ଦଶମ ସ୍କନ୍ଧ

ଦ୍ୱିପଞ୍ଚାଶତ୍ ଅଧ୍ୟାୟ

କହନ୍ତି ବ୍ୟାସଙ୍କ ନନ୍ଦନ । ଗୋବିନ୍ଦପାଦେ ଦେଇ ମନ ॥

ଶୁକ ଉବାଚ

ଏବେ ହୋ ଶୁଣ ନରନାଥ । ଭକତ ବତ୍ସଳ ଅନନ୍ତ ॥

ମଥୁରାଦାଣ୍ତେ ଗନ୍ଧ ଘେନି । କୁବୁକା ନାମେ ଯେ କାମିନୀ ॥

କୃଷ୍ଣଙ୍କୁ ମାଗିଥିଲା ବର । ଭୋ ନାଥ ଯିବୁ ମୋର ପୁର ॥

ତାହାର ଭାବ ହୃଦେ ବହି । କରୁଣାସିନ୍ଧୁ ଭାବଗ୍ରାହୀ ॥

ଉଦ୍ଧବ ସଙ୍ଗେ ବିଜେକଲେ । କୁବୁଜା ଭୁବନେ ମିଳିଲେ ॥

ଗୋବିନ୍ଦ ଆଗମନ ଆଶେ । ଗୃହ ମଣ୍ତିଛି ମନତୋଷ ॥

ସୁନ୍ଦର ଗୃହ ଉପହାର । କି ଅବା ଦେବା ପଟାନ୍ତର ॥

ସୁଗନ୍ଧ ଧୂପଦୀପ ବାସ । ଅମୂଲ୍ୟମଣିରତ୍ନ ତ୍ରାସ ॥

ଗନ୍ଧ ଚନ୍ଦନ ପରିମଳ । ପବନ ବହଇ ଶୀତଳ ॥ ୧୦

କାମ ଉପାୟ ସନ୍ଦୀପନ । ଦେଖି ମୋହିତ ହୁଏ ମନ ॥ ୧୧

ମୁକୁତା ପ୍ରବାଳ ଖଞ୍ଜଣି । ଉପରେ ଚନ୍ଦ୍ରାତପ ଟାଣି ॥ ୧୨

ରତ୍ନ ପଲଙ୍କେ ଶେଯ ପାଡ଼ି । ରତ୍ନପାଦୁକା ସୁନାପିଢି ॥ ୧୩

ସୁଗନ୍ଧ ଧୂପ ଥୋଇ ତଳେ । ଉପରେ ଲମ୍ବେ ଫୁଲମାଳ ॥ ୧୪

କୃଷ୍ଣ ଆଗମ ପଥ ଚାହିଁ । କୁବୁଜା ଦେହେ ଜ୍ଞାନ ନାହିଁ ॥ ୧୫

ନିମିଷ ଯୁଗପ୍ରାୟ ମଣି । ରଜନୀ ଦିବସ ନ ଗଣି ॥ ୧୬

ଜାଣିଣ ପ୍ରଭୁ ନାରାୟଣ । ବିଜୟ କଲେ ତା ଭୁବନ ॥ ୧୭

ହରିଙ୍କି ନିଜ ଦ୍ୱାରେ ଦେଖି । ସଂଭ୍ରମେ ଆସନ ଉପେକ୍ଷି ॥ ୧୮

ସଙ୍ଗତେ ଘେନି ସଖୀଗଣ । ପୂଜିଲା ଗୋବିନ୍ଦ ଚରଣ ॥ ୧୯

ରତ୍ନପାଦୁକା ତଳେ ଥୋଇ । ସୁତୀର୍ଥ ଜଳେ ପାଦ ଧୋଇ ॥ ୨୦

ଝୀନବସନେ ପାଦ ପୋଛି । ନିଜ ମଥାରେ ଗର୍ଭେ ସିଞ୍ଚି ॥ ୨୧

ଅର୍ଘ୍ୟ ଆଚମନେ ତୋଷଇ । ଅଧରେ ମଧୁରସ ଦେଇ ॥ ୨୨

ଏମନ୍ତେ କୃଷ୍ଣଙ୍କୁ ପୂଜିଲା । ଉଦ୍ଦବ ନିକଟେ ମିଳିଲା ॥ ୨୩

ବିବିଧ ମତେ ଉପହାରେ । ପୂଜିଲା ଉଦ୍ଧବ ପୟରେ ॥ ୨୪

ରତ୍ନଆସନ ତଳେ ଥୋଇ । କୁବୁଜା ଗଲା ଭୋଳ ହୋଇ ॥ ୨୫

