ଦଶମ ସ୍କନ୍ଧ

ଊନପଞ୍ଚାଶତ୍ ଅଧ୍ୟାୟ

ଶୁକ ଉବାଚ

କହନ୍ତି ବ୍ୟାସଙ୍କର ସୁତ । ଶୁଣ ରାଜନ ପରୀକ୍ଷିତ ॥

ରାମଗୋବିନ୍ଦ ଏକମେଳେ । ନନ୍ଦର ନିକଟେ ମିଳିଲେ ॥

କରଅଞ୍ଜଳି ଦେଇ ଶିରେ । ନମିଲେ ତାହାଙ୍କ ପୟରେ ॥

ନନ୍ଦର ଚରଣେ ପ୍ରଣମି । ଅଶେଷ ଜନ୍ତୁ ଅନ୍ତର୍ଯ୍ୟାମୀ ॥

ରାମଗୋବିନ୍ଦ ମାୟାବଳେ । ବସିଲେ ବେନିଭାଇ କୋଳେ ॥

ବେନିବାଳକ କୋଳେ ଜାକି । ସ୍ନେହେ ବୁଜିଲେ ବେନି ଆଖି ॥

ଆନନ୍ଦେ ଅଶ୍ରୁଜଳ ବହେ । ନନ୍ଦକୁ ଚାହିଁ ଦେବରାୟେ ॥

କହନ୍ତି ଶୁଣ ଆହେ ତାତ । ଆମ୍ଭେ ତୁମ୍ଭର ବେନିସୁତ ॥

ତୁମ୍ଭେ ପାଳିଲ ସ୍ନେହ ବହି । ତାତ ଜନନୀ ପ୍ରାୟ ହୋଇ ॥

ଅନାଥ ବାଳକଙ୍କୁ ଆଣି । ଧର୍ମେ ପୋଷନ୍ତି ଯେଉଁ ପ୍ରାଣୀ ॥ ୧୦

ସେ ଧର୍ମପିଅର ଜନନୀ । ବୋଲନ୍ତି ବେଦମତେ ମୁନି ॥ ୧୧

ହେ ତାତ ଯାଅ ଗୋପପୁର । ବନ୍ଧୁବାନ୍ଧବ ଘେନି ତୋର ॥ ୧୨

ମୁଁ ଏଥି ରହି ଦିନାକେତେ । ବନ୍ଧୁବାନ୍ଧବ ମୋର ଯେତେ ॥ ୧୩

ତାହାଙ୍କୁ ନିଶ୍ଚିନ୍ତ କରାଇ । ଯେ ଯାହା ବାସ ତାଙ୍କୁ ଦେଇ ॥ ୧୪

ପଛେ ମୁଁ ଯିବି ଗୋପପୁର । ଭୋ ତାତ ବିଳମ୍ବ ନ କର ॥ ୧୫

ଏମନ୍ତ କହି ଭାବଗ୍ରାହୀ । ନନ୍ଦର ହସ୍ତେ ହସ୍ତ ଦେଇ ॥ ୧୬

କଂସର ଯେତେକ ଭଣ୍ତାର । ନନ୍ଦକୁ ଦେଲେ ଦାମୋଦର ॥ ୧୭

ବୋଇଲେ ଗୋପେ ହୁଅ ରାଜା । ଆନନ୍ଦେ ପାଳ ଜନ ପ୍ରଜା ॥ ୧୮

ନନ୍ଦ ଗୋପାଳଙ୍କର ମନ । ମୋହିଲେ ପ୍ରଭୁ ଭଗବାନ ॥ ୧୯

ରାମଗୋବିନ୍ଦେ ଘେନି କୋଳେ । ଚୁମ୍ବନ ଦେଲେ ସୁଖଭୋଳେ ॥ ୨୦

ଯେତେ ବାଳକ କୃଷ୍ଣସଙ୍ଗେ । ଗୋପେ ବଢ଼ିଲେ ନବରଙ୍ଗେ ॥ ୨୧

