ଦଶମ ସ୍କନ୍ଧ
ତ୍ରିପ୍ରପଞ୍ଚାଶତ ଅଧ୍ୟାୟ
ଶୁକ ଉବାଚ
ଶୁଣ ହୋ ରାଜା ପରୀକ୍ଷିତ । ଅକ୍ରୁର ଚଢି ଦିବ୍ୟରଥ ॥ ୧
ଗୋବିନ୍ଦ ଆଜ୍ଞା ପରମାଣେ । ଅକ୍ରୁର ଗଲା ତତ୍କ୍ଷଣେ ॥ ୨
ବିମାନେ ବସି କୁତୁହଳେ । ମିଳିଲା ହସ୍ତିନା ମଣ୍ତଳେ ॥ ୩
କୃଷ୍ଣ ବିମାନ ପ୍ରାୟ ଦିଶି । ସକଳ ଲୋକେ ପରଶଂସି ॥ ୪
ରଥୁଁ ଓହ୍ଲାଇ ଭୂମିତଳେ । ମିଳିଲା ଯାଇ କୁରୁମେଳେ ॥ ୫
ରାଜନ ବସି ସଭାତଳେ । ବନ୍ଧୁବାନ୍ଧବ ଘେନି ମେଳେ ॥ ୬
ପରମ ହରଷେ ବସିଲା । ଶ୍ରୀରାମ ଗୋବିନ୍ଦ ଭାଷିଲା ॥ ୭
ତଦନ୍ତେ ଅକ୍ରୁର ହରଷ । ଦେଖଇ କୁରୁଙ୍କର ଦେଶ ॥ ୮
ଭୀଷ୍ମ ବିଦୁର ସଙ୍ଗେ ନୃପ । ଗାନ୍ଧାରୀ କୁନ୍ତୀ ଦ୍ରୋଣ କୃପ ॥ ୯
ରବିକୁମର ଦୁର୍ଯୋଧନ । ଦ୍ରୋଣନନ୍ଦନ ଦୁଃଶାସନ ॥ ୧୦
ପଣ୍ତୁର ପଞ୍ଚପୁତ୍ର ଦେଖି । ଅଶ୍ରୁପୂରିତ କଲା ଆଖି ॥ ୧୧
ଅକ୍ରୁର ଦେଖି ଜଣେ ଜଣ । ଆନନ୍ଦେ କରି ଆଲିଙ୍ଗନ ॥ ୧୨
ବନ୍ଧୁ କୁଶଳ ପଚାରିଲେ । ଆନନ୍ଦେ ଅକ୍ରୁରର ତୁଲେ ॥ ୧୩
ଅକ୍ରୁର ବିଚାରଇ ମନେ । ବିଶ୍ୱାସ ଜାଣିବି କେସନେ ॥ ୧୪
ସ୍ୱାମୀ ମରଣେ ଅଶ୍ରୁମୁଖୀ । ପଞ୍ଚବାଳକ ଘେନି ଦୁଃଖି ॥ ୧୫
କୁନ୍ତୀ ଯେ ଅଛି ଏହା ପୁରେ । କି ଅବା ବିଚାରେ ମନରେ ॥ ୧୬
ନିରତେ ଖଳ ବୁଦ୍ଧିହୀନ । ଅନ୍ଧ ସ୍ୱଭାବେ ହତଜ୍ଞାନ ॥ ୧୭
ଶତେକୁମର ପାଞ୍ଚମେଳେ । ସମେ କି ଦେଖିବ କୁଶଳେ ॥ ୧୮
ପଣ୍ତୁପୁତ୍ରଙ୍କ ଗୁଣ ଯେତେ । ଅନ୍ଧ ନ ସହେ ହୃଦଗତେ ॥ ୧୯
ତେଜ ପ୍ରତାପ କ୍ଷତ୍ରିବୃତ୍ତ । ରାଜନ୍ୟ ଷଡ଼ଗୁଣ ଯୁକ୍ତ ॥ ୨୦
ଏ ଆଦି ପ୍ରଜା ଅନୁରାଗ । ଦେଖି ପାଇଲା ଉଦ୍ବେଗ ॥ ୨୧
ମାରିବା ପାଇଁ ବିଚାରିଲେ । କପଟେ ବିଷଲଡ଼ୁ ଦେଲେ ॥ ୨୨
ଏ ଆଦି ଯେତେକ ବେଭାର । ଏକାନ୍ତେ କହିଲେ ବିଦୁର ॥ ୨୩
କୁନ୍ତୀ କହିଲା ସେହି ମତ । ଶୁଣି ଅକ୍ରୁର ଦୁଃଖଚିତ୍ତ ॥ ୨୪