ଉଦ୍ଧବ ହରଷ ବଦନ । ଚରଣେ ଚାଲିଲା ଆସନ ॥ ୨୬

ଏକାନ୍ତେ ଭୂମିରେ ବସିଲା । କୃଷ୍ଣଚରଣେ ମନ ଦେଲା ॥ ୨୭

କୁବୁଜା ଗୃହ ମଧ୍ୟେ ଯାଇ । କୃଷ୍ଣଙ୍କୁ ପଲଙ୍କେ ବସାଇ ॥ ୨୮

ତାହାର ଭାବେ ବଶ ହରି । ରତ୍ନପଲଙ୍କେ ବିଜେକରି ॥ ୨୯

ଅଶେଷ ବ୍ରହ୍ମାଣ୍ତ ଠାକୁର । କପଟେ ମନୁଷ୍ୟ ବେଭାର ॥ ୩୦

କୁବୁଜା କୁଙ୍କୁମ ଲେପିଣ । ତକ୍ଷଣେ ସାରିଲା ସ୍ନାହାନ ॥ ୩୧

ଝୀନ ବସନ ରତ୍ନସାର । ଘେନିଣ ନାନା ଅଳଙ୍କାର ॥ ୩୨

ହୃଦେ ଚନ୍ଦନ କଣ୍ଠେ ହାର । ତାମ୍ବୁଳେ ସୁରଙ୍ଗ ଅଧର ॥ ୩୩

ସୁଧା ଆସବ ପାନ କଲା । ଗୋବିନ୍ଦ ଛାମୁରେ ମିଳିଲା ॥ ୩୪

ହାସବଦନେ କାମବତୀ । କଟାକ୍ଷେ ମୋହିଲା ଶ୍ରୀପତି ॥ ୩୫

କୁବୁଜା ଚାହିଁ ବନମାଳୀ । ଡାକନ୍ତି ବେନିଭୁଜ ତୋଳି ॥ ୩୬

ନବସଙ୍ଗମେ ଲାଜ ପାଇ । କୁବୁଜା ନ ପାରଇ ଯାଇ ॥ ୩୭

ସଂକୋଚେ ଗମନ ସଧୀରେ । ରତ୍ନକଙ୍କଣ ବେନିକରେ ॥ ୩୮

ମାୟା ମୋହିଲେ ଭାବଗ୍ରାହୀ । ଲାଜ ଛାଡ଼ିଲା କୃଷ୍ଣେ ଚାହିଁ ॥ ୩୯

ଗୋବିନ୍ଦ ଭୁଜେ ଭୁଜ ଦେଇ । ପଲଙ୍କେ ବସାଇଲେ ନେଇ ॥ ୪୦

କୁବୁଜା କୃଷ୍ଣେ ଘେନି କୋଳେ । ଗନ୍ଧ ଲେପିଲା ପୂଣ୍ୟବଳେ ॥ ୪୧

ରମିଲେ କମଳାର ବର । ଅଶେଷ ବ୍ରହ୍ମାଣ୍ତ ଠାକୁର ॥ ୪୨

କୁବୁଜା କାମଭୋଳେ କରି । କୃଷ୍ଣ ଚରଣ କରେ ଧରି ॥ ୪୩

ଚକ୍ଷୁ ହୃଦୟ କୁଚ ଭରେ । ଆଘ୍ରାଣ କଲା ନାସାଦ୍ୱାରେ ॥ ୪୪

ଯେତେ କଳୁଷ ଦେହେ ଥିଲା । ଗୋବିନ୍ଦ ଚରଣେ ମାଜିଲା ॥ ୪୫

ନିର୍ଭରେ ବେନିଭୁଜ ତୋଳି । ହୃଦେ ଲଗାଇ ବନମାଳୀ ॥ ୪୬

ଆନନ୍ଦ ରୂପ ଭଗବାନ । ନିବିଡେ କଲା ଆଲିଙ୍ଗନ ॥ ୪୭

ଜନ୍ମୁଁ ସଞ୍ଚିଲା ବହୁ ପାପ । ହେଳେ ଛାଡ଼ିଲା ତିନିତାପ ॥ ୪୮

ଯେ ହରି କଇବଲ୍ୟନାଥ । ଲୋଡ଼ି ନ ପାନ୍ତି ମୁନି ସନ୍ଥ ॥ ୪୯

