ଦଶମ ସ୍କନ୍ଧ
ଅଷ୍ଟପଞ୍ଚାଶତ୍ ଅଧ୍ୟାୟ
ଶୁକ ଉବାଚ
କହନ୍ତି ଶୁକ ରାଜା ଆଗେ । ଏମନ୍ତ ବୋଲି ଚାରିଦିଗେ ॥ ୧
ଯେ ଯାହା ବାହାନ ଆବୋରି । ଅଙ୍ଗେ ସକଳେ ସ୍ନେହା ଭରି ॥ ୨
ସବୁ ସଇନ୍ୟ କରି ଆଗେ । ଧାଇଁଲେ ଶସ୍ତ୍ର ଘେନି ବେଗେ ॥ ୩
ବୋଲନ୍ତି ମାର ମାର ବାଣୀ । ଯାଦବବଳ ତାହା ଶୁଣି ॥ ୪
ଥିଲେ ଯେ ରାମ କୃଷ୍ଣ ପାଖେ । ଆବୋରି ରହିଲେ ସମ୍ମୁଖେ ॥ ୫
କୋପେ କରନ୍ତି ଗୁଣଘୋଷ । ଶବଦେ କମ୍ପେ ଦଶଦିଶ ॥ ୬
ଅଶ୍ୱ କୁଞ୍ଜର ରଥେ ଥାଇ । ନିଜ କୋଦଣ୍ତ ଗୁଣ ଦେଇ ॥ ୭
ଶର ବିନ୍ଧନ୍ତି ମେଘ ପ୍ରାୟେ । ପଡ଼ଇ ଯାଦବଙ୍କ ଦେହେ ॥ ୮
ଗିରିଶିଖରେ ଘୋଟି ଘନେ । ବୃଷ୍ଟି କରନ୍ତି ଯେହ୍ନେ ବନେ ॥ ୯
ଯାଦବବଳେ ବାଣ ସୃଷ୍ଟି । ଦେଖି ରୁକ୍ମିଣୀ ଭୟଦୃଷ୍ଟି ॥ ୧୦
ଲଜ୍ଜାରେ ଜଡ଼ିତ ନୟନ । ଚାହିଁଲା କୃଷ୍ଣର ବଦନ ॥ ୧୧
ବାଣବରଷଣେ ଅନାଇଁ । କମ୍ପଇ କୃଷ୍ଣକୋଳେ ଥାଇ ॥ ୧୨
ହାସବଦନେ ଭାଗଗ୍ରାହୀ । ବୋଲନ୍ତି କନ୍ୟାମୁଖ ଚାହିଁ ॥ ୧୩
କିମ୍ପା ସୁନ୍ଦରୀ ପାଉ ତ୍ରାସ । ହେଳେ ତୋ ରିପୁ ଯିବେ ନାଶ ॥ ୧୪
ମୋହର ବଳ ଦେଖ ଏବେ । ଅକ୍ଷୟ ଅଟନ୍ତି ଯାଦବେ ॥ ୧୫
ଏମନ୍ତ ବୋଲୁ ବୋଲୁ ଭାବେ । ସଂଗ୍ରାମେ ଧାଇଁଲେ ଯାଦବେ ॥ ୧୬
ଗଦ ସଙ୍କରଷଣ ଆଦି । ଯାଦବବଳେ ଏ ପ୍ରସିଦ୍ଧି ॥ ୧୭
କରିଣ ବାଣବୃଷ୍ଟି ଘୋର । ଦିବସ କଲେ ଅନ୍ଧକାର ॥ ୧୮
ରଥକୁଞ୍ଜର ଅଶ୍ୱ ତୁଲେ । ତୀକ୍ଷ୍ମ ନାରାଚେ ସଂହାରିଲେ ॥ ୧୯
ରିପୁଙ୍କ ଶିର କୋଟି କୋଟି । ଛିଡ଼ି ପଡ଼ିଲେ ମହୀ ଘୋଟି ॥ ୨୦
କନ୍ଧ ସହିତେ ମୁଣ୍ତମାଳ । ଲୋଟନ୍ତି କିରୀଟ କୁଣ୍ତଳ ॥ ୨୧
ଗଦା ଖଡ଼ଗ ବାଣ ହସ୍ତେ । ଛିଡ଼ି ପଡ଼ିଲେ ମହୀଗତେ ॥ ୨୨
ହସ୍ତ ହୃଦୟ ଜାନୁ ଛିଡ଼ି । ପଡ଼ିଣେ ରଣଭୂମି ମାଡ଼ି ॥ ୨୩
ତୁରଙ୍ଗ ଅଶ୍ୱତର ନାଗ । ଉଷ୍ଟ୍ର ଗର୍ଦ୍ଦଭ ଶିର ଭାଗ ॥ ୨୪
