ଦଶମ ସ୍କନ୍ଧ
ପଞ୍ଚପଞ୍ଚାଶତ୍ ଅଧ୍ୟାୟ
ଶୁକ ଉବାଚ
ନମଇଁ କୃଷ୍ଣର ଚରଣ । ଅନାଦି ପୁରୁଷ ପୁରାଣ ॥ ୧
କହନ୍ତି ଶୁକ ମୁନିବର । ଶୁଣ ପରୀକ୍ଷ ନୃପବର ॥ ୨
ସକଳ ନିଯୋଜିତ କରି । ସୈନ୍ୟ ଆଗରେ ନରହରି ॥ ୩
ମଥୁରା ଗଡ଼ଦ୍ୱାର ମଧ୍ୟେ । କୃଷ୍ଣ ବିଜୟ ପଦ୍ମପାଦେ ॥ ୪
ଉଦୟଗିରି ମଧ୍ୟେ ଆସି । ଯେହ୍ନେ ବିରାଜେ ପୂର୍ଣ୍ଣଶଶୀ ॥ ୫
ଅତି ସୁନ୍ଦର ଶ୍ୟାମଦେହୀ । ପୀତବସନ ବିରାଜଇ ॥ ୬
ଶ୍ରୀବତ୍ସଲାଞ୍ଚନ ସୁନ୍ଦର । କୌସ୍ତୁଭମଣି ହୃଦେ ହାର ॥ ୭
ଆଜାନୁଲମ୍ବେ ଚାରିଭୁଜ । ଅରୁଣ ଚକ୍ଷୁ ପଦ୍ମତେଜ ॥ ୮
ନିତ୍ୟ ଆନନ୍ଦ ହାସମୁଖ । ସୁନ୍ଦର କପୋଳ ସୁରେଖ ॥ ୯
କର୍ଣ୍ଣେ ମକରାକାର ହୋଇ । ରତ୍ନକୁଣ୍ତଳ ବିରାଜଇ ॥ ୧୦
କୋଟି କନ୍ଦର୍ପରୂପ ସାର । ରୂପକୁ ଚାହିଁ ପଟାନ୍ତର ॥ ୧୧
କାଳଯବନ କୃଷ୍ଣେ ଚାହିଁ । ନାରଦ ବାକ୍ୟେ ମନ ଦେଇ ॥ ୧୨
ବୋଲଇ ବାସୁଦେବ ଏହି । ଶ୍ରୀବତ୍ସ ଚିହ୍ନ ହୃଦେ ଶୋହି ॥ ୧୩
ଆଜାନୁଲମ୍ବେ ଚାରିଭୁଜେ । କମଳନୟନ ବିରାଜେ ॥ ୧୪
ବନମାଳାଏ ଲମ୍ବେ ଉର । ଅପୂର୍ବ ମୋହନ ସୁନ୍ଦର ॥ ୧୫
ନାରଦ କହିଛନ୍ତି ଯେତେ । ଚିହ୍ନ ଦେଖିଲି ଏହା ଗାତ୍ରେ ॥ ୧୬
କୃଷ୍ଣହୁଁ ନୋହଇ ଏ ଆନ । ରୂପେ ମୋହିଲା ମୋର ମନ ॥ ୧୭
ଏହାର କରେ ଶସ୍ତ୍ର ନାହିଁ । ଚରଣେ ଚାଲୁଅଛି ମହୀ ॥ ୧୮
ମୁଁ କିମ୍ପା କରେ ଶସ୍ତ୍ର ଧରି । ଏହାର ତୁଲେ ଯୁଦ୍ଧ କରି ॥ ୧୯
ନିନ୍ଦା ପାଇବି ଇହଲୋକେ । ମରଣେ ପଡ଼ିବି ନରକେ ॥ ୨୦
ମୁହିଁ ହୋଇବି ନିରାୟୁଧ । ତେବେଏହାର ତୁଲେ ଯୁଦ୍ଧ କରି ॥ ୨୧
ଏମନ୍ତ ଅସୁର ବିଚାରି । ତାହା ଜାଣିଲେ ନରହରି ॥ ୨୨
ମାୟାରେ ମୋହି ତାର ମନ । ବେଗେ ଧାଇଁଲେ ଭଗବାନ ॥ ୨୩
କାଳଯବନ ବିଚାରଇ । ଲୁଚିଣ ଯିବ ଏ ପଳାଇ ॥ ୨୪
ଯୁଦ୍ଧ ନ କରି ପଳାଇଲା । ଏମନ୍ତ ବୋଲି ଗୋଡ଼ାଇଲା ॥ ୨୫
ଯେ ହରି ଦେବଙ୍କୁ ଦୁର୍ଲ୍ଲଭ । ତାହାଙ୍କୁ ମଣଇ ସୁଲଭ ॥ ୨୬
ଧରିବ ବୋଲି କୃଷ୍ଣ ପଛେ । ଯବନ ଧାଇଁଲା ପ୍ରତ୍ୟକ୍ଷ ॥ ୨୭
ହସ୍ତ ଲାଗଇ କୃଷ୍ଣଦେହେ । ପାଦ ବାଜଇ ବେନିପାୟେ ॥ ୨୮
ଏମନ୍ତେ ଦୂରପଥ ନେଇ । ବନଗହନେ ଭାବଗ୍ରାହୀ ॥ ୨୯
କୃଷ୍ଣଙ୍କୁ ଗୋଡ଼ାଇ ଯବନ । ବୋଲଇ ଝିଙ୍ଗାସ ॥ ୩୦
ଯାଦବକୁଳେ ଜାତ ହୋଇ । ଡରେ ପଳାଉ କାହିଁପାଇଁ ॥ ୩୧
ଉଚିତ ନୁହଇ ତୋ ଯଶ । ଲୋକେ କରିବେ ଉପହାସ ॥ ୩୨
