ଦଶମ ସ୍କନ୍ଧ

ଚତୁଃପଞ୍ଚାଶତ୍ ଅଧ୍ୟାୟ

ଶୁକ ଉବାଚ

ଏବେ ହୋ ଶୁଣ ନରନାଥ । ରାମ ଗୋବିନ୍ଦଙ୍କ ଚରିତ ॥

କୃଷ୍ଣ ଯେ କଂସକୁ ମାଇଲେ । ତାହାର ବେନି ନାରୀ ଥିଲେ ॥

ଅସ୍ତି ପ୍ରାପତି ନାମେ ଦୁଇ । ସ୍ୱାମୀ ମରଣେ ଦୁଃଖ ପାଇ ॥

ବିଧବା କଷ୍ଟେ ଗରୁଚିନ୍ତା । ଜରାସନ୍ଧର ସେ ଦୁହିତା ॥

ବିଚାର କରି ମନେ ଗୁଣି । ସ୍ୱାମୀ ମରଣେ ସେ ତରୁଣୀ ॥

ମନେ ଅନେକ ଦୁଃଖ କରି । ଯାଇ ମିଳିଲେ ଜରାପୁରୀ ॥

ମାତାର ପାଦତଳେ ପଡ଼ି । ଉଠିଲେ ଶିରେ କରଯୋଡି ॥

ସ୍ୱାମୀ ମରଣେ ଯେତେ ଦୁଃଖ । ଭୋ ମାତ ଚାହାଁ ଆମ୍ଭ ମୁଖ ॥

କାନ୍ଦି କହିଲେ ପିତା ଆଗେ । ନିଜ ଜନନୀ ଘେନି ସଙ୍ଗେ ॥

ଭୋ ତାତ ବସୁଦେବ ପୋଏ । ଆମ୍ଭର ସ୍ୱାମୀ କଲେ କ୍ଷୟେ ॥ ୧୦

କେମନ୍ତେ ବଞ୍ଚିବୁଟି ଦିନ । ଆମ୍ଭର କର୍ମ ବଡ଼ ହୀନ ॥ ୧୧

ବେନୁଦୁହିତା ବାକ୍ୟ ଶୁଣି । କୋପେ ବୋଲଇ ନୃପମଣି ॥ ୧୨

ଯାଦବବଂଶେ କୃଷ୍ଣରାମ । ଈଷିତେ କଲେ ଏଡେ଼ କର୍ମ ॥ ୧୩

ଭୂମିରେ ଯଦୁବଂଶ ଥିଲେ । ଆମ୍ଭ କୁଶଳ ନାହିଁ ଭଲେ ॥ ୧୪

ରାମ ଗୋବିନ୍ଦ ବେଗେ ମାରି । ଏ ଭୂମି ଅଯାଦବ କରି ॥ ୧୫

ତେବେ ଜୀବନ ମୋର ସ୍ଥିର । କୋପେ ବୋଲଇ ନୃପବର ॥ ୧୬

ତେଇଶ ଅକ୍ଷୌହିଣୀ ସଙ୍ଗେ । ବଳ ସାଜିଲା ଚତୁରଙ୍ଗେ ॥ ୧୭

ପାହି ପାଇକ ନୃପଗଣ । ସାଜିଲା ମଗଧରାଜନ ॥ ୧୮

ଶବଦେ କମ୍ପେ ମହୀସ୍ଥଳୀ । ବାହାର ହେଲେ ମହାବଳୀ ॥ ୧୯

ରଜନୀ ଅଛି ବେନିଘଡି । ମଥୁରାପୁର ଯାଇ ବେଢ଼ି ॥ ୨୦

ରୁନ୍ଧିଲେ ଅଷ୍ଟଦିଗେ ପଥ । ଗହଳେ ନ ବହେ ମରୁତ ॥ ୨୧

କୃଷ୍ଣ ଦେଖିଲେ ତାର ବଳ । ଯେସନେ ସମୁଦ୍ର ଉଲ୍ଲୋଳ ॥ ୨୨

ପ୍ରଳୟକାଳେ ଜଳରାଶି । ଭୂମି ଗଗନ ଯେହ୍ନେ ଗ୍ରାସି ॥ ୨୩

ଦେଖି ମଥୁରାପୁରଜନ । ଡାକନ୍ତି ରଖ ଭଗବାନ ॥ ୨୪

ନିଶ୍ଚୟ ଆଜ ଗଲୁ ନାଶ । ଛାଡ଼ିଲୁ ଜୀବନର ଆଶ ॥ ୨୫

କାନ୍ଦନ୍ତି ଦଇବ ସୁମରି । ମଥୁରାପୁର ନରନାରୀ ॥ ୨୬

ଏମନ୍ତେ ମଥୁରାର ପ୍ରାଣୀ । ଦେଖି ଭାଳନ୍ତି ଚକ୍ରପାଣି ॥ ୨୭

ଭୂମିର ଭାରା ଖଣ୍ତିବାରେ । ମୋ ଜନ୍ମ ମନୁଷ୍ୟ ଶରୀରେ ॥ ୨୮

ବ୍ରହ୍ମା ଶଙ୍କର ବୋଲେ ମୁହିଁ । ଯାଦବ ବଂଶେ ଦେହ ବହି ॥ ୨୯

ନାଶିବି ଅବନୀର ଭାର । ଏଣେ ସେ ପ୍ରୟୋଜନ ମୋର ॥ ୩୦

ଏ ବଳ ଆଜ ମୁଁ ସହାରି । କିଞ୍ଚିତେ ଭୂମିବାରା ହରି ॥ ୩୧

ଜରାସନ୍ଧର ତୁଲେ ରଣ । ଦେଖି ଗଗନେ ସୁରଗଣ ॥ ୩୨

ଆନନ୍ଦେ ହୋଇବେ ହରଷ । ସଂସାରେ ଥିବ ମୋର ଯଶ ॥ ୩୩

