ଦଶମ ସ୍କନ୍ଧ

ପଞ୍ଚପଞ୍ଚାଶତ୍ ଅଧ୍ୟାୟ

ଶୁକ ଉବାଚ

ନମଇଁ କୃଷ୍ଣର ଚରଣ । ଅନାଦି ପୁରୁଷ ପୁରାଣ ॥

କହନ୍ତି ଶୁକ ମୁନିବର । ଶୁଣ ପରୀକ୍ଷ ନୃପବର ॥

ସକଳ ନିଯୋଜିତ କରି । ସୈନ୍ୟ ଆଗରେ ନରହରି ॥

ମଥୁରା ଗଡ଼ଦ୍ୱାର ମଧ୍ୟେ । କୃଷ୍ଣ ବିଜୟ ପଦ୍ମପାଦେ ॥

ଉଦୟଗିରି ମଧ୍ୟେ ଆସି । ଯେହ୍ନେ ବିରାଜେ ପୂର୍ଣ୍ଣଶଶୀ ॥

ଅତି ସୁନ୍ଦର ଶ୍ୟାମଦେହୀ । ପୀତବସନ ବିରାଜଇ ॥

ଶ୍ରୀବତ୍ସଲାଞ୍ଚନ ସୁନ୍ଦର । କୌସ୍ତୁଭମଣି ହୃଦେ ହାର ॥

ଆଜାନୁଲମ୍ବେ ଚାରିଭୁଜ । ଅରୁଣ ଚକ୍ଷୁ ପଦ୍ମତେଜ ॥

ନିତ୍ୟ ଆନନ୍ଦ ହାସମୁଖ । ସୁନ୍ଦର କପୋଳ ସୁରେଖ ॥

କର୍ଣ୍ଣେ ମକରାକାର ହୋଇ । ରତ୍ନକୁଣ୍ତଳ ବିରାଜଇ ॥ ୧୦

କୋଟି କନ୍ଦର୍ପରୂପ ସାର । ରୂପକୁ ଚାହିଁ ପଟାନ୍ତର ॥ ୧୧

କାଳଯବନ କୃଷ୍ଣେ ଚାହିଁ । ନାରଦ ବାକ୍ୟେ ମନ ଦେଇ ॥ ୧୨

ବୋଲଇ ବାସୁଦେବ ଏହି । ଶ୍ରୀବତ୍ସ ଚିହ୍ନ ହୃଦେ ଶୋହି ॥ ୧୩

ଆଜାନୁଲମ୍ବେ ଚାରିଭୁଜେ । କମଳନୟନ ବିରାଜେ ॥ ୧୪

ବନମାଳାଏ ଲମ୍ବେ ଉର । ଅପୂର୍ବ ମୋହନ ସୁନ୍ଦର ॥ ୧୫

ନାରଦ କହିଛନ୍ତି ଯେତେ । ଚିହ୍ନ ଦେଖିଲି ଏହା ଗାତ୍ରେ ॥ ୧୬

କୃଷ୍ଣହୁଁ ନୋହଇ ଏ ଆନ । ରୂପେ ମୋହିଲା ମୋର ମନ ॥ ୧୭

ଏହାର କରେ ଶସ୍ତ୍ର ନାହିଁ । ଚରଣେ ଚାଲୁଅଛି ମହୀ ॥ ୧୮

ମୁଁ କିମ୍ପା କରେ ଶସ୍ତ୍ର ଧରି । ଏହାର ତୁଲେ ଯୁଦ୍ଧ କରି ॥ ୧୯

ନିନ୍ଦା ପାଇବି ଇହଲୋକେ । ମରଣେ ପଡ଼ିବି ନରକେ ॥ ୨୦

ମୁହିଁ ହୋଇବି ନିରାୟୁଧ । ତେବେଏହାର ତୁଲେ ଯୁଦ୍ଧ କରି ॥ ୨୧

ଏମନ୍ତ ଅସୁର ବିଚାରି । ତାହା ଜାଣିଲେ ନରହରି ॥ ୨୨

ମାୟାରେ ମୋହି ତାର ମନ । ବେଗେ ଧାଇଁଲେ ଭଗବାନ ॥ ୨୩

କାଳଯବନ ବିଚାରଇ । ଲୁଚିଣ ଯିବ ଏ ପଳାଇ ॥ ୨୪

ଯୁଦ୍ଧ ନ କରି ପଳାଇଲା । ଏମନ୍ତ ବୋଲି ଗୋଡ଼ାଇଲା ॥ ୨୫

ଯେ ହରି ଦେବଙ୍କୁ ଦୁର୍ଲ୍ଲଭ । ତାହାଙ୍କୁ ମଣଇ ସୁଲଭ ॥ ୨୬

ଧରିବ ବୋଲି କୃଷ୍ଣ ପଛେ । ଯବନ ଧାଇଁଲା ପ୍ରତ୍ୟକ୍ଷ ॥ ୨୭

ହସ୍ତ ଲାଗଇ କୃଷ୍ଣଦେହେ । ପାଦ ବାଜଇ ବେନିପାୟେ ॥ ୨୮

ଏମନ୍ତେ ଦୂରପଥ ନେଇ । ବନଗହନେ ଭାବଗ୍ରାହୀ ॥ ୨୯

କୃଷ୍ଣଙ୍କୁ ଗୋଡ଼ାଇ ଯବନ । ବୋଲଇ ଝିଙ୍ଗାସ ॥ ୩୦

ଯାଦବକୁଳେ ଜାତ ହୋଇ । ଡରେ ପଳାଉ କାହିଁପାଇଁ ॥ ୩୧

ଉଚିତ ନୁହଇ ତୋ ଯଶ । ଲୋକେ କରିବେ ଉପହାସ ॥ ୩୨

କ୍ଷତ୍ରିୟଅଂଶେ ଜାତ ହୋଇ । ଶୃଗାଳ ପ୍ରାୟ ତୁ ପଳାଇ ॥ ୩୩

