ଦଶମ ସ୍କନ୍ଧ

ଏକପଞ୍ଚାଶତ୍ ଅଧ୍ୟାୟ

ଶୁକ ଉବାଚ

କହନ୍ତି ଶୁକ ମୁନିବର । ଶୁଣ ପରୀକ୍ଷ ନୃପବର ॥

ଉଦ୍ଧବେ ଦେଖି ଗୋପଗୋପୀ । ବଦନ ଚାହାଁନ୍ତି ନିରୋପି ॥

ଦଇବେ କୃଷ୍ଣ ଅନୁଚର । ତେଜେ ଗଞ୍ଜଇ ସୁରନର ॥

ଆଜାନୁ ଲମ୍ବେ ବେନିଭୁଜ । କମଳପ୍ରାୟେ ଚକ୍ଷୁତେଜ ॥

ପୀତବସନ କଟିମୂଳେ । କମଳମାଳ ବକ୍ଷସ୍ଥଳେ ॥

କର୍ଣ୍ଣେ କୁଣ୍ତଳ ବେନି ଶୋହେ । ରୂପେ କନ୍ଦର୍ପ ସରି ନୋହେ ॥

ଦେଖି ବିସ୍ମିତେ ଗୋପୀଜନେ । ଚକିତେ ବିଚାରନ୍ତି ମନେ ॥

ଦେଖ ସୁନ୍ଦରବର ଏହୁ । କେ ବୋଲେ ଅଇଲା ଏ କାହୁଁ ॥

କୃଷ୍ଣଭୂଷଣ ଏହା ଦେହେ । କେ ବୋଲେ ଦିଶେ କୃଷ୍ଣପ୍ରାୟେ ॥

ଏମନ୍ତ ବୋଲି ଗୋପନାରୀ । ଉଦ୍ଧବରଥକୁ ଆବୋରି ॥ ୧୦

ଜାଣିଲେ କୃଷ୍ଣର ଏ ଦୂତ । ଆମ୍ଭର ପାଇ ଉପଗତ ॥ ୧୧

ଗୋପୀଙ୍କ ଦେଖି ସ୍ନେହଭାବ । ରଥରୁ ଓହ୍ଲାଇ ଉଦ୍ଧବ ॥ ୧୨

ଗୋପୀଙ୍କ ମଧ୍ୟରେ ପ୍ରବେଶ । ସକଳେ ହୋଇଲେ ହରଷ ॥ ୧୩

ଆନନ୍ଦେ କୃଷ୍ଣଦୂତେ ନେଇ । ପୂଜିଲେ ଆସନେ ବସାଇ ॥ ୧୪

ଉଦ୍ଧବେ ହରଷ କରାଇ । ଭକ୍ତିଭାବରେ କଥା କହି ॥ ୧୫

ବୋଲନ୍ତି ଆଜ ଶୁଭଦିନ । ଦେଖିଲୁ କୃଷ୍ଣ ଚିହ୍ନମାନ ॥ ୧୬

କୃଷ୍ଣ ଯେ ଆମ୍ଭର ଜୀବନ । ତା ବିନୁ ନ ରହଇ ମନ ॥ ୧୭

ଏମନ୍ତେ କୃଷ୍ଣଦୂତ ସଙ୍ଗେ । ଗୋପକାମିନୀ ଖେଦଯୋଗେ ॥ ୧୮

କ୍ଷଣକ୍ଷଣକେ ଶୋକମୋହେ । ନୟନୁ ଅଶ୍ରୁଜଳ ବହେ ॥ ୧୯

ବୋଲନ୍ତି ଶୁଣ କୃଷ୍ଣଦୂତ । ତୁମ୍ଭେ ଯେ ବଡ଼ ଭାଗ୍ୟବନ୍ତ ॥ ୨୦

ଜାଣିଲୁ ଉଦ୍ଧବ ତୋ ନାମ । ତୋତେ ବିଶ୍ୱାସ ଭଗବାନ ॥ ୨୧

ତାହାଙ୍କ ଅଙ୍ଗସଙ୍ଗ ତୁହି । ତୋତେ ପେଷିଲେ ଆମ୍ଭପାଇଁ ॥ ୨୨

ମାତା ପିଅର ପ୍ରିୟଭାବେ । ଉଦ୍ଧବ ଆସିଅଛୁ ଏବେ ॥ ୨୩

ସେ କୃଷ୍ଣ କିମ୍ପା ସୁମରିବ । ଆମ୍ଭର ଘେନିଗଲା ଜୀବ ॥ ୨୪

ସ୍ନେହବନ୍ଧନ ବନ୍ଧୁଙ୍କର । ବାନ୍ଧଇ ସୁରମୁନିନର ॥ ୨୫

କାହାରି ବୋଲେ ଛାଡ଼ି ନୋହେ । ବନ୍ଧୁ ବିଶ୍ୱାସେ ମାୟାମୋହେ ॥ ୨୬

ଶୁଣ ଉଦ୍ଧବ ଆମ୍ଭ ବାଣୀ । ମରୁଛୁଁ ଗୋପର ତରୁଣୀ ॥ ୨୭

ଯେ ଅବା ଅର୍ଥଭାବ ଜାଣି । ଭାବେ ଭଜନ୍ତି ଯେଉଁ ପ୍ରାଣୀ ॥ ୨୮

ଯାବତ ଥାଇ ଅର୍ଥଲାଭ । ତାବତ ଥାଇ ପ୍ରିୟଭାବ ॥ ୨୯

ପରପୁରୁଷେ ପ୍ରୀତି ବହି । ଯେ ନାରୀ ଜୀବନ ବହଇ ॥ ୩୦

ତାହାର କାହିଁ ସ୍ନେହ ମତ । ଧନରେ ପ୍ରୀତି ଅବିରତ ॥ ୩୧

କୁସୁମେ ଯେସନେ ଭ୍ରମର । ମଧୁ ପିଇଣ ଯାଇ ଦୂର ॥ ୩୨

ଉଦ୍ଧବ ଶୁଣ ବେଦସାର । ସ୍ୱଭାବେ ସଂସାର ବେଭାର ॥ ୩୩

ସୁନ୍ଦର ପୁରୁଷ ନିର୍ଦ୍ଧନ । ଗଣିକା ଛାଡ଼ଇ ଯେସନ ॥ ୩୪

ରାଜାକୁ ଆଭାଜନ ଦେଖି । ପ୍ରଜା ଛାଡ଼ିଣ ହୋନ୍ତି ସୁଖୀ ॥ ୩୫

ବିଦ୍ୟା ପାଇଲେ ଶିଷ୍ୟେ ଗୁରୁ । ଯେସନେ ତେଜନ୍ତି ମନରୁ ॥ ୩୬

ଦକ୍ଷିଣା ପାଇ ବିପ୍ରଜନେ । ଯେହ୍ନେ ଛାଡନ୍ତି ଯଜମାନେ ॥ ୩୭