ଭୂମିରେ ଯେତେ ନରପତି । ଶୁଣି ପାଇବେ ମନେ ଭୀତି ॥ ୩୪

ତେଇଶ ଅକ୍ଷୌହିଣୀ ବଳ । ଭାରେ ଧରଣୀ ଟଳମଳ ॥ ୩୫

ଜରା ଜୀବନ ମାତ୍ର ଥୋଇ । ଏ ବଳ ସଂହାରିବି ମୁହିଁ ॥ ୩୬

ମୁଣ୍ତ ମୁଣ୍ତାଇ ଅବହେଳେ । ଗଳାଇ ଦେବି ଜାନୁତଳେ ॥ ୩୭

ଏ ଅପମାନ ମନେ ଘେନି । ପୁଣି ଆସିବ ବଳ ଘେନି ॥ ୩୮

ଏମନ୍ତେ ଅଷ୍ଟାଦଶ ବାର । ଏହାର ତୁଲେ ରଣ ମୋର ॥ ୩୯

ଏମନ୍ତେ ଅବନୀର ଭାର । ଥୋକାଏ ହୋଇବ ସଂହାର ॥ ୪୦

ଦୁଷ୍ଟଦାନବ ବଳ ନାଶି । ସାଧୁଜନଙ୍କୁ ମୁଁ ଆଶ୍ୱାସି ॥ ୪୧

ଅଧର୍ମ ନାଶି ଧର୍ମ ଥୋଇ । ଏଥିନିମନ୍ତେ ମୋର ଦେହୀ ॥ ୪୨

ଏମନ୍ତ ଚିତ୍ତେ ପରିମାଣି । ଚାହିଁଲେ ପ୍ରଭୁ ଚକ୍ରପାଣି ॥ ୪୩

ଗଗନମାର୍ଗେ ବେନିରଥ । କୃଷ୍ଣ ସମୀପେ ଉପଗତ ॥ ୪୪

ଆଦିତ୍ୟପ୍ରାୟ ତେଜରାଶି । ବେନି ସାରଥି ଛନ୍ତି ବସି ॥ ୪୫

ଦେବ-ଆୟୁଧ ବାଣ ଦୀକ୍ଷା । ଶର କୋଦଣ୍ତ ଦେହ ରକ୍ଷା ॥ ୪୬

ବିଷ୍ଣୁର ନିଜ ଶସ୍ତ୍ରମାନ । ଦେଖି ସାନନ୍ଦ କୃଷ୍ଣମନ ॥ ୪୭

ରାମର ବଦନ ଅନାଇ । ବୋଲନ୍ତି ପ୍ରଭୁ ଭାବଗ୍ରାହୀ ॥ ୪୮

ଭୋ ରାମ ଦେଖ ଜରାସନ୍ଧ । ସ୍ୱଭାବେ ଦୁଷ୍ଟ ବଡ଼ ମନ୍ଦ ॥ ୪୯

ଏହାର ବଳ ନାଶକରି । ମଥୁରାଜନଙ୍କୁ ଉଦ୍ଧରି ॥ ୫୦

କେବଳ ଜରାସନ୍ଧ ଥିବ । ଅନେକ ସୈନ୍ୟ ସେ ଆଣିବ ॥ ୫୧

ଏଠାରେ କରିବା ସଂହାର । ଯୁଝିବା ଅଷ୍ଟାଦଶ ବାର ॥ ୫୨

ଏବେ ଏ ରଥେ ବିଜେ କର । ତେଇଶି ଅକ୍ଷୌହିଣୀ ମାର ॥ ୫୩

ଏ ଯେ ତୁମ୍ଭର ନିଜ ରଥ । ହଳ ମୁଷଳ ଅଛି ଏଥ ॥ ୫୪

ଜରାସନ୍ଧର ବଳ ଦେଖ । ଯାଦବେ ହୋଇବେ ନିରେଖ ॥ ୫୫

ମେଦିନୀ ଭାରା ନାଶିବାରେ । ଆମ୍ଭ ଜନମ ମର୍ତ୍ତ୍ୟପୁରେ ॥ ୫୬

ଏତେ ବିଚାରି ବେନିଭାଇ । ରଥେ ବସିଲେ ବେଗେ ଯାଇ ॥ ୫୭

ସମରେ ସଜ ବୀରମତେ । ବିବିଧ ଶସ୍ତ୍ର ଘେନି ହସ୍ତେ ॥ ୫୮

ମଥୁରାପୁର ନରନାରୀ । ଦେଖିଣ ଆଶ୍ଚର୍ଯ୍ୟେ ବିଚାରି ॥ ୫୯

ରାମଗୋବିନ୍ଦ ସଙ୍ଗେ ରଥ । କାହୁଁ ଆଣିଲେ ଯଦୁନାଥ ॥ ୬୦

ଦେବଦାନବେ ଅଗୋଚର । ବେନି ବିମାନ କାମଚର ॥ ୬୧

ଦେଖି ଆନନ୍ଦ ସର୍ବଜନ । ସୈନ୍ୟ ସହିତେ ଭଗ୍ରସେନ ॥ ୬୨

ଉଗ୍ରସେନର ବଳ ଘେନି । ଯୁଦ୍ଧକୁ ସଜ ଭାଇବେନି ॥ ୬୩

ଶଙ୍ଖ ଶବଦ କଲେ ହରି । ଶୁଭିଲା ଦଶଦିଗ ପୂରି ॥ ୬୪

ଦାରୁକ ନନ୍ଦିଘୋଷ ରଥେ । ଅଶ୍ୱଦଉଡ଼ି ଘେନି ହସ୍ତେ ॥ ୬୫

ଶୁଣି ଗୋବିନ୍ଦ ଶଙ୍ଖଧ୍ୱନି । ଜୟ ଶବଦେ ସୁରମୁନି ॥ ୬୬

ପୁଷ୍ପ ବରଷି ସ୍ତୁତି କରି । ରଥେ ଦେଖିଲେ ରାମହରି ॥ ୬୭