ମନୁଷ୍ୟ ଶିର ସଙ୍ଗେ ପଡ଼ି । ଭଲେ ନ ଦିଶେ ବସୁନ୍ଧରୀ ॥ ୨୫
ଦେଖି ଯାଦବବଳେ ତେଜ । ରଣେ ଭାଜିଲେ ସର୍ବରାଜା ॥ ୨୬
ମାଗଧ ଆଦି ସର୍ବବୀରେ । ମିଳିଲେ ବିଦର୍ଭ ନଗରେ ॥ ୨୭
ଦେଖିଲେ ଛାୟାବେଦୀ ମଧ୍ୟେ । ବର ବସିଛି କନ୍ୟା ସଧେ ॥ ୨୮
ଦାରାହରଣ ଶୋକ ଦୁଃଖେ । ଧୂଳି ପଡ଼ିଲା ପ୍ରାୟ ମୁଖେ ॥ ୨୯
ଲଜ୍ଜାରେ ଶୁଖିଲା ଅଧର । ସୁନ୍ଦରପଣ ହେଲା ଦୂର ॥ ୩୦
ଛାଡ଼ିଲା ବିବାହର ଆଶ । ଲାଜେ ନ ଚାହେଁ ଦଶଦିଶ ॥ ୩୧
ବଚନ ନ ସ୍ପୁରଇ ମୁଖେ । ରାଜାଏ ବସି କର ପାଖେ ॥ ୩୨
ବୋଲନ୍ତି ଶୁଣ ନରରାୟ । ମନେ ନ କର ଦୁଃଖ ଭୟ ॥ ୩୩
ବିମନ ଛାଡ଼ ବେଗେ ତୁହି । ଶୁଣ ତୁ ଯାହା ଆମ୍ଭେ କହି ॥ ୩୪
ଅର୍ଜିଲା କର୍ମ ଭୁଞ୍ଜେ ଦେହୀ । ଏହାର ପ୍ରିୟାପ୍ରିୟ ନାହିଁ ॥ ୩୫
ଏ ଦେହୀ ଈଶ୍ୱର ଆୟତ୍ତ । ସ୍ୱକର୍ମ ପଥେ ଆତଯାତ ॥ ୩୬
କାଷ୍ଠପିତୁଳୀ ହସ୍ତେ ନେଇ । କୁହୁକୀ ଯେମନ୍ତ ନଚାଇ ॥ ୩୭
ପ୍ରତିମା ନାଚେ ସେହିମତ । ସେ ଯେହ୍ନେ କୁହୁକୀ ଆୟତ୍ତ ॥ ୩୮
ଈଶ୍ୱର ଆୟତ୍ତ ଏ ଦେହୀ । ଏହାର ଦୁଃଖ ସୁଖ ନାହିଁ ॥ ୩୯
ଜରା କହଇ ସାଧୁବାଣୀ । ବିଧାତା ଗତିକୁ ନ ଜାଣି ॥ ୪୦
ଶୁଣ ମୋହର କର୍ମବାଣୀ । ବଳ ଦେଇଣ ଅକ୍ଷୌହିଣୀ ॥ ୪୧
ସପତଦଶ ବାର ହାରି । ବେଳେ ଜିଣିଲି ରାମ ହରି ॥ ୪୨
ଏହା ମୁଁ ଅନୁଭବ କରି । ଜୟ ଅଜୟ ନ ବିଚାରି ॥ ୪୩
ହରଷ ଶୋକେ ନାହିଁ ଇଚ୍ଛା । ନିଜ କରମଫଳ ଦୀକ୍ଷା ॥ ୪୪
ଜୀବଟି କର୍ମେ ଆତଯାତ । କାଳର କ୍ରୀଡ଼ା ଏ ଜଗତ ॥ ୪୫
ଦେଖ ଏ କାଳର ମହିଁମା । ଆମ୍ଭେ ସକଳେ ବୀର ସିନା ॥ ୪୬
ହାରିଲୁ ନିଜ କର୍ମ ବଳେ । ଯାଦବେ ଜିଣିଲେ ସମରେ ॥ ୪୭
ରିପୁଙ୍କ କାଳ ବଳୀୟାର । ଅଯଶ ଆମ୍ଭ କର୍ମ ଫଳ ॥ ୪୮
ଆମ୍ଭର ପୁଣ୍ୟଯଶ କାଳେ । ରିପୁ ଜିଣିବା ଅବହେଳେ ॥ ୪୯