କୁନ୍ତ୍ରୀ ଅକ୍ରୁର ମୁଖ ଚାହିଁ । ବୋଲଇ ଶୋକଭର ହୋଇ ॥ ୨୫
କାନ୍ଦନ୍ତି ଅଧର କମ୍ପାଇ । ଜନ୍ମମନ୍ଦିର ସୁମରଇ ॥ ୨୬
ହେ ଭ୍ରାତ ଶୁଣ ମୋ ଉତ୍ତର । ତାତ ଜନନୀ ଯେ ମୋହର ॥ ୨୭
ଭାଇ ଭଗିନୀ ବନ୍ଧୁ ନାରୀ । ସଖା ସୁହୃଦ ଆଦି କରି ॥ ୨୮
ଯେତେ ଅଛନ୍ତି ସହୋଦର । ଚିନ୍ତା କରନ୍ତିଟିକି ମୋର ॥ ୨୯
ସ୍ୱାମୀ ମରଣେ ଦୁଃଖ ପାଇ । ପଞ୍ଚବାଳକ କୋଳେ ଲଇଁ ॥ ୩୦
ଏହାଙ୍କ ଘରେ ବନ୍ଦୀ ପ୍ରାୟେ । ଦେଖ ଦୁଃଖିତ ମୋର ପୋଏ ॥ ୩୧
ଅର୍ଜିଲା କର୍ମ ଏ ମୋହର । କିସ କରିବି ସହୋଦର ॥ ୩୨
ମୋହର ଭ୍ରାତା ବସୁଦେବ । ଯାହାର ସୁତ ବାସୁଦେବ ॥ ୩୩
ସେ କୃଷ୍ଣ ଶରଣସୋଦର । ଭକତବନ୍ଧୁ ବାନା ତାର ॥ ୩୪
ପିତୃ-ଭଗିନୀ-ସୁତ କଥା । ସେ ନାଥ କରଇ କି ଚିନ୍ତା ॥ ୩୫
ପଦ୍ମଲୋଚନ ହଳଧର । ତାରେ ଶରଣ ମୋ କୁମର ॥ ୩୬
ଶତ୍ରୁଙ୍କ ମଧ୍ୟେ ମୋର ବାସ । କୁରୁ କୁଟୁମ୍ବେ ଅବିଶ୍ୱାସ ॥ ୩୭
ଶାର୍ଦ୍ଦୂଳ ମଧ୍ୟେ ମୃଗ ଥାଇ । ସେ ଯେହ୍ନେ ପଥ ନ ଜାଣଇ ॥ ୩୮
ମୋର ବାଳକେ ପିତୃହୀନ । ଏମନ୍ତ ମୋହର ଜୀବନ ॥ ୩୯
ସେ କୃଷ୍ଣ ମୋର ଘରେ ଆସି । କୋମଳ ବଚନେ ଆଶ୍ୱାସି ॥ ୪୦
ଶାନ୍ତି କରିବ ମୋର ପ୍ରାଣ । ତା ପାଦେ ପଶିଲି ଶରଣ ॥ ୪୧
ସେ କୃଷ୍ଣ ମହାଯୋଗେଶ୍ୱର । ବିଶ୍ୱପାଳକ ଦାମୋଦର ॥ ୪୨
ପଞ୍ଚବାଳକ ମୋର ନେବି । ମୁଁ ତାରେ ଶରଣ ପଶିବି ॥ ୪୩
ମୃତ୍ୟୁ ସଂସାର ଭୟେ ଜନେ । ଭାଳନ୍ତି ପାଇ ଖେଦମନେ ॥ ୪୪
ପଶଇ ଯେବେ ତାର ପାଦେ । ତେବେ ବଂଚଇ ଅପ୍ରମାଦେ ॥ ୪୫
ତା ପାଦୁଁ ଆନଠାବ ନାହିଁ । ଏମନ୍ତ ପ୍ରାୟ ମୁଁ ମଣଇ ॥ ୪୬
ନମସ୍ତେ କୃଷ୍ଣ ଶୁଦ୍ଧଦେହୀ । ଜୀବ ପରମଆତ୍ମା ତୁହି ॥ ୪୭
ଯଜ୍ଞସ୍ୱରୂପ ଯୋଗେଶ୍ୱର । ଭୋ ନାଥ ଶରଣ ମୁଁ ତୋର ॥ ୪୮
ଏମନ୍ତ ସୁମନେ ସୁମରି । କୃଷ୍ଣଚରଣେ ଧ୍ୟାନ କରି ॥ ୪୯
କାନ୍ଦେ ଅକ୍ରୁର ମୁଖ ଚାହିଁ । ପରୀକ୍ଷ ତୋ ପ୍ରପିତାମହୀ ॥ ୫୦
