ଦଶମ ସ୍କନ୍ଧ
ସପ୍ତଚତ୍ୱାରିଂଶ ଅଧ୍ୟାୟ
ଶୁକ ଉବାଚ
ଶୁଣ ରାଜନ ବୀରରସ । କଂସ ଯେ ହୋଇଲା ହରଷ ॥ ୧
ରାମ ମୁଷ୍ଟିକ ଧରାଧରି । ଚାଣୂର ସଙ୍ଗେ ନରହରି ॥ ୨
ହସ୍ତଚରଣ ଛନ୍ଦାଛନ୍ଦି । ଗଜକୁ ଯେହ୍ନେ ଗଜବାନ୍ଧି ॥ ୩
ଏକ ଆରକେ ବଳୀୟାର । ମୁଷ୍ଟିକି ମୁଷ୍ଟି ପଡ଼ିତାଳ ॥ ୪
ଦେହୁ ଗଳଇ ଶ୍ରମଝାଳ । କେ ପଡ଼େ ଉପରେ କେ ତଳ ॥ ୫
ଜାନୁରେ ଜାନୁ ପରିବନ୍ଧ । କୋପେ କରନ୍ତି ବୀରନାଦ ॥ ୬
ମୁଣ୍ତକୁ ମୁଣ୍ତ ମରାମରି । ହୃଦରେ ହୃଦ ଭିଡ଼ାଭିଡ଼ି ॥ ୭
ଧରି ଘୂରାଇ ପୁଣି ଛାଡ଼ି । ପୁଣି ବସନ୍ତି ବେଗେ ମାଡ଼ି ॥ ୮
ପୁଣି ଛାଡ଼ିଣ ପଛଘୂଞ୍ଚି । ଧରନ୍ତି ବେଗେ ବଳ ଆଞ୍ଚି ॥ ୯
ଏକ ଆରକେ ଧରି ବେଗେ । ଗର୍ଜି ପଡ଼ନ୍ତି ଭୂମିଭାଗେ ॥ ୧୦
ପେଲି ପକାଇ ପୁଣି ଉଠି । ହୃଦେ ତାଡ଼ନ୍ତି ବଜ୍ରମୁଷ୍ଟି ॥ ୧୧
ପୁଣି ଧରନ୍ତି ତଳେ ମାଡ଼ି । ମୁଣ୍ତକୁ ମୁଣ୍ତ କୋଡ଼ାକୋଡ଼ି ॥ ୧୨
ରୁଧିର ବହେ ତାଳୁ ଫାଟି । ଦେହକୁ ଦେହ ପିଟାପିଟି ॥ ୧୩
ପର୍ବତ ପ୍ରାୟ ବେନି ମାଲେ । ଯୁଝନ୍ତି ରାମକୃଷ୍ଣ ତୁଲେ ॥ ୧୪
ଦେଖି ବୋଲନ୍ତି ନରନାରୀ । ଅନ୍ୟାୟ କଲା ଦଣ୍ତଧାରୀ ॥ ୧୫
ବାଳକ ରାମକୃଷ୍ଣ ଦୁଇ । ମାଲଙ୍କ ସଙ୍ଗତେ ଯୁଝାଇ ॥ ୧୬
କେମନ୍ତେ ଦେଖୁଅଛି ଏହା । ହୃଦ୍ରେ ନ ବସଇ ଦୟା ॥ ୧୭
ମରାଇ ବାଳୁତ ପୁଅଙ୍କୁ । ଧର୍ମ କି ସହିବ ଏହାକୁ ॥ ୧୮
ସଭାରେ ବସି ବଡ଼ଲୋକେ । ଅଧର୍ମ କରୁଛନ୍ତି ଥୋକେ ॥ ୧୯
ସକଳେ କଂସ-ପ୍ରିୟକାରୀ । ଧର୍ମ ଅଧର୍ମ ନ ବିଚାରି ॥ ୨୦
ଯୁଦ୍ଧେ କେ ଅବା ବଳୀୟାର । ଏହା ନ କରନ୍ତି ବିଚାର ॥ ୨୧
ପର୍ବତପ୍ରାୟ ବେନିମାଲ । ବଜ୍ର-ଶରୀର ଏହାଙ୍କର ॥ ୨୨
ବାଳକ ପୁଅଙ୍କୁ ଅନାଅ । ଅତି ହିଁ ସୁକୁମାର ଦେହ ॥ ୨୩
ଏହା ସଭାରେ ଧର୍ମ ନାହିଁ । ଏଠାରେ ଥିବା ନ ଯୋଗାଇ ॥ ୨୪
ମୁନିଏ କହିଛନ୍ତି ପୂର୍ବେ । ବେଦ ପୁରାଣର ପ୍ରସ୍ତାବେ ॥ ୨୫
ଅଧର୍ମ-କୁଟସଭା ଯହିଁ । ପଣ୍ତିତେ ନ ବସିବେ ତହିଁ ॥ ୨୬
ସଭାର ଦୋଷ ଯେ ଜାଣନ୍ତି । ବିଚାରି ପ୍ରବେଶ ନୁହଁନ୍ତି ॥ ୨୭
ଜାଣିଣ ଯେହୁ ପକ୍ଷ କହି । ନରକେ ପଡ଼ନ୍ତି ସେ ଯାଇ ॥ ୨୮
ଏମନ୍ତ ରାମକୃଷ୍ଣ ତୁଲେ । ସମର କରୁଛନ୍ତି ମାଲେ ॥ ୨୯
ଏକ ଆରକେ ଛିଦ୍ର ଟାକି । ନିଶ୍ଚଳ କରୁଛନ୍ତି ଆଖି ॥ ୩୦
