ଦଶମ ସ୍କନ୍ଧ
ପଞ୍ଚଚତ୍ୱାରିଂଶ ଅଧ୍ୟାୟ
ଶୁକ ଉବାଚ
କହନ୍ତି ଶୁକ ବ୍ରହ୍ମଋଷି । ଶୁଣ ରାଜନ କୁରୁବଂଶୀ ॥ ୧
ସେଠାରୁ ଗଲେ ବନମାଳୀ । ଦେଖନ୍ତି ପୁରଜନେ ମିଳି ॥ ୨
ଚାଲନ୍ତେ ପ୍ରଭୁ ଦେବରାଜା । ବାଟରେ ମିଳିଲା କୁବୁଜା ॥ ୩
ସୁଗନ୍ଧପେଡ଼ି ଘେନି କାଖେ । ଚାଲଇ ପଥେ ତିନିବାଙ୍କେ ॥ ୪
ମୁଖ ତା' ଦିଶଇ ସୁନ୍ଦର । କଟାକ୍ଷେ ଚାହଁଇ ମଧୁର ॥ ୫
ଗନ୍ଧଚନ୍ଦନ ନିତ୍ୟେ ନେଇ । କଂସର ଛାମୁରେ ଭେଟଇ ॥ ୬
ତା'ର ଚନ୍ଦନ ଦେଖି କଂସ । ମନେ ଅନେକ ହୋଏ ତୋଷ ॥ ୭
କୁବୁଜା କୃଷ୍ଣଙ୍କୁ ଦେଖିଲା । ସଭୟେ ପଥ ଉପେକ୍ଷିଲା ॥ ୮
ଲାଜରେ ଗଲା ଆଡ଼ ହୋଇ । ଦେଖନ୍ତି ରାମକୃଷ୍ଣ ଦୁଇ ॥ ୯
କୃଷ୍ଣ ମିଳିଲେ ତା'ର ପାଖେ । ବୋଲନ୍ତି କିସ ତୋର କାଖେ ॥ ୧୦
ଚନ୍ଦନ ପ୍ରାୟେକ ବାସଇ । କାହାକୁ ଦେବୁ ଏହା ନେଇ ॥ ୧୧
କହ ତୋହର ନାମ କିସ । ଦିଶୁଛୁ ଏମନ୍ତ ଭବିଷ୍ୟ ॥ ୧୨
କାହାର ପତ୍ନୀ ତୁ ବୋଲାଉ । ପିଠିରେ ତିନି କୁଜ ବହୁ ॥ ୧୩
କି କର୍ମେ ହୋଇଲୁ ଏମନ୍ତ । ଭୟ ନ କରି କହ ସତ୍ୟ ॥ ୧୪
ଆମ୍ଭେ ଗୋ ଅଟୁ ସହୋଦର । ରେହିଣୀସୁତ ଦାମୋଦର ॥ ୧୫
ଦେଖ ଆମ୍ଭର ଦେହ ଶୂନ୍ୟ । ଥୋକାଏ ଦେବୁକି ଚନ୍ଦନ ॥ ୧୬
ଆମ୍ଭେ ହୋଇବୁ ତୋଷ ମନ । ପାଇବୁ ପରଲୋକ ଧର୍ମ ॥ ୧୭
ରାଜା ହୋଇବ ମନେତୋଷ । ଜଗତେ ଥିବ ତୋର ଯଶ ॥ ୧୮
କୁବୁଜା କୃଷ୍ଣ ବୋଲ ଶୁଣି । କହେ ଅମୀୟ ରସ ବାଣୀ ॥ ୧୯
ଯାହା ତୁ ପଚାରିଲୁ ସ୍ୱାମୀ । ସକଳଭୂତେ ଅନ୍ତର୍ଯ୍ୟାମୀ ॥ ୨୦
ତୁ ଅଟୁ ଜଗତ ସୁନ୍ଦର । ଦାସୀ ମୁଁ ହୋଇବି ତୋହର ॥ ୨୧
କଂସର ଅଟଇ ନିଯୋଗୀ । କରଇ ଚତୁଃସମ ଲାଗି ॥ ୨୨
ସ୍ୱାମୀ ତନୟ ମୋର ନାହିଁ । ଜନ୍ମହୁଁ କୁବୁଜା ଅଟଇ ॥ ୨୩
ବିରୂପ ଦେଖି ମୋର ଶୋଭା । କେହିନୋହିଲେ ମୋତେ ବିଭା ॥ ୨୪
ଜାତି ମୋହର ଘଟୁଆରୀ । ଜୀବିକା କଂସ-ସେବାକାରୀ ॥ ୨୫
ପିତା ମୋ' ଅପୁତ୍ରିକ ହୋଇ । କାଳେ ଲଭିଲା ସ୍ୱର୍ଗ ଭୂଇଁ ॥ ୨୬
ପିତାର ପୁତ୍ର ଯହୁଁ ନାହିଁ । ସେବା ଆବୋରିଅଛି ମୁହିଁ ॥ ୨୭
ମୋର ଚନ୍ଦନେ ନୃପ ତୋଷ । ଦେଇଛି ମୋତେ ତିନିଦେଶ ॥ ୨୮
ବହୁତ ଧନରତ୍ନ ମୋର । ଜୀବନ ହୋଇଲା ଅସାର ॥ ୨୯
ନିଷ୍ଫଳ ହୋଇଲା ମୋ' ଦେହୀ । ପୂର୍ବେ ଅର୍ଜିଲି ଯାହା ମୁହିଁ ॥ ୩୦
ତୋ ରୂପ ଦେଖି ମୋର ମନ । ନିର୍ମଳ ହୋଇଲା ନୟନ ॥ ୩୧
ଏ ହାଦେ ରାଜାଗନ୍ଧପେଡ଼ି । ଦେଖାଇ କୃଷ୍ଣ ଆଗେ ଫେଡ଼ି ॥ ୩୨
ରାଜାର ଗନ୍ଧ ଏ ଅଟଇ । ତୁମ୍ଭ ଦୁହିଁଙ୍କି ଏ ଯୋଗାଇ ॥ ୩୩
ଥୋକାଏ ଦେବି ଗନ୍ଧ ତୋତେ । କଂସ କୋପିବଯେବେ ମୋତେ ॥ ୩୪
ତାହାକୁ ନାହିଁ ମୋର ଡ଼ର । ତୁମ୍ଭେ ମୋହର ବଳୀୟାର ॥ ୩୫