ଏମନ୍ତ ପ୍ରବୋଧ-ବଚନେ । ହରଷ କଲା ତାର ମନେ ॥ ୫୦
ନିଜ ନଗରେ ତାକୁ ନେଇ । ଅନେକ ପ୍ରବୋଧନ କହି ॥ ୫୧
ରାଜାଏ ଦୁଃଖ ଶୋକ ମନେ । ମିଳିଲେ ଯେ ଯାହା ଭୁବନେ ॥ ୫୨
ରୁକ୍ମି ଯେ କୃଷ୍ଣର ବଇରୀ । ଶିଶୁପାଳକୁ ଥିଲା ବରି ॥ ୫୩
କନ୍ୟା ଗୋବିନ୍ଦ ହରି ନେଲେ । ଶତ୍ରୁଙ୍କ ଗର୍ବ ନାଶ କଲେ ॥ ୫୪
ମାଗଧ ଆଦି ମହୀପାଳେ । ଯେ ଯାହା ଗୃହେ ଯିବାବେଳେ ॥ ୫୫
ସମସ୍ତ ରାଜା ମଧ୍ୟେ ଥାଇ । ପ୍ରତିଜ୍ଞା କଲା ଗର୍ବ ବହି ॥ ୫୬
ଅଭେଦ ସ୍ନେହା ଦେହେ ଘେନି । ପିତାର ବଳ ଅକ୍ଷୌହିଣୀ ॥ ୫୭
ସଙ୍ଗତେ ଘେନି ମହାବୀର । ରାଜାଙ୍କୁ ବୋଲଇ ଉତ୍ତର ॥ ୫୮
ତୁମ୍ଭେତ ହୋଇଲ ନିରେଖ । ମୋର ମହିମା ଆଜ ଦେଖ ॥ ୫୯
ସମରେ ରାମକୃଷ୍ଣ ମାରି । ବନ୍ଦୀରୁ ରୁକ୍ମିଣୀ ଉଦ୍ଧରି ॥ ୬୦
ଆଜ ଆଣିବି ବାହୁବଳେ । ଯଶ ମୋ ଥିବ ମହୀତଳେ ॥ ୬୧
ଏହା ମୁଁ କରି ନ ପାରିଲେ । ବାହୁଡ଼ି ନ ଆସିବି ଭଲେ ॥ ୬୨
ସତ୍ୟବଚନ ଏ ମୋହର । ନଗରୁ ହୋଇଲା ବାହାର ॥ ୬୩
ରଥେ ବସିଲା ବେଗେ ଯାଇ । ବୋଲେ ସାରଥି ମୁଖ ଚାହିଁ ॥ ୬୪
ରଥ ତୁ ବାହା ବେଗେ କରି । ଯହିଁ ଅଛନ୍ତି ରାମହରି ॥ ୬୫
ରାମ-ଗୋବିନ୍ଦ ଯୁଦ୍ଧେ ମାରି । ରୁକ୍ମିଣୀ ଆଣିବି ଉଦ୍ଧରି ॥ ୬୬
ତୀକ୍ଷ୍ଣ ନାରାଚ ଦେଖ ମୋର । ହେଳେ ଜିଣିବି ଯଦୁବଳ ॥ ୬୭
ଗୋପାଳେ ବଳେ ବଳୀୟାର । ଆଜ କରିବି ଗର୍ବ ଚୂର ॥ ୬୮
ବଳେ ହରିଲା ମୋ ବହେଣୀ । ଆଜ ଆଣିବି ଶିର ହାଣି ॥ ୬୯
ମୋତେ ଦେଖାଏ ବଳ-ଗର୍ବ । ଅଜାତି ଗଉଡ଼ ସ୍ୱଭାବ ॥ ୭୦
ଏମନ୍ତ ଗର୍ବ ମନେ ବହି । ହରିମହିମା ନ ଜାଣଇ ॥ ୭୧
ବେଗେ ଧାଇଁଲା ଏକା ରଥେ । ଡ଼ାକଇ ରହ ରହ ପଥେ ॥ ୭୨
ଗୁଣେ ବସାଇ ତିନିବାଣ । ଶ୍ରବଣ ଯାଏଁ ଟାଣି ଗୁଣ ॥ ୭୩
ବିନ୍ଧିଲା ଗୋବିନ୍ଦ ଉପରେ । ଡ଼ାକଇ କୁତ୍ସିତ ବେଭାରେ ॥ ୭୪
