ଦଶମ ସ୍କନ୍ଧ
ଷଟ୍ପଞ୍ଚାଶତ୍ ଅଧ୍ୟାୟ
ଶୁକ ଉବାଚ
ଶୁକ ବୋଲନ୍ତି ଶୁଣ ରାୟେ । ଏମନ୍ତେ କୃଷ୍ଣ ଅନୁଗ୍ରହେ ॥ ୧
ହୃଦ-ଉତ୍ସାହେ ମୁଚୁକୁନ୍ଦ । ନିର୍ମଳେ ଚାହଁଇ ଗୋବିନ୍ଦ ॥ ୨
ଆନନ୍ଦେ ଶୋକ ଗଦ୍ଗଦେ । ପ୍ରଣାମ କଲା କୃଷ୍ଣପାଦେ ॥ ୩
ଭୋ ନାଥ କର ପ୍ରତିକାର । ଏ ଭବସାଗରୁ ଉଦ୍ଧର ॥ ୪
ତପ କରିବି ଯେଉଁମତେ । କହ ତୁ ମୋତେ ଶୁଦ୍ଧଚିତ୍ତେ ॥ ୫
ହସି ବୋଲନ୍ତି ନାରାୟଣ । ଯାଅ ତୁ ବଦରିକାଶ୍ରମ ॥ ୬
ତପ କରିବୁ ବନେପଶି । ନର-ନାରାୟଣ ବିଶ୍ୱାସି ॥ ୭
ଆସନେ ଶୁଦ୍ଧି କରି ମନେ । ପବନ ଫଳମୂଳ ବନେ ॥ ୮
ଏହାନ୍ତ କରିବୁ ଆହାର । ମନେ ନ ଧରିବୁ ସଂସାର ॥ ୯
ଶୁଣି ହରଷ ନୃପବର । ଶିରେ ଯୋଡ଼ିଲା ବେନିକର ॥ ୧୦
ଶିର ଲଗାଇ କୃଷ୍ଣପାଦେ । ଆନନ୍ଦେ ଶୋକ ଗଦଗଦେ ॥ ୧୧
ବାହାର ହୋଇ ମୁଚୁକୁନ୍ଦ । ଚଳିଲା ଚାହାଁନ୍ତି ଗୋବିନ୍ଦ ॥ ୧୨
ଦେଖିଲା ସ୍ଥାବର ଜଙ୍ଗମ । ବନ ଦୁର୍ଗମ ଗିରିମାନ ॥ ୧୩
ପଶୁଙ୍କୁ ଚାହିଁ ବିଚାରଇ । ଏମନ୍ତ ଦେଖିଲାତ ନାହିଁ ॥ ୧୪
ଅଳପପ୍ରାୟେ ତ ଦିଶନ୍ତି । ଏମନ୍ତେ କଲା ମନେ ଭ୍ରାନ୍ତି ॥ ୧୫
ପୁଣି କ୍ଷଣକେ ଅନୁରାଗ । ଏ କି ହୋଇଲା କଳିଯୁଗ ॥ ୧୬
ନିଦ୍ରାରେ ତିନିଯୁଗ ଗଲା । ଏମନ୍ତ ବୋଲି ବିଚାରିଲା ॥ ୧୭
ଉତ୍ତରଦିଗେ ନୃପବର । ଗଲା ଅନେକ ପଥଦୂର ॥ ୧୮
ସର୍ବସଂଶୟ ସଙ୍ଗ ଛାଡ଼ି । ତପ ସାଧନେ ଚିତ୍ତବୁଡ଼ି ॥ ୧୯
ସମାଧି କରି କୃଷ୍ଣପାଦେ । ମନ ନିବେଶି ଅପ୍ରମାଦେ ॥ ୨୦
ଗନ୍ଧମାର୍ଦ୍ଦନ ମଧ୍ୟେ ଗଲା । ବଦ୍ରିକା ଆଶ୍ରମେ ମିଳିଲା ॥ ୨୧
ନରନାରାୟଣ ଆଶ୍ରମେ । ଶୁଚି ପବିତ୍ର ପୁଣ୍ୟଧାମେ ॥ ୨୨
ସମାଧିବଳେ ତପ କରି । ମନପବନ ହୃଦେ ଧରି ॥ ୨୩
ସକଳ ଇନ୍ଦ୍ରି ଦୁଃଖ ସହି । ସମଦରଶୀ ଶୁଦ୍ଧଦେହୀ ॥ ୨୪
