ଦଶମ ସ୍କନ୍ଧ
ଦ୍ୱିପଞ୍ଚାଶତ୍ ଅଧ୍ୟାୟ
କହନ୍ତି ବ୍ୟାସଙ୍କ ନନ୍ଦନ । ଗୋବିନ୍ଦପାଦେ ଦେଇ ମନ ॥ ୧
ଶୁକ ଉବାଚ
ଏବେ ହୋ ଶୁଣ ନରନାଥ । ଭକତ ବତ୍ସଳ ଅନନ୍ତ ॥ ୨
ମଥୁରାଦାଣ୍ତେ ଗନ୍ଧ ଘେନି । କୁବୁକା ନାମେ ଯେ କାମିନୀ ॥ ୩
କୃଷ୍ଣଙ୍କୁ ମାଗିଥିଲା ବର । ଭୋ ନାଥ ଯିବୁ ମୋର ପୁର ॥ ୪
ତାହାର ଭାବ ହୃଦେ ବହି । କରୁଣାସିନ୍ଧୁ ଭାବଗ୍ରାହୀ ॥ ୫
ଉଦ୍ଧବ ସଙ୍ଗେ ବିଜେକଲେ । କୁବୁଜା ଭୁବନେ ମିଳିଲେ ॥ ୬
ଗୋବିନ୍ଦ ଆଗମନ ଆଶେ । ଗୃହ ମଣ୍ତିଛି ମନତୋଷ ॥ ୭
ସୁନ୍ଦର ଗୃହ ଉପହାର । କି ଅବା ଦେବା ପଟାନ୍ତର ॥ ୮
ସୁଗନ୍ଧ ଧୂପଦୀପ ବାସ । ଅମୂଲ୍ୟମଣିରତ୍ନ ତ୍ରାସ ॥ ୯
ଗନ୍ଧ ଚନ୍ଦନ ପରିମଳ । ପବନ ବହଇ ଶୀତଳ ॥ ୧୦
କାମ ଉପାୟ ସନ୍ଦୀପନ । ଦେଖି ମୋହିତ ହୁଏ ମନ ॥ ୧୧
ମୁକୁତା ପ୍ରବାଳ ଖଞ୍ଜଣି । ଉପରେ ଚନ୍ଦ୍ରାତପ ଟାଣି ॥ ୧୨
ରତ୍ନ ପଲଙ୍କେ ଶେଯ ପାଡ଼ି । ରତ୍ନପାଦୁକା ସୁନାପିଢି ॥ ୧୩
ସୁଗନ୍ଧ ଧୂପ ଥୋଇ ତଳେ । ଉପରେ ଲମ୍ବେ ଫୁଲମାଳ ॥ ୧୪
କୃଷ୍ଣ ଆଗମ ପଥ ଚାହିଁ । କୁବୁଜା ଦେହେ ଜ୍ଞାନ ନାହିଁ ॥ ୧୫
ନିମିଷ ଯୁଗପ୍ରାୟ ମଣି । ରଜନୀ ଦିବସ ନ ଗଣି ॥ ୧୬
ଜାଣିଣ ପ୍ରଭୁ ନାରାୟଣ । ବିଜୟ କଲେ ତା ଭୁବନ ॥ ୧୭
ହରିଙ୍କି ନିଜ ଦ୍ୱାରେ ଦେଖି । ସଂଭ୍ରମେ ଆସନ ଉପେକ୍ଷି ॥ ୧୮
ସଙ୍ଗତେ ଘେନି ସଖୀଗଣ । ପୂଜିଲା ଗୋବିନ୍ଦ ଚରଣ ॥ ୧୯
ରତ୍ନପାଦୁକା ତଳେ ଥୋଇ । ସୁତୀର୍ଥ ଜଳେ ପାଦ ଧୋଇ ॥ ୨୦
ଝୀନବସନେ ପାଦ ପୋଛି । ନିଜ ମଥାରେ ଗର୍ଭେ ସିଞ୍ଚି ॥ ୨୧
ଅର୍ଘ୍ୟ ଆଚମନେ ତୋଷଇ । ଅଧରେ ମଧୁରସ ଦେଇ ॥ ୨୨
ଏମନ୍ତେ କୃଷ୍ଣଙ୍କୁ ପୂଜିଲା । ଉଦ୍ଦବ ନିକଟେ ମିଳିଲା ॥ ୨୩
ବିବିଧ ମତେ ଉପହାରେ । ପୂଜିଲା ଉଦ୍ଧବ ପୟରେ ॥ ୨୪