ଏ ନୋହେ ତୋର କ୍ଷତ୍ରିଧର୍ମ । କିମ୍ପାଇ କରୁ ଏଡେ କର୍ମ ॥ ୩୪

ନିନ୍ଦଇ ଗୋବିନ୍ଦ ମହିମା । ଯେଣୁ ଅଟଇ ହୀନକର୍ମା ॥ ୩୫

ଏମନ୍ତ ବାକ୍ୟେ ଦେଇ ଗାଳି । ଗିରିଗହନେ ଯାଇ ମିଳି ॥ ୩୬

ପଶିଲେ ପର୍ବତକନ୍ଦରେ । ଯବନ ଘେନି ଅନ୍ଧକାରେ ॥ ୩୭

ହରି ହୋଇଲେ ଅନ୍ତର୍ଦ୍ଧାନ । ଭିତରେ ପଶିଲା ଯବନ ॥ ୩୮

ଚାହଁଇ ଚଉଦିଗେ କୋପେ । ପୁରୁଷେ ଦେଖିଲା ସମୀପେ ॥ ୩୯

ଶୟନେ ନିଦ୍ରାଗତେ ହୋଇ । ଉତ୍ତାନମତେ ଅଛି ଶୋଇ ॥ ୪୦

ଦେଖି ବୋଲଇ କୋପମନେ । ନିନ୍ଦିତ-ପୁରୁଷ-ବଚନେ ॥ ୪୧

ଏତେ ଯୋଜନା ମୋତେ ଆଣି । ମୋହର ମହିମା ନ ଜାଣି ॥ ୪୨

ସାଧୁଙ୍କ ପ୍ରାୟ ଅଚି ଶୋଇ । ମିଛେ ବୁଜିଣ ଚକ୍ଷୁ ଦୁଇ ॥ ୪୩

ମରଣକାଳେ ନିଦ୍ରା ଗଲେ । କାଳ କି ବଞ୍ଚାଇବ ଭଲେ ॥ ୪୪

ଏମନ୍ତେ କରି ଘୋରନାଦ । ହୃଦେ ମାଇଲା ବେନିପାଦ ॥ ୪୫

ବଜ୍ର ସମାନ ପାଦ ବାଜି । ତାହାର ନିଦ୍ରା ଗଲା ଭାଜି ॥ ୪୬

ଉଠି ବସିଲା ମହାବଳୀ । ଚାହଁଇ ନୟନ ନିରୋଳି ॥ ୪୭

ବେନିପାରୁଶ ଆଗପଛେ । ଯବନେ ଦେଖିଲା ପ୍ରତ୍ୟକ୍ଷେ ॥ ୪୮

କୋପେ କମ୍ପଇ ତାର ଦେହୀ । ଅନଳନୟନେ ଅନାଇଁ ॥ ୪୯

ଅଗ୍ନି ଉଠିଲା ମହାଘୋର । ପଡ଼ିଲା ଯବନ ଉପର ॥ ୫୦

ଦେଖନ୍ତି ପ୍ରଭୁ ନାରାୟଣ । ଭସ୍ମ ହୋଇଲା ତତକ୍ଷଣ ॥ ୫୧

ଶୁଣି ପରୀକ୍ଷ ପଚାରଇ । ବ୍ୟାସନନ୍ଦନ ମୁଖ ଚାହିଁ ॥ ୫୨

ପରୀକ୍ଷିତ ଉବାଚ ୫୩

ଭୋ ମୁନି ଶୋଇଲା ପୁରୁଷ । କହ ତାହାର ନାମ କିସ ॥ ୫୪

କାହାର ପୁତ୍ର ଏଡେ଼ ବଳୀ । ନୟନେ ଅଗ୍ନି ପରଜ୍ୱଳି ॥ ୫୫

କାଳଯବନ ଭସ୍ମଗଲା । ଏ ତପ କେମନ୍ତେ ସାଧିଲା ॥ ୫୬

ନିଦ୍ରାରେ ଗିରିମଧ୍ୟେ ଶୋଇ । କହ ସେ ପୂର୍ବେ ଥିଲା କାହିଁ ॥ ୫୭

ଶୁକ ଉବାଚ ୫୮

କହନ୍ତି ବ୍ୟାସଙ୍କ କୁମର । ଇକ୍ଷାକୁବଂଶେ ନୃପବର ॥ ୫୯

ମାନଧାତା ନାମେ ମହେନ୍ଦ୍ର । ତାର କୁମର ମୁଚୁକୁନ୍ଦ ॥ ୬୦

ବିପ୍ର ସେବକ ସତ୍ୟବାଦୀ । ସକଳ ଗୁଣେ ଗୁଣନିଧି ॥ ୬୧

ତାହାକୁ ଦେବଗଣେ ଆସି । ବଚନ କହିଲେ ବିଶ୍ୱାସି ॥ ୬୨

ତୋର ଶରଣ ନୃପବର । ଆମ୍ଭେ ଛାଡିଲୁ ସ୍ୱର୍ଗପୁର ॥ ୬୩

ହାରିଲୁ ଅସୁରଙ୍କୁ ରଣେ । ପଶିଲୁ ତୋହର ଶରଣେ ॥ ୬୪

ତୁ ଏବେ କର ପ୍ରତିକାର । ଅସୁରବଳ ବେଗେ ମାର ॥ ୬୫

ଏମନ୍ତ କହି ସୁରବୃନ୍ଦ । ଘେନାଇ ଗଲେ ମୁଚୁକୁନ୍ଦ ॥ ୬୬

ଦେବତାଗଣେ ଦୁଃଖ ଦେଖି । ସେ ମୁଚୁକୁନ୍ଦ ପଦ୍ମଆଖି ॥ ୬୭

