ଦଶମ ସ୍କନ୍ଧ

ସପ୍ତପଞ୍ଚାଶତ୍ ଅଧ୍ୟାୟ

ଶୁକ ଉବାଚ

ଭୀଷ୍ମକ-ନନ୍ଦିନୀର ବାଣୀ । ଗୋବିନ୍ଦ ବିପ୍ରମୁଖୁଁ ଶୁଣି ॥

ବ୍ରାହ୍ମଣ ହସ୍ତ କରେ ଧରି । ହସି ବୋଲନ୍ତି ନରହରି ॥

ମୋହର ତହିଁ ଚିତ୍ତେ ଦେଇ । ରୁକ୍ମିଣୀ ନିଦ୍ରା ନ ଲଭଇ ॥

ମୋହର ମନ ସେହିମତ । ରାତ୍ର ନୁହଇ ନିଦ୍ରାଗତ ॥

ଜାଣଇଁ ତାର ଜ୍ୟେଷ୍ଠ ଭାଇ । ମୋର ବିଭାରେ ରୋଷ ହୋଇ ॥

ଅନେକ ନିନ୍ଦା ମୋତେ କଲା । ଶିଶୁପାଳକୁ ସେ ବରିଲା ॥

ମୁହିଁ ଆଣିବି ତାକୁ ହରି । ସଂଗ୍ରାମେ ରିପୁବଳ ମାରି ॥

ସେ କନ୍ୟା ଅନନ୍ଦିତା ଦେହୀ । ଅନଳ ଶିଖା ପ୍ରାୟ ହୋଇ ॥

ମୋହର ପାଦେ ଧ୍ୟାନ କରି । ହୃଦରେ ମୋତେ ଅଛି ବରି ॥

ଏମନ୍ତେ ମଦନଗୋପାଳ । ଜାଣିଣ ବିଭାଲଗ୍ନ ବେଳ ॥ ୧୦

ଦାରୁକେ ରାଇ ଦାମୋଦର । ବୋଇଲେ ରଥ ସଜ କର ॥ ୧୧

ଶୁଣି ଦାରୁକ ଯାଇ ବେଗେ । ରଥ ସାଜିଲା ଅତି ବ୍ୟଗ୍ରେ ॥ ୧୨

ଶୈବ୍ୟ ସୁଗ୍ରୀବ ମେଘପୁଷ୍ପ । ଯୋଚିଲା ବଳାହକ ଅଶ୍ୱ ॥ ୧୩

ଗୋବିନ୍ଦ ନିକଟେ ମିଳିଲା । କରଅଞ୍ଜଳି ଶିରେ ଦେଲା ॥ ୧୪

ଆନନ୍ଦେ ବିପ୍ର କର ଧରି । ରଥେ ବସିଲେ ନରହରି ॥ ୧୫

ଦାରୁକ ରଥ ବାହେ ବଳେ । ଶୂନ୍ୟେ ଗମିଲେ ରାତ୍ରକାଳେ ॥ ୧୬

କୁଣ୍ତୀ ନଗରେ ଏକାରାତ୍ରେ । ମିଳିଲେ ଅଳପ ପ୍ରଭାତେ ॥ ୧୭

ଭୀଷ୍ମକ ପୁତ୍ରରବଶ ହୋଇ । ଶିଶୁପାଳକୁ ବିଭାପାଇଁ ॥ ୧୮

ମଙ୍ଗଳକାର୍ଯ୍ୟେ ଦେଇ ଚିତ୍ତ । ପୁରମଣ୍ତିଲା ନରନାଥ ॥ ୧୯

ଚନ୍ଦନଛେରା ରାଜପଥେ । ମାର୍ଜନା କରି ନାନାମତେ ॥ ୨୦

ଚିତ୍ର ପତାକା ଧ୍ୱଜ ଦେଇ । ପଲ୍ଲବ ତୋରଣ ଲମ୍ବାଇ ॥ ୨୧

ବିବିଧ ଅଳଙ୍କାର ଭରି । ରାଜ୍ୟରେ ଯେତେ ନରନାରୀ ॥ ୨୨

ଗନ୍ଧଚନ୍ଦନ ପୁଷ୍ପସାର । ବିବିଧ ନାନା ଉପହାର ॥ ୨୩

ନାରୀ ପୁରୁଷେ ସଜ ହୋଇ । ଗୃହେ ଅଗୁରୁ ଧୂପ ଦେଇ ॥ ୨୪

