ଦଶମ ସ୍କନ୍ଧ

ଚତୁଃଚତ୍ୱାରିଂଶ ଅଧ୍ୟାୟ

ଶୁକ ଉବାଚ

ଶୁଣ ହେ ଅଭିମନ୍ୟୁବଳା । ଅକ୍ରୁର ଜଳେ ସ୍ତୁତି କଲା ॥

ପୁଣ ଚରଣତଳେ ଶୋଇ । ବୋଲଇ କୃଷ୍ଣ ତ୍ରାହି ତ୍ରାହି ॥

ଭକତବନ୍ଧୁ ଜନାŸର୍ଦ୍ଦନ । ଜଳେ ହୋଇଲେ ଅନ୍ତର୍ଦ୍ଧାନ ॥

ଯେସନେ ନଟଙ୍କର ଗତି । ପ୍ରସ୍ତାବ ସଦୃଶେ ଭଜନ୍ତି ॥

ଅକ୍ରୁରେ ଦେଖାଇ ଶରୀର । ତକ୍ଷଣେ ହୋଇଲେ ଅନ୍ତର ॥

ଅକ୍ରୁର ଥିଲା ପାୟେ ପଡ଼ି । ପୁଣି ଉଠିଲା କରଯୋଡ଼ି ॥

ଦେଖିଲା କେହି ନାହିଁ ଜଳେ । ଉଠି ଚାହିଁଲା ନଦୀକୂଳେ ॥

ବୃକ୍ଷର ମୂଳେ ରଥେ ଥାଇ । ଡ଼ାକନ୍ତି ପ୍ରଭୁ ଭାବଗ୍ରାହୀ ॥

ଅକ୍ରୁର ଦେଖି ତୋଷମନ । ବେଗେ ସାରିଲା ନିତ୍ୟକର୍ମ ॥

ଆସି ମିଳିଲା ରଥତଳେ । ପଡ଼ିଲା କୃଷ୍ଣପାଦତଳେ ॥ ୧୦

ହସି ବୋଲନ୍ତି ଦାମୋଦର । ଜଳେ ତ ବିଳମ୍ବ ତୋହର ॥ ୧୧

ମଥୁରା ଯିବା କେତେବେଳେ । କିସ ଦେଖିଲୁ ପୁଣ ଜଳେ ॥ ୧୨

ଗଗନ ଶୂନ୍ୟ ମହୀଭାଗେ । କି ଅବା ଦଶଦିଗ ଲାଗେ ॥ ୧୩

ଯାହା ଦେଖିଲୁ କହ ମୋତେ । ତେବେ ହେଁ ଯିବଇଁ ପରତେ ॥ ୧୪

ଅକ୍ରୁର ଶିରେ କର ଦେଇ । କହଇ ଶ୍ରୀମୁଖେ ଅନାଇଁ ॥ ୧୫

ଜଳେ ଦେଖିଲି ମୁହିଁ ଯାହା । ଭୋ ନାଥ ନ ଜାଣୁ କି ତାହା ॥ ୧୬

ମୋତେ ପଚାରୁ ମାୟା କରି । ଭକତ-ସୋଦର ମୁରାରି ॥ ୧୭

ତୋହର ତହୁଁ ଆନ ନାହିଁ । ଜଳେ ଦେଖିଲି ତୋତେ ମୁହିଁ ॥ ୧୮

ଭୋ ନାଥ ସର୍ବଘଟେ ପୂରି । ସଂସାର ଅଛୁ ଯେ ଆବୋରି ॥ ୧୯

ତୋର ନ ଥିଲା ଅଛି କାହିଁ । ଜଳ ଅନଳ ସ୍ଥଳେ ତୁହି ॥ ୨୦

ବଣ ପର୍ବତ ତରୁଲତା । ମେରୁ ସମାନ ବଳବନ୍ତା ॥ ୨୧

ତୃଣ ସମାନ ତନୁକ୍ଷୀଣ । ରୂପକୁ ରୂପ ଭିନ୍ନ ଭିନ୍ନ ॥ ୨୨

ମୁଁ କାହିଁ ଜାଣିବି ଅଶେଷ । ଘୋଟି ଯେ ଅଛୁ ଦଶଦିଶ ॥ ୨୩

ମୁହିଁ ମାନବ ତନୁ ବହି । ଜାଣିପାରିବି ତାହା କାହିଁ ॥ ୨୪

ବ୍ରହ୍ମା ଶଙ୍କର ପୁରନ୍ଦର । ଲକ୍ଷ୍ମୀ ସାରଦା ଶୀତକର ॥ ୨୫

ସୂର୍ଯ୍ୟ ପବନ ଗ୍ରହଗଣ । ମୁନି ମାନବ ଜଣେ ଜଣ ॥ ୨୬

ସୁର ଅସୁର ଠାରେ ତୁହି । ସକଳଘଟେ ପୂ‰ର୍ଣ୍ଣ ହୋଇ ॥ ୨୭

ଏମାନେ ନ ପାଇଲେ ଲେଶ । ବିଶ୍ୱସଂସାରେ ତୋ' ପ୍ରକାଶ ॥ ୨୮

ଏତେ ବୋଲିଣ ପାଦତଳେ । ପଡ଼ିଲା ଆତ୍ମାର ବିକଳେ ॥ ୨୯

କୃଷ୍ଣ ବୋଲନ୍ତି ଶୁଣି ତାହା । ଅକ୍ରୁର ବେଗେ ରଥ ବାହା ॥ ୩୦

ତକ୍ଷଣେ କୃଷ୍ଣ ଆଜ୍ଞା ପାଇ । ରଥେ ବସିଲା ବେଗେ ଯାଇ ॥ ୩୧

ଗୋବିନ୍ଦ ପାଦେ ମନ ଦେଇ । ରଥ ବାହଇ ତୋଷ ହୋଇ ॥ ୩୨