ତାଙ୍କୁ କୁବୁଜା ଘେନି କୋଳେ । ଗନ୍ଧ ଲେପିଲା ପୁଣ୍ୟବଳେ ॥ ୫୦

ହସି ବୋଇଲେ ନାରାୟଣ । ବର ତୁ ମାଗ ଗୋ ବହନ ॥ ୫୧

ଦେଖ ହୋ ଭାଗ୍ୟବଳ ତାର । କୃଷ୍ଣଙ୍କୁ ମାଗିଲା ସେ ବର ॥ ୫୨

ଭୋ ନାଥ ରହ କିଛିଦିନ । ତୋଷ ନୋହିଲା ମୋର ମନ ॥ ୫୩

ପଦ୍ମଲୋଚନ ତୋର ସଙ୍ଗେ । କ୍ରୀଡା କରିବି ନାନାରଙ୍ଗେ ॥ ୫୪

ମୁିନି କହନ୍ତି ରାଜା ଆଗ । ଦେଖ ଏ କୁବୁଜାର ଭାଗ୍ୟ ॥ ୫୫

ଶୁଣି ସାନନ୍ଦ ଗୋପୀନାଥେ । ତହିଁ ରହିଲେ ଦିନାକେତେ ॥ ୫୬

କାମନା ପୂର୍ଣ୍ଣ କରି ତାର । ତହୁଁ ଚଳିଲେ ଦାମୋଦର ॥ ୫୭

ଅଶେଷ ସୁଖ ଭୋଗ ଦେଇ । ଉଦ୍ଧବ ସଙ୍ଗେ ଭାବଗ୍ରାହୀ ॥ ୫୮

ପ୍ରବେଶ ଆପଣା ମନ୍ଦିର । ଶୁଣ ହୋ କୁବୁଜା ବେଭାର ॥ ୫୯

ଦୁର୍ଲ୍ଲଭ ଯାର ପାଦସେବା । ଲୋଡି ନ ପାନ୍ତି ସୁରଦେବା ॥ ୬୦

ତାହାଙ୍କୁ ତପବଳେ ପାଇ । ବିଷୟସୁଖ ଯେ ଲୋଡ଼ଇ ॥ ୬୧

କୁତ୍ସିତମତି ବୋଲି ତାରେ । ପଡ଼ଇ ଦୁଃଖ ଅନ୍ଧକାରେ ॥ ୬୨

ଅଜ୍ଞାନ ବିପ୍ର ଜଗନ୍ନାଥ । କାହିଁ ପାଇବ କୃଷ୍ଣପଥ ॥ ୬୩

ଶୁଣ ହୋ ଅଭିମନ୍ୟୁ ସୁତ । ମଥୁରା ପୁରେ ଜଗନ୍ନାଥ ॥ ୬୪

ରଜନୀ ଅନ୍ତେ ମନେ ଗୁଣି । ଦୟା ସାଗର ଚକ୍ରପାଣି ॥ ୬୫

କଳ୍ପିତ-କାର୍ଯ୍ୟ ଉପଦେଶେ । ପଣ୍ତୁ ତନୟଙ୍କ ଉଦ୍ଧେଶ୍ୟେ ॥ ୬୬

ଅକ୍ରୁରହିତ ମନେ ଗୁଣି । ରାମ ଉଦ୍ଧବ ସଙ୍ଗେ ଘେନି ॥ ୬୭

ମିଳିଲେ ଅକ୍ରୁର ମନ୍ଦିର । ଦୟାସାଗର ଦାମୋଦର ॥ ୬୮

ନିକଟେ ଦେଖି ବନ୍ଧୁଜନ । ଅକ୍ରୁର ହରଷ ବଦନ ॥ ୬୯

ଆନନ୍ଦେ କୃଷ୍ଣ ସଙ୍ଗ ପାଇ । ନିବିଡେ଼ ଆଲିଙ୍ଗନ ଦେଇ ॥ ୭୦

ପୁଲକେ ଅଶ୍ରୁଜଳ ବହେ । ପ୍ରଣାମ କଲା କୃଷ୍ଣପାୟେ ॥ ୭୧

ରାମର ପାଦେ ପୁଣ ପଡ଼ି । ଉଦ୍ଧବ କର ହୃଦେ ଭିଡ଼ି ॥ ୭୨

ରାମଗୋବିନ୍ଦ ବନ୍ଧୁପଣେ । ନମିଲେ ଅକ୍ରୁର ଚରଣେ ॥ ୭୩

