ଦଶମ ସ୍କନ୍ଧ
ଚତୁଃପଞ୍ଚାଶତ୍ ଅଧ୍ୟାୟ
ଶୁକ ଉବାଚ
ଏବେ ହୋ ଶୁଣ ନରନାଥ । ରାମ ଗୋବିନ୍ଦଙ୍କ ଚରିତ ॥ ୧
କୃଷ୍ଣ ଯେ କଂସକୁ ମାଇଲେ । ତାହାର ବେନି ନାରୀ ଥିଲେ ॥ ୨
ଅସ୍ତି ପ୍ରାପତି ନାମେ ଦୁଇ । ସ୍ୱାମୀ ମରଣେ ଦୁଃଖ ପାଇ ॥ ୩
ବିଧବା କଷ୍ଟେ ଗରୁଚିନ୍ତା । ଜରାସନ୍ଧର ସେ ଦୁହିତା ॥ ୪
ବିଚାର କରି ମନେ ଗୁଣି । ସ୍ୱାମୀ ମରଣେ ସେ ତରୁଣୀ ॥ ୫
ମନେ ଅନେକ ଦୁଃଖ କରି । ଯାଇ ମିଳିଲେ ଜରାପୁରୀ ॥ ୬
ମାତାର ପାଦତଳେ ପଡ଼ି । ଉଠିଲେ ଶିରେ କରଯୋଡି ॥ ୭
ସ୍ୱାମୀ ମରଣେ ଯେତେ ଦୁଃଖ । ଭୋ ମାତ ଚାହାଁ ଆମ୍ଭ ମୁଖ ॥ ୮
କାନ୍ଦି କହିଲେ ପିତା ଆଗେ । ନିଜ ଜନନୀ ଘେନି ସଙ୍ଗେ ॥ ୯
ଭୋ ତାତ ବସୁଦେବ ପୋଏ । ଆମ୍ଭର ସ୍ୱାମୀ କଲେ କ୍ଷୟେ ॥ ୧୦
କେମନ୍ତେ ବଞ୍ଚିବୁଟି ଦିନ । ଆମ୍ଭର କର୍ମ ବଡ଼ ହୀନ ॥ ୧୧
ବେନୁଦୁହିତା ବାକ୍ୟ ଶୁଣି । କୋପେ ବୋଲଇ ନୃପମଣି ॥ ୧୨
ଯାଦବବଂଶେ କୃଷ୍ଣରାମ । ଈଷିତେ କଲେ ଏଡେ଼ କର୍ମ ॥ ୧୩
ଭୂମିରେ ଯଦୁବଂଶ ଥିଲେ । ଆମ୍ଭ କୁଶଳ ନାହିଁ ଭଲେ ॥ ୧୪
ରାମ ଗୋବିନ୍ଦ ବେଗେ ମାରି । ଏ ଭୂମି ଅଯାଦବ କରି ॥ ୧୫
ତେବେ ଜୀବନ ମୋର ସ୍ଥିର । କୋପେ ବୋଲଇ ନୃପବର ॥ ୧୬
ତେଇଶ ଅକ୍ଷୌହିଣୀ ସଙ୍ଗେ । ବଳ ସାଜିଲା ଚତୁରଙ୍ଗେ ॥ ୧୭
ପାହି ପାଇକ ନୃପଗଣ । ସାଜିଲା ମଗଧରାଜନ ॥ ୧୮
ଶବଦେ କମ୍ପେ ମହୀସ୍ଥଳୀ । ବାହାର ହେଲେ ମହାବଳୀ ॥ ୧୯
ରଜନୀ ଅଛି ବେନିଘଡି । ମଥୁରାପୁର ଯାଇ ବେଢ଼ି ॥ ୨୦
ରୁନ୍ଧିଲେ ଅଷ୍ଟଦିଗେ ପଥ । ଗହଳେ ନ ବହେ ମରୁତ ॥ ୨୧
କୃଷ୍ଣ ଦେଖିଲେ ତାର ବଳ । ଯେସନେ ସମୁଦ୍ର ଉଲ୍ଲୋଳ ॥ ୨୨
ପ୍ରଳୟକାଳେ ଜଳରାଶି । ଭୂମି ଗଗନ ଯେହ୍ନେ ଗ୍ରାସି ॥ ୨୩
ଦେଖି ମଥୁରାପୁରଜନ । ଡାକନ୍ତି ରଖ ଭଗବାନ ॥ ୨୪
ନିଶ୍ଚୟ ଆଜ ଗଲୁ ନାଶ । ଛାଡ଼ିଲୁ ଜୀବନର ଆଶ ॥ ୨୫
କାନ୍ଦନ୍ତି ଦଇବ ସୁମରି । ମଥୁରାପୁର ନରନାରୀ ॥ ୨୬
ଏମନ୍ତେ ମଥୁରାର ପ୍ରାଣୀ । ଦେଖି ଭାଳନ୍ତି ଚକ୍ରପାଣି ॥ ୨୭
ଭୂମିର ଭାରା ଖଣ୍ତିବାରେ । ମୋ ଜନ୍ମ ମନୁଷ୍ୟ ଶରୀରେ ॥ ୨୮
ବ୍ରହ୍ମା ଶଙ୍କର ବୋଲେ ମୁହିଁ । ଯାଦବ ବଂଶେ ଦେହ ବହି ॥ ୨୯
ନାଶିବି ଅବନୀର ଭାର । ଏଣେ ସେ ପ୍ରୟୋଜନ ମୋର ॥ ୩୦
ଏ ବଳ ଆଜ ମୁଁ ସହାରି । କିଞ୍ଚିତେ ଭୂମିବାରା ହରି ॥ ୩୧
ଜରାସନ୍ଧର ତୁଲେ ରଣ । ଦେଖି ଗଗନେ ସୁରଗଣ ॥ ୩୨
ଆନନ୍ଦେ ହୋଇବେ ହରଷ । ସଂସାରେ ଥିବ ମୋର ଯଶ ॥ ୩୩