ମଙ୍ଗଳ ଶ୍ରାଦ୍ଧେ ବିପ୍ରଜନ । ରାଜା କରାଇଲେ ଭୋଜନ ॥ ୨୫

ପିତୃଦେବତା ପୂଜା ସାରି । ବ୍ରାହ୍ମଣେ ଶାନ୍ତିବାକ୍ୟ କରି ॥ ୨୬

ମଙ୍ଗଳଘୋଷ ନାନାବାଦ୍ୟ । ବିପ୍ରେ ପଢନ୍ତି ଶୁଭବେଦ ॥ ୨୭

ଯୁବତୀଗଣେ ଗୀତରସ । ଦ୍ୱିଜେ କରନ୍ତି ଅଧିବାସ ॥ ୨୮

ମଙ୍ଗଳଗୀତେ ବଧୂଜନ । କନ୍ୟାକୁ କରାଇଲେ ସ୍ନାନ ॥ ୨୯

କୁଙ୍କୁମ ଲେପି କଳେବର । ମଙ୍ଗଳସୂତ୍ର ବାନ୍ଧି କରେ ॥ ୩୦

ଉତ୍ତମ ଅଳଙ୍କାର ଦେଇ । ମଙ୍ଗଳନାଦେ ଗୀତ ଗାଇ ॥ ୩୧

ବ୍ରାହ୍ମଣେ ବେଦମନ୍ତ୍ରେ ଦୀକ୍ଷା । କନ୍ୟାକୁ କରାଇଲେ ରକ୍ଷା ॥ ୩୨

ଗୋଚରେ ଗ୍ରହଶାନ୍ତି ଅର୍ଥେ । ଅଥର୍ବବେଦୀ ପୁରୋହିତେ ॥ ୩୩

ହୋମ କରାଇ ଗ୍ରହ ଶାନ୍ତି । ଆନନ୍ଦମନେ ମହୀପତି ॥ ୩୪

ହେମ ରଜତ ବସ୍ତ୍ର ତିଳ । ଗୁଡେ଼ ମିଶାଇଣ ପ୍ରବାଳ ॥ ୩୫

ସୁବର୍ଣ୍ଣଶୃଙ୍ଗ ଧେନୁ ଦେଇ । ବିପ୍ରଙ୍କୁ ସନ୍ତୋଷ କରାଇ ॥ ୩୬

ବେଦ ଆଗମ ପଥଭେଦି । ରାଜା ଜଣାଇ ସର୍ବବିଧି ॥ ୩୭

ଏମନ୍ତେ ରାଜା ଦମଘୋଷ । ଉତ୍ସବ କଲା ନିଜ ଦେଶ ॥ ୩୮

ପୁତ୍ରର ଶୁଭଅର୍ଥେ ରାଜା । ପିତୃଦେବତା କଲା ପୂଜା ॥ ୩୯

ମଙ୍ଗଳସୂତ୍ର ବାନ୍ଧି ହସ୍ତେ । ବସିଲା ଶିଶୁପାଳ ରଥେ ॥ ୪୦

ମତ୍ତକୁଞ୍ଜର ଅଶ୍ୱରଥୀ । ପଦାତିତୁଲେ ନରପତି ॥ ୪୧

ଘେନାଇ ଚତୁରଙ୍ଗ ବଳ । ବାଜଇ ବାଦ୍ୟ ସୁମଙ୍ଗଳ ॥ ୪୨

କୁଣ୍ତୀନଗରେ ବେଗେ ଗଲା । ହରଷେ ଦମଘୋଷ ବଳା ॥ ୪୩

ଭୀଷ୍ମକ ଆସି କିଛି ଦୂର । ପ୍ରବେଶ କରାଇଲା ପୁର ॥ ୪୪

ଉତ୍ତମ ଗୃହେ ବାସ ଦେଇ । ପୂଜିଲା ଆସନେ ବସାଇ ॥ ୪୫

ଶିଶୁପାଳର ପକ୍ଷ ହୋଇ । ରାଜାଏ ମିଳିଛନ୍ତି ଯାଇ ॥ ୪୬

ଶାଲ୍ୱ ମଗଧ ନରନାଥ । ବିକଟ ଦନ୍ତ ବିଦୂରତ ॥ ୪୭

ପୌଣ୍ତ୍ରକ ଆଦି ଯେତେ ଥିଲେ । ସହସ୍ର ସଂଖ୍ୟାରେ ମିଳିଲେ ॥ ୪୮