ଶଙ୍ଖଶବଦ କର୍ଣ୍ଣେ ଶୁଣି । ବଳ ତେଇଶ ଅକ୍ଷୌହିଣୀ ॥ ୬୮

ହୃଦୟ କମ୍ପିଲା ବିକଳେ । ଶସ୍ତ୍ର ପଡ଼ିଲା ହସ୍ତୁ ତଳେ ॥ ୬୯

ଜରା ଧାଇଁଲା ଏକରଥେ । ଆବୋରି ଗୋବିନ୍ଦର ପଥେ ॥ ୭୦

କୃଷ୍ଣଙ୍କୁ ଚାହିଁ ମହାବଳୀ । ବୋଲଇ ବାମଭୁଜ ତୋଳି ॥ ୭୧

ତୁ କୃଷ୍ଣ ପୁରୁଷ ଅଧମ । ତୁ କାହିଁ ଜାଣିବୁ ସଂଗ୍ରାମ ॥ ୭୨

ବାଳକ ହୋଇ ଗଣେ ସଜ । ମୁଖେ ନ ପାର କିମ୍ପା ଲାଜ ॥ ୭୩

ତୋହର ତୁଲେ ଯୁଦ୍ଧ କଲେ । ଲୋକେ ହସିବେ ମୋତେ ଭଲେ ॥ ୭୪

ଗୁପତେ ବନ୍ଧୁ କଲୁ ନାଶ । ତୋର ମଉଳା ବୀର କଂଶ ॥ ୭୫

ତୋହର ବଦନ ନ ଦେଖି । ପଳା ତୁ ସମର ଉପେକ୍ଷି ॥ ୭୬

ହେ ରାମ ତୁ ଯେ ବଳୀୟାର । ସଂଗ୍ରାମେ ଇଚ୍ଛା ଯେବେ ତୋର ॥ ୭୭

ହୃଦୟ ସ୍ଥିର କରି ଭଲେ । ସଂଗ୍ରାମ କର ମୋର ତୁଲେ ॥ ୭୮

ମୋହର ବାଣେ ପ୍ରାଣ ଦେଇ । ଯମର ପୁରେ ଯାଅ ତୁହି ॥ ୭୯

କି ଅବା କର ମୋତେ ନାଶ । ସଂସାରେ ଥିବ ତୋର ଯଶ ॥ ୮୦

ଜରାସନ୍ଧର ବୋଲ ଶୁଣି । ଆଗ ହୋଇଲେ ଚକ୍ରପାଣି ॥ ୮୧

କୋମଳ ଗଭୀର ବଚନ । କହିଲେ ଶ୍ରୀମଧୁସୂଦନ ॥ ୮୨

ଶୁଣ ମଗଧ ମହୀପତି । କହଇ ଏଥିର ଯୁକତି ॥ ୮୩

ଶଉର୍ଯ୍ୟବଳ ଯାର ଥାଇ । ସଂଗ୍ରାମ ମଧ୍ୟେ ସେ ଦେଖାଇ ॥ ୮୪

ଆତ୍ମପ୍ରଶଂସା ଆତ୍ମ ମୁଖେ । ଯେ ପ୍ରାଣୀ କହୁଥାନ୍ତି ସୁଖେ ॥ ୮୫

ଯଶ ନ ରହେ ବେନିଲୋକେ । ମରଣେ ପଡ଼ନ୍ତି ନରକେ ॥ ୮୬

ଆପଣା ମରଣ ନ ଜାଣୁ । ମୁଖେ ଅଶୁଭ କିମ୍ବା ଭଣୁ ॥ ୮୭

ମରଣ କାଳେ ତୋର ବାଣି । ଆମ୍ଭର କର୍ଣ୍ଣେ ତା ନ ଶୁଣି ॥ ୮୮

ଆଜ ଜାଣିବା ତୋର ରଣ । ଅବଶ୍ୟ ଘେନି ତୋ ପରାଣ ॥ ୮୯

ଦାତାପଣକୁ ତୁ ଯେ ଟାଣ । ଦାନ ତୁ ଦେବୁ ସୈନ୍ୟଗଣ ॥ ୯୦

ଆପଣେ ଯିବୁ ପ୍ରାଣ ଘେନି । ଦକ୍ଷିଣା ଦେବୁ ପୁଣ ଆଣି ॥ ୯୧

ଏମନ୍ତେ ଅଷ୍ଟାଦଶ ବେଳ । ଶୁଣ ତୁ ଜରା ମହୀପାଳ ॥ ୯୨

ଶୁକ ବୋଲନ୍ତି ଶୁଣ ରାୟେ । କୋପ ବସିଲା ଜରାଦେହେ ॥ ୯୩

କୃଷ୍ଣର କଟୁବାକ୍ୟ ଶୁଣି । ହୃଦେ ଚିନ୍ତିଲା ନୃପମଣି ॥ ୯୪

ଦନ୍ତେ ଅଧର କାମୁଡିଲା । କୃଷ୍ଣକୁ ମାରରେ ବୋଇଲା ॥ ୯୫

ତକ୍ଷଣେ ରଥ-ଗଜ ଯୂଥ । ରୁନ୍ଧିଲେ ରାମକୃଷ୍ଣ ପଥ ॥ ୯୬

ପବନ ରେଣୁ ଘେନି ଯେହ୍ନେ । ଆଦିତ୍ୟ ଆଚ୍ଛାଦେ ଗଗନେ ॥ ୯୭

ମଥୁରାପୁର ନରନାରୀ । ଆରୋହୀ ଜଗତି ଅଟ୍ଟାଳି ॥ ୯୮

କେ ବୃକ୍ଷେ ଉଠି ଦୃଷ୍ଟି ଦେଇ । ରାମ ଗୋବିନ୍ଦ ରଥେ ଚାହିଁ ॥ ୯୯

ସଂଗ୍ରାମେ ନ ଦିଶିଲା ରଥ । ପଡ଼ି ହୋଇଲେ ମୋହଗତ ॥ ୧୦୦