ଆନନ୍ଦେ ତେଜ ଅବସାନେ । ମିଳିଲା ମଥୁରା ଭୁବନେ ॥ ୩୩

ପଥେ ଯେ ଥିଲେ ନରନାରୀ । ରଥେ ଦେଖିଲେ ରାମହରି ॥ ୩୪

ଦେଖି ଅପୂର୍ବ ରୂପ ଦୁଇ । ପାଦ-ନୟନ ନଚଳଇ ॥ ୩୫

ଗ୍ରାମେ ପ୍ରବେଶ ଭଗବାନ । ଦେଖି ସାନନ୍ଦ ମନେ ମନ ॥ ୩୬

ବୋଲନ୍ତି ପ୍ରଭୁ ଜଗନ୍ନାଥ । ଅକ୍ରୁର ଦଣ୍ତେŠ ରୁହା ରଥ ॥ ୩୭

ପଛେ ଅଛନ୍ତି ଗୋପବାଳ । ଏଠାରେ ହୋନ୍ତୁ ଏକମେଳ ॥ ୩୮

ଗୋରସ ଅଛି ଯେତେ ଭାର । ରାଜାର ଉଚିତ ଭŠଣ୍ତାର ॥ ୩୯

ସକଳେ ଏକରୁଣ୍ତŠ ହୋଇ । ମିଳିବୁ ରାଜା ଆଗେ ଯାଇ ॥ ୪୦

ତେବେ ହୋଇବ ତୋର ଯଶ । ପାଇବୁ ଶାଢ଼ୀ ଗ୍ରାମ ଦେଶ ॥ ୪୧

ଏମନ୍ତ କହୁଁ କହୁଁ ପଥେ । ଗୋପାଳେ ମିଳିଲେ ତୁରିତେ ॥ ୪୨

ଦେଖି ସାନନ୍ଦ ଭାବଗ୍ରାହୀ । ବୋଲନ୍ତି ଅକ୍ରୁରେ ରୁହାଇ ॥ ୪୩

ରଥୁଁ ଓହ୍ଲାଇ ଦାମୋଦର । ଅକ୍ରୁର ହସ୍ତେ ଦେଇ କର ॥ ୪୪

କୋମଳ ମଧୁର ବଚନ । ଆଶ୍ୱାସି ଅକ୍ରୁରର ମନ ॥ ୪୫

ଭୋ ତାତ ରଥ ଘେନିଯାଅ । ରାଜାର ଛାମୁରେ ଜଣାଅ ॥ ୪୬

ବୋଲ ଅଇଲେ ବେନିଭାଇ । ଅଇଲି ତୋଟାରେ ରୁହାଇ ॥ ୪୭

ସକଳେ ହୋଇ ଏକମେଳ । ସଙ୍ଗେ ଅଛନ୍ତି ଗୋପବାଳ ॥ ୪୮

ଧନ ଗୋରସ ଆଦି କରି । ଶକଟମାନଙ୍କରେ ଭରି ॥ ୪୯

ସକଳେ ହୋଇ ଏକସ୍ଥାନ । କାଲି କରିବେ ଦରଶନ ॥ ୫୦

ଏତେକ କହିଣ ଛାମୁର । ଭୋ ତାତ ଯାଅ ନିଜ ଘର ॥ ୫୧

ଆମ୍ଭେ ଦେଖିବୁ ମଧୁପୁର । କେମନ୍ତ ଦିଶଇ ସୁନ୍ଦର ॥ ୫୨

ଅକ୍ରୁର ଶିରେ କର ଦେଇ । ବୋଲଇ କୃଷ୍ଣମୁଖ ଚାହିଁ ॥ ୫୩

ଏ କଥା ନୁହଁଇ ଉଚିତ । ତୁ କି ନ ଜାଣୁ ଗୋପୀନାଥ ॥ ୫୪

ତୁମ୍ଭ ଦୁହିଁକି ଛାଡ଼ି କରି । ଜୀବନ ଥିବ କି ମୋହରି ॥ ୫୫

ଭକତବ›ତ୍ସଳ ମୁରାରି । ମୋତେ ନ ଛାଡ଼ କୋପକରି ॥ ୫୬

ଭୋ ନାଥ ଆସ ମୋର ଘର । ବାନ୍ଧବ ଯେବେ ମୁଁ ତୁମ୍ଭର ॥ ୫୭

ପବିତ୍ର କର ମୋର ପୁର । ଅଶେଷ ବ୍ରହ୍ମାŠଣ୍ତଠାକୁର ॥ ୫୮

ସଙ୍ଗତେ ରୋହିଣୀ କୁମର । ଯେତେ ଗୋପାଳେଛନ୍ତି ତୋର ॥ ୫୯

ସବୁନ୍ତ ଘେନି ମୋର ଘର । ବିଜୟ କର ଚକ୍ରଧର ॥ ୬୦

ତୋହର ପାଦରଜ-ନୀର । ପବିତ୍ର କରୁ ମୋର ଘର ॥ ୬୧

ପିତୃ ଯେ ଅଗ୍ନି ଦଇବତ । ଯାହା ଚିନ୍ତନ୍ତି ଅବିରତ ॥ ୬୨

ବଳି ଯେ ଧୋଇ ତୋ'ର ପାଦ । ପାଇଲା ଅଶେଷ ସମ୍ପଦ ॥ ୬୩

ଯଶ ରହିଲା ତିନିଲୋକେ । ଭକତି କଲା ସେହି ଏକେ ॥ ୬୪

ଗଙ୍ଗା ତୋ' ଚରଣୁ ବାହାର । ପବିତ୍ର କଲା ତିନିପୁର ॥ ୬୫

ଶଙ୍କର ବହିଅଛି ଶିରେ । ସଗରପୁତ୍ରେ ସ୍ୱର୍ଗେ ଗଲେ ॥ ୬୬

ତୁ ଦେବ ଦେବ ଜଗନ୍ନାଥ । ପୁଣ୍ୟକୀର୍ତ୍ତନ କୀର୍ତ୍ତିମନ୍ତ ॥ ୬୭