ସ୍ୱଭାବେ କୃଷ୍ଣର ବଇରି । ଶିଶୁପାଳର ହିତକାରୀ ॥ ୪୯

ବୋଲନ୍ତି ରାମକୃଷ୍ଣ ଆସି । ଗୁପତେ ସଭାମଧେ ବସି ॥ ୫୦

ନପୁଣ କନ୍ୟା ହରି ନ୍ୟନ୍ତି । ଏମନ୍ତ ଭାଳି କଲେ ଭ୍ରାନ୍ତି ॥ ୫୧

ମିଳିଲେ ଦଣ୍ତ ସଜକରି । ଯୁଦ୍ଧେ ମାରିବା ରାମହରି ॥ ୫୨

ଶିଶୁପାଳକୁ କନ୍ୟାଦେଇ । ଧରଣୀ ମଧ୍ୟେ ଯଶ ଥାଇ ॥ ୫୩

ଏମନ୍ତ ଭାଳି ଦୃଢ କଲେ । ବିଦର୍ଭ ଦେଶରେ ମିଳିଲେ ॥ ୫୪

ଯେ ଯାହା ଅଙ୍ଗ ବଳ ଘେନି । ଶବଦେ କମ୍ପାଇ ମେଦିନୀ ॥ ୫୫

ଏକଥା ଶୁଣି ବଳରାମ । ବିପକ୍ଷ ନଡପତି ଆଗମ ॥ ୫୬

କୃଷ୍ଣ ଯେ ଗଲେ ଏକା ରଥେ । ନପୁଣ ଗୋଳ ହୋଏ ରଥେ ॥ ୫୭

ଏମନ୍ତ ମନେ ଶଙ୍କା କରି । ସଜ ହୋଇଲେ ହଳଧାରୀ ॥ ୫୮

ଅନେକ ବଳ ଘେନି ପାଶେ । ଧାଇଁଲେ ଭ୍ରାତୃସ୍ନେହ ବଶେ ॥ ୫୯

ଏମନ୍ତ ଶୁଣ ନୃପମଣୀ । ଭବନେ ଭୀଷ୍ମକ ନନ୍ଦୀନୀ ॥ ୬୦

କୃଷ୍ଣ ଆଗମେ ଆଶା କରି । ଜୀବନେ ନ ପାରଇ ଧରି ॥ ୬୧

ନ ଦେଖି ବିପ୍ର ଆଗମନ । କାତରେ କମ୍ପଇ ଜୀବନ ॥ ୬୨

କାନ୍ଦଇ ଦଇବ ସୁମରି । ଧରଣୀ ଗତେ ଶିର ତାଡି ॥ ୬୩

ରାତ୍ର ପାଇଲେ ବିଭା ମୋର । କିମ୍ପା ନଇଲେ ଦାମୋଦର ॥ ୬୪

ବ୍ରାହ୍ମଣ ନଇଲା ମୋହର । କେମନ୍ତେ ଧରିବି ଶରୀର ॥ ୬୫

ସେ ହରି କୃପା-ପୟୋନିଧି । ମୁଁ ଅବା ପାପୀ ଅପରାଧୀ ॥ ୬୬

ନିନ୍ଦିତକର୍ମ ଦେଖି ମୋର । କୋପ କି କଲେ ଚକ୍ରଧର ॥ ୬୭

ବିବାହ ଅର୍ଥେ ମୋ ନଇଲେ । ଦଇବ ମୋତେ ମାୟା କଲେ ॥ ୬୮

ଈଶ୍ୱରସେବା ମୋର ନାହିଁ । କୃଷ୍ଣ ଦେଖିବି ଅବା କାହିଁ ॥ ୬୯

ମୋରେ ବା ବିମୁଖ ଭବାନୀ । ଅନେକ ଅପରାଧ ଘେନି ॥ ୭୦

ଏମନ୍ତେ କୃଷ୍ଣ ଆଗମନେ । ନିଶ୍ଚଳ-ଧ୍ୟାନ କଲା ମନେ ॥ ୭୧

ଅଶ୍ରୁପୂରିତ ବେନିଡୋଳେ । ନିରାଶେ ରହିଲା ନିଶ୍ଚଳେ ॥ ୭୨