ନିଜ ବିନାନେ ବିଜେ କଲା । ତେଜେ ବିରାଜେ ରବିକଳା ॥ ୬୮

ନାନା ଆୟୁଧ ଘେନି ହସ୍ତେ । ବିଜୟ କଲେ ଶୂନ୍ୟ ପଥେ ॥ ୬୯

ଅସୁର ତୁଲେ କଲେ ରଣ । ଗଗନ ପଥେ ଦେବଗଣ ॥ ୭୦

ତାହା ଦେଖିଣ ନୃପବର । ମିଳିଲା ସଂଗ୍ରାମ ମଧ୍ୟର ॥ ୭୧

ଦେବତା ଅସୁର-ସମରେ । କ୍ଷୋଭ ପାଇଲେ ତୀକ୍ଷ୍ଣ ଶରେ ॥ ୭୨

ଏମନ୍ତ ଦେଖି ନୃପବର । କ୍ଷୁଦ୍ଧ କରଇ ମହାଘୋର ॥ ୭୩

ମୁଚୁକୁନ୍ଦର ତୀକ୍ଷଣ ବାଣେ । ଅସୁରେ ପଳାଇଲେ ରଣେ ॥ ୭୪

ଅନେକ ହେଲେ ପ୍ରାଣେ ନାଶ । ରହିଲେ ପାଞ୍ଚ ସାତ ଶେଷ ॥ ୭୫

ସେ ରାଜା ମହା ବଳୀୟାର । ଅନେକ କଲାକ ସମର ॥ ୭୬

ପୁଣି ଅନେକ ଯୁଦ୍ଧ କରି । ସକଳ ଅସୁର ସଂହାରି ॥ ୭୭

ଗଜର ସମରେ କେଶରୀ । ଯେଉଁ ପ୍ରକାରେ ନାସ କରି ॥ ୭୮

ତେମନ୍ତ କରିଣ ସମର । ଅସୁର କଲାକ ସହାଂର ॥ ୭୯

ଅସୁର ସୈନ୍ୟ ନାଶ କରି । ଦେବଙ୍କୁ ଦେଲା ସ୍ୱର୍ଗପୁରୀ ॥ ୮୦

ଯୁଦ୍ଧରେ ତମ ଗୁଣ ଘେନି । ରାତ୍ର ଦିବସ ହିଁ ନ ଜାଣି ॥ ୮୧

ଏମନ୍ତ ତାର କାଳ ଗଲା । ଯୁଦ୍ଧରେ ନୃପତିର ବଳା ॥ ୮୨

କାର୍ତ୍ତିକେ ପାଇ ସେନାପତି । ଦେବତାମେଳେ ବୃହସ୍ପତି ॥ ୮୩

ବୋଲନ୍ତି ଚାହିଁ ମୁଚୁକୁନ୍ଦ । ଆମ୍ଭେ ଯେ ହୋଇଲୁ ଆନନ୍ଦ ॥ ୮୪

ତୋ ଯଶ ପରଉପକାର । ସମ୍ପଦ ରଖିଲୁ ଆମ୍ଭର ॥ ୮୫

ତୁ ଆଉ ନ କର ସମର । ଅସୁର ଭୟ ଗଲା ଦୂର ॥ ୮୬

ତୁ ମର୍ତ୍ତ୍ୟପୁର ନୃପବର । ଏ ଯେ ଅମର ସ୍ୱର୍ଗପୁର ॥ ୮୭

ଆମ୍ଭେ ଆଣିଲୁ ତୋତେ ବରି । ତୁ ଏବେ ଏହାଙ୍କୁ ସଂହାରି ॥ ୮୮

ରଖିଲୁ ଦେବଙ୍କ ସମ୍ପଦ । ଥିଲା ଯେ ତୋର ରାଦପଦ ॥ ୮୯

ସମରେ ତୋର ମନ ଥିଲା । ମଞ୍ଚେ ଅନେକ କାଳ ଗଲା ॥ ୯୦

ସୁତ କଳତ୍ର ବନ୍ଧୁ ଗୋତ୍ର । ସକଳେ ହେଲେ କାଳଗ୍ରସ୍ତ ॥ ୯୧

ପ୍ରଜା ଯେ ଥିଲେ ତୋର ତୁଲେ । କାଳେ ସକଲେ ନାଶ ଗଲେ ॥ ୯୨

ଦଇବବଳେ କାଳବଳୀ । ଜନ୍ତୁଙ୍କୁ କର୍ମବଳେ ଗିଳି ॥ ୯୩

ଇଶ୍ୱର ଭାବେ ଖେଳେ କାଳ । ପଶୁଙ୍କୁ ଯେହ୍ନେ ପଶୁପାଳ ॥ ୯୪

କିସ କରିବୁ ନର ଲୋକେ । ପଡିବୁ ପୁତ୍ର ଦାରା ଶୋକେ ॥ ୯୫

ରାଜନ ଛାଡୁ ମନୁ ଚିନ୍ତା । ଆମ୍ଭେ ହୋଇଲୁ ବର ଦାତା ॥ ୯୬

ଧନ ସମ୍ପଦ କାମ ଯେତେ । ମାଗ ତୁ ଦେବୁ ଅପ୍ରମିତେ ॥ ୯୭

ମୋକ୍ଷକୁ ନୋହୁଁ ଅଧିକାରୀ । ଏଥକୁ ପ୍ରଭୁ ନରହରି ॥ ୯୮

ଦେବଙ୍କ ବାକ୍ୟ କର୍ଣ୍ଣେ ଶୁଣି । ରାଜମ ମନେ ମନେ ଗୁଣି ॥ ୯୯

ଦେବଙ୍କୁ କରି ନମସ୍କାର । ବୋଲଇ ଯୋଡି ବେନିକର ॥ ୧୦୦