ଏମନ୍ତ ବୋଲି ଗନ୍ଧ ଫେଇ । ଲେପିଲା କୃଷ୍ଣ ଅଙ୍ଗେ ନେଇ ॥ ୩୬
ନାଭିରୁ ଶିରଯାଏ ବୋଳି । ଆନନ୍ଦେ ଦେଲା ହୁଳହୁଳି ॥ ୩୭
କପାଳେ ଦେଲା ଠିଆ ଚିତା । କର୍ପୂର କସ୍ତୁରୀ ଶୋଭିତା ॥ ୩୮
ରାମଙ୍କୁ କଲା ସେହି ମତ । ଦେଖି ହସନ୍ତି ଗୋପୀନାଥ ॥ ୩୯
ଦୟାସାଗର ଦାମୋଦର । ଧଇଲେ କୁବୁଜାର କର ॥ ୪୦
ବେନିଚରଣେ ପାଦ ଦେଇ । ଓଷ୍ଠରେ ଅଙ୍ଗୁଳି ଲଗାଇ ॥ ୪୧
ଅଳପେ କରି ଦେଲେ ଟେକି । ପୋଏ ହସନ୍ତି ତାହା ଦେଖି ॥ ୪୨
ଲାଗନ୍ତେ ଚକ୍ରଧର କର । ତକ୍ଷଣେ ହୋଇଲା ସୁନ୍ଦର ॥ ୪୩
ତା' ତିନିକୁଜ କେଣେ ଗଲା । ରୁପେଣ ଅନଙ୍ଗ ମୋହିଲା ॥ ୪୪
ହୋଇଲା ଅପୂର୍ବ କାମିନୀ । ଦେଖି ଟଳିବେ ସୁର ମୁନି ॥ ୪୫
ଜଗତେ ନାହିଁ ପଟାନ୍ତର । ଦିଶଇ ଅତ୍ୟନ୍ତ ସୁନ୍ଦର ॥ ୪୬
ଦେଖି ଚକିତ ଦେବତାଏ । କୃଷ୍ଣ ହୁଁ ଆନେ ନ ଯୋଗାଏ ॥ ୪୭
କୁବୁଜା ନିଜ ରୂପ ଚାହିଁ । କୃଷ୍ଣଙ୍କୁ ଦେଖି ବିଚାରଇ ॥ ୪୮
ଏତ ଅନାଦି ବିଶ୍ୱକର୍ମା । ନାହିଁ ନା ଜଗତେ ଉପମା ॥ ୪୯
ଏ ମୋତେ କଲାକି ସୁନ୍ଦର । ଏ ଯେ ମୋହର ନିଜ ବର ॥ ୫୦
ଅନେକ ଅଛି ମୋର ଭାଗ୍ୟ । ଦଇବ କରିଛି ସଂଯୋଗ ॥ ୫୧
ଏମନ୍ତ କୁବୁଜା ବିଚାରି । ଧଇଲା କୃଷ୍ଣର ଉତ୍ତରୀ ॥ ୫୨
ଲଜ୍ଜା ହିଁ ନ କଲା ରାମଙ୍କୁ । ବୋଇଲା ଆସ ମୋ' ଘରକୁ ॥ ୫୩
ମୋର ମନ୍ଦିରେ ଆଜ ରହି । କାଲି ଭେଟିବ ନୃପସାଇଁ ॥ ୫୪
ତୁମୋତେ କଲୁ ଏଡ଼େ ରୂପ । ଭୋ ନାଥ ନ କରିବା କୋପ ॥ ୫୫
ଏ ଦେହ ହେଲେ ଆନେଭୋଗ୍ୟ । ଅନଳେ କରିବି ସଂଯୋଗ ॥ ୫୬
ତୁ ଆଜ ଗଲେ ମୋତେ ଛାଡ଼ି । ବଜ୍ର ପଡ଼ିବ ଶିରେ ମାଡ଼ି ॥ ୫୭
ଜୀବନ ରଖ ମୋର ଆଜ । ଶୁଣି ପାଇଲେ କୃଷ୍ଣ ଲାଜ ॥ ୫୮
ଗୋପକୁମରଙ୍କୁ ଅନାଇ । ବୋଇଲେ କୁବୁଜୀ ରୁହାଇ ॥ ୫୯
ଆମ୍ଭେ ଗୋ ଥିଲୁ ଗୋପପୁରୀ । ରାଜା ଅଣାଇ ଅଛି ଧରି ॥ ୬୦
କାଲି ଭେଟିବୁ ନୃପବର । ଛାମୁରେ ଦେଇ ଘୃତସର ॥ ୬୧
ମେଲାଣି ଦେଲେ କଂସ ରାୟେ । ସଙ୍ଗେ ନ ଥିବେ ଗୋପପୋଏ ॥ ୬୨
ଏବେ ଅଛନ୍ତି ସଙ୍ଗେ ଯେତେ । ଦଣ୍ତେ ହେଁ ନ ଛାଡ଼ନ୍ତି ମୋତେ ॥ ୬୩
ମୋହର ଜ୍ୟେଷ୍ଠ ହଳଧର । ଦେଖ ଏ ଧରିଛନ୍ତି କର ॥ ୬୪
ରାଜା ମେଲାଣି ଘେନି ଶିରେ । ଏହାଙ୍କୁ ପେଶି ଗୋପପୁରେ ॥ ୬୫
ନିଶ୍ଚୟ ଯିବି ତୋ'ର ଘର । ସଙ୍ଗେ ନ ଥିବେ ହଳଧର ॥ ୬୬
ଏମନ୍ତେ ପ୍ରଭୁ ଭଗବାନ । ତୋଷିଲେ କୁବୁଜାର ମନ ॥ ୬୭
କୁବୁଜା ବେନିକର ଯୋଡ଼ି । ପୁଣି କହିଲା ପାଏ ପଡ଼ି ॥ ୬୮
ମୁଁ ଯାଇ ମଣ୍ତୁଅଛି ଘର । ଭୋ ନାଥ ବିଳମ୍ବ ନ କର ॥ ୬୯
ମୁଁ ତୋତେ ନ ପାରିଲେ ଦେଖି । ଉପାଡ଼ି ପକାଇବି ଆଖି ॥ ୭୦
ମନ ମୋ' ଅଛି ତୋର ତହିଁ । ଉଛୁର ନ କର ଗୋସାଇଁ ॥ ୭୧