କ୍ଷତ୍ରିୟଅଂଶେ ଜାତ ହୋଇ । ଶୃଗାଳ ପ୍ରାୟ ତୁ ପଳାଇ ॥ ୩୩
ଏ ନୋହେ ତୋର କ୍ଷତ୍ରିଧର୍ମ । କିମ୍ପାଇ କରୁ ଏଡେ କର୍ମ ॥ ୩୪
ନିନ୍ଦଇ ଗୋବିନ୍ଦ ମହିମା । ଯେଣୁ ଅଟଇ ହୀନକର୍ମା ॥ ୩୫
ଏମନ୍ତ ବାକ୍ୟେ ଦେଇ ଗାଳି । ଗିରିଗହନେ ଯାଇ ମିଳି ॥ ୩୬
ପଶିଲେ ପର୍ବତକନ୍ଦରେ । ଯବନ ଘେନି ଅନ୍ଧକାରେ ॥ ୩୭
ହରି ହୋଇଲେ ଅନ୍ତର୍ଦ୍ଧାନ । ଭିତରେ ପଶିଲା ଯବନ ॥ ୩୮
ଚାହଁଇ ଚଉଦିଗେ କୋପେ । ପୁରୁଷେ ଦେଖିଲା ସମୀପେ ॥ ୩୯
ଶୟନେ ନିଦ୍ରାଗତେ ହୋଇ । ଉତ୍ତାନମତେ ଅଛି ଶୋଇ ॥ ୪୦
ଦେଖି ବୋଲଇ କୋପମନେ । ନିନ୍ଦିତ-ପୁରୁଷ-ବଚନେ ॥ ୪୧
ଏତେ ଯୋଜନା ମୋତେ ଆଣି । ମୋହର ମହିମା ନ ଜାଣି ॥ ୪୨
ସାଧୁଙ୍କ ପ୍ରାୟ ଅଚି ଶୋଇ । ମିଛେ ବୁଜିଣ ଚକ୍ଷୁ ଦୁଇ ॥ ୪୩
ମରଣକାଳେ ନିଦ୍ରା ଗଲେ । କାଳ କି ବଞ୍ଚାଇବ ଭଲେ ॥ ୪୪
ଏମନ୍ତେ କରି ଘୋରନାଦ । ହୃଦେ ମାଇଲା ବେନିପାଦ ॥ ୪୫
ବଜ୍ର ସମାନ ପାଦ ବାଜି । ତାହାର ନିଦ୍ରା ଗଲା ଭାଜି ॥ ୪୬
ଉଠି ବସିଲା ମହାବଳୀ । ଚାହଁଇ ନୟନ ନିରୋଳି ॥ ୪୭
ବେନିପାରୁଶ ଆଗପଛେ । ଯବନେ ଦେଖିଲା ପ୍ରତ୍ୟକ୍ଷେ ॥ ୪୮
କୋପେ କମ୍ପଇ ତାର ଦେହୀ । ଅନଳନୟନେ ଅନାଇଁ ॥ ୪୯
ଅଗ୍ନି ଉଠିଲା ମହାଘୋର । ପଡ଼ିଲା ଯବନ ଉପର ॥ ୫୦
ଦେଖନ୍ତି ପ୍ରଭୁ ନାରାୟଣ । ଭସ୍ମ ହୋଇଲା ତତକ୍ଷଣ ॥ ୫୧
ଶୁଣି ପରୀକ୍ଷ ପଚାରଇ । ବ୍ୟାସନନ୍ଦନ ମୁଖ ଚାହିଁ ॥ ୫୨
ପରୀକ୍ଷିତ ଉବାଚ ୫୩
ଭୋ ମୁନି ଶୋଇଲା ପୁରୁଷ । କହ ତାହାର ନାମ କିସ ॥ ୫୪
କାହାର ପୁତ୍ର ଏଡେ଼ ବଳୀ । ନୟନେ ଅଗ୍ନି ପରଜ୍ୱଳି ॥ ୫୫
କାଳଯବନ ଭସ୍ମଗଲା । ଏ ତପ କେମନ୍ତେ ସାଧିଲା ॥ ୫୬
ନିଦ୍ରାରେ ଗିରିମଧ୍ୟେ ଶୋଇ । କହ ସେ ପୂର୍ବେ ଥିଲା କାହିଁ ॥ ୫୭
ଶୁକ ଉବାଚ ୫୮
କହନ୍ତି ବ୍ୟାସଙ୍କ କୁମର । ଇକ୍ଷାକୁବଂଶେ ନୃପବର ॥ ୫୯
ମାନଧାତା ନାମେ ମହେନ୍ଦ୍ର । ତାର କୁମର ମୁଚୁକୁନ୍ଦ ॥ ୬୦
ବିପ୍ର ସେବକ ସତ୍ୟବାଦୀ । ସକଳ ଗୁଣେ ଗୁଣନିଧି ॥ ୬୧
ତାହାକୁ ଦେବଗଣେ ଆସି । ବଚନ କହିଲେ ବିଶ୍ୱାସି ॥ ୬୨
ତୋର ଶରଣ ନୃପବର । ଆମ୍ଭେ ଛାଡିଲୁ ସ୍ୱର୍ଗପୁର ॥ ୬୩
ହାରିଲୁ ଅସୁରଙ୍କୁ ରଣେ । ପଶିଲୁ ତୋହର ଶରଣେ ॥ ୬୪
ତୁ ଏବେ କର ପ୍ରତିକାର । ଅସୁରବଳ ବେଗେ ମାର ॥ ୬୫
ଏମନ୍ତ କହି ସୁରବୃନ୍ଦ । ଘେନାଇ ଗଲେ ମୁଚୁକୁନ୍ଦ ॥ ୬୬
ଦେବତାଗଣେ ଦୁଃଖ ଦେଖି । ସେ ମୁଚୁକୁନ୍ଦ ପଦ୍ମଆଖି ॥ ୬୭