ଯଦୁଉତ୍ତମ ପୁଣ୍ୟଶ୍ଳୋକ । ନମଇଁ ଜଗତପାଳକ ॥ ୬୮

ଶୁଣି ବୋଲନ୍ତି ଚକ୍ରଧର । ଅକ୍ରୁର କନ୍ଧେ ଦେଇ କର ॥ ୬୯

ଭୋ ତାତ ଶୁଣ ମୋ ବଚନ । ମନେ ତୁ ନ ବିଚାର ଆନ ॥ ୭୦

ଅବଶ୍ୟ ଯିବି ତୋ'ର ପୁର । ସଙ୍ଗତେ ଘେନି ହଳଧର ॥ ୭୧

ଆଗେ ମୁଁ କଂସ ଦର୍ପ ଧ୍ୱଂସି । ବନ୍ଧୁବାନ୍ଧବ ମନତୋଷି ॥ ୭୨

ପଛେ ମୁଁ ଯିବି ତୋ'ର ପୁର । ଏ ସତ୍ୟବଚନ ମୋହର ॥ ୭୩

କୃଷ୍ଣ-ମୋହନ କଥା ଶୁଣି । ଅକ୍ରୁର ଗଲା ରଥ ଘେନି ॥ ୭୪

ଭୟେ ବିଚାର କରି ମନ । ନବରେ ପ୍ରବେଶି ବହନ ॥ ୭୫

ରଥ ରୁହାଇ ସିଂହଦ୍ୱାରେ । ଦର୍ଶନ କଲା ନୃପବରେ ॥ ୭୬

କଂସର ଆଗେ ଜଣାଇଲା । କୃଷ୍ଣଙ୍କୁ ଆଣିଲି ବୋଇଲା ॥ ୭୭

ନନ୍ଦ ସୁନନ୍ଦ ରାମ ସଙ୍ଗେ । ଗୋରସ ଗୋପାଳଙ୍କ ଲାଗେ ॥ ୭୮

ରୁŠଣ୍ତ ହୋଇଲେ ଗଡ଼ଦ୍ୱାରେ । ଆଜକ ରହିଲେ ତୋଟାରେ ॥ ୭୯

କାଲି କରିବେ ଦରଶନ । ଶୁଣ ହରଷ କଂସମନ ॥ ୮୦

ସନ୍ତୋଷ ମନେ ଭୋଜବୀର । ଅକ୍ରୁରେ ଦେଲା ଉପହାର ॥ ୮୧

ରତ୍ନବସନ ଅଳଙ୍କାର । ମେଲାଣି ପାଇଲା ଅକ୍ରୁର ॥ ୮୨

କଂସକୁ କରି ତୋଷମନ । ମିଳିଲା ଆପଣା ଭୁବନ ॥ ୮୩

କୃଷ୍ଣ ପ୍ରବେଶ କଥା ଶୁଣି । କଂସ ଯେ ମନେ ମନେ ଗୁଣି ॥ ୮୪

ନିକଟ ହୋଇଲା ବଇରୀ । ଅନେକ ବୀର ଅଛି ମାରି ॥ ୮୫

ହରଷ-ବିସ୍ମୟେ ରାଜନ । ମନ ହୋଇଲା ଛନ ଛନ ॥ ୮୬

କ୍ଷୁଧା ପିପାସା ସୁଖ ଭୋଗ । ସବୁ ହୋଇଲା ବିଷଯୋଗ ॥ ୮୭

କୃଷ୍ଣର ତହୁଁ ଏକମନ । ଚିତ୍ତ ନିରୋପି କରେ ଧ୍ୟାନ ॥ ୮୮

ନିକଟ ହୋଏ ସଂଜୀବନୀ । କହଇ ଆନୁଆନ ବାଣୀ ॥ ୮୯

ଏମନ୍ତେ ଶୁଣ ନରନାଥ । କୃଷ୍ଣ ଚରିତ ଭାଗବତ ॥ ୯୦

କୃଷ୍ଣ ଯେ ଥିଲେ ଉପବନେ । ଗୋପାଳେ ମିଳିଲେ ବହନେ ॥ ୯୧

ତୋଟାରେ ହୋଇଲେକ ରୁଣ୍ତŠ । ଆବୋରି ମଥୁରାର ଦାŠଣ୍ତ ॥ ୯୨

ଯେ ଯାହା ମତେ ସାଜି ଘର । ନାନା ପ୍ରକାରେ ଉପହାର ॥ ୯୩

କରନ୍ତି ରନ୍ଧନ ଭୋଜନ । ହରଷ ଗୋପାଳଙ୍କ ମନ ॥ ୯୪

ଭୋଜନ ସାରି ବେନିଭାଇ । ଗୋପାଳ ପୁଅଙ୍କୁ ଅନାଇ ॥ ୯୫

ବୋଲନ୍ତି ହୋଇ ହସହସ । ମଥୁରା ବୁଲିଯିବା ଆସ ॥ ୯୬

ବେଳ ହୋଇବ ଅବସାନ । ଥୋକାଏ ଦେଖିବା ଭୁବନ ॥ ୯୭

ଦେଖିବା ରାଜାର କଟକ । କେମନ୍ତ ଦିଶଇ ଛଟକ ॥ ୯୮

ଭିଆଇ ଧନୁଯାତ୍ରାଘର । କେମନ୍ତ କରିଛି ସମ୍ଭାର ॥ ୯୯

ଅକ୍ରୁର ହସ୍ତେ ଦେଇ ରଥ । ଆମ୍ଭଙ୍କୁ ଅଣାଇଛି ଏଥ ॥ ୧୦୦

ଏବେ କି କରିବ ଆମ୍ଭନ୍ତ । ହୋଇଲୁ ତାହାର ଆୟତ୍ତ ॥ ୧୦୧

