ଦଶମ ସ୍କନ୍ଧ

ଅଷ୍ଟଚତ୍ୱାରିଂଶ ଅଧ୍ୟାୟ

ଶୁକ ଉବାଚ

କହନ୍ତି ବ୍ୟାସଙ୍କ କୁମର । ଶୁଣ ପରୀକ୍ଷ ନୃପବର ॥

ଜଗତବନ୍ଧୁ ଜନାŸର୍ଦ୍ଦନ । ମୋହିଲେ ପିତାମାତା ମନ ॥

ରାମର ମୁଖକୁ ଚାହିଁଲେ । ବିଷ୍ଣୁର ମାୟା ପ୍ରକାଶିଲେ ॥

ଅଶେଷ ଜୀବଜନ୍ତୁ ଦେହେ । ବିଶ୍ୱ ସଂସାରେ ମାୟାମୋହେ ॥

ତାତ ଜନନୀ ପାଦତଳେ । ରାମଗୋବିନ୍ଦ ଏକମେଳେ ॥

ପଡ଼ନ୍ତି ପୁଣ ପୁଣ ପାଦେ । କହନ୍ତି ଶୋକ ଗଦଗଦେ ॥

ହେ ତାତ ମାତ ଶୁଣ ମୋର । ଦଇବବଳ ବଳୀୟାର ॥

କଂସର ଡ଼ରେ ବେନିଭାଇ । ଏତେ ଦିବସ ଗୋପେ ଥାଇ ॥

ବାଳକକାଳେ ମାତା କୋଳେ । ସୁତେ ବସନ୍ତି ସୁଖ ଭୋଳେ ॥

ସେ ସୁଖ ନୋହିଲା ଆମ୍ଭର । କର୍ମର ଫଳ ବଳୀୟାର ॥ ୧୦

ତାତ ଜନନୀ ଉପକାର । ସୁଝିବ କେବଣ କୁମର ॥ ୧୧

ଗର୍ଭେ ବହନ୍ତି ଦୁଃଖ ସହି । ପୁଣି ପାଳନ୍ତି କ୍ଷୀର ଦେଇ ॥ ୧୨

ସର୍ବ ସମ୍ପଦ ପୁଣ ଦେଇ । ତାହାଙ୍କ ପୋଷଣେ ଜୀଅଇ ॥ ୧୩

ତାହାଙ୍କ ପ୍ରତି ଉପକାରେ । ଶତଜନମେ କେହୁ ପାରେ ॥ ୧୪

ସେ ତାତ ଜନନୀ ପୋଷଣେ । ସମର୍ଥ ନୁହନ୍ତି ଯେ ଜନେ ॥ ୧୫

ତାହାଙ୍କ ଜୀବନର ଅନ୍ତେ । ବେଗେ ମିଳନ୍ତି ଯମଦୂତେ ॥ ୧୬

କର-ଚରଣ ବାନ୍ଧି କୋପେ । ନିଅନ୍ତି ଯମର ସମୀପେ ॥ ୧୭

ନିରାଶ ପଥେ ସେ ବିକଳେ । କାନ୍ଦଇ କ୍ଷୁଧାର ଆକୁଳେ ॥ ୧୮

ତା'ର ବିକଳ ଦେଖି ପଥେ । କୋପେ ବୋଲନ୍ତି ଯମଦୂତେ ॥ ୧୯

ପିତାମାତାଙ୍କୁ ଦୁଃଖ ଦେଇ । ଜୀବନ ପୋଷିଲୁ ଯେ ତୁହି ॥ ୨୦

ଯେ ଅବା ପୁଣ୍ୟ ଥିଲା ତୋ'ର । ସେ ପାପେ ହୋଇଲା ଅନ୍ତର ॥ ୨୧

ଏବେ ଖାଇବୁ ଆଉ କିସ । ଏମନ୍ତ ବୋଲି ତା'ର ମାଂସ ॥ ୨୨

କାଟି ତାହାର ମୁଖେ ଦ୍ୟନ୍ତି । ନିŸର୍ଦ୍ଦୟେ ଯଷ୍ଟି ପ୍ରହାରନ୍ତି ॥ ୨୩

ଭୋ ତାତ ଶୁଣ ଏକଚିତ୍ତେ । ବିପ୍ରେ କହନ୍ତି ବେଦମତେ ॥ ୨୪

ତାତ ଜନନୀ ବୃଦ୍ଧକାଳେ । ନିଜ ଭାରିଜା ଶିଶୁମେଳେ ॥ ୨୫