କୃଷ୍ଣ ଆଗମେ ମନ ଦେଲା । ଏମନ୍ତେ ଶୁଭ ପ୍ରକାଶିଲା ॥ ୭୩

ସ୍ପୁରଇ ବାମନେତ୍ର ତାର । ଜାନୁ କମ୍ପଇ ଥରହର ॥ ୭୪

କୃଷ୍ଣ ଯେ ଯାଉଥିଲେ ପଥେ । ବ୍ରାହ୍ମଣ ଘେନି ନିଜ ରଥେ ॥ ୭୫

ବୋଇଲେ ବିପ୍ରମୁଖ ଚାହିଁ । କହ ରୁକ୍ମିଣୀ ଆଗେ ଯାଇ ॥ ୭୬

ଅଇଲୁ ବୋଲି ବେଗେ କହ । ନୋହିଲେ ଛାଡ଼ିବଟି ଦେହ ॥ ୭୭

ଗୋବିନ୍ଦବାଣୀ ଶୁଣି କର୍ଣ୍ଣେ । ବ୍ରାହ୍ମଣ ଗଲା ତୋଷମନେ ॥ ୭୮

ରାଜାର ଭୁବନେ ପଶିଲା । ରୁକ୍ମିଣୀ ନିକଟେ ମିଳିଲା ॥ ୭୯

ନୟନେ ଦେଖି ବିପ୍ରବର । ଚଞ୍ଚଳଚିତ୍ତ କଲା ସ୍ଥିର ॥ ୮୦

ବ୍ରାହ୍ମଣ ହରଷବଦନ । ଦେଖିରୁକ୍ମିଣୀ ତୋଷମନ ॥ ୮୧

ଶୁଭଲକ୍ଷଣ ଦେଖି ତାର । ଚରଣେ କଲା ନମସ୍କାର ॥ ୮୨

ବେନିଚରଣେ କର ଦେଇ । ପୁଚ୍ଛଇ ବିପ୍ରମୁଖ ଚାହିଁ ॥ ୮୩

ବ୍ରାହ୍ମଣ କହେ ଶୁଭବାଣୀ । ବିଜୟ କଲେ ଚକ୍ରପାଣି ॥ ୮୪

ସତ୍ୟବଚନ ମୋତେ କହି । କୃଷ୍ଣ ଅଇଲେ ତୋର ପାଇଁ ॥ ୮୫

ଲିଭିବୁ ତ୍ରୈଲୋକ୍ୟଠାକୁର । ଧନ୍ୟ ଗୋ ଜନନୀ ତୋହର ॥ ୮୬

କୃଷ୍ଣ ଆଗମ କଥା ଶୁଣି । ଆନନ୍ଦସାଗରେେ ରୁକ୍ମିଣୀ ॥ ୮୭

ବୁଡି ହୋଇଲା ଛନଛନ । ନିକଟେ ନ ଦେଖଇ ଜନ ॥ ୮୮

ଅନ୍ୟ ପ୍ରିୟକୁ ନ ଗଣଇ । ବ୍ରାହ୍ମଣ ଚରଣେ ପୂଜଇ ॥ ୮୯

ଏମନ୍ତେ ଶୁଣ ନରନାଥେ । କୃଷ୍ଣ ରହିଲେ ଏକା ରଥେ ॥ ୯୦

ଦୂତେ ଯେ ଜଗିଥିଲେ ପଥେ । କୃଷ୍ଣଙ୍କୁ ଦେଖିଲେ ସେ ରଥେ ॥ ୯୧

ରାମର ସଙ୍ଗେ ଯଦୁବଳ । ଶୁଣିଲେ ମୁଖରାବ ର ଗୋଳ ॥ ୯୨

ବେଗେ ଭୀଷ୍ମକ ଆଗେ ଯାଇ । କହିଲେ ଶିରେ କର ଦେଇ ॥ ୯୩

ଶୁଣ ଭୀଷ୍ମକ ମହୀପାଳ । ଶୁଣିଲୁ ମୁଖରାବ ଗୋଳ ॥ ୯୪

ରାମଗୋବିନ୍ଦ ସୈନ୍ୟ ଘେନି । ନଗ୍ରେ ପଶିଲେ ଏହିକ୍ଷଣି ॥ ୯୫

ଅନେକ ବଳ ତାଙ୍କ ସଙ୍ଗେ । ବିବାହ ଦେଖିବାର ରଙ୍ଗେ ॥ ୯୬

ଆଗେ ଅଇଲେ ବେନିଭାଇ । କହିଲୁ ଆମ୍ଭ ଦୋଷ ନାହିଁ ॥ ୯୭

