ଦଶମ ସ୍କନ୍ଧ
ଷଟ୍ଚତ୍ୱାରିଂଶ ଅଧ୍ୟାୟ
ଶୁକ ଉବାଚ
ବୋଲନ୍ତି ଶୁକ ମୁନିବର । ସାନନ୍ଦେ ଶୁଣ କୁରୁବୀର ॥ ୧
ରାମଗୋବିନ୍ଦ ମଧୁବନେ । ଭେଟିଲେ କଂସଦୂତମାନେ ॥ ୨
ନିକଟେ ଦୂତଙ୍କୁ ରୁହାଇ । ସ୍ନାହାନ କଲେ ବେନିଭାଇ ॥ ୩
ଭୋଜନ କଲେ ଦୁଧସର । ଆନନ୍ଦେ ନାନା ଉପହାର ॥ ୪
ବିବିଧ ରତ୍ନ ଅଳଙ୍କାର । ବସ୍ତ୍ର ପିନ୍ଧିଲେ ପୀତ ନୀଳ ॥ ୫
ମାଲ ଦୁନ୍ଦୁଭିଘୋଷ ଶୁଣି । ସାନନ୍ଦ କୃଷ୍ଣ ହଳପାଣି ॥ ୬
ଗୋପାଳ ପୋଏ ସଜ ହୋଇ । ମଧ୍ୟେ ବିଜୟ ବେନିଭାଇ ॥ ୭
ମଥୁରା ନଗରେ ପଶିଲେ । କଂସର ଦୂତେ ଆଗେ ଗଲେ ॥ ୮
ପଡ଼ଇ କ୍ଷଣେ କ୍ଷଣେ ହୁରି । ଉଲୁକାପାତେ ବସୁନ୍ଧରୀ ॥ ୯
ଆକାଶେ ଧୂମମୟ ଜ୍ୟୋତି । ମେଘେ ଲୁଚିଲେ ଛାୟାପତି ॥ ୧୦
ପଥେ ଆସନ୍ତେ ଭାଇ ବେନି । ବିବିଧ ବାଦ୍ୟନାଦ ଧ୍ୱନି ॥ ୧୧
ଯୋଡ଼ି ମର୍ଳ ଶଙ୍ଖ ବାଜେ । ଶରଦମେଘ ଯେହ୍ନେ ଗର୍ଜେ ॥ ୧୨
ରାମଗୋବିନ୍ଦ ଦେଖି ପଥେ । ଲୋକେ ମିଳିଲେ ଯୂଥେଯୂଥେ ॥ ୧୩
ଏକ ଆରକେ ସଜ ହୋଇ । କାମିନୀଗଣେ ଛନ୍ତି ଧାଇଁ ॥ ୧୪
ସକଳେ ଘରଦ୍ୱାରା ଛାଡ଼ି । ଧାମନ୍ତି ରାଜପଥ ମାଡ଼ି ॥ ୧୫
ସ୍ତିରୀ ପୁରୁଷ ବାଳବୃନ୍ଦେ । ଗୋବିନ୍ଦ ଦେଖିବାର ସଧେ ॥ ୧୬
ଆଗେ ଧାମନ୍ତି ବଳବନ୍ତ । ଗହଳ ମଥୁରାର ପଥ ॥ ୧୭
ଅନଳ ଦେଖିଣ ପତଙ୍ଗେ । ଯେହ୍ନେ ଧାମନ୍ତି ଉଦ୍ବେଗେ ॥ ୧୮
ଦେଖନ୍ତି ନରନାରୀ ମିଳି । ହରଷେ ଦେଇ ହୁଳହୁଳି ॥ ୧୯
ରାମଗୋବିନ୍ଦ ମୁଖ ଚାହିଁ । ନୟନ ପିଛାଡ଼ି ନୋହଇ ॥ ୨୦
ଦେହ ସଂସାର ପାସୋରିଲେ । ଆନନ୍ଦସାଗରେ ବୁଡ଼ିଲେ ॥ ୨୧
ସ୍ୱର୍ଗେ ଦେଖନ୍ତି ଦେବତାଏ । ରାମଗୋବିନ୍ଦର ବିଜୟେ ॥ ୨୨
ମଙ୍ଗଳନାଦେ ଅପସରୀ । ଦେଖନ୍ତି ଦିଗପାଳେ ମିଳି ॥ ୨୩
ପବନ ବହଇ ଶୀତଳ । ଶୂନ୍ୟେ ଉଡ଼ନ୍ତି ମେଘମାଳ ॥ ୨୪
ଜନଗହଳ ରାଜପଥେ । ଗୋବିନ୍ଦ ଦେଖନ୍ତି ଉଷତେ ॥ ୨୫