ରତ୍ନଆସନ ତଳେ ଥୋଇ । କୁବୁଜା ଗଲା ଭୋଳ ହୋଇ ॥ ୨୫
ଉଦ୍ଧବ ହରଷ ବଦନ । ଚରଣେ ଚାଲିଲା ଆସନ ॥ ୨୬
ଏକାନ୍ତେ ଭୂମିରେ ବସିଲା । କୃଷ୍ଣଚରଣେ ମନ ଦେଲା ॥ ୨୭
କୁବୁଜା ଗୃହ ମଧ୍ୟେ ଯାଇ । କୃଷ୍ଣଙ୍କୁ ପଲଙ୍କେ ବସାଇ ॥ ୨୮
ତାହାର ଭାବେ ବଶ ହରି । ରତ୍ନପଲଙ୍କେ ବିଜେକରି ॥ ୨୯
ଅଶେଷ ବ୍ରହ୍ମାଣ୍ତ ଠାକୁର । କପଟେ ମନୁଷ୍ୟ ବେଭାର ॥ ୩୦
କୁବୁଜା କୁଙ୍କୁମ ଲେପିଣ । ତକ୍ଷଣେ ସାରିଲା ସ୍ନାହାନ ॥ ୩୧
ଝୀନ ବସନ ରତ୍ନସାର । ଘେନିଣ ନାନା ଅଳଙ୍କାର ॥ ୩୨
ହୃଦେ ଚନ୍ଦନ କଣ୍ଠେ ହାର । ତାମ୍ବୁଳେ ସୁରଙ୍ଗ ଅଧର ॥ ୩୩
ସୁଧା ଆସବ ପାନ କଲା । ଗୋବିନ୍ଦ ଛାମୁରେ ମିଳିଲା ॥ ୩୪
ହାସବଦନେ କାମବତୀ । କଟାକ୍ଷେ ମୋହିଲା ଶ୍ରୀପତି ॥ ୩୫
କୁବୁଜା ଚାହିଁ ବନମାଳୀ । ଡାକନ୍ତି ବେନିଭୁଜ ତୋଳି ॥ ୩୬
ନବସଙ୍ଗମେ ଲାଜ ପାଇ । କୁବୁଜା ନ ପାରଇ ଯାଇ ॥ ୩୭
ସଂକୋଚେ ଗମନ ସଧୀରେ । ରତ୍ନକଙ୍କଣ ବେନିକରେ ॥ ୩୮
ମାୟା ମୋହିଲେ ଭାବଗ୍ରାହୀ । ଲାଜ ଛାଡ଼ିଲା କୃଷ୍ଣେ ଚାହିଁ ॥ ୩୯
ଗୋବିନ୍ଦ ଭୁଜେ ଭୁଜ ଦେଇ । ପଲଙ୍କେ ବସାଇଲେ ନେଇ ॥ ୪୦
କୁବୁଜା କୃଷ୍ଣେ ଘେନି କୋଳେ । ଗନ୍ଧ ଲେପିଲା ପୂଣ୍ୟବଳେ ॥ ୪୧
ରମିଲେ କମଳାର ବର । ଅଶେଷ ବ୍ରହ୍ମାଣ୍ତ ଠାକୁର ॥ ୪୨
କୁବୁଜା କାମଭୋଳେ କରି । କୃଷ୍ଣ ଚରଣ କରେ ଧରି ॥ ୪୩
ଚକ୍ଷୁ ହୃଦୟ କୁଚ ଭରେ । ଆଘ୍ରାଣ କଲା ନାସାଦ୍ୱାରେ ॥ ୪୪
ଯେତେ କଳୁଷ ଦେହେ ଥିଲା । ଗୋବିନ୍ଦ ଚରଣେ ମାଜିଲା ॥ ୪୫
ନିର୍ଭରେ ବେନିଭୁଜ ତୋଳି । ହୃଦେ ଲଗାଇ ବନମାଳୀ ॥ ୪୬
ଆନନ୍ଦ ରୂପ ଭଗବାନ । ନିବିଡେ କଲା ଆଲିଙ୍ଗନ ॥ ୪୭
ଜନ୍ମୁଁ ସଞ୍ଚିଲା ବହୁ ପାପ । ହେଳେ ଛାଡ଼ିଲା ତିନିତାପ ॥ ୪୮
ଯେ ହରି କଇବଲ୍ୟନାଥ । ଲୋଡ଼ି ନ ପାନ୍ତି ମୁନି ସନ୍ଥ ॥ ୪୯