ଫଳ ସରିଲେ ବୃକ୍ଷ ଛାଡ଼ି । ପକ୍ଷୀଏ ଯେହ୍ନେ ଯାନ୍ତି ଉଡ଼ି ॥ ୩୮

ଅତିଥି ଅନ୍ନ ଭିକ୍ଷା ପାଇ । ଯେସନେ ଗୃହେ ନ ରହଇ ॥ ୩୯

ପୋଡିଲା ବନୁ ପଶୁ ଯେହ୍ନେ । ଛାଡି ପଳାନ୍ତି ଅନ୍ୟ ବନେ ॥ ୪୦

ପରପୁରୁଷ ପରନାରୀ । ଯେସନେ ରମିଣ ପାସୋରି ॥ ୪୧

ତେମନ୍ତେ କଲେ ବନମାଳୀ । ଛାଡି ସକଳ ଗୋପବାଳୀ ॥ ୪୨

ଏମନ୍ତ କହି ଗୋପନାରୀ । ବେନିଲୋଚନୁଁ ବହେ ବାରି ॥ ୪୩

ମନ ବଚନ କୃଷ୍ଣଦେହେ । ଛାଡିଲେ ଜୀବନର ମୋହେ ॥ ୪୪

ବାତୁଳ ପ୍ରାୟ ଉଚ୍ଚସ୍ୱର । ଛାଡିଲେ ଲୋକର ବେଭାର ॥ ୪୫

କୃଷ୍ଣର ଲୀଳାକର୍ମମାନ । ସୁମରି କରନ୍ତି ରୋଦନ ॥ ୪୬

ଲାଜ ଛାଡ଼ିଲେ ଗୋପଦାଣ୍ତେ । ବଜ୍ର ପଡିଲା ଯେହ୍ନେ ମୁଣ୍ତେ ॥ ୪୭

ଆପଣା ହୃଦେ ଭାବ ଲଇଁ । କୃଷ୍ଣର ରୂପ ଗୁଣ ଧ୍ୟାୟି ॥ ୪୮

ବାଲୁତକାଳୁଁ ଯେତେ କଲା । ସୁମରି ଗୋବିନ୍ଦର ଲୀଳା ॥ ୪୯

ଅତି ସଙ୍କଟେ ଶୋକଜଳେ । ବୁଡ଼ିଣ କାନ୍ଦନ୍ତି ବିକଳେ ॥ ୫୦

ଉଦ୍ଧବ ପାଦତଳେ ପଡ଼ି । ଶୋକସାଗରେ ଗୋପୀ ବୁଡ଼ି ॥ ୫୧

ବାଳୁତ ପ୍ରାୟେ ଗୋପନାରୀ । ଉଚ୍ଚେ ବୋଲନ୍ତି ହରିହରି ॥ ୫୨

ଏମନ୍ତେ ଶୁଣ ନରପତି । ଗୋପୀଏ ନାମ ବୃନ୍ଦାବତୀ ॥ ୫୩

ଗହଳେ ଯାଇ ନ ପାରିଲା । ଅଳପ ନିକଟେ ବସିଲା ॥ ୫୪

ଗୋବିନ୍ଦ ଦେହେ ମନ ଦେଇ । ଚକ୍ଷୁ ବୁଜିଲା ଭାବ ବହି ॥ ୫୫

ଶ୍ରମେ ଚରଣ ପ୍ରସାରିଲା । ଶୁଣ ରାଜନ କୃଷ୍ଣଲୀଳା ॥ ୫୬

ଭ୍ରମର ଉଡ଼ୁଥିଲା ଶୂନ୍ୟେ । ବସିଲା ତାହାର ଚରଣେ ॥ ୫୭

ଅଙ୍ଗୁଳି ଅଗ୍ରେ ଧ୍ୱନି କରି । ଶୁଣି ଚାହିଁଲା ଗୋପନାରୀ ॥ ୫୮

କୃଷ୍ଣର ଦୂତପ୍ରାୟ ମଣି । ଚରଣ ମାଇଲା ତରୁଣୀ ॥ ୫୯

ପଡ଼ିଲା ଖଣ୍ତେ ଦୂରେ ଯାଇ । କୋପେ ବୋଲଇ ତାକୁ ଚାହିଁ ॥ ୬୦

ମଧୁପ ଶୁଣ ମୋ ବଚନ । ତୋର ଠାକୁର ଜନାର୍ଦ୍ଦନ ॥ ୬୧

କୃଷ୍ଣର କୃଷ୍ଣର ବାନ୍ଧବ ତୁ ଅଟୁ । ମୋର ଚରଣେ କିପାଁ ଖଟୁ ॥ ୬୨

ମଥୁରା-ନଗର-ତରୁଣୀ । ନିଶ୍ଚେ ମୋହିଲେ ଚକ୍ରପାଣି ॥ ୬୩

ସେ ଯେ ଆମ୍ଭର ସପତଣୀ । ଏକଥା ତ୍ରିଭୁବନେ ଜାଣି ॥ ୬୪

ତୁ ଷଟପଦ ତା ନ ଜାଣି । ଚରଣେ ଲାଗୁ ପୁଣ ପୁଣ ॥ ୬୫

ସୁନ୍ଦର ମଧୁପୁର ନାରୀ । ରାତ୍ରେ ରମିଲେ ନରହରି ॥ ୬୬

ଚନ୍ଦନ କୁଙ୍କୁମର ସଙ୍ଗେ । କୁସୁମମାଳ ତାର ଅଙ୍ଗେ ॥ ୬୭

କୃଷ୍ଣର ଦେହେ ଲାଗିଥିଲା । ରାତ୍ର ପାହିଲେ ପକାଇଲା ॥ ୬୮

ତୁହି ଯେ ଥିଲୁ କୃଷ୍ଣ ପାଶେ । ପୁଷ୍ପେ ବସିଲୁ ଗନ୍ଧ ଆଶେ ॥ ୬୯

ମଧୁ ଚୁମ୍ବନ କଲୁ ଶୁଖେ । କୁଙ୍କୁମ ଲାଗି ଅଛି ମୁଖେ ॥ ୭୦

ଏଣୁ ତୋ ମୁଖେ ଲାଜ ନାହିଁ । ଚରଣେ ପଡୁ କାହିଁପାଇଁ ॥ ୭୧

କୃଷ୍ଣରେ ନାହିଁ ମୋର କାର୍ଯ୍ୟ । ତାହାରେ ହୋଇଲୁ ନିର୍ଲ୍ଲଜ ॥ ୭୨

ହରିସନ୍ଦେଶ ଯେବେ ଘେନି । ଅଇଲୁ ହୋଇ ପଥଶ୍ରମୀ ॥ ୭୩

ତାର ପ୍ରସାଦେ କାର୍ଯ୍ୟ ନାହିଁ । କହ ତୁ କୃଷ୍ଣ ଆଗେ ଯାଇ ॥ ୭୪

