ଦଶମ ସ୍କନ୍ଧ

ପଞ୍ଚାଶତ୍ ଅଧ୍ୟାୟ

ଶୁକ ଉବାଚ

ଶୁଣ ପାଣ୍ତବ-ଚୂଡ଼ାମଣି । ମଥୁରାପୁରେ ଚକ୍ରପାଣି ॥

ସଂହାରି ଗଜ-ମାଲ-କଂସ । ଯଦୁଙ୍କୁ ଦେଇ ଗ୍ରାମଦେଶ ॥

ସକଳ ବେଦବିଦ୍ୟା ଜାଣି । ଯମର ଘରୁ ପୁତ୍ର ଆଣି ॥

ଗୁରୁଙ୍କୁ କରି ସନମାନ । ମୋହିଲେ ମଥୁରାଭୁବନ ॥

ଦୟାସାଗର ନରହରି । ମନେ ସୁମରି ଗୋପନାରୀ ॥

ଆନନ୍ଦେ ରଜନୀ ପାହିଲା । ରବିକିରଣ ପ୍ରକାଶିଲା ॥

ଉଦ୍ଧବେ ରାଇ ନରହରି । କହନ୍ତି କରେ କର ଧରି ॥

ତୁ ଦେବଗୁରୁଙ୍କର ଶିଷ୍ୟ । ଜ୍ଞାନ ତୋ ଅତି ହିଁ ବିଶେଷ ॥

ସୁବୁଦ୍ଧିଜନ ମଧ୍ୟେ ସାର । ଯାଦବକୁଳେ ମନ୍ତ୍ରୀବର ॥

ତୁ ଅଟୁ ମିତ୍ର ଯେଣୁ ମୋର । କହଇ ଶୁଣ ମୋ ଉତ୍ତର ॥ ୧୦

ଏକାନ୍ତେ ଭଜୁଥାଉ ତୁହି । ତୋହର ମନ ମୁଁ ଜାଣଇଁ ॥ ୧୧

ତୁ ମୋର ପ୍ରିୟ ଅଟୁ ଯେବେ । ଗୋପପୁରକୁ ଯାଅ ତେବେ ॥ ୧୨

ଅକ୍ରୁର ଯେତେବେଳେ ମୋତେ । ରଥେ ବସାଇ ଗୋପପଥେ ॥ ୧୩

ଆଣିଲାବେଳେ ଗୋପନାରୀ । ମୋହର ରଥ ଥିଲେ ଧରି ॥ ୧୪

ମୁଁ ତାଙ୍କୁ କହିଲି ବିଶ୍ୱାସେ । ଉତ୍ସବ ଦେଖିବାର ଆଶେ ॥ ୧୫

ତୁମ୍ଭେ ଗୋ ଥାଅ ସ୍ଥିରମନେ । ଆମ୍ଭେ ଆସିବୁ ଚାରିଦିନେ ॥ ୧୬

ତେଣୁ ସେ ଆମ୍ଭରେ ଭରଷା । କରିଣଥିବେ ପ୍ରତିଆଶା ॥ ୧୭

ମୋତେ ନ ଦେଖି ଖେଦମନ । ମରମେ ଦହଇ ମଦନ ॥ ୧୮

ନିମିଷେ ଶତଯୁଗ ମଣି । ଅଛନ୍ତି ଗୋପର ତରୁଣୀ ॥ ୧୯

ତୁ ମୋର ଆଜ୍ଞା ଘେନିଯାଅ । ଗୋପ-କାମିନୀ ମଧ୍ୟେ କହ ॥ ୨୦

ଗୋପୀଙ୍କ ମନ ମୋର ତହିଁ । ମୁଁ ତାଙ୍କ ଜୀବନ ଅଟଇ ॥ ୨୧

ଦେହବେଭାର ମୋର ଅର୍ଥେ । ଛାଡ଼ି ଭଜିଲେ ମୋର ପଥେ ॥ ୨୨

ଇଷ୍ଟଦେବତା ତାଙ୍କ ମୁହିଁ । ମୋ ତହୁଁ ଆନଗତି ନାହିଁ ॥ ୨୩