ଭୂମିରେ ଯେତେ ନରପତି । ଶୁଣି ପାଇବେ ମନେ ଭୀତି ॥ ୩୪
ତେଇଶ ଅକ୍ଷୌହିଣୀ ବଳ । ଭାରେ ଧରଣୀ ଟଳମଳ ॥ ୩୫
ଜରା ଜୀବନ ମାତ୍ର ଥୋଇ । ଏ ବଳ ସଂହାରିବି ମୁହିଁ ॥ ୩୬
ମୁଣ୍ତ ମୁଣ୍ତାଇ ଅବହେଳେ । ଗଳାଇ ଦେବି ଜାନୁତଳେ ॥ ୩୭
ଏ ଅପମାନ ମନେ ଘେନି । ପୁଣି ଆସିବ ବଳ ଘେନି ॥ ୩୮
ଏମନ୍ତେ ଅଷ୍ଟାଦଶ ବାର । ଏହାର ତୁଲେ ରଣ ମୋର ॥ ୩୯
ଏମନ୍ତେ ଅବନୀର ଭାର । ଥୋକାଏ ହୋଇବ ସଂହାର ॥ ୪୦
ଦୁଷ୍ଟଦାନବ ବଳ ନାଶି । ସାଧୁଜନଙ୍କୁ ମୁଁ ଆଶ୍ୱାସି ॥ ୪୧
ଅଧର୍ମ ନାଶି ଧର୍ମ ଥୋଇ । ଏଥିନିମନ୍ତେ ମୋର ଦେହୀ ॥ ୪୨
ଏମନ୍ତ ଚିତ୍ତେ ପରିମାଣି । ଚାହିଁଲେ ପ୍ରଭୁ ଚକ୍ରପାଣି ॥ ୪୩
ଗଗନମାର୍ଗେ ବେନିରଥ । କୃଷ୍ଣ ସମୀପେ ଉପଗତ ॥ ୪୪
ଆଦିତ୍ୟପ୍ରାୟ ତେଜରାଶି । ବେନି ସାରଥି ଛନ୍ତି ବସି ॥ ୪୫
ଦେବ-ଆୟୁଧ ବାଣ ଦୀକ୍ଷା । ଶର କୋଦଣ୍ତ ଦେହ ରକ୍ଷା ॥ ୪୬
ବିଷ୍ଣୁର ନିଜ ଶସ୍ତ୍ରମାନ । ଦେଖି ସାନନ୍ଦ କୃଷ୍ଣମନ ॥ ୪୭
ରାମର ବଦନ ଅନାଇ । ବୋଲନ୍ତି ପ୍ରଭୁ ଭାବଗ୍ରାହୀ ॥ ୪୮
ଭୋ ରାମ ଦେଖ ଜରାସନ୍ଧ । ସ୍ୱଭାବେ ଦୁଷ୍ଟ ବଡ଼ ମନ୍ଦ ॥ ୪୯
ଏହାର ବଳ ନାଶକରି । ମଥୁରାଜନଙ୍କୁ ଉଦ୍ଧରି ॥ ୫୦
କେବଳ ଜରାସନ୍ଧ ଥିବ । ଅନେକ ସୈନ୍ୟ ସେ ଆଣିବ ॥ ୫୧
ଏଠାରେ କରିବା ସଂହାର । ଯୁଝିବା ଅଷ୍ଟାଦଶ ବାର ॥ ୫୨
ଏବେ ଏ ରଥେ ବିଜେ କର । ତେଇଶି ଅକ୍ଷୌହିଣୀ ମାର ॥ ୫୩
ଏ ଯେ ତୁମ୍ଭର ନିଜ ରଥ । ହଳ ମୁଷଳ ଅଛି ଏଥ ॥ ୫୪
ଜରାସନ୍ଧର ବଳ ଦେଖ । ଯାଦବେ ହୋଇବେ ନିରେଖ ॥ ୫୫
ମେଦିନୀ ଭାରା ନାଶିବାରେ । ଆମ୍ଭ ଜନମ ମର୍ତ୍ତ୍ୟପୁରେ ॥ ୫୬
ଏତେ ବିଚାରି ବେନିଭାଇ । ରଥେ ବସିଲେ ବେଗେ ଯାଇ ॥ ୫୭
ସମରେ ସଜ ବୀରମତେ । ବିବିଧ ଶସ୍ତ୍ର ଘେନି ହସ୍ତେ ॥ ୫୮
ମଥୁରାପୁର ନରନାରୀ । ଦେଖିଣ ଆଶ୍ଚର୍ଯ୍ୟେ ବିଚାରି ॥ ୫୯
ରାମଗୋବିନ୍ଦ ସଙ୍ଗେ ରଥ । କାହୁଁ ଆଣିଲେ ଯଦୁନାଥ ॥ ୬୦
ଦେବଦାନବେ ଅଗୋଚର । ବେନି ବିମାନ କାମଚର ॥ ୬୧
ଦେଖି ଆନନ୍ଦ ସର୍ବଜନ । ସୈନ୍ୟ ସହିତେ ଭଗ୍ରସେନ ॥ ୬୨
ଉଗ୍ରସେନର ବଳ ଘେନି । ଯୁଦ୍ଧକୁ ସଜ ଭାଇବେନି ॥ ୬୩
ଶଙ୍ଖ ଶବଦ କଲେ ହରି । ଶୁଭିଲା ଦଶଦିଗ ପୂରି ॥ ୬୪
ଦାରୁକ ନନ୍ଦିଘୋଷ ରଥେ । ଅଶ୍ୱଦଉଡ଼ି ଘେନି ହସ୍ତେ ॥ ୬୫
ଶୁଣି ଗୋବିନ୍ଦ ଶଙ୍ଖଧ୍ୱନି । ଜୟ ଶବଦେ ସୁରମୁନି ॥ ୬୬
ପୁଷ୍ପ ବରଷି ସ୍ତୁତି କରି । ରଥେ ଦେଖିଲେ ରାମହରି ॥ ୬୭
