ଦଶମ ସ୍କନ୍ଧ
ଅଷ୍ଟଚତ୍ୱାରିଂଶ ଅଧ୍ୟାୟ
ଶୁକ ଉବାଚ
କହନ୍ତି ବ୍ୟାସଙ୍କ କୁମର । ଶୁଣ ପରୀକ୍ଷ ନୃପବର ॥ ୧
ଜଗତବନ୍ଧୁ ଜନାର୍ଦ୍ଦନ । ମୋହିଲେ ପିତାମାତା ମନ ॥ ୨
ରାମର ମୁଖକୁ ଚାହିଁଲେ । ବିଷ୍ଣୁର ମାୟା ପ୍ରକାଶିଲେ ॥ ୩
ଅଶେଷ ଜୀବଜନ୍ତୁ ଦେହେ । ବିଶ୍ୱ ସଂସାରେ ମାୟାମୋହେ ॥ ୪
ତାତ ଜନନୀ ପାଦତଳେ । ରାମଗୋବିନ୍ଦ ଏକମେଳେ ॥ ୫
ପଡ଼ନ୍ତି ପୁଣ ପୁଣ ପାଦେ । କହନ୍ତି ଶୋକ ଗଦଗଦେ ॥ ୬
ହେ ତାତ ମାତ ଶୁଣ ମୋର । ଦଇବବଳ ବଳୀୟାର ॥ ୭
କଂସର ଡ଼ରେ ବେନିଭାଇ । ଏତେ ଦିବସ ଗୋପେ ଥାଇ ॥ ୮
ବାଳକକାଳେ ମାତା କୋଳେ । ସୁତେ ବସନ୍ତି ସୁଖ ଭୋଳେ ॥ ୯
ସେ ସୁଖ ନୋହିଲା ଆମ୍ଭର । କର୍ମର ଫଳ ବଳୀୟାର ॥ ୧୦
ତାତ ଜନନୀ ଉପକାର । ସୁଝିବ କେବଣ କୁମର ॥ ୧୧
ଗର୍ଭେ ବହନ୍ତି ଦୁଃଖ ସହି । ପୁଣି ପାଳନ୍ତି କ୍ଷୀର ଦେଇ ॥ ୧୨
ସର୍ବ ସମ୍ପଦ ପୁଣ ଦେଇ । ତାହାଙ୍କ ପୋଷଣେ ଜୀଅଇ ॥ ୧୩
ତାହାଙ୍କ ପ୍ରତି ଉପକାରେ । ଶତଜନମେ କେହୁ ପାରେ ॥ ୧୪
ସେ ତାତ ଜନନୀ ପୋଷଣେ । ସମର୍ଥ ନୁହନ୍ତି ଯେ ଜନେ ॥ ୧୫
ତାହାଙ୍କ ଜୀବନର ଅନ୍ତେ । ବେଗେ ମିଳନ୍ତି ଯମଦୂତେ ॥ ୧୬
କର-ଚରଣ ବାନ୍ଧି କୋପେ । ନିଅନ୍ତି ଯମର ସମୀପେ ॥ ୧୭
ନିରାଶ ପଥେ ସେ ବିକଳେ । କାନ୍ଦଇ କ୍ଷୁଧାର ଆକୁଳେ ॥ ୧୮
ତା'ର ବିକଳ ଦେଖି ପଥେ । କୋପେ ବୋଲନ୍ତି ଯମଦୂତେ ॥ ୧୯
ପିତାମାତାଙ୍କୁ ଦୁଃଖ ଦେଇ । ଜୀବନ ପୋଷିଲୁ ଯେ ତୁହି ॥ ୨୦
ଯେ ଅବା ପୁଣ୍ୟ ଥିଲା ତୋ'ର । ସେ ପାପେ ହୋଇଲା ଅନ୍ତର ॥ ୨୧
ଏବେ ଖାଇବୁ ଆଉ କିସ । ଏମନ୍ତ ବୋଲି ତା'ର ମାଂସ ॥ ୨୨
କାଟି ତାହାର ମୁଖେ ଦ୍ୟନ୍ତି । ନିର୍ଦ୍ଦୟେ ଯଷ୍ଟି ପ୍ରହାରନ୍ତି ॥ ୨୩
ଭୋ ତାତ ଶୁଣ ଏକଚିତ୍ତେ । ବିପ୍ରେ କହନ୍ତି ବେଦମତେ ॥ ୨୪
ତାତ ଜନନୀ ବୃଦ୍ଧକାଳେ । ନିଜ ଭାରିଜା ଶିଶୁମେଳେ ॥ ୨୫