କହନ୍ତି ଏକ ଆରେ ଚାହିଁ । କାନ୍ଦି ହୃଦୟେ କର ଦେଇ ॥ ୨୬
ଦେଖ ଗୋ କଂସର ନିର୍ଦ୍ଦୟେ । କି ଦୋଷ କଲେ ବାଳପୋଏ ॥ ୨୭
ଲୁଚି ଏ ଥିଲେ ନନ୍ଦଘରେ । ସୋଦର ମଉଳାର ଡ଼ରେ ॥ ୨୮
କି ଦୋଷ କଲେ ଏ ତାହାର । ଦୁଷ୍ଟ ଦାନବ ଦୁରାଚାର ॥ ୨୯
ଏହାଙ୍କୁ ଆଣିଅଛି ଧରି । ବଳେ ମାରିବ ଘରେ ଭରି ॥ ୩୦
କେମନ୍ତେ ସହିବଟି ଧର୍ମ । ଏହାଙ୍କୁ କରି ଏଡ଼େ କର୍ମ ॥ ୩୧
ଏ ପୋଏ ଗୋପପୁରେ ଥିଲେ । କି ଅପରାଧ ଅବା କଲେ ॥ ୩୨
ଏହାଙ୍କୁ କରି ପ୍ରାଣେ ନାଶ । ଭାଙ୍ଗିବ ଗୋପପୁର ଦେଶ ॥ ୩୩
ଏହାଙ୍କ କଷ୍ଟ ଦେଖିବାରେ । ଚାଲ ନ ଥିବା ଏ ନଗରେ ॥ ୩୪
ହୃଦୟ ଧରିବା କେମନ୍ତେ । ଏହାଙ୍କୁ ନ ଦେଖିଲେ ନେତ୍ରେ ॥ ୩୫
ଏମନ୍ତ କହି ନରନାରୀ । ବିକଳେ ଚାହାନ୍ତି ମୁରାରି ॥ ୩୬
ହୃଦୟେ ବିଚାରି ବିକଳ । ନୟନୁ ବହେ ଅଶ୍ରୁଜଳ ॥ ୩୭
ରାମଗୋବିନ୍ଦ ଗୋପବାଳେ । ମିଳିଲେ କଂସ ରଙ୍ଗଦ୍ୱାରେ ॥ ୩୮
ଦେଖିଲେ ଦ୍ୱାରେ ଅଛି ଗଜ । ମାହୁନ୍ତ ହୋଇଅଛି ସଜ ॥ ୩୯
କୃଷ୍ଣଙ୍କୁ ଦେଖିଣ ମାହୁନ୍ତ । ଆକ୍ରୋଷି ଗଜ ବଳବନ୍ତ ॥ ୪୦
ଦ୍ୱାର ଆବୋରିଲା ବହନ । ମାରିବା ପ୍ରାୟ କୋପମନ ॥ ୪୧
ସ୍ୱଭାବେ ମତ୍ତ କରୀବର । ତେଜେ ପ୍ରଚଣ୍ତ ମହାଘୋର ॥ ୪୨
ତାହା ଜାଣିଲେ ଭାବଗ୍ରାହୀ । ଗୋପାଳ ପୁଅଙ୍କୁ ରୁହାଇ ॥ ୪୩
ଦୃଢ଼େ ବାନ୍ଧିଲେ ତାଳୁ ଚୁଳ । ସୁନ୍ଦର ଅଳକାକପୋଳ ॥ ୪୪
ବସନ ବାନ୍ଧି ଆଣ୍ଟ କରି । ସଜ ହୋଇଲେ ହଳଧାରୀ ॥ ୪୫
ମାହୁନ୍ତ କୋପଭର ହୋଇ । ଅଳପ ଅଳପ ଟିପଇ ॥ ୪୬
ହସ୍ତୀ ଟିପଇ ପାଦ ଲଇଁ । ଦେଖି ଗୋବିନ୍ଦ ଆଗ ହୋଇ ॥ ୪୭
ବୋଇଲେ ଆଡ଼ହୁଅ ଭାଇ । ମାହୁନ୍ତ ଶୁଣି ନ ଶୁଣଇ ॥ ୪୮
ଶୁଣ ମାହୁନ୍ତ ମୋ' ଉତ୍ତର । ଆମ୍ଭଙ୍କୁ ଛାଡ଼ ରଙ୍ଗଦ୍ୱାର ॥ ୪୯
ରାଜା ଆମ୍ଭରେ କୋପମନ । ବେଗେ କରିବୁ ଦରଦଶନ ॥ ୫୦
ଦ୍ୱାର ତୁ ଛାଡ଼ ବେଗ ହୋଇ । ଉଛୁର ବେଳ ନ ଯୋଗାଇ ॥ ୫୧