ପାଣ୍ତବଜନନୀ ରୋଦନ । ଶୁଣି ଅକ୍ରୁର ଖେଦମନ ॥ ୫୧
ନିକଟେ ବସିଲା ଅକ୍ରୁର । କହଇ ହୋଇ ଚିନ୍ତାଭର ॥ ୫୨
ଭୋ ମାତ ସାବଧାନେ ଶୁଣ । ତୋହର ପୁତ୍ରଙ୍କର ଗୁଣ ॥ ୫୩
ଧର୍ମ ପବନ ସୁନାସୀର । ବିବୁଧ ଅଶ୍ୱିନୀ କୁମାର ॥ ୫୪
ଏହାଙ୍କ ଅଂଶେ ଜାତ ହୋଇ । ଭାରା ନିବାରେ ପାଞ୍ଚଭାଇ ॥ ୫୫
ଅନାଦି ବିଷ୍ଣୁ ଯାର ବନ୍ଧୁ । ଏହା ନ ବୁଝି କିମ୍ପା କାନ୍ଦୁ ॥ ୫୬
ଏମନ୍ତ କହି କଲେ ଶାନ୍ତି । ଶୁଣି ହରଷ ହେଲେ କୁନ୍ତୀ ॥ ୫୭
ଅକ୍ରୁର ବିଚାରଇ ଚିତ୍ତେ । ଏଥେ ରହିବି ଦିନାକେତେ ॥ ୫୮
ବୁଝିବି ରାଜାର ବେଭାର । ତେବେ ମୁଁ ଯିବି ନିଜପୁର ॥ ୫୯
ଏମନ୍ତ ମନେ ବିଚାରଇ । ବିଦୁର ହସ୍ତେ ହସ୍ତ ଦେଇ ॥ ୬୦
ତକ୍ଷଣେ ଅକ୍ରୁର ବିଦୁର । ମିଳିଲେ ନୃପତି ଛାମୁର ॥ ୬୧
ପୁତ୍ରଲାଳସେ କୁରୁପ୍ତି । ବିଷମ ଦମ୍ଭ ତାର ମତି ॥ ୬୨
ବନ୍ଧୁ ସୁହୃଦେ ମଧ୍ୟେ ଥାଇ । ଅକ୍ରୁର ବୋଲେ ଅନ୍ଧେ ଚାହିଁ ॥ ୬୩
ରାମଗୋବିନ୍ଦଙ୍କ ବଚନେ । ଅକ୍ରୁର କହେ ଶୁଦ୍ଧମନେ ॥ ୬୪
ଅକ୍ରୁର ଉବାଚ
୬୫ତୁ କୁରୁବଂଶେ ବିଦ୍ୟମାନ । ବିଚିତ୍ରବୀର୍ଯ୍ୟର ନନ୍ଦନ ॥ ୬୬
ପଣ୍ତୁରାଜାର ଅନ୍ତଃକାଳେ । ରାଜା ହୋଇଲୁ କୁରୁକୁଳେ ॥ ୬୭
ଧର୍ମେ ପାଳନ କର ମହୀ । ପ୍ରଜାର ହିତେ ଚିତ୍ତ ଦେଇ ॥ ୬୮
ଶତେକ ପୁତ୍ର ଅଛି ତୋର । ଏ ପଞ୍ଚ ପଣ୍ତୁର କୁମର ॥ ୬୯
ଏହାଙ୍କୁ ଦେଖ ସମ କରି । ଯେବେ ପାଇବୁ ଯଶଶିରୀ ॥ ୭୦
ଏହା ନ କରି ମୂଢ ପ୍ରାୟେ । ଯେବେ ବୁଡ଼ିବୁ ମାୟାମୋହେ ॥ ୭୧
ଅଧର୍ମ କରି ଇହଲୋକେ । ଅନ୍ତେ ତୁ ପଡ଼ିବୁ ନରକେ ॥ ୭୨
ଏ ଯେ ପଣ୍ତୁର ପାଞ୍ଚପୁଅ । ତୋହର ଶତେକ ତନୟ ॥ ୭୩
ଏଣେ ସମାନଚିତ୍ତ କର । ତୋତେ ରଖିବେ ଦାମୋଦର ॥ ୭୪
ଏ ଭବ ମଧ୍ୟେ ଯେତେ ଜନ । ନିତ୍ୟେ ନ ଥାନ୍ତି ଏକ ସ୍ଥାନ ॥ ୭୫
ଏ ଦେହ ମଧ୍ୟେ ନରହରି । ସମେ ଅଛନ୍ତି ସେହୁ ପୂରି ॥ ୭୬
