ଦଶମ ସ୍କନ୍ଧ

ଷଟ୍‌ଚତ୍ୱାରିଂଶ ଅଧ୍ୟାୟ

ଶୁକ ଉବାଚ

ବୋଲନ୍ତି ଶୁକ ମୁନିବର । ସାନନ୍ଦେ ଶୁଣ କୁରୁବୀର ॥

ରାମଗୋବିନ୍ଦ ମଧୁବନେ । ଭେଟିଲେ କଂସଦୂତମାନେ ॥

ନିକଟେ ଦୂତଙ୍କୁ ରୁହାଇ । ସ୍ନାହାନ କଲେ ବେନିଭାଇ ॥

ଭୋଜନ କଲେ ଦୁଧସର । ଆନନ୍ଦେ ନାନା ଉପହାର ॥

ବିବିଧ ରତ୍ନ ଅଳଙ୍କାର । ବସ୍ତ୍ର ପିନ୍ଧିଲେ ପୀତ ନୀଳ ॥

ମାଲ ଦୁନ୍ଦୁଭିଘୋଷ ଶୁଣି । ସାନନ୍ଦ କୃଷ୍ଣ ହଳପାଣି ॥

ଗୋପାଳ ପୋଏ ସଜ ହୋଇ । ମଧ୍ୟେ ବିଜୟ ବେନିଭାଇ ॥

ମଥୁରା ନଗରେ ପଶିଲେ । କଂସର ଦୂତେ ଆଗେ ଗଲେ ॥

ପଡ଼ଇ କ୍ଷଣେ କ୍ଷଣେ ହୁରି । ଉଲୁକାପାତେ ବସୁନ୍ଧରୀ ॥

ଆକାଶେ ଧୂମମୟ ଜ୍ୟୋତି । ମେଘେ ଲୁଚିଲେ ଛାୟାପତି ॥ ୧୦

ପଥେ ଆସନ୍ତେ ଭାଇ ବେନି । ବିବିଧ ବାଦ୍ୟନାଦ ଧ୍ୱନି ॥ ୧୧

ଯୋଡ଼ି ମŸର୍ଳ ଶଙ୍ଖ ବାଜେ । ଶରଦମେଘ ଯେହ୍ନେ ଗର୍ଜେ ॥ ୧୨

ରାମଗୋବିନ୍ଦ ଦେଖି ପଥେ । ଲୋକେ ମିଳିଲେ ଯୂଥେଯୂଥେ ॥ ୧୩

ଏକ ଆରକେ ସଜ ହୋଇ । କାମିନୀଗଣେ ଛନ୍ତି ଧାଇଁ ॥ ୧୪

ସକଳେ ଘରଦ୍ୱାରା ଛାଡ଼ି । ଧାମନ୍ତି ରାଜପଥ ମାଡ଼ି ॥ ୧୫

ସ୍ତିରୀ ପୁରୁଷ ବାଳବୃନ୍ଦେ । ଗୋବିନ୍ଦ ଦେଖିବାର ସଧେ ॥ ୧୬

ଆଗେ ଧାମନ୍ତି ବଳବନ୍ତ । ଗହଳ ମଥୁରାର ପଥ ॥ ୧୭

ଅନଳ ଦେଖିଣ ପତଙ୍ଗେ । ଯେହ୍ନେ ଧାମନ୍ତି ଉଦ୍‌ବେଗେ ॥ ୧୮

ଦେଖନ୍ତି ନରନାରୀ ମିଳି । ହରଷେ ଦେଇ ହୁଳହୁଳି ॥ ୧୯

ରାମଗୋବିନ୍ଦ ମୁଖ ଚାହିଁ । ନୟନ ପିଛାଡ଼ି ନୋହଇ ॥ ୨୦

ଦେହ ସଂସାର ପାସୋରିଲେ । ଆନନ୍ଦସାଗରେ ବୁଡ଼ିଲେ ॥ ୨୧

ସ୍ୱର୍ଗେ ଦେଖନ୍ତି ଦେବତାଏ । ରାମଗୋବିନ୍ଦର ବିଜୟେ ॥ ୨୨

ମଙ୍ଗଳନାଦେ ଅପସରୀ । ଦେଖନ୍ତି ଦିଗପାଳେ ମିଳି ॥ ୨୩

ପବନ ବହଇ ଶୀତଳ । ଶୂନ୍ୟେ ଉଡ଼ନ୍ତି ମେଘମାଳ ॥ ୨୪

ଜନଗହଳ ରାଜପଥେ । ଗୋବିନ୍ଦ ଦେଖନ୍ତି ଉଷତେ ॥ ୨୫

କହନ୍ତି ଏକ ଆରେ ଚାହିଁ । କାନ୍ଦି ହୃଦୟେ କର ଦେଇ ॥ ୨୬