ତାଙ୍କୁ କୁବୁଜା ଘେନି କୋଳେ । ଗନ୍ଧ ଲେପିଲା ପୁଣ୍ୟବଳେ ॥ ୫୦
ହସି ବୋଇଲେ ନାରାୟଣ । ବର ତୁ ମାଗ ଗୋ ବହନ ॥ ୫୧
ଦେଖ ହୋ ଭାଗ୍ୟବଳ ତାର । କୃଷ୍ଣଙ୍କୁ ମାଗିଲା ସେ ବର ॥ ୫୨
ଭୋ ନାଥ ରହ କିଛିଦିନ । ତୋଷ ନୋହିଲା ମୋର ମନ ॥ ୫୩
ପଦ୍ମଲୋଚନ ତୋର ସଙ୍ଗେ । କ୍ରୀଡା କରିବି ନାନାରଙ୍ଗେ ॥ ୫୪
ମୁିନି କହନ୍ତି ରାଜା ଆଗ । ଦେଖ ଏ କୁବୁଜାର ଭାଗ୍ୟ ॥ ୫୫
ଶୁଣି ସାନନ୍ଦ ଗୋପୀନାଥେ । ତହିଁ ରହିଲେ ଦିନାକେତେ ॥ ୫୬
କାମନା ପୂର୍ଣ୍ଣ କରି ତାର । ତହୁଁ ଚଳିଲେ ଦାମୋଦର ॥ ୫୭
ଅଶେଷ ସୁଖ ଭୋଗ ଦେଇ । ଉଦ୍ଧବ ସଙ୍ଗେ ଭାବଗ୍ରାହୀ ॥ ୫୮
ପ୍ରବେଶ ଆପଣା ମନ୍ଦିର । ଶୁଣ ହୋ କୁବୁଜା ବେଭାର ॥ ୫୯
ଦୁର୍ଲ୍ଲଭ ଯାର ପାଦସେବା । ଲୋଡି ନ ପାନ୍ତି ସୁରଦେବା ॥ ୬୦
ତାହାଙ୍କୁ ତପବଳେ ପାଇ । ବିଷୟସୁଖ ଯେ ଲୋଡ଼ଇ ॥ ୬୧
କୁତ୍ସିତମତି ବୋଲି ତାରେ । ପଡ଼ଇ ଦୁଃଖ ଅନ୍ଧକାରେ ॥ ୬୨
ଅଜ୍ଞାନ ବିପ୍ର ଜଗନ୍ନାଥ । କାହିଁ ପାଇବ କୃଷ୍ଣପଥ ॥ ୬୩
ଶୁଣ ହୋ ଅଭିମନ୍ୟୁ ସୁତ । ମଥୁରା ପୁରେ ଜଗନ୍ନାଥ ॥ ୬୪
ରଜନୀ ଅନ୍ତେ ମନେ ଗୁଣି । ଦୟା ସାଗର ଚକ୍ରପାଣି ॥ ୬୫
କଳ୍ପିତ-କାର୍ଯ୍ୟ ଉପଦେଶେ । ପଣ୍ତୁ ତନୟଙ୍କ ଉଦ୍ଧେଶ୍ୟେ ॥ ୬୬
ଅକ୍ରୁରହିତ ମନେ ଗୁଣି । ରାମ ଉଦ୍ଧବ ସଙ୍ଗେ ଘେନି ॥ ୬୭
ମିଳିଲେ ଅକ୍ରୁର ମନ୍ଦିର । ଦୟାସାଗର ଦାମୋଦର ॥ ୬୮
ନିକଟେ ଦେଖି ବନ୍ଧୁଜନ । ଅକ୍ରୁର ହରଷ ବଦନ ॥ ୬୯
ଆନନ୍ଦେ କୃଷ୍ଣ ସଙ୍ଗ ପାଇ । ନିବିଡେ଼ ଆଲିଙ୍ଗନ ଦେଇ ॥ ୭୦
ପୁଲକେ ଅଶ୍ରୁଜଳ ବହେ । ପ୍ରଣାମ କଲା କୃଷ୍ଣପାୟେ ॥ ୭୧
ରାମର ପାଦେ ପୁଣ ପଡ଼ି । ଉଦ୍ଧବ କର ହୃଦେ ଭିଡ଼ି ॥ ୭୨
ରାମଗୋବିନ୍ଦ ବନ୍ଧୁପଣେ । ନମିଲେ ଅକ୍ରୁର ଚରଣେ ॥ ୭୩