ଅକ୍ରୁର ନିଜ ଘରେ ନେଇ । ଉତ୍ତମ ଆସନେ ବସାଇ ॥ ୭୪

ଜାଣଇ ପୂଜାର ବିଧାନ । ଆନନ୍ଦ ମନେ ଛନଛନ ॥ ୭୫

ସୁବର୍ଣ୍ଣପାତ୍ରେ ଜଳ ନେଇ । ରାମଗୋବିନ୍ଦ ପାଦ ଧୋଇ ॥ ୭୬

ପାଦଉଦକ ଶିରେ ଘେନି । ଭାବେ ବୁଜିଲା ଚକ୍ଷୁ ବେନି ॥ ୭୭

ଦିବ୍ୟବସନ ଗନ୍ଧମାଳେ । ପୂଜିଲା ମଦନଗୋପାଳେ ॥ ୭୮

ମଣିମୁକୁତା ହାର ରଙ୍ଗେ । ମଣ୍ତିଲା ଗୋବିନ୍ଦର ଅଙ୍ଗେ ॥ ୭୯

ରାମଙ୍କୁ ଦେଇ ଅଳଙ୍କାର । ଭାବେ ଯୋଡିଲା ବେନିକର ॥ ୮୦

ଖଟେ ବସାଇ ଦାମୋଦର । ଚରଣ ଚାପଇ ଅକ୍ରୁର ॥ ୮୧

ରାମର ପାଦେ ହସ୍ତ ଦେଇ । ବିଶ୍ୱାସେ ଅକ୍ରୁର ବୋଲଇ ॥ ୮୨

ଅକ୍ରୁର ଉବାଚ

ଭୋ ନାଥ ପ୍ରଭୁ ନାରାୟଣ । ଅଶେଷ ବ୍ରହ୍ମାଣ୍ତ କାରଣ ॥ ୮୩

ପାପିଷ୍ଠ କଂସରାଜା ମଲା । ଆମ୍ଭର କୁଳେ ଭାଗ୍ୟ ଥିଲା ॥ ୮୪

ତାହାର ଭୟେ ଯଦୁବଂଶ । ନିଶ୍ଚୟେ ହେଉଥିଲା ଧ୍ୱଂସ ॥ ୮୫

ତାହାଙ୍କୁ ହେଳେ ନାଶ କଲ । ବୁଡ଼ିଲା ଭେଳା ଉଦ୍ଧରିଲ ॥ ୮୬

ଏ କୁଳ ଏବେ ତ ବଢ଼ିବ । ଅବନିତଳେ ଯଶ ଥିବ ॥ ୮୭

ତୁମ୍ଭେ ଯେ ପ୍ରକୃତିପୁରୁଷ । ଲୀଳା ଏ ସଂସାରେ ପ୍ରବେଶ ॥ ୮୮

ଜଗତ ନାନାରୂପ ହୋଇ । ତୁମ୍ଭ ଶରୀରୁ ପ୍ରକାଶଇ ॥ ୮୯

ଏଣୁ ଜଗତମୟ ନାମା । କି ଅବା କରିବା ଉପମା ॥ ୯୦

କାର୍ଯ୍ୟକାରଣ ବିଚାରଣେ । ତୋ ବିନୁ ନାହିଁ ଅନ୍ୟ ଜଣେ ॥ ୯୧

ତୁମ୍ଭେ ଏ ସଂସାର ଭିଆଇ । ଜୀବ ପରମ ରୂପ ହୋଇ ॥ ୯୨

ଆତ୍ମାର ତେଜ ବଳ ତୁମ୍ଭେ । ପ୍ରବେଶ କ୍ରୀଡ଼ା ଅନୁଭାବେ ॥ ୯୩

ନାନାପ୍ରକାରେ ରୂପହୋଇ । ଏ କଥା ନିଗମ ଜାଣଇ ॥ ୯୪

ସଚରାଚର ଭୂତଯୋନି । ଶବଦ ଆଣି କୂଣ ଘେନି ॥ ୯୫

ବହୁ ପ୍ରକାରେ ପ୍ରକାଶନ୍ତି । ତୁମ୍ଭ ମହିମା ନ ଜାଣନ୍ତି ॥ ୯୬

ଏମନ୍ତ ପ୍ରକାଶ ତୁମ୍ଭର । କେବଳ ଆତ୍ମାଜ୍ଞାନ ସାର ॥ ୯୭

ପ୍ରପଞ୍ଚ ନାନା ରୂପ ହୋଇ । ମାୟାସଂସାରେ ବିହରଇ ॥ ୯୮