ଏ ଲୋକଧର୍ମ ଛାଡ଼ି ମୋତେ । ଭଜନ୍ତି ଭକ୍ତିଭାବ ଚିତ୍ତେ ॥ ୨୪

ତାହାଙ୍କୁ ବହଇ ମୁଁ ହୃଦେ । ସେବନ୍ତି ମୋର ପଦ୍ମପାଦେ ॥ ୨୫

ପ୍ରିୟଜନଙ୍କ ପ୍ରିୟ ମୁହିଁ । ଦଇବେ ଦୂରେ ଅଛି ରହି ॥ ୨୬

ସଂସାର ଚେଷ୍ଟା ଛାଡ଼ି ଚିତ୍ତେ । ମୋର ସଙ୍ଗତି ଅବିରତେ ॥ ୨୭

ନିତ୍ୟେ ସୁମରି ମୋର ଗତି । କ୍ଷଣକ୍ଷଣକେ ମୋହ ଯାନ୍ତି ॥ ୨୮

ବିରହ-ବିଯୋଗେ କାତର । ମନ ନିବେଶି ମୋ ପୟର ॥ ୨୯

ଦେହ ଧରନ୍ତି ଅତିକଷ୍ଟେ । ପଞ୍ଚପରାଣ କଣ୍ଠତଟେ ॥ ୩୦

କୃଷ୍ଣ ଆସିବେ ଗୋପପୁର । ଏଣେ ଭରଷା ତାହାଙ୍କର ॥ ୩୧

ଏମନ୍ତେ କୃଷ୍ଣର ସନ୍ଦେଶ । ଘେନି ଉଦ୍ଧବ ମନେ ତୋଷ ॥ ୩୨

ଆନନ୍ଦେ ବସିଲା ବିମାନେ । ଚଳିଲା ବରଜ-ଭୁବନେ ॥ ୩୩

ଦିବସଶେଷେ ଗୋପେ ମିଳି । ଗଗନେ ଉଡେ଼ ଗୋରୁଧୂଳି ॥ ୩୪

ରବି ପଶ୍ଚିମେ ଅସ୍ତ ଗଲା । ଉଦ୍ଧବ ଗୋପରେ ମିଳିଲା ॥ ୩୫

ଗୋପେ ପଶନ୍ତେ ଗୋରୁଙ୍କର । ଧୂଳିରେ ଛନ୍ନ ଦିବାକର ॥ ୩୬

ଗାଈଙ୍କ ଋତୁ ଦେଖି ତୋଷେ । ଗର୍ଜିଣ ଧାଉଁଛନ୍ତି ବୃକ୍ଷେ ॥ ୩୭

ଗାଈଏ ସ୍ତନ କ୍ଷୀରଭାରେ । ବତ୍ସାଙ୍କୁ ଡ଼ାକନ୍ତି ହୁଙ୍କାରେ ॥ ୩୮

ଯେସନେ ସମୁଦ୍ର ଉଲ୍ଲୋଳ । ବତ୍ସାଏ ଧାମନ୍ତି ଗହଳ ॥ ୩୯

ଗୋରୁେଦୋହନ ରାବ ସଙ୍ଗେ । ମୁରଲୀ ନାଦ ନବରଙ୍ଗେ ॥ ୪୦

ରାମଗୋବିନ୍ଦଙ୍କ ଚରିତ । ବେଣୁଶବଦେ ପୂରେ ଗୀତ ॥ ୪୧

ଗୋପୀଗୋପାଳ ରୂପବନ୍ତ । ସୁନ୍ଦର ଘର ଦ୍ୱାର ପଥ ॥ ୪୨

ଅଗ୍ନି ଅତିଥି ବିପ୍ରଗଣେ । ଗୁରୁଦେବତାଙ୍କ ପୂଜନେ ॥ ୪୩

ଧୂପ ପ୍ରଦୀପ ପୁଷ୍ପସାର । ସୁନ୍ଦର ଗୋପାଳଙ୍କ ପୁର ॥ ୪୪

ପୁଷ୍ପିତବନ ଚାରିଦିଗେ । ପକ୍ଷୀ ଭ୍ରମର ନାଦ ରଙ୍ଗେ ॥ ୪୫