ଅକ୍ରୁର ନିଜ ଘରେ ନେଇ । ଉତ୍ତମ ଆସନେ ବସାଇ ॥ ୭୪
ଜାଣଇ ପୂଜାର ବିଧାନ । ଆନନ୍ଦ ମନେ ଛନଛନ ॥ ୭୫
ସୁବର୍ଣ୍ଣପାତ୍ରେ ଜଳ ନେଇ । ରାମଗୋବିନ୍ଦ ପାଦ ଧୋଇ ॥ ୭୬
ପାଦଉଦକ ଶିରେ ଘେନି । ଭାବେ ବୁଜିଲା ଚକ୍ଷୁ ବେନି ॥ ୭୭
ଦିବ୍ୟବସନ ଗନ୍ଧମାଳେ । ପୂଜିଲା ମଦନଗୋପାଳେ ॥ ୭୮
ମଣିମୁକୁତା ହାର ରଙ୍ଗେ । ମଣ୍ତିଲା ଗୋବିନ୍ଦର ଅଙ୍ଗେ ॥ ୭୯
ରାମଙ୍କୁ ଦେଇ ଅଳଙ୍କାର । ଭାବେ ଯୋଡିଲା ବେନିକର ॥ ୮୦
ଖଟେ ବସାଇ ଦାମୋଦର । ଚରଣ ଚାପଇ ଅକ୍ରୁର ॥ ୮୧
ରାମର ପାଦେ ହସ୍ତ ଦେଇ । ବିଶ୍ୱାସେ ଅକ୍ରୁର ବୋଲଇ ॥ ୮୨
ଅକ୍ରୁର ଉବାଚ
ଭୋ ନାଥ ପ୍ରଭୁ ନାରାୟଣ । ଅଶେଷ ବ୍ରହ୍ମାଣ୍ତ କାରଣ ॥ ୮୩
ପାପିଷ୍ଠ କଂସରାଜା ମଲା । ଆମ୍ଭର କୁଳେ ଭାଗ୍ୟ ଥିଲା ॥ ୮୪
ତାହାର ଭୟେ ଯଦୁବଂଶ । ନିଶ୍ଚୟେ ହେଉଥିଲା ଧ୍ୱଂସ ॥ ୮୫
ତାହାଙ୍କୁ ହେଳେ ନାଶ କଲ । ବୁଡ଼ିଲା ଭେଳା ଉଦ୍ଧରିଲ ॥ ୮୬
ଏ କୁଳ ଏବେ ତ ବଢ଼ିବ । ଅବନିତଳେ ଯଶ ଥିବ ॥ ୮୭
ତୁମ୍ଭେ ଯେ ପ୍ରକୃତିପୁରୁଷ । ଲୀଳା ଏ ସଂସାରେ ପ୍ରବେଶ ॥ ୮୮
ଜଗତ ନାନାରୂପ ହୋଇ । ତୁମ୍ଭ ଶରୀରୁ ପ୍ରକାଶଇ ॥ ୮୯
ଏଣୁ ଜଗତମୟ ନାମା । କି ଅବା କରିବା ଉପମା ॥ ୯୦
କାର୍ଯ୍ୟକାରଣ ବିଚାରଣେ । ତୋ ବିନୁ ନାହିଁ ଅନ୍ୟ ଜଣେ ॥ ୯୧
ତୁମ୍ଭେ ଏ ସଂସାର ଭିଆଇ । ଜୀବ ପରମ ରୂପ ହୋଇ ॥ ୯୨
ଆତ୍ମାର ତେଜ ବଳ ତୁମ୍ଭେ । ପ୍ରବେଶ କ୍ରୀଡ଼ା ଅନୁଭାବେ ॥ ୯୩
ନାନାପ୍ରକାରେ ରୂପହୋଇ । ଏ କଥା ନିଗମ ଜାଣଇ ॥ ୯୪
ସଚରାଚର ଭୂତଯୋନି । ଶବଦ ଆଣି କୂଣ ଘେନି ॥ ୯୫
ବହୁ ପ୍ରକାରେ ପ୍ରକାଶନ୍ତି । ତୁମ୍ଭ ମହିମା ନ ଜାଣନ୍ତି ॥ ୯୬
ଏମନ୍ତ ପ୍ରକାଶ ତୁମ୍ଭର । କେବଳ ଆତ୍ମାଜ୍ଞାନ ସାର ॥ ୯୭
ପ୍ରପଞ୍ଚ ନାନା ରୂପ ହୋଇ । ମାୟାସଂସାରେ ବିହରଇ ॥ ୯୮