ଯେବେ ମୋହର ମୋକ୍ଷ ନାହିଁ । ବର ମାଗିବି କିସ ପାଇଁ ॥ ୧୦୧

ଯୁଦ୍ଧରେ ଗଲା ଏତେ ଦିନ । ନିଦ୍ରା ତ ନାହିଁ ମୋ ନୟନ ॥ ୧୦୨

ଶୋଇବ ବରେ କାର୍ଯ୍ୟ ନାହିଁ । ନିଦ୍ରା ପିଡୀତ ମୋର ଦେହୀ ॥ ୧୦୩

ଶୁଣି ସାନନ୍ଦ ଦେବେ ମନେ । ମିଳିଲେ ଦୁର୍ଗମ କାନନେ ॥ ୧୦୪

ଗିରିକନ୍ଦରେ ଶଯ୍ୟା କରି । ତହିଂ ଶୁଆଇ ଦଣ୍ତଧାରୀ ॥ ୧୦୫

ବୋଇଲେ ଇନ୍ଦ୍ରାଆଦି ଦେବେ । ତୋହର ନିଦ୍ରା ଯେ ଭାଙ୍ଗିବେ ॥ ୧୦୬

ତୋର-ନୟନ-ଅଗ୍ନି ବାଣେ । ବସ୍ମ ହୋଇବ ତତକ୍ଷଣେ ॥ ୧୦୭

ତୋହର ନିଦ୍ରା ଅନ୍ତକାଳେ । ଦେଖିବୁ ପ୍ରଭୁ ଆଦିମୂଳେ ॥ ୧୦୮

ଏମନ୍ତ କହି ଦେବେ ଗଲେ । କୃଷ୍ଣ ଜାଣନ୍ତି ତାହାଭଲେ ॥ ୧୦୯

ଯବନ ମରାଇଲେ ନେଇ । ଶୁଣ ରାଜନ ମନଦେଇ ॥ ୧୧୦

କାଳଯବନ ନାଶ ଗଲା । ଶୁଣ ହୋ ଗୋବିନ୍ଦର ଲୀଳା ॥ ୧୧୧

କୃଷ୍ଣଶରୀର ତେଜ ରାଶି । ଗିରିକନ୍ଦର-ତମ ନାଶି ॥ ୧୧୨

ଚକିତେ ଚାହିଁ ନୃପବର । ଦେଖିଲା ବ୍ରହ୍ମାଣ୍ୟଠାକୁର ॥ ୧୧୩

ନୀଳଜଳଦ-ତନୁବର୍ଣ୍ଣ । ପୀତ ବସନ ପରିଧାନ ॥ ୧୧୪

ଶ୍ରୀବତ୍ସ ଚିହ୍ନ ମଣି କଣ୍ଠେ । ରତ୍ନମେଘଳା କଟିତଟେ ॥ ୧୧୫

ସୁନ୍ଦର ବନମାଳା ସାଜେ । ନିଜ ଆୟୁଧ ଚାରିଭୁଜେ ॥ ୧୧୬

ପ୍ରସନ୍ନ ବଦନ ଗୋପାଳ । ଶ୍ରବଣେ ମକରକୁଣ୍ତଳ ॥ ୧୧୭

ଅତି ସୁନ୍ଦର ହାସମୁଖ । କୁଟୀଳ କୁନ୍ତଳ ସୁରେଖ ॥ ୧୧୮

ଆଜାନୁଲମ୍ବେ ଚାରିଭୁଜ । ବିକ୍ରମସିଂହ ପ୍ରାୟ ତେଜ ॥ ୧୧୯

ଏମନ୍ତ କୃଷ୍ଣଦେହେ ତେଜ । ଦେଖି ଚକିତ ମହାରାଜ ॥ ୧୨୦

ଗୋବିନ୍ଦ ତେଜେ ହରଷିତ । ଶଙ୍କିତେ ଯୋଡ଼ି ବେନିହସ୍ତ ॥ ୧୨୧

କୃଷ୍ଣବଦନ ଅରବିନ୍ଦ । ଚାହିଁ ବୋଲାଇ ମୁଚୁକୁନ୍ଦ ॥ ୧୨୨

ମୁଚୁକୁନ୍ଦ ଉବାଚ

କହ ତୁ କାହାର ନନ୍ଦନ । କୁଳ ପ୍ରବର ନିଜ କାମ ॥ ୧୨୩

ଏମନ୍ତ ଦେଖିଲା ତ ନାହିଁ । ଗିରିକନ୍ଦରେ ଥିଲୁ କାହିଁ ॥ ୧୨୪

କମଳ ପ୍ରାୟ ତୋ ଚରଣ । କିମ୍ପାଇ ବୁଲୁ ଘୋରବନ ॥ ୧୨୫

ତେଜସ୍ୱୀମାନଙ୍କର ତେଜ । କି ଅବା ପ୍ରଭୁ ଦେବରାଜ ॥ ୧୨୬

ସୂର୍ଯ୍ୟ ଶଶାଙ୍କ ଆଖଣ୍ତଳ । କି ଅବା କେଉଁ ଦିଗପାଳ ॥ ୧୨୭

ବିଷ୍ଣୁ ଶଙ୍କର ପଦ୍ମଯୋନି । ଦେବଙ୍କ ଦେବତା ଏ ତିନି ॥ ୧୨୮

ଏ ତିନିମଧ୍ୟେ ଏକ ତୁହି । ଗୋବିନ୍ଦପ୍ରାୟ ମୁଁ ମଣଇଁ ॥ ୧୨୯

ଶୟନକାଳେ ଦେବଗଣେ । ବର ଯେ ଦେଲେ ଶୁଦ୍ଧମନେ ॥ ୧୩୦

ସେ କି ହୋଇଲା ପରାପତ । ତୁମ୍ଭେ ବା ଅଟ ହେ ଅଚ୍ୟୁତ ॥ ୧୩୧