ରାମଗୋବିନ୍ଦେ ଲୋକେ ଚାହିଁ । କହନ୍ତି ଅଙ୍ଗୁଳି ଦେଖାଇ ॥ ୩୧
ଦେଖ ଏ କୃଷ୍ଣର ବଦନ । ଗଳୁଛି ଝାଳକଣା ମାନ ॥ ୩୨
ଫୁଟିଲା ପଦ୍ମକୋଷ କିସେ । ଜଳ ସିଞ୍ଚିଲା ପ୍ରାୟ ଦିଶେ ॥ ୩୩
ଦେଖ ଏ ରାମର ବଦନ । ତମ୍ବାର ପ୍ରାୟେକ ଲୋଚନ ॥ ୩୪
ଏ ବେନି ଲୋଚନ ବଦନ । ଅଳପହାସେ ଶୋଭାବନ ॥ ୩୫
ଧନ୍ୟ ସେ ବ୍ରଜଭୂମି ଦେଶ । ପୁଣ୍ୟ ସେ କଲା ଗୋ ଅଶେଷ ॥ ୩୬
ମାୟା ମନୁଷ୍ୟ ରୂପ ଧରି । ଯହିଁ ବୁଲନ୍ତି ରାମହରି ॥ ୩୭
ଚିତ୍ର-ବିଚିତ୍ର ବନମାଳେ । ଗୋପାଳ ପୁଅଙ୍କର ମେଳେ ॥ ୩୮
ଗାଈ ଚରାଇ ବେଣୁସ୍ୱନେ । ପାଦେ ବୁଲନ୍ତି ବନେ ବନେ ॥ ୩୯
ଧ୍ୱଜ ଅଙ୍କୁଶ ଚିହ୍ନ ପାଦେ । ଶଙ୍କର ପୂଜନ୍ତି ଆନନ୍ଦେ ॥ ୪୦
ନନ୍ଦର ବ୍ରଜେ ଗୋପନାରୀ । ଅନେକ ଛନ୍ତି ତପକରି ॥ ୪୧
ଅପୂର୍ବ ରୂପ ଏହାଙ୍କର । ଦେଖି ତେଜିଲେ ଘରଦ୍ୱାର ॥ ୪୨
ପିବନ୍ତି ଚକ୍ଷୁଦ୍ୱାରେ ରୂପ । ଅଜ୍ଞାନୀଜନେ କରେ ତାପ ॥ ୪୩
ଦୋହନେ ମନ୍ଥନେ ରନ୍ଧନେ । ଲେପନେ ଦୋଳା ଅବଧାନେ ॥ ୪୪
ଅଗଣା ପିଣ୍ତା ଛେରା ଦେଇ । ଯେତେ ବ୍ୟାପାର ଗୃହେ ଥାଇ ॥ ୪୫
ଏହାଙ୍କ ନାମ ଗାଇ ତୁଣ୍ତେ । ଗୋପୀଏ ହାଟ ରାଜଦାଣ୍ତେ ॥ ୪୬
ଏହାଙ୍କ ପାଦେ ଚିତ୍ତ ଦେଇ । ସୁସ୍ୱର କଣ୍ଠେ ଗୀତ ଗାଈ ॥ ୪୭
ଧନ୍ୟ ତାହାଙ୍କର ଜୀବନ । କୃଷ୍ଣହୁଁ ନ ଜାଣନ୍ତି ଆନ ॥ ୪୮
ଗୋରୁ ଚରାଇ ବୃନ୍ଦାବନେ । ଏ ଯେ ଆସନ୍ତି ରାତ୍ରମାନେ ॥ ୪୯
ଯିବାର ବେଳେ ବେଣୁଗୀତ । ଶୁଣି ହୁଅନ୍ତି ମୂରୁଛିତ ॥ ୫୦
ଘରୁ ବାହାର ହୋଇ ଦେଖି । ନିର୍ମଳ କରୁଥା'ନ୍ତି ଆଖି ॥ ୫୧
ଏମନ୍ତ ବୋଲୁଁ ବୋଲୁଁ ଜନେ । କୋପ ବସିଲା କୃଷ୍ଣମନେ ॥ ୫୨
ମଞ୍ଚାରେ ବସି ତାତମାତ । ତାଡ଼ନ୍ତି ନିଜ ଶିରେ ହସ୍ତ ॥ ୫୩
ଦଇବ କରିଅଛି ଏହା । ଆମ୍ଭରେ ନାହିଁ ତା'ର ଦୟା ॥ ୫୪
ନନ୍ଦର ଘରେ ଲୁଚାଇଲୁ । ଏବେ କଂସର ମୁଖେ ଦେଲୁ ॥ ୫୫
ବିଧାତା ଦେଉଛି କଷଣ । ଦେଖିବୁ ପୁତ୍ରଙ୍କ ମରଣ ॥ ୫୬
ଦେବକୀ ପୁତ୍ରମୁଖ ଚାହିଁ । ବେନିନୟନୁ ଅଶ୍ରୁବହି ॥ ୫୭
ବୁଡ଼ିଲା ମହାଶୋକଜଳେ । ଧରିଛି ବସୁଦେବ କୋଳେ ॥ ୫୮
ମନୁଷ୍ୟ ମଣି କଲେ ଭ୍ରାନ୍ତି । ପୁତ୍ରଙ୍କ ବଳ ନ ଜାଣନ୍ତି ॥ ୫୯
ମାଲଙ୍କ ତୁଲେ ବେନିବାଳେ । ଯୁଦ୍ଧ କରନ୍ତି କୁତୂହଳେ ॥ ୬୦