ତୁ ପୁଣି ତୋହର ଆୟତ୍ତ । ମାୟାରେ ଭ୍ରମାଉଁ ଜଗତ ॥ ୯୯
ସୃଷ୍ଟି ପାଳନ ସଂହାରଣ । ରଜ ସାତ୍ତ୍ୱିକ ତମଗୁଣ ॥ ୧୦୦
ଏଣୁ ଯେ ତୋର ବନ୍ଧନାହିଁ । ଯେଣୁ ଏହାର ହେତୁ ତୁହି ॥ ୧୦୧
ଉପାଧି ରୂପ ତନୁ ଯାର । ଜନ୍ମ ମରଣ ନାହିଁ ତାର ॥ ୧୦୨
ତରଙ୍ଗ ଯେହ୍ନେ ନାଶ ଯାଇ । ନିଶ୍ଚଳ ଭାବେ ଜଳ ଥାଇ ॥ ୧୦୩
ଗୁଣ ବେଭାର ଯାର ଭେଦ । ତାହାର ଦୁଃଖ ସୁଖେ ଖେଦ ॥ ୧୦୪
ଅଭେଦ ଆତ୍ମା ତୁ ପ୍ରତ୍ୟକ୍ଷ । ତୋହର ନାହିଁ ବନ୍ଧ-ମୋକ୍ଷ ॥ ୧୦୫
ନାହିଁ ତୋହର ଭିନ୍ନ ଭାବ । ଏଣୁ କେ ମହିମା କହିବ ॥ ୧୦୬
ତୋର ବଚନ ଶ୍ରୁତିଗଣ । ସଂସାର-ହିତର କାରଣ ॥ ୧୦୭
ପାଷାଣ୍ତେ ନିଜ ବାଦବଳେ । ବେଦ ନିନ୍ଦନ୍ତି ଯେତେବେଳେ ॥ ୧୦୮
ତୁ ନାଥ ସତ୍ତ୍ୱଗୁଣ ଭଜୁ । ତାହାଙ୍କ ଗର୍ବ ହେଳେ ଗଞ୍ଜୁ ॥ ୧୦୯
ନିନ୍ଦନ୍ତି ନିଜ ଧର୍ମ କର୍ମ । ତୋର ଶରୀର ସର୍ବଧର୍ମ ॥ ୧୧୦
ଈଶ୍ୱର ଆଦି ଦେବ ଯାଏଁ । ନିନ୍ଦା କରନ୍ତି ପଶୁପ୍ରାୟେ ॥ ୧୧୧
ପ୍ରକୃତିପୁରୁଷ ତୁ ଅଟୁ । ସ୍ତିରୀପୁରୁଷ ରୂପେ ଖଟୁ ॥ ୧୧୨
ପାଷାଣ୍ତେ କରନ୍ତି ତା ଭିନ୍ନ । ସର୍ବଶରୀରେ ନାରାୟଣ ॥ ୧୧୩
ଏହା ଯେ ବିଚାର ନ କରେ । ତାହାକୁ ଲେଖିବ ପଶୁରେ ॥ ୧୧୪
ତାହାଙ୍କ ଦର୍ପ କରି ନାଶ । ନରକେ ଦେଉ ତାଙ୍କୁ ବାସ ॥ ୧୧୫
ଏମନ୍ତେ ପ୍ରଭୁ ନରହରି । ଯାଦବ ବଂଶେ ଅବତରି ॥ ୧୧୬
ବସୁଦେବର ଘରେ ନାଥ । ଅଂଶେ ହୋଇଲୁ ଦେହବନ୍ତ ॥ ୧୧୭
ଅବନୀଭାରା ନିବାରଣ । ଅଶେଷ ବ୍ରହ୍ମାଣ୍ତ କାରଣ ॥ ୧୧୮
ଅସୁରବଳ କରି ନାଶ । ଥୋଇବୁ ଯଦୁକୁଳେ ଯଶ ॥ ୧୧୯
ଏମନ୍ତ ମହିମା ତୋହର । ବିଜୟ କଲୁ ମୋର ପୁର ॥ ୧୨୦
ଦେବତା ପିତୃ ଭୂତ ରୂପ । ତୁ ନାଥ ସକଳ ସ୍ୱରୂପ ॥ ୧୨୧
ତୁ ଯହିଁ ହୋଇବୁ ପ୍ରକାଶ । ସେ ଧନ୍ୟ ପୁଣ୍ୟ ଗୃହବାସ ॥ ୧୨୨