ନିଜ ଶରୀର ନ ରହଇ । ପୁତ୍ର କଳତ୍ର ଆର କାହିଁ ॥ ୭୭
ଏ ଜୀବ ଆତ୍ମା ଏକ ହୋଇ । ନାନା ଯୋନିରେ ଦେହ ବହି ॥ ୭୮
କର୍ମବିପାକେ ଛାଡେ଼ ଦେହ । ନିତ୍ୟେ କଳ୍ପିତ ମାୟାମୋହ ॥ ୭୯
ଭୁଞ୍ଜଇ ଦୁଃଖ ସୁଖ ଫଳେ । ଏକା ଭ୍ରମଇଁ ଅନ୍ତଃକାଳେ ॥ ୮୦
ଅଧର୍ମେ ସଂଚଇ ଯେ ଧନ । ତାର ବିଯୋଗେ ଭୁଞ୍ଜେ ଆନ ॥ ୮୧
ଅଧର୍ମ ମାର୍ଗେ ମୂଢପ୍ରାଣୀ । ଧନ ସଂଚଇ ଗୃହେ ଆଣି ॥ ୮୨
ପୁତ୍ର କଳତ୍ର ବନ୍ଧୁ ଭାଇ । ସଂଚିଲା ଧନ ତାର ଖାଇ ॥ ୮୩
ଯେ ଯାହା ପଥେ ଯାନ୍ତି ବେଗେ । ଦୁଷ୍କୃତ ରହେ ତାର ସଙ୍ଗେ ॥ ୮୪
ମୋର କୁଟୁମ୍ବ ବୋଲି ମୋହେ । ଅଧର୍ମ କରି ନିଜ ଦେହେ ॥ ୮୫
ଧନ ସଂଚଇ କରି ପୋଷେ । ସେ କାହିଁଥିବେ ତାର ପାଶେ ॥ ୮୬
ବିଷ୍ଣୁର ମାୟାବଳେ ଭ୍ରାନ୍ତି । ଅନାଥ କରି ଛାଡ଼ିଯାନ୍ତି ॥ ୮୭
ଧନ ଜୀବନ ଦାରା ସୁତ । ଆବୋରି ଆପଣାର ପଥ ॥ ୮୮
ଏ ମୋହମାୟାକୁ ଆବୋରି । ଯେ ବୋଲେ ମୋହରି ମୋହରି ॥ ୮୯
ତାହାକୁ ବୋଲି ଅପଣ୍ତିତ । ସଂଚିତ-ପାପେ ହୋଏ ଗ୍ରସ୍ତ ॥ ୯୦
ପଡ଼ଇ ଅନ୍ଧକାର ତମେ । ମହାନରକେ ଅତିଶ୍ରମେ ॥ ୯୧
ସ୍ୱଧର୍ମେ ଛାଡ଼ିଲେ ଏମନ୍ତ । ଏ ବେଦପୁରୁଷଙ୍କ ମତ ॥ ୯୨
ସ୍ୱପ୍ନର ପ୍ରାୟ ଏ ଜଗତ । ଭ୍ରମଇଁ ମାୟା-ମନୋରଥ ॥ ୯୩
ତୁ ମହାପୁରୁଷଙ୍କ ଅଂଶ । କିମ୍ପାଇଁ ହେଉ ବୁଦ୍ଧିଭ୍ରଂଶ ॥ ୯୪
ମାୟାକୁ ଆତ୍ମଜ୍ଞାନେ ଭେଦି । ଚଞ୍ଚଳ ଇନ୍ଦ୍ରିୟ ନିରୋଧି ॥ ୯୫
ସମଦୃଷ୍ଟିରେ ଶାନ୍ତି ଭଜ । ତୁ କୁରୁବଂଶେ ମହାରାଜ ॥ ୯୬
ଏମନ୍ତେ ଅକ୍ରୂରର ବାଣୀ । ବୋଲଇ ଧୃତରାଷ୍ଟ୍ର ଶୁଣି ॥ ୯୭
ଧୃତରାଷ୍ଟ୍ର ଉବାଚ
ଅକ୍ରୂର କହୁଅଛୁ ଯେତେ । ଅମୃତପ୍ରାୟ ମଣେ ଚିତ୍ତେ ॥ ୯୮
ମନୁଷ୍ୟ ପାଇ ସୁଧାରସ । ପିବନ୍ତେ ମନ ନୋହେ ତୋଷ ॥ ୯୯
ଦରିଦ୍ର ପାଇ ଯେହ୍ନେ ଧନ । ତୋଷ ନୋହଇ ତାର ମନ ॥ ୧୦୦
ତୋର ବଚନ ସେହିମତ । ଶୁଣି ଚଞ୍ଚଳ ମୋର ଚିତ୍ତ ॥ ୧୦୧