ଶଙ୍ଖଶବଦ କର୍ଣ୍ଣେ ଶୁଣି । ବଳ ତେଇଶ ଅକ୍ଷୌହିଣୀ ॥ ୬୮
ହୃଦୟ କମ୍ପିଲା ବିକଳେ । ଶସ୍ତ୍ର ପଡ଼ିଲା ହସ୍ତୁ ତଳେ ॥ ୬୯
ଜରା ଧାଇଁଲା ଏକରଥେ । ଆବୋରି ଗୋବିନ୍ଦର ପଥେ ॥ ୭୦
କୃଷ୍ଣଙ୍କୁ ଚାହିଁ ମହାବଳୀ । ବୋଲଇ ବାମଭୁଜ ତୋଳି ॥ ୭୧
ତୁ କୃଷ୍ଣ ପୁରୁଷ ଅଧମ । ତୁ କାହିଁ ଜାଣିବୁ ସଂଗ୍ରାମ ॥ ୭୨
ବାଳକ ହୋଇ ଗଣେ ସଜ । ମୁଖେ ନ ପାର କିମ୍ପା ଲାଜ ॥ ୭୩
ତୋହର ତୁଲେ ଯୁଦ୍ଧ କଲେ । ଲୋକେ ହସିବେ ମୋତେ ଭଲେ ॥ ୭୪
ଗୁପତେ ବନ୍ଧୁ କଲୁ ନାଶ । ତୋର ମଉଳା ବୀର କଂଶ ॥ ୭୫
ତୋହର ବଦନ ନ ଦେଖି । ପଳା ତୁ ସମର ଉପେକ୍ଷି ॥ ୭୬
ହେ ରାମ ତୁ ଯେ ବଳୀୟାର । ସଂଗ୍ରାମେ ଇଚ୍ଛା ଯେବେ ତୋର ॥ ୭୭
ହୃଦୟ ସ୍ଥିର କରି ଭଲେ । ସଂଗ୍ରାମ କର ମୋର ତୁଲେ ॥ ୭୮
ମୋହର ବାଣେ ପ୍ରାଣ ଦେଇ । ଯମର ପୁରେ ଯାଅ ତୁହି ॥ ୭୯
କି ଅବା କର ମୋତେ ନାଶ । ସଂସାରେ ଥିବ ତୋର ଯଶ ॥ ୮୦
ଜରାସନ୍ଧର ବୋଲ ଶୁଣି । ଆଗ ହୋଇଲେ ଚକ୍ରପାଣି ॥ ୮୧
କୋମଳ ଗଭୀର ବଚନ । କହିଲେ ଶ୍ରୀମଧୁସୂଦନ ॥ ୮୨
ଶୁଣ ମଗଧ ମହୀପତି । କହଇ ଏଥିର ଯୁକତି ॥ ୮୩
ଶଉର୍ଯ୍ୟବଳ ଯାର ଥାଇ । ସଂଗ୍ରାମ ମଧ୍ୟେ ସେ ଦେଖାଇ ॥ ୮୪
ଆତ୍ମପ୍ରଶଂସା ଆତ୍ମ ମୁଖେ । ଯେ ପ୍ରାଣୀ କହୁଥାନ୍ତି ସୁଖେ ॥ ୮୫
ଯଶ ନ ରହେ ବେନିଲୋକେ । ମରଣେ ପଡ଼ନ୍ତି ନରକେ ॥ ୮୬
ଆପଣା ମରଣ ନ ଜାଣୁ । ମୁଖେ ଅଶୁଭ କିମ୍ବା ଭଣୁ ॥ ୮୭
ମରଣ କାଳେ ତୋର ବାଣି । ଆମ୍ଭର କର୍ଣ୍ଣେ ତା ନ ଶୁଣି ॥ ୮୮
ଆଜ ଜାଣିବା ତୋର ରଣ । ଅବଶ୍ୟ ଘେନି ତୋ ପରାଣ ॥ ୮୯
ଦାତାପଣକୁ ତୁ ଯେ ଟାଣ । ଦାନ ତୁ ଦେବୁ ସୈନ୍ୟଗଣ ॥ ୯୦
ଆପଣେ ଯିବୁ ପ୍ରାଣ ଘେନି । ଦକ୍ଷିଣା ଦେବୁ ପୁଣ ଆଣି ॥ ୯୧
ଏମନ୍ତେ ଅଷ୍ଟାଦଶ ବେଳ । ଶୁଣ ତୁ ଜରା ମହୀପାଳ ॥ ୯୨
ଶୁକ ବୋଲନ୍ତି ଶୁଣ ରାୟେ । କୋପ ବସିଲା ଜରାଦେହେ ॥ ୯୩
କୃଷ୍ଣର କଟୁବାକ୍ୟ ଶୁଣି । ହୃଦେ ଚିନ୍ତିଲା ନୃପମଣି ॥ ୯୪
ଦନ୍ତେ ଅଧର କାମୁଡିଲା । କୃଷ୍ଣକୁ ମାରରେ ବୋଇଲା ॥ ୯୫
ତକ୍ଷଣେ ରଥ-ଗଜ ଯୂଥ । ରୁନ୍ଧିଲେ ରାମକୃଷ୍ଣ ପଥ ॥ ୯୬
ପବନ ରେଣୁ ଘେନି ଯେହ୍ନେ । ଆଦିତ୍ୟ ଆଚ୍ଛାଦେ ଗଗନେ ॥ ୯୭
ମଥୁରାପୁର ନରନାରୀ । ଆରୋହୀ ଜଗତି ଅଟ୍ଟାଳି ॥ ୯୮
କେ ବୃକ୍ଷେ ଉଠି ଦୃଷ୍ଟି ଦେଇ । ରାମ ଗୋବିନ୍ଦ ରଥେ ଚାହିଁ ॥ ୯୯
ସଂଗ୍ରାମେ ନ ଦିଶିଲା ରଥ । ପଡ଼ି ହୋଇଲେ ମୋହଗତ ॥ ୧୦୦