ଶୁଣି ସଂଭ୍ରମେ ନୃପବର । ଘେନାଇ ନାନା ଉପହାର ॥ ୯୮

ସୁବର୍ଣ୍ଣ ପାତ୍ରେ ମଧୁରସ । ନୀଳଦୁକୂଳ ପୀତବାସ ॥ ୯୯

ବିବିଧ ଉପହାର ଘେନି । ଭାବେ ପୂଜିଲା ଭାଇ ବେନି ॥ ୧୦୦

ଉତ୍ତମପୁରେ ଦେଲା ସ୍ଥାନ । ପୂଜିଲା ଯଥା ବିଧିବିଧାନ ॥ ୧୦୧

ରାଜାଏ ଆସିଛନ୍ତି ଯେତେ । ପୂଜିଲା ଯଥାବିଧି ମତେ ॥ ୧୦୨

କୃଷ୍ଣଆଗମ କଥା ଶୁଣି । ବିଦର୍ଭପୁରେ ଯେତେ ପ୍ରାଣୀ ॥ ୧୦୩

ସକଳେ ନିଜପୁର ଛାଡ଼ି । ଧାଇଁଲେ ରାଜପଥ ମାଡ଼ି ॥ ୧୦୪

କୃଷ୍ଣଙ୍କୁ ଦେଖି ବେନିନେତ୍ରେ । ଅଞ୍ଜଳି କରି ନେତ୍ର-ପାତ୍ରେ ॥ ୧୦୫

ଗୋବିନ୍ଦ-ମୁଖ-ପଦ୍ମ-ରସ । ପିବନ୍ତେ ନୋହେ ମନତୋଷ ॥ ୧୦୬

ଆନନ୍ଦେ ବୋଲନ୍ତି ଯୁବତୀ । ରୁକ୍ମିଣୀ ସଦୃଶ ଏ ପତି ॥ ୧୦୭

କନ୍ୟା ସଦୃଶ ଏହୁ ବର । ତୁଳନା ନାହିଁ ତିନିପୁର ॥ ୧୦୮

ଆମ୍ଭର ପୁଣ୍ୟବଳ ଯେତେ । ତେଣୁ ଈଶ୍ୱର ତୋଷଚିତ୍ତେ ॥ ୧୦୯

ପ୍ରସନ୍ନ ହୋନ୍ତୁ ଶୂଳଧର । ରୁକ୍ମିଣୀ ଲଭୁ ଏହୁ ବର ॥ ୧୧୦

ଏମନ୍ତ ବୋଲୁ ବୋଲୁ ଜନ । ଶୁଭିଲା ନାନାବାଦ୍ୟ ସ୍ୱନ ॥ ୧୧୧

ରୁକ୍ମିଣୀ ଘେନି ବିପ୍ରନାରୀ । ସଙ୍ଗେ ଅଛନ୍ତି ପରିବାରୀ ॥ ୧୧୨

ଆବୋରି ଚତୁରଙ୍ଗ ବଳ । ଶୂନ୍ୟେ ଦେଖନ୍ତି ଦିଗପାଳ ॥ ୧୧୩

ବୀରେ ଆବୋରି ଚଉପାଶେ । ଗମନ୍ତି ରିପୁବଳ ତ୍ରାସେ ॥ ୧୧୪

ବେନିଚରଣେ ଚାଲେ ପଥେ । ଅମ୍ବିକା ପୂଜିବା ନିମନ୍ତେ ॥ ୧୧୫

କୃଷ୍ଣଚରଣେ ମନ ଦେଇ । ଚାଲଇ ଚଉଦିଗ ଚାହିଁ ॥ ୧୧୬

ମାତାଙ୍କ ସଙ୍ଗେ ଚାଲେ ପଥେ । କଥା ନ କହି ମୌନବ୍ରତେ ॥ ୧୧୭

ରାଜପୁରୁଷେ ଆଗସରି । ଚାଲନ୍ତି ନାନା ଶସ୍ତ୍ର ଧରି ॥ ୧୧୮

ମୃଦଙ୍ଗ ଶଙ୍ଖ ତୁରୀ ଭେରୀ । ଶୁଭଇ ଦଶଦିଗ ପୂରି ॥ ୧୧୯

ଶତ ସହସ୍ର ପରିବାରୀ । କରେ ଚାମର ଛନ୍ତି ଧରି ॥ ୧୨୦