କୃଷ୍ଣଙ୍କୁ ଜଣେ ଜଣେ ଧରି । ବୋଲନ୍ତି ଆଲିଙ୍ଗନ କରି ॥ ୨୨

ହେ ରାମକୃଷ୍ଣ ତୁମ୍ଭ ସଙ୍ଗେ । ବନେ ବଞ୍ଚିଲୁ ନାନାରଙ୍ଗେ ॥ ୨୩

ହେ ପ୍ରଭୁ ତୋର ଜନ୍ମକାଳୁ । ଆମ୍ଭେ ଯେ କ୍ଷଣେ ଛାଡ଼ିଲୁ ॥ ୨୪

ଏବେ ଛାଡ଼ିଲ କିସପାଇଁ । ବଞ୍ଚିବୁ କାହା ମୁଖ ଚାହିଁ ॥ ୨୫

ଶୁଣି ବୋଲନ୍ତି ବେନିଭାଇ । ମୋହନ ନୟନେ ଅନାଇଁ ॥ ୨୬

ଗୋପାଳେ ଯାଅ ଯେଝା ଘର । ମନ ନିବେଶି ମୋ ପୟର ॥ ୨୭

ଆମ୍ଭର ମନ ତୁମ୍ଭ ତହିଁ । ନିକଟେ ଯିବୁ ବେନିଭାଇ ॥ ୨୮

ଏମନ୍ତେ ଜଣେ ଜଣେ ତୋଷି । ଗୋପାଳ ପୁଅକୁ ଆଶ୍ୱାସି ॥ ୨୯

କୃଷ୍ଣର ଆଜ୍ଞା ନନ୍ଦ ପାଇ । କାନ୍ଦଇ ପୁଣ ପୁଣ ଚାହିଁ ॥ ୩୦

ପୁଣି ସେ ରାମକୃଷ୍ଣ ଲଇ । କୋଳେ ବସାଇ ଚୁମ୍ବ ଦେଇ ॥ ୩୧

ମନ ନିବେଶି କୃଷ୍ଣପାଦେ । ବୁଡ଼ିଲା ଶୋକ ଗଦଗଦେ ॥ ୩୨

ବାଜଇ ବୀରତୂର ବାଦ୍ୟ । ଘେନାଇ ସକଳ ସମ୍ପଦ ॥ ୩୩

ନନ୍ଦ ଚଳିଲା ଗୋପପୁର । ଶୁଣ ରାଜନ କୁରୁବୀର ॥ ୩୪

ଏ ଯେତେ ଦେଖି କୃଷ୍ଣଭାବ । ପୁତ୍ରଙ୍କୁ ପାଇ ବସୁଦେବ ॥ ୩୫

ଦ୍ୱିଜଙ୍କ ସଙ୍ଗେ ପୁରୋହିତ । ଅଣାଇଁ କହଇ ଉଚିତ ॥ ୩୬

ଏ ଯେ ମୋହର ବେନିବାଳେ । ଗୋପୁଁ ଅଇଲେ ଏତେକାଳେ ॥ ୩୭

ଏହାଙ୍କ କ୍ରିୟା-କର୍ମ ନାହିଁ । ସଂସ୍କାର କର ବେନିଭାଇ ॥ ୩୮

ବସୁଦେବର ବୋଲ ଶୁଣି । ବ୍ରାହ୍ମଣେ ରାମକୃଷ୍ଣ ଘେନି ॥ ୩୯

କଲେ ଯେ ବେଦ-କ୍ରିୟାକର୍ମ । କୁଳଉଚିତ ଯଥାଧର୍ମ ॥ ୪୦

ଆନନ୍ଦ ହୋଇ ବସୁଦେବ । ବିପ୍ରଙ୍କୁ କରାଇ ଉତ୍ସବ ॥ ୪୧

ଅୟୁତେ ଧେନୁ ବତ୍ସାମୂଳେ । ମଣ୍ତିଲା ନାନା ଅଳଙ୍କାରେ ॥ ୪୨

କୃଷ୍ଣର ଜନ୍ମକାଳେ ଯାହା । ମନେ କଳ୍ପିଲା ପୁଣ୍ୟଦେହା ॥ ୪୩