ଗୋରୁ ବ୍ରାହ୍ମଣ ଗୁରୁଜନ । ଏହାଙ୍କୁ ନ ଦେଇ ଭୋଜନ ॥ ୨୬

ଯେ ପ୍ରାଣୀ ଆତ୍ମାକୁ ପୋଷନ୍ତି । ଜୀବନ ଥାଉଁ ସେ ମରନ୍ତି ॥ ୨୭

କଂସର ଡରେ ଗୋପେ ଥାଇ । ଦୁଃଖେ ବଢ଼ିଲୁ ବେନିଭାଇ ॥ ୨୮

ତୁମ୍ଭ ସେବାରେ ନାହିଁ ମନ । ନିଷ୍ଫଳେ ଗଲା ଏତେ ଦିନ ॥ ୨୯

ସେ ଦୋଷ କ୍ଷମାକର ତାତ । ଆମ୍ଭେ ହୋଇଲୁ ପରାୟତ୍ତ ॥ ୩୦

ଏମନ୍ତ କହି ଦାମୋଦର । ମନ ମୋହିଲେ ତାହାଙ୍କର ॥ ୩୧

କୃଷ୍ଣ ବଚନେ ମାତାପିତା । ଛାଡ଼ିଲେ ମନୁ ଖେଦ ଚିନ୍ତା ॥ ୩୨

ଅତି ଆନନ୍ଦେ ବେନିଜନ । ପୁତ୍ରଙ୍କୁ ଦିଅନ୍ତି ଚୁମ୍ବନ ॥ ୩୩

କୋଳେ ବସାଇ ହୃଦେ ଭିଡ଼ି । ବେନିଲୋଚନୁ ବହେ ବାରି ॥ ୩୪

ବୁଡ଼ିଲେ ମାୟାମୋହ ଜଳେ । କଣ୍ଠ ନସ୍ଫୁରେ ଶୋକଭରେ ॥ ୩୫

ଏମନ୍ତେ ପ୍ରଭୁ ବ୍ରହ୍ମରାଶି । ତାତଜନନୀ ମନ ତୋଷି ॥ ୩୬

କୋମଳ-ମଧୁର-ବଚନେ । ମଞ୍ଚାରୁ ଉତୁରି ବହନେ ॥ ୩୭

ଉଗ୍ରସେନଙ୍କୁ ଅଣାଇଲେ । ରାଜଆସନେ ବସାଇଲେ ॥ ୩୮

ବୋଲନ୍ତି ପ୍ରଭୁ ଦେବରାଜା । ଆମ୍ଭେ ସକଳେ ତୋର ପ୍ରଜା ॥ ୩୯

ତୁ ଭୋଜବଂଶ ନୃପବର । ଆମ୍ଭେ ଖଟିବୁ ତୋ' ପୟର ॥ ୪୦

ଯଯାତି ନାମେ ମହାନୃପ । ଯଦୁଙ୍କୁ ଦେଇଅଛି ଶାପ ॥ ୪୧

ତେଣୁ ଯଦୁଙ୍କୁ ପାଟ ନାହିଁ । ରାଜା ହୋଇଲେ କ୍ଷୟ ଯାଇ ॥ ୪୨

ତୁ ଆମ୍ଭ ବୋଲେ ନୃପବର । ବହିବୁ ରାଜ୍ୟ ମହାଭାର ॥ ୪୩

ଏମନ୍ତ ବୋଲି ବନମାଳୀ । ଆପଣେ କଲେ ନିଉଛାଳି ॥ ୪୪

ସୁବ‰ର୍ଣ୍ଣ କୁମ୍ଭେ ଗଙ୍ଗାନୀର । ଦଧି ଅକ୍ଷତ ଗନ୍ଧସାର ॥ ୪୫

ଗୋବିନ୍ଦ ତୋଳି ନିଜ କରେ । ଢ଼ାଳିଲେ ଉଗ୍ରସେନ ଶିରେ ॥ ୪୬

ନାନା ଉ›ତ୍ସବେ ଅଭିଷେକ । ସ୍ୱର୍ଗେ ଦେଖନ୍ତି ସୁରଲୋକ ॥ ୪୭

ବାଜଇ ବୀରତୂର ବାଦ୍ୟ । ମଥୁରା ହୋଇଲା ଆନନ୍ଦ ॥ ୪୮

ଉଗ୍ରସେନଙ୍କୁ ରାଜା କରି । କୃଷ୍ଣ କହନ୍ତି କରଯୋଡ଼ି ॥ ୪୯

ଭ୍ରାନ୍ତି ତୁ ନ କର ମନରେ । ତୋ ରିପୁ ନହିଁ ଏ ସଂସାରେ ॥ ୫୦

ମୁହିଁ ଯାହାର ଆଜ୍ଞାକାରୀ । କେ ତା'ର ହୋଇବ ବଇରୀ ॥ ୫୧