କୃଷ୍ଣର ମୁଷ୍ଟିବଜ୍ରପ୍ରାୟ । କମ୍ପଇ ଚାଣୂରର କାୟ ॥ ୬୧
ମୂର୍ଚ୍ଛିତ ହୋଇ ମହାବଳୀ । ମୁଖରୁ ରୁଧିର ନିକିଲି ॥ ୬୨
ପୁଣି ଉଠିଲା ଜ୍ଞାନ ପାଇ । ଧାଇଁଲା ମୁଥେକ ଉଞ୍ଚାଇ ॥ ୬୩
କୃଷ୍ଣର ହୃଦରେ ପ୍ରହାରି । ଗର୍ଜଇ ବାହାନାଦ କରି ॥ ୬୪
ଚାଣୂର ମୁଷ୍ଟି ପଡ଼ି ହୃଦେ । ଗୋବିନ୍ଦ ନ ଘୁଞ୍ଚିଲେ ପାଦେ ॥ ୬୫
ଫୁଲମଣ୍ତାଏ କରେ ଧରି । ଗଜ ଶରୀରେ ଯେହ୍ନେ ମାରି ॥ ୬୬
ଚାଣୂର କର କୃଷ୍ଣ ଧରି । ବୁଲାଇ ଅନ୍ତରାଳ କରି ॥ ୬୭
ଭୂମିରେ ପାଡ଼ିଲେ ତକ୍ଷଣ । ଚାଣୂର ଛାଡ଼ିଲା ଜୀବନ ॥ ୬୮
ଇନ୍ଦ୍ରଧ୍ୱଜର ପ୍ରାୟେ ପଡ଼ି । ଗୋବିନ୍ଦ କଲେ ସିଂହରଡ଼ି ॥ ୬୯
ଉଠିଲେ ଚାଣୂର ଉପରେ । ଅଳପ କେଶ ଧରି କରେ ॥ ୭୦
କୃଷ୍ଣଙ୍କୁ ଚାହିଁ ବଳରାମ । ଦେହେ ବସିଲା ଗରୁତମ ॥ ୭୧
ବଜ୍ରମୁଷ୍ଟିଏ ପ୍ରହାରିଲେ । ମୁଷ୍ଟିକ ମୁଣ୍ତ ଚୂର କଲେ ॥ ୭୨
ମୁଖରୁ ରୁଧିର ଗଳଇ । ପଡ଼ିଲା ମୃତପିଣ୍ତ ହୋଇ ॥ ୭୩
ପବନଘାତେ ମହାବୃକ୍ଷ । ଯେସନେ ପଡ଼ଇ ପ୍ରତ୍ୟକ୍ଷ ॥ ୭୪
ମାଲେକ କୂଟ ନାମେ ଥିଲା । ରାମର ନିକଟେ ମିଳିଲା ॥ ୭୫
ବାମମୁଷ୍ଟିରେ ମୁଣ୍ତ ଚୂର । ପଡ଼ିଲା କରି ନାଦଘୋର ॥ ୭୬
ଶଲ ତୋଶଳ ମାଲ ଦୁଇ । ମିଳିଲେ କୃଷ୍ଣପାଶେ ଯାଇ ॥ ୭୭
ପାଦ ପ୍ରହାରନ୍ତେ ମୁରାରି । ମାଲେ ପଡ଼ିଲେ ନାଦ କରି ॥ ୭୮
ଆଉ ଯେତେକ ମାଲେ ଥିଲେ । ରଣ ଉପେକ୍ଷି ପଳାଇଲେ ॥ ୭୯
ମାଲେ ପଳାନ୍ତେ ବେନିଭାଇ । ଡ଼ାକନ୍ତି ପଳାଅ କିପାଁଇଁ ॥ ୮୦
ଗୋପକୁମରେ ଥିଲେ ସଙ୍ଗେ । ମିଳିଲେ ରାମକୃଷ୍ଣ ଆଗେ ॥ ୮୧
ମାଲ ବିନ୍ଧାଣ ଗରୁତର । ଭୂମି କମ୍ପଇ ଥରହର ॥ ୮୨
କୃଷ୍ଣର ମାଲଯୁଦ୍ଧ ଦେଖି । ଅସୁରେ ଚାହାଁନ୍ତି ନିରେଖି ॥ ୮୩
କୃତାନ୍ତ ପ୍ରାୟ ରୂପ ଦେଖି । ଡ଼ରେ ବୁଜିଲେ ବେନିଆଖି ॥ ୮୪
କମ୍ପଇ କଂସର ଶରୀର । ଦେଖି ହରଷ ସୁରନର ॥ ୮୫
ବୋଲନ୍ତି କୃଷ୍ଣ ସାଧୁ ସାଧୁ । ତରିଲେ ମାଲଙ୍କ ପ୍ରମାଦୁ ॥ ୮୬
ନୂପୁର କୃଷ୍ଣଙ୍କ ଚରଣ । ଚାଲନ୍ତେ ବାଜେ ରୁଣଝୁଣ ॥ ୮୭
ଶୁଭଇ ବୀରତୂର ଧ୍ୱନି । ସ୍ତୁତି କରନ୍ତି ସୁରମୁନି ॥ ୮୮
ପଡ଼ି ଅଛନ୍ତି ପଞ୍ଚମାଲେ । ସକଳେ ଭୟେ ପଳାଇଲେ ॥ ୮୯
ଦେଖିଣ ଉଗ୍ରସେନବଳା । ବାଦ୍ୟଶବଦ ରୁହାଇଲା ॥ ୯୦
କୋପେ ବୋଲଇ ଶିର ଝୁଣି । କରେ ଖଡଗ ଅଛି ଘେନି ॥ ୯୧