ଦେଖ ଗୋ କଂସର ନିŸର୍ଦ୍ଦୟେ । କି ଦୋଷ କଲେ ବାଳପୋଏ ॥ ୨୭

ଲୁଚି ଏ ଥିଲେ ନନ୍ଦଘରେ । ସୋଦର ମଉଳାର ଡ଼ରେ ॥ ୨୮

କି ଦୋଷ କଲେ ଏ ତାହାର । ଦୁଷ୍ଟ ଦାନବ ଦୁରାଚାର ॥ ୨୯

ଏହାଙ୍କୁ ଆଣିଅଛି ଧରି । ବଳେ ମାରିବ ଘରେ ଭରି ॥ ୩୦

କେମନ୍ତେ ସହିବଟି ଧର୍ମ । ଏହାଙ୍କୁ କରି ଏଡ଼େ କର୍ମ ॥ ୩୧

ଏ ପୋଏ ଗୋପପୁରେ ଥିଲେ । କି ଅପରାଧ ଅବା କଲେ ॥ ୩୨

ଏହାଙ୍କୁ କରି ପ୍ରାଣେ ନାଶ । ଭାଙ୍ଗିବ ଗୋପପୁର ଦେଶ ॥ ୩୩

ଏହାଙ୍କ କଷ୍ଟ ଦେଖିବାରେ । ଚାଲ ନ ଥିବା ଏ ନଗରେ ॥ ୩୪

ହୃଦୟ ଧରିବା କେମନ୍ତେ । ଏହାଙ୍କୁ ନ ଦେଖିଲେ ନେତ୍ରେ ॥ ୩୫

ଏମନ୍ତ କହି ନରନାରୀ । ବିକଳେ ଚାହାନ୍ତି ମୁରାରି ॥ ୩୬

ହୃଦୟେ ବିଚାରି ବିକଳ । ନୟନୁ ବହେ ଅଶ୍ରୁଜଳ ॥ ୩୭

ରାମଗୋବିନ୍ଦ ଗୋପବାଳେ । ମିଳିଲେ କଂସ ରଙ୍ଗଦ୍ୱାରେ ॥ ୩୮

ଦେଖିଲେ ଦ୍ୱାରେ ଅଛି ଗଜ । ମାହୁନ୍ତ ହୋଇଅଛି ସଜ ॥ ୩୯

କୃଷ୍ଣଙ୍କୁ ଦେଖିଣ ମାହୁନ୍ତ । ଆକ୍ରୋଷି ଗଜ ବଳବନ୍ତ ॥ ୪୦

ଦ୍ୱାର ଆବୋରିଲା ବହନ । ମାରିବା ପ୍ରାୟ କୋପମନ ॥ ୪୧

ସ୍ୱଭାବେ ମତ୍ତ କରୀବର । ତେଜେ ପ୍ରଚଣ୍ତŠ ମହାଘୋର ॥ ୪୨

ତାହା ଜାଣିଲେ ଭାବଗ୍ରାହୀ । ଗୋପାଳ ପୁଅଙ୍କୁ ରୁହାଇ ॥ ୪୩

ଦୃଢ଼େ ବାନ୍ଧିଲେ ତାଳୁ ଚୁଳ । ସୁନ୍ଦର ଅଳକାକପୋଳ ॥ ୪୪

ବସନ ବାନ୍ଧି ଆଣ୍ଟ କରି । ସଜ ହୋଇଲେ ହଳଧାରୀ ॥ ୪୫

ମାହୁନ୍ତ କୋପଭର ହୋଇ । ଅଳପ ଅଳପ ଟିପଇ ॥ ୪୬

ହସ୍ତୀ ଟିପଇ ପାଦ ଲଇଁ । ଦେଖି ଗୋବିନ୍ଦ ଆଗ ହୋଇ ॥ ୪୭

ବୋଇଲେ ଆଡ଼ହୁଅ ଭାଇ । ମାହୁନ୍ତ ଶୁଣି ନ ଶୁଣଇ ॥ ୪୮

ଶୁଣ ମାହୁନ୍ତ ମୋ' ଉତ୍ତର । ଆମ୍ଭଙ୍କୁ ଛାଡ଼ ରଙ୍ଗଦ୍ୱାର ॥ ୪୯

ରାଜା ଆମ୍ଭରେ କୋପମନ । ବେଗେ କରିବୁ ଦରଦଶନ ॥ ୫୦

ଦ୍ୱାର ତୁ ଛାଡ଼ ବେଗ ହୋଇ । ଉଛୁର ବେଳ ନ ଯୋଗାଇ ॥ ୫୧