ଶୁଣି ମାହୁନ୍ତ କୋପକଲା । କୃଷ୍ଣର ବୋଲ ନ ଶୁଣିଲା ॥ ୫୨
ହସ୍ତୀର କୁମ୍ଭେ ଦେଇ କର । ଦନ୍ତ କରାଇଲା ଉଭାର ॥ ୫୩
କୃଷ୍ଣ ବୋଇଲେ ମାହୁନ୍ତକୁ । ମାରିବା ପ୍ରାୟେ ତ ସଳଖୁ ॥ ୫୪
ଜୀବନେ ଅଛି ଯେବେ କାର୍ଯ୍ୟ । ହସ୍ତୀ ଦୁଆରୁ ନିଅ ଆଜ ॥ ୫୫
ନୋହିଲେ ଯିବୁ ଯମପୁର । ହସ୍ତୀ ହିଁ ସଙ୍ଗତେ ତୋହର ॥ ୫୬
ଶୁଣି ମାହୁନ୍ତ ପରଜ୍ୱଳି । ହସ୍ତୀ ଟିପିଲା ପାଦଚାଳି ॥ ୫୭
କୃଷ୍ଣଙ୍କୁ ଦେଖି ଗଜ ଧାଇଁ । କାଳଦେବତା ପ୍ରାୟ ହୋଇ ॥ ୫୮
ପବନୁଁ ବେଗେ ଧାଇଁ ଖରେ । ଶୁଣ୍ଢ ପିଟିଲା କୃଷ୍ଣଶିରେ ॥ ୫୯
କେଶ ଧଇଲା ଧାତିକାର । ଛଡ଼ାଇ ଗଲେ ଦାମୋଦର ॥ ୬୦
ଗୋବିନ୍ଦ ମାୟା ଯୋଗବଳେ । ରହିଲେ ହସ୍ତୀ ପେଟତଳେ ॥ ୬୧
ହସ୍ତୀ ଚାହଁଇ ଚଉଦିଗେ । କୋପେ ଗର୍ଜଇ ଘୋରରଙ୍ଗେ ॥ ୬୨
ଆଘ୍ରାଣେ କୃଷ୍ଣ ବାସ ପାଇ । ପୁଣି ଧଇଲା ଶୁଣ୍ଢେ ନେଇ ॥ ୬୩
ପୁଣି ଛଡ଼ାଇ ତା'ର କର । ପଛେ ମିଳିଲେ ମାୟାଧର ॥ ୬୪
ହସ୍ତୀର ଲାଞ୍ଜ କରେ ଧରି । ପଛକୁ ଆଣିଲେ ଓଟାରି ॥ ୬୫
ପଚିଶଧନୁ ଯାଏଁ ଟାଣି । ରହିଲେ ପ୍ରଭୁ ଚକ୍ରପାଣି ॥ ୬୬
ସର୍ପର ଲାଞ୍ଜ ତୁଣ୍ତେ ଭରି । ଯେସନେ ଗରୁଡ଼ ଓଟାରି ॥ ୬୭
ଲାଙ୍ଗୁଳ ଧରି ବନମାଳୀ । ବାମଦକ୍ଷିଣ ପାଖେ ଚାଳି ॥ ୬୮
ଗଜ ଚାହଁଇ ଦୁଇପାଶେ । କୃଷ୍ଣଙ୍କୁ ଧରିବାର ଆଶେ ॥ ୬୯
ବତ୍ସାଙ୍କ ଲାଞ୍ଜ ପୋଏ ଧରି । ଯେମନ୍ତେ ହୋନ୍ତି ଘୂରାଘୂରି ॥ ୭୦
ଲାଙ୍ଗୁଳ ଛାଡ଼ି ଅତି ଖରେ । ଆଗ ହୋଇଲେ ରୋଷଭରେ ॥ ୭୧
ଚାପୁଡ଼େ ମାରି ହସ୍ତୀ ମୁଣ୍ତେ । କୃଷ୍ଣ ପଳାନ୍ତି ରାଜଦାଣ୍ତେ ॥ ୭୨
ପ୍ରଚଣ୍ତକୋପେ ଖରତର । ଦେଖି ଧାଇଁଲା କରୀବର ॥ ୭୩
ଦେଖନ୍ତି ପୁର ନରନାରୀ । ଭୟେ ପଳାନ୍ତି ନରହରି ॥ ୭୪
ଶିର ଲାଗଇ ଥୋର-ହସ୍ତେ । ଲୋକେ ଦେଖନ୍ତି ରାଜପଥେ ॥ ୭୫
ପାଦର ଘାଏ ଧୂଳି ଉଡ଼ି । କୃଷ୍ଣ ପଡ଼ିଲେ ମୁଖ ମାଡ଼ି ॥ ୭୬
