ଦଶମ ସ୍କନ୍ଧ

ତ୍ରିପ୍ରପଞ୍ଚାଶତ ଅଧ୍ୟାୟ

ଶୁକ ଉବାଚ

ଶୁଣ ହୋ ରାଜା ପରୀକ୍ଷିତ । ଅକ୍ରୁର ଚଢି ଦିବ୍ୟରଥ ॥

ଗୋବିନ୍ଦ ଆଜ୍ଞା ପରମାଣେ । ଅକ୍ରୁର ଗଲା ତତ୍କ୍ଷଣେ ॥

ବିମାନେ ବସି କୁତୁହଳେ । ମିଳିଲା ହସ୍ତିନା ମଣ୍ତଳେ ॥

କୃଷ୍ଣ ବିମାନ ପ୍ରାୟ ଦିଶି । ସକଳ ଲୋକେ ପରଶଂସି ॥

ରଥୁଁ ଓହ୍ଲାଇ ଭୂମିତଳେ । ମିଳିଲା ଯାଇ କୁରୁମେଳେ ॥

ରାଜନ ବସି ସଭାତଳେ । ବନ୍ଧୁବାନ୍ଧବ ଘେନି ମେଳେ ॥

ପରମ ହରଷେ ବସିଲା । ଶ୍ରୀରାମ ଗୋବିନ୍ଦ ଭାଷିଲା ॥

ତଦନ୍ତେ ଅକ୍ରୁର ହରଷ । ଦେଖଇ କୁରୁଙ୍କର ଦେଶ ॥

ଭୀଷ୍ମ ବିଦୁର ସଙ୍ଗେ ନୃପ । ଗାନ୍ଧାରୀ କୁନ୍ତୀ ଦ୍ରୋଣ କୃପ ॥

ରବିକୁମର ଦୁର୍ଯୋଧନ । ଦ୍ରୋଣନନ୍ଦନ ଦୁଃଶାସନ ॥ ୧୦

ପଣ୍ତୁର ପଞ୍ଚପୁତ୍ର ଦେଖି । ଅଶ୍ରୁପୂରିତ କଲା ଆଖି ॥ ୧୧

ଅକ୍ରୁର ଦେଖି ଜଣେ ଜଣ । ଆନନ୍ଦେ କରି ଆଲିଙ୍ଗନ ॥ ୧୨

ବନ୍ଧୁ କୁଶଳ ପଚାରିଲେ । ଆନନ୍ଦେ ଅକ୍ରୁରର ତୁଲେ ॥ ୧୩

ଅକ୍ରୁର ବିଚାରଇ ମନେ । ବିଶ୍ୱାସ ଜାଣିବି କେସନେ ॥ ୧୪

ସ୍ୱାମୀ ମରଣେ ଅଶ୍ରୁମୁଖୀ । ପଞ୍ଚବାଳକ ଘେନି ଦୁଃଖି ॥ ୧୫

କୁନ୍ତୀ ଯେ ଅଛି ଏହା ପୁରେ । କି ଅବା ବିଚାରେ ମନରେ ॥ ୧୬

ନିରତେ ଖଳ ବୁଦ୍ଧିହୀନ । ଅନ୍ଧ ସ୍ୱଭାବେ ହତଜ୍ଞାନ ॥ ୧୭

ଶତେକୁମର ପାଞ୍ଚମେଳେ । ସମେ କି ଦେଖିବ କୁଶଳେ ॥ ୧୮

ପଣ୍ତୁପୁତ୍ରଙ୍କ ଗୁଣ ଯେତେ । ଅନ୍ଧ ନ ସହେ ହୃଦଗତେ ॥ ୧୯

ତେଜ ପ୍ରତାପ କ୍ଷତ୍ରିବୃତ୍ତ । ରାଜନ୍ୟ ଷଡ଼ଗୁଣ ଯୁକ୍ତ ॥ ୨୦

ଏ ଆଦି ପ୍ରଜା ଅନୁରାଗ । ଦେଖି ପାଇଲା ଉଦ୍ବେଗ ॥ ୨୧

ମାରିବା ପାଇଁ ବିଚାରିଲେ । କପଟେ ବିଷଲଡ଼ୁ ଦେଲେ ॥ ୨୨

ଏ ଆଦି ଯେତେକ ବେଭାର । ଏକାନ୍ତେ କହିଲେ ବିଦୁର ॥ ୨୩

କୁନ୍ତୀ କହିଲା ସେହି ମତ । ଶୁଣି ଅକ୍ରୁର ଦୁଃଖଚିତ୍ତ ॥ ୨୪

କୁନ୍ତ୍ରୀ ଅକ୍ରୁର ମୁଖ ଚାହିଁ । ବୋଲଇ ଶୋକଭର ହୋଇ ॥ ୨୫