ହରି ଆରାଧି ଯୋଗବଳେ । ବସିଲା ଆସନେ ନିଶ୍ଚଳେ ॥ ୨୫
ଏବେ ହୋ ଶୁଣ ନୃପବର । ମାୟା-ମନୁଷ୍ୟ ଚକ୍ରଧର ॥ ୨୬
କପଟେ ମରାଇ ଯବନ । ମିଳିଲେ ମଥୁରାଭୁବନ ॥ ୨୭
ଯବନ ବଳ ତିନିକୋଟି । ମଥୁରାପୁର ଥିଲେ ଘୋଟି ॥ ୨୮
ତାହାଙ୍କୁ ମାରି ଭଗବାନ । ଯୁଦ୍ଧେ ପାଇଲେ ଯେତେ ଧନ ॥ ୨୯
ଗୋରୁ ମହିଷ ବନମାଳୀ । ଧରି ଦ୍ୱାରକାପୁରେ ଚଳି ॥ ୩୦
ବିଚାରି କାର୍ଯ୍ୟ ଅନୁବନ୍ଧ । ଆସି ମିଳିଲା ଜରାସନ୍ଧ ॥ ୩୧
ତେଇଶ ଅକ୍ଷୌହିଣି ବଳ । ଶୁଭଇ ମୁଖରାବ ଗୋଳ ॥ ୩୨
ସୈନ୍ୟର ଦେଖି ବ୍ୟଗ୍ରଗତି । ଭାଳନ୍ତି ରାମ ଯଦୁପତି ॥ ୩୩
ଆମ୍ଭେ ଏ ନଗରେ ନ ଥିବା । ପଳାଇ ପର୍ବତେ ଲୁଚିବା ॥ ୩୪
ମନୁଷ୍ୟ ଚେଷ୍ଟା ଆଶ୍ରେ କରି । ଛାଡ଼ି ମଥୁରାପୁର ଶିରୀ ॥ ୩୫
ଅଭୟଦାତା ଭୟ ପାଇ । ପାଦେ ଚଳନ୍ତି ବେନିଭାଇ ॥ ୩୬
ଆକ୍ରମି ଅନେକ ଯୋଜନ । ପଶିଲେ ଗହନକାନନ ॥ ୩୭
ଭାଜିବା ଦେଖି କୃଷ୍ଣରାମେ । ପଛେ ଧାମଇଁ ଜରା ତମେ ॥ ୩୮
ରଥ କୁଞ୍ଜର ଘେନି ସଙ୍ଗେ । ପଥେ ହସନ୍ତି ନବରଙ୍ଗେ ॥ ୩୯
ଆଜ କିଣିବି କରି ରଣ । ନ ଜାଣେ ଈଶ୍ୱର ପ୍ରମାଣ ॥ ୪୦
ରାମକୃଷ୍ଣ ଯେ ବେନିଭାଇ । ବନେ ଅନେକ ଶ୍ରମ ପାଇ ॥ ୪୧
ଏକ ଆରେକ ଧରି କରେ । ଉଠିଲେ ପର୍ବତ ଶିଖରେ ॥ ୪୨
ନିତ୍ୟେ ବରଷେ ସୁନାସୀର । ପ୍ରବର୍ଷଣ ନାମ ତାହାର ॥ ୪୩
ଉଠନ୍ତେ ପର୍ବତ ଉପରେ । ଜରା ଦେଖିଲା ଥାଇ ଦୂରେ ॥ ୪୪
ଅଧିକ ପାଦେ ହେଁ ନ ଗଲା । ପର୍ବତ ରୁନ୍ଧରେ ବୋଇଲା ॥ ୪୫
ବେଢି ପର୍ବତ ଚାରିଦେଗେ । ଅନଳ ଲଗାଇଲେ ବେଗେ ॥ ୪୬
ଦହ୍ନ କରି ବନଘୋର । ଜାଣିଲା ଶତ୍ରୁ ଗଲା ମାର ॥ ୪୭
ଅନଳଯୋଗେ ମହୀଧର । ତାପିଲା ଅତ୍ୟନ୍ତ ପ୍ରଖର ॥ ୪୮
ତକ୍ଷଣେ ରାମ ନରହରି । ଗଗନଗତି ଅନୁସରି ॥ ୪୯
ପର୍ବତ ଶିଖ ଅତିଶେଷ । ଉଚ୍ଚ ଯୋଜନ ଏକାଦଶ ॥ ୫୦