ତୋହର ତେଜେ ତମ ଗଲା । ପ୍ରଦୀପ ପ୍ରାୟ ପ୍ରକାଶିଲା ॥ ୧୩୨

ସତ୍ୟବଚନ କହ ମୋତେ । ମୁଁ ତୋତେ ଜାଣଇଁ ଯେମନ୍ତେ ॥ ୧୩୩

ଦେବତାବରେ ନିଦ୍ରା ମୁହିଁ । ଅନେକ କାଳୁ ଅଛି ଯାଇ ॥ ୧୩୪

ମୋହର ନିଦ୍ରା ଯେ ଭାଙ୍ଗିବ । ଚକ୍ଷୁଅନଳେ ନାଶଯିବ ॥ ୧୩୫

କେ ମୋର କଲା ନିଦ୍ରା ଭଙ୍ଗ । ତୁମ୍ଭେ କି ଥିଲ ତାର ସଙ୍ଗ ॥ ୧୩୬

ଦିଶୁଛ ଆଦିସୂର୍ଯ୍ୟ ପ୍ରାୟେ । ଭୟେ କମ୍ପଇ ମୋର କାୟେ ॥ ୧୩୭

ଶ୍ରବଣେ ଯେବେ ମୁହିଁ ପାତ୍ର । କହ ତୋହର ନାମ ଗୋତ୍ର ॥ ୧୩୮

ମୋହର କଥା ଶୁଣ ତୁହି । ଇକ୍ଷ୍ୱାକୁ ବଂଶେ ଜାତ ମୁହିଁ ॥ ୧୩୯

ମାନ୍ଧାତା ନୃପତି-ନନ୍ଦନ । ମୋହର ମୁଚୁକୁନ୍ଦ ନାମ ॥ ୧୪୦

ଯୁଦ୍ଧେ ଉନ୍ନିଦ୍ର-ଶ୍ରମ ପାଇ । ନିରୋଳେ ନିଦ୍ରାଗତ ହୋଇ ॥ ୧୪୧

ନିଦ୍ରା ଯେ ଭାଙ୍ଗିଲା ମୋହର । ଭସ୍ମ ହୋଇଲା ତା ଶରୀର ॥ ୧୪୨

ଏବେ ମୁଁ ତୋର ରୂପ ଦେଖି । ଚାହାନ୍ତେ ସ୍ପୁରେ ବେନିଆଖି ॥ ୧୪୩

ଦେଖି ତୋହର ରୂପ ତେଜ । ହତ ମୋ ହେଲା ବଳବୀର୍ଯ୍ୟ ॥ ୧୪୪

ଏମନ୍ତ ରାଜାମୁଖୁଁ ଶୁଣି । ବୋଲନ୍ତି ପ୍ରଭୁ ଚକ୍ରପାଣି ॥ ୧୪୫

ଗଭୀର ମେଘପ୍ରାୟ ଘୋଷ । ରଙ୍ଗଅଧରେ ମନ୍ଦହାସ ॥ ୧୪୬

ମୋତେ ତୁ ପଚାରିଲୁ ଯାହା । ଶୁଣ ରାଜନ ପୁଣ୍ୟଦେହା ॥ ୧୪୭

ମୋହର ଜନ୍ମ-କର୍ମ-ଗତି । ସହସ୍ର ସଂଖ୍ୟାଏ ଅଛନ୍ତି ॥ ୧୪୮

ନାମ ହିଁ ଅଛି ମୋର ଯେତେ । ସଂଖ୍ୟା କରିବ କେହୁ କେତେ ॥ ୧୪୯

ଭୂମିରେ ଅଛି ରେଣୁ ଯେତେ । ଅନନ୍ତସଂଖ୍ୟା ଅପ୍ରମିତ ॥ ୧୫୦

ଏମାନ ଗଣି କେ ପାରଇ । ଅନେକ ଜନ୍ମେ ଦେହ ବହି ॥ ୧୫୧

ମୋହର ଜନ୍ମ-କର୍ମ ନାମ । ଗଣି ନପାରେ କେହି ଜନ ॥ ୧୫୨

ମୋହର ଜନ୍ମ-କର୍ମ ଯେତେ । ତ୍ରିକାଳବ୍ୟାପୀ ଏ ଜଗତେ ॥ ୧୫୩

ପରମଋଷି ଯେତେ ଛନ୍ତି । କେହି ସେ ତତ୍ତ୍ୱ ନ ଜାଣନ୍ତି ॥ ୧୫୪

ଏବେ ମୁଁ କହୁଅଛି ଯେତେ । ରାଜନ ଶୁଣ ଏକଚିତ୍ତେ ॥ ୧୫୫

ବ୍ରହ୍ମା ଶଙ୍କର ଦେବେ ଯାଇ । କ୍ଷୀରଜଳଧି ତଟେ ରହି ॥ ୧୫୬

ସ୍ତୁତି ସେ କଲେ ମୋ ଚରଣେ । ମେଦିନୀଭାରା ନିବାରଣେ ॥ ୧୫୭

ଅସୁରବଳ କରି ନାଶ । ସାଧୁଙ୍କୁ କରିବି ଆଶ୍ୱାସ ॥ ୧୫୮

ଏଣୁ ମୁଁ ବସୁଦେବ ଘରେ । ଜନ୍ମିଲି ଦେବକୀ ଉଦରେ ॥ ୧୫୯

ବସୁଦେବର ପୁତ୍ରଭାବ । ତେଣୁ ମୋ ନାମ ବାସୁଦେବ ॥ ୧୬୦

ରମିଲି ବୃନ୍ଦାବନେ ରହି । କଂସକୁ ସଂହାରିଲି ମୁହିଁ ॥ ୧୬୧

ପ୍ରଳମ୍ବାଆଦି ୟେ ଦାନବେ । ମୁହିଁ ମାଇଲି ବାଳଭାବେ ॥ ୧୬୨