ପଦ୍ମକୁମୁଦେ ଜଳରାଶି । ହଂସ-ସାରସେ ପରଶଂସି ॥ ୪୬

ଅତି ସୁନ୍ଦର ଗୋପପୁର । କି ଅବା ଦେବା ପଟାନ୍ତର ॥ ୪୭

ନନ୍ଦର ମନ୍ଦିରେ ଉତ୍ସବ । ଆନନ୍ଦେ ମିଳିଲେ ଉଦ୍ଧବ ॥ ୪୮

ନନ୍ଦ ଉଠିଲା ବେଗେ ଦେଖି । ତକ୍ଷଣେ ଆସନ ଉପେକ୍ଷି ॥ ୪୯

ଜାଣିଲା କୃଷ୍ଣର ଏ ଦୂତ । ଆନନ୍ଦେ ନନ୍ଦ କୃତକୃତ୍ୟ ॥ ୫୦

କୃଷ୍ଣର ପ୍ରାୟ ତାକୁ ମଣି । ପୂଜିଲା ଦେଇ ଅର୍ଘ୍ୟ ପାଣି ॥ ୫୧

ଦଧି ଶାକର କ୍ଷୀର ଅନ୍ନ । ଭୁଞ୍ଜି ଉଦ୍ଧବ ତୋଷମନ ॥ ୫୨

ତାମ୍ବୁଳ ମୁଖବାସ ଦେଇ । ପଲ୍ୟଙ୍କେ ବସାଇଲା ନେଇ ॥ ୫୩

ସୁଖେ ବସାଇ କୃଷ୍ଣଦୂତ । ନନ୍ଦ ହୋଇଲା କୃତକୃତ୍ୟ ॥ ୫୪

ଉଦ୍ଧବ ପଦେ ଦେଇ କର । ଶୋକେ କହଇ ଗୋପବୀର ॥ ୫୫

ତୁ ଭାଗ୍ୟବନ୍ତ ଯଦୁବୀର । ମିତ୍ର ବସୁଦେବ ମୋହର ॥ ୫୬

ତାର କୁଶଳେ ମୋର ଇଷ୍ଟ । ନିଶ୍ଚୟେ ମଲା କଂସ ଦୁଷ୍ଟ ॥ ୫୭

ସାଧୁଙ୍କୁ ଦିଏ ଯେ କଷଣ । ତାକୁ ସଂହାରେ ନାରାୟଣ ॥ ୫୮

କଂସର ସଙ୍କଟୁ ତାରିଲା ବନ୍ଧୁବାନ୍ଧବ ଆବୋରିଲା ॥ ୫୯

ଏ କଥା ଭାଗ୍ୟଟି ଆମ୍ଭର । ଉଦ୍ଧବ ଶୁଣ ମୋ ଉତ୍ତର ॥ ୬୦

ତୁ ଯେ ଗୋବିନ୍ଦର ବିଶ୍ୱାସ । କ୍ଷଣେ ନ ଛାଡ଼ୁ ତାର ପାଶ ॥ ୬୧

କୃଷ୍ଣକୁ ମୋର ବଡ଼ ସ୍ନେହ । ତାର କୁଶଳ ମୋତେ କହ ॥ ୬୨

ଯଶୋଦା ଜନନୀ ତାହାର । ସୁହୃଦେ ଗୋପର କୁମର ॥ ୬୩

ଗୋରୁ ଗୋପାଳ ଗୋପପୁର । ସେ କୃଷ୍ଣ ଜୀବନ ଆମ୍ଭର ॥ ୬୪

ଏ ବୃନ୍ଦାବନ ଗୋବର୍ଦ୍ଧନ । ଯମୁନାଜଳ ରମ୍ୟସ୍ଥାନ ॥ ୬୫

ଉଦ୍ଧବ କହ ତୁ ବହନ । କୃଷ୍ଣ କି କରେ ସୁମରଣ ॥ ୬୬

ବନ୍ଧୁବାନ୍ଧବ ଦେଖିବାରେ । ସେ କୃଷ୍ଣ ଆସିବ କି ବାରେ ॥ ୬୭

ନିଶ୍ଚୟ ସତ୍ୟ କି ଉଦ୍ଧବ । ଦୟା କି କରିବେ ମାଧବ ॥ ୬୮