କାନ୍ଦନ୍ତି କୃଷ୍ଣ ନାମ ଧରି । ତାହା ଜାଣିଲେ ନରହରି ॥ ୧୦୧
ଜରା ସଇନି ମେଘପ୍ରାୟେ । ବାଣ ବିନ୍ଧିଲେ ଅପ୍ରମୟେ ॥ ୧୦୨
ଅସୁର ବାଣେ ଚାରିପଥେ । ଆପଣା ନିଜ ବଳ ଯେତେ ॥ ୧୦୩
ମୂର୍ଚ୍ଛିତ ଦେଖି ନରହରି । ସାରଙ୍ଗଧନୁ କରେ ଧରି ॥ ୧୦୪
ଗୋବିନ୍ଦ କଲେ ଗୁଣ ଘୋଷ । ଶବଦ ପୂରେ ଦଶଦିଶ ॥ ୧୦୫
କନ୍ଧେ ଯେ ଥିଲା ବେନି ତୂଣ । ତହୁଁ ଘେନିଲେ ତୀକ୍ଷ୍ଣ ବାଣ ॥ ୧୦୬
ଗୁଣେ ବସାଇ ଦେବରାୟେ । ଧନୁ ଟାଣିଲେ କର୍ଣ୍ଣଯାଏଁ ॥ ୧୦୭
ମନ୍ତ୍ର ସୁମରି କୋଟି କୋଟି । ଗୋବିନ୍ଦ କଲେ ଶରବୃଷ୍ଟି ॥ ୧୦୮
ରଥ କୁଞ୍ଜର ବାଜି ନର । ବାଣେ ଛେଦିଲେ ଚକ୍ରଧର ॥ ୧୦୯
ଅନଳଗତି ପ୍ରାୟ ବାଣ । କୃଷ୍ଣ ବିନ୍ଧିଲେ ପୁଣ ପୁଣ ॥ ୧୧୦
କୃଷ୍ଣର ବାଣ ନିରନ୍ତରେ । ପଡ଼ିଲା ଗଜ-ବାଜି ଶିରେ ॥ ୧୧୧
ରଥୀ ପଦାତି ଶିର ଛିଡି । ପଡ଼ିଲେ ରଣଭୂମି ମାଡ଼ି ॥ ୧୧୨
ଧ୍ୱଜ ସାରଥି ତୁଲେ ରଥ । ରଣେ ପଡ଼ଲେ ୟୁଥ ୟୁଥ ॥ ୧୧୩
ପଦାତି ରଣେ ଛନ୍ତି ପଡ଼ି । ଭୁଜ-ଚରଣକନ୍ଧ ଛିଡି ॥ ୧୧୪
ଆନନ୍ଦେ ଶୁକମୁନି କହେ । ଶୁଣ ପରୀକ୍ଷ କୁରୁରାୟେ ॥ ୧୧୫
ନର କୁଞ୍ଜର ଶିର ଛିଡ଼ି । ରୁଧିରନଦୀ ବେଗେ ବଢ଼ି ॥ ୧୧୬
ଶତେ ସହସ୍ର ଧାରା ପୂରି । ବିଷମ ତରଙ୍ଗ ଲହରୀ ॥ ୧୧୭
ଗଭୀର ଘୋରନାଦ ପୁଣ । ରାଜନ ସାବଧାନେ ଶୁଣ ॥ ୧୧୮
ଭୁଜେ ଭାସନ୍ତି ସର୍ପପ୍ରାୟେ । ଶିର ଦିଶନ୍ତି କୂର୍ମମୟେ ॥ ୧୧୯
ଗହଳେ ହସ୍ତୀଦେହ ଭାସି । ନଦୀର କୁବ ପ୍ରାୟେ ଦିଶି ॥ ୧୨୦
କୁମ୍ଭୀର ପ୍ରାୟ କୋଟି କୋଟି । ତୁରଙ୍ଗ ଦେହେ ଯାଏ ଘୋଟି ॥ ୧୨୧
ମୀନଙ୍କ ପ୍ରାୟ କର ଉର । ବାଳ ଭାସଇ ଯେହ୍ନେ ଦଳ ॥ ୧୨୨
ତରଙ୍ଗ ପ୍ରାୟ ଧନୁର୍ଗୁଣ । ଆୟୁଦ୍ଧ ଯେହ୍ନେ ବୃକ୍ଷ ତୃଣ ॥ ୧୨୩
ଖଡ଼ଗ ଚର୍ମ ଉର୍ମିପାଳ । ଘୋର ଗଭୀର ଅନ୍ତରାଳ ॥ ୧୨୪
ମଣିଏ ଭେକ ପ୍ରାୟ ଦିଶି । ରୁଧିର ସଙ୍ଗେ ଯାନ୍ତି ଭାସି ॥ ୧୨୫
ବାଲୁକା ପ୍ରାୟ କ୍ଷୁଦ୍ର ମଣି । ଶୁଣ ରାଜନ ଯୁଦ୍ଧ ବାଣୀ ॥ ୧୨୬
ମଡ଼ାଏ ଯାନ୍ତି କୋଟି କୋଟି । ଲହରୀ ଯେହ୍ନେ ରହେ ଫୁଟି ॥ ୧୨୭
ରୁଧିର ଜଳେ ନଦୀଗଣେ । ବହିଲେ ଗୋବିନ୍ଦମାରଣେ ॥ ୧୨୮
ଦେଖି ହସନ୍ତି ଦେବତାଏ । ସ୍ୱର୍ଗେ ଶୁଭିଲା ଜୟେ ଜୟେ ॥ ୧୨୯
ମୂଷଳ ଘାତେ ହଳଧର । ଅନେକ ରଥ କଲେ ଚୂର ॥ ୧୩୦
ସେ ଉଗ୍ରସେନ ନୃପବର । ସଂଗ୍ରାମ କଲେକ ଅପାର ॥ ୧୩୧
ଯାଦବ ସଙ୍ଗେ ମହାବୀର । ସଂଗ୍ରାମ କଲେ ଅତି ଘୋର ॥ ୧୩୨