ତକ୍ଷଣେ ହୋଇଲେ ଅନ୍ତର । ମାହୁନ୍ତ ବୋଲେ ମାର ମାର ॥ ୭୭
କୃଷ୍ଣ ପଡ଼ିଲା ପ୍ରାୟ ମଣି । ଗଜ ମାଇଲା ଦନ୍ତ ଆଣି ॥ ୭୮
ଲୋକେ ହୋଇଲେ ହତଜ୍ଞାନ । ଡ଼ାକନ୍ତି ରଖ ନାରାୟଣ ॥ ୭୯
ଏଡ଼େ କରମ କଂସ କଲା । କେ ବୋଲେ ଜୀଉଁଜୀଉଁ ମଲା ॥ ୮୦
ଚାଲ ନ ଥିବା ଏହା ଦେଶେ । କଂସକୁ ଗାଳିଦ୍ୟନ୍ତି ରୋଷେ ॥ ୮୧
ଏମନ୍ତ ବୋଲୁଁ ବୋଲୁଁ ଜନେ । ଶ୍ରୀକୃଷ୍ଣ ମିଳିଲେ ବହନେ ॥ ୮୨
ନୀଳ-ଜୀମୂତ ଦେହ ଝଳି । ଝାଳ ଗଳଇ ଲାଗି ଧୂଳି ॥ ୮୩
ଡାକନ୍ତି ତୋଳି ବେନିକର । ହସ୍ତୀରେ ସମ୍ଭାଳ ତୋହର ॥ ୮୪
ଦେଖି ଚକିତ ନରନାରୀ । ଚାପୁଡ଼େ ମାଇଲେ ମୁରାରି ॥ ୮୫
ପଛେ ଯେ ଥିଲେ ହଳଧର । ହସ୍ତୀକି ମାଇଲେ ପୟର ॥ ୮୬
ଧାମଇଁ ପଛକୁ ଅନାଇଁ । ମୁଥେ ମାଇଲେ କୃଷ୍ଣ ନେଇ ॥ ୮୭
ଗଜ ଚାହଁଇ ଆଗପଛ । ମାହୁନ୍ତ ଟିପଇ ପ୍ରତ୍ୟକ୍ଷ ॥ ୮୮
ନ ଯାଇ ଆଗପଛେ ଡ଼ରେ । ଗର୍ଜଇ ଅତି କୋପଭରେ ॥ ୮୯
ମାହୁନ୍ତ ପୁଣି ହିଁ ଟିପଇ । ଦେଖି ପଳାନ୍ତି ବେନିଭାଇ ॥ ୯୦
ଦେଖିଣ ଗଜ କୋପଭରେ । ଧାଇଁଲା ପବନହୁଁ ଖରେ ॥ ୯୧
କୃଷ୍ଣର ଶିରେ ଥୋର-ହସ୍ତ । ଦେଖି ପଳାନ୍ତି ଗୋପୀନାଥ ॥ ୯୨
ଧାଇଁଲେ ପବନ ହୁଁ ବେଗେ । ଘୂରି କୁମ୍ଭାରଚକ୍ର ମାର୍ଗେ ॥ ୯୩
ଗୋବିନ୍ଦ ଯୋଗମାୟା ବଳେ । ଘୂରାଇ ପକାଇଲେ ତଳେ ॥ ୯୪
ତଳେ ପଡ଼ନ୍ତେ ପ୍ରାଣଗଲା । ତକ୍ଷଣେ ଗୋବିନ୍ଦେ ପଶିଲା ॥ ୯୫
ଚରଣ ଦେଇ ଗଜମୁଣ୍ତେ । ଦନ୍ତ ଧୋଇଲେ ଭୁଜଦଣ୍ତେ ॥ ୯୬
ବେଗେ ଉପାଡ଼ି ବେନିକରେ । ପିଟିଲେ ମାହୁନ୍ତ ଉପରେ ॥ ୯୭
ମାହୁନ୍ତ ପ୍ରାଣ ବେଗେ ଗଲା । ଜୀବନ ଗୋବିନ୍ଦେ ପଶିଲା ॥ ୯୮
ରାମ ଗୋବିନ୍ଦ ବେନିଭାଇ । କନ୍ଧେ ଘେନିଲେ ଦନ୍ତ ଦୁଇ ॥ ୯୯
ରୁଧିର-ଭୂଷଣ ଶରୀର । ଝାଳ ଧୂଳିରେ ଜରଜର ॥ ୧୦୦
ମୁଖପଙ୍କଜେ ଝାଳ ଶୋଭା । କି ଅବା ପଟାନ୍ତର ଦେବା ॥ ୧୦୧
ଗୋପକୁମରେ ଛନ୍ତି ବେଢ଼ି । ପଶିଲେ ରଙ୍ଗଦ୍ୱାର ମାଡ଼ି ॥ ୧୦୨