କାଳଯବନ ଅଣାଇଲି । ତୋର ନୟନ ସଂହାରିଲି ॥ ୧୬୩

ତୋତେ ମୋ ଅନୁଗ୍ରହ ଚିତ୍ତେ । ତେଣୁ ମିଳିଲି ତୋ ଅଗ୍ରତେ ॥ ୧୬୪

ପୂର୍ବେ ତୁ ଘୋରତପ କରି । ମନପବନ ହୃଦେ ଧରି ॥ ୧୬୫

ଦେବେ ତ ଦେଇଛନ୍ତି ବର । ଶୟନକାଳେ ନୃପବର ॥ ୧୬୬

ମୋତେ ଦେଖିବୁ ବୋଲି ଚିତ୍ତେ । ଏବେ ପ୍ରସନ୍ନ ହେଲି ତୋତେ ॥ ୧୬୭

ଭକତ ବତ୍ସଳ ମୋ ନାମ । ବର ତୁ ମାଗ ଇଚ୍ଛା କାମ ॥ ୧୬୮

ଯାହା ମାଗିବୁ ଶୁଦ୍ଧଚିତ୍ତେ । ପ୍ରସନ୍ନେ ଦେବଇଁ ମୁଁ ତୋତେ ॥ ୧୬୯

ମୋରେ ଯେ ଶରଣ ପଶନ୍ତି । ସଂସାରେ ନାହିଁ ତାଙ୍କ ଭୀତି ॥ ୧୭୦

ଶୁକ ଉବାଚ

ଏମନ୍ତ କୃଷ୍ଣମୁଖୁଁ ଶୁଣି । ପ୍ରଣାମ କଲା ପୁଣପୁଣି ॥ ୧୭୧

ଗର୍ଗବଚନ ପରିମାଣି । ନିଶ୍ଚେ ଜାଣିଲା ଚକ୍ରପାଣି ॥ ୧୭୨

ଆନନ୍ଦେ ବେନିକର ଯୋଡି । କହଇ କୃଷ୍ଣପାଦେ ପଡ଼ି ॥ ୧୭୩

ମୁଚୁକୁନ୍ଦ ଉବାଚ

ଭୋ ନାଥ ତୋର ମାୟାବଳେ । ମୋହିତ ପ୍ରାଣୀଏ ଶୟଳେ ॥ ୧୭୪

ଅନର୍ଥ ଅର୍ଥ ପ୍ରାୟ ମଣେ । ନଭଜେ ତୋହର ଚରଣେ ॥ ୧୭୫

ଦୁଃଖଗହନେ ସୁଖ ଆଶେ । ପଡ଼ଇ ଦାରା ମୋହପାଶେ ॥ ୧୭୬

ମୈଥୁନସୁଖେ କାଳ ବଂଚେ । ନଭୁଞ୍ଜି ନିତ୍ୟେ ଧନ ସଂଚେ ॥ ୧୭୭

ଅଶେଷ ଜନ୍ମ ପୁଣ୍ୟଫଳେ । ମନୁଷ୍ୟଦେହ ମହୀତଳେ ॥ ୧୭୮

ଇନ୍ଦ୍ରିୟସୁଖେ ଦେଇ ମତି । ତୋର ଚରଣେ ନ ଭଜନ୍ତି ॥ ୧୭୯

ପଡ଼ନ୍ତି ଅନ୍ଧକୂପ-ଗୃହେ । ପଶୁ ଯେସନେ ତୃଣ ମୋହେ ॥ ୧୮୦

ଶୁଣ ହେ ମଦନଗୋପାଳ । ନିଷ୍ଫଳେ ଗଲା ଏତେ କାଳ ॥ ୧୮୧

ରାଜ୍ୟ ସମ୍ପଦେ ଭୋଳ ହୋଇ । ଆତ୍ମାର ଗତି ନ ଜାଣଇ ॥ ୧୮୨

ଦେହାଭିମାନ ବୁଦ୍ଧିବଳେ । ସୁତ କଳତ୍ର ମୋହଜାଲେ ॥ ୧୮୩

ଦୁରନ୍ତ ଚିନ୍ତା ପଥେ ମଜ୍ଜେ । ତୋତେ ନ ଭଜି ଦେବରାଜେ ॥ ୧୮୪

ମୃତ୍ତିକାଘଟ ମଧ୍ୟେ ଥାଇ । ବୋଲଇ ନରଦେବ ମୁହିଁ ॥ ୧୮୫

ରଥ କୁଞ୍ଜର ଅଶ୍ୱଯୂଥେ । ପଦାତିବଳ ଅପ୍ରମିତେ ॥ ୧୮୬

ଖେଳଇ ଏ ମହୀମଣ୍ତଳେ । ତୋତେ ନ ଜାଣି ମତିଭୋଳେ ॥ ୧୮୭

ପଶୁଙ୍କ ପ୍ରାୟେ ଏ ସଂସାରେ । ପଶି ଗହନ ଚିନ୍ତାଘୋରେ ॥ ୧୮୮

ବିଷୟ ସୁଖ ଭୋଗେ ବଢି । ତୋ ପାଦପଦ୍ମ ଚିନ୍ତା ଛାଡ଼ି ॥ ୧୮୯

ପଡ଼ଇ ତୋର ମାୟାବଳେ । ତୁ ତାକୁ ନାଶୁ ଅବହେଳେ ॥ ୧୯୦

ଗ୍ରାସଇ ତୋର କାଳରୂପ । ଇନ୍ଦୁରେ ଯେହ୍ନେ କାଳସର୍ପ ॥ ୧୯୧

ପୂର୍ବେ ସୁବର୍ଣ୍ଣମୟ ରଥେ । କୁଞ୍ଜରକନ୍ଧେ ନାନାପଥେ ॥ ୧୯୨

ନରଦେବତା ନାମ ବହି । ଭ୍ରମଇଁ ମତ୍ତଭୋଳେ ମହୀ ॥ ୧୯୩