ନିଜ ବିନାନେ ବିଜେ କଲା । ତେଜେ ବିରାଜେ ରବିକଳା ॥ ୬୮
ନାନା ଆୟୁଧ ଘେନି ହସ୍ତେ । ବିଜୟ କଲେ ଶୂନ୍ୟ ପଥେ ॥ ୬୯
ଅସୁର ତୁଲେ କଲେ ରଣ । ଗଗନ ପଥେ ଦେବଗଣ ॥ ୭୦
ତାହା ଦେଖିଣ ନୃପବର । ମିଳିଲା ସଂଗ୍ରାମ ମଧ୍ୟର ॥ ୭୧
ଦେବତା ଅସୁର-ସମରେ । କ୍ଷୋଭ ପାଇଲେ ତୀକ୍ଷ୍ଣ ଶରେ ॥ ୭୨
ଏମନ୍ତ ଦେଖି ନୃପବର । କ୍ଷୁଦ୍ଧ କରଇ ମହାଘୋର ॥ ୭୩
ମୁଚୁକୁନ୍ଦର ତୀକ୍ଷଣ ବାଣେ । ଅସୁରେ ପଳାଇଲେ ରଣେ ॥ ୭୪
ଅନେକ ହେଲେ ପ୍ରାଣେ ନାଶ । ରହିଲେ ପାଞ୍ଚ ସାତ ଶେଷ ॥ ୭୫
ସେ ରାଜା ମହା ବଳୀୟାର । ଅନେକ କଲାକ ସମର ॥ ୭୬
ପୁଣି ଅନେକ ଯୁଦ୍ଧ କରି । ସକଳ ଅସୁର ସଂହାରି ॥ ୭୭
ଗଜର ସମରେ କେଶରୀ । ଯେଉଁ ପ୍ରକାରେ ନାସ କରି ॥ ୭୮
ତେମନ୍ତ କରିଣ ସମର । ଅସୁର କଲାକ ସହାଂର ॥ ୭୯
ଅସୁର ସୈନ୍ୟ ନାଶ କରି । ଦେବଙ୍କୁ ଦେଲା ସ୍ୱର୍ଗପୁରୀ ॥ ୮୦
ଯୁଦ୍ଧରେ ତମ ଗୁଣ ଘେନି । ରାତ୍ର ଦିବସ ହିଁ ନ ଜାଣି ॥ ୮୧
ଏମନ୍ତ ତାର କାଳ ଗଲା । ଯୁଦ୍ଧରେ ନୃପତିର ବଳା ॥ ୮୨
କାର୍ତ୍ତିକେ ପାଇ ସେନାପତି । ଦେବତାମେଳେ ବୃହସ୍ପତି ॥ ୮୩
ବୋଲନ୍ତି ଚାହିଁ ମୁଚୁକୁନ୍ଦ । ଆମ୍ଭେ ଯେ ହୋଇଲୁ ଆନନ୍ଦ ॥ ୮୪
ତୋ ଯଶ ପରଉପକାର । ସମ୍ପଦ ରଖିଲୁ ଆମ୍ଭର ॥ ୮୫
ତୁ ଆଉ ନ କର ସମର । ଅସୁର ଭୟ ଗଲା ଦୂର ॥ ୮୬
ତୁ ମର୍ତ୍ତ୍ୟପୁର ନୃପବର । ଏ ଯେ ଅମର ସ୍ୱର୍ଗପୁର ॥ ୮୭
ଆମ୍ଭେ ଆଣିଲୁ ତୋତେ ବରି । ତୁ ଏବେ ଏହାଙ୍କୁ ସଂହାରି ॥ ୮୮
ରଖିଲୁ ଦେବଙ୍କ ସମ୍ପଦ । ଥିଲା ଯେ ତୋର ରାଦପଦ ॥ ୮୯
ସମରେ ତୋର ମନ ଥିଲା । ମଞ୍ଚେ ଅନେକ କାଳ ଗଲା ॥ ୯୦
ସୁତ କଳତ୍ର ବନ୍ଧୁ ଗୋତ୍ର । ସକଳେ ହେଲେ କାଳଗ୍ରସ୍ତ ॥ ୯୧
ପ୍ରଜା ଯେ ଥିଲେ ତୋର ତୁଲେ । କାଳେ ସକଲେ ନାଶ ଗଲେ ॥ ୯୨
ଦଇବବଳେ କାଳବଳୀ । ଜନ୍ତୁଙ୍କୁ କର୍ମବଳେ ଗିଳି ॥ ୯୩
ଇଶ୍ୱର ଭାବେ ଖେଳେ କାଳ । ପଶୁଙ୍କୁ ଯେହ୍ନେ ପଶୁପାଳ ॥ ୯୪
କିସ କରିବୁ ନର ଲୋକେ । ପଡିବୁ ପୁତ୍ର ଦାରା ଶୋକେ ॥ ୯୫
ରାଜନ ଛାଡୁ ମନୁ ଚିନ୍ତା । ଆମ୍ଭେ ହୋଇଲୁ ବର ଦାତା ॥ ୯୬
ଧନ ସମ୍ପଦ କାମ ଯେତେ । ମାଗ ତୁ ଦେବୁ ଅପ୍ରମିତେ ॥ ୯୭
ମୋକ୍ଷକୁ ନୋହୁଁ ଅଧିକାରୀ । ଏଥକୁ ପ୍ରଭୁ ନରହରି ॥ ୯୮
ଦେବଙ୍କ ବାକ୍ୟ କର୍ଣ୍ଣେ ଶୁଣି । ରାଜମ ମନେ ମନେ ଗୁଣି ॥ ୯୯