କନ୍ଧେ ପକାଇ ଗଜଦନ୍ତ । ମିଳିଲେ ରାମ-ଗୋପୀନାଥ ॥ ୧୦୩
ଲୋକେ ପଶିଲେ ବଳୀୟାରେ । କେ ବେଗେ ଉଠିଲେ ବୃକ୍ଷରେ ॥ ୧୦୪
ଜଗତୀ ଅଟ୍ଟାଳୀ ଆରୋହି । ଦେଖନ୍ତି ରାମକୃଷ୍ଣ ଦୁଇ ॥ ୧୦୫
ରଙ୍ଗସଭାରେ ଯେତେ ଲୋକେ । କେତେ କହିବା ଏକେ ଏକେ ॥ ୧୦୬
ମାଲେ ଯେ ଥିଲେ ମଞ୍ଚାତଳେ । ରାମକୃଷ୍ଣଙ୍କୁ ଅନାଇଲେ ॥ ୧୦୭
ବଜ୍ର ପଡ଼ିଲା ପ୍ରାୟେ ଦେଖି । ଭୟେ ବୁଜିଲେ ବେନି ଆଖି ॥ ୧୦୮
ଯେତେ ଅଛନ୍ତି ପୁରନର । ତାହାଙ୍କୁ ଦିଶନ୍ତି ସୁନ୍ଦର ॥ ୧୦୯
କାମିନୀ-ଲୋଚନେ ଅନଙ୍ଗ । ଗୋପାଳ ପୋଏ ବାଳଅଙ୍ଗ ॥ ୧୧୦
ଅସୁର-ନୃପତିଙ୍କି କାଳ । ମାତାପିତାଙ୍କୁ ବେନିବାଳ ॥ ୧୧୧
କଂସକୁ ଦିଶେ ଯମ ପ୍ରାୟ । ଜ୍ଞାନୀଜନଙ୍କୁ ଜ୍ଞାନମୟ ॥ ୧୧୨
ଯୋଗୀଙ୍କ ନେତ୍ରେ ଜ୍ଞାନତତ୍ତ୍ୱ । ବୃଷ୍ଣିବଂଶକୁ ଦଇବତ ॥ ୧୧୩
ଏମନ୍ତେ ରାମକୃଷ୍ଣ ରୂପ । ଦିଶନ୍ତି ଯାହାକୁ ଯେ ରୂପ ॥ ୧୧୪
ସଭାର ତଳେ ବେନିଭାଇ । ଆକାଶେ ଦେବେ ଛନ୍ତି ଚାହିଁ ॥ ୧୧୫
ବ୍ରହ୍ମା ଶଙ୍କର ଇନ୍ଦ୍ରମୂଳେ । ତେତିଶକୋଟି ଦେବ ବଳେ ॥ ୧୧୬
ଶୂନ୍ୟେ ଦେଖନ୍ତି ରାମହରି । ଗନ୍ଧର୍ବଗଣ-ଦେବନାରୀ ॥ ୧୧୭
କଂସ ଚାହିଁଲା ବେନିଭାଇ । ଭୟେ କମ୍ପଇ ତାର ଦେହୀ ॥ ୧୧୮
ଗଜ-ମାହୁନ୍ତ ଦ୍ୱାରେ ମାରି । ଦନ୍ତ ଅଛନ୍ତି କରେ ଧରି ॥ ୧୧୯
ନିଶ୍ଚୟ ମରଣ ହୋଇଲା । ଏମନ୍ତ ମନେ ବିଚାରିଲା ॥ ୧୨୦
କାତରେ କମ୍ପଇ ଶରୀର । ବଦନୁଁ ନ ଇଲା ଉତ୍ତର ॥ ୧୨୧
ରଙ୍ଗସଭାର ତଳେ ଥାଇ । ରାମଗୋବିନ୍ଦ ବେନିଭାଇ ॥ ୧୨୨
ନାନା ବିଚିତ୍ର ବେଶ ହୋଇ । ଯେସନେ ନଟବର ଦୁଇ ॥ ୧୨୩
ଦେଖନ୍ତା ପ୍ରାଣୀଙ୍କର ମନ । ମୋହିଲେ ରାମ-ଭଗବାନ ॥ ୧୨୪
ମଞ୍ଚାରେ ଯେତେ ରାଜାଗଣେ । ଗ୍ରାମ ପାଟଣା ପୁରଜନେ ॥ ୧୨୫
ହରଷ ବଶେ ଚକ୍ଷୁ ଫେଇ । ଦେଖନ୍ତି ରାମକୃଷ୍ଣ ଦୁଇ ॥ ୧୨୬