କାନ୍ଦନ୍ତି କୃଷ୍ଣ ନାମ ଧରି । ତାହା ଜାଣିଲେ ନରହରି ॥ ୧୦୧

ଜରା ସଇନି ମେଘପ୍ରାୟେ । ବାଣ ବିନ୍ଧିଲେ ଅପ୍ରମୟେ ॥ ୧୦୨

ଅସୁର ବାଣେ ଚାରିପଥେ । ଆପଣା ନିଜ ବଳ ଯେତେ ॥ ୧୦୩

ମୂର୍ଚ୍ଛିତ ଦେଖି ନରହରି । ସାରଙ୍ଗଧନୁ କରେ ଧରି ॥ ୧୦୪

ଗୋବିନ୍ଦ କଲେ ଗୁଣ ଘୋଷ । ଶବଦ ପୂରେ ଦଶଦିଶ ॥ ୧୦୫

କନ୍ଧେ ଯେ ଥିଲା ବେନି ତୂଣ । ତହୁଁ ଘେନିଲେ ତୀକ୍ଷ୍ଣ ବାଣ ॥ ୧୦୬

ଗୁଣେ ବସାଇ ଦେବରାୟେ । ଧନୁ ଟାଣିଲେ କର୍ଣ୍ଣଯାଏଁ ॥ ୧୦୭

ମନ୍ତ୍ର ସୁମରି କୋଟି କୋଟି । ଗୋବିନ୍ଦ କଲେ ଶରବୃଷ୍ଟି ॥ ୧୦୮

ରଥ କୁଞ୍ଜର ବାଜି ନର । ବାଣେ ଛେଦିଲେ ଚକ୍ରଧର ॥ ୧୦୯

ଅନଳଗତି ପ୍ରାୟ ବାଣ । କୃଷ୍ଣ ବିନ୍ଧିଲେ ପୁଣ ପୁଣ ॥ ୧୧୦

କୃଷ୍ଣର ବାଣ ନିରନ୍ତରେ । ପଡ଼ିଲା ଗଜ-ବାଜି ଶିରେ ॥ ୧୧୧

ରଥୀ ପଦାତି ଶିର ଛିଡି । ପଡ଼ିଲେ ରଣଭୂମି ମାଡ଼ି ॥ ୧୧୨

ଧ୍ୱଜ ସାରଥି ତୁଲେ ରଥ । ରଣେ ପଡ଼ଲେ ୟୁଥ ୟୁଥ ॥ ୧୧୩

ପଦାତି ରଣେ ଛନ୍ତି ପଡ଼ି । ଭୁଜ-ଚରଣକନ୍ଧ ଛିଡି ॥ ୧୧୪

ଆନନ୍ଦେ ଶୁକମୁନି କହେ । ଶୁଣ ପରୀକ୍ଷ କୁରୁରାୟେ ॥ ୧୧୫

ନର କୁଞ୍ଜର ଶିର ଛିଡ଼ି । ରୁଧିରନଦୀ ବେଗେ ବଢ଼ି ॥ ୧୧୬

ଶତେ ସହସ୍ର ଧାରା ପୂରି । ବିଷମ ତରଙ୍ଗ ଲହରୀ ॥ ୧୧୭

ଗଭୀର ଘୋରନାଦ ପୁଣ । ରାଜନ ସାବଧାନେ ଶୁଣ ॥ ୧୧୮

ଭୁଜେ ଭାସନ୍ତି ସର୍ପପ୍ରାୟେ । ଶିର ଦିଶନ୍ତି କୂର୍ମମୟେ ॥ ୧୧୯

ଗହଳେ ହସ୍ତୀଦେହ ଭାସି । ନଦୀର କୁବ ପ୍ରାୟେ ଦିଶି ॥ ୧୨୦

କୁମ୍ଭୀର ପ୍ରାୟ କୋଟି କୋଟି । ତୁରଙ୍ଗ ଦେହେ ଯାଏ ଘୋଟି ॥ ୧୨୧

ମୀନଙ୍କ ପ୍ରାୟ କର ଉର । ବାଳ ଭାସଇ ଯେହ୍ନେ ଦଳ ॥ ୧୨୨

ତରଙ୍ଗ ପ୍ରାୟ ଧନୁର୍ଗୁଣ । ଆୟୁଦ୍ଧ ଯେହ୍ନେ ବୃକ୍ଷ ତୃଣ ॥ ୧୨୩

ଖଡ଼ଗ ଚର୍ମ ଉର୍ମିପାଳ । ଘୋର ଗଭୀର ଅନ୍ତରାଳ ॥ ୧୨୪

ମଣିଏ ଭେକ ପ୍ରାୟ ଦିଶି । ରୁଧିର ସଙ୍ଗେ ଯାନ୍ତି ଭାସି ॥ ୧୨୫

ବାଲୁକା ପ୍ରାୟ କ୍ଷୁଦ୍ର ମଣି । ଶୁଣ ରାଜନ ଯୁଦ୍ଧ ବାଣୀ ॥ ୧୨୬

ମଡ଼ାଏ ଯାନ୍ତି କୋଟି କୋଟି । ଲହରୀ ଯେହ୍ନେ ରହେ ଫୁଟି ॥ ୧୨୭

ରୁଧିର ଜଳେ ନଦୀଗଣେ । ବହିଲେ ଗୋବିନ୍ଦମାରଣେ ॥ ୧୨୮

ଦେଖି ହସନ୍ତି ଦେବତାଏ । ସ୍ୱର୍ଗେ ଶୁଭିଲା ଜୟେ ଜୟେ ॥ ୧୨୯

ମୂଷଳ ଘାତେ ହଳଧର । ଅନେକ ରଥ କଲେ ଚୂର ॥ ୧୩୦

ସେ ଉଗ୍ରସେନ ନୃପବର । ସଂଗ୍ରାମ କଲେକ ଅପାର ॥ ୧୩୧

ଯାଦବ ସଙ୍ଗେ ମହାବୀର । ସଂଗ୍ରାମ କଲେ ଅତି ଘୋର ॥ ୧୩୨