ମଥୁରାନାରୀଙ୍କର ମନ । ରଞ୍ଜାଇ କରୁ ସେ ପ୍ରସନ୍ନ ॥ ୭୫

ଯଦୁସଭାରେ ତା ପ୍ରସନ୍ନ । ଶୁଣି ହସନ୍ତୁ ସର୍ବଜନ ॥ ୭୬

ତାହାର ଦୂତ ଅଟୁ ତୁହି । ତୋହର ମୁଖେ ଲାଜ ନାହିଁ ॥ ୭୭

ମୋର ବଚନ ତୁ ଭ୍ରମର । ଶୁଣିଲେ ହୋଇବୁ ବିକଳ ॥ ୭୮

ଯମୁନା କଦମ୍ବର ମୂଳେ । ରାତ୍ରେ ବସିଲା କାମଭୋଳେ ॥ ୭୯

ଗଭୀର ବେଣୁନାଦ କଲା । ଆମ୍ଭର ଜୀବନ ହରିଲା ॥ ୮୦

ସଂସାର ହୁଡି ତା ନିକଟେ । ମିଳିଲୁ ଯମୁନାର ତଟେ ॥ ୮୧

ଅନେକ କରାଇ କଷଣ । ପ୍ରସନ୍ନେ କଲା ଆଲିଙ୍ଗନ ॥ ୮୨

ଯେ ରସେ ଜଗତ ମୋହିଲା । ଆମ୍ଭର ମୁଖେ ଚୁମ୍ବ ଦେଲା ॥ ୮୩

ଅଧରୁ ସୁରପାନ ଦେଇ । ମଥୁରା ଗଲା ସେ ପଳାଇ ॥ ୮୪

ତୁ ଯେହ୍ନେ ପୁଷ୍ପେ ମଧୁ ଖାଉ । ନିବଡେ଼ ଆଲିଙ୍ଗନ ଦେଉ ॥ ୮୫

ପଳାଇ ନ ସମ୍ଭାଳୁ ତାହା । ତେମନ୍ତ କୃଷ୍ଣର ସେନେହା ॥ ୮୬

ତାହାର ପାଦେ ଅନୁବ୍ରତେ । କମଳା ଖଟଇ କେମନ୍ତେ ॥ ୮୭

ମାୟାମୋହନ କଥା କହି । ଲକ୍ଷ୍ମୀର ମନ ସେ ବାନ୍ଧଇ ॥ ୮୮

ଦୃଷ୍ଟି ହରଷ କାମଭୋଳେ । ତେଣୁ କମଳା ତାର କୋଳେ ॥ ୮୯

କିମ୍ପାଇଁ ରସୁ ମୋର ପାଶେ । ଗୋବିନ୍ଦ ଗାଉ ତୁ ହରଷେ ॥ ୯୦

ଆମ୍ଭର ନାହିଁ ଘରଦ୍ୱାର । କି ତୋରେ ଦେବା ଉପହାର ॥ ୯୧

ମଥୁରାନାରୀଙ୍କର ଆଗେ । ତାର ପ୍ରସଙ୍ଗ ଗାଅ ରଙ୍ଗେ ॥ ୯୨

ତାହାଙ୍କ ସଙ୍ଗେ ନାହିଁ ଭ୍ରାନ୍ତି । କୃଷ୍ଣର ଇଷ୍ଟ ସେ ଅଟନ୍ତି ॥ ୯୩

ସେ ତୋତେ ଇଷ୍ଟଫଳ ଦେବେ । ବେଗେ ମଥୁରା ଯାଅ ଏବେ ॥ ୯୪

ତିନିଭୁବନେ ଯେତେ ଛନ୍ତି । ସୁଗୁଣ ସୁନ୍ଦର ଯୁବତୀ ॥ ୯୫

ଦୁଲ୍ଲଭ ନୁହନ୍ତି ତାହାର । କୋଟିଏ କାମରୂପ ଯାର ॥ ୯୬

ପ୍ରସନ୍ନ ସୁନ୍ଦର ବଦନ । ହାସ୍ୟ କଟାକ୍ଷେ ମୋହେ ମନ ॥ ୯୭

ସେ କୃଷ୍ଣ ପଦରଜ ଆଶେ । କମଳା ଖଟିଥାଇ ପାଶେ ॥ ୯୮

ଆମ୍ଭେ କି ଜାଣୁ ତାର ଅନ୍ତ । ଯାହାର ମହିମା ଅନନ୍ତ ॥ ୯୯

ତଥାପି ଶୁଣ ହେ ଭ୍ରମର । କୃଷ୍ଣ ଯେ କରୁଣାସାଗର ॥ ୧୦୦

ଦରିଦ୍ରଲୋକେ ଯାର ଦୟା । ତାହାକୁ ବୋଲି ପୁଣ୍ୟଦେହା ॥ ୧୦୧

ତୁ ମୋର ଛାଡରେ ଚରଣ । ଜାଣିଲି ତୋର ଦୂତପଣ ॥ ୧୦୨

ମୁକୁନ୍ଦ ବୋଲେ ଚାଟୁବାଣୀ । ମୋ ଆଗେ କହୁ ପୁଣପୁଣି ॥ ୧୦୩

ବୋଧିବା ପ୍ରାୟ ତୋ ଭରସା । ଏଣେ ନ ପୂରେ ମୋର ଆଶା ॥ ୧୦୪

ଯା ତୁ ନ କହ ପୁଣ ପୁଣ । ଶୁଣ କହିବା ତାର ଗୁଣ ॥ ୧୦୫

ପତି ତନୟ ଇଷ୍ଟ ଭାଇ । ଆମ୍ଭେ ତେଜିଲୁ ତାର ପାଇଁ ॥ ୧୦୬

ତାହାର କଲାକର୍ମମାନ । ମନେ ପଡ଼ିଲେ ବୁଡେ଼ ଜ୍ଞାନ ॥ ୧୦୭

ଯେବେଳେ ରାମ ଅବତାର । ବଡ଼ ନିର୍ଦ୍ଦୟ ତା ଶରୀର ॥ ୧୦୮

ଏମନ୍ତେ ରାମେ ଦେଖି ଏକା । ଆସି ମିଳିଲା ସୂର୍ପଣଖା ॥ ୧୦୯

ଦେଖି ଶ୍ରୀରାମ ରୂପ ଗୁଣ । ଏକାନ୍ତେ ମାଗିଲା ରମଣ ॥ ୧୧୦

ନାସା ଶ୍ରବଣ ଛେଦି ତାର । ବିରୂପ କଲା ରଘୁବୀର ॥ ୧୧୧

