ଦଶମ ସ୍କନ୍ଧ
ଏକପଞ୍ଚାଶତ୍ ଅଧ୍ୟାୟ
ଶୁକ ଉବାଚ
କହନ୍ତି ଶୁକ ମୁନିବର । ଶୁଣ ପରୀକ୍ଷ ନୃପବର ॥ ୧
ଉଦ୍ଧବେ ଦେଖି ଗୋପଗୋପୀ । ବଦନ ଚାହାଁନ୍ତି ନିରୋପି ॥ ୨
ଦଇବେ କୃଷ୍ଣ ଅନୁଚର । ତେଜେ ଗଞ୍ଜଇ ସୁରନର ॥ ୩
ଆଜାନୁ ଲମ୍ବେ ବେନିଭୁଜ । କମଳପ୍ରାୟେ ଚକ୍ଷୁତେଜ ॥ ୪
ପୀତବସନ କଟିମୂଳେ । କମଳମାଳ ବକ୍ଷସ୍ଥଳେ ॥ ୫
କର୍ଣ୍ଣେ କୁଣ୍ତଳ ବେନି ଶୋହେ । ରୂପେ କନ୍ଦର୍ପ ସରି ନୋହେ ॥ ୬
ଦେଖି ବିସ୍ମିତେ ଗୋପୀଜନେ । ଚକିତେ ବିଚାରନ୍ତି ମନେ ॥ ୭
ଦେଖ ସୁନ୍ଦରବର ଏହୁ । କେ ବୋଲେ ଅଇଲା ଏ କାହୁଁ ॥ ୮
କୃଷ୍ଣଭୂଷଣ ଏହା ଦେହେ । କେ ବୋଲେ ଦିଶେ କୃଷ୍ଣପ୍ରାୟେ ॥ ୯
ଏମନ୍ତ ବୋଲି ଗୋପନାରୀ । ଉଦ୍ଧବରଥକୁ ଆବୋରି ॥ ୧୦
ଜାଣିଲେ କୃଷ୍ଣର ଏ ଦୂତ । ଆମ୍ଭର ପାଇ ଉପଗତ ॥ ୧୧
ଗୋପୀଙ୍କ ଦେଖି ସ୍ନେହଭାବ । ରଥରୁ ଓହ୍ଲାଇ ଉଦ୍ଧବ ॥ ୧୨
ଗୋପୀଙ୍କ ମଧ୍ୟରେ ପ୍ରବେଶ । ସକଳେ ହୋଇଲେ ହରଷ ॥ ୧୩
ଆନନ୍ଦେ କୃଷ୍ଣଦୂତେ ନେଇ । ପୂଜିଲେ ଆସନେ ବସାଇ ॥ ୧୪
ଉଦ୍ଧବେ ହରଷ କରାଇ । ଭକ୍ତିଭାବରେ କଥା କହି ॥ ୧୫
ବୋଲନ୍ତି ଆଜ ଶୁଭଦିନ । ଦେଖିଲୁ କୃଷ୍ଣ ଚିହ୍ନମାନ ॥ ୧୬
କୃଷ୍ଣ ଯେ ଆମ୍ଭର ଜୀବନ । ତା ବିନୁ ନ ରହଇ ମନ ॥ ୧୭
ଏମନ୍ତେ କୃଷ୍ଣଦୂତ ସଙ୍ଗେ । ଗୋପକାମିନୀ ଖେଦଯୋଗେ ॥ ୧୮
କ୍ଷଣକ୍ଷଣକେ ଶୋକମୋହେ । ନୟନୁ ଅଶ୍ରୁଜଳ ବହେ ॥ ୧୯
ବୋଲନ୍ତି ଶୁଣ କୃଷ୍ଣଦୂତ । ତୁମ୍ଭେ ଯେ ବଡ଼ ଭାଗ୍ୟବନ୍ତ ॥ ୨୦
ଜାଣିଲୁ ଉଦ୍ଧବ ତୋ ନାମ । ତୋତେ ବିଶ୍ୱାସ ଭଗବାନ ॥ ୨୧
ତାହାଙ୍କ ଅଙ୍ଗସଙ୍ଗ ତୁହି । ତୋତେ ପେଷିଲେ ଆମ୍ଭପାଇଁ ॥ ୨୨
ମାତା ପିଅର ପ୍ରିୟଭାବେ । ଉଦ୍ଧବ ଆସିଅଛୁ ଏବେ ॥ ୨୩
ସେ କୃଷ୍ଣ କିମ୍ପା ସୁମରିବ । ଆମ୍ଭର ଘେନିଗଲା ଜୀବ ॥ ୨୪
ସ୍ନେହବନ୍ଧନ ବନ୍ଧୁଙ୍କର । ବାନ୍ଧଇ ସୁରମୁନିନର ॥ ୨୫
କାହାରି ବୋଲେ ଛାଡ଼ି ନୋହେ । ବନ୍ଧୁ ବିଶ୍ୱାସେ ମାୟାମୋହେ ॥ ୨୬
ଶୁଣ ଉଦ୍ଧବ ଆମ୍ଭ ବାଣୀ । ମରୁଛୁଁ ଗୋପର ତରୁଣୀ ॥ ୨୭
ଯେ ଅବା ଅର୍ଥଭାବ ଜାଣି । ଭାବେ ଭଜନ୍ତି ଯେଉଁ ପ୍ରାଣୀ ॥ ୨୮
ଯାବତ ଥାଇ ଅର୍ଥଲାଭ । ତାବତ ଥାଇ ପ୍ରିୟଭାବ ॥ ୨୯
ପରପୁରୁଷେ ପ୍ରୀତି ବହି । ଯେ ନାରୀ ଜୀବନ ବହଇ ॥ ୩୦
ତାହାର କାହିଁ ସ୍ନେହ ମତ । ଧନରେ ପ୍ରୀତି ଅବିରତ ॥ ୩୧
କୁସୁମେ ଯେସନେ ଭ୍ରମର । ମଧୁ ପିଇଣ ଯାଇ ଦୂର ॥ ୩୨
ଉଦ୍ଧବ ଶୁଣ ବେଦସାର । ସ୍ୱଭାବେ ସଂସାର ବେଭାର ॥ ୩୩
ସୁନ୍ଦର ପୁରୁଷ ନିର୍ଦ୍ଧନ । ଗଣିକା ଛାଡ଼ଇ ଯେସନ ॥ ୩୪
ରାଜାକୁ ଆଭାଜନ ଦେଖି । ପ୍ରଜା ଛାଡ଼ିଣ ହୋନ୍ତି ସୁଖୀ ॥ ୩୫
ବିଦ୍ୟା ପାଇଲେ ଶିଷ୍ୟେ ଗୁରୁ । ଯେସନେ ତେଜନ୍ତି ମନରୁ ॥ ୩୬
ଦକ୍ଷିଣା ପାଇ ବିପ୍ରଜନେ । ଯେହ୍ନେ ଛାଡନ୍ତି ଯଜମାନେ ॥ ୩୭