ସମସ୍ତେ ହୋଇଣ ହରଷ । ଜରା ସଇନି କଲେ ନାଶା ॥ ୧୩୩
ଦେଖି ଅସୁରବଳ ରାୟେ । ଘୋର ପ୍ରଳୟ ସିନ୍ଧୁ ପ୍ରାୟେ ॥ ୧୩୪
କାହାର ବଳ ତାହା ସାଧି । ଦୁର୍ଗମ ଦୁସ୍ତର ଜଳଧି ॥ ୧୩୫
ବସୁଦେବର ବେନି ପୋଏ । କିଞ୍ଚିତ ମାତ୍ରେ କଲେ କ୍ଷୟେ ॥ ୧୩୬
ଜଗତେ ଶୂରବୀରପଣ । ଈଷିତେ ଶତ୍ରୁ ସଂହାରଣ ॥ ୧୩୭
ଏ ତିନିଭୁବନ କାରଣ । ମାୟାମନୁଷ୍ୟ ନାରାୟଣ ॥ ୧୩୮
ଲୀଳା ମାତ୍ରକେ ନରହରି । ଅନନ୍ତ ନାନା ରୂପ ଧରି ॥ ୧୩୯
ସେ ମାୟାଧର ଯେତେ କୃତ୍ୟ । ମନୁଷ୍ୟ ଲୋକେ ବିପରୀତ ॥ ୧୪୦
ଏମନ୍ତେ ରିପୁ କଲେ ନାଶ । ରହିଲା ଜରାସନ୍ଧ ଶେଷ ॥ ୧୪୧
ଯେଣେ ଚାହଁଇ ନୃପମଣି । ଦେଖେ ରୁଧିର ତରଙ୍ଗିଣୀ ॥ ୧୪୨
ରକତ ସିନ୍ଧୁ ଦଶଦିଶେ । ଦେଖଇ କେହି ନାହିଁ ପାଶେ ॥ ୧୪୩
ରାମ ଗୋବିନ୍ଦ ବେନିରଥେ । ସାରଙ୍ଗଧନୁ-ଜଳହସ୍ତେ ॥ ୧୪୪
ଯେସନେ ନଟବର ଦୁଇ । ସଂଗ୍ରାମ ମଧ୍ୟେ ଛନ୍ତି ରହି ॥ ୧୪୫
ଦୁର୍ଜୟ ବଳ କରି ନାଶ । ରଙ୍ଗ ଅଧରେ ମନ୍ଦହାସ ॥ ୧୪୬
ସିଂହକୁ ସିଂହ ଯେହ୍ନେ ମାଡ଼ି । ଜରା ଛାଡ଼ିଲା ଘୋର ରଡ଼ି ॥ ୧୪୭
ସଂଗ୍ରାମ ମଧ୍ୟେ କରି ଗତି । ଯେସନେ ଯୂଥଭ୍ରଷ୍ଟ ହସ୍ତୀ ॥ ୧୪୮
ଦେଖି ଧାଇଁଲେ ହଳଧର । ମୁଷଳେ ରଥ କଲେ ଚୂର ॥ ୧୪୯
କେଶ ଧଇଲେ ବାମହସ୍ତେ । କୋପେ ଚାପିଲେ ଭୂମିଗତେ ॥ ୧୫୦
ସିଂହ ଯେସନେ ହସ୍ତୀ ପାଡ଼ି । ରାମ ଛାଡ଼ିଲେ ଘୋର ରଡ଼ି ॥ ୧୫୧
ଦେଖି ତାହାର କର୍ମଫଳ । ହେଳେ ହସିଲେ କୃଷ୍ଣ ବଳ ॥ ୧୫୨
ନର-ବରୁଣ ପାଶ ଆଣି । ବନ୍ଧନ କଲେ ହଳପାଣି ॥ ୧୫୩
ଦେଖି ଧାଇଁଲେ ଦେବହରି । ତାର ବନ୍ଧନ ବେଗେ ଫେଡ଼ି ॥ ୧୫୪
ବୋଲନ୍ତି ଶୁଣି ଦେବରାଜ । ଏହାରେ ଅଛି ବଡ଼ କାର୍ଯ୍ୟ ॥ ୧୫୫
ଏମନ୍ତ କହି ସୁଖଭୋଳେ । ଗଳାଇ ଦେଲେ ଜାନୁତଳେ ॥ ୧୫୬
ଜୀବନ ଘେନି ପଳାଇଲା । ଡ଼ରେ ଅନେକ ଦୂର ଗଲା ॥ ୧୫୭
ସ୍ୱଭାବେ ବୀର ମଧ୍ୟେ ଶ୍ରେଷ୍ଠ । କର୍ମେ ପାଇଲା ବଡ଼ କଷ୍ଟ ॥ ୧୫୮
ପଥେ ବସିଲା ଲଜ୍ଜା ପାଇ । ଭାଳଇ ଚଉଦିଗ ଚାହିଁ ॥ ୧୫୯
ଏ ଭୂମି ଭୋଗ ତପଫଳେ । ଭୁଞ୍ଜଇ ବେନି ଭୁଜବଳେ ॥ ୧୬୦
ମୁଁ ଏବେ ଘୋରତପ କରି । ପୂଜିବି ଶଙ୍କରଗଉରୀ ॥ ୧୬୧
ଈଶ୍ୱର ତହୁଁ ବର ପାଇ । ଯଦୁଙ୍କୁ ସଂହାରିବି ମୁହିଁ ॥ ୧୬୨
ରାମ ଗୋବିନ୍ଦ ମୋ ବଇରୀ । ନିଶ୍ଚେ ମାରିବି ତପକରି ॥ ୧୬୩
ଏମନ୍ତ ବିଚାରଇ ମନେ । ଲାଜ ନ ପାଇବି ଯେସନେ ॥ ୧୬୪
ବୋଇଲା ଏତ ମହାପାପ । ନିରସ୍ତ୍ର କଲେ ଶିଶୁଗୋପ ॥ ୧୬୫