ଦେବଙ୍କୁ କରି ନମସ୍କାର । ବୋଲଇ ଯୋଡି ବେନିକର ॥ ୧୦୦
ଯେବେ ମୋହର ମୋକ୍ଷ ନାହିଁ । ବର ମାଗିବି କିସ ପାଇଁ ॥ ୧୦୧
ଯୁଦ୍ଧରେ ଗଲା ଏତେ ଦିନ । ନିଦ୍ରା ତ ନାହିଁ ମୋ ନୟନ ॥ ୧୦୨
ଶୋଇବ ବରେ କାର୍ଯ୍ୟ ନାହିଁ । ନିଦ୍ରା ପିଡୀତ ମୋର ଦେହୀ ॥ ୧୦୩
ଶୁଣି ସାନନ୍ଦ ଦେବେ ମନେ । ମିଳିଲେ ଦୁର୍ଗମ କାନନେ ॥ ୧୦୪
ଗିରିକନ୍ଦରେ ଶଯ୍ୟା କରି । ତହିଂ ଶୁଆଇ ଦଣ୍ତଧାରୀ ॥ ୧୦୫
ବୋଇଲେ ଇନ୍ଦ୍ରାଆଦି ଦେବେ । ତୋହର ନିଦ୍ରା ଯେ ଭାଙ୍ଗିବେ ॥ ୧୦୬
ତୋର-ନୟନ-ଅଗ୍ନି ବାଣେ । ବସ୍ମ ହୋଇବ ତତକ୍ଷଣେ ॥ ୧୦୭
ତୋହର ନିଦ୍ରା ଅନ୍ତକାଳେ । ଦେଖିବୁ ପ୍ରଭୁ ଆଦିମୂଳେ ॥ ୧୦୮
ଏମନ୍ତ କହି ଦେବେ ଗଲେ । କୃଷ୍ଣ ଜାଣନ୍ତି ତାହାଭଲେ ॥ ୧୦୯
ଯବନ ମରାଇଲେ ନେଇ । ଶୁଣ ରାଜନ ମନଦେଇ ॥ ୧୧୦
କାଳଯବନ ନାଶ ଗଲା । ଶୁଣ ହୋ ଗୋବିନ୍ଦର ଲୀଳା ॥ ୧୧୧
କୃଷ୍ଣଶରୀର ତେଜ ରାଶି । ଗିରିକନ୍ଦର-ତମ ନାଶି ॥ ୧୧୨
ଚକିତେ ଚାହିଁ ନୃପବର । ଦେଖିଲା ବ୍ରହ୍ମାଣ୍ୟଠାକୁର ॥ ୧୧୩
ନୀଳଜଳଦ-ତନୁବର୍ଣ୍ଣ । ପୀତ ବସନ ପରିଧାନ ॥ ୧୧୪
ଶ୍ରୀବତ୍ସ ଚିହ୍ନ ମଣି କଣ୍ଠେ । ରତ୍ନମେଘଳା କଟିତଟେ ॥ ୧୧୫
ସୁନ୍ଦର ବନମାଳା ସାଜେ । ନିଜ ଆୟୁଧ ଚାରିଭୁଜେ ॥ ୧୧୬
ପ୍ରସନ୍ନ ବଦନ ଗୋପାଳ । ଶ୍ରବଣେ ମକରକୁଣ୍ତଳ ॥ ୧୧୭
ଅତି ସୁନ୍ଦର ହାସମୁଖ । କୁଟୀଳ କୁନ୍ତଳ ସୁରେଖ ॥ ୧୧୮
ଆଜାନୁଲମ୍ବେ ଚାରିଭୁଜ । ବିକ୍ରମସିଂହ ପ୍ରାୟ ତେଜ ॥ ୧୧୯
ଏମନ୍ତ କୃଷ୍ଣଦେହେ ତେଜ । ଦେଖି ଚକିତ ମହାରାଜ ॥ ୧୨୦
ଗୋବିନ୍ଦ ତେଜେ ହରଷିତ । ଶଙ୍କିତେ ଯୋଡ଼ି ବେନିହସ୍ତ ॥ ୧୨୧
କୃଷ୍ଣବଦନ ଅରବିନ୍ଦ । ଚାହିଁ ବୋଲାଇ ମୁଚୁକୁନ୍ଦ ॥ ୧୨୨
ମୁଚୁକୁନ୍ଦ ଉବାଚ
କହ ତୁ କାହାର ନନ୍ଦନ । କୁଳ ପ୍ରବର ନିଜ କାମ ॥ ୧୨୩
ଏମନ୍ତ ଦେଖିଲା ତ ନାହିଁ । ଗିରିକନ୍ଦରେ ଥିଲୁ କାହିଁ ॥ ୧୨୪
କମଳ ପ୍ରାୟ ତୋ ଚରଣ । କିମ୍ପାଇ ବୁଲୁ ଘୋରବନ ॥ ୧୨୫
ତେଜସ୍ୱୀମାନଙ୍କର ତେଜ । କି ଅବା ପ୍ରଭୁ ଦେବରାଜ ॥ ୧୨୬
ସୂର୍ଯ୍ୟ ଶଶାଙ୍କ ଆଖଣ୍ତଳ । କି ଅବା କେଉଁ ଦିଗପାଳ ॥ ୧୨୭
ବିଷ୍ଣୁ ଶଙ୍କର ପଦ୍ମଯୋନି । ଦେବଙ୍କ ଦେବତା ଏ ତିନି ॥ ୧୨୮
ଏ ତିନିମଧ୍ୟେ ଏକ ତୁହି । ଗୋବିନ୍ଦପ୍ରାୟ ମୁଁ ମଣଇଁ ॥ ୧୨୯
ଶୟନକାଳେ ଦେବଗଣେ । ବର ଯେ ଦେଲେ ଶୁଦ୍ଧମନେ ॥ ୧୩୦
ସେ କି ହୋଇଲା ପରାପତ । ତୁମ୍ଭେ ବା ଅଟ ହେ ଅଚ୍ୟୁତ ॥ ୧୩୧