ଚକୋର ଦେଖି ଚନ୍ଦ୍ର ଯେହ୍ନେ । ତେସନେ ପିବନ୍ତି ନୟନେ ॥ ୧୨୭
ତୋଷ ନୋହିଲେ ମୁଖ ଚାହିଁ । ଚାହାନ୍ତେ ପିଞ୍ଛା ନଚଳଇ ॥ ୧୨୮
ପିଇବା ପ୍ରାୟେ ଚକ୍ଷୁଦ୍ୱାରେ । ଜିହ୍ୱା କି ଲିହିବ ଶରୀରେ ॥ ୧୨୯
ଆଘ୍ରାଣ କରି ନାସାଦ୍ୱାରେ । ଆଣି ଭିଡ଼ିବେ ବେନିକରେ ॥ ୧୩୦
ଏମନ୍ତ ହୋଇ ଉଦ୍ବେଗ । ଅଗ୍ନି କି ଯେସନେ ପତଙ୍ଗ ॥ ୧୩୧
ଯେମନ୍ତେ ଶୁଣୁଥିଲେ କର୍ଣ୍ଣେ । ପ୍ରତ୍ୟକ୍ଷ ଦେଖିଲେ ନୟନେ ॥ ୧୩୨
କୃଷ୍ଣର ରୂପ ଗୁଣମାନ । ଦେଖି ପାଇଲେ ଦିବ୍ୟଜ୍ଞାନ ॥ ୧୩୩
ଏକକୁ ଆରେକ ଅନାଇଁ । ବୋଲନ୍ତି ଅଙ୍ଗୁଳି ଦେଖାଇ ॥ ୧୩୪
ଏ ବେନି ବସୁଦେବ ସୁତେ । ଭାରା ନିବାରିବା ନିମନ୍ତେ ॥ ୧୩୫
ବିଷ୍ଣୁର ଅଂଶେ ଜାତ ହୋଇ । ନୀଳ ଧବଳ ରୂପ ଦୁଇ ॥ ୧୩୬
ଦେଖ ଏ କୃଷ୍ଣଦେହ କଳା । ଦେବକୀଗର୍ଭେ ଉପୁଜିଲା ॥ ୧୩୭
ଏହାକୁ ବସୁଦେବ ନେଇ । ଗୋପରେ ଅଇଲା ଲୁଚାଇ ॥ ୧୩୮
ବଢ଼ିଲେ ନନ୍ଦର ଭୁବନେ । ଏହି ବାଳକ ତିନିଦିନେ ॥ ୧୩୯
ଶୋଷିଲା ପୂତନା ପରାଣ । ଭାଜିଲା ଯାମଳା ଅର୍ଜୁନ ॥ ୧୪୦
ପାଦେ ଶକଟା କଲା ଚୂର । ନାଶିଲା ତୃଣାବର୍ତ୍ତ ବୀର ॥ ୧୪୧
ଅଘା ଧେନୁକା ବକ କେଶୀ । ବତ୍ସା ମାୟାବୀ ଷଣ୍ଢା ନାଶି ॥ ୧୪୨
କାଳୀୟ ଘଉଡ଼ିଲା ବଳେ । ଅମୃତ କଲା ବିଷଜଳେ ॥ ୧୪୩
ଗୋରୁମହିଷ ଗୋପଶିରୀ । ବନଅନଳୁ ଅଛି ତାରି ॥ ୧୪୪
ଇନ୍ଦ୍ରର ଦର୍ପ କଲା ଚୂର । କରେ ତୋଳିଲା ଗିରୀର ॥ ୧୪୫
ସପତ ଦିନ ବରଷିଲା । ଏହାର କରେ ଗିରି ଥିଲା ॥ ୧୪୬
ଗୋପୀଏ ଚାହିଁ ଏହା ମୁଖ । ଖଣ୍ତିଲେ ଜନ୍ମବନ୍ଧ-ଦୁଃଖ ॥ ୧୪୭
ଯାଦବବଂଶ ଏ ରଖିବ । ଅବନୀଭାରା ଉଶ୍ୱାସିବ ॥ ୧୪୮
ଦେଖ ଏ ରୋହିଣୀକୁମର । କୋଟିଏ କାମ ପଟାନ୍ତର ॥ ୧୪୯
ଆଗେ ହୋଇଲେ ଗୋପେଜାତ । ଏହାଙ୍କ ବଳ ଅପ୍ରମିତ ॥ ୧୫୦
ଯୁଦ୍ଧେ ପ୍ରଳମ୍ବା ନାଶ କଲା । ବତ୍ସା ଧେନୁକା ସଂହାରିଲା ॥ ୧୫୧