ଆସ ହୋ ଯିବା ମଧୁପୁରୀ । ଆଗ ହୋଇଲେ ହଳଧାରୀ ॥ ୧୦୨

ଗୋପ କୁମରେ କୃଷ୍ଣ ସଙ୍ଗେ । ମିଳିଲେ ଗଡ଼ଦ୍ୱାରେ ଲାଗେ ॥ ୧୦୩

ଦେଖିଲେ ସ୍ପଟିକେ ନିର୍ମିତ୍ । ଉଚ୍ଚ ପୁରୁଷ ପାଞ୍ଚସାତ ॥ ୧୦୪

ବେନିକବାଟ ହେମମୟେ । ଲୁହାର କିଳିଣୀ ଯୋଡ଼ାଏ ॥ ୧୦୫

ତୋରଣ ବେନି ବୃକ୍ଷ ବାନ୍ଧି । ବିବିଧ ଫଳଡ଼ାଳେ ଛନ୍ଦି ॥ ୧୦୬

ତମ୍ବାର ପାଚେରୀ ବହଳ । ଖଣା ଗଭୀର ଶୁଦ୍ଧଜଳ ॥ ୧୦୭

ଭିତରେ ନାନା ବୃକ୍ଷମାନ । ଦେଖି ସାନନ୍ଦ କୃଷ୍ଣରାମ ॥ ୧୦୮

ଯେ ଯାହାମତେ ଅଳଙ୍କାର । ବେଦୀଏ ଦିଶନ୍ତି ସୁନ୍ଦର ॥ ୧୦୯

ଅ ଟ୍ଟାଳୀ ଉପରେ ସୁନ୍ଦର । ସୁନା କଳସ ଧ୍ୱଜସାର ॥ ୧୧୦

ଉପରେ ଶୋହେ ରତ୍ନମାଳା । ସ୍ପଟିକ ହୀରାର ମେଖଳା ॥ ୧୧୧

ବୈଡ଼ୁର୍ଯ୍ୟ ମର୍କତ ମୁକୁତା । ଲମ୍ବନ୍ତି ମାଳ ମାଳ ଗୁନ୍ଥା ॥ ୧୧୨

ସୁବ‰ର୍ଣ୍ଣ କାନ୍ଥ ରତ୍ନ ଚାଳ । ଜଳାକବାଟି ପରିମଳ ॥ ୧୧୩

ପାରା ମୟୂର ନାଦ କରି । ଝିଙ୍କ କୋକିଳ ଶୁକ ଶାରୀ ॥ ୧୧୪

ଗଜ ତୁରଙ୍ଗଶାଳା ପାଖେ । ବରାହ ମୃଗ ଝାଙ୍କେଝାଙ୍କେ ॥ ୧୧୫

ବନକୁକ୍କୁଟ ରାଜହଂସୀ । ଦେଖି ଶ୍ରୀକୃଷ୍ଣ ପରଶଂସି ॥ ୧୧୬

ତହୁଁ ପଶିଲେ ପୁରେ ଯାଇ । ପୋଏ ଚାହାଁନ୍ତି ତୋଷ ହୋଇ ॥ ୧୧୭

ଦେଖିଲେ ରାଜମାର୍ଗେ ହରି । ଚନ୍ଦନ ଛେରାଏ ପହଁରି ॥ ୧୧୮

ତଣ୍ତୁଳ ଲାଜା ଦୁର୍ବାସଙ୍ଗେ । ନାରୀଏ ବନ୍ଦାନ୍ତି ସୁରଙ୍ଗେ ॥ ୧୧୯

ସବୁରି ଦ୍ୱାରେ ପୂ‰ର୍ଣ୍ଣକୁମ୍ଭ । ଦଧି ଅକ୍ଷତ ବସ୍ତ୍ରଲମ୍ବ ॥ ୧୨୦

ଫଳ ପଲ୍ଲବ ଦୀପାବଳୀ । ଶଙ୍ଖ ମହୁରି ହୁଳହୁଳି ॥ ୧୨୧

ଦ୍ୱାରେ କଦଳୀ ବେନିବୃକ୍ଷେ । ତୋରଣ ମାଳ ଧ୍ୱଜ ଉଚ୍ଚେ ॥ ୧୨୨

ଦ୍ୱାରର ଖମ୍ବେ ପାଟଶାଢ଼ୀ । ଉପରେ ଚାନ୍ଦୁଆ ଉହାଡ଼ି ॥ ୧୨୩

ବସୁଦେବର ବେନିସୁତେ । ଗୋପାଳ ମେଳେ ରାଜପଥେ ॥ ୧୨୪

ଦେଖି ଆନନ୍ଦ ନରନାରୀ । ପଡ଼ିଲା ରାଜପଥେ ହୁରି ॥ ୧୨୫

ନାନା ପସରା ହାଟବାଟେ । କାମିନୀ ଧାମନ୍ତି ଉଚ୍ଚାଟେ ॥ ୧୨୬

ବୃକ୍ଷ ଅଟ୍ଟାଳୀ ଆରୋହନ୍ତି । ପିଢ଼ାରେ ଉଠି କେ ଦେଖନ୍ତି ॥ ୧୨୭

କେ ନାରୀ ଚିତ୍ତ ଅନାୟତ୍ତେ । ବସ୍ତ୍ର ପିନ୍ଧିଲା ବିପରୀତେ ॥ ୧୨୮

ଅଙ୍ଗଭୂଷଣ ଆନୁ ଆନେ । ଅଞ୍ଜନ ଏକଇ ନୟନେ ॥ ୧୨୯

ଏକ ଶ୍ରବଣେ କାପ ଭରି । ନୂପୁର ଏକପାଦେ କରି ॥ ୧୩୦

ବଳୟ ଭରି ବାମହସ୍ତେ । କବରୀ ଫିଟିଅଛି ମାଥେ ॥ ୧୩୧

କେ ଭୁଞ୍ଜୁଥିଲା ଦଧିଭାତ । ଧାଇଁଲା ନ ପଖାଳି ହାତ ॥ ୧୩୨

ତୈଳ ଅଏଁଳା ଘେନି ଶିରେ । କେ ଅବା ଥିଲେ ନଦୀତୀରେ ॥ ୧୩୩