ଶୁଣି ମାହୁନ୍ତ କୋପକଲା । କୃଷ୍ଣର ବୋଲ ନ ଶୁଣିଲା ॥ ୫୨

ହସ୍ତୀର କୁମ୍ଭେ ଦେଇ କର । ଦନ୍ତ କରାଇଲା ଉଭାର ॥ ୫୩

କୃଷ୍ଣ ବୋଇଲେ ମାହୁନ୍ତକୁ । ମାରିବା ପ୍ରାୟେ ତ ସଳଖୁ ॥ ୫୪

ଜୀବନେ ଅଛି ଯେବେ କାର୍ଯ୍ୟ । ହସ୍ତୀ ଦୁଆରୁ ନିଅ ଆଜ ॥ ୫୫

ନୋହିଲେ ଯିବୁ ଯମପୁର । ହସ୍ତୀ ହିଁ ସଙ୍ଗତେ ତୋହର ॥ ୫୬

ଶୁଣି ମାହୁନ୍ତ ପରଜ୍ୱଳି । ହସ୍ତୀ ଟିପିଲା ପାଦଚାଳି ॥ ୫୭

କୃଷ୍ଣଙ୍କୁ ଦେଖି ଗଜ ଧାଇଁ । କାଳଦେବତା ପ୍ରାୟ ହୋଇ ॥ ୫୮

ପବନୁଁ ବେଗେ ଧାଇଁ ଖରେ । ଶୁ‹ଣ୍ଢ ପିଟିଲା କୃଷ୍ଣଶିରେ ॥ ୫୯

କେଶ ଧଇଲା ଧାତିକାର । ଛଡ଼ାଇ ଗଲେ ଦାମୋଦର ॥ ୬୦

ଗୋବିନ୍ଦ ମାୟା ଯୋଗବଳେ । ରହିଲେ ହସ୍ତୀ ପେଟତଳେ ॥ ୬୧

ହସ୍ତୀ ଚାହଁଇ ଚଉଦିଗେ । କୋପେ ଗର୍ଜଇ ଘୋରରଙ୍ଗେ ॥ ୬୨

ଆଘ୍ରାଣେ କୃଷ୍ଣ ବାସ ପାଇ । ପୁଣି ଧଇଲା ଶୁଣ୍ଢେ‹ ନେଇ ॥ ୬୩

ପୁଣି ଛଡ଼ାଇ ତା'ର କର । ପଛେ ମିଳିଲେ ମାୟାଧର ॥ ୬୪

ହସ୍ତୀର ଲାଞ୍ଜ କରେ ଧରି । ପଛକୁ ଆଣିଲେ ଓଟାରି ॥ ୬୫

ପଚିଶଧନୁ ଯାଏଁ ଟାଣି । ରହିଲେ ପ୍ରଭୁ ଚକ୍ରପାଣି ॥ ୬୬

ସର୍ପର ଲାଞ୍ଜ ତୁଣ୍ତେŠ ଭରି । ଯେସନେ ଗରୁଡ଼ ଓଟାରି ॥ ୬୭

ଲାଙ୍ଗୁଳ ଧରି ବନମାଳୀ । ବାମଦକ୍ଷିଣ ପାଖେ ଚାଳି ॥ ୬୮

ଗଜ ଚାହଁଇ ଦୁଇପାଶେ । କୃଷ୍ଣଙ୍କୁ ଧରିବାର ଆଶେ ॥ ୬୯

ବ›ତ୍ସାଙ୍କ ଲାଞ୍ଜ ପୋଏ ଧରି । ଯେମନ୍ତେ ହୋନ୍ତି ଘୂରାଘୂରି ॥ ୭୦

ଲାଙ୍ଗୁଳ ଛାଡ଼ି ଅତି ଖରେ । ଆଗ ହୋଇଲେ ରୋଷଭରେ ॥ ୭୧

ଚାପୁଡ଼େ ମାରି ହସ୍ତୀ ମୁଣ୍ତେŠ । କୃଷ୍ଣ ପଳାନ୍ତି ରାଜଦାଣ୍ତେŠ ॥ ୭୨

ପ୍ରଚଣ୍ତŠକୋପେ ଖରତର । ଦେଖି ଧାଇଁଲା କରୀବର ॥ ୭୩

ଦେଖନ୍ତି ପୁର ନରନାରୀ । ଭୟେ ପଳାନ୍ତି ନରହରି ॥ ୭୪

ଶିର ଲାଗଇ ଥୋର-ହସ୍ତେ । ଲୋକେ ଦେଖନ୍ତି ରାଜପଥେ ॥ ୭୫

ପାଦର ଘାଏ ଧୂଳି ଉଡ଼ି । କୃଷ୍ଣ ପଡ଼ିଲେ ମୁଖ ମାଡ଼ି ॥ ୭୬