ଏମନ୍ତ କହୁଁ କହୁଁ ଜନ । ବାଜିଲା ବୀରତୂର ମାନ ॥ ୧୫୨
ମାଲେ ଯେ ଥିଲେ ସଭାତଳେ । କୃଷ୍ଣର ନିକଟେ ମିଳିଲେ ॥ ୧୫୩
ଚାଣୂର ବୀର ଆଗ ହୋଇ । ବୋଲଇ କୃଷ୍ଣମୁଖ ଚାହିଁ ॥ ୧୫୪
ତୁ ପରା ଥିଲୁ ନନ୍ଦଘରେ । ରୋହିଣୀସୁତ ସଙ୍ଗତରେ ॥ ୧୫୫
ତୁମ୍ଭେ ଯେ ରାମବନମାଳୀ । ବୋଲଅ ବାହୁଯୁଦ୍ଧେ ବଳୀ ॥ ୧୫୬
ରାଜା ତୁମ୍ଭର କଥା ଶୁଣି । ଯୁଦ୍ଧର ପାଇଁ ଅଛି ଆଣି ॥ ୧୫୭
ଦେଖିବେ ଯୁଦ୍ଧକଉତୁକ । ରାଜାଏ ଅଛନ୍ତି ଅନେକ ॥ ୧୫୮
ପ୍ରଜାଏ ରାଜାଙ୍କୁ ମନାଇଁ । ଭୋଗ କରନ୍ତି ସୁଖେ ମହୀ ॥ ୧୫୯
ରାଜାର ସମୀପେ ବସନ୍ତି । ଧନ୍ୟ ଇହଲୋକେ ବୋଲାନ୍ତି ॥ ୧୬୦
ରାଜାର ନୁହଁନ୍ତି ଯେ ପ୍ରିୟ । ତାହାଙ୍କ ସୁଖ କାହିଁ କହ ॥ ୧୬୧
ତୁମ୍ଭେ ଯେ ଗୋପାଳଙ୍କ ମେଳେ । ଗୋରୁ ଚରାଅ ନଦୀକୂଳେ ॥ ୧୬୨
ଦେହରେ ଘଷି ରଙ୍ଗମାଟି । ଲଲାଟେ ଗୁଞ୍ଜରାର ପାଟି ॥ ୧୬୩
ଏକ ଆରକେ ବାହୁବଳେ । ମାଲ ବିନ୍ଧାଣ କୁତୂହଳେ ॥ ୧୬୪
ବାଳକ କାଳୁଁ ସାଧୁଅଛ । ଏବେ ତ ପ୍ରତ୍ୟକ୍ଷ ଦିଶୁଛ ॥ ୧୬୫
ତେଣୁ ତୁମ୍ଭର ସଙ୍ଗେ ଆମ୍ଭେ । ବିନ୍ଧାଣ କରିବା ଆରମ୍ଭେ ॥ ୧୬୬
ଯେତେ ଅଛନ୍ତି ରାଜାଗଣେ । ଗ୍ରାମ ପାଟଣା ପୁରଜନେ ॥ ୧୬୭
ସକଳେ ହୋଇବେ ପ୍ରସନ୍ନ । ତୋଷିବା କଂସରାଜା ମନ ॥ ୧୬୮
ମାଲଙ୍କ ଟାଣକଥା ଶୁଣି । କହନ୍ତି ପ୍ରଭୁ ଚକ୍ରପାଣି ॥ ୧୬୯
ଉଚିତବାଣୀ ଦେଶକାଳ । କହନ୍ତି ମଦନଗୋପାଳ ॥ ୧୭୦
ଯୁଦ୍ଧ ହିଁ ଇଚ୍ଛା ଆପଣାର । କହନ୍ତି ମନୁଷ୍ୟବେଭାର ॥ ୧୭୧
ଶୁଣ ଚାଣୁର ବୀରମଣି । ଉଚିତ ପ୍ରସ୍ତାବ ତୋ' ବାଣୀ ॥ ୧୭୨
ସ୍ୱଭାବେ ଆମ୍ଭେ ବନଲୋକ । ନ ଜାଣୁ ଯୁଦ୍ଧ କଉତୁକ ॥ ୧୭୩
ଧନ ଗୋରସ ଦେଇ ଖଟୁ । ରାଜା ଭଣଜା ଆମ୍ଭେ ଅଟୁ ॥ ୧୭୪
ଅଳପେ କରଇ ସଦୟ । ଆମ୍ଭ ମଉଳା କଂସରାୟ ॥ ୧୭୫
ବାଳୁତ ପୁଅଙ୍କର ମେଳେ । ଖେଳୁ କାନନ ନଦୀକୂଳେ ॥ ୧୭୬