ବିପ୍ରଙ୍କୁ ଦେଲା ମନତୋଷେ । କଲ୍ୟାଣ କଲେ ସେ ହରଷେ ॥ ୪୪

ବସାଇ ରାମକୃଷ୍ଣ ଦୁଇ । ଆନନ୍ଦମନେ ବେଦ କହି ॥ ୪୫

ଗାୟତ୍ରୀମନ୍ତ୍ର ବିଦ୍ୟାଧର୍ମ । କୁଳଉଚିତ ଦଶକର୍ମ ॥ ୪୬

କରାଇ ଗଲେ ବିପ୍ରଜନେ । କୃତାର୍ଥ ବସୁଦେବ ମନେ ॥ ୪୭

ଯେ ହରି ସର୍ବବିଦ୍ୟା ହେତୁ । ଦାନ ଆଶ୍ରମ ତପ ତତ୍ତୁ ॥ ୪୮

ମନୁଷ୍ୟ ଜନ୍ମ ଯଦୁପତି । ତେଣୁ ହୋଇଲେ ବିଦ୍ୟାଅର୍ଥୀ ॥ ୪୯

ଗୋବିନ୍ଦ ବିଚାରନ୍ତି ରହି । ବିଦ୍ୟା ପଢିବା ଆମ୍ଭେ କାହିଁ ॥ ୫୦

ଶୁଣି ବୋଲନ୍ତି ହଳଧର । ଅବନ୍ତୀ ରାଜ୍ୟେ ବିପ୍ରବର ॥ ୫୧

କଶ୍ୟପ ଗୋତ୍ରେ ବିଦ୍ୟମାନ । ତାହାଙ୍କ ସାନ୍ଦୀପନୀ ନାମ ॥ ୫୨

ଏମନ୍ତ ଭାଳି ବେନିଭ୍ରାତେ । ବିଜୟ କଲେ ଏକରଥେ ॥ ୫୩

ରାମଗୋବିନ୍ଦ ଯୋଗବଳେ । ଅବନ୍ତୀ ନଗରେ ମିଳିଲେ ॥ ୫୪

ନିତି ଘେନନ୍ତି ଗୁରୁଦୀକ୍ଷା । ପାଠ ପଠନେ ବଡ଼ ଇଚ୍ଛା ॥ ୫୫

ପୂଜନ୍ତି ଗୁରୁଙ୍କ ଚରଣ । ଦେବତା ପ୍ରାୟେ ଆଚରଣ ॥ ୫୬

ସେବନ୍ତି ଗୁରୁଭାବ ଜାଣି । ଧର୍ମପାଳନେ ଚକ୍ରପାଣି ॥ ୫୭

ଭକ୍ତି ଦେଖି କୃଷ୍ଣରାମ । ଗୁରୁ ହୋଇଲେ ତୋଷମନ ॥ ୫୮

ପଢାନ୍ତି ବ୍ରହ୍ମ-ବେଦସାର । ସକଳ ଶାସ୍ତ୍ର ନିତ୍ୟାଚାର ॥ ୫୯

କହିଲେ ଧନୁର୍ବେଦ ରଙ୍ଗେ । ଧର୍ମ ମୀମାଂସା ନ୍ୟାୟ ସଙ୍ଗେ ॥ ୬୦

ଉପାୟ ଦଣ୍ତ ତର୍କବିଧି । ଯେ ରାଜନୀତି ସର୍ବସିଦ୍ଧି ॥ ୬୧

ଯେ ହରି ସର୍ବଶାସ୍ତ୍ରମୟେ । କୋଟି ବ୍ରହ୍ମାଣ୍ତ ଯାର ଦେହେ ॥ ୬୨

ଗୁରୁଙ୍କ ମୁଖୁଁ ଶୁଣି ବେଳେ । ସକଳ ବିଦ୍ୟା ଅବହେଳେ ॥ ୬୩

ରାମଗୋବିନ୍ଦ ମନତୋଷେ । ଚାରିଦିବସ ବେନିମାସେ ॥ ୬୪

ପଢି ସାନନ୍ଦ ବେନିଭାଇ । ବୋଲନ୍ତି ଶିରେ କରଦେଇ ॥ ୬୫