ସେ ଦେହ ତୋର ଅଂଶ କାଳ । କରଇ କୃମି ଭସ୍ମ ମଳ ॥ ୧୯୪

କେ ଅବା ନୃପ ଚୂଡ଼ାମଣି । ଅଶେଷ ଦିଗଭାଗ ଜିଣି ॥ ୧୯୫

ସଂଗ୍ରାମେ ଦଶଦିଗ ବାହି । ଅଭୂତ ବିଗ୍ରହ ବୋଲାଇ ॥ ୧୯୬

ଉତ୍ତମ ସିଂହାସନେ ପୂଜା । ପାଦେ ନମନ୍ତି ସର୍ବରାଜା ॥ ୧୯୭

ଏମନ୍ତ ପ୍ରାଣକୁ ଯେ ଧରି । ସ୍ତିରୀଏ କ୍ରୀଡ଼ାମୃଗ କରି ॥ ୧୯୮

ମୈଥୁନ ସୁଖ ଗୃହମଧ୍ୟେ । କରନ୍ତି ପରମଆନନ୍ଦେ ॥ ୧୯୯

ଯେ ପ୍ରାଣୀ ଦେବପୂଜା କରି । ବୋଲଇ ଭବୁ ଯିବି ତରି ॥ ୨୦୦

ନିବୃତ୍ତିମାର୍ଗେ ମହାଶ୍ରମେ । ତପ ଆରାଧି ନାନାକର୍ମେ ॥ ୨୦୧

ଦେବତା ବରଦାନ କାଳେ । ପୁଣ ମାଗଇ ସୁଖଭୋଳେ ॥ ୨୦୨

କରଇ ସ୍ୱର୍ଗଭୋଗ ବାଞ୍ଛା । ପରମସୁଖେ ନାହିଁ ଇଚ୍ଛା ॥ ୨୦୩

ଜନ୍ମମରଣ ବେନିପଥେ । ସେ ପ୍ରାଣୀ ଭ୍ରମୁଥାଇ ନିତ୍ୟେ ॥ ୨୦୪

ତାହାର ଯେବେ ଭାଗ୍ୟ ଥାଇ । ସୁସାଧୁ-ସଙ୍ଗତେ ମିଳଇ ॥ ୨୦୫

ସତ୍ସଙ୍ଗେ ହୋଇ ପାପ ନାଶ । ନିର୍ମଳ ପ୍ରକାଶଇ ଯଶ ॥ ୨୦୬

ସୁସାଧୁ-ଯୋଗୀଙ୍କର ପ୍ରାୟେ । ଶୁଦ୍ଧ ପ୍ରକାଶେ ତାର ଦେହେ ॥ ୨୦୭

ପରମବ୍ରହ୍ମ ତୋର ପାଦେ । ସେ ପ୍ରାଣୀ ଭଜଇ ଆନନ୍ଦେ ॥ ୨୦୮

ତୋହର ମାର୍ଗେ ହୋଇ ଗତି । ତୁଟଇ ଭଜବନ୍ଧ-ଭ୍ରାନ୍ତି ॥ ୨୦୯

ଭୋ ନାଥ ଜାଣିଲି ମୁଁ ଚିତ୍ତେ । ତୋହର ଅନୁଗ୍ରହ ମୋତେ ॥ ୨୧୦

ରାଜ୍ୟ-ସମ୍ପଦ-ବନ୍ଧ-ପାଶ । ଏବେ ହୋଇଲା ମୋର ନାଶ ॥ ୨୧୧

ଅଖଣ୍ତ-ଅବନୀ-ମଣ୍ତଳେ । ଅଶେଷ ଭୋଗ ମହୀତଳେ ॥ ୨୧୨

ଯେ ଛାଡ଼ି ଭଜେ ତୋ ଚରଣ । ଏକା ବୁଲଇ ବନେବନ ॥ ୨୧୩

ଅଶେଷ ଘୋରାତପ କରି । ଯାହା ଚିନ୍ତନ୍ତି ବ୍ରହ୍ମଚାରୀ ॥ ୨୧୪

ଭୋ ନାଥ ପରମ ମଙ୍ଗଳ । ଅନାଦିଧର୍ମ ଆଦିମୂଳ ॥ ୨୧୫

ତୋହର ଅଭୟଚରଣ । ନିତ୍ୟେ ସେବିବି ନାରାୟଣ ॥ ୨୧୬

ଆନ ସମ୍ପଦେ କାର୍ଯ୍ୟ ନାହିଁ । ଏ ବର ଦିଅ ମୋତେ ତୁହି ॥ ୨୧୭

ତୁ ନାଥ କଇବଲ୍ୟଦାତା । ଦୁଃଖୀଜନଙ୍କ ପିତାମାତା ॥ ୨୧୮

ତୋହର ଦରଶନ ପାଇ । ଆତ୍ମାର ବନ୍ଧ ଯେ ମାଗଇ ॥ ୨୧୯

ତାହାକୁ ବୋଲି ଅପଣ୍ତିତ । ତୋର ମାୟାରେ ଜ୍ଞାନହତ ॥ ୨୨୦

ଭୋ ନାଥ ପରମଈଶ୍ୱର । ତୁ ଯେ ଯାଚିଲୁ ମୋତେ ବର ॥ ୨୨୧

ତ୍ରିଗୁଣେ ବନ୍ଧ ମୋହପାଶ । ସେ ବରେ ନାହିଁ ମୋର ଆଶ ॥ ୨୨୨

ନିର୍ଗୁଣ-ନିରଞ୍ଜନ-ପର । କେବଳ ଆତ୍ମଜ୍ଞାନ ସାର ॥ ୨୨୩

ଏମନ୍ତ ପୁରୁଷର ପାଦେ । ଶରଣ ଯିବି ଅପ୍ରମାଦେ ॥ ୨୨୪