ତୁ ପୁଣି ତୋହର ଆୟତ୍ତ । ମାୟାରେ ଭ୍ରମାଉଁ ଜଗତ ॥ ୯୯

ସୃଷ୍ଟି ପାଳନ ସଂହାରଣ । ରଜ ସାତ୍ତ୍ୱିକ ତମଗୁଣ ॥ ୧୦୦

ଏଣୁ ଯେ ତୋର ବନ୍ଧନାହିଁ । ଯେଣୁ ଏହାର ହେତୁ ତୁହି ॥ ୧୦୧

ଉପାଧି ରୂପ ତନୁ ଯାର । ଜନ୍ମ ମରଣ ନାହିଁ ତାର ॥ ୧୦୨

ତରଙ୍ଗ ଯେହ୍ନେ ନାଶ ଯାଇ । ନିଶ୍ଚଳ ଭାବେ ଜଳ ଥାଇ ॥ ୧୦୩

ଗୁଣ ବେଭାର ଯାର ଭେଦ । ତାହାର ଦୁଃଖ ସୁଖେ ଖେଦ ॥ ୧୦୪

ଅଭେଦ ଆତ୍ମା ତୁ ପ୍ରତ୍ୟକ୍ଷ । ତୋହର ନାହିଁ ବନ୍ଧ-ମୋକ୍ଷ ॥ ୧୦୫

ନାହିଁ ତୋହର ଭିନ୍ନ ଭାବ । ଏଣୁ କେ ମହିମା କହିବ ॥ ୧୦୬

ତୋର ବଚନ ଶ୍ରୁତିଗଣ । ସଂସାର-ହିତର କାରଣ ॥ ୧୦୭

ପାଷାଣ୍ତେ ନିଜ ବାଦବଳେ । ବେଦ ନିନ୍ଦନ୍ତି ଯେତେବେଳେ ॥ ୧୦୮

ତୁ ନାଥ ସତ୍ତ୍ୱଗୁଣ ଭଜୁ । ତାହାଙ୍କ ଗର୍ବ ହେଳେ ଗଞ୍ଜୁ ॥ ୧୦୯

ନିନ୍ଦନ୍ତି ନିଜ ଧର୍ମ କର୍ମ । ତୋର ଶରୀର ସର୍ବଧର୍ମ ॥ ୧୧୦

ଈଶ୍ୱର ଆଦି ଦେବ ଯାଏଁ । ନିନ୍ଦା କରନ୍ତି ପଶୁପ୍ରାୟେ ॥ ୧୧୧

ପ୍ରକୃତିପୁରୁଷ ତୁ ଅଟୁ । ସ୍ତିରୀପୁରୁଷ ରୂପେ ଖଟୁ ॥ ୧୧୨

ପାଷାଣ୍ତେ କରନ୍ତି ତା ଭିନ୍ନ । ସର୍ବଶରୀରେ ନାରାୟଣ ॥ ୧୧୩

ଏହା ଯେ ବିଚାର ନ କରେ । ତାହାକୁ ଲେଖିବ ପଶୁରେ ॥ ୧୧୪

ତାହାଙ୍କ ଦର୍ପ କରି ନାଶ । ନରକେ ଦେଉ ତାଙ୍କୁ ବାସ ॥ ୧୧୫

ଏମନ୍ତେ ପ୍ରଭୁ ନରହରି । ଯାଦବ ବଂଶେ ଅବତରି ॥ ୧୧୬

ବସୁଦେବର ଘରେ ନାଥ । ଅଂଶେ ହୋଇଲୁ ଦେହବନ୍ତ ॥ ୧୧୭

ଅବନୀଭାରା ନିବାରଣ । ଅଶେଷ ବ୍ରହ୍ମାଣ୍ତ କାରଣ ॥ ୧୧୮

ଅସୁରବଳ କରି ନାଶ । ଥୋଇବୁ ଯଦୁକୁଳେ ଯଶ ॥ ୧୧୯

ଏମନ୍ତ ମହିମା ତୋହର । ବିଜୟ କଲୁ ମୋର ପୁର ॥ ୧୨୦

ଦେବତା ପିତୃ ଭୂତ ରୂପ । ତୁ ନାଥ ସକଳ ସ୍ୱରୂପ ॥ ୧୨୧

ତୁ ଯହିଁ ହୋଇବୁ ପ୍ରକାଶ । ସେ ଧନ୍ୟ ପୁଣ୍ୟ ଗୃହବାସ ॥ ୧୨୨