ତକ୍ଷଣେ ହୋଇଲେ ଅନ୍ତର । ମାହୁନ୍ତ ବୋଲେ ମାର ମାର ॥ ୭୭

କୃଷ୍ଣ ପଡ଼ିଲା ପ୍ରାୟ ମଣି । ଗଜ ମାଇଲା ଦନ୍ତ ଆଣି ॥ ୭୮

ଲୋକେ ହୋଇଲେ ହତଜ୍ଞାନ । ଡ଼ାକନ୍ତି ରଖ ନାରାୟଣ ॥ ୭୯

ଏଡ଼େ କରମ କଂସ କଲା । କେ ବୋଲେ ଜୀଉଁଜୀଉଁ ମଲା ॥ ୮୦

ଚାଲ ନ ଥିବା ଏହା ଦେଶେ । କଂସକୁ ଗାଳିଦ୍ୟନ୍ତି ରୋଷେ ॥ ୮୧

ଏମନ୍ତ ବୋଲୁଁ ବୋଲୁଁ ଜନେ । ଶ୍ରୀକୃଷ୍ଣ ମିଳିଲେ ବହନେ ॥ ୮୨

ନୀଳ-ଜୀମୂତ ଦେହ ଝଳି । ଝାଳ ଗଳଇ ଲାଗି ଧୂଳି ॥ ୮୩

ଡାକନ୍ତି ତୋଳି ବେନିକର । ହସ୍ତୀରେ ସମ୍ଭାଳ ତୋହର ॥ ୮୪

ଦେଖି ଚକିତ ନରନାରୀ । ଚାପୁଡ଼େ ମାଇଲେ ମୁରାରି ॥ ୮୫

ପଛେ ଯେ ଥିଲେ ହଳଧର । ହସ୍ତୀକି ମାଇଲେ ପୟର ॥ ୮୬

ଧାମଇଁ ପଛକୁ ଅନାଇଁ । ମୁଥେ ମାଇଲେ କୃଷ୍ଣ ନେଇ ॥ ୮୭

ଗଜ ଚାହଁଇ ଆଗପଛ । ମାହୁନ୍ତ ଟିପଇ ପ୍ରତ୍ୟକ୍ଷ ॥ ୮୮

ନ ଯାଇ ଆଗପଛେ ଡ଼ରେ । ଗର୍ଜଇ ଅତି କୋପଭରେ ॥ ୮୯

ମାହୁନ୍ତ ପୁଣି ହିଁ ଟିପଇ । ଦେଖି ପଳାନ୍ତି ବେନିଭାଇ ॥ ୯୦

ଦେଖିଣ ଗଜ କୋପଭରେ । ଧାଇଁଲା ପବନହୁଁ ଖରେ ॥ ୯୧

କୃଷ୍ଣର ଶିରେ ଥୋର-ହସ୍ତ । ଦେଖି ପଳାନ୍ତି ଗୋପୀନାଥ ॥ ୯୨

ଧାଇଁଲେ ପବନ ହୁଁ ବେଗେ । ଘୂରି କୁମ୍ଭାରଚକ୍ର ମାର୍ଗେ ॥ ୯୩

ଗୋବିନ୍ଦ ଯୋଗମାୟା ବଳେ । ଘୂରାଇ ପକାଇଲେ ତଳେ ॥ ୯୪

ତଳେ ପଡ଼ନ୍ତେ ପ୍ରାଣଗଲା । ତକ୍ଷଣେ ଗୋବିନ୍ଦେ ପଶିଲା ॥ ୯୫

ଚରଣ ଦେଇ ଗଜମୁଣ୍ତେŠ । ଦନ୍ତ ଧୋଇଲେ ଭୁଜଦଣ୍ତେ ॥ ୯୬

ବେଗେ ଉପାଡ଼ି ବେନିକରେ । ପିଟିଲେ ମାହୁନ୍ତ ଉପରେ ॥ ୯୭

ମାହୁନ୍ତ ପ୍ରାଣ ବେଗେ ଗଲା । ଜୀବନ ଗୋବିନ୍ଦେ ପଶିଲା ॥ ୯୮

ରାମ ଗୋବିନ୍ଦ ବେନିଭାଇ । କନ୍ଧେ ଘେନିଲେ ଦନ୍ତ ଦୁଇ ॥ ୯୯

ରୁଧିର-ଭୂଷଣ ଶରୀର । ଝାଳ ଧୂଳିରେ ଜରଜର ॥ ୧୦୦

ମୁଖପଙ୍କଜେ ଝାଳ ଶୋଭା । କି ଅବା ପଟାନ୍ତର ଦେବା ॥ ୧୦୧

ଗୋପକୁମରେ ଛନ୍ତି ବେଢ଼ି । ପଶିଲେ ରଙ୍ଗଦ୍ୱାର ମାଡ଼ି ॥ ୧୦୨