ଭୃତ୍ୟଙ୍କୁ ବୋଲଇ ବଚନ । ମାରରେ ଗୋପପୁର ଜନ ॥ ୯୨
ବସୁଦେବର ପୁତ୍ର ଦୁଇ । ରାଜ୍ୟ ବାହାରେ ଛାଡ଼ ନେଇ ॥ ୯୩
ନନ୍ଦସମ୍ପଦ ଗୋପପୁର । ବହନ କର ଯାଇ ଜୂର ॥ ୯୪
ନନ୍ଦ-ବସୁଦେବକୁ ନିଅ । ଶିର ଛେଦିଣ ଶୂଳି ଦିଅ ॥ ୯୫
ଦେବକୀ ଉଗ୍ରେସେନ ମୂଳେ । ଚାରିହେଁ ବସିଥିବେ ଶୂଳେ ॥ ୯୬
ରାମକୃଷ୍ଣଙ୍କୁ ଧରି ନିଅ । ତାହାଙ୍କ ମରଣ ଦେଖାଅ ॥ ୯୭
ଶିର ଛେଦିବ ଏହାଙ୍କର । ତେବେ ସେ ଶତ୍ରୁଯିବେ ମୋର ॥ ୯୮
ଯେତେ ଗୋପାଳପୁଅ ସଙ୍ଗେ । ହାଣି ପକାଅ ନେଇ ବେଗେ ॥ ୯୯
ଏମନ୍ତ କଂସମୁଖୁଁ ଶୁଣି । କୋପେ ଚାହିଁଲେ ଚକ୍ରପାଣି ॥ ୧୦୦
ବୋଇଲେ ପ୍ରଳାପ ଉତ୍ତର । କେତେରେ କହୁଛୁ ଅସୁର ॥ ୧୦୧
ଏଥି ସଙ୍ଗତେ ତୋ'ର ମୃତ୍ୟୁ । ଯାହା କହିଛି କୁଶକେତୁ ॥ ୧୦୨
ମରଣକାଳେ ପ୍ରାଣୀଙ୍କର । ଯେସନ ପ୍ରଳାପ ଉତ୍ତର ॥ ୧୦୩
ଜୀବନ ଯିବାର ନିକଟ । କିପାଁ ତୁ ହେଉ ଛଟପଟ ॥ ୧୦୪
ଯେତେ ଦିନକୁ ଥିଲା ଯୋଗ । ଅମୂଲ୍ୟରତ୍ନ କଲୁ ଭୋଗ ॥ ୧୦୫
ଈଶ୍ୱରେ ନିନ୍ଦିଲୁ ପାପିଷ୍ଠ । ତହିଁର ଫଳେ ମୃତ୍ୟୁକଷ୍ଟ ॥ ୧୦୬
କଂସର ମର୍ମକଥାମାନ । କହି ଚଳିଲେ ଭଗବାନ ॥ ୧୦୭
କଂସର ମଞ୍ଚାରେ ଉଠିଲେ । ସ୍ୱର୍ଗେ ଦେବତାଗଣ ଥିଲେ ॥ ୧୦୮
ଦେଖି କରନ୍ତି ଜୟ ଜୟ । ଅବନୀ ହୋଇଲା ନିର୍ଭୟ ॥ ୧୦୯
କୃଷ୍ଣଙ୍କୁ ଦେଖି କଂସ ଉଠି । ଖଡ଼ଗେ କଲାଦୃଢ଼ମୁଷ୍ଟି ॥ ୧୧୦
ଉଞ୍ଚାଇ ଗୋବିନ୍ଦ ଉପରେ । ଡ଼େଇଁ ପଡ଼ନ୍ତେ ରୋଷଭରେ ॥ ୧୧୧
ଛଞ୍ଚାଣ ପ୍ରାୟେ ଧାତିକାରେ । କେଶ ଧଇଲେ କୃଷ୍ଣ କରେ ॥ ୧୧୨
ଅସୁର ନ ପାରିଲା ଚଳି । କୃଷ୍ଣଙ୍କୁ ଚାହିଁଲା ନିରୋଳି ॥ ୧୧୩
ଚକ୍ଷୁର ବାଟେ ପ୍ରାଣ ଗଲା । କୃଷ୍ଣର ଶରୀରେ ପଶିଲା ॥ ୧୧୪
ନାଗ ଆବୋରି ଖଗପତି । ତେସନ ଗୋବିନ୍ଦର ଗତି ॥ ୧୧୫
ରତ୍ନମୁକୁଟ କଂସ ଶିରେ । କୃଷ୍ଣେ ଝିଙ୍କିଲେ ରୋଷଭରେ ॥ ୧୧୬
କଂସକୁ ଧରି ବାମକରେ । ଗୋବିନ୍ଦ ମଞ୍ଚାର ଉପରେ ॥ ୧୧୭
ଜଗତସ୍ୱାମୀ ଯୋଗବଳେ । ପଡ଼ିଲେ ରଙ୍ଗସଭାତଳେ ॥ ୧୧୮
କଂସ ଉପରେ ଦାମୋଦର । ଅବନୀ ଦିଶିଲା ସୁନ୍ଦର ॥ ୧୧୯
ଯେତେ ଅସୁରରାଜା ଥିଲେ । କୃଷ୍ଣଙ୍କୁ ଦେଖି ପଳାଇଲେ ॥ ୧୨୦
ସମସ୍ତ ଲୋକେ ଛନ୍ତି ଚାହିଁ । ବିକ୍ରମସିଂହ ପ୍ରାୟ ହାଇ ॥ ୧୨୧