ତୋହର ତେଜେ ତମ ଗଲା । ପ୍ରଦୀପ ପ୍ରାୟ ପ୍ରକାଶିଲା ॥ ୧୩୨
ସତ୍ୟବଚନ କହ ମୋତେ । ମୁଁ ତୋତେ ଜାଣଇଁ ଯେମନ୍ତେ ॥ ୧୩୩
ଦେବତାବରେ ନିଦ୍ରା ମୁହିଁ । ଅନେକ କାଳୁ ଅଛି ଯାଇ ॥ ୧୩୪
ମୋହର ନିଦ୍ରା ଯେ ଭାଙ୍ଗିବ । ଚକ୍ଷୁଅନଳେ ନାଶଯିବ ॥ ୧୩୫
କେ ମୋର କଲା ନିଦ୍ରା ଭଙ୍ଗ । ତୁମ୍ଭେ କି ଥିଲ ତାର ସଙ୍ଗ ॥ ୧୩୬
ଦିଶୁଛ ଆଦିସୂର୍ଯ୍ୟ ପ୍ରାୟେ । ଭୟେ କମ୍ପଇ ମୋର କାୟେ ॥ ୧୩୭
ଶ୍ରବଣେ ଯେବେ ମୁହିଁ ପାତ୍ର । କହ ତୋହର ନାମ ଗୋତ୍ର ॥ ୧୩୮
ମୋହର କଥା ଶୁଣ ତୁହି । ଇକ୍ଷ୍ୱାକୁ ବଂଶେ ଜାତ ମୁହିଁ ॥ ୧୩୯
ମାନ୍ଧାତା ନୃପତି-ନନ୍ଦନ । ମୋହର ମୁଚୁକୁନ୍ଦ ନାମ ॥ ୧୪୦
ଯୁଦ୍ଧେ ଉନ୍ନିଦ୍ର-ଶ୍ରମ ପାଇ । ନିରୋଳେ ନିଦ୍ରାଗତ ହୋଇ ॥ ୧୪୧
ନିଦ୍ରା ଯେ ଭାଙ୍ଗିଲା ମୋହର । ଭସ୍ମ ହୋଇଲା ତା ଶରୀର ॥ ୧୪୨
ଏବେ ମୁଁ ତୋର ରୂପ ଦେଖି । ଚାହାନ୍ତେ ସ୍ପୁରେ ବେନିଆଖି ॥ ୧୪୩
ଦେଖି ତୋହର ରୂପ ତେଜ । ହତ ମୋ ହେଲା ବଳବୀର୍ଯ୍ୟ ॥ ୧୪୪
ଏମନ୍ତ ରାଜାମୁଖୁଁ ଶୁଣି । ବୋଲନ୍ତି ପ୍ରଭୁ ଚକ୍ରପାଣି ॥ ୧୪୫
ଗଭୀର ମେଘପ୍ରାୟ ଘୋଷ । ରଙ୍ଗଅଧରେ ମନ୍ଦହାସ ॥ ୧୪୬
ମୋତେ ତୁ ପଚାରିଲୁ ଯାହା । ଶୁଣ ରାଜନ ପୁଣ୍ୟଦେହା ॥ ୧୪୭
ମୋହର ଜନ୍ମ-କର୍ମ-ଗତି । ସହସ୍ର ସଂଖ୍ୟାଏ ଅଛନ୍ତି ॥ ୧୪୮
ନାମ ହିଁ ଅଛି ମୋର ଯେତେ । ସଂଖ୍ୟା କରିବ କେହୁ କେତେ ॥ ୧୪୯
ଭୂମିରେ ଅଛି ରେଣୁ ଯେତେ । ଅନନ୍ତସଂଖ୍ୟା ଅପ୍ରମିତ ॥ ୧୫୦
ଏମାନ ଗଣି କେ ପାରଇ । ଅନେକ ଜନ୍ମେ ଦେହ ବହି ॥ ୧୫୧
ମୋହର ଜନ୍ମ-କର୍ମ ନାମ । ଗଣି ନପାରେ କେହି ଜନ ॥ ୧୫୨
ମୋହର ଜନ୍ମ-କର୍ମ ଯେତେ । ତ୍ରିକାଳବ୍ୟାପୀ ଏ ଜଗତେ ॥ ୧୫୩
ପରମଋଷି ଯେତେ ଛନ୍ତି । କେହି ସେ ତତ୍ତ୍ୱ ନ ଜାଣନ୍ତି ॥ ୧୫୪
ଏବେ ମୁଁ କହୁଅଛି ଯେତେ । ରାଜନ ଶୁଣ ଏକଚିତ୍ତେ ॥ ୧୫୫
ବ୍ରହ୍ମା ଶଙ୍କର ଦେବେ ଯାଇ । କ୍ଷୀରଜଳଧି ତଟେ ରହି ॥ ୧୫୬
ସ୍ତୁତି ସେ କଲେ ମୋ ଚରଣେ । ମେଦିନୀଭାରା ନିବାରଣେ ॥ ୧୫୭
ଅସୁରବଳ କରି ନାଶ । ସାଧୁଙ୍କୁ କରିବି ଆଶ୍ୱାସ ॥ ୧୫୮
ଏଣୁ ମୁଁ ବସୁଦେବ ଘରେ । ଜନ୍ମିଲି ଦେବକୀ ଉଦରେ ॥ ୧୫୯
ବସୁଦେବର ପୁତ୍ରଭାବ । ତେଣୁ ମୋ ନାମ ବାସୁଦେବ ॥ ୧୬୦
ରମିଲି ବୃନ୍ଦାବନେ ରହି । କଂସକୁ ସଂହାରିଲି ମୁହିଁ ॥ ୧୬୧