କନ୍ଧେ ପକାଇ ଗଜଦନ୍ତ । ମିଳିଲେ ରାମ-ଗୋପୀନାଥ ॥ ୧୦୩

ଲୋକେ ପଶିଲେ ବଳୀୟାରେ । କେ ବେଗେ ଉଠିଲେ ବୃକ୍ଷରେ ॥ ୧୦୪

ଜଗତୀ ଅଟ୍ଟାଳୀ ଆରୋହି । ଦେଖନ୍ତି ରାମକୃଷ୍ଣ ଦୁଇ ॥ ୧୦୫

ରଙ୍ଗସଭାରେ ଯେତେ ଲୋକେ । କେତେ କହିବା ଏକେ ଏକେ ॥ ୧୦୬

ମାଲେ ଯେ ଥିଲେ ମଞ୍ଚାତଳେ । ରାମକୃଷ୍ଣଙ୍କୁ ଅନାଇଲେ ॥ ୧୦୭

ବଜ୍ର ପଡ଼ିଲା ପ୍ରାୟେ ଦେଖି । ଭୟେ ବୁଜିଲେ ବେନି ଆଖି ॥ ୧୦୮

ଯେତେ ଅଛନ୍ତି ପୁରନର । ତାହାଙ୍କୁ ଦିଶନ୍ତି ସୁନ୍ଦର ॥ ୧୦୯

କାମିନୀ-ଲୋଚନେ ଅନଙ୍ଗ । ଗୋପାଳ ପୋଏ ବାଳଅଙ୍ଗ ॥ ୧୧୦

ଅସୁର-ନୃପତିଙ୍କି କାଳ । ମାତାପିତାଙ୍କୁ ବେନିବାଳ ॥ ୧୧୧

କଂସକୁ ଦିଶେ ଯମ ପ୍ରାୟ । ଜ୍ଞାନୀଜନଙ୍କୁ ଜ୍ଞାନମୟ ॥ ୧୧୨

ଯୋଗୀଙ୍କ ନେତ୍ରେ ଜ୍ଞାନତତ୍ତ୍ୱ । ବୃଷ୍ଣିବଂଶକୁ ଦଇବତ ॥ ୧୧୩

ଏମନ୍ତେ ରାମକୃଷ୍ଣ ରୂପ । ଦିଶନ୍ତି ଯାହାକୁ ଯେ ରୂପ ॥ ୧୧୪

ସଭାର ତଳେ ବେନିଭାଇ । ଆକାଶେ ଦେବେ ଛନ୍ତି ଚାହିଁ ॥ ୧୧୫

ବ୍ରହ୍ମା ଶଙ୍କର ଇନ୍ଦ୍ରମୂଳେ । ତେତିଶକୋଟି ଦେବ ବଳେ ॥ ୧୧୬

ଶୂନ୍ୟେ ଦେଖନ୍ତି ରାମହରି । ଗନ୍ଧର୍ବଗଣ-ଦେବନାରୀ ॥ ୧୧୭

କଂସ ଚାହିଁଲା ବେନିଭାଇ । ଭୟେ କମ୍ପଇ ତାର ଦେହୀ ॥ ୧୧୮

ଗଜ-ମାହୁନ୍ତ ଦ୍ୱାରେ ମାରି । ଦନ୍ତ ଅଛନ୍ତି କରେ ଧରି ॥ ୧୧୯

ନିଶ୍ଚୟ ମରଣ ହୋଇଲା । ଏମନ୍ତ ମନେ ବିଚାରିଲା ॥ ୧୨୦

କାତରେ କମ୍ପଇ ଶରୀର । ବଦନୁଁ ନ ଇଲା ଉତ୍ତର ॥ ୧୨୧

ରଙ୍ଗସଭାର ତଳେ ଥାଇ । ରାମଗୋବିନ୍ଦ ବେନିଭାଇ ॥ ୧୨୨

ନାନା ବିଚିତ୍ର ବେଶ ହୋଇ । ଯେସନେ ନଟବର ଦୁଇ ॥ ୧୨୩

ଦେଖନ୍ତା ପ୍ରାଣୀଙ୍କର ମନ । ମୋହିଲେ ରାମ-ଭଗବାନ ॥ ୧୨୪

ମଞ୍ଚାରେ ଯେତେ ରାଜାଗଣେ । ଗ୍ରାମ ପାଟଣା ପୁରଜନେ ॥ ୧୨୫

ହରଷ ବଶେ ଚକ୍ଷୁ ଫେଇ । ଦେଖନ୍ତି ରାମକୃଷ୍ଣ ଦୁଇ ॥ ୧୨୬