କଂସର କେଶ ଧରି କରେ । କୃଷ୍ଣ ଝିଙ୍କିଲେ ରୋଷଭରେ ॥ ୧୨୨
ରଙ୍ଗସଭାର ତଳେ ଥାଇ । ମୃତପିଣ୍ତକୁ ଘୋଷଡ଼ାଇ ॥ ୧୨୩
ଉତ୍ତାନ କରି ପକାଇଲେ । ଗୋପବାଳକେ ଡ଼େଇଁଗଲେ ॥ ୧୨୪
ଲୋକେ କରନ୍ତି ହାହାକାର । କେ ବୋଲେ ପଡ଼ିଲା ଅସୁର ॥ ୧୨୫
ଦେଖି ସାନନ୍ଦ ପୁରଜନ । ମଥୁରା ନାରୀଙ୍କର ମନ ॥ ୧୨୬
ଆକାଶୁ କୁସୁମ ବରଷି । ନିର୍ମଳ ଦଶଦିଗ ଦିଶି ॥ ୧୨୭
ପବନ ବହଇ ଶୀତଳ । ନିଶ୍ଚଳେ ଜଳଇ ଅନଳ ॥ ୧୨୮
ଆକାଶ ଦିଶିଲା ନିର୍ମଳ । ଖଣ୍ତିଲା ଅବନୀର ଭାର ॥ ୧୨୯
ଜୟଶବଦ ଶୂନ୍ୟେ ପୂରି । ନୃତ୍ୟ କରନ୍ତି ଅପସରୀ ॥ ୧୩୦
ଗୀତବିନୋଦେ ବିଦ୍ୟାଧର । ଦୁନ୍ଦୁଭି ବାଜଇ ସୁସ୍ୱର ॥ ୧୩୧
ଦଇବେ କଂସ ଅବିରତେ । କୃଷ୍ଣଙ୍କୁ ଭୟ କରି ଚିତ୍ତେ ॥ ୧୩୨
ଜଳ ପିବନ୍ତେ କମ୍ପେ ଦେହୀ । ଭୋଜନ କରନ୍ତେ ଡ଼ରଇ ॥ ୧୩୩
ଭୟେ ନ ସ୍ଫୁରଇ ବଚନ । ନିଦ୍ରା ନ ମାଡ଼ଇ ନୟନ ॥ ୧୩୪
ଯାହାକୁ ଡ଼ରୁଥାଇ ନିତ୍ୟେ । ପ୍ରତ୍ୟକ୍ଷ ଦେଖିଲା ଅଗ୍ରତେ ॥ ୧୩୫
ଦେହେ ପଶିଲା କଂସରାୟ । ଖଣ୍ତିଲା ଜନ୍ମମୃତ୍ୟୁ ଭୟ ॥ ୧୩୬
ନିର୍ମଳ ଯୋଗୀଙ୍କି ଦୁର୍ଲ୍ଲଭ । କଂସକୁ ହୋଇଲା ସୁଲଭ ॥ ୧୩୭
କଂସର ଅଷ୍ଟଭ୍ରାତ ଥିଲେ । ମିଳିଲେ ରାମକୃଷ୍ଣ ତୁଲେ ॥ ୧୩୮
କଙ୍କ ନ୍ୟଗ୍ରୋଧ ଆଦିକରି । ଧାଇଁଲେ ଖଡ଼ଗ ଉଭାରି ॥ ୧୩୯
ଭାଇ ମରଣେ କ୍ରୋଧ ପାଇ । ବେଢ଼ିଲେ ଗୋବିନ୍ଦଙ୍କୁ ଯାଇ ॥ ୧୪୦
ଜଗତିଦ୍ୱାର ରୁନ୍ଧି ବୀରେ । କୁନ୍ତ ଶାବେଳୀ ଭାଲା କରେ ॥ ୧୪୧
ଆଚ୍ଛାଦି କଲେ ମହାରଣ । ପଡ଼ିଲା କୋଟିବଜ୍ର ବାଣ ॥ ୧୪୨
ଦିବସ ହୋଇଲା ଅନ୍ଧାର । ବିଚିତ୍ର ଗତି କରବାଳ ॥ ୧୪୩
ଦେଖି ଧାଇଁଲେ ହଳଧର । ବୁଲାଇ ଲୌହର ମୂଷଳ ॥ ୧୪୪
ସିଂହ ଯେସନେ ଗଜଯୂଥେ । ପିଟନ୍ତି ଅତି ବଳବନ୍ତେ ॥ ୧୪୫
ଶସ୍ତ୍ରକୁ ଶସ୍ତ୍ର ପଡ଼ିତାଳ । ନ ପାରି ଘୁଞ୍ଚିଲେ ସକଳ ॥ ୧୪୬
ରାମର ବଜ୍ରଦଣ୍ତ ଘାୟେ । ପଡ଼ିଲେ ଇନ୍ଦୁମତୀ ପୋଏ ॥ ୧୪୭
ଗତ ଜୀବନ ଅଷ୍ଟବୀର । ମୁଖରୁ ଗଳଇ ରୁଧିର ॥ ୧୪୮
ଦେଖି ସାନନ୍ଦ ଦେବଗଣ । ବଳଦେବଙ୍କ ବୀରପଣ ॥ ୧୪୯
ପୁଷ୍ପବରଷି ସ୍ତୁତି କରି । ଜୟଶବଦେ ଅପସରୀ ॥ ୧୫୦
କଂସର ଅଷ୍ଟ୍ରଭ୍ରାତା ମୂଳେ । ଯେତେ କାମିନୀ ପୁରେ ଥିଲେ ॥ ୧୫୧
ବାହାର ହୋଇଲେ ବିକଳେ । କାନ୍ଦନ୍ତି ସ୍ୱାମୀ ଧରି କୋଳେ ॥ ୧୫୨