ମରଣୁଁ ବଳିଲା ଏ ଲାଜ । କିସ ବୋଲିବେ ସର୍ବରାଜ ॥ ୧୬୬
ଏମନ୍ତ ଭାଳି ମନେ ମନ । ଜରା ହୋଇଲା ଛନଛନ ॥ ୧୬୭
ସୈନ୍ୟ ମୋ ହୋଇଲେ ନିଧନ । କିସ ବୋଲିବେ ସର୍ବଜନ ॥ ୧୬୮
ପାତ୍ର-ମନ୍ତ୍ରୀଏ ଦାରାସୁତ । କି ବୋଲି କହିବି ତାହାନ୍ତ ॥ ୧୬୯
କାହାର ଚାହିଁବଇଁ ମୁଖ । ଦଇବ ଦେଲା ବଡ଼ ଦୁଃଖ ॥ ୧୭୦
ଏମନ୍ତ ବିଚାରନ୍ତେ ମନେ । ଆସି ମିଳିଲେ ବନ୍ଧୁଜନେ ॥ ୧୭୧
ବୋଲନ୍ତି ରାଜାମୁଖ ଚାହିଁ । ବିମନ ହେଉ କିସ ପାଇଁ ॥ ୧୭୨
ଅର୍ଜିଲା କର୍ମବନ୍ଧ-ଫଳେ । ରଣେ ହାରିଲୁ ଏକାବେଳେ ॥ ୧୭୩
ଯଦୁଙ୍କ ହସ୍ତେ ପରାଭବ । ଏକଥା ସଂଚିଲା ଦଇବ ॥ ୧୭୪
କ୍ଷତ୍ରିୟଧର୍ମ ମହୀତଳେ । ଜୟ-ଅଜୟ ଯୁଦ୍ଧକାଳେ ॥ ୧୭୫
କ୍ଷତ୍ରିୟ ନ କରେ ବିଷାଦ । ଶତ୍ରୁର ସଙ୍ଗେ ଯେବେ ବାଦ ॥ ୧୭୬
ତହିଁକି ପୁଣ ପୁଣ କରି । ଯୁଦ୍ଧ କରିବ ଦଣ୍ତଧାରୀ ॥ ୧୭୭
ସର୍ବେ କରିବା ମହାରଣ । ରାଜନ ଆମ୍ଭ ବୋଲ ଶୁଣ ॥ ୧୭୮
ଯଦୁଙ୍କୁ ସମରେ ସଂହାରି । ମହୀ ଭୁଞ୍ଜିବୁ ଦଣ୍ତଧାରୀ ॥ ୧୭୯
ଏମନ୍ତ ମନବୋଧ କରି । ରଥେ ତୋଳିଲେ ହସ୍ତଧରି ॥ ୧୮୦
ପଛେ ଗୋଡ଼ାନ୍ତି ବନ୍ଧୁଜନେ । ଜରା ଚଳିଲା ଦୁଃଖମନେ ॥ ୧୮୧
ଲାଜେ ନ ଚାହିଁ ଦଶଦିଶ । ରାେତ୍ରେ ମିଳିଲା ନିଜ ଦେଶ ॥ ୧୮୨
ଏବେ ହୋ ଶୁଣ ନୃପମଣି । ସଂଗ୍ରାମେ କୃଷ୍ଣ ହଳପାଣି ॥ ୧୮୩
ଉଗ୍ରସେନର ଯେତେ ବଳ । ରଖିଲେ ମଦନଗୋପାଳ ॥ ୧୮୪
ସକଳେ ବିଷ୍ଣୁେତେଜମୟେ । କ୍ଷତ ନୋହିଲା ତାଙ୍କ ଦେହେ ॥ ୧୮୫
ରିପୁ ସାଗରୁ ସୈନ୍ୟ ତାରି । ବିଜୟ କଲେ ରାମହରି ॥ ୧୮୬
ଦେବେ କରନ୍ତି ଜୟଧ୍ୱନି । ସ୍ତୁତି କରନ୍ତି ସୁରମୁନି ॥ ୧୮୭
ପୁଷ୍ପ ବରଷି ଜଳସଙ୍ଗେ । ନାଚନ୍ତି ସୁରନାରୀ ରଙ୍ଗେ ॥ ୧୮୮
ମଥୁରାପୁର ନରନାରୀ । ମିଳିଲେ କରେ ଅର୍ଘ୍ୟ ଧରି ॥ ୧୮୯
ପଛେ ଗୋଡ଼ାନ୍ତି ବନ୍ଧୁଜନେ । ଦେଖନ୍ତି ହରଷ ନୟନ ॥ ୧୯୦
ସୂତ ମାଗଧେ ଯଶ ଭଣି । ଦ୍ୱିଜେ ମଙ୍ଗଳ ବେଦଧ୍ୱନି ॥ ୧୯୧
ଶଙ୍ଖ ଦୁନ୍ଦୁଭି ବାଦ୍ୟଘୋଷ । ଗୋବିନ୍ଦ ମଥୁରା ପ୍ରବେଶ ॥ ୧୯୨
ଚନ୍ଦନ ଛେରା ମାର୍ଗେ ଦେଇ । ଉପରେ ତୋରଣା ଲମ୍ବାଇ ॥ ୧୯୩
ଦଧି ଅକ୍ଷତ ପୂର୍ଣ୍ଣକୁମ୍ଭ । କରନ୍ତି ମଙ୍ଗଳ ଆରମ୍ଭ ॥ ୧୯୪
ଦୁର୍ବା କୁସୁମ ଘେନି ନାରୀ । ଆନନ୍ଦେ ବନ୍ଦାପନା କରି ॥ ୧୯୫
ରାମ ଗୋବିନ୍ଦ ବେନିଭାଇ । ହରଷ ନୟେନ ଅନାଇ ॥ ୧୯୬
ମିଳିଲେ ଆପଣା ଭୁବନେ । ସଙ୍ଗତେ ଉଗ୍ରସେନ ସୈନ୍ୟେ ॥ ୧୯୭