ଉତ୍ତରୀ ଛାଡ଼ିଲା କୁବୁଜା । କୃଷ୍ଣ ବୋଇଲେ ଘରେ ଯା ଯା ॥ ୭୨
ଗୋବିନ୍ଦ ପାଦେ ଚିତ୍ତ ଥୋଇ । କୁବୁଜା ଗଲା ତୋଷ ହୋଇ ॥ ୭୩
ଥିଲା ଯେ ବିପ୍ର ଜଗନ୍ନାଥ । ଗୋଡ଼ାଇ ଅଛି କୃଷ୍ଣ ପଥ ॥ ୭୪
ଗୋବିନ୍ଦ ଯା'ନ୍ତେ ଆଗସରି । ପଡ଼ିଲା ଧନୁଘରେ ହୁରି ॥ ୭୫
ବାଟେ ଯେ ଥିଲେ ବଣିଜାରେ । ପସରା ଘେନି ଯେ ଯାହାରେ ॥ ୭୬
ରାମ ଗୋବିନ୍ଦ ମୁଖ ଦେଖି । ନିର୍ମଳ କଲେ ଚର୍ମଆଖି ॥ ୭୭
ଯେଝାରେ ଘେନି ଉପହାର । ପୁଷ୍ପ ତାମ୍ବୁଳ ଗନ୍ଧସାର ॥ ୭୮
ଗୋପାଳକୁମରଙ୍କ ମେଳେ । ପୂଜିଲେ ବସୁଦେବବାଳେ ॥ ୭୯
କାମିନୀ ଚାହିଁ କୃଷ୍ଣ ମୁଖ । କନ୍ଦର୍ପବାଣେ ମନ ଦୁଃଖ ॥ ୮୦
କୃଷ୍ଣର ଦେହେ ଦେଇ ଡ଼ୋଳ । କେଶ ବସନ ଅସମ୍ଭାଳ ॥ ୮୧
ମଥୁରାପୁର ଲୋକେ ଚାହିଁ । ବୋଲନ୍ତି ବ୍ରହ୍ମାଣ୍ତ ଗୋସାଇଁ ॥ ୮୨
ରାଜାର ଧନୁଘର କାହିଁ । ଆମ୍ଭଙ୍କୁ ଦେଖାଅସି ନେଇ ॥ ୮୩
ରାଜା ହିଁ ଅଛନ୍ତି ଅଣାଇ । ଆମ୍ଭେ ଦେଖିବୁ ଧନୁ ଯାଇ ॥ ୮୪
ଲୋକେ ହୋଇଲେ ଆଗୁସାର । ପଛେ ଗୋବିନ୍ଦ ହଳଧର ॥ ୮୫
ଗୋପକୁମରେ ଗଲେ ଆଗେ । ମିଳିଲେ ଧନୁଘର ଲାଗେ ॥ ୮୬
ଦେଖିଲେ ରାଜା ଧନୁଘର । ଉତ୍ସବ ମଣ୍ତଣି ବେଭାର ॥ ୮୭
ଧ୍ୱଜ ପତାକା କେରା କେରା । ତୋରଣେ ମୁକୁତାର ଝରା ॥ ୮୮
ଚାନ୍ଦୁଆ ଟାଣି ଫୁଲମାଳ । ଚିତ୍ରବିଚିତ୍ରେ ମଣ୍ତି ଚାଳ ॥ ୮୯
ସପତ ଖମ୍ବେ ଧନୁ ଡ଼େରି । ବାଜଇ ମର୍ଦ୍ଦଳ ମହୁରି ॥ ୯୦
ସୁବର୍ଣ୍ଣଘଣ୍ଟି ଧନୁ ହୁଳେ । ଲମ୍ବେ ମୁକୁତା ରତ୍ନମାଳେ ॥ ୯୧
ବିବିଧ ଚାମର ଖଞ୍ଜଣି । ଇନ୍ଦ୍ରର ଧନୁପ୍ରାୟ ମଣି ॥ ୯୨
ବାଜଇ ବୀର ତୂର ନାଦ । କେ କହୁ ଧନୁର ସମ୍ପଦ ॥ ୯୩
ଅନେକ ଦେଶୁଁ ରାଜାମାନେ । ମିଳିଲେ କଂସର ଭୁବନେ ॥ ୯୪
ଧନୁ ଦେଖନ୍ତି ନରନାରୀ । ଅଙ୍ଗେଣ ଅଳଙ୍କାର ଭରି ॥ ୯୫
ଆନନ୍ଦ ହୋଇ ଯୂଥ ଯୂଥ । ଗହଳ ଧନୁଘର ପଥ ॥ ୯୬
କାମିନୀ ଦ୍ୟନ୍ତି ହୁଳ ହୁଳି । ମିଳିଲେ ରାମ ବନମାଳୀ ॥ ୯୭
ପାହାରି ଧନୁ ଦ୍ୱାରେ ରହି । ଭିତରେ ନ ଦିଅନ୍ତି ଯାଇ ॥ ୯୮
କୃଷ୍ଣ ବୋଲନ୍ତି ଛାଡ଼ ଦ୍ୱାର । ଆମ୍ଭେ ଦେଖିବୁ ଧନୁଘର ॥ ୯୯
ଶୁଣି ପାହାରୀ ପରଜ୍ୱଳି । ରାମକୃଷ୍ଣଙ୍କୁ ଦ୍ୟନ୍ତି ଗାଳି ॥ ୧୦୦
ତୁମ୍ଭେ ଯେ ସ୍ୱଭାବେ ଗୋପାଳ । ରାଜ୍ୟେ କି କରୁଅଛ ଗୋଳ ॥ ୧୦୧
ତୁମ୍ଭର କୁଳମୂଳ ନାହିଁ । ବନେ ଚରାଉଥାଅ ଗାଈ ॥ ୧୦୨
ଆମ୍ଭଙ୍କୁ ରାଜା ଆଜ୍ଞା ନାହିଁ । ଦ୍ୱାରା ଛାଡ଼ିବୁ କାହିଁପାଇଁ ॥ ୧୦୩
ରାଜାଙ୍କ ଆଗେ ଜଣାଇଲେ । ଏଥେ ପଶିବ ତୁମ୍ଭେ ଭଳେ ॥ ୧୦୪
ଶୁଣି ବୋଇଲେ ଦାମୋଦର । ଆମ୍ଭର ପାଇଁ ଧନୁଘର ॥ ୧୦୫
ରାଜା ଅକ୍ରୁରେ ପଠିଆଇ । ଆମ୍ଭଙ୍କୁ ଅଛଇ ଅଣାଇ ॥ ୧୦୬