ପ୍ରଳମ୍ବାଆଦି ୟେ ଦାନବେ । ମୁହିଁ ମାଇଲି ବାଳଭାବେ ॥ ୧୬୨
କାଳଯବନ ଅଣାଇଲି । ତୋର ନୟନ ସଂହାରିଲି ॥ ୧୬୩
ତୋତେ ମୋ ଅନୁଗ୍ରହ ଚିତ୍ତେ । ତେଣୁ ମିଳିଲି ତୋ ଅଗ୍ରତେ ॥ ୧୬୪
ପୂର୍ବେ ତୁ ଘୋରତପ କରି । ମନପବନ ହୃଦେ ଧରି ॥ ୧୬୫
ଦେବେ ତ ଦେଇଛନ୍ତି ବର । ଶୟନକାଳେ ନୃପବର ॥ ୧୬୬
ମୋତେ ଦେଖିବୁ ବୋଲି ଚିତ୍ତେ । ଏବେ ପ୍ରସନ୍ନ ହେଲି ତୋତେ ॥ ୧୬୭
ଭକତ ବତ୍ସଳ ମୋ ନାମ । ବର ତୁ ମାଗ ଇଚ୍ଛା କାମ ॥ ୧୬୮
ଯାହା ମାଗିବୁ ଶୁଦ୍ଧଚିତ୍ତେ । ପ୍ରସନ୍ନେ ଦେବଇଁ ମୁଁ ତୋତେ ॥ ୧୬୯
ମୋରେ ଯେ ଶରଣ ପଶନ୍ତି । ସଂସାରେ ନାହିଁ ତାଙ୍କ ଭୀତି ॥ ୧୭୦
ଶୁକ ଉବାଚ
ଏମନ୍ତ କୃଷ୍ଣମୁଖୁଁ ଶୁଣି । ପ୍ରଣାମ କଲା ପୁଣପୁଣି ॥ ୧୭୧
ଗର୍ଗବଚନ ପରିମାଣି । ନିଶ୍ଚେ ଜାଣିଲା ଚକ୍ରପାଣି ॥ ୧୭୨
ଆନନ୍ଦେ ବେନିକର ଯୋଡି । କହଇ କୃଷ୍ଣପାଦେ ପଡ଼ି ॥ ୧୭୩
ମୁଚୁକୁନ୍ଦ ଉବାଚ
ଭୋ ନାଥ ତୋର ମାୟାବଳେ । ମୋହିତ ପ୍ରାଣୀଏ ଶୟଳେ ॥ ୧୭୪
ଅନର୍ଥ ଅର୍ଥ ପ୍ରାୟ ମଣେ । ନଭଜେ ତୋହର ଚରଣେ ॥ ୧୭୫
ଦୁଃଖଗହନେ ସୁଖ ଆଶେ । ପଡ଼ଇ ଦାରା ମୋହପାଶେ ॥ ୧୭୬
ମୈଥୁନସୁଖେ କାଳ ବଂଚେ । ନଭୁଞ୍ଜି ନିତ୍ୟେ ଧନ ସଂଚେ ॥ ୧୭୭
ଅଶେଷ ଜନ୍ମ ପୁଣ୍ୟଫଳେ । ମନୁଷ୍ୟଦେହ ମହୀତଳେ ॥ ୧୭୮
ଇନ୍ଦ୍ରିୟସୁଖେ ଦେଇ ମତି । ତୋର ଚରଣେ ନ ଭଜନ୍ତି ॥ ୧୭୯
ପଡ଼ନ୍ତି ଅନ୍ଧକୂପ-ଗୃହେ । ପଶୁ ଯେସନେ ତୃଣ ମୋହେ ॥ ୧୮୦
ଶୁଣ ହେ ମଦନଗୋପାଳ । ନିଷ୍ଫଳେ ଗଲା ଏତେ କାଳ ॥ ୧୮୧
ରାଜ୍ୟ ସମ୍ପଦେ ଭୋଳ ହୋଇ । ଆତ୍ମାର ଗତି ନ ଜାଣଇ ॥ ୧୮୨
ଦେହାଭିମାନ ବୁଦ୍ଧିବଳେ । ସୁତ କଳତ୍ର ମୋହଜାଲେ ॥ ୧୮୩
ଦୁରନ୍ତ ଚିନ୍ତା ପଥେ ମଜ୍ଜେ । ତୋତେ ନ ଭଜି ଦେବରାଜେ ॥ ୧୮୪
ମୃତ୍ତିକାଘଟ ମଧ୍ୟେ ଥାଇ । ବୋଲଇ ନରଦେବ ମୁହିଁ ॥ ୧୮୫
ରଥ କୁଞ୍ଜର ଅଶ୍ୱଯୂଥେ । ପଦାତିବଳ ଅପ୍ରମିତେ ॥ ୧୮୬
ଖେଳଇ ଏ ମହୀମଣ୍ତଳେ । ତୋତେ ନ ଜାଣି ମତିଭୋଳେ ॥ ୧୮୭
ପଶୁଙ୍କ ପ୍ରାୟେ ଏ ସଂସାରେ । ପଶି ଗହନ ଚିନ୍ତାଘୋରେ ॥ ୧୮୮
ବିଷୟ ସୁଖ ଭୋଗେ ବଢି । ତୋ ପାଦପଦ୍ମ ଚିନ୍ତା ଛାଡ଼ି ॥ ୧୮୯
ପଡ଼ଇ ତୋର ମାୟାବଳେ । ତୁ ତାକୁ ନାଶୁ ଅବହେଳେ ॥ ୧୯୦
ଗ୍ରାସଇ ତୋର କାଳରୂପ । ଇନ୍ଦୁରେ ଯେହ୍ନେ କାଳସର୍ପ ॥ ୧୯୧
ପୂର୍ବେ ସୁବର୍ଣ୍ଣମୟ ରଥେ । କୁଞ୍ଜରକନ୍ଧେ ନାନାପଥେ ॥ ୧୯୨
ନରଦେବତା ନାମ ବହି । ଭ୍ରମଇଁ ମତ୍ତଭୋଳେ ମହୀ ॥ ୧୯୩