ଫଳ ସରିଲେ ବୃକ୍ଷ ଛାଡ଼ି । ପକ୍ଷୀଏ ଯେହ୍ନେ ଯାନ୍ତି ଉଡ଼ି ॥ ୩୮
ଅତିଥି ଅନ୍ନ ଭିକ୍ଷା ପାଇ । ଯେସନେ ଗୃହେ ନ ରହଇ ॥ ୩୯
ପୋଡିଲା ବନୁ ପଶୁ ଯେହ୍ନେ । ଛାଡି ପଳାନ୍ତି ଅନ୍ୟ ବନେ ॥ ୪୦
ପରପୁରୁଷ ପରନାରୀ । ଯେସନେ ରମିଣ ପାସୋରି ॥ ୪୧
ତେମନ୍ତେ କଲେ ବନମାଳୀ । ଛାଡି ସକଳ ଗୋପବାଳୀ ॥ ୪୨
ଏମନ୍ତ କହି ଗୋପନାରୀ । ବେନିଲୋଚନୁଁ ବହେ ବାରି ॥ ୪୩
ମନ ବଚନ କୃଷ୍ଣଦେହେ । ଛାଡିଲେ ଜୀବନର ମୋହେ ॥ ୪୪
ବାତୁଳ ପ୍ରାୟ ଉଚ୍ଚସ୍ୱର । ଛାଡିଲେ ଲୋକର ବେଭାର ॥ ୪୫
କୃଷ୍ଣର ଲୀଳାକର୍ମମାନ । ସୁମରି କରନ୍ତି ରୋଦନ ॥ ୪୬
ଲାଜ ଛାଡ଼ିଲେ ଗୋପଦାଣ୍ତେ । ବଜ୍ର ପଡିଲା ଯେହ୍ନେ ମୁଣ୍ତେ ॥ ୪୭
ଆପଣା ହୃଦେ ଭାବ ଲଇଁ । କୃଷ୍ଣର ରୂପ ଗୁଣ ଧ୍ୟାୟି ॥ ୪୮
ବାଲୁତକାଳୁଁ ଯେତେ କଲା । ସୁମରି ଗୋବିନ୍ଦର ଲୀଳା ॥ ୪୯
ଅତି ସଙ୍କଟେ ଶୋକଜଳେ । ବୁଡ଼ିଣ କାନ୍ଦନ୍ତି ବିକଳେ ॥ ୫୦
ଉଦ୍ଧବ ପାଦତଳେ ପଡ଼ି । ଶୋକସାଗରେ ଗୋପୀ ବୁଡ଼ି ॥ ୫୧
ବାଳୁତ ପ୍ରାୟେ ଗୋପନାରୀ । ଉଚ୍ଚେ ବୋଲନ୍ତି ହରିହରି ॥ ୫୨
ଏମନ୍ତେ ଶୁଣ ନରପତି । ଗୋପୀଏ ନାମ ବୃନ୍ଦାବତୀ ॥ ୫୩
ଗହଳେ ଯାଇ ନ ପାରିଲା । ଅଳପ ନିକଟେ ବସିଲା ॥ ୫୪
ଗୋବିନ୍ଦ ଦେହେ ମନ ଦେଇ । ଚକ୍ଷୁ ବୁଜିଲା ଭାବ ବହି ॥ ୫୫
ଶ୍ରମେ ଚରଣ ପ୍ରସାରିଲା । ଶୁଣ ରାଜନ କୃଷ୍ଣଲୀଳା ॥ ୫୬
ଭ୍ରମର ଉଡ଼ୁଥିଲା ଶୂନ୍ୟେ । ବସିଲା ତାହାର ଚରଣେ ॥ ୫୭
ଅଙ୍ଗୁଳି ଅଗ୍ରେ ଧ୍ୱନି କରି । ଶୁଣି ଚାହିଁଲା ଗୋପନାରୀ ॥ ୫୮
କୃଷ୍ଣର ଦୂତପ୍ରାୟ ମଣି । ଚରଣ ମାଇଲା ତରୁଣୀ ॥ ୫୯
ପଡ଼ିଲା ଖଣ୍ତେ ଦୂରେ ଯାଇ । କୋପେ ବୋଲଇ ତାକୁ ଚାହିଁ ॥ ୬୦
ମଧୁପ ଶୁଣ ମୋ ବଚନ । ତୋର ଠାକୁର ଜନାର୍ଦ୍ଦନ ॥ ୬୧
କୃଷ୍ଣର କୃଷ୍ଣର ବାନ୍ଧବ ତୁ ଅଟୁ । ମୋର ଚରଣେ କିପାଁ ଖଟୁ ॥ ୬୨
ମଥୁରା-ନଗର-ତରୁଣୀ । ନିଶ୍ଚେ ମୋହିଲେ ଚକ୍ରପାଣି ॥ ୬୩
ସେ ଯେ ଆମ୍ଭର ସପତଣୀ । ଏକଥା ତ୍ରିଭୁବନେ ଜାଣି ॥ ୬୪
ତୁ ଷଟପଦ ତା ନ ଜାଣି । ଚରଣେ ଲାଗୁ ପୁଣ ପୁଣ ॥ ୬୫
ସୁନ୍ଦର ମଧୁପୁର ନାରୀ । ରାତ୍ରେ ରମିଲେ ନରହରି ॥ ୬୬
ଚନ୍ଦନ କୁଙ୍କୁମର ସଙ୍ଗେ । କୁସୁମମାଳ ତାର ଅଙ୍ଗେ ॥ ୬୭
କୃଷ୍ଣର ଦେହେ ଲାଗିଥିଲା । ରାତ୍ର ପାହିଲେ ପକାଇଲା ॥ ୬୮
ତୁହି ଯେ ଥିଲୁ କୃଷ୍ଣ ପାଶେ । ପୁଷ୍ପେ ବସିଲୁ ଗନ୍ଧ ଆଶେ ॥ ୬୯
ମଧୁ ଚୁମ୍ବନ କଲୁ ଶୁଖେ । କୁଙ୍କୁମ ଲାଗି ଅଛି ମୁଖେ ॥ ୭୦
ଏଣୁ ତୋ ମୁଖେ ଲାଜ ନାହିଁ । ଚରଣେ ପଡୁ କାହିଁପାଇଁ ॥ ୭୧
କୃଷ୍ଣରେ ନାହିଁ ମୋର କାର୍ଯ୍ୟ । ତାହାରେ ହୋଇଲୁ ନିର୍ଲ୍ଲଜ ॥ ୭୨
ହରିସନ୍ଦେଶ ଯେବେ ଘେନି । ଅଇଲୁ ହୋଇ ପଥଶ୍ରମୀ ॥ ୭୩
ତାର ପ୍ରସାଦେ କାର୍ଯ୍ୟ ନାହିଁ । କହ ତୁ କୃଷ୍ଣ ଆଗେ ଯାଇ ॥ ୭୪