ଯାଦବ-କୁଳପାଂଶୁ ତୁହି । ମୋର ସଂଗ୍ରାମେ ଯିବୁ କାହିଁ ॥ ୭୫
କ୍ଷଣେକ ରହ ରଣ ମଧ୍ୟେ । ରୁକ୍ମିଣୀ ହରିଲୁ ଯେ ସଧେ ॥ ୭୬
କାକ ଯେସନେ ମାୟା କରି । ଯଜ୍ଞର ଚରୁ ନିଏ ହରି ॥ ୭୭
ମନ୍ଦ ମାୟାବୀ କୂଟଯୋଦ୍ଧି । ଗୋପାଳେ ହୀନ ଦୁଷ୍ଟବୁଦ୍ଧି ॥ ୭୮
ଆଜ ଜିଣିବି ତୋତେ ହାଣି । ଯାବଦ ନ ଛାଡ଼ୁ ରୁକ୍ମିଣୀ ॥ ୭୯
ଶୁଣି ହସିଲେ ଦାମୋଦର । ସାରଙ୍ଗଧନୁ ଧରି କର ॥ ୮୦
ଈଷିତେ ଷଡ଼ବାଣ ବିନ୍ଧି । ତାହାର ହସ୍ତୁ ଧନୁ ଛେଦି ॥ ୮୧
ପୁଣ ବିନ୍ଧିଲେ ଅଷ୍ଟବାଣ । ଲୀଳା ମାତ୍ରକେ ନାରାୟଣ ॥ ୮୨
ରଥର ଚାରି ଅଶ୍ୱ ହାଣି । ପୁଣି ବିନ୍ଧିଲେ ବାଣ ତିନି ॥ ୮୩
ରଥସାରଥୀ ମୁଣ୍ତ କାଟି । ତିନି ନାରାଚେ ଧ୍ୱଜ ଲୋଟି ॥ ୮୪
ଦେଖିଣ ରୁକ୍ମୀ ବହି ମନ୍ୟୁ । ହସ୍ତେ ଘେନିଲା ଆର ଧନୁ ॥ ୮୫
ସେ ଧନୁ କାଟିଲେ ମୁରାରି । ଗୁଣ ଟଙ୍କାରନାଦ କରି ॥ ୮୬
ପୁଣ ଘେନିଲା ଆନ ଧନୁ । ତାହା ଛେଦିଲେ ଦେବ କାହ୍ନୁ ॥ ୮୭
ପରିଘ ଖଡ଼୍ଗ ଶୂଳ ଚର୍ମ । ଶକ୍ତି ତୋମର ତୀକ୍ଷ୍ଣ ମୁନ ॥ ୮୮
ଯେତେ ଆୟୁଧ କରେ ଧରି । ସବୁ ଛେଦିଲେ ନରହରି ॥ ୮୯
ତକ୍ଷଣେ ରଥୁଁ ଓହ୍ଲାଇଲା । କୋପେ ଖଡ଼ଗ ହସ୍ତେ ନେଲା ॥ ୯୦
କୃଷ୍ଣଙ୍କୁ ମାରିବାର ଆଶେ । ଡେ଼ଇଁ ଉଠିଲା ନନ୍ଦିଘୋଷେ ॥ ୯୧
ଗୋପେ ଗର୍ଜଇ କୃଷ୍ଣ ପାଖେ । ପବନ ଯେସନେ ପାବକେ ॥ ୯୨
ଦେଖି ଗୋବିନ୍ଦ ବେଗେ ଉଠି । ତିଳ ପ୍ରମାଣେ ଶସ୍ତ୍ର କାଟି ॥ ୯୩
କୋପେ ଉଞ୍ଚାଇ ଅସିବର । କେଶ ଧଇଲେ ସେ ରୁକ୍ମିର ॥ ୯୪
କୃଷ୍ଣର କୋପମୁଖ ଦେଖି । ଭୟେ କମ୍ପଇ ଶଶୀମୁଖୀ ॥ ୯୫
ଭାଇର ପ୍ରାଣନାଶ ଜାଣି । ଚରଣେ ପଡ଼ିଲା ରୁକ୍ମିଣୀ ॥ ୯୬
କାତରେ କରଇ କାରୁଣ୍ୟ । ଭୋ ନାଥ ଯୋଗେଶ୍ୱର ଶୁଣ ॥ ୯୭
ଅନନ୍ତ ମହିମା ତୋହର । ଦୋଷ ଉପେକ୍ଷ ଦେବ ତାର ॥ ୯୮