ଭୋ ବିପ୍ର ଆଜ୍ଞା ଯେବେ ହୋଇ । ଗୁରୁଦକ୍ଷିଣା ଆମ୍ଭେ ଦେଇ ॥ ୬୬

ପୂଜିବୁ ତୁମ୍ଭର ପୟର । ମେଲାଣି ଦିଅ ଯିବୁ ଘର ॥ ୬୭

ଶୁଣି ସାନନ୍ଦ ବିପ୍ରବର । କହିଲେ ପତ୍ନୀର ଆଗର ॥ ୬୮

ଶୁଣ ଭାବିନୀ ଚିତ୍ରକଥା । ରାମଗୋବିନ୍ଦଙ୍କ ବ୍ୟବସ୍ଥା ॥ ୬୯

ସକଳଶାସ୍ତ୍ର ଆମ୍ଭ ପାଶେ । ବସି ପଢିଲେ ବେନିମାସେ ॥ ୭୦

କେ କହୁ ତାହାଙ୍କ ମହିମା । ସକଳଗୁଣେ ସିଦ୍ଧକର୍ମା ॥ ୭୧

ନୁହନ୍ତି ମନୁଷ୍ୟ ଶରୀର । କି ଅବା ରବି ସୁନାସୀର ॥ ୭୨

ଗୁରୁଦକ୍ଷିଣା ସେ ଯାଚନ୍ତି । କହ ତୁ ଫିଟୁ ମନଭ୍ରାନ୍ତି ॥ ୭୩

ଶୁଣି ସାନନ୍ଦ ବିପ୍ରନାରୀ । କହନ୍ତି ବେନିକର ଯୋଡ଼ି ॥ ୭୪

ଭୋ ନାଥ ଶୁଣ ମୋର ବାଣୀ । ଆମ୍ଭର ପୁରେ କମଳିନୀ ॥ ୭୫

ଅନେକ ସମ୍ପତ୍ତି ଆମ୍ଭର । ଜୀବନ ହୋଇଲା ଅସାର ॥ ୭୬

ସନ୍ତତି ନାହିଁ ଆମ୍ଭ ଘରେ । କି ସୁଖ ସଂସାର ବେଭାରେ ॥ ୭୭

ଆମ୍ଭର ପୁତ୍ରଗୋଟି ଥିଲା । ପ୍ରଭାସତୀର୍ଥେ ନାଶ ଗଲା ॥ ୭୮

ସେ ପୁତ୍ର ଯେବେ ଆଣିଦ୍ୟନ୍ତେ । ତେବେ ସେ ଜୀବନ ରଖନ୍ତେ ॥ ୭୯

ଆନ ସମ୍ପଦେ ନାହିଁ କାର୍ଯ୍ୟ । ଶୁଣି ସାନନ୍ଦମନେ ଦ୍ୱିଜ ॥ ୮୦

ରାମଗୋବିନ୍ଦ ମୁଖଚାହିଁ । ବୋଲନ୍ତି ଶୁଣ ମନଦେଇ ॥ ୮୧

ପ୍ରଭାସତୀର୍ଥେ ମୋ କୁମର । ମରିଛି ଦ୍ୱାଦଶବସ୍ତ୍ରର ॥ ୮୨

ତାହାକୁ ଯେବେ ଦେବ ଆଣି । ତୋଷିବ ଆମ୍ଭର ଘରଣୀ ॥ ୮୩

ଯେବେ ପାରିବ ତାହା ଦେଇ । ତେବେ ଦକ୍ଷିଣା ମୋର ପାଇ ॥ ୮୪

ହୋଇବ କୃତାର୍ଥ ଜୀବନ । ତୁମ୍ଭେ ପାଇବ ଯଶ-ଧର୍ମ ॥ ୮୫

ଶୁଣି ସାନନ୍ଦମନ ହୋଇ । ରଥେ ବସିଲେ ବେନିଭାଇ ॥ ୮୬