ଆମ୍ଭର ପାଇଁଟି ଉତ୍ସବ । ହସି ବୋଲନ୍ତି ପଦ୍ମନାଭ ॥ ୧୦୭
ପାହାରୀ ନ ଛାଡ଼ନ୍ତି ଦ୍ୱାର । ଆଗ ହୋଇଲେ ହଳଧର ॥ ୧୦୮
ଦେଖି ବେଢ଼ିଲେ ଆସି ଲୋକେ । କୋପେ ଜାକିଲେ ବେନିକାଖେ ॥ ୧୦୯
ଭୁଜ ଉପାଡ଼ି ପକାଇଲେ । ଦେଖି ଥୋକାଏ ପଳାଇଲେ ॥ ୧୧୦
ଦ୍ୱାର ଅର୍ଗଳି ଭାଙ୍ଗିଗଲା । ପାହାରୀ ଦ୍ୱାର ଛାଡ଼ିଦେଲା ॥ ୧୧୧
ପୁଣି ଯେ ଶସ୍ତ୍ରମାନ ଧରି । ରାଗେଣ ଧାଇଁଲେ ପାହାରୀ ॥ ୧୧୨
ରଜନୀମୁଖେ ଗୋଳବାଣୀ । ପଳାନ୍ତି ନରନାରୀ ଶୁଣି ॥ ୧୧୩
ରୋହିଣୀସୁତ ଆଗ ହୋଇ । ଯଷ୍ଟି ପ୍ରହାର କଲେ ନେଇ ॥ ୧୧୪
କେଶ ଧରିଣ ହଳଧର । ବୁଲାଇ ଫିଙ୍ଗିଲେ ଭୂମିର ॥ ୧୧୫
ଶତେ ପାହାରୀ ଗଲେ ନାଶ । ମାଇଲେ ରାମ ହୃଷିକେଶ ॥ ୧୧୬
ତକ୍ଷଣେ ସେଠାବରୁ ଚଳି । ପୁଣି ବହୁତ ଯୋଦ୍ଧା ମିଳି ॥ ୧୧୭
ଅନେକ ସୈନ୍ୟ ଜଗିଥିଲେ । ରାମକୃଷ୍ଣଙ୍କୁ ଓଗାଳିଲେ ॥ ୧୧୮
କରେଣ ଶସ୍ତ୍ରମାନ ଧରି । ଓଗାଳି କଲେ ଦ୍ୱାର ପାରି ॥ ୧୧୯
ଏଡ଼େରେ ସାହସ ତୁମ୍ଭର । ପଶିଲ ଆସି ଧନୁଘର ॥ ୧୨୦
ଗଉଡ଼ ହୋଇ ଏଡ଼େ ଟାଣ । ମଥୁରା କଲ ରଣଭଣ ॥ ୧୨୧
ବୋଲାଅ ନୃପତି ଭଣଜା । ତହୁଁ ଅଣାଇଅଛି ରାଜା ॥ ୧୨୨
ରାଜା ସୁହୃଦପଣ ଯହୁଁ । ସେ ଘେନି ନ ମାରନ୍ତି କେହୁ ॥ ୧୨୩
ରଜକ ମୁଣ୍ତ ଛିଣ୍ତାଇଲ । ରାଜାର ବସ୍ତ୍ର ଜୂର କଲ ॥ ୧୨୪
କୁବୁଜା ଚତୁଃସମ ପେଡ଼ି । ହାତରୁ ଘେନିଲ ଉଛୁଡ଼ି ॥ ୧୨୫
ଏବେ ପଶିଲ ଧନୁଘରେ । ମାଇଲ ଶତେ ଦ୍ୱାରପାଳେ ॥ ୧୨୬
ଶସ୍ତ୍ର ଧରିଣ ଯୁଦ୍ଧ କଲେ । ଏମନ୍ତ ବୋଲି ଆକ୍ରୋଶିଲେ ॥ ୧୨୭
ପୋଏ ଲଉଡ଼ିମାନ ଘେନି । ଦୈତ୍ୟଙ୍କୁ ପିଟିଲେକି ପୁଣି ॥ ୧୨୮
ଗୋପାଳେ ବୋବୀ ଦେଇ ଉଠି । ପ୍ରହାର କଲେ ଦୃଢ଼େ ଯଷ୍ଟି ॥ ୧୨୯
ଜଣ ଜଣକେ ଦଶବିଂଶ । ଗୋପାଳବଳ ନୋହେ ଶେଷ ॥ ୧୩୦
ଗୋଳ କରିଣ ପ୍ରହାରିଲେ । ଅସୁରେ ରହି ନ ପାରିଲେ ॥ ୧୩୧
ତ୍ରାଶ ପାଇଣ ପଳାଇଲେ । ଥୋକାଏ ପ୍ରାଣ ହରାଇଲେ ॥ ୧୩୨
ପଶିଲେ ରାମ ଦାମୋଦର । ଗୋପକୁମରଙ୍କ ସଙ୍ଗର ॥ ୧୩୩
ଗୋବିନ୍ଦ ପଶି ଅତି ଖରେ । ଧନୁ ଧଇଲେ ବାମକରେ ॥ ୧୩୪
ଇନ୍ଦ୍ରର ଧନୁ ପ୍ରାୟ ଶୋଭା । ରାମ ବୋଇଲେ ଗୁଣ ଦେବା ॥ ୧୩୫
ଧନୁରେ ଅଛି କେତେ ବଳ । ଗୁଣ ଘେନିଲେ ନନ୍ଦବାଳ ॥ ୧୩୬
ଗୋବିନ୍ଦ ପାଦେ ଧନୁ ମାଡ଼ି । ହୁଳେ ବସାଇ ଧନୁ ଭିଡ଼ି ॥ ୧୩୭
ତୋଳିଲେ ବାମ ଭୁଜେ ହରି । ଗୁଣ ଟଙ୍କାରି ନାଦ କରି ॥ ୧୩୮
ଦକ୍ଷିଣ କର୍ଣ୍ଣ ଯାଏଁ ଟାଣି । ବଳ ଆଞ୍ଚିଲେ ଚକ୍ରପାଣି ॥ ୧୩୯
ଧନୁ ହୋଇଲା ବେନିଖଣ୍ତ । ଶବଦ କଲା ପରଚଣ୍ତ ॥ ୧୪୦
ଶୁଭିଲା ବ୍ରହ୍ମଲୋକ ଯାଏ । କଂସ ପାଇଲା ମନେ ଭୟେ ॥ ୧୪୧
ପାହାରୀ ଥିଲେ ଯେ ପଳାଇ । ଅଇଲେ ଧନୁଭଗ୍ନ ଚାହିଁ ॥ ୧୪୨