କାନ୍ଦନ୍ତି ଅଧର କମ୍ପାଇ । ଜନ୍ମମନ୍ଦିର ସୁମରଇ ॥ ୨୬

ହେ ଭ୍ରାତ ଶୁଣ ମୋ ଉତ୍ତର । ତାତ ଜନନୀ ଯେ ମୋହର ॥ ୨୭

ଭାଇ ଭଗିନୀ ବନ୍ଧୁ ନାରୀ । ସଖା ସୁହୃଦ ଆଦି କରି ॥ ୨୮

ଯେତେ ଅଛନ୍ତି ସହୋଦର । ଚିନ୍ତା କରନ୍ତିଟିକି ମୋର ॥ ୨୯

ସ୍ୱାମୀ ମରଣେ ଦୁଃଖ ପାଇ । ପଞ୍ଚବାଳକ କୋଳେ ଲଇଁ ॥ ୩୦

ଏହାଙ୍କ ଘରେ ବନ୍ଦୀ ପ୍ରାୟେ । ଦେଖ ଦୁଃଖିତ ମୋର ପୋଏ ॥ ୩୧

ଅର୍ଜିଲା କର୍ମ ଏ ମୋହର । କିସ କରିବି ସହୋଦର ॥ ୩୨

ମୋହର ଭ୍ରାତା ବସୁଦେବ । ଯାହାର ସୁତ ବାସୁଦେବ ॥ ୩୩

ସେ କୃଷ୍ଣ ଶରଣସୋଦର । ଭକତବନ୍ଧୁ ବାନା ତାର ॥ ୩୪

ପିତୃ-ଭଗିନୀ-ସୁତ କଥା । ସେ ନାଥ କରଇ କି ଚିନ୍ତା ॥ ୩୫

ପଦ୍ମଲୋଚନ ହଳଧର । ତାରେ ଶରଣ ମୋ କୁମର ॥ ୩୬

ଶତ୍ରୁଙ୍କ ମଧ୍ୟେ ମୋର ବାସ । କୁରୁ କୁଟୁମ୍ବେ ଅବିଶ୍ୱାସ ॥ ୩୭

ଶାର୍ଦ୍ଦୂଳ ମଧ୍ୟେ ମୃଗ ଥାଇ । ସେ ଯେହ୍ନେ ପଥ ନ ଜାଣଇ ॥ ୩୮

ମୋର ବାଳକେ ପିତୃହୀନ । ଏମନ୍ତ ମୋହର ଜୀବନ ॥ ୩୯

ସେ କୃଷ୍ଣ ମୋର ଘରେ ଆସି । କୋମଳ ବଚନେ ଆଶ୍ୱାସି ॥ ୪୦

ଶାନ୍ତି କରିବ ମୋର ପ୍ରାଣ । ତା ପାଦେ ପଶିଲି ଶରଣ ॥ ୪୧

ସେ କୃଷ୍ଣ ମହାଯୋଗେଶ୍ୱର । ବିଶ୍ୱପାଳକ ଦାମୋଦର ॥ ୪୨

ପଞ୍ଚବାଳକ ମୋର ନେବି । ମୁଁ ତାରେ ଶରଣ ପଶିବି ॥ ୪୩

ମୃତ୍ୟୁ ସଂସାର ଭୟେ ଜନେ । ଭାଳନ୍ତି ପାଇ ଖେଦମନେ ॥ ୪୪

ପଶଇ ଯେବେ ତାର ପାଦେ । ତେବେ ବଂଚଇ ଅପ୍ରମାଦେ ॥ ୪୫

ତା ପାଦୁଁ ଆନଠାବ ନାହିଁ । ଏମନ୍ତ ପ୍ରାୟ ମୁଁ ମଣଇ ॥ ୪୬

ନମସ୍ତେ କୃଷ୍ଣ ଶୁଦ୍ଧଦେହୀ । ଜୀବ ପରମଆତ୍ମା ତୁହି ॥ ୪୭

ଯଜ୍ଞସ୍ୱରୂପ ଯୋଗେଶ୍ୱର । ଭୋ ନାଥ ଶରଣ ମୁଁ ତୋର ॥ ୪୮

ଏମନ୍ତ ସୁମନେ ସୁମରି । କୃଷ୍ଣଚରଣେ ଧ୍ୟାନ କରି ॥ ୪୯

କାନ୍ଦେ ଅକ୍ରୁର ମୁଖ ଚାହିଁ । ପରୀକ୍ଷ ତୋ ପ୍ରପିତାମହୀ ॥ ୫୦