ଜଗତପ୍ତି ନାରାୟଣ । ମୁଁ ତୁମ୍ଭ ଚରଣେ ଶରଣ ॥ ୯୯
ନ ମାର ମୋର ଜ୍ୟେଷ୍ଠଭ୍ରାତ । ପରମାନନ୍ଦ ଜଗନ୍ନାଥ ॥ ୧୦୦
ଶୁକ ବୋଲନ୍ତି ଶୁଣ ରାୟେ । ଦୟା ବସିଲା କୃଷ୍ଣଦେହେ ॥ ୧୦୧
ଚାହିଁଲେ ରୁକ୍ମିଣୀ ଶରୀର । ଭୟେ କମ୍ପଇ ଥରହର ॥ ୧୦୨
ଶୋକେ ଶୁଖିଲା ଦେବୀ ଓଷ୍ଠ । ବାକ୍ୟ ନ ସ୍ପୁରେ ରୁନ୍ଧି କଣ୍ଠ ॥ ୧୦୩
କାତରେ ହେମକଣ୍ଠୀମାଳ । ପଡ଼ିଲା କୃଷ୍ଣପାଦତଳେ ॥ ୧୦୪
ରୁକ୍ମିଣୀ ଉଠି କରଯୋଡ଼ି । ପୁଣି କୃଷ୍ଣର ପାଦେ ପଡ଼ି ॥ ୧୦୫
ଅଶେଷ ବ୍ରହ୍ମାଣ୍ତ ଠାକୁର । ରଖିବା ଜୀବନ ଏହାର ॥ ୧୦୬
ଏମନ୍ତ ଦେଖି କନ୍ୟାଦୁଃଖ । କରୁଣା କଲେ ପଦ୍ମମୁଖ ॥ ୧୦୭
ଆକର୍ଷି ଧରି ତାର କର । ବସ୍ତ୍ରେ ବାନ୍ଧିଲେ ଦାମୋଦର ॥ ୧୦୮
ବିମାନ ଖମ୍ବେ ନେଇ ବାନ୍ଧି । ବେନିଚରଣ ତାର ଛନ୍ଦି ॥ ୧୦୯
ତୀକ୍ଷ୍ଣ ନାରାଚେ ହୃଷୀକେଶ । ବିରୂପ କଲେ ତାର ବେଶ ॥ ୧୧୦
ସାତପ୍ରକାରେ କେଶ ଧରି । କୋପେ କାଟିଲେ ଦେବହରି ॥ ୧୧୧
ସଙ୍ଗତେ ଯଦୁବଳ ଥିଲେ । ରୁକ୍ମୀର ସୈନ୍ୟଙ୍କୁ ବେଢିଲେ ॥ ୧୧୨
ତକ୍ଷଣେ ସର୍ବ କଲେ ନାଶ । ଅଳପ ରହେ ଅବଶେଷ ॥ ୧୧୩
ନଳିନୀବନେ ଗଜେ ପଶି । କ୍ଷଣକେ ଯାନ୍ତି ଯେହ୍ନେ ଧ୍ୱଂସି ॥ ୧୧୪
ସୈନ୍ୟ ହୋଇଲେ ବଳ କ୍ଷୀଣ । ରୁକ୍ମି ଯେ ପଡ଼ିଲା ବନ୍ଧନ ॥ ୧୧୫
ରଥ ନିକଟେ ରାମ ଯାଇ । ବୋଲନ୍ତି କୃଷ୍ଣମୁଖ ଚାହିଁ ॥ ୧୧୬
ବନ୍ଧନ ଫେଡ଼ାଇ ବହନ । ଚାହିଁଲେ ରୁକ୍ମୀର ବଦନ ॥ ୧୧୭
ବିରୂପ ଦେଖି ତାର ଦେହୀ । ରାମ ବୋଲନ୍ତି କୃଷ୍ଣେ ଚାହିଁ ॥ ୧୧୮
ହେ କୃଷ୍ଣ କଲୁ ଦୁଷ୍ଟପଣ । ଆପଣା ବନ୍ଧୁରେ କଷଣ ॥ ୧୧୯
ଅସାଧୁ କର୍ମ ଏ ତୋହର । ନିନ୍ଦା କରିବେ ତିନିପୁର ॥ ୧୨୦
ବିରୂପ କଲୁ କେଶ-ବେଶ । ନାଶିଲୁ ସୁହୃଦ ବିଶ୍ୱାସ ॥ ୧୨୧
ନ ଜାଣି କଲୁ ଏଡେ଼ କାର୍ଯ୍ୟ । ମରଣୁଁ ଅଧିକ ଏ ଲାଜ ॥ ୧୨୨