ଆଗେ ଖଟନ୍ତି ବେଶ୍ୟାନାରୀ । ଚଳନ୍ତି ରଙ୍ଗେ ନୃତ୍ୟକରି ॥ ୧୨୧

ବ୍ରାହ୍ମଣନାରୀ କନ୍ୟା ସଙ୍ଗେ । ପୁଷ୍ପଚନ୍ଦନ ରତ୍ନ ଅଙ୍ଗେ ॥ ୧୨୨

ସୂତ ମାଗଧ ସ୍ତୁତି ରଙ୍ଗେ । ନାନା ସୁବାଦ୍ୟ ଗୀତ ସଙ୍ଗେ ॥ ୧୨୩

କନ୍ୟା ଆବୋରି ଯୂଥ ଯୂଥ । ସୁନ୍ଦର ଦିଶେ ରାଜପଥ ॥ ୧୨୪

ଦେବୀଭୁବନେ ଯାଇ ମିଳି । କାମିନୀ ଦ୍ୟନ୍ତି ହୁଳହୁଳି ॥ ୧୨୫

କର ଚରଣ ମୁଖ ଧୋଇ । ରୁକ୍ମିଣୀ ହସ୍ତେ ପୁଷ୍ପ ଦେଇ ॥ ୧୨୬

ଦେବୀ ଅଗ୍ରତେ ନେଇ କରି । ପାଶେ ବସିଲେ ବିପ୍ରନାରୀ ॥ ୧୨୭

ବୟସେ ଅଧିକ ଖଟନ୍ତି । ସକଳ ବିଧି ସେ ଜାଣନ୍ତି ॥ ୧୨୮

କନ୍ୟାର ସ୍ୱାମୀ ହିତ ଅର୍ଥେ । ପୂଜା କରାଇ ନାନାମତେ ॥ ୧୨୯

ବୋଇଲେ ନମସ୍କାର କର । ଯେମନ୍ତ ବାଞ୍ଛା ମନେ ତୋର ॥ ୧୩୦

ଆପଣା ସ୍ୱାମୀସୁଖ ଅର୍ଥେ । ବର ତୁ ମାଗ ଶୁଦ୍ଧଚିତ୍ତେ ॥ ୧୩୧

ଶୁଣି ରୁକ୍ମିଣୀ କରଯୋଡ଼ି । କହେ ଅମ୍ବିକା ପାଦେ ପଡ଼ି ॥ ୧୩୨

ନମଇ ଅମ୍ବିକାର ପାଦେ । ସକଳ-ସୁଖ-ବରପ୍ରଦେ ॥ ୧୩୩

ପୁତ୍ର ଦୁହିତା ସୁଖ ଘେନି । ଈଶ୍ୱରି ହୁଅ ବରଦାନୀ ॥ ୧୩୪

ଭୋ ମାତ ତୋହର ପ୍ରସାଦେ । ବର ମାଇଇ ଅପ୍ରମାଦେ ॥ ୧୩୫

କୃଷ୍ଣ ମୋହର ବର ହେଉ । ତା ପାଦ ସେବି ଦିନ ଯାଉ ॥ ୧୩୬

ପବିତ୍ରଜଳ ଗନ୍ଧାକ୍ଷତ । ବସ୍ତ୍ରଭୂଷଣ ନାନାମତ ॥ ୧୩୭

ଅନେକ ଉପହାର ଦେଇ । ଧୂପ ପ୍ରଦୀପ ତଳେ ଥୋଇ ॥ ୧୩୮

ବ୍ରାହ୍ମଣନାରୀ ସୁଲକ୍ଷଣୀ । ଦେବୀପ୍ରସାଦ ଦେଲେ ଆଣି ॥ ୧୩୯

ପ୍ରସାଦ ଘେନି କନ୍ୟା ହସ୍ତେ । ନାରୀଙ୍କି ଦେଲା ନାନାମତେ ॥ ୧୪୦

ଶେଷେ ଘେନିଲା ନିଜ ଶିରେ । ନମିଲା ନାରୀଙ୍କ ପୟରେ ॥ ୧୪୧

ମଉନବ୍ରତ କଲା ଦୂର । ମନ୍ଦିରୁ ହୋଇଲା ବାହାର ॥ ୧୪୨

ସଖୀଏ ବାମପାଶେ ଥିଲା । ତାହାର କନ୍ଧେ ହସ୍ତ ଦେଲା ॥ ୧୪୩