ମାରନ୍ତି ନାନା ଶସ୍ତ୍ର ଘେନି । ଚହଳେ କମ୍ପଇ ମେଦିନୀ ॥ ୧୪୩
ଦେଖି ଧାଇଁଲେ ହଳଧରେ । ଭାଜିଲା ଧନୁ ଘେନିକରେ ॥ ୧୪୪
ବୁଲାଇ ପିଟିଲେ କୋପରେ । ପାହାରୀ ଗଲେ ଯମପୁରେ ॥ ୧୪୫
ରାଜାର ଯେତେ ବଳ ଥିଲେ । ରାମର ହସ୍ତେ ପ୍ରାଣ ଦେଲେ ॥ ୧୪୬
ଦେଖିଣ ଅନନ୍ତ ମୂରତି । ଭୟେ କମ୍ପଇ ସୁରପତି ॥ ୧୪୭
କମ୍ପିଲେ ଦଶଦିଗପାଳେ । ଚହଳ ଆକାଶମଣ୍ତଳେ ॥ ୧୪୮
ନିମିଷମାତ୍ରେ ଧନୁ ଭାଙ୍ଗି । କଂସର ବଳ ଦର୍ପ ଗଞ୍ଜି ॥ ୧୪୯
ଗୋବିନ୍ଦ ହୋଇଲେ ବାହାର । ଗୋପକୁମରେ ହଳଧର ॥ ୧୫୦
ଦେଖିଲେ ରବି ଅସ୍ତ ଗଲା । ହସି ବୋଲନ୍ତି ନନ୍ଦବାଳା ॥ ୧୫୧
ଚାଲ ହୋ ଯିବା ନିଜ ସ୍ଥାନ । କାଲି ଯେ ରାଜା ଦରଶନ ॥ ୧୫୨
ଏମନ୍ତ ବୋଲି ବାହୁଡ଼ିଲେ । ମଥୁରା ତୋଟାରେ ମିଳିଲେ ॥ ୧୫୩
କହନ୍ତି ଶୁକ ମୁନିବର । ଶୁଣ ରାଜନ ରସଭର ॥ ୧୫୪
ଅକ୍ରୁର ମୁଖ ଚାହିଁ କୋପେ । ଯାହାବୋଇଲେ ନାରୀ ଗୋପେ ॥ ୧୫୫
ବୋଇଲେ ମଥୁରା ଭୁବନେ । ଭାଗ୍ୟଟି କଲେ ନାରୀଜନେ ॥ ୧୫୬
ତାହାଙ୍କ ନୟନ ଆନନ୍ଦ । ଦେଖିବେ ପୂର୍ଣ୍ଣମୀର ଚାନ୍ଦ ॥ ୧୫୭
ଦେଖିଣ ରାମକୃଷ୍ଣ ମୁଖ । ଖଣ୍ତିବେ କୋଟିଜନ୍ମ ଦୁଃଖ ॥ ୧୫୮
ସେ କଥା ହୋଇଲା ସ୍ୱରୂପ । ଦେଖିଲେ ରାମକୃଷ୍ଣ ରୂପ ॥ ୧୫୯
ଗୋପାଳେ ଦେଖି ମଧୁପୁର । କହନ୍ତି ନନ୍ଦର ଛାମୁର ॥ ୧୬୦
ଆମ୍ଭେ ତୋ' କୃଷ୍ଣସଙ୍ଗେ ଥାଇ । ମଥୁରା ଦେଖିଲୁ ଗୋସାଇଁ ॥ ୧୬୧
ନିର୍ମଳ ହୋଇଲା ନୟନ । ଆମ୍ଭ ଜୀବନ କଲୁ ଧନ୍ୟ ॥ ୧୬୨
ନନ୍ଦ ଯେ ଘେନି ବେନିସୁତ । କୋଳେ ବସାଇ ତୋଷଚିତ୍ତ ॥ ୧୬୩
ଚୁମ୍ବନ ଦେଲେ ନନ୍ଦରାୟେ । ପାଖେ ବସିଲେ ବେନିପାଏ ॥ ୧୬୪
ସ୍ନାହାନ କରାଇ ହରଷ । ଭୁଞ୍ଜାନ୍ତି ରାମ ହୃଷୀକେଶ ॥ ୧୬୫
ଛେନା ଗୋଟିକା ଦୁଧ ସର । ଗୋରସ ଅନେକ ପ୍ରକାର ॥ ୧୬୬
ଗୋପସୁତଙ୍କୁ ଘେନି ସଙ୍ଗେ । ଭୁଞ୍ଜନ୍ତି ରାମକୃଷ୍ଣ ରଙ୍ଗେ ॥ ୧୬୭
ମଣୋହି ସାରି ଭଗବାନ । ଶୀତଳ ଜଳେ ଆଚମନ ॥ ୧୬୮
କର୍ପୂର ମୁଖବାସ ଗୁଆ । ତାମ୍ବୁଳ ଭୁଞ୍ଜନ୍ତି ବିଡ଼ିଆ ॥ ୧୬୯
ଗନ୍ଧଚନ୍ଦନ ଅଙ୍ଗେ ବୋଳି । ବସିଲେ ରାମ ବନମାଳୀ ॥ ୧୭୦
ଚାମର ଗୋପପୁଅ କରେ । ଢ଼ାଳନ୍ତି ନାନା ଗୀତସ୍ୱରେ ॥ ୧୭୧
ପୁଷ୍ପ ବରଷି ସ୍ତୁତି କରି । ଶୋଇଲେ ରାମ ନରହରି ॥ ୧୭୨
କହଇ ଦାସ ଜଗନ୍ନାଥ । କୃଷ୍ଣଚରଣେ ଦେଇ ଚିତ୍ତ ॥ ୧୭୩
ବୋଲନ୍ତି ଶୁକ ମୁନିବର । କୃଷ୍ଣ ଚରିତ ସୁଧାସାର ॥ ୧୭୪
ରଜନୀ ହୋଇଲା ବହୁତ । କଂସକୁ ଜଣାଇଲା ଦୂତ ॥ ୧୭୫
ଶୁଣନ୍ତୁ ଭୋଜ ନୃପଇନ୍ଦ୍ର । ଅବନୀପତି କୁଳଚନ୍ଦ୍ର ॥ ୧୭୬
ଅକ୍ରୁର ରାମକୃଷ୍ଣ ବେନି । ଗୋପବାଳକ ନନ୍ଦ ଘେନି ॥ ୧୭୭