ମୁଣ୍ତେ ହୃଦୟେ କରତାଡ଼ି । ଗଡ଼ନ୍ତି ମହୀତଳେ ପଡ଼ି ॥ ୧୫୩
ଭୋ ନାଥ ପ୍ରିୟ ମହୀପତି । ଅନାଥ ହୋଇଲୁ ଯୁବତୀ ॥ ୧୫୪
ଭୋ ନାଥ ମରଣେ ତୋହର । ମଥୁରା ନ ଦିଶେ ସୁନ୍ଦର ॥ ୧୫୫
ତୋର ବିଯୋଗେ ମଧୁପୁରୀ । ଏବେ ଦିଶିଲା ହତଶିରୀ ॥ ୧୫୬
ତୁ ନାଥ ପ୍ରାଣୀଙ୍କର ତୁଲେ । ଦ୍ରୋହ ଚିନ୍ତିଲୁ ସର୍ବକାଳେ ॥ ୧୫୭
ଅସୁରବୁଦ୍ଧି ତୋ'ର ମନ୍ଦ । ସାଧୁଙ୍କ ତୁଲେ କଲୁ ବାଦ ॥ ୧୫୮
ଧର୍ମକୁ ନିଶ୍ଚୟ ଛାଡ଼ିଲୁ । ଭଣଜା ହସ୍ତେ ପ୍ରାଣ ଦେଲୁ ॥ ୧୫୯
ପ୍ରାଣୀଙ୍କ ହୃଦୟେ ଅନନ୍ତ । ଜଗତ ଯା'ର ଗର୍ଭଗତ ॥ ୧୬୦
ବ୍ରହ୍ମାଣ୍ତଠାକୁର ଶ୍ରୀହରି । ତାହାର ହୋଇଲୁ ବଇରୀ ॥ ୧୬୧
ତାହାର ସଙ୍ଗେ ବାଦ କଲୁ । ଅକାଳେ ପ୍ରାଣ ହରାଇଲୁ ॥ ୧୬୨
ସୃଷ୍ଟି ପାଳନ ଯା'ର ବାନା । ଭକତଜନ ବଜ୍ରସେହ୍ନା ॥ ୧୬୩
ସଂସାରେ ଧର୍ମରୂପ ହୋଇ । ଭାବ ଅଭାବ ସେ ଘେନଇ ॥ ୧୬୪
ତା'ର ମହିମା ତୁ ନ ଜାଣି । ଦ୍ରୋହ ଚିନ୍ତିଲୁ ଚକ୍ରପାଣି ॥ ୧୬୫
ମରିବା ଉଚିତ ତୋହର । ଅନାଥ କଲୁ ମଧୁପୁର ॥ ୧୬୬
କହନ୍ତି ବ୍ୟାସଙ୍କ ନନ୍ଦନ । ଗୋବିନ୍ଦ ଶୁଣିଲେ ରୋଦନ ॥ ୧୬୭
ଛାଡ଼ିଲେ କଂସେ କୋପମନ । ଦୟାସାଗର ଭଗବାନ ॥ ୧୬୮
ରାଜକାମିନୀ ମଧ୍ୟେ ଯାଇ । ବିଜୟ ବ୍ରହ୍ମାଣ୍ତ ଗୋସାଇଁ ॥ ୧୬୯
ଲୋକବେଭାରେ ନରହରି । ଲୋଚନୁ ବହେ ଅଶ୍ରୁବାରି ॥ ୧୭୦
କାନ୍ଦନ୍ତି ମାଇଁଙ୍କର ମେଳେ । ଗୋବିନ୍ଦ ମାୟା ଯୋଗ ବଳେ ॥ ୧୭୧
ବୋଲନ୍ତି ମୋର କର୍ମ ମନ୍ଦ । ଦଇବ କରିଅଛି ଛନ୍ଦ ॥ ୧୭୨
ମୋହର କର୍ମେ ଭଲ ନାହିଁ । କଷ୍ଟ ମୁଁ ଯେତେ ପାଇଛଇଁ ॥ ୧୭୩
ଜାତ ହୋଇଲି ବନ୍ଦୀଘରେ । ପିତା ମୋ'ଘେନି ଗଲେ ଡ଼ରେ ॥ ୧୭୪
ଲୁଚାଇ ନନ୍ଦର ମନ୍ଦିରେ । ସୋଦର ମଉଳାର ଡ଼ରେ ॥ ୧୭୫
ଗଉଡ଼ ପଣେ ଦିନ ନେଇ । ମୋହର କୁଳ ମୂଳ ନାହିଁ ॥ ୧୭୬
ସେବକ ପ୍ରାୟେ ନନ୍ଦ ଘରେ । ଗୋରୁ ଚରାଏ ବନଘୋରେ ॥ ୧୭୭
ଦିବସେ ନ ରହଇ ଘରେ । ଅନ୍ନପୁଡ଼ାଏ ଘେନି କରେ ॥ ୧୭୮
ବନେ ଭୁଞ୍ଜଇ ଏକବେଳେ । ନିଦ୍ରା ନ ମାଡ଼େ ରାତ୍ରକାଳେ ॥ ୧୭୯
ରାତ୍ର ପାହିଲେ ବନେ ଯାଇ । ଏମନ୍ତେ ଜୀବନ ପୋଷଇ ॥ ୧୮୦
ଯେତେ ପଡ଼ିଲା ରିଷ୍ଟ ମତେ । ସୁମରି କହିବଇଁ କେତେ ॥ ୧୮୧
ମୁଁ ମାର ଦୁଃଖ ସୁଖେ ଥାଇ । ମଉଳା ତାହା ନ ଜାଣଇ ॥ ୧୮୨