ରାମଗୋବିନ୍ଦ ବାହୁବଳେ । ଡେ଼ଇଁ ପଡ଼ିଲେ ମହୀତଳେ ॥ ୫୧
ବଳ ସହିତେ ଜରା ଥିଲା । ରାମକୃଷ୍ଣଙ୍କୁ ନ ଦେଖିଲା ॥ ୫୨
ଲୁଚି ପଳାଇ ବେନିଭାଇ । ମିଳିଲେ ନିଜ ପୁରେ ଯାଇ ॥ ୫୩
ଜଳଧିପରିଖା ଯାହାର । ଦେବମାନବେ ଅଗୋଚର ॥ ୫୪
ମିଥ୍ୟାକୁ ସତ୍ୟପ୍ରାୟ ମଣି । ମନେ ଆନନ୍ଦ ନୃପମଣି ॥ ୫୫
ବୋଲଇ ବଳଙ୍କୁ ଅନାଇ । ପର୍ବତେ ମଲେ ବେନିଭାଇ ॥ ୫୬
ଭସ୍ମ ହୋଇଲେ ଅଗ୍ନିଯୋଗେ । ଚାଲି ବାହୁଡ଼ିଯିବା ବେଗେ ॥ ୫୭
ବଳ ଆକର୍ଷି ମହାବଳୀ । ନିଜ ଭୁବନେ ଯାଇ ମିଳି ॥ ୫୮
ସଂଗ୍ରାମେ ଜିଣି ଜୟବାଦ୍ୟ । ବଜାଇ ହୋଇଲେ ଆନନ୍ଦ ॥ ୫୯
ଏବେ ହୋ ଶୁଣ ନରନାଥ । ଆନର୍ତ୍ତପତି ରଇବତ ॥ ୬୦
ରେବତୀ ନାମେ କନ୍ୟା ଥିଲା । ବଳଦେବଙ୍କୁ ବିଭା ଦେଲା ॥ ୬୧
ବ୍ରହ୍ମାବଚନେ ଦେଲା ଆଣି । ନବମସ୍କନ୍ଧେ ଅଛୁ ଶୁଣି ॥ ୬୨
ଭୀଷ୍ମକ ନାମେ ମହାରାଜା । ରୁକ୍ମିଣୀ ତାହାର ତନୁଜା ॥ ୬୩
ଅଂଶେ କମଳା ଅବତାର । କୁର୍ଣ୍ଣୀନଗର ନୃପବର ॥ ୬୪
ରୁକ୍ମିଣୀ ବିବାହ ବିଚାରେ । ହରି ହରିଲେ ସ୍ୱୟମ୍ବରେ ॥ ୬୫
ରାଜାଏ ଥିଲେ ଯେ ପ୍ରତ୍ୟକ୍ଷେ । ଆବୋରି ଶିଶୁପାଳ ପକ୍ଷେ ॥ ୬୬
ଶାଲ୍ୱ ମାଗଧ ଆଦି ଯେତେ । ବଳ ହିଁ ଥିଲେ ଅପ୍ରମିତେ ॥ ୬୭
ତାହାଙ୍କ ଗର୍ବ କରି ଚୂର । ପଥେ ଦେଖନ୍ତି ସୁରନର ॥ ୬୮
କନ୍ୟା ହରିଲେ ଦାମୋଦର । ଅମୃତ ଯେହ୍ନେ ଖଗେଶ୍ୱର ॥ ୬୯
ତା ଶୁଣି ଅଭିମନ୍ୟୁବାଳା । ଶୁକମୁନିଙ୍କି ପଚାରିଲା ॥ ୭୦
ପରୀକ୍ଷିତ ଉବାଚ
ଭୋ ମୁନି ଭୀଷ୍କକନନ୍ଦିନୀ । ରୁକ୍ମିଣୀ ରୁଚିରବଦନୀ ॥ ୭୧
କେମନ୍ତେ ପ୍ରଭୁ ନରହରି । ରାକ୍ଷସ ମତେ ବିଭାକରି ॥ ୭୨
ଶୁଣି ଚକିତ ମୋର ଚିତ୍ତ । ଅସୁର ବଳ ଅପ୍ରମିତ ॥ ୭୩
କେମନ୍ତେ ଶିଶୁପାଳ ଆଦି । ପଥେ ତାହାଙ୍କ ବଳ ଛେଦି ॥ ୭୪