ମଥୁରାନାରୀଙ୍କର ମନ । ରଞ୍ଜାଇ କରୁ ସେ ପ୍ରସନ୍ନ ॥ ୭୫
ଯଦୁସଭାରେ ତା ପ୍ରସନ୍ନ । ଶୁଣି ହସନ୍ତୁ ସର୍ବଜନ ॥ ୭୬
ତାହାର ଦୂତ ଅଟୁ ତୁହି । ତୋହର ମୁଖେ ଲାଜ ନାହିଁ ॥ ୭୭
ମୋର ବଚନ ତୁ ଭ୍ରମର । ଶୁଣିଲେ ହୋଇବୁ ବିକଳ ॥ ୭୮
ଯମୁନା କଦମ୍ବର ମୂଳେ । ରାତ୍ରେ ବସିଲା କାମଭୋଳେ ॥ ୭୯
ଗଭୀର ବେଣୁନାଦ କଲା । ଆମ୍ଭର ଜୀବନ ହରିଲା ॥ ୮୦
ସଂସାର ହୁଡି ତା ନିକଟେ । ମିଳିଲୁ ଯମୁନାର ତଟେ ॥ ୮୧
ଅନେକ କରାଇ କଷଣ । ପ୍ରସନ୍ନେ କଲା ଆଲିଙ୍ଗନ ॥ ୮୨
ଯେ ରସେ ଜଗତ ମୋହିଲା । ଆମ୍ଭର ମୁଖେ ଚୁମ୍ବ ଦେଲା ॥ ୮୩
ଅଧରୁ ସୁରପାନ ଦେଇ । ମଥୁରା ଗଲା ସେ ପଳାଇ ॥ ୮୪
ତୁ ଯେହ୍ନେ ପୁଷ୍ପେ ମଧୁ ଖାଉ । ନିବଡେ଼ ଆଲିଙ୍ଗନ ଦେଉ ॥ ୮୫
ପଳାଇ ନ ସମ୍ଭାଳୁ ତାହା । ତେମନ୍ତ କୃଷ୍ଣର ସେନେହା ॥ ୮୬
ତାହାର ପାଦେ ଅନୁବ୍ରତେ । କମଳା ଖଟଇ କେମନ୍ତେ ॥ ୮୭
ମାୟାମୋହନ କଥା କହି । ଲକ୍ଷ୍ମୀର ମନ ସେ ବାନ୍ଧଇ ॥ ୮୮
ଦୃଷ୍ଟି ହରଷ କାମଭୋଳେ । ତେଣୁ କମଳା ତାର କୋଳେ ॥ ୮୯
କିମ୍ପାଇଁ ରସୁ ମୋର ପାଶେ । ଗୋବିନ୍ଦ ଗାଉ ତୁ ହରଷେ ॥ ୯୦
ଆମ୍ଭର ନାହିଁ ଘରଦ୍ୱାର । କି ତୋରେ ଦେବା ଉପହାର ॥ ୯୧
ମଥୁରାନାରୀଙ୍କର ଆଗେ । ତାର ପ୍ରସଙ୍ଗ ଗାଅ ରଙ୍ଗେ ॥ ୯୨
ତାହାଙ୍କ ସଙ୍ଗେ ନାହିଁ ଭ୍ରାନ୍ତି । କୃଷ୍ଣର ଇଷ୍ଟ ସେ ଅଟନ୍ତି ॥ ୯୩
ସେ ତୋତେ ଇଷ୍ଟଫଳ ଦେବେ । ବେଗେ ମଥୁରା ଯାଅ ଏବେ ॥ ୯୪
ତିନିଭୁବନେ ଯେତେ ଛନ୍ତି । ସୁଗୁଣ ସୁନ୍ଦର ଯୁବତୀ ॥ ୯୫
ଦୁଲ୍ଲଭ ନୁହନ୍ତି ତାହାର । କୋଟିଏ କାମରୂପ ଯାର ॥ ୯୬
ପ୍ରସନ୍ନ ସୁନ୍ଦର ବଦନ । ହାସ୍ୟ କଟାକ୍ଷେ ମୋହେ ମନ ॥ ୯୭
ସେ କୃଷ୍ଣ ପଦରଜ ଆଶେ । କମଳା ଖଟିଥାଇ ପାଶେ ॥ ୯୮
ଆମ୍ଭେ କି ଜାଣୁ ତାର ଅନ୍ତ । ଯାହାର ମହିମା ଅନନ୍ତ ॥ ୯୯
ତଥାପି ଶୁଣ ହେ ଭ୍ରମର । କୃଷ୍ଣ ଯେ କରୁଣାସାଗର ॥ ୧୦୦
ଦରିଦ୍ରଲୋକେ ଯାର ଦୟା । ତାହାକୁ ବୋଲି ପୁଣ୍ୟଦେହା ॥ ୧୦୧
ତୁ ମୋର ଛାଡରେ ଚରଣ । ଜାଣିଲି ତୋର ଦୂତପଣ ॥ ୧୦୨
ମୁକୁନ୍ଦ ବୋଲେ ଚାଟୁବାଣୀ । ମୋ ଆଗେ କହୁ ପୁଣପୁଣି ॥ ୧୦୩
ବୋଧିବା ପ୍ରାୟ ତୋ ଭରସା । ଏଣେ ନ ପୂରେ ମୋର ଆଶା ॥ ୧୦୪
ଯା ତୁ ନ କହ ପୁଣ ପୁଣ । ଶୁଣ କହିବା ତାର ଗୁଣ ॥ ୧୦୫
ପତି ତନୟ ଇଷ୍ଟ ଭାଇ । ଆମ୍ଭେ ତେଜିଲୁ ତାର ପାଇଁ ॥ ୧୦୬
ତାହାର କଲାକର୍ମମାନ । ମନେ ପଡ଼ିଲେ ବୁଡେ଼ ଜ୍ଞାନ ॥ ୧୦୭
ଯେବେଳେ ରାମ ଅବତାର । ବଡ଼ ନିର୍ଦ୍ଦୟ ତା ଶରୀର ॥ ୧୦୮
ଏମନ୍ତେ ରାମେ ଦେଖି ଏକା । ଆସି ମିଳିଲା ସୂର୍ପଣଖା ॥ ୧୦୯
ଦେଖି ଶ୍ରୀରାମ ରୂପ ଗୁଣ । ଏକାନ୍ତେ ମାଗିଲା ରମଣ ॥ ୧୧୦
ନାସା ଶ୍ରବଣ ଛେଦି ତାର । ବିରୂପ କଲା ରଘୁବୀର ॥ ୧୧୧