ଚକୋର ଦେଖି ଚନ୍ଦ୍ର ଯେହ୍ନେ । ତେସନେ ପିବନ୍ତି ନୟନେ ॥ ୧୨୭

ତୋଷ ନୋହିଲେ ମୁଖ ଚାହିଁ । ଚାହାନ୍ତେ ପି‚ଞ୍ଛା ନଚଳଇ ॥ ୧୨୮

ପିଇବା ପ୍ରାୟେ ଚକ୍ଷୁଦ୍ୱାରେ । ଜିହ୍ୱା କି ଲିହିବ ଶରୀରେ ॥ ୧୨୯

ଆଘ୍ରାଣ କରି ନାସାଦ୍ୱାରେ । ଆଣି ଭିଡ଼ିବେ ବେନିକରେ ॥ ୧୩୦

ଏମନ୍ତ ହୋଇ ଉଦ୍‌ବେଗ । ଅଗ୍ନି କି ଯେସନେ ପତଙ୍ଗ ॥ ୧୩୧

ଯେମନ୍ତେ ଶୁଣୁଥିଲେ କ‰ର୍ଣ୍ଣେ । ପ୍ରତ୍ୟକ୍ଷ ଦେଖିଲେ ନୟନେ ॥ ୧୩୨

କୃଷ୍ଣର ରୂପ ଗୁଣମାନ । ଦେଖି ପାଇଲେ ଦିବ୍ୟଜ୍ଞାନ ॥ ୧୩୩

ଏକକୁ ଆରେକ ଅନାଇଁ । ବୋଲନ୍ତି ଅଙ୍ଗୁଳି ଦେଖାଇ ॥ ୧୩୪

ଏ ବେନି ବସୁଦେବ ସୁତେ । ଭାରା ନିବାରିବା ନିମନ୍ତେ ॥ ୧୩୫

ବିଷ୍ଣୁର ଅଂଶେ ଜାତ ହୋଇ । ନୀଳ ଧବଳ ରୂପ ଦୁଇ ॥ ୧୩୬

ଦେଖ ଏ କୃଷ୍ଣଦେହ କଳା । ଦେବକୀଗର୍ଭେ ଉପୁଜିଲା ॥ ୧୩୭

ଏହାକୁ ବସୁଦେବ ନେଇ । ଗୋପରେ ଅଇଲା ଲୁଚାଇ ॥ ୧୩୮

ବଢ଼ିଲେ ନନ୍ଦର ଭୁବନେ । ଏହି ବାଳକ ତିନିଦିନେ ॥ ୧୩୯

ଶୋଷିଲା ପୂତନା ପରାଣ । ଭାଜିଲା ଯାମଳା ଅର୍ଜୁନ ॥ ୧୪୦

ପାଦେ ଶକଟା କଲା ଚୂର । ନାଶିଲା ତୃଣାବର୍ତ୍ତ ବୀର ॥ ୧୪୧

ଅଘା ଧେନୁକା ବକ କେଶୀ । ବତ୍ସା ମାୟାବୀ ଷ‹ଣ୍ଢା ନାଶି ॥ ୧୪୨

କାଳୀୟ ଘଉଡ଼ିଲା ବଳେ । ଅମୃତ କଲା ବିଷଜଳେ ॥ ୧୪୩

ଗୋରୁମହିଷ ଗୋପଶିରୀ । ବନଅନଳୁ ଅଛି ତାରି ॥ ୧୪୪

ଇନ୍ଦ୍ରର ଦର୍ପ କଲା ଚୂର । କରେ ତୋଳିଲା ଗିରୀର ॥ ୧୪୫

ସପତ ଦିନ ବରଷିଲା । ଏହାର କରେ ଗିରି ଥିଲା ॥ ୧୪୬

ଗୋପୀଏ ଚାହିଁ ଏହା ମୁଖ । ଖଣ୍ତିଲେ ଜନ୍ମବନ୍ଧ-ଦୁଃଖ ॥ ୧୪୭

ଯାଦବବଂଶ ଏ ରଖିବ । ଅବନୀଭାରା ଉଶ୍ୱାସିବ ॥ ୧୪୮

ଦେଖ ଏ ରୋହିଣୀକୁମର । କୋଟିଏ କାମ ପଟାନ୍ତର ॥ ୧୪୯

ଆଗେ ହୋଇଲେ ଗୋପେଜାତ । ଏହାଙ୍କ ବଳ ଅପ୍ରମିତ ॥ ୧୫୦

ଯୁଦ୍ଧେ ପ୍ରଳମ୍ବା ନାଶ କଲା । ବତ୍ସା ଧେନୁକା ସଂହାରିଲା ॥ ୧୫୧