ସମସ୍ତେ ହୋଇଣ ହରଷ । ଜରା ସଇନି କଲେ ନାଶା ॥ ୧୩୩

ଦେଖି ଅସୁରବଳ ରାୟେ । ଘୋର ପ୍ରଳୟ ସିନ୍ଧୁ ପ୍ରାୟେ ॥ ୧୩୪

କାହାର ବଳ ତାହା ସାଧି । ଦୁର୍ଗମ ଦୁସ୍ତର ଜଳଧି ॥ ୧୩୫

ବସୁଦେବର ବେନି ପୋଏ । କିଞ୍ଚିତ ମାତ୍ରେ କଲେ କ୍ଷୟେ ॥ ୧୩୬

ଜଗତେ ଶୂରବୀରପଣ । ଈଷିତେ ଶତ୍ରୁ ସଂହାରଣ ॥ ୧୩୭

ଏ ତିନିଭୁବନ କାରଣ । ମାୟାମନୁଷ୍ୟ ନାରାୟଣ ॥ ୧୩୮

ଲୀଳା ମାତ୍ରକେ ନରହରି । ଅନନ୍ତ ନାନା ରୂପ ଧରି ॥ ୧୩୯

ସେ ମାୟାଧର ଯେତେ କୃତ୍ୟ । ମନୁଷ୍ୟ ଲୋକେ ବିପରୀତ ॥ ୧୪୦

ଏମନ୍ତେ ରିପୁ କଲେ ନାଶ । ରହିଲା ଜରାସନ୍ଧ ଶେଷ ॥ ୧୪୧

ଯେଣେ ଚାହଁଇ ନୃପମଣି । ଦେଖେ ରୁଧିର ତରଙ୍ଗିଣୀ ॥ ୧୪୨

ରକତ ସିନ୍ଧୁ ଦଶଦିଶେ । ଦେଖଇ କେହି ନାହିଁ ପାଶେ ॥ ୧୪୩

ରାମ ଗୋବିନ୍ଦ ବେନିରଥେ । ସାରଙ୍ଗଧନୁ-ଜଳହସ୍ତେ ॥ ୧୪୪

ଯେସନେ ନଟବର ଦୁଇ । ସଂଗ୍ରାମ ମଧ୍ୟେ ଛନ୍ତି ରହି ॥ ୧୪୫

ଦୁର୍ଜୟ ବଳ କରି ନାଶ । ରଙ୍ଗ ଅଧରେ ମନ୍ଦହାସ ॥ ୧୪୬

ସିଂହକୁ ସିଂହ ଯେହ୍ନେ ମାଡ଼ି । ଜରା ଛାଡ଼ିଲା ଘୋର ରଡ଼ି ॥ ୧୪୭

ସଂଗ୍ରାମ ମଧ୍ୟେ କରି ଗତି । ଯେସନେ ଯୂଥଭ୍ରଷ୍ଟ ହସ୍ତୀ ॥ ୧୪୮

ଦେଖି ଧାଇଁଲେ ହଳଧର । ମୁଷଳେ ରଥ କଲେ ଚୂର ॥ ୧୪୯

କେଶ ଧଇଲେ ବାମହସ୍ତେ । କୋପେ ଚାପିଲେ ଭୂମିଗତେ ॥ ୧୫୦

ସିଂହ ଯେସନେ ହସ୍ତୀ ପାଡ଼ି । ରାମ ଛାଡ଼ିଲେ ଘୋର ରଡ଼ି ॥ ୧୫୧

ଦେଖି ତାହାର କର୍ମଫଳ । ହେଳେ ହସିଲେ କୃଷ୍ଣ ବଳ ॥ ୧୫୨

ନର-ବରୁଣ ପାଶ ଆଣି । ବନ୍ଧନ କଲେ ହଳପାଣି ॥ ୧୫୩

ଦେଖି ଧାଇଁଲେ ଦେବହରି । ତାର ବନ୍ଧନ ବେଗେ ଫେଡ଼ି ॥ ୧୫୪

ବୋଲନ୍ତି ଶୁଣି ଦେବରାଜ । ଏହାରେ ଅଛି ବଡ଼ କାର୍ଯ୍ୟ ॥ ୧୫୫

ଏମନ୍ତ କହି ସୁଖଭୋଳେ । ଗଳାଇ ଦେଲେ ଜାନୁତଳେ ॥ ୧୫୬

ଜୀବନ ଘେନି ପଳାଇଲା । ଡ଼ରେ ଅନେକ ଦୂର ଗଲା ॥ ୧୫୭

ସ୍ୱଭାବେ ବୀର ମଧ୍ୟେ ଶ୍ରେଷ୍ଠ । କର୍ମେ ପାଇଲା ବଡ଼ କଷ୍ଟ ॥ ୧୫୮

ପଥେ ବସିଲା ଲଜ୍ଜା ପାଇ । ଭାଳଇ ଚଉଦିଗ ଚାହିଁ ॥ ୧୫୯

ଏ ଭୂମି ଭୋଗ ତପଫଳେ । ଭୁଞ୍ଜଇ ବେନି ଭୁଜବଳେ ॥ ୧୬୦

ମୁଁ ଏବେ ଘୋରତପ କରି । ପୂଜିବି ଶଙ୍କରଗଉରୀ ॥ ୧୬୧

ଈଶ୍ୱର ତହୁଁ ବର ପାଇ । ଯଦୁଙ୍କୁ ସଂହାରିବି ମୁହିଁ ॥ ୧୬୨

ରାମ ଗୋବିନ୍ଦ ମୋ ବଇରୀ । ନିଶ୍ଚେ ମାରିବି ତପକରି ॥ ୧୬୩

ଏମନ୍ତ ବିଚାରଇ ମନେ । ଲାଜ ନ ପାଇବି ଯେସନେ ॥ ୧୬୪

ବୋଇଲା ଏତ ମହାପାପ । ନିରସ୍ତ୍ର କଲେ ଶିଶୁଗୋପ ॥ ୧୬୫