ତୋଟାରେ ପ୍ରବେଶ ହୋଇଲେ । ନଗ୍ର ବିହାର କରିଗଲେ ॥ ୧୭୮
ଗୋପାଳ ପୁଅ ସଙ୍ଗେ ଘେନି । ଦାଣ୍ତେ ଆସନ୍ତେ ଭାଇ ବେନି ॥ ୧୭୯
ରଜକ ବସ୍ତ୍ର ଘେନିଯା'ନ୍ତେ । ଗଉଡ଼େ ବେଢ଼ିଲେ ତୁରିତେ ॥ ୧୮୦
ରଜକେ କଲେ ପ୍ରାଣେ ନାଶ । ଫେଡ଼ିଣ ମଢ଼ିଆଳ ବାସ ॥ ୧୮୧
ଯେ ଯାହା ମତେ ଜୂର କଲେ । ମାଳୀର ଦ୍ୱାରେଣ ମିଳିଲେ ॥ ୧୮୨
ଭୟେଣ ଫୁଲ ଦେଲା ମାଳୀ । ତହୁଁ ଅଇଲେ ବେଗେ ଚଳି ॥ ୧୮୩
କୁବୁଜା ଚତୁଃସମପେଡ଼ି । କାଖରୁ ଘେନିଲେ ଉଛୁଡ଼ି ॥ ୧୮୪
ଗନ୍ଧ ଚନ୍ଦନ ଚତୁଃସମ । ବୋଳି ହୋଇଲେ କୃଷ୍ଣରାମ ॥ ୧୮୫
ସଳଖ କଲେ ତିନିବାଙ୍କ । ଦେଖିଲେ କଟକର ଲୋକ ॥ ୧୮୬
କି ସେ ଈଶ୍ୱର ଅଂଶେ ଜାତ । ଏ କଥା ଲୋକେ ବିପରୀତ ॥ ୧୮୭
ଶୁଣ ତୁ ବୀର ଭୋଜବଂଶୀ । ଗଉଡ଼େ ଧନୁଘରେ ପଶି ॥ ୧୮୮
ଶତେ ପାହାରୀ ନାଶକଲେ । ଅନେକ ସଇନ ମାଇଲେ ॥ ୧୮୯
ଧନୁ ଆମଞ୍ଚି ଗୁଣ ଦେଲେ । ଓଟାରି ବେନିଖଣ୍ତ କଲେ ॥ ୧୯୦
କଟକେ ପଡ଼ିଲା ଚହଳ । ଭାଜିଲେ ହାଟ ବଣିଜାର ॥ ୧୯୧
ତୋଟାରେ ରନ୍ଧନ ଭୋଜନ । ସୁଖେଣ କଲେକ ଶୟନ ॥ ୧୯୨
ବାରତା କହିଲାକି ଦୂତ । କଂସ ଭାଳଇ ଭୟ ଚିତ୍ତ ॥ ୧୯୩
ରଜନୀ ହୋଇଲା ଅପାର । ଶୁଣ ହୋ ରାଜାର ବିଚାର ॥ ୧୯୪
ଧନୁର ଭଗ୍ନ କଥା ଶୁଣି । କୃଷ୍ଣର କର୍ମ ମନେ ଗୁଣି ॥ ୧୯୫
ରଜକେ ପେଶି ଯମପୁର । ମୋହର ବସ୍ତ୍ର କଲେ ଜୂର ॥ ୧୯୬
କୁବୁଜା ଗନ୍ଧ ବଳେ ନେଇ । ସୁନ୍ଦର କଲେ ତା'ର ଦେହୀ ॥ ୧୯୭
ଏବେ ଭାଙ୍ଗିଲେ ଧନୁ ମୋର । ବାଳକେ ଏଡ଼େ ବଳୀୟାର ॥ ୧୯୮
ଧନୁଘରେଣ ଯୋଦ୍ଧା ଯେତେ । ସମସ୍ତେ ମଲେ ତା'ଙ୍କ ହସ୍ତେ ॥ ୧୯୯
ନନ୍ଦର ଘରେ ବାଳକାଳେ । ଯେତେ ଅସୁର ମୋର ଗଲେ ॥ ୨୦୦
ସବୁ ମାଇଲେ ବେନିଭାଇ । ବନେ ଚରାଉଥା'ନ୍ତି ଗାଈ ॥ ୨୦୧
ଏବେ ମୁଁ କରିବି କେମନ୍ତ । ଅଛନ୍ତି ମାଲ ଯେ ମାହୁନ୍ତ ॥ ୨୦୨
ଗଜ ମୋ' ଅଛି କୁବଳୟା । ନ ଜାଣି ବିଧାତାର ମାୟା ॥ ୨୦୩
କେମନ୍ତେ ରଖିବି ଜୀବନ । ଏମନ୍ତଭାଳି ଛନଛନ ॥ ୨୦୪
ନିଦ୍ରା ନ ମାଡ଼ଇ ନୟନେ । ଭାଳଇ ଅତି ଭୟମନେ ॥ ୨୦୫
ପୁଣି କ୍ଷଣକେ ନିଦ୍ରା ମୋହି । ସଭୟେ ପୁଣି ହିଁ ଚିଆଇଁ ॥ ୨୦୬
ଦେଖଇ ସ୍ୱପ୍ନ ନାନା ବର୍ଣ୍ଣ । ମରଣ ହେତୁଙ୍କର ଚିହ୍ନ ॥ ୨୦୭
ସୁବର୍ଣ୍ଣ କାନ୍ଥେ ଦେହ ଛାଇ । ଦେଖଇ ତା'ର ମୁଣ୍ତ ନାହିଁ ॥ ୨୦୮
ଦର୍ପଣେ ଆଦିତ୍ୟର ଜ୍ୟୋତି । ରାତ୍ରେ ଦେଖଇ ଭୋଜପତି ॥ ୨୦୯
ଦୀପେ ଦିଶନ୍ତି ଦୁଇ ଦୁଇ । ଚନ୍ଦ୍ର ହିଁ ତେମନ୍ତ ଦିଶଇ ॥ ୨୧୦
ଛାୟାର ଦେହେ ଛିଦ୍ରମୟେ । ନିଃଶ୍ୱାସ ଶୁଭେ ଶଙ୍ଖପ୍ରାୟେ ॥ ୨୧୧
ସୁବର୍ଣ୍ଣ ପ୍ରତିମାଏ ବୃକ୍ଷେ । କଂସକୁ ଦିଶଇ ପ୍ରତ୍ୟକ୍ଷେ ॥ ୨୧୨