ସୁଗ୍ରୀବ ଜ୍ୟେଷ୍ଠଭ୍ରାତା ବଳି । ବାନର ହୋଇ ମହାବଳୀ ॥ ୧୧୨
ତାକୁ ବଧିଲା ତୀକ୍ଷ୍ମବାଣେ । ଶବର ଯେସନ ହରିଣେ ॥ ୧୧୩
ସୀତା ହରାଇ ବେନିଭାଇ । ବୁଲନ୍ତି ବନେବନେ ଯାଇ ॥ ୧୧୪
କାକ ଯେସନେ ପିଣ୍ତ ପାଇ । ଖାଇ ଚରଣେ ତା ପକାଇ ॥ ୧୧୫
ବଳିକି କଲା ସେହିମତ । ଏଡେ଼ ନିର୍ଦ୍ଦୟ ଗୋପୀନାଥ ॥ ୧୧୬
ଏମନ୍ତ ରୂପେ ଗୁଣ ତାର । ତୁ ଆନ ନ କହ ଭ୍ରମର ॥ ୧୧୭
ତାର ଚରିତ କର୍ଣ୍ଣେ ଶୁଣି । ସଂସାର ମଧ୍ୟେ ଯେତେ ପ୍ରାଣୀ ॥ ୧୧୮
ସଂସାର-କର୍ମ ଛାଡ଼ିକରି । ବୁଲନ୍ତି ବନେ ବନଚାରୀ ॥ ୧୧୯
ପକ୍ଷୀଙ୍କ ପ୍ରାୟେ ଭିକ୍ଷା ମାଗି । କେହୁ ସନ୍ୟାସୀ କେହୁ ଯୋଗୀ ॥ ୧୨୦
ହରିଙ୍କି କଲୁ ବଡ଼ ସ୍ନେହ । ସେ ପୁଣି ଏଡ଼ିକି ନିର୍ଦ୍ଦୟ ॥ ୧୨୧
ବ୍ୟାଧ ଯେସନେ ମୃଗ ମାରି । ଶବଦ ଘଣ୍ଟି ଚାଳେ ଧରି ॥ ୧୨୨
ସୁସ୍ୱରନାଦେ ଗାଇ ଗୀତ । ହରଇ ମୃଗ ପଶୁ ଚିତ୍ତ ॥ ୧୨୩
ତାହାର ନାଦ ଶୁଣି କର୍ଣ୍ଣେ । ଲୋଭେ ମିଳନ୍ତି ପଶୁଗଣେ ॥ ୧୨୪
ତାହାର ବାଣେ କ୍ଷତ ହୋଇ । ବିକଳେ ବନେ ସେ ପଳାଇ ॥ ୧୨୫
ରୁଧିରଧାରା କଳେବର । ଜୀବନ ଛାଡ଼ଇ ତାହାର ॥ ୧୨୬
ତେମନ୍ତ କଲା ନନ୍ଦବଳା । ଆମ୍ଭର କୁଚେ ନଖ ଦେଲା ॥ ୧୨୭
ବ୍ୟାପାର କରନ୍ତେ ତା ଦେଖି । ବିକଳେ ବୁଜୁଁ ବେନିଆଖି ॥ ୧୨୮
ଜୀବନ ତାର ଦେହେ ଥାଇ । କରଚରଣ ନ ଚଳଇ ॥ ୧୨୯
ଅନଙ୍ଗରୂପ ଦାମୋଦର । ତୁହିଁ ଯେ ଉପମନ୍ତ୍ରୀ ତାର ॥ ୧୩୦
କହିଲେ କହ ଆନ କଥା । କୃଷ୍ଣ ସନ୍ଦେଶେ ମନବ୍ୟଥା ॥ ୧୩୧
ଏମନ୍ତେ ଭ୍ରମରକୁ ଚାହିଁ । ପୁଣି ବୋଲଇ ଗୋପଗୋଈ ॥ ୧୩୨
ଗୋବିନ୍ଦ ସଖା ଅଟୁ ତୁହି । ପୁଣି ଅଇଲୁ କାହିଁପାଇଁ ॥ ୧୩୩
ପ୍ରିୟ ପେଷିଲେ ମୋର ପାଇଁ । ମାଗ ତୁ କି ଦେବା ବଧାଇ ॥ ୧୩୪
ସାଧୁଜୀବନ ତୋର ଧନ୍ୟ । ମୋହର ଅଟୁ ବଡ଼ ମାନ୍ୟ ॥ ୧୩୫
ଏ ଗୋପପୁରେ ଅଛି ମୁହିଁ । କେମନ୍ତେ ଘେନିଯିବୁ ତୁହି ॥ ୧୩୬
ଏ କଥା କହ ନିଶ୍ଚେଁ ତୁହି । ଯେମନ୍ତେ ପ୍ରତେ ଯିବି ମୁହିଁ ॥ ୧୩୭
ଛାଡ଼ି ନ ପାରି ଯାର ସଙ୍ଗ । ଲକ୍ଷ୍ମୀ ବସଇ ବାମଅଙ୍ଗ ॥ ୧୩୮
ଶୁଣ ଭ୍ରମର ମୋ ଉତ୍ତର । କୃଷ୍ଣ ଯେ ଗଲେ ମଧୁପୁର ॥ ୧୩୯
ଅଛିଟି ଶ୍ରୀକୃଷ୍ଣ କୁଶଳେ । ଭାଇ ବଳରାମଙ୍କ ମେଳେ ॥ ୧୪୦
ପିତା ଜନନୀ ଗୋପକୁଳେ । କୃଷ୍ଣ କି ସମରଇ ବେଳେ ॥ ୧୪୧
ଆମ୍ଭର କଥା କୃଷ୍ଣ ମୁଖେ । ଭ୍ରମର ଶୁଣୁଟିକି ସୁଖେ ॥ ୧୪୨
କୃଷ୍ଣର ଭୁଜଦଣ୍ତ ଦୁଇ । ଅଗୁରୁ ପ୍ରାୟେକ ବାସଇ ॥ ୧୪୩
ଶିରେ ଚାପିବୁ କହ କେବେ । ଆମ୍ଭର ପ୍ରିୟ ଅଟୁ ଯେବେ ॥ ୧୪୪
ତେବେ ଛାଡିବୁ ଅଭିମାନ । କହିଣ ହୋଇଲା ମଉନ ॥ ୧୪୫
କହନ୍ତି ବ୍ୟାସଙ୍କ ନନ୍ଦନ । ରାଜନ ଶୁଣ ସାବଧାନ ॥ ୧୪୬
କୃଷ୍ଣର ତହିଁ ଦୃଢଭାବ । ଗୋପୀଙ୍କୁ ଦେଖିଣ ଉଦ୍ଧବ ॥ ୧୪୭
ଗୋବିନ୍ଦ ଆଜ୍ଞା ଗୋପୀମଧ୍ୟେ । ଉଦ୍ଧବ କହଇ ଆନନ୍ଦେ ॥ ୧୪୮