ଗୋରୁ ବ୍ରାହ୍ମଣ ଗୁରୁଜନ । ଏହାଙ୍କୁ ନ ଦେଇ ଭୋଜନ ॥ ୨୬
ଯେ ପ୍ରାଣୀ ଆତ୍ମାକୁ ପୋଷନ୍ତି । ଜୀବନ ଥାଉଁ ସେ ମରନ୍ତି ॥ ୨୭
କଂସର ଡରେ ଗୋପେ ଥାଇ । ଦୁଃଖେ ବଢ଼ିଲୁ ବେନିଭାଇ ॥ ୨୮
ତୁମ୍ଭ ସେବାରେ ନାହିଁ ମନ । ନିଷ୍ଫଳେ ଗଲା ଏତେ ଦିନ ॥ ୨୯
ସେ ଦୋଷ କ୍ଷମାକର ତାତ । ଆମ୍ଭେ ହୋଇଲୁ ପରାୟତ୍ତ ॥ ୩୦
ଏମନ୍ତ କହି ଦାମୋଦର । ମନ ମୋହିଲେ ତାହାଙ୍କର ॥ ୩୧
କୃଷ୍ଣ ବଚନେ ମାତାପିତା । ଛାଡ଼ିଲେ ମନୁ ଖେଦ ଚିନ୍ତା ॥ ୩୨
ଅତି ଆନନ୍ଦେ ବେନିଜନ । ପୁତ୍ରଙ୍କୁ ଦିଅନ୍ତି ଚୁମ୍ବନ ॥ ୩୩
କୋଳେ ବସାଇ ହୃଦେ ଭିଡ଼ି । ବେନିଲୋଚନୁ ବହେ ବାରି ॥ ୩୪
ବୁଡ଼ିଲେ ମାୟାମୋହ ଜଳେ । କଣ୍ଠ ନସ୍ଫୁରେ ଶୋକଭରେ ॥ ୩୫
ଏମନ୍ତେ ପ୍ରଭୁ ବ୍ରହ୍ମରାଶି । ତାତଜନନୀ ମନ ତୋଷି ॥ ୩୬
କୋମଳ-ମଧୁର-ବଚନେ । ମଞ୍ଚାରୁ ଉତୁରି ବହନେ ॥ ୩୭
ଉଗ୍ରସେନଙ୍କୁ ଅଣାଇଲେ । ରାଜଆସନେ ବସାଇଲେ ॥ ୩୮
ବୋଲନ୍ତି ପ୍ରଭୁ ଦେବରାଜା । ଆମ୍ଭେ ସକଳେ ତୋର ପ୍ରଜା ॥ ୩୯
ତୁ ଭୋଜବଂଶ ନୃପବର । ଆମ୍ଭେ ଖଟିବୁ ତୋ' ପୟର ॥ ୪୦
ଯଯାତି ନାମେ ମହାନୃପ । ଯଦୁଙ୍କୁ ଦେଇଅଛି ଶାପ ॥ ୪୧
ତେଣୁ ଯଦୁଙ୍କୁ ପାଟ ନାହିଁ । ରାଜା ହୋଇଲେ କ୍ଷୟ ଯାଇ ॥ ୪୨
ତୁ ଆମ୍ଭ ବୋଲେ ନୃପବର । ବହିବୁ ରାଜ୍ୟ ମହାଭାର ॥ ୪୩
ଏମନ୍ତ ବୋଲି ବନମାଳୀ । ଆପଣେ କଲେ ନିଉଛାଳି ॥ ୪୪
ସୁବର୍ଣ୍ଣ କୁମ୍ଭେ ଗଙ୍ଗାନୀର । ଦଧି ଅକ୍ଷତ ଗନ୍ଧସାର ॥ ୪୫
ଗୋବିନ୍ଦ ତୋଳି ନିଜ କରେ । ଢ଼ାଳିଲେ ଉଗ୍ରସେନ ଶିରେ ॥ ୪୬
ନାନା ଉତ୍ସବେ ଅଭିଷେକ । ସ୍ୱର୍ଗେ ଦେଖନ୍ତି ସୁରଲୋକ ॥ ୪୭
ବାଜଇ ବୀରତୂର ବାଦ୍ୟ । ମଥୁରା ହୋଇଲା ଆନନ୍ଦ ॥ ୪୮
ଉଗ୍ରସେନଙ୍କୁ ରାଜା କରି । କୃଷ୍ଣ କହନ୍ତି କରଯୋଡ଼ି ॥ ୪୯
ଭ୍ରାନ୍ତି ତୁ ନ କର ମନରେ । ତୋ ରିପୁ ନହିଁ ଏ ସଂସାରେ ॥ ୫୦