ତୋହର ଚରଣ ଉଦକ । ପବିତ୍ର କରେ ତିନିଲୋକ ॥ ୧୨୩
କେଉଁ ପଣ୍ତିତ ତୋ ଚରଣ । ଛାଡ଼ି ଭଜିବ ଆନଜଣ ॥ ୧୨୪
ଭକତପ୍ରିୟ ତୁହି । ସତ୍ୟବଚନ ତୋର ତହିଁ ॥ ୧୨୫
ତୁ ଜୀବଆତ୍ମା ତତ୍ତ୍ୱ ଜାଣୁ । ଶୁଭଅଶୁଭ ପରିମାଣୁ ॥ ୧୨୬
ଭକ୍ତି ଅନୁରୂପେ ଫଳ । ଦେଉ ତୁ ଭକତବତ୍ସଳ ॥ ୧୨୭
ଭାବକୁ ଆତ୍ମା ଦେଉ ତୁହି । ବୃଦ୍ଧି ବିନାଶ ତୋର ନାହିଁ ॥ ୧୨୮
ତୁ ଯେ ସକଳ ମୁକ୍ତିଦାତା । ଭବଜଳଧିରୁ ତାରନ୍ତା ॥ ୧୨୯
ଆମ୍ଭେ ସକଳ ହତଜ୍ଞାନ । କେବଳ ଭାଗ୍ୟେ ଜନାର୍ଦ୍ଦନ ॥ ୧୩୦
ତୋତେ ପାଇଲୁ ପୁଣ୍ୟଫଳେ । ଚିହ୍ନି ନ ପାରୁ ଚର୍ମଡୋଳେ ॥ ୧୩୧
ସକଳ ସୁର ସିଦ୍ଧ ଯତି । ଜାଣି ନ ପାରନ୍ତି ତୋ ଗତି ॥ ୧୩୨
ସୁତ କଳତ୍ର ଧନ ମିତ୍ର । ଗୃହ ବାନ୍ଧବ ବୃତ୍ତି କ୍ଷେତ୍ର ॥ ୧୩୩
ଏ ରୂପେ ତୋର ମାୟାଫାନ୍ଦେ । ବନ୍ଧନେ ଅଛୁଁ ଆମ୍ଭେ ହାଦେ ॥ ୧୩୪
ତୋହର ଅଛି ଯେବେ ଦୟା । ଭୋ ନାଥ ଛେଦ ବେଗେ ଏହା ॥ ୧୩୫
ତୁ ନାଥ ଚଉବର୍ଗଦାତା । ତୋ ତହୁଁ ନାହିଁନା କରତା ॥ ୧୩୬
ତୁ ନାଥ କର ଏଥୁଁ ପାର । ଶରଣ ଗଲି ତୋ ପୟର ॥ ୧୩୭
ଏମନ୍ତ ଅକ୍ରୁରର ବାଣୀ । ଶୁଣି ହସନ୍ତି ଚକ୍ରପାଣି ॥ ୧୩୮
ମୋହିଲେ ଅକ୍ରୁରର ମନ । କୋମଳ ଗଭୀର ବଚନ ॥ ୧୩୯
କହନ୍ତି ପ୍ରଭୁ ଭାବଗ୍ରାହୀ । ମାୟାମୋହନ ନେତ୍ରେ ଚାହିଁ ॥ ୧୪୦
ଭଗବାନ ଉବାଚ
ତୁ ମୋର ଗୁରୁ ପିତାମାତ । ବାନ୍ଧବ ମଧ୍ୟରେ ପୂଜିତ ॥ ୧୪୧
ଆମ୍ଭେ ତୋହର ପୁତ୍ର ଦୁଇ । ତୋର ପୋଷଣେ ଆମ୍ଭ ଦେହୀ ॥ ୧୪୨
ତୋହର ପାଦେ ସେବାକରି । ତେବେ ସେ ଥିବୁ ଦେହ ଧରି ॥ ୧୪୩
ତୋ ପରି ସାଧୁ ସେବାକରି । ତେବେ ସେ ଭବୁ ହୋଇପାରି ॥ ୧୪୪
ଆପଣା ହିତ ସାଧ୍ୟମତେ । ଦେବଦାନବ ଏ ଜଗତେ ॥ ୧୪୫
ଏ ଭାବ ସାଧୁଜନେ ନାହିଁ । ହସି ବୋଲନ୍ତି ଭାବଗ୍ରାହୀ ॥ ୧୪୬