କେବେ ଦେଖିବୁ ତା ବଦନ । ସୁନ୍ଦର ଚକ୍ଷୁ ନାସା କର୍ଣ୍ଣ ॥ ୬୯

ରଙ୍ଗଅଧର ସ୍ମିତମୁଖ । ଦେଖିଲେ ଖଣ୍ତେ ଭବଦୁଃଖ ॥ ୭୦

ଦାବାନଳର ମୁଖୁଁ ତାରି । ଇନ୍ଦ୍ର ବିବାଦେ ଗିରି ଧରି ॥ ୭୧

ବୃଷଭ ଅଘା ମଣିଚୂଡ଼ । ତୃଣ ଶକଟ ବକାସୁର ॥ ୭୨

ଅନେକ ମାରି ଘୋର ଦୃଷ୍ଟ । ଆମ୍ଭର ଫେଡ଼ିଲା ସଙ୍କଟ ॥ ୭୩

ଅପାଙ୍ଗ କଟାକ୍ଷ ଲୋଚନ । ସୁନ୍ଦର ହସିତ ବଦନ ॥ ୭୪

ମେଘ-ଗଭୀର ମୃଦୁବାଣୀ । ତାହାର ଲୀଳା ମନେ ଗୁଣି ॥ ୭୫

ଆମ୍ଭର କ୍ରିୟାକର୍ମ ଗଲା । ସୁମରି ଗୋବିନ୍ଦର ଲୀଳା ॥ ୭୬

ନଦୀ ପର୍ବତ ବନଭୂଇଁ । ଗୋବିନ୍ଦ ପାଦଚିହ୍ନ ଚାହିଁ ॥ ୭୭

ଯହିଁ ଯେମନ୍ତେ କ୍ରୀଡ଼ା କଲା ଆମ୍ଭର ମନରୁ ନ ଗଲା ॥ ୭୮

ଚିତ୍ତ ନ ରହେ ହୃଦଗତେ । ଜୀବନ ଧରିବୁ କେମନ୍ତେ ॥ ୭୯

ଗର୍ଗବଚନ ମନେ ଗୁଣି । ନିଶ୍ଚୟେ ଅଛଇ ମୁଁ ଜାଣି ॥ ୮୦

ଯଦୁବଂଶର ସୁଖହିତେ । କେଉଁ ଦେବତା ଭୂମିଗତେ ॥ ୮୧

ଉଭୟ ରୂପେ ଅବତାର । ଜୀବନ ରହିଲା ଆମ୍ଭର ॥ ୮୨

ଦଶସହସ୍ର ମତ୍ତଗଜ । ବଳ ବହଇ ଭୋଜରାଜ ॥ ୮୩

ଚାଣୂର ମୁଷ୍ଟିକ ଯେମନ୍ତ । ଗଜ କୁବଳୟା ମାହୁନ୍ତ ॥ ୮୪

ଏହାଙ୍କୁ ଲୀଳାୟେ ସଂହାରି । ପଶୁଙ୍କୁ ଯେସନେ କେଶରୀ ॥ ୮୫

କଂସର ଯେଉଁ ଯାତ୍ରା ଧନୁ । ଉଦ୍ଧବ ତୁ ତ ଭଲେ ଜାଣୁ ॥ ୮୬

ସ୍ୱଭାବେ ଉଚ୍ଚ ତିନିତାଳ । ବଜ୍ରହୁଁ ଆଣ୍ଟ ତାର ବଳ ॥ ୮୭

ସେ ଧନୁ କଲା ବେନିଖଣ୍ତ । ହସ୍ତୀ ଯେସନେ ଇକ୍ଷୁଦଣ୍ତ ॥ ୮୮

ବରଷା ଦେଖି ଗୋପପୁର । ହସ୍ତେ ତୋଳିଲା ଗିରିବର ॥ ୮୯

ସପତଦିନ ବରଷିଲା । କୃଷ୍ଣ କରେ ଗରି ଥିଲା ॥ ୯୦

ପ୍ରଳମ୍ବା ଧେନୁକା ଦଇତ । ଷଣ୍ଢା ଅସୁର ତୃଣାବର୍ତ୍ତ ॥ ୯୧