ଗୋବିନ୍ଦ ଯୋଗମାୟା ବଳେ । ମିଳିଲେ ବାରାନିଧି କୂଳେ ॥ ୮୭

ବଳରାମଙ୍କୁ କୃଷ୍ଣ ଚାହିଁ । ଭୋ ପ୍ରଭୁ ଥାଅ କୂଳେ ରହି ॥ ୮୮

ରଥୁଁ ଓହ୍ଲାନ୍ତେ ନନ୍ଦବଳା । ତକ୍ଷଣେ ବରୁଣ ମିଳିଲା ॥ ୮୯

ଜଳୁଁ ବାହାର ବେଗେ ହୋଇ । କରଅଞ୍ଜଳି ଶିରେ ଦେଇ ॥ ୯୦

ବୋଇଲ ଶୁଣ ନାରାୟଣ । ଅଶେଷ ବ୍ରହ୍ମାଣ୍ତ କାରଣ ॥ ୯୧

କିମ୍ପାଇ ଅଇଲ ମୋ ପୁର । ଶୁଣି ବୋଲନ୍ତି ଚକ୍ରଧର ॥ ୯୨

ଆମ୍ଭର ଗୁରୁପୁତ୍ର ନେଇ । ଲୁଚାଇ ଥୋଇଅଛୁ କାହିଁ ॥ ୯୩

ଆମ୍ଭେ ତୋଷିବୁ ଗୁରୁନାରୀ । ବରୁଣ ଆଣ ବେଗକରି ॥ ୯୪

ଶୁଣି ବରୁଣ ମହାଭୟେ । ପଡ଼ିଲା କୃଷ୍ଣପଦ୍ମପାଏ ॥ ୯୫

ଭୋ ନାଥ ଗୁରୁପୁତ୍ର କାହିଁ । ତୁ କି ନ ଜାଣୁ ଭାବଗ୍ରାହୀ ॥ ୯୬

ମୋର ଭିତରେ ଶଙ୍ଖାସୁର । ତୁ ଯେ ମାଇଲୁ ଚକ୍ରଧର ॥ ୯୭

ବ୍ରହ୍ମାଙ୍କୁ ଦେଲୁ ବେଦ ନେଇ । ତାହାର ପୁତ୍ରେକ ଅଛଇ ॥ ୯୮

ନାମ ତାହାର ପଞ୍ଚଜନ । ମାୟାଦୀ ଅସୁରନନ୍ଦନ ॥ ୯୯

ସେ ଅବା ନେଇଅଛି ହରି । ଶୁଣି ସାନନ୍ଦ ନରହରି ॥ ୧୦୦

ବଳଦେବଙ୍କୁ ତୀରେ ଥୋଇ । ଜଳେ ପଶିଲେ କୃଷ୍ଣ ଯାଇ ॥ ୧୦୧

ଅଗାଧଜଳେ ଭାବଗ୍ରାହୀ । ଧଇଲେ ଅସୁରକୁ ଯାଇ ॥ ୧୦୨

ମୁଷ୍ଟି ପ୍ରହାରିଲେ ପ୍ରଚଣ୍ତ । ଶିର ହୋଇଲା ବେନିଖଣ୍ତ ॥ ୧୦୩

ତାର ଉଦରେ ଭଗବାନ । ଖୋଜିଲେ ଗୁରୁଙ୍କ ନନ୍ଦନ ॥ ୧୦୪

ଖୋଜି ନ ପାଇ ପଦ୍ମମୁଖ । ତାର ଉଦରୁ ନାଭିଶଙ୍ଖ ॥ ୧୦୫

ଘେନି ବାହାର ବ୍ରହ୍ମରାଶି । ରାମର ସଙ୍ଗେ ରଥେ ବସି ॥ ୧୦୬

କହନ୍ତି କମଳାର ବର । ଭୋ ସ୍ୱାମୀ ଯିବା ଯମପୁର ॥ ୧୦୭

ଗୁରୁବାଳକ ଏଥେ ନାହିଁ । ଏମନ୍ତ ବୋଲି ରଥବାହି ॥ ୧୦୮