ପାଣ୍ତବଜନନୀ ରୋଦନ । ଶୁଣି ଅକ୍ରୁର ଖେଦମନ ॥ ୫୧

ନିକଟେ ବସିଲା ଅକ୍ରୁର । କହଇ ହୋଇ ଚିନ୍ତାଭର ॥ ୫୨

ଭୋ ମାତ ସାବଧାନେ ଶୁଣ । ତୋହର ପୁତ୍ରଙ୍କର ଗୁଣ ॥ ୫୩

ଧର୍ମ ପବନ ସୁନାସୀର । ବିବୁଧ ଅଶ୍ୱିନୀ କୁମାର ॥ ୫୪

ଏହାଙ୍କ ଅଂଶେ ଜାତ ହୋଇ । ଭାରା ନିବାରେ ପାଞ୍ଚଭାଇ ॥ ୫୫

ଅନାଦି ବିଷ୍ଣୁ ଯାର ବନ୍ଧୁ । ଏହା ନ ବୁଝି କିମ୍ପା କାନ୍ଦୁ ॥ ୫୬

ଏମନ୍ତ କହି କଲେ ଶାନ୍ତି । ଶୁଣି ହରଷ ହେଲେ କୁନ୍ତୀ ॥ ୫୭

ଅକ୍ରୁର ବିଚାରଇ ଚିତ୍ତେ । ଏଥେ ରହିବି ଦିନାକେତେ ॥ ୫୮

ବୁଝିବି ରାଜାର ବେଭାର । ତେବେ ମୁଁ ଯିବି ନିଜପୁର ॥ ୫୯

ଏମନ୍ତ ମନେ ବିଚାରଇ । ବିଦୁର ହସ୍ତେ ହସ୍ତ ଦେଇ ॥ ୬୦

ତକ୍ଷଣେ ଅକ୍ରୁର ବିଦୁର । ମିଳିଲେ ନୃପତି ଛାମୁର ॥ ୬୧

ପୁତ୍ରଲାଳସେ କୁରୁପ୍ତି । ବିଷମ ଦମ୍ଭ ତାର ମତି ॥ ୬୨

ବନ୍ଧୁ ସୁହୃଦେ ମଧ୍ୟେ ଥାଇ । ଅକ୍ରୁର ବୋଲେ ଅନ୍ଧେ ଚାହିଁ ॥ ୬୩

ରାମଗୋବିନ୍ଦଙ୍କ ବଚନେ । ଅକ୍ରୁର କହେ ଶୁଦ୍ଧମନେ ॥ ୬୪

ଅକ୍ରୁର ଉବାଚ

୬୫

ତୁ କୁରୁବଂଶେ ବିଦ୍ୟମାନ । ବିଚିତ୍ରବୀର୍ଯ୍ୟର ନନ୍ଦନ ॥ ୬୬

ପଣ୍ତୁରାଜାର ଅନ୍ତଃକାଳେ । ରାଜା ହୋଇଲୁ କୁରୁକୁଳେ ॥ ୬୭

ଧର୍ମେ ପାଳନ କର ମହୀ । ପ୍ରଜାର ହିତେ ଚିତ୍ତ ଦେଇ ॥ ୬୮

ଶତେକ ପୁତ୍ର ଅଛି ତୋର । ଏ ପଞ୍ଚ ପଣ୍ତୁର କୁମର ॥ ୬୯

ଏହାଙ୍କୁ ଦେଖ ସମ କରି । ଯେବେ ପାଇବୁ ଯଶଶିରୀ ॥ ୭୦

ଏହା ନ କରି ମୂଢ ପ୍ରାୟେ । ଯେବେ ବୁଡ଼ିବୁ ମାୟାମୋହେ ॥ ୭୧

ଅଧର୍ମ କରି ଇହଲୋକେ । ଅନ୍ତେ ତୁ ପଡ଼ିବୁ ନରକେ ॥ ୭୨

ଏ ଯେ ପଣ୍ତୁର ପାଞ୍ଚପୁଅ । ତୋହର ଶତେକ ତନୟ ॥ ୭୩

ଏଣେ ସମାନଚିତ୍ତ କର । ତୋତେ ରଖିବେ ଦାମୋଦର ॥ ୭୪

ଏ ଭବ ମଧ୍ୟେ ଯେତେ ଜନ । ନିତ୍ୟେ ନ ଥାନ୍ତି ଏକ ସ୍ଥାନ ॥ ୭୫

ଏ ଦେହ ମଧ୍ୟେ ନରହରି । ସମେ ଅଛନ୍ତି ସେହୁ ପୂରି ॥ ୭୬