ତୋହର ଚରଣ ଉଦକ । ପବିତ୍ର କରେ ତିନିଲୋକ ॥ ୧୨୩

କେଉଁ ପଣ୍ତିତ ତୋ ଚରଣ । ଛାଡ଼ି ଭଜିବ ଆନଜଣ ॥ ୧୨୪

ଭକତପ୍ରିୟ ତୁହି । ସତ୍ୟବଚନ ତୋର ତହିଁ ॥ ୧୨୫

ତୁ ଜୀବଆତ୍ମା ତତ୍ତ୍ୱ ଜାଣୁ । ଶୁଭଅଶୁଭ ପରିମାଣୁ ॥ ୧୨୬

ଭକ୍ତି ଅନୁରୂପେ ଫଳ । ଦେଉ ତୁ ଭକତବତ୍ସଳ ॥ ୧୨୭

ଭାବକୁ ଆତ୍ମା ଦେଉ ତୁହି । ବୃଦ୍ଧି ବିନାଶ ତୋର ନାହିଁ ॥ ୧୨୮

ତୁ ଯେ ସକଳ ମୁକ୍ତିଦାତା । ଭବଜଳଧିରୁ ତାରନ୍ତା ॥ ୧୨୯

ଆମ୍ଭେ ସକଳ ହତଜ୍ଞାନ । କେବଳ ଭାଗ୍ୟେ ଜନାର୍ଦ୍ଦନ ॥ ୧୩୦

ତୋତେ ପାଇଲୁ ପୁଣ୍ୟଫଳେ । ଚିହ୍ନି ନ ପାରୁ ଚର୍ମଡୋଳେ ॥ ୧୩୧

ସକଳ ସୁର ସିଦ୍ଧ ଯତି । ଜାଣି ନ ପାରନ୍ତି ତୋ ଗତି ॥ ୧୩୨

ସୁତ କଳତ୍ର ଧନ ମିତ୍ର । ଗୃହ ବାନ୍ଧବ ବୃତ୍ତି କ୍ଷେତ୍ର ॥ ୧୩୩

ଏ ରୂପେ ତୋର ମାୟାଫାନ୍ଦେ । ବନ୍ଧନେ ଅଛୁଁ ଆମ୍ଭେ ହାଦେ ॥ ୧୩୪

ତୋହର ଅଛି ଯେବେ ଦୟା । ଭୋ ନାଥ ଛେଦ ବେଗେ ଏହା ॥ ୧୩୫

ତୁ ନାଥ ଚଉବର୍ଗଦାତା । ତୋ ତହୁଁ ନାହିଁନା କରତା ॥ ୧୩୬

ତୁ ନାଥ କର ଏଥୁଁ ପାର । ଶରଣ ଗଲି ତୋ ପୟର ॥ ୧୩୭

ଏମନ୍ତ ଅକ୍ରୁରର ବାଣୀ । ଶୁଣି ହସନ୍ତି ଚକ୍ରପାଣି ॥ ୧୩୮

ମୋହିଲେ ଅକ୍ରୁରର ମନ । କୋମଳ ଗଭୀର ବଚନ ॥ ୧୩୯

କହନ୍ତି ପ୍ରଭୁ ଭାବଗ୍ରାହୀ । ମାୟାମୋହନ ନେତ୍ରେ ଚାହିଁ ॥ ୧୪୦

ଭଗବାନ ଉବାଚ

ତୁ ମୋର ଗୁରୁ ପିତାମାତ । ବାନ୍ଧବ ମଧ୍ୟରେ ପୂଜିତ ॥ ୧୪୧

ଆମ୍ଭେ ତୋହର ପୁତ୍ର ଦୁଇ । ତୋର ପୋଷଣେ ଆମ୍ଭ ଦେହୀ ॥ ୧୪୨

ତୋହର ପାଦେ ସେବାକରି । ତେବେ ସେ ଥିବୁ ଦେହ ଧରି ॥ ୧୪୩

ତୋ ପରି ସାଧୁ ସେବାକରି । ତେବେ ସେ ଭବୁ ହୋଇପାରି ॥ ୧୪୪

ଆପଣା ହିତ ସାଧ୍ୟମତେ । ଦେବଦାନବ ଏ ଜଗତେ ॥ ୧୪୫

ଏ ଭାବ ସାଧୁଜନେ ନାହିଁ । ହସି ବୋଲନ୍ତି ଭାବଗ୍ରାହୀ ॥ ୧୪୬