ଯାନ୍ତେ କରନ୍ତି ଶଙ୍ଖନାଦ । ଖଣ୍ତିଲେ ଜନ୍ତୁଙ୍କ ବିଷାଦ ॥ ୧୦୯

ଯମର ଗଡ଼ଦ୍ୱାରେ ଯାଇ । ଗୋବିନ୍ଦ ଶଙ୍ଖନାଦ ବାଇ ॥ ୧୧୦

ଯମଯାତନା ଘୋରପଥେ । ନିବାସିଥିଲେ ପ୍ରାଣୀ ଯେତେ ॥ ୧୧୧

ଶୁଣି କୃଷ୍ଣର ଶଙ୍ଖନାଦ । ଖଣ୍ତିଲେ ଘୋର-ପାପବନ୍ଧ ॥ ୧୧୨

ହୋଇଲେ ଚାରିଚାରି ଭୁଜ । ଶଙ୍ଖ କମଳ ଗଦାତେଜ ॥ ୧୧୩

ଚକ୍ରତେଜ ସହିତେ ଚିହ୍ନ । ତକ୍ଷଣେ ଉଠିଲେ ଗଗନ ॥ ୧୧୪

ଶଙ୍ଖ ଶବଦ ଘନେ ସ୍ପୁରି । ଯମଭୁବେନେ ପଡେ଼ ହୁରି ॥ ୧୧୫

ଯମକୁ ଜଣାଇଲେ ଦୂତ । ବିଜୟ କଲେ ଗୋପୀନାଥ ॥ ୧୧୬

ତୋର ସମ୍ପଦ ଆଜୁଁ ଗଲା । ତା ଶୁଣି ଯମ ଭୟ କଲା ॥ ୧୧୭

ଚିତ୍ରଗୁପତ କର ଧରି । ବେଗେ ଭେଟିଲା ନରହରି ॥ ୧୧୮

କୃଷ୍ଣଚରଣ ତଳେ ପଡି । ଯମ ବୋଲଇ କରଯୋଡି ॥ ୧୧୯

ଭୋ ନାଥ ନିସ୍ତରିଲି ମୁହିଁ । ବିଜୟ କଲ କାହିଁପାଇଁ ॥ ୧୨୦

ଶୁଣି ବୋଲନ୍ତି ଶିରୀରଙ୍ଗ । ଗୁରୁଙ୍କ ପୁତ୍ର ଆଣ ବେଗ ॥ ୧୨୧

ତାର ମରଣକାଳ ଜାଣି । ତୋହର ଦୂତେ ଛନ୍ତି ଆଣି ॥ ୧୨୨

ମୋର ବଚନେ ଆଣ ତୁହିଁ । ଆନ କେ ପାରିବଟି ନେଇ ॥ ୧୨୩

ଶୁଣି ସାନନ୍ଦ ଜନ୍ତୁନାଥ । କୃଷ୍ଣଙ୍କୁ ଦେଲା ଗୁରୁପୁତ୍ର ॥ ୧୨୪

ଗୁରୁ-ବାଳକ କର ଧରି । ରଥେ ବସିଲେ ଦଇତ୍ୟାରି ॥ ୧୨୫

ବସିଲେ ଯାଇ ରାମ ତୁଲେ । ଗୁରୁ-ବାଳକ ଘେନି କୋଳେ ॥ ୧୨୬

ଅବନ୍ତୀପୁରେ ବନମାଳୀ । ଗୁରୁ-ମନ୍ଦିରେ ବେଗେ ମିଳି ॥ ୧୨୭

ରଥୁଁ ଓହ୍ଲାଇ ଦାମୋଦର । ଗୁରୁକୁମର ଧରି କର ॥ ୧୨୮

ଭିତରେ ପଶି ବେନିଭାଇ । ଗୁରୁ-କାମିନୀ କୋଳେ ନେଇ ॥ ୧୨୯

ସୁତ ବସାଇ ପ୍ରଦକ୍ଷିଣ । ହସି ବୋଲନ୍ତି ନାରାୟଣ ॥ ୧୩୦