ଏମନ୍ତ କହି ବଳରାମ । ଚାହିଁଲେ ରୁକ୍ମିଣୀ ବଦନ ॥ ୧୨୩
ବୋଲନ୍ତି ରେବତୀରମଣ । କୋମଳ ମଧୁର ବଚନ ॥ ୧୨୪
ଜ୍ୟେଷ୍ଠଭ୍ରାତର ରୂପ ଦେଖି । କିମ୍ପାଇ ମନେ ହୁଅ ଦୁଃଖୀ ॥ ୧୨୫
ଆତ୍ମାକୁ ନିନ୍ଦିତ ନ କର । ଦଇବ ବଳ ବଳୀୟାର ॥ ୧୨୬
କର୍ମ ସେ ସୁଖ ଦୁଃଖ ଦେଇ । ପୁରୁଷ ଅବଶ୍ୟ ଭୁଞ୍ଜଇ ॥ ୧୨୭
କୃଷ୍ଣଙ୍କୁ ଚାହିଁ ହଳଧର । କହନ୍ତି ସଂସାର ବେଭାର ॥ ୧୨୮
ମରଣତୁଲ୍ୟ ଦୋଷ ଯେବେ । ବନ୍ଧୁ କରଇ ମୂଢଭାବେ ॥ ୧୨୯
ତାହାକୁ ନ କରିବ ନାଶ । ଆପଣା ଦୋଷେ ତା ଅଯଶ ॥ ୧୩୦
ତାହାର ଲାଜେ ସେ ମରଇ । ପୁଣି କହନ୍ତି କନ୍ୟା ଚାହିଁ ॥ ୧୩୧
କ୍ଷତ୍ରିୟ ଧର୍ମର ଏ ଗତି । ଯାହା ସଂଚିଲା ପ୍ରଜାପତି ॥ ୧୩୨
ଅତି ଦାରୁଣ ତମଘୋରେ । ଭାଇକି ଭାଇ ବଳେ ମାରେ ॥ ୧୩୩
ପୁଣି ଗୋବିନ୍ଦ ମୁଖ ଚାହିଁ । କହନ୍ତି ସ୍ୱଧର୍ମ ଦେଖାଇ ॥ ୧୩୪
ରାଜ୍ୟଧରଣୀ ବିତ୍ତ ଆଶେ । ମାନ ସମ୍ପଦ ତେଜେ ବଶେ ॥ ୧୩୫
ଆପଣା ଅର୍ଥେ ମତ୍ତ ହୋଇ । ପ୍ରାଣୀ ପୀଡ଼ନ୍ତି ଗର୍ବ ବହି ॥ ୧୩୬
ତୋର ବିଷମବୁଦ୍ଧି ଚିତ୍ତେ । ମୁହିଁ ଦେଖିଲି ସର୍ବମତେ ॥ ୧୩୭
ରୁକ୍ମିଣୀମୁଖ ଚାହିଁ ପୁଣି । ବୋଲନ୍ତି ପ୍ରଭୁ ହଳପାଣି ॥ ୧୩୮
ଶତ୍ରୁର ଅମଙ୍ଗଳ ଦେଖି । ଆପଣା ଚିତ୍ତେ ହେଉ ସୁଖୀ ॥ ୧୩୯
ସୁହୃଦ ସ୍ନେହେ ମୂର୍ଖ ପଣୁ । ଭଲକୁ ମନ୍ଦ ପ୍ରାୟ ମଣୁ ॥ ୧୪୦
ତାର ଉଚିତ ଦଣ୍ତ ଦେଖି । ଆପଣା ମନେ ହେଉ ଦୁଃଖୀ ॥ ୧୪୧
ଦଇବ ମାୟାବଳେ ଜନ । ଆତ୍ମାରେ କଳ୍ପଇ ଅଜ୍ଞାନ ॥ ୧୪୨
ଆତ୍ମାରେ ଭେଦ ସେ କରନ୍ତି । ଉଦାସୀ ଶତ୍ରୁ ମିତ୍ର ହୋନ୍ତି ॥ ୧୪୩
ସକଳ ଦେହେ ଆତ୍ମା ଏକ । ଅଜ୍ଞାନୀଜନଙ୍କୁ ଅନେକ ॥ ୧୪୪
ଯେହ୍ନେ ଗଗନ ଆର ଜ୍ୟୋତି । ଅନେକ ମତେ ଦୃଶ୍ୟ ହୋନ୍ତି ॥ ୧୪୫
ଜନ୍ମ ମରଣ ପଥେ ଦେହୀ । ଦ୍ରବ୍ୟ ଇନ୍ଦ୍ରିୟ ଗୁଣ ବହି ॥ ୧୪୬