ସୁଗ୍ରୀବ ଜ୍ୟେଷ୍ଠଭ୍ରାତା ବଳି । ବାନର ହୋଇ ମହାବଳୀ ॥ ୧୧୨

ତାକୁ ବଧିଲା ତୀକ୍ଷ୍ମବାଣେ । ଶବର ଯେସନ ହରିଣେ ॥ ୧୧୩

ସୀତା ହରାଇ ବେନିଭାଇ । ବୁଲନ୍ତି ବନେବନେ ଯାଇ ॥ ୧୧୪

କାକ ଯେସନେ ପିଣ୍ତ ପାଇ । ଖାଇ ଚରଣେ ତା ପକାଇ ॥ ୧୧୫

ବଳିକି କଲା ସେହିମତ । ଏଡେ଼ ନିର୍ଦ୍ଦୟ ଗୋପୀନାଥ ॥ ୧୧୬

ଏମନ୍ତ ରୂପେ ଗୁଣ ତାର । ତୁ ଆନ ନ କହ ଭ୍ରମର ॥ ୧୧୭

ତାର ଚରିତ କର୍ଣ୍ଣେ ଶୁଣି । ସଂସାର ମଧ୍ୟେ ଯେତେ ପ୍ରାଣୀ ॥ ୧୧୮

ସଂସାର-କର୍ମ ଛାଡ଼ିକରି । ବୁଲନ୍ତି ବନେ ବନଚାରୀ ॥ ୧୧୯

ପକ୍ଷୀଙ୍କ ପ୍ରାୟେ ଭିକ୍ଷା ମାଗି । କେହୁ ସନ୍ୟାସୀ କେହୁ ଯୋଗୀ ॥ ୧୨୦

ହରିଙ୍କି କଲୁ ବଡ଼ ସ୍ନେହ । ସେ ପୁଣି ଏଡ଼ିକି ନିର୍ଦ୍ଦୟ ॥ ୧୨୧

ବ୍ୟାଧ ଯେସନେ ମୃଗ ମାରି । ଶବଦ ଘଣ୍ଟି ଚାଳେ ଧରି ॥ ୧୨୨

ସୁସ୍ୱରନାଦେ ଗାଇ ଗୀତ । ହରଇ ମୃଗ ପଶୁ ଚିତ୍ତ ॥ ୧୨୩

ତାହାର ନାଦ ଶୁଣି କର୍ଣ୍ଣେ । ଲୋଭେ ମିଳନ୍ତି ପଶୁଗଣେ ॥ ୧୨୪

ତାହାର ବାଣେ କ୍ଷତ ହୋଇ । ବିକଳେ ବନେ ସେ ପଳାଇ ॥ ୧୨୫

ରୁଧିରଧାରା କଳେବର । ଜୀବନ ଛାଡ଼ଇ ତାହାର ॥ ୧୨୬

ତେମନ୍ତ କଲା ନନ୍ଦବଳା । ଆମ୍ଭର କୁଚେ ନଖ ଦେଲା ॥ ୧୨୭

ବ୍ୟାପାର କରନ୍ତେ ତା ଦେଖି । ବିକଳେ ବୁଜୁଁ ବେନିଆଖି ॥ ୧୨୮

ଜୀବନ ତାର ଦେହେ ଥାଇ । କରଚରଣ ନ ଚଳଇ ॥ ୧୨୯

ଅନଙ୍ଗରୂପ ଦାମୋଦର । ତୁହିଁ ଯେ ଉପମନ୍ତ୍ରୀ ତାର ॥ ୧୩୦

କହିଲେ କହ ଆନ କଥା । କୃଷ୍ଣ ସନ୍ଦେଶେ ମନବ୍ୟଥା ॥ ୧୩୧

ଏମନ୍ତେ ଭ୍ରମରକୁ ଚାହିଁ । ପୁଣି ବୋଲଇ ଗୋପଗୋଈ ॥ ୧୩୨

ଗୋବିନ୍ଦ ସଖା ଅଟୁ ତୁହି । ପୁଣି ଅଇଲୁ କାହିଁପାଇଁ ॥ ୧୩୩

ପ୍ରିୟ ପେଷିଲେ ମୋର ପାଇଁ । ମାଗ ତୁ କି ଦେବା ବଧାଇ ॥ ୧୩୪

ସାଧୁଜୀବନ ତୋର ଧନ୍ୟ । ମୋହର ଅଟୁ ବଡ଼ ମାନ୍ୟ ॥ ୧୩୫

ଏ ଗୋପପୁରେ ଅଛି ମୁହିଁ । କେମନ୍ତେ ଘେନିଯିବୁ ତୁହି ॥ ୧୩୬

ଏ କଥା କହ ନିଶ୍ଚେଁ ତୁହି । ଯେମନ୍ତେ ପ୍ରତେ ଯିବି ମୁହିଁ ॥ ୧୩୭

ଛାଡ଼ି ନ ପାରି ଯାର ସଙ୍ଗ । ଲକ୍ଷ୍ମୀ ବସଇ ବାମଅଙ୍ଗ ॥ ୧୩୮

ଶୁଣ ଭ୍ରମର ମୋ ଉତ୍ତର । କୃଷ୍ଣ ଯେ ଗଲେ ମଧୁପୁର ॥ ୧୩୯

ଅଛିଟି ଶ୍ରୀକୃଷ୍ଣ କୁଶଳେ । ଭାଇ ବଳରାମଙ୍କ ମେଳେ ॥ ୧୪୦

ପିତା ଜନନୀ ଗୋପକୁଳେ । କୃଷ୍ଣ କି ସମରଇ ବେଳେ ॥ ୧୪୧

ଆମ୍ଭର କଥା କୃଷ୍ଣ ମୁଖେ । ଭ୍ରମର ଶୁଣୁଟିକି ସୁଖେ ॥ ୧୪୨

କୃଷ୍ଣର ଭୁଜଦଣ୍ତ ଦୁଇ । ଅଗୁରୁ ପ୍ରାୟେକ ବାସଇ ॥ ୧୪୩

ଶିରେ ଚାପିବୁ କହ କେବେ । ଆମ୍ଭର ପ୍ରିୟ ଅଟୁ ଯେବେ ॥ ୧୪୪

ତେବେ ଛାଡିବୁ ଅଭିମାନ । କହିଣ ହୋଇଲା ମଉନ ॥ ୧୪୫

କହନ୍ତି ବ୍ୟାସଙ୍କ ନନ୍ଦନ । ରାଜନ ଶୁଣ ସାବଧାନ ॥ ୧୪୬

କୃଷ୍ଣର ତହିଁ ଦୃଢଭାବ । ଗୋପୀଙ୍କୁ ଦେଖିଣ ଉଦ୍ଧବ ॥ ୧୪୭

ଗୋବିନ୍ଦ ଆଜ୍ଞା ଗୋପୀମଧ୍ୟେ । ଉଦ୍ଧବ କହଇ ଆନନ୍ଦେ ॥ ୧୪୮