ତୁମ୍ଭର ପୁତ୍ର ମାଏ ନିଅ । ଦକ୍ଷିଣା ଦେବୁ ଆଜ୍ଞା ଦିଅ ॥ ୧୩୧

ଶୁଣି ଉଠିଲେ ଗୁରୁନାରୀ । ରାମ-ଗୋବିନ୍ଦ କର ଧରି ॥ ୧୩୨

କଲ୍ୟାଣ କରି ଚୁମ୍ବ ଦେଇ । ତୁମ୍ବରେ ନିଉଛାଳି ହୋଇ ॥ ୧୩୩

ଆନ ସମ୍ପଦେ କାର୍ଯ୍ୟ ନାହିଁ । କୃତାର୍ଥ କଲ ପୁତ୍ର ଦେଇ ॥ ୧୩୪

ଏମନ୍ତ କହି ବେନିଜନ । ଚାହାଁନ୍ତି କୃଷ୍ଣର ବଦନ ॥ ୧୩୫

ଲୋଚନୁ ଅଶ୍ରୁଜଳ ବହେ । କୃଷ୍ଣ ମୋହିଲେ ମାୟାମୋହେ ॥ ୧୩୬

ତକ୍ଷଣେ ହୋଇ ତୋଷମନ । ଆନନ୍ଦେ କରନ୍ତି କଲ୍ୟାଣ ॥ ୧୩୭

ଯାଅ ମଥୁରା ବେନିଭାଇ । ଅକ୍ଷୟ ହେଉ ତୁମ୍ଭ ଦେହୀ ॥ ୧୩୮

ଯେତେ ପଢ଼ିଲ ମୋର ତହୁଁ । ଅକ୍ଷୟ ହୋଇ ହୃଦେ ରହୁ ॥ ୧୩୯

ମୋର ଆୟୁଷ ଯଶ ଯେତେ । ତୁମ୍ଭଙ୍କୁ ହେଉ ପରାପତେ ॥ ୧୪୦

ତକ୍ଷଣେ ଗୁରୁ-ଆଜ୍ଞା ପାଇ । ରଥେ ବସିଲେ ବେନିଭାଇ ॥ ୧୪୧

ମନ ନିବେଶି ଗୁରୁପାଦେ । ମଥୁରା ଗଲେ ଅପ୍ରମାଦେ ॥ ୧୪୨

ଗୁରୁ-କାମିନୀ ପୁତ୍ର ପାଇ । ଆନନ୍ଦ କେ ପାରିବ କହି ॥ ୧୪୩

ବେନିସ୍ତନରୁ ଖିର ଝରେ । ସ୍ତନ୍ୟ ପିଆନ୍ତି ସ୍ନେହଭରେ ॥ ୧୪୪

କେ କହୁ ଗୁରୁଙ୍କ ଆନନ୍ଦ । ଯାହାର ଶିଷ୍ୟ ଆଦିକନ୍ଦ ॥ ୧୪୫

ଏବେ ହୋ ଶୁଣ ନୃପବର । କୃଷ୍ଣ ମିଳିଲେ ମଧୁପୁର ॥ ୧୪୬

କୃଷ୍ଣ ଆଗମନେ ଆନନ୍ଦ । ଆସି ମିଳଲେ ଯଦୁବୃନ୍ଦ ॥ ୧୪୭

ଦେଖି ଆନନ୍ଦ ଭାଇବେନି । ହରଷ ପିଅର-ଜନନୀ ॥ ୧୪୮

ସେ ଆଦିକନ୍ଦ ପାଦତଳେ । ସୁଜନେ ଚିନ୍ତ ଧ୍ୟାନବଳେ ॥ ୧୪୯

କହଇ ଜଗନ୍ନାଥ ଦାସ । ହରିଚରିତ ସୁଧାରସ ॥ ୧୫୦

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଗୁରୁପୁତ୍ରାନୟନଂ ନାମ ଊନପଞ୍ଚାଶତ୍ ଅଧ୍ୟାୟଃ ॥

* * *