ମୁହିଁ ଯାହାର ଆଜ୍ଞାକାରୀ । କେ ତା'ର ହୋଇବ ବଇରୀ ॥ ୫୧
ମହେନ୍ଦ୍ର ଆଦି ଦିଗପାଳେ । ଖଟିବେ ତୋ'ର ପାଦତଳେ ॥ ୫୨
ମର୍ତ୍ତ୍ୟରାଜାଙ୍କୁ ନାହିଁ ଡ଼ର । ବୋଲନ୍ତି ବ୍ରହ୍ମାଣ୍ତ ଠାକୁର ॥ ୫୩
ଏମନ୍ତେ ରାଜପଦ ଦେଇ । ରାମଗୋବିନ୍ଦ ବେନିଭାଇ ॥ ୫୪
ଯେତେ ଡ଼ଗର ଥିଲେ ଦେଶେ । ଅଣାଇଁ କହନ୍ତି ବିଶ୍ୱାସେ ॥ ୫୫
ତୁମେ ହୋ ଯାଅ ଚାରିଦିଗେ । ମୋହର ଆଜ୍ଞା ଘେନି ବେଗେ ॥ ୫୬
ଯାଦବ ଆଦି ସାତବଂଶେ । ଯେବା ଅଛନ୍ତି ଯେଉଁ ଦେଶେ ॥ ୫୭
ବୋଲିବ ଆସ ହେ ନିର୍ଭୟେ । ତୁମ୍ଭଙ୍କୁ ଗୋବିନ୍ଦ ସଦୟେ ॥ ୫୮
ଏମନ୍ତ ବୋଲି ଆଜ୍ଞା ଦେଲେ । ବହନ ଆଣ ହୋ ବୋଇଲେ ॥ ୫୯
ତକ୍ଷଣେ ଡ଼ଗରାଏ ଯାଇ । ଚାରିଦିଗରେ ଆଜ୍ଞା କହି ॥ ୬୦
ଯେତେକ ଗୋବିନ୍ଦ ଉତ୍ତର । ସମସ୍ତ କହିଲେ ଡଗର ॥ ୬୧
ରାମଗୋବିନ୍ଦଙ୍କ ଚରିତ । ତୁମ୍ଭଙ୍କୁ ସଦୟ ବହୁତ ॥ ୬୨
ଏମନ୍ତ ଡଗରେ କହିଲେ । ତକ୍ଷଣେ ଆସ ହୋ ବୋଇଲେ ॥ ୬୩
ବନ୍ଧୁବାନ୍ଧବ ଆଦି କରି । ତକ୍ଷଣେ ଆଜ୍ଞା ଶିରେ ଧରି ॥ ୬୪
ସକଳେ ହୋଇଲେ ବାହାର । ଆସନ୍ତି ଅତି ଖରତର ॥ ୬୫
ରାମଗୋବିନ୍ଦଙ୍କୁ ଭେଟିଲେ । ସମସ୍ତେ ଆନନ୍ଦ ହୋଇଲେ ॥ ୬୬
ରାମଗୋବିନ୍ଦ ବେନିଜନ । କହିଲେ ମଧୁର ବଚନ ॥ ୬୭
ଜଣଜଣକେ ତୋଷ କରି । ଦାସବତ୍ସଳ ନରହରି ॥ ୬୮
ଯେଝାର ପୁରେ ଦେଲେ ବାସ । ଧନ ସମ୍ପଦ ଗ୍ରାମ ଦେଶ ॥ ୬୯
ଯାଦବେ କୃଷ୍ଣର ବିଶ୍ୱାସେ । ଗୃହେ ରହିଲେ ମନତୋଷେ ॥ ୭୦
ରାତ୍ର ଦିବସେ କୃଷ୍ଣମୁଖ । ଦେଖି ଛାଡ଼ିଲେ ମନୁଦୁଃଖ ॥ ୭୧
ବୃଦ୍ଧ ବାଳକ ରୂପ ନାହିଁ । ସକଳେ ଯୁବାପ୍ରାୟ ହୋଇ ॥ ୭୨
କୃଷ୍ଣର ଅପୂର୍ବ ବଦନ । ଦେଖି ହୋଇଲେ ତୋଷମନ ॥ ୭୩
ସେ କୃଷ୍ଣ ଚରଣେ ବିଶ୍ୱାସ । ଭଣଇ ଜଗନ୍ନାଥ ଦାସ ॥ ୭୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଉଗ୍ରସେନ ସିଂହାସନ ଆରୋହଣଂ ନାମ ଅଷ୍ଟଚତ୍ୱାରିଂଶୋଽଧ୍ୟାୟଃ ॥
* * *