ସ୍ନାହାନ ଉପେକ୍ଷି ବହନ । ଧାଇଁଲେ ଶୁଣି ବାଦ୍ୟସ୍ୱନ ॥ ୧୩୪

ଶୋଇଲା ଲୋକଙ୍କୁ ଚିଆଇଁ । ଆସଗୋ ବୋଲି ବେଗେ ଧାଇଁ ॥ ୧୩୫

କାଖରୁ ବାଳକ ପକାଇ । ଧାମନ୍ତି କୃଷ୍ଣେ ମନ ଦେଇ ॥ ୧୩୬

ଦେଖିଣ ବସୁଦେବସୁତ । ନିର୍ମଳ କଲେ ଚର୍ମନେତ୍ର ॥ ୧୩୭

ମଥୁରାନାରୀଙ୍କର ମନ । ମୋହିଲେ ପ୍ରଭୁ ଭଗବାନ ॥ ୧୩୮

ଲଳିତଗତି ଦିବ୍ୟବେଶ । ରଙ୍ଗଅଧରେ ମନ୍ଦହାସ ॥ ୧୩୯

ମତ୍ତମାତଙ୍ଗ ପ୍ରାୟ ହୋଇ । କଟାକ୍ଷନୟନେ ଅନାଇଁ ॥ ୧୪୦

ମଥୁରାପୁରନାରୀଙ୍କର । ଉତ୍ସ›ବ ହୋଇଲା ଅପାର ॥ ୧୪୧

ଯାହାର ଜନ୍ମ-କର୍ମ-ପଥେ । ବାରତା ଶୁଣୁଥିଲେ ନିତ୍ୟେ ॥ ୧୪୨

ଦେଖିଲେ ନୟନ ପୂରାଇ । ଗୋବିନ୍ଦ-ସୁଧାରସ ପାଇ ॥ ୧୪୩

ଭିତରେ କୃଷ୍ଣଙ୍କୁ ଦେଖିଲେ । ଆନନ୍ଦେ ଲୋଚନ ବୁଜିଲେ ॥ ୧୪୪

ହୃଦରେ ଭିଡ଼ି ଆଲିଙ୍ଗନ । କରି ଛାଡ଼ିଲେ ଖେଦମନ ॥ ୧୪୫

ବୃକ୍ଷ ଅ ଟ୍ଟାଳୀ ଗୃହେ ଥାଇ । ଆନନ୍ଦ ଲୋଚନେ ଅନାଇଁ ॥ ୧୪୬

ହରଷେ କୁସୁମ ଅଞ୍ଜଳି । ଦେଇ କରନ୍ତି ହୁଳାହୁଳି ॥ ୧୪୭

ଅନେ୍ଧ ବନ୍ଧୁଙ୍କ କନେ୍ଧ ହସ୍ତ । ଦେଖି ଆସନ୍ତି ଗୋପୀନାଥ ॥ ୧୪୮

ବ୍ରହ୍ମଣେ ଆସି ରାଜଦାଣ୍ତେŠ । କରଅଞ୍ଜଳି ଦେଇ ମୁଣ୍ତେŠ ॥ ୧୪୯

ଦଧି ଅକ୍ଷତ ଗଙ୍ଗାନୀର । କୁସୁମ ଗନ୍ଧ ଉପହାର ॥ ୧୫୦

ଆନନ୍ଦେ କୃଷ୍ଣ ବଳରାମ । ବ୍ରାହ୍ମଣେ ପୂଜି ତୋଷମନ ॥ ୧୫୧

ମଥୁରାପୁର ଲୋକେ ମିଳି । ଦେଖିଲେ ରାମ ବନମାଳୀ ॥ ୧୫୨

କହନ୍ତି ଗୋପାଳଙ୍କ ଭାବ । ଶତ-ଜନମେ କେ ପାଇବ ॥ ୧୫୩

ଅନେକ ଜନ୍ମେ ତପ କରି । ଗୋପରେ ଯେତେ ନରନାରୀ ॥ ୧୫୪

ଗାଈ ମହିଁଷି ବନଭାଗେ । ଦିନ ବଞ୍ଚିଲେ କୃଷ୍ଣ ସଙ୍ଗେ ॥ ୧୫୫

ରାମ ଗୋବିନ୍ଦ ମୁଖ ଚାହିଁ । ଜନ୍ମ ମରଣ ଭୟ ନାହିଁ ॥ ୧୫୬

ଏମନ୍ତ ବୋଲୁଁ ବୋଲୁଁ ଲୋକେ । ରଜକ ମିଳିଲା ଛଟକେ ॥ ୧୫୭

ଭାଇ ସୋଦର ବନ୍ଧୁବଳ । ଘେନାଇଁ ରାଜା ମଢ଼ିଆଳ ॥ ୧୫୮

ଆଗେ ବାଜଇ ଶଙ୍ଖ ବେନି । ଚାଲଇ ମଢ଼ିଆଳ ଘେନି ॥ ୧୫୯

ଦେଖି ପଚାରିଲେ ମୁରାରି । କେ ଯାଏ ବାଦ୍ୟନାଦ କରି ॥ ୧୬୦

ଲୋକେ ବୋଇଲେ ଏ ରଜକ । ଅଟଇ କଂସର ସେବକ ॥ ୧୬୧

ନିତ୍ୟେ ଏ ମଢ଼ିଆଳ ନେଇ । ଯମୁନାନଦୀରେ କାଚଇ ॥ ୧୬୨

ଏ ନେଇ ଦେବ ଗନ୍ତାଘରେ । ଭୋଜ ନୃପତିଙ୍କ ଛାମୁରେ ॥ ୧୬୩

ଶୁଣି ଗୋବିନ୍ଦ ତୋଷ ହୋଇ । ଡ଼ାକନ୍ତି ରହ ରହ ଭାଇ ॥ ୧୬୪

ଆଗେ ଓଗାଳି ହଳଧର । ପୋଏ ବେଢ଼ିଲେ ଧାତିକାର ॥ ୧୬୫

ରଜକ ମୁଖ ଚାହିଁ ହସି । ବୋଲନ୍ତି ପ୍ରଭୁ ବ୍ରହ୍ମରାଶି ॥ ୧୬୬