ଉଦ୍ଧବ ଉବାଚ

ଶୁଣିବା ସର୍ବ ଗୋପୀଜନ । ତୁମ୍ଭ ଜୀବନ ବଡ଼ ଧନ୍ୟ ॥ ୧୪୯

ସକଳ ଲୋକେ ତୁମ୍ଭ ପୂଜା । କି ପଟାନ୍ତର ଦେବା ଦୁଜା ॥ ୧୫୦

ଗୋବିନ୍ଦ ପାଦେ ଯାର ମନ । ନିଶ୍ଚଳେ ହୋଏ ନିମଗନ ॥ ୧୫୧

ବ୍ରତ ସାଧନ ଦାନ ତପ । ବେଦପଠନ ହୋମ ଜପ ॥ ୧୫୨

ପ୍ରାଣସଂଯମ ଯୋଗମତେ । ଜୀବର ଶ୍ରେୟକର୍ମ ଯେତେ ॥ ୧୫୩

ବିଷ୍ଣୁର ଭକତି ସାଧନ । ଏଣେ ନିର୍ମଳ ତୁମ୍ଭମନ ॥ ୧୫୪

ଗୋବିନ୍ଦ ଭାବେ ତୁମ୍ଭ ଚିତ୍ତ । ନିବିଡେ଼ ନିତ୍ୟେ ଉପଗତ ॥ ୧୫୫

କୃଷ୍ଣରେ ଭକତି ତୁମ୍ଭର । ମୁନିମନୁଷ୍ୟେ ଅଗୋଚର ॥ ୧୫୬

ମନୁଷ୍ୟ ଜନ୍ମେ ତୁମ୍ଭ ଭାବ । ବ୍ରହ୍ମାଣ୍ତମଧ୍ୟେ କେ ପାଇବ ॥ ୧୫୭

ତନୟ ପତି ଦେହଭାବ । ସ୍ୱଜନ ଭବନ ବାନ୍ଧବ ॥ ୧୫୮

ଛାଡି ଭଜିଲ କୃଷ୍ଣପାଦେ । ଦୁଃଖୁ ତରିଲ ଅପ୍ରମାଦେ ॥ ୧୫୯

ଏକାନ୍ତଭାବ କୃଷ୍ଣତହିଁ । ଦେବେ ପାଇବେ ଅବା କାହିଁ ॥ ୧୬୦

ତୁମ୍ଭର ହରିଭାବ ଦେଖି । ନିର୍ମଳ କଲି ଚର୍ମଆଖି ॥ ୧୬୧

ଶୁଣ ଗୋବିନ୍ଦ ଆଜ୍ଞା ଧୀରେ । କହିବି ତୁମ୍ଭର ଛାମୁରେ ॥ ୧୬୨

ତୁମ୍ଭ ଭକତିଭାବ ଚିତ୍ତେ । ଗୋବିନ୍ଧ କହିଛନ୍ତି ଯେତେ ॥ ୧୬୩

ଉଦ୍ଧବ କୃଷ୍ଣର ବଚନ । କହେ କରାଇ ସାବଧାନ ॥ ୧୬୪

ଶୁଣ ଗୋ ତୁମ୍ଭେ ଗୋପୀଜନେ । ତୁମ୍ଭେ ଯେ ଦୁଃଖ କର ମନେ ॥ ୧୬୫

ତୁମ୍ଭ ବିୟୋଗ ମୋର ନାହିଁ । ପ୍ରାଣୀଙ୍କ ପ୍ରାଣ ମୁଁ ଅଟଇ ॥ ୧୬୬

ପ୍ରାଣୀଙ୍କ ଦେହେ ପଞ୍ଚଭୂତ । ଯେହ୍ନେ ଜଡ଼ିତ ଅବିରତ ॥ ୧୬୭

ମନର ସଙ୍ଗେ ପ୍ରାଣ ବୁଦ୍ଧି । ଦଶଇନ୍ଦ୍ରିୟ ଗୁଣେ ଛନ୍ଦି ॥ ୧୬୮

ମୋହର ଆତ୍ମାଭାବ ଦେଇ । ସର୍ଜି ପାଳଇ ସଂହାରଇ ॥ ୧୬୯

ମୋହର ମାୟା ଅନୁଭବ । ଭୂତ ଇନ୍ଦ୍ରିୟ ଗଣ ସର୍ବ ॥ ୧୭୦

ଏ ଜୀବ ଆତ୍ମା ଗୁଣ ହୀନ । ବିବେକ ଶୁଦ୍ଧ ଚଇତନ ॥ ୧୭୧

ସୁଷୁପ୍ତି ସ୍ୱପ୍ନ ଉଜାଗର । ମନର ବୃତ୍ତି ଏ ବେଭାର ॥ ୧୭୨

ଇନ୍ଦ୍ରିୟଅର୍ଥେ ଯେଣେ ଧ୍ୟାୟି । ସ୍ୱପନ ସତ୍ୟପ୍ରାୟ ହୋଇ ॥ ୧୭୩

ନିଦ୍ରା ବିଯୋଗେ ପୁରୁଷଙ୍କୁ । ସେ ମାୟା ନ ଲାଗେ ତାହାଙ୍କୁ ॥ ୧୭୪

ଏ ଭାବେ ଜ୍ଞାନ ଯାର ହୋଇ । ସଂସାର ତାକୁ ନ ଲାଗଇ ॥ ୧୭୫

ବେଦବେଦାନ୍ତର ଏ ଅର୍ଥ । ମୁନିଙ୍କ ସାଂଖ୍ୟଯୋଗ ମତ ॥ ୧୭୬

ସନ୍ୟାସ ତପ ଧର୍ମ ସତ୍ୟ । ପଠନ ସାଧନ ସମେତ ॥ ୧୭୭

ମନ ନିରୋେଧେ ସର୍ବସିଦ୍ଧି । ଜଳଧି ମଧ୍ୟେ ଯେହ୍ନେ ନଦୀ ॥ ୧୭୮

ତୁମ୍ଭଙ୍କୁ ମୋର ମାୟା ନାହିଁ । ତେଣୁ ରହିଲି ଦୂର ହୋଇ ॥ ୧୭୯

ଚନ୍ଦ୍ରକୁମୁଦ କେତେ ଦୂର । ପୀରତି ଅଜର ଅମର ॥ ୧୮୦

ତୁମ୍ଭ ନୟନ ମନ ସଙ୍ଗ । ବଢିବ ମୋର ଅନୁରାଗ ॥ ୧୮୧

ଯାହାର ସ୍ୱାମୀ ଥାଇ ଦୂରେ । ପ୍ରିୟାର ମନ ତା ସଙ୍ଗରେ ॥ ୧୮୨

ମନରୁ କ୍ଷଣେ ନ ଛାଡ଼ନ୍ତି । ଭାବ ହୃଦୟଗତେ ଚିନ୍ତି ॥ ୧୮୩

ଚକ୍ଷୁ ଗୋଚରେ ସ୍ୱାମୀ ଥିଲେ । ମନ ତା ନ ରହେ ନିଶ୍ଚଳେ ॥ ୧୮୪