ମରଣୁଁ ବଳିଲା ଏ ଲାଜ । କିସ ବୋଲିବେ ସର୍ବରାଜ ॥ ୧୬୬

ଏମନ୍ତ ଭାଳି ମନେ ମନ । ଜରା ହୋଇଲା ଛନଛନ ॥ ୧୬୭

ସୈନ୍ୟ ମୋ ହୋଇଲେ ନିଧନ । କିସ ବୋଲିବେ ସର୍ବଜନ ॥ ୧୬୮

ପାତ୍ର-ମନ୍ତ୍ରୀଏ ଦାରାସୁତ । କି ବୋଲି କହିବି ତାହାନ୍ତ ॥ ୧୬୯

କାହାର ଚାହିଁବଇଁ ମୁଖ । ଦଇବ ଦେଲା ବଡ଼ ଦୁଃଖ ॥ ୧୭୦

ଏମନ୍ତ ବିଚାରନ୍ତେ ମନେ । ଆସି ମିଳିଲେ ବନ୍ଧୁଜନେ ॥ ୧୭୧

ବୋଲନ୍ତି ରାଜାମୁଖ ଚାହିଁ । ବିମନ ହେଉ କିସ ପାଇଁ ॥ ୧୭୨

ଅର୍ଜିଲା କର୍ମବନ୍ଧ-ଫଳେ । ରଣେ ହାରିଲୁ ଏକାବେଳେ ॥ ୧୭୩

ଯଦୁଙ୍କ ହସ୍ତେ ପରାଭବ । ଏକଥା ସଂଚିଲା ଦଇବ ॥ ୧୭୪

କ୍ଷତ୍ରିୟଧର୍ମ ମହୀତଳେ । ଜୟ-ଅଜୟ ଯୁଦ୍ଧକାଳେ ॥ ୧୭୫

କ୍ଷତ୍ରିୟ ନ କରେ ବିଷାଦ । ଶତ୍ରୁର ସଙ୍ଗେ ଯେବେ ବାଦ ॥ ୧୭୬

ତହିଁକି ପୁଣ ପୁଣ କରି । ଯୁଦ୍ଧ କରିବ ଦଣ୍ତଧାରୀ ॥ ୧୭୭

ସର୍ବେ କରିବା ମହାରଣ । ରାଜନ ଆମ୍ଭ ବୋଲ ଶୁଣ ॥ ୧୭୮

ଯଦୁଙ୍କୁ ସମରେ ସଂହାରି । ମହୀ ଭୁଞ୍ଜିବୁ ଦଣ୍ତଧାରୀ ॥ ୧୭୯

ଏମନ୍ତ ମନବୋଧ କରି । ରଥେ ତୋଳିଲେ ହସ୍ତଧରି ॥ ୧୮୦

ପଛେ ଗୋଡ଼ାନ୍ତି ବନ୍ଧୁଜନେ । ଜରା ଚଳିଲା ଦୁଃଖମନେ ॥ ୧୮୧

ଲାଜେ ନ ଚାହିଁ ଦଶଦିଶ । ରାେତ୍ରେ ମିଳିଲା ନିଜ ଦେଶ ॥ ୧୮୨

ଏବେ ହୋ ଶୁଣ ନୃପମଣି । ସଂଗ୍ରାମେ କୃଷ୍ଣ ହଳପାଣି ॥ ୧୮୩

ଉଗ୍ରସେନର ଯେତେ ବଳ । ରଖିଲେ ମଦନଗୋପାଳ ॥ ୧୮୪

ସକଳେ ବିଷ୍ଣୁେତେଜମୟେ । କ୍ଷତ ନୋହିଲା ତାଙ୍କ ଦେହେ ॥ ୧୮୫

ରିପୁ ସାଗରୁ ସୈନ୍ୟ ତାରି । ବିଜୟ କଲେ ରାମହରି ॥ ୧୮୬

ଦେବେ କରନ୍ତି ଜୟଧ୍ୱନି । ସ୍ତୁତି କରନ୍ତି ସୁରମୁନି ॥ ୧୮୭

ପୁଷ୍ପ ବରଷି ଜଳସଙ୍ଗେ । ନାଚନ୍ତି ସୁରନାରୀ ରଙ୍ଗେ ॥ ୧୮୮

ମଥୁରାପୁର ନରନାରୀ । ମିଳିଲେ କରେ ଅର୍ଘ୍ୟ ଧରି ॥ ୧୮୯

ପଛେ ଗୋଡ଼ାନ୍ତି ବନ୍ଧୁଜନେ । ଦେଖନ୍ତି ହରଷ ନୟନ ॥ ୧୯୦

ସୂତ ମାଗଧେ ଯଶ ଭଣି । ଦ୍ୱିଜେ ମଙ୍ଗଳ ବେଦଧ୍ୱନି ॥ ୧୯୧

ଶଙ୍ଖ ଦୁନ୍ଦୁଭି ବାଦ୍ୟଘୋଷ । ଗୋବିନ୍ଦ ମଥୁରା ପ୍ରବେଶ ॥ ୧୯୨

ଚନ୍ଦନ ଛେରା ମାର୍ଗେ ଦେଇ । ଉପରେ ତୋରଣା ଲମ୍ବାଇ ॥ ୧୯୩

ଦଧି ଅକ୍ଷତ ପୂର୍ଣ୍ଣକୁମ୍ଭ । କରନ୍ତି ମଙ୍ଗଳ ଆରମ୍ଭ ॥ ୧୯୪

ଦୁର୍ବା କୁସୁମ ଘେନି ନାରୀ । ଆନନ୍ଦେ ବନ୍ଦାପନା କରି ॥ ୧୯୫

ରାମ ଗୋବିନ୍ଦ ବେନିଭାଇ । ହରଷ ନୟେନ ଅନାଇ ॥ ୧୯୬

ମିଳିଲେ ଆପଣା ଭୁବନେ । ସଙ୍ଗତେ ଉଗ୍ରସେନ ସୈନ୍ୟେ ॥ ୧୯୭