ରତ୍ନମୁଦ୍ରିକା ବିରାଜଇ । ଚଞ୍ଚଳେ ଚଉଦିଗେ ଚାହିଁ ॥ ୧୪୪

ଅଂଶେ କମଳା ଅବତାର । ରୂପେ କି ଦେବା ପଟାନ୍ତର ॥ ୧୪୫

କିଏ ସ୍ୱରୂପେ ଦେବମାୟା । ବୀରମୋହିନୀ ରୂପ ଏହା ॥ ୧୪୬

ଦଇବ ଭିଆଇଲା ବାମା । ଜଗମୋହିନୀ ଏ ସୁଷମା ॥ ୧୪୭

ନବଯୁବତୀ ମଧ୍ୟେ ବାମା । ଚିତ୍ର କି କଲା ବିଶ୍ୱକର୍ମା ॥ ୧୪୮

ରତ୍ନକୁଣ୍ତଳ କର୍ଣ୍ଣେ ଶୋହେ । ତିନିଭୁବନ ମନମୋହେ ॥ ୧୪୯

କଟିମେଖଳା କଣ୍ଠମାଳ । ନାନାରତନେ କି ଉଜ୍ଜ୍ୱଳ ॥ ୧୫୦

ହୃଦୟ ଫୁଟି ବେନି ସ୍ତନ । କୁନ୍ତଳେ ଶଙ୍କିତ ନୟନ ॥ ୧୫୧

ଅଳପହାସେ ମୁଖରଙ୍ଗ । ଓଷ୍ଠ ପାଚିଲା ଫଳ ନିମ୍ବ ॥ ୧୫୨

କୁନ୍ଦକୁଳିକା ଦନ୍ତପନ୍ତି । ଯେହ୍ନେ ସିନ୍ଦୂରେ ଗଜମୋତି ॥ ୧୫୩

ରାଜହଂସର ପ୍ରାୟେ ଧୀରେ । ଚାଲଇ ନୂପୁର ପୟରେ ॥ ୧୫୪

ବିବାହଯାତ୍ରା ଛଳେ ଆସି । ଅନେକ ରାଜା ଥିଲେ ବସି ॥ ୧୫୫

ଏମନ୍ତେ ରୁକ୍ମିଣୀ ବଦନ । ଦେଖି ହାରିଲେ ନିଜ ଜ୍ଞାନ ॥ ୧୫୬

ରୁକ୍ମିଣୀ ରୂପ ଦେଖି ବୀରେ । ଜ୍ଞାନ ହାରିଲେ କାମଜ୍ୱରେ ॥ ୧୫୭

ଗଜ ତୁରଙ୍ଗ ରଥେ ଥାଇ । ରୁକ୍ମିଣୀ ରୂପକୁ ଅନାଇଁ ॥ ୧୫୮

ହସ୍ତୁ ପଡ଼ିଲା ଶସ୍ତ୍ର ଝଡ଼ି । ଅଜ୍ଞାନ ହୋଇ ତଳେ ପଡ଼ି ॥ ୧୫୯

ଏମନ୍ତେ ଦେବୀଯାତ୍ରା ଛଳେ । ଚାଲଇ ଯୁବତୀଙ୍କ ମେଳେ ॥ ୧୬୦

ଆପଣା ଦେହର ଯେ କାନ୍ତି । ଦେଖାଇ ଲୋଡ଼ଇ ଶ୍ରୀପତି ॥ ୧୬୧

ଗଗନେ ଟେକିଣ ବଦନ । ଚିନ୍ତଇ କମଳଲୋଚନ ॥ ୧୬୨

କେତେହେଁ ଦୂର ପୁଣି ଯାଇ । ବିକଳେ ଦଶଦିଗେ ଚାହିଁ ॥ ୧୬୩

ନୟନେ ନିରେଖି ସଧିରେ । ଶୂନ୍ୟେ ଦେଖିଲା ଚକ୍ରଧରେ ॥ ୧୬୪

ନୟେନେ ଅନଳକୁ ଚାହିଁ । ପତଙ୍ଗ ଯେହ୍ନେ ପଡେ଼ ଧାଇଁ ॥ ୧୬୫

ଗଗନେ ଦେଖି କୃଷ୍ଣରଥ । ବେଗେ ତୋଳିଲା ବେନିହସ୍ତ ॥ ୧୬୬

ରଥେ ଉଠିଲା ପ୍ରାୟ ମଣି । କର ଧଇଲେ ଚକ୍ରପାଣି ॥ ୧୬୭