ମୋହର ତହିଁ ଦେଇ ମନ । ଛାଡ଼ି ସକଳ ମାୟାଭ୍ରମ ॥ ୧୮୫

ନିରତେ ନାମ ସୁମରଣେ । ମୋ ଦେହ ପାଇବ ମରଣେ ॥ ୧୮୬

ଏ ବୃନ୍ଦାବନ ତୁମ୍ଭ ସଙ୍ଗେ । ଯେ ଗୋପୀ ରାସକ୍ରୀଡ଼ା ରଙ୍ଗେ ॥ ୧୮୭

ଯାଇ ନ ପାରି ସ୍ୱାମୀବଳେ । ପ୍ରାଣ ଛାଡ଼ିଲା ଧ୍ୟାନଭୋଳେ ॥ ୧୮୮

ଆକାଶେ ଥିଲେ ଦେବେ ଚାହିଁ । ପଶିଲା ମୋର ଦେହେ ଯାଇ ॥ ୧୮୯

କହନ୍ତି ଶୁକ ମହାମୁନି । ଗୋପୀଏ କୃଷ୍ଣକଥା ଘେନି ॥ ୧୯୦

ଉଦ୍ଧବ ମୁଖକୁ ଅନାଇଁ । କହନ୍ତି କୃଷ୍ଣଭାବ ଲଇଁ ॥ ୧୯୧

ଗୋପୀଗଣ ଉବାଚ

ଆମ୍ଭର ଭାଗ୍ୟ ହେ ଉଦ୍ଧବ । କଂସ ସଂହାରିଲେ ମାଧବ ॥ ୧୯୨

ଆବର ଦୁଷ୍ଟଦୈତ୍ୟ ମଲେ । ଯଦୁଙ୍କୁ କଷ୍ଟ ଦେଉଥିଲେ ॥ ୧୯୩

ସକଳ ଅର୍ଥ ସିଦ୍ଧ କରି । ସୁଖେ ଅଛନ୍ତି ରାମହରି ॥ ୧୯୪

ଯାଦବ ଭୋଜବଂଶ ଆଦି । କଂସର ଯେତେ ଥିଲେ ବାଦୀ ॥ ୧୯୫

କଂସକୁ ମାରି କଲେ ସୁଖୀ । ଦୁଷ୍ଟେ ଭାଜିଲେ ତାହା ଦେଖି ॥ ୧୯୬

ସଭିଁଙ୍କୁ କରାଇ ହରଷ । ତହିଁ ରହିଲେ ପୀତବାସ ॥ ୧୯୭

ମଥୁରାନାରୀଙ୍କର ମଧ୍ୟେ । କୃଷ୍ଣ କି ଅଛନ୍ତି ଆନନ୍ଦେ ॥ ୧୯୮

ଆମ୍ଭର କଥା ତାଙ୍କ ଆଗେ । ଗୋବିନ୍ଦ କହେ କି ପ୍ରସଙ୍ଗେ ॥ ୧୯୯

ତାହାଙ୍କ ସ୍ନେହଭାବ ଘେନି । ଛାଡ଼ିଲେ ଗୋପର କାମିନୀ ॥ ୨୦୦

ଏ ବୃନ୍ଦାବନେ ରାତ୍ରିକାଳେ । କୁନ୍ଦ କୁସୁମ ପରିମଳେ ॥ ୨୦୧

ନୁପୁର କଙ୍କଣ ଶବଦେ । ନାଚୁ ଯେ ଥିଲେ ଗୋପୀମଧ୍ୟେ ॥ ୨୦୨

ଆମ୍ଭର ସଙ୍ଗେ ରମୁଥାଇ । କୃଷ୍ଣ କି ତାହା ସୁମରଇ ॥ ୨୦୩

ରାସକ୍ରୀଡ଼ାରେ ଯେତେ କଲା । କ୍ଷଣ କ୍ଷଣକେ ନାନା ଲୀଳା ॥ ୨୦୪

ଦେଖି ଚକିତ ଦେବଗଣ । ଦ୍ରବିଲା ସବୁଙ୍କରି ମନ ॥ ୨୦୫

ଆମ୍ଭେ ରମିଲୁ ତାର ଭାବେ । ତାହା କି ସୁମରଇ ଏବେ ॥ ୨୦୬

ହୃଦୟ କଥା ଯେତେ କହୁଁ । ତାହାର ଭାବେ ହୃଦେ ବହୁ ॥ ୨୦୭

ଉଦ୍ଧବ କହ ତୁମ୍ଭେ ସତ । ଗୋପେ କି ଆସିବେ ଅନନ୍ତ ॥ ୨୦୮

ତାର ନ ପାଇ ଅଙ୍ଗସଙ୍ଗ । ଦହଇ ପ୍ରତିକ୍ଷଣେ ଅଙ୍ଗ ॥ ୨୦୯

ଆଶ୍ୱାସ କରି ନିଜ କରେ । ଜୀବନ ଦେବେ କି ଆମ୍ଭରେ ॥ ୨୧୦

ବରଷା ଜଳ ପାଇ ଯେହ୍ନେ । ଜୀବନ ପାନ୍ତି ତରୁ ବନେ ॥ ୨୧୧

ତାହାର ଆଶ୍ରେ ଭୃତ୍ୟ ହୋଇ । ଜୀବନ ରଖୁ ମୁଖ ଚାହିଁ ॥ ୨୧୨

ସେ ହରି ଆମ୍ଭଙ୍କୁ ତେଜିଲା । ମଥୁରାପୁରେ ବିଜେ କଲା ॥ ୨୧୩

କଂସକୁ ମାରି ରାଜ୍ୟ ପାଇ । ରାଜା ହୋଇଲେ କୃଷ୍ଣ ତହିଁ ॥ ୨୧୪

ରାଜକନ୍ୟାଙ୍କୁ ହେବେ ବିଭା । ଯାଦବ ମଧ୍ୟେ ଯାର ଶୋଭା ॥ ୨୧୫

କ୍ଷତ୍ରିୟ ବୃତ୍ତି ଆଚରିଲେ । ସେ କିମ୍ପା ଗୋପପୁଅ ତୁଲେ ॥ ୨୧୬

ଗୋରୁଙ୍କ ସଙ୍ଗେ ନେବେ ଦିନ । କିମ୍ପା ଭ୍ରମିବେ ବନେ ବନ ॥ ୨୧୭

ସେ କାହିଁ ଗୋପକୁ ଆସିବ । ଏମନ୍ତ ନ ଦେଖୁ ଉଦ୍ଧବ ॥ ୨୧୮

ସ୍ୱଭାବେ ଆମ୍ଭେ ବନଚାରୀ । ଲକ୍ଷ୍ମୀ ଯାହାର ପରିବାରୀ ॥ ୨୧୯