ଯୁଦ୍ଧେ ଜିଣିଲା ଧନ ଆଣି । ବୋଲନ୍ତି ପ୍ରଭୁ ଚକ୍ରପାଣି ॥ ୧୯୮

ରାଜନ ଜିଣିଲୁ ସମର । ଏ ଧନ ଭଣ୍ତାର ତୁମ୍ଭର ॥ ୧୯୯

ଉଗ୍ରସେନକୁ ଧନ ଦେଇ । ପୁରେ ମିଳିଲେ ବେନିଭାଇ ॥ ୨୦୦

ରାମଗୋବିନ୍ଦ ଭାଇବେନି । ପିତାମାତାଙ୍କ ପାଦେ ନମି ॥ ୨୦୧

ଭୋ ତାତ ମାତ ତୋ ପ୍ରସାଦେ । ଶତ୍ରୁ ଜିଣିଲୁ ଅପ୍ରମାଦେ ॥ ୨୦୨

ଉଗ୍ରସେନର ବଳ ଘେନି । ଆମ୍ଭେ ଜିଣିଲୁ ଭାଇବେନି ॥ ୨୦୩

ଶୁଣି ଆନନ୍ଦ ବାପମାଏ । କୋଳେ ବସାଇ ଚୁମ୍ବ ଦିଏ ॥ ୨୦୪

ଭିତରପୁରେ ବିଜେ କଲେ । ଯେ ଯାହା ପୁରେ ସର୍ବେ ଗଲେ ॥ ୨୦୫

କହନ୍ତି ବ୍ୟାସଙ୍କ ତନୟ । ଶୁଣ ସୁମନେ କୁରୁରାୟ ॥ ୨୦୬

ସପତଦଶବାର ଆଣି । ବଳ ତେଇଶ ଅକ୍ଷୌହିଣୀ ॥ ୨୦୭

ଗୋବିନ୍ଦ ସଙ୍ଗେ ଯୁଦ୍ଧ କଲା । ମାଗଧ ବେଳେ ନ ଜିଣିଲା ॥ ୨୦୮

କୃଷ୍ଣର ତେଜେ ଯଦୁବଳ । ଯୁଦ୍ଧେ ଦିଶନ୍ତି ସର୍ବକାଳ ॥ ୨୦୯

ଅଭେଦ୍ୟ ତାହାଙ୍କ ଶରୀର । ଏବେ ହୋ ଶୁଣ ନୃପବର ॥ ୨୧୦

ଜରାସନ୍ଧର ଯେତେ କୃତ୍ୟ । ତୋତେ କହିଲି ଭାଗବତ ॥ ୨୧୧

ସପତଦଶବାର ହାରି । ପୁଣ ସାଜିଲା ଦଣ୍ତଧାରୀ ॥ ୨୧୨

ବ୍ରହ୍ମାନନ୍ଦନ ତାହା ଜାଣି । ଭାଳନ୍ତି ମନେ ପରିମାଣି ॥ ୨୧୩

କାଳଯବନ ବୀର ଥିଲେ । ଯଦୁକୁଶଳ ନାହିଁ ଭଲେ ॥ ୨୧୪

ଆଜ କରିବି ଦେବକାର୍ଯ୍ୟ । ଗଞ୍ଜିବି ଯବନର ତେଜ ॥ ୨୧୫

ଏତେ ବିଚାରି ଶୂନ୍ୟବାଟେ । ମିଳିଲେ ଯବନ ନିକଟେ ॥ ୨୧୬

ଦେଖି ସାନନ୍ଦ ନୃପବର । ପୂଜିଲା ନାରଦ ପୟର ॥ ୨୧୭

କରଯୁଗଳ ଦେଇ ଶିରେ । ନମିଲା ମୁନିଙ୍କ ପୟରେ ॥ ୨୧୮

କାଳଯବନ ମୁଖ ଚାହିଁ । ମୁନି କହନ୍ତି ଖେଦ ବହି ॥ ୨୧୯

ଯାଦବବଂଶେ ମହାବଳୀ । ଅଛନ୍ତି ରାମବନମାଳୀ ॥ ୨୨୦

ଜରାସନ୍ଧର ଯେତେ ବଳ । ମାଇଲେ ସପ୍ତଦଶ ବେଳ ॥ ୨୨୧

ତାହାଙ୍କ ସଙ୍ଗେ ଯୁଦ୍ଧକାରୀ । ତିନିଭୁବନେ ନାହିଁ ସରି ॥ ୨୨୨

ତୁ ଯେ ବୋଲାଉ ବଳୀୟାର । ଯଦୁଙ୍କ ସଙ୍ଗେ ଯୁଦ୍ଧ କର ॥ ୨୨୩

ଜରା ହିଁ ସାଜିଅଛି ଯୁଦ୍ଧେ । ପାରିଲେ ସାଧ ଏହି ମଧ୍ୟେ ॥ ୨୨୪

ଆସ ମୋହର ତୁଲେ ତୁହି । କୃଷ୍ଣଙ୍କୁ ଭେଟାଇବି ନେଇ ॥ ୨୨୫

କୃଷ୍ଣର ରୂପ ଗୁଣ କହି । ନାରଦ ଗଲେ ଆଗ ହୋଇ ॥ ୨୨୬

କାଳଯବନ ଶୁଣି ତାହା । ଯୁଦ୍ଧକୁ ବଳିଲା ଉତ୍ସାହା ॥ ୨୨୭

ଯବନ ବଳ ତିନିକୋଟି । ସାଜିଲା ବନ ଗିରି ଘୋଟି ॥ ୨୨୮

ରଜନୀକାଳେ ମଧୁପୁରୀ । ରୁନ୍ଧିଲା ତିନିପୁର କରି ॥ ୨୨୯

ଯବନ ବଳ ଦେଖି ହରି । କହନ୍ତି ରାମ କର ହଟ ॥ ୨୩୦