ଆତ୍ମା ଯେ ମୋହଜଡ଼ ହୋଇ । ଜନ୍ମମରଣେ ଭ୍ରମୁ ଥାଇ ॥ ୧୪୭
ଆତ୍ମା ନିର୍ଗୁଣ ନିରଞ୍ଜନ । ସଂଯୋଗ ବିଯୋଗୁଁ ଏ ଭିନ୍ନ ॥ ୧୪୮
ଆଦି କାରଣ ଆତ୍ମା ଯେଣୁ । ଦୃଷ୍ଟି ରୂପକୁ ଯେହ୍ନେ ଭାନୁ ॥ ୧୪୯
ଜନ୍ମ ବିକାର ଷଡ଼ଗୁଣ । ଏ ଆଦି ପିଣ୍ତର କାରଣ ॥ ୧୫୦
ଆତ୍ମାର ବିକାର ନୁହନ୍ତି । କଳାରେ ଚନ୍ଦ୍ର ଯେହ୍ନେ ଥାନ୍ତି ॥ ୧୫୧
ଅମାନିଶାରେ କଳାହୀନ । ବିଚାରେ ଶଶାଙ୍କ ନିର୍ଗୁଣ ॥ ୧୫୨
ଶୟନେ ପୁରୁଷ ଯେସନ । ଦେଖନ୍ତି ବିଷୟ ସ୍ୱପନ ॥ ୧୫୩
ବାସନାବଳେ ଅନୁଭବ । କରି ଲଭନ୍ତି ଯେହ୍ନେ ଭୋଗ ॥ ୧୫୪
ଏଣୁ ଅଜ୍ଞାନୁ ଶୋକ ଜାତ । ଆତ୍ମା ସେ ଶୋକ ମୋହଗ୍ରସ୍ତ ॥ ୧୫୫
ଏ ମାୟା ତତ୍ତ୍ୱଜ୍ଞାନେ ହରି । ନିର୍ମଳଜ୍ଞାନ ଚିତ୍ତେ ଧରି ॥ ୧୫୬
ସଂସାର ଭ୍ରମପ୍ରାୟ ଦେଖି । ଶୋକ ସଂହର ଚନ୍ଦ୍ରମୁଖି ॥ ୧୫୭
ଏମନ୍ତେ ଶ୍ରୀରାମର ବାଣୀ । ଆଦରେ ଶୁଣିଲା ରୁକ୍ମିଣୀ ॥ ୧୫୮
ବିମନ ଛାଡ଼ି ଜ୍ଞାନ ପାଇ । ଶୋକ ଛାଡ଼ିଲା ରାମେ ଚାହିଁ ॥ ୧୫୯
କହନ୍ତି ଶୁକମୁନି ତୋଷେ । ରୁକ୍ମୀ ଯେ ଥିଲା ନନ୍ଦିଘୋଷେ ॥ ୧୬୦
କେବଳ ଅବଶେଷ ପ୍ରାଣ । ରଥୁଁ ଓହ୍ଲାଇଲା ରୁକ୍ମଣ ॥ ୧୬୧
ବିଶେଷେ ହତବଳ ସର୍ବ । ହରି ଗଞ୍ଜିଲେ ତାର ଗର୍ବ ॥ ୧୬୨
ସଙ୍କଳ୍ପ-ଭଙ୍ଗେ ପଳାଇଲା । କୁଣ୍ତୀନଗରେ ନ ପଶିଲା ॥ ୧୬୩
ହରିଙ୍କି ମାରିଯିବା ବେଳେ । ପ୍ରତିଜ୍ଞା କରିଥିଲା ବଳେ ॥ ୧୬୪
ଆଜ ଗୋବିନ୍ଦମୁଣ୍ତ ହାଣି । ଆଣି ନ ପାରିଲେ ରୁକ୍ମିଣୀ ॥ ୧୬୫
କୁଣ୍ତୀନଗରେ ନ ପଶିବି । ଜୀବନ୍ତେ ଯେତେକାଳ ଥିବି ॥ ୧୬୬
ଏମନ୍ତେ ପଶି ଘୋରବନେ । ବୃକ୍ଷ କଟାଇ କୋପମନେ ॥ ୧୬୭
ବସାଇଲା ସେ ବହୁଗ୍ରାମ । ନଗର ଭୋଜକଟ ନାମ ॥ ୧୬୮
ତହିଁ ରହିଲା ବାସକରି । କୃଷ୍ଣ ବଇର ମନେ ଧରି ॥ ୧୬୯
ରୁକ୍ମିଣୀ ଘେନି ଭଗବାନ । ପ୍ରବେଶ ଦ୍ୱାରକାଭୁବନ ॥ ୧୭୦