ଏକାକୀ ରଥେ ଚକ୍ରପାଣି । କେମନ୍ତେ ହରିଲେ ରୁକ୍ମଣୀ ॥ ୭୫
କୃଷ୍ଣର କଥା ପୁଣ୍ୟମୟ । କର୍ଣ୍ଣ ବଚନେ ସୁଧାପ୍ରାୟ ॥ ୭୬
ଅଖିଳଜନ ପାପ ନାଶେ । ପରମବ୍ରହ୍ମ ପରକାଶେ ॥ ୭୭
କାହାର ଚିତ୍ତ ଶୁଣି ଏହା । ସନ୍ତୋଷେ ନୋହିବ ଉତ୍ସାହା ॥ ୭୮
ନବୀନ ବସ୍ତୁ ପାଇ ଯେହ୍ନେ । ଆଦରରେ ଆବୋରନ୍ତି ଜନେ ॥ ୭୯
କୃଷ୍ଣଚରିତ ସେହିମତେ । ଭୋ ମୁନି କହ ଭାଗବତ ॥ ୮୦
ଶୁଣି ସନ୍ତୋଷଚିତ୍ତ ହୋଇ । ଶୁକ କହନ୍ତି ରାଜା ଚାହିଁ ॥ ୮୧
ଶୁକ ଉବାଚ
ଭୀଷ୍ମକ ନାମେ ମହୀନାଥ । ବିଦର୍ଭଗରେ ସମ୍ଭୂତ ॥ ୮୨
ତାହାର ପତ୍ନୀଗର୍ଭୁ ଜାତ । ଏକ ଦୁହିତା ପାଞ୍ଚସୁତ ॥ ୮୩
ରୁକ୍ମୀ ଅଗ୍ରଜ ରୁକ୍ମରଥ । ଏ ବେନି ବଳେ ଅପ୍ରମିତ ॥ ୮୪
ପୁଣ ହୋଇଲା ରୁକ୍ମବାହୁ । ତାର ପ୍ରତାପ କେବା କହୁ ॥ ୮୫
ଚତୁର୍ଥ ପୁତ୍ର ରୁକ୍ମକେଶ । ପଞ୍ଚମ ରୁକ୍ମମାଳୀ ଶେଷ ॥ ୮୬
ଏହାଙ୍କ ଶେଷେ କନ୍ୟାଜାତ । ପ୍ରତ୍ୟକ୍ଷେ କମଳା ସମ୍ଭୂତ ॥ ୮୭
ରୁକ୍ମିଣୀ ନାମେ ବିଦ୍ୟମାନ । ତାର ମହିମା ଏବେ ଶୁଣ ॥ ୮୮
କୃଷ୍ଣର ଗୁଣ କର୍ମ ଯେତେ । ସେହୁ ଶୁଣଇ ହୃଷ୍ଟଚିତ୍ତେ ॥ ୮୯
ଦ୍ୱାରକାପୁର ଲୋକେ ଆସି । କହନ୍ତି ତାର ପାଶେ ବସି ॥ ୯୦
ନିରତେ କୃଷ୍ଣକଥା ଶୁଣି । ରୁକ୍ମିଣୀ ମନେ ମନେ ଗୁଣି ॥ ୯୧
ଆତ୍ମ-ସଦୃଶେ ଶୁଣି ବର । ମନେ ବରିଲା ଚକ୍ରଧର ॥ ୯୨
ଗୋବିନ୍ଦ ତାର ମନ ଜାଣି । ସଙ୍କଳ୍ପେ ବରିଲେ ରୁକ୍ମିଣୀ ॥ ୯୩
ଅଂଶେ କମଳା ଦେହଧରି । ଆତ୍ମସଦୃଶେ କନ୍ୟା ବରି ॥ ୯୪
ବନ୍ଧୁବାନ୍ଧବଙ୍କର ମେତେ । ଦୁହିତା ବିଭାର ଉଚିତେ ॥ ୯୫
ଭୀଷ୍ମକ କୃଷ୍ଣକୁ ବରିଲା । ତା ଶୁଣି ରୁକ୍ମୀ କୋପ କଲା ॥ ୯୬
ଅନେକ ନିନ୍ଦାବାକ୍ୟ କରି । ଶିଶୁପାଳକୁ ଗଲା ବରି ॥ ୯୭