ତୋ ବାଣୀ ନ ରହେ ମୋ ମନେ । ମେଘେ ବିଜୁଳିରୂପ ଯେହ୍ନେ ॥ ୧୦୨
ପୁତ୍ରର ଅନୁରାଗେ ଚିତ୍ତ । ଈଶ୍ୱରମାୟାରେ ମୋହିତ ॥ ୧୦୩
ଏମନ୍ତ ଗୋବିନ୍ଦର ମାୟା । ଅନ୍ୟଥା କେ କରିବ ତାହା ॥ ୧୦୪
ଅବନୀଭାରେ ଭାବଗ୍ରାହୀ । ଯାଦବବଂଶେ ଜାତ ହୋଇ ॥ ୧୦୫
ଏ କଥା ତାହାର ଭିଆଣ । ଅକ୍ରୁର ସ୍ଥିରମନେ ଶୁଣ ॥ ୧୦୬
ବିଷ୍ଣୁର ମାୟା ମହିମା । କେ ଜାଣିପାରେ ତାର ସୀମା ॥ ୧୦୭
ସେ ମାୟାବଳେ ଗୁଣ ତିନି । ଆପଣେ ଭ୍ରମେ ନାନାଯୋନି ॥ ୧୦୮
ଜୀବନରୂପେ ତହିଁ ପଶି । ଭୁଞ୍ଜଇ କର୍ମଫଳ ବସି ॥ ୧୦୯
ପରମ ଭିନ୍ନରୂପେ ଥାଇ । କରନ୍ତା କର୍ମ ନ ଲାଗଇ ॥ ୧୧୦
ଏମନ୍ତ ମହିମା ତାହାର । ମୁଁ କିସ କହିବି ପାମର ॥ ୧୧୧
ତାହାର କ୍ରୀଡ଼ା ଏ ଜଗତ । କେ ଜାଣିପାରେ ତାର ମତ ॥ ୧୧୨
ସଂସାର ଚକ୍ରଗତି କରି । ମାୟାର ବଳେଛନ୍ତି ଧରି ॥ ୧୧୩
ତାହାଙ୍କୁ ମୋର ନମସ୍କାର । ଛାମୁରେ କହିବୁ ଅକ୍ରୂର ॥ ୧୧୪
ଏମନ୍ତ ରାଜାର ବଚନେ । ଅକ୍ରୂର ଶୁଣି ତୋଷମନେ ॥ ୧୧୫
ବନ୍ଧୁବାନ୍ଧବ ପାଦେ ଲାଗି । କର ପ୍ରସାରି ଆଜ୍ଞା ମାଗି ॥ ୧୧୬
ପାଇଣ ଅକ୍ଷତ ବେଭାର । ମିଳିଲା ପାଣ୍ତବଙ୍କ ପୁର ॥ ୧୧୭
କୁନ୍ତୀଦେବୀଙ୍କି ଆଜ୍ଞା ମାଗି । ରଥ ଚଢିଣ ଚଳେ ବେଗି ॥ ୧୧୮
ପବନୁଁ ବେଗେ ଗତି ଯାନ । ସ୍ୱର୍ଗେ ଦେଖନ୍ତି ଦେବଗଣ ॥ ୧୧୯
ମଥୁରା ଗଲା ତତକ୍ଷଣ । ଦେଖିଲା ଗୋବିନ୍ଦଚରଣ ॥ ୧୨୦
ରାମର ପାଦେ ହସ୍ତ ଦେଇ । ବନ୍ଧୁକୁଶଳ କଥା କହି ॥ ୧୨୧
ପଣ୍ତୁବାଳକେ ରାଜା ଚିତ୍ତ । ବକ୍ରବେଭାର ବିପରୀତ ॥ ୧୨୨
ଶୁଣି ହସିଲେ ଭଗବାନ । ଅକ୍ରୂର ମୁଖେ ଅବଧାନ ॥ ୧୨୩
ସେ ରାମକୃଷ୍ଣ ପାଦେ ଚିତ୍ତ । ନମଇଁ ଦାସ ଜଗନ୍ନାଥ ॥ ୧୨୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ତ୍ରିପଞ୍ଚାଶତ୍ ଅଧ୍ୟାୟଃ ॥
* * *