ଯୁଦ୍ଧେ ଜିଣିଲା ଧନ ଆଣି । ବୋଲନ୍ତି ପ୍ରଭୁ ଚକ୍ରପାଣି ॥ ୧୯୮
ରାଜନ ଜିଣିଲୁ ସମର । ଏ ଧନ ଭଣ୍ତାର ତୁମ୍ଭର ॥ ୧୯୯
ଉଗ୍ରସେନକୁ ଧନ ଦେଇ । ପୁରେ ମିଳିଲେ ବେନିଭାଇ ॥ ୨୦୦
ରାମଗୋବିନ୍ଦ ଭାଇବେନି । ପିତାମାତାଙ୍କ ପାଦେ ନମି ॥ ୨୦୧
ଭୋ ତାତ ମାତ ତୋ ପ୍ରସାଦେ । ଶତ୍ରୁ ଜିଣିଲୁ ଅପ୍ରମାଦେ ॥ ୨୦୨
ଉଗ୍ରସେନର ବଳ ଘେନି । ଆମ୍ଭେ ଜିଣିଲୁ ଭାଇବେନି ॥ ୨୦୩
ଶୁଣି ଆନନ୍ଦ ବାପମାଏ । କୋଳେ ବସାଇ ଚୁମ୍ବ ଦିଏ ॥ ୨୦୪
ଭିତରପୁରେ ବିଜେ କଲେ । ଯେ ଯାହା ପୁରେ ସର୍ବେ ଗଲେ ॥ ୨୦୫
କହନ୍ତି ବ୍ୟାସଙ୍କ ତନୟ । ଶୁଣ ସୁମନେ କୁରୁରାୟ ॥ ୨୦୬
ସପତଦଶବାର ଆଣି । ବଳ ତେଇଶ ଅକ୍ଷୌହିଣୀ ॥ ୨୦୭
ଗୋବିନ୍ଦ ସଙ୍ଗେ ଯୁଦ୍ଧ କଲା । ମାଗଧ ବେଳେ ନ ଜିଣିଲା ॥ ୨୦୮
କୃଷ୍ଣର ତେଜେ ଯଦୁବଳ । ଯୁଦ୍ଧେ ଦିଶନ୍ତି ସର୍ବକାଳ ॥ ୨୦୯
ଅଭେଦ୍ୟ ତାହାଙ୍କ ଶରୀର । ଏବେ ହୋ ଶୁଣ ନୃପବର ॥ ୨୧୦
ଜରାସନ୍ଧର ଯେତେ କୃତ୍ୟ । ତୋତେ କହିଲି ଭାଗବତ ॥ ୨୧୧
ସପତଦଶବାର ହାରି । ପୁଣ ସାଜିଲା ଦଣ୍ତଧାରୀ ॥ ୨୧୨
ବ୍ରହ୍ମାନନ୍ଦନ ତାହା ଜାଣି । ଭାଳନ୍ତି ମନେ ପରିମାଣି ॥ ୨୧୩
କାଳଯବନ ବୀର ଥିଲେ । ଯଦୁକୁଶଳ ନାହିଁ ଭଲେ ॥ ୨୧୪
ଆଜ କରିବି ଦେବକାର୍ଯ୍ୟ । ଗଞ୍ଜିବି ଯବନର ତେଜ ॥ ୨୧୫
ଏତେ ବିଚାରି ଶୂନ୍ୟବାଟେ । ମିଳିଲେ ଯବନ ନିକଟେ ॥ ୨୧୬
ଦେଖି ସାନନ୍ଦ ନୃପବର । ପୂଜିଲା ନାରଦ ପୟର ॥ ୨୧୭
କରଯୁଗଳ ଦେଇ ଶିରେ । ନମିଲା ମୁନିଙ୍କ ପୟରେ ॥ ୨୧୮
କାଳଯବନ ମୁଖ ଚାହିଁ । ମୁନି କହନ୍ତି ଖେଦ ବହି ॥ ୨୧୯
ଯାଦବବଂଶେ ମହାବଳୀ । ଅଛନ୍ତି ରାମବନମାଳୀ ॥ ୨୨୦
ଜରାସନ୍ଧର ଯେତେ ବଳ । ମାଇଲେ ସପ୍ତଦଶ ବେଳ ॥ ୨୨୧
ତାହାଙ୍କ ସଙ୍ଗେ ଯୁଦ୍ଧକାରୀ । ତିନିଭୁବନେ ନାହିଁ ସରି ॥ ୨୨୨
ତୁ ଯେ ବୋଲାଉ ବଳୀୟାର । ଯଦୁଙ୍କ ସଙ୍ଗେ ଯୁଦ୍ଧ କର ॥ ୨୨୩
ଜରା ହିଁ ସାଜିଅଛି ଯୁଦ୍ଧେ । ପାରିଲେ ସାଧ ଏହି ମଧ୍ୟେ ॥ ୨୨୪
ଆସ ମୋହର ତୁଲେ ତୁହି । କୃଷ୍ଣଙ୍କୁ ଭେଟାଇବି ନେଇ ॥ ୨୨୫
କୃଷ୍ଣର ରୂପ ଗୁଣ କହି । ନାରଦ ଗଲେ ଆଗ ହୋଇ ॥ ୨୨୬
କାଳଯବନ ଶୁଣି ତାହା । ଯୁଦ୍ଧକୁ ବଳିଲା ଉତ୍ସାହା ॥ ୨୨୭
ଯବନ ବଳ ତିନିକୋଟି । ସାଜିଲା ବନ ଗିରି ଘୋଟି ॥ ୨୨୮
ରଜନୀକାଳେ ମଧୁପୁରୀ । ରୁନ୍ଧିଲା ତିନିପୁର କରି ॥ ୨୨୯
ଯବନ ବଳ ଦେଖି ହରି । କହନ୍ତି ରାମ କର ହଟ ॥ ୨୩୦