ଶିଶୁପାଳକୁ ଦେବା ଶୁଣି । ଚକିତେ ଭାଳଇ ରୁକ୍ମିଣୀ ॥ ୯୮
ବିକଳଚିତ୍ତେ ବିଚାରିଲା । ବୃଦ୍ଧବ୍ରାହ୍ମଣ ହକାରିଲା ॥ ୯୯
ବିଶ୍ୱାସବାକ୍ୟ ତାଙ୍କୁ କହି । ଚରଣେ ବେନିକର ଦେଇ ॥ ୧୦୦
ବୋଲଇ ଶୁଣ ବିପ୍ରମଣି । ଦ୍ୱାରକା ଯାଅ ଏହିକ୍ଷଣି ॥ ୧୦୧
ଯେବେ ଆସିବେ ଚକ୍ରଧର । ତେବେ ସେ ଜୀବନ ମୋହର ॥ ୧୦୨
ଅଧିକ କହିବଇଁ କେତେ । କୃଷ୍ଣ ଜାଣନ୍ତି ଏହା ଚିତ୍ତେ ॥ ୧୦୩
ହେଉ ବୋଇଲେ ବିପ୍ରବର । ଦେଖିବି କୃଷ୍ଣର ପୟର ॥ ୧୦୪
କନ୍ୟା ବଚନେ ବିପ୍ର ଗଲେ । ଦ୍ୱାରକାଭୁବନେ ମିଳିଲେ ॥ ୧୦୫
ଦ୍ୱାରେ ଯେ ଦ୍ୱାରପାଳ ଥିଲା । କୃଷ୍ଣଙ୍କୁ ନେଇ ଭେଟାଇଲା ॥ ୧୦୬
ସୁବର୍ଣ୍ଣ ସିଂହାସନେ ହରି । ଯାଦବେ ଅଛନ୍ତି ଆବୋରି ॥ ୧୦୭
ଖଟନ୍ତି ଦଶଦିଗପାଳ । ବିପ୍ର ଦେଖିଲେ ଚର୍ମଡେ଼ାଳେ ॥ ୧୦୮
ବିପ୍ରବତ୍ସଳ ନରହରି । ଉଠି ବ୍ରାହ୍ମଣ କର ଧରି ॥ ୧୦୯
ନିଜ ଆସନେ ବସାଇଲେ । ଅନେକ ମତ ପୂଜା କଲେ ॥ ୧୧୦
ତାହାଙ୍କୁ ଯେହ୍ନେ ଦେବଗଣେ । ବିଶ୍ୱାସେ ପୂଜନ୍ତି ଚରଣେ ॥ ୧୧୧
କୃଷ୍ଣ ପୂଜିଲେ ସେହିମତେ । ଶୁଣ ରାଜନ ଏକଚିତ୍ତେ ॥ ୧୧୨
ବିପ୍ରଙ୍କୁ କରାଇ ଭୋଜନ । ପାଶେ ବସିଲେ ଭଗବାନ ॥ ୧୧୩
ଶ୍ରମ ଦେଖିଣ ନରହରି । ବିପ୍ରଚରଣ କରେ ଧରି ॥ ୧୧୪
ଚାପନ୍ତେ ପ୍ରଭୁ ଭଗବାନ । ବିପ୍ରଚରଣୁ ଗଲା ଶ୍ରମ ॥ ୧୧୫
ବିଶ୍ରାମ ଦେଖି ବିପ୍ରବର । ପୁଚ୍ଛନ୍ତି ବ୍ରହ୍ମାଣ୍ତଠାକୁର ॥ ୧୧୬
ଭୋ ବିପ୍ର ବଡ଼ଦୁଃଖ ପାଇ । ଆସିଛ ପଥଶ୍ରମୀ ହୋଇ ॥ ୧୧୭
ବେଦ ଉଚିତ ହୋମକର୍ମ । ଯଜନ ଆଦି ଷଟ୍କର୍ମ ॥ ୧୧୮
ସ୍ୱଧର୍ମେ ବଞ୍ଚଟିକି ସୁଖେ । ସନ୍ତୋଷଚିତ୍ତେ ଗୃହଦୁଃଖେ ॥ ୧୧୯
ଧର୍ମେ ପ୍ରାପତ ଯେତେ ଧନ । ତେଣେ ସନ୍ତୋଷ ଯାର ମନ ॥ ୧୨୦
ସେ ଦୁଃଖୀ ଦରିଦ୍ର ନୁହଁଇ । ସ୍ୱଧର୍ମେ ବିପ୍ର ଶାନ୍ତ ହୋଇ ॥ ୧୨୧