ଉଦ୍ଧବ ଉବାଚ
ଶୁଣିବା ସର୍ବ ଗୋପୀଜନ । ତୁମ୍ଭ ଜୀବନ ବଡ଼ ଧନ୍ୟ ॥ ୧୪୯
ସକଳ ଲୋକେ ତୁମ୍ଭ ପୂଜା । କି ପଟାନ୍ତର ଦେବା ଦୁଜା ॥ ୧୫୦
ଗୋବିନ୍ଦ ପାଦେ ଯାର ମନ । ନିଶ୍ଚଳେ ହୋଏ ନିମଗନ ॥ ୧୫୧
ବ୍ରତ ସାଧନ ଦାନ ତପ । ବେଦପଠନ ହୋମ ଜପ ॥ ୧୫୨
ପ୍ରାଣସଂଯମ ଯୋଗମତେ । ଜୀବର ଶ୍ରେୟକର୍ମ ଯେତେ ॥ ୧୫୩
ବିଷ୍ଣୁର ଭକତି ସାଧନ । ଏଣେ ନିର୍ମଳ ତୁମ୍ଭମନ ॥ ୧୫୪
ଗୋବିନ୍ଦ ଭାବେ ତୁମ୍ଭ ଚିତ୍ତ । ନିବିଡେ଼ ନିତ୍ୟେ ଉପଗତ ॥ ୧୫୫
କୃଷ୍ଣରେ ଭକତି ତୁମ୍ଭର । ମୁନିମନୁଷ୍ୟେ ଅଗୋଚର ॥ ୧୫୬
ମନୁଷ୍ୟ ଜନ୍ମେ ତୁମ୍ଭ ଭାବ । ବ୍ରହ୍ମାଣ୍ତମଧ୍ୟେ କେ ପାଇବ ॥ ୧୫୭
ତନୟ ପତି ଦେହଭାବ । ସ୍ୱଜନ ଭବନ ବାନ୍ଧବ ॥ ୧୫୮
ଛାଡି ଭଜିଲ କୃଷ୍ଣପାଦେ । ଦୁଃଖୁ ତରିଲ ଅପ୍ରମାଦେ ॥ ୧୫୯
ଏକାନ୍ତଭାବ କୃଷ୍ଣତହିଁ । ଦେବେ ପାଇବେ ଅବା କାହିଁ ॥ ୧୬୦
ତୁମ୍ଭର ହରିଭାବ ଦେଖି । ନିର୍ମଳ କଲି ଚର୍ମଆଖି ॥ ୧୬୧
ଶୁଣ ଗୋବିନ୍ଦ ଆଜ୍ଞା ଧୀରେ । କହିବି ତୁମ୍ଭର ଛାମୁରେ ॥ ୧୬୨
ତୁମ୍ଭ ଭକତିଭାବ ଚିତ୍ତେ । ଗୋବିନ୍ଧ କହିଛନ୍ତି ଯେତେ ॥ ୧୬୩
ଉଦ୍ଧବ କୃଷ୍ଣର ବଚନ । କହେ କରାଇ ସାବଧାନ ॥ ୧୬୪
ଶୁଣ ଗୋ ତୁମ୍ଭେ ଗୋପୀଜନେ । ତୁମ୍ଭେ ଯେ ଦୁଃଖ କର ମନେ ॥ ୧୬୫
ତୁମ୍ଭ ବିୟୋଗ ମୋର ନାହିଁ । ପ୍ରାଣୀଙ୍କ ପ୍ରାଣ ମୁଁ ଅଟଇ ॥ ୧୬୬
ପ୍ରାଣୀଙ୍କ ଦେହେ ପଞ୍ଚଭୂତ । ଯେହ୍ନେ ଜଡ଼ିତ ଅବିରତ ॥ ୧୬୭
ମନର ସଙ୍ଗେ ପ୍ରାଣ ବୁଦ୍ଧି । ଦଶଇନ୍ଦ୍ରିୟ ଗୁଣେ ଛନ୍ଦି ॥ ୧୬୮
ମୋହର ଆତ୍ମାଭାବ ଦେଇ । ସର୍ଜି ପାଳଇ ସଂହାରଇ ॥ ୧୬୯
ମୋହର ମାୟା ଅନୁଭବ । ଭୂତ ଇନ୍ଦ୍ରିୟ ଗଣ ସର୍ବ ॥ ୧୭୦
ଏ ଜୀବ ଆତ୍ମା ଗୁଣ ହୀନ । ବିବେକ ଶୁଦ୍ଧ ଚଇତନ ॥ ୧୭୧
ସୁଷୁପ୍ତି ସ୍ୱପ୍ନ ଉଜାଗର । ମନର ବୃତ୍ତି ଏ ବେଭାର ॥ ୧୭୨
ଇନ୍ଦ୍ରିୟଅର୍ଥେ ଯେଣେ ଧ୍ୟାୟି । ସ୍ୱପନ ସତ୍ୟପ୍ରାୟ ହୋଇ ॥ ୧୭୩
ନିଦ୍ରା ବିଯୋଗେ ପୁରୁଷଙ୍କୁ । ସେ ମାୟା ନ ଲାଗେ ତାହାଙ୍କୁ ॥ ୧୭୪
ଏ ଭାବେ ଜ୍ଞାନ ଯାର ହୋଇ । ସଂସାର ତାକୁ ନ ଲାଗଇ ॥ ୧୭୫
ବେଦବେଦାନ୍ତର ଏ ଅର୍ଥ । ମୁନିଙ୍କ ସାଂଖ୍ୟଯୋଗ ମତ ॥ ୧୭୬
ସନ୍ୟାସ ତପ ଧର୍ମ ସତ୍ୟ । ପଠନ ସାଧନ ସମେତ ॥ ୧୭୭
ମନ ନିରୋେଧେ ସର୍ବସିଦ୍ଧି । ଜଳଧି ମଧ୍ୟେ ଯେହ୍ନେ ନଦୀ ॥ ୧୭୮
ତୁମ୍ଭଙ୍କୁ ମୋର ମାୟା ନାହିଁ । ତେଣୁ ରହିଲି ଦୂର ହୋଇ ॥ ୧୭୯
ଚନ୍ଦ୍ରକୁମୁଦ କେତେ ଦୂର । ପୀରତି ଅଜର ଅମର ॥ ୧୮୦
ତୁମ୍ଭ ନୟନ ମନ ସଙ୍ଗ । ବଢିବ ମୋର ଅନୁରାଗ ॥ ୧୮୧
ଯାହାର ସ୍ୱାମୀ ଥାଇ ଦୂରେ । ପ୍ରିୟାର ମନ ତା ସଙ୍ଗରେ ॥ ୧୮୨
ମନରୁ କ୍ଷଣେ ନ ଛାଡ଼ନ୍ତି । ଭାବ ହୃଦୟଗତେ ଚିନ୍ତି ॥ ୧୮୩
ଚକ୍ଷୁ ଗୋଚରେ ସ୍ୱାମୀ ଥିଲେ । ମନ ତା ନ ରହେ ନିଶ୍ଚଳେ ॥ ୧୮୪