ଏମନ୍ତ କହୁଁ କହୁଁ ଜନ । ବାଜିଲା ବୀରତୂର ମାନ ॥ ୧୫୨

ମାଲେ ଯେ ଥିଲେ ସଭାତଳେ । କୃଷ୍ଣର ନିକଟେ ମିଳିଲେ ॥ ୧୫୩

ଚାଣୂର ବୀର ଆଗ ହୋଇ । ବୋଲଇ କୃଷ୍ଣମୁଖ ଚାହିଁ ॥ ୧୫୪

ତୁ ପରା ଥିଲୁ ନନ୍ଦଘରେ । ରୋହିଣୀସୁତ ସଙ୍ଗତରେ ॥ ୧୫୫

ତୁମ୍ଭେ ଯେ ରାମବନମାଳୀ । ବୋଲଅ ବାହୁଯୁଦ୍ଧେ ବଳୀ ॥ ୧୫୬

ରାଜା ତୁମ୍ଭର କଥା ଶୁଣି । ଯୁଦ୍ଧର ପାଇଁ ଅଛି ଆଣି ॥ ୧୫୭

ଦେଖିବେ ଯୁଦ୍ଧକଉତୁକ । ରାଜାଏ ଅଛନ୍ତି ଅନେକ ॥ ୧୫୮

ପ୍ରଜାଏ ରାଜାଙ୍କୁ ମନାଇଁ । ଭୋଗ କରନ୍ତି ସୁଖେ ମହୀ ॥ ୧୫୯

ରାଜାର ସମୀପେ ବସନ୍ତି । ଧନ୍ୟ ଇହଲୋକେ ବୋଲାନ୍ତି ॥ ୧୬୦

ରାଜାର ନୁହଁନ୍ତି ଯେ ପ୍ରିୟ । ତାହାଙ୍କ ସୁଖ କାହିଁ କହ ॥ ୧୬୧

ତୁମ୍ଭେ ଯେ ଗୋପାଳଙ୍କ ମେଳେ । ଗୋରୁ ଚରାଅ ନଦୀକୂଳେ ॥ ୧୬୨

ଦେହରେ ଘଷି ରଙ୍ଗମାଟି । ଲଲାଟେ ଗୁଞ୍ଜରାର ପାଟି ॥ ୧୬୩

ଏକ ଆରକେ ବାହୁବଳେ । ମାଲ ବିନ୍ଧାଣ କୁତୂହଳେ ॥ ୧୬୪

ବାଳକ କାଳୁଁ ସାଧୁଅଛ । ଏବେ ତ ପ୍ରତ୍ୟକ୍ଷ ଦିଶୁଛ ॥ ୧୬୫

ତେଣୁ ତୁମ୍ଭର ସଙ୍ଗେ ଆମ୍ଭେ । ବିନ୍ଧାଣ କରିବା ଆରମ୍ଭେ ॥ ୧୬୬

ଯେତେ ଅଛନ୍ତି ରାଜାଗଣେ । ଗ୍ରାମ ପାଟଣା ପୁରଜନେ ॥ ୧୬୭

ସକଳେ ହୋଇବେ ପ୍ରସନ୍ନ । ତୋଷିବା କଂସରାଜା ମନ ॥ ୧୬୮

ମାଲଙ୍କ ଟାଣକଥା ଶୁଣି । କହନ୍ତି ପ୍ରଭୁ ଚକ୍ରପାଣି ॥ ୧୬୯

ଉଚିତବାଣୀ ଦେଶକାଳ । କହନ୍ତି ମଦନଗୋପାଳ ॥ ୧୭୦

ଯୁଦ୍ଧ ହିଁ ଇଚ୍ଛା ଆପଣାର । କହନ୍ତି ମନୁଷ୍ୟବେଭାର ॥ ୧୭୧

ଶୁଣ ଚାଣୁର ବୀରମଣି । ଉଚିତ ପ୍ରସ୍ତାବ ତୋ' ବାଣୀ ॥ ୧୭୨

ସ୍ୱଭାବେ ଆମ୍ଭେ ବନଲୋକ । ନ ଜାଣୁ ଯୁଦ୍ଧ କଉତୁକ ॥ ୧୭୩

ଧନ ଗୋରସ ଦେଇ ଖଟୁ । ରାଜା ଭଣଜା ଆମ୍ଭେ ଅଟୁ ॥ ୧୭୪

ଅଳପେ କରଇ ସଦୟ । ଆମ୍ଭ ମଉଳା କଂସରାୟ ॥ ୧୭୫

ବାଳୁତ ପୁଅଙ୍କର ମେଳେ । ଖେଳୁ କାନନ ନଦୀକୂଳେ ॥ ୧୭୬