ମାଇଲା ମୋର ଷଡ଼ଭାଇ । ମାତାପିତାଙ୍କୁ ଦୁଃଖ ଦେଇ ॥ ୧୮୩
ସୋଦର କଷ୍ଟ ବାଳବଧ । କେହି ତ ନ କଲ ବିରୋଧ ॥ ୧୮୪
ମତେ ମାରିବ ବିଚାରିଲା । ଅକ୍ରୁର ହସ୍ତେ ଅଣାଇଲା ॥ ୧୮୫
ଧନୁଯାତ୍ରା ଏ ମିଛେ କଲା । ଦ୍ୱାରେ ଗୋ ହସ୍ତୀଏ ଥୋଇଲା ॥ ୧୮୬
ଦଇବେ ତହୁଁ ଉବୁରିଲି । ମାମୁଁଙ୍କ ଛାମୁରେ ମିଳିଲି ॥ ୧୮୭
ତେବେ ହେଁ ଦୟା ଗୋ ନ କଲା । ମାଲଙ୍କ ସଙ୍ଗେ ଯୁଝାଇଲା ॥ ୧୮୮
ତହୁଁ ଜୀଇଁଲି କର୍ମବଳେ । ମିଳିଲି ଯାଇ ମଞ୍ଚାତଳେ ॥ ୧୮୯
ବୋଇଲା କୋପଭର ହୋଇ । ତାଡାଇ ଦିଅ ବେନିଭାଇ ॥ ୧୯୦
ବସୁଦେବକୁ ନନ୍ଦ ସଙ୍ଗେ । ହାଣି ପକାଅ ନେଇ ବେଗେ ॥ ୧୯୧
ଦେବକୀ ସଙ୍ଗେ ଉଗ୍ରସେନ । ଶୂଳରେ ବସାଅ ବହନ ॥ ୧୯୨
ନନ୍ଦ ସମ୍ପଦ କର ଜୂର । ରାମ ଗୋବିନ୍ଦ ବେଗେ ମାର ॥ ୧୯୩
ଶୁଣି ମୋ' ଦେହ ଥରହର । ଜୀବନ ଉଡ଼ିଲା ମୋହର ॥ ୧୯୪
ବିକଳେ ଉଠିଲି ମଞ୍ଚାରେ । ତା' କୋପ ଶାନ୍ତି କରିବାରେ ॥ ୧୯୫
ପାଦେ ପଡ଼ିଲି ମୁହିଁ ଯାଇ । ଧାଇଁଲା ଖଡ଼ଗ ଉଞ୍ଚାଇ ॥ ୧୯୬
ତା' ଦେଖି ହୋଇଲି ବିକଳ । ବେଗେ ଧଇଲା ମୋର ବାଳ ॥ ୧୯୭
ମଞ୍ଚାରୁ ଦେଲା ଫୋପଡ଼ାଇ । ତଳେ ଗୋ ପଡୁଥିଲି ମୁହିଁ ॥ ୧୯୮
ବିକଳେ ଧଇଲି ପୟର । ପଡ଼ିଲା ମୋହର ଉପର ॥ ୧୯୯
ମଞ୍ଚାରୁ ପଡ଼ି ମାମୁଁ ମଲା । ମୋତେ ତ ଦଇବ ରଖିଲା ॥ ୨୦୦
ମୋହର କର୍ମେ ନାହିଁ ଭୋଗ । ରାଜା ଭଣଜା ପଣେ ଯୋଗ ॥ ୨୦୧
ଅରଜି ଥିଲି ଯାହା ପୂର୍ବେ । ଫଳିଲା ମୋତେ ଆସି ଏବେ ॥ ୨୦୨
ମାୟା ସଂସାରେ ଏହି ମତେ । ଜନ୍ମମରଣ ବେନିପଥେ ॥ ୨୦୩
ପ୍ରାଣୀ ହୁଅନ୍ତି ଆତଜାତ । କର୍ମର ଫଳେ ସେ ପ୍ରାପତ ॥ ୨୦୪
ପଥୁକୀ ପଥଶ୍ରମ ପାଇ । ବସନ୍ତି ବୃକ୍ଷ ତଳେ ଯାଇ ॥ ୨୦୫
ଶ୍ରମ ସରିଲେ ଯେଝାମତେ । ଚଳନ୍ତି ବୃକ୍ଷ ଥାଇ ପଥେ ॥ ୨୦୬
ତେମନ୍ତ ପ୍ରାୟ ଜନ୍ତୁ ମିଳି । ମାୟା ସଂସାରେ ବିଷ୍ଣୁକେଳି ॥ ୨୦୭
ଜଗତଜୀବ ଏହି ମତେ । ସମସ୍ତେ ଯିବା ଶୂନ୍ୟପଥେ ॥ ୨୦୮
କେ ଆଗ ପଛ କେ ତୁରିତ । ସବୁରି ଦ୍ୱାରେ ଯମଦୂତ ॥ ୨୦୯
ଏଣେ ଯେ ନ କରନ୍ତି ଖେଦ । ତାହାଙ୍କୁ ନ ଲାଗେ ପ୍ରମାଦ ॥ ୨୧୦
ତୁମ୍ଭେ ଗୋ ଅର୍ଜିଅଛ ଯାହା । ଅବଶ୍ୟ ଭୁଞ୍ଜିବଟି ତାହା ॥ ୨୧୧
ଏମନ୍ତ ବୋଲି ଭଗବାନ । ମୋହିଲେ ମାଇଁଙ୍କର ମନ ॥ ୨୧୨