ବକା ମାୟାବୀ ବଳବନ୍ତ । ଦେବଦେନବେ ଦେଖି ଭୀତ ॥ ୯୨

ଏହାଙ୍କୁ ହେଳାଏ ମାଇଲା । ଲୀଳାମାତ୍ରକେ ମୋର ବଳା ॥ ୯୩

ଶୁକ ବୋଲନ୍ତି ରାୟେ ଶୁଣ । ନନ୍ଦ ସୁମରି କୃଷ୍ଣଗୁଣ ॥ ୯୪

ସୁତ-ଲାଳସେ ଦୃଢ ଚିତ୍ତ । କାନ୍ଦଇ ପ୍ରାଣ କଣ୍ଠାଗ୍ରତ ॥ ୯୫

କଣ୍ଠକୁଣ୍ଠିତ ଶୋକନାଦେ । ପଡ଼ଇ କୃଷ୍ଣଦୂତ ପାଦେ ॥ ୯୬

ପ୍ରେମ ଆନନ୍ଦ ହୃଦେ ଘେନି । ବିକଳେ ନନ୍ଦ ହେଲା ତୁନି ॥ ୯୭

ନନ୍ଦ କହଇ କୃଷ୍ଣକଥା । ଶୁଣି ଯଶୋଦା ମନେ ବ୍ୟଥା ॥ ୯୮

ପୁତ୍ରର ଗୁଣକର୍ମମାନ । ଗୁଣି ହୋଇଲା ହତଜ୍ଞାନ ॥ ୯୯

କ୍ଷୀର ବରଷି ପୟୋଧରେ । କାନ୍ଦଇ ଶୋକେ ଗୁରୁତରେ ॥ ୧୦୦

ଏମନ୍ତ ଶୋକ ତାଙ୍କ ଦେଖି । ଉଦ୍ଧବ ମନେ ଉପଲକ୍ଷ୍ୟି ॥ ୧୦୧

ନନ୍ଦ-ଯଶୋଦାଙ୍କର ଭାଗ୍ୟ । କୃଷ୍ଣ-ବିଷୟେ ଅନୁରାଗ ॥ ୧୦୨

ଦେଖି ଉଦ୍ଧବ ମନେ ଗୁଣି । ଆନନ୍ଦେ କହେ ମୃଦୁବାଣୀ ॥ ୧୦୩

ମୋ ବୋଲ ଶୁଣ ନନ୍ଦରାୟେ । ଜ୍ଞାନ ନ ହାର ମାୟାମୋହେ ॥ ୧୦୪

ଏ ମହୀତଳେ ଯେତେ ଜନ । ତାହାଙ୍କ ମଧ୍ୟେ ତୁମ୍ଭେ ଧନ୍ୟ ॥ ୧୦୫

ଏଡେ଼ ଭକତି ଯୋଗସାର । ଗୋବିନ୍ଦ ବିଷୟେ ତୁମ୍ଭର ॥ ୧୦୬

ଏ ବଳରାମ ଶିରୀଧର । ଜଗତ ଜନନୀ ପିଅର ॥ ୧୦୭

ପ୍ରଧାନ ପୁରୁଷ ଏ ଦୁଇ । ଭଲେ ନିଗମ ନ ଜାଣଇ ॥ ୧୦୮

ଜୀବର ଜୀବନ ମୁରାରି । ପ୍ରକୃତି ରାମରୂପ ଧରି ॥ ୧୦୯

ସକଳଭୂତେ ଅନ୍ତର୍ଯ୍ୟାମୀ । ପୁରାଣ ପୁରୁଷ ଏ ବେନି ॥ ୧୧୦

ଜୀବର ଜ୍ଞାନ ଏ ଈଶ୍ୱର । ବିଷ୍ଣୁର ମାୟା ଅଗୋଚର ॥ ୧୧୧

ପ୍ରାଣ-ବିଯୋଗ-କାଳେ ଜନ । ତାହାଙ୍କ ପାଦେ ଦେଲେ ମନ ॥ ୧୧୨

ଅର୍ଜିଲା ଶୁଭାଶୁଭକର୍ମ । ତକ୍ଷଣେ କରଇ ଦହନ ॥ ୧୧୩