ସେ ଦେହ ତୋର ଅଂଶ କାଳ । କରଇ କୃମି ଭସ୍ମ ମଳ ॥ ୧୯୪
କେ ଅବା ନୃପ ଚୂଡ଼ାମଣି । ଅଶେଷ ଦିଗଭାଗ ଜିଣି ॥ ୧୯୫
ସଂଗ୍ରାମେ ଦଶଦିଗ ବାହି । ଅଭୂତ ବିଗ୍ରହ ବୋଲାଇ ॥ ୧୯୬
ଉତ୍ତମ ସିଂହାସନେ ପୂଜା । ପାଦେ ନମନ୍ତି ସର୍ବରାଜା ॥ ୧୯୭
ଏମନ୍ତ ପ୍ରାଣକୁ ଯେ ଧରି । ସ୍ତିରୀଏ କ୍ରୀଡ଼ାମୃଗ କରି ॥ ୧୯୮
ମୈଥୁନ ସୁଖ ଗୃହମଧ୍ୟେ । କରନ୍ତି ପରମଆନନ୍ଦେ ॥ ୧୯୯
ଯେ ପ୍ରାଣୀ ଦେବପୂଜା କରି । ବୋଲଇ ଭବୁ ଯିବି ତରି ॥ ୨୦୦
ନିବୃତ୍ତିମାର୍ଗେ ମହାଶ୍ରମେ । ତପ ଆରାଧି ନାନାକର୍ମେ ॥ ୨୦୧
ଦେବତା ବରଦାନ କାଳେ । ପୁଣ ମାଗଇ ସୁଖଭୋଳେ ॥ ୨୦୨
କରଇ ସ୍ୱର୍ଗଭୋଗ ବାଞ୍ଛା । ପରମସୁଖେ ନାହିଁ ଇଚ୍ଛା ॥ ୨୦୩
ଜନ୍ମମରଣ ବେନିପଥେ । ସେ ପ୍ରାଣୀ ଭ୍ରମୁଥାଇ ନିତ୍ୟେ ॥ ୨୦୪
ତାହାର ଯେବେ ଭାଗ୍ୟ ଥାଇ । ସୁସାଧୁ-ସଙ୍ଗତେ ମିଳଇ ॥ ୨୦୫
ସତ୍ସଙ୍ଗେ ହୋଇ ପାପ ନାଶ । ନିର୍ମଳ ପ୍ରକାଶଇ ଯଶ ॥ ୨୦୬
ସୁସାଧୁ-ଯୋଗୀଙ୍କର ପ୍ରାୟେ । ଶୁଦ୍ଧ ପ୍ରକାଶେ ତାର ଦେହେ ॥ ୨୦୭
ପରମବ୍ରହ୍ମ ତୋର ପାଦେ । ସେ ପ୍ରାଣୀ ଭଜଇ ଆନନ୍ଦେ ॥ ୨୦୮
ତୋହର ମାର୍ଗେ ହୋଇ ଗତି । ତୁଟଇ ଭଜବନ୍ଧ-ଭ୍ରାନ୍ତି ॥ ୨୦୯
ଭୋ ନାଥ ଜାଣିଲି ମୁଁ ଚିତ୍ତେ । ତୋହର ଅନୁଗ୍ରହ ମୋତେ ॥ ୨୧୦
ରାଜ୍ୟ-ସମ୍ପଦ-ବନ୍ଧ-ପାଶ । ଏବେ ହୋଇଲା ମୋର ନାଶ ॥ ୨୧୧
ଅଖଣ୍ତ-ଅବନୀ-ମଣ୍ତଳେ । ଅଶେଷ ଭୋଗ ମହୀତଳେ ॥ ୨୧୨
ଯେ ଛାଡ଼ି ଭଜେ ତୋ ଚରଣ । ଏକା ବୁଲଇ ବନେବନ ॥ ୨୧୩
ଅଶେଷ ଘୋରାତପ କରି । ଯାହା ଚିନ୍ତନ୍ତି ବ୍ରହ୍ମଚାରୀ ॥ ୨୧୪
ଭୋ ନାଥ ପରମ ମଙ୍ଗଳ । ଅନାଦିଧର୍ମ ଆଦିମୂଳ ॥ ୨୧୫
ତୋହର ଅଭୟଚରଣ । ନିତ୍ୟେ ସେବିବି ନାରାୟଣ ॥ ୨୧୬
ଆନ ସମ୍ପଦେ କାର୍ଯ୍ୟ ନାହିଁ । ଏ ବର ଦିଅ ମୋତେ ତୁହି ॥ ୨୧୭
ତୁ ନାଥ କଇବଲ୍ୟଦାତା । ଦୁଃଖୀଜନଙ୍କ ପିତାମାତା ॥ ୨୧୮
ତୋହର ଦରଶନ ପାଇ । ଆତ୍ମାର ବନ୍ଧ ଯେ ମାଗଇ ॥ ୨୧୯
ତାହାକୁ ବୋଲି ଅପଣ୍ତିତ । ତୋର ମାୟାରେ ଜ୍ଞାନହତ ॥ ୨୨୦
ଭୋ ନାଥ ପରମଈଶ୍ୱର । ତୁ ଯେ ଯାଚିଲୁ ମୋତେ ବର ॥ ୨୨୧
ତ୍ରିଗୁଣେ ବନ୍ଧ ମୋହପାଶ । ସେ ବରେ ନାହିଁ ମୋର ଆଶ ॥ ୨୨୨
ନିର୍ଗୁଣ-ନିରଞ୍ଜନ-ପର । କେବଳ ଆତ୍ମଜ୍ଞାନ ସାର ॥ ୨୨୩
ଏମନ୍ତ ପୁରୁଷର ପାଦେ । ଶରଣ ଯିବି ଅପ୍ରମାଦେ ॥ ୨୨୪