ଦେଖିବା ରାଜା ମଢ଼ିଆଳ । ବସ୍ତ୍ର ତୁ ବେଗେ ଥୁଅ ତଳ ॥ ୧୬୭

ଆମ୍ଭେ ହୋ ବସୁଦେବସୁତେ । ଗୋପରେ ଥିଲୁ ଦିନାକେତେ ॥ ୧୬୮

ଦେଖିବା କେମନ୍ତ ସୁନ୍ଦର । କଂସ ରାଜାର ମଢ଼ିଆଳ ॥ ୧୬୯

ଯେବେ ତୁ ନ ଦେବୁ ଦେଖାଇ । ଆମ୍ଭଙ୍କୁ ଦିଅ ବସ୍ତ୍ର ଦୁଇ ॥ ୧୭୦

ନୀଳ ଧବଳ ଦେହ ଚାହଁ । ଆମ୍ଭ ଉଚିତେ ବସ୍ତ୍ର ଦିଅ ॥ ୧୭୧

ଆମ୍ଭେଟି ରାଜାର ଭଣଜା । ବସ୍ତ୍ର ତୁ ଦେଇଣ କହ ଯା ॥ ୧୭୨

ଶୁଣି ନୃପତି ହେବେ ତୋଷ । ସଂସାରେ ଥିବ ତୋର ଯଶ ॥ ୧୭୩

ରଜକ ଛଦ୍ରମେଣ କାଲ । ନ ଶୁଣି ରାମକୃଷ୍ଣ ବୋଲ ॥ ୧୭୪

ପୁଣି ଚାଲଇ ପହଲାଇ । ଆଗ ହୋଇଲେ ଭାବଗ୍ରାହୀ ॥ ୧୭୫

ମିଳିଲେ ରୋହିଣୀର ବଳା । ଦେଖି ରଜକ କୋପ କଲା ॥ ୧୭୬

ଦଇବେ ରାଜାର ସେବକ । ରଜକ ସ୍ୱଭାବେ ମୂରୁଖ ॥ ୧୭୭

ବୋଲଇ ଧିକ୍କାର ବଚନ । ତୁମ୍ଭେ ଯେ ଅଟ ଜାତିହୀନ ॥ ୧୭୮

ତୁମ୍ଭର କୁଳମୂଳ ନାହିଁ । ବନେ ଚରାଉଥାଅ ଗାଈ ॥ ୧୭୯

ଗଉଡ଼ଜାତି ହୀନ ଲୋକ । ଶୃଗାଳ ପ୍ରାୟେ ତୁମ୍ଭ ମୁଖ ॥ ୧୮୦

ବାଇଙ୍କ ପ୍ରାୟ ଗାଈ ଘେନି । କରୁ ଯେ ଥାଅ ବେଣୁଧ୍ୱନି ॥ ୧୮୧

ଏଡ଼େ ଭରସା ଗର୍ବ ବହ । ରାଜା ମଢ଼ିଆଳ ରୁହାଅ ॥ ୧୮୨

ନିର୍ଲ୍ଲଜ ବୋଲି ଏହା ବୋଲ । ଜୀବନ ଥାଉଁ ଥାଉଁ ମଲ ॥ ୧୮୩

ତୁମ୍ଭର ପୂର୍ବେ ତପ ନାହିଁ । ଗଉଡ଼େ ଅଛ ଜାତ ହୋଇ ॥ ୧୮୪

ଜୀବନେ ଯେବେ ଅଛି ଆଶ । ବେଗେ ପଳାଅ ନିଜ ଦେଶ ॥ ୧୮୫

ରାଜାର ଲୋକେ ଏହା ଶୁଣି । ସବୁନ୍ତ ପକାଇବେ ହାଣି ॥ ୧୮୬

ତୁମ୍ଭେ ନ ମାଗ ମଢ଼ିଆଳ । ତୁମ୍ଭର ପୂରିବଟି କାଳ ॥ ୧୮୭

କଂସ ହିଁ ଅଛଇ ଅଣାଇ । ନିଶ୍ଚେ ମରିବ ବେନିଭାଇ ॥ ୧୮୮

ଜୀବନେ ମାରିବ ତୁମ୍ଭଙ୍କୁ । ବନ୍ଦୀ ସେ କରିବ ନନ୍ଦକୁ ॥ ୧୮୯

ହୋଇବ ତୁମ୍ଭେ ବିଷାବଳି । ଶୁଣି କୋପିଲେ ବନମାଳୀ ॥ ୧୯୦

ଚାପୁଡ଼େ ମାରି ବାମକର । ଛେଦିଲେ ରଜକର ଶିର ॥ ୧୯୧

ତାହାର ସଙ୍ଗେ ଯେତେ ଥିଲେ । ବସ୍ତ୍ର ପକାଇ ପଳାଇଲେ ॥ ୧୯୨

ରଜକ ଭୂମିରେ ପଡ଼ିଲା । ଜୀବନ ଗୋବିନ୍ଦେ ପଶିଲା ॥ ୧୯୩

ହସି ବୋଲନ୍ତି ଭଗବାନ । ବସ୍ତ୍ର ଯେ ଘେନ ଯେଝାମନ ॥ ୧୯୪

ରାମ ଫେଡ଼ିଲେ ବସ୍ତ୍ରପୁଡ଼ା । ଥିଲା ତହିଁରେ ଯେତେ ଯୋଡ଼ା ॥ ୧୯୫

ବାଛି ଘେନିଲେ ପୀତ ନୀଳ । ସୁନ୍ଦର ରାଜା ମଢ଼ିଆଳ ॥ ୧୯୬

ଗୋପାଳ ପୋଏ ଯେଝାମତେ । ବସ୍ତ୍ର ପିନ୍ଧିଲେ ତୋଷଚିତ୍ତେ ॥ ୧୯୭

ଯେତେ ମଢ଼ିଆଳ ଉବୁରି । ପକାଇ ଗଲେ କୁଢ଼ କରି ॥ ୧୯୮