ସମରେ ଜିଣି ସର୍ବରାଜା । ଯାଦବେ କଲେ ପାଦପୂଜା ॥ ୧୭୧
ସ୍ତୁତି କରନ୍ତି ସୁରନର । ଆନନ୍ଦ ଦ୍ୱାରାବତୀପୁର ॥ ୧୭୨
ଗୋବିନ୍ଦ ବିଭାର ଉତ୍ସବେ । ପୁରମଣ୍ତିଲେ ନାନାଭାବେ ॥ ୧୭୩
ଉତ୍ସବ କଲେ ସର୍ବପୁରେ । ବାଦ୍ୟ ବଜାଇ ପଞ୍ଚସ୍ୱରେ ॥ ୧୭୪
ଦ୍ୱାରକାପୁର ନରନାରୀ । ବିବିଧ ଅଳଙ୍କାର ଭରି ॥ ୧୭୫
କୃଷ୍ଣ ବିବାହେ ଉନମତ୍ତ । କାମିନୀ କଲେ ନୃତ୍ୟଗୀତ ॥ ୧୭୬
ମଙ୍ଗଳ ଦ୍ୱାରକାନଗର । କି ଅବା ଦେବା ପଟାନ୍ତର ॥ ୧୭୭
ଧ୍ୱଜ ତୋରଣ ରତ୍ନମାଳ । ପୂର୍ଣ୍ଣକଳସ ସୁମଙ୍ଗଳ ॥ ୧୭୮
ଅଗୁରୁ ଧୂପ ଦୀପାବଳୀ । ପଥେ ସିଂଚନ୍ତି ଗନ୍ଧ ଗୋଳି ॥ ୧୭୯
ମାର୍ଜନା କରି ଦାଣ୍ତ କକ୍ଷ । ଦ୍ୱାରେ ରୋପିଲେ ରମ୍ଭାବୃକ୍ଷ ॥ ୧୮୦
ବନ୍ଧୁବେଭାରେ ରାଜାଗଣେ । ଆସି ମିଳିଲେ ଜଣେ ଜଣେ ॥ ୧୮୧
କୁରୁ ସୃଞ୍ଜୟ ଆଦି ରାଜ । ବିଦର୍ଭ ଯଦୁ କୁନ୍ତି ଭୋଜ ॥ ୧୮୨
ଆରୋହି ଘୋଟକ-ବାରଣେ । ପ୍ରବେଶ ଦ୍ୱାରକାଭୁବନେ ॥ ୧୮୩
ହସ୍ତୀଙ୍କ ମଦଜଳେ ମହୀ । ବରଷାକାଳ ପ୍ରାୟ ହୋଇ ॥ ୧୮୪
ଏକ ଆରେକ ମତ୍ତ ହୋଇ । ଆନନ୍ଦ କେ ପାରିବ କହି ॥ ୧୮୫
ମଙ୍ଗଳ କର୍ମମାନ କଲେ । ଗୁରୁଦେବତା ଆରାଧିଲେ ॥ ୧୮୬
ରୁକ୍ମିଣୀହରଣର ବାଣୀ । ଭରତଖଣ୍ତ ରାଜା ଶୁଣି ॥ ୧୮୭
ରାଜକୁମାରୀ ଯେତେ ଛନ୍ତି । ଭଲେ ପାଇଲେ ମନେ ଭ୍ରାନ୍ତି ॥ ୧୮୮
ଦ୍ୱାରକାପୁରେ ଯେତେ ନର । କେ କହୁ ତପ ତାହାଙ୍କର ॥ ୧୮୯
ଆନନ୍ଦ କଲେ ପୁରେ ପୁରେ । ନୟନେ ଦେଖି କନ୍ୟାବରେ ॥ ୧୯୦
ଲକ୍ଷ୍ମୀମାଧବ ବିଭାକାଳେ । ବାନ୍ଧବେ ଯଉତୁକ ଦେଲେ ॥ ୧୯୧
ସେ ବରକନ୍ୟା ପାଦଗତ । ନମଇଁ ଦାସ ଜଗନ୍ନାଥ ॥ ୧୯୨
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ରୁକ୍ମିଣୀହରଣଂ ନାମ ଅଷ୍ଟପଞ୍ଚାଶତ୍ ଅଧ୍ୟାୟଃ ॥
* * *