ନେଇଣ ବସାଇଲେ କୋଳେ । ଶୂନ୍ୟେ ଦେଖନ୍ତି ଦିଗପାଳେ ॥ ୧୬୮

ମାଗଧ ଆଦି ରିପୁ ଯେତେ । ସକଳ ଦୃଷ୍ଟି କୃଷ୍ଣରଥେ ॥ ୧୬୯

ଗରୁଡ଼ଧ୍ୱଜ ରଥେ ଆଣି । କୋଳେ ବସାଇ କମଳିନୀ ॥ ୧୭୦

କ୍ଷତ୍ରିୟବଳ ତୁଚ୍ଛ କରି । ସାରଙ୍ଗଧନୁ କରେ ଧରି ॥ ୧୭୧

ବିଜୟ କଲେ ଦାମୋଦର । ସଙ୍ଗେ ସାତ୍ୟକି ହଳଧର ॥ ୧୭୨

ଯାଦବବଳ ଅପ୍ରମିତ । ଗହଳେ ନ ଦିଶଇ ପଥ ॥ ୧୭୩

ଶୃଗାଳ ମଧ୍ୟୁ ମାଂସଭାଗ । ବଳେ ହରଇ ଯେହ୍ନେ ସିଂହ ॥ ୧୭୪

ଦେଖି ଚକିତ ସର୍ବଜନ । ଥିଲେ ଯେ ଅନେକ ରାଜନ ॥ ୧୭୫

ଏକ ଆରେକ ମୁଖ ଚାହିଁ । ବଦନୁ ବାକ୍ୟ ନ ସ୍ପୁରଇ ॥ ୧୭୬

ଶୁଭଇ ନେଲା ନେଲା ବାଣୀ । ଚହଳେ କମ୍ପଇ ଧରଣୀ ॥ ୧୭୭

ଘଡ଼ିକେ ଜାଣିଲେ ସକଳେ । କନ୍ୟା ହରିଲେ କୃଷ୍ଣ ବଳେ ॥ ୧୭୮

କୃଷ୍ଣର ରିପୁରାଜା ଯେତେ । ବିବିଧ ଶସ୍ତ୍ର ଘେନି ହସ୍ତେ ॥ ୧୭୯

ଶିଶୁପାଳର ସଭାତଳେ । ପ୍ରତିଜ୍ଞା କଲେ ସେହୁବଳେ ॥ ୧୮୦

ଆମ୍ଭେ ଆଣିବୁ ତୋର ନାରୀ । ସଂଗ୍ରାମେ ରାମକୃଷ୍ଣ ମାରି ॥ ୧୮୧

ଏବେ ହୋଇଲା ଯଶ ନାଶ । ସମ୍ଭ୍ରମେ ଛାଡ଼ନ୍ତି ନିଃଶ୍ୱାସ ॥ ୧୮୨

ବୋଲନ୍ତି ଅଧର କାମୋଡ଼ି । ଆପଣା ଶିରେ କର ତାଡ଼ି ॥ ୧୮୩

ଆମ୍ଭର ବଳ ଧିକ୍ ହେଉ । ଗୃଧ୍ର ଶୃଗାଳ ମାଂସ ଖାଉ ॥ ୧୮୪

ଗୋପାଳେ ନେଲେ ବଳ କରି । ଆମ୍ଭର ମଧ୍ୟୁ କନ୍ୟା ହରି ॥ ୧୮୫

ଶୃଗାଳ ସିଂହଭାଗ ନେଲା । ଏମନ୍ତ ଶବଦ ଶୁଭିଲା ॥ ୧୮୬

ରୁକ୍ମିଣୀ ହରଣ ଏ ବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥ ୧୮୭

ବୋଲଇ ଦାସ ଜଗନ୍ନାଥ । ସଜ ହୋଇଲେ ନୃପଯୂଥ ॥ ୧୮୮

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ରୁକ୍ମିଣୀହରଣଂ ନାମ ସପ୍ତପଞ୍ଚାଶତ୍ ଅଧ୍ୟାୟଃ ॥

* * *