ଦୁଃଖେ ଯେ ନ ଚଳନ୍ତି ଧର୍ମୁ । ସେ ଧର୍ମ ବିପ୍ର କାମଧେନୁ ॥ ୧୨୨
ଅଖିଳ କାମ୍ୟଫଳ ଦେଇ । ସ୍ୱଧର୍ମେ ବିପ୍ର ସେ ଜୀଅଇ ॥ ୧୨୩
ବହୁତ ଥାଇ ଯାର ଧନ । ହେଳା କରଇ ନିଜ କର୍ମ ॥ ୧୨୪
ନିରେତେ ଚିତ୍ତ ଅସନ୍ତୋଷ । ଉଭୟଲୋକେ ନାହିଁ ଯଶ ॥ ୧୨୫
ଦରିଦ୍ରପଣେ ଦୁଃଖ ସହି । ନିଜ ଧର୍ମକୁ ନ ଛାଡ଼ଇ ॥ ୧୨୬
ସେ ବିପ୍ର ହୋଇ ମୋର ସଙ୍ଗ । ତରଇ ସଂସାର ତରଙ୍ଗ ॥ ୧୨୭
ଯଥାଲାଭରେ ଯେ ସନ୍ତୋଷ । ଅଧର୍ମେ ନ କରନ୍ତି ଆଶ ॥ ୧୨୮
ସାଧୁ-ସୁହୃଦ ସର୍ବଭୂତ । ସକଳ ଜୀବହିତେ ରତ ॥ ୧୨୯
ହୃଦେ ନ ବହେ ଅଳଙ୍କାର । ସମଦରଶୀ ଚିତ୍ତ ଯାର ॥ ୧୩୦
ତାହାଙ୍କୁ ମୋର ନମସ୍କାର । ବୋଲନ୍ତି ବ୍ରହ୍ମାଣ୍ତଠାକୁର ॥ ୧୩୧
ଭୋ ବିପ୍ର କୁଶଳ ତୁମ୍ଭର । କହ କଲ୍ୟାଣ କ୍ଷେମସାର ॥ ୧୩୨
ରାଜାଏ ବସନ୍ତି ଜଗତେ । ପ୍ରଜା ପାଳନ୍ତି ଧର୍ମମତେ ॥ ୧୩୩
ଯାହାର ରାଜ୍ୟେ ପ୍ରଜାଜନେ । ସୁଖେ ବଞ୍ଚନ୍ତି ରାତ୍ରଦିନେ ॥ ୧୩୪
ସେ ରାଜା ମୋର ବଡ଼ ପ୍ରିୟ । ଭୋ ବିପ୍ର ଆଗମନ କହ ॥ ୧୩୫
କେବଣ କାର୍ଯ୍ୟେ ଉପଗତ । ଏଡେ଼ ଦୁର୍ଗମ ଜିଣି ପଥ ॥ ୧୩୬
ଗୁପତ ନୋହେ ଯେବେ ବାଣୀ । ଭୋ ବିପ୍ର କହ ଏହିକ୍ଷଣି ॥ ୧୩୭
ମୁଁ ଅବା କି କହିବି ତୋତେ । ସଂଶୟ ଫେଡ଼ି କହ ମୋତେ ॥ ୧୩୮
ଏମନ୍ତ କୃଷ୍ଣବାକ୍ୟ ଶୁଣି । ବ୍ରାହ୍ମଣ ବୋଲେ ସାଧୁବାଣୀ ॥ ୧୩୯
ରୁକ୍ମିଣୀ କହିଛନ୍ତି ଯାହା । ଭୋ ନାଥ ଶୁଣି ଚଉବାହା ॥ ୧୪୦
ରୁକ୍ମିଣୀ ଉଚାବ
ହେ କୃଷ୍ଣ ଭୁବନସୁନ୍ଦର । ଶୁଣିଲି ଗୁଣକର୍ମ ତୋର ॥ ୧୪୧
ତୋହର ଗୁଣ-କର୍ମ-ଯଶ । ଯାହାର ଶ୍ରବଣେ ପ୍ରବେଶ ॥ ୧୪୨
ହରେ ଅଶେଷ ଜନ୍ମ ପାପ । ଆଧ୍ୟାତ୍ମଆଦି ତିନିତାପ ॥ ୧୪୩
ଚକ୍ଷୁ ବହନ୍ତି ଯେତେ ପ୍ରାଣୀ । ତୋହର ରୂପ ପରିମାଣି ॥ ୧୪୪