ଏ ଭବସିନ୍ଧୁ ମଧ୍ୟେ ମୁହିଁ । ଅଶେଷ ଜନ୍ମ ଦୁଃଖ ପାଇ ॥ ୨୨୫

ବାସନାବଳେ କରି ପାପ । ସୁମରି ପଛେ ଅନୁତାପ ॥ ୨୨୬

ସେ ତାପେ ପୀଡ଼ିତ ଜୀବନେ । ଭ୍ରମଇଁ ଦୁଃଖେ ପଥଶ୍ରମେ ॥ ୨୨୭

ଷଡ଼ଅଇରି ସଙ୍ଗେ ଭ୍ରମି । ନିଗମପଥେ ମହାଶ୍ରମୀ ॥ ୨୨୮

ତୃଷିତେ ଜଳପାନ ଚିନ୍ତି । କେବେ ନୁହଇ ତୃଷା ଶାନ୍ତି ॥ ୨୨୯

ସେ ଜଳ ତୋର ପାଦେ ଥୋଇ । ସଂସାର ତାପ ନିବାରଇ ॥ ୨୩୦

ନିର୍ଭୟ-ସତ୍ୟ-ଶୋକହର । ଭୋନାଥ ଶରଣ ତୋହର ॥ ୨୩୧

ଆପଦକଳେ ସୁଖ ଦେଇ । ତୋ ପାଦେ ରଖ ଭାବଗ୍ରାହୀ ॥ ୨୩୨

ଏମନ୍ତ ରାଜାବାକ୍ୟ ଶୁଣି । କୃଷ୍ଣ କହନ୍ତି ମୃଦୁବାଣୀ ॥ ୨୩୩

ଭଗବାନ ଉବାଚ

ତୁ ମହାଭାଗ ଚକ୍ରବର୍ତ୍ତୀ । ନିର୍ମଳ-ନିଷ୍କାମ ତୋ ମତି ॥ ୨୩୪

ବରେ ମୋହିଲି ତୋର ଚିତ୍ତ । ଲୋଭେ ନୋହିଲୁ ଅଭିଭୂତ ॥ ୨୩୫

ଏମନ୍ତ ବୁଦ୍ଧି ଯେବେ ତୋର । ନିଶ୍ଚେ ତରିବୁ ଭବଘୋର ॥ ୨୩୬

ଭକତଜନଙ୍କର ଚିତ୍ତ । ସମ୍ପଦେ ନୋହେ ମୋହଗ୍ରସ୍ତ ॥ ୨୩୭

ଅଷ୍ଟାଙ୍ଗଯୋଗ ଲୟ କରି । ମୋତେ ଚିନ୍ତନ୍ତି ବ୍ରହ୍ମଚାରୀ ॥ ୨୩୮

ମୋର ଭକତି ନ ଜାଣନ୍ତି । ତାହାଙ୍କ ଚିତ୍ତେ ନାହିଁ ଶାନ୍ତି ॥ ୨୩୯

କର୍ମ-ବାସନା ରଜ୍ଜୁ-ବନ୍ଧୁ । ଭାବେ ଭ୍ରମଇ ଯେହ୍ନେ ଅନ୍ଧ ॥ ୨୪୦

ମୋହର ପାଦେ ଚିତ୍ତ ଦେଇ । ଏବେ ତୁ ସୁଖେ ଭ୍ରମ ମହୀ ॥ ୨୪୧

ନିଶ୍ଚଳ ହୋଇ ମୋର ପାଦେ । ତୋର ଭକତି ଅପ୍ରମାଦେ ॥ ୨୪୨

ହେଉ ବୋଇଲେ ଚକ୍ରପାଣି । ଏବେ ହୋ ଶୁଣ ନୃପମଣି ॥ ୨୪୩

କ୍ଷତ୍ରିୟକୁଳେ ହୋଇ ଜାତ । ଜୀବ ମାଇଲୁ ଅପ୍ରମିତ ॥ ୨୪୪

ମୃଗୟା କରି ମାଂସ ଖାଇ । ଏ ଜନ୍ମେ ତୋର ଗତି ନାହିଁ ॥ ୨୪୫

ମୋହର ପାଦେ ଆଶ୍ରେ କର । ସାଧିବୁ ତପ ମହାଘୋର ॥ ୨୪୬

ତେବେ ହୋଇବ ପାପକ୍ଷୟେ । ଭେଦିବୁ ବ୍ରହ୍ମଲୋକ ଯାଏ ॥ ୨୪୭

ପାପ-ଅନ୍ତରେ ଏ ସଂସାରେ । ଜନ୍ମିବୁ ବ୍ରାହ୍ମଣୀ ଉଦରେ ॥ ୨୪୮

ସୁହୃଦ ହୋଇ ସର୍ବଭୂତେ । ତୁ ମୋତେ ଚିହ୍ନିବୁ ଯୁକତେ ॥ ୨୪୯

ବ୍ରାହ୍ମଣକର୍ମ ସଦ୍ଭାବେ । କରିବୁ ଯଥାବିଧି ଲାଭେ ॥ ୨୫୦

ଷଡ଼କରମେ ଯୁତ ହୋଇ । ମୋ ପାଦେ ସମର୍ପିବୁ ତୁହି ॥ ୨୫୧

ତେବେ ପାଇବୁ ମୋ ଚରଣ । ହସି ବୋଲନ୍ତି ନାରାୟଣ ॥ ୨୫୨

ସେ ନାରାୟଣ ପାଦଗତ । ନମଇଁ ଦାସ ଜଗନ୍ନାଥ ॥ ୨୫୩

ଇତି ଶ୍ରୀମଦ୍ଭାଗବତ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ମୁଚୁକୁନ୍ଦସ୍ତୁତି ନାମ

ପଞ୍ଚପଞ୍ଚାଶତ୍ ଅଧ୍ୟାୟଃ ॥

* * *