କୋଟିଏ ସୂର୍ଯ୍ୟ ତେଜ ବହି । ପରମବ୍ରହ୍ମେ ନିମଜ୍ଜଇ ॥ ୧୧୪

ଭାରା ନିବାରଣେ ଅନନ୍ତ । ମନୁଷ୍ୟେ ହୋଇଛନ୍ତି ଜାତ ॥ ୧୧୫

ଅଖିଳ-ଲୋକଆତ୍ମା-ହରି । ସୃଷ୍ଟି ପାଳନେ ଅଧିକାରୀ ॥ ୧୧୬

ତୁମ୍ଭର ଭାବ କୃଷ୍ଣ ତହିଁ । ଏମନ୍ତ ଦେଖିଲାତ ନାହିଁ ॥ ୧୧୭

ମନୁଷ୍ୟ ସାଧ୍ୟକର୍ମ ଯେତେ । ତୁମ୍ଭେ ନ କଲ ଅବା କେତେ ॥ ୧୧୮

ତୁମ୍ଭର ପ୍ରିୟ ସେ ମାଧବ । ନିକଟେ ଗୋପକୁ ଆସିବ ॥ ୧୧୯

କଂସ ସଂହାରି ରଙ୍ଗମଧ୍ୟେ । ସକଳ ଜନ ସୁଖ ସାଧେ ॥ ୧୨୦

ଯେ କଂସ ଜଗତର ଖଳ । ଭୟେ କମ୍ପନ୍ତି ଯଦୁବଳ ॥ ୧୨୧

ତାହାକୁ ମାରି ନରହରି । ଯାହା ବୋଇଲେ ହସ୍ତଧରି ॥ ୧୨୨

ସେ କଥା କରିବେ ତୁମ୍ଭର । ସତ୍ୟବଚନ ଏ ମୋହର ॥ ୧୨୩

ଖେଦ ନ କର ତୁମ୍ଭେ ହୃଦେ । କୃଷ୍ଣ ପାଇବ ଅପ୍ରମାଦେ ॥ ୧୨୪

ସେ ହରି ସର୍ବଭୂତ ଦେହେ । ନିବାସ ଆଦିତ୍ୟର ପ୍ରାୟେ ॥ ୧୨୫

ତାହାର ପ୍ରିୟ-ରିପୁ ନାହିଁ । ଉତ୍ତମ ମଧ୍ୟମ ନୋହଇ ॥ ୧୨୬

ସମ-ଅସମ ନାହିଁ ତାର । ଭାବକୁ ଥାଇ ନିକଟର ॥ ୧୨୭

ନାହିଁ ତାହାର ତାତ-ମାତ । ଦାରା-ତନୟ-ବନ୍ଧୁ-ମିତ୍ର ॥ ୧୨୮

ପରଆପଣା ଯାର ନାହିଁ । ତାହାର ଜନ୍ମମମୃତ୍ୟୁ କାହିଁ ॥ ୧୨୯

ତ୍ରିବିଧକର୍ମ ନାହିଁ ତାର । ଯେତେ ଏ ଲୋକର ବେଭାର ॥ ୧୩୦

ଦେବ ମନୁଷ୍ୟ ପଶୁଯୋନି । ତାହାର ଯୋଗମାୟା ଘେନି ॥ ୧୩୧

ଜନ୍ତୁଏ ଆତଯାତ ହୋନ୍ତି । ଜଳଫୋଟକା ଯେହ୍ନେ ଥାନ୍ତି ॥ ୧୩୨

କେବଳ କ୍ରୀଡ଼ାରଙ୍ଗମତେ । ସାଧୁଙ୍କୁ ରଖିବା ନିମନ୍ତେ ॥ ୧୩୩

ଜଗତେ ବହଇ ଶରୀର । ଧର୍ମପାଳନେ ଶିରୀଧର ॥ ୧୩୪

ନିର୍ଗୁଣ ହୋଇ ଗୁଣେ ମିଶେ । ଜଗତ ପାଳିବାର ଆଶେ ॥ ୧୩୫