ନିଜ ଶରୀର ନ ରହଇ । ପୁତ୍ର କଳତ୍ର ଆର କାହିଁ ॥ ୭୭

ଏ ଜୀବ ଆତ୍ମା ଏକ ହୋଇ । ନାନା ଯୋନିରେ ଦେହ ବହି ॥ ୭୮

କର୍ମବିପାକେ ଛାଡେ଼ ଦେହ । ନିତ୍ୟେ କଳ୍ପିତ ମାୟାମୋହ ॥ ୭୯

ଭୁଞ୍ଜଇ ଦୁଃଖ ସୁଖ ଫଳେ । ଏକା ଭ୍ରମଇଁ ଅନ୍ତଃକାଳେ ॥ ୮୦

ଅଧର୍ମେ ସଂଚଇ ଯେ ଧନ । ତାର ବିଯୋଗେ ଭୁଞ୍ଜେ ଆନ ॥ ୮୧

ଅଧର୍ମ ମାର୍ଗେ ମୂଢପ୍ରାଣୀ । ଧନ ସଂଚଇ ଗୃହେ ଆଣି ॥ ୮୨

ପୁତ୍ର କଳତ୍ର ବନ୍ଧୁ ଭାଇ । ସଂଚିଲା ଧନ ତାର ଖାଇ ॥ ୮୩

ଯେ ଯାହା ପଥେ ଯାନ୍ତି ବେଗେ । ଦୁଷ୍କୃତ ରହେ ତାର ସଙ୍ଗେ ॥ ୮୪

ମୋର କୁଟୁମ୍ବ ବୋଲି ମୋହେ । ଅଧର୍ମ କରି ନିଜ ଦେହେ ॥ ୮୫

ଧନ ସଂଚଇ କରି ପୋଷେ । ସେ କାହିଁଥିବେ ତାର ପାଶେ ॥ ୮୬

ବିଷ୍ଣୁର ମାୟାବଳେ ଭ୍ରାନ୍ତି । ଅନାଥ କରି ଛାଡ଼ିଯାନ୍ତି ॥ ୮୭

ଧନ ଜୀବନ ଦାରା ସୁତ । ଆବୋରି ଆପଣାର ପଥ ॥ ୮୮

ଏ ମୋହମାୟାକୁ ଆବୋରି । ଯେ ବୋଲେ ମୋହରି ମୋହରି ॥ ୮୯

ତାହାକୁ ବୋଲି ଅପଣ୍ତିତ । ସଂଚିତ-ପାପେ ହୋଏ ଗ୍ରସ୍ତ ॥ ୯୦

ପଡ଼ଇ ଅନ୍ଧକାର ତମେ । ମହାନରକେ ଅତିଶ୍ରମେ ॥ ୯୧

ସ୍ୱଧର୍ମେ ଛାଡ଼ିଲେ ଏମନ୍ତ । ଏ ବେଦପୁରୁଷଙ୍କ ମତ ॥ ୯୨

ସ୍ୱପ୍ନର ପ୍ରାୟ ଏ ଜଗତ । ଭ୍ରମଇଁ ମାୟା-ମନୋରଥ ॥ ୯୩

ତୁ ମହାପୁରୁଷଙ୍କ ଅଂଶ । କିମ୍ପାଇଁ ହେଉ ବୁଦ୍ଧିଭ୍ରଂଶ ॥ ୯୪

ମାୟାକୁ ଆତ୍ମଜ୍ଞାନେ ଭେଦି । ଚଞ୍ଚଳ ଇନ୍ଦ୍ରିୟ ନିରୋଧି ॥ ୯୫

ସମଦୃଷ୍ଟିରେ ଶାନ୍ତି ଭଜ । ତୁ କୁରୁବଂଶେ ମହାରାଜ ॥ ୯୬

ଏମନ୍ତେ ଅକ୍ରୂରର ବାଣୀ । ବୋଲଇ ଧୃତରାଷ୍ଟ୍ର ଶୁଣି ॥ ୯୭

ଧୃତରାଷ୍ଟ୍ର ଉବାଚ

ଅକ୍ରୂର କହୁଅଛୁ ଯେତେ । ଅମୃତପ୍ରାୟ ମଣେ ଚିତ୍ତେ ॥ ୯୮

ମନୁଷ୍ୟ ପାଇ ସୁଧାରସ । ପିବନ୍ତେ ମନ ନୋହେ ତୋଷ ॥ ୯୯

ଦରିଦ୍ର ପାଇ ଯେହ୍ନେ ଧନ । ତୋଷ ନୋହଇ ତାର ମନ ॥ ୧୦୦

ତୋର ବଚନ ସେହିମତ । ଶୁଣି ଚଞ୍ଚଳ ମୋର ଚିତ୍ତ ॥ ୧୦୧