ସେ ପୁରନାରୀଙ୍କ ଆୟତ୍ତ । ତାର ବଚନ କାହିଁ ସତ୍ୟ ॥ ୨୨୦

ପିଙ୍ଗଳା ନାମେ ଥିଲା ବେଶ୍ୟା । ତାହାର ନ ପୂରିଲା ଆଶା ॥ ୨୨୧

ନିରାଶ ହୋଇଲା ସେ ଯେହ୍ନେ । ଗୋପକାମିନୀ ଆମ୍ଭେ ତେହ୍ନେ ॥ ୨୨୨

ଗୋବିନ୍ଦ ଲୀଳାରସ ପାଇ । ଆମ୍ଭେ ଗୋପୀଏ ତୋଷ ନୋହି ॥ ୨୨୩

ନଦୀ ପର୍ବତ ବନ ଦେଶେ । ଗମଇଁ ବେଣୁନାଦ ଘୋଷେ ॥ ୨୨୪

ଆମ୍ଭର ତୁଲେ ଯାହା କଲା । ଅନେକ ବୃନ୍ଦାବନେ ଲୀଳା ॥ ୨୨୫

ଏଣୁ ସେ କୃଷ୍ଣଭାବ ଜାଣି । ମନ ଦହଇ ପୁଣ ପୁଣି ॥ ୨୨୬

ଦେଖିତ ପଦ୍ମପାଦ ଛାୟା । କେମନ୍ତେ ପାସୋରିବୁ ତାହା ॥ ୨୨୭

ଲଳିତ ଗତି ହାସ ରଙ୍ଗେ । କୃଷ୍ଣ ଯେ ଚାହାନ୍ତି ତ୍ରିଭଙ୍ଗେ ॥ ୨୨୮

ମଧୁର ବଚନ ମୋହ୍ନ । କେମନ୍ତେ ପାସୋରିବୁ ମନ ॥ ୨୨୯

ହେ ନାଥ ରମାନାଥ ହରି । ଆରତଭଂଜନ ମୁରାରି ॥ ୨୩୦

ଆମ୍ଭର ଦେଖୁଅଛ ଦୁଃଖ । ଗୋକୁଳ ଶୋକଜଳୁ ରଖ ॥ ୨୩୧

କହନ୍ତି ଶୁକ ବ୍ରହ୍ମଚାରୀ । ତାପପଛାଡିଲେ ବ୍ରଜନାରୀ ॥ ୨୩୨

କୃଷ୍ଣ ସନ୍ଦେଶେ ମନ ସ୍ଥିର । ପୂଜିଲେ ଉଦ୍ଧବ ପୟର ॥ ୨୩୩

କୃଷ୍ଣର ପ୍ରାୟେ ପୂଜା କରି । ଉଦ୍ଧବ ସଙ୍ଗେ ଗୋପନାରୀ ॥ ୨୩୪

କେତେହେଁ ଦିନ ଗୋପପୁରେ । ଗୋପୀଙ୍କ ମନ ତୋଷିବାରେ ॥ ୨୩୫

କୃଷ୍ଣର ରସ ଲୀଳା ଗାଇ । ଗୋପୀଙ୍କ ମନ ସେ ରଞ୍ଜଇ ॥ ୨୩୬

ଯେତେ ଦିବସ ନନ୍ଦପୁରେ । ଉଦ୍ଧବ ରହିଲା ନିର୍ଭରେ ॥ ୨୩୭

କୃଷ୍ଣର କଥା ରସମୟ । ଗୋପୀ ବଂଚିଲେ କ୍ଷଣ ପ୍ରାୟ ॥ ୨୩୮

ଗୋପୀଙ୍କ ମନ ତୋଷ ପାଇଁ । ଉଦ୍ଧବ କହଇ ମଣାଇଁ ॥ ୨୩୯

ଶୁଣ ସକଳ ବ୍ରଜନାରୀ । ତୁମ୍ଭରେ ତୁଷ୍ଟ ନରହରି ॥ ୨୪୦

ତୁମ୍ଭେ ଗୋ ବଡ଼ ଭାଗ୍ୟବନ୍ତ । ତୁମ୍ଭର ହୃଦ ଅବିରତ ॥ ୨୪୧

କୃଷ୍ଣହୁଁ ନ ଜାଣଇ ଆନ । ଯେ ପ୍ରଭୁ ଗୋପୀଙ୍କ ଜୀବନ ॥ ୨୪୨

ତାହା ଘେନିଲ ତୁମ୍ଭେ ହୃଦେ । ଈଶ୍ୱର ଗୁଣ ଅନୁବାଦେ ॥ ୨୪୩

ତୁମ୍ଭେ ଭେଦିଲେ ସେହୁ ହରି । ଦେବ ମାନବେ ନାହିଁ ସରି ॥ ୨୪୪

ଗୋପୀ ବୋଲନ୍ତି ହେ ଉଦ୍ଧବ । ଆମ୍ଭର ପ୍ରାଣ ପଦ୍ମନାଭ ॥ ୨୪୫

ଆମ୍ଭର ଦେହ ଗୋପପୁରେ । ଜୀବନ କୃଷ୍ଣର ଶରୀରେ ॥ ୨୪୬

ମନବଚନ କୃଷ୍ଣ ପାଦେ । ବ୍ୟାପାର କରୁ ଘର ମଧ୍ୟେ ॥ ୨୪୭

ତୁମ୍ଭଙ୍କୁ କହିଲୁଟି ସତ୍ୟ । ଆମ୍ଭର ପ୍ରାଣ ଗୋପୀନାଥ ॥ ୨୪୮

ନଦୀ କାନନ ଗିରି ତଟେ । କୁସୁମତରୁଙ୍କ ନିକଟେ ॥ ୨୪୯

ଉଦ୍ଧବେ ଘେନି ଗୋପନାରୀ । ଦେଖାନ୍ତି କରେ କର ଧରି ॥ ୨୫୦

ଦେଖ ଉଦ୍ଧବ କୃଷ୍ଣଲୀଳା । ଯହିଁ ଯେମନ୍ତ କରିଥିଲା ॥ ୨୫୧

ଗୋପୀଙ୍କ ଦେଖି କୃଷ୍ଣଭାବ । ଆନନ୍ଦେ ବୋଲଇ ଉଦ୍ଧବ ॥ ୨୫୨

ଗୋପୀଙ୍କ ପାଦତଳେ ପଡ଼ି । ଉଦ୍ଧବ କହେ କରଯୋଡ଼ି ॥ ୨୫୩

ଏ ଗୋପୀମାନଙ୍କର ଜନ୍ମ । ଏ ମହୀତଳେ ବଡ଼ ଧନ୍ୟ ॥ ୨୫୪

ଦେବେ ନ ଜାଣନ୍ତି ଯାହାଙ୍କୁ । ଗୋପୀଏ ପାଇଲେ ତାହାଙ୍କୁ ॥ ୨୫୫

ଗୋପୀଏ କରି ନିତ୍ୟେ ଧ୍ୟାନ । ନ ଜାଣି ପାଇଲେକ ଜ୍ଞାନ ॥ ୨୫୬