ଅଖିଳ ଅର୍ଥଲାଭ ବଳେ । ଲଭନ୍ତି ରୂପ ଦେଖି ଡେ଼ାଳେ ॥ ୧୪୫
ସେ ରୂପ କର୍ଣ୍ଣର୍ପଥେ ଶୁଣି । ମୋହର ଚିତ୍ତ ଚକ୍ରପାଣି ॥ ୧୪୬
ଲାଜ ଉପେକ୍ଷି ତୋ ଶରଣେ । ପଶିଲା ଅଭୟ-ଚରଣେ ॥ ୧୪୭
କେଉଁ ଯୁବତୀ ଦେହ ବହି । ପିତା ଜନନୀ କୋଳେ ଥାଇ ॥ ୧୪୮
ବିବାହକାଳେ କନ୍ୟା ହୋଇ । ଉତ୍ତମକୁଳେ ଜନ୍ମ ପାଇ ॥ ୧୪୯
ଶୀଳ ସ୍ୱରୂପ ବିଦ୍ୟାବଳ । ଦ୍ରବିଣ ତେଜେ ଆତ୍ମା ତୁଲ୍ୟ ॥ ୧୫୦
ସୁଧୀର ସାଧୁ କୁଳବତୀ । ତୋହର ପ୍ରାୟ ଥାଉଁ ପତି ॥ ୧୫୧
ହେ ନରସିଂହ ପୂର୍ଣ୍ଣକାମ । ଜନଲୋଚନ ଅଭିରାମ ॥ ୧୫୨
ଶ୍ରବଣେ ଶୁଣି ତୋର ଭାବ । ସେ କିମ୍ପା ଆନକୁ ବରିବ ॥ ୧୫୩
ଏବେ ବରିଲି ତୋତେ ମୁହିଁ । ମନ ବଚନ ତନୁ ଦେଇ ॥ ୧୫୪
ତୋହର ଅର୍ଥେ ଏ ଶରୀର । ବିଚାରି ମୋତେ ତ୍ରାହି କର ॥ ୧୫୫
ଭୋ ନାଥ ବୀରଙ୍କର ବୀର । ମୁଁ ତୋ ଆମିଷ ଉପହାର ॥ ୧୫୬
ନିକଟେ ଶିଶୁପାଳ ଆସି । ନ ବସୁ ତୋର ବଳିଗ୍ରାସି ॥ ୧୫୭
ସିଂହର ବଳି ତଳେ ଚାହିଁ । ଶୃଗାଳ ଯେସନେ ଧାମଇଁ ॥ ୧୫୮
ମୁଁ ଯେବେ ପୂର୍ବଜନ୍ମଗତେ । ତପ ଆରାଧି ନାନାମତେ ॥ ୧୫୯
ତଡ଼ାଗ ଇଷ୍ଟ ଯଜ୍ଞ ଦାନ । ନିୟମ ତୀର୍ଥ ବ୍ରତ ଧର୍ମ ॥ ୧୬୦
ଦେବତା ବିପ୍ର ଗୁରୁ ପୂଜି । ନିରତେ ବିଷ୍ଣୁପାଦେ ଭଜି ॥ ୧୬୧
ଏ ଯେବେ ପ୍ରମାଣ ମୋହର । ବେଗେ ଆସିବେ ଚକ୍ରଧର ॥ ୧୬୨
ମୋହର ହସ୍ତ ଆଗ ଧରୁ । ଦଇବ ଏହି ବର କରୁ ॥ ୧୬୩
ଦମଘୋଷର ପୁତ୍ର ଆଦି । ଯେତେ ଅଛନ୍ତି ଅପରାଧୀ ॥ ୧୬୪
ଏମାନେ ନ ପାଇବେ ମୋତେ । ପ୍ରମାଣ ଯେବେ ବେଦପଥେ ॥ ୧୬୫
ରାତ୍ର ପାହିଲେ ଅଧିବାସ । ହୋଇବ ମଙ୍ଗଳ-ଦିବସ ॥ ୧୬୬
ତୁ ନାଥ ସାଜି ନନ୍ଦିଘୋଷେ । ଘେନାଇ ଯଦୁବଳ ପାଶେ ॥ ୧୬୭
ମଙ୍ଗଳକାଳେ ଗୋପ୍ୟ ହୋଇ । ଆସିବ ନ ଜାଣିବେ କେହି ॥ ୧୬୮