ମୋହର ତହିଁ ଦେଇ ମନ । ଛାଡ଼ି ସକଳ ମାୟାଭ୍ରମ ॥ ୧୮୫
ନିରତେ ନାମ ସୁମରଣେ । ମୋ ଦେହ ପାଇବ ମରଣେ ॥ ୧୮୬
ଏ ବୃନ୍ଦାବନ ତୁମ୍ଭ ସଙ୍ଗେ । ଯେ ଗୋପୀ ରାସକ୍ରୀଡ଼ା ରଙ୍ଗେ ॥ ୧୮୭
ଯାଇ ନ ପାରି ସ୍ୱାମୀବଳେ । ପ୍ରାଣ ଛାଡ଼ିଲା ଧ୍ୟାନଭୋଳେ ॥ ୧୮୮
ଆକାଶେ ଥିଲେ ଦେବେ ଚାହିଁ । ପଶିଲା ମୋର ଦେହେ ଯାଇ ॥ ୧୮୯
କହନ୍ତି ଶୁକ ମହାମୁନି । ଗୋପୀଏ କୃଷ୍ଣକଥା ଘେନି ॥ ୧୯୦
ଉଦ୍ଧବ ମୁଖକୁ ଅନାଇଁ । କହନ୍ତି କୃଷ୍ଣଭାବ ଲଇଁ ॥ ୧୯୧
ଗୋପୀଗଣ ଉବାଚ
ଆମ୍ଭର ଭାଗ୍ୟ ହେ ଉଦ୍ଧବ । କଂସ ସଂହାରିଲେ ମାଧବ ॥ ୧୯୨
ଆବର ଦୁଷ୍ଟଦୈତ୍ୟ ମଲେ । ଯଦୁଙ୍କୁ କଷ୍ଟ ଦେଉଥିଲେ ॥ ୧୯୩
ସକଳ ଅର୍ଥ ସିଦ୍ଧ କରି । ସୁଖେ ଅଛନ୍ତି ରାମହରି ॥ ୧୯୪
ଯାଦବ ଭୋଜବଂଶ ଆଦି । କଂସର ଯେତେ ଥିଲେ ବାଦୀ ॥ ୧୯୫
କଂସକୁ ମାରି କଲେ ସୁଖୀ । ଦୁଷ୍ଟେ ଭାଜିଲେ ତାହା ଦେଖି ॥ ୧୯୬
ସଭିଁଙ୍କୁ କରାଇ ହରଷ । ତହିଁ ରହିଲେ ପୀତବାସ ॥ ୧୯୭
ମଥୁରାନାରୀଙ୍କର ମଧ୍ୟେ । କୃଷ୍ଣ କି ଅଛନ୍ତି ଆନନ୍ଦେ ॥ ୧୯୮
ଆମ୍ଭର କଥା ତାଙ୍କ ଆଗେ । ଗୋବିନ୍ଦ କହେ କି ପ୍ରସଙ୍ଗେ ॥ ୧୯୯
ତାହାଙ୍କ ସ୍ନେହଭାବ ଘେନି । ଛାଡ଼ିଲେ ଗୋପର କାମିନୀ ॥ ୨୦୦
ଏ ବୃନ୍ଦାବନେ ରାତ୍ରିକାଳେ । କୁନ୍ଦ କୁସୁମ ପରିମଳେ ॥ ୨୦୧
ନୁପୁର କଙ୍କଣ ଶବଦେ । ନାଚୁ ଯେ ଥିଲେ ଗୋପୀମଧ୍ୟେ ॥ ୨୦୨
ଆମ୍ଭର ସଙ୍ଗେ ରମୁଥାଇ । କୃଷ୍ଣ କି ତାହା ସୁମରଇ ॥ ୨୦୩
ରାସକ୍ରୀଡ଼ାରେ ଯେତେ କଲା । କ୍ଷଣ କ୍ଷଣକେ ନାନା ଲୀଳା ॥ ୨୦୪
ଦେଖି ଚକିତ ଦେବଗଣ । ଦ୍ରବିଲା ସବୁଙ୍କରି ମନ ॥ ୨୦୫
ଆମ୍ଭେ ରମିଲୁ ତାର ଭାବେ । ତାହା କି ସୁମରଇ ଏବେ ॥ ୨୦୬
ହୃଦୟ କଥା ଯେତେ କହୁଁ । ତାହାର ଭାବେ ହୃଦେ ବହୁ ॥ ୨୦୭
ଉଦ୍ଧବ କହ ତୁମ୍ଭେ ସତ । ଗୋପେ କି ଆସିବେ ଅନନ୍ତ ॥ ୨୦୮
ତାର ନ ପାଇ ଅଙ୍ଗସଙ୍ଗ । ଦହଇ ପ୍ରତିକ୍ଷଣେ ଅଙ୍ଗ ॥ ୨୦୯
ଆଶ୍ୱାସ କରି ନିଜ କରେ । ଜୀବନ ଦେବେ କି ଆମ୍ଭରେ ॥ ୨୧୦
ବରଷା ଜଳ ପାଇ ଯେହ୍ନେ । ଜୀବନ ପାନ୍ତି ତରୁ ବନେ ॥ ୨୧୧
ତାହାର ଆଶ୍ରେ ଭୃତ୍ୟ ହୋଇ । ଜୀବନ ରଖୁ ମୁଖ ଚାହିଁ ॥ ୨୧୨
ସେ ହରି ଆମ୍ଭଙ୍କୁ ତେଜିଲା । ମଥୁରାପୁରେ ବିଜେ କଲା ॥ ୨୧୩
କଂସକୁ ମାରି ରାଜ୍ୟ ପାଇ । ରାଜା ହୋଇଲେ କୃଷ୍ଣ ତହିଁ ॥ ୨୧୪
ରାଜକନ୍ୟାଙ୍କୁ ହେବେ ବିଭା । ଯାଦବ ମଧ୍ୟେ ଯାର ଶୋଭା ॥ ୨୧୫
କ୍ଷତ୍ରିୟ ବୃତ୍ତି ଆଚରିଲେ । ସେ କିମ୍ପା ଗୋପପୁଅ ତୁଲେ ॥ ୨୧୬
ଗୋରୁଙ୍କ ସଙ୍ଗେ ନେବେ ଦିନ । କିମ୍ପା ଭ୍ରମିବେ ବନେ ବନ ॥ ୨୧୭
ସେ କାହିଁ ଗୋପକୁ ଆସିବ । ଏମନ୍ତ ନ ଦେଖୁ ଉଦ୍ଧବ ॥ ୨୧୮
ସ୍ୱଭାବେ ଆମ୍ଭେ ବନଚାରୀ । ଲକ୍ଷ୍ମୀ ଯାହାର ପରିବାରୀ ॥ ୨୧୯