ଜଳେ ପୂରିତ ତୀର୍ଥଗଣ । ଦେବତା ମୃତ୍ତିକା ପାଷାଣ ॥ ୧୪୭

ଏହାଙ୍କୁ ସେବୁଥିଲେ ନିତି । ଅନେକନ କାଳେ ଫଳ ଦ୍ୟନ୍ତି ॥ ୧୪୮

ସାଧୁଙ୍କ ଦରଶନ ମାତ୍ରେ । ଦୂରିତ ନ ରହଇ ଗାେତ୍ରେ ॥ ୧୪୯

ବନ୍ଧୁଙ୍କ ମଧ୍ୟେ ଶ୍ରେଷ୍ଠ ମୋର । ଏବେ ତୁ ମୋ ବଚନ କର ॥ ୧୫୦

ହସ୍ତିନାପୁର ଯାଅ ବେଗେ । କହଇ କଥା ତୋର ଆଗେ ॥ ୧୫୧

ପଣ୍ତୁରାଜାର ପଞ୍ଚସୁତ । ପିତାମରଣେ ଅରକ୍ଷିତ ॥ ୧୫୨

ଅଛନ୍ତି ଧୃତରାଷ୍ଟ୍ରପୁରେ । ବନ୍ଦୀ ଯେସନେ ବନ୍ଦୀଘରେ ॥ ୧୫୩

ଅମ୍ବିକାସୁତ ଚକ୍ଷୁହୀନ । ତାହାର ପୁତ୍ର ଦୁର୍ଯ୍ୟୋଧନ ॥ ୧୫୪

ଶତେକ ପୁତ୍ର ମଧ୍ୟେ ଶ୍ରେଷ୍ଠ । ଉଗ୍ରସ୍ୱଭାବ ମହାଦୁଷ୍ଟ ॥ ୧୫୫

ରାଜା ତାହାରେ ବଶ ହୋଇ । ସମେ ନ ଦେଖେ ପାଞ୍ଚଭାଇ ॥ ୧୫୬

ତାଙ୍କ ନିମନ୍ତେ ନାଶଯିବ । ପୃଥ୍ୱୀର ଭାରା ଉଶ୍ୱାସିବ ॥ ୧୫୭

ତୁ ଏବେ ଯାଅ ମୋର ବୋଲେ । ତାଙ୍କ କୁଶଳ ବୁଝ ଭଲେ ॥ ୧୫୮

ଭୋ ତାତ ଚଳ ବେଗ ହୋଇ । କହି ଉଠିଲେ ବେନିଭାଇ ॥ ୧୫୯

ଶୁଣି ଅକ୍ରୁର କୃତକୃତ୍ୟ । ବୋଲଇ ଶୁଣ ଗୋପୀନାଥ ॥ ୧୬୦

ମଣୋହି ସାରି ବିଜେକର । ମୁଁ ଯିବି ହସ୍ତିନାନଗର ॥ ୧୬୧

ଅକ୍ରୁରବାକ୍ୟ କର୍ଣ୍ଣେ ଶୁଣି । ହରଷ କୃଷ୍ଣ ହଳପାଣି ॥ ୧୬୨

ବେଗେ ତୁ ମଣୋହି କରାଇ । ହସ୍ତିନା ଯାଅ ବେଗ ହୋଇ ॥ ୧୬୩

ଭିତରପୁରେ ବେନିଭାଇ । ମଣୋହି କରାଇଲା ନେଇ ॥ ୧୬୪

ଅମୃତପାନ ଘୃତ ସୁର । ଭୁଞ୍ଜନ୍ତି ରାମ ଦାମୋଦର ॥ ୧୬୫

ଉଦ୍ଧବ ଭୁଞ୍ଜନ୍ତି ହରଷେ । କ୍ଷୀରି ଶାକର ଘୃତରସେ ॥ ୧୬୬

ଭୁଞ୍ଜି ସାନନ୍ଦ ବେନିଭାଇ । ଯମୁନାନୀରେ ମୁଖ ଧୋଇ ॥ ୧୬୭

ହସ୍ତ ପଖାଳି ବାସ ଗୁଆ । ଅକ୍ରୁର ଯୋଗାଏ ବିଡ଼ିଆ ॥ ୧୬୮

ଭୁଞ୍ଜନ୍ତି ରାମ ଦଇତ୍ୟାରି । ରତ୍ନପଲଙ୍କେ ବିଜେକରି ॥ ୧୬୯