କନ୍ଧେପକାଇ ମଢ଼ିଆଳ । ଚାହାଁନ୍ତି ମଦନ ଗୋପାଳ ॥ ୧୯୯

ଥିଲା ଯେ କଂସ ବେଶକାରୀ । ଆଗେ ମିଳିଲା କରଯୋଡ଼ି ॥ ୨୦୦

ବୋଲଇ ଶିରେ କର ଦେଇ । ରାଜାର ଗନ୍ତାୟତ ମୁହିଁ ॥ ୨୦୧

ବସ୍ତ୍ର ମୁଁ ପିନ୍ଧାଇବି ରଙ୍ଗେ । କାଛେଣି ନାନା ପରିଭଙ୍ଗେ ॥ ୨୦୨

ଶୁଣି ସାନନ୍ଦ ଗୋପୀନାଥ । ବସନ ଦେଲେ ତା'ର ହସ୍ତ ॥ ୨୦୩

ତକ୍ଷଣେ ପିନ୍ଧାଇଲା କାଛି । ରାମ ଗୋବିନ୍ଦେ ବଳ ଆଞ୍ଚି ॥ ୨୦୪

ବିବିଧମତେ ଅଳଙ୍କାର । ସ୍କଭାବେ ଦିଶିଲା ସୁନ୍ଦର ॥ ୨୦୫

ବସ୍ତ୍ର ପିନ୍ଧିଲେ ପୀତନୀଳ । ଉତ୍ସ›ବ ଯେହ୍ନେ ପର୍ବକାଳ ॥ ୨୦୬

ବାଳକହସ୍ତୀ ବେଶକରି । ଯେସନେ ଆନନ୍ଦେ ବିହରି ॥ ୨୦୭

ରାମଗୋବିନ୍ଦ ସେହିମତେ । ଦିଶନ୍ତି ମଥୁରାର ପଥେ ॥ ୨୦୮

ଗୋବିନ୍ଦ ଗନ୍ତାୟତେ ଚାହିଁ । ବୋଲନ୍ତି ପ୍ରଭୁ ଭାବଗ୍ରାହୀ ॥ ୨୦୯

ସମ୍ପଦ ହେଉ ତୋ' ଅନେକ । ବହୁତ ପୁତ୍ର ନାତି ଦେଖ ॥ ୨୧୦

ବଳ ତୋହର ଦେହେ ଥାଉ । ମୋହର ପାଦେ ଚିତ୍ତ ରହୁ ॥ ୨୧୧

ଅନ୍ତେ ପଶିବୁ ମୋର ଦେହେ । କହି ଚଳିଲେ ଦେବରାୟେ ॥ ୨୧୨

ଚଳନ୍ତି ମଥୁରାଏ ହେରି । ଗୋପାଳ ପୋଏ ରାମହରି ॥ ୨୧୩

ସୁଦାମା ନାମେ ମାଳାକାର । କୃଷ୍ଣ ମିଳିଲେ ତା'ର ଘର ॥ ୨୧୪

ନାନା କୁସୁମେ ପରିମଳ । ପବନ ବହଇ ଶୀତଳ ॥ ୨୧୫

ମାଳୀର ଦ୍ୱାରେ ଉଭା ହୋଇ । ଡ଼ାକନ୍ତି ପ୍ରଭୁ ଭାବଗ୍ରାହୀ ॥ ୨୧୬

କୋମଳ ମଧୁର ବଚନ । ସୁଦାମା ଶୁଣି ତୋଷମନ ॥ ୨୧୭

ବାହାର ହୋଇଲା ବହନ । ଦେଖିଲା ରାମ ଭଗବାନ ॥ ୨୧୮

ଆନନ୍ଦେ ଗଡ଼ଘାଲି ଶୋଇ । ବୋଲଇ ନିସ୍ତରିଲି ମୁହିଁ ॥ ୨୧୯

ପତ୍ନୀ ଆଣିଲା ଜଳଝରି । ପାଦ ଧୋଇଲା ଯତ୍ନକରି ॥ ୨୨୦

ପାଦଉଦକ ଘେନି ଶିରେ । ସିଞ୍ଚିଲା ନେଇ ଘରଦ୍ୱାରେ ॥ ୨୨୧

ପତିପତ୍ନୀ ସେ ଜଳ ପାଇ । ନାଚନ୍ତି ଶିରେ କର ଦେଇ ॥ ୨୨୨

ଆନନ୍ଦ ସାଗରେ ବୁଡ଼ିଲେ । ଗୋବିନ୍ଦ ଚରଣେ ପୂଜିଲେ ॥ ୨୨୩

ଯେତେକ ଅର୍ଘ୍ୟ ଆଚମନ । ଧୂପ ଦୀପ ଗନ୍ଧ ଚନ୍ଦନ ॥ ୨୨୪

ରୋହିଣୀସୁତ କୃଷ୍ଣ ସଙ୍ଗେ । ପୂଜିଲା ପଦ୍ମ‌ପାଦ ଯୁଗେ ॥ ୨୨୫

ପୂଜାର ଅନ୍ତେ ପାଦେ ପଡ଼ି । ବୋଲଇ ଶିରେ କରଯୋଡ଼ି ॥ ୨୨୬

ଧନ୍ୟ ହୋଇଲା ଆଜଦିନ । ପବିତ୍ର ହେଲା ମୋର ଜନ୍ମ ॥ ୨୨୭

ନିର୍ମଳ ହୋଇଲା ମୋ' କୁଳ । ଦେଖିଲି ପ୍ରଭୁ ଆଦିମୂଳ ॥ ୨୨୮

ପିତୃ ଦେବତା ଋଷି ଯେତେ । ତୋଷ ହୋଇଲେ ଆଜମୋତେ ॥ ୨୨୯

ଦେଖିଲି ପୁରୁଷ ପୁରାଣ । ଅନାଦି ପରମ କାରଣ ॥ ୨୩୦

ଅବନୀଭାରାର ଉଶ୍ୱାସେ । ଦେହ ବହିଲେ ନରଅଂଶେ ॥ ୨୩୧