ଏ ଭବସିନ୍ଧୁ ମଧ୍ୟେ ମୁହିଁ । ଅଶେଷ ଜନ୍ମ ଦୁଃଖ ପାଇ ॥ ୨୨୫
ବାସନାବଳେ କରି ପାପ । ସୁମରି ପଛେ ଅନୁତାପ ॥ ୨୨୬
ସେ ତାପେ ପୀଡ଼ିତ ଜୀବନେ । ଭ୍ରମଇଁ ଦୁଃଖେ ପଥଶ୍ରମେ ॥ ୨୨୭
ଷଡ଼ଅଇରି ସଙ୍ଗେ ଭ୍ରମି । ନିଗମପଥେ ମହାଶ୍ରମୀ ॥ ୨୨୮
ତୃଷିତେ ଜଳପାନ ଚିନ୍ତି । କେବେ ନୁହଇ ତୃଷା ଶାନ୍ତି ॥ ୨୨୯
ସେ ଜଳ ତୋର ପାଦେ ଥୋଇ । ସଂସାର ତାପ ନିବାରଇ ॥ ୨୩୦
ନିର୍ଭୟ-ସତ୍ୟ-ଶୋକହର । ଭୋନାଥ ଶରଣ ତୋହର ॥ ୨୩୧
ଆପଦକଳେ ସୁଖ ଦେଇ । ତୋ ପାଦେ ରଖ ଭାବଗ୍ରାହୀ ॥ ୨୩୨
ଏମନ୍ତ ରାଜାବାକ୍ୟ ଶୁଣି । କୃଷ୍ଣ କହନ୍ତି ମୃଦୁବାଣୀ ॥ ୨୩୩
ଭଗବାନ ଉବାଚ
ତୁ ମହାଭାଗ ଚକ୍ରବର୍ତ୍ତୀ । ନିର୍ମଳ-ନିଷ୍କାମ ତୋ ମତି ॥ ୨୩୪
ବରେ ମୋହିଲି ତୋର ଚିତ୍ତ । ଲୋଭେ ନୋହିଲୁ ଅଭିଭୂତ ॥ ୨୩୫
ଏମନ୍ତ ବୁଦ୍ଧି ଯେବେ ତୋର । ନିଶ୍ଚେ ତରିବୁ ଭବଘୋର ॥ ୨୩୬
ଭକତଜନଙ୍କର ଚିତ୍ତ । ସମ୍ପଦେ ନୋହେ ମୋହଗ୍ରସ୍ତ ॥ ୨୩୭
ଅଷ୍ଟାଙ୍ଗଯୋଗ ଲୟ କରି । ମୋତେ ଚିନ୍ତନ୍ତି ବ୍ରହ୍ମଚାରୀ ॥ ୨୩୮
ମୋର ଭକତି ନ ଜାଣନ୍ତି । ତାହାଙ୍କ ଚିତ୍ତେ ନାହିଁ ଶାନ୍ତି ॥ ୨୩୯
କର୍ମ-ବାସନା ରଜ୍ଜୁ-ବନ୍ଧୁ । ଭାବେ ଭ୍ରମଇ ଯେହ୍ନେ ଅନ୍ଧ ॥ ୨୪୦
ମୋହର ପାଦେ ଚିତ୍ତ ଦେଇ । ଏବେ ତୁ ସୁଖେ ଭ୍ରମ ମହୀ ॥ ୨୪୧
ନିଶ୍ଚଳ ହୋଇ ମୋର ପାଦେ । ତୋର ଭକତି ଅପ୍ରମାଦେ ॥ ୨୪୨
ହେଉ ବୋଇଲେ ଚକ୍ରପାଣି । ଏବେ ହୋ ଶୁଣ ନୃପମଣି ॥ ୨୪୩
କ୍ଷତ୍ରିୟକୁଳେ ହୋଇ ଜାତ । ଜୀବ ମାଇଲୁ ଅପ୍ରମିତ ॥ ୨୪୪
ମୃଗୟା କରି ମାଂସ ଖାଇ । ଏ ଜନ୍ମେ ତୋର ଗତି ନାହିଁ ॥ ୨୪୫
ମୋହର ପାଦେ ଆଶ୍ରେ କର । ସାଧିବୁ ତପ ମହାଘୋର ॥ ୨୪୬
ତେବେ ହୋଇବ ପାପକ୍ଷୟେ । ଭେଦିବୁ ବ୍ରହ୍ମଲୋକ ଯାଏ ॥ ୨୪୭
ପାପ-ଅନ୍ତରେ ଏ ସଂସାରେ । ଜନ୍ମିବୁ ବ୍ରାହ୍ମଣୀ ଉଦରେ ॥ ୨୪୮
ସୁହୃଦ ହୋଇ ସର୍ବଭୂତେ । ତୁ ମୋତେ ଚିହ୍ନିବୁ ଯୁକତେ ॥ ୨୪୯
ବ୍ରାହ୍ମଣକର୍ମ ସଦ୍ଭାବେ । କରିବୁ ଯଥାବିଧି ଲାଭେ ॥ ୨୫୦
ଷଡ଼କରମେ ଯୁତ ହୋଇ । ମୋ ପାଦେ ସମର୍ପିବୁ ତୁହି ॥ ୨୫୧
ତେବେ ପାଇବୁ ମୋ ଚରଣ । ହସି ବୋଲନ୍ତି ନାରାୟଣ ॥ ୨୫୨
ସେ ନାରାୟଣ ପାଦଗତ । ନମଇଁ ଦାସ ଜଗନ୍ନାଥ ॥ ୨୫୩
ଇତି ଶ୍ରୀମଦ୍ଭାଗବତ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ମୁଚୁକୁନ୍ଦସ୍ତୁତି ନାମ
ପଞ୍ଚପଞ୍ଚାଶତ୍ ଅଧ୍ୟାୟଃ ॥
* * *