ନାନା ଭିଆଣେ ଖେଳ ଖେଳି । ବନସ୍ତେ ଚରାଉଁ ବାଛୁରୀ ॥ ୧୭୭

ପୁଅଙ୍କ ଖେଳର ଉଚିତ । ଆମ୍ଭର ଯୁଦ୍ଧ ସେହିମତ ॥ ୧୭୮

ଏ ତ ନୁହଁଇ ଖେଳମୟେ । ତୁମ୍ଭେ ଯେ ପର୍ବତପରାୟେ ॥ ୧୭୯

ତୁମ୍ଭର ପ୍ରାୟ ଯେବେ ହୋଇ । ତେବେ ସେ ସଂଗ୍ରାମ ଯୋଗାଇ ॥ ୧୮୦

ବାଳକ ଆମ୍ଭେ ବାଳମେଳେ । ଯୁଝିବୁ ରଙ୍ଗ-କୁତୂହଳେ ॥ ୧୮୧

ତୁମ୍ଭର ତୁଲେ ଯୁଦ୍ଧ କାହିଁ । ଏ କଥା ଉଚିତ ନୁହଁଇ ॥ ୧୮୨

ଅଧର୍ମ ହୋଇବଟି ଭଲେ । ତୁମ୍ଭେ ଯୁଝିଲେ ଆମ୍ଭ ତୁଲେ ॥ ୧୮୩

ସଭାକୁ ହୋଇବ ଧିକ୍କାର । ତା ଶୁଣି ହସଇ ଚାଣୂର ॥ ୧୮୪

ବୋଲଇ ପରୁଷ ବଚନ । କରାଇ କଂସ ସାବଧାନ ॥ ୧୮୫

ତୁମ୍ଭେ ଯେ ବାଳକ ବୋଲାଅ । କହିଲେ ଲଜ୍ଜା ହିଁ ନ ପାଅ ॥ ୧୮୬

ବାଳକୁମର ନୁହଁ ଯୁବା । ତୁମ୍ଭର ମହିମା କହିବା ॥ ୧୮୭

ଏଯେ ତୋହର ଜ୍ୟେଷ୍ଠ ରାମ । ବଳେ ତ ନାହିଁ ସରିସମ ॥ ୧୮୮

ସହସ୍ରେ ମତ୍ତଗଜ ଦେହା । ବଳ ବହଇ କୁବଳୟା ॥ ୧୮୯

ତାହାକୁ ଲୀଳାଏ ମାଇଲ । ଇଷିତେ ଦନ୍ତ ଉପାଡ଼ିଲ ॥ ୧୯୦

ରଜକ ମାରି ବାମକରେ । ଧନୁ ଭାଙ୍ଗିଲ ବଳାକ୍ରାରେ ॥ ୧୯୧

ତୁମ୍ଭ ମହିମା ସର୍ବଜନେ । ଭଲେ ଜାଣନ୍ତି ତ୍ରିଭୁବନେ ॥ ୧୯୨

ଏମନ୍ତ ନ କହନା ଆର । ମୁଷ୍ଟିକ ବୋଲେ ଧରଧର ॥ ୧୯୩

ଅଧର କାମୁଡ଼ି ଚାଣୂର । ବୋଇଲା ରାମକୁ ତୁ ଧର ॥ ୧୯୪

କୃଷ୍ଣର ତୁଲେ ଯୁଦ୍ଧ ମୋର । ଏ ଯେ ବୋଲାଇ ବଳୀୟାର ॥ ୧୯୫

ମୁଷ୍ଟିକ ରାମ ଆଗେ ରହି । କୋପେ ଅଧର କାମୋଡ଼ଇ ॥ ୧୯୬

କହଇ ଦାସ ଜଗନ୍ନାଥ । ଚାଣୂର ଧରି ଗୋପୀନାଥ ॥ ୧୯୭

ମୁଷ୍ଟିକ ରାମଙ୍କୁ ଧଇଲା । ସେଠାରେ ମନ ମୋ' ରହିଲା ॥ ୧୯୮

ଦେଖ ହୋ ଗୋବିନ୍ଦର ରଣ । ସୁଜନେ ପଶିବା ଶରଣ ॥ ୧୯୯

ବାଳକ ସଙ୍ଗେ ଯୁଦ୍ଧ କରି । ଦେଖନ୍ତି ପୁରନରନାରୀ ॥ ୨୦୦

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ କୁବଳୟାପୀଡ଼ବଧୋ ନାମ ଷଟ୍‌ଚତ୍ୱାରିଂଶେଽଧ୍ୟାୟଃ ॥

* * *