ନାନା ଭିଆଣେ ଖେଳ ଖେଳି । ବନସ୍ତେ ଚରାଉଁ ବାଛୁରୀ ॥ ୧୭୭
ପୁଅଙ୍କ ଖେଳର ଉଚିତ । ଆମ୍ଭର ଯୁଦ୍ଧ ସେହିମତ ॥ ୧୭୮
ଏ ତ ନୁହଁଇ ଖେଳମୟେ । ତୁମ୍ଭେ ଯେ ପର୍ବତପରାୟେ ॥ ୧୭୯
ତୁମ୍ଭର ପ୍ରାୟ ଯେବେ ହୋଇ । ତେବେ ସେ ସଂଗ୍ରାମ ଯୋଗାଇ ॥ ୧୮୦
ବାଳକ ଆମ୍ଭେ ବାଳମେଳେ । ଯୁଝିବୁ ରଙ୍ଗ-କୁତୂହଳେ ॥ ୧୮୧
ତୁମ୍ଭର ତୁଲେ ଯୁଦ୍ଧ କାହିଁ । ଏ କଥା ଉଚିତ ନୁହଁଇ ॥ ୧୮୨
ଅଧର୍ମ ହୋଇବଟି ଭଲେ । ତୁମ୍ଭେ ଯୁଝିଲେ ଆମ୍ଭ ତୁଲେ ॥ ୧୮୩
ସଭାକୁ ହୋଇବ ଧିକ୍କାର । ତା ଶୁଣି ହସଇ ଚାଣୂର ॥ ୧୮୪
ବୋଲଇ ପରୁଷ ବଚନ । କରାଇ କଂସ ସାବଧାନ ॥ ୧୮୫
ତୁମ୍ଭେ ଯେ ବାଳକ ବୋଲାଅ । କହିଲେ ଲଜ୍ଜା ହିଁ ନ ପାଅ ॥ ୧୮୬
ବାଳକୁମର ନୁହଁ ଯୁବା । ତୁମ୍ଭର ମହିମା କହିବା ॥ ୧୮୭
ଏଯେ ତୋହର ଜ୍ୟେଷ୍ଠ ରାମ । ବଳେ ତ ନାହିଁ ସରିସମ ॥ ୧୮୮
ସହସ୍ରେ ମତ୍ତଗଜ ଦେହା । ବଳ ବହଇ କୁବଳୟା ॥ ୧୮୯
ତାହାକୁ ଲୀଳାଏ ମାଇଲ । ଇଷିତେ ଦନ୍ତ ଉପାଡ଼ିଲ ॥ ୧୯୦
ରଜକ ମାରି ବାମକରେ । ଧନୁ ଭାଙ୍ଗିଲ ବଳାକ୍ରାରେ ॥ ୧୯୧
ତୁମ୍ଭ ମହିମା ସର୍ବଜନେ । ଭଲେ ଜାଣନ୍ତି ତ୍ରିଭୁବନେ ॥ ୧୯୨
ଏମନ୍ତ ନ କହନା ଆର । ମୁଷ୍ଟିକ ବୋଲେ ଧରଧର ॥ ୧୯୩
ଅଧର କାମୁଡ଼ି ଚାଣୂର । ବୋଇଲା ରାମକୁ ତୁ ଧର ॥ ୧୯୪
କୃଷ୍ଣର ତୁଲେ ଯୁଦ୍ଧ ମୋର । ଏ ଯେ ବୋଲାଇ ବଳୀୟାର ॥ ୧୯୫
ମୁଷ୍ଟିକ ରାମ ଆଗେ ରହି । କୋପେ ଅଧର କାମୋଡ଼ଇ ॥ ୧୯୬
କହଇ ଦାସ ଜଗନ୍ନାଥ । ଚାଣୂର ଧରି ଗୋପୀନାଥ ॥ ୧୯୭
ମୁଷ୍ଟିକ ରାମଙ୍କୁ ଧଇଲା । ସେଠାରେ ମନ ମୋ' ରହିଲା ॥ ୧୯୮
ଦେଖ ହୋ ଗୋବିନ୍ଦର ରଣ । ସୁଜନେ ପଶିବା ଶରଣ ॥ ୧୯୯
ବାଳକ ସଙ୍ଗେ ଯୁଦ୍ଧ କରି । ଦେଖନ୍ତି ପୁରନରନାରୀ ॥ ୨୦୦
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ କୁବଳୟାପୀଡ଼ବଧୋ ନାମ ଷଟ୍ଚତ୍ୱାରିଂଶେଽଧ୍ୟାୟଃ ॥
* * *