ସେ ପୁରନାରୀଙ୍କ ଆୟତ୍ତ । ତାର ବଚନ କାହିଁ ସତ୍ୟ ॥ ୨୨୦
ପିଙ୍ଗଳା ନାମେ ଥିଲା ବେଶ୍ୟା । ତାହାର ନ ପୂରିଲା ଆଶା ॥ ୨୨୧
ନିରାଶ ହୋଇଲା ସେ ଯେହ୍ନେ । ଗୋପକାମିନୀ ଆମ୍ଭେ ତେହ୍ନେ ॥ ୨୨୨
ଗୋବିନ୍ଦ ଲୀଳାରସ ପାଇ । ଆମ୍ଭେ ଗୋପୀଏ ତୋଷ ନୋହି ॥ ୨୨୩
ନଦୀ ପର୍ବତ ବନ ଦେଶେ । ଗମଇଁ ବେଣୁନାଦ ଘୋଷେ ॥ ୨୨୪
ଆମ୍ଭର ତୁଲେ ଯାହା କଲା । ଅନେକ ବୃନ୍ଦାବନେ ଲୀଳା ॥ ୨୨୫
ଏଣୁ ସେ କୃଷ୍ଣଭାବ ଜାଣି । ମନ ଦହଇ ପୁଣ ପୁଣି ॥ ୨୨୬
ଦେଖିତ ପଦ୍ମପାଦ ଛାୟା । କେମନ୍ତେ ପାସୋରିବୁ ତାହା ॥ ୨୨୭
ଲଳିତ ଗତି ହାସ ରଙ୍ଗେ । କୃଷ୍ଣ ଯେ ଚାହାନ୍ତି ତ୍ରିଭଙ୍ଗେ ॥ ୨୨୮
ମଧୁର ବଚନ ମୋହ୍ନ । କେମନ୍ତେ ପାସୋରିବୁ ମନ ॥ ୨୨୯
ହେ ନାଥ ରମାନାଥ ହରି । ଆରତଭଂଜନ ମୁରାରି ॥ ୨୩୦
ଆମ୍ଭର ଦେଖୁଅଛ ଦୁଃଖ । ଗୋକୁଳ ଶୋକଜଳୁ ରଖ ॥ ୨୩୧
କହନ୍ତି ଶୁକ ବ୍ରହ୍ମଚାରୀ । ତାପପଛାଡିଲେ ବ୍ରଜନାରୀ ॥ ୨୩୨
କୃଷ୍ଣ ସନ୍ଦେଶେ ମନ ସ୍ଥିର । ପୂଜିଲେ ଉଦ୍ଧବ ପୟର ॥ ୨୩୩
କୃଷ୍ଣର ପ୍ରାୟେ ପୂଜା କରି । ଉଦ୍ଧବ ସଙ୍ଗେ ଗୋପନାରୀ ॥ ୨୩୪
କେତେହେଁ ଦିନ ଗୋପପୁରେ । ଗୋପୀଙ୍କ ମନ ତୋଷିବାରେ ॥ ୨୩୫
କୃଷ୍ଣର ରସ ଲୀଳା ଗାଇ । ଗୋପୀଙ୍କ ମନ ସେ ରଞ୍ଜଇ ॥ ୨୩୬
ଯେତେ ଦିବସ ନନ୍ଦପୁରେ । ଉଦ୍ଧବ ରହିଲା ନିର୍ଭରେ ॥ ୨୩୭
କୃଷ୍ଣର କଥା ରସମୟ । ଗୋପୀ ବଂଚିଲେ କ୍ଷଣ ପ୍ରାୟ ॥ ୨୩୮
ଗୋପୀଙ୍କ ମନ ତୋଷ ପାଇଁ । ଉଦ୍ଧବ କହଇ ମଣାଇଁ ॥ ୨୩୯
ଶୁଣ ସକଳ ବ୍ରଜନାରୀ । ତୁମ୍ଭରେ ତୁଷ୍ଟ ନରହରି ॥ ୨୪୦
ତୁମ୍ଭେ ଗୋ ବଡ଼ ଭାଗ୍ୟବନ୍ତ । ତୁମ୍ଭର ହୃଦ ଅବିରତ ॥ ୨୪୧
କୃଷ୍ଣହୁଁ ନ ଜାଣଇ ଆନ । ଯେ ପ୍ରଭୁ ଗୋପୀଙ୍କ ଜୀବନ ॥ ୨୪୨
ତାହା ଘେନିଲ ତୁମ୍ଭେ ହୃଦେ । ଈଶ୍ୱର ଗୁଣ ଅନୁବାଦେ ॥ ୨୪୩
ତୁମ୍ଭେ ଭେଦିଲେ ସେହୁ ହରି । ଦେବ ମାନବେ ନାହିଁ ସରି ॥ ୨୪୪
ଗୋପୀ ବୋଲନ୍ତି ହେ ଉଦ୍ଧବ । ଆମ୍ଭର ପ୍ରାଣ ପଦ୍ମନାଭ ॥ ୨୪୫
ଆମ୍ଭର ଦେହ ଗୋପପୁରେ । ଜୀବନ କୃଷ୍ଣର ଶରୀରେ ॥ ୨୪୬
ମନବଚନ କୃଷ୍ଣ ପାଦେ । ବ୍ୟାପାର କରୁ ଘର ମଧ୍ୟେ ॥ ୨୪୭
ତୁମ୍ଭଙ୍କୁ କହିଲୁଟି ସତ୍ୟ । ଆମ୍ଭର ପ୍ରାଣ ଗୋପୀନାଥ ॥ ୨୪୮
ନଦୀ କାନନ ଗିରି ତଟେ । କୁସୁମତରୁଙ୍କ ନିକଟେ ॥ ୨୪୯
ଉଦ୍ଧବେ ଘେନି ଗୋପନାରୀ । ଦେଖାନ୍ତି କରେ କର ଧରି ॥ ୨୫୦
ଦେଖ ଉଦ୍ଧବ କୃଷ୍ଣଲୀଳା । ଯହିଁ ଯେମନ୍ତ କରିଥିଲା ॥ ୨୫୧
ଗୋପୀଙ୍କ ଦେଖି କୃଷ୍ଣଭାବ । ଆନନ୍ଦେ ବୋଲଇ ଉଦ୍ଧବ ॥ ୨୫୨
ଗୋପୀଙ୍କ ପାଦତଳେ ପଡ଼ି । ଉଦ୍ଧବ କହେ କରଯୋଡ଼ି ॥ ୨୫୩
ଏ ଗୋପୀମାନଙ୍କର ଜନ୍ମ । ଏ ମହୀତଳେ ବଡ଼ ଧନ୍ୟ ॥ ୨୫୪
ଦେବେ ନ ଜାଣନ୍ତି ଯାହାଙ୍କୁ । ଗୋପୀଏ ପାଇଲେ ତାହାଙ୍କୁ ॥ ୨୫୫
ଗୋପୀଏ କରି ନିତ୍ୟେ ଧ୍ୟାନ । ନ ଜାଣି ପାଇଲେକ ଜ୍ଞାନ ॥ ୨୫୬