ସ୍ୱଭାବେ ଚେଷ୍ଟା ଯାର ନାହିଁ । ତ୍ରିଗୁଣେ ପ୍ରତିମା ନଚାଇ ॥ ୧୩୬

ସର୍ଜଇ ପାଳଇ ଜଗତ । ଅନନ୍ତ କରୁଥାଇ ଅନ୍ତ ॥ ୧୩୭

ଭ୍ରମନ୍ତା ପ୍ରାଣୀଙ୍କର ଯେହ୍ନେ । ସଂସାରେ ଭ୍ରମୁଥାଇ ଶୂନ୍ୟେ ॥ ୧୩୮

ସେ ଯେହ୍ନେ ସତ୍ୟପ୍ରାୟ ମଣି । ଆପଣା ଭ୍ରମକୁ ନ ଜାଣି ॥ ୧୩୯

ଚିତ୍ତରେ ମାୟାଭ୍ରମ ଲଇଁ । ବୋଲଇ କରୁଅଛି ମୁହିଁ ॥ ୧୪୦

ଏଟି ଜୀବର ଅହଙ୍କାର । ମାୟାଭିଆଣ ଏ ହରିର ॥ ୧୪୧

ତୁମ୍ଭେ ଯେ ବୋଲ ଦାମୋଦର । ନିଶ୍ଚୟ ଆମ୍ଭର କୁମର ॥ ୧୪୨

ସକଳ ଜନ୍ତୁ ଆତ୍ମଭୂତ । ତାତଜନନୀ ସେ ଅନନ୍ତ ॥ ୧୪୩

ସକଳ ଜୀବଆତ୍ମା ହରି । ମାୟାର ବଳେ ଅଛି ଧରି ॥ ୧୪୪

ଏଣୁ ସେ ଈଶ୍ୱର ବୋଲାଇ । ଜନ୍ମ ମରଣ ତାର ନାହିଁ ॥ ୧୪୫

ଯେତେ ହୋ ନନ୍ଦ ଦେଖୁ ତୁହି । ଭୂତଭବିଷ୍ୟ ଯେତେ ହୋଇ ॥ ୧୪୬

ସ୍ଥାବର ଜଙ୍ଗମ ଜଗତ । ଯେତେକ ଅଳପ ବହୁତ ॥ ୧୪୭

ହରିହୁଁ ନୁହଇଟି ଆନ । ସକଳ ପ୍ରଭୁ ଭଗବାନ ॥ ୧୪୮

ଉଦ୍ଧବ କହୁଁ ନନ୍ଦ ଆଗେ । ରଜନୀ ପାହିଲାକ ବେଗେ ॥ ୧୪୯

ଗୋପୀଏ ନିଦ୍ରାଗତେ ଥିଲେ । ଶୟନ ତେଜିଣି ଉଠିଲେ ॥ ୧୫୦

ବେଗେ ଜାଳିଲେ ଦୀପପନ୍ତି । ଦଧିମନ୍ଥନ୍ତେ ଦୃଢମତି ॥ ୧୫୧

ବାସ୍ତୁମାର୍ଜନ ଛେରା ଦେଇ । ସୁବାସଜଳେ ମୁଖ ଧୋଇ ॥ ୧୫୨

ସ୍ୱଭାବେ ନାନା ଅଳଙ୍କାର । ଭୂଷଣ ମଣିରତ୍ନ ସାର ॥ ୧୫୩

ପ୍ରଦୀପ ତେଜେ ବିରାଜନ୍ତି । ଗଗନେ ଯେହ୍ନେ ତାରାପନ୍ତି ॥ ୧୫୪

ଖୁଆ ଦଉଡ଼ି ଧରି କରେ । ଦଧି ମନ୍ଥନ୍ତି ଧୀରେ ଧୀରେ ॥ ୧୫୫

କରେ କଙ୍କଣ ତାଡ଼ ଶୋହେ । ହୃଦରେ ହାର ଜନମୋହେ ॥ ୧୫୬

ସ୍ତନ ନିତମ୍ବ ହେମମାଳ । କୁଣ୍ତଳ ଅଳକା କପୋଳ ॥ ୧୫୭

ଚଳନ୍ତି ମନ୍ଥନର ବେଳା । ରଙ୍ଗକମଳ ପ୍ରାୟେ ଡେ଼ାଳା ॥ ୧୫୮