ବ୍ରହ୍ମାଶଙ୍କର ଆଦି କରି । ନିତ୍ୟେ ଚିନ୍ତନ୍ତି ଦୃଢେ ଧରି ॥ ୨୫୭

ଏ ଭାବ ଜାଣି ନ ପାରିଲେ । ଗୋପୀଙ୍କି ଚଉବର୍ଗ ଦେଲେ ॥ ୨୫୮

ଭାବି ନ ପାନ୍ତି ବ୍ରହ୍ମମୁନି । ଏ ଭାବ ଜାଣିଲେ କାମିନୀ ॥ ୨୫୯

କୃଷ୍ଣିର ଗୀତନାଦେ ସୁଖୀ । ପ୍ରେମେ ବିହ୍ୱଳ ପଦ୍ମମୁଖୀ ॥ ୨୬୦

ଆଶା ବଢିଲା କୃଷ୍ଣଦେହେ । ଛାଡ଼ି ନ ପାରି ମାୟାମୋହେ ॥ ୨୬୧

କେମନ୍ତେ ଛାଡ଼ିବେ ମୁରାରୀ । ପଦ୍ମା ଯାହାଙ୍କୁ ଆଶ୍ରେ କରି ॥ ୨୬୨

ରାସଉତ୍ସବେ ଏ କାମିନୀ । କୃଷ୍ଣଚରଣ କରେ ଘେନି ॥ ୨୬୩

ସ୍ତନ-ବଦନ-କରେ ଚାପି । ଛାଡ଼ିଲେ ତିନିତାପ ଗୋପୀ ॥ ୨୬୪

ଏହାଙ୍କୁ ପଦରଜ ମୁହିଁ । ନିରତେ କପାଳେ ଘେନଇ ॥ ୨୬୫

ଏମନ୍ତେ ହୃଦେ ଲଭି ଭାବ । ମଥୁରା ଗମନେ ଉଦ୍ଧବ ॥ ୨୬୬

ଗୋପୀଙ୍କି ଆଜ୍ଞା ମାଗି ଧୀରେ । ନନ୍ଦ ଯଶୋଦାଙ୍କ ପୟରେ ॥ ୨୬୭

ଗୋପଙ୍କୁ ଆଲିଙ୍ଗନ ଦେଇ । ରଥେ ବସିଲେ ତୋଷହୋଇ ॥ ୨୬୮

ଗୋପୀଗୋପାଳ ଆଦି କରି । ରଥରେ ନାନାଦ୍ରବ୍ୟ ଭରି ॥ ୨୬୯

ଉଦ୍ଧବ ପାଶେ ନନ୍ଦ କାନ୍ଦେ । କହଇ ଅଶ୍ରୁ ଗଦଗଦେ ॥ ୨୭୦

ଆମ୍ଭର ମନୋବାଞ୍ଛା ଯେତେ । ସଙ୍କଳ୍ପ କରି ହୃଦଗତେ ॥ ୨୭୧

ସେ ସବୁ କୃଷ୍ଣପଦେ ଥାଉ । ତା ନାମ ଧରି ଦିନ ଯାଉ ॥ ୨୭୨

ଆମ୍ଭର ମନ ତାର ପାଦେ । ନିରତେ ରହୁ ଅପ୍ରମାଦେ ॥ ୨୭୩

ଆମ୍ଭେ ଯେ କର୍ମମାର୍ଗେ ଭ୍ରମି । ଫୁଟି ହୋଇଲୁ ପଥଶ୍ରମୀ ॥ ୨୭୪

ଈଶ୍ୱର ମାୟାତନ୍ତ୍ରେ ପଡ଼ି । ଜନ୍ମମରଣାପଥ ହୁଡ଼ି ॥ ୨୭୫

ଶୁଦ୍ଧ ଆଚାର ଜ୍ଞାନ ଭେଦେ । ଗତି ପାଇବୁ କୃଷ୍ଣପାଦେ ॥ ୨୭୬

କହନ୍ତି ବ୍ୟାସଙ୍କର ସୁତ । ଉଦ୍ଧବ ଗୋବିନ୍ଦର ଦୂତ ॥ ୨୭୭

ନମିଣ ଗୋପୀଙ୍କର ପାଦେ । ନନ୍ଦ ଯଶୋଦା ପାଦେ ବନ୍ଦେ ॥ ୨୭୮

ଉଦ୍ଧବ ହୋଇଣ ଆନନ୍ଦ । ମଥୁରା ଗଲେ ଅପ୍ରମାଦ ॥ ୨୭୯

ଗୋପୀଗୋପାଳ ଭାବ ଜାଣି । କୃଷ୍ଣଙ୍କୁ କହେ ପୁଣପୁଣି ॥ ୨୮୦

ବସୁଦେବର ପାଶେ ଯାଇ । ଆନନ୍ଦେ ରାମଙ୍କୁ ବସାଇ ॥ ୨୮୧

ଗୋପୀଙ୍କ ଉପହାର ଦ୍ରବ୍ୟ । ନିକଟେ ଥୋଇଲା ଉଦ୍ଧବ ॥ ୨୮୨

ଦେଖି ଆନନ୍ଦ ବସୁଦେବ । ହସନ୍ତି ଶ୍ରୀରାମ ମାଧବ ॥ ୨୮୩

ଉଦ୍ଧବ କହେ କଥାମାନ । ତୋଷ ହୋଇଲେ ଭଗବାନ ॥ ୨୮୪

ବ୍ରାହ୍ମଣ ଦାସ ଜଗନ୍ନାଥ । ଗୀତବିନୋଦେ ଭାଗବତ ॥ ୨୮୫

ଉଦ୍ଧବ ଜ୍ଞାନ ଯା କହିଲା । ଗୋପୀଗୋପାଳଙ୍କର ଲୀଳା ॥ ୨୮୬

ସେ କଥା ଶୁଣି ହୋଏ ତୋଷ । ମନେ ସୁମରି କୃଷ୍ଣର ॥ ୨୮୭

ସୁଜନେ ଶୁଣ କର୍ଣ୍ଣପଥେ । ଭକ୍ତି ହେବ ହୃଦଗତେ ॥ ୨୮୮

ନିରତେ ଭଜ ରାମହରି । ଏଣେ ତରିବ ଭବବାରି ॥ ୨୮୯

ସେ ଗୋପୀଗୋବିନ୍ଦ ଚରଣେ । ସୁଜନେ ଚିନ୍ତ ଅନୁକ୍ଷଣେ ॥ ୨୯୦

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଉଦ୍ଧବ ପ୍ରତିଯାନେ ନାମ

ଏକ ପଞ୍ଚାଶତ୍ ଅଧ୍ୟାୟଃ ॥

* * *