ବ୍ରହ୍ମାଶଙ୍କର ଆଦି କରି । ନିତ୍ୟେ ଚିନ୍ତନ୍ତି ଦୃଢେ ଧରି ॥ ୨୫୭
ଏ ଭାବ ଜାଣି ନ ପାରିଲେ । ଗୋପୀଙ୍କି ଚଉବର୍ଗ ଦେଲେ ॥ ୨୫୮
ଭାବି ନ ପାନ୍ତି ବ୍ରହ୍ମମୁନି । ଏ ଭାବ ଜାଣିଲେ କାମିନୀ ॥ ୨୫୯
କୃଷ୍ଣିର ଗୀତନାଦେ ସୁଖୀ । ପ୍ରେମେ ବିହ୍ୱଳ ପଦ୍ମମୁଖୀ ॥ ୨୬୦
ଆଶା ବଢିଲା କୃଷ୍ଣଦେହେ । ଛାଡ଼ି ନ ପାରି ମାୟାମୋହେ ॥ ୨୬୧
କେମନ୍ତେ ଛାଡ଼ିବେ ମୁରାରୀ । ପଦ୍ମା ଯାହାଙ୍କୁ ଆଶ୍ରେ କରି ॥ ୨୬୨
ରାସଉତ୍ସବେ ଏ କାମିନୀ । କୃଷ୍ଣଚରଣ କରେ ଘେନି ॥ ୨୬୩
ସ୍ତନ-ବଦନ-କରେ ଚାପି । ଛାଡ଼ିଲେ ତିନିତାପ ଗୋପୀ ॥ ୨୬୪
ଏହାଙ୍କୁ ପଦରଜ ମୁହିଁ । ନିରତେ କପାଳେ ଘେନଇ ॥ ୨୬୫
ଏମନ୍ତେ ହୃଦେ ଲଭି ଭାବ । ମଥୁରା ଗମନେ ଉଦ୍ଧବ ॥ ୨୬୬
ଗୋପୀଙ୍କି ଆଜ୍ଞା ମାଗି ଧୀରେ । ନନ୍ଦ ଯଶୋଦାଙ୍କ ପୟରେ ॥ ୨୬୭
ଗୋପଙ୍କୁ ଆଲିଙ୍ଗନ ଦେଇ । ରଥେ ବସିଲେ ତୋଷହୋଇ ॥ ୨୬୮
ଗୋପୀଗୋପାଳ ଆଦି କରି । ରଥରେ ନାନାଦ୍ରବ୍ୟ ଭରି ॥ ୨୬୯
ଉଦ୍ଧବ ପାଶେ ନନ୍ଦ କାନ୍ଦେ । କହଇ ଅଶ୍ରୁ ଗଦଗଦେ ॥ ୨୭୦
ଆମ୍ଭର ମନୋବାଞ୍ଛା ଯେତେ । ସଙ୍କଳ୍ପ କରି ହୃଦଗତେ ॥ ୨୭୧
ସେ ସବୁ କୃଷ୍ଣପଦେ ଥାଉ । ତା ନାମ ଧରି ଦିନ ଯାଉ ॥ ୨୭୨
ଆମ୍ଭର ମନ ତାର ପାଦେ । ନିରତେ ରହୁ ଅପ୍ରମାଦେ ॥ ୨୭୩
ଆମ୍ଭେ ଯେ କର୍ମମାର୍ଗେ ଭ୍ରମି । ଫୁଟି ହୋଇଲୁ ପଥଶ୍ରମୀ ॥ ୨୭୪
ଈଶ୍ୱର ମାୟାତନ୍ତ୍ରେ ପଡ଼ି । ଜନ୍ମମରଣାପଥ ହୁଡ଼ି ॥ ୨୭୫
ଶୁଦ୍ଧ ଆଚାର ଜ୍ଞାନ ଭେଦେ । ଗତି ପାଇବୁ କୃଷ୍ଣପାଦେ ॥ ୨୭୬
କହନ୍ତି ବ୍ୟାସଙ୍କର ସୁତ । ଉଦ୍ଧବ ଗୋବିନ୍ଦର ଦୂତ ॥ ୨୭୭
ନମିଣ ଗୋପୀଙ୍କର ପାଦେ । ନନ୍ଦ ଯଶୋଦା ପାଦେ ବନ୍ଦେ ॥ ୨୭୮
ଉଦ୍ଧବ ହୋଇଣ ଆନନ୍ଦ । ମଥୁରା ଗଲେ ଅପ୍ରମାଦ ॥ ୨୭୯
ଗୋପୀଗୋପାଳ ଭାବ ଜାଣି । କୃଷ୍ଣଙ୍କୁ କହେ ପୁଣପୁଣି ॥ ୨୮୦
ବସୁଦେବର ପାଶେ ଯାଇ । ଆନନ୍ଦେ ରାମଙ୍କୁ ବସାଇ ॥ ୨୮୧
ଗୋପୀଙ୍କ ଉପହାର ଦ୍ରବ୍ୟ । ନିକଟେ ଥୋଇଲା ଉଦ୍ଧବ ॥ ୨୮୨
ଦେଖି ଆନନ୍ଦ ବସୁଦେବ । ହସନ୍ତି ଶ୍ରୀରାମ ମାଧବ ॥ ୨୮୩
ଉଦ୍ଧବ କହେ କଥାମାନ । ତୋଷ ହୋଇଲେ ଭଗବାନ ॥ ୨୮୪
ବ୍ରାହ୍ମଣ ଦାସ ଜଗନ୍ନାଥ । ଗୀତବିନୋଦେ ଭାଗବତ ॥ ୨୮୫
ଉଦ୍ଧବ ଜ୍ଞାନ ଯା କହିଲା । ଗୋପୀଗୋପାଳଙ୍କର ଲୀଳା ॥ ୨୮୬
ସେ କଥା ଶୁଣି ହୋଏ ତୋଷ । ମନେ ସୁମରି କୃଷ୍ଣର ॥ ୨୮୭
ସୁଜନେ ଶୁଣ କର୍ଣ୍ଣପଥେ । ଭକ୍ତି ହେବ ହୃଦଗତେ ॥ ୨୮୮
ନିରତେ ଭଜ ରାମହରି । ଏଣେ ତରିବ ଭବବାରି ॥ ୨୮୯
ସେ ଗୋପୀଗୋବିନ୍ଦ ଚରଣେ । ସୁଜନେ ଚିନ୍ତ ଅନୁକ୍ଷଣେ ॥ ୨୯୦
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଉଦ୍ଧବ ପ୍ରତିଯାନେ ନାମ
ଏକ ପଞ୍ଚାଶତ୍ ଅଧ୍ୟାୟଃ ॥
* * *