ପଦ୍ମଲୋଚନ ନାମ ଧରି । ଉଚ୍ଚେ ଗାବନ୍ତି ବ୍ରଜନାରୀ ॥ ୧୫୯

ଦଧିମନ୍ଥନର ଶବଦ । ସଙ୍ଗେ ମିଳିଲା ଗୀତନାଦ ॥ ୧୬୦

ସକଳ ମଙ୍ଗଳ ସେ ହରି । ଶୁଭିଲା ଦଶଦିଗ ପୂରି ॥ ୧୬୧

ଦଧିମନ୍ଥନେ ଗୀତନାଦ । ଶୁଣନ୍ତେ ଦେବତା ଆନନ୍ଦ ॥ ୧୬୨

ଦେବେ ବୋଲନ୍ତି ନିସ୍ତରିଲୁ । ନାମ ଭକ୍ତମୁଖୁଁ ଶୁଣିଲୁ ॥ ୧୬୩

ଏମନ୍ତେ ରଜନୀ ପାହିଲା । ରବିକିରଣ ପ୍ରକାଶିଲା ॥ ୧୬୪

ମନ୍ଥନ ସାରି ଗୋପୀ ସୁଖେ । କୁମ୍ଭ ଘେନିଣ ନିଜ କାଖେ ॥ ୧୬୫

ଯମୁନା ଯାଉଁ ଯାଉଁ ଧୀରେ । ଦେଖିଲେ ନନ୍ଦରାଜଦ୍ୱାରେ ॥ ୧୬୬

ସୁବର୍ଣ୍ଣରଥ ରତ୍ନମୟ । ଯୋଚିଲା ଅଛି ଚାରି ହୟ ॥ ୧୬୭

ଧ୍ୱଜେ ଶୋଭିତ ମଣିସାର । ତା ଦେଖି କରନ୍ତି ବିଚାର ॥ ୧୬୮

ଏ ଟି କାହାର ଦେଖ ରଥ । ଆବୋରି ଅଛି ରାଜପଥ ॥ ୧୬୯

ଇନ୍ଦ୍ରବିମାନ ପ୍ରାୟ ଦିଶେ । ଗୋପୀ ମିଳିଲେ ଯାଇ ପାଶେ ॥ ୧୭୦

ବୋଲନ୍ତି ଅକ୍ରୁର ଅଇଲା । ଯେ କୃଷ୍ଣେ ମଧୁପୁର ନେଲା ॥ ୧୭୧

ଥୋକେ ବୋଲନ୍ତି ମଲା କଂସ । ଅକ୍ରୁର ତାହାର ବିଶ୍ୱାସ ॥ ୧୭୨

ଆମ୍ଭ ଶୋଣିତ ମାଂସ ନେବ । କଂସକୁ କ୍ରିୟାପିଣ୍ତ ଦେବ ॥ ୧୭୩

ଏମନ୍ତୁ କହୁଁ ଗୋପନାରୀ । ଉଦ୍ଧବ ନିତ୍ୟକର୍ମ ସାରି ॥ ୧୭୪

ଆସି ମିଳିଲା ଦିବ୍ୟରଥେ । ଗୋପୀ ଦେଖନ୍ତି ରାଜପଥେ ॥ ୧୭୫

ବୋଲଇ ବିପ୍ର ଜଗନ୍ନାଥ । ଗୋପୀ ବେଢିଲେ ଯାଇ ରଥ ॥ ୧୭୬

ସେ ଗୋପୀ ଉଦ୍ଧବ ପାଦେ । ସୁଜନେ ନମ ହୋ ଆନନ୍ଦେ ॥ ୧୭୭

ଭକତି ହୋଇବ ତୁମ୍ଭର । ତରିବ ଭବ ମହାଘୋର ॥ ୧୭୮

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ନନ୍ଦଶୋକ ଅପନୟନଂ ନାମ

ପଞ୍ଚାଶତ୍ ଅଧ୍ୟାୟଃ ॥

* * *