ତୋ ବାଣୀ ନ ରହେ ମୋ ମନେ । ମେଘେ ବିଜୁଳିରୂପ ଯେହ୍ନେ ॥ ୧୦୨

ପୁତ୍ରର ଅନୁରାଗେ ଚିତ୍ତ । ଈଶ୍ୱରମାୟାରେ ମୋହିତ ॥ ୧୦୩

ଏମନ୍ତ ଗୋବିନ୍ଦର ମାୟା । ଅନ୍ୟଥା କେ କରିବ ତାହା ॥ ୧୦୪

ଅବନୀଭାରେ ଭାବଗ୍ରାହୀ । ଯାଦବବଂଶେ ଜାତ ହୋଇ ॥ ୧୦୫

ଏ କଥା ତାହାର ଭିଆଣ । ଅକ୍ରୁର ସ୍ଥିରମନେ ଶୁଣ ॥ ୧୦୬

ବିଷ୍ଣୁର ମାୟା ମହିମା । କେ ଜାଣିପାରେ ତାର ସୀମା ॥ ୧୦୭

ସେ ମାୟାବଳେ ଗୁଣ ତିନି । ଆପଣେ ଭ୍ରମେ ନାନାଯୋନି ॥ ୧୦୮

ଜୀବନରୂପେ ତହିଁ ପଶି । ଭୁଞ୍ଜଇ କର୍ମଫଳ ବସି ॥ ୧୦୯

ପରମ ଭିନ୍ନରୂପେ ଥାଇ । କରନ୍ତା କର୍ମ ନ ଲାଗଇ ॥ ୧୧୦

ଏମନ୍ତ ମହିମା ତାହାର । ମୁଁ କିସ କହିବି ପାମର ॥ ୧୧୧

ତାହାର କ୍ରୀଡ଼ା ଏ ଜଗତ । କେ ଜାଣିପାରେ ତାର ମତ ॥ ୧୧୨

ସଂସାର ଚକ୍ରଗତି କରି । ମାୟାର ବଳେଛନ୍ତି ଧରି ॥ ୧୧୩

ତାହାଙ୍କୁ ମୋର ନମସ୍କାର । ଛାମୁରେ କହିବୁ ଅକ୍ରୂର ॥ ୧୧୪

ଏମନ୍ତ ରାଜାର ବଚନେ । ଅକ୍ରୂର ଶୁଣି ତୋଷମନେ ॥ ୧୧୫

ବନ୍ଧୁବାନ୍ଧବ ପାଦେ ଲାଗି । କର ପ୍ରସାରି ଆଜ୍ଞା ମାଗି ॥ ୧୧୬

ପାଇଣ ଅକ୍ଷତ ବେଭାର । ମିଳିଲା ପାଣ୍ତବଙ୍କ ପୁର ॥ ୧୧୭

କୁନ୍ତୀଦେବୀଙ୍କି ଆଜ୍ଞା ମାଗି । ରଥ ଚଢିଣ ଚଳେ ବେଗି ॥ ୧୧୮

ପବନୁଁ ବେଗେ ଗତି ଯାନ । ସ୍ୱର୍ଗେ ଦେଖନ୍ତି ଦେବଗଣ ॥ ୧୧୯

ମଥୁରା ଗଲା ତତକ୍ଷଣ । ଦେଖିଲା ଗୋବିନ୍ଦଚରଣ ॥ ୧୨୦

ରାମର ପାଦେ ହସ୍ତ ଦେଇ । ବନ୍ଧୁକୁଶଳ କଥା କହି ॥ ୧୨୧

ପଣ୍ତୁବାଳକେ ରାଜା ଚିତ୍ତ । ବକ୍ରବେଭାର ବିପରୀତ ॥ ୧୨୨

ଶୁଣି ହସିଲେ ଭଗବାନ । ଅକ୍ରୂର ମୁଖେ ଅବଧାନ ॥ ୧୨୩

ସେ ରାମକୃଷ୍ଣ ପାଦେ ଚିତ୍ତ । ନମଇଁ ଦାସ ଜଗନ୍ନାଥ ॥ ୧୨୪

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ତ୍ରିପଞ୍ଚାଶତ୍ ଅଧ୍ୟାୟଃ ॥

* * *