ଜଳେ ପୂରିତ ତୀର୍ଥଗଣ । ଦେବତା ମୃତ୍ତିକା ପାଷାଣ ॥ ୧୪୭
ଏହାଙ୍କୁ ସେବୁଥିଲେ ନିତି । ଅନେକନ କାଳେ ଫଳ ଦ୍ୟନ୍ତି ॥ ୧୪୮
ସାଧୁଙ୍କ ଦରଶନ ମାତ୍ରେ । ଦୂରିତ ନ ରହଇ ଗାେତ୍ରେ ॥ ୧୪୯
ବନ୍ଧୁଙ୍କ ମଧ୍ୟେ ଶ୍ରେଷ୍ଠ ମୋର । ଏବେ ତୁ ମୋ ବଚନ କର ॥ ୧୫୦
ହସ୍ତିନାପୁର ଯାଅ ବେଗେ । କହଇ କଥା ତୋର ଆଗେ ॥ ୧୫୧
ପଣ୍ତୁରାଜାର ପଞ୍ଚସୁତ । ପିତାମରଣେ ଅରକ୍ଷିତ ॥ ୧୫୨
ଅଛନ୍ତି ଧୃତରାଷ୍ଟ୍ରପୁରେ । ବନ୍ଦୀ ଯେସନେ ବନ୍ଦୀଘରେ ॥ ୧୫୩
ଅମ୍ବିକାସୁତ ଚକ୍ଷୁହୀନ । ତାହାର ପୁତ୍ର ଦୁର୍ଯ୍ୟୋଧନ ॥ ୧୫୪
ଶତେକ ପୁତ୍ର ମଧ୍ୟେ ଶ୍ରେଷ୍ଠ । ଉଗ୍ରସ୍ୱଭାବ ମହାଦୁଷ୍ଟ ॥ ୧୫୫
ରାଜା ତାହାରେ ବଶ ହୋଇ । ସମେ ନ ଦେଖେ ପାଞ୍ଚଭାଇ ॥ ୧୫୬
ତାଙ୍କ ନିମନ୍ତେ ନାଶଯିବ । ପୃଥ୍ୱୀର ଭାରା ଉଶ୍ୱାସିବ ॥ ୧୫୭
ତୁ ଏବେ ଯାଅ ମୋର ବୋଲେ । ତାଙ୍କ କୁଶଳ ବୁଝ ଭଲେ ॥ ୧୫୮
ଭୋ ତାତ ଚଳ ବେଗ ହୋଇ । କହି ଉଠିଲେ ବେନିଭାଇ ॥ ୧୫୯
ଶୁଣି ଅକ୍ରୁର କୃତକୃତ୍ୟ । ବୋଲଇ ଶୁଣ ଗୋପୀନାଥ ॥ ୧୬୦
ମଣୋହି ସାରି ବିଜେକର । ମୁଁ ଯିବି ହସ୍ତିନାନଗର ॥ ୧୬୧
ଅକ୍ରୁରବାକ୍ୟ କର୍ଣ୍ଣେ ଶୁଣି । ହରଷ କୃଷ୍ଣ ହଳପାଣି ॥ ୧୬୨
ବେଗେ ତୁ ମଣୋହି କରାଇ । ହସ୍ତିନା ଯାଅ ବେଗ ହୋଇ ॥ ୧୬୩
ଭିତରପୁରେ ବେନିଭାଇ । ମଣୋହି କରାଇଲା ନେଇ ॥ ୧୬୪
ଅମୃତପାନ ଘୃତ ସୁର । ଭୁଞ୍ଜନ୍ତି ରାମ ଦାମୋଦର ॥ ୧୬୫
ଉଦ୍ଧବ ଭୁଞ୍ଜନ୍ତି ହରଷେ । କ୍ଷୀରି ଶାକର ଘୃତରସେ ॥ ୧୬୬
ଭୁଞ୍ଜି ସାନନ୍ଦ ବେନିଭାଇ । ଯମୁନାନୀରେ ମୁଖ ଧୋଇ ॥ ୧୬୭
ହସ୍ତ ପଖାଳି ବାସ ଗୁଆ । ଅକ୍ରୁର ଯୋଗାଏ ବିଡ଼ିଆ ॥ ୧୬୮
ଭୁଞ୍ଜନ୍ତି ରାମ ଦଇତ୍ୟାରି । ରତ୍ନପଲଙ୍କେ ବିଜେକରି ॥ ୧୬୯