ଦେଖ ଯାଦବ ବଳ କଷ୍ଟ । ଦଇବ ଆଣି କଲା ହଟ ॥ ୨୩୧
ମାଗଧ ଆସୁଅଛି ବାହି । ଯାଦବେ ଯିବେ ଆଜ କାହିଁ ॥ ୨୩୨
ଯବନ ସଙ୍ଗେ ଯୁଦ୍ଧ କରି । ରହିଲେ ସମର ଆବୋରି ॥ ୨୩୩
ଏମନ୍ତେ ମାଗଧ ଆସିବ । ଯଦୁଙ୍କୁ ପ୍ରାଣେ ସଂହାରିବ ॥ ୨୩୪
ଧନଜୀବନ ବନ୍ଦୀ କରି । ଘେନାଇ ଯିବ ନିଜ ପୁରୀ ॥ ୨୩୫
ନିର୍ଜନେ ଦୁର୍ଗେକ ଭିଆଇ । ଧନ କୁଟୁମ୍ବ ତହିଁ ଥୋଇ ॥ ୨୩୬
ତେବେ କରିବା ରଣରଙ୍ଗ । ଏମନ୍ତେ କହିଲେ ଶ୍ରୀରଙ୍ଗ ॥ ୨୩୭
ଜଳଧି ମଧ୍ୟେ କୃଷ୍ଣ ଯାଇ । ବୋଲନ୍ତି ବରୁଣଙ୍କୁ ଚାହିଁ ॥ ୨୩୮
ସମୁଦ୍ର ମଧ୍ୟେ ଛାଡ଼ ସ୍ଥାନ । ଏଥେ ମୁଁ କରିବି ବିଶ୍ରାମ ॥ ୨୩୯
ଶୁଣି ଗୋବିନ୍ଦର ବଚନ । ଛାଡ଼ିଲା ଦ୍ୱାଦଶ ଯୋଜନ ॥ ୨୪୦
ଗୋବିନ୍ଦ ବିଶ୍ୱକର୍ମା ରାଇ । ବୋଲନ୍ତି ତାର ମୁଖ ଚାହିଁ ॥ ୨୪୧
ଦ୍ୱାରକାର ନାମେ ଦିବ୍ୟପୁର । ଦେବ ମାନବେ ଅଗୋଚର ॥ ୨୪୨
ମଥୁରାପୁର ପ୍ରାୟ କର । ଯାହାର ଯେମନ୍ତ ମନ୍ଦିର ॥ ୨୪୩
ଗୋବିନ୍ଦ ଆଜ୍ଞା ପରମାଣେ । ନିର୍ମାଣ କଲା ତତକ୍ଷଣେ ॥ ୨୪୪
ଚିତ୍ରବିଚିତ୍ର ପୁରମାନ । ଦେଖିଲେ ମୋହେ ଜନମନ ॥ ୨୪୫
ଅତି ସୁସଞ୍ଚ ଉଚ୍ଚସାର । ମେଢ ଅଟ୍ଟାଳୀ ପୁରଦ୍ୱାର ॥ ୨୪୬
ହେମ ରଜତ ତମ୍ବା ମହୀ । ନାନା ଭୁବନ ପ୍ରକାଶଇ ॥ ୨୪୭
ମହାମର୍କତ ପଦ୍ମରାଗ । ନୀଳଲୋହିତ ପୀତ ରଙ୍ଗ ॥ ୨୪୮
ବ୍ରାହ୍ମଣ ଆଦି ଚାରିବର୍ଣ୍ଣ । ଯେ ଯାହା ପୁର ଭିନ୍ନ ଭିନ୍ନ ॥ ୨୪୯
ସୁଧର୍ମା ସଭା ପାରିଜାତ । ଆଣି ସ୍ଥାପିଲା ଶଚୀନାଥ ॥ ୨୫୦
ଯହିଁ ବସିଲେ ମର୍ତ୍ତ୍ୟଜନ । ଦିଶନ୍ତି ଦେବତା ସମାନ ॥ ୨୫୧
ବରୁଣ ଅଶ୍ୱ ଶ୍ୟାମକର୍ଣ୍ଣ । ମନପବନ ଗତି ଯାନ ॥ ୨୫୨
ଏମନ୍ତ ଅଶ୍ୱ ଆଣି ଦେଲା । ଗୋବିନ୍ଦ ଚରଣେ ପୂଜିଲା ॥ ୨୫୩
ବାସବଆଦି ଦିଗପତି । ନିଯୋଗେ ପୂଜିଲେ ଶ୍ରୀପତି ॥ ୨୫୪
ଗୋବିନ୍ଦ ଯୋଗମାୟା କରି । ରାତ୍ରେ ମଥୁରାପୁର ଶିରୀ ॥ ୨୫୫
ଦ୍ୱାରକାପୁର ମଧ୍ୟେ ଥୋଇ । ମିଳିଲେ ରାମସଙ୍ଗେ ଯାଇ ॥ ୨୫୬
ରଜନୀ ହୋଇଲା ପ୍ରଭାତ । ବାହାର ହେଲେ ଗୋପୀନାଥ ॥ ୨୫୭
କମଳମାଳା କଣ୍ଠେ ଶୋହି । କରଯୁଗଳେ ଶସ୍ତ୍ର ନାହିଁ ॥ ୨୫୮
କହଇ ଦାସ ଜଗନ୍ନାଥ । ସେ ହରିପାଦେ ଦେଇ ଚିତ୍ତ ॥ ୨୫୯
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରାମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ଦୁର୍ଗନିବେଶନଂ ନାମ ଚତୁଃପଞ୍ଚାଶତ୍ ଅଧ୍ୟାୟଃ ॥
* * *