ବୃକ୍ଷର ଡ଼ାଳେ ପଶୁଗଣ । ବରାହ ଶୃଗାଳ ହରିଣ ॥ ୨୧୩
ମୃତ୍ୟୁପିଣ୍ତକୁ କରି କୋଳ । ସାନନ୍ଦେ ଗୀତନାଦେ ଭୋଳ ॥ ୨୧୪
ଗର୍ଦ୍ଧଭ କନ୍ଧେ ଚଢ଼ିଯା'ନ୍ତେ । ବିଷ ଭକ୍ଷଇ ଲୌହପାତ୍ରେ ॥ ୨୧୫
ତଇଳେ ସିକ୍ତ ଦିଗମ୍ବର । ହୃଦରେ ରଙ୍ଗପୁଷ୍ପମାଳ ॥ ୨୧୬
ଦକ୍ଷିଣଦିଗେ ଯାଏ ଧାଇଁ । ଚୂଳ ବନ୍ଧନ ଶିରେ ନାହିଁ ॥ ୨୧୭
ଏମନ୍ତ ଦେଖଇ ସ୍ୱପନ । କ୍ଷଣକ୍ଷଣକେ ମୁହ୍ୟମାନ ॥ ୨୧୮
ଏମନ୍ତେ ପାହିଲା ରଜନୀ । କଂସ ଭାଲଇ ଭୟ ଘେନି ॥ ୨୧୯
ଯେମନ୍ତ ଦେଖିଲି ସ୍ୱପନ । ନିଶ୍ଚୟେ ହୋଇଲା ମରଣ ॥ ୨୨୦
କଂସ ଜାଣଇ ଯୋଗବଳେ । ଗୋବିନ୍ଦ ମାରିଅଛି ବେଳେ ॥ ୨୨୧
ସେ ବେଳେ ନୋହିଲି ମୁଁ ମୋକ୍ଷ । ଏବେ ତ ଦେଖିବି ପ୍ରତ୍ୟକ୍ଷ ॥ ୨୨୨
ଉଦେ ହୋଇଲେ ଦିନକର । କଂସ ହିଁ ହୋଇଲା ବାହାର ॥ ୨୨୩
ରଙ୍ଗସଭାରେ ବିଜେ କଲା । ରାଜାମାନଙ୍କୁ ଅଣାଇଲା ॥ ୨୨୪
ଆସି ଯେ ଥିଲେ ରାଜାଗଣେ । କଂସ ଡ଼ାକଇ ଜଣେ ଜଣେ ॥ ୨୨୫
ରାଜାଏ ଶମ୍ବରର ମୂଳେ । ନାରକାସୁର ଶିଶୁପାଳେ ॥ ୨୨୬
ବଜ୍ରକବଚ ବାଣାସୁର । ପୁଣ୍ତ୍ରକ ଶାଲ୍ୱ ଦନ୍ତବକ୍ର ॥ ୨୨୭
ଯୋଜନାବାହୁ ବଜ୍ରନାଭ । ଏ ଆଦି ଯେତେକ ଦାନବ ॥ ୨୨୮
ଏମାନେ ମହୀପତି ଛଳେ । ଆସି ଅଛନ୍ତି ସୈନ୍ୟବଳେ ॥ ୨୨୯
କାହାର ଭାଇ ପୁତ୍ର ନାତି । କେ ଆପେ ଖଟଇ ନୃପତି ॥ ୨୩୦
କ୍ଷତ୍ରିୟ ରବି-ସୋମ-ବଂଶ । କଂସର ଯେତେକ ବିଶ୍ୱାସ ॥ ୨୩୧
ନୃଗ କଳିଙ୍ଗ ଭଦ୍ରସେନ । ବିଦେହ ନୈଷଧ ରାଜନ ॥ ୨୩୨
କଂସର ପ୍ରିୟପଣେ ଆସି । ମିଳିଲେ ସୋମ-ସୂର୍ଯ୍ୟବଂଶୀ ॥ ୨୩୩
ଦଇବେ ଭୋଜ ଦଣ୍ତଧାରୀ । ଅନେକ ମଞ୍ଚା ଅଛି କରି ॥ ୨୩୪
ମଣ୍ତିଛି ନାନା ଉପହାରେ । ନିର୍ମଳ-ଦର୍ପଣ-ଚାମୁରେ ॥ ୨୩୫
ବିବିଧମତେ ବସ୍ତ୍ର ଦେଇ । ଉପରେ ଚାନ୍ଦୁଆ ଖଞ୍ଜାଇ ॥ ୨୩୬
ଲମ୍ବଇ ମୁକୁତାର ଝରା । ମାଳ କୁସୁମ କେରା କେରା ॥ ୨୩୭
କାଞ୍ଚନମୟ ସିଂହାସନ । ଦେଖିଲେ ତୋଷ ହୋଏ ମନ ॥ ୨୩୮
ସୁଗନ୍ଧ ଧୂପ ଦୀପପାତ୍ର । ଉପରେ ଶୋହେ ଧ୍ୱଜ ଛତ୍ର ॥ ୨୩୯
ରାଜାଏ କଂସ ଆଜ୍ଞା ପାଇ । ମଞ୍ଚାରେ ବସିଛନ୍ତି ଯାଇ ॥ ୨୪୦
ରାଜା ଗୋଟିକେ ଏକ ମଞ୍ଚା । ସକଳ କରିଅଛି ସଞ୍ଚା ॥ ୨୪୧
ତାହାଙ୍କୁ ପୂଜି ଜଣେ ଜଣେ । ଚନ୍ଦନ କୁସୁମ ବସନେ ॥ ୨୪୨
ବିବିଧମତେ ଭୋଗ ଦେଇ । କହଇ ରାଜାଙ୍କୁ ଅନାଇ ॥ ୨୪୩
ତୁମ୍ଭେ ସକଳ ବନ୍ଧୁଜନେ । କହଇ ଶୁଣ ସାବଧାନେ ॥ ୨୪୪
ବସୁଦେବର ପୁତ୍ର ଦୁଇ । ବଢ଼ିଲେ ଗୋପପୁରେ ଥାଇ ॥ ୨୪୫
ଭିଣୋଇ କଲା ଏଡ଼େ ଛନ୍ଦ । ମୋତେ ଯେ ନ ଗଣଇ ନନ୍ଦ ॥ ୨୪୬
ଅନେକ ବଳ ମୋର ଥିଲେ । ରାମଗୋବିନ୍ଦ ସଂହାରିଲେ ॥ ୨୪୭
ବଳେ ମୋ' ଧନୁ ହିଁ ଭାଙ୍ଗିଲେ । ପାହାରୀମାନଙ୍କୁ ମାଇଲେ ॥ ୨୪୮