ଗୁପତେ ଗ୍ରାମ ଅନ୍ତେ ଥାଇ । ମୋର ଗମନେ ବାଟ ଚାହିଁ ॥ ୧୬୯
ସଂଗ୍ରାମେ ରାଜା ଶିଶୁପାଳ । ମୋର ପିତାର ଯେତେ ବଳ ॥ ୧୭୦
ଏହାଙ୍କ ଗର୍ବ ନାଶ କରି । ତୁ ମୋତେ ବଳେ ନିଅ ହରି ॥ ୧୭୧
ରାକ୍ଷସମତେ ବିଭାକର । କିଣିଲା ସେବକୀ ମୁଁ ତୋର ॥ ୧୭୨
ତୁ ନାଥ ଭାଳୁ ଅବା ଚିତ୍ତେ । ମୁଁ ତୋତେ ଆଣିବି କେମନ୍ତେ ॥ ୧୭୩
ରାଜାର ଅନ୍ତଃପୁରେ ଥାଉ । ତୋତେ ପାଇବି ମୁହିଁ କାହୁଁ ॥ ୧୭୪
ତହିଁକି କହିବି ଉପାୟ । ଶୁଣିମା ପ୍ରଭୁ ଦେବରାୟ ॥ ୧୭୫
ଆମ୍ଭର ଅଛି କୁଳାଚାର । କନ୍ୟାକୁ କରନ୍ତି ବାହାର ॥ ୧୭୬
ଭବାନୀ ପୂଜିବା ନିମନ୍ତେ । ଅମ୍ବିକା ଗୃହେ ଗ୍ରାମପ୍ରାନ୍ତେ ॥ ୧୭୭
ଯାତ୍ରା-ଉତ୍ସବେ ମୁହିଁ ଯିବି । ଭବାନୀ ଚରଣେ ପୂଜିବି ॥ ୧୭୮
ପଥେ ଆସିବା ବେଳେ ମୋତେ । ପ୍ରଜାଏ ଦେଖିବେ ସମସ୍ତେ ॥ ୧୭୯
ଥିବି ମୁଁ ନାରୀଙ୍କର ମେଳେ । ସେଠାରୁ ନିଅ ମୋତେ ବଳେ ॥ ୧୮୦
ଯାହାର ପାଦପଦ୍ମଧୂଳି । ମହତଜନେ ଶିରେ ବୋଳି ॥ ୧୮୧
ନୀଳଲୋହିତ କରେ ଆଶ । ଏଣେ ହୋଇବ ତମ ନାଶ ॥ ୧୮୨
ସେ ପାଦପଦ୍ମ ମୁହିଁ ଯେବେ । ଲଭି ନ ପାରିବି ପ୍ରସ୍ତାବେ ॥ ୧୮୩
ବ୍ରତେ ଶୁଖାଇ ପଞ୍ଚପ୍ରାଣ । ନିଶ୍ଚେ ଛାଡ଼ିବି ନାରାୟଣ ॥ ୧୮୪
ଏମନ୍ତେ ଶତେଜନ୍ମ ଯାଏଁ । ପ୍ରାଣ ଛାଡ଼ିବି ତୋର ପାୟେ ॥ ୧୮୫
ସତ୍ୟବଚନ ଏ ମୋହର । ତୁ କି ନ ଜାଣୁ ମାୟାଧର ॥ ୧୮୬
ବ୍ରାହ୍ମଣ କୃଷ୍ଣମୁଖ ଚାହିଁ । ରୁକ୍ମିଣୀ ସନ୍ଦେଶ କହଇ ॥ ୧୮୭
ବୋଲଇ ଯୋଡ଼ି ବେନିକର । ଯେ ତୋର ଇଚ୍ଛା ଏବେ କର ॥ ୧୮୮
କହଇ ଦାସ ଜଗନ୍ନାଥ । କୃଷ୍ଣ ଧଇଲେ ବିପ୍ର ହସ୍ତ ॥ ୧୮୯
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ରୁକ୍ମିଣୀ ଉଦ୍ବାହ ପ୍ରସ୍ତାବେ
ଷଟ୍ପଞ୍ଚାଶତ୍ ଅଧ୍ୟାୟଃ ॥
* * *