ମହେନ୍ଦ୍ର ଆଦି ଦିଗପାଳେ । ଖଟିବେ ତୋ'ର ପାଦତଳେ ॥ ୫୨

ମର୍ତ୍ତ୍ୟରାଜାଙ୍କୁ ନାହିଁ ଡ଼ର । ବୋଲନ୍ତି ବ୍ରହ୍ମାଣ୍ତŠ ଠାକୁର ॥ ୫୩

ଏମନ୍ତେ ରାଜପଦ ଦେଇ । ରାମଗୋବିନ୍ଦ ବେନିଭାଇ ॥ ୫୪

ଯେତେ ଡ଼ଗର ଥିଲେ ଦେଶେ । ଅଣାଇଁ କହନ୍ତି ବିଶ୍ୱାସେ ॥ ୫୫

ତୁମେ ହୋ ଯାଅ ଚାରିଦିଗେ । ମୋହର ଆଜ୍ଞା ଘେନି ବେଗେ ॥ ୫୬

ଯାଦବ ଆଦି ସାତବଂଶେ । ଯେବା ଅଛନ୍ତି ଯେଉଁ ଦେଶେ ॥ ୫୭

ବୋଲିବ ଆସ ହେ ନିର୍ଭୟେ । ତୁମ୍ଭଙ୍କୁ ଗୋବିନ୍ଦ ସଦୟେ ॥ ୫୮

ଏମନ୍ତ ବୋଲି ଆଜ୍ଞା ଦେଲେ । ବହନ ଆଣ ହୋ ବୋଇଲେ ॥ ୫୯

ତକ୍ଷଣେ ଡ଼ଗରାଏ ଯାଇ । ଚାରିଦିଗରେ ଆଜ୍ଞା କହି ॥ ୬୦

ଯେତେକ ଗୋବିନ୍ଦ ଉତ୍ତର । ସମସ୍ତ କହିଲେ ଡଗର ॥ ୬୧

ରାମଗୋବିନ୍ଦଙ୍କ ଚରିତ । ତୁମ୍ଭଙ୍କୁ ସଦୟ ବହୁତ ॥ ୬୨

ଏମନ୍ତ ଡଗରେ କହିଲେ । ତକ୍ଷଣେ ଆସ ହୋ ବୋଇଲେ ॥ ୬୩

ବନ୍ଧୁବାନ୍ଧବ ଆଦି କରି । ତକ୍ଷଣେ ଆଜ୍ଞା ଶିରେ ଧରି ॥ ୬୪

ସକଳେ ହୋଇଲେ ବାହାର । ଆସନ୍ତି ଅତି ଖରତର ॥ ୬୫

ରାମଗୋବିନ୍ଦଙ୍କୁ ଭେଟିଲେ । ସମସ୍ତେ ଆନନ୍ଦ ହୋଇଲେ ॥ ୬୬

ରାମଗୋବିନ୍ଦ ବେନିଜନ । କହିଲେ ମଧୁର ବଚନ ॥ ୬୭

ଜଣଜଣକେ ତୋଷ କରି । ଦାସବତ୍ସ›ଳ ନରହରି ॥ ୬୮

ଯେଝାର ପୁରେ ଦେଲେ ବାସ । ଧନ ସମ୍ପଦ ଗ୍ରାମ ଦେଶ ॥ ୬୯

ଯାଦବେ କୃଷ୍ଣର ବିଶ୍ୱାସେ । ଗୃହେ ରହିଲେ ମନତୋଷେ ॥ ୭୦

ରାତ୍ର ଦିବସେ କୃଷ୍ଣମୁଖ । ଦେଖି ଛାଡ଼ିଲେ ମନୁଦୁଃଖ ॥ ୭୧

ବୃଦ୍ଧ ବାଳକ ରୂପ ନାହିଁ । ସକଳେ ଯୁବାପ୍ରାୟ ହୋଇ ॥ ୭୨

କୃଷ୍ଣର ଅପୂର୍ବ ବଦନ । ଦେଖି ହୋଇଲେ ତୋଷମନ ॥ ୭୩

ସେ କୃଷ୍ଣ ଚରଣେ ବିଶ୍ୱାସ । ଭଣଇ ଜଗନ୍ନାଥ ଦାସ ॥ ୭୪

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଉଗ୍ରସେନ ସିଂହାସନ ଆରୋହଣଂ ନାମ ଅଷ୍ଟଚତ୍ୱାରିଂଶୋଽଧ୍ୟାୟଃ ॥

* * *