ଦେଖ ଯାଦବ ବଳ କଷ୍ଟ । ଦଇବ ଆଣି କଲା ହଟ ॥ ୨୩୧

ମାଗଧ ଆସୁଅଛି ବାହି । ଯାଦବେ ଯିବେ ଆଜ କାହିଁ ॥ ୨୩୨

ଯବନ ସଙ୍ଗେ ଯୁଦ୍ଧ କରି । ରହିଲେ ସମର ଆବୋରି ॥ ୨୩୩

ଏମନ୍ତେ ମାଗଧ ଆସିବ । ଯଦୁଙ୍କୁ ପ୍ରାଣେ ସଂହାରିବ ॥ ୨୩୪

ଧନଜୀବନ ବନ୍ଦୀ କରି । ଘେନାଇ ଯିବ ନିଜ ପୁରୀ ॥ ୨୩୫

ନିର୍ଜନେ ଦୁର୍ଗେକ ଭିଆଇ । ଧନ କୁଟୁମ୍ବ ତହିଁ ଥୋଇ ॥ ୨୩୬

ତେବେ କରିବା ରଣରଙ୍ଗ । ଏମନ୍ତେ କହିଲେ ଶ୍ରୀରଙ୍ଗ ॥ ୨୩୭

ଜଳଧି ମଧ୍ୟେ କୃଷ୍ଣ ଯାଇ । ବୋଲନ୍ତି ବରୁଣଙ୍କୁ ଚାହିଁ ॥ ୨୩୮

ସମୁଦ୍ର ମଧ୍ୟେ ଛାଡ଼ ସ୍ଥାନ । ଏଥେ ମୁଁ କରିବି ବିଶ୍ରାମ ॥ ୨୩୯

ଶୁଣି ଗୋବିନ୍ଦର ବଚନ । ଛାଡ଼ିଲା ଦ୍ୱାଦଶ ଯୋଜନ ॥ ୨୪୦

ଗୋବିନ୍ଦ ବିଶ୍ୱକର୍ମା ରାଇ । ବୋଲନ୍ତି ତାର ମୁଖ ଚାହିଁ ॥ ୨୪୧

ଦ୍ୱାରକାର ନାମେ ଦିବ୍ୟପୁର । ଦେବ ମାନବେ ଅଗୋଚର ॥ ୨୪୨

ମଥୁରାପୁର ପ୍ରାୟ କର । ଯାହାର ଯେମନ୍ତ ମନ୍ଦିର ॥ ୨୪୩

ଗୋବିନ୍ଦ ଆଜ୍ଞା ପରମାଣେ । ନିର୍ମାଣ କଲା ତତକ୍ଷଣେ ॥ ୨୪୪

ଚିତ୍ରବିଚିତ୍ର ପୁରମାନ । ଦେଖିଲେ ମୋହେ ଜନମନ ॥ ୨୪୫

ଅତି ସୁସଞ୍ଚ ଉଚ୍ଚସାର । ମେଢ ଅଟ୍ଟାଳୀ ପୁରଦ୍ୱାର ॥ ୨୪୬

ହେମ ରଜତ ତମ୍ବା ମହୀ । ନାନା ଭୁବନ ପ୍ରକାଶଇ ॥ ୨୪୭

ମହାମର୍କତ ପଦ୍ମରାଗ । ନୀଳଲୋହିତ ପୀତ ରଙ୍ଗ ॥ ୨୪୮

ବ୍ରାହ୍ମଣ ଆଦି ଚାରିବର୍ଣ୍ଣ । ଯେ ଯାହା ପୁର ଭିନ୍ନ ଭିନ୍ନ ॥ ୨୪୯

ସୁଧର୍ମା ସଭା ପାରିଜାତ । ଆଣି ସ୍ଥାପିଲା ଶଚୀନାଥ ॥ ୨୫୦

ଯହିଁ ବସିଲେ ମର୍ତ୍ତ୍ୟଜନ । ଦିଶନ୍ତି ଦେବତା ସମାନ ॥ ୨୫୧

ବରୁଣ ଅଶ୍ୱ ଶ୍ୟାମକର୍ଣ୍ଣ । ମନପବନ ଗତି ଯାନ ॥ ୨୫୨

ଏମନ୍ତ ଅଶ୍ୱ ଆଣି ଦେଲା । ଗୋବିନ୍ଦ ଚରଣେ ପୂଜିଲା ॥ ୨୫୩

ବାସବଆଦି ଦିଗପତି । ନିଯୋଗେ ପୂଜିଲେ ଶ୍ରୀପତି ॥ ୨୫୪

ଗୋବିନ୍ଦ ଯୋଗମାୟା କରି । ରାତ୍ରେ ମଥୁରାପୁର ଶିରୀ ॥ ୨୫୫

ଦ୍ୱାରକାପୁର ମଧ୍ୟେ ଥୋଇ । ମିଳିଲେ ରାମସଙ୍ଗେ ଯାଇ ॥ ୨୫୬

ରଜନୀ ହୋଇଲା ପ୍ରଭାତ । ବାହାର ହେଲେ ଗୋପୀନାଥ ॥ ୨୫୭

କମଳମାଳା କଣ୍ଠେ ଶୋହି । କରଯୁଗଳେ ଶସ୍ତ୍ର ନାହିଁ ॥ ୨୫୮

କହଇ ଦାସ ଜଗନ୍ନାଥ । ସେ ହରିପାଦେ ଦେଇ ଚିତ୍ତ ॥ ୨୫୯

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରାମହଂସ୍ୟାଂ ସଂହିତାୟାଂ

ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ଦୁର୍ଗନିବେଶନଂ ନାମ ଚତୁଃପଞ୍ଚାଶତ୍ ଅଧ୍ୟାୟଃ ॥

* * *