍ତ ॥ ୧୫୫

ଏ ମାୟା ତତ୍ତ୍ୱଜ୍ଞାନେ ହରି । ନିର୍ମଳଜ୍ଞାନ ଚିତ୍ତେ ଧରି ॥ ୧୫୬

ସଂସାର ଭ୍ରମପ୍ରାୟ ଦେଖି । ଶୋକ ସଂହର ଚନ୍ଦ୍ରମୁଖି ॥ ୧୫୭

ଏମନ୍ତେ ଶ୍ରୀରାମର ବାଣୀ । ଆଦରେ ଶୁଣିଲା ରୁକ୍ମିଣୀ ॥ ୧୫୮

ବିମନ ଛାଡ଼ି ଜ୍ଞାନ ପାଇ । ଶୋକ ଛାଡ଼ିଲା ରାମେ ଚାହିଁ ॥ ୧୫୯

କହନ୍ତି ଶୁକମୁନି ତୋଷେ । ରୁକ୍ମୀ ଯେ ଥିଲା ନନ୍ଦିଘୋଷେ ॥ ୧୬୦

କେବଳ ଅବଶେଷ ପ୍ରାଣ । ରଥୁଁ ଓହ୍ଲାଇଲା ରୁକ୍ମଣ ॥ ୧୬୧

ବିଶେଷେ ହତବଳ ସର୍ବ । ହରି ଗଞ୍ଜିଲେ ତାର ଗର୍ବ ॥ ୧୬୨

ସଙ୍କଳ୍ପ-ଭଙ୍ଗେ ପଳାଇଲା । କୁଣ୍ତୀନଗରେ ନ ପଶିଲା ॥ ୧୬୩

ହରିଙ୍କି ମାରିଯିବା ବେଳେ । ପ୍ରତିଜ୍ଞା କରିଥିଲା ବଳେ ॥ ୧୬୪

ଆଜ ଗୋବିନ୍ଦମୁଣ୍ତ ହାଣି । ଆଣି ନ ପାରିଲେ ରୁକ୍ମିଣୀ ॥ ୧୬୫

କୁଣ୍ତୀନଗରେ ନ ପଶିବି । ଜୀବନ୍ତେ ଯେତେକାଳ ଥିବି ॥ ୧୬୬

ଏମନ୍ତେ ପଶି ଘୋରବନେ । ବୃକ୍ଷ କଟାଇ କୋପମନେ ॥ ୧୬୭

ବସାଇଲା ସେ ବହୁଗ୍ରାମ । ନଗର ଭୋଜକଟ ନାମ ॥ ୧୬୮

ତହିଁ ରହିଲା ବାସକରି । କୃଷ୍ଣ ବଇର ମନେ ଧରି ॥ ୧୬୯

ରୁକ୍ମିଣୀ ଘେନି ଭଗବାନ । ପ୍ରବେଶ ଦ୍ୱାରକାଭୁବନ ॥ ୧୭୦

ସମରେ ଜିଣି ସର୍ବରାଜା । ଯାଦବେ କଲେ ପାଦପୂଜା ॥ ୧୭୧

ସ୍ତୁତି କରନ୍ତି ସୁରନର । ଆନନ୍ଦ ଦ୍ୱାରାବତୀପୁର ॥ ୧୭୨

ଗୋବିନ୍ଦ ବିଭାର ଉତ୍ସବେ । ପୁରମଣ୍ତିଲେ ନାନାଭାବେ ॥ ୧୭୩

ଉତ୍ସବ କଲେ ସର୍ବପୁରେ । ବାଦ୍ୟ ବଜାଇ ପଞ୍ଚସ୍ୱରେ ॥ ୧୭୪

ଦ୍ୱାରକାପୁର ନରନାରୀ । ବିବିଧ ଅଳଙ୍କାର ଭରି ॥ ୧୭୫

କୃଷ୍ଣ ବିବାହେ ଉନମତ୍ତ । କାମିନୀ କଲେ ନୃତ୍ୟଗୀତ ॥ ୧୭୬

ମଙ୍ଗଳ ଦ୍ୱାରକାନଗର । କି ଅବା ଦେବା ପଟାନ୍ତର ॥ ୧୭୭

ଧ୍ୱଜ ତୋରଣ ରତ୍ନମାଳ । ପୂର୍ଣ୍ଣକଳସ ସୁମଙ୍ଗଳ ॥ ୧୭୮

ଅଗୁରୁ ଧୂପ ଦୀପାବଳୀ । ପଥେ ସିଂଚନ୍ତି ଗନ୍ଧ ଗୋଳି ॥ ୧୭୯

ମାର୍ଜନା କରି ଦାଣ୍ତ କକ୍ଷ । ଦ୍ୱାରେ ରୋପିଲେ ରମ୍ଭାବୃକ୍ଷ ॥ ୧୮୦

ବନ୍ଧୁବେଭାରେ ରାଜାଗଣେ । ଆସି ମିଳିଲେ ଜଣେ ଜଣେ ॥ ୧୮୧

କୁରୁ ସୃଞ୍ଜୟ ଆଦି ରାଜ । ବିଦର୍ଭ ଯଦୁ କୁନ୍ତି ଭୋଜ ॥ ୧୮୨

ଆରୋହି ଘୋଟକ-ବାରଣେ । ପ୍ରବେଶ ଦ୍ୱାରକାଭୁବନେ ॥ ୧୮୩

ହସ୍ତୀଙ୍କ ମଦଜଳେ ମହୀ । ବରଷାକାଳ ପ୍ରାୟ ହୋଇ ॥ ୧୮୪

ଏକ ଆରେକ ମତ୍ତ ହୋଇ । ଆନନ୍ଦ କେ ପାରିବ କହି ॥ ୧୮୫

ମଙ୍ଗଳ କର୍ମମାନ କଲେ । ଗୁରୁଦେବତା ଆରାଧିଲେ ॥ ୧୮୬

ରୁକ୍ମିଣୀହରଣର ବାଣୀ । ଭରତଖଣ୍ତ ରାଜା ଶୁଣି ॥ ୧୮୭

ରାଜକୁମାରୀ ଯେତେ ଛନ୍ତି । ଭଲେ ପାଇଲେ ମନେ ଭ୍ରାନ୍ତି ॥ ୧୮୮

ଦ୍ୱାରକାପୁରେ ଯେତେ ନର । କେ କହୁ ତପ ତାହାଙ୍କର ॥ ୧୮୯

ଆନନ୍ଦ କଲେ ପୁରେ ପୁରେ । ନୟନେ ଦେଖି କନ୍ୟାବରେ ॥ ୧୯୦

ଲକ୍ଷ୍ମୀମାଧବ ବିଭାକାଳେ । ବାନ୍ଧବେ ଯଉତୁକ ଦେଲେ ॥ ୧୯୧

ସେ ବରକନ୍ୟା ପାଦଗତ । ନମଇଁ ଦାସ ଜଗନ୍ନାଥ ॥ ୧୯୨

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ରୁକ୍ମିଣୀହରଣଂ ନାମ ଅଷ୍ଟପଞ୍ଚାଶତ୍ ଅଧ୍ୟାୟଃ ॥

* * *