ରଜକ ମାରି ବସ୍ତ୍ର ଜୂର । ଗନ୍ଧ ଛଡ଼ାଇ ନେଲେ ମୋର ॥ ୨୪୯
ଗଉଡ଼ମେଳି ଏ ଭିଆଇ । ମୋତେ ମାରିବେ ବେନିଭାଇ ॥ ୨୫୦
ଏବେ ମୁଁ ଅଣାଇଲି ଧରି । ତାତ ଜନନୀ ଆଦିକରି ॥ ୨୫୧
ହସ୍ତୀର ହସ୍ତେ ମରାଇବି । ଏମନ୍ତେ ବଇରୀ ସାଧିବି ॥ ୨୫୨
ଯେବେ ସେଠାରୁ ଉବୁରିବେ । ମାଲଙ୍କ ହସ୍ତେ ପ୍ରାଣ ଦେବେ ॥ ୨୫୩
ମଞ୍ଚାରେ ବସି ପିତାମାତା । ଦେଖିବେ ପୁତ୍ରଙ୍କର ହତ୍ୟା ॥ ୨୫୪
ତୁମ୍ଭେ ସକଳେ ଦେଖୁଥିବ । ମୋହର ଶତ୍ରୁ ନାଶଯିବ ॥ ୨୫୫
ସେ ମୋର ଭଗ୍ନିର କୁମରେ । ଦ୍ରୋହ ପାଞ୍ଚିଲେ ମୋହଠାରେ ॥ ୨୫୬
ତୁମ୍ଭେ ମୋହର ବନ୍ଧୁ ଶୁଣ । କହିଲି ହିତକଥା ପୁଣ ॥ ୨୫୭
ଏମନ୍ତ ବୋଲି ଭୋଜସାଇଁ । ରାଜାଙ୍କୁ ମଞ୍ଚାରେ ବସାଇ ॥ ୨୫୮
ବାଜଇ ବୀର ତୂର ବାଦ୍ୟ । କେ କହୁ କଂସର ସମ୍ପଦ ॥ ୨୫୯
ଚାଣୁର ମୁଷ୍ଟିକର ମେଳେ । ଶଲ ତୋଷଳ ଚାରିମାଲେ ॥ ୨୬୦
ଏହାଙ୍କ ତୁଲେ ଶତେ ମାଲ । ଅଣାଇ କହେ ଭୋଜପାଳ ॥ ୨୬୧
ତୁମ୍ଭର ବଳେ ମୋ' ଭରସା । ଆଜ ମୋ' ପୂରାଇବ ଆଶା ॥ ୨୬୨
ନନ୍ଦ-ଗୋପାଳଙ୍କୁ ଅଣାଇ । ଗୋରସ ଭଣ୍ତାରେ ଥୁଆଇ ॥ ୨୬୩
ମଞ୍ଚାରେ ନେଇ ବସାଇଲା । ସମର ଦେଖିବୁ ବୋଇଲା ॥ ୨୬୪
ବସୁଦେବର ପୁତ୍ର ଦୁଇ । ଘରେ ଲୁଚାଇଥିଲୁ ନେଇ ॥ ୨୬୫
ବସୁଦେବର ମିତ୍ରପଣୁଁ । ତୋହର ଦୋଷ ନାହିଁ ତେଣୁ ॥ ୨୬୬
ବନ୍ଧୁର ହିତ କଲୁ ଯେବେ । ତା'ଙ୍କ ମରଣ ଦେଖ ଏବେ ॥ ୨୬୭
ନନ୍ଦକୁ ମଞ୍ଚାରେ ବସାଇ । ବୋଲଇ ପାତ୍ର ମନ୍ତ୍ରୀ ଚାହିଁ ॥ ୨୬୮
ତୁମ୍ଭେ ହୋ ଥିବ ମୋର ପାଖେ । ମଞ୍ଚାରେ ବସି ଦେଖ ସୁଖେ ॥ ୨୬୯
ଆପଣେ ମଞ୍ଚାରେ ବସିଲା । ଦୂତଙ୍କୁ ରାଇ ଆଜ୍ଞା ଦେଲା ॥ ୨୭୦
ବେଗରେ ଯାଅ ମଧୁବନ । ରାମକୃଷ୍ଣଙ୍କୁ ଧରିଆଣ ॥ ୨୭୧
କଂସର ଆଜ୍ଞା ଘେନି ଶିରେ । ଦୂତେ ଚଳିଲେ ଧାତିକାରେ ॥ ୨୭୨
ବୋଲଇ ଦାସ ଜଗନ୍ନାଥ । ଭେଟିଲେ ରାମ ଗୋପୀନାଥ ॥ ୨୭୩
ସେ ରାମକୃଷ୍ଣର ଚରଣେ । ସୁଜନେ ଚିନ୍ତ ଅନୁକ୍ଷଣେ ॥ ୨୭୪
ଗୋବିନ୍ଦ ଆଜ୍ଞା ଶିରେ ଲଇଁ । ଯାହା ବା ପାରିଲଇଁ କହି ॥ ୨୭୫
କହିଲେ ପ୍ରଭୁ ଚକ୍ରଧର । ପୁରାଣ ରସ ଗୀତସାର ॥ ୨୭୬
ଏଣୁ ନ କର ଖେଦମନ । ସବୁରି ପ୍ରଭୁ ଭଗବାନ ॥ ୨୭୭
ରୂପ-ଅରୂପ ଜ୍ଞାନଗୁରୁ । ଯାହା ମହିମା ମହାମେରୁ ॥ ୨୭୮
କୃଷ୍ଣଚରଣେ ମନ ଦେଇ । ସଂସାରୁ ତର ଏହା ଗାଇ ॥ ୨୭୯
ଏଣେ ହୋଇବ ଭବୁଁ ପାର । ତାରିବେ ଦେବ ଦାମୋଦର ॥ ୨୮୦
ଦୟାସାଗର ରାମହରି । ବିପଦୁଁ ଧରିବେ ଉଦ୍ଧରି ॥ ୨୮୧
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ମଲ୍ଲରଙ୍ଗ ଉପବର୍ଣ୍ଣନଂ ନାମ ପଞ୍ଚଚତ୍ୱାରିଂଶୋଽଧ୍ୟାୟଃ ॥
* * *