ଏ ରୂପ ଅସୁର ନାଶନ । ସାଧୁଙ୍କୁ ଦେଲ ଆତ୍ମଜ୍ଞାନ ॥ ୨୩୨

ତୁମ୍ଭେ ଜଗତ ପିତାମାତ । ନାହିଁ ତୁମ୍ଭର ଆଦିଅନ୍ତ ॥ ୨୩୩

ସକଳଜନ୍ତୁଙ୍କ ଜୀବନ । ପାଳନ ହେତୁ ନିରଞ୍ଜନ ॥ ୨୩୪

ଭାବକରନ୍ତି ପ୍ରାଣୀ ଯେତେ । ତାହାଙ୍କୁ ଭାବୁ ଏକଚିତ୍ତେ ॥ ୨୩୫

ଭୋ ନାଥ ମୋତେ ଆଜ୍ଞାକର । କିମ୍ବା ଅଇଲ ମୋର ଘର ॥ ୨୩୬

ତୋହର ଆଜ୍ଞା ଶିରେ ଘେନି । ତରନ୍ତି ଭବଜଳୁଁ ପ୍ରାଣୀ ॥ ୨୩୭

ଏମନ୍ତ ବୋଲି ତୋଷମନେ । ପାଦେ ପଡ଼ିଲେ ବେନିଜନେ ॥ ୨୩୮

କୃଷ୍ଣ ବୋଇଲେ ଶୁଣ ତୁହି । ଆମ୍ଭେ ଅଇଲୁ ଯହିଁ ପାଇଁ ॥ ୨୩୯

ଦିଅ କୁସୁମମାଳମାନ । ଯାହାକୁ ଯେହୁ ଶୋଭାବନ ॥ ୨୪୦

ସୁଦମା କୃଷ୍ଣର ବଚନେ । ପଶିଲା ଆପଣା ଭୁବନେ ॥ ୨୪୧

ସୁଗନ୍ଧ କୁସୁମର ଗଭା । ସୁନ୍ଦର ଦିଶୁଅଛି ଶୋଭା ॥ ୨୪୨

କୃଷ୍ଣ ନିକଟେ ଦେଲା ନେଇ । ରାମ ଦେଖନ୍ତି ତାଟ ଫେଇ ॥ ୨୪୩

ରାମ ଗୋବିନ୍ଦ ବେନିଭାଇ । ତାଟୁ ଘେନିଲେ ମାଳ ଦୁଇ ॥ ୨୪୪

ଲମ୍ବାଇ ରାମକୃଷ୍ଣ ହୃଦେ । ସୁଦାମା ଚାହଁଇ ଆନନ୍ଦେ ॥ ୨୪୫

ଚୂଳେ ବାନ୍ଧିଲା ବେନିଗଭା । ଦିଶନ୍ତି ରାମକୃଷ୍ଣ ଶୋଭା ॥ ୨୪୬

ତ୍ରିମୁଣ୍ତି ଗଭା ଶିରେ ଦେଇ । ବୋଲଇ କୃଷ୍ଣ ତ୍ରାହି ତ୍ରାହି ॥ ୨୪୭

ସୁଦାମା ମୁଖ ଚାହିଁ ହରି । ବୋଲନ୍ତି ରାମ କର ଧରି ॥ ୨୪୮

ବର ତୁ ମାଗ ତୋଷମନେ । ତୋହର ବା‚ଞ୍ଛା ଯେତେ ମନେ ॥ ୨୪୯

ମାଳୀ ବୋଲଇ ଯୋଡ଼ିକର । ଶୁଣିମା ପ୍ରଭୁ ଦାମୋଦର ॥ ୨୫୦

ସର୍ବସମ୍ପଦ ଅଟୁ ତୁହି । ତୋ' ତହୁଁ ଅନ୍ୟଗତି ନାହିଁ ॥ ୨୫୧

ମୋର ସମ୍ପଦେ ନାହିଁ କାର୍ଯ୍ୟ । ଶୁଣିମା ପ୍ରଭୁ ଦେବରାଜ ॥ ୨୫୨

ତୋ'ର ଭକତ ଯେତେ ଜନେ । ସେବିବି ତାହାଙ୍କ ଚରଣେ ॥ ୨୫୩

ପ୍ରାଣୀଙ୍କ ହିତେ ମୋର ଦୟା । ଭୋ ନାଥ ମୋତେ ଦିଅ ଏହା ॥ ୨୫୪

ଶୁଣି ସାନନ୍ଦ ମହାବାହୁ । ବୋଇଲେ ବାଞ୍ଛା ସିଦ୍ଧ ହେଉ ॥ ୨୫୫

ମାଳୀର ମନ ତୋଷ କରି । ଧନ ଆୟୁଷ ଯଶ ଶିରୀ ॥ ୨୫୬

ଦେଇ ଚଳିଲେ ଦାମୋଦର । ଗୋପ କୁମରେ ହଳଧର ॥ ୨୫୭

କହଇ ଦାସ ଜଗନ୍ନାଥ । ଗୋବିନ୍ଦ ମଥୁରାର ପଥ ॥ ୨୫୮

ଏବେ ହୋଇବ ମହୀ ସ୍ଥିର । ଅସୁର କରିବେ ସଂହାର ॥ ୨୫୯

ଭକତଜନେ ଶୁଣି ଏହା । ଖଣ୍ତିବେ ଘୋର ଜଡ଼ ମାୟା ॥ ୨୬୦

ଏଣେ ହରିଙ୍କି ଧ୍ୟାନ କରି । ଭବସାଗରୁ ଯିବ ତରି ॥ ୨୬୧

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ମଥୁରାପୁରପ୍ରବେଶୋ ନାମ ଚତୁଃଚତ୍ୱାରିଂଶୋଽଧ୍ୟାୟଃ ॥

* * *