ଆଶ୍ୱାସ କରି କଂସନାରୀ । ବଦନ ପୋଛିଲେ ମୁରାରି ॥ ୨୧୩
ଜଣ ଜଣକେ ବୋଧ କଲେ । ଅନଳେ କଂସ ପୋଡ଼ାଇଲେ ॥ ୨୧୪
ରାମ ଗୋବିନ୍ଦ ବେନିଭାଇ । ପିତାମାତାଙ୍କ ପାଶେ ଯାଇ ॥ ୨୧୫
କଷ୍ଟ ଦେଖିଣ ତାହାଙ୍କର । ନୟନୁ ବହେ ଅଶ୍ରୁଜଳ ॥ ୨୧୬
ମଞ୍ଚା ଉପରେ କୃଷ୍ଣରାମ । ପୟର ଦେଖି ଶୋକମନ ॥ ୨୧୭
ଚରଣୁଁ ବନ୍ଧନ ଫେଡ଼ାଇ । ପିତାମାତାଙ୍କ ମୁଖ ଚାହିଁ ॥ ୨୧୮
ଦେବକୀ ବସୁଦେବ ପାଦେ । ପଡ଼ିଲେ ଶୋକ ଗଦଗଦେ ॥ ୨୧୯
ଦେଖି ଚକିତ ତାତମାତ । ପୟର ଘୁଞ୍ଚାଇ ତୁରିତ ॥ ୨୨୦
ମନେ ଜାଣିଲେ ଅବହେଳେ । ବିଷ୍ଣୁମୂରତି ପାଦତଳେ ॥ ୨୨୧
ଭୟେ କମ୍ପନ୍ତି ଥରହର । ବୋଲନ୍ତି ଶରଣ ତୋହର ॥ ୨୨୨
ଅନାଦି ନାଥ ନିରଞ୍ଜନ । ଆମ୍ଭର ଦୋଷ ତୁ ନ ଘେନ ॥ ୨୨୩
ପୁତ୍ର ପ୍ରାୟେକ ତୋତେ ମଣି । ଯାହା ଚିନ୍ତିଲୁ ଚକ୍ରପାଣି ॥ ୨୨୪
ସେ ଦୋଷ ନ ଘେନ ଆମ୍ଭର । ଶରଣ ରଖ ଚକ୍ରଧର ॥ ୨୨୫
ଏମନ୍ତ ବୋଲି ବାପମାୟେ । ଚକ୍ଷୁ ବୁଜିଲେ ମହାଭୟେ ॥ ୨୨୬
ବୋଲନ୍ତି ଶୁକ ମୁନିବର । ଜାଣିଲେ ପ୍ରଭୁ ଦାମୋଦର ॥ ୨୨୭
ବଳଦେବଙ୍କୁ ଅନାଇଲେ । ବୋଇଲେ ଜ୍ଞାନ ଏ ପାଇଲେ ॥ ୨୨୮
ଆମ୍ଭଙ୍କୁ ଚିହ୍ନିଲେ ଏ ଆଜ । କେମନ୍ତେ ହେବ ଦେବକାର୍ଯ୍ୟ ॥ ୨୨୯
ଏମନ୍ତ ବୋଲି ବିଚାରିଲେ । ବିଷ୍ଣୁ ମାୟାକୁ ପ୍ରକାଶିଲେ ॥ ୨୩୦
ପିତାମାତାଙ୍କ ଦେହେ ଯାଇ । ପଶିଲେ ଶୋକମୋହ ହୋଇ ॥ ୨୩୧
ସେ ମାୟାଧର ପାଦଗତ । ଭଜଇ ବିପ୍ର ଜଗନ୍ନାଥ ॥ ୨୩୨
କଂସ ଦାନବ ସଂହାରିଲେ । ଅବନୀ ଭାରା ନିବାରିଲେ ॥ ୨୩୩
ଭକତଜନଙ୍କର ବନ୍ଧୁ । ନାମ କରୁଣାମୟ ସିନ୍ଧୁ ॥ ୨୩୪
ଏଣେ ନିବେଶି କୃଷ୍ଣେମନ । ଶରଣ ପଶ ଭଗବାନ ॥ ୨୩୫
ବୁଡ଼ି ନ ମର ଭବଜଳେ । କଷ୍ଣ ସୁମରି ଉଠ କୂଳେ ॥ ୨୩୬
ବ୍ରାହ୍ମଣ କୁଳେ ଜାତ ହୋଇ । ବିଷ୍ଣୁ ବାସନା ମୋର ନାହିଁ ॥ ୨୩୭
ସ୍ୱପନେ କହିଲେ ମୁରାରି । ପୁରାଣ ଗୀତନାଦ କରି ॥ ୨୩୮
ରଚିବୁ ଶିରୀ ଭାଗବତ । ବେଦ ପୁରାଣେ ଯାହା ତତ୍ତ୍ୱ ॥ ୨୩୯
ଏଣୁ ମୋହର ଭୟ ନାହିଁ । ସୁଜନେ ତର ଏହା ଗାଇ ॥ ୨୪୦
ସୁଜନେ ନ ଧର ମୋ ଦୋଷ । କହଇ ଜଗନ୍ନାଥ ଦାସ ॥ ୨୪୧
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ କଂସବଧୋ ନାମ ସପ୍ତଚତ୍ୱାରିଂଶୋଽଧ୍ୟାୟଃ ॥
* * *