କେଶେ ସାଜଇ ଦିବ୍ୟ ଗଭା । ରାମଗୋବିନ୍ଦ ମୁଖପ୍ରଭା ॥ ୧୭୦

ଚନ୍ଦନ ଶ୍ରୀଅଙ୍ଗେ ବୋଳଇ । କଣ୍ଠେ ବିବିଧ ମାଳା ଦେଇ ॥ ୧୭୧

ହୃଦେ ପଦକ କଣ୍ଠେ ମଣି । କୁଣ୍ତଳ ରବିତେଜ ଜିଣି ॥ ୧୭୨

କଚଟି ବାହୁଟି ସାଜଇ । ଅଷ୍ଟରତନମାଳା ଦେଇ ॥ ୧୭୩

ଦେଇଣ ନାନା ଉପହାର । ଚରଣେ ପଡ଼ିଲା ଅକ୍ରୁର ॥ ୧୭୪

ରାମ ଗୋବିନ୍ଦ ପାଦ ଧରି । ଅଶ୍ରୁ ଗଳଇ ମୋଦଭରି ॥ ୧୭୫

ରାମ ଗୋବିନ୍ଦ ଦୟା କଲେ । ପଲ୍ୟଙ୍କେ ନେଇ ବସାଇଲେ ॥ ୧୭୬

ବୋଲନ୍ତି ଆମ୍ଭର ପିଅର । ବସୁଦେବ ହୁଁ ଶ୍ରେଷ୍ଠ ସାର ॥ ୧୭୭

ଜୀବନ୍ତେ ଭୋଗ ତୁ କରିବୁ । ଅନ୍ତେ ମୋ ଶରୀରେ ପଶିବୁ ॥ ୧୭୮

ଅକ୍ରୁର ନାରୀ ହୀରାବତୀ । ମିଳିଲା ରାମକୃଷ୍ଣ କତି ॥ ୧୭୯

ଶତେକ ସୁନ୍ଦର କାମିନୀ । ପୁତ୍ର ଦୁହିତା ସଙ୍ଗେ ଘେନି ॥ ୧୮୦

ସୁଗନ୍ଧ ନାନା ଉପହାର । ପୂଜିଲା ରାମଦାମୋଦର ॥ ୧୮୧

ଗୋବିନ୍ଦ ମହାତୋଷ ହୋଇ । ବର ଦିଅନ୍ତି ଭାବଗ୍ରାହୀ ॥ ୧୮୨

ଅନେକ ହୋଇବ ସମ୍ପଦ । କେ କହୁ ତୁମ୍ଭର ଆନନ୍ଦ ॥ ୧୮୩

ମୋର ଚରଣେ ଚିତ୍ତ ରହୁ । ମୋ ନାମ ଧରି ଦିନ ଯାଉ ॥ ୧୮୪

ଭକତି ତୁମ୍ଭର ହୋଇବ । ଏ ଘୋରଜଳେ ନ ପଡ଼ିବ ॥ ୧୮୫

ଏମନ୍ତ ବର ଦେଇ ହରି । ତୋଷିଲେ ଅକ୍ରୁରର ନାରୀ ॥ ୧୮୬

ରାମ ଉଦ୍ଧବ ସଙ୍ଗେ କରି । ନିଜ ଭୁବନେ ଯାଇ ମିଳି ॥ ୧୮୭

ଅକ୍ରୁର ହରଷ ବଦନେ । ଗଲା ସେ ହସ୍ତିନା ଭୁବନେ ॥ ୧୮୮

ସେ ରାମକୃଷ୍ଣ ପାଦଯୁଗେ । ଚିତ୍ତ ମୋ ରହୁ ଧ୍ୟାନଯୋଗେ ॥ ୧୮୯

ସୁଜନେ ଏହି ଭାବେ ରସ । କଟିବ ଭବବନ୍ଧପାଶ ॥ ୧୯୦

ନାମେ ସକଳ ପାପ ହର । ଏ ଘୋର - ସଂସାରୁ ନିସ୍ତର ॥ ୧୯୧

ବୋଲଇ ଦାସ ଜଗନ୍ନାଥ । ସୁଜନ ହିତେ ଭାଗବତ ॥ ୧୯୨

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଦ୍ୱିପଞ୍ଚାଶତ୍ ଅଧ୍ୟାୟଃ ॥

* * *