କେଶେ ସାଜଇ ଦିବ୍ୟ ଗଭା । ରାମଗୋବିନ୍ଦ ମୁଖପ୍ରଭା ॥ ୧୭୦
ଚନ୍ଦନ ଶ୍ରୀଅଙ୍ଗେ ବୋଳଇ । କଣ୍ଠେ ବିବିଧ ମାଳା ଦେଇ ॥ ୧୭୧
ହୃଦେ ପଦକ କଣ୍ଠେ ମଣି । କୁଣ୍ତଳ ରବିତେଜ ଜିଣି ॥ ୧୭୨
କଚଟି ବାହୁଟି ସାଜଇ । ଅଷ୍ଟରତନମାଳା ଦେଇ ॥ ୧୭୩
ଦେଇଣ ନାନା ଉପହାର । ଚରଣେ ପଡ଼ିଲା ଅକ୍ରୁର ॥ ୧୭୪
ରାମ ଗୋବିନ୍ଦ ପାଦ ଧରି । ଅଶ୍ରୁ ଗଳଇ ମୋଦଭରି ॥ ୧୭୫
ରାମ ଗୋବିନ୍ଦ ଦୟା କଲେ । ପଲ୍ୟଙ୍କେ ନେଇ ବସାଇଲେ ॥ ୧୭୬
ବୋଲନ୍ତି ଆମ୍ଭର ପିଅର । ବସୁଦେବ ହୁଁ ଶ୍ରେଷ୍ଠ ସାର ॥ ୧୭୭
ଜୀବନ୍ତେ ଭୋଗ ତୁ କରିବୁ । ଅନ୍ତେ ମୋ ଶରୀରେ ପଶିବୁ ॥ ୧୭୮
ଅକ୍ରୁର ନାରୀ ହୀରାବତୀ । ମିଳିଲା ରାମକୃଷ୍ଣ କତି ॥ ୧୭୯
ଶତେକ ସୁନ୍ଦର କାମିନୀ । ପୁତ୍ର ଦୁହିତା ସଙ୍ଗେ ଘେନି ॥ ୧୮୦
ସୁଗନ୍ଧ ନାନା ଉପହାର । ପୂଜିଲା ରାମଦାମୋଦର ॥ ୧୮୧
ଗୋବିନ୍ଦ ମହାତୋଷ ହୋଇ । ବର ଦିଅନ୍ତି ଭାବଗ୍ରାହୀ ॥ ୧୮୨
ଅନେକ ହୋଇବ ସମ୍ପଦ । କେ କହୁ ତୁମ୍ଭର ଆନନ୍ଦ ॥ ୧୮୩
ମୋର ଚରଣେ ଚିତ୍ତ ରହୁ । ମୋ ନାମ ଧରି ଦିନ ଯାଉ ॥ ୧୮୪
ଭକତି ତୁମ୍ଭର ହୋଇବ । ଏ ଘୋରଜଳେ ନ ପଡ଼ିବ ॥ ୧୮୫
ଏମନ୍ତ ବର ଦେଇ ହରି । ତୋଷିଲେ ଅକ୍ରୁରର ନାରୀ ॥ ୧୮୬
ରାମ ଉଦ୍ଧବ ସଙ୍ଗେ କରି । ନିଜ ଭୁବନେ ଯାଇ ମିଳି ॥ ୧୮୭
ଅକ୍ରୁର ହରଷ ବଦନେ । ଗଲା ସେ ହସ୍ତିନା ଭୁବନେ ॥ ୧୮୮
ସେ ରାମକୃଷ୍ଣ ପାଦଯୁଗେ । ଚିତ୍ତ ମୋ ରହୁ ଧ୍ୟାନଯୋଗେ ॥ ୧୮୯
ସୁଜନେ ଏହି ଭାବେ ରସ । କଟିବ ଭବବନ୍ଧପାଶ ॥ ୧୯୦
ନାମେ ସକଳ ପାପ ହର । ଏ ଘୋର - ସଂସାରୁ ନିସ୍ତର ॥ ୧୯୧
ବୋଲଇ ଦାସ ଜଗନ୍ନାଥ । ସୁଜନ ହିତେ ଭାଗବତ ॥ ୧୯୨
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଦ୍ୱିପଞ୍ଚାଶତ୍ ଅଧ୍ୟାୟଃ ॥
* * *